ଅସହ୍ୟ ଯନ୍ତ୍ରଣାର ତାତ୍ତ୍ୱିକ ପରିଭାଷା (ଭାଗ – ୩)
ତୃତୀୟ ଭାଗ ————-
ଭଡାଘରଟି ଯଦିଓ ଭଡା ଓ ଅନ୍ୟ ସୁବିଧା ବାବଦକୁ ମନକୁ ଯାଉ ନଥିଲା, ତଥାପି ଛାଡିଲେ ହାତରୁ ସୁନା ଈଲିଶୀ ଖସିଯିବ । ଅର୍ଥାତ୍ ତା’ପରି ହତାଶିଆ ଦଳ ମେନ୍ରୋଡ୍ ଓ ଗଳିକନ୍ଦିରେ ସହରୀ ବାଘ ପରି ଅହରହ ବୁଲୁଛନ୍ତି । ଛାଡିଲା ମାତ୍ରେ ଗାଉଁ କରି ମାଡି ବସିବେ । ତେଣୁ ସୁଯୋଗ ହାତଛଡା କରିବା ଅନୁଚିତ । ଆଉଗୋଟିଏ କଥା ହେଲା, ପୁର୍ବ ଷ୍ଟେସନ୍ରେ ଦୀର୍ଘ ଚଉଦ ବର୍ଷ କାଳ ଏକାକୀ ରହିବା ପାଇଁ ଘରଟିଏ ମିଳିଲା ନାହିଁ । ପୁଣି ପରିବାର ସହ ନରହିଲେ ଘର ମାଲିକ ଘରଭଡା ଦେବାକୁ ନାରାଜ, ଭଡାଟିଆ ହେଉପଛେ ବୁଢା । କିନ୍ତୁ ଏଠାରେ ସେ ଭାବନା ନଥିବାର ଅନୁଭୂତ ହେଲା ଓ ଘର ମାଲିକଙ୍କ ବ୍ୟବହାର ଅତି ନିର୍ମଳ ଥିଲା । ଏ ଇଲାକାର ଘର ତିଆରି ପ୍ରଣାଳୀ ଏକ ଭିନ୍ନ କିସମ ଅଟେ । ନେଇଥିବା ଘରଟିର ବର୍ଣ୍ଣନାରେ ତାହା ସବୁ ଜଣାପଡିଯିବ । ଘରଟି ପ୍ରାୟ ନିବୁଜ ଏବଂ ବାୟୁ ଚଳାଚଳ ପାଇଁ ଟିକି ଝରକାଟିଏ ଥିଲା । ଗୋଟିଏ ହଲ୍ ମଧ୍ୟରେ ସବୁକିଛି ବ୍ୟବସ୍ଥା । ହଲ୍ର ଉତ୍ତର ପାର୍ଶ୍ୱର କିଛି ଅଂଶ ରୋଷେଇ ପାଇଁ ବିଭାଜିତ କରାଯାଇଛି ଅଧା କାନ୍ଥ ଦ୍ୱାରା । ଅନ୍ୟଭାଗର ବଳକା ଗଳି ରାସ୍ତା ଶେଷରେ ଏକ ଫାଇବର୍ କବାଟ ଲାଗିଛି । ଅର୍ଥାତ୍ ଉତ୍ତର କାନ୍ଥର ୭୫% ଭାଗ ଛାତକୁ ଲାଗିଛି ଓ ୨୫% କାନ୍ଥହିଁ କବାଟର ଉପରବନ୍ଧରୁ ଛାତଯାଏ ଯୁକ୍ତ ଅଟେ । ସେ କବାଟ ଖୋଲି ଗାଧୁଆ ଘର ସଂଲଗ୍ନ ପାଇଖାନାକୁ ଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଦକ୍ଷିଣ ପାଖ କାନ୍ଥରେ ଟିକି ଫାଇବର୍ ସଟର୍ ଲାଗିଛି ଓ ତାହା ଦୁଇଫୁଟ ଓସାର । ତେଣୁ ସଟର୍ ଖୋଲିଲେ ଏକଫୁଟ ଓସାରର ଖୋଲା ଝରକା ସେ ହଲ୍କୁ ମିଳେ । ପୁଣି ତାହା ସମ୍ପୂର୍ଣ୍ଣ ବାହ୍ୟକୁ ଉନ୍ମୁକ୍ତ ନୁହେଁ, କାରଣ ସେ କାନ୍ଥକୁ ଲାଗି ସିଡି ତଳୁ ଯାଇଛି ଛାତ ଯାଏ । ଅନ୍ୟ ଭଡାଟିଆ ଆଦି ସମସ୍ତେ ସିଡିରେ ଯିବାକୁ ବାଧ୍ୟ ଓ ହଲ୍ର ସଭିଙ୍କୁ ଏକଫୁଟ ଓସାରର ଖୋଲା ଝରକା ମଧ୍ୟରେ ଦୃଶ୍ୟମାନ ହୁଏ । ସେଇ କାନ୍ଥକୁ ଲାଗିଥିବା ହଲ୍ର ଐଶାନ୍ୟ କୋଣର ଛାତରୁ କିଛି ଅଂଶ ସିଡିର ମୁକ୍ତ ନିମ୍ନଭାଗ ଅଟେ । ଅର୍ଥାତ୍ ଛାତକୁ ଅନାଇଲେ ପ୍ରଥମେ ସେ ନିଆରା ସିଡିର ମୁକ୍ତ ନିମ୍ନଭାଗ ଇଲାକାରେ ପ୍ରଥମେ ଦୃଷ୍ଟି ପଡିବା ସ୍ୱାଭାବିକ । ପୁନଃ ଐଶାନ୍ୟ କାନ୍ଥରୁ ପୂର୍ବ କାନ୍ଥରେ ହଲ୍କୁ ପ୍ରବେଶ ପଥ ଅର୍ଥାତ୍ କବାଟ ଲାଗିଛି । ତେଣୁ ରୋଷେଇରୁ ବାହାରୁଥିବା ବାଷ୍ପ, ତୈଳାକ୍ତ ଗ୍ୟାସ୍ ଓ ଛୁଙ୍କାଦିର ବାସ୍ନା ସେ ଟିକି ଝରକାରେ ବାହାରକୁ ଯାଇପାରେନି । କୋଠରୀରେ ଅଣନିଶ୍ୱାସୀ ଲାଗେ । ବାଧ୍ୟହୋଇ ମୁଖ୍ୟ କବାଟ ଓ ପାଇଖାନା କବାଟ ଖୋଲା ରଖି ଟେବୁଲ୍ ପଙ୍ଖାକୁ ଦୋଳାୟମାନ ଗତିରେ ଚଲାଇବାକୁ ହୁଏ । ଏଠାରେ କୋଠରୀ ଗୁଡିକ ଝରକାଶୂନ୍ୟ ଓ ପ୍ଲଟ୍ର ସୀମାରୁହିଁ କାନ୍ଥ ଉଠିଥାଏ । ପଡୋଶୀ ଘରର କାନ୍ଥ ମଧ୍ୟ ତାଙ୍କ ପ୍ଲଟ୍ ସୀମାରୁ ଉଠିଥାଏ । ଦୁଇ କାନ୍ଥ ମଧ୍ୟରେ ଅତିବେଶିରେ ଛ’ଇଞ୍ଚରୁ ଅଧିକ ଫାଙ୍କ ନଥାଏ । ତେଣୁ ପ୍ଲଟ୍ର ତିନିପାଖରେ ଝରକା ନଥାଏ ରାସ୍ତା ସମ୍ମୁଖକୁ ଗୋଟିଏ କି ଦୁଇଟି ଝରକା ଥାଏ । ଏତାଦୃଶ ଘର ଏଠାରେ ୯୦% ପାଖାପାଖି ଓ ଅବଶିଷ୍ଟ ୧୦% ଘର ଚଳିବ । ଏହାର କାରଣ କ’ଣ ହୋଇପାରେ ! ପ୍ରଥମେ ଏ ଗୃହନିର୍ମାଣ ବାସ୍ତୁଶାସ୍ତ୍ର ଓ ବିଜ୍ଞାନ ସମ୍ମତ ଆଦୌ ନୁହେଁ । ବୋଧେ କିଛି ଗୁପ୍ତ ଗୃହନିର୍ମାଣ ଶୈଳୀ ଏମାନଙ୍କ କାନରେ ବିଶ୍ୱକର୍ମା ଫୁସ୍ଫୁସ୍ କରି କହିଛନ୍ତି । ବିନା ଝରକାରେ ଘର ବନାଅ । ଥରେ କାନ୍ଥ ଉଠିଗଲେ ହେଲା । ଦୁଇ ପଡୋଶୀଙ୍କ କାନ୍ଥ ସନ୍ଧି ଭେଦ କରିବା ଅସମ୍ଭବ । ତେଣୁ ତିନିପାଖ କାନ୍ଥ ପାଇଁ ରଙ୍ଗ ବୋଳାବୋଳି ଏକବାର୍ ଠପ୍ । ଯାହା ହୋଲି ବେଳକୁ ଗାଲରେ ଟିକେ ବାଜିପାରେ । ପୁଣି ସମ୍ମୁଖ ଭାଗରେ ଝରକା ସଂଖ୍ୟା ଅତି ନଗଣ୍ୟ । ଏହା ଦ୍ୱାରା ଘରତିଆରି କରିବାର ଖର୍ଚ୍ଚକୁ ଅନେକ ପରିମାଣରେ ହ୍ରାସ କରାଯାଇ ପାରିବ । ତା’ ସହିତ ଘରର ମଡେଲ୍ ରେଳଡବା ସଦୃଶ ହେଲେ ଆହୁରି ଭଲ । ଏହା ମଧ୍ୟ ଖର୍ଚ୍ଚ କାଟ୍ର ଆଉ ଏକ ପ୍ରକ୍ରିୟା । ବାୟୁ ଚଳାଚଳ ଓ ସୂର୍ଯ୍ୟାଲୋକକୁ ମାର୍ ଗୁଲି । ବିଜ୍ଞାନ କହେ ସୂର୍ଯ୍ୟଙ୍କର ଦିନେ ମୃତ୍ୟୁ ହେବ ଓ ଘୋର ଅନ୍ଧକାର ମାଡିଆସିବା ସହ ପୃଥିବୀ ଅମ୍ଳଜାନଶୂନ୍ୟ ହୋଇଯିବ । ପରନ୍ତୁ ଏହି ଜାତୀୟ କ୍ଷୀଣ ଅମ୍ଳଜାନଥିବା ଅନ୍ଧାରୁଆ କୋଠରୀରେ ଯେଉଁମାନେ ବସବାସ କରି ଆସୁଥିବେ, ସେମାନେ ମହାପ୍ରଳୟକୁ ସାମ୍ନାକରି ଯୁଗଯୁଗ ପାଇଁ ବଞ୍ଚି ରହିବେ । ଏ ଉଦ୍ଦେଶ୍ୟ ବି ହୋଇ ଥାଇପାରେ । ଦ୍ୱିତୀୟତଃ ପ୍ଲଟ୍ର ପ୍ରତି ଇଞ୍ଚ୍ ସ୍ଥାନ ମର୍ତେ ଦମ୍ତକ୍ ଗୃହଦ୍ୱାରା ଦଖଲ ହୋଇଛି । ଫୁଲଗଛଟିଏ ଓ ତୁଳସୀ ଚଉଁରାକୁ ପଚାରେ କିଏ ? ଫଳରେ କୋଠରୀ ସଂଖ୍ୟା ବୃଦ୍ଧି ପାଇବା ସୁନିଶ୍ଚିତ । ତେଣୁ ନିଜେ ରହି ଅଧିକ ଭଡାଟିଆଙ୍କୁ ରଖିହେବ । ପୁଣି ଯେମିତି ବ୍ରହ୍ମା ବିଳିବିଳେଇଲେ ବେଦ, ସେହିପରି ଘରମାଲିକ ମୁଖରୁ ଭଡା ବାବଦକୁ ଯାହା ବାହାରିଲେ ମଧ୍ୟ ବେଦର ଗାର ସଦୃଶ ଅଟେ , ଯେତେ ଅଧିକ ହେଉ ପଛେ କେହି ପ୍ରତିରୋଧ କରିବାକୁ ନାହିଁ । ଏମିତିତ କୁଆଡୁ କୁଆଡୁ ହତାଶିଆଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଭଡା ଯେତେ ଅଧିକ ହେଲେବି ପ୍ରତିପକ୍ଷ ଅତି ଦୁର୍ବଳ ଏବଂ ନିଃସହାୟ ଓ ଏହା ବିଶ୍ୱର ପ୍ରଳୟ ହେବାଯାଏ ଚାଲିଥିବ ବୋଧେ । ପ୍ରଳୟରେ ତ ମାଲିକମାନେ ବଞ୍ଚିବେ । ପରବାୟ କ୍ୟା । ଏପଟରେ ହତାଶିଆଙ୍କ ମଧ୍ୟରେ ଶତ୍ରୁତା ରହିଛି, ଯେହେତୁ ଅତି ଦୂର ଯାଗାରୁ ଏମାନେ ଆସିଛନ୍ତି ଓ ତେଣୁ ଘରକୁ ଯାଇ ପ୍ରିୟଜନଙ୍କ ମୁଖ କମଳ ଦେଖିବାପାଇଁ ଅଫିସ୍ରେ ସ୍ଥାନୀୟ କର୍ମଚାରୀ ମାନେ କୂଟନୀତିର ଘେର ବିଛାଇ ରଖିଥା’ନ୍ତି । ବେଳେବେଳେ ଅଫିସ୍ରେ ହାତାହାତି ବି ହୁଅନ୍ତି । ତୋଷାମୋଦକାରୀମାନେ ଜିତାପଟ୍ ନିଅନ୍ତି ଓ ଅନ୍ୟମାନେ ହାରନ୍ତି । ବଡ ହାକୀମଙ୍କ ଅଫିସ୍ରେ ଏକଥା ପହଞ୍ଚେ ଓ କିଛି ଯାଇ ସେମାନଙ୍କ ନିକଟରେ ଅଧିଆ ପଡନ୍ତି । ଏହାଦ୍ୱାରା ବଡ ଅଫିସ୍ର ତଳୁ ଉପର ସ୍ତରଯାଏ ସର୍ବେ ଆନନ୍ଦରେ କୁରୁଳି ଉଠନ୍ତି । ଏହି ଖାଣ୍ଟି ଗାଈ ଘିଅରେ ଛୁଙ୍କ ମାରିବା ସମୟକୁ ସେମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାଆନ୍ତି । ହତାଶିଆମାନେ ତ ବାଧ୍ୟହୋଇ ଏ ସର୍ବୋଚ୍ଚ ଅଫିସ୍କୁ ଆସି ଶରଣ ନେବେ ଓ ତାଙ୍କର ରୋଜଗାର ବଢିଚାଲିବ । ଆଃ ! କି ମଜା ! ପ୍ରଥମେ ବଦଳି କରିବାରେ ଓ ନକରିବାରେ ପଇସାର ସୁଅ ଓ ବଦଳି ହୋଇଥିବା ବ୍ୟକ୍ତିମାନଙ୍କୁ ମୁଣ୍ଡି ମାନେ ଶୀଘ୍ର ରିଲିଭ୍ ନକରିଲେ ଅଫିସ୍ ପରିସରରେ ମୁଥ ମରାମରି ହୋଇ ସେମାନଙ୍କ ପାଖରେ ହାଜର ହେଲେ ମଧ୍ୟ ପଇସାର ସୁଅ ଛୁଟିବ । ତେଣୁ ହେଡ୍ କାର୍ଯ୍ୟାଳୟକୁ ବାହ୍ୟ ଉତ୍ସରୁ ଆସୁଥିବା ଟଙ୍କା ରଖିବାକୁ ଯାଗାନାହିଁ, ଦରମା କଥା ପଚାରେ କିଏ ? ସେମାନେ ହସିହସି ଗୀତ ଗାଆନ୍ତି, ଯଥା :- ଇଚ୍ଛିଛୁ ଦାମ୍ଭିକେ ହସ୍ତେ ରଖିବାକୁ ହତାଶିଆଙ୍କ ଭାଗ୍ୟଡୋରୀ । ଏଠାରେ ଭଡାଘର ଯେତେ ନିଉଛଣିଆ ହେଲେ କ’ଣ ହେଲା, ଡହଳ ବିକଳ ହେଉଥିବା ଉପଭୋକ୍ତାଙ୍କ ସଂଖ୍ୟା ତ ଦିନୁଦିନ ପ୍ରବଳ ହେଉଛି । ଘରମାଲିକ ଏଠାରେ କଚେପୁଅ ବାର୍ । ସେଠାରେ ଉପର ଅଫିସ୍ କର୍ମଚାରୀ ଓ ଏଠାରେ ମାଲିକବର୍ଗ । ମଳୁ ଖୋଜୁଥାଏ ଯାହା ବଇଦ ବତାଏ ତାହା । ସେମାନେ ସତେକି ଆନନ୍ଦ ସାଗର ଲହଡିରେ ଗାଉଛନ୍ତି – ହେ ପ୍ରଭୁ ! ପୁଳେ ପୁଳେ ଟଙ୍କା ଦେ – ମୋଟେ ଦେଖା ନ’ଦେ । ତେବେ ଏମାନେ କ’ଣ ଗୋଟିଏ ଗୋଟିଏ ସର୍ବଗିଳା ରାଘବ ବାଳିଆ ! ସବୁକୁ ଗିଳି ଚାଲିଥିବେ !! ସେ ଯାହା ହେଉ ମୁଣ୍ଡ ଗୁଞ୍ଜିବାକୁ ଭଡାଘରଟିଏ ତ ମିଳିଗଲା । ରାନ୍ଧିକି ଗଣ୍ଡିଏ ଖାଇହେବ । ମ୍ୟାଟ୍ରିକ୍ରେ ପଢିଥିବା ‘ଘର’ ଗଳ୍ପରେ ଘର ଖୋଜା ଓ ଏଠାରେ ତା’ର ବାସ୍ତବିକ ଚିତ୍ରପଟ୍ଟର ସ୍ୱାଦକୁ ବାରମ୍ବାର ଚାଖିବାକୁ ପଡିବନି । ଯାହା ମିଳିଲା, ତାହା ଅନ୍ଧାର ରାଜ୍ୟରେ ସ୍ୱଳ୍ପ ଆଲୋକ – କାହିଁରେ କେତେ ।
ଏ ବିଚରାଟି ଜୀବନର ଚତୁର୍ଥ ବୟସରେ ପରିବାର ଥାଇ ବି ଅବିବାହିତ ଜୀବନ ଯାପନ କରୁଛି ଅର୍ଥାତ୍ ରାନ୍ଧିବାଢି ଖାଇବାକୁ ପଡୁଛି । କେହି ସାଥିରେ ଆସିବା ଅବସ୍ଥାରେ ନାହାନ୍ତି । ଏତେଦିନ ହୋଟେଲ୍ରେ ଖାଇ ଖାଇ ନାଡି ଭିତରେ ଶିଉଳି ଜମି ଯାଇଥିବ । ତା’କୁ ସଫା କରିବା ହେଉଛି ପ୍ରଥମ କାମ । ନଚେତ୍ ଏ ପେଟ ବିଭିନ୍ନ କିସମ ପଥରର ଗନ୍ତାଘର ରୂପେ ପ୍ରତିଷ୍ଠା ଲାଭ କରିବ । ଡାକ୍ତର ପେଟକୁ ଖୋଳି-ତାଡି ପଥର ବାହାର କରି ଶେଷକୁ ପେଟର କେଉଁ ଏକ ନିଭୃତ କୋଣରେ ଗଜ୍କନା ଓ କଇଞ୍ଚି ସୁରକ୍ଷିତ ରଖି ସିଲେଇ ନ କରିବ ବୋଲି କିଏ କହି ପାରିବ ? କଇଞ୍ଚିର ମୁନ ଯେତେବେଳେ ପେଟ ଭିତରେ ଫୁଟିଯାଉଥିବ, ସେତେବେଳେ କି ଅସହ୍ୟ ଯନ୍ତ୍ରଣା ହେଉଥିବ ଆପଣମାନେ ଭାବନ୍ତୁ । ତେଣୁ ହେ ଅରକ୍ଷ ରକ୍ଷ ! ସେମିତି କିଛି ନ ହେଉ ? ନାଡି ଧିରେ ଧିରେ ସଫା ହୋଇଯାଉ ।
