ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ସପ୍ତବିଂଶତମ ସ୍ତବକ)
ଅର୍ଥମନର୍ଥ ଭାବ୍ୟ ନିତ୍ୟଂ -ନାସ୍ତିତତଃ ସୁଖଲେଶଃ ସତ୍ୟମ୍
ପୁତ୍ରାଦପି ଧନ ଭାଜାଂ ଭୀତିଃ – ସର୍ବତ୍ରୈଷା ବିହି ରୀତିଃ ।
ଶ୍ରୀ ଶଙ୍କର ଏ ଶ୍ଳୋକରେ ଜୀବନ ଧାରାର ଅନ୍ୟ ଏକ ସତ୍ୟକୁ ସମାଜ ସାମ୍ନାକୁ ଆଣିଛନ୍ତି । ଧନ ଦୌଲତକୁ ସେ ପ୍ରକୃତରେ ଆନନ୍ଦର ଉତ୍ସ ନୁହେଁ ବୋଲି ଚେତାଇ ଦେଇଛନ୍ତି । ଏହା ପ୍ରତି ମୂହୁର୍ତ୍ତରେ ଅବଚେତନ ଧାରାରେ ଆଚରଣ, ସ୍ୱଭାବ ଓ ମୁଖମଣ୍ଡଳରୁ ଅସ୍ତବ୍ୟସ୍ତତାର ଆଭାସ ପ୍ରତିଫଳିତ କରାଇଥାଏ । ଅଗାଧ ଧନ ସମ୍ପତିର ମାଲିକ ତା’ର ସୁରକ୍ଷା ନିମନ୍ତେ ଅହରହ ଚିନ୍ତାଗ୍ରସ୍ତ ରହି ବିଚଳିତ ହେଉଥାଏ । ଏପରିକି ଚୋରୀ, ଡକାୟତି, ପ୍ରାଣଭୟ ସହ ସେ ତା’ର ପୁତ୍ର, ଜାୟା ଆଦିଙ୍କୁ ମଧ୍ୟ ସନ୍ଦେହର ଘେର ଭିତରେ ଆବିଷ୍କାର କରି ଭୟଭୀତ ହୁଏ, କାଳେ ସେମାନେ ସବୁକୁ ବରବାଦ୍ କରିଦେବେ ! ତେଣୁ ସର୍ବତ୍ର ଧନ ଦୌଲତ ପାଇଁ ଚିନ୍ତାରେ ଦଗ୍ଧ ହେଉଥିବା ପ୍ରକ୍ରିୟା ଏହିପରି ଅଟେ ।
ଏହାକୁ ବିଜ୍ଞାନ ଭାଷାରେ ବ୍ୟାଖ୍ୟା ନିମିତ୍ତ ଅଦ୍ୟାବଧି ଆବିଷ୍କୃତ ମୌଳିକ ପଦାର୍ଥର ଆବର୍ତ୍ତକ ସାରଣୀ(Periodic Table)କୁ ବିଚାରକୁ ନିଆଯାଇପାରେ । ଏହି ସାରଣୀରେ ମୌଳିକ ଗୁଡିକୁ ସେମାନଙ୍କ ପାରମାଣବିକ ସଂଖ୍ୟା(Atomic Number),ଇଲେକ୍ଟ୍ରନ ସଜ୍ଜିତ ହୋଇ ରହିବାର ନିର୍ଦ୍ଦିଷ୍ଟ ପଦ୍ଧତି(Electronic Configuration) ଓ ରସାୟନିକ ଧର୍ମର ଆବର୍ତ୍ତୀ(Recurring Chemical Properties)କୁ ନେଇ ଏକ ସାରଣୀବଦ୍ଧ ପ୍ରଦର୍ଶନ(Tabular Display)କୁ ବୁଝାଏ । ସାରଣୀର ଗଠନ ଶୈଳୀ ଏକ ଆବର୍ତ୍ତକ ପ୍ରବୃତ୍ତି(Periodic Trends) କୁ ଦର୍ଶାଏ । 1869ମସିହାରେ ପ୍ରଥମେ ରୂଷିଆ ରସାୟନବିଦ୍ ଡି ମେଣ୍ଡେଲିଭ୍(D. Mendeleev)ଏହି ସାରଣୀର ବିକାଶ କରିଥିଲେ । କ୍ରମେ କ୍ରମେ ନୂଆ ନୂଆ ମୌଳିକ ପଦାର୍ଥର ଆବିଷ୍କାର ହେତୁ ତା’ଙ୍କ ଧାରଣାରେ ଧିରେଧିରେ ସଂମ୍ପ୍ରସାରିତ ଓ ଶୋଧିତ କରାଗଲା । ଶେଷରେ ରୂପରେଖ ନେଇଥିବା ଆଜିର ଏହି ସାରଣୀ ରସାୟନ ବିଜ୍ଞାନ, ପାରମାଣବିକ ପଦାର୍ଥ ବିଜ୍ଞାନ …… ଆଦି କ୍ଷେତ୍ରରେ ବିସ୍ତୃତ ଭାବେ ବ୍ୟବହାର କରାଯାଉଛି । ଏହି ସାରଣୀରେ ମୌଳିକ ଗୁଡିକର ପାରମାଣବିକ ସଂଖ୍ୟା 1(Hydrogen)ରୁ 118(Oganesson)ଯାଏ ସାତଟି ଧାଡି(Row) ଓ ଅଠରଟି ସ୍ତମ୍ଭ(Column)ରେ ସଜାଇ ଦିଆଯାଇଛି । ପାରମାଣବିକ ସଂଖ୍ୟା 95 ରୁ 118 ଯାଏ ବହନ କରୁଥିବା ମୌଳିକମାନ ପରୀକ୍ଷାଗାରରେ ସଂଶ୍ଳେଷଣ ପ୍ରକ୍ରିୟା ଦ୍ୱାରା ଆବିଷ୍କୃତ ହୋଇଛି । ଏହି ପ୍ରଣାଳୀରେ କିଛି ଉଚ୍ଚ ପାରମାଣବିକ ସଂଖ୍ୟା ଥିବା ମୌଳିକ ଗୁଡିକୁ ଅଷ୍ଟମ ଧାଡିରେ ରଖାଯାଇଛି । ଯେହେତୁ ଅନେକ ମୌଳିକର ସମ୍ଭାବନା ଥିବାର ବିଜ୍ଞାନ ତତ୍ତ୍ୱ ପ୍ରକାଶ କରେ , ସେଗୁଡିକ ନିମନ୍ତେ ତା’ପର ଧାଡିରୁ ସ୍ଥାନ ଉନ୍ମୁକ୍ତ ରଖାଯାଇଛି । ଆବର୍ତ୍ତକ ସାରଣୀର ଗଠନ ପ୍ରଣାଳୀରେ ପାରମାଣବିକ ତତ୍ତ୍ୱ(ଉଭୟ ପଦାର୍ଥ ଓ ରସାୟନ ବିଜ୍ଞାନ)ର ସବୁ ଦିଗକୁ ଦୃଷ୍ଟି ଦିଆଯାଇ ପ୍ରତ୍ୟେକ ମୌଳିକର ସ୍ଥାନ ବଛା ଯାଇଛି । ଏଠାରେ କେବଳ ଆବର୍ତ୍ତକ ସାରଣୀର କ୍ରମିକ ମୌଳିକଗୁଡିକର ପାରମାଣବିକ ନାଭିକ ମଧ୍ୟରେ ଥିବା ପ୍ରୋଟନ୍ ସଂଖ୍ୟା(P)+ ନିଉଟ୍ରନ ସଂଖ୍ୟା(N) ବା ବସ୍ତୁତ୍ୱ ସଂଖ୍ୟା(Mass Number= A = P+N) ବନାମ୍ ପାରମାଣବିକ ନାଭିକର ବନ୍ଧନ ଶକ୍ତି(Binding Energy of Nucleus)ର ରୈଖିକ ଚିତ୍ରପଟ୍ଟ(Graphical Representation) ଉପରେ ଆଲୋକପାତ କରି ଶ୍ଳୋକ ସହ ସଂଯୁକ୍ତ କରିବାକୁ ଚେଷ୍ଟା କରାଯାଇଛି ।
ମୌଳିକର ପାରମାଣବିକ ନାଭିକରେ ପ୍ରୋଟନ୍ ଓ ନିଉଟ୍ରନ ଦୃଢ ବନ୍ଧନରେ ନାଭିକୀୟ ବଳ ଦ୍ୱାରା ବାନ୍ଧି ହୋଇ ରହି ଥାଆନ୍ତି । ତେବେ ନାଭିକ ମଧ୍ୟରୁ ଗୋଟିଏ ନିଉଟ୍ରନ ଅଥବା ପ୍ରୋଟନ୍କୁ ବିଚ୍ୟୁତ କରିବାରେ ଯେଉଁ ଶକ୍ତିର ଆବଶ୍ୟକ ପଡେ ତାହାକୁ ବନ୍ଧନ ଶକ୍ତି କୁହାଯାଏ । ଗ୍ରାଫ୍ କାଗଜରେ ଯଦି ‘A’କୁ X – ଅକ୍ଷରେ ନିଆଯାଏ ଓ Y – ଅକ୍ଷରେ ପ୍ରତି ନିଉକ୍ଲିୟନ୍(ପ୍ରୋଟନ୍ କିମ୍ବା ନିଉଟ୍ରନ)ର ବନ୍ଧନ ଶକ୍ତି ନିଆଯାଏ, ତେବେ ହାଇଡ୍ରୋଜେନ୍ଠୁ ଆରମ୍ଭ କରି ହିଲିୟମ୍ ……… ଆଦି ସବୁ ମୌଳିକ, ଗ୍ରାଫ୍ କାଗଜର ପୃଷ୍ଠରେ ଏକ ଏକ ବିନ୍ଦୁକୁ ନିର୍ଦ୍ଧାରଣ କରିବ । ସବୁ ବିନ୍ଦୁକୁ ଯୋଡିଲେ ଏହା ଆବର୍ତ୍ତକ ସାରଣୀର ମୌଳିକଗୁଡିକର ଏକ ରୈଖିକ ଚିତ୍ରପଟ୍ଟକୁ ବୁଝାଇବ । ଏହି ରୈଖିକ ଚିତ୍ରପଟ୍ଟ ନାଭିକର ଅର୍ଥାତ୍ ମୌଳିକର ସ୍ଥିରତା ବା ଦୃଢତା ଉପରେ ଆଲୋକପାତ କରେ । ଏହି ବନ୍ଧନ ଶକ୍ତିର ବକ୍ରରେଖା(Binding Energy Curve) ହାଇଡ୍ରୋଜେନ୍(H – 1)ଠୁ ଲୌହ(Fe – 56) ଯାଏ ସାଧାରଣ ଭାବେ ବୃଦ୍ଧି ପାଇଥାଏ । ଏହି ଲୌହ ବା ଏହାର ନାଭିକ ସବୁଠାରୁ ସ୍ଥାୟୀ ବୋଲି ଚିତ୍ର ସୂଚାଇଥାଏ । ଲୌହ -56 ପରେ ବନ୍ଧନ ଶକ୍ତି ଧିରେ ଧିରେ ଇଉରାନିୟମ୍ -238(U – 238) ଆଡକୁ କମି କମି ଯାଇଥାଏ । ହାଇଡ୍ରୋଜେନ୍ ନାଭିକର ବସ୍ତୁତ୍ୱ ସଂଖ୍ୟା ବନାମ୍ ନିଉକ୍ଲିୟନ୍ ପିଛା ବନ୍ଧନ ଶକ୍ତି ଗ୍ରାଫ୍ର ମୂଳ ବିନ୍ଦୁକୁ ଦର୍ଶାଏ, ଅର୍ଥାତ୍ ଏହାର ବନ୍ଧନ ଶକ୍ତି ଶୂନ କାରଣ ଏହାର ନାଭିକ ଗୋଟିଏ ମାତ୍ର ପ୍ରୋଟନ୍କୁ ନେଇ ଗଠିତ । ଏହି ବିନ୍ଦୁରୁ ଗ୍ରାଫ୍ର ତୀଖତା ଉପରକୁ ହଠାତ୍ ବଢିଯାଏ ହିଲିୟମ୍(He-4) ନିକଟକୁ, ଯାହାର ନିଉକ୍ଲିୟନ୍ ପିଛା ବନ୍ଧନ ଶକ୍ତି ମୋଟାମୋଟି ଭାବେ 7.08 ମେଗା ଇଲେକ୍ଟ୍ରନ୍ଭୋଲ୍ଟ(7.08 Mev) ଅଟେ । ଏହାପରେ ଲିଥିୟମ୍(Li-6,7) ପାଇଁ ତଳକୁ ଖସି 5 Mev ଓ 6 Mev ମଧ୍ୟରେ ରହେ । ପୁନଃ ବେରିଲିୟମ୍(Be-9) ଓ ବୋରନ୍(B-11)ର ବୃଦ୍ଧି ଘଟି କାର୍ବନ୍(C-12)ର ଅଧିକ ହୁଏ , ଯାହା 7 Mev ରୁ 8 Mev ମଧ୍ୟରେ । ଏହାପରେ ଗ୍ରାଫ୍ ଅଳ୍ପ ନିମ୍ନଗାମୀ ହୋଇ ପୁନଃ ବୃଦ୍ଧି ଘଟି ଅମ୍ଲଜାନ(O-16)ପାଇଁ ମୋଟାମୋଟି ଭାବେ 8 Mev ହୁଏ । ଏହାବାଦ୍ ଗ୍ରାଫ୍, ନିମିତ୍ତ ମାତ୍ରାରେ ତଳକୁ ଖସି ଧିରେଧିରେ ଉପରକୁ ଉଠେ ଓ ଲୌହ(Fe – 56) ପାଖରେ ସର୍ବାଧିକ ମୂଲ୍ୟ 8.8 Mev ରେ ପହଞ୍ଚେ । ଏହିଠାରୁ ବନ୍ଧନ ଶକ୍ତିର ମୂଲ୍ୟ ବସ୍ତୁତ୍ୱ ସଂଖ୍ୟା 200 ଯାଏ ଧିରେଧିରେ କମି କମି ଯାଏ ଏବଂ ଏହା 7Mevରେ ପହଞ୍ଚେ । ମୌଳିକର ବସ୍ତୁତ୍ୱ ସଂଖ୍ୟା 200 ରୁ ଅଧିକରେ ତେଜଷ୍କ୍ରିୟତା ଲକ୍ଷଣ(Radioactive behaviour) ଦେଖାଏ । ଏପରିକି ବାହ୍ୟ ବଳ ପ୍ରୟୋଗ ବିନା ଏହି ମୌଳିକଗୁଡିକ ସ୍ୱୟଂକ୍ରିୟ ଭାବେ ବିଘଟିତ(Disintegrated) ହୁଅନ୍ତି । ତେଣୁ ପ୍ରାୟ ମୌଳିକର ବସ୍ତୁତ୍ୱ ସଂଖ୍ୟା 56 ରୁ 200 ମଧ୍ୟରେ ବାହ୍ୟ ବଳ ପ୍ରୟୋଗରେ ନାଭିକୀୟ ବିଘଟନ(Nuclear Fission) ପ୍ରକ୍ରିୟା ଘଟିଥାଏ, କିନ୍ତୁ ବସ୍ତୁତ୍ୱ ସଂଖ୍ୟା 56 ରୁ କମ୍ ଥିବା ମୌଳିକ(Light Elements)ଗୁଡିକର ନାଭିକୀୟ ସଂଯୋଜନ(Nuclear Fusion)ପ୍ରକ୍ରିୟା ଘଟିଥାଏ । କିନ୍ତୁ ଲୌହ ଓ ତା’ର ଆଖପାଖ ପଡୋଶୀ ମୌଳିକ ଗୁଡିକ ଯେହେତୁ ଅତି ମାତ୍ରାରେ ସ୍ଥାୟୀ, ତେଣୁ ଏଗୁଡିକ ଦ୍ୱାରା ନାଭିକୀୟ ବିଘଟନ କିମ୍ବା ନାଭିକୀୟ ସଂଯୋଜନ ଘଟି ନଥାଏ ।
ତେବେ ବନ୍ଧନ ଶକ୍ତି ରୈଖିକ ଚିତ୍ର(Binding Energy Curve) ମୌଳିକର ନାଭିକଗୁଡିକର ସ୍ଥିରତା ଉପରେ ସଂକେତ ପ୍ରଦାନ କରେ । ଏହା ମଧ୍ୟ ମୌଳିକ ଗୁଡିକୁ ଚାରି ଭାଗରେ ବିଭକ୍ତ କରି ଚାରି ପ୍ରକାର ଲକ୍ଷଣ ପ୍ରକାଶ କରେ, ଯଥା – (1) ହାଲୁକା ମୌଳିକ ଗୁଡିକ କ୍ଷେତ୍ରରେ ନାଭିକୀୟ ସଂଯୋଜନ ଘଟିଥାଏ, (2) ଲୌହ ଓ ତା’ର ଆଖପାଖ ପଡୋଶୀ ମୌଳିକ ଗୁଡିକରେ ବିଘଟନ ବା ସଂଯୋଜନ ପ୍ରକ୍ରିୟା ଘଟି ନଥାଏ, (3) ଓଜନିଆ ନାଭିକ(Heavy Nucleus) ଥିବା ମୌଳିକ ଗୁଡିକ କ୍ଷେତ୍ରରେ ବସ୍ତୁତ୍ୱ ସଂଖ୍ୟା ପ୍ରାୟ 200 ଯାଏ ନାଭିକୀୟ ବିଘଟନ ଘଟେ ଓ (4) ଅତି ଓଜନିଆ ନାଭିକର ମୌଳିକରେ ସ୍ୱୟଂକ୍ରିୟ ଭାବେ ବିଘଟନ(Spontaneous Disintegration) ଘଟେ, ଯାହାକୁ ପ୍ରାକୃତିକ ତେଜଷ୍କ୍ରିୟତା(Natural Radioactivity) କୁହାଯାଏ ।
ବର୍ତ୍ତମାନ ହାଲୁକା ମୌଳିକଠାରୁ ଆରମ୍ଭ କରି ଆବର୍ତ୍ତକ ସାରଣୀର ଶେଷ ମୌଳିକ ଯାଏ ବନ୍ଧନ ଶକ୍ତିର ମାତ୍ରାନୁସାରେ ନାଭିକୀୟ ସ୍ଥିରତାର କାରଣ ଗୁଡିକୁ ଆଲୋଚନା କରିବା । ପ୍ରଥମେ ହାଲୁକା ମୌଳିକ କ୍ଷେତ୍ରରେ ନିଉକ୍ଲିୟନ୍ ପ୍ରତି ବନ୍ଧନ ଶକ୍ତି ଶୂନରୁ ପ୍ରାୟ 8 Mev ଯାଏ ବୃଦ୍ଧି ପାଇ ଥାଏ । କିନ୍ତୁ ହିଲିୟମ୍(He-4) , କାର୍ବନ୍(C-12) ଓ ଅମ୍ଲଜାନ(O-16) କ୍ଷେତ୍ରରେ ଏହା ନିଜ ନିଜ ପଡୋଶୀ ମୌଳିକଠାରୁ ସର୍ବାଧିକ ହୁଏ । ଅର୍ଥାତ୍ ହାଲୁକା ମୌଳିକ ପଦାର୍ଥ କ୍ଷେତ୍ରରେ ଏମାନେ ସବୁଠୁ ସ୍ଥାୟୀ । ଏହାର କାରଣ ହେଉଛି ନାଭିକ ମଧ୍ୟରେ ଛୋଟ ଛୋଟ ଦଳ ଗଠନ ପ୍ରକ୍ରିୟା । ଏହି ଛୋଟ ଦଳମାନେ ହେଲେ ହିଲିୟମ୍ ନାଭିକ । ହିଲିୟମ୍ ନାଭିକରେ ଗୋଟିଏ ଦଳ(ନାଭିକ ସଂଖ୍ୟା=4×1), କାର୍ବନ୍ ନାଭିକରେ ତିନୋଟି ଦଳ(ନାଭିକ ସଂଖ୍ୟା=12=4×3) ଓ ଅମ୍ଲଜାନ ନାଭିକରେ ଚାରୋଟି ଦଳ(ନାଭିକ ସଂଖ୍ୟା=4×4) ଅଟେ । ହିଲିୟମ୍ ନାଭିକକୁ ଆଲ୍ଫା କଣିକା(α- particle) କୁହାଯାଏ, ଯାହା ଦୁଇଟି ପ୍ରୋଟନ୍ ଓ ଦୁଇଟି ନିଉଟ୍ରନ୍କୁ ନେଇ ଗଠିତ । କାର୍ବନ୍ ନାଭିକ ତିନୋଟି ଆଲ୍ଫା କଣିକା, ଅମ୍ଲଜାନ ନାଭିକ ଚାରୋଟି ଆଲ୍ଫା କଣିକା …….. ଇତ୍ୟାଦିକୁ ନେଇ ଗଠିତ । ଏହା ନାଭିକର ଆଲ୍ଫା କଣିକା ସ୍ୱରୂପ(Alpha Particle