ଥକାମନ ଚାଲଯିବା
ବିଜ୍ଞାନ ବଳରେ ଆଜିର ମାନବ ଉନ୍ନତିର ସୋପାନମାନ ଅତିକ୍ରମ କରିବାରେ ଲାଗିଛି । କିନ୍ତୁ ଜ୍ଞାନର ଶୀର୍ଷ ଦେଶ କେତେଦୂର ପରିବ୍ୟାପ୍ତ, ତାହା ସଭିଙ୍କୁ ଅଗୋଚର ଅଟେ । ଯୁଗ ଯୁଗ ଧରି ତତ୍କାଳୀନ ଜ୍ଞାନ କୌଶଳର ଅପପ୍ରୟୋଗ ଚରମ ସତ୍ୟ ନିକଟରେ ହାର ମାନିଛି । ତଥାପି ବିଳାସବ୍ୟସନର ମରୀଚିକାରେ ଅନ୍ଧପ୍ରାୟ ଧାବମାନ ଆଜିର ମାନବ । ବିଜ୍ଞାନର ମୂଳ ଲକ୍ଷ୍ୟ ଓ ଆଧ୍ୟାତ୍ମିକ ଚେତନାର ଦୃଢତା ଏକ ଓ ଅଭିନ୍ନ ଅଟେ । ସତ୍ୟର ପର୍ଯ୍ୟବେକ୍ଷଣ ଓ ନିରପେକ୍ଷ ମନୋବଳରୁ ବୃଦ୍ଧିପାଏ ଜ୍ଞାନର ପରିସୀମା, ପ୍ରସ୍ଫୁଟିତ ହୁଏ ଗାଣିତିକ ସୂତ୍ର ଓ ଏହାର ବ୍ୟବହାରିକ ଦିଗଗୁଡିକର ଯାନ୍ତ୍ରିକ କୌଶଳ ସମାଜକୁ ଯେଉଁ ମାତ୍ରାରେ ଗଠନମୂଳକ ରୂପରେ ସହାୟକ ହୁଏ, ତା’ଠାରୁ ଅଧିକ ମାତ୍ରାରେ ଧ୍ୱଂସକାରୀ ମାର୍ଗକୁ ପ୍ରବେଶ କରେ । ଜାଗିଉଠେ ହିଂସା, ଦ୍ୱେଷ, ଇର୍ଷା, ପରଶ୍ରୀକାତରତା, ଅହଂଭାବ ……. ଇତ୍ୟାଦି । ନୈତିକ ଅଧୋପତନ ଦ୍ୱାରା ସୃଷ୍ଟିହୁଏ ଅସଂଖ୍ୟ ପାଶବିକ ଚରିତ୍ର । ସତ୍ୟକୁ ଜାବୁଡି ଧରିଥିବା ନିମିତ୍ତ ମାତ୍ର ବ୍ୟକ୍ତିମାନେ ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି । ବ୍ୟସ୍ତତା ମଧ୍ୟରେ ଅଣନିଶ୍ୱାସୀ ମାନବ । ଧନୀର ଧନ ବୃଦ୍ଧିପାଉଛି ଅଥଚ ଶାନ୍ତିର ଅଭାବ । ରକ୍ଷକ ମନଇଛା ଭକ୍ଷକ ସାଜୁଛି କିନ୍ତୁ ନିଦ୍ରାର ଅଭାବ । ଅଶାନ୍ତିର ବହ୍ନିରେ ବିଚଳିତ ମନ, ଶାନ୍ତି ପ୍ରାପ୍ତି ନିମନ୍ତେ ବିଭିନ୍ନ ମାର୍ଗରେ ଧାଉଁଛି । କିନ୍ତୁ ଶାନ୍ତିର ମାର୍ଗ ତ ଚିତ୍ତ ଶୋଧନରୁ ଅନୁଭୂତ ହୁଏ । ଶ୍ରୀକୃଷ୍ଣ କହିଥିଲେ ଉଦ୍ଧବ ! “ମନ ତୋହର ନିଜ ଗୁରୁ” ।ପ୍ରଥମେ ନିଜର ମନକୁ ଆୟତ୍ତ କଲେ ଶାନ୍ତିର ସୂତ୍ରପାତ ଘଟିବ । ସେଥିପାଇଁ ସତ୍ୟପ୍ରେମୀମାନେ ମାନବକୁ ସଠିକ୍ ମାର୍ଗରେ ଅନୁଧାବନ କରାଇବା ନିମିତ୍ତ ସୃଷ୍ଟି କରି ଯାଇଛନ୍ତି ଅସଂଖ୍ୟ ଯୁଗାନ୍ତକାରୀ ଦିବ୍ୟ ବାର୍ତ୍ତା ବିଭିନ୍ନ ରୂପରେ । ଏଥିରେ ଭରି ରହିଛି ବିଜ୍ଞାନର ତତ୍ତ୍ୱାବଳୀ । ଏତାଦୃଶ ଏକ କ୍ଷୁଦ୍ରାତିକ୍ଷୁଦ୍ର ଭାବନାର ପରିସ୍ଫୁଟ ପୂର୍ବକ ସମାଜ ବକ୍ଷରେ ପରିବେଷଣ କରିବା ଏହି ସଂକ୍ଷିପ୍ତ ପ୍ରବନ୍ଧର ଉଦ୍ଦେଶ୍ୟ ଅଟେ ।
ଦୁଃଖ ଓ ଯାତନାରେ ଅଧିର ହୋଇ ଭକ୍ତ ବେଦନାର ଅର୍ଘ୍ୟ ଢାଳିଦିଏ ସେହି ଅଦେଖା – ଅଜଣା – ଅରୂପଙ୍କ ପାଦପଦ୍ମରେ । ଅଧୋଗତି ମାନବର ନୈତିକ ସଂସ୍କାର ପାଇଁ ବ୍ୟାକୁଳ ହୋଇ ନିର୍ମଳ ହୃଦୟରୁ ବର୍ଷଣ କରେ ସୁଧାବାରି । ସୂକ୍ଷ୍ମ ଦୃଷ୍ଟିରେ ଭକ୍ତ ମନର ଆବେଗକୁ ବିଶ୍ଳେଷଣ କଲେ ଏଥିରୁ ପରିପ୍ରକାଶ ହୁଏ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମ । ବିଶ୍ୱବାସୀଙ୍କ ପାଇଁ ଦିବ୍ୟ ବାର୍ତ୍ତା । ଜଗତର ନାଥ ଜଗନ୍ନାଥଙ୍କୁ ଚକ୍ଷୁ ସାମ୍ନାରେ ଦୃଢୀଭୂତ କରି ଭକ୍ତ ସାରିଆ ଭିକ ତାଙ୍କ “ଥକାମନ ଚାଲ ଯିବା” ଭଜନରେ ଯେଉଁ ମହାଚେତନା ସୃଷ୍ଟି କରିଛନ୍ତି ତାହାର ତୁଳନା ନହିଁ । ଯୁଗେ ଯୁଗେ ଭକ୍ତ ପଥଭ୍ରଷ୍ଟ ପଥିକଙ୍କ ଆର୍ତ୍ତ ଚିତ୍କାରକୁ ନିଜର ମାନସ ପଟ୍ଟରେ ଅନୁଭବ ପୂର୍ବକ ଅବିଳମ୍ବେ ଦୃଢ ଭକ୍ତି ରଜ୍ଜୁରେ ବନ୍ଧନଯୁକ୍ତ ହୁଅନ୍ତି ପରମେଶ୍ୱରଙ୍କ ସହ । ପୁରୁଷୋତ୍ତମ ଧାମ ଶଙ୍ଖ କ୍ଷେତ୍ରରେ ନୀଳଚକ୍ରେ ବାନା ଉଡାଇ ହସ୍ତ – ପାଦ ଶୂନ୍ୟ ଚକାନୟନଙ୍କ ନିକଟରେ ନିଜକୁ ସମର୍ପଣ କରିବା ପାଇଁ ଜନ ସମୁନ୍ଦ୍ରକୁ ଆବେଗଭରା କଣ୍ଠରେ ସତ୍ ଇଛା ପ୍ରକାଶ କରିଛନ୍ତି ଭକ୍ତ ସାରିଆ ଭିକ । ତା’ଙ୍କ ରଚିତ ଭଜନର ରୋମେ ରୋମେ ଭରି ରହିଛି ଶ୍ରୀମନ୍ଦିରର ଅବିକଳ ଦୃଶ୍ୟପଟ୍ଟ ଓ ଏହା ଗାୟକର ଚକ୍ଷୁ ସାମ୍ନାରେ ତତ୍କ୍ଷଣାତ୍ ନାଚିଉଠେ । ଏହାହିଁ ତା’ଙ୍କ ନିଜସ୍ୱ କଳାର ପ୍ରତିଫଳନ ଓ ବାସ୍ତବ ପ୍ରତିବିମ୍ବ ଅଟେ ।
