କନ୍ଦର୍ପଙ୍କ ପଞ୍ଚପୁଷ୍ପ ବାଣ ଓ ପଦାର୍ଥ ବିଜ୍ଞାନ

କନ୍ଦର୍ପଙ୍କ ପଞ୍ଚପୁଷ୍ପ ବାଣ ଓ ପଦାର୍ଥ ବିଜ୍ଞାନ

ଭାରତୀୟ ସଂସ୍କୃତିର ଦାର୍ଶନିକ ଚେତନା ଆମ ସମାଜକୁ ବିଭିନ୍ନ ଭାବରେ ଶୃଙ୍ଖଳିତ ଓ ସଂଯତ କରି ଗଢି ତୋଳିଛି । ଘାତ ପ୍ରତିଘାତର ବାରମ୍ବାରତା ମଧ୍ୟରେ ଏହା  ଆଂଶିକ ଅବକ୍ଷୟପ୍ରାପ୍ତ ହେବାକୁ ବସିଥିଲେ ମଧ୍ୟ ଏହାର ମୌଳିକ ଦୃଷ୍ଟିଭଙ୍ଗୀର ସୂକ୍ଷ୍ମାତିସୂକ୍ଷ୍ମ ନିଚ୍ଛକ ପ୍ରୟୋଗାତ୍ମକ ବିଧି ପୁଣି ମାନବକୁ ସତ୍‍ମାର୍ଗକୁ ଫେରାଇ ଆଣିବାକୁ ଆକର୍ଷିତ କରୁଛି । ସମୟର କଷଟି ପଥରରେ ପୁଣ୍ୟତୋୟା ମନ୍ଦାକିନୀ ସଦୃଶ ଭାରତୀୟ ସଂସ୍କୃତିର ଧାରା ପ୍ରବାହିତ ହୋଇ ଚାଲିଛି ଓ ପୃଥିବୀର ଅଗଣିତ ହୃଦୟକୁ  ଏହା ଆନ୍ଦୋଳିତ କରୁଛି । ଆଦର୍ଶବୋଧତା ଓ ନୈତିକତାର ଆୟୁଧଦ୍ୱାରା ପ୍ରତିଷ୍ଠିତ ଏ ସଭ୍ୟତା ଆଜିର ଅତ୍ୟାଧୁନିକ ମାନବ ନିମିତ୍ତ ସତର୍କତା ଅବଲମ୍ବନର ଉତ୍ସ  କହିଲେ ଅତ୍ୟୁକ୍ତି ହେବନାହିଁ । ବିଭିନ୍ନତା ମଧ୍ୟରେ ଏକତାର ଭାବ ବହନ କରିଥିବା ଆମ ସଂସ୍କୃତିର ପ୍ରତ୍ୟେକ ଧାରଣାକୁ ବିଶ୍ଳେଷଣ କଲେ ତହିଁରୁ ନିର୍ଗତ ହୁଏ  ବୈଜ୍ଞାନିକ ଭିତ୍ତିଭୂମିର ପ୍ରାଚୁର୍ଯ୍ୟତା । ଉକ୍ତ ପ୍ରବନ୍ଧରେ ଏତାଦୃଶ ଦୃଷ୍ଟିଭଙ୍ଗୀର ଆଧ୍ୟତ୍ମିକ ଭାବନା ସହିତ ସମାନ୍ତରାଳ ବୈଜ୍ଞାନିକ ଟିପ୍‍ପଣୀ ଦେବା ନିମିତ୍ତ ଚେଷ୍ଟା  କରାଯାଇଛି । କାମଦେବଙ୍କ ପଞ୍ଚପୁଷ୍ପ ଶାୟକ ଓ ଏହାର ବିଭିନ୍ନ ଦିଗପ୍ରତି ଏଠାରେ ଦୃଷ୍ଟି ନିକ୍ଷେପିତ ହୋଇଛି । ଏହି ତୁଳନାତ୍ମକ ବିଶ୍ଳେଷଣରେ ରସ ବିଜ୍ଞାନ,  ଉଦ୍ଭିଦ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ ମଧ୍ୟରୁ କିଛି ତଥ୍ୟର ଆଲୋଚନା କରାଯାଇଛି ।

ଶାସ୍ତ୍ରୀୟମତେ ରସପ୍ରକାଶ ନିମିତ୍ତ ଏକାନ୍ତଭାବେ ତିନିପ୍ରକାର ଭାବର ଆବଶ୍ୟକ, ଯଥା – ବିଭାବ, ଅନୁଭାବ ଓ ବ୍ୟଭିଚାରୀ ଭାବ । ବିଭାବକୁ ଦୁଇପ୍ରକାର ଭାଗରେ  ବିଭକ୍ତ କରାଯାଇଛି, ତାହାହେଲା – ଆଲମ୍ବନ ବିଭାବ ( ନାୟକ ଓ ନାୟିକା ଯାହାକୁ ଅବଲମ୍ବନ କରିବାଦ୍ୱାରା ରସପ୍ରକାଶ ହୁଏ  ) ଓ ଉଦ୍ଦୀପନ ବିଭାବ (ରସପ୍ରକାଶ କ୍ଷେତ୍ରରେ ଯାହା ଉଦ୍ଦୀପନା ସୃଷ୍ଟି କରେ) । କୋକିଳର ପଞ୍ଚମ ତାନ, ବସନ୍ତର ମଳୟ, ପୁଷ୍ପ ଉଦ୍ୟାନ, ନିର୍ଝରିଣୀ, ଚନ୍ଦ୍ରର ଜ୍ୟୋସ୍ନା ……. ଇତ୍ୟାଦି         ଉଦ୍ଦୀପନା ସୃଷ୍ଟିର କାରଣକୁ ବୁଝାଏ । ଲଜ୍ୟା, ଅସୂୟା, ବିମର୍ଷ, ଚପଳତା, ଭୟ ……….. ଆଦି କାରଣରୁ ବ୍ୟଭିଚାରୀ ଭାବ ବା ସଞ୍ଚାରୀ ଭାବ ପ୍ରକାଶ ପାଏ ।           ସେହିପରି ଭାବକୁ ଯାହା ଅନୁଗମନ କରେ, ତାହାହିଁ ଅନୁଭାବ , ଯଥା – ବାଙ୍କ ଚାହାଣୀରେ ଦୃଷ୍ଟି ନିକ୍ଷେପ କରିବା, ସ୍ମିତହାସ୍ୟ ପ୍ରକାଶ କରିବା … ଆଦି । ରସ           ବିଜ୍ଞାନରେ ଦଶ ପ୍ରକାର ରସ ପ୍ରକାଶର ବର୍ଣ୍ଣନା କରାଯାଇଛି । ଏହା ଶରୀରରେ ସଞ୍ଚାରିତ ହୋଇ ଜୀବନକୁ ଭିନ୍ନ ଭିନ୍ନ ଅନୁଭୂତିର ସ୍ୱାଦ ଚଖାଏ । ଏହି ଦଶ ପ୍ରକାର  ରସକୁ ଶୃଙ୍ଗାର ରସ, ହାସ୍ୟରସ, କରୁଣରସ, ରୌଦ୍ରରସ, ବୀରରସ, ଭୟାନକରସ,ବିଭତ୍ସରସ, ଅଦ୍ଭୁତରସ, ଶାନ୍ତରସ ଓ ବାତ୍ସଲ୍ୟରସ କୁହାଯାଏ । ଶରୀରର  ବିଭିନ୍ନ ଗ୍ରନ୍ଥିରୁ କ୍ଷରିତ ହେଉଥିବା ହର୍‍ମୋନ୍‍ ହିଁ ଏହି ରସ ସଞ୍ଚାରଣର ମୂଖ୍ୟ ଭୂମିକା ଗ୍ରହଣ କରିଥା’ନ୍ତି । ଶରୀରର କେନ୍ଦ୍ରବିନ୍ଦୁ ମସ୍ତିସ୍କ ଏବଂ ହର୍‍ମୋନ୍‍ ଦ୍ୱାରା ମନର    ସମସ୍ତ ଭାବ ବିକାଶ ଓ ବିସ୍ତାର ହୁଏ । ଗଠନମୂଳକ  ଓ ଧ୍ୱଂସାତ୍ମକ  କାର୍ଯ୍ୟର ପ୍ରତିଫଳନ ହୁଏ ସେହି ଜାତୀୟ ରସର କ୍ଷରଣ ଓ ସଞ୍ଚାରଣ ଯୋଗୁଁ । ଦଶ ରସ ମଧ୍ୟରୁ   ଶୃଙ୍ଗାର ରସକୁ ଶ୍ତେଷ୍ଠ ସ୍ଥାନ ଦିଆଯାଇଛି । ଯେହେତୁ ସୃଷ୍ଟି ପ୍ରକ୍ରିୟାରେ ଏହା ମୂଖ୍ୟ ଅଟେ, ତେଣୁ ଏହାକୁ ରସରାଜ ବା ଆଦିରସ କୁହାଯାଏ ।

