ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ – (ଚତୁର୍ଥ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ – (ଚତୁର୍ଥ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ – (ଚତୁର୍ଥ ସ୍ତବକ)

                                                                  କୁଳ ଚ଼ରଣ ମଲିକ୍‍,
                                            ଅବସରପ୍ରାପ୍ତ ଆସୋସିଏଟ୍‍ ପ୍ରଫେସର, ପଦାର୍ଥ ବିଜ୍ଞାନ,
                                                      ମଡେଲ୍‍ ଡିଗ୍ରୀ କଲେଜ, ନବରଙ୍ଗପୁର , ଓଡ଼ିଶା ।

ୟାବଦ୍ବିତ୍ତୋପାର୍ଜନ ସକ୍ତଃ – ସ୍ତାବ ନ୍ନିଜ ପରିବାରୋ ରକ୍ତଃ

ପଶ୍ଚାଜ୍ଜୀବତି ଜର୍ଜର ଦେହେ – ବାର୍ତ୍ତାମ୍‍ କୋ’ପି ନ ପୃଚ୍ଛତି ଗେହେ …..(୫)

ୟାବତ୍ପବୋନ ନିବସତି ଦେହେ – ତାବତ୍‍ ପୃଚ୍ଛତିକୁଶଲଂ ଗେହେ

ଗତବତି ବାୟୌଦେହାପାୟେ – ଭାର୍ୟା ବିଭ୍ୟତି ତସ୍ମିନ୍‍କାୟେ …..(୬)