ଭକ୍ତର ପ୍ରଥମ ସମ୍ବୋଧନ – “ଥକାମନ ଚାଲଯିବା …. ଚକା ନୟନ ଦେଖିବା” ରେ ସେ ବିବ୍ରତ ମାନବ ସମାଜକୁ କହିଛନ୍ତି ଶ୍ରୀକ୍ଷେତ୍ର ଯାଇଁ ଚକା ନୟନଙ୍କୁ ଦର୍ଶନ କରିବା ପାଇଁ ଏବଂ ସେହି ଯାତ୍ରାରେ ସେ ମଧ୍ୟ ନିଜକୁ ସାମିଲ କରି ଡୁବିଯାଇଛନ୍ତି ଭକ୍ତି ସାଗରରେ । ଦର୍ଶନର ପ୍ରଥମ ଅଭିଳାଷ ହେଉଛି ଚକା ଆଖିରେ ନିଜର ଆଖି ମିଶାଇ ପବିତ୍ରତାର ଅନୁଚିନ୍ତନବ୍ରତୀ ହେବା ଏବଂ ପ୍ରକୃତିର ସ୍ୱରୂପକୁ ଅବଲୋକନ କରିବା । ସୃଷ୍ଟିରେ ଯାହା କିଛି ଦୃଷ୍ଟିଗୋଚର ହୁଏ ତାହା ବର୍ତ୍ତୁଳାକାର ଅଟେ ଓ ଏହା ପ୍ରାକୃତିକ ବୈଶିଷ୍ଟ୍ୟ ଅଟେ । ଅର୍ଥାତ୍ ପୃଥିବୀ ପୃଷ୍ଠରେ ସମସ୍ତ ସୃଷ୍ଟିର ଆକାର, ଅନ୍ତରୀକ୍ଷର ସମସ୍ତ ପିଣ୍ଡର ଆକାର ଓ ସେଗୁଡିକର କକ୍ଷପଥ, ଇଲେକ୍ଟ୍ରନ୍ର କକ୍ଷପଥ, ପାରମାଣବିକ ନାଭିକର ରୂପରେଖ ……… ଇତ୍ୟାଦି ବର୍ତ୍ତୁଳାକାର । ତରଳ ପଦାର୍ଥର ପୃଷ୍ଠତାନ (Surface Tension) ତତ୍ତ୍ୱରୁ ଜଣାଯାଏ ଯେ, ପ୍ରତ୍ୟେକ ପୃଷ୍ଟର ପରମାଣୁ ବା ଅଣୁମାନ ନିମ୍ନ ଶକ୍ତି ସମ୍ଭାରରେ ରହିବା ପାଇଁ ଚାହାନ୍ତି । ଠୋପା ଠୋପା ଜଳର ଆକାର ଗୋଲାକାର । ତରଳ ଓ କଠିନର ମିଶ୍ରଣ ସ୍ଥଳ ବର୍ତ୍ତୁଳାକାର ଅଟେ । ଏହାର କାରଣ ହେଲା ପ୍ରାକୃତିକ ପରିବେଶ ସର୍ବଦା ନିମ୍ନ ଶକ୍ତିସ୍ତର (Ground State) ରେ ରହିବାକୁ ଚାହେଁ, ଯାହା ଦୀର୍ଘସ୍ଥାୟୀ ଅଟେ । ଉତ୍ତେଜିତ ଅବସ୍ଥା (Excited State) କ୍ଷଣସ୍ଥାୟୀ ଅଟେ । ଜଣେ କ୍ରୋଧାଗ୍ନିରେ ପ୍ରଜ୍ଜ୍ୱଳିତ ହୋଇ ନିରବଚ୍ଛିନ୍ନ ଭାବେ କେତେ ଦିନ ରହି ପାରିବ ? ଏହା ମଧ୍ୟ ଇଲେକ୍ଟ୍ରନ୍…. ଆଦି କଣିକା, ଅଣୁ, ପରମାଣୁ କ୍ଷେତ୍ରରେ ପ୍ରତିପାଦିତ ହୋଇ ପାରିଛି । ସେହିପରି ବ୍ୟକ୍ତି କ୍ରୋଧାଗ୍ନି ପରିବେଶରୁ ଶାନ୍ତ ପରିବେଶ ଆଡକୁ ଆପେ ଆପେ ଟାଣି ହୋଇ ଯାଏ । ତେବେ ସୃଷ୍ଟିରେ ପ୍ରତ୍ୟେକ ସଜୀବ ଓ ନିର୍ଜୀବ ଶାନ୍ତିକାମୀ ହେବା ଏକ ସ୍ୱୟଂଚାଳିତ ପ୍ରକ୍ରିୟା ସ୍ୱରୂପ ଅନୁଭୂତ ହୁଏ । ଯଦି ଜଣେ ତାମସିକ ଚେତନାର ପ୍ରଭାବରେ ଏ ପ୍ରକ୍ରିୟାକୁ ପ୍ରତିରୋଧ ପୂର୍ବକ ନିଜର ଉତ୍ତେଜିତ ଅବସ୍ଥାକୁ ବଜାଇ ରଖେ, ତେବେ ତା’ର ଘୋର ଅନର୍ଥ ଘଟେ , ଯଥା – ଅଳ୍ପାୟୁ ହେବା, ବ୍ୟାଧିଗ୍ରସ୍ତ ହେବା, ପାରିପାର୍ଶ୍ୱିକ ପରିସ୍ଥିତିକୁ ଘଞ୍ଚାଳିବା ଦ୍ୱାରା ଅନ୍ୟର କ୍ଷତି ଘଟାଇବା ଆଦିର କାରଣକୁ ଆହ୍ୱାନ ଦିଏ । ତେଣୁ ଭକ୍ତର ଚକା ନୟନ ଦର୍ଶନର ନିଗୂଢ ଭାବ ହେଲା ପ୍ରକୃତିର ପର୍ଯ୍ୟବେକ୍ଷଣ ପୂର୍ବକ ଶାନ୍ତିର ପଥ ଅନ୍ୱେଷଣ କିମ୍ବା ଅଯଥା ଉତ୍ତେଜିତ ନ ହେବା । ତେଣୁ ଏ ଦର୍ଶନ ସମାଜକୁ ଏହି ବାର୍ତ୍ତା ଦିଏ ଯେ, ସର୍ବେ ପ୍ରକୃତି ପୂଜାରେ ବ୍ରତୀ ହୋଇ ପ୍ରକୃତି ପ୍ରେମର ନିଦର୍ଶନ ସ୍ୱରୂପ ନିଜକୁ ପ୍ରକୃତି ସହ ସାମିଲ କରିବା ବିଧେୟ ଓ ଏହାହିଁ ପ୍ରାକୃତିକ ଧାରା ଅଟେ ।
ପୁରୀ ଧାମର ଆକାର ଏକ ଶଙ୍ଖ ସଦୃଶ ଓ ସେଥିପାଇଁ ଏହାକୁ ଶଙ୍ଖକ୍ଷେତ୍ର କୁହାଯାଏ । ଏହାର ନାଭି କେନ୍ଦ୍ର ହିଁ ଶ୍ରୀମନ୍ଦିର, ଯେଉଁଠି ବଡ ଠାକୁର ବିରାଜମାନ କରିଛନ୍ତି । ସେଥିପାଇଁ ବୋଧହୁଏ ଭକ୍ତ ଇଛା ପ୍ରକାଶ କରି କହିଛନ୍ତି – “ଶଙ୍ଖନାଭି ମଣ୍ଡଳରେ ବେନି ନେତ୍ର ପଖାଳିବା” । ଏହାର ତାତ୍ତ୍ୱିକ ମର୍ମ ନିମ୍ନମତେ ଚିନ୍ତା କରାଯାଇ ପାରେ । ଶଙ୍ଖ ବାଦନ କଲେ ଯେଉଁ ଧ୍ୱନି ତରଙ୍ଗ ଜାତ ହୁଏ, ତାହା ସମସ୍ତଙ୍କୁ ସମାନ ପ୍ରକାରର ଭାବ ଜାଗ୍ରତ କରାଇ ନଥାଏ । କାହାକୁ ଆନନ୍ଦିତ, ଭକ୍ତିରସରେ ପ୍ଳାବିତ, ଶକ୍ତିପ୍ରାପ୍ତ, ସତ୍ ସାହସପୂର୍ଣ୍ଣ କରାଇବା ସହ ମଧ୍ୟ କାହାକୁ ଶଙ୍କିତ, ଭୟଭୀତ, ଶକ୍ତିହୀନ ଆଦି କରାଇଥାଏ । ଏହା ବ୍ୟକ୍ତିର ଚରିତ୍ର, ସଦ୍ଜ୍ଞାନ, କର୍ମ , ସମ୍ବେଦନଶୀଳତା ……,.ଆଦି ପ୍ରତି ସମାନୁପାତିକ କିମ୍ବା ବ୍ୟୁତକ୍ରମାନୁପାତିକ ଅଟେ । ଶଙ୍ଖନାଦ ବା ଦିବ୍ୟଶକ୍ତି ଉତ୍ସକୁ ବିଭିନ୍ନ ପରିକଳ୍ପିତ ରୂପରେଖ ମାଧ୍ୟମରେ ବାଦନ ଅଥବା ଆବାହନ କରାଯାଏ । ଯେପରି ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟର ପ୍ରାରମ୍ଭ, ପୂଜାର୍ଚ୍ଚନା, ସନ୍ଧ୍ୟା ଦୀପ, …. ଆଦି ସମୟରେ ଶଙ୍ଖ ବାଦନ କରାଯାଏ । ସେହିପରି ଦିନେ ମାନବ ସମାଜ କଲ୍ୟାଣ ନିମିତ୍ତ , ମହାଭାରତ ଯୁଦ୍ଧର ଅବ୍ୟବହିତ ପୂର୍ବରୁ ଷଡଶଙ୍ଖ ନାଦରେ ଗଗନ ପବନ ପ୍ରକମ୍ପିତ ହୋଇ କୌରବ ପକ୍ଷଙ୍କୁ ଶଙ୍କିତ ଓ ଭୟଭୀତ କରିପକାଇଥିଲା, ଯଥା –
ପାଞ୍ଚଜନ୍ୟଂ ହୃଷୀକେଶୋ ଦେବଦତ୍ତଂ ଧନଞ୍ଜୟଃ
ପୌଣ୍ଡ୍ରଂ ଦଧ୍ମୌ ମହାଶଙ୍ଖଂ ଭୀମକର୍ମା ବୃକୋଦରଃ
ଅନନ୍ତ ବିଜୟଂ ରାଜା କୁନ୍ତୀପୁତ୍ରୋ ଯୁଧିଷ୍ଟିରଃ
ନକୁଳଃ ସହଦେବଶ୍ଚ ସୁଘୋଷ ମଣିପୁଷ୍ପକୌ ।