Model of Nucleus) କୁହାଯାଏ ଓ ଏ ତତ୍ତ୍ୱ ପ୍ରତିପାଦିତ କରେ ଯେ, ଏହି ଜାତୀୟ ନାଭିକ ଗୁଡିକର ବନ୍ଧନ ଶକ୍ତି ବା ସ୍ଥାୟୀତ୍ୱ ସେମାନଙ୍କ ପଡୋଶୀଙ୍କଠାରୁ ଅଧିକ । ନାଭିକୀୟ ଖୋଳପା ପ୍ରାରୂପ(Nuclear Shell Model) ମଧ୍ୟ ସ୍ଥାୟୀତ୍ୱ ଉପରେ ସୂଚନା ଦିଏ । ଏହିପରି ପାରମାଣବିକ ନାଭିକର ଅଦ୍ୟାବଧି ଅନେକ ପ୍ରକାର ରୂପ ଓ ତା’ର ଯେତେଦୂର ପ୍ରମାଣସିଦ୍ଧତା ମଧ୍ୟ ଦର୍ଶାଯାଉଛି । ତେବେ ପାରମାଣବିକ ମହାବିଜ୍ଞାନର ମହାସାଗରରୁ କେବଳ ବନ୍ଧନ ଶକ୍ତି ରୈଖିକ ଚିତ୍ରକୁ ଏକ ମୋଟାମୋଟି(Roughly) ଢାଞ୍ଚାରେ ଆଲୋଚନା ଓ ଏହାକୁ ଯଥା ସମ୍ଭବ ସାମାଜିକିକରଣ ପୂର୍ବକ ଶ୍ରୀ ଶଙ୍କରଙ୍କ ଶ୍ଳୋକର ମହାନତାକୁ ପ୍ରସ୍ଫୁଟିତ କରାଯାଇଛି ।
ଆବର୍ତ୍ତକ ସାରଣୀରେ ହାଲୁକା ମୌଳିକଠାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଥିବା ଓଜନିଆ ମୌଳିକ ଗୁଡିକ ଚାରି ପ୍ରକାରର ଲକ୍ଷଣ ପ୍ରଦର୍ଶିତ କରୁଥିବା ପରି ଜନ ସମାଜକୁ ଚାରିଶ୍ରେଣୀରେ ବିଭକ୍ତ କରାଯାଇପାରେ । ଏହା ହେଲା (1) ଦାରିଦ୍ର୍ୟର ସୀମାରେଖା ତଳେ(Below Poverty Line) ଥିବା ଜନ ସମାଜ, (2) ଦାରିଦ୍ର୍ୟର ସୀମାରେଖାକୁ ଅତିକ୍ରମକରି ଏକ ନିର୍ଦ୍ଦିଷ୍ଟ ସୀମା ଯାଏ ପରିବ୍ୟାପ୍ତ ସମାଜ ବା ନିମ୍ନ ମଧ୍ୟବିତ୍ତ(Lower Middle) ବର୍ଗ, (3)ନିର୍ଦ୍ଦିଷ୍ଟ ସୀମାରୁ ଆଉ ଏକ ସୀମା ଯାଏ ପରିବ୍ୟାପ୍ତ ସମାଜ ବା ଉଚ୍ଚ ମଧ୍ୟବିତ୍ତ(Upper Middle) ବର୍ଗ ଓ (4) ଉଚ୍ଚ ବା ସ୍ୱଚ୍ଛଳ(Upper) ବର୍ଗ । ଏଠାରେ ମୌଳିକଗୁଡିକୁ ପରିବାର, ବସ୍ତୁତ୍ୱ ସଂଖ୍ୟାକୁ ପରିବାରର ସାମଜ ଉପରେ ପ୍ରଭାବର ତୀବ୍ରତା(Frequency) ଓ ନିଉକ୍ଲିୟନ୍ ପ୍ରତି ବନ୍ଧନ ଶକ୍ତିକୁ ସ୍ଥିର ଆର୍ଥିକ ସ୍ୱଚ୍ଛଳତା ରୂପେ ଚିନ୍ତା କରାଯାଇଛି । ତେବେ ସେମାନେ ନିଜେ ସ୍ୱୟଂ ପ୍ରବୃତ୍ତ ଭାବେ କିମ୍ବା କାହାର ପ୍ରଭାବରେ କରୁଥିବା କ୍ରିୟା – କର୍ମ ଆଦିକୁ ନିମ୍ନମତେ ବିଚାର କରାଯାଇପାରେ ।
(କ) ସେମାନଙ୍କୁ ନେଇ ଘଟାଯାଉଥିବା ଘଟଣା,
(ଖ) ସବୁ ଘଟଣାର ମୂଳରେ ଥିବା ରହସ୍ୟର ଉନ୍ମୋଚନର ନକରାତ୍ମକରେ ବିଦ୍ରୋହାତ୍ମକ ହେବା,
(ଗ)ସବୁ ଘଟଣାରୁ ଦୂରେଇ ରହିବା କିନ୍ତୁ ସ୍ୱାର୍ଥ ସାଧନ ମନେ ହେଲେ ଭୟଙ୍କର ଭାବେ ପ୍ରତିକ୍ରିୟାଶୀଳ ହେବା ଓ (ଘ)ଅହରହ ଘଟଣା ସମୁହର ମୂଳାଧାର ଉତ୍ସ ହୋଇ ରହିବା ।
ଏହାକୁ ଯଥାକ୍ରମେ ପାରମାଣବିକ ବିଜ୍ଞାନରେ ନିମ୍ନମତେ ସଂଯୁକ୍ତ କରାଯାଇଛି,-
(କ)ନାଭିକୀୟ ସଂଯୋଜନ, (ଖ)ଉଭୟ ନାଭିକୀୟ ସଂଯୋଜନ ଓ ବିଘଟନକୁ ବିରୋଧ କରିବା, (ଗ)କାହିଁରେ ନ’ମିଶିବା କିମ୍ବା ଦରକାର ହେଲେ ବଦଳିବା ଓ (ଘ)ସ୍ୱୟଂକ୍ରିୟ ନାଭିକୀୟ ବିଘଟନ ସହ ଅନୁରୂପ ଚିନ୍ତା ପ୍ରକଟ କରାଯାଇ ପାରେ ।
