କବିତା -ବବୁଲ୍ ଓ ଡବୁଲ୍ ମାନଙ୍କୁ
ବବୁଲ୍ ଓ ଡବୁଲ୍ ମାନଙ୍କୁ
———————————
ଶୁଣ ଶୁଣ ବବୁଲ୍ – ଡବୁଲ୍
ଏ ଅଟେ ଗହନ କଥା – ତବ ପିତା ମାତା ବ୍ୟଥା
ମେଣ୍ଟାଇବା ପାଇଁ ଧନ
କର୍ମକ୍ଷେତ୍ରେ ଦେବ ମନ
ପବନ ଦୋଳାରେ ଶୋଇ ନ ଦେଖିବ ସପନ ———- (୧)
ତବ ବାଳ କାଳର ଚପଳ
ଠୁକୁଠୁକୁ ଚାଲୁଥିଲ – କୁଲୁକୁଲୁ ହସୁଥିଲ
ନିରୀହ ନିଷ୍ପାପ ମନ
କମନୀୟ ଶ୍ରୀବଦନ
ଆନନ୍ଦ ସାଗରେ ନାଚି ଉଠୁଥିଲା ପରାଣ ———– (୨)
ନବଊର୍ମି କୈଶୋର ପ୍ରଭାତ
ଅମାନିଆ ମନ ତବ – ଚଳ ଚଞ୍ଚଳ ଉଦ୍ଭବ
ପିଚ୍ଛିଳ ପାବଚ୍ଛେ ପାଦ
ବିଚ୍ୟୁତେ ଘୋର ପ୍ରମାଦ
ସତର୍କ ପ୍ରହରୀ ଆମେ ତୁମ ପାଇଁ ନିନାଦ ————– (୩)
ଯଉବନେ ଚିତ୍ତ ଟଳମଳ
କନ୍ଦର୍ପ ଶରେ ନ ଡର – ଆଜ୍ଞାଚକ୍ର ଭେଦକର
ଜୀବନ ସଂଗ୍ରାମେ ରହି
ପଛଘୁଞ୍ଚା ଦେବନାହିଁ
ଏ ବିଶ୍ୱକୁ ରଞ୍ଜାଇବ ଶାନ୍ତ ସୌମ୍ୟ ଭାବ ବହି ———– (୪)
ସଂସାର ଜଞ୍ଜାଳେ ରହି ସ୍ଥିର
ଭବିଷ୍ୟ ମଣିକୁ ନେଇ – ଅତୀତ ସ୍ମୃତିରେ ରହି
ଜାଗିଉଠୁ ରୋମେ ରୋମେ
ନୀତିବାଣୀ ତବ କର୍ମେ
ଶଶାଙ୍କ କିରଣ ଯେହ୍ନେ ତାମସ ମନ୍ଥଇ ପ୍ରେମେ ———— (୫)
———————————————————–