ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ପଞ୍ଚଦଶ ସ୍ତବକ)
କୁରୁତେ ଗଙ୍ଗା ସାଗର ଗମନଂ – ବ୍ରତ ପରିପାଲନମଥବା ଦାନମ୍ ଜ୍ଞାନବିହିନଃ ସର୍ବ ମତେନ – ମୁକ୍ତିଂ ନ ଭଜତି ଜନ୍ମ ଶତେନ ….. (୧୮)
ମାନବ ଜୀବନର ଧର୍ମ ସଂଯୁକ୍ତ ପ୍ରକ୍ରିୟା ଗୁଡିକରେ ଯେଉଁ ଛିଦ୍ର ରହିଯାଏ, ତାହାକୁ ପୂରଣ ନକରିବା ଯାଏ ପରମାତ୍ମାଙ୍କ ସହ ଲୀନ ହେବାର ପଥ ଅବରୋଧ ହୁଏ ଓ ସେ ବ୍ୟକ୍ତି ପୁନଃ ପୁନଃ ଜନ୍ମ ଚକ୍ରରେ ପତିତ ହୁଏ । ଏହାହିଁ ଉକ୍ତ ଶ୍ଳୋକର ସାରମର୍ମ ଅଟେ । ଧର୍ମ ଅର୍ଜନାର୍ଥେ ବା ସ୍ୱଅର୍ଜିତ ପାପ କ୍ଷୟ ନିମନ୍ତେ ମାନବ ଅନେକ ଅନେକ କର୍ମ – କାଣ୍ଡ ଆଦିରେ ଲିପ୍ତ ରହେ । ସମାଜର ପ୍ରତି କୋଣ ଅନୁକୋଣେ ଏହାର ବହୁବିଧ ସ୍ୱରୂପ ବିସ୍ତାରିତ ହୋଇ ରହିଅଛି । ସଂକ୍ଷେପରେ ଏହି କର୍ମ – କାଣ୍ଡ ଆଦି ସମ୍ପର୍କରେ କିଛି ଆଲୋଚନାର ପରିସରଭୁକ୍ତ କରାଯାଇପାରେ, ଯଥା – ତୀର୍ଥ ଯାତ୍ରା, ବ୍ରତ ପାଳନ, ଦାନ ………….. ଇତ୍ୟାଦି । ତୀର୍ଥ ଯାତ୍ରା, ନାନାଦି ବ୍ରତ ପାଳନ, ଦାନ – ଦକ୍ଷିଣା ଆଦି କର୍ମ – କାଣ୍ଡରେ ମନରେ ପବିତ୍ରତା ଜାଗେ । ଜଞ୍ଜାଳମୟ ଜୀବନରୁ କିଛିଟା ମୁକ୍ତି ମିଳେ । ସେହି ସମୟର ଆନନ୍ଦରେ ମନ ବିମୋହିତ ହୁଏ । କିନ୍ତୁ ତୀର୍ଥ ଯାତ୍ରାରୁ ପ୍ରତ୍ୟାବର୍ତ୍ତନ ଓ କର୍ମ – କାଣ୍ଡ ଆଦି ପରେ ମାନବ ପୁନଃ ପୂର୍ବ ସ୍ଥିତିକୁ ଫେରି ନିଜ ସ୍ୱଭାବରେ ସ୍ଥିରତା ବଜାୟ ରଖେ । ଭାବେ ବହୁତ କିଛି ପାପ ଧୋଇହୋଇ ଗଲା । ଗର୍ବ ଓ ଆନନ୍ଦରେ ଉତ୍ଫୁଲ୍ଲିତ ହୋଇ ଅନ୍ୟ ମାନଙ୍କୁ ନିମ୍ନ ଦୃଷ୍ଟିରେ ବିଚାର କରେ । ସେ ଭାବେ ପବିତ୍ର ଗଙ୍ଗାନଦୀର ତୀର୍ଥ ଧାମ ଗୁଡିକରେ ତ ବୁଡ ପକାଇଛି, ଅନେକ କର୍ମ – କାଣ୍ଡମାନ ସମ୍ପାଦନ କରିଛି । ଯେଉଁ ବୁଡ, ମନ ଓ ଶରୀରକୁ ପବିତ୍ର କରି ଅର୍ଜିଥିବା ସକଳ ପାପରୁ ମୁକ୍ତି କରିଥାଏ ଓ ପୁଣି ଯେଉଁମାନଙ୍କର ସେହି ପବିତ୍ର ଧାମ ଗୁଡିକରେ ମୃତ୍ୟୁ ହୁଏ ନିଶ୍ଚିତ ରୂପେ ସେମାନେ ଉଚ୍ଚତର ଦୁନିଆଁ ବା ସ୍ୱର୍ଗଲୋକ ପ୍ରାପ୍ତ ହେବେ ବୋଲି ସାମାଜିକ ବିଶ୍ୱାସ ତିଷ୍ଠି ରହିଛି, ତାହାର ସତ୍ୟତା ଆଧ୍ୟାତ୍ମିକ ଓ ବିଜ୍ଞାନ ଦର୍ଶନ ତତ୍ତ୍ୱକୁ ବିରୋଧ କରେ । ଶ୍ରୀମଦ୍ଭାଗବତ ମହାପୁରାଣ ବ୍ୟାଖ୍ୟା କରେ ଯେ, “କର୍ମ କରିଣ ଫଳ ପାଇ —— ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ” । ସେଥିପାଇଁ ଗଙ୍ଗା ଭଳି ପବିତ୍ର ନଦୀ ଓ ସମୁନ୍ଦ୍ରରେ ବୁଡ ପକାଇଲେ ପାପ ଧୋଇଯିବା ଏବଂ ପବିତ୍ର ଧାମରେ ମୃତ୍ୟୁ ବରଣ କରିବା, ରଥ ଚକତଳେ ଚାପିହୋଇ ମରିବା, ପବିତ୍ର ଯୋଗରେ ବଡ ବଡ ମେଳାକୁ ଯାଇ ଦଳାଚକଟାରେ କଲବଲ ହୋଇ ମରିବାରେ ଉଚ୍ଚତର ଦୁନିଆଁ ପ୍ରାପ୍ତ ହେବା ଅଥବା ଜନ୍ମ – ମୃତ୍ୟୁ ଚକ୍ରରୁ ନିସ୍ତାର ପାଇବାର ଆଧ୍ୟାତ୍ମିକ ସମ୍ଭାବନା କ୍ଷୀଣ ଅଟେ । ପୁଣି ବିଜ୍ଞାନର ପରିଭାଷା ଅନୁଯାୟୀ, ସମସ୍ତ ଜୀବଜଗତ ଜନ୍ମ , ମୃତ୍ୟୁ, କର୍ମ ସମ୍ପାଦନ ଆଦି ସ୍ଥାନ – କାଳର ପରିବେଷ୍ଟନୀ(Space – Time Continuum) ବା ଚତୁଃ ପରିସର(Four Dimension) ମଧ୍ୟରେ ସୀମିତ । ଏକ ସମୟ ଓ ଭିନ୍ନ ସ୍ଥାନ, ଭିନ୍ନ ସମୟ ଓ ଏକସ୍ଥାନ ଏବଂ ଭିନ୍ନ ସମୟ ଓ ଭିନ୍ନ ସ୍ଥାନ ଆଦିରେ ଜନ୍ମ – ମୃତ୍ୟୁର ସମ୍ଭାବନା ଥିବାବେଳେ ଏକ ସମୟ ଓ ଏକ ସ୍ଥାନରେ ଏତାଦୃଶ ଘଟଣାର କ୍ଷୀଣତା ଅନୁମାନ ହୁଏ । ଏଠାରେ ଏକ ସ୍ଥାନହିଁ ତ୍ରୀଅକ୍ଷ(X,Y,Z) ବିଶିଷ୍ଟ ସ୍ଥାନର ପରିସରରେ ପ୍ରତ୍ୟେକ ଅକ୍ଷର ଯଥାନୁଅଂଶ ଏକ ବିନ୍ଦୁ(Space Coordinate)ରେ ମିଳିତ ହେବାକୁ ବୁଝାଏ ଓ ତତ୍ସଂଲଗ୍ନ ସମୟହିଁ ସମୟ ପ୍ରବାହର ଅଂଶ ବିନ୍ଦୁ(Time Coordinate)କୁ ବୁଝାଏ । ଏ ଦୁଇ ଅଂଶ ବିନ୍ଦୁର ଛେଦନ ବିନ୍ଦୁ(Space – Time Coordinate)କୁ ଘଟଣା ଘଟିବାର ସ୍ଥାନ – କାଳ ରୂପେ ଗାଣିତିକ ସଙ୍କେତ ପ୍ରଦାନ କରେ । ତେଣୁ ଏକ ସମୟରେ ଗୋଟିଏ ସ୍ଥାନ ବା ବିନ୍ଦୁରେ ଏକ ଦଖଲଦାରୀର ନିଶ୍ଚିତତା ଥିବାବେଳେ ବହୁ ଦଖଲଦାରୀର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ପାରିବ ନାହିଁ । ଯେପରି ମାତୃଗର୍ଭରେ ସନ୍ତାନ, ଗୋଟିଏ ବୃକ୍ଷରୁ ଅନ୍ୟ ଏକ ବୃକ୍ଷର ପ୍ରତିପୋଷଣ …………. ଇତ୍ୟାଦି ଅନେକ ଉଦାହରଣ ରହିଛି । ପ୍ରକୃତିର ନିୟମାନୁସାରେ ଭ୍ରୂଣ ସୃଷ୍ଟି ହେବାର ସମୟ ଓ ସ୍ଥାନର ପ୍ରଭାବରେ ବ୍ୟକ୍ତିର ଚିନ୍ତନ ପ୍ରକ୍ରିୟା ଓ କାର୍ଯ୍ୟଧାରା ପ୍ରାୟ ତା’ର ଜୀବନ ସ୍ରୋତରେ ପରିପ୍ରକାଶ ହୁଏ । ଏହା ସମ୍ପୂର୍ଣ୍ଣ ସତ୍ୟ ନ ହେଲ ବି ଆଂଶିକ ଅଟେ, କାରଣ ପାରିପାର୍ଶ୍ୱିକତା, ନିଜସ୍ୱ ପରିଶ୍ରମ, ନିଜସ୍ୱ ପ୍ରାକୃତିକତା, ଶିକ୍ଷା, ………….. ଆଦି ବହୁବିଧ ଅବୟବମାନ ଜୀବନ ଧାରା ସହ ସଂଯୁକ୍ତ ହୋଇଥାଏ । ଗୋଟିଏ ଶିକ୍ଷାନୁଷ୍ଠାନରୁ ଶିକ୍ଷା ଲାଭ କରି ସମସ୍ତେ ସମାନ ରୂପକ ଢାଞ୍ଚାରେ ପରିପ୍ରକାଶ ହୁଅନ୍ତି ନାହିଁ । ଏକ ମାତୃଗର୍ଭରୁ ଜାତ ସନ୍ତାନଗଣ ରୂପ, ଗୁଣ ଏବଂ ପ୍ରତିଷ୍ଠା ଲାଭ କରିବାରେ ସମାନତା ପ୍ରଦର୍ଶିତ ହୁଏନାହିଁ । ଏ ସୃଷ୍ଟି ରହସ୍ୟ ଓ ବିଦ୍ୟୁତ୍ମୟ ଯାହାର ଆଦି – ଅନ୍ତଃ ପାଇବାକୁ ଆଧ୍ୟାତ୍ମିକ କିମ୍ବା ବିଜ୍ଞାନ ଦର୍ଶନ ତତ୍ତ୍ୱ ଅପହଞ୍ଚ ହୋଇ ରହିଛି । ମାନବ ଦେଖୁଛି ପ୍ରକୃତି ପ୍ରତ୍ୟେକ କ୍ଷେତ୍ରରେ ସମବିନ୍ୟାସ ମୁଖୀ । ପ୍ରକୃତିକୁ ଧ୍ୱଂସକଲେ ଜୀବଜଗତ ପ୍ରାକୃତିକ ଦୁର୍ବିପାକର ଶୀକାର ହେଉଛି । ଏହାର ସୂକ୍ଷ୍ମ ଚେତନା କହୁଛିଯେ, ପ୍ରତି ଜୀବ ନିମିତ୍ତ ଏ ନିୟମର ଯଥାର୍ଥତା ରହିବ । ଅର୍ଥାତ୍ କର୍ମାନୁସାରେ ଫଳ । ଏହା ଆଧ୍ୟାତ୍ମିକ ଓ ବିଜ୍ଞାନ ତତ୍ତ୍ୱର ସମନ୍ୱୟତା ଦର୍ଶାଉଛି । ତେଣୁ ସମୁନ୍ଦ୍ର ବା ଗଙ୍ଗାରେ ବୁଡ ପକାଇବା , ତୀର୍ଥଧାମ ପରିଭ୍ରମଣ କରିବା, ବ୍ରତ ପାଳନ ଓ କିଛି ଦାନ (ପାତ୍ରରେ ହେଉ ବା ଅପାତ୍ରରେ ହେଉ) …. ଇତ୍ୟାଦିର ବାହ୍ୟ ପ୍ରଦର୍ଶନ ଓ ଅନ୍ତଃ ଚେତନାରେ ନିରହଂକାର ଭାବ ଜାଗ୍ରତ ହେଲେ ମାନବ ମୁକ୍ତିମାର୍ଗର ପ୍ରଥମ ପାବଚ୍ଛରେ ପଦାର୍ପଣ କରିପାରେ, କିନ୍ତୁ ସମ୍ପୂର୍ଣ୍ଣ ମୁକ୍ତି ନିମିତ୍ତ ମୁକ୍ତିମାର୍ଗର ଶେଷ ପାବଚ୍ଛରେ ପହଞ୍ଚିବାକୁ ପଡିବ । ଏହା ହେଉଛି ସେହି ସମୟ ଯେତେବେଳେ ମାନବକୁ ଦୃଶ୍ୟମାନ ହେବ ସବୁ ନର ମଧ୍ୟେ ନାରାୟଣ, ସମସ୍ତ ଚଳତ୍ ଓ ଜଡ଼ରେ ବ୍ରହ୍ମ ସତ୍ତା ବିଦ୍ୟମାନ । ମନରେ ନଥିବ ଅହଂକାର, ଜାତି, ଗୋତ୍ର, କୁଳ, ଧର୍ମ, ପ୍ରତିଷ୍ଠା ….. ଆଦିର ବଡିମା । କିନ୍ତୁ ଯଦି ମାନବ ବାରମ୍ବାର ବାହ୍ୟ ପ୍ରଦର୍ଶନରେ ନିଜର ସବୁ ପାପ ଧୋଇହୋଇ ଗଲା ଭାବି ଆମୋଦିତ ଓ ଉଲ୍ଲସିତ ହୋଇ ମନେ ମନେ ସଗର୍ବେ ଚାରିଇଞ୍ଚ ବକ୍ଷ ଫୁଲାଇ ତାଙ୍କ ଗାଁ’ର ରାମା – ଦାମା – ସାମା ଆଦିଙ୍କୁ ଅତି ହୀନ ଦୃଷ୍ଟିରେ ଦେଖେ, ଅର୍ଥାତ୍ “ମୋତେ ଯେତେ ମାଠିବୁ ମାଠେ – ମୁଁ ସେଇ ଦରପୋଡା କାଠ” ସ୍ତରକୁ ପ୍ରତ୍ୟାବର୍ତ୍ତନ କରେ। ସେ ବ୍ୟକ୍ତି ଶହ ଶହ ଜନ୍ମଯାଏ ମୁକ୍ତି ପାଇବାର ସୁଯୋଗ ହରାଇ ବସେ । ତେଣୁ ମାନବ ସମାଜ ପାଇଁ ଶ୍ରୀ ଶଙ୍କରଙ୍କ ଦିବ୍ୟ ବାର୍ତ୍ତା ହେଲା – ମାନବ ଆତ୍ମଜ୍ଞାନ ଯୁକ୍ତ ହେଲେ, ତା’ର ମନରୁ ସବୁ ମଇଳା ଧୋଇହୋଇଯିବ । ଉଚ୍ଚ – ନିଚ୍ଚ ଭେଦଭାବ, ଆତ୍ମବଡିମା, ଜନ୍ମବାଦ, ବର୍ଣ୍ଣବାଦ ଆଦିର ନକରାତ୍ମକ ପ୍ରୟୋଗରୁ ସେ ସମ୍ପୂର୍ଣ୍ଣ ବିଛ୍ଚିନ୍ନ ହୋଇଯିବ ଓ “ବସୁନ୍ଧୈବ କୁଟୁମ୍ବକମ୍”ପରି ମହାଜାଗତିକ ଚେତନାରେ ଉଦ୍ବୁଦ୍ଧ ହୋଇ ବିଶ୍ୱ ମଙ୍ଗଳକାରକ ହେବ । ଶ୍ରୀମଦ୍ଭାଗବତ ବାଣୀ -” ସକଳ ଘଟେ ନାରାୟଣ – ଅନାଦି ପରମ କାରଣ” ତା’ ପାଇଁ ଯୋଗାଇବ ଅପୂର୍ବ ଦିବ୍ୟ ଶକ୍ତି ଓ ସେ ହିଁ ଜନ୍ମ – ମୃତ୍ୟୁ ଚକ୍ରରୁ ନିସ୍ତାର ପାଇବ ।
********************************************************