ଅସହ୍ୟ ଯନ୍ତ୍ରଣାର ତାତ୍ତ୍ୱିକ ପରିଭାଷା – ଭାଗ – ୫
ପଞ୍ଚମ ଭାଗ
(ରବିବାର)
ପାହିଲା ରାତି ଓ ଅସ୍ଥିର ମତି । କାରଣ ଘା’ ଟାଙ୍କି ଧରିବାର ଆରମ୍ଭ ହୁଏ । ଏ ପୁଣି କ’ଣ ? ଯନ୍ତ୍ରଣାର ନୂଆ ଅବତାର ! ନିତ୍ୟକର୍ମ ସାରି ନାଲି ଚାହା ପିଇ ଘା’ରେ ଔଷଧ ଲଗାଇ ଓ ଖାଲିପେଟରେ ଔଷଧ ଖାଇ ଭାବୁଛନ୍ତି । ହଠାତ୍ ଭାବନ ରାଜ୍ୟରେ ପୂର୍ଣ୍ଣଛେଦ ପଡିଲା । ବନ୍ଧୁଙ୍କ ସାନଝିଅ ଟିଫିନ୍ ଧରି କୋଠରୀକୁ ଆସିଲା । ବ୍ୟତିବ୍ୟସ୍ତ ହୋଇ ପୁଣି କାହିଁକି ଏତେ କଷ୍ଟ କଲ ବୋଲି କହିଲେ । ଚୂଡା ତ ଅଛି ଅସୁବିଧା ହେଉନି । ଝିଅଟି ବାଧ୍ୟ କରି ଟିଫିନ୍ ରଖି ଯିବାକୁ ବାହାରିଲା । ତଥାପି ଝିଅକୁ ସେ କହିଲେ – ମୁଁ ଏବେ ରାନ୍ଧି ପାରୁଛି । ଆଉ ଏତେ କଷ୍ଟ କରି ଆସିବୁନି । କିନ୍ତୁ ସେ କହିଲା ମା’ କହିଲେ ଆପଣ ରାନ୍ଧିବେ ନାହିଁ । ଏ କଥା ଶୁଣି ବିଚରା ନିଜ କଷ୍ଟ ଭୂଲି ଯାଇ ସାହାଯ୍ୟ କରୁଥିବା ପରିବାର ତାଙ୍କ ପାଇଁ କଷ୍ଟ ପାଉଥିବାର ଅନୁଭବ କରୁଥିଲେ । ଭାବୁଥିଲେ ଯେତେ ଯନ୍ତ୍ରଣା ହେଉ ପଛେ ସେ ରାନ୍ଧିକି ଖାଇବ । ଏତେ ନିର୍ଭରଶୀଳତା ତାଙ୍କୁ ଭଲ ଲାଗୁ ନଥିଲା । ଯେହେତୁ ସେ ନିରୁପାୟ, କ’ଣ ଆଉ କରାଯାଇ ପାରିବ ! ଟିଫିନ୍ ବାକ୍ସ ଖୋଲି ଦେଖିଲେ ତାହା ଉପ୍ମା ଥିଲା ଓ ସେ ତାହା ଭକ୍ଷଣ କରି ଔଷଧ ସେବନ କଲେ । ମଧ୍ୟାହ୍ନ ସମୟରେ ଝିଅଟି ସ୍କୁଲ୍ରୁ ଘରକୁ ଆସି ଖାଦ୍ୟ ଧରି ପହଞ୍ଚିଲା । ତା’ର ମୁଖ ମଣ୍ଡଳ କ୍ଳାନ୍ତ ଦିଶୁଥିଲା ଓ ଝାଳ ବାହାରୁଥିଲା । ନିଶ୍ଚୟ ତା’କୁ ଭୋକ ଲାଗୁଥିବ ଓ ନିଜେ ପ୍ରଥମେ ନ ଖାଇ ଅନ୍ୟକୁ ଖୁଆଇବା ପାଇଁ ପରିଶ୍ରମ କରୁଛି । ମୁଖରେ ହସ । ଦୟା ଲାଗେ ଓ ତା’ର ମଙ୍ଗଳ କାମନା କରେ । ସେଦିନ ଖାଦ୍ୟ ସାମଗ୍ରୀ ଏହିପରି ଥିଲା – ଭାତ, ରୋହୀ ମାଛ ତରକାରୀ, ବାଇଗଣ ଭର୍ତ୍ତା ଓ ବଡିଚୂରା । ଏତାଦୃଶ ମଧ୍ୟାହ୍ନ ଭୋଜନର ଖାଦ୍ୟ ନିଜ ମନ ପସନ୍ଦର ହୋଇଥିଲେବି , ଜଣେ ବ୍ୟସ୍ତ ବହୁଳତାରେ ରହିଥିବା ସ୍ତ୍ରୀ ଲୋକ ଦୂରକୁ ଯାଇଥିବା ସ୍ୱାମୀର ନିର୍ଦ୍ଦେଶରେ ବୋଝ ଉପରେ ନଳିତା ବିଡା ସଦୃଶ ପିଲା ଦୁଇଙ୍କ ଜଞ୍ଜାଳରେ ଲିପ୍ତ ରହି ତାଙ୍କ ପାଇଁ ଖାଦ୍ୟ ପଠାଇ ଥିବାରୁ ମନ ଅତ୍ୟନ୍ତ ବ୍ୟଥିତ ହୁଏ । ବିଚରା ଭାବୁଥିଲା ଯେହେତୁ ନିଜ ଶରୀର ପୋଡା ଘା’ର ଯନ୍ତ୍ରଣାରେ ଅହରହ ଜର୍ଜରିତ, ତେଣୁ ଏହା ଭଲ ନହେବା ଯାଏ ଆମିଷ ଭକ୍ଷଣ କରିବ ନାହିଁ । କିନ୍ତୁ ଏବେ କ’ଣ କରାଯିବ ! ରନ୍ଧନ ଖାଦ୍ୟ ନଷ୍ଟ କରିବା ତ ମହାପାପ ଅଟେ । କେତେ କଷ୍ଟକର ପର୍ଯ୍ୟାୟ ଦେଇ ଖାଦ୍ୟର ରୂପରେଖ ଆଖି ସାମ୍ନାରେ ଦିଶୁଛି । ତେଣୁ ଅନ୍ତରାତ୍ମାର ଇଙ୍ଗିତ ଯେ, ସେ ଖାଦ୍ୟ ଗ୍ରହଣ କରିବା ଉଚିତ୍ । ଅତଏବ ଲାଳସା ନଥିଲେ ମଧ୍ୟ ତାହା ଗ୍ରହଣ କରିବାକୁ ସେ ବାଧ୍ୟ ହେଲେ ଓ ଅଧା ଖାଦ୍ୟ ରାତି ପାଇଁ ରଖିଲେ । ଘଟଣା ଘଟିବା ଦିନରୁ ଆରମ୍ଭ ହୋଇଥିବା ଜୀବନ ସଂଗ୍ରାମର ପଦ୍ଧତି ଏକ ଧାରାରେ ଅତିବାହିତ ପୂର୍ବକ ରବିବାର ରାତି ବିତିଯାଏ ।
ସୋମବାର
ପୂର୍ବ ଦିନ ରାତି ବସ୍ରେ ବନ୍ଧୁ ଫେରିଲେ ଓ ସକାଳ ଆଠଟାରେ ତାଙ୍କ ଭଡାଘରେ ପହଞ୍ଚିଲେ । କାରଣ ତାଙ୍କ ଝିଅ ସକାଳ ଖାଦ୍ୟ ଦେଇ କହିବାରୁ ସେ ଜାଣିଲେ ଓ କର୍ତ୍ତାଙ୍କ ମନରେ ଶତ ସିଂହର ବଳ ଆସିଲା । ଯାହା ହେଉ ପ୍ରଭୁଙ୍କ ଇଛା । ଯନ୍ତ୍ରଣା ଦୁଇ ପାଦ ପଛକୁ ଓ ମୃତ୍ୟୁ ଦୁଇପାଦ ଆଗକୁ ଘୁଞ୍ଚି ଗଲା ପ୍ରାୟ ଲାଗିଲା । ଦଶଟା ବେଳକୁ ମାର୍କେଟ୍ ଯିବାବେଳେ ସେ ତାଙ୍କ ରୁମ୍କୁ ଆସି ଘା’କୁ ଦେଖିଲେ ଓ ଅପରାହ୍ନକୁ ମେଡିକାଲ୍ ଯିବାକୁ କହିଗଲେ । ଘା’ ଉପରେ ବକଳ ଦିନକୁ ଦିନ ମୋଟା ହେଉଥାଏ । କିନ୍ତୁ ତା’କୁ ଘଷି ଛଡାଇ ଔଷଧ ଲଗାଇବାକୁ ସାହସ ନଥିବାରୁ ବକଳ ଉପରେହିଁ ଲେପ ଦିଆ ଚାଲିଥାଏ । ଆସିଥିବା ରୁଟି ଓ ଭଜା ଖାଇ ଖଟଟି ଉପରେ ଚିତ୍ ହୋଇ ପଡିବା, ଉଠିବା ଓ ଛାତ ଉପରେ ବୁଲି ମନକୁ ଯନ୍ତ୍ରଣାରୁ ଦୂରେଇ ରଖିବା ବ୍ୟତୀତ ଅନ୍ୟ ପନ୍ଥା ନଥିଲା । ମଧ୍ୟାହ୍ନ ଭୋଜନରେ ସେଦିନ ଥିଲା – ଭାତ + ଡାଲ୍ମା + ଫୁଲକୋବି ଓ ଆଳୁ ତରକାରୀ + ମେଥି ଶାଗ ଭଜା । ସେ ତହିଁରୁ ଅଧା ଖାଇ ଅଧା ରାତି ପାଇଁ ରଖିଲେ । ଶୀତୁଆ ସନ୍ଧ୍ୟା ପୂର୍ବରୁ ଘା’ ଟାଙ୍କି ଧରିବାର ମାତ୍ରା ଅଧିକ ଅନୁଭୁତ ହୁଏ । ସନ୍ଧ୍ୟା ଆସିବା ଆଗରୁ ଦୁହେଁ ମେଡିକାଲ୍ ଗଲେ । ସେ କେବଳ ଖଣ୍ଡିଏ ଚଦର ପୁର୍ବ ଢାଞ୍ଚାରେ ଢାଙ୍କି ହୋଇ ବାଇକ୍ରେ ବସିଲେ । ଏଥର ମଧ୍ୟ ଡାକ୍ତର ଔଷଧର ପ୍ରକାର ବଢାଇଲେ । କିନ୍ତୁ ହେଡ୍ ନର୍ସ କହିଲେ ମେଗାହିଲ୍ ଅଏଣ୍ଟମେଣ୍ଟ୍ ଅପେକ୍ଷା ରନ୍ଧା ନଡିଆ ତେଲ ଲଗାଇଲେ ଘା’ ଶୁଖିବା ଶୀଘ୍ର ହେବ । ମେଡିକାଲ୍ ମାଗଣା ଔଷଧ ସହ ଆଉ କିଛି ଦୋକାନରୁ କିଣି ଘରେ ପହଞ୍ଚିଲେ । ବାଟରେ ବିଚରା ଭାବୁଥାଏ ରନ୍ଧା ନଡିଆ ତେଲ କଥା । ୭୦୦ କିଲୋମିଟର ଦୂରରେ ନିଜ ସହଧର୍ମିଣୀ । ସେ କ’ଣ ପାଖରେ ଅଛି ଯେ ତେଲ ରାନ୍ଧିବ । ଏ ଅବସ୍ଥାରେ ଘରକୁ ଆଦୌ ଯାଇହେବ ନାହିଁ । ତେବେ ସାର୍ଟ ପିନ୍ଧିବା ଅବସ୍ଥା ଆସିଲେ ସେ ଘରକୁ ଯାଇ ସ୍ତ୍ରୀ’କୁ ସବୁ ଜଣାଇବ । ଏତେ କଷ୍ଟ ତ ସହିଲିଣି, ତେବେ ବିଚାରୀକୁ ଜଣାଇ ତା’କୁ ବିକଳ ଓ ହନ୍ତସନ୍ତ କଲେ କ’ଣ ଏ ଦୁର୍ଦ୍ଦଶାର ଅନ୍ତଃ ଶୀଘ୍ର ଘଟିବ ? ଆଦୌ ନୁହେଁ । ତେଣୁ ନ ଜଣାଇବାଟା ଠିକ୍ । ଏ ଭାବନା ମଧ୍ୟ ରୁମ୍ରେ ଲାଗିରହିଥାଏ । ରାତି ପ୍ରାୟ ସାତଟା । ହଠାତ୍ ବନ୍ଧୁ ଆସି ପହଞ୍ଚିବାର ଦେଖି ସେ ଆଶ୍ଚର୍ଯ୍ୟ ହେଲେ । ସବୁ ଚିନ୍ତାର ପରିସମାପ୍ତି ଘଟିଲା । ବନ୍ଧୁଙ୍କ ହାତରେ ଏକ ଢାଙ୍କୁଣୀ ଥିବା ବଡ ପାତ୍ର ଓ ପଚାରିବାରୁ କହିଲେ – ସେ ମାର୍କେଟ୍ରୁ ଶୁଖିଲା ନଡିଆ କିଣି, ତାହାକୁ ଭାଙ୍ଗି, କୋରଣୀରେ କୋରି, ଉଷୁମ ପାଣିରେ ଗ୍ରାଇଣ୍ଡିଂ କରି ଓ ଶେଷରେ ଏକ ପତଳା କପଡାରେ ଛାଣିକରି ଆଣିଛି । ଏଠାରେ ତେଲ ରାନ୍ଧିବା । ଯେଉଁ ଡେକ୍ଚି ହାତରୁ ଖସି ଫୁଟୁଥିବା ପାଣି ପଡି ତା’ର ଏ ଦୁର୍ଦ୍ଦଶା, ସେଇ ଚେପା ହୋଇଥିବା ଡେକ୍ଚିକୁ ପିଟି ସିଧା କରି ନଡିଆ କୋରା ପାଣି ତହିଁରେ ଢାଳି ବନ୍ଧୁଟି ଗ୍ୟାସ୍ ଚୂଲାରେ ବସାଇଲେ । ଧିରେ ଧିରେ ପାଣି ଫୁଟିଲା ଓ ଏକ ସମୟ ଆସିଲା, ଯେତେବେଳେ ଖାଲି ତେଲ ହିଁ ରହିଲା । ସେ ତେଲକୁ ଏକ ବଡ ତାଟିଆରେ ଢାଳିଲେ । ପ୍ରାୟ ୨୦୦ ଗ୍ରାମ୍ ପାଖାପାଖି ତେଲ ବାହାରିଲା ତିନୋଟି ନଡିଆରୁ । କୋଠରୀଟି ରନ୍ଧା ନଡିଆ ତେଲ ବାସ୍ନାରେ ମହକୁ ଥାଏ । ରାତି ୯ଟା ଉପରେ ଓ ବନ୍ଧୁ ତାଙ୍କ ବସାକୁ ଗଲେ । ଏହାପରେ ସେ ରଖିଥିବା ଅଧା ଖାଦ୍ୟ ଖାଇଲେ । ଆକ୍ରାନ୍ତ ସ୍ଥାନର ବକଳ ମୋଟା ଲାଗୁଥିଲା ଓ ଟାଙ୍କି ଧରିବାର ମାତ୍ରା ବୃଦ୍ଧି ପାଉଥିଲା । ଆଉ ଔଷଧ ନଲଗାଇ ସେ ଘା’ରେ ଟିପ ଦ୍ୱାରା ତେଲ ଥାପିଲେ । ଏହାପରେ ଖଟ ଉପରେ ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରାତି ପୁହାଇଲେ ।
ମଙ୍ଗଳ ବାର
ସକାଳର ସୂର୍ଯ୍ୟ ମନରେ ଅତି ଆନନ୍ଦ ଭରି ଦେଉଥିଲା, କିନ୍ତୁ ପରକ୍ଷଣରେ ଟାଙ୍କି ଧରିବା କାରଣରୁ ତାହା ଉଭାନ୍ ହୋଇଯାଉଥିଲା । ଯେହେତୁ ଦିନରାତି ଅନିନ୍ଦ୍ରା, ତେଣୁ ପାହାନ୍ତାରୁ ଉଠି ଖାଲି ଏପଟ ସେପଟ ହେବା ସହ ଛାତ ଉପରେ ପହିଲି ସୂର୍ଯ୍ୟଙ୍କ ଦର୍ଶନ ହୋଇଯାଏ । ଆଠଟା ବେଳକୁ ରୁଟି ଓ ଆଳୁ – ବିନ୍ସ ଭଜା ବନ୍ଧୁଟି ଦେଇ ଓ ଖବର ବୁଝି ମାର୍କେଟ୍ ଗଲେ । ସେ ନାଲି ଚାହା ପିଇ ସାରିଥିଲେ । ଖାଇବା, ତେଲ ଥାପିବା, ବସିବା, ଉଠିବା, ଛାତରେ ଯେହେତୁ ଏକା ତେଣୁ ବୁଲି ବୁଲି ଚତୁର୍ଦ୍ଦିଗକୁ ଅନାଇବା, ଚିନ୍ତାରେ ଡୁବିଆ ଓ ଘା’କୁ ଦେଖିବା ଆଦି ସମାନ ଧାରାରେ ଚାଲେ । କିନ୍ତୁ ଆରମ୍ଭରୁ ସଦା ସତର୍କ ରହିବାକୁ ପଡୁଥିଲା, ଯେପରି ଡାହାଣ ବାହୁର ଭିତର ଅଂଶ ଏପରିକି ଅନ୍ୟମନସ୍କ ଅବସ୍ଥାରେ ଶରୀରରେ ନ’ଲାଗେ । ତାହାହିଁ ଥିଲା ସବୁଠୁ କଷ୍ଟକର ପ୍ରକ୍ରିୟା । ସେଦିନ ମଧ୍ୟାହ୍ନରେ ବନ୍ଧୁଙ୍କ ଘରୁ ଖାଦ୍ୟ ଏହିପରି ଥିଲା – ଭାତ + କଲରା ଖଟେଇ(ତେନ୍ତୁଳି, ଟମାଟୋ ଓ ସୋରିଷ ବଟା ଯୁକ୍ତ) + ତରକାରୀ(ବଡି, ଫୁଲକୋବି ଓ ବାଇଗଣ) । ଖାଇବାର ଧାରା ସମାନ । କିନ୍ତୁ ଅପରାହ୍ନକୁ ଥଣ୍ଡା ଅଧିକ ଲାଗିଲା ଓ ଟାଙ୍କି ଧରିବା ଅଧିକ ହେବାରୁ ବିଚଳିତ ଭାବ ଆରମ୍ଭ ହେଲା । ସନ୍ଧ୍ୟା ହୋଇ ରାତି ବଢି ଚାଲିଲା । କିଛି ଜଣା ପଡୁ ନଥାଏ । ଶୀତର ପ୍ରକୋପ ବୃଦ୍ଧି ଓ ଟାଙ୍କି ଧରିବା ଅସହ୍ୟ । ବସିବା ଉଠିବା ଓ ହାତ ଚଳପ୍ରଚଳରେ ଯନ୍ତ୍ରଣା । ତେଲ ଥାପିବା ବାମ ହସ୍ତରେ କରୁଥାଏ । ତେଲ ବୋହି ପେଟ ଓ ନାଭି ତଳକୁ ଆସେ । ତାହାକୁ ପୋଛିବାକୁ ହୁଏ । ଖାଲି ଅସ୍ତବ୍ୟସ୍ତତା ଓ ଉଦ୍ବିଘ୍ନତା ବଢିଚାଲେ । ମନକୁ ବିଭିନ୍ନ ଦିଗକୁ ନେବା ଛଡା ଆଉ କିଛି ବାଟ ମିଳୁ ନ’ଥାଏ । ପରିବାର, ଗ୍ରାମ୍ୟ ଜନ, ସବୁ ବନ୍ଧୁ ବାନ୍ଧବଙ୍କୁ ଭାବି ଓ ନିଜ ଜୀବନ ସ୍ରୋତର ବହୁବିଧ ଘଟଣାବଳୀ ଆଦିରେ ମନକୁ ନିବେଶ କରି ଯନ୍ତ୍ରଣାକୁ ବେଖାତିର କରିବାକୁ ଚେଷ୍ଟା କରି ଚାଲିଲେ । କିଛି ଫଳ ମିଳିଲାନି । ଶେଷରେ ବେଶି ସ୍ନେହ କରୁଥିବା ତା’ର ଚାରିଜଣ ଝିଆରୀଙ୍କ କଥା ମନକୁ ପ୍ରବେଶ କଲା । ଭାବିଲେ ଏ ଦୁର୍ଦ୍ଦଶାକୁ ଏକ କ୍ଷୁଦ୍ର କବିତାର ରୂପରେଖ ଦେଇ ଲେଖିବାକୁ । ତାହା ପ୍ରଶ୍ନ ପଚାରିବା ଶୈଳୀରେ ହୋଇଥିବ । ପ୍ରଶ୍ନର ଉତ୍ତର ତ ସେମାନଙ୍କୁ ଜଣା ନଥିବ । ତେଣୁ ଜଣ ଜଣ କରି ସେମାନଙ୍କୁ ଫୋନ୍ କରି ସେ କବିତା ସ୍ୱରରେ ଗାଇ ଶୁଣାଇ ତାହାର ଉତ୍ତର ପଚାରିବ । ସେମାନଙ୍କୁ ନିଜ ସ୍ୱରରେ ଗାଇବାକୁ କହିବ । ଏହି ଭାବରେ ଅନେକ ସମୟ ବିତିଯିବ ଓ ଯନ୍ତ୍ରଣା କଥା ମନରୁ ଦୂରେଇ ଯିବ । ତେଣୁ ସେ କାଗଜ କଲମ ଧରି ବହୁ କଷ୍ଟରେ ତେଢା ଅକ୍ଷରରେ କବିତା ଲେଖିଲେ । ତାହା ଥିଲା ଅସହାୟ ଓ ବ୍ୟାକୁଳ ମନର ଏକ ଦାରୁଣ ପରିପ୍ରକାଶ ଯଥା –
କବିତା -୧
ଛ’ ପୁରି ସାତ ଚାଲିଲା — ଅଧା କଷ୍ଟ ଜାଣ କମିଲା ।
ଯମ ଯନ୍ତ୍ରଣାରେ ଆରତ — ଆଖିରୁ ତତଲା ଲୋତକ ।
ମହାକାଳ ମହା ଦେବତା — ତା’ ହାତରେ ସବୁ ବ୍ୟବସ୍ଥା ।
କହ କହ ଏହା କି ଫଳ — ଜୀବନରେ ହେବୁ ସଫଳ ।
ଚାରିଜଣ ଝିଆରୀ ହେଲେ -(୧) ସାନ ଭାଇର ବଡ ଝିଅ, ଡାକନାମ – ଚନ୍ଦିରୀ, +୨ ଦ୍ୱିତୀୟ ବର୍ଷ । (୨) ସ୍ୱର୍ଗତଃ ସାନ ଭଉଣୀର ଗୋଟିଏ ମାତ୍ର ଝିଅ(ଜ୍ୟେଷ୍ଠ) ଅର୍ଥାତ୍ ଭାଣୀଜି, ଡାକନାମ – ରୁବି, +୩ ଦ୍ୱିତୀୟ ବର୍ଷ । (୩) ସ୍ୱର୍ଗତଃ ଶାଳକର ମଝିଆ ଝିଅ, ଡାକନାମ – ସିନା, +୨ ପ୍ରଥମ ବର୍ଷ । (୩) ସଡୁର ଗୋଟିଏ ମାତ୍ର ଝିଅ(ଜ୍ୟେଷ୍ଠ), ଡାକନାମ – ପୂଜା, ପୂଜନ ଓ ପୂଜୁନିୟା, ଅଷ୍ଟମ ଶ୍ରେଣୀ । ଏହି କ୍ରମରେ ପ୍ରଥମେ ଚନ୍ଦିରୀକୁ ଫୋନ୍ କରି କବିତା ଶୁଣାଇଲେ । କବିତାର ପ୍ରତି ଧାଡିରେ ଚନ୍ଦିରୀ …… ଲୋ ସମ୍ବୋଧନ ଥିଲା । ବିଚରା ସେ କବିତା ଗୀତରେ ଶୁଣାଇଲା ବେଳେ ଆଖି ଲୋତକପୂର୍ଣ୍ଣ ହେଉଥିଲା ଓ କୋହ ଉଠୁଥିଲା । ଅବଶ୍ୟ ଝିଆରୀଟି ଏହାର କିଛି ସୁରାକ ପାଇବାର ଚାନ୍ସ ନ’ଥିଲା । ଦେଖିବାର ନାହିଁ ଜାଣିବ କେମିତି ? ତା’କୁ ପ୍ରଥମେ ଖାତାରେ ଲେଖିବାକୁ କୁହାଗଲା । କିନ୍ତୁ ଏତେ ସହଜ ଓଡିଆକୁ ସେ ସଠିକ୍ ଭାବେ ଲେଖି ପାରିଲା ନାହିଁ । ବିରକ୍ତ ହୋଇ ପୁଣି କବିତା ଦୁଇଥର ଶୁଣାଇଲା ପରେ ସେ ଠିକ୍ କରି ଲେଖିଲା ଓ ପଢି ଶୁଣାଇଲା । ଏବେ ତା’କୁ ସ୍ୱରରେ ଗାଇବାକୁ କହିବାରୁ ସେ ମଧ୍ୟ ଗାଇ ଶୁଣାଇଲା । ଖୁସି ଲାଗିଲା, କିନ୍ତୁ କବିତାର ଅର୍ଥ କହି ପାରିଲା ନାହିଁ ।
