ବାଛିବାଛି ବଚ୍ଛୁଆରୀ
ବାଛିବାଛି ବଚ୍ଛୁଆରୀ
ନକୁଳ ଚ଼ରଣ ମଲିକ୍,
ଅବସରପ୍ରାପ୍ତ ଆସୋସିଏଟ୍ ପ୍ରଫେସର, ପଦାର୍ଥ ବିଜ୍ଞାନ,
ମଡେଲ୍ ଡିଗ୍ରୀ କଲେଜ, ନବରଙ୍ଗପୁର , ଓଡ଼ିଶା ।
ସୁଜଳା ମ୍ୟାଡମ୍ ନିଜ କୋଠରୀରେ ବସି ଗଭୀର ଚିନ୍ତାରେ ନିମଗ୍ନ । ଅତୀତ ଜୀବନର ସବୁ ଘଟଣାବଳୀ ତାଙ୍କ ଚକ୍ଷୁ ସାମ୍ନାରେ ଜଳଜଳ ଦେଖାଯାଉଛି । ପିଲା ଦିନରୁ ତାଙ୍କର ଗୋଟିଏ ପ୍ରକୄତି ସଭିଙ୍କ ଠାରୁ ତାଙ୍କୁ ନିଆରା କରି ଗଢି ତୋଳିଲା, ଯାହାକି ସେ ଏ ପରିଣତ ବୟସରେ ଅନୁଭବ କରୁଛନ୍ତି । ଏବେ ଆଉ ନିଜକୁ ସଜାଡିଲେ କିଛି ଲାଭ ହେବ ନାହିଁ । କାରଣ ଚକିଗୁଡ଼ କହୁଣିଯାଏ ବୋହିଯାଇଛି । ନିଜକୁ ସୁଧାରିବାକୁ ସମୟ ତ ପଛକୁ ଫେରିବନି, କେବଳ ପଶ୍ଚାତାପ ହିଁ ବଳକା ଜୀବନର ସମ୍ବଳ ।
ତା’ ବାପା-ମା ତାକୁ ‘ସୁଜି’ ବୋଲି ଡାକନ୍ତି । ଏହାକୁ ଆଧାର କରି ଅର୍ଥାତ୍ ସୁଜି ଦାନାପରି ସେ ସମସ୍ତଙ୍କ ଠାରୁ ପରିଷ୍କାର, ସୁନ୍ଦର ଓ ଗୋଟି ବଛିଆରୀ ବୋଲି ଭାବେ । ରୂପରେ କାଳୀ ଓ ମୋଟି ହେଲେବି ମନ ତା’ର ଗୌରବର୍ଣ୍ଣା । ନିଜକୁ ସଜାଇବାରେ ସେ ଦର୍ପଣ ଆଗରେ ଅନେକ ସମୟ ବିତାଏ । ଦିନରେ ଅତି କମ୍ରେ ଦଶ ବାରଥର ସେ ଦର୍ପଣରେ ନିଜ ମୁହଁ ନ ଦେଖିଲେ ନ ଚଳେ । ନିଜର ପ୍ରତିବିମ୍ବ ଦେଖି ସେ ଉତ୍ଫୁଲ୍ଲିତ ହୁଏ ଓ ସୁନ୍ଦରପଣିଆରେ ସେ ସଭିଙ୍କ ଉପରେ ବୋଲି ଭାବେ । ଖାଦ୍ୟ ଖାଇବାରେ ତା’ର ଅତି ବାଛ ବିଚାର । ଡ୍ରେସ୍ କିଣିବାକୁ ଗଲେ ଦଶରୁ ଅଧିକ ଦୋକାନ ବୁଲିଲେ ବି ତା ମନ ପସନ୍ଦର ଡ୍ରେସ୍ ମିଳିବା କଷ୍ଟକର ବ୍ୟାପାର ହୋଇଉଠେ । ଯେତେ ବୁଝାଇଲେ ସେ କିଛି ବୁଝେନି । ସବୁ ଜିନିଷକୁ ସେ ନାକ ଟେକେ ଓ ପ୍ରାୟ ସମସ୍ତିଙ୍କୁ ଅପରିଷ୍କାର ଭାବେ । ଘରେ ଖାଇବା ବେଳେ ତା’ ପସନ୍ଦ ମୁତାବକ ଖାଦ୍ୟ ନଥିଲେ ମା’ଙ୍କୁ ଭାରି ଝିନ୍ଝଟ୍ କରେ । ଗାଁ’ଲୋକେ ତା ପଛରେ ଫୁସୁଫାସ ହୋଇ କୁହନ୍ତି – “ଏ କାଳିକୁତୁରୀ – ହେଁସ ମୁତୁରୀର ଭାରୀ ଛଇ, ମୁହଁ ଖଣ୍ଡିକ ତ ବାନ୍ଦିରୀ, ସେଥିରେ ସବୁ ଲୋକଙ୍କୁ ବାଛୁଚି, କୌଣସି ଡ୍ରେସ୍ ୟା’ର ପସନ୍ଦ ନୁହେଁ, ପୁଣି ଖାଇବାରେ ଏତେ ପସନ୍ଦ, ୟା’କୁ ଖାଇବି ନାହିଁ, ତାକୁ ଖାଇବି ନାହିଁ, ମା’ଟାକୁ ପଟେ ଘାଣ୍ଟୁଛି , ଇଏ ମନେ ମନେ ନିଜକୁ ରାଜକୁମାରୀ ଦୋଳଣୀ ବୋଲି ଭାବୁଛି ଓ ସତେକି ସୁନା ଦୋଳିରେ ଝୁଲୁଛି ! କେଉଁ ଦୂର ରାଇଜରୁ କମଳ ଦେଶର ରାଜକୁମାର ଦୋଳଣ ବୋଧେ ୟା’କୁ ବାହା ହେବାକୁ ଆସିବ !” ପାଠପଢା ବେଳେ ସେ କାହା ସହିତ ସାଙ୍ଗସାଥି କରେନି ଓ ମ୍ୟାଟ୍ରିକ୍ରୁ ଏମ. ଏ.(M.A) ଯାଏ ସେ କେବଳ ଦ୍ୱିତୀୟଶ୍ରେଣୀରେ ହିଁ କୃତକାର୍ଯ୍ୟ ହୋଇଥିଲା । ସେ ସଂସ୍କୄତରେ ଏମ. ଏ. କରିଥିଲା ଓ ସବୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅସଫଳତା କାରଣରୁ ଶେଷରେ ବାଧ୍ୟହୋଇ ଅନେକ ଚେଷ୍ଟା କରି ଏକ ଘରୋଇ ମହାବିଦ୍ୟାଳୟରେ ସଂସ୍କୄତ ଅଧ୍ୟାପକ ରୂପେ ଯୋଗଦେଲା ।
ସୁଜି ତା’ର ବାପା -ମା’ଙ୍କର ଏକଇ ସନ୍ତାନ । ତେଣୁ ଅତି ଗେଲ୍ଲା, ଯାହାକି ପିଲାମାନଙ୍କୁ ଉତ୍ତମ ସଂସ୍କାରୀ ରୂପେ ଗଢି ତୋଳିବାରେ ମୁଖ୍ୟ ପ୍ରତିବନ୍ଧକ ହୋଇଥାଏ । ଅତିମୋହଗ୍ରସ୍ତତାରୁ ଗେଲ୍ଲାପଣିଆ ଓ ଏହି କାରଣରୁ ବାପା – ମା’ ମାନେ ନିଜ ପିଲାର ସବୁ ଦୁର୍ଗୁଣକୁ ସୁଗୁଣ ବୋଲି ଭାବନ୍ତି ଓ ଏପରିକି ସଭିଙ୍କ ଆଗରେ ବଖାଣନ୍ତି । ଏଥିରୁ କାହିଁକି ସୁଜିର ବାପା -ମା’ ବାଦ୍ ପଡିବେ । ସୁଜିର ଅତି ନାକଟେକା ଗୁଣକୁ ସୁନ୍ଦର ଭାବରେ ସଜାଇ ଅନ୍ୟମାନଙ୍କ ଆଗରେ ସେମାନେ ଉପସ୍ଥାପନ କରନ୍ତି । ସୁଜି ଯେତେବେଳେ ମ୍ୟାଟ୍ରିକ୍ ପାସ୍ କଲା, ଠିକ୍ ସେହି ସମୟରୁ ଝିଅଟିକୁ ହାତକୁ ଦିହାତ କରିବାର ଚିନ୍ତାରେ ବ୍ୟସ୍ତତାର ଶୀକାର ହୁଅନ୍ତି ତା’ର ବାପା – ମା’ । ବାପା ଜଣେ ଚାଷୀ ଓ ମା’ ଗୄହିଣୀ ଅର୍ଥାତ୍ ନିମ୍ନମଧ୍ୟବିତ୍ତ ଶ୍ରେଣୀର ।
