ବାୟା ଚଢେଇରେ ! ବସା ବାନ୍ଧିଥିଲୁ ………
ପ୍ରାଚିନ କାଳରୁ ଅଦ୍ୟାବଧି ସମାଜରେ ଅନେକ ଲୋକକଥାମାନ ଆଦୃତଲାଭ କରି ପ୍ରଚଳିତ ହୋଇ ରହିଛି । ପ୍ରାୟ ଅନୁଭୂତ ହୁଏ, ସତେକି ଏହା କୁପଥଗାମୀ ମାନବକୁ ନିୟତିର ଏକ ଏକ ସତର୍କ ଘଣ୍ଟି ସଦୃଶ । ଏହିପରି ଏକ ଲୋକକଥାକୁ ଏଠାରେ ଆଲୋଚନାର ପରିସରଭୁକ୍ତ କରାଯାଇଛି । ନୂଆ ନୂଆ ସୃଷ୍ଟି ଆରମ୍ଭ ହୋଇ ଥାଏ । ସୃଷ୍ଟିକର୍ତ୍ତା ବ୍ରହ୍ମା ସବୁ ଜୀବ ମାନଙ୍କ ବସବାସ ଆଦିର ବିହିତ ବ୍ୟବସ୍ଥା କରିବାରେ ବ୍ୟସ୍ତ ରହିଥାନ୍ତି । କାର୍ଯ୍ୟ ଏକପ୍ରକାର ସରିବା ଉପରେ ପ୍ରାୟ । କିନ୍ତୁ ଆକାଶଚାରୀ ଜୀବଙ୍କ ପାଇଁ ରହିବାର ବ୍ୟବସ୍ଥା ତା’ଙ୍କ ମନରୁ ଏକପ୍ରକାର ଲିଭିଯାଇଥିଲା । ଏପଟରେ ପୃଥିବୀରେ କୋଳାହଳମୟ ବାତାବରଣ । ବ୍ରହ୍ମାଙ୍କ ଆଜ୍ଞାନୁସାରେ ଜୀବମାନେ ନିଜ ନିଜର ବାସଗୃହ ନିର୍ମାଣ କରିବାରେ ମଜ୍ଜିଯାଇଛନ୍ତି । କିଏବା କାହା କଥା ବୁଝୁଛି । ସମୟର ଘୋର ଅଭାବ । ତଥାପି ଗୃହ ନିର୍ମାଣର କଠିନ ପରିଶ୍ରମରୁ କେତେବେଳେ କେମିତି ଥକ୍କା ମେଣ୍ଟାଇବାପାଇଁ ବସିଯିବା, ଚାହା କପେ ପିଇବା, ଝାଳ ପୋଛିବା ଆଦି ସମୟରେ ବିଭିନ୍ନ ଦିଗକୁ ଆଖି ତ ନିଶ୍ଚୟ ପଡିବ । ଏମାନେ ଦେଖନ୍ତି ପକ୍ଷୀମାନେ ବାନାଦଳ ପରି ଇତସ୍ତତଃ ବୁଲୁଛନ୍ତି ଓ ସେମାନଙ୍କ ରାବ କାନକୁ ଅପ୍ରୀତିକର ବୋଧ ହେଉଛି । ଏମାନେତ ଉଡାଗୋଡିଆ । କ୍ଷଣ କ୍ଷଣକେ ଉଭାନ୍ । ଆମପରି ଭୂମିପୁତ୍ର ହୋଇ ରାଜକୀୟ ଛାଣ୍ଟ୍ରେ ରହିବାର ସୌଭାଗ୍ୟ କାହୁଁ ବା ପାଇବେ ? ଯେତେ ସୁନ୍ଦର ରାବ ଦେଇ ଓ ଗଠନମୂଳକ କାର୍ଯ୍ୟ କରି ପୁଣି ଆମକୁ ନତମସ୍ତକ ପୂର୍ବକ ସାହାଯ୍ୟ କଲେ ବି ଶୁଣୁଛି କିଏ ? ବ୍ରହ୍ମା ତ ଏମାନଙ୍କ ନିମିତ୍ତ ଆଜିଯାଏ କିଛି ବ୍ୟବସ୍ଥା କଲେନାହିଁ । ଠିକ୍ କରିଛନ୍ତି । ପୃଥିବୀରେ ଶବ୍ଦ ପ୍ରଦୂଷଣପାଇଁ ଏମାନେହିଁ ଦାୟୀ । ବ୍ରହ୍ମା ତ ଆମ ପଟିଆ । ତେଣୁ ଆମେ ଯେତେ ଭୂଲ୍ କଲେ ମଧ୍ୟ ଡରିବାର ନାହିଁ । ଏପରିକି ତାଙ୍କ ଆଜ୍ଞାକୁ ପରୋକ୍ଷରେ ଅବଜ୍ଞା କଲେବି ଚିନ୍ତା ନାହିଁ । ସବୁ ଅସୁବିଧାର କାରଣ ଗୁଡିକୁ ଉଡାଗୋଡିଆ ମାନଙ୍କ ଉପରେ ଲଦି ଦେଇ ବ୍ରହ୍ମାଙ୍କ କାନରେ ଫୋଡିଦେଲେ ଏମାନେ ପାନେ ପାଇବେ । ଯଦି ସୃଷ୍ଟିକର୍ତ୍ତା ଅମଙ୍ଗ ହୁଅନ୍ତି, ଆମେ ଯିଦି ଧରି ବସିଲେ ସେ ନିଶ୍ଚୟ ଶୁଣିବେ । ଏହାଦ୍ୱାରା ଆମର କୁକର୍ମ ଓ ଅପକର୍ମ ବିରୁଦ୍ଧରେ ସଦ୍ୟ ଜାଗିଉଠୁଥିବା କିଛି ଜୀବମାନଙ୍କର ମସ୍ତିଷ୍କ ଧୋଇ ହୋଇଯିବ । ସେମାନେ ମଧ୍ୟ ଆକାଶଚାରୀଙ୍କ ବିରୁଦ୍ଧରେ ବିଷୋଦ୍ଗାର କରିବେ ।
ପକ୍ଷୀମାନେ ବିଭିନ୍ନ ସ୍ଥାନରୁ ଏହି ପ୍ରକାର ବିୟୋଗାତ୍ମକ ଆକ୍ଷେପରେ ହତୋତ୍ସାହ ହୋଇ ଈଶ୍ୱରଙ୍କୁ ଡାକନ୍ତି, ହେ ପ୍ରଭୁ ! ଆମେ କି ଦୋଷ କଲୁ ! ଆମପାଇଁ ବାସସ୍ଥାନର ବ୍ୟବସ୍ଥା ହୋଇ ନଥିବାରୁ ଆମେ ଇତସ୍ତତଃ ଘୂରୁଛୁ । ବାରଦ୍ୱାର ଶୁଣ୍ଡିପିଣ୍ଡା ହେଉଛୁ । ଯେଉଁଠିକି ଗଲେ ଖାଲି ଦୂର୍ଦୂର୍ ମାର୍ମାର୍ । ଆପଣଙ୍କଠାରୁ ସବୁ ସୁବିଧା ପାଇ ସେମାନେ ଖୁସି ଏବଂ ଆମେ ମଧ୍ୟ ଏଥି ନିମିତ୍ତ ଆନନ୍ଦିତ । କିନ୍ତୁ ଆମେ ତ ଦୁଃଖରେ ଅଛୁ ଓ କାହାର କ୍ଷତିରେ ନାହୁଁ । ତଥାପି ସେମାନେ ଆମର ଏ ଦୁର୍ଦ୍ଦଶାରେ ଖୁସି କ’ଣ ପାଇଁ ? ପୁଣି ସେମାନଙ୍କର ସହସ୍ର ଦୋଷକୁ ଲୁଚାଇ ଆମକୁ ସମାଜର ଅହିତକାରୀ ବୋଲି କହି ବୁଲୁଛନ୍ତି । ସହିବାର ତ ପୁଣି ଏକ ସୀମା ଅଛି ? ତେଣୁ ବିଷାଦଗ୍ରସ୍ତ ପକ୍ଷୀ ସମାଜ ଏକତ୍ରିତ ହୋଇ ବାୟା ଚଢେଇକୁ ତାଙ୍କର ନେତା ରୂପେ ବାଛିଲେ ଓ ବ୍ରହ୍ମାଙ୍କ ନିକଟକୁ ଗୁହାରୀ ଶୁଣାଇବାକୁ ପଠାଇଲେ । ସୃଷ୍ଟିକର୍ତ୍ତା ବାୟା ମୁଖରୁ ଗୁହାରୀ ଶୁଣି ଜାଣିପାରିଲେ ଯେ, କାର୍ଯ୍ୟ ବହୁଳତା ଭିତରେ ପକ୍ଷୀ ସମାଜ ପ୍ରତି ଅନ୍ୟାୟ ହୋଇଯାଇଛି । କିଛି କ୍ଷଣ ଚିନ୍ତା କରି କହିଲେ – ହେ ମୋର ପ୍ରିୟ ପକ୍ଷୀ ସମାଜ ! ତୁମେମାନେ ଏବେ ନିର୍ବିଘ୍ନରେ ବୃକ୍ଷ ଡାଳରେ ବସା ବାନ୍ଧି ରୁହ । ବାୟାଚଢେଇ ଏହା ଶୁଣି ନିଜକୁ ବାଇଆ ହେବା ପରି ମଣିଲା । ଆର୍ତ୍ତ କଣ୍ଠରେ କହିଲା, ପ୍ରଭୁ ! ଭୂମି ନାହିଁ, ଖୁଣ୍ଟ କେଉଁଠି ପୋତିବୁ ? ଧାରକ ବିହୀନ ଛପରର ସ୍ଥିତି ରହିବ କିପରି ? ବର୍ଷା, ବାଆ, ବତାସ, ଧୂମାଳ, ବଜ୍ରପାତ …. ଆଦିରୁ ବଞ୍ଚିବୁ କିପରି ? ବ୍ରହ୍ମା କହିଲେ,ଦୃଢ ତନ୍ତୁ ଥିବା ପତ୍ରରୁ କିମ୍ବା ବୃକ୍ଷର ବକ୍କଳରୁ ଥଣ୍ଟ ଦ୍ୱାରା ସୂତା ପରି ପଦାର୍ଥ ବାହାର କରି ଅଥବା ଦୃଢ ଲମ୍ବାଳିଆ ଘାସକୁ ପତ୍ରଗହଳ ଥିବା ବୃକ୍ଷ ଡାଳ, ନଚେତ୍ ଡାଳ – ଡାଳ ସନ୍ଧି ସ୍ଥାନରେ ବହୁ ବାର ଗୁଡାଇ ମୋଟା ଦଉଡି ପରି କରିବ । ଦଉଡିର ତଳ ପଟରେ ଶୁଖିଲା କୁଟା, କାଠି ଓ ତନ୍ତୁ ଦ୍ୱାରା ସଂଯୁକ୍ତ କରାଇ ମୋଟା ଛପରର ଏକ ବର୍ତ୍ତୁଳାକାର ଗମ୍ଭୁଜ ତିଆରି କରିବ । ଦରକାର ପଡିଲେ ଅନ୍ୟ ଡାଳ ସହ କଷିକରି ବାନ୍ଧିବ, ଯେପରି ବତାସରେ ହଲିବ ନାହିଁ । ଗମ୍ଭୁଜ ଭିତର ହେବ ତୁମର ନିରାପଦ ବାସସ୍ଥାନ । ତୁମର ପରିବାରକୁ ଚିନ୍ତାକରି ଏହାର ଆକାର ଦେବ, କାରଣ ଅଣ୍ଡା ଦେବା ଓ ତହିଁରୁ ଶାବକ ଜନ୍ମ ନେଇ ଉଡିବା ପର୍ଯ୍ୟନ୍ତ କୌଣସି ଅସୁବିଧା ହେଉ ନ’ଥିବ । ପୁଣି ଗମ୍ଭୁଜର ଦ୍ୱାରକୁ ନିମ୍ନ ଆଡକୁ ସରୁଆ ସରୁଆ କରି ଆଣିବ ଓ ଶେଷ ମୁଣ୍ଡ ସାମାନ୍ୟ ବଙ୍କାଇଲେ ଭଲ । ତାହାହିଁ ହେବ ତୁମର ନିମ୍ନମୂଖୀ ଗୃହର ଦ୍ୱାର ଓ ବର୍ଷା ପାଣି ଗମ୍ଭୁଜ ଭିତରକୁ ନଯାଇ ତଳକୁ ଗଡିଯିବ ।
ବ୍ରହ୍ମାଙ୍କୁ ଓଳଗି ହୋଇ ମନାନନ୍ଦେ ପୃଥିବୀ ଅଭିମୂଖେ ଉଡିଚାଲିଲା ବାୟା । ଗର୍ବରେ ତା’ର ବକ୍ଷ ଚାରି ଇଞ୍ଚ ଫୁଲିଯାଇଛି । ଏତେ ବାଟ ଆସିଲିଣି, କାହିଁ କେହିତ ପାଛୋଟି ନେବାକୁ ଆସୁନାହାନ୍ତି । ବାସହୀନ ହୋଇ ବୁଲୁଥିଲେ, ଏତେବଡ ଗୁରୁ ଦାଇତ୍ୱ ତୁଲାଇଲି, ତଥାପି ଏମାନେ ମୋତେ ଏମିତି ଅବଜ୍ଞା କରିବେ ! ଏମାନଙ୍କୁ ନିଶ୍ଚୟ ସମୁଚିତ ଶିକ୍ଷା ଦେବି । ସଠିକ୍ରୂପେ ମୋର ବସା ବନାଇବି ଓ ଏମାନଙ୍କୁ ଏମିତି ଓଲମ୍ ବିଲମ୍ ବତାଇବି, ଯେମିତିକି ଅଖା ଧୋଉଥିବେ – ଗୁଣ ଗାଉଥିବେ । ପୃଥିବୀରେ ପହଞ୍ଚି ବାୟା ପକ୍ଷୀମାନଙ୍କୁ ଡାକିଲା ଏବଂ ଏକ ସଭା କରାଇଲା । ମନ କଥା ମନରେ ରଖି ସେ କହିଲା – ଭାଇମାନେ ! ବ୍ରହ୍ମାଙ୍କ ଆଜ୍ଞାନୁସାରେ ଶୁଖିଲା କୁଟା, କାଠି …. ଆଦିକୁ ନେଇ ଘଞ୍ଚ ପତ୍ର ଥିବା ଡାଳ ଉପରେ, ଡାଳ ସନ୍ଧିରେ କିମ୍ବା ଘଞ୍ଚ ଘାସବୁଦା ….. ଇତ୍ୟାଦି ସ୍ଥାନରେ ବେଲା ସଦୃଶ ଉପର ମୁହାଁ କରି ଘର ତୋଳନ୍ତୁ । ବେଲା ଭିତରର ସ୍ଥାନ ହେବ ଆମର ନିରାପଦ ବାସସ୍ଥାନ । ବାୟାର ମାୟା କିଏ ବା ବୁଝିବ ? ପକ୍ଷୀ ସମାଜ ଆନନ୍ଦରେ ନାଚି ଉଠିଲେ । ଘନଘନ କଳରବରେ ପ୍ରକମ୍ପିତ ହୋଇଉଠିଲା ପୃଥିବୀର ବାୟୁମଣ୍ଡଳ । ବର୍ତ୍ତମାନ ଭୂମିରେ ବସା ବାନ୍ଧିଥିବା ଭୂମିପୁତ୍ର ମାନଙ୍କୁ ପଚାରେ କିଏ । ସେମାନଙ୍କ ମସ୍ତକରେ ଏବେ ଆମେ ମଳ – ମୂତ୍ର ତ୍ୟାଗ କରିବୁ । ବ୍ରହ୍ମାଙ୍କୁ ଆମ ବିରୁଦ୍ଧରେ ଚୁଗୁଲି କରୁଥିଲେ । ଏବେ ଜାଣିବେ ତ ! ବ୍ରହ୍ମଦେବ ମଧ୍ୟ ହେଉଛନ୍ତି ପକ୍ଷୀ ସମାଜର ରକ୍ଷକ ।
ପକ୍ଷୀମାନେ ନିଜ ନିଜର ବାସ ସଜାଡିବାରେ ବ୍ୟସ୍ତ ରହିଲେ । ଏଇ ମଉକାରେ ବାୟା ଅନ୍ୱେଷଣ କରି ସରଳ, ଡେଙ୍ଗା, ଡାଳହୀନ ଓ ବଡ ମୁଣ୍ଡ ଥିବା ବୃକ୍ଷ, ତଥା – ଖଜୁରୀ, ତାଳ, ନଡିଆ ……. ଆଦିକୁ ସାଥୀ ରୂପେ ବାଛି ଆନନ୍ଦରେ ଗାନା ଗାଇ ଗାଇ ନିଜର ବାସ ସଜାଡିବାରେ ଲାଗିଲା । ଏହି ବୃକ୍ଷଗୁଡିକର ଲମ୍ବା ପତ୍ରକୁ ସୂତା ପରି ସରୁ ସରୁ କରି ଚିରି ଓ ବୃକ୍ଷର ବାହୁଙ୍ଗାରେ ଦୃଢଭାବେ ସଂଯୁକ୍ତ କରି, ନିଜର ସୁନ୍ଦର ଗମ୍ଭୁଜାକୃତି ବସା ବୁଣି, ତା’ ମଧ୍ୟରେ ନିରାପଦରେ ବସବାସ କଲା । ବର୍ଷା, ପାଣି, ପବନ … ଆଦି ତା’ର କିଛି କ୍ଷତି କରିପାରିଲା ନାହିଁ । ଏପଟରେ ଅନ୍ୟ ସବୁ ପକ୍ଷୀମାନଙ୍କର ଦୁର୍ଦ୍ଦଶାର ଅନ୍ତଃ ନାହିଁ । ପ୍ରାକୃତିକ ଦୁର୍ବିପାକରେ ପକ୍ଷୀ ମଡକ ଓ ବସାଗୁଡିକ ଧ୍ୱସ୍ତବିଧ୍ୱସ୍ତ ହେବାରେ ଲାଗିଲା । ଯେତେକ ବଞ୍ଚିଲେ ପ୍ରାଣବିକଳରେ ବ୍ରହ୍ମାଙ୍କ ନିକଟକୁ ଧାଇଁଲେ । ପକ୍ଷୀମାନଙ୍କର ବିକଳ ଦେଖି ବ୍ରହ୍ମା ତଟସ୍ତ ହେଲେ ଓ କ୍ଷଣକେ ବାୟାର ହୀନ ଚକ୍ରାନ୍ତ ବୁଝିପାରି ତା’କୁ ଅଭିଶାପ ଦେଲେ । ରେ ମୂର୍ଖ ବାୟା ଚଢେଇ ! ନିଜର ଅହଂକାରକୁ ଭିତ୍ତିକରି ସମଗ୍ର ପକ୍ଷୀ ସମାଜର ବିନାଶର କାରଣ ହେଲୁ । ଗର୍ବ ଓ ଅହଂକାରରେ ତୁ ମୋର ଦିବ୍ୟ ସୃଷ୍ଟିରେ ନିରୀହ ମାନଙ୍କୁ ମାରିବାର ଯୋଜନା ଭିଆଇଲୁ । ନିଜକୁ ବହୁତ ବଡ ବୋଲି ଭାବି ସୃଷ୍ଟିର ମୂଳ ଉଦ୍ଦେଶ୍ୟର ପ୍ରତିରୋଧ କଲୁ ! ତେଣୁ ତୋତେ ଏ ଅଭିଶାପ ଦେଉଛି ଯେ, ତୋର ବସାର ସ୍ଥାୟୀତ୍ୱ ରହିବ ନାହିଁ । ତୋର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ବସାକୁ ଉଚ୍ଚ ତାଳ, ଖଜୁରୀ, ନଡିଆ ଆଦି ଗଛର ବାହୁଙ୍ଗାରେ ଦୃଢଭାବେ ବାନ୍ଧିରଖିବାର କଳା – କୌଶଳକୁ ଭୂଲିଯିବୁ । ଏତେ ଦୁର୍ବଳଭାବେ ଝୁଲାଇବୁ ଯେ, ସାମାନ୍ୟ ପବନରେ ବସା ଛିଡି ତଳେ ପଡିବ ଓ ତୋର ଅଣ୍ଡା, ଶାବକ ଆଦି ଭୂମିରେ ପଡି ନଷ୍ଟ ହେବ । ବର୍ଷା – ପବନ ସହିବାର ଶକ୍ତି ତୋ ଠାରୁ ଅପସରି ଯିବ ଓ ତୁ ବାରଦ୍ୱାର ଶୁଣ୍ଡିପିଣ୍ଡା ହେବୁ । କିନ୍ତୁ ଅନ୍ୟ ମାନଙ୍କର ଉର୍ଦ୍ଧ୍ୱମୂଖୀ ବସା ହେଲେବି, ତାହା ପ୍ରାକୃତିକ ଦୁର୍ବିପାକରେ ତୋ ବସାଠାରୁ ଦୃଢ ହେବ ଓ ଦୁର୍ବିପାକ ସହିବାର ଶକ୍ତି ମଧ୍ୟ ଅଧିକ ହେବ । ସେହିଦିନୁ ବାୟା କେଉଁଠି ସ୍ଥିର ନ’ରହି ପାଗଳପ୍ରାୟ ପ୍ରକୃତି କୋଳରେ ଯାତନା ପାଉଅଛି । ତେଣୁ କଥାରେ ଅଛି –
ଯେହୁ ପାଞ୍ଚଇ ପରମନ୍ଦ ………….. ତା’ ମନ୍ଦ ଚିନ୍ତଇ ଗୋବିନ୍ଦ ।
ସମାଜରେ ମଧ୍ୟ ବାୟା ଚଢେଇକୁ ନେଇ ଅନେକ ଲୋକଗୀତମାନ ଶୁଣିବାକୁ ମିଳେ, ଯଥା –
ବାୟା ଚଢେଇରେ …….. ବସା ବାନ୍ଧିଥିଲୁ ………… ମମତା – ମାୟା – କୁଟା – କାଠିରେ ………… ।
ଏବଂ
ତୋ ବସା ବାଇଆ ଉଚ୍ଚ ତାଳଗଛେ ………………. ବାଆ ହେଲେ ଦୋହଲଇ …………… ଇତ୍ୟାଦି ।
ତେଣୁ ହେ ମାନବ ସମାଜ ! ଅନ୍ୟକୁ ଯାତନା ଦେଇ ନିଜର ସ୍ଥିତି ଦୃଢ କରିବାର ଫଳାଫଳହିଁ ପ୍ରକୃତିର ଇଚ୍ଛା । ନିଜକୁ ସଜାଡି ନେବାକୁ ଏବେବି ସମୟ ଅଛି ।
————————————————————————————————————————–