ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ – ଦ୍ୱିତୀୟ ସ୍ତବକ
ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ – ଦ୍ୱିତୀୟ ସ୍ତବକ
ନକୁଳ ଚ଼ରଣ ମଲିକ୍,
ଅବସରପ୍ରାପ୍ତ ଆସୋସିଏଟ୍ ପ୍ରଫେସର, ପଦାର୍ଥ ବିଜ୍ଞାନ,
ମଡେଲ୍ ଡିଗ୍ରୀ କଲେଜ, ନବରଙ୍ଗପୁର , ଓଡ଼ିଶା ।
ମୋହମୁଦ୍ଗର ସ୍ତ୍ରୋତର ଦ୍ୱିତୀୟ ଶ୍ଳୋକରେ ସ୍ଥାନପାଇଛି – “ଜୀବନର ପରିଭାଷାରେ ଧନ ଅର୍ଜନର ଲାଳସା” । ଧନହିଁ ଜୀବନର ମୂଳାଧାର ଚକ୍ର ଓ ଧନାର୍ଜନ ବିନା ନିଜସ୍ୱ ସ୍ଥିତି ବଜାୟ ରଖିବା ଅତ୍ୟନ୍ତ କଠିନ ଅଟେ । ତେଣୁ ମାନବ ସମାଜକୁ ଧନାର୍ଜନ ସମ୍ବନ୍ଧରେ ଏହି ଶ୍ଳୋକ ସାତ୍ତ୍ୱିକ ଦିଗ୍ଦର୍ଶନ ଦିଏ , ଯଥା –
ମୂଢ ଜହୀହି ଧନାଗମ ତୃଷ୍ଣା – କୁରୁ ସଦ୍ବୁଦ୍ଧିଂ ମନସି ବିତୃଷ୍ଣାଂ
ୟଲ୍ଲଭସେ ନିଜ କର୍ମୋପାତମ୍ – ବିତ୍ତଂ ତେନ ବିନୋଦୟ ଚିତ୍ତମ୍ ….. (୨)
ଅଜସ୍ର ଧନ ସମ୍ପତିର ମାଲିକ ହେବାର ତୃଷ୍ଣାରୁ ନିଜକୁ ମୁକ୍ତ କରି ହୃଦୟ ସାଗରକୁ ନିର୍ମଳ କରିବା ସହ ସତ୍ ମାର୍ଗରେ ଉପାର୍ଜିତ ଧନରେ ପୂର୍ଣ୍ଣ ସନ୍ତୁଷ୍ଟତା ଲଭିବା ହେଉଛି ଏହାର ବାଣୀ । ଯେଉଁମାନେ ଏହାର ବିପରୀତରେ ଧାବମାନ, ସେମାନଙ୍କୁ ଶ୍ରୀ ଶଙ୍କର ‘ମୂଢ’ ବୋଲି ସମ୍ବୋଧନ କରିଛନ୍ତି । ସୃଷ୍ଟିରେ କେହି ଶ୍ରୀହୀନ ହେବାକୁ ଚାହାନ୍ତି ନାହିଁ ଓ ଏହା ଯଥାର୍ଥ ଅଟେ । କିନ୍ତୁ ଏହାର ପରିମାଣ ବୃଦ୍ଧି ନିମନ୍ତେ ଅଦମ୍ୟ ପିପାସାଯୁକ୍ତ ମାନବଙ୍କୁ ‘ମୂଢ’ ରୂପେ ବିବେଚନା କରାଯାଏ । ମାନବୀୟ ଧର୍ମର ସୀମା ମଧ୍ୟରେ ରହି ବିତ୍ତ ଉପାର୍ଜନ କରିବା ହେଉଛି ସୃଷ୍ଟିର ଇଛା ଓ ଏହା କସ୍ମିନ କାଳେ ଲୋଭଯୁକ୍ତ ହେବା ଉଚିତ ନୁହେଁ । ସାଧୁ – ସନ୍ଥ ମାନଙ୍କଠୁ ଆରମ୍ଭ କରି ସଂସାରିକ ପରିବେଷ୍ଟନୀକୁ ଏହା ବୁଝାଏ ।
