ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଅଷ୍ଟାଦଶ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଅଷ୍ଟାଦଶ ସ୍ତବକ)

ଭଗବଦ୍‍ ଗୀତା କିଞ୍ଚିତ୍‍ଧୀତା – ଗଙ୍ଗା ଜଲଲବ କଣିକାପୀତା
ସକୃଦପି ୟେନ ମୁରାରି ସମର୍ଚା – କ୍ରିୟତେ ତସ୍ୟ ଯମେନ ନ ଚର୍ଚା ………….. (୧୮)

ଏ ଶ୍ଳୋକରେ ଆଦିଗୁରୁ ଜୀବନମୁକ୍ତି ନିମିତ୍ତ ସଦ୍‍ଜ୍ଞାନ ଆହରଣର ମାର୍ଗ ଉନ୍ମୁକ୍ତ କରିଛନ୍ତି । ଏହା ତିନି ପର୍ଯ୍ୟାୟଭୁକ୍ତ ଅଟେ, ଯଥା – କିଞ୍ଚିତ୍‍ ମାତ୍ରାରେ ଶ୍ରୀମଦ୍‍ଭଗବଦ୍‍ ଗୀତାରୁ ହୃଦ୍‍ବୋଧତା, ପବିତ୍ର ଗଙ୍ଗା ନଦୀରୁ ବୁନ୍ଦାଏ ଜଳ ପାନ କରିବା ଓ ମୁରାରିଙ୍କୁ ହୃଦୟର ନିଭୃତ କନ୍ଦରରୁ ଥରେ ମାତ୍ର ଆବାହନ କରିବା । ଏହା ଏକ ଏକ ଅନ୍ତଃର୍ମୁଖୀ ଦର୍ଶନ ତତ୍ତ୍ୱ, ଯାହା ଆତ୍ମଜ୍ଞାନରେ ବଳୀୟାନ ହେବାର ସ୍ୱଚ୍ଛ ଓ ପବିତ୍ର ଉପାଦାନ ଅଟେ । ଏହା ଏକ ଏକ କ୍ଷୁଦ୍ରତମ ଦିବ୍ୟ ପ୍ରକ୍ରିୟାର ପରିଭାଷା, ଯାହା ବିସ୍ତାରିତ ହୋଇଯାଏ ଅନନ୍ତ ପରିସୀମାକୁ । ନାରୀକବି କୁନ୍ତଳା କୁମାରୀ ସାବତ୍‍ “ଶେଫାଳି ପ୍ରତି” କବିତାରେ ମଧ୍ୟ ତା’ଙ୍କ ହୃଦୟସ୍ପର୍ଶୀ ଭାବନାରାଜିକୁ ପରିପ୍ରକାଶ କରିଛନ୍ତି ଓ ତହିଁରୁ ଏକ ପଂକ୍ତି  ଏଠାରେ ମନେପଡେ, ଯଥା –
“ତୋହପରି କ୍ଷୁଦ୍ର ମୁହିଁ ତୋହପରି କ୍ଷଣିକ – ହସେ ବାସେ ରସେ ମାତ୍ର ଫୁଟିଅଛି ଘଡିକ
ମାଟିରେ ମିଶିବୁ ତୁହି – ମାଟିରେ ମିଶିବି ମୁହିଁ
ତଥାପି ମୋ ଆତ୍ମାଫୁଲ ନଯିବରେ ମଉଳି – ତେଣୁ ଆଶା ବହି ମୁହିଁ କାଟେ ଗଙ୍ଗଶିଉଳୀ” । 

