ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ନବମ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ନବମ ସ୍ତବକ)

ମା କୁରୁ ଧନଜନ ୟୌବନ ଗର୍ବମ୍‍ – ହରତି ନିମେଷାତ୍କାଲଃ ସର୍ବମ୍‍

ମାୟାମୟମିଦମାଖିଲଂ ହିତ୍ୱା – ବ୍ରହ୍ମାପଦଂ ତ୍ୱଂ ପ୍ରବିଶ ବିଦିତ୍ୱା ….(୧୧)

ଏ ଶ୍ଳୋକରେ ସାଂସାରିକ ଲୀଳାରେ ସମ୍ପୃକ୍ତ ରହୁଥିବା ବ୍ୟକ୍ତି ବିଶେଷରୁ ଆରମ୍ଭ କରି ଭୋଗ ବିଳାସର ପରିବ୍ୟାପ୍ତତା ଉପରେ ସତର୍କ କରାଯାଇଛି । ମାନବ ଭୋଗ ବିଳାସର ମଦିରା ପାନକରି ମତୁଆଲାହୁଏ । ସେ ଭାବେନି ଯେ ଏହା କୌଣସି ଏକ ସମୟରେ ଉଭେଇଯିବ ବୋଲି । ଧନ, ଜନ, ଯୌବନର ପ୍ରଭାବରେ ସେ ଅହଂକାରୀ ହୋଇ ଧରାକୁ ସରା ମଣେ । ସମୟର ଧାରାରେ ଏହା ଏକ କ୍ଷଣିକ ସମୟର ବ୍ୟବଧାନ ମାତ୍ର । ଯୌବନ ଚାଲିଯାଏ, ଧନ ସରିଯାଏ, ସଖା – ସହୋଦର – ବନ୍ଧୁ ବର୍ଗ ଅପସରି ଯାଆନ୍ତି ଓ ଏହା ଏତେ ଅଳ୍ପ ସମୟରେ ଉଭାନ୍‍ ହେବା ଏକ ସ୍ୱପ୍ନ ପରି ଲାଗେ । ଆରମ୍ଭ ହୁଏ ମନ ଓ ଶରୀରରେ ଯନ୍ତ୍ରଣା । କାଳର କରାଳ ଗର୍ଭରେ ସୁଖ ସମ୍ପଦ କ୍ଷଣକେ ନଷ୍ଟ ହୁଏ । ଏହି ବାସ୍ତବିକତାକୁ ହୃଦୟଙ୍ଗମ କରିପାରିଥିବା ବ୍ୟକ୍ତି ନିରହଂକାରୀ ସ୍ୱଭାବଯୁକ୍ତ ହୋଇ ସମୟର ପ୍ରଭାବରେ ନିଜକୁ ମତୁଆଲା ନ’କରି ଅବିଚଳିତ ରହେ । ସାଂସାରିକ ବନ୍ଧନର ମାୟାରେ ଆଚ୍ଛନ୍ନ ହୋଇ ସ୍ୱାର୍ଥାନ୍ଧ ହୋଇ ନଥାଏ । ସମୟହିଁ ସବୁର ସମାଧାନ କରେ ଯାହାର ଆଦି ଓ ଅନ୍ତଃ ଜଣାନାହିଁ । ସମୟ ହିଁ ଚରମ ସତ୍ୟ ଓ ନିଷ୍ଠୁର, ଯାହା ଅଦୃଶ୍ୟ ଓ ସବୁର ସ୍ପୃଶ୍ୟ । ତେଣୁ ଏ ଶ୍ଳୋକରେ କୁହାଯାଇଛି ଯେ ମାନବ ଧନବଳ, ଜନବଳ ଓ ଯୌବନାଦିରେ ମଦମତ୍ତ ନହୋଇ ଅହଂକାର ତ୍ୟାଗ କରିବା ହିଁ ମାନବୀୟ ଉତ୍‍ଥାନ ଅଟେ । କାରଣ ଏହା ସମୟର ଗତିରେ କେତେବେଳେ ଯେ ଉଭାନ୍‍ ହୁଏ ତାହା ଜଣାପଡେନାହିଁ । ମାନବ ଓ ବ୍ରହ୍ମ ଚେତନା ମଧ୍ୟରେ ମାୟା-ମୋହ ରୂପୀ କାନନା ଓ ବାସନା ସୃଷ୍ଟିକରିଥାଏ ଘୋର ପ୍ରତିବନ୍ଧକ । ଏ ପ୍ରତିବନ୍ଧକ ଗୁଡିକୁ ହଟାଇଲେ ମନ ପରମବ୍ରହ୍ମଙ୍କ ନିକଟକୁ ସ୍ୱୟଂଚାଳିତ ଭାବେ ଆଗୁସାର ହୁଏ ।

 ଜ୍ୟୋତିର୍ବିଜ୍ଞାନ କହେ ସୂର୍ଯ୍ୟର ବି ଦିନେ ମୃତ୍ୟୁ ହେବ । ମହାଶୂନ୍ୟରେ ଏହିପରି କାହିଁ କେତେ ତାରକାର ମୃତ୍ୟୁ ଓ ଜନ୍ମ ହେଉଛି ତାହାର ହିସାବ ରଖିବା ମାନବ ପକ୍ଷେ ସମ୍ପୂର୍ଣ୍ଣ ଅସମ୍ଭବ । ତେବେ ସୌର ଜଗତର ସକଳ ଶକ୍ତିର ପ୍ରାଣକେନ୍ଦ୍ର ସୁର୍ଯ୍ୟର ମୃତ୍ୟୁ ପୃଥିବୀର ଜୀବଜଗତ ପାଇଁ ପ୍ରଳୟର ସୂଚନା ଦିଏ । ଯେଉଁଠି ଜାଗତିକ ପିଣ୍ଡର ମୃତ୍ୟୁ ଅବଶ୍ୟମ୍ଭାବୀ, ସେଠାରେ ମୋହ – ମାୟାର ରଜ୍ଜୁରେ ବନ୍ଧାହୋଇ ଅଦୃଶ୍ୟମାନ କାଳଚକ୍ରକୁ ଏଡାଇ ଦେବା କେତେଦୂର ସମ୍ଭବ ? ଯାହାର ଆୟତ୍ତରେ ଏ ବିଶ୍ୱ ବ୍ରହ୍ମାଣ୍ଡ ଆତଯାତ ଓ ଯାହାର ବିନାଶ ନାହିଁ ଓ ସଦା ସର୍ବଦା ଉପସ୍ଥିତ, ମଦମତ୍ତ ମାନବ ତାହା ବୁଝିନପାରି ଅନ୍ଧପ୍ରାୟ ବିଚରଣ କରେ । ତେଣୁ ବିଜ୍ଞାନ ଓ ଆଧ୍ୟାତ୍ମିକ ଚେତନା ଏକଇ ବାର୍ତ୍ତା ସମାଜକୁ ପ୍ରେରଣକରେ ଯେ, ପ୍ରାକୃତିକ ନିୟମ ହିଁ ସମୟର ସ୍ରୋତ, ଯାହାର ଶକ୍ତିକୁ ଅବଜ୍ଞା କରିବା ହିଁ ଯନ୍ତ୍ରଣା ଓ ପୀଡାର ମୂଳ କାରଣ ଅଟେ । 

*************************************************************

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help