ସମୟ ଗଡି ଚାଲିଲା ଓ ସୁଜି ସଂସ୍କୄତ ସମ୍ମାନରେ ଗ୍ରାଜୁଅଟ୍ ହେଲା । ଝିଅର ବିଭାଘର ପାଇଁ ବାପା – ମା’ର ମୁଣ୍ଡବିନ୍ଧା ଆରମ୍ଭ ହେଲା । ବିଭିନ୍ନ ଆଡୁ ଅନେକ ପ୍ରସ୍ତାବ ଆସିଲା, କିନ୍ତୁ ପ୍ରସ୍ତାବିତ ପୁଅଙ୍କୁ ଦେଖି ସୁଜି ସେମାନଙ୍କ ଶାରିରିକ ଗଠନ ଉପରେ କେବଳ କଟୁ ମନ୍ତବ୍ୟ ମାନ ହିଁ ଦେଲା । ଫଳରେ ସବୁ ପ୍ରସ୍ତାବ ଗୁଡିକ କାଟ୍ ଖାଇ ଖାଇ ଚାଲିଲା । ପ୍ରକୄତିର ସୄଷ୍ଟିରେ ସମସ୍ତେ ତ ଗୋଟିଏ ଚାଉଳରେ ଗଢା ନୁହନ୍ତି । କେଉଁଠି ନା କେଉଁଠି ଖୁଣ ରହିବା ସ୍ୱାଭାବିକ । କାହାର ନାକ ଚ଼େପା, କାହାର ଦାନ୍ତ ବେହେଡା,କିଏ ଟେରା, କିଏ ଚ଼ନ୍ଦା, କାହାର ଚାକିରୀ ନାହିଁ, କିଏ ଅତି ଡେଙ୍ଗା ବା ଅତି ଗେଡା ….ଆଦି ବଙ୍କା, ପେଙ୍ଗେଇ ଚାଲିବା, ଅତି ମୋଟା , କାଲା, କୁଜା, କେମ୍ପା, ଶୁଖିଲା ବାଉଁଶ ପରି ଶୁକୁଟା, କାହାର ପରିବାର ଭଲନୁହେଁ ଇତ୍ୟାଦି ଇତ୍ୟାଦି ଖୁଣ ଓ ଗୁଣ ସବୁ ଖୋଜି ଖୋଜି ବାହାର କରି ଓ ଅନେକ ଭଲ ପ୍ରସ୍ତାବ ଗୁଡିକୁ ମଧ୍ୟ ପାଦରେ ଦଳି ଚକୁଟି ଦେଲା । ବୟସର ଉନ୍ମାଦରେ ସେ ଅତି ଅହଂକାରୀ ହୋଇ ଯାଇଥିଲା ଓ ନିଜଠାରେ ଭରି ରହିଥିବା ସବୁ ବଦ୍ଗୁଣ ଓ ନିଜର ଅସୁନ୍ଦରତାକୁ ସେ ଆଦୌ ଠଉରାଇ ପାରୁନଥିଲା । ଈଶ୍ୱରଙ୍କ ସୄଷ୍ଟିରେ ସେ ନିଜକୁ ଛାଡି ଅନ୍ୟ ସବୁକୁ ହୀନ ଓ ଘୄଣ୍ୟ ଚକ୍ଷୁରେ ଦେଖୁଥିଲା । ବାପା – ମା’, ବନ୍ଧୁ ବାନ୍ଧବ, ଅନ୍ୟ ସବୁ ଶୁଭାକାଙକ୍ଷି ଆଦି ଯେତେ ବୁଝାଇଲେ ବିଛି ଫଳପ୍ରଦ ହେଲା ନାହିଁ । ଇତ୍ୟବସରରେ ସେ ଏମ. ଏ. (ସଂସ୍କୃତ)କୋର୍ସ୍ରେ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଲା । ଉକ୍ତ ପଢା ବେଳେ ମଧ୍ୟ ଯେତେ ବିଭାଘର ପ୍ରସ୍ତାବ ସବୁ ଆସିଲା ସେ ସବୁକୁ ତିରଷ୍କାର କରି ମନା କରିଦେଲା । ପିଜି କୋର୍ସ୍ କରୁଛି, ଆହୁରି ଅହଂତ୍ୱ ବୄଦ୍ଧି ପାଇଲା । ବାପା – ମା’ଙ୍କ ନିଦ ହଜିଗଲା । ସେମାନେ ଭାବୁଛନ୍ତି ଝିଅ ତ ସବୁକୁ ଠୁକୁରାଇ ଦେଉଛି । କର୍କଶ ଗଳାରେ ଅପମାନ ସୂଚକ ଭାଷାରେ କେତେ ଯେ ଲୋକଙ୍କୁ କଷ୍ଟ ଦେଲାଣି ତାହା ଭାବିହେଉ ନାହିଁ । ସେମାନଙ୍କ ମନରୁ ନିର୍ଗତ ନକରାତ୍ମକ ପ୍ରଭାବ ନିଶୟ ସୁଜି ଉପରେ ପଡିବ ଓ ଶେଷକୁ ସେ ସତରେ କ’ଣ ବିଭା ହୋଇ ନ ପାରି ସେମିତି ଅଭିଆଡୀ ହୋଇ ରହିଯିବ !!! ଏହା ଭାବିଲେ ସେମାନଙ୍କ ପାଦତଳୁ ବସୁଧା ଖସିଯିବା ପ୍ରାୟ ଲାଗେ ।