ଏହାପରେ ରୁବିର ପାଳି । ଫୋନ୍ କରି କବିତା ଲେଖିବାକୁ ଓ ଗାଇବାକୁ କହିବାରୁ ସେ ମଧ୍ୟ ଲେଖା ଭୁଲ୍ କଲା । ପୁଣିଥରେ ଡାକିବାରୁ ସେ ଠିକ୍ ଲେଖି ଗାଇ ଶୁଣାଇଲା । ତା’ର ସ୍ୱର୍ଗବାସୀ ମା’ ତା’କୁ ‘ରୁବିନା’ ସମ୍ବୋଧନ କରି ନାନାବାୟା ଗୀତ ଗାଇ ଶୁଣାଉଥିଲା । ତେଣୁ କବିତାର ପ୍ରତି ଧାଡିରେ ଅସହାୟ ଅବସ୍ଥାରେ ପଡିଥିବା ତା’ର ମାମୁଁ ମଧ୍ୟ ‘ରୁବିନା ….. ଲୋ’ ବୋଲି ସମ୍ବୋଧନ କରିଥିଲେ । ଗୀତ ଶୁଣି ତା’ ମନ ଆନନ୍ଦିତ ହେଲା, ଅଥଚ କବିତାର ଅର୍ଥ କହିପାରିଲାନି । ଏହାପରେ ସ୍ୱର୍ଗତଃ ଶାଳକର ଝିଅ ‘ସିନା’ – ସାର୍ଟିଫିକେଟ୍ ନାମ ହେଉଛି ସଂଜ୍ଞା ସରିତା । ଏ ନାମ ଦେବା ବାବଦରେ ଆଲୋଚନା କଲେ ଗୋଟିଏ ପୋଥି ହେବ । ତେଣୁ ସେ ଦିଗକୁ ନ’ଯାଇ ବର୍ତ୍ତମାନକୁ ଦୃଷ୍ଟି ଦେବାକୁ ଇଛା ହୁଏ । ଯେହେତୁ ‘ସଂଜ୍ଞା’ କହିବାକୁ ସରଳ ହୁଏନି ତେଣୁ ସ୍ନେହରେ ତା’କୁ ସେ ‘ସଙ୍ଗା ସରିତା’ ଡାକି ଖୁସି ହୁଅନ୍ତି ଓ ଝିଆରୀଟି ପିଉସାର ମଧୁର ଡାକରେ ମଧ୍ୟ ଖୁସି ହୁଏ । ସେଥିପାଇଁ କବିତାର ପ୍ରତି ଧାଡିରେ ‘ସଙ୍ଗା ସରିତା ….. ଲୋ’ ସମ୍ବୋଧନ ଯୁକ୍ତ କରି ଫୋନ୍ରେ ଡାକି ତା’କୁ ଲେଖିବାକୁ କହିଲେ । କିନ୍ତୁ ପାଞ୍ଚଥର ଡାକିକି ବି ସେ ଠିକ୍ ଲେଖିଲା ନାହିଁ । ବିରକ୍ତ ହୋଇ ଶେଷରେ – କେମିତି ମ୍ୟାଟ୍ରିକ୍ ପାସ୍ କଲୁ ଆଦି କହିବାରୁ ସେ ଟାଣିଟୁଣି ହୋଇ କବିତା ଯାହା ଲେଖିଥିଲା ଡରେମରେ ଗାଇଲା । ଏପଟରେ କବିତା ଭୁଲ୍ ପୁଣି ସ୍ୱର ସତେକି କୋକିଳର ମଳଦ୍ୱାର ଖୋଲିଲାକି ଆଉ ! ଏଥିରେ ଖୁସିର ହସ ଓ ଆଉ ଏକ ସ୍ୱାଦର ଆନନ୍ଦରେ ସମୟ ବିତିଲା । ଶେଷରେ ଆସିଲା ପୂଜା । ତା’କୁ ଫୋନ କରି ଓ ତା’ପାଇଁ ପ୍ରତି ଧାଡିରେ ‘ପୂଜନ ……… ଲୋ” ବୋଲି ସମ୍ବୋଧନ କରି କବିତା ଲେଖିବାକୁ କହିବାରୁ ସେ ଥରକରେ ସବୁ ଠିକ୍ ଲେଖି ସ୍ୱରରେ ଗାଇ ଶୁଣାଇଲା । ସେ ପୁଣି ଅଷ୍ଟମ ଶ୍ରେଣୀର ଛାତ୍ରୀ । କବିତାର ଅର୍ଥ ଦୁଇ ତିନି ପ୍ରକାରର କହିଲା । ସବୁ ଭୁଲ୍ ହେଲା । କେମିତି ନ’ହେବ । ଏହା ତ ଏକ ସତ୍ୟ ଘଟଣାର ପରିଭାଷା । ସେମାନେ ଆକ୍ଷରିକ ଅର୍ଥ ଆଦୌ କହି ପାରିବେ ନାହିଁ । ଏହା କେବଳ କଷ୍ଟକର ଯନ୍ତ୍ରଣାରୁ କିଛି ସମୟ ପାଇଁ ମୁକ୍ତି ନିମିତ୍ତ ସମୟ ବିତାଇବାର ଚେଷ୍ଟା । ପ୍ରାୟ ଅଧା ଘଣ୍ଟା କାଳ ଏଥିରେ ମନ ନିବେଶ ରହିବାରୁ ଓ ତାହାର ପ୍ରଭାବ ଲାଗି ରହିଥିବାରୁ ନିଶ୍ଚିତ ରୂପେ ଔଷଧ ଭଳି କାମ ଦେଲା ଓ ଆଗକୁ ମଧ୍ୟ ଦେବ । ଏ ସମୟ ବିତାଇବା ଖେଳ ନିଜ ସ୍ତ୍ରୀ ଓ ଦୁଇ ପୁଅଙ୍କ ସହ ନ’ଖେଳିବାର କାରଣ ଏହିକି ଯେ, ସେମାନେ ସ୍ୱାମୀ ଅଥବା ବାପାଙ୍କ କଣ୍ଠସ୍ୱରରୁ କ’ଣ ଗୋଟିଏ ଭୟଙ୍କର ଘଟଣା ଘଟିଥିବାର ଅନୁମାନ କରିନେବେ । କାରଣ ପିଲାମାନେ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ଓ ସ୍ତ୍ରୀ ତ ସଠିକ୍ ଭାବେ ଅନୁମାନ କରିନେବ । ଯେହେତୁ ଏ କ୍ଷୁଦ୍ର କବିତାଟି ଅନ୍ତରର ବୁକୁଫଟା ଚିତ୍କାର ଥିଲା ଓ କହିବା ସମୟରେ କଣ୍ଠସ୍ୱରରେ ରୁଦ୍ଧତା ଆସୁଥିଲା, ତେଣୁ ସବୁଠୁ ଅତି ନିଜର ଲୋକମାନେ ଠିକ୍ ଠଉରାଇ ନେବେ । ଫଳରେ ସତ୍ୟ ଜାଣିନେଲେ ପାରିବାରିକ ସନ୍ତୁଳନତାରେ ବ୍ୟାଘାତ ସୃଷ୍ଟି ହେବ । ଯେତେ ସତର୍କ ରହି କବିତାଟି ଏମାନଙ୍କୁ କହିଲେ ବି ସେ ଧରା ପଡିଯିବେ, କାରଣ ସେ ପରିସ୍ଥିତିରେ କଣ୍ଠକୁ ଆୟତ୍ତ କରିହେଉ ନ’ଥିଲା । ଏହାହିଁ କାରଣ ଥିଲା ସେମାନଙ୍କୁ ନ’ଜଣାଇବାର । କିନ୍ତୁ ଏ ଝିଅ ମାନେ କିଛି ଠଉରାଇ ପାରିବେନି ବୋଲି ସେମାନଙ୍କ ସହ ବାର୍ତ୍ତାଳାପରେ ସମୟ ବିନିଯୋଗ କରାଗଲା ଓ ତତ୍ସଂଲଗ୍ନ ପରିବେଶରେ ସନ୍ତୁଳନତା ବଜାୟ ରହିଲା ।
ରାତି ଦଶଟା । ରଖିଥିବା ଖାଦ୍ୟକୁ ଅନେକ ପ୍ରକାର ପ୍ରକ୍ରିୟାକୁ ପ୍ରୟୋଗ ପୂର୍ବକ ଖାଇବାକୁ ପଡିଲା । କାରଣ ବସିବା, ଉଠିବା, ନଇଁବା, ହାତ ଚଳାଇବା ……. ଇତ୍ୟାଦି ଯେ କୌଣସି ହଲ୍ଚଲ୍ ଟାଙ୍କି ଧରିବାର ଯନ୍ତ୍ରଣାକୁ ଅତିଷ୍ଠ କରୁଥିଲା । ଅତି କଷ୍ଟ ଓ ନିଜର ପ୍ରୟୋଗାତ୍ମକ ଜ୍ଞାନ ସାହାଯ୍ୟରେ ଖଟ ଉପରେ ପ୍ରବଳ ଶୀତରେ ପୂର୍ବ ରାତି ପରି ସମୟ କଟାଇବାକୁ ପଡିଲା । ତେବେ ସାଧାରଣତଃ ପ୍ରତିଦିନ ରାତି ନ’ଟାରୁ ଦଶଟା ଭିତରେ ପିଲା ଓ ସ୍ତ୍ରୀ ସହ କଥା ହୋଇ ସେ ଶୋଇବାକୁ ଯାଏ । ତେବେ ଘଟଣା ଘଟିବାର ସାତଦିନ ଧରି ସେ ମନକୁ ଦୃଢ କରି ସାଧାରଣ ଭାବେ କଥା ହୁଏ ଓ ସେମାନେ ଘଟଣା ସମ୍ବନ୍ଧୀୟ ସୂରାକ ପାଇପାରନ୍ତି ନାହିଁ । ରାତି ପାହିବା ପୂର୍ବରୁ ଉଠି ନିତ୍ୟକର୍ମ ଧିରେ ଓ ସତର୍କରେ କରିବାକୁ ହୁଏ । ଯେଉଁ ଯାଗାରେ ରେଜେଇ, ଯୋଡା କମ୍ବଳରେ ବି ଶୀତ ସମ୍ଭାଳି ହୁଏନି, ସେଠାରେ ଶରୀରର ମଧ୍ୟ ଭାଗରୁ ଅଧା ଅଂଶ ଖୋଲାରଖି ବଞ୍ଚି ରହିବା କେବଳ ଈଶ୍ୱରୀୟ ଚିନ୍ତନ ଓ ନିତିଦିନିଆ ଶ୍ଳୋକାବୃତ୍ତି ସହ ସଭିଙ୍କ ମଙ୍ଗଳ କାମନା ଯୋଗାଇ ଥାଏ ଜାଗତିକ ଶକ୍ତି । ଏହା ସମ୍ପୂର୍ଣ୍ଣ ସତ୍ୟ ଓ ଏଥିରେ ଟିକିଏ ମଳି ଧୂଳି ନାହିଁ । ଲଗାତର ଅନିନ୍ଦ୍ରାର ପ୍ରଭାବ ଘାରୁଥିଲେ ବି ଘା’ ଶୁଖିବା ସମୟରେ ଶରୀର ଓ ମନରେ ଘଟାଉଥିବା ତାଣ୍ଡବଲୀଳା ସବୁକୁ ଈଶ୍ୱରୀୟ ଚିନ୍ତନ ବାଏଁ ବାଏଁ ଉଡାଇ ଦେଉଥିଲା ।
ବୁଧବାର
ପୂର୍ବ ଦିନ ସକାଳ ଖାଦ୍ୟ ନ’ ଆଣିବାକୁ ବନ୍ଧୁଙ୍କୁ ଅନୁରୋଧ କରିଥିଲେ ଓ କହିଥିଲେ ସକାଳ ପାଇଁ ଚୂଡା ଅଛି । କିଛି ଅସୁବିଧା ହେବନି । ଅନେକ ବୁଝାଇ ତା’ଙ୍କୁ ମଙ୍ଗାଇବାକୁ ପଡିଥିଲା । କିଛି ତ ଅଧିକ ପରିଶ୍ରମରୁ ସେମାନଙ୍କୁ ଲାଘବ ମିଳିବ ! ତେଣୁ ସେ ଚୂଡା ସହ ଟମାଟୋ ଖାଇ ନାଲିଚାହା ପିଇଲେ । ସେଦିନ ତା’ଙ୍କ ଘରୁ ଆସିଥିଲା – ଭାତ + ତରକାରୀ(କୋବି, ଆଳୁ ଓ ଟମାଟୋ) + ଅଣ୍ଡା ଆମ୍ଲେଟ୍ । ମନର ଦିବ୍ୟ ଜାଗତିକ ଚେତନାକୁ ଦୃଢ ରଖି ପୂର୍ବ ଦିନ ପରି ରାତି ବିତେ । ଘା’ ଟାଙ୍କି ଧରିବାର କଷଣକୁ ଦୂର କରିବାର ପ୍ରଚେଷ୍ଟା ଜାରି ରହିଥାଏ । ଏଥିପାଇଁ ଦେବାଦେବୀଙ୍କ ମନ୍ତ୍ର ନିରବରେ ବାରମ୍ବାର ଉଚ୍ଚାରଣ କରିବାକୁ ପଡୁଥିଲା ଓ ତାହାହିଁ ଥିଲା ଏକ ଚରମ ମାର୍ଗ ।
ରାତିରେ ପ୍ରବଳ ଶୀତ । ଖଟ ଉପରେ ପଡିରହି ନିଜ ମନକୁ ପାରିପାର୍ଶ୍ୱିକ ପରିବେଷ୍ଟନୀରୁ ଉର୍ଦ୍ଧ୍ୱରେ ରଖି ସବୁ ପ୍ରକାର କଷ୍ଟରୁ ବଞ୍ଚିବାର ରାହା ଖୋଜା ଚାଲେ ଓ ଏହା ମଧ୍ୟରେ ରାତି ସାଢେ ତିନିଟା ପାଖାପାଖି ହୋଇଯାଏ । ସେହି ରାତିରେ ଚତୁର୍ଦ୍ଦିଗରୁ ନାରୀ କଣ୍ଠରୁ ରହି ରହି ଭାସିଆସେ ହୁଳହୁଳି ଶବ୍ଦ । କାରଣ ମାର୍ଗଶୀର ମାସର ଏ ପହିଲି ଗୁରୁବାର ଆରମ୍ଭ ପ୍ରାୟ । ଏ ହୁଳହୁଳି ଶବ୍ଦ କାନରେ ଗୁଞ୍ଜରଣ ସୃଷ୍ଟି କରି ଭାବନାର ଦିଗ ବଦଳିବାକୁ ଲାଗିଲା । ଭିନ୍ନ ଭିନ୍ନ ନାରୀଙ୍କ ହୁଳହୁଳି ସ୍ୱରର ଭିନ୍ନତାକୁ ନେଇ ସେ ସେମାନଙ୍କର ସମ୍ବନ୍ଧରେ ଭାବିବାକୁ ଲାଗିଲେ । ଯିଏ ଦୀର୍ଘ ସମୟ ବ୍ୟାପି ହୁଳହୁଳି ପକାଉଛି, ସେ ନିଶ୍ଚୟ ସୁସ୍ଥ ଓ ସବଳ ନାରୀ ହୋଇଥିବ । ପୁଣି ସେଥି ମଧ୍ୟରୁ ଯାହାର ସ୍ୱର ମଧୁର ଶୁଭୁଥିବ, ସେ ସାତ୍ତ୍ୱିକବ୍ରତୀ ଅର୍ଥାତ୍ ସମ୍ପୂର୍ଣ୍ଣ ନିରାମିଷାସୀ ଓ ଯାହାର ସ୍ୱର ମୋଟା ଓ କର୍କଶ ଶୁଭୁଥିବ ସେ ସମ୍ପୂର୍ଣ୍ଣ ଆମିଷାସୀ ହୋଇ ଥାଇପାରନ୍ତି । ଯାହାର ହୁଳହୁଳି ନାଦ ମଧୁର, କିନ୍ତୁ ଖୁବ୍ କମ୍ ସମୟରେ ଖତମ ହୋଇ ଯାଉଥିବ, ସେ ପ୍ରାୟ ନିରାମିଷାସୀ ଓ ରୁଗ୍ଣା ହୋଇଥିବ । ତେବେ ଏ ସବୁର ମଝିରେ ଯେଉଁମାନେ ରହିଲେ, ସେମାନେ ମିଶାମିଶି କିସମର ହୋଇଥିବେ ନିଶ୍ଚୟ । ପାଇଲେ ମାଛ, ମାଂସ ଓ ଅଣ୍ଡା ଧୂମ୍ ଖାଇବେ ଓ ନ’ପାଇଲେ ନାହିଁ । କାରଣ ଦିନ ତ ବୁଧବାର ଥିଲା । ଏବେ ସିନା ରାତିର ଶେଷ ପ୍ରହର । ତେଣୁ ଦିନତ ଆଇଁଷିଆ ବୁଧବାର । ଘର ଆମିଷର କୌଣସି ନା କୌଣସି ରୂପର ସମ୍ଭାରରେ ଘର ମୁଖରିତ ହୋଇଉଠିଥିବ । ପୁନଃ ଯେଉଁ ମାନେ ଆର୍ଥିକ ଅନାଟନରେ ରହିଥିବେ ଓ ଆମିଷ କିଣି ଖାଇ ପାରି ନଥିବେ, ସେମାନଙ୍କ ମନ ଊଣା ହୋଇଥିବ । ଫଳରେ ଦୁଃଖିନୀର କଣ୍ଠରୁ ଭାସି ଆସୁଥିବା ହୁଳହୁଳି ଶବ୍ଦ କରୁଣ ହେବା ସ୍ୱାଭାବିକ । ଦୁଃଖ ହିଁ ସ୍ୱରରେ କରୁଣତା ଓ ମଧୁରତା ସୃଷ୍ଟି କରିବାର କାରଣ ଅଟେ । ଯଦିଓ ସେମାନେ ଅତି ଦୁର୍ବଳ ବା ଅତି ସବଳ ହୋଇ ନଥିବେ, ତେଣୁ ହୁଳହୁଳିର ବ୍ୟାପକତା ମଝି ମଝିକିଆ ହୋଇଅଛି । ସେହିପରି ଦିନବେଳା ଯିଏ ଆମିଷ ଭକ୍ଷଣ କରିଛି, କିନ୍ତୁ ତା’ର ଚରମ ସୀମା ଯାଏ ନୁହେଁ, ତାହାର ମନରେ ଅସନ୍ତୁଷ୍ଟତା ଭରି ରହିଥିବ । ତେଣୁ ସ୍ୱର କର୍କଶ ହୁଏ ଓ ଦୀର୍ଘ ସମୟ ଯାଏ ହୁଳହୁଳି ପକାଇ ପାରେ ନାହିଁ । କାରଣ ଦିନବେଳା ତା’ ପାଇଁ ଖାଦ୍ୟ କମିଯାଇଥିଲା । ଧିରେ ଧିରେ ଏକ ସମୟରେ ଅନେକ କଣ୍ଠରୁ ଉଦ୍ଗତ ହୁଏ ଦିବ୍ୟ ହୁଳହୁଳି ଶବ୍ଦ ଓ ତା’ ସହ ଶଙ୍ଖ ନାଦ । ଏ ସବୁର ମିଶାମିଶି ପ୍ରଭାବ ମନକୁ ବି ମିଶାମିଶି କରାଏ । କେତେବେଳେ କର୍କଶ କଣ୍ଠ ଗୁଡିକର ପ୍ରଭାବ ଅଧିକ ତ ପୁଣି କେଉଁ ସମୟରେ ମଧୁରତା କିମ୍ବା ମଧୁରତା – କର୍କଶତା ସମାନ ସମାନ । ପରନ୍ତୁ ସେଦିନ ମଧୁରତାର ସ୍ୱାଦ ଅଧିକ ଥିଲା । ଏହା ସପ୍ତସ୍ୱର – ସା, ରେ. ଗା, ମା, ପା, ଧା, ନି’ର ଏକ ମିଶ୍ରିତ ପରିସ୍ଫୁଟତା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ମଧୁରତାର ମାତ୍ରା କ’ଣ ପାଇଁ ଅଧିକ ଥିଲା ? ହୋଇପାରେ ସ୍ଥାନ(Space) ଓ ସମୟ(Time)ର ପ୍ରଭାବ । ସମୟ ରାତି ସାଢେ ତିନିରୁ ପାଞ୍ଚଟା । ଏହାକୁ ମାହେନ୍ଦ୍ର ବା ଅମୃତ ବେଳା କୁହାଯାଏ । ଏ ସମୟରେ କିମ୍ବା ପୂର୍ବରୁ ଶଯ୍ୟା ତ୍ୟାଗକରି ନିତ୍ୟକର୍ମ ସାରିଲେ ମାନବ ରୋଗମୁକ୍ତ ଓ ଦୀର୍ଘାୟୁ ହୁଏ । ଏମାନେ ଯୋଗୀ ଶ୍ରେଣୀୟ ଓ କଣ୍ଠ ଦେଶରେ କଫ ସୃଷ୍ଟି ହୁଏନାହିଁ, ଅର୍ଥାତ୍ ସ୍ୱର ପରିଷ୍କାର ରହେ । ପୁନଃ ସ୍ଥାନର ପ୍ରଭାବ ହୋଇପାରେ ଯେ, ତାହା ଓଡିଶାର ଦାକ୍ଷିଣାତ୍ୟ ତଥା ତ୍ରେତୟା ଏବଂ ଦ୍ୱାପରରେ କୁହାଯାଉଥିବା ଦଣ୍ଡକାରଣ୍ୟ ଅଞ୍ଚଳର ଅଂଶ ଭୁକ୍ତ । ଖଟା ଓ ଲଙ୍କା ଏଠାରେ ପ୍ରାୟ ଦୈନନ୍ଦିନ ଖାଦ୍ୟ ସମ୍ଭାରରେ ଏକ ଅପରିହାର୍ଯ୍ୟ ଭାଗିଦାରୀ । ଏଥିରେ ଭିଟାମିନ୍ ସି’ର ମାତ୍ରା ଅଧିକ ଓ ଏହାର ପ୍ରଭାବରେ କଣ୍ଠସ୍ୱର ଲାବଣ୍ୟତା ଆକର୍ଷଣୀୟ ହୋଇଥାଏ । ତେଣୁ ନାରୀର କଣ୍ଠସ୍ୱର ପଞ୍ଚମକୁ ଛୁଏଁ । ଏତାଦୃଶ ସ୍ଥାନ – କାଳର ପ୍ରଭାବ ଓ ସାତ୍ତ୍ୱିକ ବ୍ରତୀ ନାରୀର ସଠିକ୍ ଭାବେ ଜିଭ ସଞ୍ଚାଳନ ହେବା ଦ୍ୱାରା ସ୍ୱର ସରଳ ଓ ସୁନ୍ଦର ହୁଏ । ଧନ୍ୟ ସେ ଭାରତୀୟ ନାରୀ, ଯିଏ ନିଜକୁ ତିଳ ତିଳ କରି ଜାଳି ପରିବାର ଓ ପରିବେଶରେ ଏତାଦୃଶ ଦିବ୍ୟ ବାରି ସିଞ୍ଚନ କରୁଛି । ଦୁଃଖ ଓ ପରିତାପର ବିଷୟ ଏହି ଯେ, ଏବେ ବି ନାରୀ ଆଜି ସମାଜରେ ବହୁରୂପୀ ଅତ୍ୟାଚାରର ଶୀକାର ହୋଇ ନ୍ୟାୟ ପାଇଁ କରୁଣ ଚିତ୍କାର କରୁଛି ! ବିଚରା କର୍ତ୍ତା ନିଜକୁ ଧନ୍ୟ ମନେ କରୁଛି ଯେ, ନିଜ ଜୀବନର କଳାଦାଗ ରୂପୀ ନର୍କ ଯନ୍ତ୍ରଣାକୁ ସେ ଦୀର୍ଘ ସମୟ ବ୍ୟାପି ସମ୍ପୂର୍ଣ୍ଣ ଭାବେ ଭୂଲି ଯାଇଛନ୍ତି । ଏହାର କାରଣ ହେଉଛି ମାଣବସା ଗୁରୁବାର ଓ ବ୍ରାହ୍ମ ମୁହୂର୍ତ୍ତରେ ହୁଳହୁଳି ଧ୍ୱନି । ସେ ପୁଣି ଭାବୁଛନ୍ତି ଯେ, ଫୂଟନ୍ତା ପାଣି ନାଭି ମଣ୍ଡଳକୁ ଛୁଇଁବା ପାଇଁ ପ୍ରାୟ ଏକ ଇଞ୍ଚ ଦୂରତା ବାକି ଥିଲା । ପୁନଃ ନାଭି ଓ ତା’ ତଳକୁ ଫୂଟନ୍ତା ପାଣି ବୋହି ଯାଇ ଥିଲେ, ଯନ୍ତ୍ରଣାର ମାତ୍ରା ଓ ଅବସ୍ଥା ଅସମ୍ଭାଳ ଥାଆନ୍ତା । ତେଣୁ ସେ ହଠାତ୍ ଈଶ୍ୱରଙ୍କୁ ସ୍ମରଣ କରି କହିଲା – ହେ ପ୍ରଭୁ ! ତୁମ ନାଭି ମଣ୍ଡଳରୁ ବ୍ରହ୍ମା ଜାତ ହୋଇଥିଲେ । ନାଭି ଚକ୍ର ଯୋଗ ପ୍ରକ୍ରିୟାରେ ପ୍ରତିଦିନ ସକାଳେ ମଳତ୍ୟାଗ ପରେ ଚିତ୍ ଶୋଇ ନାଭିରେ ଦୁଇ ହାତର ବିଷି ଓ ବୁଢା ଆଙ୍ଗୁଳି ଅଗକୁ ଯୋଡି ନାଭି ଉପରେ ଚାପ ଦେଇ ୯’ଥର ଘଣ୍ଟା କଣ୍ଟା ଦିଗରେ ଓ ପୁଣି ଓଲଟା ଦିଗରେ ଘୁରାଇଲେ ମଳତ୍ୟାଗ ସମୟରେ ଯନ୍ତ୍ରଣା ଓ ଲାଳ ପଡିବା ବନ୍ଦ ହୋଇଯାଏ । ତେଣୁ ଏ ପବିତ୍ର ନାଭି ଚକ୍ର ରକ୍ଷା ପାଇ ଯାଇ ଥିବାରୁ ତା’ଙ୍କୁ ସେ କୋଟିକୋଟି ପ୍ରଣାମ ଜଣାଇଲେ ।
ଗୁରୁବାର
