ଦୃଶ୍ୟମାନ ବର୍ଣ୍ଣାଳିର ବିଚିତ୍ର ଭାବ

ଦୃଶ୍ୟମାନ ବର୍ଣ୍ଣାଳିର ବିଚିତ୍ର ଭାବ

 

 

 

ପ୍ରାୟ ୧୩.୭ ବିଲିୟନ୍‍ ବର୍ଷ ତଳର ଘଟଣା । ସେତେବେଳେ ସ୍ଥାନ(Space) ବୋଲି କିଛି ନଥିଲା ।  ସ୍ଥାନକୁ ଶୂନ୍ୟସ୍ଥାନ(Vacuum) ବା ଆବଦ୍ଧ ସ୍ଥାନ (Occupied Space) ରୂପେ ବୁଝାଯାଇପାରେ । ଯେହେତୁ ବସ୍ତୁତ୍ୱର ଅବସ୍ଥିତି ନିମିତ୍ତ ସ୍ଥାନର ଆବଶ୍ୟକ, ତେଣୁ ସେହି ସମୟରେ ବିଶ୍ୱ ତାର ବସ୍ତୁତ୍ୱର ସତ୍ତା ହରାଇ ବସିଥିଲା । ଏହା ଲୀନ ହୋଇଯାଇଥିଲା ଏକ କାଳ୍ପନିକ ପରିସର ମଧ୍ୟରେ । ଏହି ଚିର ଅଦୃଶ୍ୟ ଓ ଚିର ବିରାଜମାନ ପରିସର ବହୁ ସଂଜ୍ଞାର ପ୍ରତୀକ ଅଟେ, ଯଥା – ଅନାଦି (No Beginning), ଅନନ୍ତ (No Ending), ବା ମହାକାଳ (The Time) ଇତ୍ୟାଦି । ସମସ୍ତ ଭାବ ମହାକାଳର କବଳରେ ବନ୍ଦୀ ହୋଇ ସୁପ୍ତାବସ୍ଥା  ବା ଅବଚେତନ  ରୂପେ  ରହିଥିଲେ । ଏତାଦୃଶ ସଂକଟପୂର୍ଣ୍ଣ ପରିସ୍ଥିତି ପ୍ରସଙ୍ଗରେ ଏକ ଆଧ୍ୟାତ୍ମିକ ଉକ୍ତି ମାନସପଟ୍ଟରେ ଉଙ୍କିମାରେ, ଯଥା –

“ଜ୍ଞାନୀ ହୋ କହ ବିଷମ ସନ୍ଧି …. କେଉଁ କମଳରେ ଭ୍ରମର ବନ୍ଦୀ ?” ତେବେ କାଳରୂପକ ପଦ୍ମରେ ଚେତନା ରୂପକ ଭ୍ରମରଗଣ ନିଷ୍କ୍ରିୟ ହୋଇ ରହିବାର ଶେଷ ସୀମା  ଆସିଯିବାରୁ ଜଡ଼ ଚେତନାଗୁଡିକ ବନ୍ଧନରୁ ମୁକ୍ତ ହୋଇଛନ୍ତି । ଏକତ୍ରୀକରଣ ଓ ରୂପାନ୍ତରିତ ପ୍ରକ୍ରିୟାରୁ ଜନ୍ମ ହୋଇଛି ମହାଚେତନା । ମଦୋନ୍ମତ୍ତ ହସ୍ତୀ ସଦୃଶ ଘୋର    ପ୍ରଳୟଙ୍କରୀ ନାଦରେ ମହାଚେତନା ତା’ର ସମସ୍ତ ଭାବକୁ ଅବିଳମ୍ବେ ପରିପ୍ରକାଶ କରିଛି । ଅର୍ଥାତ୍‍ ଏକ ମହାଜାଗତିକ ମହାବିସ୍ଫୋରଣ (Cosmic Big Bang)  ମଧ୍ୟରୁ ମହାକାଳର କୋଳରେ ଶୋଭା ପାଇଲା ତାହାର ନବଜାତ ଶିଶୁପୁତ୍ର ବା ଆମର ବିଶ୍ୱ (Our Universe) ।

