ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଊନତ୍ରିଂଶତମ ସ୍ତବକ)
ଗୁରୁଚରଣାମ୍ବୁଜ ନିର୍ଭର ଭକତ – ସଂସାରାଦଚିରାଦ୍ଭବ ମୁକ୍ତଃ
ସେନ୍ଦ୍ରିୟ ମାନସ ନିୟମା ଦେବଂ – ଦ୍ରକ୍ଷ୍ୟସି ନିଜ ହୃଦୟସ୍ଥଂ ଦେବମ୍ ।
ମୂଢଃ କଶ୍ଚନ ବୈୟାକରଣୋ – ଡୁକୃଞ କରଣା ଧ୍ୟୟନ ଧୁରିଣଃ
ଶ୍ରୀମଚ୍ଛ୍ମକର ଭଗବଚ୍ଛିଷ୍ୟୈ – ବୋଧିତ ଆସିଚ୍ଛୋଧିତ କରଣଃ ।
ଭଜ ଗୋବିନ୍ଦଂ ଭଜ ଗୋବିନ୍ଦଂ – ଗୋବିନ୍ଦଂ ଭଜ ମୂଢମତେ
ନାମ ସ୍ମରଣାଦନ୍ୟମୁପାୟଂ – ନହି ପଶ୍ୟାମୋ ଭବତରଣେ ।
ଶେଷ ସ୍ତବକରେ ତିନି ଶ୍ଳୋକକୁ ସ୍ଥାନ ଦିଆଯାଇଛି । ଏଥିରୁ ଉଦ୍ଗତ ସର୍ବ ସମର୍ପଣ ଭାବ ହୃଦୟର ଗଭୀରତମ ପ୍ରଦେଶରେ ଏକ ସ୍ଥାନ ଦଖଲ କରିବାର ଆବେଗତା ଭରି ରହିଛି । ଏଠାରେ ପ୍ରଥମେ ‘ଗୁରୁ’ ଶବ୍ଦ ସୂଚାଏ ଯେ ଅନ୍ଧାରରୁ ଆଲୋକକୁ ଆସିବାର ଏହାହିଁ ମାର୍ଗ । ଏହା ପ୍ରଥମେ ଆରମ୍ଭ ହୁଏ ମାତୃଗର୍ଭରୁ, ଯାହା ଏକ ଅନ୍ଧାର ରାଜ୍ୟ ରୂପେ ବିବେଚନା କରାଯାଏ । ଦୃଶ୍ୟମାନ ଦୁନିଆଁରୁ ଦୂରେଇ ରହି ଏକ ନିଭୃତ କନ୍ଦରରେ ଭ୍ରୂଣଟିର ପୂର୍ଣ୍ଣତା ପ୍ରାପ୍ତ ହୁଏ । ମାତୃଗର୍ଭରୁ ଜନ୍ମ ନିଏ ଶିଶୁ ଓ କୁଆଁକୁଆଁ ରାବ ଦିଏ । ଦୃଶ୍ୟମାନ ଦୁନିଆଁକୁ ଦେଖେ । ସବୁ ଅଜଣା, ଅଦେଖା ଓ ବିଚିତ୍ରତାର ପରିବେଶରେ କେବଳ ଜଣକୁ ସେ ଆପଣାଇଥାଏ । ସେ ହେଲେ ଜନ୍ମଦାତ୍ରୀ ‘ମା’ । ସମ୍ପୂର୍ଣ୍ଣ ଅଲଗା ପରିସରରୁ ଏକ ଅଜଣା ନୂଆ ପରିସରରେ ଶିଶୁଟିର କ୍ରମ ବିକାଶ ହୋଇଉଠେ । ଏହା ମାୟା-ମୋହ ବିହୀନ ଦୁନିଆଁରୁ ଆସି ମାୟା-ମୋହ ଯୁକ୍ତ ଦୁନିଆଁରେ ସଂଶ୍ଳିଷ୍ଟ ହେବାକୁ ବୁଝାଏ । ତେବେ ଏଠାରେ ଲେଖକଙ୍କ ପିଲାଦିନର ଏକ କଥା ମନରେ ଉଙ୍କିମାରେ, ତାହା ହେଉଛି ଏକ ଭଜନର କିୟଦାଂଶ –
କି ନେବୁରେ ବାୟା କି ନେବୁରେ ବାୟା ମାୟା ସଂସାରରୁ ବହି
ରହିବ ନାହିଁ ତୋ ସୁନ୍ଦର ଶରୀର ଆଗରେ ଯିବ ପଳାଇ ।
ଥିଲୁ ତୁହି ଚର୍ମ ମୁଣାରେ ପଶି – ଅବନୀ ଉପରେ ପଡିଲୁ ଖସି ।
………………………………………………………………………
……………………………………………………………………….