ଶ୍ରୀମଦ୍‍ଭଗବଦ୍‍ ଗୀତା ହେଉଛି ଭିନ୍ନ ଭିନ୍ନ ଯୋଗ ମାର୍ଗ ପାଇଁ ଉନ୍ମୁକ୍ତ ପଥ । ଏହି ଅଷ୍ଟାଦଶ ଅଧ୍ୟାୟରେ ପ୍ରତ୍ୟେକଙ୍କ ନିମିତ୍ତ ଭରି ରହିଛି ଜୀବନ ମୁକ୍ତିର ଚରମ ସତ୍ୟତା । ଏହାର ନିଗୁଢ ରହସ୍ୟ ହେଉଛି ଅନାଶକ୍ତ ଭାବରେ ନିଜସ୍ୱ କର୍ମ କରି ଚାଲିବା । କର୍ମ ଫଳର ଆଶା ରଖିବା ହେଉଛି ପାର୍ଥିବ ଲାଳସା, ଯାହା ମାନବକୁ ସତ୍‍କର୍ମ ମାର୍ଗରୁ ବିଚ୍ୟୁତ କରାଏ । ସମସ୍ତ ସୃଷ୍ଟିର ଜଣେ ନିୟନ୍ତ୍ରକ ଅଛନ୍ତି, ଯେଉଁ ଦର୍ଶନକୁ ଉଭୟ ବିଜ୍ଞାନ ଓ ଆଧ୍ୟାତ୍ମିକ ମତ ଗ୍ରହଣ କରେ । ସବୁର ସମାଧାନ, ବିଚାର, ଫଳାଫଳ ….. ଆଦିର ମୂଳ କେବଳ ଜଣେ ଓ ସେ ସର୍ବ ବିଦ୍ୟମାନ । ତେଣୁ ଭଗବଦ୍‍ ଗୀତାରୁ କିଞ୍ଚିତ୍‍ ମାତ୍ର ଶ୍ରବଣ, ପଠନ, …. ଆଦିରେ ଯଦି ଥରେ ମାତ୍ର ହୃଦ୍‌ବୋଧ ହୋଇଛି, ତାହାର ପ୍ରଭାବରେ ଅଜ୍ଞାନରୂପୀ ଅନ୍ଧକାରର ବିନାଶ ଘଟି ଚାଲେ, ଯେପରି ଏକ ଅନ୍ଧକାର କୋଠରୀକୁ ଏକ କ୍ଷୀଣ ଆଲୋକ ଉତ୍ସ ଆଲୋକିତ କରେ । ତେଣୁ କ୍ଷୁଦ୍ରର ପରିହାସର ପରିଭାଷା ହେଉଛି ଅଜ୍ଞାନତାର ନିଦର୍ଶନ । ସତ୍ୟ ଯୁଗରେ କ୍ଷୁଦ୍ର ବାମନର କାୟା ବୃଦ୍ଧି ପାଇ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଆଚ୍ଛାଦିତ କରିଥିଲା । ତେଣୁ ପ୍ରତିଦିନ ଗୀତା ପଠନ ବା ଶ୍ରବଣ ଓ ଅଷ୍ଟାଦଶ ଅଧ୍ୟାୟ ସମ୍ପୂର୍ଣ୍ଣରେ ତିଳେ ମାତ୍ର ହୃଦ୍‌ବୋଧ କରି ନଥିବା ବ୍ୟକ୍ତିର ଯଦି ଅହଂକାର ଜନ୍ମ ନିଏ, ତେବେ ସେ କିଞ୍ଚିତ୍‍ ଲାଭ କରିଥିବା ବ୍ୟକ୍ତିକୁ ହେୟ ମନେ କରିବ । ତେଣୁ ତା’ର ଆତ୍ମଜ୍ଞାନର ଅୟାରମ୍ଭ ହେବନି, ଅନ୍ଧାର କୋଠରୀରେ ଦୀପଟି ବାରମ୍ବାର ଜଳୁଜଳୁ ଲିଭୁଥିବ । ପରନ୍ତୁ ନିମିତ୍ତ ମାତ୍ର ଗୀତାଜ୍ଞାନ ଲାଭକରିଥିବା ବ୍ୟକ୍ତିଟିର ଅନାଶକ୍ତ ଭାବ ବୃଦ୍ଧିପାଇ ଚାଲିଥିବ । ଏହାହିଁ କ୍ଷୁଦ୍ରତାର ମହାନତା ଓ କବି କୁନ୍ତଳା କୁମାରୀ ଅତି ସରଳ ଭାଷାରେ ମାନବ ସମାଜକୁ କ୍ଷୁଦ୍ରତା ସମ୍ବନ୍ଧରେ ଉଦ୍‍ଭାସିତ କରିଛନ୍ତି ।  