ନାଟକୀୟ ଢାଞ୍ଚାରେ ଆରମ୍ଭ ହୋଇଛି ସୃଷ୍ଟି ପ୍ରକ୍ରିୟା ଏବଂ ଭାବ ଦ୍ୱୟ, ଯଥା – ବସ୍ତୁ ଓ ବିକିରଣର ଏକାକାର ଅବସ୍ଥା(Coupling State) ମଧ୍ୟରେ ବିଭେଦ ଘଟିଛି ।  ବିକିରଣ ଦ୍ୱାରା ବିଶ୍ୱ ଦୃଶ୍ୟମାନ ହୋଇ ଉଠିଛି । ଏହି ବିକିରଣକୁ ବିଦ୍ୟୁତ୍‍ – ଚୁମ୍ବକୀୟ ତରଙ୍ଗ(Electro-magnetic wave) କୁହାଯାଏ ଓ ଏହା ବହୁ  ପ୍ରକାର  ବର୍ଣ୍ଣାଳୀ(Spectrum)ର ସମାହାର ଅଟେ । ତରଙ୍ଗ ଦୈର୍ଘ୍ୟ(Wava Length) ବା ଆବୃତ୍ତି(Frequency) ଅନୁଯାୟୀ ବିକିରଣକୁ ବିଭକ୍ତିକରଣ କରାଯାଇ ଅଛି । ଦୀର୍ଘତମ ତରଙ୍ଗ ଦୈର୍ଘ୍ୟରୁ କ୍ଷୁଦ୍ରତମ ଦୈର୍ଘ୍ୟକ୍ରମରେ ବର୍ଣ୍ଣାଳୀର ନାମକରଣ ଏହିପରି, ଯଥା – ବିଦ୍ୟୁତ୍‍ ତରଙ୍ଗ, ରେଡିଓ  ତରଙ୍ଗ,  ମାଇକ୍ରୋ   ତରଙ୍ଗ(Micro Wave), ଅବଲୋହିତ  ତରଙ୍ଗ(Infra red Wave), ଦୃଶ୍ୟମାନ ବର୍ଣ୍ଣାଳୀ (Visible Spectrum), ଅତିବାଇଗଣି (Ultra Violet)  ତରଙ୍ଗ , ରଞ୍ଜନ ରଶ୍ମି (X-ray) ଓ ଗାମା ରଶ୍ମି । ମହାବିସ୍ଫୋରଣରୁ ବିଶ୍ୱର ବୟସ ଶୂନ ଭାବେ ଗ୍ରହଣ କରି ଜ୍ୟୋତିଃ ବିଜ୍ଞାନୀ ମାନେ ଏହାର ଜନ୍ମ  ଜାତକ  ଲେଖି  ବିଜ୍ଞାନୀ ମହଲରେ ଆଲୋଡନ ସୃଷ୍ଟି କରିଛନ୍ତି । ଦୁଇ ମାର୍କିନ୍‍ ପଦାର୍ଥ ବିଜ୍ଞାନୀ ଜନ୍‍ ସି ମାଥେର୍‍(John C Mather) ଓ ଜର୍ଜ ଏଫ୍‍ ସ୍ମୁଟ୍‍(George F Smoot)  ଏକ ମହାଜାଗତିକ ପୃଷ୍ଠଭୂମି ଅନୁସନ୍ଧାନକାରୀ ଉପଗ୍ରହ (COBE) ସହାୟତାରେ, ବିଶ୍ୱ – ବ୍ରହ୍ମାଣ୍ଡ ସୃଷ୍ଟି ହେବାର 3,80,000 ବର୍ଷ ପରେ  ଏହାର  ପ୍ରାମାଣିକ  ଚିତ୍ରପଟ୍ଟ ପ୍ରଦାନ ପୂର୍ବକ ନୋବେଲ୍‍ ପୁରସ୍କାର ପ୍ରାପ୍ତ ହୋଇଛନ୍ତି ।

ମହାବିସ୍ଫୋରଣର ପ୍ରାୟ ୧୩.୭ ବିଲିୟନ୍‍ ବର୍ଷ ପରେ ଛାୟାପଥ ଗ୍ୟାଲାକ୍ସିରେ ଥିବା ଏକ କ୍ଷୁଦ୍ରାତି କ୍ଷୁଦ୍ର ପରିବାର ବା ସୌରଜଗତର ସଦସ୍ୟମାନଙ୍କ  ମଧ୍ୟରୁ ପୃଥିବୀ  ଗ୍ରହଟି ଶ୍ରେଷ୍ଠ ଗ୍ରହ ରୂପେ ଆସନ ଅଳଂକୃତ କରିବାର ଗୌରବ ଅର୍ଜନ କରିଅଛି । ପୃଥିବୀକୁ ଢାଙ୍କି ରହିଥିବା ବାୟୂମଣ୍ଡଳର ଉର୍ଦ୍ଧ୍ୱଭାଗରେ ଓଜୋନ୍‍ ସ୍ତର ରହିଛି ଓ  ଏହା ଜୀବଜଗତର ରକ୍ଷା କବଚ ଅଟେ । ଏହି ସ୍ତରରେ ମହାଶୂନ୍ୟରୁ ଆସୁଥିବା  ବିଦ୍ୟୁତ୍‍ – ଚୁମ୍ବକୀୟ ତରଙ୍ଗରୁ ଅତିବାଇଗଣି  ତରଙ୍ଗ, ରଞ୍ଜନ ରଶ୍ମି  ଓ ଗାମା ରଶ୍ମିର  ଅବଶୋଷଣ ହେଉଅଛି । ଏହା ଜୀବଜଗତ ପାଇଁ ନିରାପଦ ନୁହେଁ । ଏତ୍‍ଦଭିନ୍ନ ବାୟୁମଣ୍ଡଳରେ ପ୍ରବେଶ କରୁଛି ଅନ୍ୟ ସବୁ ବର୍ଣ୍ଣାଳୀ । ତନ୍ମଧ୍ୟରୁ ଅବଲୋହିତ ଓ  ଦୃଶ୍ୟମାନ ବର୍ଣ୍ଣାଳୀ ଯଥାକ୍ରମେ ଜୀବଜଗତ ସୃଷ୍ଟିର ମୂଳ ଉତ୍ସ ଓ ପରିପ୍ରକାଶର କାରଣ ଅଟେ । ଦୃଶ୍ୟମାନ ବର୍ଣ୍ଣାଳୀ ଜଗତକୁ ପରିପୁଷ୍ଟ କରିବା ସହ ବିଭିନ୍ନ  କ୍ଷେତ୍ରରେ  ଏହାର ବିଚିତ୍ର ସ୍ୱଭାବର ଧାରା ପରିସ୍ଫୁଟ ହୁଏ । ଉକ୍ତ ବର୍ଣ୍ଣାଳୀର ସୂକ୍ଷ୍ମ ଗଠନ, ବିଘଟନ ଓ ସୂକ୍ଷ୍ମ ବର୍ଣ୍ଣାଳୀର ଆନୁପାତିକ ମିଶ୍ରଣ ଓ ଅବଶୋଷଣ ପ୍ରକ୍ରିୟାର   ବିଶ୍ଳେଷଣରୁ ବର୍ଣ୍ଣ ପ୍ରବାହ(Chromodynamics)ର କୁହୁକ ମନରେ ସୃଷ୍ଟିକରେ ଅପୂର୍ବ ଆନନ୍ଦ ।

