ବିଗ୍‍ବ୍ୟାଙ୍ଗ୍‍ ଓ ବିଶ୍ୱ ସଂରଚନା (ଭାଗ – 1)

ବିଗ୍‍ବ୍ୟାଙ୍ଗ୍‍ ଓ ବିଶ୍ୱ ସଂରଚନା (ଭାଗ – 1)

ଜଗତର ଉତ୍ପତ୍ତି ଓ ଏହାର ସୃଜନ ପ୍ରଣାଳୀ ସମ୍ବନ୍ଧରେ ତନ୍ନ ତନ୍ନ କରି ଜାଣିବା ନିମିତ୍ତ ଆଦିସଭ୍ୟତାରୁ ଅଦ୍ୟାବଧି ଅନୁସନ୍ଧିସୁ ମନୁଷ୍ୟର ଜିଜ୍ଞାସା ବୃଦ୍ଧିପାଇବାରେ  ଲାଗିଛି । ପ୍ରକୃତିର ଅଧ୍ୟୟନ (Study of Nature), ପରୀକ୍ଷାଗାରରୁ ପ୍ରାପ୍ତ ଜ୍ଞାନ(Knowledge from Experiments), ତାର୍କିକ ନିଗମନ(Logical Conclusion), ଅପରୋକ୍ଷାନୁଭୂତି(Intuition), ବୌଦ୍ଧିକ ବିଶ୍ଳେଷଣ(Divine Analysis) ଆଦିକୁ ମିଶ୍ରିତ କରି ମାନବ ଅଜ୍ଞାତ ଜ୍ଞାନ ସାଗରର ଏକ ଏକ  ଜଳକଣାକୁ ବର୍ହିବେଶନ(Extrapolation) ଦ୍ୱାରା ଠାବ କରୁଛି । ସୃଷ୍ଟିର ରହସ୍ୟକୁ ଭେଦକରିବା ନିମିତ୍ତ ଈଶ୍ୱରବାଦୀ ବା ବୈଦାନ୍ତିକମାନେ ବୈଦିକ ସିଦ୍ଧାନ୍ତର ଉପସ୍ଥାପନାରେ ନିମ୍ନ ବିଷୟଗୁଡିକର ବ୍ୟାଖ୍ୟା କରନ୍ତି, ଯଥା –

(1) ପ୍ରାଣ ବା ଆତ୍ମା (Soul)

(2) ଦିବ୍ୟଶକ୍ତି ବା ଚିତ୍ (Superconsciousness)

(3) ଆକାଶ(ବ୍ୟୋମ) ବା ଆଧାର (Space)

(4) ବାୟୁ ବା ମରୂତ୍‍ (Air)

(5) ଅଗ୍ନି(ତେଜ) ବା ଉର୍ଜା (Energy)

(6) କ୍ଷିତି ବା ପୃଥିବୀ (Earth or Soil)

(7) ଆପ ବା ଜଳ (Water)  …………. ଇତ୍ୟାଦି ।

ସେହିପରି ବିଜ୍ଞାନୀର ଦୃଷ୍ଟିପଥରେ ଶୋଭାପାଏ –

(1) ଆବିଷ୍କାର ଓ  ଉଦ୍ଭାବନ (Discovery and Invention)

(2) ରୂପାନ୍ତରୀକରଣ (Transformation)

(3) ପାରସ୍ପରିକ କ୍ରିୟା (Interaction)

(4) ସ୍ଥାନ (Space)

(5) କାଳ (Time) …… ଇତ୍ୟାଦି ।

ତେବେ ଅଦ୍ୟାବଧି ବୈଜ୍ଞାନିକ ମାନଙ୍କର ପ୍ରତ୍ୟକ୍ଷ ଅନୁସନ୍ଧାନରୁ ଓ ଭାରତୀୟ ଋଷିମାନଙ୍କର ଅପରୋକ୍ଷାନୁଭୂତିରୁ ଲବ୍‍ଧ ଜ୍ଞାନ ପ୍ରାୟ ଏକ ବିନ୍ଦୁମୁଖୀ ଅଟେ ।    ଏଥିରୁ ନିଶ୍ଚିତ ରୂପେ ଚିନ୍ତା କରାଯାଇପାରେ ଯେ, ଆମେ ବୋଧହୁଏ  ଦୁଇପ୍ରକାର ବିଶ୍ୱ ସହ ସଂଶ୍ଳିଷ୍ଟ – ଦୃଶ୍ୟମାନ ବିଶ୍ୱ ଓ ଅଦୃଶ୍ୟମାନ ବିଶ୍ୱ ।

ଦୃଶ୍ୟମାନ ବିଶ୍ୱ – ଏ ବିଶ୍ୱ ଗ୍ରହ, ଉପଗ୍ରହ, ତାରା, ଉଲ୍‍କା, ନିହାରୀକା, ଗ୍ୟାଲାକ୍ସି, ପାରସ୍ପରିକକ୍ରିୟା, ଆଲୋକ, ଗତି, ବସ୍ତୁ, ତାପମାତ୍ରା, ସ୍ଥାନ, ସମୟ  …….. ଆଦିକୁ  ବୁଝାଏ ।

ଅଦୃଶ୍ୟମାନ ବିଶ୍ୱ – ଏହା ଦୃଶ୍ୟ ବ୍ରହ୍ମାଣ୍ଡର ସୀମା ବାହାରେ , ସୀମା ମଧ୍ୟରେ କିମ୍ବା ସୀମା ବାହାରେ ଓ ମଧ୍ୟରେ ଅର୍ଥାତ୍‍ ସର୍ବତ୍ର ବିଦ୍ୟମାନ ଥାଇପାରେ ଯାହା ଆମକୁ ଅଜଣା ଅଟେ । ହୋଇପାରେ ଏ ଜଗତର ଅବସ୍ଥିତିକୁ ମୁନି – ଋଷିମାନେ ଅନୁଭବ କରିପାରୁଥିଲେ ଓ କାଳକ୍ରମେ ଏତାଦୃଶ ଲବ୍‍ଧ ଜ୍ଞାନ ବିଲୁପ୍ତ  ପ୍ରାୟ କୁହାଯାଇପାରେ ।

ବିଶ୍ୱର ଅନାଦି ଓ ଅନନ୍ତ ରୂପକୁ ବୁଝିବା ଦିଗରେ ବୈଜ୍ଞାନିକ ମାନଙ୍କର କାର୍ଯ୍ୟପନ୍ଥା ପ୍ରକୃତରେ ପ୍ରଶଂସନୀୟ, କାରଣ ସେମାନେ ପଦାର୍ଥବିଜ୍ଞାନର ବିଭିନ୍ନ ଦ୍ୱାର   ମଧ୍ୟଦେଇ ଅଗ୍ରଗତି କରି ଚାଲିଛନ୍ତି । ଏହି ଦ୍ୱାରଗୁଡିକ ହେଉଛି –

(1) ମହାଜାଗତିକ ବିଜ୍ଞାନ (Cosmology)

(2) ମହାକାଶ ବିଜ୍ଞାନ (Space Science)

(3) ପରବସ୍ତୁବାଦ ବା ଭୌତିକ ବିଜ୍ଞାନ (Meta Physics)

(4) ଗଣିତ ଜ୍ୟୋତିଷ (Astronomy)

(5) ଫଳିତ ଜ୍ୟୋତିଷ (Astrology) …. ଇତ୍ୟାଦି ।

ସୃଷ୍ଟି ସମ୍ବନ୍ଧୀୟ ବୈଜ୍ଞାନିକ ମତବାଦ ଗୁଡିକ ବିଶ୍ୱର ଜନ୍ମ, ମୃତ୍ୟୁ, ଗଠନ ଓ ଏହାର ଅବସ୍ଥା ଆଦି ଉପରେ ଆଲୋକପାତ କରେ । କେତୋଟି ମୁଖ୍ୟ ମତବାଦ ଗୁଡିକୁ  ଏଠାରେ ଆଲୋଚନାର କେନ୍ଦ୍ରବିନ୍ଦୁ ରୂପେ ନିଆଯାଇଛି, ଯଥା –