ମୋହ ମୁଦ୍‍ଗର ସ୍ତ୍ରୋତ୍ରର ଉପରୋକ୍ତ ପଦଦ୍ୱୟରେ ଜୀବନ ତତ୍ତ୍ୱର ଯେଉଁ ଅକାଟ୍ୟ ଓ ବାସ୍ତବିକତାର ସ୍ୱରୂପ ଦର୍ଶାଯାଇଛି, ତାହାର ବିଜ୍ଞାନ ଭିତ୍ତିକ ଚିନ୍ତନର ପ୍ରତିରୂପ ନିମ୍ନମତେ ବ୍ୟାଖ୍ୟା କରାଯାଇଛି ।
ନିଜ ପରିବାରର ଭରଣ ପୋଷଣରେ କର୍ତ୍ତାର ସଂଯୁକ୍ତତା ଓ ସାମର୍ଥ୍ୟତାରୁ ଆରମ୍ଭ କରି ବୃଦ୍ଧ ବୟସର ଅପାରଗତା ସହ ଶରୀରର ସ୍ଥାଣୁତାକୁ ଭିତ୍ତିକରି ପରିବାର ବର୍ଗଙ୍କ ମନର ନିବିଡତାରେ ପରିବର୍ତ୍ତନକୁ ଏଠାରେ ଯେଉଁ ବାସ୍ତବତାର ଚିତ୍ରପଟ୍ଟ ମାଧ୍ୟମରେ ନିଖୁଣଭାବେ ବର୍ଣ୍ଣନା କରାଯାଇଛି ତାହାକୁ ବିଜ୍ଞାନ ଭାଷାରେ ପଦାର୍ଥର ତିନୋଟି ଅବସ୍ଥା ସହ ଯୁକ୍ତ କରାଯାଇଛି । ପଦାର୍ଥର ତିନୋଟି ଅନୁଭୂତ ଅବସ୍ଥା ହେଉଛି କଠିନ, ତରଳ ଓ ଗ୍ୟାସୀୟାବସ୍ଥା । କଠିନାବସ୍ଥାରେ କଠିନ ପିଣ୍ଡଟିରେ ପ୍ରତି ଅଣୁ ଅତି ଦୃଢ ବନ୍ଧନଶକ୍ତି ଦ୍ୱାରା ସଂମ୍ପୃକ୍ତ । ସହଜରେ କେହି କାହାଠାରୁ ଅଲଗା ହୋଇପାରନ୍ତି ନାହିଁ । ପୁନଶ୍ଚ ଏହା ସହ ପାରିପାର୍ଶ୍ୱିକ ପାରସ୍ପରିକତା ମଧ୍ୟ ଯୋଡିହୋଇ ରହିଥାଏ । ତେବେ ଜାଗତିକ ପିଣ୍ଡଠୁଁ ଆରମ୍ଭ କରି ପୃଥିବୀର ସବୁ କଠିନ ବା ବିଶ୍ୱରେ ଭରି ରହିଥିବା କଠିନ ଗୁଡିକରେ ଏହା ଲାଗିରହିଥାଏ । ପ୍ରତ୍ୟେକ କଠିନ ଏକ ଜାତୀୟ ସମାହାରକୁ ବୁଝାଏ । ଏହା ଏକ ପରିବାର ସଦୃଶ ଅଟେ । ବାହ୍ୟ ପ୍ରଭାବରେ ଏ ପିଣ୍ଡର କୌଣସି ସ୍ଥୂଳ ବା ସୂକ୍ଷ୍ମ ଅଙ୍ଗ ପରସ୍ପର ଠାରୁ ସହଜରେ ବିଚ୍ୟୁତ ହୁଅନ୍ତି ନାହିଁ । ଏତାଦୃଶ ଆକର୍ଷଣ ଏକ ପରିବାର ମଧ୍ୟରେ ତିଷ୍ଠି ରହିଥାଏ । ପରିବାରର ମେରିଖୁଣ୍ଟ ବା କେନ୍ଦ୍ରବିନ୍ଦୁ ବା ମୂଖ୍ୟର ଉପାର୍ଜିତ ଅର୍ଥରେ ସଭିଙ୍କ ନିର୍ଭରଶୀଳତାରେ ପ୍ରାୟ ଭଟ୍ଟା ପଡେନି । ଗୃହକର୍ତ୍ତା ସୁସ୍ଥ ଓ ସବଳ ରହି ପାରିବାରିକ ଭରଣପୋଷଣରେ ନିଜର ଦୃଢତା ଦେଖାଇଥାଏ ଓ ସେ ଦେଖେ ତାଙ୍କ ପ୍ରତି ନିଜ ପରିବାରବର୍ଗଙ୍କ ଅକୁଣ୍ଠ ସ୍ନେହ ଓ ପ୍ରେମର ରଜ୍ଜୁ, ଅର୍ଥାତ୍‍ ଭକ୍ତକବି ମଧୁସୂଦନ ରାଓଙ୍କ ଭାଷାରେ – “ବୈକୁଣ୍ଠ ସମାନ ଆହା ଅଟେ ସେହି ଘର —- ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ” । ସର୍ବେ କର୍ତ୍ତାଙ୍କ ଆଜ୍ଞାବାହକ ଏବଂ କର୍ତ୍ତବ୍ୟ ପାଳନରେ ନିଷ୍ଠାବାନ୍‍ ହୋଇଥା’ନ୍ତି । ଏହା ହିଁ ପଦାର୍ଥର କଠିନାବସ୍ଥାର ଗୁଣ – ଧର୍ମ ସହ ପ୍ରାୟତଃ ସମାନ ଚିତ୍ରପଟ୍ଟ ପ୍ରଦାନ କରେ ।