ସକାଳୁ ସକାଳୁ ଶୀତର ପ୍ରକୋପ ଯେମିତି ଭୟଙ୍କର ଥିଲା, ଯନ୍ତ୍ରଣାର ଅତିଷ୍ଠତା ମଧ୍ୟ ପ୍ରବଳ ହେଉଥିଲା । ଏପରିକି ନିତ୍ୟକର୍ମ, ରୁମ୍ ଝାଡୁ ମାରିବା, ବସ୍ତ୍ର ବଦଳାଇବା ଆଦିରେ ଶରୀର ଚାଳନା ସମ୍ପୂର୍ଣ୍ଣ ଅସମ୍ଭବତା ଯୋଗୁ ଭୟ ଓ ବିଚଳିତ ମନରେ ସେ କ’ଣ କରିବେ ଜାଣି ପାରିଲେ ନାହିଁ । ଟିକିଏ ମାତ୍ର ନଇଁବା ବି ଅସମ୍ଭବ ହେଉଥିଲା । ଇଏ କି ଭୟଙ୍କର ଅବସ୍ଥା ! ଏଥିରୁ କ’ଣ ସତରେ ନିସ୍ତାର ମିଳିବ ! କେହି ତ ପାଖରେ ନାହାନ୍ତି । ବିଭିନ୍ନ ଉପାୟ ମନକୁ ଆସିଲା, କିନ୍ତୁ ସବୁରେ ଅସଫଳ ହେଲେ । ଯେଉଁଦିନ ଗରମ ପାଣି ଛାତିରେ ଢାଳି ହୋଇ ଗଲା ପରେ ସେ ଡହଳ ବିକଳ ହୋଇ ପ୍ରଥମେ ତରବରରେ ଡ୍ରେସ୍ ଶୀଘ୍ର ଖୋଲି ନ’ପାରିବାରୁ ବାଧ୍ୟ ହୋଇ ଗାଧୁଆ ଘରକୁ ଧାଇଁଥିଲା ଓ ଡ୍ରେସ୍ ଉପରେ ପାଣି ଢାଳିବାକୁ ଲାଗିଲା । ତା’ପରେ ଧିରେ ଡ୍ରେସ୍ ଖୋଲିବା ବେଳେ ସିଝା ଯାଗାରୁ ମାଂସ ଛାଲି ହୋଇ ଧଳା ଦେଖାଗଲା । ଘା’ର ଯନ୍ତ୍ରଣାରେ ସେ ଅତିଷ୍ଠ ହୋଇ କ’ଣ କରିବ ଓ କ’ଣ ନ’କରିବ ତାହା ଭାବି ପାରୁ ନ’ଥିଲା । ହଠାତ୍ ବନ୍ଧୁଟିକୁ ଫୋନ୍ କରି ତଳକୁ ଧାଇଁଲେ ଓ ପୁଣି ଉପରକୁ । ବନ୍ଧୁଟି ଦେବଦୂତ ପରି ପହଞ୍ଚିବାରୁ ବିଚରା ବଞ୍ଚିଗଲେ । ଏ କଥା ଭାବି ସେ ଧୈର୍ଯ୍ୟହରା ନ ହୋଇ ଯୁକ୍ତାତ୍ମକ ମନୋଭାବ ସହ ଟାଙ୍କି ଧରିବା କଷ୍ଟରୁ ତ୍ରାହି ନିମିତ୍ତ ଜୀବନକାଳ ମଧ୍ୟରେ ଘଟିଥିବା ଅତି ହୃଦୟସ୍ପର୍ଶୀ ଘଟଣା ଗୁଡିକୁ ଚିନ୍ତା କରିବାକୁ ଲାଗିଲେ । ସବୁରେ ଅସଫଳ ହେଲେ । ଏହାମଧ୍ୟରୁ ଠିକ୍ ଶେଷକୁ ନିଜ ଛୁଆଙ୍କ କଥା ମନେ ପଡିଲା । ବଡପୁଅ ସେତେବେଳେ ନର୍ସରୀ କ୍ଲାସ୍ରେ ପଢୁଥିଲା ଓ ସ୍କୁଲ୍ର ବାର୍ଷିକ ଉତ୍ସବରେ ସେ ନର୍ସରୀ ଅନ୍ତ୍ୟାନୁପ୍ରାସ ବା ଧ୍ୱନିମେଳ(Nursery Rhyme) ଗ୍ରୁପ୍ ଡ୍ୟାନ୍ସ୍(Group Dance)ରେ ଭାଗନେଇଥିଲା । ରାଇମ୍ସଟି ଥିଲା –
One Two Buckle my shoe – ଶୁଣିବା ମାତ୍ରେ ପିଲାମାନେ ଗୋଡ ଦୁଇଟିକୁ ସିଧା ରଖି ତଳକୁ ନଇଁ ଦୁଇ ହାତ ଆଙ୍ଗୁଳିକୁ ନିଜେ ପିନ୍ଧିଥିବା ବୁଟ୍କୁ ଛୁଇଁବେ ।
Three Four Shut the door – ଶୀଘ୍ର ପୁର୍ବ ଅବସ୍ଥାକୁ ଆସି ଓ ଟିକିଏ ଆଗକୁ ଯାଇ କବାଟ ବନ୍ଦ୍ କରିବାର ଅଭିନୟ କରିବେ ।
Five Six Put up the sticks – ପୁନଃ ଦୁଇ ଗୋଡ ସିଧା ରଖି ଓ ତଳକୁ ନଇଁ କାଠି ବିଡା ଧରି ଊଠେଇ ଆଣିବାର ଭଙ୍ଗୀ ।
Seven Eight Lay them Straight – ପୁଣି ତଳକୁ ନଇଁ ଦୁଇ ହାତ ଦ୍ୱାରା ଭୂମି ଉପରେ କାଠି ଗୁଡିକ ସଜାଇ ରଖିବାର ନାଟକ କରିବା ।
Nine Ten A big fat hen – ଦୁଇ ହାତକୁ ମୁଠା କରି ଓ ପାର୍ଶ୍ୱକୁ ସିଧା ସମାନ୍ତରାଳ କରି ଲମ୍ବାଇ ଏବଂ ପେଟ ଫୁଲାଇବା ଠାଣିରେ ଉଠ୍ ବସ୍ ହେବା ।
Nine Ten A big fat hen – ଦୁଇ ହାତକୁ ମୁଠା କରି ଓ ପାର୍ଶ୍ୱକୁ ସିଧା ସମାନ୍ତରାଳ କରି ଲମ୍ବାଇ ଏବଂ ପେଟ ଫୁଲାଇବା ଠାଣିରେ ଉଠ୍ ବସ୍ ହେବା ।
Nine Ten A big fat hen – ଦୁଇ ହାତକୁ ମୁଠା କରି ଓ ପାର୍ଶ୍ୱକୁ ସିଧା ସମାନ୍ତରାଳ କରି ଲମ୍ବାଇ ଏବଂ ପେଟ ଫୁଲାଇବା ଠାଣିରେ ଉଠ୍ ବସ୍ ହେବା ।
ଯେହେତୁ ଏ ଧାଡି ଉଠ୍ ବସ୍ ସହ ଯୋଡା ଯାଇଛି, ତେଣୁ ପ୍ରଦର୍ଶନଟି ସୁନ୍ଦର ଲାଗିବା ନିମିତ୍ତ ତିନିଥର ଏହା କୁହାଯାଏ ଓ ତିନିଥର ପିଲା ତାହା ପ୍ରଦର୍ଶନ କରନ୍ତି । ଶେଷ ଧାଡିଟିକୁ ତିନିଥର କହି ଗ୍ରୁପ୍ ଡ୍ୟାନ୍ସ୍ ସମାପ୍ତ କରାଯାଉଥିଲା । ସ୍କୁଲ୍ର ବାର୍ଷିକ ଉତ୍ସବର କିଛି ଦିନ ପୂର୍ବରୁ ମଞ୍ଚରେ ନାଚ, ଗୀତ ଆଦି ଭଲଭାବେ ପ୍ରଦର୍ଶନ କରିବା ନିମନ୍ତେ ଶେଷ ପିରିୟଡ୍ରେ ଭିନ୍ନ ଭିନ୍ନ କ୍ଲାସ୍ ପାଇଁ ଉଦ୍ଦିଷ୍ଟ ସାଂସ୍କୃତିକ କାର୍ଯ୍ୟକ୍ରମର ଦାଇତ୍ୱରେ ଥିବା ସାର୍ ଓ ମ୍ୟାଡାମ୍ ମାନେ ପିଲାମାନଙ୍କୁ ନେଇ ଅଭ୍ୟାସ କରାଇଥାନ୍ତି । ପିଲାଙ୍କୁ ଆଣିବାକୁ ଯାଇଥିବା ଅଭିଭାବକ ମାନେ ନିଜ ପିଲାର ପ୍ରଦର୍ଶନ ଦେଖନ୍ତି । ଯାହାର ପିଲା ଉତ୍ତମ ପ୍ରଦର୍ଶନ କରେ, ନିଶ୍ଚିତ ରୂପେ ପିତୃ ଓ ମାତୃ ହୃଦୟ ଆନନ୍ଦରେ ଗଦ୍ଗଦ୍ ହୋଇଉଠୁଥାଏ । ଯିଏ ଭଲ ପ୍ରଦର୍ଶନ କରି ପାରେନି, ତା’ର ଡାଡି ଓ ମମିଙ୍କ ମନ ଆମ୍ବିଳା ହେବା ସ୍ୱାଭାବିକ । ତେବେ କିଛି ଅହଂକାରୀ ଗଦ୍ଗଦିଆ ଅଭିଭାବକ ଆମ୍ବିଳିଆ ମାନଙ୍କୁ ତା’ଙ୍କ ଛୁଆ ଗବା କହିବାକୁ ମଧ୍ୟ ପଛାନ୍ତି ନାହିଁ ।
ବର୍ତ୍ତମାନ କର୍ତ୍ତା ନିଜ ବଡ ପୁଅ କଥା ଭାବୁଛନ୍ତି । ସିଏ ତ ତାଙ୍କ କ୍ଲାସ୍ରେ ସବୁଠୁ ସୁସ୍ଥ ଓ ସବଳ, କିନ୍ତୁ ବୟସ ତୁଳନାରେ ଟିକିଏ ମୋଟା ହୋଇଯାଇଛି । ତେଣୁ ସେ କେମିତି ପ୍ରଦର୍ଶନ କରୁଛି ତାହାକୁ ବାପା ତ ନିରୀକ୍ଷଣ କରିବେ ନିଶ୍ଚୟ । ସେ ଧ୍ୱନି ମେଳକୁ ଜଣେ ଭଲ କଣ୍ଠସ୍ୱର ଥିବା ମ୍ୟାଡାମ୍ ଉଚ୍ଚଭାଷ୍ୟ ଯନ୍ତ୍ରରେ ଗାଇବାକୁ ଆରମ୍ଭ କଲା ମାତ୍ରେ ପିଲାମାନେ ନିର୍ଦ୍ଦେଶାନୁଯାୟୀ ଅଭିନୟ କରନ୍ତି । ତେବେ ସାମ୍ନାରେ ଆଉ ଜଣେ ମ୍ୟାଡାମ୍ ନିର୍ଦ୍ଦେଶ ଦିଅନ୍ତି ଓ ପିଲାର ଭୂଲ୍କୁ ଠିକ୍ କରାନ୍ତି । କର୍ତ୍ତା ଦେଖନ୍ତି ନିଜ ପିଲାର ପ୍ରଦର୍ଶନ । ଯେହେତୁ ଟିକେ ମୋଟା, ତା’ର ପ୍ରଦର୍ଶନ ସଭିଙ୍କଠୁ ପଛରେ ସରେ । କିନ୍ତୁ ଶେଷ ଧାଡି ବେଳକୁ ସେ ପୂରା ଉଠ୍ ବସ୍ କରି ନ’ପାରି ଅଧାଳିଆରେ ସମାପ୍ତ କରେ । କାରଣ ସମ୍ପୂର୍ଣ୍ଣ ରୂପେ ଚଟାପଟ୍ ଗୋଇଠି ଦ୍ୱୟ ଉପରେ ବସି ତତ୍କ୍ଷଣାତ୍ ଉଠି ସିଧା ଠିଆ ହେବା ଓ ଏହାର ପୁନରାବୃତ୍ତି ପ୍ରକ୍ରିୟା ତିନି ଥର ଯାଏ ଗୀତ ସହ ତାଳଦେଇ ଅଭିନୟ କରିବା ତା’ ପାଇଁ କଷ୍ଟକର ହୁଏ । ତେଣୁ ଗ୍ରୁପ୍ରେ ନିଜ ପିଲାର ଠାଣି ବାପାଙ୍କୁ ଭାରି ମଜା ଲାଗେ ଓ ତାଙ୍କ ମନରେ ସେ ଦୃଶ୍ୟ ଚିରଦିନ ପାଇଁ ସ୍ମୃତି ହୋଇ ରହିଯାଏ । ଏ ବାବଦକୁ ଅନ୍ୟ କିଏ କ’ଣ କହିଲା, ଭଲ କି ମନ୍ଦ ସେଥିକୁ ସେ ନିଘା ଦିଅନ୍ତି ନାହିଁ ।
ତେଣୁ ସେ ଜୀବନ ବିକଳେ ବଡ ପୁଅର Nine Ten A big fat hen – ର ଉଠ୍ – ବସ୍ ଅଭିନୟ ଆରମ୍ଭ କଲେ । ଏହା ଅତି କଷ୍ଟକର ହେଉଥିଲା, କିନ୍ତୁ ଦୁଇ ହାତକୁ ପାର୍ଶ୍ୱକୁ ସିଧା ଲମ୍ବାଇ ସେମିତି କରିବାର ପ୍ରଚେଷ୍ଟା ଜାରୀ ରଖିଲେ । ଧିରେ ଧିରେ ପେଟ ଓ ହାତ ଚଳପ୍ରଚଳ ହେଲା ଓ ତତ୍ସଙ୍ଗେସଙ୍ଗେ ନଇଁବା, ବସିବା, ଉଠିବା ଏବଂ ଚାଲିବା ସହଜ ହେଲା । ସେ ସମୟରେ କେବଳ ତା’ଙ୍କୁ ଦୃଶ୍ୟମାନ ହେଉଥିଲା ନିଜ ପୁତ୍ର ଓ ତା’ର ଅଧା ଉଠ୍ – ବସ୍ ଠାଣି । ସେ big fat hen କୁ “ବଡେ ମୋଟି କୁକୁଡା” କହେ ଓ ତା’ର କହିବା ଠାଣିରେ ଜଣେ ନ’ହସି ରହିପାରିବ ନାହିଁ । ତେଣୁ ବାପା ମଧ୍ୟ big fat hen ସହ “ବଡେ ମୋଟି କୁକୁଡା” କହି କହି ବ୍ୟାୟାମ କରିଚାଲିଲେ । ଦିନ ଦଶଟା ଯାଏ ଅଖିରୁ ଧାର ଧାର ଲୁହ ବୋହିବା ସହିତ ଏ ବ୍ୟାୟାମ ଚାଲିଲା । ଦିବ୍ୟ ଆଶୀର୍ବାଦର ସ୍ରୋତ ବହି ଚାଲିଲା ନିଜ ସୃଷ୍ଟି ପାଖକୁ । ହେ ପୁତ୍ର ! ତୁ ବହୁ ଦୂରରେ ଥାଇ ବି ତୋର ପିତାଙ୍କୁ ପାଖରେ ରହି ସାହାଯ୍ୟ କରିବା ଠାରୁ ଏହା ଅଧିକ ହେଲା । ଏ ପିତୃ ହୃଦୟ ଆଜି ତୋତେ ଦିବ୍ୟାଶୀର୍ବାଦ ବର୍ଷଣ କରୁଛି । ତୋର ଚଲାପଥ କୁସୁମିତ ହେଉ । ସବୁ ଈଶ୍ୱରଙ୍କ ଈଛା । ସେଦିନ ତୋ’ର ସେହି ଠାଣି ବୋଧହୁଏ ଏ କଷ୍ଟ ଲାଘବ ନିମିତ୍ତ ଉଦ୍ଦିଷ୍ଟ ଥିଲା । କିଛି ସମୟ ପରେ ବନ୍ଧୁଟି ବରାଦ ଅନୁଯାୟୀ ପାଣି ଭରା ବୋତଲ ଦେଇ ଅଫିସ୍ ଗଲେ । ଏ କଥା ଅବଶ୍ୟ ବନ୍ଧୁଙ୍କୁ କହିବାକୁ ମନ ଥିଲେ ବି କହିଲେ ନାହିଁ । ନିଜେ ଯେତେ ସହିଗଲେ ବରଂ ଭଲ । ନିଜଦୁଃଖ ବାରମ୍ବାର କହିଲେ ତାଙ୍କ ନିଜ ଦୁଃଖ ସହ ଏ ଦୁଃଖ ମିଶି ଅଧିକ ହୋଇ ତାଙ୍କ ମନରେ ବିରକ୍ତି ଭାବ ସୃଷ୍ଟି ହେବାର କାରଣ ହୋଇପାରେ । ପଲ୍ଲିକବି ନନ୍ଦ କିଶୋର ବଳ ‘ଡାହାଣିଆ ଖରା’ କବିତାରେ କହିଛନ୍ତି – “ନିଜ ଦୁଃଖ ଭାରେ ଆନତ ଭବେ ସକଳ ପ୍ରାଣୀ – କି ଲାଭ ସେ ଭାବେ ମିଶାଇ ଆନ ବିଷାଦ ଆଣି” । ଏହାପରେ ସେ ନିତ୍ୟକର୍ମ ସାରିଲେ । ଅଧିକ ନାଲିଚାହା କରି ଚୂଡାକୁ ଧୋଇଲେ ଓ ସେଥିରେ ଟମାଟୋ, ପିଆଜ, ରସୁଣ ଏବଂ ଲୁଣ ପକାଇ ଚକୁଟିକି ଖାଇଲେ । ଏହାପରେ ସେ ଔଷଧ ଖାଇଲେ ଓ କିଛି ସମୟ ବାଦ୍ ନାଲିଚାହା ପିଇ ଛାତ ଉପରେ ବୁଲିଲେ ଓ ନଡିଆ ତେଲ ତରଳାଇ ଘା’ରେ ଥାପିଲେ । ଟିକିଏ ଉପଶମ ହେବା ପରି ଲାଗିଲା । କେବଳ ଘର ବାହାର ହେବା ଓ ଛାତ ଉପରେ ଚେୟାର ପକାଇ ଦୂରରେ ଥିବା ଘଞ୍ଚ ଜଙ୍ଗଲକୁ ଦେଖି ଦେଖି ଖୁସି ହେବା ସହ ସେଇ ଦିଗରୁ ଆସୁଥିବା ପବନକୁ ଘା’ରେ ବାଜିବାକୁ ଦେବାରେ ସମୟ ବିତେ । ସେ ମନେ ମନେ ଭାବେ ଜଙ୍ଗଲରୁ ବହି ଆସୁଥିବା ପବନ ଔଷଧୀୟ ହୋଇଥିବ ଓ ନିଶ୍ଚୟ କଷ୍ଟ ଶୀଘ୍ର ଦୂର ହେବ । ସେଦିନ ବନ୍ଧୁଙ୍କ ଘରୁ ଆସିଥିବା ଖାଦ୍ୟର ତାଲିକା –
ଭାତ, ତରକାରୀ(ଫୁଲକୋବି, ବାଇଗଣ, ଆଳୁ, ବଡି ଓ ଟମାଟୋ ଯୁକ୍ତ), ଡାଲମା ଓ ଶିମ୍ବ + ଆଳୁ ବେସର ।
ଖାଦ୍ୟ ଅତ୍ୟନ୍ତ ସୁସ୍ୱାଦୁ ଥିଲା କିନ୍ତୁ ମନ ସବୁବେଳେ ମାଡି ପଡୁଥାଏ ଯେ ସେମାନଙ୍କ ଉପରେ କେତେ ଆଉ ବୋଝ ହୋଇ ରହିବି ? ତେଣୁ ଖାଇବା ସଙ୍ଗେ ସଙ୍ଗେ ଚକ୍ଷୁ ଲୋତକରେ ଭରି ହୋଇ ଯାଉଥାଏ । ତେବେ ଖାଦ୍ୟର ସ୍ୱାଦ ମନକୁ ନେଇ ଯାଏ ଲକ୍ଷ୍ମୀପୁରାଣ ମଧ୍ୟକୁ – “ବଳରାମ କହୁଛନ୍ତି ଶୁଣରେ କହ୍ନାଇ – ଲକ୍ଷ୍ମୀଙ୍କ ରାନ୍ଧଣା ପରି ଲାଗୁଅଛି ଏହି” ।
ଔଷଧ ସରିଯାଇ ଥିବାରୁ ଜାଣି ରାତିରେ ବନ୍ଧୁଟି ତାହା କିଣି ରୁମ୍ରେ ଦେଇଗଲେ । ନିତିଦିନିଆ ଢାଞ୍ଚାରେ ରାତି ପାହିଲା ।
ଭୟଙ୍କର ଶୁକ୍ରବାର
ସେଦିନ ତା’ଙ୍କ ପାଇଁ ଆସିଥିବା ଖାଦ୍ୟ – ଭାତ + ମିଶ୍ରିତ ଘାଣ୍ଟ ତରକାରୀ(ବନ୍ଧା କୋବି+ ଆଳୁ + ଟମାଟୋ + ଝୁଡଙ୍ଗ + ଅନ୍ୟାନ୍ୟ ପରିବା) + ଡାଲମା(ଡାଲି + ଗାଜର + ଆଳୁ + ଅମୃତ ଭଣ୍ଡା + ଝୁଡଙ୍ଗ + ଟମାଟୋ + …………..) + ମୂଳା ଭଜା । ସେ ମନରେ ସଦା ଭାବୁଥା’ନ୍ତି ଯେ ଏତେ ଦିନ ଆଉ ଅନ୍ୟ ଉପରେ ନିର୍ଭଶୀଳ ହେବା ଆଦୌ ଠିକ୍ ଲାଗୁନି । ଯିଏ ସର୍ବଦା ଅନ୍ୟକୁ ସାହାଯ୍ୟ କରେ ଓ ଏ ବାବଦକୁ ନିଜ କଷ୍ଟକୁ ନିଘା ଦିଏ ନାହିଁ, ସିଏ ଆଜି ଏପରି ଅସହାୟ ଯେ ନ ହେଲେ ନ ଚଳେ । ବିପଦରେ ସାହାଯ୍ୟ କରି ଚାଲିଥିବା ସେ ପରିବାରରୁ ଖାଦ୍ୟ ପହଞ୍ଚିଲେ, ନିଜକୁ ଭାରି ଅସୁବିଧା ଲାଗେ । କାରଣ ସେମାନେ ମୋ ପାଇଁ ଘାଣ୍ଟି ହେଉଛନ୍ତି । ବନ୍ଧୁଙ୍କ ସ୍ତ୍ରୀ କେତେ ହଇରାଣ ହରକତ ହେଉଥିବେ ! ମୋତେ ଯେତେ କଷ୍ଟ ହେଉ ପଛେ ନିଜେ ରାନ୍ଧି ଖାଇବାକୁ ପଡିବ । ଖାଦ୍ୟ ଖାଇଲା ବେଳେ ସେମାନଙ୍କ ସାହାଯ୍ୟ କଥା ଭାବି ଆଖିରୁ ଲୁହ ବୋହି ଚାଲେ । ସତେକି ଖାଦ୍ୟ ଇସାରା ଦେଉଛି ଏଥିରେ ସେ ମହାନ୍ ନାରୀର ସଦ୍ଇଛା ଭରି ରହିଛି । ଏ ଖାଦ୍ୟ ଖାଇ ମୋର ଶୀଘ୍ର ଆରୋଗ୍ୟ କାମନାର ସନ୍ଦେଶ ପ୍ରତି ଅନ୍ନ ଦାନାରେ ଭରି ରହିଛି । ତଥାପି ଖାଦ୍ୟରୁ ଅନ୍ତର୍ନିହିତ ଓ ବେଦନାଯୁକ୍ତ ଭାବ ଦୃଷ୍ଟି ଗୋଚର ହୁଏ ଓ ସେ ମହାନ୍ ନାରୀର ଚିତ୍ରପଟ୍ଟ ଆଖି ସାମ୍ନାରେ ନାଚିଉଠେ । ତାହା ହେଲା ବନ୍ଧୁଙ୍କ କଷ୍ଟଲବ୍ଧ ପରିଶ୍ରମର ଅର୍ଥରୁ ଏ ବାବଦକୁ ଖର୍ଚ୍ଚ ଓ ତାହା ସହିତ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଆଣି ପହଞ୍ଚାଇବା ଆଦି । କର୍ତ୍ତାଙ୍କ ମନରେ ଥିଲା ନିଜସ୍ୱ ସଙ୍କୋଚତା କିନ୍ତୁ ସେମାନଙ୍କ ମନରେ ଥିଲା ସ୍ୱଚ୍ଛତା । ତାହା ପ୍ରତିପାଦିତ ହେଉଥିଲା ଖାଦ୍ୟର ସ୍ୱାଦରୁ । କେମିତି ମୋତେ ଭଲ ଲାଗୁ ଓ ଶରୀର ଦୁର୍ବଳ ନ’ହେଉ ଆଦି ଚେତନାରେ ଜାଗି ରହି ସେ ମହାନ୍ ନାରୀ ଅତି ଯତ୍ନରେ ଖାଦ୍ୟ ପ୍ରସ୍ତୁତ କରୁଥିବେ । ତେବେ ଜଣେ ସମ୍ପୂର୍ଣ୍ଣ ନିସଃହାୟକୁ ଅକୁଣ୍ଠ ସାହାଯ୍ୟ । ହେ ଜଗନ୍ନାଥ ସେ ପରିବାରର ସବୁ ରିଷ୍ଟ ଖଣ୍ଡନ କର ପ୍ରଭୁ ! ଏହା ମୋର କାମନା । ତେଣୁ ନିଜ ଯନ୍ତ୍ରଣାକୁ ଚାପି ରଖି ହସି ହସି ବନ୍ଧୁଙ୍କୁ କହିବାକୁ ପଡିଥିଲା – ଏବେ ମୁଁ ଆରାମରେ ରୋଷେଇ କରି ପାରିବି । କାଲିଠାରୁ ଆଉ ଖାଦ୍ୟ ଆଣିବେ ନାହିଁ । ସେ ସମ୍ପୂର୍ଣ୍ଣ ଅମଙ୍ଗ ହେଲେ, କିନ୍ତୁ କର୍ତ୍ତାଙ୍କ ଅଭିନୟ ହିଁ ତା’ଙ୍କୁ କାବୁ କରିଥିଲା । ସେ ମଙ୍ଗିଥିଲେ ଓ ସେହି ଦିନୁ ତାଙ୍କର ଖାଦ୍ୟ ଯୋଗାଣ ପ୍ରକ୍ରିୟା ବନ୍ଦ୍ ହେଲା । ତେବେ ଯାହା ହେଉ ସେ ନିର୍ଭରଶୀଳତାରୁ ରକ୍ଷା ପାଇଥିବାରୁ ଏଣିକି ମୁକ୍ତ ବିହଙ୍ଗ ହୋଇଗଲେ । ସେ ଦିନ ଖାଦ୍ୟ ଅତ୍ୟନ୍ତ ସୁସ୍ୱାଦୁ ଲାଗୁଥିଲା । ସତେକି ମା’ ଲକ୍ଷ୍ମିଙ୍କ ପ୍ରସାଦ !! କିନ୍ତୁ ସନ୍ଧ୍ୟା ସମୟକୁ ଏସବୁ ଖୁସି ରେ ଭଟ୍ଟା ପଡିଗଲା । ସନ୍ଧ୍ୟାରୁ ଟାଙ୍କି ଧରିବାର ଯନ୍ତ୍ରଣା ଅତି ଭୟଙ୍କର ହେଲା । ପ୍ରତ୍ୟେକ ନୂତନତ୍ୱରେ ଯନ୍ତ୍ରଣା ଓ ପ୍ରତ୍ୟେକ ଯନ୍ତ୍ରଣାରେ ନୂତନତ୍ୱ । ଏ ଦୁଇ ପରସ୍ପର ପରିପୂରକ । ବୋଧେ ନୂଆ ଚର୍ମ ଧାରଣ କରିବାର ଏହାକି ଜନ୍ମ ସମୟ ! ଘା’ର ବକଳ ତଳେ ରହି ନୂଆ ଆଲୋକ ଦେଖିବାକୁ ଚିତ୍କାର କରୁଛିକି ଆଉ ! ଜଗନ୍ନାଥଙ୍କ ନବକଳେବର ପୂର୍ବରୁ ଅନେକ ଘଟଣା ଘଟେ । ଶେଷରେ ପ୍ରକଟ ହୁଅନ୍ତି ଦାରୁବ୍ରହ୍ମ । ସତେକି ଘା’ବକଳରୁ ନୂଆଚର୍ମ ଧାରଣ କରିବା ସମୟକୁ ଅନେକ ଘଟଣା ଘଟୁଛି । ଶିଶୁଟି ଜନ୍ମ ହେବା ପୂର୍ବରୁ ଅନେକ ବାଧା ବିଘ୍ନ ଓ କୁଆଁ କୁଆଁ ରାବ ଦେଇ ନୂଆ ଆଲୋକ ଦେଖିବାର ସମୟ ତ ଅସହ୍ୟ ଯନ୍ତ୍ରଣାର ଗନ୍ତାଘର ଅଟେ । ମନକୁ ଏହି ପ୍ରକାରରେ ଯେତେ ଭୁଲାଇବାକୁ ଚେଷ୍ଟା କରି ବିଫଳ ହେବାରୁ ବିଚରା ଧାଇଁଲା ପିଲାଦିନ ପରି ମା’କୋଳରେ ମୁହଁ ରଖି କାନ୍ଦିବାପାଇଁ, ପାଟିରୁ ଅନବରତ ବାହାରିଲା –
