ଘାଇଯାକ ମୁକୁଳା ତୁ ବନ୍ଧ କେତେ ବାନ୍ଧୁରେ …….
ପ୍ରତି ମୁହୂର୍ତ୍ତରେ ମାନବର କାର୍ଯ୍ୟବହୁଳତା ବଢି ଚାଲିଛି । ଅନ୍ତରର ଲୁକ୍କାୟିତ ଭାବନାରାଜିର ପ୍ରତିଫଳନ ହୁଏ ମୁଖ ଦର୍ପଣରୁ, ଯାହା ବ୍ୟସ୍ତତାର ମାତ୍ରାକୁ ଦର୍ଶାଏ । କେତେକ ନିଜ ମନର ସବୁ ସକରାତ୍ମକ ଓ ନକରାତ୍ମକ ଭାବଗୁଡିକୁ ନିଜ ଆୟତ୍ତରେ ରଖି ଚୁପ୍ଚାପ ରହିବାକୁ ପସନ୍ଦ କରନ୍ତି ଓ ପୁଣି କେତେକ ମଧ୍ୟ ନକରାତ୍ମକ ଭାବଗୁଡିକୁ ଅନ୍ୟର କ୍ଷତି କରିବା କିମ୍ବା ଜର୍ଜରିତ କରିବା ଦିଗରେ ବ୍ୟବହାର କରନ୍ତି । ଯେପରି ଶକ୍ତି ଏକ ରୂପରୁ ଅନ୍ୟ ରୂପକୁ ବଦଳେ, ଅଥଚ ଶକ୍ତି ସମୁଦାୟ ସଂରକ୍ଷିତ ହେବା ସହ ଏହାର ସୃଷ୍ଟି ବା ବିନାଶ ହୁଏନାହିଁ । ସେହିପରି ମନର ଭାବମାନ ପରସ୍ପର ଓ ବହୁ ବ୍ୟକ୍ତିଙ୍କ ମଧ୍ୟରେ ବିନିମୟ ଅର୍ଥାତ୍ ଆଦାନ – ପ୍ରଦାନ ହୁଏ, କିନ୍ତୁ ସମସ୍ତ ମନର ଭାବ ସମୁଦାୟ ସଂରକ୍ଷିତ ରହେ । ଏହା ପରିସ୍ଥିତିର ତାଡନାରୁ ଜାଗ୍ରତ ହୁଏ ଓ କିଛି ମସ୍ତିଷ୍କର କୋଷରେ ସୁପ୍ତ ହୋଇ ପଡିରହେ । ନିର୍ମାଣକର୍ତ୍ତାଙ୍କ ମନ ନିର୍ମାଣରେ ଭରି ରହିଛି ଅସୁମାରୀ ଭାବ, ଜାଗ୍ରତ ଓ ସୁପ୍ତ ରୂପେ । ଆଦାନ – ପ୍ରଦାନ ହିଁ ଏହାର ମୂଖ୍ୟ ମାଧ୍ୟମ ଅଟେ । କ୍ଷତିକାରକ ଭାବଗୁଡିକ ଅଳିଆଗଦା ପରି ମସ୍ତିଷ୍କରେ ଜମି ରହିଲେ ଶରୀରରେ ରୋଗ – ବ୍ୟାଧି ସୃଷ୍ଟି କରେ ଅଥବା ଉଦ୍ଗାରିତ ହୋଇ ଅନ୍ୟର ବ୍ୟତିବ୍ୟସ୍ତତାର କାରଣ ସାଜିଥାଏ । ସୁସ୍ଥ ମସ୍ତିଷ୍କରେ ସୁସ୍ଥ ଚିନ୍ତାଧାରାର ସମାହାର ହିଁ ପ୍ରାଣୀ ମଙ୍ଗଳକାରକ ହୋଇଥାଏ । ଦେବଦେବ ମହାଦେବ ସୃଷ୍ଟି ରକ୍ଷା ନିମିତ୍ତ ହଳାହଳ ପାନ କରି ଓ ତାହାକୁ ଗର୍ଭକୁ କିମ୍ବା ମସ୍ତିଷ୍କକୁ ନଛାଡି କଣ୍ଠ ଦେଶରେ ଆୟତ୍ତ କରି ନୀଳକଣ୍ଠ ବୋଲାଇଲେ, ଯହାକି ସୁସ୍ଥ ମସ୍ତିଷ୍କରେ ସୁସ୍ଥ ଚିନ୍ତାଧାରାର ପ୍ରତୀକ ଅଟେ । କିନ୍ତୁ ଯାହା ଦେଖାଯାଉଛି କ୍ଷତିକାରକ ଉପାଦାନ ଗୁଡିକୁ କଣ୍ଠାୟତ୍ତ କରିବା କିମ୍ବା କୌଣସି ରୂପେ ଆବଦ୍ଧ କରି ରଖିବା ଦୂରର କଥା, ବରଂ ଏହାକୁ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ମୁକ୍ତଭାବେ ଛାଡି ଦିଆଯାଉଛି ଅଥବା ପରିବେଶ ମଧ୍ୟରେ ଖେଳେଇ ଦିଆଯାଉଛି । ଫଳରେ ଶରୀରଠୁଁ ଆରମ୍ଭକରି ପୃଥିବୀ ଗ୍ରହର ଜଳ, ସ୍ଥଳ ଓ ଆକାଶ ସୀମା ଭୟଙ୍କର ଭାବେ ପ୍ରଦୂଷିତ ହୋଇ ଉଠିଛି । ବାୟୁ, ଜଳ,ମୃତ୍ତିକା, ଖାଦ୍ୟ, ଶରୀର, ଐତିହ, ସଂସ୍କୃତି,ସାମାଜିକ ଚେତନା, ସମ୍ପର୍କ ………. ଆଦିରେ ଭରି ହୋଇ ଯାଉଛି କାଳକୂଟ ବିଷ ସତେକି ଏଥିରୁ ନିସ୍ତାର ପାଇବାର ମାର୍ଗ ସବୁ ଦିଗରୁ ରୁଦ୍ଧ ହୋଇ ଆସୁଛି । ବିଷର ପ୍ରବେଶ କରିବାର ମାର୍ଗ ସବୁ ଦିଗକୁ ସଦା ସର୍ବଦା ଉନ୍ମୁକ୍ତ ହୋଇ ରହିଛି, କିନ୍ତୁ ରୋକିବାର ଶକ୍ତି କ୍ଷୀଣ ହେବାରେ ଲାଗିଛି ।
ତଥାପି ପରମ ସ୍ୱାର୍ଥପର ମାନବଗୋଷ୍ଠୀ ନିଜର ସର୍ବ ସୁରକ୍ଷା ନିମିତ୍ତ ବନ୍ଧ ପରେ ବନ୍ଧ ବାନ୍ଧି ଚାଲିଛନ୍ତି । ଏହା ବାବଦକୁ ଯାହାର ଯେତେ କ୍ଷତି ଘଟିଲେବି ଚିନ୍ତା କରିବାର ଅବକାଶ ନାହିଁ । ଯେତେ ବଡ ବିତ୍ତଧାରୀ ହେଲେବି ବିଭିନ୍ନ ଭଙ୍ଗୀରେ ବିତ୍ତ ଚଳୁକରିବାର ଅଦମ୍ୟ ପିପାସା ଲଗାମ୍ ଛଡା ହେବାରେ ଲାଗିଛି । ଅନ୍ୟର ମସ୍ତକ ଚ୍ଛେଦନ କରି ନିଜକୁ ଉପରକୁ ଉଠାଇବାକୁ ନିରବଚ୍ଛିନ୍ନ ପ୍ରଚେଷ୍ଠା ଓ ଉଣେଇଶ ପିଢିଯାଏଁ ଧନ ସଞ୍ଚୟର ଯୋଜନା ଅର୍ଥାତ୍ ନିଜେ ବଞ୍ଚିଲେ ବାପାର ନାଁ ।