ଅର୍ଥାତ୍ ପ୍ରଥମେ ଶିଶୁଟିକୁ ଧାରଣକରି ରଖିଥିବା ମାତୃଗର୍ଭ ତା’ର ଭାରା ବହନ କରିଥାଏ । ଦ୍ୱିତୀୟରେ ଜନ୍ମହେଲେ ତା’ର ଭାରା ବହନ କରେ ବସୁନ୍ଧରା ପୃଷ୍ଠ । ତେଣୁ ଏ ଦୁଇ ବହନକାରୀ ମାତା ଜନନୀ ଓ ମାତା ଧରିତ୍ରୀଙ୍କୁ ମହା ଚେତନାର ଆଦର୍ଶରେ ସମ୍ବୋଧନ କରାଯାଏ – “ସ୍ୱର୍ଗାଦପି ଗରିୟସୀ ଜନନୀ ମା’ ଧରିତ୍ରୀ” । ଧିରେଧିରେ ଜନନୀ ଓ ଶିଶୁ ମଧ୍ୟରେ ଜାଗିଉଠେ ମହାଜାଗତିକ ବନ୍ଧନ । ପରସ୍ପର ମଧ୍ୟରେ ଭାବ ଆଦାନ – ପ୍ରଦାନ । ଜଡା ଠାର ଜଡ ମା’ ବୁଝେ । ମା’କୁ ଅନାଏଁ, ମା’ କୋଳରେ ଓ ଶେଯରେ ଶୋଇଥିବା ଅବସ୍ଥାରେ ବେଳେବେଳେ ହସେ ଓ କାନ୍ଦେ ମଧ୍ୟ । ସେ ହସ ଅତି ଆକର୍ଷଣୀୟ ଓ ରହସ୍ୟମୟ ବି ଲାଗେ । କିଛି ସମୟ ମା’ର ଅନୁପସ୍ଥିତି ଶିଶୁର ଭାବଭଙ୍ଗୀରୁ ପ୍ରତିଫଳିତ ହୁଏ, ତା’ର ଅଙ୍ଗ ଚାଳନା ଓ କାନ୍ଦଣା ଆଦିରୁ । ପୁନଃ ମା’କୁ ଦେଖି ସେ କୋଟି ଆନନ୍ଦିତ ହୋଇ ସ୍ତନ୍ୟପାନରେ ଲାଗିପଡେ । ପୁସ୍ତକ “ଶାମୁକାର ସ୍ୱପ୍ନ”ର କବିତା – ‘ଯସ୍ମା’ରୁ ଏକ ଧାଡିକୁ ଏଠାରେ ସଂଯୁକ୍ତ କରିବାର ଇଛା ପ୍ରକଟ ହୁଏ, ଯଥା –
କନକନ ହୋଇ ବାଳୁତଟି ……….. ଚଁଚଁ କ୍ଷୀର ଶୋଷିନେଲା
ଜନନୀ ମୁଖକୁ ଚାହିଁ ଚାହିଁ ………… ଆଖିରେ ଉଠରେ ହସିଦେଲା ।
କିନ୍ତୁ ନିଦ୍ରିତାବସ୍ଥାରେ ଶିଶୁର ଶବ୍ଦହୀନ ହସର ଦୃଶ୍ୟ ମନରେ ଅଲିଭା ଦାଗ ହୋଇ ରହିଯାଏ । କ’ଣ ସେ ହସର ରହସ୍ୟ ? ପୂର୍ବ ଓ ପର ପ୍ରସଙ୍ଗ କ’ଣ ହୋଇଥାଇପାରେ ? ପୁଣି ନିଦ୍ରିତାବସ୍ଥାରେ ଶିଶୁର କାନ୍ଦିବାର ମଧ୍ୟ ଦେଖାଯାଇଥାଏ । ଏହା ଶିଶୁ ଜନ୍ମ ନେବାର ଏକୋଇଶ ଦିନ ପୂର୍ବର ଦୃଶ୍ୟ, ଯେଉଁଥିପାଇଁ ମନ ଆଲୋଡିତ ହୁଏ । ତେଣୁ ଏଠାରେ ମନର ଏକ କାବ୍ୟିକ ଧାରାକୁ ଉପସ୍ଥାପନ କରାଯାଉଛି –
ସପନ ବିଭୋର ନୟନେ ହସଇ ନବଜାତ —- ନିରବ ନିଶ୍ଚଳ ଭଙ୍ଗୀରେ ଚକ୍ଷୁ ଅର୍ଦ୍ଧ ମୁଦ୍ରିତ ।
ସେ ହସରେ ଶିଶୁ ଆନନ୍ଦେ ହୁଅଇ ପୁଲକିତ —- କାରଣ ଭରଇ ମନରେ ରହସ୍ୟ ଯେ ଅଦ୍ଭୁତ ।
ପୁଣି କେତେବେଳେ କ୍ରନ୍ଦନେ ହୁଅଇ ଆକୁଳିତ —- ପୂର୍ବ-ପର ଅବା ଏ ଜନ୍ମ ସାଥେ ଏହା ଜଡ଼ିତ !