ପ୍ରତ୍ୟେକଙ୍କ ଜୀବନରେ ସମୟ ସ୍ରୋତର ଧାରା ଆଗକୁ ମାଡିଚାଲେ, ଅର୍ଥାତ୍‍ ବୟସ ଗଡିଚାଲେ । କ୍ରମଶଃ ସୁସ୍ଥ -ସବଳ ଶରୀରର ଅବକ୍ଷୟତା ଆରମ୍ଭ ହୁଏ ଓ କର୍ତ୍ତାଙ୍କ ଉପାର୍ଜନ କ୍ଷମତା ହ୍ରାସ ଘଟେ । ତେଣୁ ପରିବାରକୁ ବାନ୍ଧି ରଖିବାର ଦୃଢତା ଦୁର୍ବଳ ହୁଏ । କ୍ରମେ ଶାବକମାନଙ୍କର ଡେଣା ସବଳ ହୁଏ ଓ ସେମାନେ ମୁକ୍ତ ବିହଙ୍ଗପରି ଜୀବନର ସ୍ୱାଦ ଚାଖିବାରେ ବ୍ୟସ୍ତ ରହନ୍ତି । ମନ ଚହଲୁଛି, କେତେବେଳେ ସେମାନେ କର୍ତ୍ତାଙ୍କ ପାଖକୁ ଆସନ୍ତି ପରାମର୍ଶପାଇଁ ଓ ଅଧିକାଂଶ କ୍ଷେତ୍ରରେ ତାହା ଆଦୌ ଦରକାର ନୁହେଁ ବୋଲି  ଭାବନ୍ତି । କାରଣ ତାଙ୍କର ଆର୍ଥିକ ସାମର୍ଥ୍ୟ ଆଉ ନାହିଁ କହିଲେ ଚଳେ । ପୁଣି ବୃଦ୍ଧ ବୟସର ବହୁବିଧ ସମସ୍ୟାମାନ ଅସ୍ତବ୍ୟସ୍ତ କରିପକାଏ ଓ ସମସ୍ୟା ସମାଧାନରେ ସେମାନଙ୍କର ନିବିଡତା କ୍ଷଣକ୍ଷଣକେ ହ୍ରାସ ପାଏ । ସେମାନେ ବାହ୍ୟ ପ୍ରଭାବରେ ଆକୃଷ୍ଟ ଓ କବଳିତ ପ୍ରାୟ । ଏକ ଅଲୋଡା, ଅଖୋଜାର ପରିବେଶରେ କର୍ତ୍ତା ନିଜକୁ ଠାବ କରେ । ତାଙ୍କ ସହ ଆଳାପ ଆଲୋଚନାରୁ ସର୍ବେ ଦୂରେଇ ଯିବାର ଦୃଶ୍ୟ ପରିଲକ୍ଷିତ ହୁଏ । ସତେକି ସେ ଏକ ଅଦରକାରୀ ବର୍ଜ୍ୟବସ୍ତୁ । ତେଣୁ କର୍ତ୍ତାଙ୍କ ମନ ମଧ୍ୟ ଚହଲୁଛି । ତେବେ ରକ୍ତ ସମ୍ପର୍କର ଦିବ୍ୟତାକୁ ତ ସହଜରେ ଏଡାଇ ଦେଇ ହେବନି, ଯାହା ଚହଲୁଥିବା ପରିବାରକୁ ଏକ ଡୋରିରେ ବାନ୍ଧି ରଖିବାର ବାଧ୍ୟତା ଯେତେଦୂର ସମ୍ଭବ ଶେଷ ଅସ୍ତ୍ର ଅଟେ । ତେଣୁ ଏହା ପଦାର୍ଥର ତରଳାବସ୍ଥାର ଲକ୍ଷଣପରି କ’ଣ କୁହାଯାଇ ପାରିବ ନାହିଁ ?

