କବିତା – ଇତିହାସ କହେ ଅଣାକାର
ଇତିହାସ କହେ ଅଣାକାର
————————
ମାତିଉଠିଲେଣି ଜୟଚନ୍ଦ୍ର ଦଳ ………ଏକାମ୍ର କାନନେ ହୋଇଛନ୍ତି ମେଳ ।
ଦଳବେହେରାର ନ ମିଳଇ ପତ୍ତା …….. ଭ୍ରମୁଅଛି ବନେ ହୋଇ ହୀନାବସ୍ଥା ।
ସୁନାଥାଳ ପାଇଁ ପାଇକେ ବିକଳ ……… ସାଗର ମନ୍ଥିଣ କରିବେ କବଳ ।
ଏ କି କଲ ଆହା ରାଜା ପରୀକ୍ଷିତ ! ……… କପଟେ ପଞ୍ଚମେ କଳି ସ୍ୱର୍ଣ୍ଣେ ରତ ।
ବୁଝି ନ ପାରିଲ ଚାଟୁକର କଥା ……… ମିଥ୍ୟା ପ୍ରଲେପରେ କିଣିନେଲା ମଥା ।
ତେଣୁ ଦୁର୍ନିତୀର ଚେର ଗଲା ଭେଦି ……… ସପ୍ତପାତାଳକୁ କେ’ବା ପ୍ରତିବାଦୀ ? ଆରେ ବୃକୋଦର ହେଲୁକି ଦୁର୍ବଳ ……… କାହିଁ ଗଲା ତୋ’ର ଶତସିଂହ ବଳ !
ସେ ବିଷ ଦ୍ରୁମକୁ ବାମଭୁଜେ ଧରି ………. ଉତ୍ପାଟନ କର ଗୋବିନ୍ଦ ସୁମରି ।
ରକ୍ଷକର ଦେଖ ପକ୍ଷପାତ ନୀତି ………. ଭକ୍ଷକ ସାଜୁଛି ନାହିଁ ତିଳେ ଭୀତି ! ବାଡ ଯଦି ଖାଏ କ୍ଷେତର ଫସଲ ………. ତା’କୁ ରୋକିବାକୁ ଅଛି କା’ର ବଳ ।
ଏ ଦମ୍ଭ ବଡିମା ଅଟଇ ଅଳୀକ ………. ଏହାର ଆୟତ୍ତେ ଥା’ନ୍ତି ଅବିବେକ ।
ମହାକାଳ କେଶ ଆକର୍ଷି ଧରିଛି ………. ନିଷ୍ଠୁର ନିର୍ଦ୍ଦୟ ସତ୍ୟ ବିରାଜୁଛି ।
ଚାଲୁଣି ଛୁଞ୍ଚିକୁ କହୁଛି ନିଠେଇ ………. ତୋର ଦେହେ ଏକ କଣା ଅଛି ରହି ।
ମୁଖରେ ଅମୃତ ହୃଦୟରେ ବିଷ ………. ଆଜ୍ଞାଚକ୍ର ମଧ୍ୟେ ଦିଶେ ଜକଜକ ।
ଗର୍ଦ୍ଦଭର ସ୍ୱର ତା’ପାଇଁ ସୁନ୍ଦର ………. କୋକିଳ କଣ୍ଠକୁ କରେ ତିରସ୍କାର ।
ଯେ ଅଟେ ନିର୍ଭୀକ ନିର୍ମଳ ଚରିତ୍ର ……… ଶତ ଚକ୍ରବ୍ୟୁହ କରେ ଧୂଳିସାତ ।
ଯେତେ କୂଟନୀତି ଅଛି ଏ ସଂସାରେ ……… ସରଳତା ସ୍ଥାନ ସବୁରୀ ଉପରେ ।
ପ୍ରକୃତି କରୁଛି କ୍ରୂର ପରିହାସ ………. ବିଜ୍ଞାନର ବଳ ଧ୍ୱଂସେ ନିୟୋଜିତ ।
ଇତିହାସ ତୁହି ଅଟୁ ମୂକସାକ୍ଷୀ ……… ଜଳିଗଲା ହିରୋସୀମା ନାଗାସାକି ।
ତୋର ସତ୍ୟ ପୃଷ୍ଠା ହୀରକର ଗାର ……… ହେଜି ହୃଦୟରେ ମାନବର ବର ।
ନିଷ୍କାମ ନିର୍ମଳ ହୃଦୟ ଆକାଶେ …….. ଉଦେ ହେଉ ଭାନୁ ଜ୍ୟୋତି ପରକାଶେ । ସତ୍ୟର ମଶାଲ ଜଳୁ ଘନଘନ ………. ଜାଗରେ ବିପ୍ଳବୀ ସପ୍ତ ବିକିରଣ ।
*************************************************