ଏ ବସ୍ତୁବାଦ ଦୁନିଆରେ ଯାହା ଅନେକାଂଶ କ୍ଷେତ୍ରରେ ପରିଲକ୍ଷିତ ହୁଏ ତାହାର ପର୍ଯ୍ୟାଲୋଚନା ହିଁ ବାସ୍ତବତା ଅଟେ । କ୍ରମେ କ୍ରମେ ଧନାୟତ୍ତ କରିବାର ମାର୍ଗ ଭୟଙ୍କର ରୂପ ଧାରଣ କରୁଛି । ଏହାପାଇଁ ଚୋରୀ, ଡକାୟତି, ଦୁର୍ନୀତି, ଜୀବନ ସଂହାର, ବହୁ ରୂପୀୟ ଆର୍ଥିକ ଅପରାଧର ସୀମା ନାହିଁ । ଏହାର ପଛରେ ନିହିତ ଅଛି ମାତ୍ରାଧିକ ଅର୍ଥ ଲାଳସା । ମାନବ ଭାବୁଛି ଯେ, ଏକ ଦୃଷ୍ଟାନ୍ତମୂଳକ ଜୀବନ ଯାପନ ନିମିତ୍ତ ତା’ର ସୀମିତ ଆର୍ଥିକ ସମ୍ବଳ ସହାୟକ ହୋଇ ପାରିବ ନାହିଁ । ତେଣୁ କଳେବଳେ ଓ କଉଶଳେ ଅନ୍ୟର ସମ୍ପତିକୁ କରାୟତ୍ତ କରିବାକୁ ପଡିବ । ପୁନଃ ପୁନଃ ଅସଫଳତା ମାନବକୁ ନେଇଯାଏ ହିଂସାତ୍ମକ ମାର୍ଗର ଶେଷ ସୀମାକୁ, ଯେଉଁଠାରେ ତା’ର ବିଲୟ ଘଟିଥାଏ । ମାନବୀୟ ମାନସିକତା ଏକ ନିର୍ଦ୍ଦିଷ୍ଟ ପରିମାପକର ଆବଶ୍ୟକତାକୁ ଗ୍ରହଣ କରିପାରେନାହିଁ । ସେଥିପାଇଁ ସେ ଅପରାଧ କରିଚାଲେ । କିନ୍ତୁ ଦୁଃଖ, ଦାରିଦ୍ର୍ୟ……. ପରିବେଷ୍ଟନୀର ଘେରରୁ ନିର୍ଗତ ହୋଇ ଭୟଙ୍କର ଆର୍ଥିକ ଅପରାଧରେ ଜଡ଼ିତ ହେବା କ୍ୱଚିତ୍ ଦେଖାଯାଏ । ‘ଧନ’ କେବଳ ଅର୍ଥକୁ ବୁଝାଏନି , ବରଂ ଏହା ବିଳାସ ବ୍ୟସନର ସମଷ୍ଟି ଅର୍ଥାତ୍ ବସ୍ତୁବାଦିତାକୁ ମଧ୍ୟ ବୁଝାଏ । ନିଜକୁ ବିଳାସର ମାପକାଠିକୁ ବୁଝାଉଥିବା ବସ୍ତୁବାଦ ଦୁନିଆଁରେ ସମ୍ପୂର୍ଣ୍ଣ ରୂପେ ଜଡ଼ିତ କରାଇବାହିଁ ଲୋଭାସକ୍ତର ବାସ୍ତବ ରୂପରେଖ , ଯାହା ସୀମାହୀନ ଅଟେ । ତେଣୁ ନିଜକୁ ଲୋଭରୁ ମୁକ୍ତ ରଖି ନିଜ ଅର୍ଜିତ ସତ୍ ଅର୍ଥରେ ଏକ ସୁସ୍ଥ – ସୁନ୍ଦର ଜୀବନ ଯାପନ କରିବା ବିଧେୟ । ଅବିଶ୍ରାନ୍ତ ମନ ଲୋଭ ତ୍ୟାଗର ଶୂନ୍ୟତାକୁ ଈଶ୍ୱରୀୟ ଚେତନାରେ ଭରି ରଖିବାର ଯଥାର୍ଥତାକୁ ଗୁରୁତ୍ୱ ଦିଆଯାଇଛି । ଏହା ମାନବର ଦିବ୍ୟ ଶକ୍ତି ସ୍ତରକୁ କ୍ରିୟାଶୀଳ କରେ ଓ ସେ ନିଜ ସତ୍ ଅର୍ଜିତ ଧନରୁ କିଛି ନିରାଶ୍ରୟ, ଦୁଃଖୀ, ଦରିଦ୍ର ଆଦିଙ୍କ ମଧ୍ୟରେ ବଣ୍ଟନ କରେ, ଯାହା ସୃଷ୍ଟିର ମୂଳ ଉଦ୍ଦେଶ୍ୟକୁ ନିଶ୍ଚିତ ରୂପେ ସହାୟକ ହୁଏ ।