ଆଧ୍ୟାତ୍ମିକ ଦୃଷ୍ଟିକୋଣ ସୂଚନା ଦିଏଯେ, ସମଗ୍ର ଜୀବଜଗତ ଛପନ କୋଟି ପ୍ରକାରର ଜୀବକୁ ନେଇ ଗଠିତ । ଶୃଙ୍ଗାରର ପ୍ରକାରଭେଦ ଭିନ୍ନ ଭିନ୍ନ ଜୀବମାନଙ୍କ ପାଇଁ      ବିଭିନ୍ନ ଭାବେ ଉଦ୍ଦିଷ୍ଟ । ସୃଷ୍ଟିକର୍ତ୍ତା ବ୍ରହ୍ମା ଜୀବର ଦୁଇଟି ଶ୍ରେଣୀ ବିଭାଗ କରିଛନ୍ତି, ଯଥା – ନାରୀ ଓ ପୁରୁଷ । ନାରୀପ୍ରତି ପୁରୁଷର ଆକର୍ଷଣ ଓ ପୁରୁଷପ୍ରତି  ନାରୀର  ଆକର୍ଷଣ ହିଁ   ଶୃଙ୍ଗାର ରସର ପ୍ରୟୋଗାତ୍ମକ ଧାରା ଅଟେ । ତେବେ ନାରୀକୁ ଏଠାରେ ଶ୍ରେଷ୍ଠ ସ୍ଥାନ ଦିଆଯାଇଛି । ସେ ହେଉଛି ଦିବ୍ୟ ସୃଷ୍ଟିର ନାୟିକା ଓ ସର୍ବଂସହା ।  ଦିବ୍ୟ ଶୃଙ୍ଗାର ଚେତନା ନାରୀଠାରେ ଭରିରହିଛି  ଓ ସୌନ୍ଦର୍ଯ୍ୟ ହେଉଛି ଏହାର ମୂଳବିନ୍ଦୁ । ଏହି ସୌନ୍ଦର୍ଯ୍ୟ ନାରୀଠାରେ ବିଭିନ୍ନ ଭାବରେ ଶୋଭାପାଏ,  ଯାହାକୁ  ସଂକ୍ଷିପ୍ତରେ ନାରୀର ଷୋଳ ଶୃଙ୍ଗାର ରୂପେ ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ଶୃଙ୍ଗାର ହେଉଛି ଏକ ଏକ ଦିବ୍ୟ ଚେତନାର ପ୍ରତୀକ । ଏଗୁଡିକ ହେଲା – ବିନ୍ଦି, ସିନ୍ଦୂର,  କଜ୍ଜଳ, ଅଳତା ବା ମେହେନ୍ଦି, ପରିଧାନ, ଗଜରା, ମଥାମଣି, ନାକଗୁଣା, କାନଫୁଲ, ଗଳାହାର, ବାଜୁବନ୍ଧ, ଚୂଡି, ମୁଦି, ଅଣ୍ଟାସୂତା, ଝୁଣ୍ଟିଆ ଓ ପାଉଁଜି । ଏଗୁଡିକ  ମାଧ୍ୟମରେ ନାରୀ ତା’ର ପରିବାର , ସମାଜ ଓ ସମଗ୍ର ଦୁନିଆଁକୁ ସ୍ନେହ ଏବଂ ପ୍ରେମରଜ୍ଜୁରେ ବାନ୍ଧି ରଖିବା ସହ ଦିବ୍ୟ ମହାଜାଗତିକ ଶୃଙ୍ଗାର ରସର ଭଣ୍ଡାର ରୂପେ ଏ   ସୃଷ୍ଟିକୁ ଅମୃତମୟ କରି ଗଢିତୋଳିବାକୁ ପ୍ରେରଣା ଦିଏ ।

ପୌରାଣିକ ମତାନୁସାରେ କାମଦେବଙ୍କ ପଞ୍ଚପୁଷ୍ପବାଣର ପ୍ରଭାବରେ ଶରୀର ମଦନ ଜ୍ୱାଳାରେ ଜର୍ଜରିତ ହୋଇଉଠେ । ଅମରକୋଷ ଦତ୍ତ ଟୀକାରେ ଏହାର ବର୍ଣ୍ଣନା    କରାଯାଇଛି, ଯଥା –

ଉନ୍ମାଦନ ସ୍ତାପନଶ୍ଚ ଦହନଃ ଶୋଷଣ ସ୍ତଥା

ସମ୍ମୋହନଶ୍ଚ କାମସ୍ୟ ପଞ୍ଚବାଣାଃ ପ୍ରକୀର୍ତ୍ତିତା ।

ଉକ୍ତ ପଞ୍ଚଶର ଗୁଡିକର ନାମ ହେଲା – ଉନ୍ମାଦନ, ତାପନ, ଦହନ, ଶୋଷଣ ଓ ସମ୍ମୋହନ । ଏହି ପଞ୍ଚଶର ପାଞ୍ଚ ପ୍ରକାର ପୁଷ୍ପରେ ମଣ୍ଡିତ, ଯଥା –

ଅରବିନ୍ଦ ମଶୋକଞ୍ଚ ଚୂତଞ୍ଚ ନବମାଳିକା

ନୀଳୋତ୍ପଳଞ୍ଚ ପଞ୍ଚୈତେ ପଞ୍ଚବାଣସ୍ୟ ସାୟକାଃ ।

ଏହି ପଞ୍ଚପୁଷ୍ପ ଗୁଡିକର ନାମହେଲା – ଅରବିନ୍ଦ (ପଦ୍ମ), ଅଶୋକ, ଚୂତ (ଆମ୍ବବଉଳ), ନବମାଳିକା (ନିଆଳୀ), ନୀଳୋତ୍ପଳ(ନୀଳକଇଁ) । ଭିନ୍ନ ମତରେ ଅଶୋକ,     ଲାଲ୍‍ କମଳ, ନୀଳ କମଳ, ଆମ୍ର ମଞ୍ଜରୀ ଓ ରଜନୀଗନ୍ଧା ବୋଲି ଦର୍ଶାଯାଇଛି ଏବଂ କାମଶର ଦହନ ପରିବର୍ତ୍ତେ ସ୍ତମ୍ଭନ ନିଆଯାଇଛି ।