ଅୟିଗିରି ନନ୍ଦିନି ନନ୍ଦିତ ମେଦିନି ବିଶ୍ୱ ବିନୋଦିନୀ ନନ୍ଦି ନୁତେ
ଗିରିବର ବିନ୍ଧ୍ୟ ଶିରୋଧିନି ବାସିନୀ ବିଷ୍ଣୁ ବିଳାସିନୀ ଜିଷ୍ଣୁ ନୁତେ
ଭଗବତୀ ହେ ସିତିକଣ୍ଠ କୁଟୁମ୍ବିନି ଭୂରି କୁଟୁମ୍ବିନୀ ଭୁରି କୃତେ
ଜୟ ଜୟ ହେ ମହିଷାସୁର ମର୍ଦ୍ଦିନୀ ରମ୍ୟକ ପର୍ଦ୍ଦିନୀ ଶୈଳ ସୁତେ (୧)
ଘା’ର ବାହ୍ୟ ସୀମାରେ କିଛି କିଛି ଯାଗାରେ ବକଳ ଶୁଖି କଳା ପଡି ଯାଇଥିଲା ଓ ତାହା ଟାଙ୍କି ଧରିବାରେ ମୁଖ୍ୟ କାରଣ ପରି ଅନୁଭୂତ ହେଉଥିଲା । ତେଣୁ ସେ କଷ୍ଟର ଅତିଷ୍ଠତାରେ ପ୍ରବଳ ଶୀତକୁ ଭୂଲି ଯାଇଥିଲା । ଖୋଲା ଶରୀରରେ ରୁମ୍ରେ ଠିଆ ହୋଇ ସେ ଧାର ବକଳକୁ ନଖେଇକି ଛଡେଇବାରେ ବ୍ୟସ୍ତ ରହିଲା । ଏହିପରି ଭାବେ ରାତି ସାଢେ ଏଗାର ହୋଇଗଲା, କିଛି ଜଣା ପଡିଲା ନାହିଁ । ଏହା ଥିଲା ପୁରୁଣା ଚର୍ମ ଓ ବକଳ ତଳେ ଥିବା ନୂଆ ଚର୍ମର ସଂଯୋଗ ବା ସନ୍ଧିସ୍ଥଳ । ଏହା ଦ୍ୱାରା ଯନ୍ତ୍ରଣାରୁ କିଛିଟା ଲାଘବ ମିଳିଲା ।
ଏହି ସମୟରେ ନିଜ ଜନ୍ମଦାତ୍ରୀଙ୍କ ପରିଭାଷା ତା’ର ମନେ ପଡିଲା । ପିଲା ବୟସରେ ବେଳେ ବେଳେ ସେ, ତା’ର ଉପର ଓ ତଳ ଭାଇ ଭଉଣୀ ମିଶି ଝଗଡା ଲାଗନ୍ତି ଓ ମରାମରି ହୁଅନ୍ତି । କନ୍ଦାକଟା ବି ଚାଲେ । ମା’ ଏ ଘଟଣାରେ ବ୍ୟଥିତ ହୋଇ କହନ୍ତି – ତୁମେ ସବୁ ଧିରେ ଧିରେ ବଡ ହେବା ସହ କାହା କଥା ମାନୁନ । ବଦମାସ୍ ହୋଇ କାହାକୁ ମାନୁନ । ତେଣୁ ସେ ତାଗିଦ୍ କରିବା ଛଳରେ ଏକ ଢଗ ବାଢନ୍ତି :-
କି କରିବ ନଦୀ, କୂଳ ଛାଡି ଦେଲେ ନାଆ ——- କ୍ଷୀର ଛାଡି ଦେଲେ ପୁତ୍ର କି କରିବ ମା’ ? ଅର୍ଥାତ୍ ସନ୍ତାନ ସନ୍ତତି ଗଣ ସେତେବେଳକୁ ମା’ର ଅକ୍ତିଆରରୁ ଦୂରେଇ ଯାଆନ୍ତି । ସେହିପରି ମୂଳ ଅକ୍ଷତ ଚର୍ମ ଓ ନୂଆ ଚର୍ମ ମଧ୍ୟରେ ଦୃଢ ବନ୍ଧନର ସେତୁ ରୂପେ ଉଭା ହୋଇଥାଏ ବକଳ । ପୁରୁଣା ଚର୍ମ, ବକଳକୁ ଟାଣି ରଖିଥାଏ ଓ ଏହା ତଳେ ଲୁକ୍କାୟିତ ଥାଏ ନୂଆ ଚର୍ମ । ଅର୍ଥାତ୍ ବକଳ ହିଁ ଦୃଢ ସମ୍ପର୍କ ସ୍ଥାପନ କରିଥାଏ ମୂଳ ଓ ନୂଆ ଚର୍ମ ମଧ୍ୟରେ । ଯେପରି ମା’କ୍ଷୀର ଖାଉଥିବା ଯାଏ ପିଲା ମା’ ସହ ଦୃଢ ଭାବେ ସମ୍ପୃକ୍ତ ହୋଇ ରହିଥାଏ । ସେହି ଦୃଢତା କ୍ଷୀର ଛାଡିଲା ପରେ ଆଉ ରହେ ନାହିଁ ଓ ପିଲା ବାହ୍ୟ ଖାଦ୍ୟ ଖାଏ । ସେହିପରି ବକଳକୁ ଛଡାଇ ଦେବା ପରେ ମା’ ରୂପୀ ପୁରୁଣା ଚର୍ମ ନୂଆକୁ ଟାଙ୍କି ଧରିବା ବା ଆୟତ୍ତ କରିବାର କାର୍ଯ୍ୟ ସରିଯାଏ । ଏବେ ନୂଆ ଚର୍ମ ବାହ୍ୟ ଖାଦ୍ୟ ଖାଇବା ସଦୃଶ ମୁକ୍ତ ଭାବେ ନୂଆ ଆଲୋକ ଓ ଦୁନିଆକୁ ଦେଖେ । ରନ୍ଧା ନଡିଆ ତେଲ ବାରମ୍ବାର ପ୍ରୟୋଗରେ ତତ୍କ୍ଷଣାତ୍ ଉପଶମ ମିଳେ । ପୁଣି କିଛି ସମୟ ପରେ ଟାଙ୍କି ଧରିବା ଓ ତେଲ ପ୍ରୟୋଗ । ଖଟ ଉପରେ ପଡି ରହିବା, ପୁଣି ଉଠି ଘା’ରେ ତେଲ ଲଗାଇବା ଓ ବକଳକୁ ନଖେଇବା ଆଦି କାର୍ଯ୍ୟ ଅବ୍ୟାହତ ରହେ । ମହା ସାଗର ରୂପୀ ବକଳର ପରିବ୍ୟାପ୍ତତାରୁ ବିନ୍ଦୁଏ ମାତ୍ର ଜଳ ନିଷ୍କାସନ ଅର୍ଥାତ୍ ସୂତା ସରୁ ମାତ୍ରାରେ ପୁରୁଣା ଓ ନୂଆ ଚର୍ମ ମଧ୍ୟରେ ବକଳ ଛଡାଇବା ଓ ତେଲର ପ୍ରଭାବ ଦ୍ୱାରା ଟାଙ୍କି ଧରିବାରୁ କିଛି ହାଲୁକା ମିଳେ । ତେଣୁ ସେ ଅନୁଭବ କରେ, ସତେକି ଏ ତେଲ ଗନ୍ଧମାର୍ଦ୍ଦନରୁ ଆସିଥିବା ବିଶଲ୍ୟକରଣୀ ! ସମ୍ପୂର୍ଣ୍ଣ ଅନିଦ୍ରା, ରାତି ୩.୩୦ ଓ ସକାଳ ହୋଇଯାଏ ।
ଶନିବାର, ରବିବାର ଓ ସୋମବାର
ଯନ୍ତ୍ରଣା ଯେତେ ଅଧିକ ହେଉ ପଛକେ ନିଜ ପାଇଁ ଆଉ ଗୋଟିଏ ପରିବାର ହନ୍ତସନ୍ତ ହେବାରୁ ରକ୍ଷା କରିପାରି ଥିବାରୁ ସେ ଖୁସି ହୋଇଗଲେ । ଏବେ ନିଜେ ନିଜର । ମନ ହେଲେ ରୋଷେଇ କରି ଖିଆଯିବ ନଚେତ୍ ଚୂଡା ଭାଇନା ତ ଅଛି । ସାର୍ଟ ପିନ୍ଧି ମାର୍କେଟ୍ ଯିବା ଅସମ୍ଭବ । ଏବେ ଯାହା ଅଛି ଅଳ୍ପ ଅଳ୍ପରେ ଚଳେଇବାକୁ ପଡିବ । ସରିଗଲେ କ’ଣ ବ୍ୟବସ୍ଥା କରିବାକୁ ପଡିବ । ପ୍ରାୟ ଦୁଇ ନଚେତ୍ ତିନି ଦିନରେ ଖାଦ୍ୟ ସାମଗ୍ରୀ ସରିଯିବ । ହୋଟେଲ୍ ଅନେକ ଦୂରରେ । ଦରକାର ପଡିଲେ ବା ମନ ହେଲେ ତାହା ବି ସମ୍ଭବ ନୁହେଁ । ସମୟ ଆସୁ । ତଥାପି ମନରେ ଆନନ୍ଦ । କାରଣ ସେ ଖାଇଲା କି ନ ଖାଇଲା କେହି ଜାଣି ପାରିବେ ନାହିଁ । ନିଜ ସ୍ତ୍ରୀ ଓ ପିଲାମାନେ ଅନେକ ଦୂରରେ । ସେମାନେ ଏ ଦୁର୍ଘଟଣା ସମ୍ବନ୍ଧରେ ଅଜ୍ଞ । ଖାଇବା ଓ ନ ଖାଇବା ବିଷୟରେ କାହିଁକି ବା ଆଶଙ୍କା ପ୍ରକାଶ କରିବେ ? ତେବେ ଏ ତିନିଦିନ ଯାଏ, ଯାହା ଆଗରୁ ଖାଦ୍ୟ ସାମଗ୍ରୀ ଥିଲା ସେଥିରେ ଟାଣିଟୁଣି ଚଳିଗଲା । କିନ୍ତୁ ହିସାବ ପୂର୍ବକ ମୁଠାଏ ଚୂଡା, ଗୋଟିଏ ଆଳୁ ଓ ମୁଠାଏ ଚାଉଳ ମଙ୍ଗଳବାର ସକାଳ ଓ ମଧ୍ୟାହ୍ନ ଭୋଜନ ନିମିତ୍ତ ରଖିବାକୁ ପଡିଲା । ଏବେ ଆଉ ବନ୍ଧୁଙ୍କୁ ବ୍ୟସ୍ତ କରିବା ଠିକ୍ ହେବ ନାହିଁ । ସମୟ ସବୁ ବ୍ୟବସ୍ଥା କରିବ । କାହାକୁ କହିଲେ ଖାଦ୍ୟ ସାମଗ୍ରୀ କିଣି ଦେବେ, ନହେଲେ ବୁଧବାର କାହାର ସାହାଯ୍ୟ ଲୋଡିବାକୁ ପଡିବ । ସମସ୍ତେ ବ୍ୟସ୍ତ । ପୁରୁଷ ଲୋକମାନେ ଦିନରେ ଦେଖା ନ’ଥାନ୍ତି । ତେବେ ଶନିବାରରୁ କ’ଣ ଓ କିପରି ରୋଷେଇ କରି ଖାଇଲେ ତାହା ବର୍ଣ୍ଣନା ନ କଲେ ଭଲ । ପ୍ରତିଦିନ ଘା’ରେ ତେଲ ଥାପିବା ଓ ବକଳ ଛଡାଇବାର ନିଶା ଏବଂ ଟାଙ୍କି ଧରିବାର ପ୍ରକୋପତା ସାମାନ୍ୟ ଊଣା ।
ବେଳହୁଁ ସାବଧାନ କଥା ସେ ତୃତୀୟ ଶ୍ରେଣୀର ପାଠ୍ୟ ପୁସ୍ତକରେ ଯଦୁ, ରଘୁ ଓ ମଦନ କଥା ପଢିଥିଲା । ଅସୁବିଧା ସମୟରେ ସେ ଗପ ପ୍ରାୟ ମନେ ପଡେ ଓ ବହୁତ ଭଲଲାଗେ । ସେହି କଥା ଭାବି ସେ ଶନିବାର ଠାରୁ ଚେଷ୍ଟା କଲା ଯେ ପାଖ ପଡୋଶୀ ଦୋକାନରୁ କିଛି ଦୈନନ୍ଦିନ ତେଲ – ଲୁଣ ଦୁନିଆର ସାମଗ୍ରୀ କିଣି ଆଣିବାକୁ । ତଳକୁ ଯାଇ କାହାକୁ କହିବା ପାଇଁ ସୁବିଧା ମିଳୁ ନଥାଏ । ସମସ୍ତେ ନିଜ କାର୍ଯ୍ୟରେ ବ୍ୟସ୍ତ ଓ ବିବ୍ରତ । କହିବାକୁ ସାହସ ଯୁଟୁ ନଥାଏ । କାଳେ ମନା କରି ଦେବେ । ବାଘ କାମୁଡିବା ଠାରୁ ଘୋଷରା ବାଧିବ । ବାହାରେ ନିରୋଳାରେ ବସି ତେଲ ଥାପୁଡାଏ ଓ ଦୂର ପାହାଡକୁ ଅନାଇଁ ବସେ, ବୁଲେ ଓ ରୁମ୍ ଭିତରକୁ ଆସେ – ଯାଏ ଇତ୍ୟାଦି । ପାହାଡରୁ ଆସୁଥିବା ପବନ ଆକ୍ରାନ୍ତ ସ୍ଥାନରେ ବାଜେ । ବେଳେ ବେଳେ ଛାତ ଉପରେ ପଡିଥିବା ଖରାରେ ଠିଆ ହୁଏ । ଚାରି ପାଖରେ ଥିବା ଅନ୍ୟ କୋଠାଘର ଗୁଡିକୁ ଦେଖେ । ଲୋକମାନଙ୍କ ଯିବା ଆସିବା ଓ ଦୂର ରାସ୍ତାରେ ଯାଉଥିବା ଯାନ – ବାହନ ଆଦିକୁ ଦୃଷ୍ଟି ନିକ୍ଷେପ କରି କରି ସମୟ ବିତାଏ । ଘର ସହ ଫୋନ୍ରେ କଥା ହୁଏ । ପ୍ରତିଦିନ ସକାଳେ ଚୂଡା ଖାଏ । ଦିନ ଓ ରାତି ପାଇଁ ଥରେ ଭାତ ରାନ୍ଧି ଦିଏ । ପରିବା – ଡାଲି ଯାହା ଥିଲା ମଙ୍ଗଳ ବାର ଯାଏ ଭାଗକରି ଓ ସେଥିରୁ ଏକ ଭାଗକୁ ଡାଲମା ବିନା ଛୁଙ୍କରେ ପ୍ରସ୍ତୁତ କରେ । ସ୍ୱାଦ କଥା ମାର୍ ଗୁଲି । ନିଜେ ବଞ୍ଚି ଗଲେ ହେଲା । ସବୁଦିନ ପାଇଁ ତ ଏହା ଚାଲିବ ନାହିଁ । ତେଣୁ ଚିନ୍ତା କରିବା ଅନୁଚିତ । ଘର ମାଲିକ ତ ତଳେ ରହନ୍ତି । ସାମଗ୍ରୀ ଆଣିବାକୁ ତା’ଙ୍କୁ କହିବାକୁ ସାହସ ହୁଏନି । ଅବଶ୍ୟ ଘଟଣା ଘଟିବା ପର ଦିନରୁ ଖାଦ୍ୟ ପଠାଇବାକୁ କହୁଥିଲେ । ଯେହେତୁ ବନ୍ଧୁଟି ପାଖରେ ଭଡା ନେଇ ଅଛନ୍ତି ଓ ସେ ଖାଦ୍ୟ ପେୟ କଥା ବୁଝୁଛନ୍ତି, ତେଣୁ ଘର ମାଲିକଙ୍କୁ ଏକଥା କହି ମନା କରେ । ଘଟଣା ଘଟିବାର ପରଦିନ ଠାରୁ ପ୍ରତି ସକାଳେ ଘର ମାଲିକ କ୍ଷୀର-ଚାହା ରୁମ୍ରେ ଦେଇ ଯାଆନ୍ତି । ପ୍ରାୟ ତା’ଙ୍କ ଦୁଇ ପୁଅରୁ ଜଣେ ଆଣି ଉପରେ ଦିଏ । ପିଲା ଦୁଇଙ୍କୁ ଅତି ଭଲ ଲାଗେ । ସେ’ତ ସବୁବେଳେ ରୁମ୍ ବାହାରେ ଚଦର ଢାଙ୍କି ହୋଇ ବୁଲନ୍ତି । ଅତି ଭୟଙ୍କର ଓ କଦର୍ଯ୍ୟ ଦେଖା ଯାଉଥିବା ଛାତି ଯେ ଦେଖିବ ଡରିଯିବ । ତାହାହିଁ ଘୋଡାଇ ରଖିବାର କାରଣ ଥିଲା । କିନ୍ତୁ ମାଲିକଙ୍କ ଦୁଇ ପୁଅ ବେଳେ ବେଳେ ଦେଖିବାକୁ କହନ୍ତି ଓ ସେ ବାଧ୍ୟ ହୁଅନ୍ତି । ଦେଖନ୍ତି ଓ ମନ ଦୁଃଖ କରନ୍ତି । ଜଣେ ଷ୍ଟାଣ୍ଡାର୍ଡ୍ ପଞ୍ଚମ ଓ ଅନ୍ୟଟି ଷ୍ଟାଣ୍ଡାର୍ଡ୍ ପ୍ରଥମ । ବେଳେବେଳେ ସାନ ପିଲାଟି ବ୍ୟସ୍ତ ହୋଇ କହେ:- ଇଏ କେବେ ଭଲ ହେବ ? ପିଲାଟିକୁ କ’ଣ ଉତ୍ତର ଦେବାକୁ ହେବ ଭାବି ଶୀଘ୍ର ଭଲ ହେବ ବୋଲି ସେ କହନ୍ତି ।
ଏହିପରି ତିନିଦିନ ବିତି ଯାଏ । କିନ୍ତୁ ସୋମବାର ରାତିରେ ଟିକିଏ ପାର୍ଶ୍ୱ ପରିବର୍ତ୍ତନ କରି ଅର୍ଥାତ୍ ବାମ କଡ ମାଡି କିଛି ସମୟ ପାଇଁ ଶୋଇବା ସମ୍ଭବ ହେଲା । ଆରମ୍ଭରୁ କେବଳ ଚିତ୍ ହୋଇ ପଡି ରହିବା ବ୍ୟତୀତ ଅନ୍ୟ ପନ୍ଥା ନଥିଲା । କିନ୍ତୁ ଡାହାଣ ପାଖ ମାଡି ଶୋଇବା ସମ୍ପୂର୍ଣ୍ଣ ଅସମ୍ଭବ ଥିଲା । ଡାହାଣ ପାର୍ଶ୍ୱ ଆକ୍ରାନ୍ତ ହିଁ ଏହାର କାରଣ ଥିଲା । ଯନ୍ତ୍ରଣାର ମାତ୍ରା କିଞ୍ଚିତ୍ ମାତ୍ରାରେ କମିଯାଏ । କିନ୍ତୁ ତିନିଦିନ କାଳ କାହାକୁ ଖାଦ୍ୟ ସାମଗ୍ରୀ, ତଥା – ଚୂଡା, ଚାଉଳ, ଆଳୁ ଏକ ଏକ କିଲୋ ଆଣିବା ପାଇଁ ଅତି ସନ୍ତର୍ପଣ ସହ କହିବାର ମଧ୍ୟ କିଛି ସୁଯୋଗ ମିଳିଲା ନାହିଁ । ବନ୍ଧୁ ଆଉ ଲଗାତର ରୁମ୍କୁ ଆସିବାର କାରଣ ନଥାଏ । କେବଳ ସେ ଅଫିସ୍ ଯିବା ଓ ଆସିବା ସମୟରେ ଛାତ ଉପରେ ରହି ତାଙ୍କୁ ଦେଖିବା ସମ୍ଭବ ହୁଏ । କିନ୍ତୁ ବନ୍ଧୁ ଏ କଥା ଜାଣି ପାରନ୍ତି ନାହିଁ । ତାଙ୍କୁ ଫୋନ୍ରେ ଏକଥା କହିଲେ ହୁଅନ୍ତା, ପରନ୍ତୁ ତାଙ୍କ ଆଉ ଅଧିକ ବୋଝ ହେବାକୁ ଅନ୍ତରାତ୍ମା ଚାହୁଁ ନଥାଏ । ବିଚରା ଏତେ ଘାଣ୍ଟି ହୋଇ ଏ ଲୋକକୁ ବଞ୍ଚାଇଲେ । ଆଉ ସାହାଯ୍ୟ ମାଗିଲେ ଈଶ୍ୱର ଅଶାନ୍ତି ହେବେ । ବିଚରା କର୍ତ୍ତା ସତେକି ଘା’ ବକଳ ରୂପରେ ତାଙ୍କ ପରିବାର ଉପରେ ଲାଗି ରହିଥିଲା । ଏବେ ବକଳ ଛାଡି ଯାଇଛି । ବିଚରା ଓ ବିଚରାଣୀ ଟିକିଏ ଶାନ୍ତିରେ ନିଃଶ୍ୱାସ ମାରୁଥିବେ । ନିଜ ସ୍ୱାର୍ଥ ପାଇଁ ଅନ୍ୟର ଶାନ୍ତିକୁ ବାରମ୍ବାର ଭଙ୍ଗ କରିବା ପ୍ରକୃତି ବିରୋଧୀ ଅଟେ । ନିରୀହତାର ସୁଯୋଗ ନେବା ଅନୁଚିତ । ତେଣୁ ସେମାନେ ଶାନ୍ତିରେ ବିଶ୍ରାମ କରନ୍ତୁ । ଭୟଙ୍କର ଶୀତୁଆ ରାତି ସେଇ ଫୁଙ୍ଗୁଳା ଶରୀର, ବେଳେ ବେଳେ ଢାଙ୍କି ହେବା, ଘା’ ବକଳ ଛଡାଇବାର ନିଶା ଓ କଷ୍ଟରୁ ମୁକ୍ତି ନିମିତ୍ତ ଦିବ୍ୟ ମନ୍ତ୍ର ଉଚ୍ଚାରଣରେ ପ୍ରତି ରାତି ବିତିଚାଲେ ।
ମଙ୍ଗଳ ବାର