ପିଜି କୋର୍ସ୍ ସରିଲା ଓ ବର୍ତ୍ତମାନ ସେ ପୋଷ୍ଟଗ୍ରାଜୁଏଟ୍ ଛାତ୍ରୀ । ଗର୍ବରେ ଛାତି ଛ’ ଇଞ୍ଚ ଫୁଲିଯାଉଥାଏ । ତେବେ ଚାକିରୀ ପାଇଁ ପ୍ରତିଦ୍ୱନ୍ଦିତା ମୂଳକ ପରୀକ୍ଷା ଦେବାକୁ ଲାଗିଲା । ସବୁ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲା । ନିରାଶାର ବହ୍ନି ଧିରେ ଧିରେ ମନରେ ସ୍ଥାନ ପାଇବାକୁ ଲଗିଲା । ସୃଷ୍ଟିରେ ପ୍ରତିଟିର ଆରମ୍ଭ, ଉତ୍ଥାନ ଓ ବିଲୟ ହିଁ ପ୍ରକୃତିର ନିୟମ ଅଟେ । ଅନ୍ୟର ମନକୁ ଆଘାତ ଦେବା, ଅପମାନ ଦେବାର ସୀମା ଯେତେବେଳେ ଟପିବାକୁ ଆରମ୍ଭ କରେ, ତାହାକୁ ସଙ୍କଟପୂର୍ଣ୍ଣ ମୁହୂର୍ତ୍ତ(Critical Moment) କୁହାଯାଏ । ଏହି ସମୟରେ ଯଦି ଜଣେ ନିଜର ଅନ୍ତରାତ୍ମାର ଫୁତ୍କାରକୁ ଶୁଣିଲା ଓ ନିଜକୁ ବିପରୀତ ଦିଗରେ ଘୂରାଏ, ତେବେ ସେ ପଶ୍ଚାତାପ, କ୍ଷମାଭିକ୍ଷା ଆଦି ସାତ୍ତ୍ୱିକ ଗୁଣଯୁକ୍ତ ହୋଇପାରେ, ନଚେତ୍ “ନଷ୍ଟସ୍ୟ କାହ୍ନା ଗତି” ଧାରାରେ ସେ ନିଜକୁ ନଷ୍ଟ ଦିଗରେ ଆଗେଇ ନିଏ । ସୁଜି ଜୀବନରେ ସେଇଆ ଅର୍ଥାତ୍ ନମନିୟତା ହିଁ ଘଟିବାକୁ ଆରମ୍ଭ ହୁଏ । ଦୁନିଆଁରେ ବଞ୍ଚିବା ପାଇଁ ଚିନ୍ତା ଘାରିବାକୁ ଲାଗେ । ଅତି କଷ୍ଟରେ ସେ ଏକ ଘରୋଇ ମହାବିଦ୍ୟାଳୟରେ ଅଧ୍ୟାପିକା ରୂପେ ଯୋଗଦାନ କଲା । ସମୟର ଗତି ତ ଆଗକୁ ଓ ଏହା ସହ ମାନବର ଜୀବନର ଗତି ସମ୍ପୃକ୍ତ ଅର୍ଥାତ୍ ଶୈଶବ, ଯୌବନ ଓ ବାର୍ଦ୍ଧକ୍ୟର ଛାପକୁ ଯଥାକ୍ରମେ ଆରମ୍ଭ, ଉତ୍ଥାନ ଓ ବିଲୟ ସହ ତୁଳନା କର୍ରାଯାଇପରେ । ସୁଜି ବର୍ତ୍ତମାନ ପ୍ରାୟ ଯୌବନର ଅପରାହ୍ନରେ ଅବତ୍ତୀର୍ଣ୍ଣ ହେବାକୁ ଯାଉଛି ଓ ବାର୍ଦ୍ଧକ୍ୟର ଆଭାସ ଉଙ୍କି ମାରୁଛି । କଥାରେ ଅଛି -“ଯୌବନେ ମର୍କଟୀ ସୁନ୍ଦରୀ” ଓ ଏହାପରେ ତେଜ ମଳିନ ହେବାକୁ ଲାଗେ ।