କେ ଅବା ଭେଦନ କରିବ ଏ’କି ପରମ ତତ୍ତ୍ୱ — ମନସ୍ତତ୍ତ୍ୱ ବିଜ୍ଞାନ ଶକ୍ତି କିଞ୍ଚିତରେ ସମର୍ଥ ।
ଆଧ୍ୟାତ୍ମିକ ଚେତନାଧାରୀ ଯୋଗୀ-ମୁନି ବିଦିତ — ସଦ୍ଗୁରୁ ଚରଣେ ସର୍ବଦା ମନ ପ୍ରାଣ ସଂଯୁକ୍ତ ।
ଗୁରୁ ଆଶୀର୍ବାଦେ ପ୍ରକାଶ କରିପାରନ୍ତି ସେ’ତ — ତଥାପି ଏ ଦିଗ ଅଜଣା ଅଦ୍ୟାବଧି ଅବ୍ୟକ୍ତ ।
ବିନା ଗୁରୁରେ କି ହୋଇବ ସଂସାରରୁ ମୁକତ — ସେଥିପାଇଁ ଗୁରୁ ନିର୍ଦ୍ଦେଶେ ହସେ କି ନବଜାତ !
ଏ ମର ଜଗତେ ପ୍ରଥମ ଗୁରୁ ସ୍ଥାନରେ ମାତା — ଦ୍ୱିତୀୟରେ ଗୁରୁ ସ୍ଥାନରେ ଉଭା ହୁଅନ୍ତି ପିତା ।
ସଂସାର ଜାଲରେ ଗୁରୁଙ୍କ ରୂପ ଅଟେ ବିଚିତ୍ର — ଆତ୍ମଜ୍ଞାନ ବଳେ ଜାଣନ୍ତି ଶିଷ୍ୟ ନିଗୁଢ ସତ୍ୟ ।
ଚବିଶ ଗୁରୁର ଶିଷ୍ୟ ଦତ୍ତାତ୍ରେୟ ଅବଧୂତ — ଏ ଭବ ସାଗରୁ ମୁକତ ଆତ୍ମଜ୍ଞାନହିଁ ମାତ୍ର ।
ନିରକ୍ଷର, ସ୍ୱାକ୍ଷର, ମୂର୍ଖ, ଜ୍ଞାନୀ ଅବା ପଣ୍ଡିତ — ଆତ୍ମଜ୍ଞାନଯୁକ୍ତ ହୋଇଲେ ସର୍ବେ ହୁଅନ୍ତି ମୁକ୍ତ ।
ସର୍ବସମର୍ପଣ ଭାବହିଁ ବଳିଷ୍ଠ ଆତ୍ମଜ୍ଞାନୀ — କର୍ତ୍ତବ୍ୟରେ ହେଳା ନଥାଏ ଅବା ନଥାଏ ଗ୍ଳାନି ।
କାମ, କ୍ରୋଧ,ଲୋଭ, ମାୟାରୁ ହୁଏ ସଦା ବିଚ୍ୟୁତ — ଭକ୍ତିରୁ ଜାତ ହୁଏ ଶକ୍ତି ତାହା ଅପରାଜିତ ।
ରୂପ, ରଙ୍ଗ, ରସ ଜୀବନେ ଭରିଣ ମାଦକତା — ସଂସାର ବଜାରରେ ସାଜେ ମହାକ୍ରେତା ବିକ୍ରେତା ।
ଜୀବନର ଶେଷ ପ୍ରାନ୍ତରେ ସବୁ ଯାଏ ଉଭେଇ — ସାଥେ ଯିବାପାଇଁ ସମ୍ପଦ, ସୃଷ୍ଟି ରହେ ପଛେଇ ।
ରେ ମୂଢ ମାନବ ସାଙ୍ଗରେ ନେବୁ ତୁ କର୍ମଫଳ — ପାପ ଅବା ଧର୍ମ ସହିତ ଧାଏଁ ଆତ୍ମା ପ୍ରବର ।
ବସ୍ତୁବାଦ ଦୂନିଆଁ ମୋହେ ତୁହି ଥିଲୁ ନିମଗ୍ନ — ଏବେ ଧର୍ମଫଳ ମାତ୍ରହିଁ ତୋ’ର ଜୀବନ ରତ୍ନ ।
ସଂପ୍ତାପ୍ତେ ସନ୍ନିହିତେ କାଲେ ତୋର ଏକଇ ସାଥି — ଗୋବିନ୍ଦ ଗୋବିନ୍ଦ ସୁମରି ହୁଅ କର୍ମେ ନିଯୁକ୍ତି ।
——————————————————————————————