କେବଳ ଦୃଶ୍ୟମାନ ବର୍ଣ୍ଣାଳୀକୁ ବାଦ୍‍ ଦେଲେ ଅନ୍ୟ ସବୁ ବର୍ଣ୍ଣାଳୀ ଆମକୁ ଅଦୃଶ୍ୟ ଅଟେ । ଦୃଶ୍ୟମାନ ବର୍ଣ୍ଣାଳୀର ସୂକ୍ଷ୍ମ ବର୍ଣ୍ଣାଳୀଗୁଡିକ  ହେଲା – ବାଇଗଣି, ଘନନୀଳ,  ନୀଳ, ସବୁଜ, ହଳଦିଆ, ନାରଙ୍ଗୀ ଓ ଲାଲ୍‍ ଆଦି ସପ୍ତବର୍ଣ୍ଣ । ଏଗୁଡିକର ମିଶ୍ରଣରୁ ଜାତ ହୁଏ ଶୁଭ୍ରାଲୋକ । ସୂର୍ଯ୍ୟକିରଣକୁ ପ୍ରିଜମ୍‍ ମଧ୍ୟ ଦେଇ ପ୍ରବାହ କରାଇଲେ,  ଏହା ସପ୍ତବର୍ଣ୍ଣ ରୂପେ ବିଘଟନ(Dispersion) ହୁଅନ୍ତି ଓ ଏହି ନିୟମରେ ଆକାଶରେ ଇନ୍ଦ୍ରଧନୁ ସୃଷ୍ଟି ହୁଏ । ପ୍ରକୃତରେ ଶୁଭ୍ର ଆଲୋକ ତିନୋଟି ପ୍ରାଥମିକ ବର୍ଣ୍ଣର  ସମଷ୍ଟି ଅଟେ, ଯଥା – ଲାଲ୍‍, ସବୁଜ ଓ ନୀଳ । ଏହାକୁ ଏହିରୂପେ ବର୍ଣ୍ଣନା କରାଯାଇଛି –

ଲାଲ୍‍ + ନାରଙ୍ଗୀ = ଉଜ୍ଜ୍ୱଳ ଲାଲ୍‍,     ହଳଦିଆ + ସବୁଜ = ଉଜ୍ଜ୍ୱଳ ସବୁଜ  ଓ   ନୀଳ + ଘନନୀଳ + ବାଇଗଣି = ଉଜ୍ଜ୍ୱଳନୀଳ  ।

ଏହି ପ୍ରାଥମିକ ବର୍ଣ୍ଣର ସଂଯୋଗୀକରଣରୁ ଯେଉଁ ବର୍ଣ୍ଣ ସୃଷ୍ଟି ହୁଏ ତାହାକୁ ଗୌଣବର୍ଣ୍ଣ(Secondary Colour)କୁହାଯାଏ । ଏହିଗୁଡିକ ହେଲା –

ହଳଦିଆ = ଲାଲ୍‍ + ସବୁଜ, ଘନଲାଲ୍‍(Magenta) = ଲାଲ୍‍ + ନୀଳ , ମୟୁରନୀଳ = ନୀଳ + ସବୁଜ  ।

ପୁନଶ୍ଚ ଯେଉଁ ପ୍ରାଥମିକ ଓ ଗୌଣବର୍ଣ୍ଣର ମିଶ୍ରଣରୁ ଶୁଭ୍ରାଲୋକ ସୃଷ୍ଟିହୁଏ, ସେଗୁଡିକୁ ଅନୁପୂରକ(Complementary)ବର୍ଣ୍ଣ କୁହାଯାଏ । ଉକ୍ତ ବର୍ଣ୍ଣଗୁଡିକ ହେଲା –