ଏତାଦୃଶ ଭଗବଦ୍ ଚେତନା ସହ ଯଦି ବିଜ୍ଞାନର ଏକ ମୂଳତତ୍ତ୍ୱକୁ ସଂଯୁକ୍ତ ପୂର୍ବକ ସମାନ୍ତରାଳ ବିଶ୍ଳେଷଣ କରାଯାଏ, ତେବେ ସେ ତତ୍ତ୍ୱ ବସ୍ତୁ ବିଜ୍ଞାନ ଓ ଆଧ୍ୟାତ୍ମିକତା ମିଶ୍ରଣର ସମନ୍ୱୟତାରେ ସମାଜ ମଙ୍ଗଳକାରୀ ବାର୍ତ୍ତା ପ୍ରବାହର ଉତ୍ସ ହୋଇପାରେ । ଏଠାରେ ସାର୍ ଆଇଜାକ୍ ନିଉଟନ୍ଙ୍କ ଗତି ତତ୍ତ୍ୱକୁ ଅନ୍ତର୍ଭୁକ୍ତ କରାଇ ଏହାର ଆଧ୍ୟତ୍ମିକୀକରଣକୁ ଏକ ପ୍ରଚେଷ୍ଟା ମାତ୍ର କରାଯାଛି । ଉଦ୍ଦେଶ୍ୟ ଓ ଚିନ୍ତା ଗଠନମୂଳକ ହେଲେ ପଥ ଉନ୍ମୁକ୍ତ ହେବାହିଁ ନିୟତିର ଇଛା । ଏ ଗତିଶୀଳ ଜଗତରେ ଗତିବିଜ୍ଞାନର ମୂଳତତ୍ତ୍ୱକୁ ନିଉଟନ୍ ତିନି ରୂପରେ ପ୍ରକାଶ କରିଛନ୍ତି । ତିନୋଟି ନିୟମରେ ଭିନ୍ନତା ଓ ସମନ୍ୱୟତା ରହିଛି । ପ୍ରଥମ ନିୟମ ବସ୍ତୁର ସ୍ଥିର ଓ ଗତିଶୀଳ ଅବସ୍ଥାକୁ ବୁଝାଏ । ବାହ୍ୟବଳ(External Force) ପ୍ରୟୋଗ ନ ହେବା ଯାଏ ବସ୍ତୁର ସ୍ଥିରାବସ୍ଥା ବା ସ୍ଥିରତାର ଜଡ଼ତ୍ୱ (Inertia of Rest) ରେ ପରିବର୍ତ୍ତନ ସମ୍ଭବ ନୁହେଁ । ସେହିପରି ବାହ୍ୟବଳ ବିନା ସମ ଗତିଶୀଳ ଅବସ୍ଥା ବା ଗତିର ଜଡ଼ତ୍ୱ (Inertia of Motion)ରେ ପରିବର୍ତ୍ତନ ସମ୍ଭବ ନୁହେଁ ଅର୍ଥାତ୍ ବସ୍ତୁର ଗତି ଓ ଦିଗ ଅପରିବର୍ତ୍ତୀତ ରହେ । ଏଠାରେ ବସ୍ତୁର ଗତିଶୂନ୍ୟ, ଗତିଶୂନ୍ୟରୁ ଗତିଯୁକ୍ତ ଓ ଗତିଯୁକ୍ତରୁ ଗତିହୀନ ଅବସ୍ଥା ଘଟିବାରେ ବଳହିଁ ମୂଖ୍ୟ ଉପାଦାନ(Agent) ଅଟେ । ଏହା ବଳର ଗୁଣବତ୍ତା(Qualitative) ଉପରେ ଆଧାରିତ ତତ୍ତ୍ୱକୁ ପରିପ୍ରକାଶ କରେ । ଜଡ଼ତ୍ୱକୁ ମଧ୍ୟ ଅଳସୁଆମୀର ପ୍ରତିବିମ୍ବ କୁହାଯାଇପାରେ । ସେହିପରି ମନ, ଚେତନା, ଅବଚେତନା, ଷଡରୀପୁ, ଉର୍ଜା ଆଦିର ପରିଭାଷାରେ ନିଉଟନ୍ଙ୍କ ପ୍ରଥମ ନିୟମକୁ ବୁଝିବାର ଏହା ଏକ ପ୍ରଚେଷ୍ଟା ମାତ୍ର ।