ଭଲ ଜୀବନ ସାଥୀ ପାଇବା ପାଇଁ କିଏ ବ ନ ଚାହେଁ ? କିଏ ନିଜକୁ ସର୍ବ ସୁଲକ୍ଷଣରେ ପରିପୂର୍ଣ୍ଣ ହୋଇଥିବା ଭାବି ସେଇ ଭଳି ଜୀବନ ସାଥୀଟିଏ ପାଇବାକୁ ଚାହେଁ ବା ଈଶ୍ୱରଙ୍କୁ ଡାକେ । ତେବେ ଜୀବନ ସାଥୀ ଚୟନ କରିବାର ପ୍ରଣାଳୀ ପ୍ରତ୍ୟେକଙ୍କ ପାଇଁ ଭିନ୍ନ ହୋଇଥାଏ । ଏହା ଅନ୍ୟପ୍ରତି ନିଜର ଦୃଷ୍ଟିଭଙ୍ଗୀ ଓ ଜ୍ଞାନର ପରିସୀମା ଉପରେ ନିର୍ଭର କରେ । ଏଠାରେ ବାପା – ମା’ ଓ ଅନ୍ୟମାନଙ୍କର ଭୂମିକା ମୁଖ୍ୟ ବା ଗୌଣ ହୋଇପାରେ । ତେବେ ବିବାହ ପରର ଜୀବନଧାରାକୁ ଏଠାରେ ଆଲୋଚନା କରାଯାଉ ନାହିଁ । ଯଦି ପୁଅକୁ ଝିଅ ପସନ୍ଦ ନୁହେଁ କିମ୍ବା ଝିଅକୁ ପୁଅ ପସନ୍ଦ ନୁହେଁ, ତେବେ କେହି କାହା ଉପରେ କଟୁ ମନ୍ତବ୍ୟ ଦେଇ ମନରେ ଆଘାତ ସୃଷ୍ଟି କରିବା ଦ୍ୱାରା ଅସୁସ୍ଥ ବାତାବରଣ ସୃଷ୍ଟି ହୁଏ । ଆକ୍ଷେପ ତୀକ୍ଷ୍ଣ ଓ ଶାଣିତ ନହୋଇ ସକରାତ୍ମକ ହେବା ଆବଶ୍ୟକ ।
ସୁଜି ଦେଖେ ତା’ର ସମବୟସୀ ସହକର୍ମୀ ପ୍ରାୟ ବିବାହିତ । କମନ୍ ରୁମ୍ରେ ପାଠପଢା ବାଦ୍ ପାରସ୍ପରିକ ଘରୋଇ ଆଲୋଚନା ହୁଏ । ସେତେବେଳେ ସେ ନିଜକୁ ଏକ ବାଆଁରା ମଣିଷ ଭଳି ଅନୁଭବ କରେ । ଅନ୍ୟମାନଙ୍କୁ ତିରଷ୍କାର ଓ ନାକଟେକା ପ୍ରବୃତ୍ତି ଯୋଗୁ ସେ ଆଜି ଯାଏ ଘର ସଂସାରର ସୁଖ – ଦୁଃଖରୁ ବଞ୍ଚିତ । ଦିନୁଦିନ ଏହା ବୃଦ୍ଧି ପାଏ ଅର୍ଥାତ୍ “ଦିନକୁ ଦିନ ଯେ ହୋଇଲା ପ୍ରବଳ ବିଜୁଳି ଯେସନେ ଘନେ” ଓ ସୁଜି ଧିରେ ଧିରେ ସାତ୍ତ୍ୱିକ ଚେତନାବ୍ରତୀ ହୁଏ । ଏବେ ସୁଜି ଜୀବନରେ ଓଲଟା ଗଣନା (Reverse Counting) ପ୍ରକ୍ରିୟା ଆରମ୍ଭ ହୁଏ । ମନ ଆକୁଳିତ ହୁଏ ଏକ ଜୀବନ ସାଥୀ ପାଇଁ । ଯେମିତି ସେ ବୟସର ଉଦ୍ଦାମତାରେ ଅହଂକାରୀ ହୋଇ ସବୁ ବିବାହ ପ୍ରସ୍ତାବ ଗୁଡିକୁ ପାଦରେ ଦଳି ଦେଉଥିଲା, ଏବେ ସେ ନମନୀୟ ସ୍ୱଭାବରେ ନିଜ ସହକର୍ମୀଙ୍କ ଜରିଆରେ ନିଜ ତରଫରୁ ବିବାହ ପ୍ରସ୍ତାବ ରଖିଲା ଓ ସୁଜି ମନେ ମନେ ଶପଥ ନେଲା ଏବେ ବିବାହ ପ୍ରସ୍ତାବ ଆସିଲେ ସେ ଆଉ ପୂର୍ବ ପରି ପ୍ରତ୍ୟାଖ୍ୟାନ କରିବ ନାହିଁ ।