ହଳଦିଆ + ନୀଳ = ଘନଲାଲ୍‍ + ସବୁଜ = ମୟୁରନୀଳ + ଲାଲ୍‍ = ଶୁଭ୍ରାଲୋକ ।

ବିଶ୍ୱର ପ୍ରତ୍ୟେକ ବସ୍ତୁ ନିଜସ୍ୱ ବର୍ଣ୍ଣରେ ଉଦ୍‍ଭାସିତ । ଅସ୍ୱଚ୍ଛ ବସ୍ତୁ ମାଧ୍ୟମରେ ଆଲୋକ ଗତି କରିପାରେ ନାହିଁ । ଆପତିତ ରଶ୍ମିର ଅଧିକାଂଶ ଭାଗ ଆମ ଚକ୍ଷୁକୁ  ପ୍ରତିଫଳିତ ହୁଏ ଓ ଏହି ପ୍ରକ୍ରିୟା ଦ୍ୱାରା ଯେଉଁ ରଙ୍ଗର ଆଲୋକ ରଶ୍ମି ଆମ ଚକ୍ଷୁରେ ପଡେ, ବସ୍ତୁଟି ସେହି ରଙ୍ଗର ବୋଲି  ଜଣାଯାଏ ।ଯଦି ଶୁଭ୍ରାଲୋକ ପରିବେଶରେ  ବସ୍ତୁଟି ଲାଲ୍‍ ଦେଖାଯାଏ, ତେବେ ବସ୍ତୁଟି ନିଶ୍ଚୟ ସମସ୍ତ ବର୍ଣ୍ଣାଳୀକୁ ଅବଶୋଷଣ କରିବା ସହ କେବଳ ଲାଲ୍‍ ରଶ୍ମିକୁ ପ୍ରତିଫଳିତ କରାଉଛି । ସେହି ପରିବେଶରେ ଶୁଭ୍ର ଓ କୃଷ୍ଣବର୍ଣ୍ଣ ବସ୍ତୁଗୁଡିକ ଯଥାକ୍ରମେ ସମସ୍ତ ଦୃଶ୍ୟମାନ ବର୍ଣ୍ଣାଳୀକୁ ପ୍ରତିଫଳିତ ଓ ଅବଶୋଷଣ କରନ୍ତି । ଲାଲ୍‍ ଗୋଲାପଟି ସବୁଜାଲୋକରେ କୃଷ୍ଣ ଓ ଲାଲ୍‍  ଆଲୋକରେ ଉଜ୍ଜ୍ୱଳଲାଲ୍‍ ଦେଖାଯାଏ । ତେବେ ବସ୍ତୁଟି ନିଶ୍ଚୟ ସମସ୍ତ ଆଲୋକକୁ ଅବଶୋଷଣ କରିବା ସହ କେବଳ ଲାଲ୍‍ ରଶ୍ମିକୁ ପ୍ରତିଫଳିତ କରାଉଛି । ସେହି  ପରିବେଶରେ ଶୁଭ୍ର ଓ କୃଷ୍ଣବର୍ଣ୍ଣ ବସ୍ତୁଗୁଡିକ ଯଥାକ୍ରମେ ସମସ୍ତ ଦୃଶ୍ୟମାନ ବର୍ଣ୍ଣାଳୀକୁ ପ୍ରତିଫଳିତ ଓ ଅବଶୋଷଣ କରନ୍ତି । ଲାଲ୍‍ ଗୋଲାପଟି  ସବୁଜ ଆଲୋକରେ କୃଷ୍ଣ ଓ ଲାଲ୍‍ ଆଲୋକରେ ଉଜ୍ଜ୍ୱଳଲାଲ୍‍ ଦେଖାଯାଏ । ସ୍ୱଚ୍ଛବସ୍ତୁ ମାଧ୍ୟମରେ ଅଲୋକ ଗତିକରିଥାଏ ଓ ଏହା ମଧ୍ୟରୁ ଯେଉଁ ବର୍ଣ୍ଣର  ଆଲୋକ ନିର୍ଗତ  ହୋଇ ଆମ  ଚକ୍ଷୁରେ ଆପତିତ ହୁଏ, ବସ୍ତୁଟି ସେହି ବର୍ଣ୍ଣର ଦେଖାଯାଏ । ଏକ ସବୁଜ କାଚ ଶୁଭ୍ରାଲୋକରେ ସବୁଜ ଦେଖାଯାଏ, ଯେହେତୁ ଏହା ସବୁଜ  ଆଲୋକକୁ  ପ୍ରତିସରଣ  କରାଏ ଓ ଅନ୍ୟ ଆଲୋକକୁ ଶୋଷଣ କରିଥାଏ । ଏହି କାଚଟି ଲାଲ୍‍ ଆଲୋକରେ କୃଷ୍ଣବର୍ଣ୍ଣ ଦେଖାଯାଏ କାରଣ ଏହା ଲାଲ୍‍ ରଶ୍ମିକୁ ଶୋଷଣ କରିନିଏ ।  ତେଣୁ  ରଙ୍ଗୀନ୍‍ କାଚ ଆଦି ସ୍ୱଚ୍ଛ ବସ୍ତୁଗୁଡିକ ବର୍ଣ୍ଣଶୋଷକ(Colour Filter) ଭାବେ ବ୍ୟବହାର କରାଯାଏ । ବସ୍ତୁ ଶୋଷକ ମାଧ୍ୟମରେ ଏକ ବା ଏକାଧିକ ବର୍ଣ୍ଣର ଆଲୋକ ପ୍ରତିସରିତ ହୋଇଥାଏ । ଲାଲ୍‍ବର୍ଣ୍ଣ ଶୋଷକରେ ଲାଲ୍‍ ଓ କିଛିମାତ୍ରାରେ ନାରଙ୍ଗୀ, ହରିଦ୍ରା ବର୍ଣ୍ଣ ଶୋଷକରେ ହଳଦିଆ, ଲାଲ୍‍ ଓ ସବୁଜ ଏବଂ ନୀଳବର୍ଣ୍ଣ  ଶୋଷକରେ  ନୀଳ ଆଲୋକ ଗତି କରିଥାଏ । ସେହିପରି ଲାଲ୍‍, ସବୁଜ, ନୀଳ ଓ ହଳଦିଆ ଆଲୋକ ଉତ୍ସକୁ ଯଥାକ୍ରମେ ନୀଳ, ଲାଲ୍‍, ସବୁଜ ଓ ଲାଲ୍‍ କାଚରେ  ଚାହିଁଲେ ବର୍ଣ୍ଣହୀନ ଦିଶେ ।

ଦୃଶ୍ୟମାନ ସୌରବର୍ଣ୍ଣାଳୀକୁ ବାଦ୍‍ଦେଲେ ଖଣିଜପଦାର୍ଥ, ପନିପରିବା, ଜୀବଜନ୍ତୁ ଓ ସଂଶ୍ଳେଷଣାତ୍ମକ(Synthetic)ମୂଳଦୁଆ ଥାଇ ବହୁ ବର୍ଣ୍ଣର ପ୍ରଭାବରେ ଆମର ଦୈନନ୍ଦୀନ  ଜୀବନ ଅତିବାହିତ ହେଉଅଛି । ଏହିଗୁଡିକୁ ରଙ୍ଗ(Paint or Pigment Colour)କୁହାଯାଏ । ଏହାର ପ୍ରାଥମିକ ବର୍ଣ୍ଣ  ହେଲା – ମୟୁରନୀଳ,    ଘନଲାଲ୍‍ ଓ ହଳଦିଆ, ଯାହା ସୌରବର୍ଣ୍ଣାଳୀ ସଦୃଶ ବିଶୁଦ୍ଧ ନୁହନ୍ତି । ହଳଦିଆ ରଙ୍ଗ ବୋଲାଉଥିବା ପୃଷ୍ଠତଳରୁ ଲାଲ୍‍, ହଳଦିଆ ଓ ସବୁଜ ଆଲୋକର  ପ୍ରତିଫଳନ  ଘଟେ । ନୀଳରଙ୍ଗ ବୋଲାଉଥିବା ପାର୍ଶ୍ୱରୁ ନୀଳ ଓ ସବୁଜ  ଆଲୋକର  ପ୍ରତିଫଳନ ହୋଇଥାଏ । ଘନଲାଲ୍‍ ରଙ୍ଗ ସବୁ ଆଲୋକକୁ, ମୟୁରନୀଳ ରଙ୍ଗ  ଲାଲ୍‍ ଆଲୋକକୁ ଓ ହଳଦିଆ ରଙ୍ଗ ନୀଳ ଆଲୋକକୁ ଶୋଷଣ କରେ । ବିଭିନ୍ନ ରଙ୍ଗର ପ୍ରସ୍ତୁତି ନିମିତ୍ତ ତିନି ପ୍ରାଥମିକ ରଙ୍ଗ ବିଭିନ୍ନାନୁପାତରେ ସଂଯୋଗୀକରଣର  ଆବଶ୍ୟକ ହୋଇଥାଏ । ଏହା ଅନେକ ଅନେକ ନାମ ଓ ବର୍ଣ୍ଣର ସଙ୍କେତ ବହନ କରେ ।