ପ୍ରଥମେ ନାଭିକୀୟ ସଂଯୋଜନ ପ୍ରକ୍ରିୟାକୁ ବିଚାରକୁ ନିଆଯାଉ । ଏ କ୍ଷେତ୍ରରେ ମୂଳ ମୌଳିକ ହାଇଡ୍ରୋଜେନ୍ଠୁ ଆରମ୍ଭ କରି ପ୍ରାୟ ଅମ୍ଳଜାନ ଯାଏ ଚିନ୍ତା କରାଯାଇପାରେ । ଏହି କ୍ଷେତ୍ରର ଦୁଇଟି ହାଲୁକା ମୌଳିକର ନାଭିକକୁ ବାହ୍ୟ ଶକ୍ତି ବଳରେ ସଂଯୋଗ କରାଗଲେ ଏକ ଉଚ୍ଚ ବସ୍ତୁତ୍ୱ ସଂଖ୍ୟା ବିଶିଷ୍ଟ ନାଭିକ ଉତ୍ପନ୍ନ ହେବା ସହ ଶକ୍ତିର ଉତ୍ପନ୍ନ ହୁଏ । ଏହି ପ୍ରକ୍ରିୟାର ପ୍ରାକୃତିକ ଉଦାହରଣ ହେଉଛି ସୂର୍ଯ୍ୟ, ଯେଉଁଠୁ ଅହରହ ଶକ୍ତି ବିକିରଣ ହେଉଛି । ସେହି ଧାରାରେ କୃତ୍ରିମ ପ୍ରକ୍ରିୟାରେ ଯେଉଁ ପ୍ରଚୁର ଶକ୍ତି ମିଳେ, ତାହାକୁ ମାନବ ସମାଜ ମଙ୍ଗଳରେ ବିନିଯୋଗର ମାତ୍ରାରୁ ଢେର୍ ଅଧିକ ମାତ୍ରାରେ ଧ୍ୱଂସକାରୀ କୃତ୍ରିମତା ଦିଗକୁ ଅଗେଇ ଚାଲିଛି ହାଇଡ୍ରୋଜେନ୍ ବୋମା ରୂପରେ । ତେଣୁ ପ୍ରକୃତ ଶକ୍ତି ସଙ୍କଟର ମୂକାବିଲା ଫଳପ୍ରଦ ହୋଇପାରୁନାହିଁ । ସେହିପରି ସମାଜର ଦାରିଦ୍ର୍ୟର ସୀମାରେଖା ତଳେ ଥିବା ପରିବାର ଏକ ଏକ ହାଲୁକା ନାଭିକ ସଦୃଶ ଓ ଏମାନେ ଯୁକ୍ତାତ୍ମକ ଅର୍ଥ ଭାର ଅପେକ୍ଷା ବିଯୁକ୍ତାତ୍ମକ ଅର୍ଥ ଭାରରେ ଆଗୁଆ । ଆର୍ଥିକ ତୃଷ୍ଣା ମେଣ୍ଟାଇବା ପାଇଁ ଏମାନେ ବିବ୍ରତ, ଯାହା ଅର୍ଥ ଅନର୍ଥର କାରଣକୁ ପ୍ରତିପାଦିତ କରେ । କାରଣ ବିବ୍ରତରୁ ମାନବ ଅଧିକ ମାତ୍ରାରେ ନକରାତ୍ମକ ହୋଇଉଠେ । ଅନ୍ୟ ସୁବିଧାବାଦୀ ମାନେ ଏମାନଙ୍କ ହାତରେ ବନ୍ଧୁକ ଧରାଇ ଗୁଳିଫୁଟାଇବା ଦ୍ୱାରା ନିଜ ସାମାଜିକ ପତିଆରାର ବିଭିନ୍ନ ରୂପକୁ ବୃଦ୍ଧି କରାଇ ଥାଆନ୍ତି(ସେଇ ସମାନ ଭାବ, ଅର୍ଥ ପାଇଁ ଅନର୍ଥ ପ୍ରକ୍ରିୟା) । ଆର୍ଥିକ ଲାଳସାରେ ଏମାନଙ୍କ ଏକଜୁଟର କାରଣ ଘଟେ ଓ ତହିଁରୁ ଯେଉଁ ସାମାଜିକ ଶକ୍ତି ପ୍ରବାହ ହୁଏ ତାହାର ସିଂହଭାଗ ସୁବିଧାବାଦୀଙ୍କ ନିକଟକୁ ଯାଏ ଓ କ୍ଷୀଣଭାଗ ଗରୀବଙ୍କ ପାଇଁ ସହାୟକ ହୁଏ । ଏହା ଯଥାକ୍ରମେ ଉତ୍ପନ୍ନ ସଂଯୋଜନ ଶକ୍ତିର ଅପବ୍ୟବହାର ଓ ସଦ୍ବ୍ୟବହାରକୁ ବୁଝାଏ । ଏହା ଓଜନିଆ ମୌଳିକ ସୃଷ୍ଟିର ପ୍ରାଥମିକ ପ୍ରକ୍ରିୟା । ସୁବିଧାବାଦୀଙ୍କ ସ୍ୱୁଚ୍ଛଳତା ଅଧିକ ବୃଦ୍ଧିପାଏ ଗରୀବଙ୍କ ଅପେକ୍ଷା । ତେଣୁ ନିର୍ଦ୍ଧନୀ କିଞ୍ଚିତ୍ ଧନବାନ୍ ହୋଇ ଉଚ୍ଚତର ମୌଳିକର ସ୍ଥାନରେ ଯୁକ୍ତ ହୁଏ ଅଥବା ମୌଳିକର ଆଇସୋଟପ୍ରେ । ଏହାଦ୍ୱାରା ବିଶ୍ୱରେ ହାଲୁକା ମୌଳିକର ସଂଖ୍ୟା ସରେନି ଅର୍ଥାତ୍ ଦାରିଦ୍ର୍ୟତା ଲୋପ ପାଏନି ।
ପୁଣି ହାଲୁକା ମାନଙ୍କ ଗହଣରେ ହିଲିୟମ୍, କାର୍ବନ୍, ଅମ୍ଳଜାନ ଆଦିଙ୍କ ‘କଥାହିଁ ନିଆରା’ । ଏହି ‘କଥାହିଁ ନିଆରା’ ଶବ୍ଦାବଳୀ ପିଲାଦିନରୁ(ପ୍ରାୟ ଷାଠିଏ ବର୍ଷ ତଳର କଥା) ଲେଖକଙ୍କ ମନରେ ଉଦ୍ଜୀବିତ ରହି ଲହଡି ସୃଷ୍ଟି କରେ । ସେତେବେଳେ ବିଜ୍ଞାନ ଏତେ ଅଗ୍ରଗତି କରି ନଥିଲା । ଅନେକ ସ୍ଥାନରେ ଏପରିକି ବୃକ୍ଷରେ ଲଗାଯାଇଥିବା ଏକ ଫଳକ ଉପରେ ଏକ ମଧ୍ୟବୟସ୍କ ବ୍ୟକ୍ତିର ମୁଖମଣ୍ଡଳର କଳାଧଳା ଫଟୋ ବିଜ୍ଞାପନ – ଦକ୍ଷିଣ ହସ୍ତର ବିଷି ଓ ମଝି ଆଙ୍ଗୁଳି ମଧ୍ୟରେ ଏକ ଲମ୍ବା ସିଗାରେଟ୍ ଧରି ଓଷ୍ଠଦ୍ୱୟ ନିକଟରେ ଧୂମପାନ ସେବନର ଭଙ୍ଗୀ ଓ ଫଳକ ଉପରେ ଲେଖା ଯାଇଥାଏ “ଚାର୍ମିନାର୍ ଖଣ୍ଡେ ଧରନ୍ତୁ ! ଚାର୍ମିନାର୍ କଥାହିଁ ନିଆରା” । ସେତେବେଳେ ବହୁଳ ଭାବେ ସିଗାରେଟ୍ ଟଣା ଚାଲିଥିଲା । ଏବେ ‘ଧୂମପାନ ସେବନ ଶରୀର ପକ୍ଷେ କ୍ଷତିକାରକ(Cigaret Smoking is Injurious to Health) ବିଜ୍ଞାପନର ପ୍ରଭାବରୁ ସମାଜ ଉପରେ ସିଗାରେଟ୍ର ପ୍ରଭାବ କ୍ଷୀଣ ହେବାକୁ ବସିଛି । ନିଶ୍ଚିତ ରୂପେ ଏହା ସମାଜ ମଙ୍ଗଳ କାରକ । ସେହି ଦିନରୁ ଲେଖକର ମନରେ ଉଙ୍କି ମାରି ରହିଥିବା ଏହି ‘କଥାହିଁ ନିଆରା’ ହାସ୍ୟାରୋଳରେ ଅନେକ ବାର କହିଥିଲେ ମଧ୍ୟ ଆଜି ଲେଖାରେ ପ୍ରକାଶ କରିଥିବାରୁ ଲେଖକ ଆନନ୍ଦ ଅନୁଭବ କରୁଅଛି ।