ଅଗଣିତ ବାସହୀନ କାଙ୍ଗାଳ ଜୀବନ ଯାପନ କରି ହା ଅନ୍ନ ଚିତ୍କାର କରୁଥିଲା ବେଳେ, ବିତ୍ତଶାଳୀ ମାନଙ୍କର ବାସଗୃହଟିକୁ ଖାଲି ଦୃଷ୍ଟି ନିକ୍ଷେପ କଲେ ତାହା ଅମରାବତୀ ପୁର ସହ କୌଣସି ଗୁଣରେ ଊଣା ନଥିବାର ଅନୁଭୂତ ହୁଏ । ଦାନ – ଧର୍ମ ବିଯୁକ୍ତ ମାନବ ପତିତଙ୍କୁ ଉଦ୍ଧାର କରିବାର ଚିନ୍ତନରୁ ପ୍ରାୟ ମୁକ୍ତ । ଏପରିକି ଏମାନଙ୍କ ନିମିତ୍ତ ଉଦ୍ଦିଷ୍ଠ ସାହାଯ୍ୟର ପାଣ୍ଠିକୁ ବାଟମାରଣା କରି ଆତ୍ମସାତ୍ କରିବାକୁ ଡାହୁକଙ୍କ ସଂଖ୍ୟା କିଛି କମ୍ ନୁହେଁ । ବଦାନ୍ୟ ବ୍ୟକ୍ତିଙ୍କ ପାଣ୍ଠିବି ମିଛ ମାୟାରେ ଜୁଡୁବୁଡୁ ହୋଇ ଉଭାନ୍ ହେଉଛି । ହୀନ ଲାଳସାର ବଶବର୍ତ୍ତୀ ହୋଇ ମାନବ ଅତି ନିଷ୍ଠୁର ପାଲଟି ଯାଉଛି । ପଶୁ – ପକ୍ଷୀ ଠାରେ ମଧ୍ୟ ସ୍ନେହ, ପ୍ରେମ, ଦୟା, ନିଷ୍କପଟତା, ପ୍ରଭୁଭକ୍ତି ….. ଆଦିର ଅନେକ ଦୃଷ୍ଟାନ୍ତ ରହିଛି । କିନ୍ତୁ ଅସାଧୁ ବର୍ଗ ପଶୁଠାରୁ ବି ହୀନ ପାଲଟି ଯାଉଛନ୍ତି । ଅନ୍ୟ ମୁଖରୁ ଛଡାଇ ନିଜକୁ ଦୃଢ କରି ତୋଳିବା ଓ ନିୟତି ବା ପ୍ରକୃତିର ଡାକରାକୁ ଆଡେଇ ଗଲେ କ’ଣ ମୃତ୍ୟୁକୁ ଏଡାଇ ଦିଆଯାଇ ପାରିବ ? କିଏ ଜାଣେ ! କେତେବେଳେ ଇବୋଲା, ଡେଙ୍ଗୁ, ସ୍ୱାଇନ୍ଫ୍ଲୁ, ଏଡସ୍, ….. ଆଦି ସଦୃଶ କେତେ ଅଜଣା ଓ ଅନିୟନ୍ତ୍ରିତ ଭୂତାଣୁ, କୀଟାଣୁ, ଜୀବାଣୁ, ବୀଜାଣୁଜନିତ ମହାମାରୀ ଓ ଦୁଃସାଧ୍ୟ ବ୍ୟାଧି ମାଡିଆସିବ, ଯାହା ମୁଖରୁ ତିଷ୍ଠି ରହିବା ନିମିତ୍ତ ମାନବୀୟ ଜ୍ଞାନ କୌଶଳ ହାର ମାନିବ ! ଏହାବାଦ୍ ରହିଛି ଅନ୍ୟାନ୍ୟ ଧ୍ୱଂସକାରୀ ପ୍ରାକୃତିକ ବିପର୍ଯ୍ୟୟ, ଯଥା – ସୁନାମୀ, ଭୁକମ୍ପନ, ମହାବାତ୍ୟା, ଭୁସ୍ଖଳନ, ଭୁତାପ ବୃଦ୍ଧି, ପ୍ରଚଣ୍ଡ ରୌଦ୍ରତାପ, ପ୍ରଳୟଙ୍କରୀ ବନ୍ୟା, ବାଦଲଫଟା ବର୍ଷା, ଘନଘନ ବଜ୍ରପାତ, ……….. ଇତ୍ୟାଦି । ତା’ପଛକୁ ଖଞ୍ଜିହୋଇ ରହିଛି ଲୁଟ୍ପାଟ୍, ରାହାଜାନୀ, ଡକାୟତୀ, ଦୁଃଷ୍କର୍ମ, ଅପହରଣ, ଅପମୃତ୍ୟୁ, ଠକେଇ, ସାଇବର୍ କାର୍ନାମା, …… ଇତ୍ୟାଦି ଇତ୍ୟାଦି । କେତେବେଳେ ଅପମିଶ୍ରିତ ଖାଦ୍ୟ, ଅପମିଶ୍ରିତ ଜୀବନ ରକ୍ଷାକାରୀ ଔଷଧ ଆଦି ମୃତ୍ୟୁ ରୂପରେ ମୁଣ୍ଡ ଟେକିଲାଣି ତ କେତେବେଳେ ନିଜ ଅଜାଣତରେ ଶରୀରରୁ ଅଙ୍ଗ ଗୁଡିକୁ କିଏ ଚୋରାଇ ନେଇ ଛୁ ମାରିଲାଣି । ପୁଣି ମାନବ ମାନଙ୍କୁ ମାନବ ମାରିବାର ଦିନୁଦିନ ଯେଉଁ ଅଭିନବ କୌଶଳ ପ୍ରୟୋଗ କରାଯାଉଛି, ସେ ନର ସଂହାରରେ କେତେବେଳେ କାହାର ପାଳି ପଡିବ କିଏ ବା କହିପାରିବ ? ଦେଶ ଦେଶ ମଧ୍ୟରେ ଭରି ରହିଥିବା ଆତଙ୍କବାଦୀଙ୍କ ନର ସଂହାରର ସୀମା ବୃଦ୍ଧି ପାଇ ଚାଲିଛି । ତେବେ ବନ୍ଧ କେଉଁ ଦିଗରୁ ବନ୍ଧାଯିବ ? ଚାରିଆଡେ ତ ମେଲା ମୁକୁଳା !
ତେଣୁ ହେ ମାନବ ସମାଜ ! ଭାଗବତରେ କୁହାଯାଇଛି -“ମର୍ତ୍ତ୍ୟ ମଣ୍ଡଳେ ଦେହ ବହି – ଦେବତା ହେଲେ ବି ମରଇ” । ପୁଣି ବିଜ୍ଞାନ କହୁଛି ଅନ୍ତରୀକ୍ଷରୁ ଆସୁଥିବା ମହାଜାଗତିକ ରଶ୍ମି (Cosmic Ray)ର ପ୍ରଭାବରେ ସମଗ୍ର ଜୀବଜଗତ ଅହରହ ଜର୍ଜରିତ ।ଏହା ସଜୀବ ବର୍ଗଙ୍କୁ ଏକ ଏକ ନିର୍ଦ୍ଦିଷ୍ଟ ସୀମା ପରେ ମୃତ୍ୟୁ ମୁଖରେ ପତିତ କରାଇବାର କାରଣ ହୋଇପାରେ । ମହାଭାରତରେ ଧର୍ମ ବକର ଏକ ପ୍ରଶ୍ନର ଉତ୍ତର ଦେଇ ଯୁଧିଷ୍ଠିର କହିଥିଲେ, – “ଅହନି ଅହନି ଭୂତାନି ଗଚ୍ଛନ୍ତି ଯମ ମନ୍ଦିରମ୍ – ଶେଷାଂ ସ୍ଥିରତାଂ ଇଛନ୍ତି କିମାଶ୍ଚର୍ଯ୍ୟ ଅତଃ ପର” । ଧର୍ମ ଓ ବିଜ୍ଞାନ ଏକ ମୁଦ୍ରାର ଦୁଇଟି ପାର୍ଶ୍ୱ ସ୍ୱରୂପ ଅଟେ । କାହାକୁ ଧରିବା ଓ କାହାକୁ ଛାଡିବା ? ଯେଉଁ ଧର୍ମ ଓ ବିଜ୍ଞାନ ଚେତନା ସୂକ୍ଷ୍ମରୁ ସ୍ଥୂଳ ଯାଏଁ ବ୍ରହ୍ମରୂପେ ପରିବ୍ୟାପ୍ତ, ତାହାର କ’ଣ ଅପପ୍ରୟୋଗ କରିବା !! ନିଜକୁ ସର୍ବମଙ୍ଗଳକାରକ ନକରି ଅନ୍ୟକୁ କଲବଲ କରି ନିଜର ହୀନ ସ୍ୱାର୍ଥ ସାଧନ ନିମିତ୍ତ ବନ୍ଧ ବାନ୍ଧିବା କେତେଦୂର ଶ୍ରେୟସ୍କର ଅଟେ ? ଆପଣମାନେ ବିଚାର କରନ୍ତୁ ।
————————————————————————————————————————-