କବିତା – ଚଇତାଳି ବାଆ
ଚଇତାଳି ବାଆ
———————-
ଦୂର ହୋଇଯାଏ ତାମସ ଘନ
ସୁପ୍ତ ପ୍ରାଣ ମୋର ସ୍ୱପ୍ନେ ମଗନ ।
ପରୀ ରାଇଜ ସେ କି ମନୋହର
କି ଅବା ବର୍ଣ୍ଣିବି ମୁଖେ ମୋହର ——— (୧)
ଚୁପି ଚୁପି କହି ଗଲା କେ କାନେ
ଶୀତଳ ମଧୁର ପରଶ ତାନେ ।
ଜାଗିଉଠ ଆଉ ନ କର ହେଳା
ତିମିର ରଜନୀର ବିଦାୟ ବେଳା ————– (୨)
ତନ୍ଦ୍ରାଳସ ମନ ଜାଗି ଉଠିଲା
କନ୍ଦର୍ପ ବାଣେ କି ତନୁ ଦହିଲା ।
ଅପୂର୍ବ ଉଷାକାଳ କି ରମ୍ୟ କାନ୍ତି
ସବୁରି ପ୍ରାଣେ ଭରୁ ପୁଲକ ଶାନ୍ତି ———– (୩)
ସୁଲୁସୁଲୁ ବାଆ ଚପଳ ମନ
ଜଡ଼ତାର ତହିଁ ନଥାଏ ସ୍ଥାନ ।
ମନେ ଆଣିଦିଏ ନବୀନ ଭାବ
ପଦ୍ମ ସରୋବରେ ଯେ କେଳିନାବ ————– (୪)
ମଧୁପେ ଖୋଜନ୍ତି ବାତୁଳ ପ୍ରାୟେ
କାହିଁ ଗଲ ଆଗୋ ପରାଣ ପ୍ରିୟେ ।
ନବ ସୁରଭିତ ଚଇତି ବାଆ
ପୁଷ୍ପର ମହକେ ମୋହିତ ଆହା —————- (୫)
କାକ, କୋକିଳ କଣ୍ଠ ସଙ୍ଗୀତେ ଭରା
ପ୍ରଭାତ ବେଳାକୁ କଲେ ମୁଖରା ।
ପଲ୍ଲୀ ଭୂଇଁଟିର ସବୁଜ ରାଜି
ଶିଶିର ବିନ୍ଦୁରେ ଯାଇଛି ଭିଜି ————– (୬)
ଧନ୍ୟରେ ସରଳ ବିହଙ୍ଗ ବର
କଳୁଷ ବାସରୁ ତୋ ମନ ଦୂର ।
ଶୀତଳ ସମୀର ପରଶ ପାଇ
ଉଚ୍ଚେ କଣ୍ଠ ତେଜୁ ଜାଗହେ ଭାଇ ———— (୭)
ଆନ୍ଦୋଳିତ ମନ ସମୀର ସୁରେ
ପ୍ରାଚୀ ଗଗନର ସବିତା ପୁରେ ।
ରକ୍ତିମ ଆଭାର କିରଣ – ଲେଖା
ତାମସ ମନ୍ଥନ କନକ -ରେଖା ————– (୮)
ବିରାଜୁଛି ମୁଖୁ ଅମ୍ଳାନ ଜ୍ୟୋତି
ଲମ୍ପଟ, କାମୁକ, ଶଠଙ୍କ ପ୍ରତି ।
ଚୁମିଯାଏ ଧିରେ ହୃଦୟ ତୀରେ
କର୍ମମୁଖୀ ହୋଇ ଜାଗରେ ବୀରେ ———— (୯)
ଚୂତ ତରୁବର ବଉଳ ରାଜି
ଯୌବନ ଭାରାରେ ବେପଥୁ ଆଜି ।
ମନ୍ଦ ମଳୟରେ ସୁବାସ ଭରେ
ସୁନ୍ଦର ଦୁନିଆଁ ମନ ମନ୍ଦିରେ ————– (୧୦)
ମାନବ ସମାଜ ମଙ୍ଗଳମୟ
ସବୁରୀ ହୃଦୟେ ଭାବ ଅମୀୟ ।
ପୂତିଗନ୍ଧମୟ ଭାବନା ଦୂର
ଚଇତାଳି ବାଆ ଆଦର୍ଶେ ତୋର ———– (୧୧)
ଶାନ୍ତ ସ୍ନିଗ୍ଧ ତୋର କୋମଳ ମତି
ନବୀନ ପ୍ରଭାତେ ଅପାର ଶାନ୍ତି ।
ସୁପ୍ତନାଶୀ ଆରେ ମୃଦୁ ହିଲ୍ଲୋଳ
ତୋ ଭାବନା ହେଉ ସମାଜେ ଠୁଳ ———— (୧୨)
—————————————————
ଛାତ୍ର ଜୀବନର କବିତା
ତୃତୀୟ ବର୍ଷ ବିଜ୍ଞାନ -୧୯୮୧
ବିଜେବି ମହାବିଦ୍ୟାଳୟ, ଭୁବନେଶ୍ୱର