ଅସହ୍ୟ ଯନ୍ତ୍ରଣାର ତାତ୍ତ୍ୱିକ ପରିଭାଷା – ଭାଗ – ୪

ଅସହ୍ୟ ଯନ୍ତ୍ରଣାର ତାତ୍ତ୍ୱିକ ପରିଭାଷା – ଭାଗ – ୪

ଚତୁର୍ଥ ଭାଗ
———-


୨୦୧୬ ମସିହା,ନଭେମ୍ବର ମାସ ୨୩ ତାରିଖ ବୁଧବାର ସନ୍ଧ୍ୟା ୬.୩୦ ପ୍ରାୟ । ଅନେକଦିନ କର୍ମକ୍ଷେତ୍ରରେ ରହିବାପରେ କର୍ତ୍ତା ବିଚରା ପ୍ରଥମାଷ୍ଟମୀ ପାଇଁ କିଛିଦିନ ଛୁଟି ନେଇ ଘରକୁ ଘରକୁ ଆସିଥିଲେ । ଛୁଟି କଟାଇ ପୁନଃ ନିଜ କର୍ମ ସ୍ଥାନକୁ ସୋମବାର ଅପରାହ୍ନ ଦୁଇଟାରେ ସାଙ୍ଗରେ କିଛି ପନିପରିବା ଧରି ବାହାରିଲେ । ତାଙ୍କ ସାନପୁଅ ବଡ ବସ୍‍ଷ୍ଟାଣ୍ଡ୍‍ଥିବା ସହରର ଏକ ଯାନ୍ତ୍ରିକ ମହାବିଦ୍ୟାଳୟରେ ବିଦ୍ୟାଧ୍ୟୟନ କରୁଥିଲା ଏବଂ ପ୍ରଥମାଷ୍ଟମୀରେ ଘରକୁ ଯାଇ ନଥିଲା । ବଡପୁଅର କମ୍ପାନୀ ଚାକିରୀ ଓ ସେ ଆହୁରି ଦୂରରେ ନିଜ କର୍ମକ୍ଷେତ୍ରରେ କର୍ତ୍ତବ୍ୟରତ । ତେଣୁ ସେ ମଧ୍ୟ ଆସି ନଥିଲା । ଯେତେ ଥର ଘରକୁ ଆସି କର୍ମକ୍ଷେତ୍ରକୁ ବାହୁଡିବା ବେଳକୁ କର୍ତ୍ତାଙ୍କ ସାନପୁଅ ଆଗୁଆ ବସ୍‍ ଟିକେଟ୍‍ କରି ରଖେ ଓ ବଡ ବସ୍‍ଷ୍ଟାଣ୍ଡ୍‍କୁ ଆସି ବାପାଙ୍କୁ ଦେଖା କରି ଟିକେଟ୍‍ ଦେଇ ବସ୍‍ ଛାଡିବା ଯାଏ ଅପେକ୍ଷା କରେ । ବସ୍‍ ଛାଡିଲେ ବାପାଙ୍କୁ ବିଦାୟ ଦେଇ ମେସ୍‌କୁ ଫେରିଯାଏ । ପ୍ରତିଥର ପୁଅଟି ପାଇଁ ମା’ କିଛି ଦରକାରୀ ଦ୍ରବ୍ୟ ପଠାନ୍ତି ଓ ବାପା ନେଇ ଦିଅନ୍ତି । ମା’ ମନ ତ, ଏଥର କର୍ତ୍ତାଙ୍କ ସହଧର୍ମିଣୀ କିଛି ହଳଦୀପତ୍ର ପିଠା (ଏଣ୍ଡୁଳୀ) ପୁଅପାଇଁ ପଠାଇ ଥିଲେ । ବଡ ବସ୍‍ଷ୍ଟାଣ୍ଡରେ ପୁଅକୁ ପିଠା ଦେଇ ରାତି ଆଠଟା ବସ୍‌ରେ ବସି ସେ ସକାଳ ଆଠଟାରେ ଭଡାଘରେ ପହଞ୍ଚିଲେ । ଅନିନ୍ଦ୍ରାର କଷ୍ଟକୁ ଗୁଲିମାରି ଶୀଘ୍ରଶୀଘ୍ର ନିତ୍ୟକର୍ମ ସାରି ଓ କିଛି ଚୂଡା ଚକୁଟା ଗିଳି ଅଫିସ୍‌ ବାହାରିଲେ । ଦୋକାନ ବଜାର ଶୂନ୍ୟ କାର୍ଯ୍ୟାଳୟ ପାଖରେ କ’ଣ ବା କରାଯିବ ? ପୁଣି ଫେରନ୍ତା ଦଶ କିଲୋମିଟର ପଥ ଅତିକ୍ରମ କରି ଟାଉନ୍‌ରେ ପହଞ୍ଚି ଅବେଳରେ କେଉଁ ହୋଟେଲ୍‍ ବା ଭାତ  ବିକିବାକୁ ବସିଥିବ ? ହାଣ୍ଡି ଓ କଡେଇ ସବୁ ତ ଧୁଆଧୁଇ ସରିଥିବ । ଯାହା ମିଳିବ ରାତିକି । ତେଣୁ କାର୍ଯ୍ୟାଳୟରୁ ଫେରି ପୁଣି ଚୂଡା ଖାଇ ଗଭୀର ନିଦ୍ରାରେ ପଡିଗଲେ । ନିଦରୁ ଉଠି ବାଥିବା ପରିବାରୁ ଅଳ୍ପ କାଟି ସନ୍ତୂଳା ସହ ଦୁଇଟି ରୁଟି କରି ଖାଇ, ପିଲା ଓ ସ୍ତ୍ରୀ ସହ କଥା ହୋଇ, କିଛି ବାକିଥିବା ବଳକା ଅଫିସ୍‍ କାମ ସାରି ଶୋଇଲେ । କିନ୍ତୁ ସାନପୁଅ ମା’ଙ୍କୁ ଫୋନ୍‌ରେ ପଚାରୁଥିଲା – ବାପାଙ୍କ ଦେହ କ’ଣ ଭଲ ନ’ଥିଲାକି ? ଅତି ବିବସ ଦେଖାଯାଉଥିଲେ, ଘରେ କିଛି ଅଶାନ୍ତି ହୋଇଥିଲା କି ଇତ୍ୟାଦି । ସେମିତି କିଛି ହୋଇ ନଥିଲା ବୋଲି ମା’ ତା’କୁ କହିଥିଲେ । ଏହା ତାଙ୍କ ସ୍ତ୍ରୀ ଠାରୁ ସେ ରାତିରେ ଶୁଣିଥିଲେ । ଏଥର କାହିଁକି ଘରୁ ବାହରିଲା ବେଳକୁ ଟିକେ ଅଲଗା ଅନୁଭବ ମନକୁ ଆସୁଥିଲା ଓ ବସ୍‍ଷ୍ଟାଣ୍ଡରେ ପୁଅକୁ ବିଦାୟ ଦେଇ ଗାଡିରେ ବସି ଏକ ଅଜଣା ଝାପ୍‍ସା ପରିବେଷ୍ଟନୀର ଝଟ୍‍କା ତାଙ୍କ  ମନକୁ ଆସୁଥିଲା ଓ ଉଭେଇ ଯାଉଥିଲା । ଅବଶ୍ୟ ଘରୁ ବାହାରି ପ୍ରଥମ ଗାଡିରେ ବସି ପକେଟ୍‌ରେ ହାତମାରି ଜାଣିଲେ ଯେ, ସେ ପାଖରେ ରଖୁଥିବା ପଞ୍ଚଧାତୁର ଏକ ପବିତ୍ର କାଠି(Holy Stick)କୁ ଆଣିନାହାନ୍ତି । ଆଉ ସମୟ ନଥିଲା ଆଣିବାକୁ ଓ ସେ ମନକୁ ବୁଝାଇ ନେଲେ । ଏହା ସେପରି କିଛି ନୁହେଁ , କିନ୍ତୁ ସକାଳ ସୂର୍ଯ୍ୟଙ୍କ ଭାଷା ବୁଝିବା ଏତେ ସହଜ ନୁହେଁ ।  

ପରଦିନ ସକାଳୁ ଉଠି ଜୀବନ ବିକଳେ ଫିଲ୍‍ଟରରୁ କିଛି ପାଣି ବାହାର କରି, ଡେକ୍ଚିରେ ଫୁଟାଇସାରି ଯୋଗକ୍ରିୟା କଲେ । ଅତି ତରବରରେ ଅରୁଆ ଭାତ ଓ ସବୁ ପରିବା ମିଶାଇ ଏକ ସନ୍ତୁଳା କରି, ଦୁଇ – ତିନି ମଗରେ ଝାପ୍‍ସା ସ୍ନାନ କରି, ଖାଦ୍ୟରୁ ଅଧା ଖାଇ ଓ ଅଧା ରଖି ଅଫିସ୍‍ ଧାଇଁଲେ । ଅଟୋରେ ବସି ସେ ଭାବୁଛି ଏ ଇଲାକାରେ ବିଶୁଦ୍ଧ ପାନୀୟ ଜଳପାଇଁ ତା’କୁ କଷ୍ଟ କରିବାକୁ ପଡୁଛି । କାରଣ ଗୃହ ମାଲିକର କୂଅପାଣି ହେଉଛି ଜଳ ଯୋଗାଣର ଉତ୍ସ । ଯେହେତୁ ଏହା ଏକ ତଳିଆ ସ୍ଥାନ ଓ ଅନେକ ଖୋଲା ଯାଗାରେ ଆବଦ୍ଧ ପଚାପାଣି ଜମିଛି, ତେଣୁ କୂଅପାଣି ମଧ୍ୟ ଦୂଷିତ । ବୋଧହୁଏ ଏହି କାରଣରୁ ଏ ଅଞ୍ଚଳରେ ଲୋକେ ଦୁଃସାଧ୍ୟ ବ୍ୟାଧିରେ କଲବଲ ହୁଅନ୍ତି । କେତେକଙ୍କ ରୋଗପ୍ରତିରୋଧକ ଶକ୍ତି ଅଧିକ ଯୋଗୁଁ ସେମାନେ ଏଥିରୁ ରକ୍ଷା ପାଇ ଥାଆନ୍ତି । ବିଚରାଟି ନୂଆ ଯାଗରେ ଭୟଭୀତ ହୋଇ ପାଣି ଫୁଟାଇ ପିଉଥିଲେ । ପ୍ରଥମେ ପାଣିକୁ ଫିଲ୍‍ଟର୍‌ରେ ଛାଣି ଓ ତା’ପରେ ଫୁଟାଇ ପିଉଥିଲେ । ଛୋଟ ରୋଷେଇ ସ୍ଲାବ୍‌ର ସିଙ୍କ୍‍ କଡରେ ଫିଲ୍‍ଟର୍‍ ଓ ଏହାର ଟ୍ୟାପ୍‍ ସିଙ୍କ୍‍ ଆଡକୁ ରଖିଥିଲେ । ଏହାଦ୍ୱାରା ଡେକ୍ଚିକୁ ସିଙ୍କ୍‌ରେ ଥୋଇ ଫିଲ୍‍ଟର ଟ୍ୟାପ୍‌ରୁ ପାଣି ଭରିବାକୁ ସୁବିଧା ହେଉଥାଏ । ଗ୍ୟାସ୍‍ଚୂଲା ଓ ଫିଲ୍‍ଟର୍‍ ମଧ୍ୟରେ ସ୍ଲାବ୍‍ର ଅଳ୍ପ ସ୍ଥାନ ଫାଙ୍କା ଥାଏ ଓ ତହିଁରେ ସବୁକିଛି ସତର୍କତାର ସହ କରାଯାଏ । ଭାବନା ରାଜ୍ୟରେ ଆଉ ଏକ ଭାବନାରେ ସେ ଆନନ୍ଦିତ ହୁଏ ଯେ, ଯଦି ଫୁଟାପାଣିକୁ ପ୍ରଥମେ ଫିଲ୍‍ଟର୍‌ରେ ଢଳାଯାଏ,ଫିଲ୍‍ଟର୍‍ର ଛଣାଳୀ (Candle)ରେ ଜମି ରହିଥିବା ସବୁ ଜୀବାଣୁ ମରିଯିବେ ଓ ଫିଲ୍‍ଟର୍‍ର ତଳ କୋଠରୀ ବିଶୁଦ୍ଧ ପାଣିରେ ଭରିହେବ । କିଛି ସମୟ ପରେ ପାଣି ଥଣ୍ଡା ହୋଇଗଲେ କିମ୍ବା ନଖଉଷୁମ ଥିଲେ ଟ୍ୟାପ୍‍ ଖୋଲି ଆରାମରେ ଗ୍ଲାସ୍‍ ଗ୍ଲାସ୍‍ ପାଣି ପିଆ ଚାଲିବ । ଏହାହିଁ ଠିକ୍‍ ଯୋଜନା ଭାବି ସେ ଖୁସି ହେଲା ଓ ସନ୍ଧ୍ୟାରେ ସେଇଆ କରିବାକୁ ସ୍ଥିର କଲା । ଅଫିସ୍‍ରୁ ଫେରି, ରଖିଥିବା ଅଧାଖାଦ୍ୟ ଖାଇ ଟିକେ ଗଡପଡ ହେଲା ଓ ସନ୍ଧ୍ୟାରେ ଡେକ୍ଚିଏ ପାଣି ଚୂଲାରେ ବସାଇ ବଜାରରୁ ଆଣିଥିବା ସଦ୍ୟ ଫୁଲକୋବିରୁ ଫାଳେ, ଆଳୁ ଓ ଟମାଟୋ ଆଦି କାଟି ରଖିଲା । ତିନୋଟି ରୁଟି ଅନ୍ଦାଜରେ ଅଟା ଏକ ବେଲାରେ ରଖି, ପାଣି ଯଥାମାତ୍ରାରେ ଢାଳି ଏକ ଆଙ୍ଗୁଳିରେ ଚକ୍ରାକାରରେ ଦିଗ ବଦଳାଇ ଘୂରାଇ ଏକ ପେଣ୍ଡୁଳା କଲା । ଏପଟରେ ପାଣି ଗବଗବ ହୋଇ ଫୁଟିବାକୁ ଲାଗିଲା । ମନ ପବନ ପରି ଉଡୁଥାଏ । ସତେକି ନେପେଥ୍ୟରୁ ଇସାରା ଆସୁଛି – ସମୟ ହୋଇଗଲା ! ପାଣି ଫୁଟୁଛି , ଏହା ହେଉଛି ସଠିକ୍‍ ସମୟ ! ଅର୍ଥାତ୍‍ ଫିଲ୍‍ଟର ଘୋଡଣୀ କାଢି ଫୁଟୁଥିବା ଡେକ୍ଚି ପାଣିକୁ ଟେକି ବେକଉଚ୍ଚା ରହୁଥିବା ଫିଲ୍‍ଟର ମୁହଁରେ ଢାଳିଲେ ସବୁ ଜୀବାଣୁ ମରିଯିବେ । ଚଞ୍ଚଳ ମନ ଭାବୁଥାଏ ଓ ପଛଘୂଞ୍ଚା ଦେଉଥାଏ । ଏହା କ’ଣ ଠିକ୍‍ ହେବ ? ଭୟଙ୍କର ବିଘ୍ନର ସୂଚନା ମନକୁ ବାରମ୍ବାର ଆସୁଥାଏ ଓ ତତ୍‍କ୍ଷଣାତ୍‍ ଉଭେଇ ଯାଉଥାଏ । ଏହା ମଧ୍ୟରେ ସେ ସ୍ୱୟଂଚାଳିତ ଯନ୍ତ୍ର ପରି କେତେବେଳେ କପଡାରେ ଡେକ୍ଚିକୁ ଉଠାଇ ନେଇ ଫିଲ୍‍ଟର ମୁହଁରେ ଫୁଟୁଥିବା ପାଣି ଢାଳିବା ଆରମ୍ଭ କଲେ । ଗରମ ବାମ୍ଫରେ ହାତ ସିଝିଗଲା ପରି ଅଥୟ ଲାଗୁଥାଏ ଓ ଏହା ନିଜ ମୁଖ ସିଧା ଉଚ୍ଚତାରେ ରହିଥାଏ । କପଡାଯୁକ୍ତ ଡେକ୍ଚି ଧାରକୁ ବାମ୍ଫର ମାତ୍ରା କମାଇବା ନିମିତ୍ତ ହାତକୁ ଟିକିଏ ଏପଟ ସେପଟ କରି ଶୀଘ୍ର ପାଣି ଢାଳି ଆଉ ଡେକ୍ଚିଏ ପାଣି ଫୁଟାଇ ପୁଣି ଢାଳି ଫିଲ୍‍ଟରର ଉପର କୋଠରୀ ପୂର୍ଣ୍ଣ କରିବାର ଭାବନାରେ ଘଟିଲା ତା’ ଜୀବନର ସବୁଠୁ ବଡ ମରଣାନ୍ତକ ଦୁର୍ଘଟଣା ! ହଠାତ୍‍ ଫୁଟାପାଣି ଥିବା ଡେକ୍ଚି ହାତରୁ ଖସିପଡି ସ୍ଲାବ୍‍ ଉପରେ ପଡିଲା ଓ ବଡ ଝଳକାଏ ଫୁଟୁଥିବା ପାଣି ଛିଟିକି ଆସି ବିଚରାର ଡାହାଣପଟ ଛାତି ଉପରେ ଓ ଡାହାଣହାତ ଉପରର ଭିତର ଭାଗ (କାଖକୁ ଲାଗୁଥିବା ଅଂଶ)ରେ ପଡିଲା । ଛାତିରୁ ଡାହାଣପାଖ ପେଟଯାଏଁ ପାଣି ବୋହିଗଲା । ସେଠାରେ ପ୍ରବଳ ଶୀତଯୋଗୁଁ ଏକ ଫୁଲ୍‍ ପ୍ୟାଣ୍ଟ୍‍ ଓ ଫୁଲ୍‍ ମୋଟା ଗଞ୍ଜି ସେ ପିନ୍ଧିଥିଲା । କଲବଲ ଓ ଏପଟ ସେପଟ ହୋଇ ବିଚରା ଜୀବନ ବିକଳରେ ଗାଧୁଆ ଘରକୁ ଦୌଡି ଯାଇ ଦେହରୁ ମୋଟା ପିନ୍ଧିଥିବା ପୁରା ଗଞ୍ଜିଟିକୁ ଖୋଲିବାକୁ ଆରମ୍ଭ କଲା । ଫଳରେ କାଖ ସିଧା ଡାହାଣ ହାତର ଭିତର ଅଂଶରୁ କିଛି ସିଝା ମାଂସ ବାହାରି ଆସି ସେ ଅଂଶ ଧଳା ଦେଖାଗଲା । ଟ୍ୟାପ୍‍ ଖୋଲି ତରବରରେ କିଛି ଥଣ୍ଡା ପାଣି ଢାଳିବାକୁ ଲାଗିଲା । ଫଳରେ ଯନ୍ତ୍ରଣା କିଛିଟା ଲାଘବ ଜଣା ପଡୁଥିଲେ ବି ଅସହ୍ୟତା ବୃଦ୍ଧିରେ ଅତିଷ୍ଠ ହୋଇ ପାଣି ଜୁଡୁବୁଡୁ ରୋଷେଇ ଘରକୁ ଦୌଡି କିଛି ଲୁଣ ଛାତି ଓ ହାତରେ ପକାଇ ପାଣି ଛାଟିଲା । ସବୁ ଚେଷ୍ଟା ବିଫଳ । ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର ! କାହାକୁ ସାହାଯ୍ୟ ମାଗିବ ! ଉପରେ ତ ଗୋଟିଏ ମାତ୍ର ରୁମ୍‌ରେ ସେ ହିଁ ଅଛି । ତଳେ ଘର ମାଲିକ । ଦୌଡି ଯାଇ ତା’ଙ୍କୁ କହିବ । ମନେ ପଡିଲା ଦୁଇଟି ଘର ଛାଡି ତାଙ୍କ ଅଫିସ୍‍ର ବନ୍ଧୁ । ତତ୍‍କ୍ଷଣାତ୍‍ ଫୋନ୍‍ କରି ଶିଘ୍ର ଆସିବାକୁ ଆକୁଳିତ ହୋଇ କହିଲା । ପ୍ରାୟ ତା’ଙ୍କ ଫୋନ୍‍କୁ କଲ୍‍ ଲାଗେନି । କିନ୍ତୁ ଈଶ୍ୱରଙ୍କ ସେଦିନ ଥିଲା ଅପାର କରୁଣା ! ଫୋନ୍‍ ଲାଗିଲା ଓ ସେ ସଙ୍ଗେ ସଙ୍ଗେ ଆସିବାକୁ କହିଲେ । ମନରେ ସାହସ ଆସିଲା ବୋଧେ ସେ ବଞ୍ଚିଯିବ ! ସେ ଆସିବା ସମୟର ବ୍ୟବଧାନ ଓ ଯନ୍ତ୍ରଣାର ଅତିଷ୍ଠତାରେ କଲବଲ ହୋଇ ତଳେ ପହଞ୍ଚି ଘର ମାଲିକାଣୀଙ୍କୁ ଡାକିଲା । ଘର ମାଲିକ ସେ ସମୟରେ ବାହାରେ ଥିଲେ । ମାଲିକାଣୀ ବ୍ୟତିବ୍ୟସ୍ତ ହୋଇ ସାହାଯ୍ୟ ପାଇଁ ଦୌଡା ଧାଁ ଓ ପାଖ ପଡୋଶୀ ସ୍ତ୍ରୀ ଲୋକ ମାନେ ଉପଚାର ନିମିତ୍ତ ନିଜ ଜ୍ଞାନ ବଳରେ କିଏ ଘି କୁଆଁରୀ, କ୍ରିମ୍‍ ଆଦି ଆଣି ଦେଲେ ଓ ଡାକ୍ତରଖାନାକୁ ନେଇ ଯିବାକୁ କହିଲେ । ସେମାନେ ବା କ’ଣ କରି ପାରିବେ ? ଡାକ୍ତରଖାନା ତ ଦୂରରେ । କେହି ଜଣେ ବି ପୁରୁଷ ନାହାନ୍ତି । ଠିକ୍‍ ସେହି ସମୟରେ ଅଫିସ୍‍ ବନ୍ଧୁ କିଛି ବରଫ ଖଣ୍ଡ ଧରି ପହଞ୍ଚିଲେ । ଅଗାଧ ଜଳରେ ବୁଡି ଯାଉଥିବା ବ୍ୟକ୍ତି ସତେକି ଏକ କୁଟାଖିଅର ଆଶ୍ରା ପାଇଲା । ଉପରକୁ ଶୀଘ୍ର ଆସି ସିଝି ଯାଇଥିବା ଯାଗାରେ ବରଫ ଲଗାଇବା ସହ ହସ୍‍ପିଟାଲ୍‍କୁ ତୁରନ୍ତ ବାହାରିଲେ । ଫୋଟକାର ଆକାର ଓ ତୀବ୍ରତା ବୃଦ୍ଧି ପାଉଥାଏ । କେବଳ ଖଣ୍ଡେ ଚଦର ଘୋଡାଇ ହୋଇ ଓ କିଛି ଟଙ୍କା ଧରି ବାହାରିଲେ । ଭୟଙ୍କର ଶୀତ କିଛି ଜଣା ପଡୁ ନଥାଏ । ବଞ୍ଚିବା ପାଇଁ ଅଦମ୍ୟ ଲାଳସା !

ହସ୍‍ପିଟାଲ୍‍ ଭଡାଘର ପାଖରୁ ପ୍ରାୟ ତିନି କିଲୋମିଟର ଓ ସମ୍ପୂର୍ଣ୍ଣ ନିଛାଟିଆ ରାସ୍ତା । ରାତି ବଢିବା ସହ ଶୀତର ପ୍ରକୋପ ବୃଦ୍ଧି ପାଉଥାଏ । ହସ୍‍ପିଟାଲ୍‌ରେ ପହଞ୍ଚିବାକୁ ପ୍ରାୟ ରାତି ନ’ଟା ପାଖାପାଖି । ଯାହା ହେଉ ଶୀଘ୍ର ଡାକ୍ତରଙ୍କ ପ୍ରେସ୍କ୍ରିପସନ୍‍ ଧରି ୱାର୍ଡ୍‌ରେ ପହଞ୍ଚି ଗଲେ ଓ ନର୍ସ୍‍ମାନେ ସେବା ଆରମ୍ଭ କଲେ । ଫୋଟକା ଗୁଡିକର ଟଳଟଳ ଅବସ୍ଥାକୁ ଦେଖି ସେମାନେ ଭୟଭୀତ ହୋଇଯାଉଥିଲେ । କିଛି ଲେପର ପ୍ରଭାବରେ ଯନ୍ତ୍ରଣା ବୃଦ୍ଧି ଓ ପରେ କିଛିଟା ଲାଘବ ହେବାର ଅନୁଭୂତ ହେଲା । ସେତେବେଳେ ଡାକ୍ତର, ସିଷ୍ଟର୍‍ … ଆଦି କର୍ମଚାରୀ ଏକ ଏକ ଦେବଦୂତ ପରି ଲାଗୁଥିଲେ । ସେମାନଙ୍କ ଆଶ୍ୱାସନା ମନୋବଳକୁ ଦୃଢ କରୁଥିଲା । କିଛି ମୁକ୍ତ ଔଷଧ, ଅଏଣ୍ଟମେଣ୍ଟ୍‍, ଇଞ୍ଜେକ୍‍ସନ୍‍ ଓ କିଛି ଉଚ୍ଚ କିସମର ଆଣ୍ଟିବାୟୋଟିକ୍‍, ପେନ୍‍କିଲର୍‍ …….. ନିକଟସ୍ଥ ଔଷଧ ଦୋକାନରୁ ବିପଦର ସାଥୀଟି କିଣି ଆଣିଲେ । ଡାକ୍ତରଙ୍କୁ ପୁଣି ସବୁ ଔଷଧ ଦେଖାଇ ଓ ୱାର୍ଡ୍‌ରେ ହାଜର ହେଲେ ଓ ସିଷ୍ଟର୍‍ ସିଝା ସ୍ଥାନରେ ଅଏଣ୍ଟମେଣ୍ଟ୍‍ ଲେପ ଦେଲେ । ଥଣ୍ଡା ଥଣ୍ଡା ଓ ଆରାମ ଲାଗୁଥାଏ, ସତେକି ସବୁ ଠିକ୍‍ ହୋଇଯିବାର ଭାବନା ମନରେ ଜାଗି ଉଠୁଥାଏ । ସେମାନେ ପରାମର୍ଶ ଦେଲେ ଯେ, ଫୋଟକାର ମାତ୍ରା ଆଉ ପ୍ରାୟ ଅଧିକ ବୃଦ୍ଧି ପାଇବ ନାହିଁ । ପ୍ରତିଦିନ ଆସି ଡ୍ରେସିଙ୍ଗ୍‍ କରିବାକୁ ପଡିବ । ଏହାପରେ ବନ୍ଧୁଙ୍କ ସହ ଘରକୁ ଫେରିଲେ ଓ ରାତି ଦଶଟା । ମନରେ ସାହସ ଆସିଯାଇଥାଏ ଓ ମୃତ୍ୟୁର ଆଭାସ ଧିରେ ଧିରେ ମନରୁ ଅପସରି ଯାଉଥାଏ । ପାହାଡିଆ ରାସ୍ଥା । ତେଣୁ ଶୀତର ତୀବ୍ରତା ଅତିଷ୍ଠ ହୋଇଉଠୁଥାଏ ଓ ତା’ ସହିତ ଥଣ୍ଡା ପବନ ଶରୀରକୁ ନିଷ୍କ୍ରିୟ କରି ଦେଲାପରି ଲାଗୁଥାଏ । ଖୋଲା ଦେହରେ ଆବୃତ ଚଦରର ଉପର ଦୁଇ ମୁଣ୍ଡକୁ ଦାନ୍ତରେ କାମୁଡି ଧରିବା ସାଙ୍ଗକୁ ତଳ ଦୁଇ ମୁଣ୍ଡକୁ ଡାହାଣ ହାତରେ ଜାବୁଡି ଧରିଥାଏ । ବାମ ହାତରେ ବାଇକ୍‍ ପଛର ହ୍ୟାଣ୍ଡଲ୍‍କୁ ଦୃଢ ଭାବେ ଧରିଥାଏ । ଅବଶ୍ୟ ବନ୍ଧୁଟି ଜାକେଟ୍‍, ଟୋପି ଓ ଗ୍ଲୋଭ୍‍ସ୍‍ ପିନ୍ଧିଥିଲେ । ଏପଟରେ ଯନ୍ତ୍ରଣା ସାଙ୍ଗକୁ ପ୍ରଚଣ୍ଡ ହାଡଭଙ୍ଗା ଶୀତ ଲହରୀ ଓ ଶୀତୁଆ ପବନକୁ ସାମ୍‍ନା କରି ବାଇକ୍‌ରେ ବସି ଭଡାଘରେ ପହଞ୍ଚିବାକୁ ପଡିବ । ଶରୀର ବରଡାପତ୍ର ପରି ଯେତେ ଥରୁ ଓ ସବୁ ଅଙ୍ଗ ପ୍ରତ୍ୟଙ୍ଗ ବରଫ ପାଲଟିଯାଉ, ତଥାପି କସ୍ମିନ୍‍କାଳେ ବାଇକ୍‍ ଉପରୁ ନିର୍ଜନ ରାସ୍ତାରେ ଖସି ନ’ପଡିବାର ଦୃଢତାରେ ସେ ମହାଜାଗତିକ ଉତ୍ସକୁ ଲୟ ଲଗାଇ ପାରିପାର୍ଶ୍ୱିକ ପରିବେଶରୁ ନିଜକୁ ଯଥା ସମ୍ଭବ ବିଚ୍ଛିନ୍ନ କରି ରଖିଥାଏ । ବୋଧହୁଏ ମଝି ରାସ୍ତାରେ ବନ୍ଧୁଙ୍କ ଶରୀର ପ୍ରବଳ ଶୀତରେ ଥରିଉଠୁଥାଏ ଓ ସେ ଅତି ଧିର ଗଳାରେ କହିଲେ ସାର୍‍ ! ଠିକ୍‍ ଅଛନ୍ତି ତ ! ତତ୍‍କ୍ଷଣାତ୍‍ ସେ ଜବାବ୍‍ ଦେଲେ ସବୁ ଠିକ୍‍ ଅଛି । ଚାଲନ୍ତୁ ! ପୁରାଣ କହେ – ତ୍ରେତୟାରେ ୠଷି ଗୌତମଙ୍କ ଅଭିଶାପରେ ମାତା ଅହଲ୍ୟାଙ୍କ ଶରୀର ଯେପରି ଧିରେ ଧିରେ ପଥର ପାଲଟିଯାଉଥିଲା, ତାଙ୍କ ଶରୀର ଠିକ୍‍ ସେହିପରି ସତେକି ପାଷାଣକୁ ପରିବର୍ତ୍ତୀତ ହେଉଥିଲା । କିନ୍ତୁ ମନ ଯେହେତୁ ଈଶ୍ୱରଙ୍କ ସହ ଦୃଢ ବନ୍ଧନରେ ସଂଯୁକ୍ତ ଓ ଅବିଚଳିତ, ତେଣୁ ବାଧା ବିଘ୍ନମାନ ଅପସରି ଯାଉଥିଲା ।  ସେ ସମୟରେ ମନରେ କିଞ୍ଚିତ୍‍ ମାତ୍ରାରେ ଦୁର୍ବଳତା ଜାଗି ଉଠିଥିଲେ, କିମ୍ବା ସେ ଅନ୍ଧାରୁଆ ରାସ୍ତାରେ ବାଇକ୍‍ ରୋକିବାକୁ ବନ୍ଧୁଙ୍କୁ କହିଥିଲେ, ତାହା ଉଭୟଙ୍କ ପାଇଁ ଭୟଙ୍କର ବିପଦର ସୁନିଶ୍ଚିତତା ରହିଥିଲା । ନିଜେ ବାଇକ୍‌ରୁ ଖସି ପଡି ଅନ୍ଧାରି ଇଲାକାରେ ନିଃଶେଷ ହୋଇଯିବାର ସମ୍ଭାବନା ଥିଲା ଓ ବନ୍ଧୁଙ୍କ ମନୋବଳ ଭାଙ୍ଗିବା ସହ ଭାରସାମ୍ୟ ହରାଇ କେଉଁଠି ନିଶ୍ଚୟ ପିଟିହୋଇ ଭୟଭୀତ ଅବସ୍ଥାରେ କ’ଣ ନାହିଁ କ’ଣ ଘଟି ଯାଇ ଥା’ନ୍ତା ତାହା କଳ୍ପନାର ବାହାରେ । ତେବେ ସଦ୍‍ଇଛା ସହ ଈଶ୍ୱରୀୟ ସଂଯୋଗୀକରଣରୁ ଯେଉଁ ଜାଗତିକ ଶକ୍ତିର ଅଦ୍ଭୁତତା ପରିପ୍ରକାଶ ହେଲା, ତାହାର ବୈଜ୍ଞାନିକ ପରିଭାଷା କ’ଣ ହୋଇପାରେ ?

ତେବେ ପିଲା ଦିନରେ ବଢିଥିବା ଅଭାବ, ଅନାଟନ ଓ ଦୁଃଖ ସମୟରେ ଈଶ୍ୱରୀୟ ଆଭାସ ଓ ଲୟ ରଖିବାର ଅଭ୍ୟାସ ମଧ୍ୟ ମନର ଦୃଢତାକୁ ବଳିଷ୍ଠ କରି ରଖିଥିଲା । ସେ ସମୟରେ ଖାଦ୍ୟ, ବସ୍ତ୍ର ଆଦିର ଅଭାବ ଓ ନିଜକୁ ବଞ୍ଚାଇ ରଖିବାର ଅଭିଳାଷାରେ, ଦୀନ, ଦରିଦ୍ରଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଲୋକକଥା ବେଳେବେଳେ ପ୍ରତିଫଳିତ ହୋଇ ଏକ ଅଦୃଶ୍ୟ ଶକ୍ତିକେନ୍ଦ୍ର ପରି କାର୍ଯ୍ୟ କରେ । ଉଦାହରଣ ସ୍ୱରୂପ ହାଡଭଙ୍ଗା ଶୀତରେ ନିଜକୁ ଓ ନିଜ ପରିବାର ବର୍ଗଙ୍କୁ ଶୀତବସ୍ତ୍ର ଯୋଗାଇ ଦେବାକୁ ସମ୍ପୂର୍ଣ୍ଣ ଅସମର୍ଥ ହୋଇ ତା’ଙ୍କ ବାପା ଶୀତ ଦିନ ଆସିବା ପୂର୍ବରୁ ବିଲରୁ ଲମ୍ବା ଲମ୍ବା ତୃଣ/ଘାସ ବିଡା ବିଡା କାଟି, ଶୁଖାଇ ହେଁସ ଓ ମସିଣା ବୁଣନ୍ତି । ଏଥିରେ ପରିବାରର ସବୁ ପରିବାର ମଧ୍ୟ ଲାଗି ପଡନ୍ତି । ଗାଁ’ର ସଭିଙ୍କ ଘରେ ପ୍ରାୟ ଏହା ଦୃଷ୍ଟିଗୋଚର ହୁଏ । ସେ ଅଞ୍ଚଳରେ ସେହି ଘାସ ଗୁଡିକର ନାମ ଏହିପରି, ଯଥା – ତଣ୍ଡି, ଯୁଣ, ସନ୍ତରା, ବେଣା, କେଉଟି, ବରୁଆଁ ……. ଇତ୍ୟାଦି । ତେବେ ପ୍ରସ୍ତୁତ ହେଁସ/ମସିଣାକୁ ଦୈନନ୍ଦିନ ବିଛଣା, ଧାନ ଓ ଫସଲ ଅଦି ଶୁଖାଇବା, ବନ୍ଧୁ ବାନ୍ଧବ ଆସିଲେ ବସିବା ପାଇଁ ନୂଆ ମସିଣା ବିଛାଇ ଦେବା ଥିଲା ଗ୍ରାମୀଣ ଅଭାବୀୟ ସଂସ୍କୃତି । ଶୀତ ଦିନରେ ଲମ୍ବା ହେଁସ (ଲମ୍ବ ଓ ଓସାର ପ୍ରାୟ ଯଥାକ୍ରମେ ଦଶ ଫୁଟ ଓ ପାଞ୍ଚ ଫୁଟ ପାଖାପାଖି) ବିଛାଇ ପିଲା-ବଡ ପ୍ରାୟ ଚାରି-ପାଞ୍ଚଜଣ ଶୁଅନ୍ତି ଓ ବଳକା ଗୁଡା ଯାଇଥିବା ଅଂଶକୁ ପୁନଃ ସଭିଙ୍କ ଉପରେ ଢାଙ୍କିବାକୁ ପଡେ । ପରନ୍ତୁ ଗୁଡା ପଟରେ ଶୋଇଥିବା ବ୍ୟକ୍ତି ପାଇଁ ସୁବିଧା ହୁଏ, କାରଣ କଡରୁ ଥଣ୍ଡା ପଶି ପାରେନି । ହେଁସର ଶେଷ ଦୁଇ ମୁଣ୍ଡରେ ଶୋଇଥିବା ବ୍ୟକ୍ତିକୁ ବାହ୍ୟ କଡରୁ ଥଣ୍ଡା ପଶିବାର ନିଶ୍ଚିତତ୍ତା ରହିଥାଏ । ରାତିରେ କଡ ଲେଉଟାଇବା ଆଦିରେ ଉପରେ ଆବୃତ ହେଁସ ଟାଣି ହୋଇଯାଏ ଓ ସେ ଜଣକ ଅସୁବିଧା ଭୋଗିଥାଏ । ପ୍ରାୟ ପିଲାମାନଙ୍କୁ ମଝିରେ ଶୁଆଇ ଦେଇ ବଡମାନେ କଡରେ ଶୁଅନ୍ତି । ଏହା ଥିଲା ସେ ସମୟର ଏକପ୍ରକାର କମ୍ବଳ, ଯାହାକୁ ତା’ଙ୍କ ବାପା “ବିଲି କମ୍ବଳ” ବୋଲି କୁହନ୍ତି । କିନ୍ତୁ ଏଥିରେ ଅସୁବିଧା ହେଲା ମୁଣ୍ଡ ଓ ପାଦ ପଟୁ ଶୀତ ନିର୍ବିଘ୍ନରେ ପ୍ରବେଶ କରେ । ବାପା କହନ୍ତି କୁଆଡେ ଶୀତ ମହାଶୟ ଭଗବାନଙ୍କ ଠାରେ ଗୁହାରୀ କରି କହିଲା, ହେ ପ୍ରଭୁ ! ମୋ ୠତୁରେ ମର୍ତ୍ତ୍ୟର ମାନବ ଶରୀରକୁ ଆବୃତ୍ତ କରି ଶୋଉଛନ୍ତି । ମୋ’ ଧର୍ମାନୁସାରେ ସେମାନଙ୍କୁ ଆକ୍ରମଣ କରି କେଉଁ ପଟରୁ ପ୍ରବେଶ କରିବି ଓ କେମିତି ଥରାଇବି ? ଈଶ୍ୱର ଶୀତ ମହାଶୟଙ୍କୁ ବର ପ୍ରଦାନ କରି କହିଥିଲେ – ତୁ ଯେତେବେଳେ ସୁବିଧା ପାଇବୁ ମାନବର ପାଦ, କାନ ଓ ଆଣ୍ଠୁ ଦେଇ ପ୍ରବେଶ କରିବୁ । ହଉ ତେବେ ପିଲାଦିନର ସେଇ ହେଁସ ତଳେ ଓ ଉପରେ ଅର୍ଥାତ୍‍ ହେଁସ ପରିବେଷ୍ଟନୀରେ ଶୋଇବାର ମଜା ଏବେ ବି ମନରେ ଦୃଢ ଭାବେ ରହିଛି ଓ ରାତିସାରା ମୁଣ୍ଡ-ପାଦ ପଟୁ ଶୀତ ପଶି ଅସ୍ତବ୍ୟସ୍ତ କରିବାର ପ୍ରତିରୋଧରେ କୁଙ୍କୁରୀ କାଙ୍କୁରୀ ହେବା ଅଭିଜ୍ଞତାକୁ କେମିତିବା ଜଣେ ଭୂଲିଯିବ ! ହେଁସ ଭିତରୁ ବାହାରିଲେ ଅବସ୍ଥା ଅସମ୍ଭାଳ । କାରଣ ସାରାରାତି ଶୀତରୁ ରକ୍ଷା ନିମିତ୍ତ ଜଣେ ହେଁସ ଭିତରେ ରହିବ ନାହିଁ । ତେଣୁ ଖାଲି ଶୀତ ହିଁ ଶୀତ । ଏହାର ପ୍ରତିକାର ପାଇଁ ଦୁଃସ୍ଥ ଜନତାର ମହାଜାଗତିକ ପରିଭାଷା ତା’ଙ୍କ ବାପାଙ୍କ କଣ୍ଠରେ ଝଂକୃତ ହୋଇଉଠେ  – “ଯେତେ କପଡା ସେତେ ଶୀତ୍‍ — ନାହିଁ କପଡା ନାହିଁ ଶୀତ୍‍ ” । ଏହା ଥିଲା ପିଲାଦିନେ ଶୀତରୁ ରକ୍ଷା ପାଇଁ ଏକ ଅତି ଉଚ୍ଚସ୍ତରୀୟ କମ୍ବଳ ଓ ଦରିଦ୍ରଙ୍କ ଲୋକକଥା। ଯାହାର ତୁଳନା ନାହିଁ । ଏତାଦୃଶ ଜାଗତିକ ଭାବନାରୂପୀ ଶକ୍ତି ଉତ୍ସ ସେଦିନ ବାଇକ୍‍ ଉପରୁ ଖସି ନ’ପଡିବାର ରାହା ଯୋଗାଇ ଥିଲା ।

ସେଥିପାଇଁ ସମାଜକୁଏହି ବାର୍ତ୍ତା ଦେବାକୁ ମନ ଆଗ୍ରହ ପ୍ରକାଶ କରେ ଯେ, ନିରାଶ୍ରୟତାରେ ବିଚଳିତ ବୋଧତାରୁ ଯଥା ସମ୍ଭବ ଦୂରେଇ ରହିବା ହିଁ ବିଜ୍ଞତାର ପରିଚୟ । ପ୍ରକୃତି ହିଁ ସର୍ବବ୍ୟାପୀ ବନ୍ଧୁ ବର୍ଗର ସମାହାର । ବଣ, ଜଙ୍ଗଲ, ପାହାଡ, ପର୍ବତ, ନଦୀ, ନାଳ ଓ ଜଳ, ସ୍ଥଳ, ଆକାଶ ଆଦି ସ୍ଥାବର, ଜଙ୍ଗମ ହିଁ ଏକ ଏକ ବନ୍ଧୁ ସ୍ୱରୂପ । ମାତା ସୀତାଙ୍କୁ ରାବଣ ଅପହରଣ କରି ନେଉଥିବା ବେଳେ, ମାତା ଆକୁଳ ହୋଇ ମହା ପ୍ରକୃତିର ଏତାଦୃଶ କଥା କହିପାରୁଥିବା ଓ ନକହିପାରୁଥିବା ଦିବ୍ୟଦ୍ରଷ୍ଟା ମାନଙ୍କୁ ସାକ୍ଷୀ ଦେଇ ଦେଇ ଯାଉଥିଲେ । ତେବେ ସେହି ପ୍ରକୃତିର ସୃଷ୍ଟି ପକ୍ଷୀବର ଜଟାୟୁଠାରୁ ରାମ ଅପହରଣକାରୀର ସୂଚନା ପାଇଥିଲେ । ତେଣୁ ଏ ମହା ପ୍ରକୃତି କୋଳରେ ଜାତ ହୋଇ ନିଜକୁ ଏକୁଟିଆ ଭାବିବା ଉଚିତ ନୁହେଁ । ତେଣୁ ସବୁ କାର୍ଯ୍ୟାଳୟର କର୍ମଚାରୀଙ୍କଠୁଁ ଆରମ୍ଭ କରି କୃଷକ, ବ୍ୟବସାୟୀ, ଶ୍ରମିକ, ଦୁଃଖୀ, ରଙ୍କି ଆଦି ଯେଉଁମାନେ ନିଜସ୍ୱ ବିବେକାନୁସାରେ ସଠିକ୍‍ ମାର୍ଗରେ ଧାବମାନ ଓ ସ୍ୱସ୍ୱ କର୍ମରେ ସତ୍‍ନିୟୋଜିତ, ସେମାନେ ଯେଉଁ ସ୍ଥିତି ଓ ସ୍ଥାନରେ ଥିଲେ ବି ଅବିଚଳ ରହିବେ । ନିଜସ୍ୱ ସ୍ୱାର୍ଥ ସାଧନରେ ବ୍ରତୀ ହୋଇ ସବୁ ଅନ୍ୟାୟକୁ ଆଶ୍ରା କରି ସୁବିଧା ପ୍ରାପ୍ତ ହେବାରେ କ’ଣ ମାନବୀୟ ଦିବ୍ୟତା ପରିପ୍ରକାଶ ହୁଏ ? ମାନବୀୟ ଲମ୍ବା ହାତର ପ୍ରଭାବରେ ନିଜ ଇଲାକାରେ ରହିବାର ରଣକୌଶଳ ପ୍ରୟୋଗ କରି ବିଚରା ନୀରିହ, ନିଷ୍କପଟ ଓ ଅବସର ନେବାକୁ ଅଳ୍ପଦିନ ବାକିଥିବା କର୍ମଚାରୀଙ୍କ ବେକରେ ଖଡ୍‍ଗ ପ୍ରହାରକରି ବୋଧହୁଏ ଏମାନେ ଅଷ୍ଟ ଚିରଞ୍ଜିବୀ (ଅଶ୍ୱତ୍‍ଥମା, ବଳି, ବ୍ୟାସ, ହନୁମାନ, ବିଭୀଷଣ, କୃପାଚାର୍ଯ୍ୟ, ପର୍ଶୁରାମ, ଋଷି ମାରକଣ୍ଡ)ଙ୍କ ପରେ ପରେ ଜଣ ଜଣ କରି ନୂଆ ଚିରଞ୍ଜିବୀ ହୋଇ କ’ଣ ସ୍ୱର୍ଣ୍ଣାକ୍ଷରରେ ଯୁଗ ଯୁଗ ପାଇଁ ଲିପିବଦ୍ଧ ହୋଇ ରହିବେ ! ପୁଣି ଦୁଃଶାସନ ପରି ଲମ୍ବା ହାତିଆ ଗଣ ନିଜ-ପର ଆଦି ପାତର ଅନ୍ତର, ଲୋଭାସକ୍ତ ଓ ବିବେକଶୂନ୍ୟ ହୋଇ ସବୁ ନୀତି-ନିୟମକୁ ପାଦତଳେ ଚାପି ନିଷ୍କ୍ରିୟ କରିବା ସହ ହାକୀମାତୀ ଦେଖାଇ କ’ଣ ପରମ ସଚ୍ଚୋଟତାର ନିଦର୍ଶନ ସୃଷ୍ଟି କରିବେ ? ଏଥିପାଇଁ ତ ମାନବୀୟ ପର୍ଯ୍ୟବେକ୍ଷଣର ସୀମା ବାହାରେ ଓ ଅନନ୍ତ ଜ୍ଞାନ ପରିସୀମା ବଳୟରେ ଜାଗ୍ରତ ପ୍ରହରୀ ରୂପେ ଈଶ୍ୱରୀୟ ଦରବାର ବିଦ୍ୟମାନ । ଯଦି ନୁହେଁ କିଏ କହିପାରିବ ପରକ୍ଷଣର ଘଟଣା । ମୃତ୍ୟୁର ସମୟ ! ତେଣୁ ମାନବ ରଚିତ ଚକ୍ରବ୍ୟୁହରେ ଯେତେ ଜର୍ଜରୀତ ହେଲେ ବି କର୍ମ ପଥରୁ ବିଚ୍ୟୁତ ନହୋଇ ପ୍ରକୃତିକୁ ବନ୍ଧୁ ରୂପେ ଆଦରି ନେଲେ ମନ ଓ ଶରୀର ଯୁକ୍ତାତ୍ମକ ଶକ୍ତିରେ ଭରପୂର ହୋଇଯିବ ଓ ଆନନ୍ଦାଶ୍ରୁରେ ଅପାର ଆନନ୍ଦ ମିଳିବ । ଏହାଠାରୁ ସୁଖକର ଅସହ୍ୟ ଯନ୍ତ୍ରଣା ଆଉ କ’ଣ ହୋଇପାରେ !

