ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ତ୍ରୟୋଦଶ ସ୍ତବକ)
ଅଙ୍ଗଂ ଗଲିତଂ ପଲିତଂ ମୁଣ୍ଡଂ – ଦଶନ ବିହୀନଂ ଜତଂ ତୁଣ୍ଡମ୍
ବୃଦ୍ଧୋୟାତି ଗୃହିତ୍ୱା ଦଣ୍ଡଂ – ତଦପି ନ ମୁଞ୍ଚତ୍ୟାଶା ପିଣ୍ଡମ୍ …(୧୬)
ଏହି ଶ୍ଳୋକରେ ଶ୍ରୀଶଙ୍କର ଦର୍ଶାଇଛନ୍ତି ଯେ, ମୋହ – ମାୟାରେ ଆଚ୍ଛନ୍ନ ଅନ୍ଧପ୍ରାୟ ମୂଢ ମାନବ ଦୃଢ ଆସକ୍ତି ଜନିତ କାରଣରୁ ନିଜ ମୃତ୍ୟୁର ସବୁ ପ୍ରକାର ସଙ୍କେତ ପାଇ ମଧ୍ୟ ଭ୍ରୁକ୍ଷେପ କରିନଥାଏ । ଜୀବନ ଭେଳା ବୁଡିବାକୁ ବସିଲାଣି । ଶରୀରର ସବୁ ଅଙ୍ଗପ୍ରତ୍ୟଙ୍ଗମାନ ଅବଶ ପ୍ରାୟ । ଲୋଳିତ ଚର୍ମ, ଚକ୍ଷୁ କୋଟରଗତ, ଝାପ୍ସା ଦୃଷ୍ଟିଶକ୍ତି, ମସ୍ତକର କେଶଗୁଚ୍ଛ ଧବଳ ବର୍ଣ୍ଣ ବା କେଶହୀନ, ଦନ୍ତବିହିନ ପାକୁଆପାଟି, ସ୍ୱାଧିନଭାବେ ଦଣ୍ଡାୟମାନ ହେବାକୁ ଯୁ ନାହିଁ, ଟାକୁଆ ଗାଲ, …………. ଇତ୍ୟାଦିର ସମାହାରରେ ବାଡିଧରି ନଇଁ ନଇଁ ଚାଲୁଥିଲେବି ବୃଦ୍ଧ ମାନବ ସେଥିପାଇଁ କିଛି ପରବାୟ କରୁ ନଥିବାର ଅନୁଭୂତ ହୁଏ । ଆକର୍ଷଣ, ଆସକ୍ତି, ଲାଳସାର ବନ୍ଧନ ମୃତ୍ୟୁ ସନ୍ନିକଟକୁ ଦୃଢରୁ ଦୃଢତର ହେଉଛି । ଭଗ୍ନ ଓ କ୍ଷୀଣ ଶରୀର ଇହ ଧାମରୁ ବିଦାୟ ନେବାକୁ ବ୍ୟଗ୍ର । ଶରୀରର କୌଣସି ଅଙ୍ଗ ତା’ର କ୍ଷୁଧା ମେଣ୍ଟାଇବାରେ ସମ୍ପୂର୍ଣ୍ଣ ଅସମର୍ଥ । ଭୋଗ ବିଳାସର ସବୁ ସୁବିଧା ନିକଟରେ ଥିଲେ ମଧ୍ୟ ଶରୀର ଉପଭୋଗ କ୍ଷମତା ଶୂନ୍ୟ । ଯେମିତି କାରାଗାରରେ ବନ୍ଦୀ ଜୀବନ ବିତାଉଥିବା ବ୍ୟକ୍ତି ନିଜ ପରିବାର ବର୍ଗଙ୍କୁ ସୀମିତ ସମୟ ପାଇଁ ଦେଖିବା ଓ ବାର୍ତ୍ତାଳାପ ବ୍ୟତୀତ ଅନ୍ୟ କୌଣସି ଚର୍ଚ୍ଚାର ସ୍ଥାନ ନଥାଏ । ଏତାଦୃଶ ପରିସ୍ଥିତି ମାନବକୁ ନିଶ୍ଚିତରୂପେ ଲୋଭ, ମୋହ, ମାୟାରୁ ଦୂରେଇ ନେଉଥିବ । କିନ୍ତୁ ବାସ୍ତବରେ ଏହାର ଓଲଟା ଲକ୍ଷଣ ଅତି ମାତ୍ରାରେ ବୃଦ୍ଧି ପାଉଥିବାର ଦୃଷ୍ଟିଗୋଚର ହୁଏ । ମନର ଆବେଗ ଅଦମ୍ୟ ଯୁବସୁଲଭ ଗୁଣରେ ଭରପୂର, ସବୁକୁ ଉପଭୋଗ କରିବାର ପିପାସା ମନ ଗହନରେ ଠୂଳ ହୋଇଅଛି, ମାୟାର ରଜ୍ଜୁ ଶକ୍ତ ହେବାରେ ଲାଗିଛି, ବୁଢା – ବୁଢୀ ସମ୍ବୋଧନରେ ବିରକ୍ତିକର ଭାବ ପ୍ରକାଶିତ ହେଉଛି ; କିନ୍ତୁ ଶରୀରର ତ ସବୁ ଅଙ୍ଗ ଦ୍ରୁତ ବେଗରେ ଅକାମୀ ହେବାରେ ବ୍ୟଗ୍ର ! ଭୋଗବିଳାସର ସ୍ୱାଦପ୍ରାପ୍ତ ନିମିତ୍ତ ସବୁ ପଥ ଏକବାର- ଠପ୍ । ତଥାପି ତା’ର ଏ ବୃଦ୍ଧାବସ୍ଥାର କ୍ଷୀଣ ଓ ଦୁର୍ବଳ – କ୍ଳେଶପୁର୍ଣ୍ଣ ଶରୀର ଜୀବନର ଲୋଭକୁ ଛାଡି ପାରୁନି, ଅର୍ଥାତ୍ ମୃତ୍ୟୁର ବାସ୍ତବତାକୁ ସେ ଆଦୌ ଗ୍ରହଣ କରୁନାହିଁ । ମୂଢ ମାନବ ଏହି ଚିରନ୍ତନ ସତ୍ୟକୁ ଯତ୍ପରନାସ୍ତି ଏଡାଇବାକୁ ଲାଗିଛି ଓ ଲାଳସାର ଅନଳରେ କ୍ଷଣ କ୍ଷଣକେ ଦଗ୍ଧିଭୂତ ହେଉଛି । ଜୀବନ ଦର୍ଶନତତ୍ତ୍ୱରେ ମଧ୍ୟ ଯଥାର୍ଥରେ ଚେତାଇ ଦିଆଯାଇଛି –
ଫେଡି ଚିନ୍ତାର ଲୋଚନ କର କର ନିରୀକ୍ଷଣ ………. ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି
ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ ….. ରେ ଆତ୍ମନ୍ …. ନିଦ୍ରା ପରିହରି ।
ଏହାହିଁ ଜୀବନର ଚତୁର୍ଥାବସ୍ଥା, ଯେତେବେଳେ ମୂଢ ମାନବ ପରମବ୍ରହ୍ମଙ୍କ ସହ ମିଳିତ ହେବାର ପ୍ରକ୍ରିୟାରୁ ବିମୁଖ ହୋଇ ଲୋଭ – ମୋହ – ମାୟାଯୁକ୍ତ ସାଂସାରିକ ବନ୍ଧନକୁ ଆଦରିଥାଏ । କିନ୍ତୁ ଜୀବନର ସତ୍ୟତାକୁ ଆଖି ବୁଜିଦେବା ଦ୍ୱାରା କ’ଣ ମୃତ୍ୟୁକୁ ଏଡାଇ ହେବ ? ଏହାର ସମାଧାନ ନିମିତ୍ତ ଆଚାର୍ଯ୍ୟ ମାନବ ସମାଜକୁ ସତ୍ ସାଧାନାରେ ବ୍ରତୀ ହେବାକୁ ଆଶା ପୋଷଣ କରିଛନ୍ତି । ଜ୍ଞାନ ଚକ୍ଷୁର ଉନ୍ମୋଚନ ପାଇଁ ସତ୍ ଅଭ୍ୟାସହିଁ ବାଲ୍ୟକାଳରୁ ଆବଶ୍ୟକ ଅଟେ । ଏହି ଅଭ୍ୟାସମାନ ବିଭିନ୍ନ ରୂପରେ ମାନବକୁ ମାୟା ମୋହରୁ ଦୂରେଇ ରଖିବାର ମାର୍ଗ ସୂଚାଇଥାଏ । ତନ୍ମଧ୍ୟରୁ ପବିତ୍ର ଯୋଗମାର୍ଗ ଏକ ମାର୍ଗ ଯାହା ମାନବର ସାତ୍ତ୍ୱିକ ଉନ୍ନତି କରାଇ ସୋପାନ ପରେ ସୋପାନ ଅତିକ୍ରମ କରାଇଥାଏ । ଏହା ଯୋଗ ବିଜ୍ଞାନ, ଯାହା ପରୀକ୍ଷାଗାରରେ ଯାନ୍ତ୍ରିକ କୌଶଳ ଦ୍ୱାରା ପ୍ରମାଣସିଦ୍ଧ ନୁହେଁ । କେବଳ ଅନୁଭବତା ହିଁ ଏହାର ମୂଳମନ୍ତ୍ର ଅଟେ । ଏହାଦ୍ୱାରା ମନର ନିର୍ମଳତା, ଶରୀରର ସୁସ୍ଥତା, କାର୍ଯ୍ୟରେ ସଚ୍ଚୋଟତା, ନୀତି – ନିୟମ ଓ କର୍ମରେ ପ୍ରାକୃତିକତା ପ୍ରସ୍ଫୁଟିତ ହୁଏ । ଶରୀରର ଷଡଚକ୍ର ଧିରେଧିରେ ସୁପ୍ତାବସ୍ଥାରୁ ଜାଗି ଉଠନ୍ତି । ନିସ୍ୱାର୍ଥପରତାର ସକଳ ଭାବରେ ବ୍ୟକ୍ତି ପ୍ଳାବିତ ହୁଏ । ମାୟା – ମୋହର ଆସକ୍ତି ମନରୁ ଆପଣାଛାଏଁ ଅପସରି ଯିବାକୁ ଲାଗନ୍ତି । ଇଶ୍ୱର ବ୍ରତୀ ମନ ଓ ଶରୀର ସତ୍ କର୍ମରେ ଲିପ୍ତ ରହି ସାମାଜିକ ମଙ୍ଗଳର କାରଣ ସୃଷ୍ଟି କରେ । ଜୀବନର ସତ୍ୟତା ମର୍ମେମର୍ମେ ଅନୁଭୂତ ହୁଏ । ସମସ୍ତ ପ୍ରକାର ଜଞ୍ଜାଳରେ ମନ ଦୃଢତା ବଜାୟ ରଖି ଶାନ୍ତ ପ୍ରକୃତିର ହୋଇଥାଏ । ତେଣୁ ତୃଣମୂଳସ୍ତରରୁ ଏହା ଅଭ୍ୟାସଗତ ହେଲେ ଚତୁର୍ଥାବସ୍ଥାରେ ନିଶ୍ଚିତରୂପେ ମାନବ ପରମବ୍ରହ୍ମଙ୍କ ଠାରେ ମିଳିତ ହେବାର ପଥକୁ ପ୍ରାପ୍ତ ହୋଇଥାଏ । ଏହାହିଁ ଜୀବନର ପରମ ସତ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ ।
******************************************************************