ଏ ଷଡନାଦ ସମ୍ଭବତଃ ଷଡରିପୁ ପରିପ୍ରକାଶ ଓ ଦମନର କ୍ଷେତ୍ର ସୃଷ୍ଟି କରିଥାଇପାରେ । ଏକ ମୁଦ୍ରାର ଦୁଇଟି ପାର୍ଶ୍ୱ ସଦୃଶ କୌରବ ପକ୍ଷ ପାଇଁ ଷଡରିପୁ ପରିପ୍ରକାଶ ଓ ପାଣ୍ଡବ ପକ୍ଷ ପାଇଁ ଦମନର ଭାବ ନିଶ୍ଚୟ ସୃଷ୍ଟି କରିଥିବ । ତେବେ ଶଙ୍ଖର ନାଭି ମଣ୍ଡଳକୁ ଭକ୍ତ ଗୁରୁତ୍ୱ ଦେଇଛନ୍ତି । ବାହ୍ୟ ଧ୍ୱନି ତରଙ୍ଗ ସମ୍ଭବତଃ ଏହି ମଣ୍ଡଳରେ କେନ୍ଦ୍ରୀଭୂତ ହୋଇ ପୁନଃ ପ୍ରକାଶିତ ଶଙ୍ଖନାଦରୂପେ ନିର୍ଗତ ହୁଏ । ଅର୍ଥାତ୍ ଦିବ୍ୟ ଧ୍ୱନିର କେନ୍ଦ୍ର ବିନ୍ଦୁକୁ ନିଜ ଭାବନା ରାଜ୍ୟରେ ସ୍ଥାନ ଦେବାକୁ ଭକ୍ତଙ୍କ ସଦିଛା ଥିବାର ମନେହୁଏ । ଯାହା ପ୍ରତୀୟମାନ ହୁଏ, ବୈଦିକ ମତରେ ଏ ମହାବିଶ୍ୱ ସୃଷ୍ଟିର ପରିକଳ୍ପନା ନାଦବ୍ରହ୍ମରୁ ହୋଇଥିଲା ଓ ଶଙ୍ଖନାଦକୁ ଯଦି ଏହା ସହ ତୁଳନାତ୍ମକ ଭାବେ ପର୍ଯ୍ୟାଲୋଚନା କରାଯାଏ, ତେବେ ପର୍ଯ୍ୟବେକ୍ଷିତ ବିଜ୍ଞାନ ମତାନୁସାରେ ବିଗ୍ବ୍ୟାଙ୍ଗ୍ (Big Bang) ଏବଂ ମହାଜାଗତିକ ପୃଷ୍ଟଭୂମି ବିକିରଣ (Cosmic Microwave Back Ground Radiation ) ସେହି ସମାନ ଚେତନା ଆଣିଦିଏ । ତେବେ ଉଭୟ ମତବାଦର ଏକତ୍ୱରୁ ଏହା ପରିସ୍ଫୁଟ ହେଉଛି ଯେ, ମହାଶୂନ୍ୟର ନାଭିକେନ୍ଦ୍ରରୁ ଅହରହ ଦିବ୍ୟ ଓଁକାର ନାଦ ବା ମହାଜାଗତିକ ପୃଷ୍ଟଭୂମି ବିକିରଣ ଗୁଞ୍ଜରିତ ହେଉଅଛି । ମାନବ ସମାଜ ଏତାଦୃଶ ସାତ୍ତ୍ୱିକତାରେ ନିମଜ୍ଜିତ ହେବା ଓ ଜଡ଼ ବା ଚଳତ୍ ମଧ୍ୟରେ ଥିବା ଗାଠନିକ ଧାରାକୁ ଦର୍ଶନ କରିବା ନିମିତ୍ତ ନିବେଦନ କରାଯାଇଛି । ଏହାଦ୍ୱାରା ଷଡରିପୁର କେନ୍ଦ୍ରସ୍ଥଳ ନେତ୍ରଦ୍ୱୟକୁ ପଖାଳିବା ବା ପବିତ୍ର କରାଇବାର ପଥ ସୁଗମ ହେବ । ପୁଣି ଭକ୍ତ ଗାଇଛନ୍ତି –
“ବାଟରେ ବାଟ ମଙ୍ଗଳା …… ଦେଖିବା ଅଠର ନଳା
ପଞ୍ଚମନ ଏକ ହୋଇ ନରେନ୍ଦ୍ରେ ସ୍ନାନ କରିବା”।
ଏହାର ତାତ୍ତ୍ୱିକ ଦର୍ଶନର ସମ୍ଭାବିତ ବୈଜ୍ଞାନିକ ବିଶ୍ଳେଷଣ ଏହିପରି ହୋଇପାରେ ଯେ, ହାଇଡ୍ରୋଜେନ୍ ପରମାଣୁର ଉତ୍ତେଜିତ ଇଲେକ୍ଟ୍ରନ୍ଟି ଯଦି ତୃତୀୟ ଶକ୍ତି ସ୍ତର(M)ରୁ ଦ୍ୱିତୀୟ ଶକ୍ତି ସ୍ତର(L)କୁ ଲମ୍ଫ ପ୍ରଦାନ କରେ, ତେବେ ଏହା ବିଦ୍ୟୁତ୍ – ଚୁମ୍ବକୀୟ ତରଙ୍ଗ ବିକିରଣ କରେ ଓ ଏହି ବର୍ଣ୍ଣାଳୀ ରେଖା ଗୁଡିକୁ ବାଲ୍ମର୍ଙ୍କ ଶ୍ରେଣୀରେ (Balmer Series) ଅନ୍ତର୍ଭୁକ୍ତ କରାଯାଇଛି । ଏହି ଶ୍ରେଣୀର ପ୍ରଥମ ବର୍ଣ୍ଣାଳୀରେଖାକୁ Hα ରେଖା କୁହାଯାଏ । ଏହି ରେଖାର ବର୍ଣ୍ଣ ଲାଲ୍ ଅଟେ । ସେହିପରି ଦ୍ୱିତୀୟ, ତୃତୀୟ, ଚତୁର୍ଥ ……. ଆଦି ବର୍ଣ୍ଣାଳୀରେଖାକୁ ଯଥାକ୍ରମେ Hβ , Hϒ ,Hδ ……କୁହାଯାଏ । ଏଗୁଡିକ ଚତୁର୍ଥ, ପଞ୍ଚମ, ଷଷ୍ଠ …. ଆଦି ଶକ୍ତି ସ୍ତରରୁ ଦ୍ୱିତୀୟ ଶକ୍ତି ସ୍ତରକୁ ଲମ୍ଫ ପ୍ରଦାନର ଫଳାଫଳ ଅଟେ । ତୃତୀୟ ଶକ୍ତିସ୍ତରରେ ସର୍ବାଧିକ ଅଠରଟି ଇଲେକ୍ଟ୍ରନ୍ ରହିପାରିବ ଓ ପ୍ରଥମ K – କକ୍ଷରୁ ବା ଦ୍ୱିତୀୟ L – କକ୍ଷରୁ ଇଲେକ୍ଟ୍ରନ୍ଟି ଉତ୍ତେଜିତ ହୋଇ ଯଦି ତୃତୀୟ କକ୍ଷକୁ ଡିଏଁ , ତେବେ ଏହି କକ୍ଷରେ ଶୂନ୍ୟ ଥିବା ଅଠରଟି ସ୍ଥାନରୁ ଯେ କୌଣସି ଏକ ସ୍ଥାନ କ୍ଷଣେ ମାତ୍ର ଦଖଲ ପୂର୍ବକ ସ୍ୱଃ ସ୍ୱଃ କକ୍ଷ ଅର୍ଥାତ୍ ଦ୍ୱିତୀୟ(L) ବା ପ୍ରଥମ (K) ଶକ୍ତି ସ୍ତରକୁ ଲମ୍ଫ ପ୍ରଦାନ କରିବାର ସମ୍ଭାବନ ସୃଷ୍ଟିକରେ । ତେବେ ଏହି ପ୍ରକ୍ରିୟା ପ୍ରତ୍ୟେକ ଦ୍ୱିତୀୟ(L) ବା ପ୍ରଥମ (K) ଶକ୍ତିସ୍ତର ପାଇଁ ଅଷ୍ଟାଦଶ ବାର ଲେଖାଏଁ ହୋଇପାରିବ । କିନ୍ତୁ ଦ୍ୱିତୀୟ(L)ସ୍ତର ପାଇଁ ପ୍ରତିଥର ଲାଲ୍ ବର୍ଣ୍ଣାଳୀ ରେଖା Hα ନିର୍ଗତ ହେବ । ଅନ୍ୟ ଉଚ୍ଚସ୍ତରରୁ ଏହି ଦ୍ୱିତୀୟ(L) କକ୍ଷକୁ ଏତାଦୃଶ ପ୍ରକ୍ରିୟାରୁ ସବୁଜ, ନୀଳ, ….. ଆଦି ବର୍ଣ୍ଣାଳୀ ରେଖା ନିର୍ଗତ ହୁଏ ଯାହାକୁ Hβ , Hϒ ,Hδ ……କୁହାଯାଏ । ପୁନଶ୍ଚ ଉଚ୍ଚ ଉତ୍ତେଜିତ ଅବସ୍ଥାରୁ ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ……. ଆଦି ସ୍ତରକୁ ପଶ୍ଚାତ୍ଧାବନରେ ଅବଲୋହିତ (Infra-red)ବିଦ୍ୟୁତ୍ – ଚୁମ୍ବକୀୟ ତରଙ୍ଗ ବିକିରଣ ହୁଏ । ଦୃଶ୍ୟମାନ ଓ ଅବଲୋହିତ ତରଙ୍ଗ ଜୀବଜଗତର ତିଷ୍ଠି ରହିବାପାଇଁ ଏକାନ୍ତ ଆବଶ୍ୟକ । ଅବଲୋହିତ ଆଲୋକ ଜୀବନୀ ଶକ୍ତିର ଉତ୍ସ ଓ ଦୃଶ୍ୟମାନ ଆଲୋକ ବଞ୍ଚି ରହିବାର ରାହା ଯୋଗାଏ । ତେଣୁ ଦ୍ୱିତୀୟ ଶକ୍ତିସ୍ତରକୁ ଜୀବଜଗତର ନୀବାସ ସ୍ଥଳୀରୂପେ ଚିନ୍ତା ପ୍ରକଟ ପୂର୍ବକ ଭକ୍ତର ଭାବନା ସହ ଜଡିତ କରାଯାଇପାରେ । ଏହା ସୂକ୍ଷ୍ମ ବିଜ୍ଞାନ ଧାରାରୁ ସ୍ଥୂଳ ଜଗତର ପରିପ୍ରକାଶକୁ ଏକ ନିମିତ୍ତ ପ୍ରଚେଷ୍ଟା ମାତ୍ର । ଭାବନା ରାଜ୍ୟରେ ଯାହା କିଛି ଅଙ୍କୁରିତ ହୁଏ ତାହାର କିୟଦାଂଶ ଲୋକ ଲୋଚନକୁ ଆଣିବାର ଉଦ୍ୟମରୁ ଯଦି ସମାଜର