(1) ସ୍ଥାୟୀ ଅବସ୍ଥା ବିଶ୍ୱ (Steady State Universe)

(2) ଅତିପରବଳୟିକ ବିଶ୍ୱ (Hyperbolic Universe )

(3) ଦୋଳାୟମାନ ବିଶ୍ୱ (Oscillating Universe) ବା ସ୍ପନ୍ଦମାନ ବିଶ୍ୱ (Pulsating Universe)

(4) ଉଦ୍‍ବର୍ତ୍ତନଶୀଳ ବିଶ୍ୱ (Evolutionary Universe) ।

ସ୍ଥାୟୀ ଅବସ୍ଥା ବିଶ୍ୱ ସିଦ୍ଧାନ୍ତକୁ ଉପସ୍ଥାପନ କରିଥିଲେ ଦୁଇଜଣ ଇଂରେଜ ବୈଜ୍ଞାନିକ ହର୍‍ମ୍ୟାନ୍‍ ବଣ୍ଡି (Hermann Bondi) ଓ ଥମାସ୍‍ ଗୋଲ୍‍ଡ (Thomas Gold) ଏବଂ ପରେ ଆଉଜଣେ ଇଂରେଜ  ବୈଜ୍ଞାନିକ ଫ୍ରେଡ୍‍ ହଏଲ୍‍ (Fred Hoyle)ଏମାନଙ୍କ ସହ ଯୋଗ ଦେଇଥିଲେ ।  ସେମାନେ ତାଙ୍କ ଦେଶର ବୈଜ୍ଞାନିକ ଏଡ୍‍ୱାର୍ଡ ଆର୍ଥର୍‍ ମାଇଲନ୍‍ (Edward Arthur Milne)ଙ୍କ ବିଶ୍ୱନୀତି(Cosmological Principle)ରେ ଅପୂର୍ଣ୍ଣତା   ଦର୍ଶାଇ କିଛି ପରିବର୍ତ୍ତନ ଆଣିଲେ । ମାଇଲନ୍‍ଙ୍କ ମତରେ ସବୁସ୍ଥାନରେ ସୁଷମତା (Uniformity) ହିଁ ବିଶ୍ୱର ପ୍ରଧାନ ଲକ୍ଷଣ । କିନ୍ତୁ ବଣ୍ଡି, ଗୋଲ୍‍ଡ ଓ ହଏଲ୍‍ଙ୍କ ମତରେ ଆଦି ଅନ୍ତଃ ହୀନ ବିଶ୍ୱକୁ  ଯୁଗଯୁଗ ଧରି ନିରୀକ୍ଷଣ କରାଗଲେ ମଧ୍ୟ ଏହା ଅପରିବର୍ତ୍ତିତ ରହିବାର ଲକ୍ଷଣ ସୂଚାଇବ । ତେଣୁ ସେମାନେ ମତ ଦେଲେ ଯେ, ବିଶ୍ୱର ସବୁ ସ୍ଥାନରେ ସୁଷମତା ଥିବା  ସହ ସବୁ ସମୟରେ ମଧ୍ୟ ସୁଷମତା ଥାଏ, ଯାହାକୁ ସମ୍ପୂର୍ଣ୍ଣ ବିଶ୍ୱନୀତି(Perfect Cosmological Principle) କୁହାଗଲା । କିନ୍ତୁ ଏହି ସିଦ୍ଧାନ୍ତ ପ୍ରବଳ ବିରୋଧର ସମ୍ମୁଖୀନ ହେଲା । ପ୍ରଥମତଃ ଜ୍ୟୋତିର୍ବିଜ୍ଞାନୀମାନେ ପରୀକ୍ଷଣ କରି ଦର୍ଶାଇ ପାରିଲେ ଯେ, ଏ ବିଶ୍ୱ ପ୍ରସାରଣଶୀଳ ଅଟେ । ଏହାର ସମସ୍ତ ବସ୍ତୁ ଓ ଉର୍ଜାର ପରିମାଣ ପ୍ରାୟ ଅପରିବର୍ତ୍ତିତ ରହୁଛି, ଯାହାକି ବିଶ୍ୱର ସର୍ବସୁଷମତାକୁ ବିରୋଧ କରେ । ଦ୍ୱିତୀୟରେ ବିଶ୍ୱର ରାସାୟନିକ ସଂରଚନା(Chemical Structure) ମଧ୍ୟ ସମୟ  ସହ ପରିବର୍ତ୍ତନୀୟ ଅଟେ । କାରଣ ନାଭିକୀୟ ସଂଶ୍ଳେଷଣ (Nuclear Fusion)ଦ୍ୱାରା ଉଦ୍‍ଜାନରୁ ହିଲିୟମ୍‍, ହିଲିୟମ୍‍ରୁ ଲିଥିୟମ୍‍ ……… ଇତ୍ୟାଦି ଅନ୍ୟାନ୍ୟ  ଭାରୀ ମୌଳିକ ପଦାର୍ଥମାନ ସୃଷ୍ଟି ହେଉଛି ଓ ବର୍ତ୍ତମାନ ମଧ୍ୟ ନାକ୍ଷତ୍ରିକ କ୍ରୋଡ (Stellar Core)ମାନଙ୍କରେ ଏହା ଘଟୁଅଛି । ତେଣୁ ଅତୀତ ବିଶ୍ୱର ରାସାୟନିକ  ଚିତ୍ର ଆଜିର ବିଶ୍ୱ ସହ ସମାନ ନୁହେଁ ଓ ଭବିଷ୍ୟତରେ ମଧ୍ୟ ଏହା ସମାନ ରହିବ ନାହିଁ । ଏହା ସ୍ଥାୟୀ ଅବସ୍ଥା ବିଶ୍ୱକୁ ବିରୋଧ କରୁଛି । କିନ୍ତୁ ଏହାକୁ ସାବ୍ୟସ୍ତ କରିବାକୁ ଯାଇ ଏ ବୈଜ୍ଞାନିକମାନେ ଗାଣିତିକ ସମୀକରଣ ଓ ପରୀକ୍ଷାମୂଳକ ପ୍ରମାଣ ବିନା, ପ୍ରସାରଣଶୀଳ ବିଶ୍ୱରେ ଖାଲିପଡୁଥିବା ସ୍ଥାନକୁ ପୂରଣ କରିବ ନିମିତ୍ତ ଅର୍ଥାତ୍‍ ବିଶ୍ୱର   ସ୍ଥାୟୀ ଅବସ୍ଥା ବଜାୟ ରଖିବା ପାଇଁ ନିଜର କଳ୍ପନାରେ ଶୂନ୍ୟରୁ ନୂତନ ବସ୍ତୁ ଅନବରତ ସୃଷ୍ଟି ହେଉଛି ବୋଲି ମତାମତ ପ୍ରକାଶ କଲେ । ଏହାଦ୍ୱାରା ସେମାନେ ସ୍ଥାୟୀ  ଅବସ୍ଥା ବିଶ୍ୱକୁ ପ୍ରସାରଣଶୀଳ ଜଗତ ସହିତ ଖାପ ଖୁଆଇଲେ । ପୁନଶ୍ଚ ଶୂନ୍ୟରୁ ସୃଷ୍ଟି ମଧ୍ୟ ବସ୍ତୁ ଓ ଶକ୍ତି ସଂରକ୍ଷଣ ନିୟମ (Law of Conservation of Mass and Energy) କୁ ବିରୋଧ କଲା । ଏହାର ସମାଧାନାର୍ଥେ ନିରବଚ୍ଛିନ୍ନ ସୃଷ୍ଟିତତ୍ତ୍ୱ (Continuous Creation Theory) ର କଳ୍ପନା କରାଗଲା । ଏ ତତ୍ତ୍ୱ  ପ୍ରକାଶ କରେ ଯେ, ଶୂନ୍ୟରୁ ବସ୍ତୁ ସୃଷ୍ଟି ଏତେ ଅଳ୍ପ ମାତ୍ରାରେ ତିଆରିହୁଏ ଯାହାକୁକି  ମାନବ ନିର୍ମିତ କୌଣସି ଯନ୍ତ୍ର ଏ ପର୍ଯ୍ୟନ୍ତ  ସନ୍ଧାନ କରିବା ସମ୍ଭବ ହୋଇ ପାରିନାହିଁ । ଏହି ତତ୍ତ୍ୱାନୁଯାୟୀ ପ୍ରାୟ ଏକ ବିଲିୟନ୍‍ ଲିଟର ଆକାଶରେ  ଗୋଟିଏ ମାତ୍ର ନିଉଟ୍ରନ୍‍ ସୃଷ୍ଟି ହୁଏ ଓ ପ୍ରାୟ ଦଶହଜାର କୋଟି ବର୍ଷରେ ପୃଥିବୀର ଆୟତନ  ସହ  ସମାନ ଥାଇ ମାତ୍ର ଏକଗ୍ରାମ୍‍ ବସ୍ତୁ ନୂଆ ତିଆରି ହୁଏ ।  ଫ୍ରେଡ୍‍ ହଏଲ୍‍ ବିଶ୍ୱରେ ଏକ ୠଣଭଣ୍ଡାର (Negative Reservoir) ଥିବାର କଳ୍ପନା କଲେ,  ଯେଉଁଥିରୁ ନୂତନ ବସ୍ତୁ ସୃଷ୍ଟି ହୁଏ । ତାଙ୍କ ମତରେ ବସ୍ତୁ ସୃଷ୍ଟିର ପରିମାଣ ବିଶ୍ୱର ପ୍ରସାରଣ ବେଗ ସହ ସମାନୁପାତିକ ଓ ଏହି ୠଣ ଭଣ୍ଡାରଟି ଅସରନ୍ତି ଅଟେ । ଏହା ମଧ୍ୟ ବିଶ୍ୱର ବସ୍ତୁ ଓ ଶକ୍ତି ସଂରକ୍ଷଣ ନିୟମକୁ ବିରୋଧ କରେ । ପୁଣି ସ୍ଥାୟୀ ଅବସ୍ଥା ବିଶ୍ୱ ମଧ୍ୟ ତାପ ପ୍ରବାହର ଦ୍ୱିତୀୟ ନିୟମ (Second Law of Thermodynamics) କୁ ବ୍ୟାଖ୍ୟା କରିବାରେ ଅସମର୍ଥ । ହଏଲ୍‍ଙ୍କ ମତରେ ମୌଳିକ ପଦାର୍ଥ ଗୁଡିକ ମହାନାକ୍ଷତ୍ରିକ ବିସ୍ଫୋରଣ (Supernova Explosion) ହେତୁ ଅନନ୍ତ ନାକ୍ଷତ୍ରିକ ମହାକାଶରେ ବିଚ୍ଛୁରିତ ହୋଇଯାଇଛନ୍ତି । କିନ୍ତୁ ବର୍ତ୍ତମାନ ମହାକାଶରେ ଥିବା ସମସ୍ତ ନାକ୍ଷତ୍ରିକ ବସ୍ତୁତ୍ୱର ପ୍ରାୟ  ଶତକଡା  କୋଡିଏ ଭାଗ ହିଲିୟମ୍‍ରେ ତିଆରି ଓ ଏହି ସବୁ ନକ୍ଷତ୍ର ମଧ୍ୟରେ ଯେଉଁ ହିଲିୟମ୍‍ ସଂଶ୍ଳେଷଣ  ହେଉଛି ତାହାର ହିସାବ ଶତକଡା କୋଡିଏ ଭାଗର ବହୁ ଗୁଣରେ  ନଗଣ୍ୟ ବୋଲି ଦର୍ଶାଯାଉଛି । ଆଜି ଆକାଶରେ ଯେଉଁଠାରେ ଏକ ନକ୍ଷତ୍ର ଅଛି, କେତେ ଯୁଗ ପରେ ସେଠାରେ ମହାକାଶ ହିଁ ଶୋଭା ପାଇବ । ଆଜିର ଉତ୍ତପ୍ତ  ଗ୍ୟାସୀୟ ମହାକାଶ ପିଣ୍ଡ କେତେ ଯୁଗ ପରେ ଶୀତଳ ଘନ ପିଣ୍ଡରେ ପରିଣତ ହେବ । ତେଣୁ ପ୍ରତ୍ୟକ୍ଷାନୁଭୂତି ଓ ପରିବର୍ତ୍ତନଶୀଳ ବିଶ୍ୱ ପାଇଁ ସ୍ଥାୟୀ ଅବସ୍ଥା ବିଶ୍ୱବାଦ     ଗୁରୁତ୍ୱହୀନ ହେଲା ।