ଯେତେବେଳେ ଭଡାଘରେ ପହଞ୍ଚିଲୁ, ସେତେବେଳକୁ ପୋଡା ଯନ୍ତ୍ରଣା ଥିଲେ ବି ମନରେ ସାହସ ବାନ୍ଧିହୋଇ ଯାଇଥିଲା । ବନ୍ଧୁ ଜଣକ ଔଷଧ ଆଦିକୁ ପରଖି ସେ ରହୁଥିବା ଭଡାଘରକୁ ବାହାରିଲେ ଓ ରାତିରେ କିଛି ଅସୁବିଧା ହେଲେ ଫୋନ୍‍ କରିବାକୁ କହିଲେ । ରାତି ପାଇଁ ପ୍ରସ୍ତୁତ ହୋଇଥିବା କଟା ପରିବା ଆଦିକୁ ନଷ୍ଟ ନକରି ବନ୍ଧୁଙ୍କୁ ବୁଝାଇ ନେଇ ଯିବାକୁ କହିଲେ । ବନ୍ଧୁଟି ଘରକୁ ଯାଇ ପୁଣି କିଛି ପିଠା, ସିମେଇ ଓ ତରକାରୀ ଆଣି ଦେଇ ଗଲେ । ଏବେ କୋଠରୀରେ ବିଚରା ସମ୍ପୂର୍ଣ୍ଣ ଏକୁଟିଆ । ଔଷଧ ପ୍ରଭାବ ସତ୍ତ୍ୱେ ବି ଫୋଟକା ଗୁଡିକର ଆକାର ବୃଦ୍ଧି ପାଇ ଟଳମଳ ହେଉଥିଲା । ଘର ମାଲିକ ଦ୍ୱିତୀୟ ମହଲାରେ ଗଢିଥିବା ଗୋଟିଏ ମାତ୍ର କୋଠରୀରେ ସେ ଏକ ନିର୍ଜନ ପରିବେଶରେ ରହୁଥିଲେ । ଘରମାଲିକ ପ୍ରାୟ ରାତି ଏଗାରଟା ପାଖାପାଖି ବାହାରୁ ଫେରିଲେ ଓ ଉପରକୁ ଆସି ଦେଖିକରି ଅତି ବ୍ୟସ୍ତ ହୋଇପଡିଲେ । ସିଝିଯାଇଥିବା ସ୍ଥାନକୁ ଦେଖି ଚମକି ପଡିଲେ । ରାତିରେ କିଛି ଅସୁବିଧା ହେଲେ ଓ ଡର ଲାଗିଲେ ଫୋନ୍‍ କରିବାକୁ କହିଲେ । ରାତିପାଇଁ ଖାଦ୍ୟ ପଠାଇବାକୁ କହିବାରୁ ବନ୍ଧୁ ଜଣକ ଖାଦ୍ୟ ଦେଇଯାଇଛନ୍ତି କହି ସେ ଘର ମାଲିକଙ୍କୁ ମନା କଲେ । ଏହାପରେ ବନ୍ଧୁଙ୍କ ଖାଦ୍ୟରୁ ଅଧା ଅତି ସନ୍ତର୍ପଣରେ ଖାଇଲେ । ଯେହେତୁ ଦକ୍ଷିଣ ହସ୍ତର କାଖ ସଂଲଗ୍ନ ଭିତର ପଟ ସିଝି ଯାଇଥିଲା, ତେଣୁ ସେ ଅଂଶ ଦକ୍ଷିଣ ପାଖରେ ବାଜିଲେ ଫୋଟକା ଫାଟିଯିବା ଓ ସିଝା ଅଂଶରୁ ମାଂସ ବାହାରି ଆସିବାର ଭୟରୁ ଜଗିରଖି ଚଳିବାକୁ ପଡୁଥିଲା । ତା’ପରେ ବହୁ କଷ୍ଟରେ ଔଷଧ ସେବନ କରି ଓ ବାମ ହାତରେ ବିଛଣା ସଜାଡି ଧିରେ ଚିତ୍‍ ହୋଇ ଶୋଇଲେ । ପ୍ରବଳ ଯନ୍ତ୍ରଣା ବୋଧହୁଏ ପ୍ରବଳ ଶୀତକୁ ପ୍ରତିରୋଧ କରୁଥିଲା । ତେବେ ଏକ ଚଦର ବାମ କଡରେ ଲମ୍ବାଇ ରଖି ଓ ଦୁଇ ପାଦକୁ ଅଣ୍ଟାଯାଏ ଢାଙ୍କିସାରି ପେଟରୁ ଛାତିଯାଏ ଅଧା ଘୋଡାଇଲେ । ଏହାଦ୍ୱାରା ବାମ ହାତ ଓ କାନ୍ଧ ଢାଙ୍କି ହୋଇ ଗଲା । ଫଳରେ ଅଣ୍ଟାରୁ ବେକଯାଏ ଡାହାଣ ପଟ ଅର୍ଥାତ୍‍ ସିଝିଯାଇଥିବା ଅଂଶ ସମ୍ପୂର୍ଣ୍ଣ ଫୁଙ୍ଗୁଳା ରହିଲା ଓ ଡାହାଣ ହସ୍ତକୁ ଦେହରେ ନଲାଗିବା ପାଇଁ ଦୂରେଇ ରଖିବାକୁ ପଡିଲା । ପୁଣି ଡାହାଣ ହସ୍ତର ସିଝା ଅଂଶ କାଳେ ବିଛଣାରେ ଘସିହୋଇ ଛିଣ୍ଡିଯିବ ଭାବି ଏକ ବସ୍ତ୍ରକୁ ଭାଙ୍ଗି ମୋଟାଳିଆ କରି ତା’ଉପରେ କହୁଣିକୁ ସ୍ଥିର ରଖିବାକୁ ପଡିଲା । ଏକ ମୋଟା ମର୍କଟ ଟୋପି(Monkey Cap) ଦ୍ୱାରା ମୁଣ୍ଡ ଓ କାନକୁ ଶୀତରୁ ରକ୍ଷା କରାଗଲା । ଏବେଠୁ ରାତିସାରା କୋଠରିକୁ ଆଲୋକିତ କରି ରଖିବାକୁ ପଡିଲା । ନିଦ ତ ହଜି ଯାଇଥିଲା । କେବଳ ଯନ୍ତ୍ରଣା ଓ ଶୀତକୁ ସାମ୍‍ନା କରି କାଳେ ଆକ୍ରାନ୍ତ ସ୍ଥାନ ନିଦରେ ଛାଲି ହୋଇଯିବ ଭାବି ଉଜାଗର ହୋଇ ପଡି ରହିବା ସାଙ୍ଗକୁ କ୍ଷଣ କ୍ଷଣକେ ନିଦ୍ରାର ଆକ୍ରମଣକୁ ଜୀବନ ବିକଳେ ପ୍ରତିହତ କରିବାକୁ ପଡୁଥିଲା । ତେଣୁ ଏହା ଥିଲା ଶ୍ୱାନ ନିଦ୍ରାର ଅୟାରମ୍ଭ ।

ଗୁରୁବାର ସକାଳ ସକାଳର ସୂର୍ଯ୍ୟ । ଫୋଟକା ଆହୁରି ବଢିଯାଇଥିଲା ।  ଘର ମାଲିକ ଉପରକୁ ଆସି ଏକ କପ୍‍ ଚାହା ଦେଲେ ଓ ଆକ୍ରାନ୍ତ ସ୍ଥାନକୁ ଦେଖି ସୁସ୍ଥ ହେବା ପାଇଁ କିଛି ଦିନ ଲାଗିବ ବୋଲି କହିବା ସହ ଆଶ୍ୱାସନା ଦେଲେ । ନିତ୍ୟକର୍ମ ସାରି ରାତିରୁ ରଖାଯାଇଥିବା ଅଧା ଖାଦ୍ୟ ଖାଇ, କିଛି ସମୟ ପରେ ଔଷଧ ସେବନ ଓ ପୋଡା ସ୍ଥାନରେ ସିଲ୍‍ଭର୍‍ ଅକ୍‍ସାଇଡ୍‍ ଜେଲ୍‍ (Silver Oxide Gel) ଧିରେ ଧିରେ ବୋଳିଲେ । ଡର ଲାଗୁଥାଏ ଓ ଯନ୍ତ୍ରଣା ହେଉଥାଏ । ତେବେ ପିନ୍ଧିଥିବା ଧୋତି, ଗାମୁଛା, ହସ୍‍ପିଟାଲ୍‍କୁ ପିନ୍ଧି ଯାଇଥିବା ପ୍ୟାଣ୍ଟ୍‍ ଓ ଚଦର ଆଦିକୁ ବାମ ହସ୍ତରେ ଧୋଇ ଓ ଡାହାଣ ହସ୍ତକୁ ଦେହରୁ ଦୂରେଇ ରଖି ଅତି ସନ୍ତର୍ପଣରେ ଚିପୁଡି ଶୁଖାଇଲେ । ମନରେ ଆଶ୍ୱସ୍ତି ମିଳିଲା ଯେ, ବସ୍ତ୍ରରୁ ହସ୍‍ପିଟାଲ୍‍ର ସ୍ପର୍ଶ ଏବେ ନିଃଶେଷ ହୋଇଗଲା । କିନ୍ତୁ ଡାହାଣ ବକ୍ଷ, ଡାହାଣ ହାତର ଭିତର ପଟ ଓ ଡାହାଣ ପେଟ(ନାଭି ମଣ୍ଡଳ ଠାରୁ ପ୍ରାୟ ଏକ ଇଞ୍ଚ ଉପର ଯାଏ )ରେ ଫୋଟକାର ପ୍ରାଦୁର୍ଭାବ ବଢି ଚାଲିଥାଏ । ସୌଭାଗ୍ୟର ବିଷୟ ଯେ, ଫୁଟନ୍ତା ପାଣି ନାଭି ମଣ୍ଡଳକୁ ଭେଦ କରି ନିମ୍ନ ଅର୍ଥାତ୍‍ ଜନନେନ୍ଦ୍ରିୟ ଯାଏ ଯାଇ ନଥିଲା । ନଚେତ୍‍ ଅବସ୍ଥା ଆହୁରି ସାଙ୍ଘାତିକ ହୋଇ ଥାଆନ୍ତା । ଫୋଟକା ଗୁଡିକ ଏକ ଏକ ବାଇଗଣ ସଦୃଶ ଜଣା ପଡୁଥାଏ । ତହିଁ ମଧ୍ୟରେ ପାଣି ଭର୍ତ୍ତି ହୋଇ ରହିଥାଏ । ସତେକି ଦେହରେ ପାଣି ଭରା ବେଲୁନ୍‍ ଲାଖି ରହିଛି । ବସିଲେ, ଚାଲିଲେ, ଖଟ ଉପରେ ଟିକିଏ ଚିତ୍‍ ହୋଇ ବିଶ୍ରାମ ନେଲେ ପାଣି ଚହଲେ । ଦେହ ଯେଉଁ ଦିଗକୁ ଢଳେ ଫୋଟକା ଭିତରେ ପାଣି ସେହି ଦିଗକୁ ସମୁନ୍ଦ୍ର ଜୁଆର ପରି ମାଡି ଯାଇ ଫୋଟକାର ଆବୃତ୍ତ ଚର୍ମରେ ଧକ୍‍କା ଦିଏ ଓ ବିପରୀତ ଦିଗରେ ଭଟ୍ଟା ସୃଷ୍ଟି ହୁଏ ।