ଭାଗବତରେ କୁହାଯାଇଛି – “କର୍ମ କରିଣ ଫଳ ପାଇ – ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ” ଅର୍ଥାତ୍ କର୍ମଫଳ ନ ଭୋଗିବା ବିନା ନାହିଁ ଗତି ମୁକ୍ତି । ପ୍ରକୃତି ସମବିନ୍ୟାସ ବା ସନ୍ତୁଳନତାକୁ ଭଲ ପାଏ(Nature Loves Symmetry) । ପ୍ରକୃତିର ସୁବିନ୍ୟାସରେ କେହି ନକରାତ୍ମକତା ଭରିଦେଲେ, ତାହା ପାଇଁ ମଧ୍ୟ ପ୍ରକୃତି ନକରାତ୍ମକ ହୋଇଉଠେ । ଏହାକୁ କୁହାଯାଏ ପ୍ରକୃତିର ପ୍ରତିଶୋଧ ନେବା(Nature takes revenge) । ସୁଜି ଜୀବନରେ ତାହାହିଁ ଘଟିବାକୁ ଆରମ୍ଭ ହୁଏ । ପ୍ରଥମ ପ୍ରସ୍ତାବ ସୁଜି ତରଫରୁ ଗଲା । ସେ ପୁଅଟିର ସୁଜି ସହ ଦେଖା ସାକ୍ଷାତ କରାଗଲା । ପୁଅଟି ତତ୍କ୍ଷଣାତ୍ କିଛି ମତାମତ ନଦେଇ ନିରବ ରହିଲା ଓ ସୁଜିର ସହକର୍ମୀକୁ ଅସନ୍ତାକାଲି କହିବ ବୋଲି ନିରବ ଇସାରା ଦେଲା । ସୁଜି ଏକୁଟିଆ ଏକ ଘରଭଡା ନେଇ ରହୁଥିଲା ଓ ଟିଉସନ୍ ପଢାଉଥିଲା । ସମୁଦାୟ ମାସିକ ଆୟରୁ ନିଜେ ଅଳ୍ପ ଖର୍ଚ୍ଚରେ ଚଳି ମାସକୁ ଦୁଇଥର ଘରକୁ ଯାଇ ବାପା – ମା’ଙ୍କୁ କିଛି ଟଙ୍କା ଦେଇ ଓ ସେମାନଙ୍କ କଥା ବୁଝୁଥିଲା । ସେଦିନ ଅପରାହ୍ନରେ ସେ ଟିଉସନ୍ ବନ୍ଦ୍ କଲା ଓ ସେ ଏକ ଅଜଣା ଶୀହରଣରେ ଉଲ୍ଲସି ଉଠୁଥିଲା । ସେହି ରାତିରେ ସେ ସୁନେଲି ସ୍ୱପ୍ନରେ ବିଭୋର ହୋଇ ଉଠିଥିଲା । ଏ ପ୍ରସ୍ତାବରେ ପୁଅଟି ତା’କୁ ଜୀବନ ସାଥୀ ରୂପେ ନିଶ୍ଚୟ ଗ୍ରହଣ କରିବ ବୋଲି ସେ ଭାବୁଥାଏ । ଧିରେ ଧିରେ ପୁଅଟି ସୁଜିକୁ ସୁନ୍ଦରରୁ ଅତିସୁନ୍ଦର ପ୍ରତୀୟମାନ ହେଉଥିଲ । ସକାଳୁ ସଅଳ ଉଠି ସବୁ କାମ ସାରି କଲେଜ ବାହାରିଲା । ଗାଲରେ କ୍ରୀମ୍ ଓ ଓଠରେ ଲିପ୍ଷ୍ଟିକ୍ ଆଦି ବୋଳି ଏବଂ ଦର୍ପଣରେ ନିଜ ଚେହେରାକୁ ବାରମ୍ବାର ଦେଖି ଶୀଘ୍ର କଲେଜରେ ପହଞ୍ଚିଲା । ସହକର୍ମୀଟି ଆସିବା ମାତ୍ରେ ସୁଜି ପ୍ରସ୍ତାବ ବିଷୟରେ ପଚାରିଲା ଓ ସେ ବିରସ ମନରେ କହିଲା ସେ ଏ ପ୍ରସ୍ତାବରେ ରାଜି ନୁହେଁ । କ’ଣ ପାଇଁ ରାଜି ନୁହେଁ ତା’ର ଉତ୍ତର ସେ ଦେଲା ନାହିଁ । ଏହାକହି ସହକର୍ମୀଟି ଚୂପ୍ ରହିଲା । ସୁଜିର ନିଜ ମୁହଁର ବିରସ ଭାବକୁ ଲୁଚାଇବାକୁ ବାହାନା କରି ବାଥ୍ରୁମ୍କୁ ଯାଇ ଦୁଇଟୋପା ଲୁହ ଗଡାଇ, ମୁହଁ ଧୋଇ ଓ ମିଛ ହସ ଫୂଟାଇ ଚେୟାରରେ ଲଥ୍ କରି ବସି ବହି ଖୋଲିଲା । କ୍ରମେ ଅପରାହ୍ନରୁ ସୂର୍ଯ୍ୟଙ୍କ ତେଜରାଶିର ମାତ୍ରା କ୍ଷୀଣ ହେବାକୁ ଲାଗେ । ସୁଜି ତରଫରୁ ବିଭିନ୍ନ ସହକର୍ମୀଙ୍କ ଜରିଆରେ ଦ୍ୱିତୀୟ, ତୃତୀୟ ଆଦି ବିଭାଘର ପ୍ରସ୍ତାବମାନ ଫଳପ୍ରଦ ହେଲାନାହିଁ । ସେ ବିଚଳିତ ହୋଇ ଉଠିଲା । ସତରେ କ’ଣ ତାକୁ କେହି ବିଭା ହେବେ ନାହିଁ । ସେ କ’ଣ ଏତେ ଅସୁନ୍ଦର ! ଏ ଭାବନାରେ ସେ ଘାରି ହେବାକୁ ଲାଗିଲା ।
ସମାଜ ସଂସ୍କାର ରୂପେ ଅବତ୍ତୀର୍ଣ୍ଣ ଲକ୍ଷ୍ମୀପୁରାଣରେ ବର୍ଣ୍ଣନା ହୋଇଛି ଯେ ପ୍ରଭୁ ବଳଭଦ୍ରଙ୍କ ଜଠରାଗ୍ନିର ହୁତୁହୁତୁ ଜ୍ୱାଳା ଏତେ ପ୍ରବଳ ହେଲା ଯେ, ସେ ସମାଜରେ ମାନବ ନିର୍ମିତ ସବୁ ଭେଦଭାବକୁ ଭୂଲି କେବଳ ପ୍ରକୃତିର ସୁସାମ୍ୟତାକୁ ହିଁ ଅନୁଭବ କଲେ । ତେଣୁ ସେ ବିକଳରେ କହିପକାଇଲେ – “ଜାତି ପଛେ ଯାଉ ତା’ର ଘରେ ଖାଉଁ ଭାତ” । ବିଧିର ବିଧାନ ବିଚିତ୍ର ! କ୍ରମେ ବିବାହ ହେବାର ଲାଳସା ରୂପୀ ଅଗ୍ନି ଜ୍ୱାଳାରେ ସୁଜି ଦଗ୍ଧିଭୂତ ହେବାକୁ ଲାଗିଲା । ତେଣୁ ସେ ବିନା ଜାତିଭେଦରେ କୌଣସି ବାଛ ବିଚାର ନ ରଖି ନାକ ଚ଼େପା, ଦାନ୍ତ ବେହେଡା, ଟେରା, ଚ଼ନ୍ଦା, ଚାକିରୀ ନଥାଉ, ଅତି ଡେଙ୍ଗା, ଅତି ଗେଡା, ବଙ୍କା, ପେଙ୍ଗେଇ ଚାଲିବା, ଅତି ମୋଟା , କାଲା, କୁଜା, କେମ୍ପା, ଶୁଖିଲା ବାଉଁଶ ପରି ଶୁକୁଟା, କାହାର ପରିବାର ଭଲ ନ ହେଉ ବରଂ, ଇତ୍ୟାଦି ଇତ୍ୟାଦି ଯେତେ ଖରାପ ଖୁଣ ଓ ଗୁଣ ସବୁ ଥାଉନା କାହିଁକି ସେ ବ୍ୟକ୍ତିକୁ ତା’ର ବର ରୂପେ ଗ୍ରହଣ କରିବାକୁ ରାଜି ।