ସକାଳ ଓ ସଂନ୍ଧ୍ୟା ସମୟରେ ଯନ୍ତ୍ରଣା ଅଧିକ ହୁଏ । ତେବେ ସେଦିନ ସକାଳ ଖାଦ୍ୟ କେବଳ ଥିଲା ଦୁଇମୁଠା ଚୂଡା । ତାହାକୁ ଗରମ ନାଲି ଚାହାରେ ଧୋଇ ଠିଆଠିଆ ଖାଇ ସାରିବା ପରେ ଓ କେତେବେଳେ ଚେୟାରରେ ବସି ବକଳ ଛଡାଇବା, ତେଲ ଥାପିବା କାର୍ଯ୍ୟରେ ନିମଗ୍ନ ରହିବାକୁ ହୁଏ । ମନ ଖୋଜୁଥାଏ ସାହାରା । ହଠାତ୍ ନିଜେ ଗଢିଥିବା ଏକ ଛାତ୍ର କଥା ମନେ ପଡିଲା ଓ ଏହା ଭାସି ଯାଉଥିବା ବ୍ୟକ୍ତି ପାଇଁ ସତେକି ଏକ କୁଟାଖିଅର ଆଶ୍ରା ମିଳିଗଲା । ନାମଟି – ତପନ, ବହୁତ ଦିବ୍ୟଗୁଣଯୁକ୍ତ ପିଲାଟିଏ । ଦୁଇ ଥର ଦେଖିବାକୁ ଆସିଥିଲା ଓ ଘି’କୁଆଁରୀ ଲଗାଇବା ପାଇଁ ତା’ଙ୍କ ବାଡିରୁ ଆଣି ଦେଇଥିଲା । ପଦାର୍ଥ ବିଜ୍ଞାନ ଅନର୍ସ କ୍ଲାସ୍ରେ ସେ ପିଲାଟି କର୍ତ୍ତାର ସବୁଠୁ ପ୍ରିୟ ଥିଲା । ନିୟମିତ କ୍ଲାସ୍ ଆସେ ଓ ସଠିକ୍ ଉତ୍ତର ଦେବା ସହ ନୋଟ୍ ଲେଖି ଦେଖାଏ । ତେବେ ଅନର୍ସ ଗ୍ରୁପ୍ର ସବୁ ଛାତ୍ର୍ ଓ ଛାତ୍ରୀଙ୍କୁ କର୍ତ୍ତା ଗୁରୁ ସ୍ନେହ ଅର୍ପଣ କରିଥାନ୍ତି । ଖାଲି ତପନ ନୁହେଁ, ଅନ୍ୟ ପିଲାମାନେ ମଧ୍ୟ ତାଙ୍କ ସାର୍ଙ୍କୁ ମଝିରେ ମଝିରେ ଦେଖିବାକୁ ଆସନ୍ତି । ସେତେବେଳକୁ ଆଉ ଦୁଇଜଣ ଷ୍ଟାଫ୍ ଯୋଗ ଦେଇ ସାରିଥିଲେ । ଜଣେ ରାଜନୀତି ବିଜ୍ଞାନର ଅଧ୍ୟାପିକା ଓ ଅନ୍ୟ ଜଣେ ଓଡିଆ ବିଭାଗର ଅଧ୍ୟାପକ । ଏ ମର୍ମନ୍ତୁତ ଘଟଣା ପର ଦିନ ମ୍ୟାଡାମ୍ ଫୋନ୍ କରି ଦୁଃଖ ପ୍ରକାଶ କରି ଶୀଘ୍ର ଆରୋଗ୍ୟ କାମନା କରିଥିଲେ । ଯେହେତୁ ସେ ଦୁରରୁ ବଦଳି ହୋଇ ଏକୁଟିଆ ଘର ଭଡା ନେଇଥିଲେ ଓ କର୍ତ୍ତାଙ୍କ ଘର ଦେଖି ନଥିଲେ, ତେଣୁ ସେ ଆସି ଦେଖିବାକୁ କର୍ତ୍ତା ବାରଣ କରିଥିଲେ । ଓଡିଆ ସାର୍ ତାଙ୍କ ପାଖକୁ ଅନେକ ସମୟରେ ମଧ୍ୟ ଆସି ଦେଖି ଯାଆନ୍ତି ଓ ଛାଲ ଉତ୍ତରା ଦିନ ଡାକ୍ତର ଖାନାକୁ ସାଙ୍ଗରେ ଯାଇଥିଲେ । ତେବେ ମୁଣ୍ଡି ଘଟଣାର ପରଦିନ ରାତିରେ ଥରେ ଫୋନ୍ କରିଥିଲେ ଓ ଖାଦ୍ୟ ତାଙ୍କ ରୁମ୍କୁ ଆଣିବାକୁ କହିଥିଲେ । କିନ୍ତୁ କର୍ତ୍ତା ମନାକରି ବନ୍ଧୁଙ୍କ ସାହାଯ୍ୟ କଥା କହିଥିଲେ । ତେବେ ସ୍କୁଟିରେ ଆସି ଦେଖି ଯିବା ପାଇଁ ଦଶ ମିନିଟ୍ ସମୟ ଲାଗୁଥିଲେ ବି ସେ କାର୍ଯ୍ୟାଳୟର ମୂଖ୍ୟ ହୋଇ ମଧ୍ୟ ଥରୁଟିଏ ଆସି ଦେଖି ଯାଇ ନଥିଲେ । ସେ ଯାହା ହେଉନା କାହିଁକି ତପନକୁ ଖାଦ୍ୟ ଜିନିଷ କିଣି ଆଣି ଦେବାକୁ ସ୍ଥିର କଲେ । ତେଣୁ ତାକୁ ଫୋନ୍ କରି ଆସିବାକୁ କହିବାରୁ ସେ କୋଚିଂ କ୍ଲାସ୍ ସାରି ଅପରାହ୍ନକୁ ଆସିବାକୁ କହିଲା । ରୋଷେଇ ପାଇଁ ସଞ୍ଚିଥିବା ଶେଷ ଓ ନିମିତ୍ତ ମାତ୍ର ସାମଗ୍ରୀରେ ଖାଦ୍ୟ ପ୍ରସ୍ତୁତ କରି ଚଳେଇବାକୁ ପଡିଲା । ଅପରାହ୍ନରେ ତପନ ଆସିଲା ଓ ତା’କୁ ୧୨୦ ଟଙ୍କା ସହ ଏକ ବ୍ୟାଗ୍ ଧରାଇ କିଛି ପରିବା ଚୂଡା, ଚାଉଳ ଆଣିବାକୁ ସେ କହିଲେ । ଛାତ୍ରଟି ନିର୍ବିଘ୍ନରେ ବଜାରକୁ ଯାଇ ଚିଠାନୁଯାୟୀ ସବୁ କିଣିଆଣି ଦେଲା ଓ କିଛି ସମୟ ଭଲ ମନ୍ଦ ବୁଝି ବିଦାୟ ନେଲା । ସେ ଗଲା ପରେ ବ୍ୟାଗ୍ରୁ ସବୁ ବାହାର କରି ରଖିବା ପରେ ଚିଠା ବାହାରିଲା ଓ ପ୍ରତି ସାମଗ୍ରୀର ଦାମ୍ ଲେଖା ଥିଲା । ପୁଣି ବ୍ୟାଗ୍ରୁ ଗୋଟିଏ ଟଙ୍କିକିଆ ଚକୋଲେଟ୍ ମିଳିଲା । ସେ ଆଶ୍ଚର୍ଯ୍ୟ ହେଲେ ଓ ଦେଖିଲେ ଚିଠାରେ ମୋଟ ୧୧୯ ଟଙ୍କା ହିସାବ ହୋଇଛି । ତେଣୁ ବଳକା ଟଙ୍କାଟିଏରେ ସେ ଚକୋଲେଟ୍ ଆଣିଛି । ତେଣୁ ତାଙ୍କ ମନ ବ୍ୟାକୁଳିତ ହେବାକୁ ଲାଗିଲା । ଅନ୍ତରରୁ ତା’ ପ୍ରତି ଦିବ୍ୟ ଆଶୀର୍ବାଦର ସ୍ରୋତ ବହି ଚାଲିଲା । ବାରମ୍ବାର ସେ କହି ଚାଲିଲେ – ହେ ମୋର ପ୍ରିୟ ଛାତ୍ର ! ଈଶ୍ୱର ତୋ’ର ସର୍ବ ମଙ୍ଗଳ କରନ୍ତୁ । ତୋ’ର ଭବିଷ୍ୟତ ଉଜ୍ଜଳ ହେଉ । ଏହାପରେ ଏପରି ଏକ ଦିବ୍ୟ ଛାତ୍ର ତା’ଙ୍କ ଜୀବନରେ ପାଇ ଥିବାରୁ ଆନନ୍ଦରେ ଗଦ୍ଗଦ୍ ହୋଇ ବୀର ଦର୍ପରେ କୋଠରୀରେ ଦ୍ରୂତ ପଦଚାଳନ କଲେ । ତା’ପରେ ରୋଷେଇ କରିବାକୁ ଆଗେଇଲେ । ଦିନରେ ଅଳ୍ପ ଖାଇଥିଲେ, ତେଣୁ ଭୋକ ଲାଗୁଥିଲା । ସେଥିପାଇଁ ସେ ଖିଚୁଡି ଶିଘ୍ର ହେବ ଭାବି ବ୍ୟବସ୍ଥା କଲେ । ଚାରୋଟି ବିନ୍ସ + ଦୁଇ ପାଖୁଡା ଫୁଲ କୋବି + ଦୁଇଟି ଟମାଟୋ + ଦୁଇ ମୁଠା ଅରୁଆ ଚାଉଳ + ଚାହା ଚାମଚରେ ଦୁଇ ଚାମଚ ମୁଗଡାଲି + ଗୋଟିଏ ମଧ୍ୟମ ଆଳୁ + ଲୁଣ + ତେଜପତ୍ର + ଗୋଟିଏ ଲଙ୍କା ଆଦିକୁ ଧୋଇ, ପରିବାକୁ କାଟି ଓ ସବୁକୁ ମିଶାଇ ପ୍ରେସର୍ କୁକର୍ରେ ଦରକାର ଅନୁଯାୟୀ ପାଣି ଦେଇ ଗ୍ୟାସ୍ ଚୂଲୀରେ ବସାଇଲେ । ଦୁଇଟି ହୁଇସିଲ୍ ପରେ ଗ୍ୟାସ୍ ବନ୍ଦ୍ କଲେ । ଅଧା ଘଣ୍ଟା ପରେ ଖୋଲି ଯାହା ଦେଖିଲେ ଚଳିଯିବ ବୋଲି ନିଶ୍ଚିତ ହେଲେ । ଘଣ୍ଟାଘଣ୍ଟି କରି ଅଧା ବାହାର କରି ଖାଇଲେ ଓ ଅଧା ସକାଳକୁ ରଖିଲେ । ଖିଚୁଡିରେ ଚିନି ପକାଇ ନଥିଲେ । ଏହାର କାରଣ ହେଲା ତାଙ୍କର ଚିନି ଦରକାର ପଡେନି । ନାଲି ଚାହାରେ ଲୁଣ ଓ ଲେମ୍ବୁ ରସ ପକାଇ ପିଅନ୍ତି । ପୂର୍ବ ଷ୍ଟେସନରେ ଦୀର୍ଘ ଚଉଦ ବର୍ଷକାଳ ଏକୁଟିଆ ପରିବାର ଠାରୁ ରହିଥିଲେ । ସେଠାରେ ସେ ୨୫୦ ଗ୍ରାମ୍ ଚିନି କିଣିଥିଲେ । ଥରେ ମାତ୍ର ସେଥିରୁ ଦୁଇ ଚାମଚ ଚିନି ସେ ବ୍ୟବହାର କରିଥିଲେ । ଆଉ ଚିନିର ଦରକାର ପଡି ନଥିଲା ଓ ସେମିତି ପଲିଥିନ୍ରେ ବନ୍ଧା ହୋଇ ଏକ ଡବାରେ ଥିଲା ଓ ମନରୁ ଚିନି କଥା ଉଭାନ୍ ହୋଇଯାଇଥିଲା । ପୁନଃ ଏ ଦୂର ଜାଗାକୁ ରାତାରାତି ବଦଳି ହେବାରୁ ଭଡାଘର ଛାଡିବାକୁ ପଡିଲା । ତେଣୁ ସେ ଘର ସଫା କରିବା ବେଳେ ଡବାରେ କ’ଣ ଅଛି ଦେଖିବାରୁ ଜଣା ପଡିଲା ଯେ, ତାହା ମୁଣ୍ଡା ହୋଇ ରଙ୍ଗ ବଦଳି ଯାଇଛି । ତେଣୁ ସେ ତାହାକୁ ଫିଙ୍ଗି ଦେଲେ । ତେବେ ଏ ନୂଆ ଯାଗାରେ ଆଉ କାହିଁକି ବା ଚିନି କିଣିବେ ଓ ପୁଣି ମୁଣ୍ଡା ହେବ । ରାତିରେ ସେଇ ପୂର୍ବାବସ୍ଥା, ତେଲ ଥାପିବା, ବକଳ ଛଡାଇବା ସାଙ୍ଗକୁ ବକଳ ତଳେ କୁଣ୍ଢାଇ ହେବା ଆରମ୍ଭ ହେବାକୁ ଲାଗିଲା । ଏ ପୁଣି ଆଉ ଏକ ସମସ୍ୟା । କୁଣ୍ଢାଇଲେ ତ ନୂଆ ଚର୍ମ ଛିଣ୍ଡି ରକ୍ତ ବାହାରିବ । ଭୟ ଲାଗିଲା ଓ ରାତି ସାରା ଶୀତର ପ୍ରକୋପ ଓ କୁଣ୍ଢାଇ ହେବାର ଅତିଷ୍ଠତାରୁ ରକ୍ଷା ପାଇବା ପାଇଁ ଦେବାଦେବୀଙ୍କ ମନ୍ତ୍ରରେ ନିଜକୁ ସମର୍ପିତ କରିବା ବ୍ୟତୀତ ଅନ୍ୟ ରାସ୍ତା ନଥିଲା ।
ବୁଧବାର
ସକାଳ ନିତ୍ୟକର୍ମ ସରିଲା । ଏତେ ଦିନ ଯାଏ ସେ କେବଳ ଅଣ୍ଟାରୁ ତଳକୁ, ବାମ ପୃଷ୍ଠଭାଗ ଓ ମୁଣ୍ଡ ତଳକୁ କରି ଉଷୁମ ପାଣିରେ ଅତି ସତର୍କରେ ଧୋଇ ହୁଅନ୍ତି । ଏତାଦୃଶ ସ୍ନାନରେ ସେ ଘା’ରେ ଆଦୌ ପାଣି ଛୁଆଁଇ ଦିଅନ୍ତି ନାହିଁ । ପୂର୍ବ ରାତିରୁ ରଖିଥିବା ଖିଚୁଡି ଖାଇ ପୁଣି ଲାଗି ପଡିଲେ ବକଳ ଛଡାଇବାରେ ଓ ତା’ପରେ ତେଲ ଥାପିବାରେ । ସେଇ ଏକା ଧାରାରେ ଦିନ ଯାଇ ରାତି ହୁଏ ଓ ଘା’ରେ କଣ୍ଡୁର ମାତ୍ରା ଅତି ପ୍ରବଳ ହୁଏ । କୁଣ୍ଢାଇଲେ ପୁଣି ବିପଦ । କ’ଣ କରିବ ଓ କ’ଣ ନକରିବ ଆଦି ଭାବନାରାଜିରେ ସେ କୋଠରୀରେ ଦ୍ରୁତଗତିରେ ଚଲାବୁଲା କଲା । ନିଜେ ଅଭ୍ୟସ୍ତ କରି ଅନେକ ଅନେକ ମନ୍ତ୍ର ଗାଇ ଚାଲିଲା । ଶେଷକୁ ନଡିଆ ତେଲ ଥିବା ଗିନା ଗରମ କରି ଉଷୁମ ତେଲ ଟିପରେ ନେଇ କଞ୍ଚାଳିଆ ଥିବା ଘା’ ପଳଖ ଓ ପଳଖରୁ ନିସ୍ତାର ପାଇଥିବା ସାମାନ୍ୟ ନୂଆ ଲାଲ୍ ଚର୍ମ ଉପରେ ଲଗାଇବା ଦ୍ୱାରା କଣ୍ଡୁ କିଞ୍ଚିତ ଧିମା ପଡିଲା । ଯେହେତୁ କଣ୍ଡୁ ଥମିବାର ନା’ ଧରୁନି, ସେଥିରୁ ତ୍ରାହି ନିମିତ୍ତ ସେ ଅନ୍ୟ ପନ୍ଥା ଧରିବାକୁ ଚିନ୍ତା କଲେ । ମନରେ ପଡିଲା ନିଜ ଝିଆରୀ ଓ ଭାଣିଜୀ ଓ ସେମାନଙ୍କୁ ଆଶ୍ରା କରି ଏ କଣ୍ଡୁ ଯନ୍ତ୍ରଣାକୁ ସହିବାକୁ ପଡିବ । ବକଳକୁ ତ ସେ ଧିରେ ଛଡାଉଛି ଓ ତେଲ ଲଗାଉଛି । ସବୁ ବକଳ ଛାଡିଗଲେ ବାହାରକୁ ଯାଇ ହେବ । କିନ୍ତୁ ଆଉ କେତେଦିନ ଏ ଯନ୍ତ୍ରଣା ! ମୂଳ କଷ୍ଟ ସରି ଯାଇଛି ଓ ଦିନୁଦିନ ଯନ୍ତ୍ରଣା ଭିନ୍ନ ଭିନ୍ନ ଅବତାର ନେଉଛି । ତେଣୁ ସେ କାଗଜ ଓ କଲମ ଧରି ବସି ପଡିଲା । ନିଜ ମନର ଗହନ ବ୍ୟଥାକୁ କବିତା ଆକାରରେ ଓ ଦ୍ୱିଅର୍ଥ ବୋଧକ ଶବ୍ଦରେ ଲେଖିଲେ । ସେ କ୍ଷୁଦ୍ର କବିତାକୁ ସେମାନଙ୍କୁ ଜଣ ଜଣ କରି ଫୋନ୍ରେ ପଢି ଶୁଣାଇଲେ । କବିତା’ର ଅର୍ଥ ପଚାରି ସମୟ ବିତାଇବାର ଥିଲା ତାହା ଏକ ପ୍ରକାର ଆଶ୍ରା । ସେ କବିତା ପୂର୍ବ ପରି କ୍ରମାନ୍ୱୟରେ ଚନ୍ଦିରୀ, ରୁବି, ସିନା ଓ ପୂଜାକୁ ପଢି ଶୁଣାଇଲେ । କେହି ତା’ର ଅର୍ଥ କହି ପାରିଲେ ନାହିଁ । ଏହି ମାର୍ଗ ଅନୁସରଣ ଦ୍ୱାରା ସେ ଅନେକ ସମୟ ବିତାଇ ପାରିଲେ ଓ କଣ୍ଡୁର ପ୍ରଭାବ ମନକୁ କମ୍ ଅସିଲା । କବିତାଟି ହେଲା –
କବିତା -୨
ତିନି ବୁଧବାର ହୋଇଲା — ଗଛରୁ ପତର ଝଡିଲା ।
କେତେ ଦିନେ ସବୁ ପତର — ଝଡିଗଲେ ଯିବି ବଜାର ।
ଦିନ ରାତି ସବୁ ସମାନ — ଚଲା ବୁଲା ଆଉ କଷଣ ।
ପାହଡିଆ ଶୀତ କମ୍ପନ — ଖୋଲା ଦେହେ ଦେଖେ ସପନ ।
ସେମାନେ ବା କାହୁଁ ଜାଣିବେ ? ବର୍ତ୍ତମାନ କେବଳ ଯନ୍ତ୍ରଣାର ରୂପ ଏବେ ପ୍ରବଳ କୁଣ୍ଢେଇ ହେବା, ଶୁଖି ଆସୁଥିବା ବକଳକୁ ନଖେଇ ନଖେଇ ଛଡାଇବା, ଉପର ଶୁଖିଲା ଭିତରେ କଞ୍ଚା ବକଳକୁ ଜାଣି ନପାରି ଛଡେଇଲେ ରକ୍ତ ଧାର ବାହାରିବା ସହ ବିନ୍ଧି ଉଠିବା ଆଦିକୁ ସହିବା ପାଇଁ ନିଜ ଜ୍ଞାନ ଓ ବୁଦ୍ଧିର ପ୍ରୟୋଗ ହିଁ ଏକଇ ପନ୍ଥା ଥିଲା । କଣ୍ଡୁ ହେତୁ ମନ ଚାହେଁ ଖୁବ୍ ଶୀଘ୍ର ବକଳ ଛଡେଇ ଦେଲେ ହୁଅନ୍ତା । କିନ୍ତୁ ଯେଉଁ ସ୍ଥାନରେ ଫୂଟା ପାଣି ଯେତେ ଭିତରକୁ ସିଝାଇ ଦେଇଛି, ସେ ସ୍ଥାନର ବକଳ ଉପରୁ ଶୁଖିଲା ଦିଶୁଥିଲେ କ’ଣ ହେବ ଭିତର କଞ୍ଚା ରହିଥାଏ । ସେମାନଙ୍କ ସହ କଥାବାର୍ତ୍ତା ପରେ ସ୍ତ୍ରୀ ଓ ଦୁଇ ପୁଅଙ୍କ ସହ କଥା ହୋଇ ଦିନରୁ ରଖିଥିବା ଖାଦ୍ୟ ଖାଇ ଶୋଇବା, ଉଠିବା, ବକଳ ଛଡାଇବା ଓ ତେଲ ମାରିବାରେ ସମୟ ବିତେ । ଏବେ ଯେହେତୁ କମ୍ବଳ ବାଜିଲେ ଛାଲି ହୋଇଯିବାର ସମ୍ଭାବନା ନାହିଁ, ତେଣୁ ସତର୍କରେ ଢାଙ୍କି ହୁଏ । ଭିତର ଗରମରେ ପୁଣି ବକଳ ବନ୍ଧା ଘା’ରେ ଯନ୍ତ୍ରଣା, ଘା’ରୁ ବାହାରୁଥିବା ଗନ୍ଧ ଆଦିରେ ଅସ୍ତବ୍ୟସ୍ତ ଓ କମ୍ବଳ ବାହାର କରି ଆକ୍ରାନ୍ତ ସ୍ଥାନ ମୁକୁଳା ରଖିବା ସହ ଶରୀରର ଅନ୍ୟ ଅଂଶକୁ ଆବୃତ୍ତ କରିବା ଆଦି ବାରମ୍ବାର ପ୍ରକ୍ରିୟାରେ ରାତି ସରିଯାଏ । ବୁଧବାର ଘଟଣା ଘଟିଥିଲା । ଏବେ ତିନି ବୁଧବାର ସରିଲା ଅର୍ଥାତ୍ ପନ୍ଦର ଦିନ ବିତିଗଲା ।
ଏବେଠୁ କେବଳ ବକଳ ଶୁଖିବା ସାଙ୍ଗକୁ କଣ୍ଡୁର ମାତ୍ରା ଛୁଏଁ ଚରମ ସୀମାକୁ । ଏହା ଟିକିଏ ଶାନ୍ତ ପଡେ ଯେତେବେଳେ ଉଷୁମ ଉଷୁମ ରନ୍ଧା ନଡିଆତେଲ ପ୍ରୟୋଗ କରାଯାଏ । ଦିନ ଓ ରାତି ଏକାକାର ହୋଇଯାଏ । ବକଳ ଛଡଆଇବାର ପ୍ରବଳ ନିଶା । ଦିନରେ ବାହାରେ ଚେୟାରରେ ବସି ଛାତିକୁ ଓ ହାତକୁ ଅନାଇଁ ବକଳ ଫଡା ବାହାର କରେ । ନ’ବାହାରିଲେ ପୁଣି ରୁମ୍କୁ ଆସି ତେଲ ଟିକେ ଥାପେ ଓ କିଛି ସମୟ ପାଇଁ ବିଶ୍ରାମ ନିଏ । ଘା’ର ଚୋପା ଯେଉଁଠି ପଡେ ପିମ୍ପୁଡି ଲାଗନ୍ତି । ରାତିରେ ହାତ ଧୁଆ ବେସିନ୍ ପାଖରେ ଘଣ୍ଟା ଘଣ୍ଟା ଠିଆ ହୋଇ ବକଳ କାଢିବା ଓ ତେଲ ଲଗାଇବାର ବାରମ୍ବାରତାରେ ଅନେକ ରାତି ହୋଇଯାଏ । ତଳେ ପଡିଲେ ପିମ୍ପୁଡି ତେଣୁ ଭୟରେ ବେସିନ୍ ହିଁ ବକଳ ଛଡଆଇବାର ମୁଖ୍ୟ ସ୍ଥାନ ହୁଏ । କାରଣ ଟ୍ୟାପ୍ ଖୋଲି ପାଣି ଛାଡି ଦେଲେ ବେସିନ୍ରେ ପଡିଥିବା ବକଳ ସବୁ ଧୋଇ ହୋଇ ଚାଲି ଯାଏ । କଣ୍ଡୁର ତାଡନାରୁ ବଞ୍ଚିବା ପାଇଁ ଅନେକ ବାର ତେଲ ଥାପିବା ଦ୍ୱାରା ଛାତି ଓ ହାତ ତେଲମୟ ହୋଇ ତଳକୁ ବୋହିଚାଲେ । ଏହା ତ ତରଳ ପଦାର୍ଥର ଧର୍ମ । ତେkarAeଣୁ କପଡାରେ ପୋଛିବାକୁ ହୁଏ । ଅନେକ ବାର ତେଲ ଅଣ୍ଟା ତଳକୁ ବି ବୋହିଯାଏ । ଖାଲି ସମସ୍ୟା ପରେ ସମସ୍ୟା । ଏହି ପନ୍ଦର ଦିନରେ ପ୍ରାୟ ଆବୃତ ମୋଟା ବକଳରୁ ପ୍ରାୟ ୨% ବାହାରିଛି । ପୁରୁଣା ଓ ଚର୍ମ ଓ ବକଳର ସନ୍ଧି ସ୍ଥଳରୁ ଆକ୍ରାନ୍ତ ସ୍ଥଳର ଚତୁଃ ପାର୍ଶ୍ୱରୁ ନଖରେ ଉଖାଡିବାକୁ ହୁଏ । ଯେହେତୁ ଘା’ ଡ୍ରେସିଂ ସବୁଦିନେ କରି ନଥିଲେ, ତେଣୁ ବକଳ ପଟି ପଡିବା ଭଳି ଲଦି ହୋଇ ରହିଥିଲା ଓ ଶୀଘ୍ର ଶୁଖୁ ନଥିଲା । ଏପରିକି ଡାହାଣ ସ୍ତନ ଉପରେ ପ୍ରାୟ ଅଧାଇଞ୍ଚ ମୋଟାର ବକଳ ରହିଥିଲା । ସେ ସ୍ଥାନ କ’ଣ ସତରେ ନୂଆ ଦୁନିଆଁ ଦେଖିବ ? କେବେ ନୂଆ ଚର୍ମ ମୁକ୍ତିଲାଭ କରିବ ? ବେଳେବେଳେ ସେହି ସ୍ଥାନରେ ଯନ୍ତ୍ରଣା ହୁଏ । କାରଣ ପୂର୍ବରୁ ଯନ୍ତ୍ରଣାରେ ଅତିଷ୍ଠ ହୋଇ ବାରମ୍ବାର ଲଗା ଯାଇଥିବା ସିଲ୍ଭର ଅକ୍ସାଇଡ୍ ଜେଲି ଓ ମେଗାହିଲ୍ ଅଏଣ୍ଟମେଣ୍ଟ୍ ଏକ ମୋଟା