କୋଠରୀରେ କେବଳ ବସିବା, ଶୋଇବା ବୁଲିବା ଓ ଫୋଟକାକୁ ବାରମ୍ବାର ଦେଖିବା ବ୍ୟତୀତ କେବେ ଏ ମରଣାନ୍ତକ ଯନ୍ତ୍ରଣାରୁ ମୁକ୍ତି ମିଳିବ ଆଦି ଭାବନା ସହ ପ୍ରବଳ ଶୀତର ପ୍ରକୋପରେ ଘା’କୁ କାହା ସହିତ ନଲଗାଇ ଅତି ସନ୍ତର୍ପଣରେ ଏକ ଧାରାରେ ବିଛଣାରେ ଦିବା – ରାତ୍ର ଫରକ ନଥାଇ ପଡି ରହିବାର ଅସହ୍ୟତାକୁ ଭାଷାରେ ପରିପ୍ରକାଶ କରିବା ଦୂରୁହ ବ୍ୟାପାର ଅଟେ । ଏହି ନିର୍ଜନତାରେ ସମୟ ପ୍ରାୟ ଅପରାହ୍ନ ୧ଟା ବେଳକୁ ବନ୍ଧୁଙ୍କ ଦୁଇ ଝିଅ ମଧ୍ୟାହ୍ନ ଭୋଜନ ଓ ପାଣି ବୋତଲ ଧରି ପହଞ୍ଚିଲେ । ଭାତ, ତରକାରୀ, ଭଜା ଓ ଡାଲମାର ପରିମାଣ ଅଧିକ ଦେଖି ଗୋଟିଏ ଭାତ ଟିଫିନ୍‍ ବାକ୍ସ ଫେରାଇ ନେବାକୁ କହିଲେ । ଦୁଇ ଝିଅ ମିଶି ଭୋଜନ ପାତ୍ର ଗୁଡିକରେ ଭରିଲେ ଓ ସଜାଡି ରଖି ଢାଙ୍କି ଦେଲେ । ହଁ ସେ ଦୁଇ ଝିଅଙ୍କର ବ୍ୟବହାର ଅତି ଭଦ୍ର ଓ ନମ୍ର ଏବଂ କୋଠରୀରେ ପହଞ୍ଚିବା ଓ ଯିବାବେଳକୁ ନମସ୍କାର । ଏହା କର୍ତ୍ତାଙ୍କୁ ଯନ୍ତ୍ରଣା ଲାଘବର ମହୌଷଧି ପରି ଅନୁଭୂତ ହୁଏ । ହେ ପ୍ରଭୁ ! ଏ ଦିବ୍ୟ ପରିବାରର ସର୍ବ ମଙ୍ଗଳ ହେଉ ! ଏ ଦିବ୍ୟ କନ୍ୟା ଦ୍ୱୟଙ୍କର ସର୍ବାରିଷ୍ଟ ଖଣ୍ଡନ ହେଉ ! ଅନ୍ତରାତ୍ମାରୁ ଏହା ନିର୍ଗତ ହୁଏ । ଏ ଦୁର୍ଦ୍ଦଶାରେ ନିଜ ରକ୍ତ ସମ୍ପର୍କୀୟ କେହି ପାଖରେ ନଥିଲେ ବି ସେମାନଙ୍କଠୁଁ ଏ ପରିବାର ତାଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାର ଅନୁଭୂତ ହୁଏ । ବନ୍ଧୁଟି ଅଫିସ୍‌ରୁ ଆସି ସବୁ ବୁଝନ୍ତି ଓ ବ୍ୟବସ୍ଥା କରି ଯାଆନ୍ତି । ରାତି ପାଇଁ ଖାଦ୍ୟ ପଠାଇବାକୁ କହିବାରୁ ସେ ବାରମ୍ବାର ମନା କଲେ, କାରଣ ଭାତରୁ ଅଧା ଫେରସ୍ତ ପରେ ଯେଉଁ  ଖାଦ୍ୟ ଥିଲା ତହିଁରୁ  ପ୍ରାୟ ଅଧାରେ ତାଙ୍କ ଉଦର ଭରିଗଲା । ତେଣୁ ସେ ବଳକା ଅଧା ଖାଦ୍ୟ ରାତି ପାଇଁ ରଖିଥିଲେ । କାରଣ ଟେନ୍‍ସନ୍‌ରେ ଖାଦ୍ୟ ଗ୍ରହଣର ପରିମାଣ ବହୁତ କମିଯାଇ ଥିଲା । ଥରକ ଖାଦ୍ୟ ଦୁଇଥର ପାଇଁ ତ ଚଳିଯିବ । ତେଣୁ ରାତିରେ ନିଜ ସ୍ୱାର୍ଥର ଲାଳସାରେ ଖାଦ୍ୟ ପାଇଁ ଅଯଥା ସେମାନଙ୍କୁ କଷ୍ଟ ଦେବାକୁ ବିବେକ ବାଧା ଦେଉଥିଲା । ସେ ଆସିବା ଦିନ ନିଜ ପାଇଁ ଶୀତ ଦିନିଆଁ କିଛି ଖଟା ଜାତୀୟ ପ୍ରିୟ ପନିପରିବା ଆଣିଥିଲେ, ଯଥା – ଓଉ, ଖଟା କମଳା, କଇଥ …… ଆଦି । ସେଥିରୁ ମଙ୍ଗଳବାର ଦିନ ବନ୍ଧୁଙ୍କୁ ଅଧା ଦେଇଥିଲେ । ତେବେ ଅନ୍ୟ ଅଧାରୁ ଗୋଟିଏ ଗୋଟିଏ କମଳା ଓ କଇଥ ସେ ଖାଇଥିଲେ । ବଳକା ଥିବା ଗାଁ ପରିବା ଓ କର୍ମ ସ୍ଥାନରୁ କିଣିଥିବା ଅନ୍ୟାନ୍ୟ ପରିବା ଆଦିକୁ ନେଇଯିବାକୁ ବନ୍ଧୁଙ୍କୁ ଅନୁରୋଧ କଲେ ଓ ସେ ମନ ଦୁଃଖରେ ହିଁ ନେଇଥିଲେ । ତେଣୁ ଏତାଦୃଶ ସାହାଯ୍ୟପ୍ରାପ୍ତିର ପ୍ରଭାବ ତାଙ୍କ ମନରୁ ଏତେ ଦୂରରେ ଏକୁଟିଆ ରହିବାର ନିଃସହାୟତା ଭାବ ଦୂର କରିଦିଏ । ଏହା ପରିପ୍ରକାଶ କରେ ଯେ, ଏ ଦୁନିଆଁ କର୍ମ ଏବଂ ଧର୍ମ ଫଳର ଏକ ମିଶ୍ରିତ ପରିବେଷ୍ଟନୀ । ବିପଦରେ ପଡି କଲବଲ ହେବା ଓ ସେଥିରୁ ନିସ୍ତାର ନିମିତ୍ତ ଅକୁଣ୍ଠ ସାହାଯ୍ୟ ପାଇବାକୁ ସ୍ଥାନ – କାଳ(Space-Time) ତରାଜୁରେ ସଠିକ୍‍ ବିଚାର ହୋଇପାରେ ନିଶ୍ଚୟ ।

ରାତ୍ରିର ଆଗମନ । ମନରେ କେତେ କ’ଣ ଭାବନା । ନିର୍ଜନତା ବଢିଚାଲେ । ବଳକା ଖାଦ୍ୟ ଖାଇ ଅଇଁଠା ବାସନ ଆଦିକୁ ଅତି ସତର୍କରେ ଧୋଇବା ପରେ ପ୍ରାୟ ରାତି ୧୦ଟା ବେଳକୁ ଦୂରରେ ଓ ପୃଥକ୍‍ ପୃଥକ୍‍ ସ୍ଥାନରେ ରହୁଥିବା ଦୁଇ ପୁଅ ଓ ଘରେ ଏକାକୀ ଥିବା ସହଧର୍ମିଣୀଙ୍କ ସହ ଫୋନ୍‌ରେ ନିତିଦିନିଆ ଭଲ – ମନ୍ଦ ବାର୍ତ୍ତାଳାପ ଓ ପିଲାମାନଙ୍କୁ ଠିକ୍‍ ଭାବେ କର୍ମ କରିବାର ଉପଦେଶ ଦେଲେ । ଏହା ସବୁଦିନିଆ କଣ୍ଠସ୍ୱରରେ କହିଲେ, ଯେମିତି ଏ ଘୋର ଦୁର୍ଦ୍ଦଶାର କିଛି ଟେର୍‍ ସେମାନେ ପାଇବେ ନାହିଁ । କର୍ତ୍ତା ଭାବୁଛନ୍ତି, ଯଦି ଏହା ପରିବାର ବର୍ଗଙ୍କୁ ଜଣେଇ ଦିଆଯାଏ ତେବେ ପାରିବାରିକ ସନ୍ତୁଳନତାରେ ଘୋର ବିଭ୍ରାଟ ଘଟିବ । ସମସ୍ତେ ବ୍ୟତିବ୍ୟସ୍ତ ହେବେ ଓ ପିଲାମାନଙ୍କର ପାଠ ପଢାରେ ଅଶେଷ କ୍ଷତି ଘଟିବ । ଦୀର୍ଘ ଚଉଦ ବର୍ଷ କାଳ ବାହାରେ କଟାଇବା ସତ୍ୱେ ବି ଶେଷ ସମୟକୁ ସବୁଠୁ ଦୂର ସ୍ଥାନକୁ ପୁଣି ବଦଳିର କଷ୍ଟକୁ ହଜମ କରାଯାଉଥିବା ସାଙ୍ଗକୁ ଏ ଭୟଙ୍କର ବିପଦ ! ଏହାକୁ ମଧ୍ୟ ହଜମ କରିବାକୁ ପଡିବ । ନଚେତ୍‍ ସ୍ତ୍ରୀ ଓ ପିଲାମାନଙ୍କର ମୁଣ୍ଡରେ ପାହାଡ ଖସି ପଡିବା ପରି ଲାଗିବ । ଚାରି ଜଣ ଚାରି ଯାଗାରେ । ଏତେ ଟେନ୍‍ସନ୍‍ ନଦେଇ ଗୃହର କର୍ତ୍ତା ଭାବେ ସେ ସ୍ଥିର ନିଶ୍ଚିତ କଲେ ଯେ, ନିଜେ ଏକ ହାତିଆ ଦୈନନ୍ଦିନ କାମ ସମ୍ପାଦନା ପୂର୍ବକ ଯନ୍ତ୍ରଣାର ତୀବ୍ରତା ସହିବା ଭଳି ହୋଇଗଲେ ସେମାନଙ୍କୁ ଜଣାଇବେ । ମୃତ୍ୟୁ ଭୟ ତ କଟି ଯାଇଛି । ବନ୍ଧୁଙ୍କଠୁଁ ତ ସାହାଯ୍ୟ ମିଳୁଛି । ତେଣୁ ସବୁ ସହିଯାଇ ପରିବାରର ସୁଷମତା ବଜାୟ ରଖିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ଭାବି ସେ ମନକୁ ଦୃଢ କରିନେଲେ ।

କେବଳ ଚିତ୍‍ ହୋଇ ପଡି ରହିବା ଛଡା ଆଉ କିଛି ଚାରା ନଥିଲା । ଶରୀରର ମଧ୍ୟଭାଗର ଡାହାଣ ପଟ ସମ୍ପୁର୍ଣ୍ଣ ମୁକୁଳା ଓ ବାମଭାଗରୁ ଶୀତବସ୍ତ୍ର ବାରମ୍ବାର ଖସିଯିବାର ସ୍ଥିତିରେ ସାରା ରାତି କଟିଯାଏ । ଡାହାଣପଟକୁ ଢାଙ୍କିଲେ ଘସିହୋଇ ଫୋଟକା ଗୁଡିକ ନିଶ୍ଚୟ ଫାଟିଯିବ ଓ ନିଦରେ ଶୀତବସ୍ତ୍ର ଘସିହୋଇ ସିଝା ସ୍ଥାନକୁ ବିଦୀର୍ଣ୍ଣ କରିଦେବାର ସାଙ୍ଘାତିକ ଅବସ୍ଥାକୁ ଭାବି ମଧ୍ୟଭାଗକୁ ମୁକ୍ତ ରଖିବାକୁ ପଡେ । ପୁଣି ନିଦ ଲାଗିଲେ ଅବଚେତନ ଅବସ୍ଥାରେ କେତେବେଳେ ସେ କଡ କାହିଁକି ବା ନ’ଲେଉଟାଇବ ? ତେଣୁ ଅବସ୍ଥା କ’ଣ ହେବ କିଏ ବା କହିପାରିବ ? ଏଥିପାଇଁ ନିଦ ତ୍ୟାଗ ବିନା ନାହିଁ ଗତି ମୁକ୍ତି । ମନରେ ଜାଗେ ତ୍ରେତୟାରେ ଲକ୍ଷ୍ମଣ ତ ଚଉଦ ବର୍ଷକାଳ ଅନିନ୍ଦ୍ରା ରହିଥିଲେ ! ଯୋଗୀ, ୠଷିମାନେ ତ ବର୍ଷ ବର୍ଷ ଧରି ନିଦ୍ରା ତ୍ୟାଗ କରି ତପସ୍ୟା କରୁଥିଲେ, ଏକ ସ୍ଥାନ, ଏକ ବସ୍ତ୍ର ସହ ଶୀତ – ବର୍ଷା – ଗ୍ରୀଷ୍ମରେ ! ପୁଣି ଦାନବମାନେ ଇନ୍ଦ୍ରଙ୍କୁ ସ୍ୱର୍ଗରୁ ଗୋଡାଇବା ପାଇଁ ଜଳରେ, ଅଗ୍ନିରେ, ଏକପାଦରେ ରହି ଘୋର ତପସ୍ୟା କରିପାରୁଥିଲେ ! ବାଳକ ଧ୍ରୁବ ବୈକୁଣ୍ଠନାଥଙ୍କୁ କେତୋଟି ପ୍ରଶ୍ନର ସଠିକ୍‍ ଉତ୍ତର ଜାଣିବା ନିମନ୍ତେ ଘୋର ତପସ୍ୟା କରି ବିଷ୍ଣୁଙ୍କ ଦର୍ଶନ ପାଇଥିଲେ ! ସେହିପରି ସେ ଚିତ୍‍ ହୋଇ ପଡିରହି କାହିଁକି ଅନିନ୍ଦ୍ରା ରହି ନପାରିବ ? ଶୀତକୁ କାହିଁକି ସହି ନପାରିବ ? ତେଣୁ ମନେ ପଡେ ଏକ ଭଜନରୁ ଧାଡିଏ – “ସଦା ଚଞ୍ଚଳ ନିଦ୍ରା ନାହିଁ …….. ଏମନ୍ତେ ଶୂନ୍ୟେ ଅଛୁ ତୁହି ” । ଏତାଦୃଶ ଭାବନାରାଜିରେ ସେ ରାତି ସାରା ପାଇଥାଏ ଅଶେଷ ସାହସ ଓ ଶକ୍ତି । ବିଛଣାରେ ଚିତ୍‍ ହୋଇ  ପଡିରହନ୍ତି । ସାରାରାତି କୋଠରୀ ଆଲୋକିତ ରହିଥାଏ ଓ ନିଦ ଆସୁଥାଏ ଏବଂ ଯାଉଥାଏ । ରାତି ସାରା ଶୀତରୁ ରକ୍ଷା ପାଇଁ ଶରୀରର ବାମପାଖ ଢାଙ୍କିଲେ କ’ଣ ହେବ ଡାହାଣପାଖ ତ ଖୋଲା । ତଥାପି ବାମର ଉଷୁମରେ ଶରୀର ପାଇଁ କିଛିଟା ଶୀତ କଷ୍ଟ କମିବ । ପୁଣି ପୋଡା କଷ୍ଟ ଓ ଶୀତ, ଡାହାଣ ପାଖରେ ମିଶି ଅନ୍ୟ ଏକ ସ୍ୱାଦର ଅନୁଭୂତି ଶରୀରକୁ ଦିଏ । ସାରା ରାତି ଉଜାଗରରେ କେତେବେଳେ ମୁକୁଳା ଦେହ ତ କେତେବେଳେ ଅଧା ମୁକୁଳା । ଏସବୁରୁ ମୁକ୍ତି ନିମିତ୍ତ ସେ ସ୍ୱୟଂଚାଳିତ ଭାବେ ନିଜକୁ ଦେଖେ ଅନ୍ୟ ଏକ ଦୁନିଆରେ । ନିଜେ କଣ୍ଠସ୍ଥ ଓ ମୁଖସ୍ଥ କରିଥିବା ଦେବାଦେବୀଙ୍କର ଅନେକ ଶ୍ଳୋକକୁ ନିରବରେ ଚକ୍ଷୁ ମୁଦ୍ରିତ କରି ଗାଇଚାଲେ ଓ ତାହାହିଁ ଥିଲା ସବୁଠୁ ବଡ ଅସ୍ତ୍ର, ଯାହା ସବୁ ଯାତନାକୁ କାଟି ପାରୁଥିଲା । ଶ୍ଳୋକ ଗୁଡିକୁ ଭକ୍ତିପୂତ ଭାବେ ଭିନ୍ନ ଭିନ୍ନ ଶୈଳୀରେ ନିରବ ଗାୟନରେ ମଜ୍ଜି ରହି ମହାଜାଗତିକ ଚେତନାରେ ମନ – ପ୍ରାଣ ସ୍ୱର୍ଗୀୟ ଅନୁଭୂତିଯୁକ୍ତ ହୁଏ । ଆନନ୍ଦାଶ୍ରୁରେ ସଭିଙ୍କ ମଙ୍ଗଳ କାମନା ପୂର୍ବକ ସବୁ ଦୁଃଖ – କଷ୍ଟ ଭୂଲିଯାଏ । ରାତିର ଶେଷପ୍ରହର ଓ ସୂର୍ଯୋଦୟ ସମୟ ଆସେ ।