ପ୍ରେମର ମୋହିନୀ ଶକ୍ତି ବ୍ରହ୍ମାଣ୍ଡର ପ୍ରତି ସ୍ତରରେ ସୃଷ୍ଟିକରେ ଅଲୌକିକ ଉନ୍ମାଦ ଲହରୀ । କଳ କଳ ନାଦରେ ବହିଚାଲେ ସାଗର ସହ ମିଳିତ ହେବାପାଇଁ । ସମୁନ୍ଦ୍ରର  ଢେଉ ଆକାଶକୁ ଚୁମିବାକୁ ଉଦ୍ୟତ । ଭ୍ରମର ଓ ପୁଷ୍ପର ମିଳନରୁ ପ୍ରେମ ତରଙ୍ଗ ଉଦ୍ଦେଳିତ ହୋଇଥାଏ । ସୁଖମୟ ଦାମ୍ପତ୍ୟ ଜୀବନର ଆଧାର ହିଁ ପ୍ରେମ ଅଟେ । ପ୍ରେମର ଦେବତା କନ୍ଦର୍ପଙ୍କ ପଞ୍ଚଶରରୁ ନିର୍ଗତ ହୁଏ କାମରସ ଯାହା ଦିନେ ଦେବ ଦେବ ମହାଦେବଙ୍କୁ ଜର୍ଜରିତ କରିଥିଲା । ୠତୁରାଜ ବସନ୍ତର ମାଦକତା  ଓ  କୋକିଳର କୁହୁ ତାନରେ ବାତାବରଣ ବିଭୋର ଓ ରସାଳସିକ୍ତ ହୋଇଉଠିଥିଲା । ଶିବଙ୍କ ସମାଧି ଭଙ୍ଗ ହେବାମାତ୍ରେ ତୃତୀୟ ନେତ୍ର ଉନ୍ମୁକ୍ତ ହେଲା ଓ କାମଦେବ         ଭସ୍ମ ହେଲେ । ତେଣୁ ସେ ଅଦେହୀ ହୋଇ ବିଚରଣ କଲେ । ତା’ଙ୍କ ପତ୍ନୀ ରତିଦେବୀ ସ୍ୱାମୀଙ୍କ ଭସ୍ମ ପାଉଁଶକୁ ନିଜ ଶାଢିରେ ଗଣ୍ଠି ପକାଇ  ବର୍ଷ ବର୍ଷ ଧରି ଆକୁଳ  କ୍ରନ୍ଦନ କରିବାକୁ ଲାଗିଲେ । ରତିଦେବୀ ଏତାଦୃଶ ଆକୁଳତାରେ ସମବେଦନା ପ୍ରକାଶ କଲେ ଶିବ ଓ ପାର୍ବତୀ । ଶେଷରେ ସେ ଭସ୍ମକୁ ଜୀବଦାନ ଦେଲେ ।

କାମଦେବଙ୍କ ପ୍ରଥମ ପୁଷ୍ପଶର – ‘ଉନ୍ମାଦନ’ ପଦ୍ମ ପୁଷ୍ପରେ ଶୋଭିତ । କବିଙ୍କ ଭାଷାରେ  –

“କୋଟି ଲାବଣ୍ୟ ନିଧି ରେ ପଦ୍ମ ତୁହି …………….. କି ଅମୃତେ ତୋ ତନୁ ଗଢିଲା ବିହି”

ଲାଲ୍‍ କମଳ ପ୍ରେମର ରଙ୍ଗକୁ ବୁଝାଏ । ଏହାର ସୁଗନ୍ଧ ତନୁ ମନରେ ଆମୋଦ ଭରିଦିଏ । ମାତା ଲକ୍ଷ୍ମୀଙ୍କର ଏହା ଅତି ପ୍ରିୟ ଅଟେ । ଶଚୀଦେବୀ କଳ୍ପବୃକ୍ଷ ଲାଲ୍‍  ପୁଷ୍ପରେ ନିଜର ବେଣୀ ସଜାନ୍ତି । ସରୋବରରେ ପ୍ରସ୍ଫୁଟିତ ରକ୍ତପଦ୍ମଗୁଡିକୁ ଦେଖିଲେ ମନରେ ଅପୂର୍ବ ଆନନ୍ଦ ଜାଗିଉଠେ । ନାରୀମାନେ ଲାଲ୍‍ ରଙ୍ଗର ଶାଢୀ ପରିଧାନ   କଲେ ସାକ୍ଷାତ୍‍ ମା’ ଲକ୍ଷ୍ମୀରୂପା ଦେଖାଯାଆନ୍ତି । ଉଦିତ ସୂର୍ଯ୍ୟଙ୍କ ଲାଲ୍‍ ବର୍ଣ୍ଣ ଓ ଉଷାକାଳ ମଧ୍ୟରେ ଗଭୀର ପ୍ରେମ ଅତିବ ଆକର୍ଷଣୀୟ ଅଟେ । ପ୍ରେମର ବର୍ଣ୍ଣ ଲାଲ୍‍ ଓ  ଏହା ଶରୀରକୁ ଉନ୍ମାଦିତ କରୁଥିବାରୁ ପ୍ରଥମ ଶରର ନାମ ଉନ୍ମାଦନ ଅଟେ । ଦ୍ୱିତୀୟ ବାଣକୁ ‘ତାପନ’ କୁହାଯାଏ ଯାହାକି ଅଶୋକ ଫୁଲର ସମାହାର ଅଟେ । ଏହାର  ବର୍ଣ୍ଣ ଗାଢ ଗୈରିକ ଯାହା ଜଞ୍ଜାଳମୟ ଦୁନିଆଁରୁ ମୁକ୍ତ ହୋଇ ନବଜୀବନ ବା ଶୋକହୀନ ଦୁନିଆଁକୁ ଗମନ କରିବାର ପ୍ରତୀକ ଅଟେ । ଅର୍ଥାତ୍‍ ପ୍ରେମର  ଦୁନିଆଁରେ       ଦୁଃଖ – ଶୋକ ନ’ଥାଏ ଓ ମନରେ ପ୍ରଣୟ ଭାବ ଅଙ୍କୁରିତ ହେବାପାଇଁ ଅଶୋକ ପୁଷ୍ପ ଶରୀରକୁ ଉତ୍ତାପ ଯୋଗାଇଥାଏ । ଅଶୋକର ମାଦକତାରେ  ବାତାବରଣ  ମଧୁମୟ ଓ ପବିତ୍ର ହୋଇଉଠେ । ଅଶୋକ ବନରେ ବିୟୋଗିନୀ ସୀତା ରାମଙ୍କପାଇଁ ଗଭୀର ଚିନ୍ତାରେ ନିମଗ୍ନ ରହୁଥିଲେ । ଏହିଶର ପ୍ରଭାବରେ ଶରୀର  ତାପଶକ୍ତିଯୁକ୍ତ ହୁଏ ଓ ଏଥିପାଇଁ ଏହାକୁ ‘ତାପନ’ କୁହାଯାଏ ।

