ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଷୋଡଶ ସ୍ତବକ)
ସୁର ମନ୍ଦିର ତରୁ ମୂଲ ନିବାସଃ – ଶୟା ଭୂତଲ ମଜିନଂ ବାସଃ
ସର୍ବ ପରିଗ୍ରହ ଭୋଗ ତ୍ୟାଗଃ – କସ୍ୟ ସୁଖଂ ନ କରୋତି ବିରାଗଃ ……. (୧୯)
ଏ ଶ୍ଳୋକରେ ଆଦିଗୁରୁ ଏକ ସତ୍ୟନିଷ୍ଠା, ସର୍ବତ୍ୟାଗୀ, ମୋହ – ମାୟାରୁ ବିଚ୍ଛିନ୍ନ ପ୍ରକୃତ ସନ୍ୟାସୀର ଜୀବନ ଧାରଣରେ ଭରି ରହିଥିବା ନିଗୁଢତାକୁ ଦର୍ଶାଇଛନ୍ତି । ମନ୍ଦିର ବାହାରେ ଥିବା ବୃକ୍ଷମୂଳ ହେଉଛି ତା’ର ବାସସ୍ଥାନ । ମାତା ବସୁମତୀର ଶାନ୍ତ ସ୍ନିଗ୍ଧ କୋଳରେ ଏକ ମୃଗଛାଲ ଉପରେ ସେ ଧ୍ୟାନରତ ଓ ସାମାନ୍ୟ ବସ୍ତ୍ରରେ ଆବୃତ୍ତ ଶରୀରରେ ସେ ସେଠାରେ ଶୟନ କରେ । ସଂସାରର ସବୁ ଭୋଗ ବିଳାସରୁ ସେ ସମ୍ପୂର୍ଣ୍ଣ ମୁକ୍ତ । ନାହିଁ କାମନା , ନାହିଁ ବାସନା ଓ ମନରେ ଜାଗେ ଦିବ୍ୟ ଭାବନା । ନିଜର ବୋଲି କିଛି ଦାବିଦାର ନାହିଁ, ଯାହା ନିମିତ୍ତ ସେ ବ୍ୟତିବ୍ୟସ୍ତ ହେବ । ଯିଏ ସମ୍ପୂର୍ଣ୍ଣ ନିଃସ୍ୱ, ତା’ର ବା କି ଚିନ୍ତା ରହିବ ? ପିଞ୍ଜରାରୁ ବାହାରି ଆସିଥିବା ଏକ ମୁକ୍ତ ବିହଙ୍ଗ । ରୋଗ, ଶୋକ, ଶୋଚନା ଆଦି ଯାତନାର ପରିବେଷ୍ଟନୀରୁ ସେ ବହୁ ଉର୍ଦ୍ଧ୍ୱରେ । କାହାର ଶ୍ରୀ ଦେଖି ବ୍ୟଥିତ ହେବାର ଅବକାଶ ନାହିଁ । ବସ୍ତୁବାଦ ଦୁନିଆର କୌଣସି ଉପଭୋଗ୍ୟ ବସ୍ତୁର ସେ ମାଲିକ ନୁହେଁ, ଧନ – ସମ୍ପତି ତ୍ୟାଗୀ ବ୍ୟକ୍ତିର ଲାଳସା ଆସିବ କେଉଁଠୁ ? ଯେଉଁ ଧନର ସେ ମାଲିକ , ତାହା ହେଉଛି ଈଶ୍ୱର ପ୍ରେମ ଓ ପ୍ରକୃତି ପ୍ରେମ, ଯାହାକୁ ସେ ସମାଜର ମଙ୍ଗଳ ନିମିତ୍ତ ବ୍ୟୟ କରିବାକୁ ବ୍ୟଥିତ । ଯେଉଁ ଧନର ସଦା ସର୍ବଦା ବିତରଣ ନିମନ୍ତେ ସେ ବ୍ରତୀ , ସେ ଧନକୁ କେଉଁ ଚୋର କାହିଁକି ବା ଚୋରି କରିବ । ଅନାବିଳ ପ୍ରେମର ଈଶ୍ୱର ଭକ୍ତି ରୂପୀ ସମ୍ବଳ ହୃଦୟର ନିଭୃତ କନ୍ଦରରେ ଠୁଳ । ତାହା ଚୋରି ହୋଇପାରିବ ନାହିଁ ଓ ସେଥିପାଇଁ ଚିନ୍ତାର ଅବକାଶ ନାହିଁ । ଯିଏ ପ୍ରକୃତି ସହ ନିଜକୁ ସାମିଲ କରି ଜୀବନର ମୁକ୍ତି ମାର୍ଗରେ ଅହରହ ଧାବମାନ, ତା’ଠାରୁ ପରମ ସୁଖୀ କିଏ ବା ହୋଇ ପାରିବ ? ଏହିପରି ସୁଖୀ ପାଇବା ଏ ଦୁନିଆରେ ବିରଳ ଅଟେ । ରାଜା ନୁହେଁ କି ଧନୀ ନୁହେଁ କିମ୍ବା ସାଧାରଣ ମାନବ ବି ନୁହେଁ । କାରଣ କଥାରେ ଅଛି “ଶାଗ ଖିଆ ଲୋକ ପେଜ ପିଆ ଲୋକକୁ ବି ସହ୍ୟ କରି ପାରେନି” । ଜଣେ ଅନ୍ୟକୁ ଧନ, ମାନ, ଗୌରବ ଆଦିକୁ ନେଇ ତୁଳନା କରିବାରେ ବ୍ୟସ୍ତ । ଅସହିଷ୍ଣୁତା ଓ ଅଶାନ୍ତିର ବହ୍ନିରେ ଅହରହ ମନ ଜର୍ଜରିତ । ମୁଖମଣ୍ଡଳରୁ ଶାନ୍ତି ଓ ସୁଖର ଲେଶ ମାତ୍ର ଆଭାସ ପ୍ରତିଫଳିତ ହେଉନାହିଁ । ସାରା ଜୀବନ ଧନ ଠୁଳ କରିବା ଓ ମିଥ୍ୟା ଯଶ ଅର୍ଜନାର୍ଥେ ନିଜକୁ ବିନିଯୋଗ କରିବା ହିଁ ସାର ହୁଏ । ମାୟା ଜାଲ ଘେରରେ ସାଲୁବାଲୁ ହେଉଥିବା ମାନବକୁ ପ୍ରାପ୍ତ ସୁଖ କ’ଣ ଜଣେ ମୁକ୍ତିକାମୀ ସନ୍ୟାସୀର ପ୍ରାପ୍ତ ସୁଖ ସହ ସମାନ ! ଏହା କଦାପି ନୁହେଁ । ଯେଉଁଠୁ ସୃଷ୍ଟି, ନିଜ କ୍ରିୟା- କର୍ମ ସମ୍ପାଦନ ପରେ ସେଠାବକୁ ବାହୁଡିବା ହେଉଛି ସୃଷ୍ଟିର ଇଛା । ସେଥିପାଇଁ ସତ୍ କର୍ମ ଓ ଈଶ୍ୱର ପ୍ରେମ ହିଁ ଏକାନ୍ତ ଆବଶ୍ୟକ । ଏହା ଲାଳସା ନୁହେଁ, କିନ୍ତୁ ମୁକ୍ତିର ମାର୍ଗ ଅଟେ । ମୁକ୍ତି ନ ମିଳିବା ଯାଏ ମାୟା ଜାଲରେ ବାରମ୍ବାର ପତିତ ହୋଇ କଲବଲ ହେବାର କାରଣ ହେଉଛି ପାର୍ଥିବ ଭୋଗ ଲାଳସାର ଅଦମ୍ୟ ପିପାସା ।
ଏହାର ଏକ ସମାନ୍ତରାଳ ବିଜ୍ଞାନ ତତ୍ତ୍ୱକୁ ମଧ୍ୟ ଅଲୋଚନାର ପର୍ଯ୍ୟାୟଭୁକ୍ତ କରାଯାଇପାରେ । ଅଦ୍ୟାବଧି ଆବିଷ୍କୃତ ମୌଳିକ ପଦାର୍ଥ (Element) ଗୁଡିକୁ ଏକ ପିରିୟଡିକ୍ ସାରଣୀ (Periodic Table) ରେ ଦର୍ଶାଯାଇଛି । ଏହା ପ୍ରଥମ ମୌଳିକ ଉଦ୍ଜାନ (Hydrogen) ଠାରୁ ଆରମ୍ଭ ହୋଇଛି । ମୌଳିକ – ମୌଳିକ ମଧ୍ୟରେ ପାରସ୍ପରିକ ରସାୟନିକ ପ୍ରକ୍ରିୟା (Chemical Reaction) ମୌଳିକର ପରମାଣୁରେ ନାଭିକ (Nucleus) ଚତୁଃ ପାର୍ଶ୍ୱରେ ଘୂରୁଥିବା ବାହ୍ୟ କକ୍ଷର ଇଲେକ୍ଟ୍ରନ୍ ଦ୍ୱାରା ଘଟିଥାଏ । ଏହି ଇଲେକ୍ଟ୍ରନ୍ ଗୁଡିକ ଅସନ୍ତୁଳିତ ଓ ଅସମ୍ପୂର୍ଣ୍ଣତାର ପରିସରରେ ରହିଥାନ୍ତି । ସତେକି ଏଗୁଡିକ ଅଶାନ୍ତିର ଦାବାନଳରେ ରହି ପାର୍ଥିବ ଲାଳସା ( ଏଠାରେ ରସାୟନିକ ପ୍ରକ୍ରିୟା)ରେ ଭାଗିଦାର ହୁଅନ୍ତି ଓ ସନ୍ତୁଳିତ ସ୍ଥିତିରେ ଘୂରୁଥିବା ଇଲେକ୍ଟ୍ରନ୍ ସହ ସମକକ୍ଷ ହେବାର ଜିଜ୍ଞାସାକୁ ଜାହିର କରନ୍ତି । ଏତାଦୃଶ ପ୍ରକ୍ରିୟାରେ ଏହି ବାରମ୍ବାରତାର ଘଟଣାମାନ ଘଟିଚାଲେ । କିନ୍ତୁ ଦେଖାଯାଏ କିଛି ମୌଳିକ ପ୍ରାୟ କୌଣସି ରସାୟନିକ ପ୍ରକ୍ରିୟାରେ ଭଗିଦାର ହୁଅନ୍ତିନାହିଁ । ଏଗୁଡିକୁ ନିଷ୍କ୍ରିୟ ମୌଳିକ(Inert Element) ବା ନିଷ୍ଲ୍ରିୟ ଗ୍ୟାସ୍ କୁହାଯାଏ, ଯଥା – ହିଲିୟମ୍(Helium), ନିୟନ୍(Neon), ଆର୍ଗନ୍(Argon) ………. ଇତ୍ୟାଦି । ଏଗୁଡିକର ବାହ୍ୟ କକ୍ଷର ଇଲେକ୍ଟ୍ରନ୍ ପାରମାଣବିକ ନିୟମର ପରିପୂର୍ଣ୍ଣତା ଲାଭ କରି ସନ୍ତୁଳିତ ସ୍ଥିତିରେ ନାଭିକକୁ ପରିକ୍ରମଣ କରୁଥାନ୍ତି । ତେଣୁ କୌଣସି ରସାୟନିକ ପ୍ରକ୍ରିୟାରେ ଭାଗ ନେବାର ଅଭିଳାଷ ଓ ଭୟ ନଥାଏ । ଏଗୁଡିକ ନିର୍ବିକାର ଓ ନିରହଂକାର ଗୁଣଯୁକ୍ତ ଓ ପ୍ରକୃତ ସନ୍ୟାସୀ ପରି ପାର୍ଥିବ ନିଷ୍କ୍ରିୟତାର ନିଦର୍ଶନ ସ୍ୱରୂପ ଅଟନ୍ତି । ଯେପରି ଅଧୁନା ସମାଜରେ ମୁକ୍ତିକାମୀ ସନ୍ୟାସୀଙ୍କ ସଂଖ୍ୟା ନଗଣ୍ୟ, ସେହିପରି ନିଷ୍କ୍ରିୟ ମୌଳିକର ସଂଖ୍ୟା ମଧ୍ୟ ନଗଣ୍ୟ । ତେଣୁ ମନ ଚୈତନକୁ ମୁକ୍ତିକାମୀ କରାଇବାକୁ ହେଲେ ତୃଣମୂଳ ସ୍ତରରୁ ମାନବୀୟତାର ବୃଦ୍ଧି ପ୍ରାପ୍ତ ନିମିତ୍ତ ପ୍ରାଥମିକ ସୋପାନ ହେଉଛି ପାର୍ଥିବ ନିଷ୍କ୍ରିୟତା ।
******************************************************************