ଶୁକ୍ରବାର ସକାଳରୁ –

ଫୋଟକା ଗୁଡିକର ଆକାର ଆହୁରି ବଢିଯାଇଥିଲା ଓ ଏହାର ଚର୍ମ ଈଷତ୍‍ କଳା ପଡିଯାଇଥିଲା । କିନ୍ତୁ ଯନ୍ତ୍ରଣାର ମାତ୍ରା କମ୍‍ ଥିଲା । ଦେହ ଟିକିଏ ହଲିଲେ ଫୋଟକାର ପାଣି ଲହଡି ଭାଙ୍ଗୁଥିଲା । ଯେହେତୁ ତରଳ ପଦାର୍ଥର ଧର୍ମ ନିମ୍ନମୁଖୀ, ତେଣୁ ଛାତି, ପେଟ ଓ ହାତରେ ଫୋଟକାମାନ ତଳକୁ ଝୁଲି ରହିଥାଏ । ଟିକିଏ ବିଛଣାରେ ଧିରେ ଚିତ୍‌ହୋଇ ଶୋଇଲେ , ଏହା ମଧ୍ୟରେ ଥିବା ପାଣି ଆବଦ୍ଧ କ୍ଷେତ୍ର ମଧ୍ୟରେ ଖେଳେଇ ହୋଇ ଯାଉଥିଲା । ଅର୍ଥାତ୍‍ ଉର୍ଦ୍ଧ୍ୱ ଦିଗରେ ଶରୀର ସହ ଲାଗିଯାଇଥିବା ଫୋଟକାର ଚର୍ମ ପୁନଃ ଖୋଲି ହୋଇଯାଉଥିଲା ଓ ତନ୍ମଧ୍ୟରେ ଭିତର ପାଣି ଚହଲୁଥିଲା । ମନକୁ ଆସୁଥିଲା ଏ ଫୋଟକା ଗୁଡିକ ଧିରେ ଧିରେ କଳା ପଡିଯିବ ଓ ପାଣି ମଧ୍ୟ ଶୁଖିଯିବ । ଏହାପରେ ଚୋପା ସବୁ ବାହାରିଯାଇ ଠିକ୍‍ ହୋଇଯିବା । ପୁନଃ ଭୟ ବି ଲାଗୁଥିଲା ଭିତରେ ଥିବା ଏତେ ପରିମାଣ ପାଣି କ’ଣ ସହଜରେ ଶୁଖିବ ! ଏହିପରି ଭାବନା ରାଜ୍ୟରେ ଡୁବିରହି ସକାଳର ନିତ୍ୟକର୍ମ ସରିଯାଇଥିଲା । କିଛି ସମୟ ଅନ୍ତେଃ ବନ୍ଧୁଙ୍କ ଘରୁ ରୁଟି ଓ ଭଜା ଆସିଲା । ଖାଦ୍ୟ ଗ୍ରହଣ ପରେ ଟିକିଏ ଶୋଇବାକୁ ମନ ହେଲେ ବି ଓହଳିଥିବା ଫୋଟକା ପାଇଁ ଚିନ୍ତା ବଢେ । କାଳେ କେଊଁଠି ବାଜିବ ଭାବି ଅତି ଧିରେ ବିଛଣାରେ ବସି ଶୋଇବାକୁ ଆକ୍ରାନ୍ତ କରନ୍ତେ, ପେଟରେ ପାଣି ବୋହିବାର ଅନୁଭୂତ ହେଲା । ତାହା ଥିଲା ସର୍ବ ବୃହତ୍‍ ଫୋଟକା । ପାଣିର ଭାରା ସମ୍ଭାଳି ନପାରି ଫୋଟକାର ନିମ୍ନ ଦିଗରେ ଫାଟି ପିନ୍ଧିଥିବା ବସ୍ତ୍ରର ଦକ୍ଷିଣ ପାଖ ଆଣ୍ଠୁଯାଏ ଓଦା ହୋଇଗଲା । ଭୟରେ ଛାତି ଉଠ୍‌ପଡ୍‍ ହେଲା । ଏପଟରେ ଘୃଣା ଲାଗୁଥାଏ । ଶୀଘ୍ର ବସ୍ତ୍ର ବଦଳାଇ ଓ ଦକ୍ଷିଣପାଖ ଅଣ୍ଟାରୁ ପାଦଯାଏ ଧୋଇ ଅନ୍ୟ ଏକ ବସ୍ତ୍ର ପିନ୍ଧିବାକୁ ପଡିଲା । ସେ ଫୋଟକାର ଚର୍ମ ଶରୀର ସହ ଯୋଡି ହୋଇ ରହିଥିଲା ।

ଏବେ କ’ଣ କରାଯିବ ! ଗଭୀର ଚିନ୍ତାରେ ସମୟ ଅପରାହ୍ନ ସାଢେ ଗୋଟାଏ ହେବାର ସେ ଜାଣିଲେ ଯେତେବେଳେ ମଧ୍ୟାହ୍ନ ଭୋଜନ ପାଇଁ ଖାଦ୍ୟ ଆସିଗଲା । ସେ ଦୁଇ ଝିଅଙ୍କୁ ଫୋଟକା ଫାଟିଯିବା କଥା କହିଲି । ସେମାନେ ବା କ’ଣ କରି ପାରିବେ ? ସେହିଦିନ ଅପରାହ୍ମ ୪.୩୦ରେ ବନ୍ଧୁ ଓ ତା’ଙ୍କ ବଡଝିଅ ଭୁବନେଶ୍ୱର ଯାଇ ତା’ପରଦିନ ଝିଅକୁ ମେଡିକାଲ୍‍ କୋଚିଙ୍ଗ୍‍ ପାଇଁ ଆଡ୍‌ମିସନ୍‍ କରି ଫେରିବାକୁ କହିଥିଲେ । ଯେହେତୁ ବନ୍ଧୁ ଦୁଇଦିନ ରହିବେ ନାହିଁ ଓ ଏପଟରେ ଫୋଟକା ଫାଟିଯାଇଛି ଆଦି ଭାବି ମନରେ ଭୟର ସଞ୍ଚାର ହେଉଥିଲା । ଅସୁବିଧା ହେଲେ କିଏ ସାହାଯ୍ୟ କରିବ ? ଏହି ଚିନ୍ତାରେ ବୁଡି ରହି ସେ ରୋଷେଇ ଘରେ ଝିଅ ଦୁଇ ବାଢିଥିବା ଖାଦ୍ୟ ପାଖରେ ପହଞ୍ଚିଲେ । ଅନେକ ପ୍ରକାର ଆଇଟମ୍‍ । ଟେନ୍‌ସନ୍‌ରେ ଓ ତରବରିଆରେ ଅଧା ଖାଇ ଅଧା ରାତି ପାଇଁ ରଖିଲେ । ଅପରାହ୍ମ ୪.୩୦ ରେ ସେମାନେ ବସ୍‍ ଚଢିବେ ଓ ତା’ ଆଗରୁ ବସ୍‌ଷ୍ଟାଣ୍ଡ୍‍କୁ ଯିବେ । ଯେହେତୁ ନିଜ ଭଡାଘରଠାରୁ କିଛି ଦୂରରେ ଥିବା ରାସ୍ତା ଦେଇ ଯିବେ, ତେଣୁ ଛାତ ଉପରୁ ସେମାନଙ୍କ ଯିବାଟା ତ ଦେଖିହେବ । ସେଥିପାଇଁ ଆଗୁଆ ଯାଇ ସେମାନଙ୍କୁ ଦେଖିବାକୁ ଅପଲକ ନୟନରେ ରାସ୍ତାକୁ ଚାହିଁ ରହିଲେ । କିଛି ସମୟ ପରେ ସେମାନେ ଘରୁ ବାହାରିକି ଆସିଲେ । ମନ କହୁଥିଲା ସେମାନେ ଟିକିଏ ତା’ ଆଡକୁ ଅନେଇଲେ ଭଲ ଲାଗନ୍ତା । ସତରେ ସେମାନେ ଉପରକୁ ଅନାଇଲେ ଓ ସେ ମନର ଭୟକୁ ଦବାଇ ରଖି, ଓଠରେ ହସ ଫୁଟାଇ ଟା’ଟା’ କଲେ । ସେମାନେ ତା’ର ଭୟଭୀତ ମନ ଓ ଶୁଖିଲା ମୁଖ ମଣ୍ଡଳକୁ ଦୂରରୁ ଆକଳନ କରିପାରି ନଥିବେ । ରକ୍ଷା ମିଳିଲା । ସେମାନଙ୍କ ଯାତ୍ରା ସୁଖକର ହେଉ ଓ ଝିଅର ସର୍ବମଙ୍ଗଳ କାମନା ପୂର୍ବକ ଈଶ୍ୱରଙ୍କୁ ଡାକି କୋଠରୀକୁ ଆସି ହତାସିଆଙ୍କ ପରି ଏପଟ ସେପଟ ହେଲେ । ରାତିପାଇଁ ରଖିଥିବା ଅଧା ଖାଦ୍ୟ ଖାଇ ସକାଳ ହେବାଯାଏ ମନ ଦୃଢ କରି ଓ ଅସରନ୍ତି ଭାବନାରାଜିରେ ଡୁବି ରହି ଡହଳ ବିକଳରେ ସମୟ କଟାଇଲେ । ଅତି ଅସ୍ଥିରତାରେ ମନେ ରଖି ଥିବା ଦେବାଦେବୀଙ୍କ ଶ୍ଳୋକହିଁ ଧୈର୍ଯ୍ୟଶକ୍ତିକୁ ବଢାଇବାର ଉତ୍ସ ରୂପେ କାମ କରୁଥିଲା । ଫାଟିଥିବା ଫୋଟକାର ଚର୍ମ ଲୋଚାକୋଚା ହୋଇ ଲାଗି ରହିଥିଲା । ଅନ୍ୟ ଗୁଡିକର ଆକାର ଆହୁରି ବଢିବା ପରି ଜଣା ପଡୁଥିଲା ଓ ସବୁଠୁ କଷ୍ଟକର ଲାଗୁଥିଲା ଡାହାଣ ହସ୍ତ କାଖ ଏବଂ ଶରୀର ସହ ଲାଗି ନଯିବା ପାଇଁ ସତର୍କତା ।  କେତେବେଳେ ଅନ୍ୟ ଫୋଟକା ଗୁଡିକ ଫାଟିଯିବାର ଭୟ ମଧ୍ୟ ଲାଗୁଥିଲା ।

ଛାଲ ଉତରା
ହଠାତ୍‍ କିଏ ଜଣେ କାନରେ କହିଦେଲା ପ୍ରାୟ ଲାଗିଲା ଯେ, ଆଜି ଶୀଘ୍ର ଡାକ୍ତରଖାନା ଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ । ମନ ଅସ୍ଥିର ହେଲା । ନିଜ ଶରୀରର ଫାଳେ ଛାତି ଓ ସେହି ପାଖ କାଖରୁ ହାତର କହୁଣି ଯାଏ ଭିତର ପାଖରେ ଫୁଟନ୍ତା ପାଣି ପଡି ସିଝିଯିବା, ବିରାଟ ବିରାଟ ଫୋଟକା ହୋଇ ବାଇଗଣୀ ଓ କଳା ରଙ୍ଗର ବାଇଗଣ ପରି ହୋଇ ଓହଳି ପଡିବା, ତା’ପରେ ଛାତିର ଏକ ସର୍ବ ବୃହତ୍‍ ଫୋଟକା ଫାଟି ଫୋଟକା ପାଣିରେ ଅଙ୍ଗ ବସ୍ତ୍ର ଓଦା ହେବା, ଫୋଟକାର ଚର୍ମ ଲୋଚାକୋଚା ହୋଇ ଲାଗି ରହିବା ଆଦିର ଭୟରୁ ପୁଣି ଡାକ୍ତରଖାନା ଯିବାକୁ ସେ ପ୍ରସ୍ତୁତ ହେଲେ । ଏକୁଟିଆ କେମିତି କ’ଣ କରିବ ଭାବି ସେ ବାଧ୍ୟ ହୋଇ  ତା’ଭଳି ଦୂରରୁ ଆସିଥିବା ଆଉ ଏକ ହତାସିଆ ସହକର୍ମୀକୁ ଫୋନ୍‍ କରି  ସାଙ୍ଗରେ ଯିବାକୁ ଡାକିବାରୁ ସେ ତରବରରେ ଆସି ପହଞ୍ଚିଗଲେ । ଦୁଇ ବନ୍ଧୁ ଚାଲି ଚାଲି ଛକରୁ ଏକ ଅଟୋ ଧରି ଡାକ୍ତରଖାନା ଯିବାକୁ ହୁଏ । ବିଚରା ବିନା ସାର୍ଟରେ ଶରୀରକୁ ଏକ ଚଦର ଦ୍ୱାରା ଆବୃତ୍ତ କରି, ବାମ ହସ୍ତ ଓ ଦାନ୍ତରେ ଚଦରର ଦୁଇ ମୁଣ୍ଡକୁ ଜାବୁଡି ଧରିଥିଲେ ଯେପରି ବାହାରକୁ ତାହା ଦୃଶ୍ୟ ନହୁଏ । ଅଟୋ ଚାଳକକୁ ଛାତି ଦେଖାଇ ସତର୍କ କରି କହିଲେ – ଏହାହିଁ ଅବସ୍ଥା, ଧିରେ ଗାଡି ଚଳାଇବ । ନଚେତ୍‍ ଧକଡ ଚକଡରେ ସବୁ ଫୋଟକା ଫାଟିଯାଇ ପାରେ । ଅଟୋ ଚାଳକ ଚିହିଁକି ପଡିଲା ଓ ଧିରେ ଗାଡି ଚଳାଇଲା ।
ଅତି ସନ୍ତର୍ପଣରେ ବନ୍ଧୁ ଦ୍ୱୟ ଡାକ୍ତରଖାନାରେ ପହଞ୍ଚିଲେ । ଡାକ୍ତର, ଔଷଧ ଚିଠା ଲେଖି ଡ୍ରେସିଂ ରୁମ୍‌କୁ ଯିବାକୁ କହିଲେ । ସେଠାରେ ସବୁ ଫୋଟକା ଫଟାଯାଇ ଛାଲ ଉତରାଯିବ । ଏ କଥା ଶୁଣି ବିଚରାର ପିଳେହି ପାଣି ହୋଇଗଲା । ସେ ଚାହୁଁଥିଲା ଛାଲ ଉତରା ନ ଯାଉ । ସେମିତି ତ ଫୋଟକା ରହି ରହି ଶୁଖିଯିବ, ଚୋପା ମଧ୍ୟ ଆପଣାଛାଏଁ ବାହାରିଯିବ । ସେତେବେଳକୁ ନୂଆ ଚର୍ମ ଦେଇ ସାରିଥିବ । ଏମିତିତ ଆଗରୁ କେତେ ଫୋଟକା ହୋଇଛି ଓ ତାହା ଶୁଖିକି ଝଡି ପଡି ନୂଆ ଚର୍ମ ହୋଇଛି । ଏମାନେ କାହିଁକି ଏପରି କହୁଛନ୍ତି ? ଅର୍ଥାତ୍‍ ଆଜି ଛାଲ ଉତରାହେବ, ନହେଲେ ଅସୁବିଧା ହେବ । ହଉ ଯାହା ହେଲେ ହେବ – କର୍ମ ବଳେ ରାମଚନ୍ଦ୍ର ଗଲେ ବନବାସ …… କର୍ମବଳେ ନଳରାଜା କାଟେ ଘୋଡା ଘାସ । ତେଣୁ କର୍ମବଳେ ଯାହା ଘଟିଲେ ଘଟୁ ପଛେ, ଡାକ୍ତରଙ୍କ କଥା ମାନିବାକୁ ପଡିବ । ସେ ପିଲାଦିନେ ଶୁଣିଥିଲା ଯେ, ଆଗରୁ ରାଜା ମହାରାଜା କିମ୍ବା ସେମାନଙ୍କର କର୍ମଚାରୀ ମାନେ ଦୋଷୀକୁ ଦଣ୍ଡବିଧାନ ପୂର୍ବକ ସଟାବ୍‍ ସଟାବ୍‍ ଚାବୁକ୍‍ ପ୍ରହାର କରନ୍ତି । ଏପରିକି ପିଠିରୁ ଛାଲ ଉତୁରିବା ଯାଏ । ତେବେ ଜୀବନ୍ତ ଶରୀରରୁ ଛାଲ ଉତୁରିବାର ଯନ୍ତ୍ରଣା ସେହି ଭୁକ୍ତଭୋଗୀକୁ ଜଣା । ଏହା ଭାବିଲେ ଦେହ ଶୀତେଇ ଉଠେ । ଦୋଷୀଟି ଅବଶ୍ୟ ଯନ୍ତ୍ରଣାରେ କେତେ କଲବଲ ହେଉ ନଥିବ ! କିନ୍ତୁ ନିଜ ଶରୀରରୁ ଯେ ଦିନେ ଛାଲ ଉତରା ହେବ ସେ ଜାଣି ନଥିଲା ।


ଡ୍ରେସିଂ ରୁମ୍‌ରେ ଚଦରଟିକୁ ବନ୍ଧୁଙ୍କୁ ଧରାଇ ନର୍ସଙ୍କ ନିର୍ଦ୍ଦେଶାନୁଯାୟୀ ଖଟିଆ ଜୁପରେ ଚିତ୍‍ ହୋଇ ଶୋଇବାକୁ ପଡିଲା । ସେ ଭୟଙ୍କର ରୂପ ଦେଖି ନୂଆ ନର୍ସ ଝିଅଟି ଘାବରେଇ ଗଲା । ବୋଧହୁଏ ପ୍ରଥମ ଥର ସେ ଏକ ଜୀବନ୍ତ ଶରୀରରୁ ଛାଲ ଉତାରିବ । ହାତ ତା’ର ଥରୁଥାଏ । ଏହି ସମୟରେ ହେଡ୍‍ ନର୍ସ ଆସି ସେଠାରେ ଛିଡା ହୋଇ ସବୁ ବତାଇ ଦେଲେ । ସେ ନୂଆ ନର୍ସଟି ଛୁଞ୍ଚି ଦ୍ୱାରା ସବୁ ଫୋଟକାକୁ ଟିକେ ଟିକେ ଫୋଡିଦେଲେ । ତତ୍‍କ୍ଷଣାତ୍‍ ଫୋଟକାରୁ ସବୁ ପାଣିତକ ନିମ୍ନ ଦେଶକୁ ବୋହି ପିଠିକୁ ଭିଜାଇ ଦେଲା । ବର୍ଷା କବିତାରେ କବିଙ୍କ ଭାଷାରେ :-“ବହି ଯାଉଛି ବାରି ଭେଦି କିଆରୀ …….. ମର୍ଯ୍ୟାଦା ଲଙ୍ଘେ ଯଥା ସ୍ୱତନ୍ତ୍ରା ନାରୀ” ।
କିଛି ଯନ୍ତ୍ରଣା ଲାଗୁ ନଥାଏ ବରଂ ଆରାମ ଲାଗୁଥାଏ । ଏହାପରେ ଫୋଟକାର ଚୋପା ଛଡେଇବାର ପାଳି ଆସିଲା । ଝିଅଟି ଔଷଧୀୟ ଦ୍ରବଣ ଭିଜା ତୁଳା ସାହାଯ୍ୟରେ ଧିରେ ଧିରେ ଘସି ଛାଲ ବାହାର କରିବାକୁ ଲାଗିଲା । ତାହା ଜଣାପଡୁଥାଏ ଯେ, ସେ ଭୟଭୀତ ଓ ତାର ହାତ ଥରୁଥାଏ । ହେଡ୍‍ ନର୍ସ ଚଢା ଗଳାରେ କହିଲେ ସେମିତିରେ ହେବନି । ସିଝା ଚର୍ମ ସବୁ ଭଲ ଚର୍ମରୁ ସମ୍ପୂର୍ଣ୍ଣ ରୂପେ ଘଷିକି ଛଡାଅ । ଚୋପା ଟିକିଏ ବି ରହିବ ନାହିଁ । ଡରୁଛ କ’ଣ ? ଓଃ ! କି କଷ୍ଟ ! ସିଝା ଚର୍ମ ବାହାର କରାଯାଇ ପୁନଃ ଦୁଇ ଚର୍ମର ସୀମା ଓ ଲାଲ୍‍ କୋମଳ ଅଂଶରେ ଘଷାଘଷିରୁ ଉତ୍ପନ୍ନ ଯନ୍ତ୍ରଣା ଅବର୍ଣ୍ଣନୀୟ । ତଥାପି ଆଖି ବୁଜି ଓ ନିଶ୍ୱାସ ବନ୍ଦ୍‍ କରି ମନକୁ ଅନ୍ୟ ଦିଗକୁ ନେବା ପାଇଁ ଯେତେ ଚେଷ୍ଟା କଲେ କ’ଣ ହେବ, ଅସ୍ଥିରତା ରହୁଥିଲା । ଚର୍ମ ଛଲା ହେବା ପରେ ସଦ୍ୟ ଲାଲ୍‍ ସ୍ଥାନରେ ତରଳ ଔଷଧ ପ୍ରୟୋଗ କରାଗଲା । ପ୍ରଥମେ ପୋଡିଲା କିନ୍ତୁ ପରେ ଆରାମ ଲାଗିଲା । ଏବେ ଖଟିଆରୁ ଉଠିବାକୁ ପଡିଲା ଓ ପିଠି ପୁରା ପାଣି ସରସର ହୋଇଯାଇଥିଲା । ତୁଳା ଦ୍ୱାରା ନର୍ସ ପିଠିକୁ ପୋଛି ଦେଲେ । ମନ ସତେଜ ଲାଗୁଥିଲା ଓ ବନ୍ଧୁଙ୍କ ଠାରୁ ଚଦର ଆଣି ଢାଙ୍କି ହେବା ପରେ ବିଚରା ଭାବୁଛି, ଯାହା ହେଉ ସବୁ ଅଳିଆ ସଫା ହୋଇଗଲା । ତା’ପରେ ଦାକ୍ତରଖାନାରୁ ମିଳୁଥିବା ମାଗଣା ଔଷଧ ଆଣି ବଳକା ନିକଟସ୍ଥ ଔଷଧ ଦୋକାନରୁ କିଣିବାକୁ ପଡିଲା । ହେଡ୍‍ ନର୍ସ ପରାମର୍ଶ ଦେଲେ ପ୍ରତିଦିନ ନଖ ଉଷୁମ ପାଣିରେ ବୁନ୍ଦେ ଦିବୁନ୍ଦା ଡେଟଲ୍‍ ପକାଇ ଓ ତୁଳାକୁ ଭିଜାଇ ଘା’କୁ ଘଷି ସଫା କରିବ । ତା’ପରେ ସିଲ୍‍ଭର୍‍ ଅକ୍‍ସାଇଡ୍‍ ଜେଲ୍‍ ଓ ମେଗା ହିଲ୍‍ ଅଏଣ୍ଟ୍‌ମେଣ୍ଟ୍‍ (Mega Heal Ointment) ଲଗାଇବ । ନପାରିଲେ ହସ୍‍ପିଟାଲ୍‍କୁ ଆସି ସଫା କରାଇବ । ପୁଣି ହେଡ୍‍ ନର୍ସ କହିଲେ ଏହାର ମହୌଷଧି ହେଲା ରନ୍ଧା ନଡିଆ ତେଲ, ଯାହାକି ଘା’କୁ ଶୀଘ୍ର ଶୁଖାଇବ ଓ ନୂଆ ଚର୍ମ କରାଇବ ।

     ଫୋଟକା ସବୁ ସଫା । ଦେହ ଓ ମନ ହାଲୁକା ଲାଗୁଥାଏ । ଏକ ପ୍ରକାର ମୁକ୍ତିର ଆନନ୍ଦରେ ସେ ମନେ ମନେ ବିଭୋର ହେଲେ । ଆଉ ଏକ ଅଟୋ ରିଜର୍ଭ କରି ଦୁଇ ବନ୍ଧୁ ଘରକୁ ଆସିଲେ । ବିଚରା କୋଠରୀରେ ପହଞ୍ଚି ଭାବୁଛି ଆଉକିଛି ଅସୁବିଧା ହେବନି । ଏବେ ଘା’ ଶୀଘ୍ର ଶୁଖିଯିବ । ତେଣୁ ସେ ନିଜ ମୋବାଇଲ୍‌ରେ ଶରୀରର ଛଲା ଅଂଶର ଫଟୋ ଉଠାଇ ରଖିଲା । ରାତି ଦଶଟା ହେବାରୁ ରଖିଥିବା ଅଧା ଖାଦ୍ୟ ଓ ଔଷଧ ଖାଇ ଶୋଇବାକୁ ବାହାରିଲା । ପ୍ରବଳ ଶୀତ । ଆକ୍ରାନ୍ତ ସ୍ଥାନ ଅଲଗା ଅଲଗା ଲାଗୁଥାଏ । ସେଥିପ୍ରତି ଭ୍ରୂକ୍ଷେପ ନକରି ସେ ଟୋପି, ମୋଜା ପିନ୍ଧି ଓ ବାମପଟ ଛାତି ଢାଙ୍କିହୋଇ ଚିତ୍‍ ଅବସ୍ଥାରେ ପଡିରହିଲା । କ୍ରମେ ଶୀତର ପ୍ରକୋପ ବୃଦ୍ଧିରେ ସେ ବାଧ୍ୟ ହୋଇ କମ୍ବଳକୁ ଅତି ସତର୍କତାରେ ବାମରୁ ଡାହାଣକୁ ପୁରା ଢାଙ୍କିଲା, ଯେପରି କମ୍ବଳ ଆକ୍ରାନ୍ତ ଯାଗାର ମଧ୍ୟରେ ବ୍ୟବଧାନ ରହିବ । ଅର୍ଥାତ୍‍ ଗୋଡ ଦୁଇର ବୁଢା ଆଙ୍ଗୁଳିକୁ ଉର୍ଦ୍ଧ୍ୱମୁଖା କରି, ଗୋଇଠିରେ କମ୍ବଳର ଶେଷ ମୁଣ୍ଡକୁ ଚାପିରଖି ଓ ବାମପାଖ କମ୍ବଳକୁ ବାମ ପଟରେ ପିଠିର ଅଧାକୁ ନେଇ ଚାପିରଖିବାକୁ ପଡିଲା । ଏହାପରେ ମୁଖ ଆଡକୁ ଥିବା କମ୍ବଳକୁ ବେକ ସିଧା ନେଇ ଡାହାଣ ପାଖକୁ ଢାଙ୍କିବାକୁ ପଡିଲା ଓ ତା’ ଭିତରେ ଆକ୍ରାନ୍ତ ଡାହାଣ ହାତ ଶରୀରରୁ ଦୂରେଇ ରଖି ଏବଂ କହୁଣୀ ଦ୍ୱାରା ବିଛଣାରେ କମ୍ବଳର ଡାହାଣ ପାଖକୁ ଦାବି ରଖିବା ସହ ହାତ ମୁଠାକୁ ଉପରକୁ ଓ ଦକ୍ଷିଣକୁ ତେଢେଇକି ରଖିବାକୁ ହୁଏ । ଏହା ଫଳରେ କମ୍ବଳ ଘା’ରେ ବାଜେନି ଓ ଡାହାଣ ଛାତିରୁ ପ୍ରାୟ ତିନି ଇଞ୍ଚ ଉପରେ ରହେ । ମୁଣ୍ଡରେ ତ ଟୋପି ଅଛି । ଖାଲି ଆଖି, ନାକ ଓ ମୁଖ  ବାହାରକୁ ଖୋଲା ରହିଲା । ଭଲ ଲାଗିଲା, କିନ୍ତୁ ଶୀଘ୍ର ସ୍ୱପ୍ନଯୁକ୍ତ ଛାଇ ନିଦ ଆସି ଯାଉଥାଏ ଓ ଦକ୍ଷିଣ ହସ୍ତ ନିମ୍ନମୁଖୀ ହୋଇ ଯାଉଥାଏ । ତେଣୁ ଭୟରେ ନିଦ ଭାଙ୍ଗି ଯାଉଥାଏ, କାଳେ କମ୍ବଳ ଘା’ ଉପରେ ପଡିଯିବ ! ଅନ୍ୟ ପକ୍ଷରେ କମ୍ବଳ ତଳେ ହେଉଥିବା ଉଷୁମର ପ୍ରଭାବରୁ ଘା’ର ଯନ୍ତ୍ରଣା ବୃଦ୍ଧି ପାଏ ଓ ବାଧ୍ୟ ହୋଇ କମ୍ବଳ ବାହାର କରିବାକୁ ପଡେ । ଏହାପରେ ଆଉ ଏକ ପଦ୍ଧତି ଅନୁସରଣ କରିବାକୁ ହୁଏ । କାରଣ ଶୀତର ପ୍ରକୋପରୁ ତ ପୁଣି ବଞ୍ଚିବାକୁ ପଡିବ । ପୁଣି ସେଇ ପୂର୍ବାବସ୍ଥା ବଜାୟ ରଖି ଓ କମ୍ବଳକୁ ମୁହଁ ଉପରେ ଆଣି ପଶ୍ଚାତ୍‍ଭାଗ ମୁଣ୍ଡ ଏବଂ ତକିଆ ମଧ୍ୟରେ ଚାପିକି ରଖିବାକୁ ପଡେ । ସେପଟରେ ଗୋଡର ଗୋଇଠି ଓ ବୁଢା ଆଙ୍ଗୁଳି ସାଙ୍ଗକୁ ଡାହାଣ ହାତ ଡାହାଣକୁ ଏବଂ ବାମପାଖ ପିଠି ତଳ ଆଦି କମ୍ବଳକୁ ପରସ୍ପର ଆଡକୁ ଟାଣୀ ରଖିବା ଦ୍ୱାରା କମ୍ବଳ ଓ ଶରୀର ମଧ୍ୟରେ ଛ’ଇଞ୍ଚ ଉଚ୍ଚତାର ଏକ ନିବୁଜ କୋଠରୀ ନିର୍ମାଣ ହୋଇଯାଏ । ବଡ ସୁବିଧା ହୁଏ ଓ ଆରାମ ଲାଗେ । ପରନ୍ତୁ ଏ ସୁଖ ବେଶି ସମୟ ପାଇଁ ନୁହେଁ । କାରଣ ନିଶ୍ୱାସ ପ୍ରଶ୍ୱାସର ଗରମ ବାୟୁ ଆବଦ୍ଧ କୋଠରୀକୁ ଶୀଘ୍ର ଗରମ କରିଦିଏ ଘା’ର ଯନ୍ତ୍ରଣା ବଢେ । ପୁଣି କମ୍ବଳର କୋଠରୀରେ ପୋଡା ଘା’ରୁ ବାହାରୁଥିବା ଗନ୍ଧରେ ନାକ ଫାଟିଯାଏ । ଫଳରେ ସେ ଜୀବନ ବିକଳେ କମ୍ବଳ ବାହାର କରି ପୁଣି ବାମ ପାଖରେ ପକାଏ । ପୁଣି କିଛି ସମୟ ପରେ ଶୀତ ଅସହ୍ୟ ହୁଏ ଓ ପୂର୍ବ ପଦ୍ଧତିକୁ ଅବଲମ୍ବନ କରିବାକୁ ହୁଏ । ତେଣୁ ଏ ପ୍ରକ୍ରିୟା ଗୁଡିକର ବାରମ୍ବାରତା ରାତି ସାରା ଚାଲୁ ରହେ । ଅର୍ଥାତ୍‍ ଅନିନ୍ଦ୍ରା, ଛାଇ ନିଦ୍ରା, ଛାଇ ସ୍ୱପ୍ନ , ଜାଗତିକ ଓ ଅଣଜାଗତିକ ଭାବନାରାଜିର ମିଶାମିଶି ପରିବେଶରେ ରାତ୍ରିଯାପନ ହୁଏ । ତଥାପି ମନରେ ଦୃଢତା ବଜାୟ ରଖିବାକୁ ହୁଏ ।