ଦୃଶ୍ୟମାନ ବର୍ଣ୍ଣାଳୀ ଜୀବଜଗତରେ ଅଶେଷଭାବେ ପ୍ରଭାବ ବିସ୍ତାର କରିଅଛି । ଯୁଗେ ଯୁଗେ ମନୁଷ୍ୟ ପ୍ରକୃତିକୁ ଭଲପାଇ ଆସିଛି ଓ  ଏହାର  ନିୟମରେ  ଆବଦ୍ଧ  ହୋଇ ରହିଛି । ପ୍ରକୃତିରୁ ଶିକ୍ଷା ଲାଭ କରି ମାନବ ବର୍ଣ୍ଣ – ବିଚିତ୍ରତାର ଉପଯୁକ୍ତ ବିନିଯୋଗ କରିବାକୁ ଚେଷ୍ଟାରତ । ପ୍ରାତଃ ଓ ଅସ୍ତଗାମୀ ସୂର୍ଯ୍ୟର ଲୋହିତ  କିରଣଚ୍ଛଟା, ନୀଳ ଆକାଶର ଶାନ୍ତ – ସୌମ୍ୟ ପ୍ରକୃତି, ମହାସାଗରର ନୀଳ ଢେଉ, ପୃଥିବୀ ପୃଷ୍ଠକୁ ଢାଙ୍କି ରହିଥିବା ସୁଜଳା – ସୁଫଳା – ସଶ୍ୟ – ଶ୍ୟାମଳା କ୍ଷେତ ଓ  ସୁଦୂର ବ୍ୟାପି  ବନାନୀର ସବୁଜ ଚଦର, ଜ୍ୟୋସ୍ନା ବିଧୌତ ରଜନୀ …… ଆଦି ବର୍ଣ୍ଣାଢ୍ୟ ପ୍ରାକୃତିକ ପରିବେଶ ମାନବର ହୃଦୟ କନ୍ଦରକୁ ପଲ୍ଲବିତ କରେ । ଫଳରେ  କବି, ଗାଳ୍ପିକ …. ଆଦିଙ୍କ ଲେଖନୀ ମୁନରୁ ଫୁଟିଉଠେ ବର୍ଣ୍ଣଚ୍ଛଟାର ନିଚ୍ଛକ ଛବି । ସାହିତ୍ୟର ବିଭିନ୍ନ ଅବୟବର ବିକଶିତ ହେଉଛି ଲେଖକର ବର୍ଣ୍ଣନାଶୈଳୀ ଓ ଶବ୍ଦର  କୁହୁକ  ସଂଯୋଜନା ଦ୍ୱାରା । ଏହି ବର୍ଣ୍ଣ – ବିଚିତ୍ରତାର ଅସୁମାରୀ ବିଶ୍ଳେଷଣାତ୍ମକ ଦିଗଗୁଡିକୁ ମାନବର ଉନ୍ନତ ମସ୍ତିସ୍କ ପୁରାତନ କାଳରୁ ଅଦ୍ୟାବଧି ଯାଏ କିଞ୍ଚିତ୍‍  ମାତ୍ରାରେ ସ୍ପର୍ଶ କରିବା ସହ ଏହାର ବ୍ୟବହାରିକ ଜ୍ଞାନ କୌଶଳର ବିଭିନ୍ନ ପଥକୁ ଉନ୍ମୁକ୍ତ କରିବାରେ ଲାଗିଛି ।

ଫଳିତ ଜ୍ୟୋତିଷ (Astrology) ଓ ଗଣିତ ଜ୍ୟୋତିଷ (Astronomy) ସହ ବର୍ଣ୍ଣ ପ୍ରବାହ ଧାରା ଅତି ନିବିଡଭାବେ ସଂଶ୍ଳିଷ୍ଟ ଅଟେ ।ଭାରତୀୟ ଜ୍ୟୋତିର୍ବିଦ୍‍ମାନେ ଗ୍ରହଦୋଷର ଖଣ୍ଡନ ନିମିତ୍ତ ରତ୍ନ ଧାରଣ, ଧାତୁ ଧାରଣ ଓ ମୂଳ ବା ଚେର ଧାରଣ ପୂର୍ବକ ବିହିତ ବ୍ୟବସ୍ଥା କରିଯାଇଛନ୍ତି । ଏହା ନବଗ୍ରହଙ୍କ ବର୍ଣ୍ଣ ସହ ପ୍ରାୟ  ସମାନତା ଥିବାର ପରିଲକ୍ଷିତ ହୁଏ । ନିମ୍ନ ସଂକ୍ଷିପ୍ତ ସୂଚନା ମାଧ୍ୟମରେ ଏହା ଦର୍ଶାଯାଇଛି ।