ସୂର୍ଯ୍ୟାସ୍ତ ହୁଏ ଓ ବାୟୁମଣ୍ଡଳ ତେଜଶୂନ୍ୟ ହୁଏ । ଅହଂକାରର ବହ୍ନି ଲିଭିଯାଏ । ସୁଜି ବର୍ତ୍ତମାନ ନିରହଂକାରୀ ସାତ୍ତ୍ୱିକବ୍ରତୀ । ଦୁଇ ହାତ ଟେକିଦେଲା ଓ ନିଜକୁ ସର୍ବ ଶକ୍ତିମାନଙ୍କ ନିକଟରେ ସମର୍ପଣ କରି କହିଲା – ହେ ସର୍ବ ଶକ୍ତିମାନ ! ମୋ ଅହଂକାରର ସୂର୍ଯ୍ୟ ଆଜି ଅସ୍ତ ହୋଇ ଯାଇଛି । ମୁଁ ପ୍ରକୃତିର ଧାରାରେ ଘୃଣାଭାବ ସୃଷ୍ଟି କରି ଅନେକ ନିରୀହ ବ୍ୟକ୍ତିଙ୍କୁ ଆଘାତ ଦେଇଛି । ମୋତେ କ୍ଷମାକର ! ସେଥିପାଇଁ ତୁମ ସୃଷ୍ଟିରେ ମୋ ପାଇଁ ଯାହାକୁ ସ୍ୱାମୀ ରୂପରେ ରଖିଛ ତାହା ହିଁ ମୁଁ ଆନନ୍ଦରେ ଗ୍ରହଣ କରିବି ।
କିଛିଦିନ ବିତିଯାଏ । ସେ କଲେଜକୁ କିଛି ଅଧ୍ୟାପକ ବଦଳି ହୋଇ ଆସନ୍ତି କିଛି ଯାଆନ୍ତି । ସୁଜି ଦେଖିଲା ଆଗନ୍ତୁକ ଆଧ୍ୟାପକଙ୍କ ମଧ୍ୟରୁ ସବୁ ବିବାହିତ । ସୁଜିର ମନ କୁହୁଳି ଉଠିଲା । ଦୁଇଦିନ ପରେ ଜଣେ ଓଡିଆ ଅଧ୍ୟାପକ ଆସି ସେ କଲେଜରେ ଯୋଗ ଦେଲେ । ହେଲେ କ’ଣ ହେବ ସେ ଯେ ଅନ୍ଧ ! ସୁଜିର ମନ ଆହୁରି ମଉଳି ଗଲା, କିନ୍ତୁ ପରମୂହୁର୍ତ୍ତରେ ସେ ନିଜ ଭୂଲ୍ ବୁଝି ପାରି ଈଶ୍ୱରଙ୍କୁ କ୍ଷମା ମାଗିଲା ।
କିଛିଦିନ ପରେ ସୁଜି ଜାଣିଲା ସେ ନୂଆ ଓଡିଆ ଅଧ୍ୟାପକ ଅବିବାହିତ ଓ ତା’ଠାରୁ ପ୍ରାୟ ପାଞ୍ଚବର୍ଷ ବଡ । ସୁଜି ହିଁ ସେଇଦିନ ଠାରୁ ସେ ଅଧ୍ୟାପକଙ୍କୁ ମନେ ମନେ ଭଲ ପାଇ ବସିଲା । ଧିରେଧିରେ ତାଙ୍କ ସହ ଆଳାପ ଓ ପାଠ ସମ୍ବନ୍ଧିୟ ଆଲୋଚନା କଲା । ବିବାହ ପ୍ରସ୍ତାବ ନିଜେ ଦେବାକୁ ସୁଜିକୁ ସଙ୍କୋଚ ବୋଧ ହୁଏ । ତେଣୁ ସେ ତାଙ୍କର ଜଣେ ଘନିଷ୍ଠ ସହକର୍ମୀଙ୍କୁ ସବୁ କଥା କହିଲା । ଏ ପ୍ରସ୍ତାବ ଶୁଣି ଓଡିଆ ଅଧ୍ୟାପକ ହଡବଡେଇ ଗଲେ, କିନ୍ତୁ ସହକର୍ମୀଙ୍କ ଚେଷ୍ଟା ଶେଷରେ ସଫଳହେଲା । ଈଶ୍ୱରଙ୍କ ସୃଷ୍ଟିରେ ଦୁଇଟି ଜୀବନ ଅହରହ ଦୁଃଖ ଓ ଜ୍ୱାଳାରେ ଦଗ୍ଧିଭୂତ ହେବାରୁ ରକ୍ଷାପାଇଲେ । ବିବାହର ପବିତ୍ର ବନ୍ଧନରେ ସେମାନେ ବାନ୍ଧି ହୋଇଗଲେ ।
ସଭିଙ୍କୁ ବାଛି ବାଛି ଶେଷରେ ସୁଜି ବଛୁଆରୀ ହୋଇଗଲା । କର୍ମଫଳ ଭୋଗ ସରିଲା ଓ ବଛୁଆରୀ ହେବା ଅପବାଦରୁ ସେ ରକ୍ଷା ପାଇଲା ।