ଶନିବାର  –

ସକାଳ ହୁଏ । ଘା’ରେ ଟିକେ ଆଙ୍ଗୁଳି ସ୍ପର୍ଶ କରି ଏକ ପତଳା, ଖଦଖଦଡିଆ ଓ ଭଙ୍ଗୁର ଆସ୍ତରଣର ଅନୁଭବତା ପ୍ରାପ୍ତ ହୁଏ । ନିତ୍ୟକର୍ମ ସାରି ପୂର୍ବ ଦିନ ଯେଉଁ ବସ୍ତ୍ର ପିନ୍ଧି ଡାକ୍ତରଖାନା ଯାଇଥିଲା ତାହାକୁ ବାମ ହାତରେ ସର୍ପ ପାଣିରେ ଧୋଇ ଶୁଖାଇବାକୁ ପଡିଲା । ଆଜି ବନ୍ଧୁଙ୍କ ଘରୁ ସକାଳ ଖାଦ୍ୟ ଆସି ନଥିଲା । ଜଣେ ସ୍ତ୍ରୀ ଲୋକ କ’ଣ ବା କରି ପାରିବ ? ସେ ଖାଲିପେଟ ଔଷଧ ସେବନ କରି ଚୂଡା+ ଲୁଣ + ଟମାଟୋ ଚକୁଟି ଖାଇଲା ଓ ବନ୍ଧୁଙ୍କ ଖାଦ୍ୟ ବନ୍ଧନରୁ ମୁକ୍ତି ମିଳିଥିବାରୁ ନିଜ ଖାଦ୍ୟ ସୁଆଦିଆ ଲାଗିଲା । ଔଷଧ ସେବନ ପରେ ଏକ ଗ୍ଲାସ୍‍ ନାଲିଚାହାରେ ଲୁଣ ପକାଇ ବିଚରା  ପିଇ ଟିକିଏ ଆଶ୍ୱସ୍ତ ହେଲା । ତା’ପରେ ତୁଳାକୁ ଉଷୁମ ପାଣିରେ ଭିଜାଇ, ଟିପରେ ପାଣି ଚିପୁଡି ଓ ନର୍ସଙ୍କ କହିବାନୁଯାୟୀ ସେ ଘା’କୁ ଧିରେ ଧିରେ ଘଷିକି ସଫା କଲେ । ଓଃ ! କି ଯନ୍ତ୍ରଣା ! ଘା’ରୁ କିଛି ପତଳା ଆବରଣ ବାହାରିଲା । ତାହା ସିଲ୍‍ଭର୍‍ ଅକ୍‍ସାଇଡ୍‍ ଜେଲ୍‍ର ଲାଳୂଆ ସ୍ତର ଥିଲା । ଆଉ ଅଧିକ ସଫା କରିବାକୁ ସାହସ ହେଲାନି ଓ ତା’ପରେ ସେଇ ଜେଲ୍‍ କ୍ରିମ୍‍ର ଲେପ ଦେଲା । ଲେପ ତଳେ ଘା’ ରହିଲା । ଏବେ ଟିକେ ଥଣ୍ଡା ଓ ଆରାମ ଲାଗିଲା । ପ୍ରତିଦିନ ଘା’କୁ ଭଲ ଭାବେ ସଫା କରି ଔଷଧ ଲଗାଇବାକୁ ନର୍ସ ପରାମର୍ଶ ଦେଇଥିଲେ । କିନ୍ତୁ ତାହା ଭାବିବା ବେଳକୁ ଭୟରେ ଲୋମ ଟାଙ୍କୁରୀ ଉଠୁଥିଲା । ସିଝା ଚର୍ମକୁ ଘଷି ସଫା କରିବାକୁ ସାହସ ଯୁଟୁ ନଥାଏ । ହଉ ଦେଖାଯାଉ, କ’ଣ ଘଟୁଛି । ସେ ଗଭୀର ଚିନ୍ତାରେ ଡୁବିରହି ଭାବୁଥିଲେ, ଏବେ କ’ଣ କରାଯାଇ ପାରିବ ?  ସେମିତି ନିତିଦିନ ପରି ବିଛଣାରେ ପଡୁଥା’ନ୍ତି, ଛାତ ଉପରେ ବୁଲୁଥା’ନ୍ତି ଓ ଦୂର ଜଙ୍ଗଲକୁ ଅନାଇଁ ପ୍ରକୃତିକୁ ଦେଖୁଥା’ନ୍ତି । ମଧ୍ୟାହ୍ନ ସମୟ ଗଡିଗଲା ଓ ବନ୍ଧୁଙ୍କ ଘରୁ ଖାଦ୍ୟ ନଆସିବାରୁ ସେ ଆଦୌ ବ୍ୟତିବ୍ୟସ୍ତ ହେଲେନାହିଁ । ବରଂ ଖୁସି ହେଲେ । କାରଣ ଖାଦ୍ୟ ଆସିଗଲେ ତାଙ୍କୁ ବହୁତ ଅସୁବିଧା ଲାଗେ । ଏପରିକି ଖାଦ୍ୟ ଗ୍ରହଣ ବେଳେ ମଧ୍ୟ  ସେ ଭାବନ୍ତି ଯେ,  ସେମାନଙ୍କ ଉପରେ ଆଉ କେତେଦିନ ବୋଝ ହୋଇ ସେ ରହିବ ! କାହିଁକି ଏ ଦୁର୍ଦ୍ଦଶାର ଅନ୍ତଃ ଘଟୁନାହିଁ ! ବନ୍ଧୁଙ୍କ ସ୍ତ୍ରୀ ବହୁତ ହନ୍ତସନ୍ତ ହେଉଥିବେ । ଯେହେତୁ ଆଉ ଜଣଙ୍କ ପାଇଁ ଖାଦ୍ୟ ପଠାଇବାକୁ ପଡିବ ଓ ସେ କଥା ଭାବି ବନ୍ଧୁଙ୍କ ସ୍ତ୍ରୀ ତରବରରେ ଏବଂ ଯତ୍ନରେ ନିଜ କଷ୍ଟ ଭୂଲି ଠିକ୍‍ ସମୟରେ ଖାଦ୍ୟ ପଠାଇବାର କାର୍ଯ୍ୟରେ ନିଶ୍ଚୟ ଲିପ୍ତ ରହୁଥିବେ । ପୁଣି ତାଙ୍କର ସ୍କୁଲ୍‍ ଯାଇ ନଥିବା ଛୋଟ ପିଲାର ଜଞ୍ଜାଳ, ସ୍କୁଲ୍‍ ଯାଉଥିବା ଝିଅ ପାଇଁ ବ୍ୟସ୍ତତା, ସ୍ୱାମୀଙ୍କ ଅଫିସ୍‍ ଯିବାପାଇଁ ଜଣେ ସ୍ତ୍ରୀ’ର କର୍ତ୍ତବ୍ୟରେ ସେ ଘାଣ୍ଟି ହୋଇଯାଉଥିବା ସହ ଏ ଲୋକର ଦାଇତ୍ୱ । ସ୍ତ୍ରୀ ଲୋକଟିର ପୁଣି ତ ଦେହ’ପା ଅଛି ! ତେଣୁ ସେଦିନ ବନ୍ଧୁଙ୍କ ସ୍ତ୍ରୀ’ଙ୍କୁ ଟିକିଏ ଫୁରୁସତ୍‍ ମିଳିଥିବା କଥା ଭାବି ସେ ଅତି ଖୁସି ହେଲେ, ଯାହାର ପ୍ରଭାବରେ ତା’ଙ୍କ ଘା’ର ଯନ୍ତ୍ରଣା ମଧ୍ୟ କିଛି ମାତ୍ରାରେ ଲାଘବ ହେବା ପରି ଲାଗିଲା । ବୀର ଦର୍ପରେ ସେ ଆଗେଇ ଚାଲିଲେ ରୋଷେଇ ଘରକୁ । ସାହସ କଲେ ଯେ, ସେ ବାମ ହାତିଆ ଭାତ ଓ ତରକାରୀ ରାନ୍ଧିବ ଏବଂ ଘା’କୁ ଗ୍ୟାସ୍‍ ଧାସରୁ ଯଥା ସମ୍ଭବ ଦୂରେଇ ରଖିବ  । ଦୁନିଆଁରେ କିଛି ଅସମ୍ଭବ ନୁହେଁ । ସିଏ ବା କାହିଁକି ନପାରିବ ! ତେଣୁ ସେ ଆଗେଇଲେ ଖାଦ୍ୟ ପ୍ରସ୍ତୁତ କରିବାକୁ । ଅରୁଆ ଚାଉଳ ଭାତ ରାନ୍ଧିଲେ । ଶୀଘ୍ର ହୋଇଗଲା । ଆଳୁ, ଟମାଟୋ, ପିଆଜ ଆଦିକୁ ସେଇ ଆକ୍ରାନ୍ତ ଡାହାଣ ହାତରେ ଅତି ସତର୍କତା ସହ କଟାକଟି କରି ତରକାରୀ ବସେଇଲେ । ନିଆଁର ଧାସରୁ ଆକ୍ରାନ୍ତ ସ୍ଥାନକୁ ଯଥା ସମ୍ଭବ ଦୂରେଇ ରଖିଲେ । ତଥାପି ……… । ହଉ, ରାନ୍ଧିଥିବା ଭାତ ଓ ଆଳୁ – ଟମାଟୋ ଝୋଳରୁ ଅଧା ଅତି ସନ୍ତର୍ପଣରେ ବାଢି ଖାଇଲେ ଓ ବାସନ ଆଦି ବହୁ କଷ୍ଟରେ ଧୋଇଲେ । ଅଧା  ସଯତ୍ନେ ଢାଙ୍କି କରି ରାତି ପାଇଁ ରଖିଲେ । ସନ୍ଧ୍ୟା ବେଳକୁ ଭୁବନେଶ୍ୱରରୁ ବନ୍ଧୁଟି ଫୋନ୍‍ କରି ତାଙ୍କ ବିଷୟରେ ବୁଝିଲେ । ଛାଲ ଉତ୍ତରା ଓ ତା’ ପରଦିନ ନିଜେ ରୋଷେଇ କରି ଖାଇବା କଥା ଜାଣି ବ୍ୟସ୍ତ ହେଲେ । ବନ୍ଧୁଙ୍କୁ ଯେତେ ସେ ବୁଝାଇ କହିଲେ କ’ଣ ହେବ, ପୁନଃ ସେ ତାଙ୍କ ସ୍ତ୍ରୀ’କୁ କହିଲେ ରବିବାରଠୁ ଖାଦ୍ୟ ପଠାଇବା ପାଇଁ । କାରଣ ସିଝା ଚର୍ମ ଗ୍ୟାସ୍‍ ଧାସରେ ଯନ୍ତ୍ରଣା ବୃଦ୍ଧି କରାଇବା ଓ ଘା’ ଶୁଖିବାରେ ବିଳମ୍ବ କରାଇବ । ବନ୍ଧୁଙ୍କୁ ସେ କହିଲେ ଯେ, ସତର୍କତା ସହ ସେ ରୋଷେଇ କରି ପାରୁଛି । ତେଣୁ ଆଉ ଖାଦ୍ୟ ନ’ପଠାଇବାକୁ ସେ ଜୋର୍‍ ଦେଇ କହିଲେ । ବନ୍ଧୁ କିନ୍ତୁ ସେକଥା ଆଦୌ ଶୁଣିଲେ ନାହିଁ ।

ରାତି ଆସିବାଟା ସତେକି କାଳରାତି ଆସିବା ପ୍ରାୟ ଅନୁଭୁତ ହୁଏ । ସିଝା ଅଂଶରେ ଯନ୍ତ୍ରଣା ସହ ସେ ନିଜକୁ ସମ୍ପୂର୍ଣ୍ଣ ନିରୋଳା, ନିଛାଟିଆ ଓ ଏକୁଟିଆ ଅନୁଭବ କରେ । ଭାବନା ରାଜ୍ୟରେ ସେ ଉବୁଟୁବୁ ହୁଏ । ଅଧିକ ରାତି ହେବାରୁ ରଖିଥିବା ବଳକା ଖାଦ୍ୟ ଗ୍ରହଣ କରି ସେହିପରି ଚିତ୍‍ ହୋଇ ପଡିରହିଲେ ଓ ଶୀତକୁ ହଜମ କରି ରାତି ପୁହାଇଲେ ।

Type in
Details available only for Indian languages
Settings
Help
Indian language typing help
View Detailed Help