ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଊନବିଂଶ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଊନବିଂଶ ସ୍ତବକ)

ପୁନରପି ଜନନଂ ପୁନରପି ମରଣଂ – ପୁନରପି ଜନନୀ ଜଠରେ ଶୟନମ୍‍
ଇହ ସଂସାରେ ବହୁଦୁସ୍ତାରେ – କୃପୟାପାରେ ପାହି ମୁରାରେ ……………………….. (୧୯)

ଏହି ଶ୍ଳୋକରେ ଜନ୍ମ – ମୃତ୍ୟୁ ଚକ୍ରରେ ପତିତ ଜୀବନର ଦୁସ୍ତର ଯାତନାରୁ ପାର ହେବା ପାଇଁ ଭଗବାନ୍‍ ମୁରାରିଙ୍କୁ ଆକୁଳ ନିବେଦନ କରାଯାଇଛି । ଏ ସଂସାରରେ ଜନ୍ମ ନେଲେ ମୃତ୍ୟୁ ନିଶ୍ଚିତ ଓ ମୃତ୍ୟୁ ହେଲେ ଜନ୍ମ ନିଶ୍ଚିତ ଅଟେ । ମାତୃ ଗର୍ଭର ଅନ୍ଧାର କୋଠରୀରେ ଭ୍ରୁଣଟି ସମ୍ପୂର୍ଣ୍ଣତା ପ୍ରାପ୍ତଯାଏ ପ୍ରାୟ ଦଶମାସ ବା ୨୭୮± ୭ ରୁ ୧୫ ଦିନ ବିଜ୍ଞାନ ମତାନ୍ତରେ ରହିଥାଏ । ଏ ସମୟ ମାତୃ ଗର୍ଭର ଶିଶୁ ପାଇଁ ଦୁସ୍ତର ସମୟ ଅଟେ । ସମ୍ପୂର୍ଣ୍ଣ ରୂପେ ମାତାର ମାନସିକ ଓ ଶାରିରୀକ ଆଚରଣ ଉପରେ ନିର୍ଭରଶୀଳ ହୋଇ ଶିଶୁଟିର ମାତୃଗର୍ଭୀୟ ବିକାଶରେ ପୂର୍ଣ୍ଣତା ଅଥବା ଅପୂର୍ଣ୍ଣତା ଘଟେ । ଏହି କାରଣରୁ ବୀର ଅଭିମନ୍ୟୁ ମହାଭାରତ ଯୁଦ୍ଧରେ ଚକ୍ରବ୍ୟୁହରୁ ବାହାରି ଆସିପାରିଲେ ନାହିଁ । ଅର୍ଥାତ୍‍ ମାତୃଗର୍ଭରୁ ଶିଶୁଟି କ୍ଳେଶ ପାଇ ଓ କ୍ଳେଶ ସାଙ୍ଗରେ ନେଇ ଜନ୍ମ ନିଏ । ବାଲ୍ୟ, କୈଶୋର, ଯୌବନ ଓ ପ୍ରୌଢାବସ୍ଥା ଯାଏ ମାୟାଚ୍ଛନ୍ନ ହୋଇ ଜୀବନର ରଙ୍ଗ ମଞ୍ଚରେ  ସେ ଖାଲି ଅଭିନୟ ହିଁ ଅଭିନୟ କରିଥାଏ । ମାୟାର ବର୍ଣ୍ଣାଢ୍ୟ ପରଦା ମନ ଗହନକୁ ଏମିତି ବିମୋହିତ କରିଥାଏ ଯେ, ଦୁନିଆଁର ପ୍ରକୃତ ରୂପ ଦେଖିବା ବା ବୁଝିବା କଠିନତମ ହୋଇଥାଏ । ଅଦମ୍ୟ ପିପାସାର ସ୍ରୋତ ବହିଚାଲେ ମୃତ୍ୟୁ ସନ୍ନିକଟ ଯାଏ । କିଛି ମେଣ୍ଟେ, କିନ୍ତୁ ଅନେକ କିଛି ଇଛା ଅପୂର୍ଣ୍ଣ ରହେ । ଲାଳସାଯୁକ୍ତ ମୃତ୍ୟୁ ପୁନର୍ବାର ଜନ୍ମର କାରଣ ହୁଏ । ସେଇ ଜନନୀ ଜଠ, କ୍ଳେଶ, ଜନ୍ମ, ମାୟାଛନ୍ନ ଓ ଅଶାନ୍ତ ମୃତ୍ୟୁ । ଏ ଚକ୍ରାକାର ଘଟଣାବଳୀରୁ ନିସ୍ତାର ପାଇବା ଅତି ଦୂରୁହ ବ୍ୟାପାର ଅଟେ । ଲୋକ କଥା କହେ –