ଦେବଭୂମି ଭାରତରେ ପବିତ୍ର ଗଙ୍ଗାନଦୀ ପ୍ରବାହିତ । ଏହାର ଜଳ ପାନ, ଗଙ୍ଗାରେ ସ୍ନାନ, ତର୍ପଣାଦିରେ ଅନେକ ପୁଣ୍ୟ ଫଳ ମିଳେ, ଜନ୍ମ ଜନ୍ମାନ୍ତରର ପାତକ ନାଶ ଯାଏ …….. ଇତ୍ୟାଦି ଆମ ଶାସ୍ତ୍ର ପୁରାଣ କହେ । ତେବେ ଦୀର୍ଘପଥ ଅତିକ୍ରମ କରି ସମୁନ୍ଦ୍ରରେ ମିଶିଥିବା ଗଙ୍ଗାନଦୀର ଦୁଇ କୂଳରେ କାହିଁ କେତେ ଜନବସତି ବୃଦ୍ଧି ପାଇଛି । ପ୍ରତିଦିନ ସେମାନେ ଏହାର ଜଳ ପାନ ଓ ଜଳରେ ସ୍ନାନ କରୁଛନ୍ତି । ତେବେ କ’ଣ ସବୁ ପୁଣ୍ୟାତ୍ମାମାନେ ଗଙ୍ଗାନଦୀର ଦୁଇ କୂଳରେ ଜନ୍ମ ନେଉଛନ୍ତି ଓ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ମୃତ୍ୟୁ ହୁଏ, ତତ୍‍କ୍ଷଣାତ୍‍ ବିଷ୍ଣୁ ଦୂତମାନେ ସେ ଜୀବାତ୍ମାକୁ ରଥରେ ବସାଇ ବୈକୁଣ୍ଠ ପୁରକୁ ନିଅନ୍ତି ? ଯଦି ଏହା ଗ୍ରହଣୀୟ, ତେବେ ଆଜି ପବିତ୍ର ଗଙ୍ଗାନଦୀକୁ ସବୁ ନଦୀଠାରୁ ଅଧିକ ପ୍ରଦୂଷିତ କଲା କିଏ ?  ଏହାର ଉତ୍ତର ମଧ୍ୟ ଆମ ଶାସ୍ତ୍ର ପୁରାଣ ଦିଏ । ଆମ ଶାସ୍ତ୍ର ପୁରାଣମାନ    ଉଭୟ ବାହ୍ୟମୂଖୀ ଓ ଅନ୍ତଃର୍ମୂଖୀ । ଅଳ୍ପ ଜ୍ଞାନଧାରୀ ବ୍ୟକ୍ତି ଏହାର ବାହ୍ୟବାର୍ତ୍ତାରେ ପ୍ରଲୋଭିତ । ଚିତ୍ତ ଶୋଧନ ନିମିତ୍ତ ସ୍ନାନ ନୁହେଁ, କେବଳ ଶରୀରରୁ ପାପ ଧୋଇ ଦେବାର ଲାଳସା । ପୁନଃ ପୁନଃ ପାପାଚରଣ କଲେ ପୁନଃ ପୁନଃ ସ୍ନାନ ।  କିନ୍ତୁ ଗଙ୍ଗାନଦୀକୁ ସବୁ ବର୍ଜ୍ୟବସ୍ତୁର ଗନ୍ତାଘରରେ ପରିଣତ କରି ପ୍ରଦୂଷିତ କରିବାରେ ଅବହେଳା ନାହିଁ । ଯଦି ଶାସ୍ତ୍ରର ବାହ୍ୟ ରୂପର ଆଦର୍ଶକୁ ନିଜପାଇଁ ନିୟୋଜିତ କରାଗଲା, ତେବେ କ’ଣ ମାତାଙ୍କ ଶରୀରକୁ ଅଳିଆ ଆବର୍ଜନାରେ ଭରିଦେବା ? ଏହା ଦର୍ଶାଉଛି ଯେ, ସ୍ୱାର୍ଥାନ୍ଧ ମାନବ କେବଳ ନିଜ ପାର୍ଥିବ ଶରୀର ଶୋଧନ ପାଇଁ ବ୍ୟାକୁଳ, ଚିତ୍ତ ଶୋଧନ ପାଇଁ ନୁହେଁ । ନଚେତ୍‍ ପବିତ୍ର ଗଙ୍ଗାନଦୀ ଆଜି ପ୍ରଦୂଷିତ ହୋଇ ନଥାନ୍ତା । ଶାସ୍ତ୍ରର ବାହ୍ୟରୂପର ବାର୍ତ୍ତା ସମାଜ ମଙ୍ଗଳକାରୀ ଅଟେ, କିନ୍ତୁ ପବିତ୍ର ଜଳରେ ସ୍ନାନ ଓ ବିଭିନ୍ନ କର୍ମ -କାଣ୍ଡାଦିରେ ଏ ଜଳର ବ୍ୟବହାରକୁ ନେଇ ଯେଉଁ ମହାନ୍‍, ଦିବ୍ୟ ଓ ଦୃଢ ସାମାଜିକ ବିଶ୍ୱାସ ଆମ ରକ୍ତ ମାଂସରେ ଜଡ଼ିତ ତାହାର ତୁଳନା ନାହିଁ । ଗଙ୍ଗା ଜଳକୁ ନେଇ ମନରେ ପରମ ସାତ୍ତ୍ୱିକତା ଭାବ ଜାଗ୍ରତ ହେଉଛି, ଅଥଚ ପର ମୁହୂର୍ତ୍ତରେ ଆମେ ସେହି ନଦୀ ଜଳକୁ ଅଳିଆ ଆବର୍ଜନାରେ ଭରପୂର କରି ଚାଲିଛନ୍ତି । ଅର୍ଥାତ ଏହା ଯେଉଁ ପତ୍ରରେ ଖାଦ୍ୟ ଗ୍ରହଣ କରିବା, ଖାଇସାରି ସେଇ ପତ୍ରରେ ମଳ ତ୍ୟାଗ କରିବା ସଦୃଶ ନୁହେଁକି ? ଏହାହିଁ ଶାସ୍ତ୍ରର ବାହ୍ୟ ବାର୍ତ୍ତା ତଥା ଯୋଗୀ, ମୁନି, ୠଷି ମାନଙ୍କ ଯୁଗାନ୍ତକାରୀ ସାମାଜ ମଙ୍ଗଳକାରକ ଭାବନା ପ୍ରତି ଅବମାନନା ।  ପୁନଶ୍ଚ ଶାସ୍ତ୍ରର ଅନ୍ତଃର୍ମୂଖୀ ସୁଧା ରସକୁ ଆତ୍ମଜ୍ଞାନୀମାନେ ବାରମ୍ବାର ପାନ କରନ୍ତି । ସେମାନେ ବାହ୍ୟ ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ ନଥାନ୍ତି । ଆମ ପୁରାଣ ବର୍ଣ୍ଣନା କରେ ମାତା ଗଙ୍ଗାଙ୍କୁ ରାଜା ଭଗୀରଥ ଅଶେଷ କଷ୍ଟ ସାଧନ କରି ସ୍ୱର୍ଗ ଧାମରୁ ମର୍ତ୍ତ୍ୟକୁ ଆଣିଥିଲେ ଓ ମାନବ ସମାଜ ମଙ୍ଗଳାର୍ଥେ ନଦୀରୂପେ ବିଦ୍ୟମାନ ହେଲେ । ଦେବ ଦେବ ମହାଦେବ ରାଜା ଭଗୀରଥଙ୍କୁ ଯେଉଁ ଜ୍ଞାନ ରୂପକ ସାଗରରେ ପ୍ଳାବିତ କରିଥିଲେ, ତାହାର ବାହ୍ୟ ପ୍ରକାଶହିଁ ପବିତ୍ର ଗଙ୍ଗାଜଳ । ତେଣୁ ବିନ୍ଦୁଏ ଗଙ୍ଗାଜଳ ପାନ କରିବା ଅର୍ଥ ଜ୍ଞାନ ସାଗରରୁ କିଞ୍ଚିତ୍‍ ଆତ୍ମଜ୍ଞାନ ପ୍ରାପ୍ତ ହେବା । ଏହି କିଞ୍ଚିତ୍‍ ଜ୍ଞାନ ମାନବର ଅଜ୍ଞାନ ଅନ୍ଧାରକୁ ବିନାଶ କରି ଚାଲେ । ଏହାହିଁ ଶାସ୍ତ୍ରର ଅନ୍ତଃ ଭାବଧାରା । ଏହା ଆଉ ଏକ କ୍ଷୁଦ୍ରତାର ମହାନତା  । 