ବିନ୍ଦୁଏ ମାତ୍ର ମଙ୍ଗଳ ସାଧନ ହୋଇପାରିବ, ତାହାହିଁ ହେବ ସ୍ରଷ୍ଟାର ଆନନ୍ଦର ଉତ୍ସ । ତେବେ କ’ଣ ଏ ଦୁନିଆଁରୁ ଆର ପାରିକୁ ଯାଉଥିବା ଜୀବ ଏଠାରେ ପୁନର୍ଜନ୍ମ ଲାଭ କରିବା ନିମିତ୍ତ କିମ୍ବା ଆରପାରିରୁ ଏ ଦୁନିଆଁରେ ଜନ୍ମିଥିବା ଜୀବ ମୃତ୍ୟୁରେ ଅଠର ପ୍ରକାର ପଥକୁ ସମ୍ମୁଖୀନ ହେବାକୁ ପଡେ ? ହୋଇପାରେ ବାଧା – ବିଘ୍ନ ସ୍ୱରୂପ ଏହି ଅଠର ପ୍ରକାର ପଥକୁ ସାମ୍ନା କରିବାକୁ ପଡେ । କର୍ମାନୁଯାୟୀ ମାର୍ଗର ଚୟନ ହେବା ଏକ ବିଧିବଦ୍ଧ ପ୍ରକ୍ରିୟା ପରି ଭାବ ଜାଗ୍ରତ ହୁଏ । ଯେହେତୁ ମାର୍ଗ ଭିନ୍ନ କିନ୍ତୁ ଲକ୍ଷ୍ୟ ସ୍ଥଳ ସମାନ, ତେଣୁ ଏହି ଅଠର ପ୍ରକାର ମାର୍ଗରୁ ଯେ କୌଣସି ମାର୍ଗରେ ସ୍ଥିର ନିଶ୍ଚିତ ରହିବା ପାଇଁଦୃଢ ମନୋବଳର ଆବଶ୍ୟକ । ଏହି ଧାରାରେ ଜାଗତିକ ଉତ୍ସରୁ ଦିବ୍ୟଶକ୍ତି ପ୍ରାପ୍ତ ହେବାକୁ ଇଲେକ୍ଟ୍ରନ୍ର ଉତ୍ତେଜିତ ଅବସ୍ଥା ଓ ଏହାର ସମାଜ କଲ୍ୟାଣ ନିମିତ୍ତ ପ୍ରୟୋଗହିଁ ବିଦ୍ୟୁତ୍ – ଚୁମ୍ବକୀୟ ବିକିରଣ ସହ ଏକ ତୁଳନାତ୍ମକ ନିର୍ଯ୍ୟାସ ମିଳୁଛି । ତେବେ ଭକ୍ତ କ’ଣ ଦିବ୍ୟତା ପ୍ରାପ୍ତି ପାଇଁ ଅଠରନଳା ବା ଏହି ସଂଖ୍ୟକ ମାର୍ଗରୁ ଯେ କୌଣସି ମାର୍ଗରେ ମା’ ମଙ୍ଗଳାଙ୍କୁ ଆରାଧନା ପାଇଁ ଜନ ସମାଜକୁ ଭକ୍ତିର ବାର୍ତ୍ତା ପ୍ରେରଣ କରିଛନ୍ତି ?
“ୟା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା – ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋଃ ନମଃ” । ସିନ୍ଦୂର ଓ ଲାଲ୍ ମନ୍ଦାରରେ ଶୋଭିତା ମା’ ମଙ୍ଗଳା ଶକ୍ତି ପ୍ରଦାୟିନୀ ଓ ମଙ୍ଗଳମୟୀ ଅଟନ୍ତି । ଲାଲ୍ବର୍ଣ୍ଣ ଶକ୍ତିର ପ୍ରତୀକ । ଦେଉଳ ଉପରେ ଲାଲ୍ ଝଣ୍ଡା ଫର୍ ଫର୍ ହୋଇ ଉଡୁଥାଏ । ପ୍ରାତଃ ଓ ସାୟଂ ଭାନୁ ଲୋହିତ ଆଭାରେ ମଣ୍ଡିତ ହୋଇ ଜୀବଜଗତକୁ ଦୃଶ୍ୟମାନ ହୁଅନ୍ତି । ତେଣୁ ସତ୍ମାର୍ଗରେ ଅବିଚଳିତ ରହି ଏତାଦୃଶ ଶାନ୍ତ ପ୍ରାକୃତିକ ପରିବେଷ୍ଟନୀରୁ ଦୃଢ ମନୋବଳ ରୂପୀ ଶକ୍ତି ପ୍ରାପ୍ତ ହୋଇ ଏବଂ ଏହାର ସୁପ୍ରଭାବରେ ଉଦ୍ଭାସିତ ଲାଲ୍ ଆଲୋକ ପରି ସମାଜରେ ଝଲକିତ ହେବାକୁ ଭକ୍ତ ନିଶ୍ଚୟ ଆଶା ବ୍ୟକ୍ତ କରିଛନ୍ତି । ପୁନଶ୍ଚ ମାନବର ପଞ୍ଚଭୂତ ଶରୀର ପଞ୍ଚମନର ଚଞ୍ଚଳତାକୁ ଏକତ୍ରିତ କରି ନରେନ୍ଦ୍ର ପୋଖରୀରେ ସ୍ନାନ କରିବାର ଅଭିଳାଷ ପୋଷଣ କରାଯାଇଛି । ତେଣୁ ହେ ମାନବ ସମାଜ ! ଉତ୍ତେଜିତ ଇଲେକ୍ଟ୍ରନ୍ଟି ଯେପରି ପୁନଃ ଲମ୍ଫ ପ୍ରଦାନରେ ନିଜ ଧାମକୁ ଫେରିବା ସହ ଆଲୋକ ବିକିରଣ କରିଥାଏ, ସେହିପରି ମାନବ ସାତ୍ତ୍ୱିକତାର ପରିପ୍ରକାଶ ପୂର୍ବକ ଶାନ୍ତ ଓ ସରଳ ଚିତ୍ତରେ ନିଜ ବାସ ସ୍ଥାନ ପୃଥିବୀ ଅର୍ଥାତ୍ ସର୍ବଶ୍ରେଷ୍ଠ ପୋଖରୀ ବା ନରେନ୍ଦ୍ର ପୋଖରୀକୁ ସର୍ବ ଦିଗରୁ ପ୍ରଦୂଷଣ ମୁକ୍ତ କରିବାହିଁ ଭକ୍ତ ସାରିଆ ଭିକଙ୍କ ଭଜନର ନରେନ୍ଦ୍ରେ ସ୍ନାନ କରିବା ସଦୃଶ ଦିବ୍ୟ ସ୍ନାନ ଅଟେ ।
ଏ ଅମୃତମୟ ସୃଷ୍ଟିକୁ ନର୍କରେ ପରିଣତ କରିବା ପୂର୍ବରୁ ନିଜକୁ ବାରମ୍ବାର ପ୍ରଶ୍ନ ପଚାରି ତାହାର ସଠିକ୍ ଉତ୍ତର ପ୍ରାପ୍ତ ହେବା ଜରୁରୀ ଅଟେ । ତେଣୁ ଭକ୍ତଙ୍କ କଣ୍ଠରେ ଫୁଟି ଉଠିଛି –
ପହୁଞ୍ଚିବା ବଡ ଦାଣ୍ଡେ ……… ସେ ରେଣୁ ପାଇବା ତୁଣ୍ଡେ
ଛତାତଳେ ରହି ଦଣ୍ଡେ …….. ସାଧୁଙ୍କ ସେବା କରିବା ।
ଏ ଅନନ୍ତ ବିଶ୍ୱ ହିଁ ବଡଦାଣ୍ଡ, ଯେଉଁଠି ପ୍ରତ୍ୟେକଙ୍କୁ ଏହାର ଜାଗତିକ ଶକ୍ତି ଭଣ୍ଡାରର କରୁଣା ବାରିରୁ ଠୋପାଏ ମାତ୍ରପାନ କରିବାର ଅଭିଳାଷ ପୋଷଣ କରିବା ନିମିତ୍ତପୂର୍ଣ୍ଣ ସ୍ୱାଧିନତା ଅର୍ପଣ କରାଯାଇଛି । ଫଳତଃ ଜଣେ ଦେହ ଓ ମନକୁ ପବିତ୍ର କାର୍ଯ୍ୟ ଧାରାରେ ନିୟୋଜିତ କରିପାରିବ । ସକଳ ଶକ୍ତିର ଆଧାର ଓ ସମଗ୍ର ଜୀବ ଜଗତର ପାଳନକର୍ତ୍ତା ହେଉଛନ୍ତି ସୂର୍ଯ୍ୟ ନାରାୟଣ । ସୌରଶକ୍ତି ବିନା ଜୀବଜଗତ ତିଷ୍ଟିବା ଅସମ୍ଭବ । ତେଣୁ ଆମର ରକ୍ଷାକର୍ତ୍ତା ସୂର୍ଯ୍ୟଙ୍କୁ ଛତାର ପ୍ରତୀକ ରୂପେ ଗ୍ରହଣ କରାଯାଇପାରେ, ଯାହାଙ୍କ ଛତ୍ରଛାୟା ତଳେ ରହି ସାଧୁଜନ ଅର୍ଥାତ୍ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଭକ୍ତ ସଦ୍ଇଛା ପ୍ରକାଶ କରିଛନ୍ତି ।
ଜୀବନ ସଂଗ୍ରାମରେ ମାନବ ବହୁମୂଖୀ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିଥାଏ । ପ୍ରତ୍ୟେକ ଆରମ୍ଭ ଓ ବିଲୟ ହେଉଛି ଏକ ଏକ ପରୀକ୍ଷାର ଦ୍ୱାର ଦେଶ । ତେଣୁ ଭକ୍ତ ଏଠାରେ ଭାବ ବିହ୍ୱଳିତ ହୋଇ ଗାଇ ଉଠିଛନ୍ତି –
ସିଂହଦ୍ୱାରେ ଭିଡାଭିଡି ……….. ଗର୍ଜୁଅଛି ବେତବାଡି
ଠେଲିଦେଇ ଯିବା ଚାଲି ………. ଧକ୍କା ବାଜିଲେ ସହିବା ।
ତେବେ ପ୍ରତ୍ୟେକ ସତ୍କର୍ମୀଙ୍କୁ ନିଜସ୍ୱ ମାର୍ଗରେ ଦୃଢ ରହି ଉତୀର୍ଣ୍ଣ ହେବାକୁ ହେଲେ ପ୍ରାଥମିକ ସ୍ତରରୁ ଆରମ୍ଭ ହୋଇଯାଏ ବାଧା – ବିଘ୍ନ ମାନ, ଯାହାକୁ ସିଂହଦ୍ୱାର ତୁଲ୍ୟ ଗ୍ରହଣ କରାଯାଇ ପାରେ । ଏହିଦ୍ୱାର ଠାରୁ ଆଗକୁ ଅଗ୍ରସର ହେଲେ ପ୍ରତିବନ୍ଧକ ସୃଷ୍ଟିହୁଏ । ଦ୍ୱାରପାଳଙ୍କ ଖଡ୍ଗ ଏଠାରେ ଉନ୍ମୁକ୍ତ ପ୍ରାୟ । ଏହି ପ୍ରତିରୋଧତାକୁ ଭେଦ କରିବାକୁ ଆଗନ୍ତୁକକୁ କଷ୍ଟ ସହିବା ସହ ବିଭିନ୍ନ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡେ । ସେହି ଧାରାରେ ସତ୍ୟ ପ୍ରକାଶ ନିମିତ୍ତ ପ୍ରଥମେ ସିଂହଦ୍ୱାର ସଦୃଶ ଦୃଢ ପ୍ରତିରୋଧତ୍ମକ ପ୍ରକ୍ରିୟାମାନ ମୁକ୍ତିଲାଭ କରେ ।
ପଦାର୍ଥ ବିଜ୍ଞାନ କ୍ୱାଣ୍ଟମ୍ତତ୍ତ୍ୱ (Quantum Theory) ର ବୌଦ୍ଧିକ ସଂଜ୍ଞା ହେଲା – ପ୍ରକୃତି ଯଥାନୁପାତିକ ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର ଅନୁଭୂତ ହୁଏ(Nature Loves Symmetry), ଅର୍ଥାତ୍ ପ୍ରକୃତିର ସପକ୍ଷରେ ଗଲେ ଏହା ଆମର ହୁଏ ରକ୍ଷା କବଚ ଓ ବିରୁଦ୍ଧରେ କାର୍ଯ୍ୟକଲେ ଏହା ଆମର ଧ୍ୱଂସର କାରଣ ହୁଏ ।ଏହା ସୂକ୍ଷ୍ମ ଜଗତରୁ ସ୍ଥୂଳ ଜଗତ ଯାଏଁ ପରିବ୍ୟାପ୍ତ ଅଟେ । ତେଣୁ ସୃଷ୍ଟିରକ୍ଷା ପାଇଁ ପ୍ରକୃତିପ୍ରେମୀ ଗଣ ଅସତ୍ପ୍ରେମୀ ମାନଙ୍କ କ୍ରୂର ବେତ୍ରାଘାତ ସଦୃଶ ବେତ୍ରାଘାତକୁ ଭ୍ରୂକ୍ଷେପ ନ କରି ଅଗ୍ରସର ହେବ ଉଚିତ୍ । ନ୍ୟାୟ ମିଳିବାକୁ ହେଲେ ଅନ୍ୟାୟର ବହୁମୂଖୀ ଧକ୍କାମାନ ସହିବା ସହ ଓ ଏହାକୁ ଆଡେଇ ଆଡେଇ ବା ଠେଲି ଠେଲି ଜୀବନର ବେଳାଭୂମିରେ ପଦଚାରଣ କରିବାକୁ ଭକ୍ତ ତା’ର ଭକ୍ତିର ଅର୍ଘ୍ୟ ସମାଜ ବକ୍ଷରେ ଢାଳି ଦେଇଛି । ତେଣୁ ସେ ସଗର୍ବେ ଗାଇ ଉଠିଛି –
“ବାଇଶି ପାବଚ୍ଛେ ତକା …….. କୈବଲ୍ୟ ହେଉଛି ବିକା
ହାଣ୍ଡିକେ ପଡେ ସିଉକା …….. ମନରଙ୍କା ଛଡାଇବା” ।
ଜୀବନର ଚଲାପଥରେ ସଠିକ୍ ରୂପେ ଅଗ୍ରସର ହେବାରେ ବିଭିନ୍ନ ମାର୍ଗରୁ ପ୍ରତିରୋଧରୂପୀ କ୍ରୂର ଅଭିଳାଷଗୁଡିକର ସମ୍ଭାବନା ପାବଚ୍ଛ ପ୍ରରେ ପାବଚ୍ଛ ଲମ୍ବିଯାଇଥାଏ ଅତୀବ ମାତ୍ରାରେ, ଯାହାକୁ ଭକ୍ତ ବାଇଶି ପାହାଚ ସହ ତୁଳନା କରିଛନ୍ତି । ଏହି “ବାଇଶି” ସଂଖ୍ୟାଟି ସମ ଯୁଗ୍ମରାଶି ବିଶିଷ୍ଟ ଓ ସଂଖ୍ୟା ତତ୍ତ୍ୱରେ ଏହାର ବିଶେଷତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ବାଇଶି ବର୍ଷ ବୟସକୁ ଏକ ଘାଟି ସମୟବୋଲି ଜନ ମତରେ ବିଦିତ । ଏ ସମୟକୁ ଜୀବନ ଯାତ୍ରାର ଏକ ଦୋଛକି ରାସ୍ତା ବା ମୋଡ ରୂପେ ଅନେକ ଭାବନ୍ତି, ଯାହା ଏକ ଭୌତିକ ଚିନ୍ତାଧାରା । ବଡ ଦେଉଳର ବାଇଶି ପାହାଚ ସତେକି ଜୀବନର ବାଇଶି ପାହାଚ ସଦୃଶ ଓ ଏହା ଜନ୍ମରୁ ଆରମ୍ଭ ହୋଇ ମୃତ୍ୟୁ ଯାଏ ବ୍ୟାପ୍ତ ଅଟେ । ସତ୍ୟର ପ୍ରଭୁତ୍ୱ ନିମିତ୍ତ ଜୀବନର ବାଇଶି ପାହାଚ ସ୍ୱରୂପ ଭୟଙ୍କର ଦୁର୍ଗମ ପଥକୁ ଧିରେଧିରେ ଧୈର୍ଯ୍ୟର ସହ ଅତିକ୍ରମ କରିବାର ଚେତନା ସୃଷ୍ଟି କରିଯାଇଛନ୍ତି ମହାମାନବମାନେ । ଏ ବସୁନ୍ଧରା ହେଉଛି ଆନନ୍ଦ ବଜାର, ଯେଉଁଠି ଭରପୂର ହୋଇ ରହିଛି କୈବଲ୍ୟ ପସରାମାନ । ସାମାନ୍ୟ ଅର୍ଥ ବିନିମୟରେ (ସିଉକା = ଏକ ଟଙ୍କାର ଚାରିଭାଗରୁ ଭାଗେ) ଅଥବା କିଞ୍ଚିତ୍ ଯୁକ୍ତାତ୍ମକ ଜ୍ଞାନ ପ୍ରୟୋଗରେ ମନ – ପ୍ରାଣ ଭରା ଦିବ୍ୟ ଭୋଜନର ଅଭିଳାଷ ଫୁଟି ଉଠିଛି ଭକ୍ତର ମନ ମନ୍ଦିରରୁ । ସ୍ରଷ୍ଟା ତା’ର ସୃଷ୍ଟିର ସୁରକ୍ଷା ନିମିତ୍ତ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଅଛି । ସୃଷ୍ଟିରେ ଭରି ରହିଛି ଦିବ୍ୟ ଉପାଦାନ, ଯାହା ବଳରେ ଏ ଜୀବ ଜଗତର ମଙ୍ଗଳ ସାଧନ କରାଯାଇପାରିବ । ବହୁ ମହାମାନବ ପୃଥିବୀ ବାସୀଙ୍କୁ ଦେଇଛନ୍ତି ନୂତନ ଜ୍ଞାନ ଓ ଏହାର ଅପପ୍ରୟୋଗ କରିବା ସ୍ରଷ୍ଟାଙ୍କ ଇଛା ବିରୁଦ୍ଧ ଅଟେ । ଆଇନ୍ଷ୍ଟାଇନଙ୍କ ବସ୍ତୁର ସମାନୁପାତିକ ଶକ୍ତିର ପରିମାଣ ସୂତ୍ର କ’ଣ ଜୀବ ଜଗତର ଧ୍ୱଂସ ସାଧନ ପାଇଁ ଉଦ୍ଦିଷ୍ଟ ଥିଲା ? ପାରମାଣବିକ ଶକ୍ତିର କଲ୍ୟାଣକାରୀ ବିନିଯୋଗ ନିମନ୍ତେ ଯେଉଁ ମୂଳ ଉଦ୍ଦେଶ୍ୟ ଥିଲା ତାହା ସେହିଭାବେ ସଫଳତା ଲାଭ କରିପାରିଲା ନାହିଁ , ବରଂ ଧ୍ୱଂସାତ୍ମକ ଦିଗକୁ ମାଡି ଚାଲିଲା । ଯେଉଁ ଦେଶ ପରମାଣୁ ବୋମା, ଉଦ୍ଜାନ ବୋମା ……. ଆଦି ଯେତେ ପରିମାଣରେ ସଞ୍ଚୟ କରି ରଖୁଛି, ସେ ଦେଶ ନିଜକୁ ସେହି ମାତ୍ରାରେ ନିରାପଦ ଓ ସବଳ ଭାବୁଛି ଏବଂ ଦୁର୍ବଳ ଉପରେ ଆକ୍ରମଣର ମସୁଧା ଚଳାଉଛି । ଶକ୍ତିର ଅପପ୍ରୟୋଗରୁ ଭୟଙ୍କର ହୋଇ ଉଠୁଛି ପ୍ରକୃତି । ପାରମ୍ପରିକ ଶକ୍ତି ଉତ୍ସ ଗୁଡିକର ଦ୍ରୁତ ଅବକ୍ଷୟ ଘଟୁଛି । ଆଗକୁ ସୃଷ୍ଟିହେବ ଘୋର ଶକ୍ତି ସଙ୍କଟ । ଏହାର ସମ୍ମୁଖୀନ ହେବାକୁ ପରିବେଶ ଯୋଗାଇ ଦେଇଛି ଅସରନ୍ତି ଅଣପାରମ୍ପରିକ ଶକ୍ତି ଭଣ୍ଡାରମାନ, ଯଥା – ସୌରଶକ୍ତି, ସାଗରଶକ୍ତି, ପବନଶକ୍ତି, ଭୂତାପଶକ୍ତି, …… ଇତ୍ୟାଦି ଇତ୍ୟାଦି । ତେଣୁ ପାରମାଣବିକ ଶକ୍ତି ଓ ଅସରନ୍ତି ଶକ୍ତିର ସୁବିନିଯୋଗ ଆମକୁ ବଞ୍ଚିରହିବାର ଖୋରାକ ଯୋଗାଇବ, ଯାହା ଦିବ୍ୟ କୈବଲ୍ୟ ଭୋଜନ ସହ ତୁଳନୀୟ ଅଟେ । ତେଣୁ ବାଇଶି ପାହାଚ ସଦୃଶ ପ୍ରତିରୋଧ ଗୁଡିକୁ ବହୁ କଷ୍ଟ ସହି ସାମ୍ନା କରିବା ପରେ ଯେଉଁ ଅବଶେଷ ମିଳେ, ତାହାହିଁ କଷ୍ଟଲବ୍ଧ ଉପାର୍ଜିତ ଅର୍ଥ ବା ଦିବ୍ୟ କୈବଲ୍ୟ ଏବଂ ବିନିଯୋଗକାରୀ ଏହାର ସଠିକ୍ ମୂଲ୍ୟାୟନ କରିବା ପୂର୍ବକ ବ୍ୟବହାର ଓ ଖର୍ଚ୍ଚ କରିବା ଶ୍ରେୟସ୍କର ଅଟେ । ଶେଷରେ ଭକ୍ତ ଅଭିମାନ ଭରା କଣ୍ଠରେ ଗାଇଛନ୍ତି –
ଗରୁଡ ପଛରେ ଦେଖ ……… ଦିଶୁଛି କଳାଶ୍ରୀମୁଖ
କହଇ ସାରିଆ ଭିକ ………. ବଳରାମଙ୍କୁ କହିବା ।
ବହନ କରିବାର ସାମର୍ଥ୍ୟକୁ ବାହନ ଓ ବିଷ୍ଣୁଙ୍କ ବାହନ ପକ୍ଷୀରାଜ ଗରୁଡ ଅଟେ । ଗରୁଡର ବହନ କରିବାର ଶକ୍ତି ଅମାପ, କାରଣ ସେ ସର୍ବଶକ୍ତିମାନ ବିଷ୍ଣୁଙ୍କୁ ପୃଷ୍ଠରେ ଧାରଣ କରିଅଛି ସହନଶୀଳତାର ପ୍ରତୀରୂପୀ, ଯୋଗମୁଦ୍ରାରେ ଉପବିଷ୍ଠ, ମହାଜ୍ଞାନୀ ଓ ସୁପଣ୍ଡିତ ଗରୁଡ, ସମାଜକୁ ମଙ୍ଗଳମୟ ବାର୍ତ୍ତା ପ୍ରେରଣ କରୁଅଛନ୍ତି । ସହିଷ୍ଣୁତା ଓ କ୍ଷମାଶୀଳତା ଆଦି ସ୍ୱଭାବ ବଳରେ ଅସମ୍ଭବ ମନେ ହେଉଥିବା କାର୍ଯ୍ୟର ସମ୍ଭବପରତା ସୃଷ୍ଟି ହୁଏ । ଉଦାହରଣ ସ୍ୱରୂପ – କେତେକ ବିଦ୍ୟୁତ୍ ପରିବାହକର ଉତ୍ତାପକୁ କମାଇ ଦିଆଗଲେ, ବିଦ୍ୟୁତ୍ ପ୍ରତିରୋଧୀ କ୍ଷମତା ମଧ୍ୟ କମି କମି ଯାଏ । ଏକ ନିର୍ଦ୍ଦିଷ୍ଟ ଓ ନିମ୍ନ ତାପମାତ୍ରାରୁ ଏହା ପ୍ରତିରୋଧୀଶୂନ୍ୟ ହୁଏ । ବିନା ଶକ୍ତି ଅପଚୟରେ ବିଦ୍ୟୁତ୍ ସ୍ରୋତ ଅହରହ ପ୍ରବାହିତ ହୁଏ ଓ ଏହି ଅବସ୍ଥାକୁ ଅତିପରିବାହିତା (Superconductivity) କୁହାଯାଏ ଏବଂ ବିଦ୍ୟୁତ୍ ବାହକକୁ କୁହାଯାଏ ଅତିପରିବାହକ (Super Conductor) | ସେହିପରି ତାପ ବୃଦ୍ଧିରେ ସେରାମିକ (Ceramic) ପଦାର୍ଥର ମଧ୍ୟ ବିଦ୍ୟୁତ୍ ପ୍ରତିରୋଧୀତା ଶକ୍ତି କମେ ଓ ଅତିପରିବାହିତା ଅବସ୍ଥା ପ୍ରାପ୍ତ ହୁଏ । ଏଠାରେ ଉଭୟ ପ୍ରକ୍ରିୟା ଅର୍ଥାତ୍ ତାପହୀନତା ଓ ତାପବୃଦ୍ଧିକୁ ସହନଶୀଳତାର ମାପକାଠିରୂପେ ତୁଳନା କରିବାର ଯଥାର୍ଥତା ମନେହୁଏ । ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେପରି ପ୍ରତିରୋଧଶୂନ୍ୟ ବିଦ୍ୟୁତ୍ ପରିବାହିତାର ଅବସ୍ଥା ସୃଷ୍ଟି ହୁଏ, ସେହିପରି ସହନଶୀଳତାର ବୃଦ୍ଧିରେ ଦୁଃଶ୍ଚିନ୍ତା ଓ ବିଚଳିତ ହେବା ଆଦି ଶକ୍ତିକ୍ଷୟ ପ୍ରକ୍ରିୟା ଗୁଡିକର ଧ୍ୱଂସ ସାଧନ ହୁଏ । ଫଳରେ ଗଠନମୂଳକ ଚିନ୍ତାଧାରାର ବୃଦ୍ଧି ଘଟେ ଓ ମାନବ ଅସାଧ୍ୟ ସାଧନର ନିକଟବର୍ତ୍ତୀ ହୁଏ । ତେଣୁ ବିଦ୍ୟୁତ୍ ଅତିପରିବାହକ ସଦୃଶ ଗରୁଡ, ଦିବ୍ୟ ଭାବନାର ସ୍ରୋତ ଓ ସମାଜପାଇଁ ମଙ୍ଗଳକାରକ ରୂପେ କଳାଶ୍ରୀମୁଖଙ୍କ ସମ୍ମୁଖରେ ଉପସ୍ଥିତ, ଯଥା –
ମଙ୍ଗଳଂ ଭବାନ ବିଷ୍ଣୁ – ମଙ୍ଗଳଂ ଗରୁଡଧ୍ୱଜ
ମଙ୍ଗଳଂ ପୁଣ୍ଡରୀକାକ୍ଷଃ – ମଙ୍ଗଳଂ ପୁରୁଷୋତ୍ତମ ।
ସର୍ବଶେଷରେ ଭକ୍ତ “ବଳରାମଙ୍କୁ କହିବା”ର ଅଭିମାନଭରା କଣ୍ଠରୁ ବ୍ୟାକୁଳତା ପରିପ୍ରକାଶ ହୋଇଛି, ଯାହା ସନାତନ ଧର୍ମର ମୂଳ ମନ୍ତ୍ରକୁ ବୁଝାଏ । ଏ ପୃଥିବୀ ହେଉଛି ଏକ ବଡ ଦେଉଳ ଓ ସମଗ୍ର ମାନବଜାତି ଏକ ପରିବାରର ଅଟନ୍ତ, ଯଥା – “ବସୁନ୍ଧୈବ କୁଟୁମ୍ବକମ୍” । ପରିବାରର ମୂଖ୍ୟ ବା ବୟୋଜ୍ୱେଷ୍ଠ ହେଉଛନ୍ତି ପ୍ରଭୁ ବଳରାମ । ସେ ହେଉଛନ୍ତି ଶୃଙ୍ଖଳିତ ଜୀବନଧାରାର ନିଦର୍ଶନ । ତେଣୁ ତା’ଙ୍କ ମନଗହନରୁ ଲିଭି ପାରି ନ ଥିବା ବ୍ୟଥାକୁ ଜଣାଇଦେଇ ଆସିଲେ, ତାହା ନିଶ୍ଚିତରୂପେ ସମାଧାନ ହୋଇପାରିବାର ଦୃଢ ଆଶା ଭକ୍ତଙ୍କ ଭାବନାରୁ ପ୍ରତିପାଦିତ ହୁଏ । ଏକତାର ରାହା ବଜାୟ ରଖି ମୂରବୀଙ୍କ ନିକଟରେ ଗୁହାରି କରିବା ଏକ ଧାରାବାହିକ ସ୍ୱୟଂଚାଳିତ ପ୍ରଥା ଓ ଏହା ଶୃଙ୍ଖଳିତ ଜୀବନ ଧାରଣର ମାର୍ଗ ଅଟେ । ବିଜ୍ଞାନ ଦୃଷ୍ଟିରୁ ମଧ୍ୟ ଏହିଜାତୀୟ ଦୃଷ୍ଟିଭଙ୍ଗୀ ଗୁଡିକର ବହୁଳତା ଦେଖାଯାଏ । ଯେପରି ଧାତବ ପଦାର୍ଥର ପୃଷ୍ଠଦେଶ ହେଉଛି ମୁକ୍ତ ଇଲେକ୍ଟ୍ରନ୍ ବହୁଳତାର ପରିବେଷ୍ଟନୀ ଓ ଚରାଭୂଇଁ । ଏଗୁଡିକ ମୁକ୍ତଭାବେ ପୃଷ୍ଠଦେଶରେ ମନଇଛା ଏଣେତେଣେ ଘୂରିବୁଲୁଥାନ୍ତି । ଯେହେତୁ ଏହା ଏକ ବିଶୃଙ୍ଖଳିତ ଗତି(Random Motion), ତେଣୁ ନ ଥାଏ ବୈଦ୍ୟୁତିକ ସ୍ରୋତ । ଯେତେବେଳେ ବାହ୍ୟ ବୈଦ୍ୟୁତିକ ଉତ୍ସ ଧାତବଟିକୁ ସଂଯୋଗ କରାଯାଏ, ସେତେବେଳେ ସବୁ ମୁକ୍ତ ଇଲେକ୍ଟ୍ରନ୍ ଶୃଙ୍ଖଳିତହୋଇ ନିମ୍ନ ବୈଦ୍ୟୁତିକ ବିଭବ ସ୍ତରରୁ ଉଚ୍ଚ ବିଭବ ସ୍ତରକୁ ଧାବମାନ ହୁଅନ୍ତି । ସତେକି ବିଶୃଙ୍ଖଳିତ ମାନବରୂପୀ ଇଲେକ୍ଟ୍ରନ୍ମାନ ବଳରାମରୂପୀ ବାହ୍ୟ ବୈଦ୍ୟୁତିକ ଉତ୍ସ ଦ୍ୱାରା ପରିଚାଳିତ ହେଉଛନ୍ତି ଓ ପ୍ରକୃତିର ଆଧାରରେ ନିଜସ୍ୱ କର୍ମ କରୁଛନ୍ତି । ପୁନଶ୍ଚ ପ୍ରତ୍ୟେକ ଉଦ୍ଭାବନ ଓ ଆବିଷ୍କାର ପଛରେ ରହିଛି ବଳିଷ୍ଠ ଶୃଙ୍ଖଳିତ ଜ୍ଞାନ କୌଶଳ । ସାମାନ୍ୟ ତ୍ରୁଟିରେ ମଧ୍ୟ ବେଳେବେଳେ ଭୟଙ୍କର ଦୁର୍ଘଟଣା ଘଟିଥାଏ, ଯାହା ବିଶୃଙ୍ଖଳିତ ପ୍ରକ୍ରିୟାର ଫଳାଫଳ ଅଟେ । ତେଣୁ ପ୍ରାକୃତିକ ପରିବେଷ୍ଟନୀ ମଧ୍ୟରେ ନିଜକୁ ସାମିଲ କରି କର୍ମ ସାଧନ କରିବା ଓ ବଳରାମ ରୂପରେ ବିଜ୍ଞାନର ସବୁ ତତ୍ତ୍ୱର ଯୁକ୍ତାତ୍ମକ ପ୍ରୟୋଗ ଦିଗରେ ଆଗଭର ହେବା ସ୍ୱଃ ସ୍ୱଃ କର୍ତ୍ତବ୍ୟ ଅଟେ ।
“ଥକାମନ ଚାଲଯିବା” ଭଜନର ଅନ୍ୟ ଦିଗ ହେଉଛି ଭାରତୀୟ ଯୋଗଦର୍ଶନ । ବହୁବିଧ ବନ୍ଧନଯୁକ୍ତ ବିଚଳିତ ମାନବ ଶରୀର ମଧ୍ୟରେ ସମସ୍ତ ତତ୍ତ୍ୱର ଅନୁଭବ ପୂର୍ବକ ଯୋଗମାର୍ଗ ଅନୁକରଣ ନିମିତ୍ତ ବାର୍ତ୍ତା ଦିଆଯିବାର ନିଗୁଢ ରହସ୍ୟ ଏଠାରେ ପ୍ରସ୍ଫୁଟିତ ହୋଇଅଛି । ଏ ଶରୀର ଯଦି ଏକ ଦିବ୍ୟଶଙ୍ଖ ସ୍ୱରୂପ ହୁଏ, ତେବେ ଏହାର ନାଭିମଣ୍ଡଳର ବ୍ୟାପ୍ତି ଆରମ୍ଭ ହୁଏ ମୂଳାଧାର ଚକ୍ରରୁ । ଶରୀରର ମୂଳାଧାର ଚକ୍ରରୁ ମନକୁ ଧିରେ ଧିରେ ଚକ୍ର ଭେଦନ ସହ ଦୁଇ ଚକ୍ଷୁର ମଧ୍ୟସ୍ଥଳ(ଭୁ) ଅର୍ଥାତ୍ ଆଜ୍ଞାଚକ୍ରରେ ସ୍ଥିର ରଖି ଧ୍ୟାନ କରିବାର ଅଭିଳାଷ ଭକ୍ତଙ୍କଠାରେ ରହିଥିବାର ଅନୁମାନ କରାଯାଇପାରେ । ସିଦ୍ଧାସନ ବା ପଦ୍ମାସନରେ ବସି ଚକ୍ଷୁ ମୁଦ୍ରିତ ଅବସ୍ଥାରେ ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ ଓ ଆଜ୍ଞା ଆଦି ଷଡଚକ୍ରକୁ ଅନ୍ତର୍ଦୃଷ୍ଟି ନିକ୍ଷେପର ପ୍ରଭାବରୁ ସବୁଠାରୁ ବଳିଷ୍ଠ ଇନ୍ଦ୍ରିୟ ନେତ୍ରଦ୍ୱୟର ପ୍ରକ୍ଷାଳନ ବା ବିଶୁଦ୍ଧିକରଣ ହୁଏ । ଭୂଲୋକରୁ ଭୂବଲୋକ, ସ୍ୱର୍ଲୋକ, ମହଲୋକ, ଜନଲୋକ ଓ ତପଲୋକଯାଏଁ ମାନସିକ ସ୍ଥିତିକୁ ପହଞ୍ଚାଇବାର ପ୍ରକ୍ରିୟାକୁ ଚକ୍ରଭେଦନ କୁହାଯାଏ । ଏକ ଚକ୍ରରୁ ମନକୁ ଅନ୍ୟ ଚକ୍ରକୁ ନେବା ପଥରେ ବାଟମଙ୍ଗଳା ଅର୍ଥାତ୍ ଦିବ୍ୟଶକ୍ତି ଉତ୍ସରୁ ଶକ୍ତିପ୍ରାପ୍ତ ନିମନ୍ତେ ବ୍ରତୀ ହେବା ଆବଶ୍ୟକ । ଫଳରେ ମନ ବାହ୍ୟ ପ୍ରଭାବରୁ ବହୁ ମାତ୍ରାରେ ଦୂରେଇ ଯାଏ । ମନ କ୍ରମଶଃ ଭ୍ରମଣ କରେ ଶରୀରର ଅଷ୍ଟାଦଶ ଚକ୍ର ।
ପ୍ରଥମ ଷଡଚକ୍ର – ଗୁହ୍ୟଦ୍ୱାର ଠାରୁ ଦୁଇ ଆଙ୍ଗୁଳ ଉପରକୁ ମୂଳାଧାର ଚକ୍ର , ଏହିଠାରୁ ଦୁଇ ଆଙ୍ଗୁଳ ଉପରକୁ ସ୍ୱାଧିଷ୍ଠାନ ଚକ୍ର, ନାଭିମୂଳକୁ ମଣିପୁର ଚକ୍ର, ହୃଦୟ ନିକଟରେ ଅନାହତ ଚକ୍ର, କଣ୍ଠଦେଶରେ ବିଶୁଦ୍ଧ ଚକ୍ର, ଭ୍ରୂକୁଟୀ ଭିତରେ ଆଜ୍ଞା ଚକ୍ର ।
ଦ୍ୱିତୀୟ ଷଡଚକ୍ର (ଦୁଇ ହସ୍ତ ମଧ୍ୟେ) – ବାହୁମୂଳଦ୍ୱୟ – ମୂଳାଧାର ଚକ୍ର , କହୁଣୀଦ୍ୱୟ – ସ୍ୱାଧିଷ୍ଠାନ ଚକ୍ର, ମଣିବନ୍ଧଦ୍ୱୟ – ମଣିପୁର ଚକ୍ର, ହସ୍ତାଙ୍ଗୁଷ୍ଠିର ମୂଳ ଦଶଟି ଗଣ୍ଠି – ଅନାହତ ଚକ୍ର, ମଝିଗଣ୍ଠି – ବିଶୁଦ୍ଧ ଚକ୍ର ଓ ଅଗ୍ର ଗଣ୍ଠି ଗୁଡିକୁ ଆଜ୍ଞା ଚକ୍ର କୁହାଯାଏ ।
ତୃତୀୟ ଷଡଚକ୍ର (ଦୁଇ ଗୋଡ ମଧ୍ୟେ) – ଜଙ୍ଘମୂଳଦ୍ୱୟ – ମୂଳାଧାର ଚକ୍ର , ଆଣ୍ଠୁଦ୍ୱୟ – ସ୍ୱାଧିଷ୍ଠାନ ଚକ୍ର, ପାଦଗଣ୍ଠିଦ୍ୱୟ – ମଣିପୁର ଚକ୍ର, ପାଦାଙ୍ଗୁଷ୍ଠିର ମୂଳ ଦଶଟି ଗଣ୍ଠି – ଅନାହତ ଚକ୍ର, ମଝିଗଣ୍ଠି – ବିଶୁଦ୍ଧ ଚକ୍ର ଓ ଅଗ୍ର ଗଣ୍ଠି ଗୁଡିକୁ ଆଜ୍ଞା ଚକ୍ର କୁହାଯାଏ ।
ତେଣୁ ଅଠର ନଳାର ସଙ୍କେତ ସ୍ୱରୂପ ଏହି ଅଠର ଚକ୍ରକୁ ଗ୍ରହଣ କରାଯାଇପାରେ ।