ତୃତୀୟ ଶରର ନାମ ‘ଦହନ’ ଅଟେ ଓ ଏହା ଆମ୍ରମଞ୍ଜରୀଯୁକ୍ତ ଅଟେ । ଆମ୍ବବଉଳ ବସନ୍ତ ୠତୁର ଶୋଭା ବର୍ଦ୍ଧନ କରେ । ଏହାର ଭୀଣିଭୀଣି ଗନ୍ଧ ଲହରୀ ପ୍ରକୃତିକୁ      ମୋହିତ କରିଥାଏ । ଆମ୍ରକୁଞ୍ଜରେ କୋକିଳର ସୁଲଳିତ କଣ୍ଠ ଓ ମଧୁପର ଗୁଣୁଗୁଣୁ ସ୍ୱନରେ ବାତାବରଣ ମଧୁମୟ ହୋଇଉଠେ । ତନୁ-ମନ ମଦନ ଜ୍ୱାଳାରେ ଦହନ   ହେବାକୁ ଲାଗେ । ଏହି ସବୁଜ- ମଳିନ ହରିଦ୍ରା ବର୍ଣ୍ଣର ବଉଳ ମନକୁ ଦୀର୍ଘସ୍ଥାୟୀ ପ୍ରେମାଗ୍ନିରେ ପ୍ରଜ୍ଜ୍ୱଳିତ କରିଥାଏ । ଚତୁର୍ଥ ପୁଷ୍ପଶର ‘ଶୋଷଣ’ ଅଟେ ଓ ଏହା  ନିଆଳୀ ବା ରଜନୀଗନ୍ଧା ପୁଷ୍ପରେ ମଣ୍ଡିତ । ଏହାର ସୁବାସିତ ମହକ ପ୍ରେମର ବାର୍ତ୍ତା ଦିଏ । ଏହି ଶୁଭ୍ର ପୁଷ୍ପର ପ୍ରଭାବରେ ଶରୀରର ବିଭିନ୍ନ ଅଂଶରୁ ଜାତ ହେଉଥିବା  ଶୃଙ୍ଗାର ରସ  ଶୋଷିତ ହୋଇ ଏକତ୍ରୀକରଣ ହୁଏ ଓ କାମ ବାସନାକୁ ପ୍ରବଳ କରାଏ । ପଞ୍ଚମ ଫୁଲଶର ନୀଲକଇଁ ବା ନୀଳପଦ୍ମରେ ଶୋଭିତ ‘ସମ୍ମୋହନ’ ନାମ  ବହନ କରେ । ପ୍ରେମର ଅନ୍ତଃ ହୁଏ ନାହିଁ ଓ ଏହି ଅନନ୍ତତାର ପ୍ରତୀକ ନୀଳବର୍ଣ୍ଣ ଅଟେ । ନୀଳ ଆକାଶର ବିସ୍ତାର ଅନନ୍ତ ଅଟେ । ପ୍ରଭୁ ଶ୍ରୀରାମ ଶହେ-ଆଠ ନୀଳ  ପଦ୍ମରେ ଦେବୀ କାତ୍ୟାୟନୀଙ୍କୁ ଉପାସନା କରିଥିଲେ । ତେବେ ପଞ୍ଚମ ପୁଷ୍ପଶର ପଞ୍ଚମନକୁ ପ୍ରଣୟ ନିଶାରେ ଆକୁଳିତ କରି ଏକ ସୂକ୍ଷ୍ମ ଓ ଦୃଢ ରଜ୍ଜୁ  ଦ୍ୱାରା  ବନ୍ଧନଯୁକ୍ତ କରାଇଥାଏ ।

