ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ – (ତୃତୀୟ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ – (ତୃତୀୟ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ – (ତୃତୀୟ ସ୍ତବକ)                                                              

                                                             ନକୁଳ ଚ଼ରଣ ମଲିକ୍‍,
                                            ଅବସରପ୍ରାପ୍ତ ଆସୋସିଏଟ୍‍ ପ୍ରଫେସର, ପଦାର୍ଥ ବିଜ୍ଞାନ,
                                                      ମଡେଲ୍‍ ଡିଗ୍ରୀ କଲେଜ, ନବରଙ୍ଗପୁର , ଓଡ଼ିଶା ।

ଏ ଶ୍ଳୋକରେ ଶ୍ରୀଶଙ୍କରାଚାର୍ଯ୍ୟ ମାନବ ଜୀବନକୁ ପଦ୍ମପାଖୁଡାର ଆଧାରରେ ଏକ କ୍ଷୁଦ୍ର ଜଳକଣା ରହି ଢଳଢଳ ହେଉଥିବା  ସହ ତୁଳନା କରିଛନ୍ତି, ଯାହା ସମୟର ଏକ ସୀମିତ ବ୍ୟବଧାନ ପାଇଁ ତିଷ୍ଠିରହେ , ଯଥା –

ନଲି ନିଲଦଗତ ଜଲମତି ତରଲଂ – ତଦ୍ୱ ଜୀବିତମତି ଶୟ ଚପଲମ୍‍

ବିଦ୍ଧି ବ୍ୟାଧ୍ୟା ଭିମାନଗ୍ରସ୍ତଂ – ଲୋକଂ ଶୋକହତଂ ଚ ସମସ୍ତମ୍‍ ।

ସରୋବରରେ ପଦ୍ମ ଶୋଭା ପାଇଥାଏ । ଏହାର  ପାଖୁଡା ଓ  ଥାଳି ପରି  ପତ୍ର ସରୋବରର ଜଳ ଉପରେ ସୁନ୍ଦର ଦେଖାଯାଏ । ବିନ୍ଦୁବିନ୍ଦୁ ବର୍ଷାଜଳ ଏହା ଉପରେ ପତିତ ହୋଇ ଛୋଟ, ବଡ ଆଦି ଜଳଠୋପାର ଆକାର ନେଇଥାଏ ଓ ଢଳଢଳ ବା ଅସ୍ଥିର ଅବସ୍ଥାରେ ଥିବାର ସୂଚାଏ । ଜଳଠୋପା ଗୋଲାକାର ହେବାର ବୈଜ୍ଞାନିକ କାରଣ ହେଉଛି ତରଳ ପଦାର୍ଥର ଧର୍ମ, ଯାହାକୁ ପୃଷ୍ଠତାନ(Forces