ତୃତୀୟରେ ମଧ୍ୟ ସେଇ କ୍ଷୁଦ୍ର ଅର୍ଥାତ୍‍ ଯିଏ ଥରେ ମାତ୍ର ମୁରାରିଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଅହଂଭାବ ତ୍ୟାଗକରି ନିଜକୁ ସମର୍ପଣ କରେ, ସେ ତତ୍‍କ୍ଷଣାତ୍‍ ଆତ୍ମଜ୍ଞାନ ପ୍ରାପ୍ତିର ଦିବ୍ୟ ଆନନ୍ଦ ଲାଭକରେ । ଯେପରି ଗଜ, ଦ୍ରୌପଦୀ, ପ୍ରହଲ୍ଲାଦ….. ଆଦି ଏକ ଏକ ସମର୍ପଣ ଭାବ, ଯାହା ବଳରେ ବିଶ୍ୱର ଜଡ଼ ମଧ୍ୟ ବ୍ରହ୍ମମୟ ହୋଇପାରିଥିଲା । ଏଠାରେ ସ୍ୱୟଂ ପରମବ୍ରହ୍ମଙ୍କୁ ମୁରାରି କହିବାର ଅର୍ଥ ହେଲା ଯେ, ଅଶେଷ ଶକ୍ତି ପ୍ରାପ୍ତ ଦୈତ୍ୟରାଜ ମୁରା ଘୋର ଅହଂକାରୀ ଓ ଅତ୍ୟାଚାରୀ ହୋଇ ଶକ୍ତିର ଅପପ୍ରୟୋଗରେ ସୃଷ୍ଟିର ବିନାଶକରି ଚାଲିଲା । ତେଣୁ ମୁରାକୁ ବଧ କରିବାରୁ ନାରାୟଣଙ୍କ ନାମ ହେଲା ମୁରାରି । ଏହାର ଅନ୍ତର୍ନିହିତ ଭାବ ସୂଚାଏ ଯେ, ଅହଂତ୍ୱକୁ ବିନାଶ କଲେ ମାନବ ଆଧ୍ୟାତ୍ମିକ ମାର୍ଗରେ ସୋପାନ ପରେ ସୋପାନ ଅତିକ୍ରମ କରି ପାରିବ ।  ତେଣୁ ଯେ କୌଣସି ପ୍ରକାରର ଅପପ୍ରୟୋଗତାକୁ ପ୍ରକୃତି ବିରୋଧ କରେ ଯାହା ନିଜ ବିନାଶର କାରଣ ହୋଇଥାଏ । ଉପରୋକ୍ତ ତିନି ପର୍ଯ୍ୟାୟର ନିର୍ଯାସ ଏକ ଓ ଅଭିନ୍ନ ଅଟେ । ତେଣୁ ଏତାଦୃଶ ଦିବ୍ୟ ପ୍ରକ୍ରିୟାରେ ଯିଏ ବନ୍ଧନଯୁକ୍ତ, ତା’ର ମୃତ୍ୟୁ ଭୟ ନଥାଏ । ସେଥିପାଇଁ ତ ଶ୍ଳୋକରେ କୁହାଯାଇଛି ‘କ୍ରିୟତେ ତସ୍ୟ ଯମେନ ନ ଚର୍ଚା’ । 