ଦ୍ୱିତୀୟରେ ଅତିପରବଳୟିକ ବିଶ୍ୱବାଦ ସପକ୍ଷରେ କେତେକ ବୈଜ୍ଞାନିକ ଯୁକ୍ତି ବାଢନ୍ତି । ଏହି ବିଶ୍ୱବାଦ ଅନୁସାରେ ପ୍ରଥମେ ମହାଶୂନ୍ୟରେ କେବଳ ଉଦ୍‍ଜାନ ଗ୍ୟାସ୍‍  ଭାସୁଥିଲା ।  କ୍ରମେ ଉଦ୍‍ଜାନ ଅଣୁ ଗୁଡିକ ମଧ୍ୟରେ ମହାକର୍ଷଣୀୟ ବଳର ପ୍ରଭାବରୁ ସଘନନ (Condensation) ପ୍ରକ୍ରିୟା ଆରମ୍ଭ ହେଲା । ଫଳରେ ସଂଘନିତ  ବସ୍ତୁର ସାନ୍ଦ୍ରତା ,  ତାପମାତ୍ରା ଆଦି ବୃଦ୍ଧି ପାଇ ଚାଲିଲା । ତେଣୁ ମହାକର୍ଷଣୀୟ ବଳ ଦ୍ରୁତ ବୃଦ୍ଧି ପାଇବାକୁ ଲାଗିଲା । ସମଗ୍ର ବିଶ୍ୱର ବସ୍ତୁତ୍ୱ ପ୍ରାୟ ଏକ ବିନ୍ଦୁରେ ଠୁଳ  ହେଲା, ଯାହାକୁ ମହାଜାଗତିକ ଅଣ୍ଡା (Cosmic Egg) କୁହାଗଲା । କଳ୍ପନାତୀତ ତାପ, ଚାପ ଓ ସାନ୍ଦ୍ରତା ବୃଦ୍ଧି ଫଳରେ ମହାଜାଗତିକ ଅଣ୍ଡାର ବିସ୍ଫୋରଣ ଘଟିଲା । ସମସ୍ତ ବସ୍ତୁ ମହାଶୂନ୍ୟରେ ଖେଳେଇ ହୋଇଗଲା । କ୍ରମେ ଗ୍ୟାଲାକ୍ସି ଓ ପ୍ରତିଗ୍ୟାଲାକ୍ସି (Anti-Galaxy) ଗୁଡିକର ସୃଷ୍ଟି ହେଲା । ଏହି ଗ୍ୟାଲାକ୍ସି ଗୁଡିକରେ  ନକ୍ଷତ୍ର,ଗ୍ରହ, ଉପଗ୍ରହ, ଆଦି ଜନ୍ମଲାଭ କଲେ । ତାରକାର ଜନ୍ମ ପରେ ଏହା ବିଭିନ୍ନ ଅବସ୍ଥା ମଧ୍ୟରେ ଗତିକରି ଅନ୍ତିମ ପର୍ଯ୍ୟାୟରେ ଶ୍ୱେତବାମନ ତାରକା (White Dwarf Star) ହୋଇ ରହିବାର ଦର୍ଶାଗଲା । ପ୍ରଥମେ ବିଶ୍ୱ ପ୍ରସାରିତ ଅବସ୍ଥାରେ ଥିଲା ଓ ପରେ ସଙ୍କୁଚିତ ହୋଇ ପୁନଃ ପ୍ରସାରିତ ହେଲା । ମହାକାଳର କରାଳ  ସ୍ରୋତରେ ଏହା ଚିର ବିସ୍ତାରିତ ହୋଇ ଚାଲିଲା । ଏହା ବିଶ୍ୱର ସରଳ ରୈଖିକ ଗତି ଯାହାକୁ ଅନୁତ୍‍କ୍ରମଣୀୟ ଧାରା (Irreversible Process) କୁହାଯାଏ  ତେବେ ପ୍ରଶ୍ନ ଉଠେ ମହକାଶରେ ଭାସମାନ ଉଦ୍‍ଜାନ ଗ୍ୟାସ୍‍ ଆସିଲା କେଉଁଠୁ ?    ଶେଷରେ ଏହା ଚିର ବିସ୍ତାରିତ ହୋଇ ଚାଲିଥିବ  ଯାହାର ଆଦ୍ୟ ଓ  ଅନ୍ତଃବିନ୍ଦୁ  ଅଜଣା ଅଟେ । ଏହି ଧାରା ସହ ପ୍ରତ୍ୟକ୍ଷ ଜାଗତିକ ଚକ୍ର ଖାପଖୁଆଇ ପାରୁନାହିଁ ଓ ଉପରୋକ୍ତ ଅଜ୍ଞତା ଗୁଡିକୁ ପରିପ୍ରକାଶ କରିବାକୁ ଏହି ଅତିପରବଳୟିକ  ବିଶ୍ୱବାଦ ଅକ୍ଷମ ଅଟେ ।