of Surface Tension) କୁହାଯାଏ । ତେବେ କ୍ଷଣକ ମଧ୍ୟରେ ଚିକ୍‍ଚିକ୍‍ କରୁଥିବା ଜଳବୁନ୍ଦା ଗୁଡିକ ପାଖୁଡା ଓ ପତ୍ରର ଖାଲୁଆ ବା ନିମ୍ନ ଅଂଶକୁ ଗଡିଆସି ସରୋବର ଜଳରେ ମିଶିଯାଆନ୍ତି ଅଥବା ଆଉ କିଛି କ୍ଷଣ ସେ ସ୍ଥାନରେ ରହିଥା’ନ୍ତି ଓ ପବନର ଦୋଳନରେ ସରୋବର ଜଳରେ ମିଶିଯାଆନ୍ତି । ଏତାଦୃଶ ପ୍ରକ୍ରିୟାରେ ଜଳବିନ୍ଦୁର କ୍ଷଣସ୍ଥାୟୀତା ପୁନଃ ପୁନଃ ଦୃଶ୍ୟମାନ ହୋଇଥାଏ । ତେବେ ଏହା ଅସ୍ଥିର ହେବାର କାରଣ ହେଉଛି ଜଳଠୋପାର ଧାରକ ପଦ୍ମ ଦୃଢ ନୁହେଁ । ପୁଣି ଏହା ନାଡ ସହ ସଂଯୁକ୍ତ ଓ ସରୋବରର ଜଳ ଉପରେ ବିସ୍ତାରିତ । ତେଣୁ ନାଡ ଓ ଜଳର ଉପରସ୍ତର ପଦ୍ମର ଧାରକ ଅଟନ୍ତି । ଯେହେତୁ ଜଳ ଗତିଶୀଳ, ତେଣୁ ସାମାନ୍ୟ ପବନ, ଶବ୍ଦ, ଜଳଚର, ଉଭୟଚର, ସ୍ଥଳଚର, ଆକାଶଚର ଓ ଯେତେପ୍ରକାର ସୂକ୍ଷ୍ମ ଏବଂ ସ୍ଥୂଳ ପ୍ରକ୍ରିୟାର ପାରସ୍ପରିକତାରେ ଜଳସ୍ତର ତରଙ୍ଗାୟିତ ହୁଏ , ଯାହାର ମାତ୍ରା ପ୍ରକ୍ରିୟାଗୁଡିକର ଘଞ୍ଚାଳନ ଶକ୍ତିର ତୀବ୍ରତା ଉପରେ ନିର୍ଭର କରେ । ଏହା ସହ ପଦ୍ମନାଡ ମଧ୍ୟ ଦୋହଲେ । ଏହିସବୁ କାରଣରୁ ଜଳଠୋପା ଢଳଢଳ ହୋଇ ତା’ର ଅସ୍ଥିତ୍ୱ ହରାଇ ବସେ । ସମାନ ଧାରାରେ ମାନବ ଜୀବନକାଳ କ୍ଷଣସ୍ଥାୟୀ ଅଟେ ଓ ବାଧାବିଘ୍ନ ସହ ଯଦି ନିଜସ୍ୱ ଦୃଢତାରେ ସ୍ଥିରତା ଭରିରହେ, ତେବେ ଜୀବନର ସ୍ଥାୟୀତ୍ୱ ବୃଦ୍ଧିପାଏ । ତେଣୁ ଏଠାରେ ଜୀବନର ଅନିଶ୍ଚିତତାହିଁ ପଦ୍ମପାଖୁଡା ଉପରେ ଅସ୍ଥିର ଜଳଠୋପା ସଦୃଶ ଅଟେ । ଜଳଠୋପା ଅସ୍ଥିର ହେବାର କାରଣମାନ ମାନବ ଜୀବନକାଳ ମଧ୍ୟରେ ଖଞ୍ଜିହୋଇ ରହିଥିବା ରୋଗ,ଶୋକ, ମାନ, ଅଭିମାନ ……….. ଇତ୍ୟାଦି ସହ ତୁଳନୀୟ ।