ମନ ଲଗାମଛଡା ଘୋଟକ ସଦୃଶ ଗତିଶୀଳ ଓ ବାରମ୍ବାର ପରିବର୍ତ୍ତନଶୀଳ ଅଟେ । ଏହା ବସ୍ତୁତ୍ୱହୀନ ଓ ଅଦୃଶ୍ୟ, କିନ୍ତୁ ବହୁବିଧ ଚେତନାର ବଶବର୍ତ୍ତୀ ହୋଇ ଘଟକୁ କ୍ରିୟାଶୀଳ କରିଥାଏ । ପୁନଶ୍ଚ ଉର୍ଜାର ସ୍ୱରୂପ, ଯଥା – ଆଲୋକ, ଶବ୍ଦ,…… ଆଦି, ଷଡରିପୁ, ଚଳତ୍ ଓ ଜଡ଼ ଘଟଧାରୀ , ସାମାଜିକ ପାରସ୍ପରିକତା ଇତ୍ୟାଦିର ପ୍ରଭାବରେ ମଧ୍ୟ ପ୍ରଭାବିତ ହୋଇଥାଏ, ଯାହା ନିଜର ମାନସିକ ଏବଂ ଶାରୀରିକ ସ୍ଥିତିର ସମ୍ବେଦନଶୀଳତା ଉପରେ ନିର୍ଭରଶୀଳ । ଏହାହିଁ ମନର ବାହ୍ୟବଳ ପ୍ରୟୋଗର ଏକ ଏକ ଉପାଦାନ । ଏତାଦୃଶ ସମାହାରରୁ ମନ ଯାହା ଗ୍ରହଣ କରେ, ତାହା ତା’ର ଗତି ଓ ଦିଗର ଇନ୍ଧନ ରୂପେ କାର୍ଯ୍ୟ କରିଥାଏ ।
ମନ ଯଦି କିଛି ଗ୍ରହଣ କରେନି ଓ ବାହ୍ୟ ପ୍ରକ୍ରିୟାମୁକ୍ତ ହୁଏ, ତେବେ ଏହା ସ୍ଥିରତାର ଜଡ଼ତ୍ୱକୁ ବୁଝାଏ । ନିଜ ମନକୁ ଦୃଢ ରଖି ସ୍ଥିର ନିଶ୍ଚିତ ହୋଇ ଲକ୍ଷ୍ୟସ୍ଥଳକୁ ଲୟ ରଖିବା ହେଉଛି ଏହାର ଏକ ଉଦାହରଣ । ଦେବ,ଦାନବ, ମାନବମାନେ ତପସ୍ୟାରେ ଲୀନ ହେବା ଓ ସମାଧିସ୍ଥ ହୋଇ କୌଣସି ଏକ ଉଚ୍ଚଶକ୍ତି ଉତ୍ସକୁ ନିଜ ମନ ତରଙ୍ଗ ଦ୍ୱାରା ବାରମ୍ବାର କମ୍ପନ ସୃଷ୍ଟି ପୂର୍ବକ ପର୍ଯ୍ୟାପ୍ତ ଶକ୍ତିରୂପୀ ଧନ ପ୍ରାପ୍ତିର କାରଣ ହୋଇଥାନ୍ତି, ଯାହା ପୁରାଣ ବ୍ୟାଖ୍ୟା କରେ । ତୃଷ୍ଣାର ଦିଗ ଅନୁସାରେ ପ୍ରାପ୍ତ ଶକ୍ତିର ବିନିଯୋଗ ହୁଏ । ଗଠନମୂଳକ ତୃଷ୍ଣାରେ ପ୍ରାପ୍ତ ଶକ୍ତିର ସୁବିନିଯୋଗ ହୁଏ ଓ ସମାଜର ଅଶେଷ ମଙ୍ଗଳ ହୁଏ । କିନ୍ତୁ ଉଦ୍ଦେଶ୍ୟ ଲାଳସାଯୁକ୍ତରେ ଶକ୍ତିରୂପୀ ଧନର ଅପବ୍ୟବହାର ହୁଏ ଓ ସୀମିତ ସମୟ ମଧ୍ୟରେ ଏହା ନିଃଶେଷ ହୋଇଯାଏ । ଏହି ସମୟ ମଧ୍ୟରେ ଏହା ସମାଜର ପ୍ରଭୂତ କ୍ଷତି ସାଧନକରି ସୃଷ୍ଟିର ମୂଳ ଲକ୍ଷ୍ୟରେ ଘୋର ବିଭ୍ରାଟ ସୃଷ୍ଟି କରେ । ଦେଖାଯାଏ ମାନବ ସାଂସାରିକ ମୋହମାୟାରେ ଜଡ଼ିତ ହୋଇ ନିଜର ହୀନ ଅଭିଳାଷମାନ ପୂରଣ କରିବାପାଇଁ ଚଳଚଞ୍ଚଳ ପୂର୍ବକ ଅତିବ ସ୍ୱାର୍ଥପର ହୋଇଉଠେ । ଏଠାରେ ଗତିଶୀଳ ଓ କ୍ଷଣକ୍ଷଣକେ ଦିଗ ପରିବର୍ତ୍ତନ ମନଯୁକ୍ତ କାୟାହିଁ ଗତିର ଜଡ଼ତ୍ୱକୁ ବୁଝାଏ । ବାହ୍ୟ ପ୍ରଭାବ ଅର୍ଥାତ୍ ପରଶ୍ରୀକାତରତା ଆଦିର ଭିନ୍ନ ଭିନ୍ନ ଝଲକରେ ମତିଭ୍ରମ ଅନ୍ଧପ୍ରାୟ ମାନବ ନିଜ ସ୍ୱାର୍ଥ ସାଧନରେ ବ୍ରତୀ ହୋଇ ସମାଜରେ ନାରକୀୟ ଘଟଣାମାନ ଘଟାଇବାରେ କାରଣ ସାଜେ । ସବୁରି ପଛରେ ଅସଦ୍ ଉପାୟରେ ଧନ ଅର୍ଜନ, ଧନ ସଞ୍ଚୟ, ସ୍ୱପ୍ରତିଷ୍ଠା, ଉପଭୋଗର ଗଭୀର ତୃଷ୍ଣାଦିରେ ମନ ନିହିତ ଥାଏ । ପୁଣି କଥାରେ ଅଛି “ଅଳପ ଧନ – ବିକଳ ମନ”, ଅର୍ଥାତ୍ ଧନ ବା ଅର୍ଥ ଉପାର୍ଜନ କରିବାର ଦୁର୍ବାର ଓ ଅନ୍ତଃହୀନ ପିପାସା । ଏହା ସମଗତି ଅବସ୍ଥା(State of Uniform Motion) ନୁହେଁ, କାରଣ ଏତାଦୃଶ ପ୍ରଭାବରେ ଜର୍ଜରିତ ମନର ଗତି ଓ ଦିଗର ସ୍ଥିରତା ନଥାଏ । ପୁନଶ୍ଚ ନିର୍ମଳ ମନଯୁକ୍ତ ମାନବ ନିଜର ସତ୍ଅର୍ଜିତ ଧନରୁ କିୟଦ୍ଅଂଶ ବୁଭୁକ୍ଷୁଙ୍କୁ ସମର୍ପଣ କରିବାର ଭାବ ମଧ୍ୟ ଜାଗ୍ରତ ହୁଏ । ଏଥିରୁ ଦିବ୍ୟାନନ୍ଦ ପ୍ରାପ୍ତ ହୁଏ ଓ ଏହାର ବୃଦ୍ଧି ଘଟିବାର ପଥ ଧିରେଧିରେ ଉନ୍ମୁକ୍ତ ହୋଇଥାଏ । ମନ ମହାମାନବୀୟତା ସ୍ତରକୁ ସ୍ପର୍ଶ କରିବାକୁ ଧାଇଁଚାଲେ ଓ ବାହ୍ୟପ୍ରବାହ ବାଧକ ସାଜିବାରେ ଅସମର୍ଥ ହୁଅନ୍ତି । ଏହାହିଁ ସମଗତି ଅବସ୍ଥାର ଉଦାହରଣ ଅଟେ ।
ଗତିତତ୍ତ୍ୱର ଦ୍ୱିତୀୟ ନିୟମରେ ବାହ୍ୟବଳର ପରିମାଣକୁ ବସ୍ତୁର ସେକେଣ୍ଡ ପ୍ରତି ଗତିବଳ (Momentum) ବଦଳିବାକୁ ବୁଝାଏ ( F = dp/dt) । ପୁଣି ବସ୍ତୁର ଗତିବଳ ହେଉଛି ଏହାର ବସ୍ତୁତ୍ୱ(m) ଓ ପରିବେଗ (v)ର ଗୁଣଫଳ( p=mv) । ଏଠାରେ v << c ଓ c = ଆଲୋକର ସେକେଣ୍ଡ ପ୍ରତି ବେଗ । ଏହି ନିୟମ ମଧ୍ୟ କହେ ଯେ, ବାହ୍ୟବଳହିଁ ବସ୍ତୁର ବସ୍ତୁତ୍ୱ ଓ ଏହାର ତ୍ୱରଣ (a)ର ଗୁଣଫଳ( F = ma) ଅଟେ । ଯଦି ଏକ ଭାରୀ ବସ୍ତୁ ଓ ଏକ ହାଲୁକା ବସ୍ତୁର ବେଗ ସମାନହୁଏ, ଗତିବଳ ଭାରୀବସ୍ତୁର ଅଧିକ ହୁଏ । ସେହିପରି ସମାନ ବଳ ଭାରୀବସ୍ତୁକୁ ହାଲୁକା ବସ୍ତୁ ଠାରୁ କମ୍ ତ୍ୱରାନ୍ୱିତ କରେ । ଯଦି ବାହ୍ୟବଳର ପ୍ରଭାବରୁ ବସ୍ତୁଟି ମୁକ୍ତ, ତେବେ ଏହା ଏକ ବିଚ୍ଛିନ୍ନ ସମାବେଶ (Isolated System)କୁ ବୁଝାଏ । ଏହା ନିଜସ୍ୱ ଦୁନିଆଁରେ ସ୍ଥିର ବା ବିଚରଣ ଅର୍ଥାତ୍ ସ୍ଥିରତାର ଜଡ଼ତ୍ୱ ବା ଗତିର ଜଡ଼ତ୍ୱ ଅଟେ । ଏହା ଯଥାକ୍ରମେ ପରିବେଗ (v) ବା ଗତିବଳ (mv) ବିହୀନ ଓ ସମପରିବେଗ(Uniform Velocity) ବା ସମଗତିବଳଯୁକ୍ତ ଅଟେ । ଉଭୟ କ୍ଷେତ୍ରରେ ବସ୍ତୁ ତ୍ୱରଣହୀନ ଅଟେ । ତେଣୁ ନିଉଟନ୍ଙ୍କ ଦ୍ୱିତୀୟ ନିୟମରେ ପ୍ରଥମ ନିୟମ ଅନ୍ତର୍ଭୁକ୍ତ ଅଟେ । ଏହି ତତ୍ତ୍ୱକୁ ଭାବଯୁକ୍ତ କରି ଅର୍ଥ ଲାଳସା ସହ ଜଡିତ କରାଇଲେ ଏହା ନିଶ୍ଚିତରୂପେ ବିଜ୍ଞାନଭିତ୍ତିକ ତତ୍ତ୍ୱରୁ ସାମାଜିକ ରୂପକୁ ବଦଳିଯିବ । ବସ୍ତୁ ଉପରେ ବାହ୍ୟବଳର ପ୍ରଭାବ ସଦୃଶ ମନ ଉପରେ ବିଭିନ୍ନ ପ୍ରକାର ପ୍ରଭାବକୁ ଚିନ୍ତା କରାଯାଇପାରେ । ଯେମିତି ବସ୍ତୁର ଗତିବଳ଼ ସମୟ଼ର ଏକକରେ ବଦଳ଼ିବା କିମ୍ବା ଏହାର ତ୍ୱରଣରେ ବଦଳିବା ବାହ୍ୟବଳ ଉପରେ ନିର୍ଭରଶୀଳ, ସେହିପରି ମନ ବାହ୍ୟ ପରିବେଷ୍ଟନୀର ମାୟାଜାଲରେ ପରିବର୍ତ୍ତନଶୀଳ ଅଟେ । ବାହ୍ୟବଳର ମାତ୍ରା ବୃଦ୍ଧିରେ ବେଗ, ଗତିବଳ ଓ ତ୍ୱରଣ ଆଦି ବୃଦ୍ଧିପାଏ । ସେହିପରି ବନ୍ଧନର ଘେର ବୃଦ୍ଧିରେ ମାନସିକ ଚାପ ବଢେ ଓ ମନର ତୃଷ୍ଣା ଅସୀମିତ ହୁଏ । ମନ ତ୍ୱରାନ୍ୱିତ ବେଗରେ ଶରୀରକୁ ଅସ୍ତବ୍ୟସ୍ତ କରେ ତୃଷ୍ଣା ମେଣ୍ଟାଇବାକୁ । ବସ୍ତୁର ବେଗ ଆଲୋକର ବେଗ ଯାଏ ନିର୍ଦ୍ଧାରିତ, କିନ୍ତୁ ମନର ବେଗ ଅଲୋକର ବେଗଠୁଁ କେତେଗୁଣଯେ ଅଧିକ ତାହା ଏ ଯାଏ ଅଜଣା । ଏହି କ୍ଷେତ୍ରରେ ମନର ଗତି ତ୍ୱରାନ୍ୱିତ ହେଲେ ତାହା ଆଲୋକର ବେଗଠାରୁ ଆହୁରି ଅତି