ପୁନଃ କ୍ଷୁଦ୍ରତାର ଅସୀମତାକୁ ମଧ୍ୟ ବିଜ୍ଞାନ ଭିତ୍ତିକ ଢାଞ୍ଚାରେ ଦର୍ଶାଯାଇପାରେ । ପାରମାଣବିକ ବିଜ୍ଞାନରୁ ଏକ ଉଦାହରଣ ଯୁକ୍ତିଯୁକ୍ତ ମନେହୁଏ, ତାହା ହେଲା ପରମାଣୁ ମଧ୍ୟରେ ଥିବା ନାଭିକର ବିଘଟନ(Nuclear Fission) । ଉଦାହରଣ ସ୍ୱରୂପ ପ୍ରାକୃତିକ ତେଜଷ୍କ୍ରିୟତା(Natural Radioactivity) ଥିବା ମୌଳିକ ମଧ୍ୟରୁ ଇଉରାନିୟମ୍‍ – 235(U-235) ପରମାଣୂର ନାଭିକିୟ ବିଘଟନକୁ ଏଠାରେ ଦର୍ଶାଯାଇଛି । ଏହି ପରମାଣୁର ନାଭିକରେ ନିଉଟ୍ରନ୍‍ ସଂଖ୍ୟା – 143 ଓ ପ୍ରୋଟନ୍‍ ସଂଖ୍ୟା – 92 ଅଟେ । ଯଦି ଏକ ମନ୍ଥର ଗତିର ନିଉଟ୍ରନ୍‍ ଏହି ନାଭିକରେ ପିଟିହୁଏ, ଏହା ବିଘଟିତ ହୋଇ ଗୋଟିଏ ବେରିଅମ୍‍(Barium) ନାଭିକ(Ba-141),   ଗୋଟିଏ କ୍ରିପ୍‍ଟନ୍‍(Krypton) ନାଭିକ(Kr-92), ତିନୋଟି ଦ୍ରୂତଗାମୀ ନିଉଟ୍ରନ୍‍ ଓ ଆଣବିକ ଶକ୍ତି(Atomic Energy) ନିର୍ଗତ କରାଏ । ପୁନଃ ଏଥିରୁ ବାହାରିଥିବା ତିନି ନିଉଟ୍ରନ୍‍ ବା ଦ୍ୱିତୀୟକଃ ନିଉଟ୍ରନ୍‍ ମଧ୍ୟ ଅନ୍ୟ ତିନି ଇଉରାନିୟମ୍‍ ନାଭିକରେ ପିଟିହୁଅନ୍ତି । ଫଳରେ ଆଉ ତିନି ନାଭିକର ବିଘଟନ ହୋଇ ତିନି ତିନୋଟି ବେରିଅମ୍‍ ଓ କ୍ରିପ୍‍ଟନ୍‍ ନାଭିକ ସହ, ନ’ଟି ନିଉଟ୍ରନ୍‍  ଉତ୍ପନ୍ନ ହୋଇ ଆଣବିକ ଶକ୍ତି ଉପରୋକ୍ତ ଠାରୁ ତିନିଗୁଣ ନିର୍ଗତ ହୁଏ । ପୁଣି ନ’ଟି ନିଉଟ୍ରନ୍‍ ବିଘଟନ କରାଏ ନ’ଟି ଇଉରାନିୟମ୍‍ ନାଭିକକୁ ଓ ଉତ୍ପନ୍ନ ହୁଏ ୨୭ଟି ନିଉଟ୍ରନ୍‍ ଓ ତାହା ସହ ଯଥାନୁପାତିକ ଶକ୍ତି । ଏହି ଧାରା ବଢି ବଢି ଚାଲେ ଅଣାୟତ୍ତ ଭାବେ ଓ ନିର୍ଗତ ଆଣବିକ ଶକ୍ତି ମଧ୍ୟ, ଯେତେ ବେଳ ଯାଏ ଇଉରାନିୟମ୍‍ ଖଣ୍ଡଟିରେ ଥିବା ସବୁ ନାଭିକର ବିଘଟନ ପ୍ରକ୍ରିୟା ଶେଷ ନ ହୋଇଛି । ଏହାକୁ ଆଣାୟତ୍ତ ନାଭିକିୟ ଶୃଙ୍ଖଳା ପ୍ରକ୍ରିୟା(Uncontrolled Nuclear Chain