        ଗ୍ରହ     ବର୍ଣ୍ଣ       ରତ୍ନ          ଧାତୁ     ମୂଳ ବା ଚେର
ରବି ତାମ୍ରବର୍ଣ୍ଣ ମାଣିକ୍ୟ ତାମ୍ର ବିଲ୍ୱମୂଳ ବା ମହାକାଳ ବୃକ୍ଷର ଚେର
ଚନ୍ଦ୍ର ଧବଳ ବୈଦୁର୍ଯ୍ୟମଣି ବା ଶଙ୍ଖ କ୍ଷୀରକୋଳି ଗଛର ଚେର
ମଙ୍ଗଳ ଲାଲ୍‍ ପ୍ରବାଳ ସୁଗନ୍ଧି ଲତାର ଚେର
ବୁଧ ସବୁଜ ପଦ୍ମରାଗମଣି ସୁବର୍ଣ୍ଣ ବୃହଦ୍ଦାରକ ବୃକ୍ଷର ଚେର
ବୃହସ୍ପତି ପୀତ ଗଜମୁକ୍ତା ବା ସାମୁଦ୍ରିକ ମୁକ୍ତା ସୁବର୍ଣ୍ଣ ବ୍ରାହ୍ମଣଝାଟିୟା ବୃକ୍ଷର ଚେର
ଶୁକ୍ର ଶୁଭ୍ର ହୀରା ବା ସର୍ପାଦିର ମଣି ସ୍ପଟିକ ସିଂହପୁଚ୍ଛ(ମାଷପର୍ଣ୍ଣୀ)ଗୁଳ୍ମର ଚେର
ଶନି କୃଷ୍ଣ ଇନ୍ଦ୍ରନୀଳମଣି ସୀସା ବାଡିଅଏଁଳା ଚେର
ରାହୁ ଗୋମୂତ୍ରବର୍ଣ୍ଣ ଗୋମେଦ ଲୌହ ଚନ୍ଦନ ବୃକ୍ଷର ଚେର
କେତୁ ଧୂମ୍ରବର୍ଣ୍ଣ ମରକତମଣି କଷଟି ପଥର ଅଶ୍ୱଗନ୍ଧାର ଚେର

ଭିନ୍ନ ମତରେ – ବୁଧ – ମରକତମଣି(ସବୁଜ), ବୃହସ୍ପତି – ପଦ୍ମ ପୁଷ୍କର, କେତୁ – ଇନ୍ଦ୍ରନୀଳମଣି, ଶନି – ଲୌହ, ରାହୁ – ସୀସା, ମଙ୍ଗଳ – ତାମ୍ର ଇତ୍ୟାଦି ।

ଭକ୍ତର ପୂଜା ଆରାଧନାରେ ଦେବାଦେବୀଙ୍କର ବର୍ଣ୍ଣ ସ୍ୱତନ୍ତ୍ରଭାବେ ମନ ମଧ୍ୟରେ ଜାଗିଉଠେ ଓ ଏହା ଭକ୍ତିର କେନ୍ଦ୍ରବିନ୍ଦୁ ରୂପେ ଶୋଭା ବର୍ଦ୍ଧନ କରେ । ଦେବାଦେବୀଙ୍କୁ  ବିଭିନ୍ନ ବର୍ଣ୍ଣର ପ୍ରତୀକ ରୂପେ ଗ୍ରହଣ କରାଯାଇଛି, ଯଥା – ଶ୍ରୀ ଗଣେଶ -ମନ୍ଦାର ଫୁଲ ସଦୃଶ ଅରୁଣ ବର୍ଣ୍ଣ, ଶ୍ରୀ ଶିବ – ରୌପ୍ୟ ପର୍ବତ ସଦୃଶ ଶ୍ୱେତ ବର୍ଣ୍ଣ ବା କର୍ପୂର ତୁଲ୍ୟ ଗୌର, ଦୁର୍ଗା – କଳାମେଘ ସଦୃଶ ଶରୀର କାନ୍ତି, ସୌମ୍ୟବର୍ଣ୍ଣା, ଶରତ୍‍କାଳୀନ ଚନ୍ଦ୍ରବିମ୍ବ ସମାନ କାନ୍ତି ଆଦି ବହୁରୂପଯୁକ୍ତା, ଗୌରୀ – ଚମ୍ପା ପରି ଗୌରାର୍ଦ୍ଧ      ଶରୀର ବିଶିଷ୍ଟା, ଶ୍ରୀ ସରସ୍ୱତୀ – ଶୁକ୍ଳ ବା ତୁଷାର ବର୍ଣ୍ଣ, ଶ୍ରୀ ବିଷ୍ଣୁ – ମେଘବର୍ଣ୍ଣ (ଭାଗବତ ଅନୁଯାୟୀ ମୃଣାଳ ଗୌର), ହନୁମାନ – ସ୍ୱର୍ଣ୍ଣ ଶୈଲାଭ ଦେହଂ, ଶ୍ରୀ ଲକ୍ଷ୍ମୀ –  ଗୌରବର୍ଣ୍ଣା ସ୍ୱରୂପ ……….. ଇତ୍ୟାଦି । ପୁନଶ୍ଚ ଦେବାଦେବୀଙ୍କୁ ପୁଷ୍ପାଦି ଅର୍ପଣରେ ପ୍ରାୟ ବର୍ଣ୍ଣ ମେଳ ଥିବାର ବୋଧଗମ୍ୟ ହୁଏ ।

ଧ୍ୱନି ବିଜ୍ଞାନରେ ଧ୍ୱନି ପ୍ରବାହକୁ କମ୍ପନ(Vibration) ଦ୍ୱାରା ବୁଝାଯାଇଥାଏ । କମ୍ପନର ସାମର୍ଥ୍ୟ ବା ଆବୃତ୍ତି(Frequency)କୁ ଆଧାର କରି ଭାରତୀୟ  ତତ୍ତ୍ୱଦର୍ଶୀ  ମାନେ ମନ୍ତ୍ର ରଚନା କରିଛନ୍ତି । ଶବ୍ଦଗୂଡିକର ଅପୂର୍ବ ସଂଯୋଜନା ଓ ଏହାର ତାଳ – ଲୟ ବଦ୍ଧ ଗାୟନକୁ ସଙ୍ଗୀତ କୁହାଯାଏ । ବିଭିନ୍ନ ରାଗସଙ୍ଗୀତ ଶରୀରର ବିଭିନ୍ନ  ଗ୍ରନ୍ଥିଗୁଡିକୁ ସକ୍ରିୟ କରିବା ସହ ହର୍‍ମୋନ୍‍ ପ୍ରବାହ କରାଇଥାଏ । ଯେହେତୁ ଶରୀରର ସମସ୍ତ ଗ୍ରନ୍ଥି ବିଭିନ୍ନ ବର୍ଣ୍ଣ ପ୍ରତି ସମ୍ବେଦନଶୀଳ ଅଟନ୍ତି, ସେହି କ୍ରମରେ ରାଗ    ସଙ୍ଗୀତର ପ୍ରଭାବକୁ ବର୍ଣ୍ଣଭାବ ସହିତ ତୁଳନା କରାଯାଇପାରେ, ଯଥା –

