ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଏକାଦଶ ସ୍ତବକ)
କାତେ କାନ୍ତା ଧନ ଗତଚିନ୍ତା – ବାତୁଳ କିଂ ତବ ନାସ୍ତି ନିୟନ୍ତା
ତ୍ରିଜଗତି ସଜ୍ଜନସଂ ଗତିରୈକା – ଭବତି ଭବର୍ଣ୍ଣବତରଣେ ନୌକା …(୧୪)
ଏଠାରେ ଶ୍ରୀଶଙ୍କର ମୋହଗ୍ରସ୍ତ ମାନବକୁ ଚେତାଇ ଦେଇଛନ୍ତି ଯେ, ସ୍ତ୍ରୀ ଓ ଧନସମ୍ପତି ବନ୍ଧନରେ ବ୍ୟତିବ୍ୟସ୍ତ ଓ ପାଗଳପ୍ରାୟ ହେବା ହିଁ ମୂର୍ଖାମୀ ବ୍ୟତୀତ ଅଊ କିଛି ନୁହେଁ । ତେଣୁ ସେ ଯଥାର୍ଥରେ ଏମାନଙ୍କୁ ମୂର୍ଖ ବୋଲି କହିଛନ୍ତି । ନିଜ ସ୍ତ୍ରୀ ବୋଲି, ଯାହାର ଦୃଢ ବନ୍ଧନରେ ମାନବ ବିଭୋରିତ, ସେ କେଉଁଠୁ ଆସିଲା ଓ ଏହା ପଛରେ କାହାର ଇଙ୍ଗିତ ଅଛି ? ସେହିପରି ଧନାର୍ଜନ ଓ ଭୋଗବିଳାସ ନିମିତ୍ତ ପାଇଁ ମାନବ ଯେନେତେନ ମାର୍ଗରେ ଧାଇଁବାରେ କୁଣ୍ଠାବୋଧ କରୁନାହିଁ ଏଗୁଡିକୁ ହାସଲ କରିବାକୁ ସେ ସଠିକ୍ ବୋଲି ଭାବୁଛି । ଏଥିରେ ଜର୍ଜରିତ ହୋଇ ସେ ଯେତେବେଳେ କଣ୍ଠାଗ୍ରତ ହୁଏ ଅର୍ଥାତ୍ ଅସହ୍ୟତା ମାତ୍ରାଧିକ ହୁଏ ସେ ଏତାଦୃଶ ଭୟଙ୍କର ବ୍ୟୁହରୁ ନିସ୍ତାର ନିମିତ୍ତ ବ୍ୟାକୁଳ ହୁଏ । ସେ ଭାବେ ବୋଧହୁଏ ଏହା ଉପରେ କାହାର ଆୟତ ନାହିଁ ଓ କିଏ ବା ମୁକ୍ତିର ମାର୍ଗ ଦେଖାଇବ ! ଶ୍ରୀ ଶଙ୍କରଙ୍କ ଭାଷାରେ ସତ୍ସଙ୍ଗ ବା ସାଧୁସଙ୍ଗ ହେଉଛି ଏକଇ ମାଧ୍ୟମ ବା ନୌକା, ଯାହା ମାନବକୁ ସଂସାର ରୂପୀ ସାଗରରୁ ପାରି କରିଥାଏ । ଏହି ଅଜ୍ଞାନକୁ ଦୂରିଭୂତ କରିବାକୁ ଯାଇ ଶ୍ରୀଶଙ୍କର ଏତାଦୃଶ ଅଜ୍ଞାନୀଙ୍କୁ ସତ୍ ପ୍ରେରଣା ଦେଇଛନ୍ତି । ସେ ମାନବ ସମାଜକୁ ଚେତାଇ ଦେଇ କହିଛନ୍ତି ଯେ, ଏ ବିଶ୍ୱର ସ୍ଥୂଳ ଜଗତରୁ ସୂକ୍ଷ୍ମ ଜଗତ ଯାଏ ଯେତେ ଘଟଣାମାନ ଅହରହ ଘଟୁଛି ତାହା ପଛରେ କାହାର ଇଛା ଓ ନିର୍ଦ୍ଦେଶ ନିହିତ ରହିଛି ।
ମାନବୀୟ ବୁଦ୍ଧିର ବିକାଶ ଯେତେଦୂର ଲମ୍ବୁଛି ସେ ସେହି ମାତ୍ରାରେ ଜ୍ଞାନ ପ୍ରାପ୍ତ ହେଉଛି । ଅନନ୍ତ ପରିସୀମାରେ ଘଟୁଥିବା ଘଟଣା ଓ ଭରି ରହିଥିବା କଳ୍ପନାତୀତ ଜାଗତିକ ପିଣ୍ଡ ଏବଂ ସମସ୍ତ ଅଜ୍ଞାତ ପାରସ୍ପରିକତାକୁ ଭେଦ କରିବା ସମ୍ପୂର୍ଣ୍ଣ ଅସମ୍ଭବ ଅଟେ । ଯଦି ସୂକ୍ଷ୍ମତା ଆଡକୁ ଦୃଷ୍ଟି ନିକ୍ଷେପ କରାଯାଏ, ତେବେ କଣିକା ଜଗତରେ ଅହରହ ଚାଲୁଥିବା କ୍ରିୟା ମଧ୍ୟ ସେହିପରି ଆଶ୍ଚର୍ଯ୍ୟଜନକ ଅଟେ । ପୃଥିବୀ ପରି ଇଲେକ୍ଟ୍ରନ୍ ମଧ୍ୟ ପାରମାଣବିକ ନାଭିକ ଚତୁଃପାର୍ଶ୍ୱରେ ଘୂରିବା ସହ ନିଜ ଅକ୍ଷରେ ଘୁରୁଅଛି । ପାରମାଣବିକ ନାଭିକ ମଧ୍ୟରେ ପ୍ରୋଟନ୍ ଓ ନିଉଟ୍ରନ୍ ଗୁଡିକର ଭଙ୍ଗାରୁଜା ଘଟି କ୍ୱାର୍କ୍ ଓ ଗ୍ଲୁଅନ୍ ଦୁନିଆରେ ବର୍ଣ୍ଣର ସ୍ରୋତ ପ୍ରବାହ ହେଉଛି ବୋଲି କ୍ୱାଣ୍ଟମ୍ ବର୍ଣ୍ଣ ବିଜ୍ଞାନ(Quqntum Chromodynamics) କହୁଛି । ପୁନଃ ବିଜ୍ଞାନ କହୁଛି ଈଶ୍ୱର କଣିକା(God Particle) ବା ହିଗ୍ସ ବୋସୋନ୍(Higgsboson) ବସ୍ତୁତ୍ୱ ନିର୍ଦ୍ଧାରଣ କରିବାର କାରଣକୁ ସୂଚାଉଛି । ତେବେ ସବୁକିଛି (ସୂକ୍ଷ୍ମ ଏବଂ ସ୍ଥୂଳ) ସ୍ଥାନ – କାଳ ପରିବେଷ୍ଟନୀର କବଳରେ କବଳୀତ । ଏହାହିଁ ସବୁର ନିୟନ୍ତ୍ରକ । ସେହିପରି ପୃଥିବୀରେ ଭରି ରହିଥିବା ଜୀବଜଗତ ହେଉଛି ଅସଂଖ୍ୟ ଘଟଣାବଳୀର ସମାହାର । ପ୍ରତ୍ୟେକ ଜୀବର ଜୀବନ ନାଟିକାରେ ଭିନ୍ନତାର ଦୃଶ୍ୟମାନ ହେଉଛି । ସେମାନଙ୍କ ମଧ୍ୟରୁ ମାନବ ଉନ୍ନତତମ ଜୀବ । ପ୍ରକୃତି ମାନବଠାରେ ସବୁକିଛି ଭରି ଦେଇଛି । କିନ୍ତୁ ଅଧିକାଂଶ ଅଜ୍ଞାନ ଅନ୍ଧକାରରରେ ପ୍ରକୃତିଦତ୍ତ ଉପାଦାନର ଦୁରୂପଯୋଗରେ ବ୍ୟସ୍ତ । ଆଖିଥାଇ ଅନ୍ଧପରି ତା’ଉପରେ କାହାର କତୃତ୍ୱ ନଥିବାର ସେ ଭାବୁଛି । ସେ ବୁଝିପାରୁନି ଯେ, ମାନବ ଜୀବନ ମଧ୍ୟ କାହାର କବଳରେ ଓ ନିର୍ଦ୍ଦେଶରେ ଆତଯାତ । ଶ୍ରୀଶଙ୍କରଙ୍କ ମତରେ ଏ ତ୍ରିଜଗତ(ସ୍ୱର୍ଗ-ସତ୍ତ୍ୱ, ମର୍ତ୍ତ୍ୟ -ରଜ ଓ ପାତାଳ-ତମ) ବା ତ୍ରିଗୁଣଧାରୀଙ୍କ ଦୁନିଆଁରେ ସତ୍ସଙ୍ଗ ହିଁ ଏକମାତ୍ର ନୌକା, ଯାହା ପ୍ରତ୍ୟେକଙ୍କୁ ସଂସାର ରୂପୀ ମହାସାଗରରୁ ପାରିକରିବ । ପ୍ରକୃତିର ନିୟମକୁ ଅନୁଧ୍ୟାନ କରି ନିଜକୁ ପ୍ରାକୃତିକ କରାଇଲେ ଆପଣାଛାଏଁ ମୋହଗ୍ରସ୍ତତାର ପାଗଳାମୀ ମନରୁ ଦୂରେଇ ଯିବ । ମନହିଁ ସବୁର କାରଣ । ମନର ମଇଳାକୁ ଧୌତ କରି ସଫା ରଖିଲେ ପ୍ରକୃତିରେ ମଙ୍ଗଳ ସାଧନ ହୁଏ । ଅର୍ଥାତ୍ ସତ୍ସଙ୍ଗହିଁ ଏକାନ୍ତ କାମ୍ୟ ଅଟେ ।
***********************************************************