ଅନ୍ତଃସ୍ରାବୀ ଚିକିତ୍ସା ବିଜ୍ଞାନ (Endocrinology)ରେ ଦର୍ଶାଯାଇଛିଯେ, ଉଭୟ ନାରୀ ଓ ପୁରୁଷ କ୍ଷେତ୍ରରେ ପାଞ୍ଚଟି ସ୍ଥାନରୁ ଶୃଙ୍ଗାର ରସର କ୍ଷରଣ ହୁଏ । ଏହି ରସର ସୃଷ୍ଟିକେନ୍ଦ୍ରଗୁଡିକ ହେଲା ହାଇପୋଥାଲାମସ୍‍(Hypothalamus), ବୃହତ୍‍ ମସ୍ତିଷ୍କ, ଅଣ୍ଡକୋଷ, ଡିମ୍ବାଶୟ ଓ ବୃକକ୍‍ ଉପରେ ଥିବା ଏଡ୍ରିନାଲ୍‍ କର୍ଟେକ୍‍ସ (Adrenal Cortex) । ଏଥିରୁ ପ୍ରେରିତ ପାଞ୍ଚ ପ୍ରକାର ହର୍‍ମୋନ୍‍ ଗୁଡିକ ହେଲା – ଇଷ୍ଟ୍ରୋଜେନ୍‍, ଏଫ୍‍. ଏଚ୍‍. ଏସ୍‍. (FHS), ଆଇ. ସି. ଏସ୍‍. ଏଚ୍‍. (ICSH),  ଏଣ୍ଡ୍ରୋଜେନ୍‍ ଓ   ଏଲ୍‍. ଏଚ୍‍. (LH) । ଏଠାରେ ନାୟକ ଓ ନାୟିକା ରୂପରେ ଯଥାକ୍ରମେ ଏଣ୍ଡ୍ରୋଜେନ୍‍  ଓ ଇଷ୍ଟ୍ରୋଜେନ୍‍ ଅବତୀର୍ଣ୍ଣ ହୁଅନ୍ତି । ଶୃଙ୍ଗାର ରଙ୍ଗ   ମଞ୍ଚର  ବସତି ସ୍ଥାନକୁ ପିଟୁଇଟାରୀ ଗ୍ଲାଣ୍ଡ୍‍ କୁହାଯାଇଛି ଓ ହାଇପୋଥାଲାମସ୍‍ (ମସ୍ତିଷ୍କର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର)କୁ ସର୍ବମୟ କର୍ତ୍ତା ଭାବେ ଗ୍ରହଣ କରାଯାଇଛି । ସୂର୍ଯ୍ୟକିରଣ   ଚିକିତ୍ସା ବିଜ୍ଞାନ (Chromopathy) ଅନୁଯାୟୀ ସମଗ୍ର ଶରୀର ହେଉଛି ତିନି ପ୍ରାଥମିକ ବର୍ଣ୍ଣ (ଲାଲ୍‍, ସବୁଜ ଓ ନୀଳ) ର ସମାହାର, ଯାହା ଯଥାକ୍ରମେ ଉତ୍ତାପ,  ନିର୍ମଳତା ଓ ଶୀତଳତାର ପ୍ରତୀକ ଅଟେ । ଏହି ତ୍ରିବର୍ଣ୍ଣର ସମାନୁପାତିକ ସଂଯୋଗୀକରଣ ଦ୍ୱାରା ଶରୀର ନିରୋଗ ରହେ । ଏଠାରେ ପଞ୍ଚଶର ଶରୀରର ଶୃଙ୍ଗାର ରସ  ସୃଷ୍ଟିକେନ୍ଦ୍ରଗୁଡିକୁ ପ୍ରଭାବିତ କରି ରସ କ୍ଷରଣ କରାଇବାର ଧାରଣା ନିଆଯାଇପାରେ । ଉଭୟ  ଅଣ୍ଡକୋଷ ଓ ଡିମ୍ବାଶୟକୁ ଉନ୍ମାଦନ ଓ ତାପନଶର ପ୍ରଭାବିତ କରେ,     ଯେହେତୁ ଏ ଦୁଇ ଅଂଶ ଲାଲ୍‍ ବର୍ଣ୍ଣପ୍ରତି ସମ୍ବେଦନଶୀଳ ଅଟେ । ଏହି ଅଂଶରେ ପଦ୍ମଫୁଲ ଉନ୍ମାଦ ଭାବ ସୃଷ୍ଟି କରେ ଓ ଅଶୋକ ଫୁଲର  ପ୍ରଭାବରେ ଏହା ତାପଶକ୍ତି  ଯୁକ୍ତ ହେବା ଫଳରେ ପ୍ରଣୟ ବାସନାର ଅଙ୍କୁରଣ ହୁଏ ।  ଅର୍ଥାତ୍‍ ନିର୍ଦ୍ଦିଷ୍ଟ ହର୍‍ମୋନ୍‍ର କ୍ଷରଣ ହୁଏ । ଉଭୟ ବର୍ଣ୍ଣ ଓ ବାସ୍ନାର ଆକ୍ରମଣରେ ଶରୀର ପ୍ରଭାବିତ ହୁଏ ।    ବୃକକ୍‍ ଉପରେ ଥିବା ଏଡ୍ରିନାଲ୍‍ କର୍ଟେକ୍‍ସ ସବୁଜ ବର୍ଣ୍ଣପ୍ରତି ସମ୍ବେଦନଶୀଳ ଅର୍ଥାତ୍‍ ଶରୀରରୁ ବୃକକ୍‍ ଜରିଆରେ ଦୂଷିତ ପଦାର୍ଥ ନିର୍ଗତ ହୋଇ ମନକୁ ନିର୍ମଳ ରଖେ ।   ଏହି ଅଂଶ ଦହନ ଶର ଦ୍ୱାରା ପ୍ରଭାବିତ ହୁଏ । ଘୃତ ଅଗ୍ନିରେ ଦାହ ହେବା ସଦୃଶ କାମ ବେଦନା ପ୍ରଜ୍ଜ୍ୱଳିତ ହୋଇ ଉଠେ । ଆମ୍ବ ବଉଳର ସବୁଜ -ମଳିନ – ପୀତବର୍ଣ୍ଣ   ଓ ଏହାର ମହମହ ସୁବାସ ଦ୍ୱାରା ମନ ଉଲ୍ଲାସ ହୋଇଉଠେ । ପୀତବର୍ଣ୍ଣ ଏକ ଉତ୍ତେଜକ ଜାଳେଣି ରୂପେ କାର୍ଯ୍ୟ କରେ ଓ ଉଦ୍ଦିଷ୍ଟ ହର୍‍ମୋନ୍‍ ସଞ୍ଚାରିତ ହୁଏ । ଚତୁର୍ଥ  ଶର ଶୋଷଣର ବର୍ଣ୍ଣ ଶୁଭ୍ର ଓ ବୃହତ୍‍ ମସ୍ତିଷ୍କ ହିଁ ଏହାର ସନ୍ଧାନ ସ୍ଥଳ ଅଟେ । ଦୃଶ୍ୟମାନ ବର୍ଣ୍ଣାଳୀ (Visible Spectrum)ର ସପ୍ତବର୍ଣ୍ଣର ମିଶ୍ରଣରୁ ସୃଷ୍ଟିହୁଏ  ଧବଳ  ବର୍ଣ୍ଣ ଏବଂ ଏହା ସବୁ ବର୍ଣ୍ଣର ଶୋଷକ ଅଟେ । ଶୃଙ୍ଗାର ରସ ପ୍ରବାହରେ ଜଡିତ ସମସ୍ତ ପ୍ରକାର ହର୍‍ମୋନ୍‍ ଆଦିର ପ୍ରତିକ୍ରିୟା ଏହି ଅଂଶରେ ଶୋଷିତ  ବା ଏକତ୍ରିତ  ହୋଇ କାମଭାବକୁ ଚରମ ସୀମାରେ ଉପନୀତ କରାଏ ।    ଯେହେତୁ ଚାରି ଶରର ପ୍ରଚଣ୍ଡ ଆକ୍ରମଣରେ ଶରୀରର କମ୍ପନ ବୃଦ୍ଧିପାଏ ଓ ଉଷ୍ମତାର  ମାତ୍ରା ତୀବ୍ରତର  ହୁଏ, ତେଣୁ ଶରୀରକୁ ଆୟତ୍ତାଧିନ କରିବା ନିମିତ୍ତ ପଞ୍ଚମ ଶରର କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ସମ୍ମୋହନଶର ହାଇପୋଥାଲାମସ୍‍କୁ ସନ୍ଧାନସ୍ଥଳ ରୂପେ ଚୟନ  କରିଥାଏ । ମୂଖ୍ୟ ନିର୍ଦ୍ଦେଶକ  ହାଇପୋଥାଲାମସ୍‍ ନୀଳରଙ୍ଗରେ ଶୋଭିତ ସମ୍ମୋହନଶର ଦ୍ୱାରା ଚଞ୍ଚଳ ହୋଇଉଠେ ଓ ମସ୍ତିଷ୍କକୁ କିଞ୍ଚିତ୍‍ ଶୀତଳତା ପ୍ରଦାନ  ପୂର୍ବକ   ମନକୁ ବିମୋହିତ କରେ । ମନ୍ଦମନ୍ଦ ସୁରଭିତ ହିଲ୍ଲୋଳରେ ଜାଗିଉଠେ ଦିବ୍ୟ ଶୃଙ୍ଗାର ଚେତନାର ମକରନ୍ଦ ଧାରା ।

ଉଦ୍ଭିଦ ବିଜ୍ଞାନରେ ଏହି ପଞ୍ଚପୁଷ୍ପ ସମ୍ବନ୍ଧରେ କିଛି ତଥ୍ୟ ନିମ୍ନରେ ଦର୍ଶାଯାଇଛି –

  ପୁଷ୍ପ  ଉଦ୍ଭିଦ ବିଜ୍ଞାନରେ ନାମକରଣ

(Botanical Name)

 ପ୍ରସ୍ଫୁଟିତ ସମୟ        ବର୍ଣ୍ଣ   ଗନ୍ଧ
ଅରବିନ୍ଦ(ପଦ୍ମ)  ନିଲମ୍ବୋ ନସିଫେରା

(Nelumbo nucifera)

 ବୈଶାଖ – ଆଷାଢ  ଲାଲ୍‍  ସୁବାସିତ                      (mild sweet)
 ଅଶୋକ  ସାରାକା ଅଶୋକା               (Saraca asoca)  ଫାଲ୍‍ଗୁନ – ବୈଶାଖ  ଗୈରିକଲାଲ୍‍  ସୁବାସିତ(କ୍ଷୀଣ)          (very mild  sweet)
 ଆମ୍ବବଉଳ  ମାଞ୍ଜିଫେରା ଇଣ୍ଡିକା             (Mangifera Indica)  ମାଘ – ବୈଶାଖ  ସବୁଜ-ମଳିନ- ପୀତ      (Green -pale  yellow)  ସୁବାସିତ(ମହମହ)       (Aromatic sweet)
 ନିଆଳୀ,ବଣମଲ୍ଲୀ  ଜସ୍‍ମିନମ୍‍ ଆର୍‍ବୋରେସିନ୍‍

(Jasminum arboescene)

 ଗ୍ରୀଷ୍ମୠତୁ  ଧବଳ  ସୁବାସିତ(ତୀବ୍ର)             (Sweet smell)
 ନୀଳକଇଁ, ନୀଳପଦ୍ମ  ନିମ୍ଫିଆ ନାଉକାଲି                         (Nymphaea nauchali)  ଷଡୠତୁ  ନୀଳ  ସୁବାସିତ                       (mild sweet)