ରାଗ ପ୍ରଭାବ ବର୍ଣ୍ଣ ସାମଞ୍ଜସ୍ୟ
ଦୀପକ ଦୀପରେ ଅଗ୍ନି ସଂଯୋଗ ଅବଲୋହିତ ଓ ଲାଲ୍‍
ମେଘମଲ୍ଲାର ମେଘକୁ ବର୍ଷିବାକୁ ବିବଶ କରିବା ନୀଳ
ଭୈରବୀ ଶ୍ୱାସ ଓ ଯକ୍ଷ୍ମା ରୋଗର ନିରାକରଣ ଉଜ୍ଜ୍ୱଳ ଲାଲ୍‍
ଆଶାବରୀ ରକ୍ତ ଅଶୁଦ୍ଧିର ନିରାକରଣ ସବୁଜ
ପଞ୍ଚମ ପେଟ ରୋଗର ନିରାକରଣ ଲାଲ୍‍ ଓ ସବୁଜ ….. ଇତ୍ୟାଦି

ପୁନଶ୍ଚ ପ୍ରାକୃତିକ ଚିକିତ୍ସା ମଧ୍ୟରୁ ସୂର୍ଯ୍ୟକିରଣ ଚିକିତ୍ସା(Chromopathy) ଅନ୍ୟତମ । ଏହି ଶାସ୍ତ୍ର ଶରୀରକୁ ପ୍ରାଥମିକ ବର୍ଣ୍ଣ – ଲାଲ୍‍, ନୀଳ ଓ ସବୁଜର  ଭାରସାମ୍ୟ  ରକ୍ଷା ପୂର୍ବକ ବର୍ଣ୍ଣ ସମ୍ବେଦନଶୀଳତାର ଗନ୍ତାଘର ଭାବେ ଗ୍ରହଣ କରିଅଛି । ଶରୀରର ବିଭିନ୍ନ ଅଂଶ ବିଭିନ୍ନ ବର୍ଣ୍ଣପ୍ରତି ସମ୍ବେଦନଶୀଳ ଅଟନ୍ତି, ଯଥା –

ଶରୀରର ବିଭିନ୍ନ ଅଂଶ ବର୍ଣ୍ଣ ସମ୍ବେଦନଶୀଳତା
ଚକ୍ଷୁ ସବୁଜ
ଚର୍ମ ସବୁଜ ଓ ଲାଲ୍‍
ଅସ୍ଥି ବାଇଗଣି ଓ ଅତିବାଇଗଣି
ବୃକକ୍‍ ସବୁଜ
ମୁଖଗହ୍ୱର ନୀଳ
କଣ୍ଠ ନୀଳ
ଚୂଳ ନୀଳ
ହୃତ୍‍ପିଣ୍ଡ ସବୁଜ ଓ ବାଇଗଣି
ପରିପାକ ନଳୀ ସବୁଜ ଓ ଲାଲ୍‍
ଜନନେନ୍ଦ୍ରିୟ ଲାଲ୍‍

……………….. ଇତ୍ୟାଦି ଇତ୍ୟାଦି ।

ସବୁଜବର୍ଣ୍ଣ ଶରୀରରୁ ସବୁପ୍ରକାର ଅଳିଆ ଆବର୍ଜନାଗୁଡିକୁ ବିଭିନ୍ନ ପଥରେ ବାହ୍ୟମୂଖୀ କରିବାରେ ସାହାର୍ଯ୍ୟ କରେ । ନୀଳ ବର୍ଣ୍ଣ ଶୀତଳତା ଓ ସୁନିଦ୍ରା ଆଦିର  କାରଣ ଅଟେ ।  ଲାଲ୍‍ ବର୍ଣ୍ଣ ଉଷ୍ଣତା, ଜନନ ପ୍ରକ୍ରିୟା, ଖାଦ୍ୟ ହଜମ ପ୍ରକ୍ରିୟା ଆଦିପାଇଁ ଉପଯୋଗୀ ଅଟେ । ତେବେ ସବୁଜ, ଲାଲ୍‍ ଓ ନୀଳକୁ ଯଥାକ୍ରମେ  ବାତ,  ପୀତ ଓ କଫ ସମ୍ବନ୍ଧୀୟରୋଗର କାରଣ ଏବଂ ନିଦାନ ସହ ତୁଳନା କରାଯାଇଛି । ସେଥିପାଇଁ ରୋଗ ନିରାକରଣ ନିମିତ୍ତ ଉପଯୁକ୍ତ ବର୍ଣ୍ଣର ଆଲୋକରେ ଜଳ, ଚିନି, ତୈଳ, ଗ୍ଲିସେରିନ୍‍ ଆଦିକୁ ଚାର୍ଜ କରାଇ ଅନ୍ତଃ ଓ ବାହ୍ୟ ସେବନ କରିବା ସହିତ ବସ୍ତ୍ର, ଗୃହ ଓ ବ୍ୟବହାରିକ ଉପକରଣଗୁଡିକୁ  ସେହିଭାବେ ପସନ୍ଦ କରିବାକୁ  ଏହି ଚିକିତ୍ସା ଶାସ୍ତ୍ରରେ ପରାମର୍ଶ ଦିଆଯାଇଛି ।