ଆବରଣ ସୃଷ୍ଟି କରି ସାରିଥିଲା । ତେଣୁ ନଡିଆ ତେଲ କେତେକ ଅଂଶରେ ପ୍ରବେଶ କରି ପାରୁ ନଥିଲା । ମୂଳରୁ ଡାହାଣ ସ୍ତନର ଟିକି ଭୁଣ୍ଡିରେ ବେଶି ଯନ୍ତ୍ରଣା କାରଣରୁ ସେଠାରେ ଅଧିକ କ୍ରିମ୍ର ଲେପ ଦିଆଯାଉ ଥିଲା । ତେଣୁ ବକଳ ଏକ ମୋଟା ଚକୁଳି ସଦୃଶ ସତେକି ଆକ୍ରାନ୍ତ ସ୍ଥାନରେ ଲଦି ହୋଇ ରହିଛି ! କ୍ରମେ ବକଳଘେରାରେ ଫାଟ ସୃଷ୍ଟି ହୁଏ ଓ ନଡିଆ ତେଲ ଧିରେଧିରେ ସେଇ ଫାଟ ମଧ୍ୟରେ ଭିତରକୁ ଯାଏ । ଛାତି ଓ ହାତରେ ବକଳ ଈଷତ୍ କଳା ଓ ବାଦାମ ମଞ୍ଜିର ପତଳା ଚୋପା ରଙ୍ଗର ମିଶାମିଶି ରୂପ ନିଏ । କିନ୍ତୁ ସେ ଅନୁଭବ କରନ୍ତି ଡାହାଣ ସ୍ତନ ଉପରେ ସତେକି ଏକ ପର୍ବତ ଲଦି ହୋଇଛି । ସେ ସ୍ଥାନ ସମ୍ପୂର୍ଣ୍ଣ ଆବଦ୍ଧ ଓ ତେଲ ଉପରେ ଲେପିଲେ ତାହା ଭିତରକୁ ଏତେ ମୋଟା ଦୃଢ ବକଳ ଓ ଜେଲି ମିଶା ଆବରଣକୁ ଭେଦ କରିବାକୁ ଅକ୍ଷମ ଥିଲା । ଯେଉଁ ସ୍ଥାନରୁ ବକଳ ବାହାର ହୁଏ ସେ ଚର୍ମ ଲାଲ୍ ଓ କଳା ମିଶାମିଶି ରଙ୍ଗର ଦେଖାଯାଏ । ନୂଆ ଓ ପୁରୁଣା ଚର୍ମର ସନ୍ଧି ସ୍ଥଳରେ ସୃଷ୍ଟି ହେଉଥାଏ ପ୍ରବଳ କଣ୍ଡୁ । ଅସହ୍ୟ ଯନ୍ତ୍ରଣା । କଣ୍ଡୁ ମାରିବାର ନିଶାରେ ବିଚରାକୁ ଚଉଦ ଭୁବନ ଦେଖାଯାଏ । ରୁମ୍ରେ ଦ୍ରୁତ ପଦ ଚାଳନା , ଦୌଡା ଧାଁ, ନିଶ୍ୱାସ ବନ୍ଦ କରି ବସିବା ଓ ସମ୍ପର୍କୀୟ(ସଡୁ, ଶାଳୀ, ଯେତେ ପୁତୁରା, ଝିଆରୀ, ଭାଣିଜୀ, ଭଣଜା ……. ଯେଉଁମାନେ ବୟସରେ ସାନ ଓ ଉପଦେଶ ଶୁଣାନ୍ତି ଓ କର୍ମ ଠିକ୍ ନକଲେ ଅସୁବିଧା ହେବ କହି ଡରାନ୍ତି)ଙ୍କୁ ଫୋନ୍ କରି ଭାଷଣ ଦେବା ଆଦି ବହୁବିଧ କାମରେ ନିଜକୁ ବ୍ୟସ୍ତ ରଖିବାକୁ ପଡେ । କିନ୍ତୁ କଣ୍ଡୁ ସମୟରେ ସ୍ତ୍ରୀ ଓ ପୁଅ ଦୁହିଙ୍କୁ ଫୋନ୍ କରି ସେ ସମୟ ବିତାଇବାର ପ୍ରଚେଷ୍ଟା କରେ ନାହିଁ । ତେବେ ଚର୍ମ ସନ୍ଧିରୁ କଣ୍ଡୁ ଉତ୍ପନ୍ନ ହେବା ଓ ତା’କୁ ନିପାତ କରିବାରେ କି ଚରମ ଆନନ୍ଦ ! ସତେକି ସ୍ୱର୍ଗୀୟ ଅନୁଭୂତି ! ପରନ୍ତୁ ନଖରେ କଣ୍ଡୁ ସ୍ଥାନକୁ ଯେତେ ଇଛା ହେଉଥିଲେ ବି ତାହାକୁ ମଧ୍ୟ ମନ ଭିତରେ ମାରି ଦେବାଦେବୀଙ୍କ ମନ୍ତ୍ରଠୁ ଆରମ୍ଭ କରି ଉପରୋକ୍ତ ଆଶ୍ରା ନେବାକୁ ହୁଏ । କାରଣ କୁଣ୍ଢାଇ ମୁଣ୍ଢାଇ କଣ୍ଡୁ ମାରିବାର ଆନନ୍ଦ ମିଳିବ , କିନ୍ତୁ ପର କ୍ଷଣରେ ଯେତେବେଳେ ରକ୍ତ ବୋହିବ ସେତେବେଳେ ସବୁ ସନ୍ନିପାତ ହୋଇଯିବ । ତେଣୁ ସେ ଏହିପରି ଭାବେ ମା’ ବସୁମତୀଙ୍କୁ ସ୍ମରଣ କରେ – ହେ ମା’ ! ତୋ’ ଭଳି ସହିବାର ଶକ୍ତି ମୋତେ ଦେ ! ତୁ ଅଚଳା ଓ ସର୍ବଂସହା । ମୁଁ ତୋ ବକ୍ଷରେ କାଳତିପାତ କରୁଛି । ତେଣୁ ତୋ’ ପରି ମୁଁ କାହିଁକି ହୋଇ ପାରିବି ନାହିଁ ? ନିଶ୍ଚୟ ହେବି ମା’ ! ମୋତେ ଆଶୀର୍ବାଦ ଦେ । ତାହାହିଁ ହେଉଥିଲା । କଣ୍ଡୁର ପ୍ରବଳତାରେ କୁମାର୍ଗ ଅର୍ଥାତ୍ ନଖରେ କୁଣ୍ଢାଇବାରୁ ବିରତ ରହି ସେ ଅସୀମ ଧୈର୍ଯ୍ୟର ପରାକାଷ୍ଠା ଦେଖାଇ ପାରିଥିଲା । ଏହାହିଁ ଦିବ୍ୟତା । ତେଣୁ ହେ ମାନବ ! କଣ୍ଡୁ ରୂପୀ ଦାନବର ବହୁବିଧ ତାଡନାରେ ଅତିଷ୍ଠ ନହୋଇ ଓ ହିତାହିତ ଜ୍ଞାନ ନ’ହରାଇ ପ୍ରତ୍ୟେକ ସନ୍ଧି ସ୍ଥଳରେ ପବିତ୍ରତା ବଜାୟ ରଖିବା ହେଉଛି ବିଶ୍ୱ ନିୟନ୍ତ୍ରଙ୍କ ଇଛା ବା ପ୍ରକୃତିର ଇଛା । ଶିଶୁରୁ କିଶୋର, କିଶୋରରୁ ଯୁବାବସ୍ଥା——- ଆଦି ଜୀବନର ଏକଏକ ସନ୍ଧିସ୍ଥଳ । ତେଣୁ ସେ ବଦଳିବା ସମୟ ଜୀବନର ଘାଟିକୁ ବୁଝାଏ, ଯେଉଁଠି ଅଦମ୍ୟ ପିପାସାକୁ ମନରୁ ଧ୍ୱଂସ କରିବା ଏକାନ୍ତ ଆବଶ୍ୟକ । ଗରୀବରୁ ଧନୀ, ପ୍ରଜାରୁ ରାଜା, ଅହିଂସାରୁ ହିଂସା, ——– ଆଦି ସନ୍ଧି ସ୍ଥଳର ଅନ୍ୟ ଏକଏକ ଉଦାହରଣ, ଯେଉଁଠି ମାନବ ଗଣ ପ୍ରାୟ ଧରାକୁ ସରା ମଣନ୍ତି । ତେବେ ଏପରି ସ୍ଥଳେ ସର୍ବେ ଅହଂତ୍ୱକୁ ଧ୍ୱଂସ କରିବା ଈଶ୍ୱରୀୟ ଇଛା ଅଟେ । ଏହା ମାନବ ସମାଜ ମଙ୍ଗଳକାରୀ ଓ ଦେହ – ମନରେ ଦିବ୍ୟତା ଜାଗ୍ରତ କରାଏ । ଗଙ୍ଗା – ଯମୁନା – ସରସ୍ୱତୀ ନଦୀର ସନ୍ଧି ସ୍ଥଳ – ପ୍ରୟାଗକୁ ଧର୍ମ ଶାସ୍ତ୍ରରେ ପବିତ୍ର ସ୍ଥଳ କୁହାଯାଇଛି ଓ ସମାଜକୁ ଏହା ପବିତ୍ରତାର ବାର୍ତ୍ତା ଦିଏ ଯେ, ହେ ମାନବ ସମାଜ ! ସନ୍ଧି ସ୍ଥଳ ଉଭୟ ଉତ୍ପତ୍ତି ଓ ବିନାଶର କାରଣ ଅଟେ । ଅପପ୍ରୟୋଗ, ଅପବ୍ୟବହାର ଓ ଦୁର୍ବ୍ୟବହାର ଆଦି ବହୁବିଧ ଭାବ ବହନ କରୁଥିବା ସନ୍ଧି ସ୍ଥଳକୁ ମୁକ୍ତ ରଖିବା ହେଉଛି ମହାନ୍ ଜାଗତିକ ବାର୍ତ୍ତା :-“ବସୁନ୍ଧୈବ କୁଟୁମ୍ବକମ୍”ର ରୂପରେଖ । ପୁରାଣ କହେ ମହା ପରାକ୍ରମୀ , ବ୍ରହ୍ମା ବରରେ ବଳୀୟାନ୍ ଓ ତ୍ରିପୁର ବିଜୟୀ ମହିଷାସୁରର ଅମର ହେବାର ପିପାସାରେ ବର ମାଗି ନେଇଥିଲେ, ଯାହାକୁ ପିଲାଦିନେ ସେ ତା’ଙ୍କ ବାପାଙ୍କ ଠାରୁ ଶୁଣିଥିଲେ, କବିତା ଢାଞ୍ଚାରେ, ଯଥା –
ନ’ମରିବି ରଣେ – ନ’ମରିବି ବଣେ – ନ’ମରିବି ମୁହିଁ କବାଟ କଣେ ।
ନାରୀ ହୋଇ ଯଦି କରିବ ନିଧନ – ଦେଖିବି ତାହାର ଜାନୁ ଯଉବନ ।
ବ୍ରହ୍ମାଣ୍ଡର ସବୁ ଶକ୍ତିର ପ୍ରତୀକ ମା’ ଦୁର୍ଗା ସୃଷ୍ଟି ରକ୍ଷା ନିମିତ୍ତ ନିଜ ଅଙ୍ଗ ବସ୍ତ୍ର ତ୍ୟାଗ କରି ଦାନବକୁ ବିନାଶ କରିଥିଲେ । ମାତା ଯଶୋଦା ଦେଖିଥିଲେ ବାଳକୃଷ୍ଣଙ୍କ ସନ୍ଧିସ୍ଥଳ ବା ମୁଖ ଗହ୍ୱରରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ।
ବିଚରା ଘା’ବକଳର ଅତି କ୍ଷୁଦ୍ର ଖଣ୍ଡ ମାନ ନଖେଇକି ଅତି ଧିରେ ଛଡାଇ ଚାଲେ । ଦିନ ପରେ ଦିନ ବିତିଯାଏ । ବକଳ ସରେନି । ସତେକି ଏହା ବ୍ୟାପିଛି ଲକ୍ଷ ଲକ୍ଷ ଯୋଜନକୁ । ଭାବେ କେତେ ଆଉ ଛଡେଇବି ! ନୂଆ ଅନୁଷ୍ଠାନରେ ସେଇ ବର୍ଷ ତ ମାତ୍ର ପ୍ରଥମରୁ ତିନିଜଣ କର୍ମଚାରୀ ବଦଳି ହୋଇ ଆସିଥିଲେ । ଦୀର୍ଘ ଦିନ ଲଜ୍ରେ ରହି ହୋଟେଲ୍ରେ ଖାଇବାକୁ ପଡୁଥିଲା । ବାହାରେ ଖାଇ ଖାଇ ପେଟ ସମସ୍ୟା ଆରମ୍ଭ ହେବାରୁ ସକାଳୁ ଚୂଡାର ଆଶ୍ରୟ ନିଆ ହୁଏ । ସେମାନଙ୍କ ମଧ୍ୟରେ ସବୁଠୁ ବୟୋଜ୍ୟେଷ୍ଠଙ୍କୁ ଅନ୍ୟ ଦୁଇଜଣ ପୁର୍ବ ଷ୍ଟେସନ୍ର ଡାକ ନାମ ଧାରାରେ କାଲୁ ସାର୍ ଡାକନ୍ତି । ସକାଳୁ ଚୂଡା, ଦିନବେଳା ଅପରାହ୍ନରେ ୧୦ କିଲୋମିଟରରେ ଥିବା ବଜାରକୁ ଆସି ନିର୍ଦ୍ଧାରିତ ସବୁଦିନିଆ ହୋଟେଲ୍ରେ ଉଦର ପୋଷଣ ନିମନ୍ତେ ପହଞ୍ଚିବାକୁ ହୁଏ । ସେ ଇଲାକାରେ ସେଇ ଗୋଟିଏ ଏକଚାଟିଆ ହୋଟେଲ୍ କାରବାର । ଦାମ୍ ଆକାଶ ଛୁଆଁ, ଟିକିଏ ସ୍ୱାଦଯୁକ୍ତ ବୋଲି । ତେଣୁ ବ୍ରହ୍ମା ବିଳିବିଳେଇଲେ ବେଦ ପରି ଯାହା ମନକୁ ଆସିଲା ବା ପାଟିରୁ ବାହାରିଲା ତାହା ହିଁ ଠିକ୍ । ଦାମ୍ ବାବଦରେ କିଛି କହିଲେ ଜବାବ ଆସେ ଏଠାରେ ନ’ଖାଅ, କିଏ ତୁମକୁ ଡାକୁଛିକି ? ମୁଣ୍ଡ କାନ ଆଉଁସିବା ଛଡା ଅନ୍ୟ ରାସ୍ତା ନଥାଏ । ସମସ୍ତେତ ସୁନାପିଲା ପରି ଖାଇକି ପୈଠ କରୁଛନ୍ତି ଡରେ ମରେ । ଅନ୍ଧାର ଇଲାକାରେ ଏହା ଏକ ମହମ ବତୀ, ତେଣୁ ପ୍ରାଧାନ୍ୟ କାହିଁରେ କେତେ । ହଉ ତେବେ, କିନ୍ତୁ ପ୍ରତିଦିନ ଅପରାହ୍ନରେ ସବୁ ଭଲ ଆଇଟମ୍ ପ୍ରାୟ ସରିଯାଇ ଥାଏ । ଯାହା ମିଳେ ତାହାକୁ ଭକ୍ଷଣ କରି ମନକୁ ଶାନ୍ତି କରିବାକୁ ସେମାନେ ବାଧ୍ୟ ହୁଅନ୍ତି । ରାତିରେ ମଧ୍ୟ ସେଠାରେ ନିଜ ଇଛା ବିରୁଦ୍ଧର ଖାଦ୍ୟ ଆଇଟମ୍ । କ’ଣ ଆଉ କରା ଯିବ । ବଞ୍ଚିବାକୁ ତ ପଡିବ । କିନ୍ତୁ କାଲୁ ସାର୍ଙ୍କର ପାଟି ଅରୁଚି ଧରେ । ସବୁଦିନେ ସକାଳେ ଚୂଡା ଖାଇବା ତା’ଙ୍କୁ ଅସହ୍ୟ ଯନ୍ତ୍ରଣା ଦିଏ । ତେଣୁ ରାତି ଖାଇବା ସମୟରେ ହୋଟେଲ୍ରେ ବସି ବିକୃତ ଭଙ୍ଗୀରେ ମୁଣ୍ଡ ହଲେଇ ହଲେଇ ଦୁଃଖ ମିଶା ଭାଷାରେ କହନ୍ତି – କେତେ ଆଉ ମଣିଷ ଚୂଡା ଖାଇବ ! ପୁଣି ଦିନବେଳା ଖାଦ୍ୟ କଥା ନକହିଲେ ଭଲ । ତେଣୁ ହୋଟେଲ୍ ବୟକୁ ଚଢା ଗଳାରେ ଆଦେଶ ଦିଅନ୍ତି – ଆଣେ ଅଣ୍ଡା ! ଅନ୍ୟ ଦୁଇଜଣ ଅଣ୍ଡା ପ୍ରିୟ ନୁହନ୍ତି, ତେଣୁ ରୁଟି ଓ ସାଧା ତରକାରୀ ମଗାନ୍ତି । ଘରଭଡା ପାଇବା ଯାଏ, ଏହା ସବୁଦିନିଆ ହୋଇଯାଏ । ଆପଣଙ୍କର କୋଲେଷ୍ଟୋରାଲ୍ ବ୍ଲଡ୍ ପ୍ରେସର୍ ଓ ଏ ବୟସରେ ସବୁଦିନେ ଅଣ୍ଡା ଖାଇବା ଅନୁଚିତ ବୋଲି କହିଲେ ମଧ୍ୟ କାଲୁ ସାର୍ ଶୁଣନ୍ତି ନାହିଁ। କାରଣ ଅଣ୍ଡା ମସଲାର ବହଳିଆ ଲାଲ୍ ଲାଲ୍ ରଙ୍ଗକୁ ଯେ କେହି ଦେଖିବ, ଜିଭରୁ ଲାଳ ବୋହିଯିବ । ଏମାନଙ୍କ କଥା କାହିଁକି କାଲୁ ସାର୍ ଶୁଣିବେ ? ଯାହା ହେଲେ ହୋଇଯାଉ । ମନର ଲାଲସା ରୂପୀ କଣ୍ଡୁକୁ ସମ୍ଭାଳିବ କିଏ । ଦେବ ସଭାରୁ ଦିନେ ବ୍ରହ୍ମା ତ ଉର୍ବଶୀଙ୍କୁ ହରଣଚାଲ୍ କରିଥିଲେ ! କିନ୍ତୁ ବିଚରାଟି ଘା’ବକଳର କଣ୍ଡୁକୁ ସହିବାକୁ ବାଧ୍ୟ ହୁଅନ୍ତି ଓ ଯେମିତି ବି ହେଉ ଏ ଦୁହେଁ ସେ ଅଣ୍ଡା ମାୟାରୁ ଦୂରେଇ ରହି ଥିଲେ । କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ ।
ଯେଉଁ ସ୍ଥାନରୁ ପଳଖ ବାହରୁଥିଲା, ତାହା ନଡିଆ ତେଲର ହିଁ ପ୍ରଭାବ । ଏହା ବକଳ ଓ ବକଳ ତଳେ ସୃଷ୍ଟି ହେଉଥିବା ନୂଆ ଚର୍ମର ସଂଯୋଗ ସ୍ଥଳକୁ ଭେଦ କରି କରି ଯାଏ । ତେଣୁ ନୂଆ ଚର୍ମ ଗଠନ ସମ୍ଭବ ହେବା ସହ ବକଳ ଅତି ସହଜରେ ବାହାରିଯାଏ । ଯଦି ବାହାର କରା ନଯାଏ, ତାହା କିଛି ଦିନ ପରେ ଆପେ ଆପେ ଝଡିଯାଏ ଓ ନୂଆ ଚର୍ମ ସେତେବେଳେ ବାହ୍ୟ ପରିବେଶ ସହିତ ଆରାମରେ ଖାପ ଖୁଆଇ ପାରେ । ତେବେ ବକଳ ବାନ୍ଧେ ସିଝା ଚର୍ମ ଉପରେ ଓ ଏଗୁଡିକ ମୃତ କୋଷ । ଏହି ମୃତ କୋଷ ଚର୍ମ ସହ ଲାଖି ରହି ବକଳ ସୃଷ୍ଟି କରେ । ବକଳ ଯେତେ ଶୀଘ୍ର ଶୁଖିବ, ସେତେ ଶୀଘ୍ର ନୂଆ ଚର୍ମ ଦେବ ଓ ମଧ୍ୟସ୍ଥ ଅଠାଳିଆ ମୃତ କୋଷ ସବୁ ଶୁଖି ଚର୍ମ ଛଡା ପରିସ୍ଥିତିରେ ପହଞ୍ଚିବ । ଏ ପ୍ରକ୍ରିୟାକୁ ନଡିଆ ତେଲ ରାମବାଣ ପରି ତ୍ୱରାନ୍ୱିତ କରେ । ଏହା ହିଁ ପୋଡା ଘା’ର ଶୁଖିବା ସମୟ । ସେଥି ଯୋଗୁ କଣ୍ଡୁ ପ୍ରବଳରୁ ପ୍ରବଳ ଅନୁଭୂତ ହୁଏ । ଏ ସମୟ ହେଉଛି ଅସୀମ ଧୈର୍ଯ୍ୟର ସମୟ । ଆଦୌ ସେ ଯାଗାକୁ ନ’କୁଣ୍ଢାଇଲେ ଭଲ । ନଚେତ୍ ରକ୍ତ ବାହାରିବ ଓ ପୁଣି ସେ ସ୍ଥାନରେ ନୂଆ ବକଳ ବାନ୍ଧିବ । ଏହାଦ୍ୱାରା ଘା’ ଶୁଖିବାରେ ଅଧିକ ସମୟ ନେବ ଓ ଅଧିକ ଯନ୍ତ୍ରଣା ଦାୟକ ହେବ । ପୁନଃ ଶୁଖିବା ସମୟରେ ପରିବ୍ୟାପ୍ତ ବକଳ ଛୋଟ ଓ ବଡ ଖଣ୍ଡରେ ଚର୍ମ ଉପରେ ଥାଇ ଫାଟିବାକୁ ଆରମ୍ଭ କରେ । ଏହା ଏକ ଏକ କ୍ଷେତ ସଦୃଶ ଓ ଫାଟିଥିବା ଧାର କ୍ଷେତର ହିଡ ବା ସୀମାରେଖା ପରି ଜଣାଯାଏ । ସେହି ସୀମାରେ ପବନ ଓ ତେଲ ଭିତରକୁ ସୁବିଧାରେ ଯାଏ ଏବଂ ତତ୍ ସଙ୍ଗେ ସଙ୍ଗେ ଘା’କୁ ଶୁଖାଇବାର ପ୍ରକ୍ରିୟାକୁ ଶୀଘ୍ର କରାଏ । ତେଣୁ ସେହି କ୍ଷୁଦ୍ର କ୍ଷୁଦ୍ର ପଟାଳୀ ରୂପୀ ବକଳକୁ ଅତି ଧିରେ ଧିରେ ଛଡାଇବା ଦରକାର । କିନ୍ତୁ ବଳ ପ୍ରୟୋଗ କରି କେବେ ନୁହେଁ । ନହେଲେ ତଳ ଚର୍ମର ମାଂସରୁ ପୁଳାଏ ଲାଗିକରି ଏହା ସହିତ ବାହାରି ଆସିବ ଓ ରକ୍ତ ବୋହିବ ।
ଦିନୁଦିନ ବକଳ ଛଡାଇବା କାମ ଜୋର୍ଦାର ହୁଏ ଓ କଣ୍ଡୁ ବୃଦ୍ଧି ପାଏ । ନଡିଆ ତେଲରେ ଡାହାଣ ଛାତି, ପେଟ ଓ ଡାହାଣ କାଖ ପଟ ହାତର ମାଂସଳ ଅଂଶ ଭିଜି ଭିଜି ରହେ । ବକଳ ଯେତେ ନିଷ୍କାସିତ ହୁଏ, ଶରୀର ସେତେ ହାଲୁକା ଲାଗେ ଓ ନୂଆ ଚର୍ମ ଏ ବିଶ୍ୱବ୍ରହ୍ମାଣ୍ଡକୁ ଦେଖେ । “ନଦୀପ୍ରତି” କବିତାରେ ଭକ୍ତ କବି ମଧୁସୂଦନ ରାଓଙ୍କ ଭାଷାରେ –
ଗିରିବର ନନ୍ଦିନୀ ——— ଅଟୁ ତୁହି ତଟିନୀ
ଗଭୀର ଗହ୍ୱର ଗର୍ଭରେ
ଥିଲୁ ତୁ ଗର୍ଭବାସେ ——— ନିରୋଳେ ଅପ୍ରକାଶେ
ଲୋକଲୋଚନ ଅଗୋଚରେ
—————————————-
—————————————-
କ୍ରମେ ଜନ୍ମ-କନ୍ଦରେ ———— ଅଦଭୁତ ହୁନ୍ଦରେ
ପଶିଲା ଡାକ ଜଗତର
ଭାଜିଲା ତୋ ସପନ ———– ମେଲିଲୁ ତୁ ନୟନ
ଦେଖିଲୁ ଦିବ୍ୟ ରବିକର ।
ନୂଆ ଚର୍ମ ସତେକି ଅନ୍ଧାର ଗହ୍ୱରରେ ରହି ଆଲୋକର ସନ୍ଧାନରେ ବ୍ୟାକୁଳ ହେଉଥିଲା । ତେବେ ଯେଉଁ ନୂଆ ଚର୍ମ ବକଳର କବଳରୁ ମୁକ୍ତି ଲାଭ କରୁଥିଲା, ତାହା ପୁରୁଣା ଚର୍ମ ପରି ଦେଖା ଯାଉ ନଥିଲା । ଏହା ବାଦାମୀ ରଙ୍ଗର ଓ ଅଲଗା ବାରି ହୋଇ ପଡୁଥିଲା ।
ଏକୋଇଶ ଦିନ ପରେ –
ପ୍ରାୟ ୯୦% ବକଳ ସଫା ହୋଇ ଯାଇଥିଲା । ଏହା ଡାହାଣ ଛାତିରୁ ପେଟ ପର୍ଯ୍ୟନ୍ତ ବ୍ୟାପିଥିଲା । ତାହା ଦେଖି ଜଣେ ଭାବୁକ ବହୁବିଧ ଭାବନାରେ ନିଶ୍ଚିତ ରୂପେ ଉବୁଟୁବୁ ହେବା ଅବଶ୍ୟମ୍ଭାବୀ । ପ୍ରଥମେ ଏହା ପୃଥିବୀ ମାନଚିତ୍ର ପରି ଲାଗୁଥିଲା । ଡାହାଣ ବା ଫାଳେ ବକ୍ଷ ପୃଥିବୀର ଏକ ପାର୍ଶ୍ୱ ଓ ବାମ ବା ଅନ୍ୟ ଫାଳକୁ ତ ନଜର ପକାଇବାର ନାହିଁ ଓ ଏହା ଗ୍ଲୋବ(globe)ର ପଶ୍ଚାତ୍ ଭଗକୁ ବୁଝାଏ । ତେବେ ଏହାଦ୍ୱାରା ଶରୀରର ମୁଣ୍ଡ ପଟ ଉତ୍ତର, ପାଦର ଦିଗ ଦକ୍ଷିଣ, ଡାହାଣ ପାର୍ଶ୍ୱ ପୂର୍ବ ଓ ବାମ ପାର୍ଶ୍ୱ ପଶ୍ଚିମକୁ ବୁଝାଇବ ।
ପୁନଃ ସେ ପରିବ୍ୟାପ୍ତତା ମଧ୍ୟ ଭାରତ ମନଚିତ୍ର ପରି ଲାଗୁଥିଲା । ଡାହାଣ ସ୍ତନ ଉପରେ ଅତି ବହଳିଆ ପ୍ରଲେପ ବାରମ୍ବାର ପୂର୍ବରୁ ଦିଆ ଯାଇ ଥିବାରୁ, ସେ ସ୍ଥାନ ଏକ ଶକ୍ତ, ଦୃଢ ଓ ମୋଟା ଆବରଣରେ ଢାଙ୍କି ହୋଇ ଉଚ୍ଚା ଦେଖାଯାଉଥାଏ । ତା’ କଡରେ ଛାଡିଥିବା ବକଳ ଓ ଚର୍ମର ସଂଯୋଗ ସ୍ଥଳରେ ତେଲ ଥାପିଲେ ବି ତାହା ସେ ସ୍ଥାନକୁ ଭେଦି ଯାଇ ପାରୁ ନଥିଲା । ମଝିରେ ମଝିରେ ସେ କେନ୍ଦ୍ର ସ୍ଥଳ ବିନ୍ଧି ଉଠେ, କୁଣ୍ଢାଇ ହୁଏ ଓ କଣ୍ଟା ଫୋଡିଦେଲା ପ୍ରାୟ ଅନୁଭୂତ ହୁଏ । ମନ ଭାରୀ ବ୍ୟସ୍ତ ଓ ବିବ୍ରତ ହୋଇଉଠେ । ସତେକି ଏହା ଭାରତର ଉତ୍ତରକୁ ହିମାଳୟର ଗିରିଶୃଙ୍ଗ ବା ମାଉଣ୍ଟ୍ ଏଭେରେଷ୍ଟ(Mount Everest)ସଦୃଶ । ଏହା ଉପରେ ଲଦି ହୋଇଛି ବରଫ ଗଦା ରୂପୀ କଠିନ ବକଳ ଓ ତଳ କଞ୍ଚା । ସେ ସ୍ଥାନକୁ ନଖେଇକି ବରଫ ତାଡି ଗିରିଶୃଙ୍ଗକୁ ମୁକ୍ତ କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ହୋଇପାରେ ନାହିଁ । ବିନ୍ଧିବା ଆରମ୍ଭ ହୁଏ ଓ ଗିରିଶୃଙ୍ଗ ସହିତ ମୋଟା ଟାଣୁଆ ବକଳ ସମୁଦାୟ କାମୁଡି ଧରିଥିବା ସେହି ସ୍ଥାନରୁ ତଳେ ଶୁଖି ନଥିବା ନରମ ସିଝା ମାଂସ ସହ ବାହାରି ଆସିବାର ଅନୁଭୂତ ହୁଏ । ତେଣୁ ସେ ଧାରାକୁ ବିଚରା ତ୍ୟାଗ କରିବାକୁ ବାଧ୍ୟ ହୁଅନ୍ତି । ଶେଷକୁ ଛୁଞ୍ଚିରେ ସେ ସ୍ଥାନକୁ ତେଢେଇକି ଏକ କଣା କରିଦେଲେ ତେଲ ଓ ପବନ ଭିତରକୁ ଯାଇ ପାରନ୍ତା । ଫଳରେ ସେ ସ୍ଥାନରେ ଘା’ ଶୁଖିବା ଶୀଘ୍ର ହୁଅନ୍ତା । ମଣିଷ ଏ ଯନ୍ତ୍ରଣାରୁ ଟିକେ ରିହାତି ମିଳନ୍ତା । ଶେଷରେ ସେ ସେଇଆ ହିଁ କଲେ । ଛୁଞ୍ଚି ମୁନ ଉପର ଟାଣୁଆ ବକଳକୁ ଭେଦ କରିବାକୁ ବାରମ୍ବାର ଚେଷ୍ଟା ସେ ଅସଫଳ ହେଲେ । ତାଙ୍କର ମନେ ପଡିଲା ପିଲା ଦିନେ ପଢିଥିବା କେଉଁ ଏକ ପୁରାଣର ଗୋଟିଏ ପଦ – “ବାମନ ହୋଇ ଚନ୍ଦ୍ରକୁ ହାତ ବଢାଇଲା —- ସୂଚୀ ମୁନେ ପର୍ବତ କି ତାଡିବୁ ବୋଇଲା” । ସତରେ କ’ଣ ଏ ବରଫାବୃତ୍ତ ଗିରିଶୃଙ୍ଗକୁ ମୁକ୍ତ କରାଯାଇ ପାରିବ ? ତେବେ ଖୁବ୍ ଜୋର୍ରେ ଫୁଟାଇଲେ ହୁଅନ୍ତା, କିନ୍ତୁ ତଳେ ତ ନରମ ଓ ନିଶ୍ଚିତ ଭାବେ ଏହା କଲେ ଛୁଞ୍ଚି ମୁନ ବକଳ ଭେଦ କରି ହଠାତ୍ ଯାଇ ଛାତିରେ ବାଜିବ ଓ ଅବସ୍ଥା ଅସମ୍ଭାଳ ହେବ । ତେଣୁ ସେ ଛୁଞ୍ଚି ତେଢେଇକି ଓ ଅଧିକ ବଳ ପ୍ରୟୋଗ କରି ଚର୍ମ ସହ ସମାନ୍ତରାଳ ପୂର୍ବକ ଫୁଟାଇଲେ । ଏପରି ନକରି ଥିଲେ ଛୁଞ୍ଚି ଟାଣ ଆବରଣକୁ ବଳ ପ୍ରୟୋଗରେ ଫୁଟିବା ମାତ୍ରେ ସିଧା ଭିତରେ ନରମ ଅଂଶ ପାଇ ହଠାତ୍ ଭିତର ଚର୍ମରେ ଫୋଡି ହୋଇଯାଇ ଯନ୍ତ୍ରଣା ଏବଂ ରକ୍ତରେ ଛଟପଟ ହେବାକୁ ପଡିଥା’ନ୍ତା । ଶେଷରେ ସେ ସଫଳ ହେଲେ । ଛୁଞ୍ଚିରେ ଯେଉଁଠି ଫୁଟାଇ ଥିଲେ, ସେହି ଫୁଟାରେ ମୁନ ରଖି ଉପର ଟାଣ ବକଳର ପୃଷ୍ଠକୁ ଧିରେ ଧିରେ ଉପରକୁ ତାଡିଲେ । ଛୁଞ୍ଚି ମୁନକୁ ଫୁଟାରେ ଟିକିଏ ତଳକୁ ଓ ଅଳ୍ପ ତେଢା କରି ମୁନ ଉପରକୁ ଟେକିବା ଦ୍ୱାରା ବକଳର ସୂକ୍ଷ୍ମାତି ସୂକ୍ଷ୍ମ ଖଣ୍ଡ ଭାଙ୍ଗିବାକୁ ଲାଗିଲା । କ୍ରମେ ଶୃଙ୍ଗ ଉପରେ ଏକ ଛୋଟିଆ ଅଗଭୀର ଗର୍ତ୍ତ ହୋଇଗଲା । ଆଉ ଖୋଳିବାକୁ ସାହସ ଜୁଟିଲା ନାହିଁ । ତେଣୁ ସେଠାରେ ତେଲ ପ୍ରୟୋଗ କରି କିଛି ସମୟ ଖାଦ୍ୟ ପ୍ରସ୍ତୁତିରେ ବ୍ୟସ୍ତ ରହିଲେ । ମନ ତ ଲାଗିଛି, ଅର୍ଥାତ୍ – “ଲାଗିଛି ଲୋଭ ଦେଖିବାକୁ – ଗିରିଶୃଙ୍ଗର ଅବସ୍ଥାକୁ” । ପୁଣି ସେଇ କାର୍ଯ୍ୟରେ ଲାଗି ପଡିଲେ ଓ ଶେଷରେ ଶୃଙ୍ଗର ମୁଣ୍ଡି ଉପରୁ ଏକ ଛୋଟ ଗୋଲାକାର ପଳଖ ବାହାର କଲେ । ପଳଖ ତଳେ ମୁଣ୍ଡିଟି ଦେଖାଯାଉ ନଥିଲା । କାରଣ ପୂର୍ବରୁ ବୋଳାଯାଇଥିବା ମେଗାହିଲ୍ ଆଦି ଜେଲ୍ ନ’ଶୁଖି କଞ୍ଚା ଥିଲା । ତୁଳାରେ ଧିରେ ଧିରେ ପୋଛିବାରୁ ଦୃଶ୍ୟମାନ ହୁଏ ବହୁ ପ୍ରତିକ୍ଷୀତ ମୁଣ୍ଡି, ଯାହା ସାଧାରଣତଃ କଳା ରଙ୍ଗ ହୋଇଥାଏ । କିନ୍ତୁ ହାୟ ! ଏ କ’ଣ ? ଏହା ଧଳା ବା ଶେତା ପଡିଯାଇଥିଲା । ବିଲରେ ଦୂବଘାସ ଉପରେ ଯଦି କିଛି ଅସ୍ୱଛ ବା ନଡା ପକାଇ ଦିଆଯାଏ ଓ କିଛି ଦିନ ପରେ ନଡା ବାହାର କରି ଦେଖିଲେ ଠିକ୍ ସେହିପରି ଦେଖାଯାଏ । ଅର୍ଥାତ୍ ସ୍ତନର ମୁଣ୍ଡିଟି ମୋଟା ଓ ତରଳ ପ୍ରଲେପ ତଳେ ପ୍ରାୟ ତିନି ସପ୍ତାହ ରହିବା ଦ୍ୱାରା ଏଭଳି ହୋଇ ଯାଇଥିଲା ।
କ୍ରମେ ମାଉଣ୍ଟ୍ ଏଭେରେଷ୍ଟ ଉପରେ ଓ କଡରେ ଲଦି ହୋଇଥିବା ବକଳ ଶୁଖିବାକୁ ଲାଗିଲା । କିନ୍ତୁ ବକଳ ଛଡାଇବା ବେଳେ ଅତି କଷ୍ଟକର ହେଲା । କାରଣ ଶୁଖିଲା ବକଳକୁ ବାହାରକୁ ଟାଣିଲା ବେଳେ ଯେହେତୁ ମୁଣ୍ଡିର ଚୂଳ ତା’ମଧ୍ୟରେ ଯୁକ୍ତ ହୋଇ ଯାଇଥାଏ, ତେଣୁ ଟାଣିବା ବେଳେ ଭିତର ଚର୍ମ ଟାଣି ହୁଏ । ଚୂଳର ମୂଳ ତ ଚର୍ମ ଭିତରେ । ଫଳରେ ଯନ୍ତ୍ରଣା ଅସହ୍ୟ ହୁଏ । ତେଣୁ ସେ ନିଶ କଟା କଇଞ୍ଚିରେ ବାହାରି ଥିବା ଶୁଖିଲା ବକଳ ଖଣ୍ଡଟିର ଠିକ୍ ତଳୁ ସତର୍କତାର ସହିତ ଚୂଳକୁ କାଟିବାକୁ ପଡେ, ଯେମିତି କଇଞ୍ଚି ମୁନ ନୂଆ ଚର୍ମରେ ନ’ବାଜେ । ଏହିପରି ଭାବରେ ସେ ଟିକି ଟିକି ବକଳକୁ ପ୍ରଦିଦିନ ହଟାଇଲେ । ଏବେ ପ୍ରାୟ ଛାତି ଓ ହାତରୁ ସବୁ ବକଳ ବାହାରି ଯାଇଥିଲେ ବି ବିଭିନ୍ନ ଯାଗାରେ ଛୋଟ ଛୋଟ ପୁଳା ବକଳ ଲାଖି ରହିଥିଲା । ବୋଧହୁଏ ସେ ସ୍ଥାନ ଚର୍ମ ଭିତରକୁ ବେଶି ସିଝି ଯାଇଥିଲା । ତେଣୁ ଚର୍ମଛଡା ଦେଉ ନଥିଲା । ସେଇ ସ୍ଥାନରୁ ଏବେ ଯନ୍ତ୍ରଣା ଅଧିକ ହୁଏ ଓ ସାର୍ଟ୍ ପିନ୍ଧିବାରେ ଅସହ୍ୟତା ବୋଧ ହେଉଥିଲା । ତେବେ ଛାତିର ରୂପରୁ ଏକ ଭୟଙ୍କର ଆଭାସ ଫୁଟି ଉଠୁଥିଲା । ବାଦାମୀ ରଙ୍ଗର ସେ ଚିତ୍ରପଟ୍ଟ, ଭାରତ ମାନଚିତ୍ର ପରି ଲାଗୁଥିଲା । କିନ୍ତୁ ଯେଉଁ ପୁଳା ପୁଳା ସ୍ଥାନରେ ବକଳ ଦୃଶ୍ୟମାନ ହୁଏ ତାହାର ପରିଭାଷାକୁ ସେ ନିମ୍ନ ରୂପେ ଭାବି ଭାବି ସମୟ ବିତାଉ ଥିଲେ ।
ଯେତେବେଳେ ଭାରତ ସ୍ୱାଧିନ ହେଲା, ଅନେକ ଦେଶୀ ରାଜା ଭାରତରେ ମିଶିବାକୁ ଚାହିଁଲେ ନାହିଁ । ବକଳ ରୂପୀ ଦେଶୀୟ ରାଜାମାନେ ନିଜ କ୍ଷୁଦ୍ର ରାଜ୍ୟଟିକୁ ଅଖଣ୍ଡ ଭାରତରେ ମିଶାଇବାକୁ ଚାହୁଁ ନଥିଲେ ଓ ସ୍ୱାଧିନ ହୋଇ ରହିବାକୁ ସଗର୍ବେ କହୁଥିଲେ । ସେହିପରି ଛାଡି ଛାଡି ଲାଖିକି ରହିଥିବା ଛୋଟ ଛୋଟ ବକଳ ପଟି ମୁଳ ପିଣ୍ଡରେ ସାମିଲ ହେବାକୁ ଦୃଢ ବିରୋଧାଭାସ ଥିବାର ଅନୁଭୂତ ହୁଏ ଓ ସେମାନେ ଦେଶୀୟ ରାଜାଙ୍କ ପରି ନିଜର ପ୍ରାଧାନ୍ୟ ବଜାୟ ରଖିବାକୁ ଦୃଢ ପରିକର ହେଉଥିଲେ । କିନ୍ତୁ ତା’ପୂର୍ବରୁ ଅନେକ ଦେଶୀ ରାଜାମାନେ ବ୍ରିଟିସ୍ ରାଜ୍ର ଗୁଲାମ୍ ଥିଲେ । ସେତେବେଳେ ସେମାନଙ୍କୁ ଭଲ ଲାଗୁଥିଲା । ବ୍ରିଟିସ୍ ବିରୁଦ୍ଧରେ ପାଟି ଫିଟାଇଲେ ଗୁଡୁମ୍ ଗୁଡୁମ୍ । ଦେଶୀୟ ରାଜାମାନେ ନିଶୟ ଭାବୁଥିବେ ଯେ,ଏବେ ତ ସେମାନେ ସ୍ୱାଧିନ ଭାରତରେ ନାହାନ୍ତି । ପରବାୟ କ୍ୟା ? ଗାଁ କନ୍ୟା ସିଙ୍ଘାଣି ନାକୀ । ଏମାନଙ୍କୁ କିଏ ମାନୁଛି । ଏମାନେ ତ ସ୍ୱଦେଶୀ । ପରଦେଶୀଙ୍କୁ ସିନା ମାନିବୁ, କିନ୍ତୁ ଏ ସ୍ୱଦେଶୀଙ୍କୁ ପଚାରେ କିଏ । ଏମାନେ କହୁଛନ୍ତି ଅଖଣ୍ଡ ଭାରତର ଆମେ କୁଆଡେ ଅଂଶ ବିଶେଷ । ଏମାନଙ୍କୁ ମାନିବାର ନାହିଁ । ଆମ କଥା ଆମେ ବୁଝିବୁ । କାଲି ପରି ଲାଗୁଛି, ଏ ରାମା, ଦାମା, ଶାମାଙ୍କ ଗହଣରେ ଗୁଲି ଖଟି କରୁଥିଲୁ, ତାସ୍ ଖେଳୁଥିଲୁ, ମାର୍ ପିଟ୍ ବି କରୁଥିଲୁ । କ’ଣ ହେଲାନା ଅହିଂସା ଆନ୍ଦୋଳନରେ ଭାଗନେଇ ସେମାନେ ନାଁ କରିନେଲେ । ବ୍ରିଟିସ ବାହିନୀ ଠାରୁ ଏମାନେ ବହେ ବହେ ଛେଚା ଖାଇ ଖାଇ ଏମିତି ଘାଇଲା ହୋଇଛନ୍ତି ଯେ, ଡାକ୍ତର ଖୋଜିଲେ ତାଙ୍କ ନାଡି ପାଇବ ନାହିଁ । ଏବେ ଯଦି ସେମାନଙ୍କ ଶରୀରର ସିଟି ସ୍କାନିଂ କରାଯାଏ, ଶରୀରର ବିଭିନ୍ନ ସ୍ଥାନରୁ ଗଜ୍ କନା ଓ କଇଞ୍ଚି ବାହାରିବ । ଜେଲ୍ ଯନ୍ତ୍ରଣା କ’ଣ ସେମାନଙ୍କ ମନରୁ ଲିଭି ଗଲାଣି ? ସେଠାରେ ନା ଖାଇବା ନା ପିଇବା । ଜୀବନର ସବୁ ଆନନ୍ଦ ଏମାନଙ୍କର ବରବାଦ୍ ହୋଇଛି । କଳାପାଣି ଯାଇ ଏ ସ୍ୱାଧିନତା ଟିକକ ପାଇଁ ଯେଉଁ ଅମାନବୀୟ ଅସହ୍ୟ ଯନ୍ତ୍ରଣା ସହି ସହି କିଛି ମଲେ ଓ ହାତଗଣତି କେତେ ଶୁକୁଶୁକୁ ଅବସ୍ଥାରେ ପଡି ଧକେଇ ହେଉଥିଲେ । ଏ କଷ୍ଟ ନିକଟରେ ଓଡିଶାରେ ଘଟିଥିବା ନ’ଅଙ୍କ ଦୁର୍ଭିକ୍ଷର ଅନ୍ନ କାଙ୍ଗାଳଙ୍କ ଦୁଃଖ ମଥାନତ କରେ । ପରନ୍ତୁ ଆମେ ସବୁଠୁ ଚତୁର ଓ ଛୁରୀର ଦୁଇ ପଟରେ ଧାର ରଖିଥିଲୁ । କାଦୁଅରେ ଗୋଡ ପୁରାଇବୁ କାହିଁକି ଓ ଏତେ ହନ୍ତସନ୍ତ ହୋଇ ମରିବୁ କାହିଁକି ? ଏ ଅଧା ମଲା ମାଧିଆ ଦଳ ନିଜ ଜୀବନକୁ ଜଳାଞ୍ଜଳି ଦେଇ ସ୍ୱାଧିନତା ହାସଲ କରିଛନ୍ତି ଏତେ କଷ୍ଟରେ, ପୁଣି ଦୁଇ ଭାଗରେ । ଆମେ ତ ସେମାନଙ୍କ ଗୁଲାମ ସାଜି ଭଲ ଖାଇଲୁ, ଭଲ ପିନ୍ଧିଲୁ ଓ ପ୍ରଜା ମାନଙ୍କୁ ଚାବୁକ୍ ପ୍ରହାର କରି କର ଆଦାୟ କରି ଆମ ପ୍ରଭୁଙ୍କୁ ଜିମା ଦେଲୁ । ନା ହାଡ ଭାଙ୍ଗିଲା ନା ଜେଲ୍ ଗଲୁ । ତେଣୁ ଏମାନଙ୍କ ଆଦେଶ ଆମେ ଗ୍ରହଣ କରିବାର ନାହିଁ, ଆମ ରାଜ୍ୟ ଆମର । ଏହି ଭାବନାରାଜିରୁ ଉଦ୍ଗତ ହୁଏ ଯେ, ଛାତିରେ ରହି ଯାଇଥିବା ପୁଳା ପୁଳା ବକଳ ଏକ ଏକ ଅମାନିଆ ସ୍ୱାଧିନ ରାଜ୍ୟ । କିନ୍ତୁ ସେମାନଙ୍କ ଭାବନାକୁ ଚୁର୍ମାର୍ କରି ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ସେମାନଙ୍କୁ ମିଶାଇ ଅଖଣ୍ଡ ଭାରତ ପ୍ରତିଷ୍ଠା କରିଥିଲେ । ଯେପରି ଛୋଟ ଛୋଟ ରାଜ୍ୟ ଅଖଣ୍ଡ ଭାରତର ଗଠନରେ ବ୍ୟାଘାତ ସୃଷ୍ଟିର କାରଣ ବନିଥିଲେ ଓ ଏହାର ସମାଧାନ ନିମିତ୍ତ ଦେଶଭକ୍ତ ମାନଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡିଥିଲା, ସେହି ଧାରାରେ ଏ ରନ୍ଧା ନଡିଆ ତେଲର ବୋଲ ମାନୁ ନଥିବା ଛୋଟ ଛୋଟ ବକଳ ଦଳ ନିଆରା ହୋଇ ଶରୀରରେ ଯେଉଁ ଯନ୍ତ୍ରଣା ସୃଷ୍ଟି କରୁଛନ୍ତି, ତାହାର ଅନ୍ତଃ ଦିନେ ନା ଦିନେ ହେବ । ବକଳ ନିବିଡ ଭାବେ ଚର୍ମରେ ଏପରି ଜଡିତ ହୋଇ ରହିଛି ଯେ, ଚର୍ମରୁ ଛାଡିବାକୁ ତା’ର ଆଦୌ ଇଛା ହେଉନି । ଥରେ ଛାଡି ଗଲେ ତା’କୁ କେହି ଛଣ ଛ’ବିଡାରେ ପଚାରିବେ ନାହିଁ । ଅଳିଆ ଗଦାରେ ହିଁ ପଡିବେ ଓ ପିମ୍ପୁଡି ବୋହି ନେବେ । ଏହି ସ୍ୱାର୍ଥପର ବକଳ ଦଳ ନିଜ ଚକ୍ଷୁ ସାମ୍ନାରେ ଏହା ଦେଖିଛନ୍ତି । ଚର୍ମ ଉପରେ ଲାଖିକି ରହିଲେ ନିଜର ପାରିଲା ପଣିଆ ଅନ୍ୟମାନେ ଦେଖିବେ । ତା’ ସହ ଅନ୍ୟକୁ ଯନ୍ତ୍ରଣାରେ କଲବଲ କରିବାରେ ଅପାର କ୍ରୂର ଆନନ୍ଦ ମିଳିବ । ସତେକି ଯାହା ଶୁଣାଯାଏ କେତେକ ଦେଶରେ ଘୋଡା ପିଠିରେ ବନ୍ଧା ଶିଶୁ ବ୍ୟାକୁଳରେ କ୍ରନ୍ଦନ କରେ ଓ ଏ କ୍ରନ୍ଦନ ବୃଦ୍ଧି ପାଇ ଚାଲେ ଘୋଡା ଗତିର ଦ୍ରୁତତାରେ । ଶେଷରେ ଶିଶୁ ଡହଳ ବିକଳ ହୋଇ ମରେ ଓ ଦେଖୁଥିବା ବ୍ୟକ୍ତି (Sadist)ଏଥିରୁ ଅବିଛିନ୍ନ କ୍ରୂରତାର ଆନନ୍ଦ ପାଏ । ତେଣୁ ବକଳ ଦଳ ସବୁ ଭାବୁଛନ୍ତି ଚର୍ମ ସହିତ ଦୃଢତାର ବନ୍ଧନକୁ ଆହୁରି ବୃଦ୍ଧି କରି ଚର୍ମଛଡା ନ’ହେବାକୁ । ଫଳରେ କର୍ତ୍ତା ଡହଳ ବିକଳ ହୋଇ ଅସହ୍ୟ ଯନ୍ତ୍ରଣାରେ ମରିବ । କିନ୍ତୁ କଥାରେ ଅଛି –
ତଳ ବରଡା ଖସୁଛି —- ଉପର ବରଡା ହସୁଛି
ମଝି ବରଡା କହୁଛି ମୋ’ ଦିନକାଳ ଆସୁଛି ।
ତେଣୁ ବକଳ ଦଳର ଯମ ବା ମହାକାଳ ଏଠାରେ ରନ୍ଧା ନଡିଆ ତେଲର କବଳରୁ ଯିବେ କୁଆଡେ ? ବୋଲ ମାନିବାକୁ ବାଧ୍ୟ । ଏହା ସ୍ଥିର ନିଶ୍ଚିତ ଯେ ପୁଳା ପୁଳା ବକଳର ମୃତ୍ୟୁ ଅବଶ୍ୟମ୍ଭାବୀ । ଦାମ୍ଭୀକ ଦେଖାଇ ଅନ୍ୟର ଭାଗ୍ୟ ଡୋରୀକୁ କେତେଦିନ ବା ନିଜ ହାତରେ ରଖିହେବ ? ମହାକାଳ ତ ଅନାଇଁ ବସିଛି !