ମହାଜାଗତିକ ବିଜ୍ଞାନ(Cosmology) ତଥ୍ୟ ପ୍ରଦାନ କରେ ଯେ, ପ୍ରାୟ 13.7 ବିଲିୟନ୍‍ ବର୍ଷ ପୂର୍ବେ ସ୍ଥାନ (Space) ଓ କାଳ (Time) ମଧ୍ୟରେ ଏକ ନିବିଡ    ବନ୍ଧନ ସୃଷ୍ଟି ହୋଇଥିଲା । ଏହାକୁ ସ୍ଥାନ -କାଳ ଏକତ୍ରୀକରଣ (Space – Time Singularity) କୁହାଯାଏ । ଏକ କ୍ଷୁଦ୍ରାତିକ୍ଷୁଦ୍ର ପରିସୀମା ମଧ୍ୟରେ ବିଶ୍ୱର  ସମସ୍ତ ବସ୍ତୁତ୍ୱ ଠୁଳ ହୋଇଥିଲା । ସେହି ଅନନ୍ତ ସାନ୍ଦ୍ରତା ବିଶିଷ୍ଟ ପରିବେଶରେ ଏକ ପାରସ୍ପରିକ କ୍ରିୟା ବା ଅନନ୍ତ ମହାକର୍ଷଣ ବଳଦ୍ୱାରା ସ୍ଥାନ ଓ କାଳର ନିବିଡ ମହାଜାଗତିକ ମହାବିସ୍ଫୋରଣ(BIG BANG) ଘଟିଲାଏବଂ ସୃଷ୍ଟି ପ୍ରକ୍ରିୟା ସେହି ମୁହୂର୍ତ୍ତରୁ ଆରମ୍ଭ ହେଲା । ତେବେ ସ୍ଥାନ -କାଳ ଏକତ୍ୱକୁ  ସ୍ଥାନ -କାଳର ଶୃଙ୍ଗାର ରୂପେ ଚିତ୍ରଣ କରାଯାଇପାରେ, ଯାହା ବିଶ୍ୱ – ବ୍ରହ୍ମାଣ୍ଡ ସୃଷ୍ଟିର କାରଣ ଅଟେ । ଏକ ଶାନ୍ତ, ଅବଚେତନ ଓ  ମହାଜାଗତିକ ପରିବେଶ(Cosmic Environment) ଏବଂ  କଳ୍ପନାତୀତ ତାପମାତ୍ରାରେ ସ୍ଥାନ ଓ କାଳ ମଧ୍ୟରେ ମହାଶୃଙ୍ଗାର ଚେତନା ଜାଗିଉଠିଲା ଓ ସମୟ କ୍ରମେ ପୃଥିବୀରେ ଲୁକ୍‍କାୟିତ ବ୍ରହ୍ମସତ୍ତାର ପରିପ୍ରକାଶ ହୋଇ  ଜୀବଜଗତର ସୃଷ୍ଟି ହେଲା । ଏହି ଲୁକ୍‍କାୟିତ ବ୍ରହ୍ମସତ୍ତାର କ୍ରିୟାଶୀଳ ହେବାର କାରଣକୁ କାମଦେବଙ୍କ ପଞ୍ଚପୁଷ୍ପ ଶାୟକର ଆଧାରକୁ ଗ୍ରହଣ କରାଯାଇ ପାରେ ।ପ୍ରତ୍ୟେକ ସୃଷ୍ଟିର ମୂଳମନ୍ତ୍ର ହିଁ ପ୍ରଣୟ ଭାବର ପରିପ୍ରକାଶ ଅଟେ । ଏତାଦୃଶ ଭାବନା ପ୍ରସ୍ଫୁଟିତ ହୋଇଛି ଆଗମସାର ତନ୍ତ୍ର ପୁସ୍ତକରେ, ଯଥା –

ମିଥୁନଂ ପରମଂ ତତ୍ତ୍ୱ ସୃଷ୍ଟି ସ୍ଥିତାନ୍ତ କାରଣମ୍‍

ମୈଥୁନା ଜାୟତେ ସିଦ୍ଧି ବ୍ରହ୍ମ ଆନଂ ସୁଦୁର୍ଲଭମ୍‍ ।

ଯଦି ସ୍ଥାନ -କାଳ ଏକତ୍ୱ ପରସ୍ପର ମଧ୍ୟରେ ଶୃଙ୍ଗାରର ଫଳାଫଳ ହୁଏ, ତେବେ ଶୃଙ୍ଗାର ରସହିଁ ଆଦିରସ । ଯେପରି ମହାକର୍ଷଣୀୟ ବଳକୁ ଆଦିବଳ କୁହାଯାଏ ଓ  ଏଥିରୁ ସବୁବଳର ସୃଷ୍ଟି ଏବଂ ବିଲୟର ପ୍ରତୀୟମାନ ହୁଏ, ସେହିପରି ଆଦିରସ ଶୃଙ୍ଗାରରୁ ଅନ୍ୟ ରସଗୁଡିକର ସୃଷ୍ଟି ଏବଂ ବିଲୟକୁ ସମାନ୍ତରାଳଭାବେ ଚିନ୍ତା  କରାଯାଇପାରେ, ଯାହା ଆମ ସାଂସ୍କୃତିକ ଚେତନାର ମୂଳପିଣ୍ଡ ଅଟେ । ଏହା ସୂଚିତ କରାଏ ଯେ, ନିର୍ଜୀବ ପିଣ୍ଡରେ ମଧ୍ୟ ବ୍ରହ୍ମ ସତ୍ତା ଲୁକ୍‍କାୟିତ ହୋଇ ରହିଛି ।ନିର୍ଦ୍ଦିଷ୍ଟ ପରିବେଶ ଓ ପରିସ୍ଥିତିରେ ନିର୍ଜୀବରୁ ଜୀବସତ୍ତାର ପରିପ୍ରକାଶ ଘଟେ ।  ଏହାହିଁ ଭାରତୀୟ ଦର୍ଶନର ମୂଳମନ୍ତ୍ର । ଯଦିନୁହେଁ, ତେବେ ବିଗ୍‍ବ୍ୟାଙ୍ଗ୍‍ ବିସ୍ଫୋରଣରୁ    ଜୀବନର ସତ୍ତା ଆସିଲା କିପରି ?