ତୃତୀୟରେ ବିଶ୍ୱ ସୃଷ୍ଟିକୁ ଦୋଳାୟମାନ ବିଶ୍ୱଭାବେ ଚିତ୍ରଣ କରାଯାଇଛି । ଏହା ବିଶ୍ୱର ଏକାନ୍ତର ପ୍ରସାରଣ ଓ ସଙ୍କୋଚନକୁ ବ୍ୟାଖ୍ୟା କରେ, ଯାହା ସମ୍ପୂର୍ଣ୍ଣ ଭାବେ ଯାନ୍ତ୍ରିକତା ଉପରେ ପର୍ଯ୍ୟବେସିତ । ଏକ କ୍ରମ ବର୍ଦ୍ଧିତ ସମକୁଣ୍ଡଳାକୃତି ତାର ବା ସ୍ପ୍ରିଙ୍ଗ୍‍ ଯେପରି ବଳ ପ୍ରୟୋଗରେ ପ୍ରସାରଣ ଓ ବଳ ପ୍ରତ୍ୟାହାରରେ ସଙ୍କୋଚନ ହୁଏ,    ସେହିପରି ଗୁରୁତ୍ୱାକର୍ଷଣ ବଳ ଯୋଗୁ ବିଶ୍ୱର ସଙ୍କୋଚନ ପ୍ରସାରଣ ଏକାନ୍ତର ଭାବେ ଚାଲିଥାଏ । ବର୍ତ୍ତମାନ ବିଶ୍ୱର ଗ୍ୟାଲାକ୍ସି ଗୁଡିକ ପରସ୍ପର ଠାରୁ ଅପସାରିତ ହେଉଥିବାର ଦେଖାଯାଉଛି, ଯାହାକି ପ୍ରମାଣିତ ହୋଇପାରିଛି ମହାକର୍ଷଣୀୟ ଲୋହିତ ବିସ୍ଥାପନ (Gravitational Red Shift) ପ୍ରକ୍ରିୟା ଦ୍ୱାରା  ଓ ଏହି  ଚିନ୍ତାଧାରା ଅନନ୍ତକାଳ ଯାଏ ଚାଲିବାର ପ୍ରତୀୟମାନ ହୁଏ । କିନ୍ତୁ ଦୋଳାୟମାନ ବିଶ୍ୱବାଦର ମତ ହେଲା ଯେ, ଏକ ମୁହୂର୍ତ୍ତ ଆସିବ ଯେତେବେଳେ  ଗ୍ୟାଲାକ୍ସି ଗୁଡିକ  ପରସ୍ପର ଠାରୁ ଅପସାରିତ ନ ହୋଇ ସ୍ଥଗିତ ରହିବେ ଓ ପର ମୁହୂର୍ତ୍ତରୁ  ଗ୍ୟାଲାକ୍ସି ଗୁଡିକ ପରସ୍ପର ନିକଟକୁ ପାଖେଇ ଆସିବେ ଅର୍ଥାତ୍‍ ବିଶ୍ୱ ସଙ୍କୁଚିତ  ହେବାକୁ  ଲାଗିବ । ଏହି ସମୟରେ ଲୋହିତ ବିସ୍ଥାପନ ବଦଳରେ ଦୃଶ୍ୟମାନ ହେବ ବାଇଗଣି  ବିସ୍ଥାପନ (Voilet Shift) । ବିଶ୍ୱ ପ୍ରସାରଣରେ ଯେଉଁ ପ୍ରକ୍ରିୟା ଗୁଡିକ ଥିଲା  ସଙ୍କୋଚନରେ ତାହାର ବିପରୀତ ପ୍ରକ୍ରିୟା ଗୁଡିକ ପରିପ୍ରକାଶ ପାଇବ । ନାକ୍ଷତ୍ରିକ କ୍ରୋଡରେ ନାଭିକୀୟ ସଂଶ୍ଳେଷଣ ଦ୍ୱାରା ଉଦ୍‍ଜାନରୁ ହିଲିୟମ୍‍, ହିଲିୟମ୍‍ରୁ  ଲିଥିୟମ୍‍  ……… ଆଦି ଲୌହ ଯାଏ ସୃଷ୍ଟି ପ୍ରକ୍ରିୟାରେ ଶକ୍ତିର ବିକିରଣ ହୁଏ, ଯାହା ବିପରୀତ ମୁଖୀ ହୋଇ ଲୋହରୁ ….. ଉଦ୍‍ଜାନ ଯାଏ ପରିଣତ ହେବା ଦ୍ୱାରା      ଶକ୍ତିର ଅବଶୋଷଣ ହେବ ଓ ବିଶ୍ୱରେ ଘୋର ଅନ୍ଧକାର ମାଡିଆସିବ । ସଙ୍କୋଚନର ଗତି ମନ୍ଥରରୁ ତ୍ୱରାନ୍ୱିତ ହେବା ସହ ବିଶ୍ୱର ସମସ୍ତ ବସ୍ତୁ ଓ ଉର୍ଜାର ଏକତ୍ରିକରଣ ହେବ, ଯାହାକୁ ମହାଜାଗତିକ ଅଣ୍ଡା କୁହାଯାଉଛି ଓ ଏହା ଏକ ମୁହୂର୍ତ୍ତ ସ୍ଥିର ରହିବା ପରେ ବିସ୍ଫୋରିତ ହେବ । ପୁଣି ଗ୍ୟାଲାକ୍ସି ଗୁଡିକ ସୃଷ୍ଟି ହୋଇ ପରସ୍ପର ଠାରୁ ଅପସାରିତ ହୋଇ ଚାଲିବେ । ତେବେ ଏହି ଧାରାର ପୁନରାବୃତ୍ତି ହୋଇ ଚାଲୁଥିବ ଓ ପ୍ରାୟ ସଙ୍କୋଚନରୁ ମହାଜାଗତିକ ଅଣ୍ଡାର ଗଠନ ଏବଂ ଏହାଠାରୁ ଅପସାରଣ  ସମୟ ସମାନ ରହିବ । ଏହି ବିଶ୍ୱବାଦ ବିରୋଧରେ ମଧ୍ୟ ଅନେକ ପ୍ରଶ୍ନ ଉଠେ । ବର୍ତ୍ତମାନ ବିଶ୍ୱର ହାରାହାରି ବସ୍ତୁତ୍ୱର ସାନ୍ଦ୍ରତା ଏତେ କମ୍‍ ଯେ, ବିଶ୍ୱର ସଙ୍କୋଚନ    ପ୍ରକ୍ରିୟା ଆରମ୍ଭ ହେବା ଅସମ୍ଭବ ଯାହା ବିଶ୍ୱର ପ୍ରସାରଣକୁ ଅନନ୍ତକାଳ ଯାଏ  ବୁଝାଉଛି । ସ୍ପନ୍ଦମାନ ବିଶ୍ୱର ଯାନ୍ତ୍ରିକ ବ୍ୟାଖ୍ୟାରେ ପରିସ୍ଫୁଟ ହୁଏ ଯେ, ସଙ୍କୋଚନ  ସମୟର ଗଚ୍ଛିତ ସ୍ଥିତିଜ ଶକ୍ତି ପରବର୍ତ୍ତି ପ୍ରସାରଣରେ ଗତିଜ ଶକ୍ତି ଭାବେ କାର୍ଯ୍ୟ କରେ । କିନ୍ତୁ ଚେତନା ବିହୀନ ବିଶ୍ୱରେ ଚେତନା  ଜାତ ହୁଏ ଓ ଏହାର ସମନ୍ୱୟକ  ଏବଂ ପାରସ୍ପରିକ କ୍ରିୟା ସମ୍ବନ୍ଧରେ ଏହି ବିଶ୍ୱବାଦ ନିରବ ରହେ ।

ସୃଷ୍ଟି ତତ୍ତ୍ୱର ଶ୍ରେଷ୍ଠ ଗ୍ରହଣଯୋଗ୍ୟ ମତବାଦ ହେଉଛି ଉଦ୍‍ବର୍ତ୍ତନଶୀଳ ବିଶ୍ୱବାଦ । ଏହା ମହାଜାଗତିକ ମହାବିସ୍ଫୋରଣ ବା ବିଗ୍‍ବ୍ୟାଙ୍ଗ୍‍ (BIG BANG) ଓ  ପ୍ରସାରଣଶୀଳ ଜଗତକୁ  ବୁଝାଏ । ଶିଶୁର ଜନ୍ମ ବା ବୃକ୍ଷର ଅଙ୍କୁରୋଦ୍‍ଗମ ପରେ ବିକାଶ ଯେପରି ଅନିବାର୍ଯ୍ୟ, ବିଶ୍ୱର ଜନ୍ମ ଓ ବିକାଶ ମଧ୍ୟ ସେହିପରି । ବିଶ୍ୱର ଜନ୍ମ  ସମୟକୁ ଶୂନ୍ୟ ସମୟ (Zero Time) ନିଆଯାଇଛି ଓ ସେହିଠାରୁ ଘଟଣାମାନ ଅହରହ ଘଟିଚାଲିଛି । ପ୍ରାୟ 13.7 ବିଲିୟନ୍‍ ବର୍ଷ ପୂର୍ବେ  ବିଶ୍ୱର ସମସ୍ତ  ବସ୍ତୁତ୍ୱ,  ଉର୍ଜା, ସ୍ଥାନ, ପାରସ୍ପରିକ କ୍ରିୟା …….. ଆଦିର ଏକତ୍ରୀକରଣ ହୋଇଥିଲା ଓ ଏହି ଏକବିନ୍ଦୁରୂପୀ ମହାଜାଗତିକ ଅଣ୍ଡାର ମହାବିସ୍ଫୋରଣ ଘଟିଥିଲା । 1915 ରେ ଆଲ୍‍ବର୍ଟ ଆଇନ୍‍ଷ୍ଟାଇନ୍‍ ତାଙ୍କ ସାଧାରଣ ଆପେକ୍ଷିକ ତତ୍ତ୍ୱ (General Theory of Relativity) ଉପରେ ଆଧାରିତ କ୍ଷେତ୍ର ସମୀକରଣ (Field Equation) ଗୁଡିକରୁ ବିଶ୍ୱସୃଷ୍ଟି ସମ୍ବନ୍ଧରେ ଏକାଧିକ ନିଦର୍ଶ (Model) ଉପସ୍ଥାପନା କଲେ । ଏଗୁଡିକରୁ ଯେତେ ସାରତତ୍ତ୍ୱ ଉତ୍କର୍ଷ ଲାଭ କଲା ସବୁ ପ୍ରାୟ ଏକ  ମାତ୍ର ଲକ୍ଷଣକୁ ପ୍ରକାଶ କଲେ । ଏହା ହେଲା ସୁଦୂର ଅତୀତରେ ବିଶ୍ୱର ସମସ୍ତ ପଦାର୍ଥ ଅର୍ଥାତ୍‍ ବସ୍ତୁ ଓ ବିକିରଣ ଏକ ସୀମିତ ଆୟତନ ବା ଏକ  ବିନ୍ଦୁରେ ଥିଲା  ଏବଂ ଏହି ଆଦ୍ୟାଣ୍ଡ (Primordial Egg)  ର ମହାବିସ୍ଫୋରଣ ଘଟିଲା । ତାଙ୍କ କ୍ଷେତ୍ର ସମୀକରଣ ଗୁଡିକ ଦର୍ଶାଇଲା ଯେ, ଏ ଜଗତ ପ୍ରସାରଣଶୀଳ କିନ୍ତୁ  ସେ  ବିଶ୍ୱାସ କରିଲେ ଏ ବିଶ୍ୱ ସ୍ଥିତିଶୀଳ (Static) । ଫଳରେ ମହାଜ୍ଞାନୀ ଆଇନ୍‍ଷ୍ଟାଇନ୍‍ ଏହି ଭୂଲ୍‍ ସିଦ୍ଧାନ୍ତକୁ ଦର୍ଶାଇବା ନିମିତ୍ତ ନିଜର କ୍ଷେତ୍ର ସମୀକରଣ ଗୁଡିକରେ କିଛି  ସଂଶୋଧନ କଲେ ଓ ତାଙ୍କ ବିଶ୍ୱରେ ବସ୍ତୁ ଗୁଡିକ ଗତିହୀନ ଅବସ୍ଥାରେ ରହିଲେ । 1917 ରେ ଓଲନ୍ଦାଜ (Dutch) ଜ୍ୟୋତିର୍ବିଜ୍ଞାନୀ ଉଇଲିୟମ୍‍ ସିଟର (William Sitter) ଆଇନ୍‍ଷ୍ଟାଇନ୍‍ଙ୍କ  କ୍ଷେତ୍ର ସମୀକରଣରୁ ପ୍ରସାରଣଶୀଳ  ଜଗତର ସଂଜ୍ଞା ପାଇଲେ ଓ ତାଙ୍କ ତ୍ରୁଟିକୁ ସଂଶୋଧନ କରି ନିଜର ତତ୍ତ୍ୱ ପ୍ରକାଶ କଲେ । ଆଶ୍ଚର୍ଯ୍ୟର ବିଷୟ, ସିଟରଙ୍କ ସୃଷ୍ଟି ତତ୍ତ୍ୱରେ କେବଳ ଗତିହିଁ ରହିଲା, ବସ୍ତୁ ନୁହେଁ । ଏହି ଦୁଇଟି ସମାଧାନରୁ ଏକ ମଧ୍ୟବର୍ତ୍ତୀସମାଧନର ସମ୍ଭବ  କରାଇଲେ,  ଯେଉଁଥିରେ ଉଭୟ  ବସ୍ତୁ ଓ ଗତି ରହିଲା । ଏହି ଗାଣିତିକମାନେ ହେଲେ – ଆଲେକ୍‍ଜାଣ୍ଡାର ଫ୍ରିଡ୍‍ମ୍ୟାନ୍‍ (Alexandare Fried Man), ଜର୍ଜେସ୍‍ ଲେମେଟ୍ରେ (Georges Lemaitre) ଓ ହାୱାର୍ଡ ରବର୍ଟସନ୍‍ (Howard Robertson) ।