ତେବେ ନିଆରା ହାଲୁକା ମୌଳିକ କ୍ଷେତ୍ରରେ ଏଇଆ ହୋଇପାରେଯେ, ଏଗୁଡିକର ନାଭିକରେ ଆଲ୍ଫା କଣିକାର ସଂଗଠନତାରୁ ହାଲୁକାଙ୍କ ନିକଟବର୍ତ୍ତୀ ପଡୋଶୀଙ୍କଠାରୁ ଉଚ୍ଚରେ ରହନ୍ତି । ଏହା ବାହ୍ୟ ପ୍ରଭାବରୁ ନୁହେଁ । ସେହିପରି ଦାରିଦ୍ର୍ୟର ସୀମାରେଖା ତଳେ ଥିବା କିଛି ପରିବାରର ସଦସ୍ୟମାନେ ଛୋଟ ଛୋଟ ଦଳ(Sub-family)ରେ ବିଭକ୍ତ ହୋଇ, ଭିନ୍ନତାକୁ ଭୂଲି ସମୁହ ଚେଷ୍ଟା କରନ୍ତି ଯୌଥ ପରିବାରର ସର୍ବାଙ୍ଗୀନ ଉନ୍ନତି ପାଇଁ । ଫଳରେ ସେ ପରିବାର ତା’ଙ୍କ ପଡୋଶୀ ମାନଙ୍କଠୁ ଅଧିକ ପ୍ରଭବଶାଳୀ ହୁଅନ୍ତି । ଯଦି ଉଦ୍ଦେଶ୍ୟ ମହତ ଥାଏ, ତେବେ ସେମାନେ ଆର୍ଥିକ ସ୍ୱଚ୍ଚଳତା ବର୍ଗୀଙ୍କ ପାଖାପାଖି ହେବା ସହଜ ହୋଇ ନଥାଏ । ଏହା ବିଭିନ୍ନତାରେ ଏକତା(Unity in Diversity) ଓ ‘ଧିର ପାଣି ପଥର କାଟେ’ ସଦୃଶ, ଯାହା ଆମ ଦେଶର ପରିଭାଷା ଅଟେ । କିନ୍ତୁ ଉଦ୍ଦେଶ୍ୟ ମନ୍ଦ ଥିଲେ ସହଜ ହୋଇପାରେ କିମ୍ବା ନ ହୋଇପାରେ । ସେ ଯାହା ହେଲେବି ଦ୍ୱିତୀୟ କ୍ଷେତ୍ରରେ ଅର୍ଥପାଇଁ ଅନର୍ଥର କାରଣରେ ସଂଶ୍ଲିଷ୍ଟ ହୋଇ ଏ ଜାତୀୟ ଲୋକ ଗର୍ବୀ, ଅହଂକାରୀ ହୋଇ ଅନେକ ସମାଜ ବିରୋଧୀ କାର୍ଯ୍ୟରେ ଲିପ୍ତ ରହନ୍ତି । ସେମାନଙ୍କ ଚାଲିଚଳନରୁ ସ୍ୱର୍ଗ ଆଉ ଦୁଇ ଆଙ୍ଗୁଳି ରହିବାର ଉନ୍ମାଦତା ପ୍ରତିଫଳିତ ହେଉଥାଏ । ଆଜିର ଗ୍ରାମ୍ୟ ପରିବେଶ ଏହି ଦିଗରେ ମାଡି ଚାଲିଛି । ଏପରିକି ଏମାନେ ମୁଣ୍ଡିଆଳ ସାଜନ୍ତି ଓ ଗଣ୍ଡଗୋଳରେ ଦୁର୍ବଳ ସ୍ଥିତିର ବ୍ୟକ୍ତିଙ୍କୁ ତାଗିଦା କରି କହନ୍ତି -“ମୁଁ ଟଙ୍କା ଉପରେ ଶୋଉଛି, ତୁ ମୋର କ’ଣ କରିପାରିବୁ ?” ଏହା ସିନା ହାଲୁକାଙ୍କ ମଧ୍ୟରେ ଅବାସ୍ତବ ତାଛଲ୍ୟତା, କିନ୍ତୁ ବେଳେବେଳେ ଅର୍ଥ ହଡପ ପ୍ରକ୍ରିୟାରେ ଲଗାତର ଜଡିତ ରହି ଆବର୍ତ୍ତକ ସାରଣୀର ଶେଷ ମୌଳିକର ନିକଟବର୍ତ୍ତୀ ହେବା ବା ଉଚ୍ଚ ସ୍ୱଚ୍ଛଳ ବର୍ଗଙ୍କ ମଧ୍ୟରେ ଜଣେ ହୋଇପାରିଥିବା ବ୍ୟକ୍ତିଙ୍କ ଘର ରେଡ୍ ହୋଇ ବିଛଣା ତଳୁ ଅପର୍ଯ୍ୟାପ୍ତ ଟଙ୍କା ଜବତ ହେବାର ଖବର ଦେଶର ସମ୍ବାଦପତ୍ର, ରେଡିଓ, ଟିଭି ମାଧ୍ୟମରେ ଖେଳେଇ ହୋଇଯାଏ । ଅର୍ଥାତ୍ ଗୋଟିଏ କ୍ଷେତ୍ରରେ ଅବାସ୍ତବ ପରିକଳ୍ପନା ଓ ଆଉ ଏକ ପରିସରରେ ତା’ର ବାସ୍ତବିକ ଚିତ୍ରପଟ ।
ଏବେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀକୁ ଅମ୍ଳଜାନ ନାଭିକରୁ ଆରମ୍ଭ କରି ଲୌହ ଯାଏ ମୌଳିକର ଲକ୍ଷଣ ମଧ୍ୟରେ ଜାଗି ଉଠୁଥିବା ସମାନୁପାତିକତାକୁ ପର୍ଯ୍ୟାଲୋଚନା କରିବା । ଏହି ନାଭିକମାନ ଉଭୟ ନାଭିକୀୟ ସଂଯୋଜନ ଓ ବିଘଟନର ଦିଗକୁ ପ୍ରତିହତ କରିଥା’ନ୍ତି । ସୀମା ଆରମ୍ଭ ହୁଏ ନାଭିକୀୟ ସଂଯୋଜନାର ଆଭାସରୁ ଓ ଶେଷ ହୁଏ ଏକ ସ୍ଥିର ପରିବେଷ୍ଟନୀରେ । ଏହା ସହ ସମ ସାମାଜିକ ଭାବରେ ଯୁକ୍ତ ହୁଅନ୍ତି ନିମ୍ନ ମଧ୍ୟବିତ୍ତ ବର୍ଗୀ । ଉଭୟ ଗରୀବ ଓ ଧନୀର ଅନୁଭବତା ଏମାନଙ୍କଠାରେ ରହିଥାଏ । ତେଣୁ ଏମାନେ କାହାଦ୍ୱାରା ସହଜରେ ମତୁଆଲା ହୁଅନ୍ତି ନାହିଁ । ପ୍ରତ୍ର୍ୟେକ ଘଟଣାର ମୂଳ କାରଣକୁ ଖୋଜନ୍ତି ଓ ସାମାଜିକ ବିଭେଦୀକରଣର ମୂଳୋତ୍ପାଟନ ଏମାନଙ୍କର ପ୍ରାୟ ଉଦ୍ଦେଶ୍ୟ ହୋଇଥାଏ । ଯୁଗ ଯୁଗ ଧରି ଏହି ବର୍ଗରୁ ସାମାଜିକ ବିଦ୍ରୋହ ଆରମ୍ଭ ହୁଏ । ଏହା ପଛରେ ଆର୍ଥୀକ ସନ୍ତୁଳନତାର ଅଭିଷ୍ଟ ଅଧିକ ମାତ୍ରାରେ ନିହିତ ରହିଥାଏ । ଏତାଦୃଶ ବିଦ୍ରୋହ ଆଦିର ଫଳାଫଳରୁ ବଡ ଧରଣ ସାମାଜିକ ପରିବର୍ତ୍ତନ ହୋଇ ଏକ ନୂଆ ଯୁଗର ଅୟାରମ୍ଭ ହେବାର ପ୍ରତିଫଳିତ ହୁଏ । ତେବେ ଏହାର ଅପପ୍ରୟୋଗରେ ଏହି ବର୍ଗରୁ ମଧ୍ୟ ପୁନଃ ଉଚ୍ଚକୁ କିମ୍ବା ତଳକୁ ଖସିବାର ଦୃଷ୍ଟିଗୋଚର ହୁଏ ।
ଏହାପରେ ଆସେ ବନ୍ଧନ ଶକ୍ତି ଚିତ୍ରରେଖାର ତୃତୀୟ ଭାଗ ଅର୍ଥାତ୍ ପ୍ରାୟ ଲୌହଠାରୁ ଆରମ୍ଭ କରି ନାଭିକୀୟ ବସ୍ତୁତ୍ୱ ସଂଖ୍ୟା 200 ଯାଏ, ଯାହା ଉଚ୍ଚ ମଧ୍ୟବିତ୍ତ ପରିବାର ସହ ତୁଳନା କରିବାର ମନେହୁଏ । ଏମାନଙ୍କ ମୂଳଦୂଆ ଲୌହ ରୂପୀ ଆର୍ଥିକ ସ୍ଥାୟୀତ୍ୱରୁ ଆରମ୍ଭ ହୋଇଥାଏ । ତେବେ ଲୌହ ଓ ଏହାର ପୂର୍ବକୁ ଓ ଆଗକୁ କିଛି କିଛି ମୌଳିକ(Nearest Neighbour) ସବୁଠୁ ଅଧିକ ଦୃଢ ବନ୍ଧନ ଶକ୍ତିଯୁକ୍ତ, ତେଣୁ ଏହା ନିମ୍ନ ମଧ୍ୟବିତ୍ତର ଶେଷ ସ୍ତର ଓ ଉଚ୍ଚ ମଧ୍ୟବିତ୍ତର ପ୍ରାଥମିକ ସ୍ତରକୁ ବୁଝାଏ । ତେଣୁ ଏମାନେ ନିଜ ନିଜର ଆର୍ଥିକ ସ୍ଥିତିର ଦୃଢତା ବଜାୟ ରଖିବାରେ ନିଜସ୍ୱ ବୁଦ୍ଧି ବଳରେ ସ୍ଥିର ଓ, ଅବିଚଳିତାର ପ୍ରତୀକ ସାଜନ୍ତି । ଏମାନଙ୍କଠାରୁ “ନିଜେ ବଞ୍ଚିଲେ ବାପାର ନାଆଁ” ବାର୍ତ୍ତା ପ୍ରବାହ ହୁଏ ଓ ଏହା କାହିଁରେ ନ ମିଶିବା ସହ ସମାନୁପାତିକ ଅଟେ । ତେବେ ଲୌହର ଆଗକୁ କିଛି ପରେ ମୌଳିକ ଗୁଡିକ ବାହ୍ୟ ବଳର ପ୍ରଭାବରେ ବିଘଟିତ ହୋଇ, ନିଜର ଅସ୍ତିତ୍ୱ ହରାଇ କମ୍ ବସ୍ତୁତ୍ୱ ସଂଖ୍ୟାଧାରୀ ମୌଳିକକୁ ବଦଳନ୍ତି । ଏହାର ସାମାଜିକ ଚିତ୍ର ଏହିପରି ହୋଇପାରେ ଯେ, କେତେକ ଲାଳସାର ଶୀକାର ହୋଇ ବସ୍ତୁତ୍ୱ ସଂଖ୍ୟା ବୃଦ୍ଧି ଘଟାଇବାର କାରଣ ସାଜନ୍ତି ବା ସାମାଜିକ ପ୍ରଭାବ ବିସ୍ତାରରେ ଆଗୁସାର ହୁଅନ୍ତି । ବନ୍ଧନ ଶକ୍ତିର ସମଭାବ ବହନ କରୁଥିବା ଧନ ଦୌଲତ ବୃଦ୍ଧିପାଏ, କିନ୍ତୁ ସାମାଜିକ ପ୍ରତିଷ୍ଠା ବୃଦ୍ଧିରୁ ଜାତ ପ୍ରତିକ୍ରିୟା ବା ବାହ୍ୟ ବଳର ପ୍ରଭାବରୁ ବିଘଟିତ ହୋଇ ପୁଣି ପୁର୍ବ ସ୍ଥିତି ଅଥବା ଆହୁରି ତଳକୁ ଖସି ଆସନ୍ତି ।
ଏହାପରେ ଚତୁର୍ଥ ବା ଉଚ୍ଚ ବର୍ଗ । ଏମାନଙ୍କ ମୂଳଦୂଆ ଆରମ୍ଭ ହୋଇଥାଏ ଉଚ୍ଚ ମଧ୍ୟବିତ୍ତ ପରିବେଶରୁ । ଏମାନେ ଅତି ଲାଳସାର ଶୀକାର ହୋଇ, ବାହ୍ୟବଳକୁ ବେଖାତିର୍ କରି ଅପର୍ଯ୍ୟାପ୍ତ ଧନ ଦୌଲତର ଅଧିକାରୀ ହୋଇ ଯାଆନ୍ତି । ସେହି ମାତ୍ରାରେ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଏ । ତେବେ ଅତି ସମ୍ପଦ ବାବୁ ମହା ବିଷମ ସଦୃଶ ଏହା ଆପଣା ଛାଏଁ କ୍ଷୟ ହେବାକୁ ଲାଗେ ଅର୍ଥାତ୍ ଧନକୁ ଆୟତ୍ତ କରି ଗଚ୍ଛିତ କରିବା ପାଇଁ କୌଣସି ବାଡ ବତା ମିଳେନି । ଏହା ସମାଜ ବକ୍ଷରୁ ଯେମିତି ଶୋଷିହୋଇ ଆସୁଥାଏ ସେହିପରି ସମାଜ ବକ୍ଷକୁ ଚାଲି ଯାଉଥାଏ । ପରନ୍ତୁ ସାମାଜିକ ପ୍ରତିଷ୍ଠାରେ ବେଶି