ସ୍ଥାନ – କାଳ (Space – Time)ର ଆଧାରରେ ଏ ବିଶ୍ୱ ପରିଚାଳିତ । ସୃଷ୍ଟି ଓ ବିଲୟରେ ସ୍ଥାନ – କାଳର ନିର୍ଦ୍ଦିଷ୍ଟତାକୁ ନେଇ କୌଣସି ଆଗୁଆ ସୂଚନା ନଥାଏ । ଏହା ସଭିଙ୍କୁ ଅଜଣା । କେବଳ ମାନବୀୟ ଆନୁମାନିକ ସୀମା ମଧ୍ୟରେ ସର୍ବେ ଘଞ୍ଚାଳି ହୁଅନ୍ତି । ସ୍ଥାନ ଓ କାଳ ବିଶ୍ୱ ସୃଷ୍ଟିର ଆଦ୍ୟରେ ଯୋଡ(Coupled) ଥିଲେ ଓ ତା’ପରେ ବିଯୋଡ(Decoupled) ହୋଇ ରହିଛି । କିନ୍ତୁ ପ୍ରତି ସଂରଚନାରେ ଉଭୟର ପ୍ରାକୃତିକ ସନ୍ନିବେଶତା ଓତଃପ୍ରୋତଃ ଭାବେ ଜଡିତ । ପଦ୍ମପାଖୁଡାରେ ଅସ୍ଥିର ଥିବା ଜଳଠୋପା କେଉଁ ସ୍ଥାନ ଓ କେଉଁ ସମୟରେ ଅସ୍ଥିତ୍ୱ ହରାଇଲା ଓ ସରୋବର, ନଦୀ ଅଥବା ସାଗର ଆଦିରେ ବିଲୀନ ହେବାରେ ଚିହ୍ନଟ କରିବାରେ ଅସମ୍ଭବ କାରଣରୁ ଏହାର ବାଷ୍ପୀଭୂତ, ଘନୀକରଣ ଓ ପୁନଃ ବର୍ଷାଜଳ ରୂପେ ପତିତ ହେବା ସମ୍ବନ୍ଧରେ କୌଣସି ହିସାବ ନିକାଶ ହୋଇପାରି ନଥାଏ । ଏତାଦୃଶ ଘଟଣାବଳୀରେ ପଦାର୍ଥର ଅବସ୍ଥା ବଦଳିଥାଏ । ଏହାକୁ ଜଳଚକ୍ର (Water Cycle) କୁହାଯାଏ ଓ ଏହା ଯେଉଁ ପାରିପାର୍ଶ୍ୱିକ ପରିବେଶରେ ଘଟିଥାଏ ତାହାକୁ ଘାତ – ପ୍ରତିଘାତ ରୂପେ ଚିନ୍ତା କରାଯାଇପାରେ । ସେହିଭାବେ ମାନବ ଜୀବନଚକ୍ର ବହୁଳ ସମସ୍ୟା, ଜରା – ବ୍ୟାଧି , ହସ – କାନ୍ଦ, ଅଭିମାନଭରା ଆଦି ଦୁନିଆଁ ମଧ୍ୟରେ ଭରି ରହିଥାଏ । ପଦ୍ମପୁଷ୍ପ ଉପରେ ଢଳ – ଢଳ ହେଉଥିବା ଅସ୍ଥାୟୀ ଜଳ ବିନ୍ଦୁ ପରି ମାନବ ଜୀବନ ଅସ୍ଥାୟୀ ଅଟେ । କେଉଁ କ୍ଷଣରେ ଜଳବିନ୍ଦୁର ଅସ୍ଥିତ୍ୱ ଲୋପ ପାଇ ସରୋବର ବା ମୂଖ୍ୟଧାରାରେ ସାମିଲ ହେବ, ତାହା ଆକଳନ କରିବାର କ୍ଷମତା କାହାର ନାହିଁ । ଏପରିକି ସାମାନ୍ୟ ପବନରେ ତାହା ହିଁ ଘଟିଥାଏ । ଠିକ୍‍ ସେହିପରି ମାନବର ଜୀବନ କୁସୁମ କେଉଁ ସମୟରେ ଝଡି ପଡିବ ତାହା କହିବା ଅସମ୍ଭବ । ଏଥି ନିମିତ୍ତ ସ୍ଥାନ – କାଳର ସଠିକ୍‍ ବିବରଣୀ କେହି ଦେଇପାରିବେ ନାହିଁ । କିଏ ଜାଣେ ମୃତ୍ୟୁ କେଉଁ କ୍ଷଣରେ କେଉଁ ରୂପରେ ଆସିବ ଓ ଜୀବାତ୍ମା ଜୀବନ ଚକ୍ରର ମୂଖ୍ୟ ସ୍ରୋତରେ କିଭଳିଭାବେ ଘାଣ୍ଟି ହୋଇ ଚାଲିଥିବ ! ଏହାକୁ ହୃଦୟଙ୍ଗମ କରି ଚିରଦିନ ବଞ୍ଚିବାର ଲାଳସାରୁ ବିରତ ହୋଇ ମାନବ ଜୀବନର ସାର୍ଥକତାରେ ବ୍ରତୀ ରହିବା ଏକାନ୍ତ ଆବଶ୍ୟକ ।

———————————————————————————————————————————-

 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help