ପଦାର୍ଥ ବିଜ୍ଞାନର ଶାଖା ପ୍ରଶାଖାରେ ବର୍ଣ୍ଣ – ବିଚିତ୍ରତାର ଭାବ ଫୁଟିଉଠେ । ଏଠାରେ ମହଜାଗତିକ ବିଜ୍ଞାନ (Cosmology) ଓ କଣିକା ବିଜ୍ଞାନ (Particle Physics) କ୍ଷେତ୍ରରେ ଏହି ଭାବଧାରାର ସ୍ୱଳ୍ପାଲୋକପାତ କରାଯାଇଛି । ଏ ବିଶ୍ୱର ବାହ୍ୟ ସ୍ୱରୂପ ଜାଣିବା ନିମନ୍ତେ ବୈଜ୍ଞାନିକମାନେ ଅନନ୍ତ ନାକ୍ଷତ୍ରିକ  ଜଗତ (Cosmos) କୁ ମନ୍ଥନ କରିବାର ଅଭିଳାଷ ପୋଷଣ ପୂର୍ବକ,ପୃଥିବୀ ଠାରୁ ବିଲିୟନ୍‍ ବିଲିୟନ୍‍ ଆଲୋକବର୍ଷ ଦୂରରେ ଲକ୍ଷ  ଲକ୍ଷ ଗ୍ୟାଲାକ୍ସିଗୁଡିକୁ ପର୍ଯ୍ୟବେକ୍ଷଣ  କରୁଛନ୍ତି  । ଯଦି ଜଣେ ପର୍ଯ୍ୟବେକ୍ଷକ ଅନନ୍ତ ବିଶ୍ୱର ବାହ୍ୟ କଳେବର ଦେଖିବାର କଳ୍ପନା କରେ, ତେବେ ଅଧୁନା ବିଶ୍ୱଟି ଏକ ସବୁଜ ଗୋଲକ ସଦୃଶ  ପ୍ରତୀୟମାନ ହେବ । ସେହିପରି ବିଶ୍ୱ ଜନ୍ମ ପରେ ନୀଳ ଓ ମୃତ୍ୟୁ ବେଳକୁ ଲାଲ୍‍ବର୍ଣ୍ଣ ଧାରଣ କରିବାର ଆକଳନ କରାଯାଉଛି । ତାରକାଗଣଙ୍କୁ ମଧ୍ୟ ବୃଦ୍ଧାବସ୍ଥାରେ ଲୋହିତ ଦାନବ (Red Giant)ରୂପେ ଚିତ୍ରଣ କରାଯାଇଛି । କଣିକା ବିଜ୍ଞାନ କ୍ଷେତ୍ରରେ ପାରମାଣବିକ ନାଭିକ(Atomic Nucleus)ର ଗଠନ ଓ ସେଠାରେ  ଚାଲିଥିବା  ଅନବରତ ପ୍ରକ୍ରିୟା ଗୁଡିକୁ ସୂତ୍ରକଳ୍ପ(String Theory), କ୍ୱାର୍କ ମଡେଲ୍‍(Quark Model) ଆଦି ଦ୍ୱାରା ବୁଝାଯାଇ ପାରୁଛି । ବର୍ଣ୍ଣପ୍ରବାହର ଏକ ଅବିଚ୍ଛେଦ୍ୟ  ଅଙ୍ଗଭାବେ କ୍ୱାର୍କ ମଡେଲ୍‍ ଆଦୃତ ହୋଇଅଛି । ନାଭିକଟି କ୍ୱାର୍କଗୁଡିକୁ ନେଇ ଗଠିତ, ଯାହା ପ୍ରୋଟନ୍‍ ଓ ନିଉଟ୍ରନ୍‍ର ଭଙ୍ଗାରୁଜା ଅଂଶକୁ ବୁଝାଏ । କ୍ୱାର୍କର ନିଜସ୍ୱ ବର୍ଣ୍ଣ  ଅଛି ଓ ଏହା କ୍ଷେତ୍ର କଣିକା ଗ୍ଲୁଅନ୍‍(Gluon) ଜରିଆରେ ବର୍ଣ୍ଣକୁ ଅହରହ ବଦଳାଉଛି । ଏଠାରେ ମଧ୍ୟ ଲାଲ୍‍, ନୀଳ ଓ ସବୁଜ ବର୍ଣ୍ଣର ଭାରସାମ୍ୟ ରକ୍ଷା ପୂର୍ବକ  ବର୍ଣ୍ଣସ୍ରୋତର ପ୍ରବାହ ହେଉଅଛି ।

ଉପରୋକ୍ତ ସୂଚନାଗୁଡିକରୁ ଏହି ଚେତନା ଜାଗ୍ରତ ହେଉଛି ଯେ, ଅନନ୍ତ ସ୍ଥୂଳଜଗତରୁ ଆରମ୍ଭ କରି ସୂକ୍ଷ୍ମାତିସୂକ୍ଷ୍ମ  କଣିକାଜଗତ ଯାଏ ପରିବ୍ୟାପ୍ତ ହୋଇ ରହିଅଛି ବର୍ଣ୍ଣ    ପ୍ରବାହର ବିଚିତ୍ର ଧାରା । ବର୍ଣ୍ଣାଢ୍ୟ ପରିବେଶରେ ସମଗ୍ର ବିଶ୍ୱ ଆନ୍ଦୋଳିତ ହେଉଅଛି । ତେବେ ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ ମଧ୍ୟରେ ବର୍ଣ୍ଣପ୍ରବାହ ସୃଷ୍ଟି  କରୁଛି  ଏକ ସନ୍ତୁଳନ(Equilibrium) ଅବସ୍ଥା । ଏହାର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଓ ବହୁ ଲୁକ୍‍କାୟିତ ବ୍ୟବହାରିକ ଜ୍ଞାନକୌଶଳର  ପରିପ୍ରକାଶ ହିଁ ଏ ଜୀବଜଗତ  ପାଇଁ  ଶ୍ରେଷ୍ଠ ଉପହାର ରୂପେ ପରିଗଣିତ ହେବାରେ   କୌଣସି ଦ୍ୱିଧାବୋଧ ରହିବ ନାହିଁ ।

 

 

———————————————————————————————————

Published in the College Magazine, ପୂରବୀ “PURABI” 2006 -2007, Dharanidhar Autonomous Collega, Keonjhar, Odisha.

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help