ପୁଣି ପ୍ରଶ୍ନ ଉଠେ କନ୍ଦର୍ପଙ୍କ ଓଲଟ  ପଞ୍ଚପୁଷ୍ପ ଶାୟକ, ଯାହାର ପ୍ରଭାବରୁ ଶରୀର ରସ ବିହୀନ ହୁଏ । ଏହାକୁ ଯାହା ଉପରେ ସନ୍ଧାନ କରାଯାଏ, ସେ ବ୍ୟକ୍ତିର କାମ  ଭାବନା ଧ୍ୱଂସ ହୁଏ ଓ ଏକ ବିକର୍ଷଣାତ୍ମକ ମନୋଭାବ ସୃଷ୍ଟି ହୁଏ । ଏହି ଶରର ପ୍ରଭାବରୁ ଶରୀରରୁ ପଞ୍ଚ ଶରର ବର୍ଣ୍ଣ – ଲାଲ୍‍, ଗୈରିକ ଲାଲ୍‍, ସବୁଜ – ପୀତ, ଶ୍ୟେତ  ଓ ନୀଳ ଆଦିର ଅପସାରଣ ଘଟେ । ଏହି ବିଯୁକ୍ତାତ୍ମକ କାମଶର ଦ୍ୱାରା ବର୍ଣ୍ଣ ହରଣ ସମ୍ଭବ ହୋଇପାରିବ, ଯଦି ଏହା ଉପରୋକ୍ତ ବର୍ଣ୍ଣ ଗୁଡିକର ପ୍ରତିବର୍ଣ୍ଣ(Anti Colour)ଯୁକ୍ତ ହୋଇଥିବ । ସ୍ଥୂଳ ଜଗତରେ ପଦାର୍ଥବିଜ୍ଞାନ ଏହି ବିଷୟରେ ଉତ୍ତର ପାଇବା କଷ୍ଟସାଧ୍ୟ ହୋଇପାରେ, କିନ୍ତୁ ସୂକ୍ଷ୍ମଜଗତରୁ ସହଜରେ ଉତ୍ତର ମିଳିଥାଏ । ପାରମାଣବିକ  ନାଭିକ(Atomic Nucleus) ମଧ୍ୟରେ ଘଟୁଥିବା ବହୁବିଧ ଘଟଣାବଳୀକୁ ପଦାର୍ଥବିଜ୍ଞାନ କ୍ୱାର୍କ୍ ମଡେଲ୍‍ (Quark Model) ଓ ସୂକ୍ଷ୍ମ ଖଣ୍ଡିତ ବର୍ଣ୍ଣ ପ୍ରବାହ(Quantum Chromodynamics) ଦ୍ୱାରା ବୁଝାଇଥାଏ । ଏହି ମଡେଲ୍‍ କ୍ୱାର୍କକୁ ପ୍ରାୟ ଶେଷ ସୂକ୍ଷ୍ମ ବର୍ଣ୍ଣ କଣିକା ଭାବେ ଗ୍ରହଣ କରିଛି ଓ ପାରମାଣବିକ ନାଭିକ ମଧ୍ୟରେ କ୍ୱାର୍କଗୁଡିକ ଅହରହ ବର୍ଣ୍ଣ ବିନିମୟ କରିଥାନ୍ତି । କ୍ୱାର୍କଗୁଡିକ ବାରିୟନ୍‍(Baryon)ମଧ୍ୟରେ       ଦୃଢ ବର୍ଣ୍ଣବଳ (Colour Force) ଦ୍ୱାରା ବାନ୍ଧିହୋଇ ରହିଥାନ୍ତି ଓ କ୍ଷେତ୍ରକଣିକା ଗ୍ଲୁଅନ୍‍(Gluon) ଜରିଆରେ ବର୍ଣ୍ଣ ବିନିମୟ ଘଟୁଥାଏ । କ୍ୱାର୍କ ତିନିରଙ୍ଗ ବିଶିଷ୍ଟ, ଯଥା – ଲାଲ୍‍, ସବୁଜ ଓ ନୀଳ   ଏବଂ ପ୍ରତିକ୍ୱାର୍କ(Anti – Quark)ଗୁଡିକ ପ୍ରତିଲାଲ୍‍(Anti -Red), ପ୍ରତିସବୁଜ(Anti -Green) ଓ ପ୍ରତିନୀଳ(Anti -Blue)ବର୍ଣ୍ଣର ହୋଇଥାନ୍ତି । ସମ ରଙ୍ଗର ବିକର୍ଷଣ ଓ ବିଷମ ରଙ୍ଗର ଆକର୍ଷଣ ହୁଏ ।  ଦୁଇକ୍ୱାର୍କ ମଧ୍ୟରେ  ଦୂରତା କମିଗଲେ ବର୍ଣ୍ଣାକର୍ଷଣ ବଳ କମିଯାଏ ଓ ଦୂରତା ବଢିଲେ ଏହା ବଢେ । ଏହିବଳ ଅଧିକ ହେଲେ କ୍ୱାର୍କରୁ ଏକ ଗ୍ଲୁଅନ୍‍ ନିର୍ଗତ ହୁଏ ଓ ତାହା ଅନ୍ୟ ଏକ କ୍ୱାର୍କ     ଦ୍ୱାରା ଅବଶୋଷଣ ହୁଏ । ଉଦାହରଣ ସ୍ୱରୂପ –

(1) ପ୍ରୋଟନ୍‍ ବା ନିଉଟ୍ରନ୍‍ ମଧ୍ୟରେ ଯଦି ଏକ ଲାଲ୍‍ କ୍ୱାର୍କ ଓ ସବୁଜ କ୍ୱାର୍କ  ମଧ୍ୟରେ ଆକର୍ଷଣ ବଳ ଦୃଢ ହୁଏ , ତେବେ ଲାଲ୍‍ କ୍ୱାର୍କରୁ ପ୍ରତିସବୁଜ + ଲାଲ୍‍ବର୍ଣ୍ଣର ଗ୍ଲୁଅନ୍‍ ଟିଏ ନିର୍ଗତ ହୁଏ ଓ ଏହା ସବୁଜ କ୍ୱାର୍କ  ଦ୍ୱାରା ଶୋଷିତ ହୁଏ । ଫଳରେ ପ୍ରଥମ କ୍ୱାର୍କ ସବୁଜ ଓ ଦ୍ୱିତୀୟଟି ଲାଲ୍‍କୁ ବଦଳେ । ଉଭୟ କ୍ଷେତ୍ରରେ ସମୁଦାୟ ବର୍ଣ୍ଣର  ସଂରକ୍ଷଣ ରହେ(ସବୁଜ + ଲାଲ୍‍) ।

(2) ଯଦି ମେସନ୍‍(Meson) ମଧ୍ୟରେ ନୀଳ କ୍ୱାର୍କ ଓ ପ୍ରତିନୀଳ କ୍ୱାର୍କ ମଧ୍ୟରେ ଆକର୍ଷଣ ବଳ ଦୃଢ ହୁଏ, ତେବେ ପ୍ରଥମଟିରୁ ପ୍ରତିଲାଲ୍‍+ନୀଳବର୍ଣ୍ଣର ଗ୍ଲୁଅନ୍‍ଟିଏ ନିର୍ଗତ ହୋଇ  ଦ୍ୱିତୀୟ କ୍ୱାର୍କ ଦ୍ୱାରା ଶୋଷିତ ହୁଏ । ଫଳରେ ପ୍ରଥମଟି ଲାଲ୍‍କୁ ଓ ଦ୍ୱିତୀୟଟି ପ୍ରତିଲାଲ୍‍କୁ ବଦଳେ ।ଏ କ୍ଷେତ୍ରରେ ମଧ୍ୟ ବର୍ଣ୍ଣ ସମୁଦାୟ ସଂରକ୍ଷିତ ରହେ (ନୀଳ+ପ୍ରତିନୀଳ = ଲାଲ୍‍+ପ୍ରତିଲାଲ୍‍ = 0) । ଏହି ସୂକ୍ଷ୍ମ ତତ୍ତ୍ୱକୁ ଯଦି ପୁଷ୍ପଶରର କାର୍ଯ୍ୟଧାରା ସହ ତୁଳନା କରାଯାଏ, ତେବେ ଅଭିମନ୍ତ୍ରିତ ଶରସନ୍ଧାନର ପ୍ରୟୋଗବିଧି ମଧ୍ୟ ସୂକ୍ଷ୍ମ ସ୍ତରରେ ରହିଥିବାର ଅନୁମେୟ ହୁଏ । ଓଲଟ ଶରଗୁଡିକୁ କେବଳ ପ୍ରତିବର୍ଣ୍ଣ ରୂପେ ଗ୍ରହଣ କରାଯାଇ ପାରେ, ଯାହା ସୂକ୍ଷ୍ମ ମନ୍ତ୍ର ବଳରେ ପ୍ରତି –   କ୍ୱାର୍କର ବଳୟ ସୃଷ୍ଟି କରେ । ସୂକ୍ଷ୍ମ ଚେତନାରେ ଶରୀରକୁ ମଧ୍ୟ କ୍ୱାର୍କକୁ ଏକ ସମଷ୍ଟିଗତ ଭଣ୍ଡାର କୁହାଯାଇ ପାରେ । ଓଲଟ ପୁଷ୍ପଶର ଓ ଶରୀର ଏକ ମନ୍ତ୍ରମୁଗ୍‍ଧ ଓ      ବୌଦ୍ଧିକ ପରିବେଷ୍ଟନୀ ମଧ୍ୟରେ ଆକର୍ଷିତ ହୋଇ ପାରମାଣବିକ ନାଭିକର ସ୍ୱରୂପ ଦର୍ଶାଉଥିବାର ଅନୁମାନ କରାଯାଇ ପାରେ । ତେଣୁ ଏହି ବିଯୁକ୍ତାତ୍ମକ ପଞ୍ଚଶର  ପ୍ରଭାବରୁ ଶରୀରର ହାଇପୋଥାଲାମସ୍‍, ଅଣ୍ଡକୋଷ, ଡିମ୍ବାଶୟ ଓ ଏଡ୍ରିନାଲ୍‍ କର୍ଟେକ୍‍ସ୍‍ରୁ ସେହି ପରିମାଣର ବର୍ଣ୍ଣ ବିଲୟ ଘଟିବା ଦ୍ୱାରା କାମ  ଭାବନା ଜାଗ୍ରତ  କରାଉଥିବା ହର୍‍ମୋନ୍‍ର କ୍ଷରଣ ହୁଏନାହିଁ  । ତେଣୁ ବୃହତ୍‍ ମସ୍ତିଷ୍କ କୌଣସି କାମ ସଙ୍କେତ ନ’ପାଇ ନିଷ୍କ୍ରିୟ ରହେ ଏବଂ ଶରୀର କାମ ବାସନା ହୀନ ହୁଏ ।

