ଗାତ୍ରଦାହ
ଅନ୍ୟର କାର୍ଯ୍ୟଦକ୍ଷତା ଓ ସଚ୍ଚୋଟତାକୁ ଦେଖି ନିଜର ଗାତ୍ରଦାହ ହେବା ଏକ ଦୁର୍ବଳ, ହୀନ, ଅପରିପକ୍ୱ ….. ଆଦି ମାନସିକତାର ନିଚ୍ଛକ ପ୍ରତିଫଳନ ଅଟେ । ଏହାକୁ କୁହାଯାଏ ପରଶ୍ରୀକାତରତା । ଏହି ଗୁଣଧାରୀ ବ୍ୟକ୍ତିମାନେ ନିଜକୁ ସର୍ବଶ୍ରେଷ୍ଠରୂପେ ଦେଖେଇହେବା ଏବଂ ଏହାର ସାକାର ନିମିତ୍ତ ନିରବଚ୍ଛିନ୍ନ ଚେଷ୍ଟାରତ ରହିଥାନ୍ତି । ନିଜେ ସବୁପ୍ରକାର ଦୁର୍ଗନ୍ଧରେ ଭରପୂର ହୋଇଥିଲେବି ଅନ୍ୟର କୁତ୍ସାରଟନା ଓ ତିଳକୁ ତାଳ କରି ବନେଇ ଚୂନେଇ କହିବାରେ ଏମାନେ ସିଦ୍ଧହସ୍ତ । ସତେକି ଏହା ତାଙ୍କର ଜନ୍ମଗତ ଅଧିକାର । ଗାତ୍ରଦାହର ବହୁବିଧ ସ୍ୱରୂପ ସମାଜର ସୁସ୍ଥ ପରିବେଶକୁ କଳୁଷିତ କରିଥାଏ । ନିଜର ଅବାସ୍ତବ ଗାରିମାହିଁ ଏମାନଙ୍କର ଏକମାତ୍ର ଉପଢୌକନ । ଏହା ପ୍ରତି କିଞ୍ଚିତ୍ ଆଞ୍ଚ୍ ଆସିଲେ ଗାତ୍ରଦାହୀ ମାନେ ଅତିମାତ୍ରାରେ ଅସହିଷ୍ଣୁ ହୋଇ ନିଜର ଚେଲା ଚାମୁଣ୍ଡାଙ୍କୁ ନେଇ ଷଡଯନ୍ତ୍ରର ଘେର ରଚନା କରନ୍ତି ଓ ଅନେକ ସମୟରେ ଉପକୃତ ମଧ୍ୟ ହୁଅନ୍ତି । ତଥାପି ସତ୍ୟପ୍ରତି ନିଷ୍ଠା ରହିଥିବା ବ୍ୟକ୍ତିର ସତ୍ତା ରହିଛି ଓ ରହିବ । ପଥପ୍ରାନ୍ତରେ ଥିବା ଦୂବଘାସ ଅକଥନୀୟ ଦଳାଚକଟାର ଶୀକାର ହୋଇ ମଧ୍ୟ ପୁନଃ ପୁନଃ ସବୁଜିମା ଆଭାରେ ଧରାକୁ ଉଦ୍ଭାସିତ କରେ ଓ ଦିବ୍ୟ କର୍ମରେ ଲୋଡା ହୋଇଥାଏ ।
ଦାନବ ରାଜା ହୟଗ୍ରୀବ ଧରାରେ ଦାନବ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମିତ୍ତ ଜଗତ କଲ୍ୟାଣକାରୀ ଦିବ୍ୟସୃଷ୍ଟି – ବେଦ ପ୍ରତି ଅସହ୍ୟତା ବୋଧ କରିଥିଲା । ଜଗତ କଲ୍ୟାଣ ଥିଲା ହୟଗ୍ରୀବର ଗାତ୍ରଦାହର କାରଣ । ତେଣୁ ସେ ବେଦକୁ ଚୋରାଇ ନେଇଥିଲା । ସ୍ୱର୍ଗାଧିପତି ଇନ୍ଦ୍ର ମଧ୍ୟ ଅନେକ ବାର ରାକ୍ଷସ ମାନଙ୍କର ଉଗ୍ର ତପସ୍ୟାରେ ଭୟଭୀତ ହୋଇ ନିଜ ପଦରକ୍ଷା ନିମିତ୍ତ ସୁନ୍ଦରୀ ଅପ୍ସରାଙ୍କୁ ଆୟୁଧ କରୁଥିଲେ । କିନ୍ତୁ ସୃଷ୍ଟିକର୍ତ୍ତାଙ୍କ ଦିବ୍ୟସୃଷ୍ଟି ମାନବଗଣଙ୍କ ମଧ୍ୟରେ ଅନେକ ନିଜର ଦୃଢତା ଏବଂ ସିଦ୍ଧ ତପସ୍ୟା ବଳରେ ସବୁ ବିଘ୍ନକୁ ସମ୍ମୁଖୀନ ହୋଇ ଇନ୍ଦ୍ର ପଦାସିକ୍ତ ହୋଇପାରିଛନ୍ତି । ବହୁବାର ବଳିଷ୍ଠ ଦାନବ ଶକ୍ତି ଏମାନଙ୍କ ପାଖରେ ହାର୍ ମାନିଛି । ଉଦାହରଣ ସ୍ୱରୂପ ଭକ୍ତ -ବାଳକ ଧ୍ରୁବ ଓ ଦାନବ କୁଳରୁ ଜାତ ଜାଗତିକ ସତ୍ତାଧାରୀ ଭକ୍ତ ପ୍ରହଲ୍ଲାଦ ନିଜର ଗାରିମା ବିହୀନ ନିଷ୍ଠା ବଳରେ ଶ୍ରେଷ୍ଠ ଉପଢୌକନଯୁକ୍ତ ହୋଇ ପାରିଥିଲେ । ଦେବ ଓ ଦାନବଙ୍କ ଠାରୁ ଅଧୁନା ସମାଜରେ ଗାତ୍ରଦାହୀ ମାନବଙ୍କ କୁକର୍ମର ମାତ୍ରା ବହୁଳଭାବେ ବିଭିନ୍ନ କ୍ଷେତ୍ରରେ ପରିବ୍ୟାପ୍ତ ହୋଇ ରହିଅଛି । ଅନ୍ୟାୟ, ଅତ୍ୟାଚାର, ବର୍ବରତା ଆଦି ସୀମା ଟପିବାକୁ ବସିଲାଣି । ଫଳତଃ ଏ ସରସ ସୁନ୍ଦର ପୃଥିବୀର ପରିବେଷ୍ଟନୀ ଆଜି ଶଙ୍କାକୁଳ । ସୂକ୍ଷ୍ମ ପରିସର ଗୁଡିକର ସମାହାରରୁ ସ୍ଥୂଳରୂପୀ ଉପହାର ହେଉଛି ଏ ବିଶ୍ୱବ୍ରହ୍ମାଣ୍ଡ । ଗ୍ରହ, ନକ୍ଷତ୍ର ଆଦିଠୁଁ ଆରମ୍ଭ କରି ଅଣୁ, ପରମାଣୁ ଯାଏ ଯେଉଁ କ୍ରିୟାମାନ ଅହରହ ସମ୍ପାଦିତ ହେଉଅଛି ତାହା ବିଧି ନିର୍ଦ୍ଦିଷ୍ଟ । କାହିଁ କେହିତ ପଥଭ୍ରଷ୍ଟ ହେଉ ନାହାନ୍ତି ? ନିଜ ସ୍ଥାନକୁ ଛାଡି ଲୋଭାଶକ୍ତି ଦ୍ୱାରା ଅନ୍ୟର ସ୍ଥାନ ଦଖଲ ପାଇଁ କାହିଁ ତ ବ୍ୟାକୁଳ ହେଉ ନାହାନ୍ତି ? ବାହ୍ୟ ଶକ୍ତି ବା ବାହ୍ୟବଳ ଭ୍ରଷ୍ଟବୁଦ୍ଧି ମାନବକୁ କବଳିତ କରେ । କଥାରେ ଅଛି ମାଗି ଆଣିଲା ତିଅଣ ସୁଡୁକାଏ । ନିଜ ବୁଦ୍ଧିରେ ବରଂ ଘାସ କାଟିବ, କିନ୍ତୁ ପର ବୁଦ୍ଧିରେ ଘୋଡା ଚଢିବ ନାହିଁ । ତେବେ ପର ବୁଦ୍ଧିଆ ଓ ଲୋଭାଶକ୍ତ ମାନବ କବଳିତ ହେବେହିଁ ହେବେ । ନିଜ କକ୍ଷରୁ ଚ୍ୟୁତ ହୋଇ ଅନ୍ୟ କକ୍ଷପ୍ରତି ଲାଳାୟିତ ହେବେ । ବାହ୍ୟଶକ୍ତି ବଳରେ ନିଜ କକ୍ଷରୁ ଡିଆଁ ମାରି ଅନ୍ୟ କକ୍ଷରେ ଧସାଇ ପଶିବା ଦ୍ୱାରା ପରିବେଶର ସନ୍ତୁଳନତାରେ ଘୋର ବିଭ୍ରାଟ ସୃଷ୍ଟି କରେ । ଏହାହିଁ ଗାତ୍ରଦାହୀ ମାନଙ୍କର