ବିଗ୍‍ବ୍ୟାଙ୍ଗ୍‍ ଓ ବିଶ୍ୱର ପ୍ରସାରଣଶୀଳତା ସପକ୍ଷରେ ବୈଜ୍ଞାନିକମାନେ ବଳିଷ୍ଠ ପ୍ରମାଣ ଦେଇପାରିଛନ୍ତି । 1842 ରେ କ୍ରିଶ୍ଚିଆନ୍‍ ଡପ୍ଲର୍‍ (Christian Doppler) ଦର୍ଶାଇ ପାରିଲେ ଯେ, ଆଲୋକ ଉତ୍ସ ପର୍ଯ୍ୟବେକ୍ଷକ ଠାରୁ ଦୂରେଇ ଗଲେ ଆଲୋକର ବର୍ଣ୍ଣାଳୀ ଲୋହିତ ବର୍ଣ୍ଣ ଆଡକୁ ଅପସାରିତ ହୁଏ ଓ  ସେ ଏହାକୁ ଲୋହିତ  ବିସ୍ଥାପନ କହିଲେ । 1912 ରେ ସ୍ଲିଫର୍‍ (Slipher) ପର୍ଯ୍ୟବେକ୍ଷଣ କରି ଦେଖିଲେ ଯେ, ବୃହତ୍‍ ଆଣ୍ଡ୍ରୋମେଡା ଗ୍ୟାଲାକ୍ସି (The Great Andromeda Galaxy)ସେକେଣ୍ଡ ପ୍ରତି ଦୁଇଶହ କିଲୋମିଟର ବେଗରେ ଆଗକୁ ଧାବମାନ । 1929 ଏଡ୍‍ଉଇନ୍‍ ପୋଏଲ୍‍  ହବ୍ଲ୍‍ (Edwin Powell Hubble)ଲୋହିତ  ବିସ୍ଥାପନ ସହାୟତାରେ ବିଶ୍ୱର ପ୍ରସାରଣଶୀଳତାକୁ ପ୍ରମାଣ କଲେ ଅର୍ଥାତ୍‍ ବିଶ୍ୱର ପ୍ରତ୍ୟେକ ଗ୍ୟାଲାକ୍ସି ପରସ୍ପର ଠାରୁ ଦୂରେଇ ଯିବାର ଦର୍ଶାଇଲେ । ବିଗ୍‍ବ୍ୟାଙ୍ଗ୍‍  ସପକ୍ଷରେ ଏହା ଏକ ବଳିଷ୍ଠ ପ୍ରମାଣ ଅଟେ । ଅର୍ଥାତ୍‍ ବାଣଟିଏ ଫୁଟିଲେ ବାରୁଦ ଜଳିଉଠି ସର୍ବ ଦିଗକୁ ପ୍ରବଳ ବେଗରେ ଖେଳେଇ ହୋଇଯାଏ, ସେହିପରି ବିଶ୍ୱର  ପ୍ରସାରଣଶୀଳତା ପ୍ରମାଣ କରୁଛି ଯେ, ବିଗ୍‍ବ୍ୟାଙ୍ଗ୍‍ ମହାବିସ୍ଫୋରଣର ବଳ  ଆଜିଯାଏ ରହିଛି ଯାହାଦ୍ୱାରା ଗ୍ୟାଲାକ୍ସିଗୁଡିକ ପରସ୍ପର ଠାରୁ ଦୂରେଇ ଯିବାରେ ଲାଗିଛନ୍ତି ।

1940ରେ ପଦାର୍ଥ ବିଜ୍ଞାନୀ ଜର୍ଜ ଗାମୋ (George Gamow) ମହାଜାଗତିକ ଅଗ୍ନିପିଣ୍ଡୁଳା (Cosmic Fire Ball) ର ପ୍ରାୟ 13.7  ବିଲିୟନ୍‍ ବର୍ଷ  ପୂର୍ବେ ବିଗ୍‍ବ୍ୟାଙ୍ଗ୍‍ ମହାବିସ୍ଫୋରଣରୁ ବିଶ୍ୱର ଜନ୍ମ ହୋଇଛି ବୋଲି ଯେଉଁ ଅକାଟ୍ୟ ସିଦ୍ଧାନ୍ତ ଉପସ୍ଥାପନା କରିଥିଲେ ତାହା ଅଦ୍ୟାବଧି ସ୍ଥିର ନିଶ୍ଚିତ ହୋଇ ରହିଅଛି । 1948ରେ ଗାମୋ, ବେଥି(Bethe) ଓ ଆଲ୍‍ଫର୍‍ (Alpher) ଏକ ଶ୍ରେଷ୍ଠ ଗ୍ରହଣ ଯୋଗ୍ୟ ତତ୍ତ୍ୱ ପରିପ୍ରକାଶ କରିଥିଲେ । ତେବେ ବିଗ୍‍ବ୍ୟାଙ୍ଗ୍‍ ଠାରୁ ଆରମ୍ଭ  କରି ବର୍ତ୍ତମାନ ଯାଏ ବିଶ୍ୱର ଜନ୍ମ ଇତିହାସରେ ଯେଉଁ ଘଟଣାମାନ ଘଟିଅଛି ତାହାର ଏକ ସଂକ୍ଷୀପ୍ତ ଟିପ୍‍ପଣୀ ନିମ୍ନରେ ଦର୍ଶାଯାଇଛି ଓ ବିଶ୍ୱର ବୟସକୁ ‘t’ ସଙ୍କେତ  ରୂପେ ନିଆଯାଇଅଛି ।

କ୍ରମିକ ନମ୍ବର ବିଶ୍ୱର ବୟସ  ଘଟଣାବଳୀ
1 t= 0  ସେକେଣ୍ଡ  ମହାଜାଗତିକ ମହାବିସ୍ଫୋରଣ (Cosmic Big Bang)  | ଆନୁମାନିକ ତାପମାତ୍ରା =  141,679  х 1027 K ।
2   0 ≤ t ≤ 10 – 43   ସେକେଣ୍ଡ  ସ୍ଥାନ – କାଳ ଏକତ୍ୱର ଭାବ (Space -Time Singularity) |ଆଇନ୍‍ଷ୍ଟାଇନ୍‍ଙ୍କ ମହାକର୍ଷଣୀୟ କ୍ୱାଣ୍ଟମ୍‍ ମେକାନିକାଲ୍‍

ତତ୍ତ୍ୱ (Quantum Mechanical Theory of Gravity) ବିଶ୍ୱର  ଅବସ୍ଥାକୁ  ବୁଝାଇବାରେ  ଅସମର୍ଥ ।

ମାନବର ସମସ୍ତ ଜ୍ଞାନ କୌଶଳ ଏଠାରେ ନତମସ୍ତକ ଓ ବିଶ୍ୱର  ଅବସ୍ଥା ଅଜଣା ।

3  10 – 43  ≤ t ≤  10 –35  ସେକେଣ୍ଡ(1K = -2730 )  ବିଶ୍ୱର ତାପମାତ୍ରା, ସାନ୍ଦ୍ରତା ଓ ବ୍ୟାସାର୍ଦ୍ଧ ଯଥାକ୍ରମେ 1032K ରୁ  1028K ,     1096 Kg/m3  ରୁ    1080 Kg/m3 ଓ   10 –5   ମିଟର ରୁ 10 –1      ମିଟର । ଏହି ସମୟକୁ  ଉତ୍ତପ୍ତ ଓ ଘୋର ଅନ୍ଧକାର ଯୁଗ (Hot and Dark Era)

କୁହାଯାଏ । ସମସ୍ତ ପାରସ୍ପରିକ କ୍ରିୟା, ଯଥା – ସବଳ (Strong), ବିଦ୍ୟୁତ୍‍ – ଚୁମ୍ବକୀୟ (Electro – Magnetic)

ମହାକର୍ଷଣୀୟ (Gravitational)  ଓ  ଦୁର୍ବଳ ପାରସ୍ପରିକ କ୍ରିୟା (Weak Interaction) ଆଦି ଏକତ୍ରୀକରଣରେ ଥାଇ ସୃଷ୍ଟି ହେଉଥିବା ମହାଭାରୀ  – X – ବୋସନ୍‍ (Super Heavy X- Boson)  କଣିକା  ମଧ୍ୟରେ କ୍ରିୟା ସମ୍ପାଦନ ।

10 –35   ସେକେଣ୍ଡ ବେଳକୁ X- ବୋସନ୍‍ କଣିକା ସୃଷ୍ଟିର  ବିଲୟ । ସବଳ ପାରସ୍ପରିକ  କ୍ରିୟା ଏକତ୍ରୀକରଣରୁ ବିଚ୍ଛିନ୍ନ ।