ଭଡାଘରେ ପ୍ରଥମ ରହଣୀରେ ସନ୍ଧ୍ୟାକୁ ବିଚରା ବ୍ୟାଗ୍ ଧରି ବାଇଆ ବାବାଙ୍କ ପରି ବଜାର ବାହାରିଲେ ପରିବା, ଡାଲି, ଚାଉଳ, ଅଟା, ଲୁଣ, ତେଲ, ଝାଡୁ ଆଦି କିଣିବା ପାଇଁ । ବଜାର ଏତେ ସୁବିଧା ନ ଲାଗିଲେବି ମନତ ଅଛି – ଭାବ ଯୋଗାଇବାକୁ, ଅର୍ଥାତ୍ ଯେ ଦେଶ ଯାଇ – ସେ ଫଳ ଖାଇ । ପ୍ରଥମେ କିଛି ଦିନ କେବଳ ଭାତ, ଆଳୁସିଝା, କାକୁଡି ଓ ଟମାଟୋ ସାଲାଡ୍ ଖାଇ ଅନ୍ତଃନଳୀକୁ ସନ୍ତୁଳିତ ଅବସ୍ଥାକୁ ଅଣାଯିବା ଦରକାର । ସେଇଆ ହିଁ ଚାଲିଲା ଓ ଦିବ୍ୟ ଭୋଜନର ସ୍ୱାଦ ଅନୁଭୂତ ହେଲା । ସେ ଅନୁଭବତା ହାକୀମ ଓ ମାଲିକବର୍ଗଙ୍କ ନିମିତ୍ତ ଦିବାସ୍ୱପ୍ନ ଅଟେ । ଏ ଘରେ ଝରକା ନ ଥାଇ ରୋଷେଇ ସମୟରେ ଘରେ ଅଣନିଶ୍ୱାସୀ ଲାଗୁ ଓ ଭିତରେ ଗରମରେ ସଢିବା ସାର ହେଉ ପଛେ ଗଣ୍ଡିଏ ଶାନ୍ତିରେ ଖାଇବା ତ ହୋଇପାରୁଛି । ରୋଷେଇ ସମୟରେ ବାରମ୍ବାର ବାହାରକୁ ଧାଇଁ, ଅମ୍ଳଜାନ ପେଟେ ପିଇ ପୁଣି ଭିତରକୁ ପଶିବା ତ କେହି ଚିହ୍ନାଲୋକ ଦେଖି ତାତ୍ସଲ୍ୟ ପ୍ରକାଶ କରିବାର ନାହିଁ ଓ ସାଙ୍ଗ, ସାଥୀ, ବନ୍ଧୁ – ବର୍ଗ ଦେଖି ହସିବାର ନାହିଁ । ଏ ପରିସ୍ଥିତିରେ ବି ଆଧୁନିକ ଶୈଳୀର ଉଚ୍ଚ ଜୀବନ (High Profile) ଯାପନ କରୁଥିବାର କହିବାକୁ ବାଧ୍ୟ ହେଲେ କ୍ଷତି କ’ଣ ? ନିଜର ଅତି ସରଳ ହାତରନ୍ଧା ଖାଦ୍ୟ ଖାଇ ବିଚରା ସ୍ୱର୍ଗୀୟ ଅନୁଭୂତିରେ ଯନ୍ତ୍ରଣାଗୁଡିକୁ ପାଶୋରିବାକୁ ଲାଗିଲା ।
ଚାରିଦିନ ବାଦ୍ ସେ ଥାଣ୍ଡା, କଫ, କାଶ ଆଦିରେ ପିଡିତ ହେଲେ ଓ କଫରେ ରକ୍ତର ଛିଟ୍ଟା ଦେଖି ଭୟଭୀତ ହେଲେ । ଔଷଧ ସେବନ ସହ ଜାଣିଲେ ଯେ, ବର୍ଷାଦିନରେ ସପ ଓ ବେଡ୍ସିଟ୍ ବିଛାଇ ଚଟାଣରେ ଶୋଇବା, ପାଇଖାନାର ଫାଇବର୍ କବାଟ ତଳଭାଗ ଓ ଚଟାଣ ମଧ୍ୟରେ ଥିବା ଫାଙ୍କରେ ପାଇଖାନାର ଏକ ଖୋଲା ସ୍କାଇ ଲାଇଟ୍ରୁ ଥଣ୍ଡା ପବନ ଆସି ଚାରିରାତି ମୁଣ୍ଡରେ ବାଜିବା, ପାଣିକୁ ଫୁଟାଇ ନ ପିଇବାର ଏହା ଘଟିବା ପଛରେ ନିହିତ କାରଣମାନ ଅଟେ । ଖଟ ଦୋକାନରେ ବରାଦ ଦିଆଯାଇଥିଲା ଓ ଆଉ ଦୁଇ ଦିନ ପରେ ମିଳିବ ଜାଣି ରାତିରେ ମୁଣ୍ଡ ଢାଙ୍କି ଶୋଇବାକୁ ପଡିଲା । କୂଅରୁ ପାଣି ଉଠାଯାଇ ଟାଙ୍କିକୁ ନିଆଯାଏ, କିନ୍ତୁ କୂଅ ପାଖରୁ କିଛି ଦୂରରେ ଅତି ଅସ୍ୱାସ୍ଥ୍ୟକର ପରିବେଶ ଓ ନର୍ଦ୍ଦମାଘେରା ପଚାପାଣି ଜମି ରହିଥାଏ । ତେଣୁ ଘରର ପାଇପ୍ ପାଣି ଦୂଷିତ ଅଟେ ଓ ଏ ପରଦେଶୀଟିର ସାଧା ଫିଲ୍ଟର୍ ଛଣା ପାଣି ବି ଦୂଷିତ ଅଟେ । ଦୁଇଦିନ ପରେ ଖଟ ଆଣିଲା ପରେ ଆଶ୍ୱସ୍ତି ମିଲିଲା ଓ ପାଇଖାନା କବାଟତଳେ ମଧ୍ୟ ରାତିରେ ନିବୁଜ କରିବାର ବ୍ୟବସ୍ଥା କରାଗଲା । ତା’ ସହିତ ପାଣି ଫୁଟାଇ କରି ପିଆଗଲା ଓ ସେ ଥଣ୍ଡା ଆଦିରୁ ମୁକ୍ତି ଲାଭ କଲେ ।
ବର୍ଷା ପରେ ଶରତ୍ , ହେମନ୍ତ ଓ ଶୀତର ଅୟାରମ୍ଭ । ନୂଆ ନୂଆ ପନିପରିବାର ସମ୍ଭାରରେ ଶୋଭାପାଏ ଛକ ବଜାର । ମନ ସାଗର ଉଛୁଳି ଉଠେ ଓ ଜିଭରୁ ଲାଳ ଗଡେ । ପିଲାଦିନରୁ ସେ ମାଛ ଓ ପନିପରିବା ପ୍ରିୟ । କିନ୍ତୁ ସେଠାରେ ମାଛର ଅଭାବ ପରିଲକ୍ଷିତ ହୁଏ । ଏପରିକି ପତ୍ରରେ ଦଶଟି କରାଣ୍ଡିର ମୂଲ୍ୟ ମାତ୍ର ଦଶଟଙ୍କା । ସେ ଯାହା ହେଲେ ବି ଆମିଷ – ଛୁଟି ଦିନରେ ସେଇ ପଚା- ଦଦରା କରାଣ୍ଡି କିମ୍ବା ଯଦି ଅନ୍ୟକିଛି ତାଜା ମାଛ ମିଳିଲେ ତାହାକୁ ଆଣି ଭାତ ଓ ମାଛଝୋଳ ପାଇଁ ଇଛା ହୁଏ, କିନ୍ତୁ ପର ମୁହୂର୍ତ୍ତରେ ତାହା ପାଣିଚିଆ ହୋଇଯାଏ । କାରଣ ମାଛ ଭାଜିବା ବେଳେ ଆମିଷ ଗ୍ୟାସ୍ ସେ ନିବୁଜ କୋଠରୀରେ ଭରିହୋଇ ସବୁକୁ ଆଇଁଷିଆ କରିଦେବ ଓ ପୁଣି ଧୁଆ ଧୋଇ କାମ ଅଧିକ । ଯେହେତୁ ବାଘ କାମୁଡିବା ଅପେକ୍ଷା ଘୋଷାଡିବା ଅଧିକ ଯନ୍ତ୍ରଣା ଦାୟକ, ତେଣୁ ଆମିଷ ଭକ୍ଷଣ ନ କରିଲେ ଭଲ । ପୁଣି ସେ’ତ ପନିପରିବା ପ୍ରିୟ । ତେଣୁ ସେ ଆମିଷ ଭାବନାକୁ ସେଠାରେ ଏକବାର୍ ତ୍ୟାଗ କଲା । ହଠାତ୍ ତା’ଙ୍କ ବାପାଙ୍କଠାରୁ ପିଲାଦିନେ ଶୁଣିଥିବା ଏକ ଢଗ ମନେ ପଡିଗଲା, ଯାହା ଏକ ଦିବ୍ୟଶକ୍ତି ଉତ୍ସ ସ୍ୱରୂପ ସମ୍ମୁଖରେ ଦଣ୍ଡାୟମାନ ହେଲା, ଯଥା :-
ପରିବା ଖାଇଲେ ତରିବା
ମାଛ ଖାଇଲେ ଅନ୍ତଃ ହେବ
ମଦ ପିଇଲେ ମରିବା ।
ଏବେ ସେ ବିଭିନ୍ନ ପରିବା ଆଣିଲା । ସକାଳୁ ଶୀଘ୍ର ଉଠି ଯୋଗକ୍ରିୟା ସମ୍ପାଦନ ପରେ ନାଲିଚାହା କରେ, ପରିବାମାନ କାଟି ଓ ଅଧିକ ଟମାଟୋ ଦେଇ ତରକାରୀଟିଏ କରେ, ଭାତ ରାନ୍ଧେ(ଯଦି ସମୟ ଥାଏ) ନହେଲେ ଚୂଡା । ଲେମ୍ବୁ ଓ ଲୁଣ ପକାଇ ସେ ଏକ ବଡ ଗ୍ଲାସ୍ରେ ଗ୍ଲାସ୍ ନାଲିଚାହା ପିଏ । ତେଜପତ୍ର, ଅଦା, ଗୋଲମରିଚ ମଧ୍ୟ ପଡେ । ଯଦି ଏଗୁଡିକ ନଥାଏ , ତେବେ ଖାଲି ନାଲିଚାହାରେ ଲୁଣ ପକାଇ ପିଆଯାଏ । ତେବେ ଚାହାରେ ଗୋଟିଏ ଲେମ୍ବୁର ରସ ଓ ଲୁଣ ମିଶାଇ ପିଇଲେ ସେ ଅତ୍ୟନ୍ତ ଆନନ୍ଦ ଲାଭ କରେ । ସେ ମଧ୍ୟ ଖଟା ଓ କଞ୍ଚାଲଙ୍କା ପ୍ରିୟ, କିନ୍ତୁ ମିଠାପ୍ରିୟ ନୁହେଁ । ପର୍ବ ପର୍ବାଣୀରେ ଘରେ ମିଠା ଖାଏ, ଅଧିକ ମଧ୍ୟ ଖାଏ, ହେଲେ ମିଠା ଦେଖିଲେ ଜିଭ ଆଦୌ ଲାଳୁଆ ହୁଏନି । ଶୀଘ୍ର ସ୍ନାନାଦି କାମ ସାରି ଗରମ ପାଣିରେ ଚୂଡା ଧୋଇ ଅଳ୍ପ ଲୁଣ ମିଶାଇ ଚକୁଟେ ଓ ତାଟିଆରେ ଝୋଳଯୁକ୍ତ ତରକାରୀ ଆଣି ଖାଏ । ଅଧିକ ଟମାଟୋ ଯୋଗୁଁ ଝୋଳ ନାଲିଆ ଦେଖାଯାଏ ଓ ସେଥିରୁ ମଧ୍ୟ ଚୂଡା ଚକୁଟାରେ ଗୋଳାଇ କରି ଖାଏ । ବଳକା ତରକାରୀକୁ ଢାଙ୍କି ରଖି ଅଫିସ୍କୁ ୯ଟା ସୁଦ୍ଧା ବାହାରି ଯାଏ । ବସ୍ଷ୍ଟାଣ୍ଡ୍କୁ ଚାଲିକି ପ୍ରାୟ ପନ୍ଦର ମିନିଟ୍ ଲାଗେ ଓ ସେଠାରୁ ଆଟୋରେ ଯାଇ ଦଶଟା ବେଳକୁ ଅଫିସ୍ରେ ହାଜର ହୁଏ ।
କର୍ତ୍ତା ଭାବୁଛି ଯେ ଦୀର୍ଘ ଚଉଦ ବର୍ଷ ଧରି ସେ ବାହାରେ ରହି ନିଜସ୍ୱ ରୋଷେଇ ପ୍ରଣାଳୀରେ ରାନ୍ଧି ଖାଉଅଛି । କିଛି ସାଙ୍ଗସାଥି ମଧ୍ୟ ତା’ ରନ୍ଧା ଆଇଟମ୍ ଖାଇ ପ୍ରୀତ ହୋଇଛନ୍ତି । ଅଳ୍ପ ତେଲ ମସଲାଯୁକ୍ତ ଓ ତହିଁରେ କିଛି ପ୍ୟାକିଂ ମସଲା ଗୁଣ୍ଡ ନପକାଇ କମ୍ ସମୟରେ ତରକାରୀ, ଭଜା ଓ ସନ୍ତୁଳା କରି ଖାଇବାରେ ସେ ଅଭ୍ୟାସଗତ ହୋଇଯାଇଛି । ଛୁଟିରେ ଘରକୁ ଗଲେ ସହଧର୍ମିଣୀକୁ ମଧ୍ୟ ଖୁଆଇଛି । ଭଲ ଲାଗୁଛି କି ନାହିଁ ପଚାରିଲେ କ୍ଷୀଣ କଣ୍ଠରେ ସେ ହଁ ବୋଲି କହେ । ଏହାର କାରଣ ପରସ୍ପର ରୁଚିରେ ସମ୍ପୂର୍ଣ୍ଣ ସମାନତା ନଥାଏ । ତେବେ ବର୍ଷ ପରେ ବର୍ଷ ବିତିବା ପରେ ସେ ଏବେ ଛୁଟିରେ ଘରକୁ ଗଲେ ଘରଣୀକୁ ସାହାଯ୍ୟ ନିମିତ୍ତ ନିଜେ ନିଜ ଶୈଳୀରେ ଖାଲି ଫୁଟଣ ବା ଜୀରା, ଦୁଇଟି ଲଙ୍କା, ତେଲ, ହଳଦୀ ଓ ଲୁଣ ସହାୟତାରେ ଭଜା କିମ୍ବା ସନ୍ତୁଳା କଲେ ସ୍ୱାଦଯୁକ୍ତ ହେଉଛି । ଆହୁରି କମ୍ ସମୟ ଲାଗୁଛି ଓ ଘରଣୀ ଖୁସିରେ ହଁ ମାରୁଛି । ପାଖ ପଡୋଶୀ ଜଣେ ଦୁଇଜଣ ମହିଳା ମଧ୍ୟ ତା’ର ଆଇଟମ୍ ଖାଇ ଖୁସି ହେବାର ସେ ଶୁଣିଛି । ନିଜର ଘରଣୀ କେବେ କାହା ସହିତ ଖାଇବା ଆଦି ବିଷୟରେ ଗପସପ ବେଳେ ତା’ର ସ୍ୱାମୀର ହାତରନ୍ଧା ଭଲ ଲାଗେ ବୋଲି ସେ କାନେଇକି ଶୁଣିଛି । ତେଣୁକରି ଦୀର୍ଘ ବର୍ଷର ଅଭିଜ୍ଞତାରୁ କେତେକ ବଛା ବଛା ଆଇଟମ୍କୁ ଲେଖା ମାଧ୍ୟମରେ ଲୋକ ଲୋଚନକୁ ଆଣିବାରେ କ୍ଷତି କ’ଣ ? ଏହା ସ୍ତ୍ରୀ ଲୋକଙ୍କ ପାରମ୍ପରିକ ପଦ୍ଧତିରୁ ଭିନ୍ନ ଅଟେ । ଏ ଦୁନିଆରେ ତା’ଭଳି ପରିବାରଠୁଁ ଦୂରରେ ରହି ରାନ୍ଧି ଖାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ନିଶ୍ଚୟ କିଛି ସମାନ ରୁଚିର ଥିବେ । ସେମାନେ ତ ଏହାକୁ ଗ୍ରହଣ କରିବେ ନିଶ୍ଚୟ । ଅର୍ଥାତ୍ ସଭିଙ୍କ ମନକୁ ରୁଚିକର ନହେଲେବି କାହାକୁ ତ ହେଲେ ଭଲ ଲାଗିବ ଓ ଅନ୍ୟ ମୁଖରେ ହସ ଫୁଟିବା ସହ ନିଜର ଶ୍ରମ କିଛି ଲାଘବ ହେବ । ଏ ଆଇଟମ୍ ଗୁଡିକରେ ମଧ୍ୟ ଗଣିତ, ବିଜ୍ଞାନ ଓ ଦର୍ଶନ ତତ୍ତ୍ୱର ପତଳା ଲେପ ଦିଆଯାଇଛି । ଆଇଟମ୍ ଗୁଡିକର ନାମ କରଣକୁ କିଛିଟା ଆକର୍ଷଣୀୟ କରାଯାଇଛି, ତାହା ହେଲା –
(୧) କଲରା ଦିଲ୍ଖୁସ୍ (ନିରାମିଷ ଓ ଆମିଷ)
(୨) କଲରା ମନ୍ମତ୍ତା (ନିରାମିଷ ଓ ଆମିଷ)
(୩) କଲରା ଚଟଣୀ ଓ କଲରା ସାଲାଡ୍
(୪) ମଞ୍ଜା ସିଲ୍ସିଲା
(୫) କଦଳୀ ମନ୍ଚୋର୍
(୬) ତରକାରୀ ଟକାଟକ୍
(କ) ଓଉ + ଆଳୁ + ଟମାଟୋ
(ଖ) ଫୁଲକୋବି + ଆଳୁ + ବିନ୍ସ + ଟମାଟୋ
କଲରା ଦିଲ୍ଖୁସ୍(ନିରାମିଷ)
****************************
ସାମଗ୍ରୀ – କଲରା – ୨୫୦ ଗ୍ରାମ୍, ଆଳୁ – ୧୫୦ ଗ୍ରାମ୍, ଟମାଟୋ – ୧୫୦ ଗ୍ରାମ୍, ପିଆଜ, ରସୁଣ , ଅଦା, ହଳଦୀଗୁଣ୍ଡ, ଲୁଣ, ତେଲ ଓ ପଞ୍ଚଫୁଟଣ ଆବଶ୍ୟକ ଅନୁଯାୟୀ ।
ପ୍ରସ୍ତୁତ ପ୍ରଣାଳୀ – (୧) – ପଞ୍ଚଫୁଟଣ ବିନା – ପ୍ରଥମେ କଲରା, ଆଳୁ, ଟମାଟୋ,କଞ୍ଚାଲଙ୍କାକୁ କୁ ଧୋଇ ଏକ ପାତ୍ରରେ ରଖନ୍ତୁ । ପିଆଜ, ରସୁଣ ଓ ଛୋଟିଆ ଖଣ୍ଡେ ଅଦାକୁ ମଧ୍ୟ ଚୋପା ଛଡାଇ , ଧୋଇ ରଖନ୍ତୁ । କାଠପଟା ଉପରେ ଛୁରୀରେ ଅଥବା ପନିକୀରେ କଲରାକୁ ଲମ୍ବରେ ଦୁଇଫାଳ ଓ ପୂର୍ବାବସ୍ଥାରେ ଯୋଡିକରି ୯୦ଡିଗ୍ରିରେ ବୁଲାଇ ପୁନଃ ଦୁଇଫାଳ କରନ୍ତୁ । ଅତଏବ ଏହା ଚାରିଚେନା ହେଲା । ପୁଣି ତା’କୁ ଗୋଟି କଲରା ରୂପରେ ଧରନ୍ତୁ ଓ ପ୍ରାୟ ୫ ସେ. ମି. ବ୍ୟବଧାନରେ ଆଡରେ କାଟି ଚାଲନ୍ତୁ । ପ୍ରତି ଆଡକାଟରେ ଛୋଟ ଛୋଟ ଚାରିଖଣ୍ଡ କଲରା ବାହାରିବ । କାଟିବା ବେଳେ କଲରାର ଆଡ ବିଭାଗ (Cross Section) ଧବଳ ବର୍ଣ୍ଣର ଶୋଭା ମଧ୍ୟ ପ୍ରକାଶୁ ଥିବ । ଖଣ୍ଡ ଗୁଡିକ ଏକ ଏକ ଉପ ଆୟତଘନ (Parallelopiped) ର ରୂପରେଖକୁ ଆସିଯିବ । ଗୋଟିକ ପରେ ଗୋଟିଏ କଲରା ସେହିଭାବେ କାଟି କଡେଇରେ ରଖିବେ । ତା’ପରେ ଆଳୁ, ପିଆଜ, ରସୁଣ ଓ ଅଦାକୁ ମଧ୍ୟ ସେହି ପ୍ରକାରରେ କାଟି କଡେଇରେ ରଖିବେ । କଞ୍ଚାଲଙ୍କାକୁ ଆଡରେ ଦୁଇ ବା ତିନି ଗଡ କରି ତହିଁରେ ପକାଇବେ । ତେଲ, ଲୁଣ ଓ ହଳଦୀଗୁଣ୍ଡ ଆବଶ୍ୟକ ମାତ୍ରାରେ ପକାଇ, କଡେଇକୁ ଏକ ହସ୍ତେ ଦୃଢଭାବେ ଧରି ଖଡିକା ଦ୍ୱାରା ଅନ୍ୟ ହସ୍ତରେ କଟା ସାମଗ୍ରୀକୁ ତଳ ଉପର କରି ଚଟେଇବେ । ନଚେତ୍ କଡେଇକୁ ଦୁଇହସ୍ତେ ଦୃଢଭାବେ ଧରି କୁଲାରେ ପାଛୁଡିଲା ପରି ଶୂନ୍ୟକୁ ଏପରି ନିକ୍ଷେପିବେ ଯେ, ତାହା ତଳ ଉପର ଓ ଉପର ତଳ ହୋଇ କଡେଇରେ ପଡୁଥିବ – ଉଠୁଥିବ । ଏହା ପ୍ରାକୃତିକ ନିୟମରେ ଘଟୁଥିବା ଚକ୍ରୀୟ ଧାରା, ଯଥା – ଜଳଚକ୍ର, ଦିବାରାତ୍ରି ଚକ୍ର ଆଦି ସହ ତୁଳନୀୟ ହେବା ପରି ଲାଗିବ, ଯେମିତି “ଦୋଳି ଖେଳୁଛି ପାଣିରେ ଭାଇ ଦୋଳି ଖେଳୁଛି ପାଣି – ତଳଉପର ଉପରତଳ ଦେଖାଏ କେତେ ଠାଣି ” । ଏହାଦ୍ୱାରା ସେଗୁଡିକ ମଧ୍ୟରେ ଏକତ୍ରୀକରଣ ଭାବ ଜାଗ୍ରତ ହୋଇ ପରସ୍ପର ସହ ଜଡିତ ହେବେ । ଏହାହିଁ ମହାନ୍ ଭାରତୀୟତା, ଅର୍ଥାତ୍ ବିଭେଦୀକରଣରେ ଏକତ୍ରୀକରଣ(Unity in Diversity) । ଏହାପରେ କଡେଇକୁ ଚୂଲାରେ ବସାଇ ଢାଙ୍କି ଦିଅନ୍ତୁ । ପ୍ରଥମେ ଚୂଲା ଧାସକୁ ଅଧିକ ତେଜାଇ ରଖି କିଛି ସମୟପରେ କମାଇ ଦିଅନ୍ତୁ ଓ ଅନ୍ୟ କାମରେ ଲିପ୍ତ ରହିପାରନ୍ତି । କିଛି ସମୟ ପରେ ଢାଙ୍କୁଣି ଟେକି ଖଡିକାରେ କଡେଇର ଗର୍ଭରେ ଥିବା ବ୍ୟଞ୍ଜନକୁ ତଳ ଉପର ଚଟେଇ ସାରି ପୁନଃ ଢାଙ୍କି ଦିଅନ୍ତୁ । ଏହି ପଦ୍ଧତିର ବାରମ୍ବାରତାରେ ଆପଣ ଜାଣିନେବେ ଯେ, ବ୍ୟଞ୍ଜନର ଜଳଭାଗର କ୍ଷୀଣତା, ସଠିକ ନିବିଡତା (Properly Blending) ଓ ଚୂଲି ଲିଭାଇବାର ସମୟ । ଯଦି ଜଳୀୟଭାଗ ଅଧିକ ଅନୁଭୂତ ହୁଏ, ତେବେ ସେହି ପରିସ୍ଥିତିରେ ଢାଙ୍କୁଣି କିଛି ସମୟ ଯାଏ ଖୋଲା ରଖନ୍ତୁ ଓ ଚଟାନ୍ତୁ । ଫଳରେ କମ୍ ସମୟରେ ଜଳଭାଗର କ୍ଷୀଣତା ଆସିଯିବ । ଏବେ କଲରା ଦିଲ୍ଖୁସ୍ ପ୍ରସ୍ତୁତ । ଆପଣ ରୁଟି, ଭାତ କିମ୍ବା ପଖାଳ ସାଥେ ଖାଇ ଆନନ୍ଦ ଉପଭୋଗ କରନ୍ତୁ ।
ପ୍ରସ୍ତୁତ ପ୍ରଣାଳୀ (୨) ପଞ୍ଚଫୁଟଣଯୁକ୍ତ – ଏ ପଦ୍ଧତିରେ ଉପରୋକ୍ତ ଭାବେ କାଟିଥିବା ପରିବାକୁ ଏକ ପାତ୍ରରେ ରଖିବେ । କଡେଇରେ ତେଲ ଗରମ ହେଲେ ଫୁଟଣ ପକାନ୍ତୁ ଓ ଏହା ଫୁଟିଲେ କଟା ପିଆଜ ଏବଂ ଲଙ୍କା ପକାନ୍ତୁ । ଖଡିକାରେ ଚଟାନ୍ତୁ ଓ ପିଆଜ ଲାଲ୍ ପଡିଲେ ରସୁଣ – ଅଦା କଟା ବା ଛେଚା ପକାଇ ଖଡିକାର କାର୍ଯ୍ୟକୁ ଅବ୍ୟାହତ ରଖନ୍ତୁ । ସେ ସବୁ ତେଲରେ ଜାରି ହେବାର ଅନୁଭୂତ ହେଲେ ପାତ୍ରରେ ଥିବା ସବୁ କଟା ପରିବାକୁ କଡେଇରେ ଢାଳନ୍ତୁ । ହଳଦୀଗୁଣ୍ଡ ଓ ଲୁଣ ପକାଇ ମିଶ୍ରିତ ପ୍ରକ୍ରିୟାକୁ ଉଚ୍ଚ ଧାସରେ ଚାଲୁ ରଖନ୍ତୁ ଏବଂ କିଛି ସମୟ ପରେ ଧାସ କମାଇ ଢାଙ୍କୁଣୀ ପକାନ୍ତୁ । ଏବେ କିଛି ସମୟ ଅନ୍ୟ କାର୍ଯ୍ୟ କରିପାରିବେ ଓ ଢାଙ୍କୁଣୀ ବାହାର କରି ଚଟାନ୍ତୁ, ପୁଣି ଢାଙ୍କନ୍ତୁ ଓ ଜଳୀୟଭାଗ ଖୋଲା ରଖି କମାନ୍ତୁ । ପାରସ୍ପରିକ ନିବିଡତା ଆସିଗଲେ ଆପଣଙ୍କର ଦ୍ୱିତୀୟ ପ୍ରକାର କଲରା ଦିଲ୍ଖୁସ୍ ପ୍ରସ୍ତୁତ । ଏହାକୁ ଆପଣ ରୁଟି, ଭାତ କିମ୍ବା ପଖାଳ ସାଥେ ଖାଇ ଆନନ୍ଦିତ ହୁଅନ୍ତୁ ।
କଲରା ଦିଲ୍ଖୁସ୍ ( ଆମିଷ) – କଲରା ଦିଲ୍ଖୁସ୍ (ନିରାମିଷ)ର ପ୍ରସ୍ତୁତ ପ୍ରଣାଳୀ -(୨) ଚାଲୁ କରନ୍ତୁ ଓ ଅର୍ଦ୍ଧପାରସ୍ପରିକ ନିବିଡତା ବା ଅଧା ସିଝିବା ସ୍ଥିତିରେ କିଛି ଛୋଟ ଭଜା ଚିଙ୍ଗୁଡି ପକାଇ ଚଟାନ୍ତୁ ଓ ଢାଙ୍କନ୍ତୁ । କିଛି ସମୟ ପରେ ଧାଙ୍କୁଣୀ ବାହାର କରି ପୁଣି ଚଟାନ୍ତୁ ଏବଂ ଜଳ ମାତ୍ରା କମାନ୍ତୁ । ପରେ ଚୂଲୀ ଲିଭାଇ ଢାଙ୍କି ରଖନ୍ତୁ । ହୋଇଗଲା କଲରା ଦିଲ୍ଖୁସ୍ ( ଆମିଷ) । ଆପଣ ରୁଟି, ଭାତ କିମ୍ବା ପଖାଳ ସାଥେ ଖାଇ ଏହାର ଅପୂର୍ବ ସ୍ୱାଦରେ ଆଇଁଷିଣିଆ ମନର ଉଦ୍ଦାମତାକୁ ଶାନ୍ତି କରି ବିଭୋର ହୁଅନ୍ତୁ ।
କଲରା ମନ୍ମତ୍ତା (ନିରାମିଷ )
**********************
ସାମଗ୍ରୀ – କଲରା – ୨୫୦ ଗ୍ରାମ୍, ଆଳୁ – ୨୫୦ ଗ୍ରାମ୍, ଟମାଟୋ – ୨୦୦ ଗ୍ରାମ୍, ପିଆଜ, ରସୁଣ , ଅଦା, ହଳଦୀଗୁଣ୍ଡ, ଲୁଣ, ତେଲ ଓ ପଞ୍ଚଫୁଟଣ ଆବଶ୍ୟକ ଅନୁଯାୟୀ । ବହୁମୂତ୍ର ରୋଗୀମାନେ ଆଳୁ ବର୍ଜନ କରି ପାରନ୍ତି ।
ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ କଲରା, ଆଳୁ, ଟମାଟୋ,କଞ୍ଚାଲଙ୍କାକୁ କୁ ଧୋଇ ଏକ ପାତ୍ରରେ ରଖନ୍ତୁ । ପିଆଜ, ରସୁଣ ଓ ଛୋଟିଆ ଖଣ୍ଡେ ଅଦାକୁ ମଧ୍ୟ ଚୋପା ଛଡାଇ , ଧୋଇ ରଖନ୍ତୁ । କାଠପଟା ଉପରେ ଛୁରୀରେ ଅଥବା ପନିକୀରେ କଲରାକୁ ଲମ୍ବରେ ଦୁଇଫାଳ ଓ ପୂର୍ବାବସ୍ଥାରେ ଯୋଡିକରି ୯୦ଡିଗ୍ରିରେ ବୁଲାଇ ପୁନଃ ଦୁଇଫାଳ କରନ୍ତୁ । ଅତଏବ ଏହା ଚାରିଚେନା ହେଲା । ପୁଣି ତା’କୁ ଗୋଟି କଲରା ରୂପରେ ଧରନ୍ତୁ ଓ ପ୍ରାୟ ୫ ସେ. ମି. ବ୍ୟବଧାନରେ ଆଡରେ କାଟି ଚାଲନ୍ତୁ । ପ୍ରତି ଆଡକାଟରେ ଛୋଟ ଛୋଟ ଚାରିଖଣ୍ଡ ବାହାରିବ । ଗୋଟିକ ପରେ ଗୋଟିଏ କଲରା ସେହିଭାବେ କାଟି ଏକ ପାତ୍ରରେ ରଖନ୍ତୁ । ତା’ପରେ ଆଳୁ, ପିଆଜ, ରସୁଣ ଓ ଅଦାକୁ ମଧ୍ୟ ସେହି ପ୍ରକାରରେ କାଟି ଅଲଗା ଅଲଗା ରଖନ୍ତୁ । କଞ୍ଚାଲଙ୍କାକୁ ଆଡରେ ଦୁଇ ବା ତିନି ଗଡ କରି କାଟନ୍ତୁ ଏବଂ ଟମାଟୋକୁ ସେହିଭାବେ କାଟି ଅଲଗା ରଖନ୍ତୁ । ଯଦି ପାରିବେ କଟା ରସୁଣ ଓ ଅଦାକୁ ଏକତ୍ର କରି ପଟା ଉପରେ ବେଲଣାକାଠି ଦ୍ୱାରା ବାଟି ଦିଅନ୍ତୁ । ବର୍ତ୍ତମାନ କଡେଇ ଚୂଲାରେ ବସାଇ ଗରମ ହେଲେ ତେଲ ଓ ତା’ପରେ ଫୁଟଣ ପକାନ୍ତୁ । ଫୁଟଣ ଫୁଟିଲେ ପିଆଜ ଓ ଲଙ୍କା ପକାଇ ଲାଲ୍ ହେବାଯାଏ ଚଟାନ୍ତୁ । ଏହାପରେ କଟା ବା ବଟା ରସୁଣ – ଅଦା ପକାଇ ଚଟାନ୍ତୁ । ଏବେ ଆଳୁ, କଲରା ଓ ଟମାଟୋ କଟାକୁ ଏକ ପରେ ଆନ ପକାଇ କଷି ଚାଲିବା ସହ ହଳଦୀଗୁଣ୍ଡ, ଲୁଣ ଆଦି ପକାନ୍ତୁ । ଏହାପରେ ଢାଙ୍କନ୍ତୁ ଓ ଚୂଲୀ ଧାସ ପ୍ରଥମେ ତେଜାଇ କିଛି ସମୟପରେ ଚଟାଇ ଢାଙ୍କନ୍ତୁ ଓ ଧାସ କମାଇ ଦେଇ ଅନ୍ୟ କାମ କରିପାରନ୍ତି । ପୁଣି ଢାଙ୍କୁଣୀ ବାହାର କରି ଚଟାନ୍ତୁ ଜଳୀୟାଂଶ କମିବାଯାଏ । ଏବେ ଅଳ୍ପ ପାଣି ଦେଇ ଢାଙ୍କି ଦିଅନ୍ତୁ । କିଛି ସମୟ ପରେ ଦେଖୁଥିବେ ଓ ତଳ ଉପର କରି ଚଟାଉଥିବେ । ଯେତେବେଳେ ଦେଖିବେ ଝୋଳ ମୋଟାଳିଆ ହେଲା, ଜାଣିବେ କଲରା ମନ୍ମତ୍ତା (ନିରାମିଷ )ର ଅବତାର ଗ୍ରହଣ ସମ୍ପୂର୍ଣ୍ଣ ହେଲା । ଝୋଳ ତ ରୁଚିକର ହେବ ନିଶ୍ଚୟ ଓ ଏହା ଭାତ ବା ରୁଟି ସହ ଖାଇ ମନମତ୍ତା ହେବାର ଅନୁଭବ କରନ୍ତୁ ।
କଲରା ମନ୍ମତ୍ତା ( ଆମିଷ)
********************
କଲରା ମନ୍ମତ୍ତା (ନିରାମିଷ) ପ୍ରସ୍ତୁତି ଚାଲିଛି । ଢାଙ୍କୁଣୀ ବାହାର କରି ଚଟାଉଛନ୍ତି ଓ ପାଣିଭାଗ ପ୍ରାୟ କମି ଗଲାଣି । ଏହି ସମୟରେ ଛୋଟ ଛୋଟ ଭଜା ଚିଙ୍ଗୁଡି ଖଡିକାରେ ଓଲଟପାଲଟ କରି ମିଶାଇ ଦିଅନ୍ତୁ ଓ ପୁଣି ଢାଙ୍କୁଣୀ ଘୋଡାନ୍ତୁ । କଛି ସମୟପରେ ଢାଙ୍କୁଣୀ ବାହାର କରି ଚଟାନ୍ତୁ ଓ ଦେଖିବେ କଲରା – ଆଳୁ ମିଶ୍ରଣ ଓ ଭଜା ଚିଙ୍ଗୁଡି ସହ ପାରସ୍ପରିକ ନିବିଡତା ଆସିଯାଇଛି । ଏବ ଅଳ୍ପ ପାଣି ଦେଇ ଢାଙ୍କନ୍ତୁ । ଅଳ୍ପ ସମୟପରେ ଢାଙ୍କୁଣୀ କାଢି ଖଡିକାରେ ଓଲଟପାଲଟ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା କଲରା ମନ୍ମତ୍ତା (ଆମିଷ) । ଓଃ ! ବହଳିଆ ଝୋଳର ମହମହ ବାସ୍ନା । ଆମିଷ ଖାଇବାର ଅଦମ୍ୟ ପିପାସା ବାସ୍ତବରେ ଆଘ୍ରାଣେ ଅର୍ଦ୍ଧଭୋଜନମ୍ ହୋଇଯିବ । ଆନନ୍ଦ ସାଗରରେ ଆପଣ ଏହାକୁ ଭାତ କିମ୍ବା ରୁଟି ସହ ଗର୍ଭକୁ କ୍ଷେପଣ କରନ୍ତୁ ଓ ଏ ଖୁସିରେ ଆପଣ ମନେମନେ ଗୁଣୁଗୁଣୁ ହୋଇ ଓଡିଆ ଚଳଚ୍ଚିତ୍ରର ସେଇ ମନ ମତାଣିଆ ଗୀତ ଗାଇବାକୁ ଭୁଲନ୍ତୁ ନାହିଁ, ଯଥା –
“ମୋ’ର ମନ ଉଡିଯାଏ ରେ ………… ମ… ନ ଉଡି ଉଡି ଯାଏ ରେ ……… ” ।
ସତରେ ଆପଣ ମଧ୍ୟ ଅନୁଭବ କରିବେ ଯେ, ଦେଶୀ ଚିକେନ୍ ଅଥବା ମଟନ୍ ଝୋଳ ଠାରୁ ଏହା କୌଣସି ଗୁଣରେ କମ୍ ନୁହେଁ ।
କଲରା ଚଟଣୀ ଓ କଲରା ସାଲାଡ୍
*******************************
କଲରା ଚଟଣୀ
(କବିତା – ୧ -ଚାଷ ଅଛି ଯାହାର ବୃତ୍ତେ)
କଲରାକୁ ସିଝାଇ – କିମ୍ବା ଦଗ୍ଧ କରାଇ
ରସୁଣ ପାଞ୍ଚ ପାଖୁଡା – ଦେବ ଚୋପା ଛଡାଇ …….. (୧)
ମାତ୍ରା ଦେଖି ଲବଣ – କଞ୍ଚାଲଙ୍କା ଅର୍ପଣ
ସବୁକୁ ମିଶାଇ – ଶିଳେ ବାଟିଦେବ ତକ୍ଷଣ ……… (୨)
ଶିଳ ଯୁଗ ଗଲାଣି – ମିଶ୍ରଣ ଯନ୍ତ୍ର ପୁଣି
ନ ଥିଲେ ତ ହେମଦସ୍ତା – ମାରୁଥିବ ଫୁଟାଣି ……. (୩)
ସର୍ବେ ତ ଏକାକାର – କରନାହିଁ ଭାଳେଣି
କଷିକରି ଦମ୍ ଦେଇ – କର ଭାଇ ଚଟଣୀ …….. (୪)
ଚାଟି ଚାଟି ଖାଅରେ – ଭାତ- ପିଠା- ରୁଟିରେ
ମୁଖରୁ ହରଷ ଭାବ – ଆପେ ଫୁଟୁ ଥିବରେ ……. (୫)
କଲରା ସାଲାଡ୍
(କବିତା – ୨ -ଚାଷ ଅଛି ଯାହାର ବୃତ୍ତେ)
କଲରାକୁ ପୋଡିବା – ଅଥବା ସିଝାଇବା
ତାହାପରେ କଲରାକୁ – ଚକି ଚକି କାଟିବା …… (୧)
ଯେତେ ହେବ ପତଳା – ସ୍ୱାଦରେ ହେବ ଭରା
ପିଆଜକୁ କାଟିବାରେ – କରନି ଅବହେଳା …. (୨)
କଞ୍ଚାଲଙ୍କା ଟମାଟୋ – ସହିତ ଲେମ୍ବୁରସ
କାଟି ମିଶାଇଲେ ସ୍ୱାଦ – ହୋଇବ ଯେ ସରସ …. (୩)
କଳାଲୁଣ କିଅବା – ଧଳାଲୁଣ ପରଶ
ମିଶାଇ ଫେଣ୍ଟିବ ଭାଇ ମନ କରି ହରଷ …. (୪)
ଗରମ ରୁଟି ପୁଣି – ବାମ୍ଫଉଠା ଭାତରେ
ଏ କଲରା ସାଲାଡ୍ ତ ମନ ନେବ ମୋହିରେ …. (୫)
ମଞ୍ଜା ସିଲ୍ସିଲା
***********
ସାମଗ୍ରୀ – କଅଁଳିଆ ମଞ୍ଜା ଏକ ଖଣ୍ଡ ଓ ଏହାର ଲମ୍ବ, ମୋଟେଇ ସହ ଲୋକସଂଖ୍ୟା ଏବଂ ସେମାନଙ୍କର ମଞ୍ଜା ଖାଇବାର ଲାଳସାକୁ ଦୃଷ୍ଟିରେ ରଖି ପରିମାଣ ସ୍ଥିର କରିବେ । ଆଳୁ ମଧ୍ୟମ ଆକୃତ୍ତିର ୧ଟା (ନହେଲେ ବି ଚଳିବ), ଟମାଟୋ, ପିଆଜ, ରସୁଣ, ଅଦା, ଲଙ୍କା, ହଳଦୀଗୁଣ୍ଡ, ପଞ୍ଚଫୁଟଣ, ଲୁଣ ଓ ତେଲ ଆଦି ଯଥାମାତ୍ରାରେ ।
ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ ମଞ୍ଜାକୁ ଧୋଇ ଛୁରୀ ବା ପନିକୀରେ କାଟିବେ । ଛୁରୀରେ କାଟିଲେ କ୍ଷୁଦ୍ରାକୃତି କରିବା ଅଧିକ ସୁବିଧା ହୁଏ । ତେବେ ଏକ ପଟାଉପରେ ମଞ୍ଜା ଖଣ୍ଡକୁ ରଖି ଛୁରୀ ସାହାଯ୍ୟରେ ଦୃଢଭାବେ ଏକମୁଣ୍ଡରୁ ପତଳା ଚକି ଚକି କରି କାଟନ୍ତୁ । ମନର ସ୍ଥିରତା ଓ ସୂକ୍ଷ୍ମତା ଅନୁଯାୟୀ ଏହା ପତଳା ହେବ । ପ୍ରତି ଚକିରୁ ବାହାରୁଥିବା ମଞ୍ଜାର ସୂତାକୁ ଆଙ୍ଗୁଳିରେ ଗୁଡାଇ ବାହାର କରି ଦିଅନ୍ତୁ ଓ ଚକିଗୁଡିକୁ ଏକ ବେଲାରେ ରଖନ୍ତୁ । କଟା ସମାପ୍ତ ହେବା ପରେ ପ୍ରତିଥର ଚାରିଟି ଚକିକୁ ପରସ୍ପର ସହ ଲଗାଇ ଗୋଟିଏ ଚକିର ଆକୃତ୍ତିରେ ପଟା ଉପରେ ରଖି ଏକ ଆଙ୍ଗୁଳି ଦ୍ୱାରା ଦୃଢରେ ଚାପିରଖି ଅନ୍ୟହାତରେ ଥିବା ଛୁରୀରେ ଚକିର ପାର୍ଶ୍ୱରୁ ସମାନ୍ତରାଳ କରି ପତଳାରେ କାଟନ୍ତୁ । କୌଣସି ଅଂଶକୁ ବିସ୍ଥାପିତ (Displaced) ନକରି କଟାହେବା ପରେ ବି ସେହି ବୃତ୍ତାକାରରେ ରଖନ୍ତୁ । ଏହାପରେ ଆପଣଙ୍କ ସୁବିଧାନୁସାରେ ପୁନଃ ହାତରେ ଚାପିରଖି ପତଳା ଓ ସମାନ୍ତରାଳଭାବେ ଆଡକାଟ କରନ୍ତୁ । ଏବେ କ୍ଷୁଦ୍ରକଟା ଚକିକୁ ତୋଳି ଆଉ ଏକ ବେଲାରେ ରଖନ୍ତୁ । ଏହିରୂପେ ସବୁ ଚକିଗୁଡିକୁ କାଟି ବେଲାରେ ରଖନ୍ତୁ ଓ ଦେଖନ୍ତୁ ଏହା ଏକ ସୁନ୍ଦର ରୂପରେଖ ନେଇ ଅବତୀର୍ଣ୍ଣ ହୋଇଛି – କ୍ଷୁଦ୍ର ସମଘନ, ଉପସମଘନ,ଆୟତଘନ ଏବଂ ଉପାୟତଘନର ରୂପରେ । ସତେକି ଛୋଟଛୋଟ ଖଣ୍ଡ ମିଶ୍ରିର ସମାହାର । ବର୍ତ୍ତମାନ ଅଧଚାମଚ ହଳଦୀଗୁଣ୍ଡ ସିଞ୍ଚି ଓ ଅଳ୍ପ ପାଣି ଦେଇ ଗୋଳାଇ ରଖନ୍ତୁ । ଯଦି ଆଳୁ ପକାଇବାର ଇଛା, ତେବେ ତାହାକୁ ସେହିଭାବେ କାଟି ଏକ ତାଟିଆରେ ରଖନ୍ତୁ । ମଞ୍ଜାର ପରିମାଣକୁ ଦୃଷ୍ଟିରେ ରଖି କେତୋଟି ଟମାଟୋ କାଟି ରଖନ୍ତୁ, କିନ୍ତୁ ଟିକେ ଅଧିକ ହେଲେ ଭଲ । ପିଆଜକୁ ଗୁଣ୍ଡେଇକି କାଟି ଓ ରସୁଣ – ଅଦାର ସୂକ୍ଷ୍ମକଟା ବା ବଟା ରଖନ୍ତୁ । କଡେଇ ଚୂଲୀରେ ବସାଇ ତେଲ ଗରମ ହେଲେ ପଞ୍ଚଫୁଟଣ, ପିଆଜ କଟା, ଲଙ୍କା, ରସୁଣ – ଅଦା କଟା ବା ବଟା ଆଦିକୁ ସମୟାନୁବର୍ତ୍ତିତାକୁ ଲକ୍ଷ୍ୟ ରଖି କଡେଇରେ ପକାନ୍ତୁ ଓ ଚଟାନ୍ତୁ । ଏହାପରେ ଦୁଇ ଉପାୟରେ ରନ୍ଧନ କରାଯାଇ ପାରେ । ପ୍ରଥମ ଉପାୟ – କଟାମଞ୍ଜାକୁ ଛାଣି ଓ କଟା ଆଳୁକୁ ଏକ ସମୟରେ କଡେଇରେ ଢାଳି ଖଡିକାରେ କଷନ୍ତୁ ଓ କ୍ରମେ ଲୁଣ ଏବଂ ହଳଦୀଗୁଣ୍ଡ ପକାଇ – ମିଶାଇ ଢାଙ୍କନ୍ତୁ । କିଛି ସମର ଅନ୍ତରାଳରେ ଢାଙ୍କୁଣୀ ବାହାର କରି ତଳ ଉପର କରନ୍ତୁ ଓଢାଙ୍କନ୍ତୁ । ସିଝିଗଲେ ପାଣିଅଂଶ କମାନ୍ତୁ ଓ ସବୁକୁ କଡେଇ ମଝିରେ ଏକତ୍ରିତ କରି ତା’ କେନ୍ଦ୍ରବିନ୍ଦୁରେ ଖଡିକାରେ ଏକ ଗର୍ତ୍ତ କରନ୍ତୁ । ସେଇ ଗର୍ତ୍ତ ମଧ୍ୟେ ଟମାଟୋ କଟାକୁ ଢାଳି, ମଞ୍ଜା ଭିତରେ ଆବଦ୍ଧକରି ଓ ଖଡିକାରେ ଲିପିଲାପରି କରି ଏକ ସୁନ୍ଦର ଗମ୍ଭୁଜ ବନାଇ ପୁଣି ଢାଙ୍କନ୍ତୁ । କିଛି ସମୟ ବାଦ୍ ଢାଙ୍କୁଣୀ ଖୋଲି ଖଡିକାରେ ସବୁକୁ ମିଶାଇ ଏକାକାର କରନ୍ତୁ । ହୋଇଗଲା ମଞ୍ଜା ସିଲ୍ସିଲା । ରୁଟି ବା ଭାତ ସାଥେ ଖାଆନ୍ତୁ ଓ ଗୁଣ ଗାଆନ୍ତୁ ।
ଦ୍ୱିତୀୟ ଉପାୟ – କଡେଇରେ ମଞ୍ଜା, ଆଳୁ ଓ ଟମାଟୋକୁ ଏକାବେଳେ କଷା ମସଲାରେ ପକାଇ ତଳ ଉପର, ଢାଙ୍କିବା, ଖୋଲିବା, ଜଳୀୟାଂଶ କମାଇବା ଆଦି କାର୍ଯ୍ୟ ସହ ଆଇଟମ୍ର ପ୍ରସ୍ତୁତିପର୍ବ ଶେଷ । ଏବେ ଆରାମରେ ରୁଟି ବା ଭାତ ସାଥେ ଭକ୍ଷଣ କରିବା ହୁଅନ୍ତୁ ।
କଦଳୀ ମନ୍ଚୋର୍
*************
ସାମଗ୍ରୀ – କଞ୍ଚା କଦଳୀ (ବନ୍ତଳ ବା ଚେପ୍ଟା ହେଲେ ଭଲ), ଟମାଟୋ, ପିଆଜ, ରସୁଣ, ଅଦା, ଲଙ୍କା, ହଳଦୀଗୁଣ୍ଡ, ପଞ୍ଚଫୁଟଣ, ଲୁଣ ଓ ତେଲ ଆଦି ଯଥାମାତ୍ରାରେ ।
ପ୍ରସ୍ତୁତ ପ୍ରଣାଳୀ – କଦଳୀର ମୂଳ ଓ ଅଗ୍ରଭାଗ କିଛିଅଂଶ କାଟି ବିଚ୍ଛିନ୍ନ କରନ୍ତୁ । କାକୁଡି ଚୋପାଛଡା ଯନ୍ତ୍ରରେ କଦଳୀ ଚୋପା ଫଟାଫଟ୍ ବାହାର କରି, ପଟାଉପରେ ରଖି ଅଳ୍ପମୋଟାରେ ଚକି ଚକି କରି କାଟନ୍ତୁ । ଟମାଟୋ, ପିଆଜ, ଅଦା, ରସୁଣ, ଲଙ୍କା ଆଦିକୁ କଟା ସ୍ୱରୂପରେ ସଜାଡି ରଖନ୍ତୁ । ସେମିତି ଉପର ପ୍ରଣାଳୀକୁ ଉପଯୋଗ କରି କଦଳୀ ମନ୍ଚୋର୍ ପ୍ରସ୍ତୁତ କରନ୍ତୁ । ଆପଣଙ୍କ ରୁଚି ଅନୁସାରେ ଆଳୁ ମଧ୍ୟ ଯୋଗ କରି ପାରନ୍ତି । ସକାଳ, ମଧ୍ୟାହ୍ନ ବା ରାତ୍ରି ଭୋଜନରେ ସଭିଙ୍କୁ ପରଷନ୍ତୁ ଓ ନିଜେ ଖାଆନ୍ତୁ ।
ବି.ଦ୍ର. ଯଦି ଏ ବାବଦକୁ ସମୟର ଘୋର ଅଭାବ ହୁଏ, ଉପରୋକ୍ତ ଆମିଷ ଆଇଟମ୍ ବ୍ୟତୀତ ଅନ୍ୟ ଆଇଟମ୍ ଗୁଡିକୁ କେବଳ ତେଲ, ହଳଦୀଗୁଣ୍ଡ, ଲଙ୍କା, ଲୁଣ ଓ କଟା ପରିବାକୁ କଡେଇରେ ରଖି ମିଶାନ୍ତୁ । ଏହାପରେ କଡେଇକୁ ଚୂଲୀରେ ବସାଇ ଢାଙ୍କି ଦିଅନ୍ତୁ । ମଝିରେ ମଝିରେ ଚଟାଇ ପୁନଃ ଢାଙ୍କନ୍ତୁ । ଖୁବ୍ କମ୍ ସମୟରେ ଆଇଟମ୍ ପ୍ରସ୍ତୁତ ହୋଇଯିବ ଓ ଭଲ ଲାଗିବ ।
ତରକାରୀ ଟକାଟକ୍ – ନଂ – ୧
*********************
ସାମଗ୍ରୀ – ଓଉ, ଆଳୁ, ଟମାଟୋ, ପିଆଜ, ରସୁଣ, ଅଦା, ଲଙ୍କା, ହଳଦୀଗୁଣ୍ଡ, ପଞ୍ଚଫୁଟଣ, ଲୁଣ ଓ ତେଲ ଆଦି ଯଥାମାତ୍ରାରେ ।
ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ ଆଳୁକୁ ସିଝାଇ ରଖନ୍ତୁ । ଓଉର ଏକ ଫଡା କାଟି, ବାହାର କରି, ବାହାର ଓ ଭିତର ଚୋପା ଛଡାଇ ସରୁସରୁ ନୋଳି କରି କାଟନ୍ତୁ ଏବଂ ଅଧାଳିଆ ଛେଚି ଦିଅନ୍ତୁ । ଟମାଟୋ, ପିଆଜ, ରସୁଣ, ଅଦା, ଲଙ୍କାକୁ ଉପରୋକ୍ତ ପ୍ରଣାଳୀରେ କାଟି ସଜାଇ ରଖନ୍ତୁ । ଆଳୁ ଚୋପା ଛଡାଇ ସାଇଜ୍ ଅନୁସାର ଚାରି ବା ଛ’ ଖଣ୍ଡ ଲେଖାଏ କରନ୍ତୁ । କଡେଇରେ ତେଲ ଗରମ ହେଲେ ଯଥାନୁସାରେ ଫୁଟଣ, ଲଙ୍କା, ପିଆଜ ରସୁଣ – ଅଦା ଛେଚା, କଟା ବା ବଟା ପକାଇ ମସଲାକୁ କଷନ୍ତୁ । ମସଲା ହୋଇଗଲେ ଆଳୁ, ଟମାଟୋ, ହଳଦୀଗୁଣ୍ଡ ଓ ଲୁଣ ପକାଇ କଷନ୍ତୁ । ଜଳୀୟଅଂଶ କମିଗଲେ ପାଣି ଦିଅନ୍ତୁ ଓ ଏହା ଏକ ଉଚ୍ଚ ସେଁ ଶବ୍ଦ ଶୁଣାଇବ – ସେଁ’ର ତୀବ୍ରତା ଓ ତରକାରୀର ସ୍ୱାଦ ପରସ୍ପର ସମାନୁପାତିକ(Directly Proportional) ଅଟନ୍ତି ଓ ଏହା ପ୍ରମାଣିତ । ଏବେ ଆପଣଙ୍କ ଖଟା ଖାଇବାର ତୀବ୍ରତାକୁ ଲକ୍ଷ୍ୟରଖି ଯେଉଁ ଓଉ ନୋଳୀ ରଖିଥିଲେ ତାହାକୁ ପକାଇ ଟିକେ ଚଟାଇ ଦେଇ କଡେଇ ଢାଙ୍କି ଦିଅନ୍ତୁ । ତରକାରୀ ଗବଗବ ହୋଇ ଫୁଟୁଥିବ ଓ ଆପଣ ତ ନିଶ୍ଚୟ ଦେଖୁଥିବେ ଏବଂ ମଝିରେ ମଝିରେ ଚଟେଇ ଦେଇ ଓଉ ନୋଳୀକୁ ତଳକୁ ଦାବି ଦେଉଥିବେ । ତରକାରୀ ହୋଇଆସିଲେ ସେଥିରୁ ଏକ ଖାଁଖାଁ ବାସ୍ନା ବାହାରି ନାକରେ ବାଜିବ ଓ ଜିଭ ଟକମକ ହେବ । ସେଇ ଅନୁସାରେ ନାମକରଣ କରାଯାଇଛି । ମଝିମଝିକିଆ ଝୋଳରେ ଚୂଲା ଲିଭାଇବେ । ଏବେ ଗରମ ବାମ୍ଫ ଉଠୁଥିବା ଭାତ ବାଢି ତରକାରୀ ସାଥିରେ ଚକା ପକାଇ ବସନ୍ତୁ ଓ ଧିରେ ଧିରେ ଫୁଙ୍କିଫୁଙ୍କି ଖାଇବା ଆରମ୍ଭ କରନ୍ତୁ । ଥଣ୍ଡା ହୋଇଆସିଲେ ଝୋଳରେ ଜୁଡୁବୁଡୁ ହୋଇଥିବା ଓଉ ନୋଳୀକୁ ନେଇ ରସ ଚୁଷନ୍ତୁ ଓ ପୁଣି ଝୋଳରେ ବୁଡାଇ ଚୁଷନ୍ତୁ । ଆପଣଙ୍କୁ ଲାଗିବ ସତେକି ଆପଣ ସ୍ୱାଦଯୁକ୍ତ ରସ ସାଗରରେ ପହଁରି ଚାଲିଛନ୍ତି । ଏହାକୁ ମାଛଝୋଳର ପ୍ରତିବଦଳ(Substitute) କୁହାଯାଇପାରେ ।
ତରକାରୀ ଟକାଟକ୍ – ନଂ – ୨
*********************
ସାମଗ୍ରୀ – ଫୁଲକୋବି, ବିନ୍ସ, ଆଳୁ ବା ସିଝାଆଳୁ ହେଲେଭଲ(ଝୋଳ ବହଳିଆ ହୁଏ), ଟମାଟୋ, ପିଆଜ, ରସୁଣ, ଅଦା, ଲଙ୍କା, ହଳଦୀଗୁଣ୍ଡ, ପଞ୍ଚଫୁଟଣ, ଲୁଣ ଓ ସୋରିଷ ତେଲ ଆଦି ଯଥାମାତ୍ରାରେ ।
ପ୍ରସ୍ତୁତ ପ୍ରଣାଳୀ – ଯଥା ପରିମାଣରେ ଫୁଲକୋବି, ଆଳୁ ଓ ବିନ୍ସ (ଅଳ୍ପ)କୁ ଧୋଇ ସୁନ୍ଦରଭାବେ ଛୋଟଛୋଟ କରି କାଟି ଏକ ପାତ୍ରରେ ରଖନ୍ତୁ । ଟମାଟୋ(ଅଧିକ ହେଲେ ଭଲ), ପିଆଜ, ରସୁଣ, ଅଦା, ଲଙ୍କାକୁ ଉପରୋକ୍ତ ପ୍ରଣାଳୀରେ କାଟି ବା ଛେଚି ସଜାଇ ରଖନ୍ତୁ । କଡେଇରେ ତେଲ ଗରମ ହେଲେ ଯଥାନୁସାରେ ଫୁଟଣ, ଲଙ୍କା, ପିଆଜ ରସୁଣ – ଅଦା ଛେଚା, କଟା ବା ବଟା ପକାଇ ମସଲାକୁ କଷନ୍ତୁ । ମସଲା ହୋଇଗଲେ ଫୁଲକୋବି, ଆଳୁ, ବିନ୍ସ, ଟମାଟୋ, ହଳଦୀଗୁଣ୍ଡ ଓ ଲୁଣ ପକାଇ କଷନ୍ତୁ । ଜଳୀୟଅଂଶ କମିଗଲେ ପାଣି ଦିଅନ୍ତୁ ଓ ଚଟାଇ କରି ଢାଙ୍କନ୍ତୁ । ତରକାରୀ ଗବଗବ ହୋଇ ଫୁଟୁଥିବ, ଦେଖୁଥିବେ ଓ ଝୋଳ ମଝିମଝିକା ହେଲେ କଡେଇକୁ ଚୂଲାରୁ ଓଲ୍ଲାଇ ଦେବେ । ଯଦି ପାରନ୍ତି କିମ୍ବା ଶୀତଦିନ ହୋଇଥିଲେ ଧନିଆଁ ପତ୍ର ଗୁଣ୍ଡକରି କାଟି ତରକାରୀରେ ପକାଇ ଫେଣ୍ଟିକି ଢାଙ୍କିଦେବେ । ଏବେ ଗରମ ବାମ୍ଫ ଉଠୁଥିବା ଭାତ ଓ ତରକାରୀ ବାଢି ପରିବାରବର୍ଗଙ୍କୁ ଖୁଆନ୍ତୁ ଓ ନିଜେ ଗ୍ରହଣ କରି ଉଲ୍ଲସିତ ହୁଅନ୍ତୁ ।
ଏହି ନିଜସ୍ୱ ରୋଷେଇ ପ୍ରଣାଳୀ ଓ ଏହାକୁ ଅନ୍ୟମାନଙ୍କ ସମ୍ମୁଖକୁ ଆଣିବାର ଉଦ୍ଦ୍ୟମରୁ କର୍ତ୍ତା ଅଶେଷ ଆନନ୍ଦପ୍ରାପ୍ତ ହୁଅନ୍ତି । କେବଳ ଦୁଃଖ ଦୁର୍ଦ୍ଦଶାର ଅସରନ୍ତି ବ୍ୟଥାକୁ ସାମ୍ନା କରି କରି ନିଜର ପଞ୍ଚଭୂତ ଶରୀରକୁ କିଛିଟା ଲାଘବ ଦେବା ନିମିତ୍ତ ନିଜସ୍ୱ ଆନନ୍ଦରେ ବଞ୍ଚି ରହିବା ସହ ଅନ୍ୟମାନଙ୍କ ପାଇଁ ହାସ୍ୟରସାତ୍ମକ ପରିବେଶ ସୃଷ୍ଟି କରିବା ବାଞ୍ଛନୀୟ ଅଟେ । କାରଣ ନିରସତା, ଶୁଷ୍କତା ଆଦି ବିୟୋଗାତ୍ମକ ଗୁଣକୁ ସର୍ବଦା ନାପସନ୍ଦ କରୁଥିବା କର୍ତ୍ତାପାଇଁ ଯେତେ ଦୟନୀୟ ଅବସ୍ଥା ଆସିଲେବି ନିଜର ଖୋଲା ଓ ନିର୍ମଳ ହସକୁ ସମାଜ ଉପରେ ଅଜାଡି ଦେଇ, ଏତାଦୃଶ ଯନ୍ତ୍ରଣାରେ ଜର୍ଜରିତ ବ୍ୟକ୍ତିଙ୍କୁ ପ୍ରେରଣା ଯୋଗାଇବାର ଏହା ଏକ ନିମିତ୍ତ ଚେଷ୍ଟା ମାତ୍ର ।
ସବୁ ବିରୋଧାତ୍ମକ ପରିସ୍ଥିକୁ ସାମ୍ନା କରି ବିଚରା ନିଜ କର୍ତ୍ତବ୍ୟ କରିଚାଲେ । ମନକୁ ଉତ୍ଫୁଲ୍ଲିତ ରଖେ । ବିଧିର ବିଧାନ ବିଚିତ୍ର ହେଉ କିମ୍ବା ନିଜ ଅନ୍ତରାତ୍ମାର ଭାବକୁ ଏଡାଇ ବିବେକଶୂନ୍ୟତାର ପ୍ରହେଳିକାକୁ ଆଦରିନେଉ, ତାହା ବିଚରାଟି ପାଇଁ ଏକ ପ୍ରଶ୍ନବାଚୀ ହୋଇ ରହିଯାଏ । ମନର ଅସ୍ତବ୍ୟସ୍ତତାରୁ ତାଙ୍କ ଜୀବନ ନାଟିକାର ଏକ ଦୃଶ୍ୟପଟ୍ଟରେ ହଠାତ୍ ଭୟଙ୍କର କଳାମେଘ ଘୋଟିଯାଏ । ଏହା ଚତୁର୍ଥଭାଗ ଭିତ୍ତିପ୍ରସ୍ଥର ସ୍ଥାପନ ପାଇଁ ମାର୍ଗ ଉନ୍ମୁକ୍ତ କରେ ।
******************************************************************