କିଛି ବିଭ୍ରାଟ ପ୍ରାୟ ଘଟେ ନାହିଁ । ଏହାହିଁ କାରଣଯେ, ବନ୍ଧନ ଶକ୍ତି ରୂପୀ ଧନ ଲୌହ ରୂପୀ ପରିବାରଙ୍କଠୁ ନିମ୍ନ ସ୍ଥରରେ ରହେ । ଏହା ସ୍ୱୟଂକ୍ରିୟ ନାଭିକୀୟ ବିଘଟନ ସହ ତୁଳନୀୟ । ଏହି ବିଘଟନ ବସ୍ତୁତ୍ୱ ସଂଖ୍ୟା ପ୍ରାୟ 200 ରୁ ଅଧିକରୁ ଘଟିଥାଏ । ଏହି ଜାତୀୟ ମୌଳିକ ଗୁଡିକୁ ପ୍ରାକୃତିକ ତେଜଷ୍କ୍ରିୟ ମୌଳିକ(Natural Radioactive Element) କୁହାଯାଏ । ଏ କ୍ଷେତ୍ରରେ ମଧ୍ୟ ବାହ୍ୟ ବଳର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ଏହି ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରୟୋଗରେ ନାଭିକଟି ଭାଙ୍ଗିଯାଇ ବା ସତ୍ତା ହରାଇ ନିମ୍ନ ବସ୍ତୁତ୍ୱ ସଂଖ୍ୟାଧାରୀ ମୌଳିକ ଗୁଡିକର ରୂପ ନିଅନ୍ତି । ଭାଙ୍ଗୁଥିବା ମୂଳ ନାଭିକର ସଂଖ୍ୟା ଅନୁଯାୟୀ ଉତ୍ପନ୍ନ ଶକ୍ତିର ପରିମାଣ ବୃଦ୍ଧି ପାଏ । ଏହି ଶକ୍ତି ଅଣାୟତ୍ତ ଶିକୁଳି ପ୍ରକ୍ରିୟା(Uncontrolled Chain Reaction)ରେ ଧ୍ୱଂସକାରକ ହୁଏ ଓ ଆୟତ୍ତାଧୀନ ଶିକୁଳି ପ୍ରକ୍ରିୟା(Controlled Chain Reaction)ରେ ଉତ୍ପନ୍ନ ଶକ୍ତିକୁ ଶକ୍ତି ସଂଙ୍କଟର ମୁକାବିଲାରେ ବିନିଯୋଗ କରାଯାଏ । କିନ୍ତୁ ଦେଶ ମାନଙ୍କରେ ଉଭୟ ପ୍ରକ୍ରିୟାକୁ ଆଦରିଲେ ବି ଫଳ ତ ଓଲଟା ରହିବ । କାରଣ ଆଣବିକ ବୋମା ବିସ୍ଫୋରଣ ଯେଉଁ ଧ୍ୱଂସର ତାଣ୍ଡବ ଲୀଳା ରଚିବ, ତାହାଦ୍ୱାରା ଆଣବିକ ଶକ୍ତି ପ୍ରକଳ୍ପ(Atomic Power Plant) ଗୁଡିକ ଧ୍ୱଂସ ହେବା ସହିତ ଜନ ଜୀବନର ସତ୍ତା ନିଶ୍ଚିନ୍ନ ହୋଇଯିବ । ଏହି ପ୍ରକାର ପ୍ରତିଫଳନ ଉଚ୍ଚ ବର୍ଗୀଙ୍କ କ୍ଷେତ୍ରରେ ଦେଖାଯିବାର ଅନୁଭୂତ ହୁଏ । ଏମାନଙ୍କ ପାଖକୁ ଧନର ସ୍ରୋତ ଅହରହ ଆସୁଥିବା ଓ ଯାଉଥିବାର ମାର୍ଗ ବିଯୁକ୍ତାତ୍ମକରୁ ସବୁ ସମ୍ପତି ଆଇନ୍ ଅନୁସାରେ ଜବତ ହୋଇ ଦେଶର ପାଣ୍ଠିକୁ ଯାଏ ଓ ସେ ପରିବାର ତଳିତଳାନ୍ତ ହୋଇ ତଳ ସ୍ତରକୁ ଖସି ଯାଆନ୍ତି । ଏହି କାରଣ ଓ ଦେଶର ଅନ୍ୟ ସବୁ କ୍ଷେତ୍ରରୁ ଉତ୍ପନ୍ନ ଅର୍ଥାଂଶ ଏକଯୁଟ ହୁଏ ପାଣ୍ଠିର ବୃଦ୍ଧିରେ । ତେବେ ଦେଶର ଇଛାନୁସାରେ ଏହାର ଶକ୍ତି ରୂପୀ ପ୍ରୟୋଗ ହୁଏ, ଯାହାର ଏକ ଉଦାହରଣ ବିନାଶକାରୀ ଓ ମଙ୍ଗଳକାରୀ ଭାବେ ଉପରୋକ୍ତ ଶିକୁଳି ପ୍ରକ୍ରିୟାରେ ଦର୍ଶାଯାଇଛି ।
ଶେଷରେ ଏହା ଦର୍ଶାଏ ଯେ, ଧନ ପ୍ରଚୁରତାର ପ୍ରଭାବରୁ ଅନର୍ଥର କାରଣ ଓ ଅତି ପାରିବାରିକ ପ୍ରଦୂଷଣତାକୁ ବୁଝାଏ । ଧନର ସୁରକ୍ଷା ନିମିତ୍ତ ବିଚଳିତ ମାନବକୁ ଘାରେ ଚୌର, ସ୍ତ୍ରୀ, ପୁତ୍ର, ସମ୍ପର୍କୀୟ …… ଇତ୍ୟାଦିଙ୍କ ଭୟ । ତେଣୁ ମନ ଅହରହ ବିବ୍ରତ ହୋଇଥାଏ, ଯେଉଁଠି ଶାନ୍ତିର ଲେଶ ମାତ୍ର ଚିହ୍ନ ବର୍ଣ୍ଣ ନଥାଏ । ତେବେ ଶ୍ରୀ ଶଙ୍କରଙ୍କ ଶ୍ଳୋକରେ ଅର୍ଥହିଁ ଅନର୍ଥର ମୂଳ କାରଣକୁ ଏକ ବିଜ୍ଞାନ ଧାରାସହ ତୁଳନାତ୍ମକ ଜଡିତ କରାଯାଇଛି । ତେବେ ଧନାର୍ଜନ ଓ ବିନିଯୋଗରେ ଗଠନମୂଳକତାର ଆବଶ୍ୟକତା ପରିପୂରଣ ହେଲେ ଅନର୍ଥର ତୀବ୍ରତା ନିଶ୍ଚିତଭାବେ କମି କମି ଯିବ । ଏହାହିଁ ଏ ପ୍ରବନ୍ଧର ସମାଜ ପାଇଁ ବାର୍ତ୍ତା ଅଟେ ।
…………………………………………………………………………………………………………………………