ଆରମ୍ଭହୁଏ ଜୀବନର ଚତୁର୍ଥାବସ୍ଥା ! କର୍ତ୍ତା ଦେଖେ ପାରିବାରିକ ବନ୍ଧନ ଛିନ୍ନ ପ୍ରାୟ । ପରସ୍ପର ପରସ୍ପର ଠାରୁ ବିଛିନ୍ନ ବା ଦୂରେଇ ଯାଉଛନ୍ତି । କେନ୍ଦ୍ରବିନ୍ଦୁପ୍ରତି ଆକର୍ଷଣ ଶକ୍ତି ଏତେ ଦୁର୍ବଳ ଯେ, ବିକର୍ଷିତ ହେବାର ଉଦ୍ଦାମତାରେ ପରିବାରବର୍ଗ ଆଗୁସାର । ଜଳକୁ ପାତ୍ରରେ ରଖି ଗରମ କଲେ ଏହା ବାଷ୍ପୀଭୂତ ହୋଇ ପରସ୍ପର ଠାରୁ ବିଛିନ୍ନ ହୁଅନ୍ତି ଓ ଶେଷରେ ପାତ୍ରର ଜଳ-ସତ୍ତା ଲୀନ ହୋଇଯାଏ । ବିଛଣାରେ ପଡି ରହିଥିବା କର୍ତ୍ତାର ପ୍ରାଣବାୟୁ ଉର୍ଦ୍ଧ୍ୱମୁଖୀ ହୋଇ ଶରୀର ତ୍ୟାଗ କରେ । କେବଳ ରହିଯାଏ ନିର୍ଜୀବ ପିଣ୍ଡ । ଶେଷରେ ଏ ଅକ୍ଷମ ଶବ ବି ପରିବାରପାଇଁ ଭୟର କାରଣ ହୋଇଥାଏ । ଲିଭିଯାଏ ଏକ ପାରିବାରିକ ବନ୍ଧନର ମୂଳଜ୍ୟୋତି । ଶ୍ରାଦ୍ଧକ୍ରିୟା, ବନ୍ଧୁବାନ୍ଧବ ସମାବେଶରେ ଧିରେଧିରେ ସମାପ୍ତ ହୁଏ ଇହଲୀଳା ସମ୍ଭରଣ ପରର ଘଟଣାବଳୀ । ଏହା ପଦାର୍ଥର ଗ୍ୟାସୀୟ ଅବସ୍ଥା ସହ ତୁଳନୀୟ ଅଟେ । ମନବୋଧ ଚଉତିଶାରେ କବି  ଭକ୍ତ ଚରଣ ଦାସ ଯଥାର୍ଥରେ କହିଛନ୍ତି –
ଘର ବୋଲି ଅର୍ଜିଛୁ ଯେତେ ସମ୍ପତ …………. ଘଟ ଛୁଟିଲେ ତୋତେ ବୋଲିବେ ଭୂତ
ଘର ଘରଣୀ ଦେହ କିଳାଉ ଥିବେ …………… ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧି ହୋଇବେ ରେ …….. ଶୁଦ୍ଧି ହୋଇବେ ।

ପଦାର୍ଥର କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥା ସହ ଜୀବନ ସ୍ରୋତର  ସମାନ୍ତରାଳ ରୂପରେଖକୁ ଜଡିତ କରିବାର ଏହା ଏକ ନିମିତ୍ତ   ଚେଷ୍ଟା ମାତ୍ର । ମାନବ କେବଳ ଧନ ଅର୍ଜନରେ ଲିପ୍ତରହି ଏବଂ ନିଜ ପରିବାର , ସମ୍ପର୍କୀୟ, ବନ୍ଧୁବାନ୍ଧବ …… ଆଦିଙ୍କ ମୋହରେ ବାନ୍ଧିହୋଇ ଜୀବନ ଅତିବାହିତ କରିବା ଏକାନ୍ତ ଲକ୍ଷ୍ୟ ନୁହେଁ । ଏହା ପଛରେ ସ୍ୱାର୍ଥପରତା ନିହିତ ଏବଂ ପାର୍ଥିବ ଜଗତକୁ ଚିରସ୍ଥାୟୀ ରୂପେ ଆଦରିନେଇ ନିଶ୍ଚିତ ସତ୍ୟକୁ ନିରାଦର କରିବା ମାନବୀୟ ଧର୍ମ କଦାପି ନୁହେଁ । ଅସୁବିଧାରେ ବା ନିରାଶ୍ରୟତାରେ ଅଦୃଶ୍ୟ ଶକ୍ତିପ୍ରତି ଯେମିତି ନିଜ ସୁବିଧା ନିମିତ୍ତ ଆର୍ତ୍ତତା ଆପଣାଛାଏଁ ପରିପ୍ରକାଶ ହୁଏ, ଠିକ୍‍ ସେହିପରି ଧନ, ଜନ ଓ ଯୌବନର ମତୁଆଲା ମନକୁ ସଂଯତ କରି ଈଶ୍ୱରବ୍ରତୀ ହେବା ଏକାନ୍ତ କାମ୍ୟ ଅଟେ । ଫଳତଃ ସୃଷ୍ଟିର ସର୍ବଜନ ମଙ୍ଗଳକାରକ କାର୍ଯ୍ୟରେ ମଧ୍ୟ ନିଜକୁ କିଛି ମାତ୍ରାରେ ନିୟୋଜିତ କରାଯାଇ ପାରିବ, ଯାହା ପ୍ରାକୃତିକ ବିଧାନ କହିଲେ ଅତ୍ୟୁକ୍ତି ହେବନାହିଁ ।

———————————————————————————————————————————-

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help