ଲକ୍ଷଣ । କିନ୍ତୁ ଅଦରକାରୀ ଓ ବିଘ୍ନସୃଷ୍ଟିକାରୀ ଗାତ୍ରଦାହରୂପୀ ଶକ୍ତିକୁ ବିଲୟ କାଳେ ପରିତ୍ୟାଗ କରି ସ୍ୱକକ୍ଷକୁ ପଶ୍ଚାତ୍ଧାବନ କରିବାର ଉତ୍କଣ୍ଠାକୁ ଉଭୟ ବିଜ୍ଞାନ ଓ ଆଧ୍ୟାତ୍ମିକବାଦ ସ୍ୱୀକାର କରେ । ତେଣୁ ଗାତ୍ରଦାହ ହେଉଛି ସମାଜ ପାଇଁ ଏକ ଘାତକସିଦ୍ଧ ଆୟୁଧ ।
ଯାହା ଅନୁଭୂତ ହୁଏ, ସମାଜରେ ଉଚ୍ଚ କକ୍ଷକୁ ଡେଇଁବାକୁ ଅଥବା ହୀନ ଚକ୍ରାନ୍ତର ଫଳ ସ୍ୱରୂପ ପ୍ରାପ୍ତ ଉଚ୍ଚ କକ୍ଷରେ ସ୍ଥିତି ବଜାୟ ରଖିବାର ବ୍ୟାକୁଳତା ବେଳୁ ବେଳ ବୃଦ୍ଧି ପାଇବାରେ ଲାଗିଛି । ଅର୍ଥାତ୍ ଗାତ୍ରଦାହତାର ସୀମା ବଢି ବଢି ଚାଲିଛି । ଗାତ୍ରଦାହତାର ଘଟଣାମାନ କ୍ଷୁଦ୍ର ପାରିବାରିକ ପରିସରରୁ ବୃହତ୍ତର ପରିସର ଏପରିକି ଦେଶ ଦେଶ ମଧ୍ୟରେ ଘଟୁଅଛି । କାଣୀ ବିରାଡିଟି କୁଜି ଅସରପା ଉପରେ ରାଗ ସୁଝାଇବା ପାଇଁ ଚିତ୍କାର କରି ଧାଁ ଦୌଡା କରୁଛି ଓ ନିଜକୁ ଗୋଟିପଣେ ବିରାଡି ମାନଙ୍କ ବୈଷ୍ଣବ ବୋଲାଉଛି । କାରଣ ନିଜର ବିସ୍ଥାପନ ଓ ତାଙ୍କୁ ଘେରି ରହିଥିବା ହୀନ ଆଜ୍ଞାବାହକଙ୍କ ଅପସାରଣରେ ଯଦି ସତ୍ୟନିଷ୍ଠା ବ୍ୟକ୍ତି ଆସ୍ଥାନରେ ଦୃଶ୍ୟମାନ ହୁଏ, ତେବେ ସେ ସବୁ ଗୁମର ଖୋଲିଦେବ । ତେଣୁ ଏମାନଙ୍କ ଆବିର୍ଭାବ ହିଁ ଗାତ୍ରଦାହର କାରଣ । ପୁଣି ଯିଏ ଦଖଲକାରୀ ହେବ ସିଏ ନିଶ୍ଚୟ ବୋଲକରା ହୋଇଥିବା ଦରକାର ଓ ଘୋଡାର ଛଅଟି ଗୋଡ ଅଛି କହିଲେ ସେ ହଁ ମାରୁଥିବ । ନିଜର ସର୍ବ ସ୍ୱାର୍ଥ ପୁରଣାର୍ଥେ କାର୍ଯ୍ୟ କରୁଥିବ । ଦିନକୁ ଦଶଥର ଆଣ୍ଠୁଯାଏ ମୁଣ୍ଡ ବଙ୍କାଇ ସାଆରେ କହି ନମସ୍କାର କରୁଥିବ । ଏହାହିଁ ଆଜିର ସମାଜର ଲକ୍ଷଣ ଓ ଯାହାର ମୂଖ୍ୟ କାରଣ ହେଉଛି ଗାତ୍ରଦାହ । ତେବେ ଆସନ୍ତୁ ସର୍ବେ ! ବିଶ୍ୱର କଲ୍ୟାଣ ନିମିତ୍ତ ହୀନ ଗାତ୍ରଦାହତାକୁ ତ୍ୟାଗ କରି ନୂଆ ପିଢିଙ୍କ ପାଇଁ ମୃତ୍ୟୁପରେ ମଧ୍ୟ ଆଦର୍ଶ ବୋଧତାର ପ୍ରତୀକ ହୋଇ ରହିବା ।
————————————————————————————————————————–