ପ୍ରାକୃତିକ ନିୟମଧାରା ଓ ଏହାର ଗାଣିତିକ ବ୍ୟାଖ୍ୟା ହିଁ ପଦାର୍ଥ ବିଜ୍ଞାନ । ଶରୀରରେ ରସ ସଞ୍ଚାର ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ । ଯୁକ୍ତାତ୍ମକ ଓ ବିଯୁକ୍ତାତ୍ମକ ପଞ୍ଚପୁଷ୍ପ ଶରର ପ୍ରଭାବରେ ଶୃଙ୍ଗାର ରସର କ୍ଷରଣ ଓ ଅବଶୋଷଣ ଧାରାକୁ ପଦାର୍ଥ ବିଜ୍ଞାନର ଦୁଇଟି ଶାଖା ସହ ତୁଳନୀୟ ବୋଲି ଦର୍ଶାଯାଇଛି, ଯଥା – ମହାଜାଗତିକ ବିଜ୍ଞାନ – ବିଗ୍‍ବ୍ୟାଙ୍ଗ୍‍ ତତ୍ତ୍ୱ ଓ ସୂକ୍ଷ୍ମ ଖଣ୍ଡିତ ବର୍ଣ୍ଣ ପ୍ରବାହ – କ୍ୱାର୍କ୍ ମଡେଲ୍‍ । ଏଥିରୁ ପ୍ରତୀୟମାନ ହେଉଛି ଯେ, ଆମ ସଂସ୍କୃତିର ବୌଦ୍ଧିକ ଓ ସୂକ୍ଷ୍ମ ଚେତନାକୁ ଅନୁଧ୍ୟାନକଲେ  ତହିଁରୁ ପ୍ରସ୍ଫୁଟିତ ହୁଏ ଅତ୍ୟାଧୁନିକ ବୈଜ୍ଞାନିକ ଭିତ୍ତିଭୂମିର ବିଭିନ୍ନ ମାର୍ଗ । ଏହା ଚେତାଇ ଦିଏ ଯେ, ପ୍ରାକୃତିକ ନିୟମରେ ବନ୍ଧନ ଏ ବିଶ୍ୱ- ବ୍ରହ୍ମାଣ୍ଡ । ତେଣୁ ଏହି ନିୟମର ବିରୁଦ୍ଧାଚରଣ କରାନ’ଯାଉ । କିନ୍ତୁ ବିଜ୍ଞାନ ଓ ଆଧ୍ୟାତ୍ମିକତାର ଦୂରୁପଯୋଗ ହିଁ ଆଜିର ମାନବ ପାଇଁ ଘାତକସିଦ୍ଧ ହେବାରେ ଲାଗିଛି । ପ୍ରକୃତିର ବିରୁଦ୍ଧାଚରଣ ନ’କରି  ଏହାର ଦିବ୍ୟ ପରିପ୍ରକାଶର ସଯତ୍ନ ସୁରକ୍ଷା ଅକାନ୍ତ ଆବଶ୍ୟକ ଅଟେ । ବିଶ୍ୱ ନିର୍ମାଣକର୍ତ୍ତା – ବ୍ରହ୍ମା, ପାଳନକର୍ତ୍ତା – ବିଷ୍ଣୁ ଓ ସଂହାରକର୍ତ୍ତା – ଶିବ ପ୍ରକୃତିର ସ୍ୱରୂପ  ଅଟନ୍ତି  ଓ ଏମାନେ ମଧ୍ୟ ସୃଷ୍ଟି ନିୟମରେ ଆବଦ୍ଧ । ଶିବ ଯୋଗମୁଦ୍ରାରେ ରହି ବିଶ୍ୱରେ ଘଟୁଥିବା ସମସ୍ତ କାର୍ଯ୍ୟ ଧାରାକୁ ଆୟତ୍ତରେ ରଖିବା ଦ୍ୱାରା ବିଶ୍ୱରେ ସନ୍ତୁଳନତା ରକ୍ଷା   ହୋଇଥାଏ । କନ୍ଦର୍ପର ପୁଷ୍ପଶର ପ୍ରଭାବରେ ଶିବଙ୍କର ଯୋଗମୁଦ୍ରା ଭଗ୍ନ ହେଲା ଓ ବିଶ୍ୱ ଚଳନ ପ୍ରକ୍ରିୟାରେ ବିଘ୍ନ ଜାତ ହେଲା । ତେଣୁ ଏହି ଶର ପ୍ରୟୋଗ  ପ୍ରକୃତିର  ବିରୁଦ୍ଧରେ ଥିଲା ଓ ପରିଣାମ ସ୍ୱରୂପ କାମଦେବ ଦଗ୍‍ଧୀଭୂତ ହେଲେ । ତେଣୁ ଶାସ୍ତ୍ରୀୟ ନିୟମ ଓ ବୈଜ୍ଞାନିକ ନିୟମ ମଧ୍ୟରେ ପାର୍ଥକ୍ୟ ପ୍ରାୟ ପରିଲକ୍ଷିତ ହୁଏନାହି ।     ଶାସ୍ତ୍ରହିଁ ବିଜ୍ଞାନ ଓ ଏହାର ମୂଳମନ୍ତ୍ରକୁ ଅନୁଧ୍ୟାନ କରି ମାନବ ସଠିକ୍‍ ମାର୍ଗରେ ଧାବମାନ ହେବା ଆଜିର ଅନୁଚିନ୍ତା ଅଟେ ।

———————————————————————————————–

Published in ଦିଗ୍‍ବଳୟ ‘Digbalay’ Feb – 2010  –   Popular Science Magazine in Odia, Odisha Physical Society, Odisha .

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help