ଚକ୍ରରୁ ଚକ୍ର ଧାବନ ନିମିତ୍ତ ମନର ଏକତ୍ରୀକରଣ ଆବଶ୍ୟକ । ଏହା ପ୍ରାଥମିକ ସ୍ତରରେ ଦୁଃସାଧ୍ୟ ଜଣାପଡିଲେ ମଧ୍ୟ ଅଭ୍ୟାସ ବଳରେ ମନାୟତ୍ତର ସାମର୍ଥ୍ୟ ଲାଭ ହୁଏ । ତେବେ ଆଜ୍ଞା ଚକ୍ରରେ ମନ ସ୍ଥିର ରଖି ଧ୍ୟାନମଗ୍ନ ହେଲେ ସମସ୍ତ ପ୍ରକାର ସୁଫଳ ମିଳିଥାଏ । ଏହି ଚକ୍ରକୁ ଯୁକ୍ତ ତ୍ରିବେଣୀ କୁହାଯାଏ । ମୂଳାଧାରରୁ ଇଡା, ପିଙ୍ଗଳା ଓ ସୁଷୂମ୍ନା ନାଡୀ ପୃଥକ୍ ପୃଥକ୍ ଭାବେ ଯାଇ ଆଜ୍ଞା ଚକ୍ରରେ ମିଳିତ ହୋଇଥାଆନ୍ତି । ଇଡାକୁ ଗଙ୍ଗା, ପିଙ୍ଗଳାକୁ ଯମୁନା ଓ ଏ ଦୁହିଁଙ୍କ ମଧ୍ୟରେ ପ୍ରବାହିତ ହେଉଥିବା ନାଡୀ ସୁଷୂମ୍ନାକୁ ସରସ୍ୱତୀ କୁହାଯାଏ । ଏହି ସଙ୍ଗମସ୍ଥଳ ହିଁ ତୀର୍ଥରାଜ ତ୍ରିବେଣୀ ବା ନରେନ୍ଦ୍ର ପୋଖରୀ । ଯୋଗମୁଦ୍ରାରେ ଏହି ସ୍ଥଳରେ ଚିତ୍ତ ସ୍ଥିର ହେବା ପ୍ରକ୍ରିୟା ଦିବ୍ୟ ସ୍ନାନ ସଦୃଶ ଅଟେ । ଏହାଦ୍ୱାରା ମନରୁ ସମସ୍ତ ପାପବୃତ୍ତି ଧୋଇ ହୋଇଯାଏ ଓ କୁକର୍ମ କରିବାର ପ୍ରବୃତ୍ତି ନଷ୍ଟ ହୁଏ । ସେଥିପାଇଁ ଯଥାର୍ଥରେ କୁହାଯାଇଛି –
ଇଡା ଭାଗୀରଥି ଗଙ୍ଗା ପିଙ୍ଗଳା ଯମୁନା ନଦୀ
ତ୍ରୟୋର୍ମଧ୍ୟଗତା ନାଡୀ ସୁଷୁମ୍ଣାଖ୍ୟା ସରସ୍ୱତୀ
ତ୍ରିବେଣୀ ସଙ୍ଗମୋ ଯତ୍ର ତୀର୍ଥରାଜଃ ସଉଚ୍ୟତେ
ତତ୍ରସ୍ନାନଂ ପ୍ରକୁର୍ବୀତ ସର୍ବପାପୈଃ ପ୍ରମୁଚ୍ୟତେ ।
(ଜ୍ଞାନସଂକଳନ ତନ୍ତ୍ର)
ବଡଦାଣ୍ଡରୂପୀ ମାନବ ଶରୀରରେ ମନ ଷଡଚକ୍ରରେ ଧ୍ୟାନମଗ୍ନ ପୂର୍ବକ ଯାତ୍ରାରମ୍ଭ ପ୍ରକ୍ରିୟାରୁ ଚକ୍ରମାନେ ସକ୍ରିୟ ହୋଇ ଉଠନ୍ତି ଓ ତତ୍ସଂଲଗ୍ନ ଫଳ ବା ଦିବ୍ୟ ରେଣୁର ସ୍ୱାଦ ମିଳିଥାଏ । ତେଣୁ ଯୋଗ ମାଧ୍ୟମରେ ଜଣେ ଜାଗତିକ ସ୍ତରକୁ ପହଞ୍ଚିଯାଏ ଓ ଦିବ୍ୟାଶୀର୍ବାଦର ଛତ୍ରଛାୟା ତଳେ ସେବାଧର୍ମୀ ହୋଇଉଠେ । ଶରୀରରେ ପ୍ରତ୍ୟେକ ଚକ୍ର ଅବିକଶିତ ପଦ୍ମ ପରି ଅଧୋମୁଖ ହୋଇ ରହିଥାନ୍ତି । ମନକୁ ଏହା ମଧ୍ୟରେ ସ୍ଥିର ରଖିଲେ ଧିରେ ଧିରେ ପଦ୍ମର ବିକଶିତ ବା ଉର୍ଦ୍ଧ୍ୱମୁଖ ହୁଏ ଅର୍ଥାତ୍ ସୁପ୍ତଚକ୍ର ଜାଗିଉଠେ । ସିଂହଦ୍ୱାର ସଦୃଶ ଚକ୍ରରେ ମନ ଲଗାଇ ଲୟ ରଖିବା କଠିନ ବ୍ୟାପାର । କାରଣ ଚଳଚଞ୍ଚଳ ମନକୁ ବାନ୍ଧି ରଖିବା ଏତେ ସହଜ ନୁହେଁ । ମନର ଗତି ମାପିବାର ଯନ୍ତ୍ର ନାହିଁ ଓ ଏହାର ବେଗ ଆଲୋକର ବେଗ ଠାରୁ କେତେଗୁଣ ଅଧିକ ତାହା ଆମ ଜ୍ଞାନ ପରିସୀମାର ଅନ୍ତରାଳରେ । ମନକୁ ଚକ୍ରରେ ଲଗାଇଲେ ପ୍ରାଥମିକ ଭାବେ ନିଜର ସମସ୍ତ ପ୍ରବୃତ୍ତି, ଲୁକ୍କାୟିତ ଚେତନା, ଜୀବନ ସ୍ରୋତର ବିଭିନ୍ନ ଅନୁଭୂତି, ପରିକଳ୍ପନା, ………. ଇତ୍ୟାଦିର ଭାବ ଉଙ୍କିମାରେ । ମନ ଲଗାମଛଡା ଘୋଟକ ସଦୃଶ କ୍ଷଣ କ୍ଷଣକେ ବିଭିନ୍ନ ଦିଗକୁ ପଳାୟନ କରେ । ଏହାର ଆୟତ୍ତ ନିମିତ୍ତ ବର୍ଷ ବର୍ଷର ଯୋଗାଭ୍ୟାସ ଜରୁରୀ ଅଟେ । କବିବର ରାଧାନାଥ ରାୟ ‘ବର୍ଷା’ କବିତାରେ ଲେଖିଛନ୍ତି –
ନୀଳ ନୀରଦ ମାଳେ ଖେଳେ ଚପଳା ……….. ଖଳ ପୀରତୀ ପ୍ରାୟ ସଦା ଚପଳା ।
ନୀଳ ନଭରେ ଭାସୁଥିବା ମେଘ ଖଣ୍ଡରେ କ୍ଷଣକେ ବିଜୁଳି ମାରି ଚାଲିଯାଏ । ସେହିପରି ମନ, ଶରୀର ମଧ୍ୟରେ ଥିବା ଚକ୍ରରେ ନିମିଷେ ମାତ୍ର ସ୍ଥିର ରହି ପୁନଃ ଧାବମାନ ହୁଏ ଅନ୍ୟ ଦିଗକୁ ଓ ଏହା ଲଗାତର ବଦଳୁଥାଏ । ଏଠାରେ ମନ ହିଁ ଖଳ ବନ୍ଧୁତାର ଭୂମିକା ଲିଭାଇ ଥାଏ । ତେଣୁ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଯୋଗ ସାଧନ କରିବାକୁ ହୁଏ । ଅତଏବ ବେତ ପ୍ରହାର, ପ୍ରବଳ ଭିଡ ଓ କୋଳାହଳ ମଧ୍ୟରେ ଧକ୍କା ଆଦି ଶବ୍ଦର ବ୍ୟବହାର ଉପଯୁକ୍ତ ମନେହୁଏ । ଯୋଗ ସାଧନାରେ ଧିରେ ଧିରେ ସଫଳତା ମିଳିଲେ ଶରୀର ଦିବ୍ୟାନନ୍ଦରେ ପୁଲକିତ ହୋଇଉଠେ ଓ ଏହି ଶରୀର ରୂପୀ ଆନନ୍ଦ ବଜାରରେ ଚକ୍ର ଗୁଡିକ ନିଜର ପସରା ମେଲାଇ ଦିଅନ୍ତି ବିନା ମୂଲ୍ୟରେ ଦିବ୍ୟ କୈବଲ୍ୟ ବା ଶୁଭଫଳ ଦେବାପାଇଁ । ଅସରନ୍ତି ଶକ୍ତି ଭଣ୍ଡାରରୁ କାଣିଚାଏ ଲାଭ ପାଇଁ ଭକ୍ତ ଭଜନ ମାଧ୍ୟମରେ ଯୁଗ ଯୁଗ ପାଇଁ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି । ବହୁ ପ୍ରତିରୋଧାତ୍ମକ ପରିବେଶ ମଧ୍ୟରେ ଭକ୍ତର ମନ କଳୁଷିତ ହୋଇନାହିଁ ବରଂ ସେ ବ୍ୟଥିତ କଣ୍ଠରେ ଗାଇଛନ୍ତି –
ଗରୁଡ ପଛରେ ଦେଖ ……… ଦିଶୁଛି କଳାଶ୍ରୀମୁଖ
କହଇ ସାରିଆ ଭିକ ………. ବଳରାମଙ୍କୁ କହିବା ।
——————————————————————————————
Published in ଦିଗ୍ବଳୟ ‘Digbalay’ Feb – 2012 – Popular Science Magazine in Odia, Odisha Physical Society, Odisha.