ମାତ୍ରାରେ ବୃଦ୍ଧି ପାଇବ । କିନ୍ତୁ ମନ ଶରୀର ସହ ଯୁକ୍ତ ଅଟେ । ତେଣୁ ଶରୀର ଧନ ଏବଂ ଭୋଗ ବିଳାସ ପାଇଁ ଅତିବ କ୍ରିୟାଶୀଳ ହୋଇ ନିଜର ସନ୍ତୁଳନତା ହରାଇ ବସିବ । ତେଣୁ ସେ ପ୍ରକୃତିର ଇଛା ବିରୁଦ୍ଧରେ କାର୍ଯ୍ୟ କରି ଚାଲିବ । ବିନା ଶୋଚନା ଓ ବାଛ ବିଚାରରେ ଯେତେ ଅପକର୍ମ, କୁକର୍ମ, ଦୁଃଷ୍କର୍ମ …… ଆଦି କାର୍ଯ୍ୟ କରିବାକୁ ଆଗେଇବ । ଏହାର ବିପରୀତ ଦିଗ ଦର୍ଶାଏ ଯେ, ଷଡ଼ରିପୁର କ୍ରମଶଃ ଆୟତ୍ତାଧୀନ ନିମିତ୍ତ ଯୋଗାଭ୍ୟାସ ରୂପୀ ବାହ୍ୟବଳ ତ୍ୱରାନ୍ୱିତ ମନକୁ ମନ୍ଦାନ୍ୱିତ (Retarding) କରିବ । ଫଳତଃ ମାନବ ତୃଷ୍ଣାର ପରିସରକୁ ଧିରେଧିରେ ବିନାଶ କରିବାର ଶକ୍ତି ପ୍ରାପ୍ତ କରିବ । ଏପରି ଏକ ବେଳା ଆସିବ ସେ ଅନୁଭବ କରିବ -ତା’ର କିଛି ଦୁଃଖ ନାହିଁ, ଅର୍ଥାତ୍ ବୁଦ୍ଧଦେବଙ୍କ ପରମ ପବିତ୍ର ବାଣୀକୁ ସେ ମର୍ମେମର୍ମେ ଅନୁଭବ କରିବ ଯେ, “କାମନାର ବିନାଶରେ ଦୁଃଖର ବିନାଶ” । ସେ ସବୁ ନକରାତ୍ମକ ବାହ୍ୟ ପ୍ରଭାବରୁ ମୁକ୍ତ ହୋଇଯିବ । ଏହାହିଁ ବିଚ୍ଛିନ୍ନ ପରିବେଶ(Isolated System)ର ଦୃଷ୍ଟାନ୍ତ ଅଟେ, ଯାହା ନିଉଟନ୍ଙ୍କ ପ୍ରଥମ ନିୟମକୁ ମନେ ପକାଏ , ଯଥା – ସ୍ଥିରତାର ବା ଗତିର ଜଡତ୍ୱ ।
ନିଉଟନ୍ଙ୍କ ଗତିତତ୍ତ୍ୱର ତୃତୀୟ ନିୟମ କହେ – ” ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହୁଏ” । ଏ ବିଜ୍ଞାନବାଦର ପ୍ରମାଣ ପ୍ରତିକ୍ଷଣରେ ଭରି ରହିଛି । ତେବେ ଏହା ଆଧ୍ୟାତ୍ମିକ ଦର୍ଶନତତ୍ତ୍ୱ ମଧ୍ୟକୁ ପ୍ରବେଶ କଲେ ମନ, ଚେତନା ଆଦି କ୍ରିୟାର ଦାଇତ୍ୱ ବହନ କରିବେ । ମନ ଯାହା ଭାବେ, ତାହାକୁ କାର୍ଯ୍ୟରେ ପରିଣତ କରିବାକୁ ଚିନ୍ତା କରେ । ଏହାର ଭଲ ମନ୍ଦ ଦିଗକୁ ମଧ୍ୟ ଧ୍ୟାନଦିଏ । ମନର ଭାବନା କ୍ଷଣକ୍ଷଣକେ ବଦଳେ । ମନ ଉପରେ ଯେଉଁ ଦିଗର ପ୍ରଭାବ ଅଧିକ ରହେ କାର୍ଯ୍ୟ ସେହି ଦିଗକୁ ଢଳେ । ଅର୍ଥାତ୍ କାର୍ଯ୍ୟ ଗଠନମୂଳକ ବା ବିନାଶକାରକ ହୋଇପାରେ । ଏଥିରେ କୃତକାର୍ଯ୍ୟ ହେଲେ ବ୍ୟକ୍ତି ସେହି ମାର୍ଗରେ ଜଡ଼ିତ ରହେ । ଯଦି ପ୍ରତିକ୍ରିୟା ନଥାନ୍ତା ଏପରି ଘଟନ୍ତା ନାହିଁ, ଅର୍ଥାତ୍ ସାଧାରଣତଃ କୁପଥଗାମୀ କୁପଥରେ ଚାଲିଛି କିଛି ଭୟଙ୍କର ଝଟ୍କା ନ ପାଇବା ଯାଏ ଓ ସୁପଥରେ ସ୍ଥିର ବ୍ୟକ୍ତି ମତିଭ୍ରମରେ କ୍ୱଚିତ୍ ପଥ ପରିବର୍ତ୍ତନ କରନ୍ତି । ସେଥିପାଇଁ ତ ପ୍ରବାଦ ଅଛି -“ଉଚ୍ଚମନା ଉଚ୍ଚେ ଅମୃତ ଲଭଇ ନୀଚ୍ଚମନା ପାଏ ବିଷ” । ତେବେ ଏ ପ୍ରତିକ୍ରିୟା କେଉଁଠୁ ଆସେ ? ତାହା ଜାଗତିକ ଉତ୍ସରୁ ହୋଇପାରେ ନିଶ୍ଚୟ । ଏହା ହୋଇପାରେ ଅଦେଖା ଓ ଅଜଣା । କିନ୍ତୁ ଅନୁଭବତାକୁ ଫାଙ୍କି ଦିଆଯାଇ ପାରିବ ନାହିଁ । ମନର ଚିନ୍ତନ ପ୍ରକ୍ରିୟାର ତରଙ୍ଗ ଜାଗତିକ ଉତ୍ସରେ ଯେଉଁ କମ୍ପନ ସୃଷ୍ଟି କରେ, ସେଠାରୁ ସେହି ଗୁଣର ପ୍ରତିଫଳିତ ତରଙ୍ଗରେ ବ୍ୟକ୍ତି ତରଙ୍ଗାୟିତ ହୁଏ । ତେଣୁ କାର୍ଯ୍ୟପନ୍ଥାର ରୂପରେଖ ତଦାନୁରୂପ ହୁଏ । ପ୍ରତ୍ୟେକ ମାର୍ଗରେ ଧାବିତ ହେବାର ପ୍ରକୃତିକୃତ ସୀମାରେଖା ରହିଛି ଓ ଏହା ପ୍ରାୟ ଶେଷ ପର୍ଯ୍ୟାୟରେ ଘଟେ । ତେଣୁ ଧନାର୍ଜନ ଓ ଏହାର ବିନିଯୋଗ ନିମିତ୍ତ ବ୍ୟକ୍ତିର ଯେଉଁ ମୂଳ ସଙ୍କଳ୍ପବଦ୍ଧତା ସନ୍ନିହିତ ହୋଇଥାଏ, ତାହା ପ୍ରାକୃତିକ ସୀମା ଟପିବା ପରେ, ତାହାର ବିପରୀତ ଦିଗରେ କ୍ଷଣକେ ପରିସମାପ୍ତ ଘଟେ । ଅର୍ଥାତ୍ ପାପଧନ ପ୍ରାୟଶ୍ଚିତରେ ଯାଏ । ସେହିପରି ଯଦି ସତ୍ମାର୍ଗରେ ଅର୍ଜିତ ଧନବୃଦ୍ଧିରେ ମନ ଲୋଭାଶକ୍ତ ହୁଏ ଓ ଅହଂକାରର ଶୀକାର ହୁଏ, ଏହାର ମଧ୍ୟ ଅପବ୍ୟୟତାର ମାର୍ଗ ଆପଣାଛାଏଁ ଉନ୍ମୁକ୍ତ ହୋଇଯାଏ । ପୁଣି ପ୍ରବାଦ ଅଛି – “ଏ ମନ ଭାବୁଥାଇ ଯାହା – କାଳେ ପ୍ରାପତ ହୁଏ ତାହା” । ଏହା ନିଉଟନ୍ଙ୍କ କ୍ରିୟା – ପ୍ରତିକ୍ରିୟା ତତ୍ତ୍ୱର ଆଧ୍ୟାତ୍ମିକ ଦିଗ ରୂପେ ପ୍ରତୀୟମାନ ହେଉଅଛି ।