ପୁଣି କର୍ତ୍ତା ଭାବୁଛନ୍ତି କେତେଦିନ ଆଉ ଚଦର ଢାଙ୍କି ହୋଇ ରୁମ୍ ବାହାରେ ବୁଲିବ ? ଛାତ ଉପରକୁ ଘରମାଲିକର ଯେତେ ସବୁ ଭଡାଟିଆ ଆସନ୍ତି । ଓଦା ଲୁଗା ଶୁଖାନ୍ତି । ସେମାନଙ୍କ ସହ ବାର୍ତ୍ତାଳାପ ମଧ୍ୟ ହୁଏ । ଘା’ କଥା ପଚାରି ବୁଝନ୍ତି । ଘରକୁ ଯାଇଥିଲେ ନିଜ ସ୍ତ୍ରୀ ଓ ଛୁଆ ପିଲା ମାନେ ଦାଇତ୍ୱ ନେଇଥାନ୍ତେ ବୋଲି କହନ୍ତି । ସେମାନଙ୍କୁ ଉତ୍ତର ଦିଆଯାଏ ଯେ, ଦୀର୍ଘ ସତର ଘଣ୍ଟା କାଳ ବସ୍ ବଦଳାଇ ଯିବାକୁ ପଡୁଛି । ସଂନ୍ଧ୍ୟାରୁ ବାହାରିଲେ ରାଜଧାନିରେ ପହଞ୍ଚିବା ସକାଳ ଆଠଟା ହୁଏ ଓ ସେଠାରୁ ଅନ୍ୟ ଏକ ବସ୍ ଧରି ଘରେ ପହଞ୍ଚି ପାଇଖାନାରେ ପ୍ରବେଶ କଲା ବେଳକୁ ପ୍ରାୟ ୧୧.୩୦ ପାଖାପାଖି ସମୟ ହୋଇଯାଏ । ଏ ଯନ୍ତ୍ରଣାରେ ଓ ପ୍ରବଳ ଶୀତରେ ଘରକୁ ଯିବା ଅସମ୍ଭବ । ଏଇଠି ମାଟି କାମୁଡି ପଡି ରହିବାକୁ ହେବ ଭଲ ହେବା ଯାଏ । ଯେହେତୁ ବକ୍ଷସ୍ଥଳ ଅତି କଦର୍ଯ୍ୟ ଓ କଦାକାର ଦେଖା ଯାଉଥାଏ, ତେଣୁ ସେମାନଙ୍କ ସହ ଆଳାପ ସମୟରେ ଚଦର ଢାଙ୍କି ହୋଇ ରହିବାକୁ ପଡେ । କାରଣ କାହାର ମନର ସ୍ତର କେଉଁଠି ତାହା ଜାଣିବା ଅସମ୍ଭବ । କିଏ ଡରିଯିବ, କିଏ ଭ୍ରୁକୁଞ୍ଚନ କରିବ, କିଏ ଅତି ଦୟାଶୀଳତାର ମୂର୍ତ୍ତିମନ୍ତ ଅବତାର ରୂପେ ଉଭା ହେବ …………. ଇତ୍ୟାଦି ଅନେକ ଅନେକ ସମ୍ଭାବନା ରହିଛି । ତେଣୁ ଏଥିରୁ ବିଚ୍ୟୁତ ହୋଇ ରହିବାର ଏକ ମାତ୍ର ଉପାୟ ହେଲା ସେ ଅଂଶକୁ ଅନ୍ୟ ଦୃଷ୍ଟିର ଅନ୍ତରାଳରେ ରଖିଲେ ଆଉ କିଛି ଦେଖିବାକୁ ଅଥବା ଶୁଣିବାକୁ ପଡିବନି । କଥାରେ ଅଛି – ମୁଳୁ ମାଇଲେ ଯିବ ସରି – ଦେବଙ୍କ ସଙ୍ଗେ କିମ୍ପା କଳି ? ସେମାନେ ଦେଖିଛନ୍ତି ଏ ବ୍ୟକ୍ତିର ଚେହେରା । ଏବେ ଏ କଦାକାର ବକ୍ଷକୁ ଦେଖି ସେମାନଙ୍କ ପାଇଁ ଅସହ୍ୟ ହୋଇପାରେ ଓ କାହାର ମନରେ ଆଘାତ ଲାଗିପାରେ କିମ୍ବା ଦୁର୍ବଳ ମନା ବ୍ୟକ୍ତିର ମଧ୍ୟ କିଛି କ୍ଷତି ହୋଇପାରେ । ଏଥିପାଇଁ ଏ ଲୁକ୍କାୟିତ ଅବସ୍ଥା । ତେବେ ଏତାଦୃଶ ପର୍ଯ୍ୟାଲୋଚନାକୁ ଏକ ପ୍ରସିଦ୍ଧ ଭକ୍ତି ରସାତ୍ମକ ଗୀତ ଢାଞ୍ଚା(ଶ୍ୟାମ ନାଗର ହେ, ଏ ବେଶ …….. ବୃତ୍ତେ)ରେ ପ୍ରକାଶ କରିବାକୁ ପ୍ରବଳ ଇଛା ହୁଏ, ଯଥା –
ଗୁରୁ ବିଚରା ହେ – ଏ ବେଶ ହୋଇଲ କାହିଁ
ଏ ବେଶ ଦେଖିବେ ଯେଉଁ ନର ନାରୀ (ତା’ଙ୍କ) ଚେତା ତ ରହିବ ନାହିଁ ।
ବିଚରା ଭାବିଲା ଏବେ ସଠିକ୍ ସମୟ ଆସିଗଲା । ଘରକୁ ଫୋନ୍କରି ନିଜ ପରିବାର ବର୍ଗଙ୍କୁ ଏ ଦୁର୍ଘଟଣା ବିଷୟରେ ଅବଗତ କରିବାକୁ ହେବ । ଏତେ ଦିନରୁ ଚାପି ହୋଇ ରହିଥିବା ବେଦନା ଯଦି ହଠାତ୍ ଉଦ୍ଗୀରଣ ହୁଏ, ତେବେ କଣ୍ଠ ରୁଦ୍ଧ ହୋଇଯିବ ଓ କିଛି ଠିକ୍ ଭାବେ କହି ହେବ ନାହିଁ । ତେଣୁ ସେମାନେ ହଠାତ୍ କିଛି ଗୋଟିଏ ବଡ ଅଘଟଣ ଘଟିଛି ଭାବି ବ୍ୟତିବ୍ୟସ୍ତ ହୋଇଯିବେ । ଏଥିପାଇଁ ସେ ନିଜକୁ ପ୍ରସ୍ତୁତ କରି ନେଲେ । ଘଟଣାକୁ ହାଲୁକା ଭାବରେ ଉଡାଣିଆ କରି ଖୁସି ମନରେ କହିବାକୁ ପଡିବ, ଯେମିତି ତାହା ଏକ ସାଧାରଣ ଘଟଣା । ତେବେ କଣ୍ଠ ରୁଦ୍ଧତା ନିଜ ସ୍ତ୍ରୀ ପାଖରେ ହିଁ ଘଟିବ, ପିଲାମାନଙ୍କ ପାଖରେ ନୁହେଁ । ନିଜକୁ ଦୃଢ କରିନେଲେ ଓ କ’ଣ କ’ଣ କହି ଶୀଘ୍ର ସାରିବେ, ତାହା ମଧ୍ୟ ସ୍ଥିର କଲେ । ପ୍ରଥମେ ନିଜ ସହଧର୍ମିଣୀକୁ ଦିବା ୯’ଘଟିକାରେ ଫୋନ୍ କଲେ । ସେତେବେଳେ ତାଙ୍କ ସହଧର୍ମିଣୀ ଠାକୁର ଘରେ ପୂଜାରେ ବ୍ୟସ୍ତ ଥାଇ ଫୋନ୍ ଉଠାଇଲେ । ସେ କହିଲେ – ବୁଝିଲ ! ଗୋଟିଏ ଘଟଣା ଘଟିଥିଲା, ଜଣେଇ ନଥିଲି । ଆଜି କହୁଛି ଶୁଣ । ଟିକିଏ କ’ଣ ହେଲେ ତୁମେ ତ ବ୍ୟତିବ୍ୟସ୍ତ ହୋଇ ନିଜ ଦେହ ପା’ କଥା ଭୁଲିଯାଅ । ସେଥିପାଇଁ ଏକଥା ଲୁଚେଇକି ରଖିଥିଲି । ତୁମକୁ ତ କହି ନାହିଁ । ସେଥିପାଇଁ ପିଲାମାନଙ୍କୁ କହି କ’ଣ ପାଇଁ ସେମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି କରିଥାନ୍ତି । କଥା କ’ଣ କି –
*********************************************************************************************************************************************************************************************************************************************************************************** । ଗୋଟିଏ ନିଶ୍ୱାସରେ କହି ଶେଷ କରି ଦେଲେ । ପୁଣି ସେ ମିଛରେ କହିଲେ ଅଫିସ୍ ଟାଇମ୍ ହେଲାଣି, ମୁଁ ଯାଉଛି ସନ୍ଧ୍ୟାରେ କଥାହେବା । ସ୍ତ୍ରୀ’ କିନ୍ତୁ ନିରବ । କାହିଁକି କିଛି କହୁନ ବୋଲି ବାରମ୍ବାର ପଚାରିବାରୁ ସେ କ୍ଷୀଣ କଣ୍ଠରେ କହିଲେ- ମୁଁ ଅନେକ ଦିନରୁ ସନ୍ଦେହ କରୁଥିଲି । ବାସ୍ ଏତିକିରେ ପୁଣି ନିରବ । ବିଚରା କିଛି ବୁଝି ପାରୁ ନଥିଲା ଓ ଶେଷରେ କହିଲା ତୁମେ ଠାକୁର ପୂଜାରେ ବ୍ୟସ୍ତ, ସେଥିପାଇଁ କିଛି କହୁନ । ହଉ ତେବେ ମୁଁ ରହିଲି ।
କିଛିଦିନ ପରେ
ଧିରେ ଧିରେ ଲାଗି ରହିଥିବା ଛୋଟ ଛୋଟ ବକଳ ଗୁଡିକ ନଡିଆ ତେଲର ପ୍ରଭାବରେ ଶୁଖିବାକୁ ଲାଗିଲା ଓ ସେଗୁଡିକୁ କଷ୍ଟ କରି ସେ ଛଡେଇଲେ । ସର୍ବ ଶେଷରେ ହାତରେ ଆକ୍ରାନ୍ତ ମାଂସଳ ଅଂଶର ଠିକ୍ ମଝିରେ ଛୋଟ ଏକ ଟଙ୍କିଆ ମୁଦ୍ରା ଆକାରର ଏକ ବକଳ ଶୁଖିବାକୁ ଆହୁରି ଅଧିକ ସମୟ ନେଲା ଓ ଦିନେ ଦୁଇଦିନ ଯାଏ ରାତିରେ ଅସହ୍ୟ ଯନ୍ତ୍ରଣାରେ କଲବଲ ହେବାକୁ ପଡିଲା । ସତେକି ଦୀପ ଲିଭିବା ସମୟକୁ ଜୋର୍ ଜଳିଲା । ଏବେ ସ୍ତ୍ରୀ ଓ ପିଲାମାନଙ୍କୁ ଫୋନ୍ ଯୋଗେ ଘଟିଥିବା ଘଟଣା ସମ୍ବନ୍ଧରେ ଆଲୋଚନା ହୁଏ । ଯେଉଁ ଦିନ ଘରକୁ ପ୍ରଥମେ ଏ ବାର୍ତ୍ତା ଜଣାଇଲେ, ସେହି ଦିନ ଦୁଇ ପୁଅଙ୍କୁ ମଧ୍ୟ ସେ କହିଲେ । ମୋବାଇଲ୍ରେ ଉଠାଇଥିବା ଫୋଟକା, ଚର୍ମଛଲା ପରର ଦୃଶ୍ୟ ଆଦିକୁ ସେମାନଙ୍କ ନିକଟକୁ ପଠାଇଲେ । ଏବେ ଯେହେତୁ ଘଟଣା ଘଟି ସୁସ୍ଥ ହେବା ଉପରେ, ତେଣୁ ସେମାନେ ବ୍ୟତିବ୍ୟସ୍ତ ହେଲେବି ସେମାନଙ୍କ ପାଠପଢା ଆଦିରେ କିଛି କ୍ଷତି ହେଲା ନାହିଁ । ବକଳ ସଫା ହୋଇଗଲେ କ’ଣ ହେବ, କିନ୍ତୁ ଛାତି ଓ ହାତରେ ଦରଜ ରହିଲା ଏବଂ କଳା – ଲାଲ୍ ରଙ୍ଗ ମିଶା ମୋଟାଳିଆ ଆବରଣରେ ସେ ସ୍ଥାନର ରୂପ କଦାକାର ଦେଖାଯାଉଥାଏ । ଏ ପରିସ୍ଥିତିରେ ଢିଲା ସାର୍ଟ୍ ପିନ୍ଧି ଏବେ ବାହାରକୁ ଯିବାକୁ ହୁଏ । ଏଟିମ୍ରୁ ଲାଇନ୍ରେ ଠିଆ ହେବା ବେଳେ ପଛ ଲୋକର ଚାପରେ ଆଗଲୋକ ସହ ଲାଗି ହୋଇଗଲେ କଷ୍ଟ ହୁଏ । ସାର୍ଟ୍ ଉପରେ ଖରା ପଡିଲେ ଯନ୍ତ୍ରଣା ହୁଏ । ଏ ସବୁକୁ ଦୃଷ୍ଟିରେ ରଖି ସତର୍କତାର ସହ ବଜାର ଓ ଅଫିସ୍ ଯିବାକୁ ହୁଏ ।
ଏବେ ସେ ଘରକୁ ଯିବାକୁ ସାହସ ବାନ୍ଧିଲେ । ଢିଲା ସାର୍ଟ୍ ପିନ୍ଧିଲେ ବି ଛାତିରେ ଟିକିଏ ବାଜିଲେ ଦରଜ ଥିବାରୁ କଷ୍ଟ ହୁଏ । ଦୀର୍ଘ ସମୟର ଯାତ୍ରା । ଈଶ୍ୱରଙ୍କୁ ସ୍ମରଣ କରି ଓ ନିଜର ମନୋବଳ ଦୃଢ କରି ସେ ବସ୍ ଷ୍ଟାଣ୍ଡ୍କୁ ଯାଇ ଆଗୁଆ ଟିକେଟ ଆଣିଲେ ଓ ଯିବା ଦିନ ସଂନ୍ଧ୍ୟାରେ ବସ୍ ଷ୍ଟାଣ୍ଡ୍କୁ ବନ୍ଧୁଙ୍କ ବାଇକ୍ରେ ଗଲେ । ବନ୍ଧୁଟି କହୁଥାନ୍ତି ଏ ରୂପ ଯେତେବେଳେ ଘରେ ମ୍ୟାଡାମ୍ ଦେଖିବେ ସେ ଅତି ବିବ୍ରତ ହେବେ । ଶୀତର ପ୍ରକୋପ ଥମି ନଥାଏ । ବସ୍ରେ ସମସ୍ତେ ଢାଙ୍କି ହୋଇ ବସିଥାନ୍ତି ଏଇ ଜଣକୁ ଛାଡି । କେବଳ ସେ ମୁଣ୍ଡରେ ଟୋପି ପିନ୍ଧିଥାନ୍ତି ଓ ଚଦର ଢାଙ୍କି ନହେବାର କାରଣ ଶରୀର ଉପରେ ବସ୍ତ୍ରାବରଣର ଅଧିକ ହେତୁ ଛାତିରେ ବାଜି ଅଧିକ କଷ୍ଟ ହେବ । ସେମିତି ତ ବସ୍ ଧକଡ ଚକଡରେ ସାର୍ଟ୍ ବାଜୁଥାଏ ଓ ସହିବା ଭଳି କଷ୍ଟ ହେଉଥାଏ , କିନ୍ତୁ ଚଦର ଢାଙ୍କି ହୋଇଥିଲେ ଅଧିକ ହୋଇଥାନ୍ତା ନିଶ୍ଚୟ । ରାତି ଦଶଟା ବେଳକୁ ବସ୍ ଆଉ ଏକ ବସ୍ଷ୍ଟାଣ୍ଡରେ ରହେ ରାତି ଭୋଜନ ପାଇଁ । ସେ ଷ୍ଟାଣ୍ଡ୍ ହୋଟେଲ୍ରୁ ଦୁଇ ରୁଟି ଓ ତଡକା ଖାଇଲେ । ତା’ପରେ ପାନ ଖଣ୍ଡେ ଖାଇବାକୁ ମନ ବଳାଇ ପାନ ଦୋକାନକୁ ଆଣି ଖାଇଲେ । ଦୋକାନୀ ପଚାରିଲା ଏତେ ଶୀତରେ ତୁମେ ଶୀତ ବସ୍ତ୍ର ନପିନ୍ଧି କେବଳ ସାର୍ଟ୍ ଖଣ୍ଡକରେ କେମିତି ସମ୍ଭାଳି ହୋଇଛ ? ଦୋକାନୀକୁ ସବୁ କଥା କହିବାରୁ ସେ ଆଶ୍ଚର୍ଯ୍ୟ ହୋଇ ଅନାଇଲା ଓ ଦୁଇ ହାତ ଯୋଡି ଈଶ୍ୱରଙ୍କୁ ବାରମ୍ବାର ପ୍ରଣାମ କଲା । ବାଟରେ ପ୍ରାୟ ରାତି ଦୁଇଟାରେ ମୂତ୍ର ତ୍ୟାଗ ନିମିତ୍ତ ଯାତ୍ରୀମାନେ ବାହାରକୁ ଓଲ୍ଲାଇଲେ ଓ ସେ ମଧ୍ୟ ବାହାରିଲା । ଥଣ୍ଡା ପବନରେ ଦେହ କାଲୁଆ ପଡିଯାଉ ଥାଏ । ସମସ୍ତେ ଥରୁଥାନ୍ତି କିନ୍ତୁ ସେ ଥରିଲେ ବି ଘରକୁ ଯାଇ ପହଞ୍ଚିବାର ନିଶାରେ ଶୀତକୁ ଭୁଲି ଯାଇଥିଲେ । ସକାଳ ଆଠଟା ପାଖାପାଖି ସେ ଦ୍ୱିତୀୟ ବସ୍ ଧରିବାକୁ ଓଲ୍ଲାନ୍ତି । କିଛି ସମୟ ପରେ ବସ୍ ଆସେ ଓ ଭିଡାଭିଡିରେ ସତର୍କରେ ଉଠି ସୌଭାଗ୍ୟକୁ ପୁରା ପଛରେ ବସିବାକୁ ଏକ ସିଟ୍ ମିଳିଯାଏ । ଘରେ ପହଞ୍ଚିବା ସମୟ ଯେତେ ପାଖେଇ ଆସୁଥାଏ ମନ ସେତେ ଚଞ୍ଚଳ ହେଉଥାଏ । ନିଜ ସହଧର୍ମିଣୀ ଛାତିକୁ ପ୍ରଥମେ ଦେଖିବ ଓ ମନଦୁଃଖ କରିବ । ସେ ଭାବୁଥାନ୍ତି ଯେ ସ୍ତ୍ରୀ’କୁ କହିବେ – ଦେଖ ! ତୁମ ସ୍ୱାମୀ ମୃତ୍ୟୁ ମୁଖରୁ ଏତେ ଦୂରରୁ କୁଶଳରେ ଫେରି ଆସିଛି । ଏଇତ ସୌଭାଗ୍ୟ । ଏଥିରେ ଭାଙ୍ଗି ପଡିବା କ’ଣ ଦରକାର ? ସେଠାରେ ମୁଁ ଏକୁଟିଆ ହୋଇ ଯାଇ ନଥିଲି । ଈଶ୍ୱର ରୂପରେ ଏକ ପରିବାର ମୋ’ର ଯତ୍ନ ନେଉଥିଲେ । ସେମାନେ ରକ୍ତ ସମ୍ପର୍କୀୟ ନୁହନ୍ତି ତଥାପି ତା’ଠାରୁ ଅତି ନିଜର ହୋଇ ସାହାଯ୍ୟ କରୁଥିଲେ । ଏବେ ଏହା ଅନୁଭୁତ ହେଲା ଯେ, ଏକ ସର୍ବ ପରିବ୍ୟାପ୍ତ ସତ୍ତା ଅହରହ ବିଦ୍ୟମାନ ରହିଛି । ସତ୍ତା ଲମ୍ବାଇ ଦିଏ ସାହାଯ୍ୟର ହସ୍ତ । ତେବେ ୟା’ ପଛରେ କିଛି ରହସ୍ୟ ବି ଥାଇ ପାରେ । ଲୋକ କଥା କହେ -“ଦେଇଥିଲେ ପାଏ —- ନ’ଦେଇଥିଲେ ପଡିଆ ବା’ରେ ଗୋ’ଧନ ଚରାଏ” । ଏହା ଏକ ବିଶ୍ୱାସ ଓ ପରମ୍ପରାର ପରିଭାଷା । ସତ ହୋଇପାରେ କିମ୍ବା ମିଛ ହୋଇ ପାରେ । କିନ୍ତୁ ଏ ସବୁର ଉର୍ଦ୍ଧ୍ୱରେ ରହିଛି ବିଜ୍ଞାନ ଏବଂ ପରମ୍ପରାର ମିଳିତ ଗୋଟିଏ ସ୍ୱର – ପ୍ରକୃତି ତା’ର ସମ ବିନ୍ୟାସତାକୁ ଭଲ ପାଏ(Nature Loves Symmetry) । ଏଥିରେ ଅନେକ ଅନେକ ପ୍ରଶ୍ନର ଉତ୍ତର ରହିଛି ।
ଭାବନାର ଶେଷ ହୁଏ ନାହିଁ । ବସ୍ ନିଜ ଓଲ୍ଲାଇବା ସ୍ଥାନରେ ପହଞ୍ଚେ ଓ ସେ ଏକ ରିକ୍ସାରେ ଯାଇ ଘରେ ପହଞ୍ଚନ୍ତି । ଅବଶ୍ୟ ସେ ବାଟ ସାରା ଘରଣୀଙ୍କ ଫୋନ୍ର ଉତ୍ତର ଦେଇ କେଉଁଠି ପହଞ୍ଚିଲେ ଜଣାଉଥାନ୍ତି । ଘରେ ପହଞ୍ଚି ବ୍ୟାଗ୍ ରଖି ଶୀଘ୍ର ପାଇଖାନା ଯିବାକୁ ଡ୍ରେସ୍ ଆଦି ଖୋଲିଲେ । ଘରଣୀ ଅବାକ୍ ହୋଇ ଚାହିଁ ରହିଥାନ୍ତି ଆକ୍ରାନ୍ତ ସ୍ଥାନ ଦେଖିବାକୁ । ଯେତେବେଳେ ସେ ଛାତି ଓ ଉରୁର କଦାକାର ରୂପ ଦେଖିଲେ, ହଠାତ୍ ବୋକା ପାଲଟି ଗଲେ ଓ ତତ୍କ୍ଷଣାତ୍ ଆଖି ବୁଲାଇ ନେଲେ । ଆଉ ଦେଖିବାକୁ ଆଗ୍ରହ ପ୍ରକାଶ ନକରି ଆଖି ପୋଛିବାକୁ ଲାଗିଲେ । ତେବେ ବସ୍ରେ ସେ ଯାହା ଯାହା ଚିନ୍ତା କରିଥିଲେ ସେଇଆ କହି ଓ ବୁଝାଇ ଶୀଘ୍ର ପ୍ରକୃତିର ଡାକକୁ ପାଇଖାନା ମଧ୍ୟରେ ସମାଧାନ କଲେ । ତା’ପରେ ନିତିଦିନିଆ କର୍ମକାଣ୍ଡରେ ଲିପ୍ତ ରହିବା ସହ ଘଟିଥିବା ଘଟଣାର ମଧ୍ୟ ଆଲୋଚନା ଜାରୀ ରହିଥାଏ । ସନ୍ଧ୍ୟା ବେଳକୁ ଜଣେ ପଡୋଶୀ ନାରୀ ଓ ତାଙ୍କ ଝିଅ ସହିତ ଆସିଲେ ଅବସ୍ଥା ଦେଖିବାକୁ । ଦେଖିକି ଚମ୍କି ଉଠିଲେ ଓ କିଛି ସୁଖ ଦୁଃଖ ହୋଇ ବିଦାୟ ନେଲେ । ସେ ଭାବିଲେ ଏକଥାକୁ ନିଜ ସ୍ତ୍ରୀ କିଛି ପ୍ରିୟ ପଡୋଶୀଙ୍କୁ କହିଛନ୍ତି । ପ୍ରତିଦିନ ପ୍ରାୟ କେହିନା କେହି ଦେଖିବାକୁ ଆସନ୍ତି । ଏକଥା ଘରଣୀକୁ ପଚାରିବାରୁ ସେ ହଁ କହିଲେ । ତେବେ ଘଟଣା ବିଷୟରେ ଘରଣୀ ଯେଉଁ ଦିନ ଶୁଣିଲେ, ବୋଧହୁଏ ଅସହ୍ୟ କଷ୍ଟ ଓ ଦୁଃଖକୁ ନିଜର ଭାବୁଥିବା ପଡୋଶୀଙ୍କ ସହ ବାଣ୍ଟି ମନକୁ ହାଲୁକା କରିବାର ତାଙ୍କ ପାଇଁ ନିଶ୍ଚିତ ରୂପେ ଏହା ଏକ ମାର୍ଗ ହିଁ ଥିଲା ।
ଏବେ କେବଳ ସୁସମ୍ପର୍କ ଥିବା ପ୍ରିୟ ପରିଜନ, ବନ୍ଧୁ ବାନ୍ଧବ ଆଦିଙ୍କୁ ଏ ଘଟଣା ସମ୍ବନ୍ଧରେ ଅବଗତ କରାଗଲା । କିନ୍ତୁ ପରସ୍ପର ବିରୋଧାଭାସ ଲାଗି ରହିଥିବା ନିକଟ ଓ ଦୂର ସମ୍ପର୍କୀୟଙ୍କୁ ଏ ବାବଦୀୟ ବାର୍ତ୍ତା ପ୍ରେରଣ କରାଗଲା ନାହିଁ । ତାହାର କାରଣ ଅଖି ସାମ୍ନାରେ ଜଳ ଜଳ ଦିଶୁଛି ଯେ, ସେମାନଙ୍କ ତାତ୍ସଲ୍ୟ “କାଉ ଉଡିବାକୁ ଓ ତାଳ ପଡିବା” ସଦୃଶ ହେବ । ଏପଟରେ ଯନ୍ତ୍ରଣା ତ ଥମିନି ପୁଣି ସେମାନଙ୍କ କଥା ବିରୁଡି ବିନ୍ଧିଲା ପ୍ରାୟ ହେବ । ତେଣୁ ଯନ୍ତ୍ରଣାରେ ପୁଣି ଅଯଥା ଯନ୍ତ୍ରଣା ଲଦି ଦେଇ ଅଧିକ କଲବଲ ହେବା ଅପେକ୍ଷା ନ’ଜଣାଇବାଟା ହେବ ସଠିକ୍ ନିର୍ଣ୍ଣୟ । ଏଥିରେ କାହାର କିଛି କ୍ଷତି ହେବ ନାହିଁ ।
ଘା’ରୁ ବକଳ ଛାଡିଗଲେ କ’ଣ ହେବ, ଚର୍ମ ଉପରେ ଏକ କଦାକାର ଓ ମୋଟାଳିଆ ଆବରଣ ରହିଲା ଏବଂ ଟିକିଏ ଥଣ୍ଡା ପଡିଲେ ପ୍ରବଳ କୁଣ୍ଢାଇ ହୁଏ । କଣ୍ଡୁର ଉପଦ୍ରବରୁ ବୋଧହୁଏ ରକ୍ଷା ମିଳିବ ନାହିଁ । ରନ୍ଧା ନଡିଆ ତେଲ ଉଷୁମ ଉଷୁମ ଲଗାଇଲେ ଯନ୍ତ୍ରଣାର ଉପଶମ ହୁଏ । ସେ ଯାହା ହେଉ ଏବେ ସେ ସାହସ କରି ପ୍ରତିଦିନ ଗୋଟା ଗାଧୁଆ ଗାଧୋଇଲେ, କିନ୍ତୁ ତା’ପରେ ପରେ କୁଣ୍ଢାଇ ହୁଏ । ସେମିତି ସହିବାକୁ ହୁଏ ଅଥବା ଟିପ ଦ୍ୱାରା ଚର୍ମକୁ ଘସି ଘସି କଣ୍ଡୁ ମାରିବାକୁ ହୁଏ । କିଛି କିଛି ମଳି ବାହାରେ ଓ ଚର୍ମ ରକ୍ତ ଥୋପେଇ ଯାଏ । ଏ ମଳି ବୋଧହୁଏ ମୃତ କୋଷର ହୋଇଥିବ । ଏହିପରି ଭାବେ ତିନି ବର୍ଷ ବିତିଯାଏ । କଦାକାର ରୂପ କମି କମି ଯାଏ । ପ୍ରକୃତ ଚର୍ମ ଦୃଶ୍ୟମାନ ହୁଏ । କିନ୍ତୁ ମଝିରେ ମଝିରେ ରହିଯାଏ ପୂର୍ବ ବକଳ ପରି ଛୋଟିଆ ଛୋଟିଆ ରାଜ୍ୟ କଦାକାର ରୂପରେ । କୁଣ୍ଢାଇ ହେବାର ଶେଷ ନଥାଏ । ଧିରେ ଧିରେ ମିଳେଇ ନଥିବା କଦାକାର ଚର୍ମର ମୋଟାଳିଆ ଆକୃତି କମିବା ପରି ଲାଗେ । ଯାହା ଅନୁଭୁତ ହୁଏ ସବୁ ସଫା ହୋଇ ପୂର୍ବ ରୂପ ଆସିବାକୁ ବୋଧହୁଏ ଆହୁରି ଦୁଇ-ତିନି ବର୍ଷ ଲାଗିପାରେ । ଏମିତି ରନ୍ଧା ନଡିଆ ତେଲ ଲଗାଇବା ଚାଲିଥିବ ………………………………………….. ।
ଏହା ତାଙ୍କ ଜୀବନର ଏକ ଭୟଙ୍କର ଅନୁଭୂତି । ଏହାକୁ ବର୍ଣ୍ଣନା କରିବା ନିମନ୍ତେ, ବ୍ୟସ୍ତ ବହୁଳ ଜୀବନ ସହିତ ରାତିରେ କିଛି ସମୟ ପାଇ ମଧ୍ୟ କ୍ଳାନ୍ତ ଶରୀର ଓ ମନକୁ ବୁଝାଇ ଅଳ୍ପ ଅଳ୍ପ ଲେଖି ଶେଷ ପର୍ଯ୍ୟାୟରେ ପଦାର୍ପଣ କରି ପାରି ଥିବାରୁ ସେ ଈଶ୍ୱରଙ୍କୁ ଅଶେଷ ଧନ୍ୟବାଦ ଦେବା ସହିତ ସଭିଙ୍କ ମଙ୍ଗଳ କାମନା କରନ୍ତି । ଏ ସତ୍ୟ ଘଟଣାର ଅଧ୍ୟାୟ ଏହିଠାରେ ପରିସମାପ୍ତି ହେଲା ।
************************************************************************