କ୍ୱାର୍କ୍ (Quark) ଓ ଲେପ୍‍ଟନ୍‍ (Lepton) ଆଦି କଣିକା ଗୁଡିକର ସ୍ୱାଧିନ ଭାବେ ସୃଷ୍ଟି ।

4  10 –35  ≤ t ≤ 10 – 10  ସେକେଣ୍ଡ  ବିଶ୍ୱର ତାପମାତ୍ରା, ସାନ୍ଦ୍ରତା ଓ ବ୍ୟାସାର୍ଦ୍ଧ ଯଥାକ୍ରମେ 1028 K ରୁ  10 15K, < 1080 Kg/m3  ଓ   10  –1     ମିଟରରୁ 107  ମିଟର । ଏହି ସମୟକୁ ମଧ୍ୟ ଉତ୍ତପ୍ତ ଓ ଘୋର ଅନ୍ଧକାର  ଯୁଗ କୁହାଯାଏ । ବିଶ୍ୱ  କ୍ୱାର୍କ୍ (Quark) ଓ ଲେପ୍‍ଟନ୍‍ (Lepton) ଆଦି କଣିକାରେ ଭରପୂର ।  10 – 10  ସେକେଣ୍ଡରେ  ବିଦ୍ୟୁତ୍‍ – ଚୁମ୍ବକୀୟ ଓ  ଦୁର୍ବଳ  ପାରସ୍ପରିକ କ୍ରିୟା ପରସ୍ପରଠାରୁ ବିଚ୍ଛିନ୍ନ । 
 5  t=10 – 6  ସେକେଣ୍ଡ କ୍ୱାର୍କ୍ ଗୁଡିକ ହାଡ୍ରନ୍‍ (Hadron) କଣିକାକୁ ଘନୀଭୂତ ହେଲେ ।
 6  t=1  ସେକେଣ୍ଡ  ବିଶ୍ୱର ଏହି ବୟସରୁ ନିଉଟ୍ରିନୋ (Neutrino) ଓ  ପ୍ରତିନିଉଟ୍ରିନୋ (anti -Neutrino) କଣିକା ଗୁଡିକ  ସୃଷ୍ଟି ହୋଇ  ଚାଲିଲେ ଓ  ହାଡ୍ରନ୍‍ – ଲେପ୍‍ଟନ୍‍ ମଧ୍ୟରେ  ଘଟାଉଥିବା ପାରସ୍ପରିକ କ୍ରିୟା    ସମ୍ପାଦନ କରିବାରେ  ଅକ୍ଷମ  ହେଲେ ।

 କେବଳ ନିଉଟ୍ରନ୍‍ ପ୍ରୋଟନ୍‍କୁ  ରୂପାନ୍ତରିତ ହେଲା । ଅର୍ଥାତ୍‍ ବିଶ୍ୱରେ ପ୍ରୋଟନ୍‍ର ଅନୁପାତ ବୃଦ୍ଧି ପାଇଲା ।

 ଏହି  ପ୍ରୋଟନ୍‍ ହିଁ ଉଦ୍‍ଜାନ ପରମାଣୁର ନାଭିକ ଅଟେ । 

 7  1  ସେକେଣ୍ଡ  ≤ t ≤ 4 ମିନିଟ୍‍  ବିଶ୍ୱ ଧିରେ ଧିରେ ଶୀତଳ ହୋଇ ତାପମାତ୍ରା  କୁ ଖସିଆସିଲା ଓ ଶୀତଳ ଯୁଗ ଆରମ୍ଭ ହେଲା । ଏହି ସମୟରୁ ପ୍ରାରମ୍ଭିକ ନାଭିକୀୟ ସଂଶ୍ଳେଷଣ (Nucleo – Synthesis) ଆରମ୍ଭହୋଇ

ହାଲୁକା ମୌଳିକ ପଦାର୍ଥ ଯଥା- ଡିଉଟେରିୟମ୍‍, ହିଲିୟମ୍‍, ଆଦି ନାଭିକ ସୃଷ୍ଟି ହେଲ । କିନ୍ତୁ

ଅନ୍ୟମାନଙ୍କ ତୁଳନାରେ   ହିଲିୟମ୍‍ ପ୍ରଚୁର ପରିମାଣରେ ସୃଷ୍ଟି ହେଲା । ଏହି ଧାରାର ପ୍ରାୟ  t= 4  ମିନିଟ୍‍ରୁ  t= 5 ମିନିଟ୍‍ ମଧ୍ୟରେ ବିଲୟ ଘଟିଲା ଓ ବିଶ୍ୱ ତମସାଚ୍ଛନ୍ନ ଥିଲା । ସମସ୍ତ  ମହାଜାଗତିକ ବସ୍ତୁ ବିଚ୍ଛୁରିତ ଅର୍କ

(Scattered Plasma) ଅବସ୍ଥାରେ ରହିଥିଲା । ବିଶ୍ୱର ବ୍ୟାସାର୍ଦ୍ଧ  ପ୍ରାୟ  1018    ମିଟର ଓ ସାନ୍ଦ୍ରତା  1030 Kg/m3  ଥିଲା ।

8  5 ମିନିଟ୍‍  ≤ t ≤ 700,000 ବର୍ଷ  ବିଶ୍ୱରେ ସେପରି କିଛି ଉଲ୍ଲେଖନୀୟ ଘଟଣା ଘଟିନଥିଲା । ବିଶ୍ୱ ଯେତେବେଳେ ଦଶ ଲକ୍ଷ ବର୍ଷ ବୟସରେ  ପଦାର୍ପଣ କରେ ତାହାର ତାପମାତ୍ରା ପ୍ରାୟ 35х103K ରେ ପହଞ୍ଚେ ଓ ଏହିଠାରୁ ପରମାଣୁ ଗଠନ ଆରମ୍ଭ   ହୁଏ ।

ବସ୍ତୁ ଓ ବିକିରଣ ପରସ୍ପର ଠାରୁ ବିଚ୍ଛିନ୍ନ ହୁଅନ୍ତି । ବିଶ୍ୱ ପହିଲି ଆଲୋକର ସ୍ପର୍ଶରେ ଦୃଶ୍ୟମାନ ହୋଇଉଠେ ।  ଆଦ୍ୟ ଅଗ୍ନିପିଣ୍ଡୁଳା ତା’ର ସତ୍ତା ହରାଇ ବସେ । ଶୀତଳ ଜଗତରେ ବସ୍ତୁ ପ୍ରାଧାନ୍ୟ ଯୁଗ  (Matter Dominated Era) ର ଆରମ୍ଭ ହୁଏ । ସମଗ୍ର ବିଶ୍ୱ ଉଦ୍‍ଜାନ ଓ ହିଲିୟମ୍‍ ପରମାଣୁର ପ୍ରଭୁତ୍ୱର ଶୀକାର ହୁଏ ।

 9  109 ବର୍ଷ ≤ t ≤ ବର୍ତ୍ତମାନ ବୟସ   

ବିଶ୍ୱର ବ୍ୟାସାର୍ଦ୍ଧ ବୃଦ୍ଧିପାଇ 1027 ମିଟରହୁଏ ଓ ଅତି ଶୀତଳ ଯୁଗ ଆରମ୍ଭ ହୁଏ, କାରଣ ଏହାର ତାପମାତ୍ରା  ପ୍ରାୟ 10K ରେ ପହଞ୍ଚିଯାଏ । 

ବସ୍ତୁ ଓ ବିକିରଣର ପୃଥକୀକରଣ ହେତୁ ମହାକର୍ଷଣୀୟ ବଳର ପ୍ରଭୁତ୍ୱ ସୁସ୍ପଷ୍ଟ ହୋଇଉଠେ ଓ ଏହା ସୃଷ୍ଟିର କ୍ରମବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରେ । 

ତେଣୁ ଏହି ବଳ ଦ୍ୱାରା ଆକର୍ଷିତ ହୋଇ କୋଟି କୋଟି  ଆଦିଗ୍ୟାଲାକ୍ସି (Proto -galaxy) ସୃଷ୍ଟି ହୁଏ, ଯାହାର ବସ୍ତୁତ୍ୱ ପ୍ରାୟ  1042 କିଲୋଗ୍ରାମ୍‍ ପାଖାପାଖି ।