Reaction) କୁହାଯାଏ । ହିସାବରୁ ଜଣା ପଡିଛି ଏକ କିଲୋଗ୍ରାମ୍‍ ବିଶିଷ୍ଟ ଖଣ୍ଡେ ଇଉରାନିୟମ୍‍ ସମ୍ପୂର୍ଣ୍ଣ ବିଘଟିତ ହୋଇ ଯେଉଁ ମାତ୍ରାରେ ଆଣବିକ ଶକ୍ତି ନିର୍ଗତ କରେ ତାହା ପ୍ରାୟ 2437.5 ମେଟ୍ରିକ୍‍ ଟନ୍‍ କୋଇଲାର ଭସ୍ମିଭୂତରୁ ପ୍ରାପ୍ତ ତାପଶକ୍ତି ସହ ସମାନ । ଏହି ବିଘଟନ ପ୍ରକ୍ରିୟା ଖୁବ୍‍ କମ୍‍ ସମୟରେ ସମ୍ପାଦିତ ହୁଏ । ଏଥିରୁ ଅନୁମାନ କରାଯାଇ ପାରେ ଆଣବିକ ଶକ୍ତିର ମାତ୍ରା । ଯଦି ଏକ କିଲୋଗ୍ରାମ୍‍ ଇଉରାନିୟମ୍‍ରୁ ନିର୍ଗତ ଶକ୍ତି ଏକ ପର୍ବତାକାର ପରିମାଣର କୋଇଲା ସମ୍ପୁର୍ଣ୍ଣ ଜଳିବାର ତାପଶକ୍ତି ସହ ସମାନ ଓ ଏ ପ୍ରକ୍ରିୟା କେବଳ ଏକ କ୍ଷୁଦ୍ର କଣିକା ନିଉଟ୍ରନ୍‍ ଯୋଗୁ ହେଲା, ତେବେ କ୍ଷୁଦ୍ରାତି କ୍ଷୁଦ୍ର ଆରମ୍ଭରୁ ଅସୀମତାର ପ୍ରମାଣ ମଧ୍ୟ ମିଳିଗଲା । ଏକ ନିଉଟ୍ରନ୍‍ ଏତେ କ୍ଷୁଦ୍ର କିନ୍ତୁ କାର୍ଯ୍ୟ ବିଶାଳ । ପୁଣି ଇଉରାନିୟମ୍‍ – 235 ପରମାଣୂର ନାଭିକିୟ ବିଘଟନ ପ୍ରକ୍ରିୟା ପ୍ରାୟ ତିରିଶ ପ୍ରକାରର ହେବାର ଜଣା ଯାଇଛି । ଆଉ ଏକ ଉଦାହରଣ ସ୍ୱରୂପ ଇଉରାନିୟମ୍‍ – 235 ର ବିଘଟନରୁ ବିଘଟିତ ଖଣ୍ଡ ଦ୍ୱୟ ଜେନନ୍‍(Xenon)ନାଭିକ(Xe-140)  ଓ ଷ୍ଟ୍ରୋନ୍ସିୟମ୍‍(Strontium) ନାଭିକ(Sr-94)ଏବଂ ଦୁଇଟି ନିଉଟ୍ରନ୍‍ ସହ ନିର୍ଗତ ହୁଏ ଆଣବିକ ଶକ୍ତି ।  ଏ ପଦ୍ଧତି ଗୁଡିକରୁ ଉତ୍ପନ୍ନ ଅଣାୟତ୍ତ ମହାଶକ୍ତିକୁ ପୃଥିବୀରେ ଶକ୍ତି ସଙ୍କଟ(Energy Crisis)ର ମୁକାବିଲା ନିମନ୍ତେ ଆୟତ୍ତ ନାଭିକିୟ ବିଘଟନ(Controlled Nuclear Reaction)ର କୌଶଳ ଉଦ୍ଭାବନ ହେଲା, ଅର୍ଥାତ୍‍ ଗବେଷଣାଗାରରେ ନିଉକ୍ଲିୟର୍‍ ରିଆକ୍ଟର୍‌ର ପ୍ରସ୍ତୁତି, ପରୀକ୍ଷଣ ଓ ଦେଶର ବିଭିନ୍ନ ସ୍ଥାନରେ ଆଣବିକ ଶକ୍ତି ପ୍ରକଳ୍ପ(Atomic Power Plant)ର ପ୍ରତିଷ୍ଠା । ଭାରତରେ ୨୦୧୬ ମସିହା ସୁଦ୍ଧା ୨୨ଟି ନିଉକ୍ଲିୟର୍‍ ରିଆକ୍ଟର୍‍, ଯଥା – ଅପ୍‍ସରା(Apsara), ସାଇରସ୍‍(Cirus), କାମିନି(Kamini), ପୂର୍ଣ୍ଣିମାI(PurnimaI) ,ପୂର୍ଣ୍ଣିମାII(PurnimaII), ପୂର୍ଣ୍ଣିମାIII(PurnimaIII), ଜର୍ଲିନା(Zerlina), ଧ୍ରୁବ(Dhruv) …….ଆଦି ୭ଟି ପ୍ରକଳ୍ପରେ ବିନିଯୋଗ କରାଯାଇ ୩୦,୨୯୨. ୯୧GWh ପରିମାଣର ବିଦ୍ୟୁତ୍‍ ଶକ୍ତି ଯୋଗାଇ ପାରୁଛି । ଆହୁରି ୧୧ଟି ନିଉକ୍ଲିୟର୍‍ ରିଆକ୍ଟର୍‍ ପ୍ରସ୍ତୁତ ଚାଲିଛି । ପୃଥବୀରେ ଅନ୍ୟ ଦେଶଗୁଡିକ ମଧ୍ୟ ଏ ଦିଗରେ ଅଗ୍ରସର ହୋଇ ଚାଲିଛନ୍ତି । ମାନବ ସମାଜ କଲ୍ୟାଣରେ ଶକ୍ତି ସଙ୍କଟର ମୁକାବିଲା ଅପରିହାର୍ଯ୍ୟ ଓ ଏହାହିଁ ଆଣବିକ ଶକ୍ତିର ସଦୁପଯୋଗ । କିନ୍ତୁ ମୁରାସୁର ପରି ମାନବ ହେଲା ନାରକୀୟ, ବିଧ୍ୱଂସକାରୀ, ଅହଂକାରୀ ଓ ଆଣବିକ ଶକ୍ତିର ଭୟଙ୍କର ଦୁରୂପଯୋଗ କଲା । ତାହା ହେଉଛି ଆଣବିକ ବୋମା(Atom Bomb) । ପୋକ – ମାଛି ପରି ଅଗଣିତ ମାନବ କ୍ଷଣକେ ଭସ୍ମୀଭୂତ ଓ ତେଜଷ୍କ୍ରିୟତାର ପ୍ରଭାବରୁ ପର ପିଢିକୁ ସଂଚାରରୁ ପଙ୍ଗୁ ହିଁ ପଙ୍ଗୁ ଦେଖି ଦେଖି ବି ଅହଂତ୍ୱର ବିନାଶ ଘଟିଲାନି ବରଂ ବୃଦ୍ଧି ପାଇଚାଲିଲା । ଖଞ୍ଜି ହୋଇଗଲାଣି ପୃଥିବୀର କୋଣେ ଅନୁକୋଣେ ଭୟଙ୍କର ପରମାଣୁବୋମା, ଉଦ୍‍ଜାନ ବୋମା ଆଦି । ପବିତ୍ର ଜ୍ଞାନ ଗଙ୍ଗାର ଅନ୍ୟ ଏକ ରୂପ E = mc² ଆଜି ବୋମାମୟ, ଯେପରି ଗଙ୍ଗା ନଦୀ ଅଳିଆ ଆବର୍ଜନାରେ ଭରପୂର ।

*************************************************************** 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help