ସଂସାର ସିନ୍ଧୁ ରୂପେଣ – ମୀନ ରୂପେଣ ମାନବାଃ
ଜଞ୍ଜାଳ ଜାଲ ରୂପେଣ – କାଳ ରୂପେଣ ଧୀବରାଃ ।
ପୁଣି ଜ୍ଞାନଘର ଭଜନରେ ଏ ଶ୍ଳୋକର ପରିଭାଷାକୁ ମଧ୍ୟ ବର୍ଣ୍ଣନା କରା ଯାଇଛି, ଯଥା –
ବଡ ମାୟାବୀ ଜୀବ ନୁହେଁ କାହାରି – ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀହରୀ …… ବଡ…
ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାର – ଅଣାକାର ଭୂମି ତହିଁ ନାହିଁ ଆକାର
ପ୍ରଥମ ମାସେ ତୁହି ହେଲୁ ଧବଳ ବର୍ଣ୍ଣ
ଦ୍ୱିତୀୟ ମାସେ ତୁହି ଜଳେ ଯେସନ ମୀନ
ତୃତୀୟ ମାସେ ତୁ’ଯେ ଶୂନ୍ୟେ ମେଲିଲୁ ଡାଳ
ଚତୁର୍ଥେ ଅସ୍ଥି ଖଞ୍ଜା ତୋହରି …….. ବଡ ମାୟାବୀ ଜୀବ ନୁହେଁ କାହାରି
…………………………………………………………………………….
…………………………………………………………………………….
……………………………………………………………………………..
ତେଣୁ ଜ୍ଞାନ ଚକ୍ଷୁ ପ୍ରାପ୍ତ ନ ହେବା ଯାଏ ମାୟାର ପରଦାକୁ ଭେଦ କରି ସଂସାରର ପ୍ରକୃତ ଛବି ଦେଖିବା ଅସମ୍ଭବ । ବାରମ୍ବାର ଜନ୍ମ – ମୃତ୍ୟୁ ପ୍ରକ୍ରିୟାରେ ପତିତ ନ ହୋଇ ନିସ୍ତାର ପାଇବାର ମାର୍ଗ ବଡ ଦୁର୍ଗମ ଓ ଏଥିନିମିତ୍ତ ଜ୍ଞାନ ଚକ୍ଷୁର ଉନ୍ମୋଚନ ଏକାନ୍ତ ଆବଶ୍ୟକ ଅଟେ । ତେଣୁ ପରମେଶ୍ୱରଙ୍କ କୃପା ଭିକ୍ଷା ପାଇବାକୁ ଅକ୍ଳାନ୍ତ ଉଦ୍ୟମ ବାଞ୍ଛନୀୟ । ସତ୍‍କର୍ମ, ସତ୍‍ ଚିନ୍ତନ, ଲାଳସା ଓ ଅହଂକାର ଶୂନ୍ୟତାରେ ମାୟାର ବନ୍ଧନ ଚ୍ଛିନ୍ନ ହୋଇଚାଲେ । ମନ ଓ ପ୍ରାଣ ଜାଗତିକ ସ୍ତରରେ ନିବଦ୍ଧ ହୁଏ । ଏ ବ୍ୟକ୍ତି ମୃତ୍ୟୁ ସନ୍ନିକଟରେ କୌଣସି କାମନାର ବଶବର୍ତ୍ତୀ ହୋଇନଥାଏ । ଫଳରେ ତା’ପାଇଁ ନିଷ୍କ୍ରିୟ ହୋଇଯାଏ ଜନ୍ମ – ମୃତ୍ୟୁର ତାଣ୍ଡବତା । ଜୀବନର ମୁକ୍ତି ମାର୍ଗ ସୁଗମ ହୁଏ ।

ଏ ବିଶ୍ୱର ସ୍ଥୂଳରୁ ସୂକ୍ଷ୍ମ ସ୍ତର ଯାଏ, ଅର୍ଥାତ୍‍ ଗ୍ୟାଲାକ୍ସିରୁ ଇଲେକ୍‍ଟ୍ରନ୍‍ ଯାଏ ଏକ ପ୍ରକାର ପ୍ରକ୍ରିୟାରେ ଜଡିତ । ତାହା ହେଲା ଘୂର୍ଣ୍ଣନରତ । ସେହିପରି ମଧ୍ୟ ପୃଥିବୀରେ ଘୂର୍ଣ୍ଣନ ପ୍ରକ୍ରିୟା ଅହରହ ଚାଲିଛି, ଯଥା – ଜଳଚକ୍ର, ଋତୁଚକ୍ର, ଦିବା – ରାତ୍ରି ଚକ୍ର, ଜନ୍ମ – ମ୍ରୁତ୍ୟୁ ଚକ୍ର ……… ଇତ୍ୟାଦି । ତନ୍ମଧ୍ୟରୁ ଯେକୌଣସି ଚକ୍ରକୁ ଉପରୋକ୍ତ ଜୀବନ ତତ୍ତ୍ୱ ସହ ସଂଶ୍ଳିଷ୍ଟ କରାଯାଇପାରେ । ଜଳଚକ୍ର ପ୍ରକ୍ରିୟାରେ ଜଳ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରେ । ପ୍ରଥମେ ଏହା ନଦୀ, ପୋଖରୀ, ସରୋବର, ହ୍ରଦ, ସାଗର …. ଇତ୍ୟାଦିରେ ପ୍ରାୟ ତରଳାବସ୍ଥାରେ ଥାଏ । ସୂର୍ଯ୍ୟକିରଣ ଦ୍ୱାରା ଜଳ ବାଷ୍ପୀଭୂତ ହୋଇ ଗ୍ୟାସୀୟାବସ୍ଥାକୁ ଯାଏ । ଜଳୀୟବାଷ୍ପ ଉର୍ଦ୍ଧ୍ୱଗାମୀ ହୋଇ ଆକାଶରେ ମେଘ ବା ବାଦଲ ରୂପେ ଆଚ୍ଛାଦିତ ହୋଇ ରହିଥାଏ । କ୍ରମେ ଶୀତଳୀକରଣର ପ୍ରଭାବରୁ ବାଦଲ ଘନୀଭୂତ ହୁଏ ଓ ପୃଥିବୀ ଅଭିମୁଖେ ବରଷେ । କବିବର ରାଧାନାଥ ରାୟ ‘ବର୍ଷା’ କବିତାରେ କହିଛନ୍ତି – “ବର୍ଷନ୍ତି ମହୀମୁଖେ ନଇଁ ଅମ୍ବୁଦେ – ବିଦ୍ୟା ସମ୍ପଦେ ଯଥା ବିନୟୀ ବୁଧେ” । ଅର୍ଥାତ୍‍ ଜଳ ପୁନଃ ତରଳାବସ୍ଥାକୁ ପ୍ରତ୍ୟାବର୍ତ୍ତନ କରେ । ଯେହେତୁ ଏହା ଏକ ଚକ୍ରାକାର ପ୍ରକ୍ରିୟା, ତେଣୁ ଏହାକୁ ଜଳଚକ୍ର କୁହାଯାଏ ।

ତେବେ ଜଳଚକ୍ର ଓ ଜନ୍ମ – ମୃତ୍ୟୁ ଚକ୍ର ମଧ୍ୟରେ ସାମଞ୍ଜସ୍ୟ ଥିବାର ପରିଲକ୍ଷିତ ହୁଏ । ଜଳକଣାମାନ ପୃଥିବୀ ପୃଷ୍ଠରେ ପତିତ ହୋଇ ନଦୀ , ସରୋବର ଆଦି ଖାଲୁଆ ସ୍ଥାନକୁ ଭରିଦିଏ, ଯାହା ଜନ୍ମ ହେବାର କଳ୍ପନା ମନରେ ଜଗାଏ । ବାଷ୍ପୀଭୂତ ହୋଇ ଉର୍ଦ୍ଧ୍ୱକୁ ଧାବନ କରିବାକୁ ମୃତ୍ୟୁ ସହ ତୁଳନା କରାଯାଇ ପାରେ । ମୃତ୍ୟୁଲୋକ ବା ବାଦଲଲୋକରୁ ବର୍ଷା ରୂପେ ପୁନର୍ଜନ୍ମ, ବାଷ୍ପ ରୂପେ ପୁନର୍ମୃତ୍ୟୁ…… ଘଟିଚାଲେ । କିନ୍ତୁ ଜଳର ଦୃଶ୍ୟମାନ ଲୀଳା ଖେଳାର ସ୍ଥାନ ହେଉଛି ଧରଣୀ ମାତାର କୋଳ । ଉଲ୍ଲାସିତ ହୋଇ ଜଳଧାରା ସାଗରରେ ମିଳିତ ହେବାକୁ ଧାଏଁ, ଯେପରି ଆତ୍ମା ପରମାତ୍ମା ସହ । ପରନ୍ତୁ ବିଶାଳ ସାଗର ବକ୍ଷରୁ ଅଜସ୍ର ଜଳୀୟକଣା ବାଷ୍ପୀଭୂତ ହୋଇ ଉର୍ଦ୍ଧ୍ୱଗାମୀ ହୁଅନ୍ତି  ଓ ବର୍ଷନ୍ତି ମଧ୍ୟ । ଏଠାରେ ସାଗର ପରମାତ୍ମାର ଭାବ ବହନ କରେ ଓ ଏହା ମା’ ଧରିତ୍ରୀଙ୍କ କୋଳର ଏକ ଅଂଶ ବିଶେଷ । ତେଣୁ କେଉଁ ଜଳ ଅଣୁ ବାରମ୍ବାର ଜନ୍ମ – ମୃତ୍ୟୁ ଚକ୍ରରେ ପତିତ ହୁଏ ଓ କେଉଁଟି ପରମାତ୍ମା ରୂପୀ ସାଗର ବକ୍ଷରେ ସମ୍ପୂର୍ଣ୍ଣ ମିଳିତ ହୋଇ ଆଦୌ ବାଷ୍ପୀଭୁତ ହେଉନି ଅର୍ଥାତ୍‍ ମୁକ୍ତିଲାଭ କରୁଛି, ତାହାର ହିସାବ ମାନବୀୟ ଜ୍ଞାନର ବହୁ ଉର୍ଦ୍ଧ୍ୱରେ । ସେହିପରି କେଉଁ ମାନବର ଆତ୍ମା କେଉଁ ସ୍ଥାନ ଓ କେଉଁ ମାତାର ଗର୍ଭରେ ସ୍ଥାନ ପାଇଲା ଏବଂ କିଏ ମୁକ୍ତି ପାଇଲା ତା’ର ହିସାବ ନିକାଶ ସେଇ ବିଶ୍ୱ ନିୟନ୍ତ୍ରକଙ୍କ ପାଖରେ । ପ୍ରତ୍ୟେକ ପାର୍ଥିବ ସୃଷ୍ଟି ପଛରେ କର୍ତ୍ତା ବିଦ୍ୟମାନ ଓ ଦୃଶ୍ୟମାନ । କିନ୍ତୁ ଏ ମହାଜଗତିକ ସୃଷ୍ଟି ପଛରେ ନିଶ୍ଚୟ ଜଣେ କର୍ତ୍ତା ବିଦ୍ୟମାନ, ଯିଏ ଅଦୃଶ୍ୟ ଭାବେ ସର୍ବତ୍ର ବିଦ୍ୟମାନ, ଅର୍ଥାତ୍‍ “ସକଳ ଘଟେ ନାରାୟଣ” । ଏହାହଁ ଶାସ୍ତ୍ର ସମୁହର ପରିଭାଷା । ତେଣୁ ବାରମ୍ବାର ଜନ୍ମ, ମୃତ୍ୟୁ, ଜନନୀ ଜଠରେ ପତନ ଆଦିରୁ ମୁକ୍ତି ନିମିତ୍ତ ନିଜ ମଧ୍ୟେ ଓ ସଭୀଙ୍କ ମଧ୍ୟେ ନାରାୟଣଙ୍କ ସତ୍ତାର ଅନୁଭବ ସର୍ବାଦୌ ବାଞ୍ଛନୀୟ ଅଟେ । ଏହା ପିପାସା ବିହୀନ ଶୃଙ୍ଖଳିତ ମାନବୀୟ କର୍ମ ଓ ଆତ୍ମଜ୍ଞାନର ଅଭିବୃଦ୍ଧିରୁ ହିଁ ପ୍ରାପ୍ତ ହୋଇଥାଏ ।

******************************************************************

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help