 ଗ୍ୟାଲାକ୍ସି ଗୁଡିକରେ  କୋଟି କୋଟି ଆଦିତାରକା (Proto – Star) ଗଣ ଜନ୍ମ ନିଅନ୍ତି । ମାଧ୍ୟାକର୍ଷଣ

ବଳଦ୍ୱାରା ତାରକାର କ୍ରୋଡରେ ପ୍ରବଳ ତାପ ଓ ଚାପ ଯୋଗୁ  ନାଭିକୀୟ ସଂଶ୍ଳେଷଣ ଘଟି ଅନ୍ୟାନ୍ୟ ଭାରୀ ମୌଳିକର ସୃଷ୍ଟି ହୁଏ ଧିରେ ଧିରେ ଅଳ୍ପାୟୁଷ ଆଦିତାରକାରେ ଭୟଙ୍କର ବିସ୍ଫୋରଣ ଘଟିବା ଦ୍ୱାରା ମୃତ୍ୟୁ ମୁଖରେ ପଡନ୍ତି ଓ ବଳକା ବସ୍ତୁତ୍ୱରୁ ଦ୍ୱିତୀୟ ବଂଶଧର  ତାରକାର ସୃଷ୍ଟି ହୁଏ । ଏହିପରି ମଧ୍ୟ ତୃତୀୟ ବଂଶଧର ତାରକାଗଣ  ସୃଷ୍ଟି ହୁଅନ୍ତି ଓ ଆଜିର ସୂର୍ଯ୍ୟ ଏହି ବଂଶଧରର ଅଟେ । କାଳର କରାଳ ଚକ୍ରରେ ଏହି ମହାନିର୍ମାଣ ଆଗେଇଚାଲେ ।

 ମହାକାଶ ଭରିହୋଇଯାଏ ମହାଜାଗତିକ ଧୂଳିକଣା(Cosmic Dust)ରେ ।  କ୍ରମେ ଗ୍ରହ,ଉପଗ୍ରହ  ଆଦିର ସୃଷ୍ଟି ସହ ଅନନ୍ତ ବିଶ୍ୱର କେଉଁ କେଉଁ ନିଭୃତ କୋଣରେ ଜୀବଜଗତ ପାଇଁ ଅନୁକୁଳ ପରିବେଶ 

ସୃଷ୍ଟି ହୋଇଥାଇ ପାରେ, ଯେପରି ଆମ ପୃଥିବୀ ତନ୍ମଧ୍ୟରୁ ଏକ ଗ୍ରହ ଅଟେ । ଏହା ସଂକ୍ଷେପରେ  ବିଗ୍‍ବ୍ୟାଙ୍ଗ୍‍ 

ଠାରୁ ଆଜି ପର୍ଯ୍ୟନ୍ତ ବିଶ୍ୱ ସୃଷ୍ଟିର  କ୍ରମବିକାଶର  ବାର୍ତ୍ତା ଅଟେ । ବର୍ତ୍ତମାନ ବିଶ୍ୱର ଆନୁମାନିକ

ବ୍ୟାସାର୍ଦ୍ଧ=46.5 х 109 ଆଲୋକବର୍ଷ(46.5 ବିଲିୟନ୍‍ ଆଲୋକବର୍ଷ) , ବ୍ୟାସ = 93 ବିଲିୟନ୍‍ ଆଲୋକବର୍ଷ  = 8.8х 1023  Km,  ବସ୍ତୁତ୍ୱ =1053 କିଲୋଗ୍ରାମ୍‍ – ସାଧାରଣ ବସ୍ତୁ (Ordinary Matter)  , ଆୟତନ (Volume) – 4 х1080 ଘନମିଟର ,ଗ୍ୟାଲାକ୍ସି  ସଂଖ୍ୟା = 1011 ରୁ 2 х1011 ,ସୁପର୍‍ କ୍ଲଷ୍ଟର୍‍  ସଂଖ୍ୟା =10 ମିଲିୟନ୍‍, ଗ୍ୟାଲାକ୍ସି ଗ୍ରୁପ୍‍ ସଂଖ୍ୟା = 25 ବିଲିୟନ୍‍ , ବୃହତ୍‍ ଗ୍ୟାଲାକ୍ସି ସଂଖ୍ୟା = 350 ବିଲିୟନ୍‍, ତାରକା ସଂଖ୍ୟା = 30 ବିଲିୟନ୍‍ ଟ୍ରିଲିୟନ୍‍ = 3  х 1022 ,  ହାରାହାରି ସାନ୍ଦ୍ରତା =  2 х 1026 Kg/m3     

( 16 ଘନଫୁଟ ସ୍ଥାନରେ ଗୋଟିଏ ପରମାଣୁ),  ବୟସ –  13.799 ±0.021 ବିଲିୟନ୍‍ ବର୍ଷ ।

ତାପମାତ୍ରା  = 2.9K , ବିଶ୍ୱ ଗଠନରେ ମୌଳିକର ମାତ୍ରା – ଉଦ୍‍ଜାନ =  92% , ହିଲିୟମ୍‍ =  7.8%

, ଅମ୍ଳଜାନ =  0.06% , ଅଙ୍ଗାର(Carbon) =0.03% , ଯବକ୍ଷାରଜାନ = 0.008% ,

ନିୟନ୍‍ =  0.007%  , ଲୌହ = 0.003% , ଅନ୍ୟାନ୍ୟ =  0.09% ।

ପୁଣି ଗ୍ୟାଲାକ୍ସି ଗୁଡିକ ପରସ୍ପରଠାରୁ ଅପସାରିତ ହେବାର ବେଗ ବୃଦ୍ଧିପାଏ ।

ପ୍ରତି ଦଶଲକ୍ଷ ଆଲୋକବର୍ଷରେ ସେକେଣ୍ଡ ପ୍ରତି ପଚାଶ କିଲୋମିଟର ।

 

 

ବିଗ୍‍ବ୍ୟାଙ୍ଗ୍‍ ସପକ୍ଷରେ ବଳିଷ୍ଠ ପ୍ରମାଣ ହେଉଛି ମହାଜାଗତିକ ପୃଷ୍ଠଭୂମି ବିକିରଣ (Cosmic Microwave Background Radiation) । ଜଗତର  ପ୍ରସାରଣ ଫଳରେ ବିଗ୍‍ବ୍ୟାଙ୍ଗ୍‍ ବିକିରଣ ଥଣ୍ଡା ହୋଇଯାଇଥିଲେବି କିଛି ବଳକା ବିକିରଣ ଆଜି ସୁଦ୍ଧା ରହିଛି । ୧୯୬୫ ରେ ଆମେରିକାର ବେଲ୍‍  ଟେଲିଫୋନ୍‍  ଗବେଷଣାଗାରର ଦୁଇଜଣ ବୈଜ୍ଞାନିକ ଆର୍ନୋ ପେଞ୍ଜିଆଜ୍‍ (Arno Penzias) ଓ ରବର୍ଟ୍‍ ଉଇଲ୍‍ସନ୍‍ (Robert Wilson) ହିସାବ ମିଳୁ ନଥିବା ଏହି ବଳକା  ପୃଷ୍ଠଭୂମି ବିକିରଣକୁ ମାପିପାରିଥିଲେ ଓ ଏହା ପ୍ରାୟ 3K ଅଟେ । ମହାବିସ୍ଫୋରଣରୁ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟି ହେବାର ତିନିଲକ୍ଷ ଅଶୀହଜାର ବର୍ଷ ପରେ ଏହା କିପରି  ଥିଲା ଅର୍ଥାତ୍‍ ବିଶ୍ୱର ଅତୀତ ଦୃଶ୍ୟପଟ୍ଟର ଏକ ନମୁନା ପ୍ରକାଶ କରି ମାର୍କିନ୍‍ ଜ୍ୟୋତିର୍ବିଜ୍ଞାନୀ ଜନ୍‍ ସି ମାଥେର୍‍ (Jhon C Mather) ଓ ଜର୍ଜ୍ ଏଫ୍‍ ସ୍ମୁଟ୍‍ (George F Smoot)  2006 ରେ ନୋବେଲ୍‍ ପୁରସ୍କାର ପ୍ରାପ୍ତ ହୋଇଛନ୍ତି । ନାସା (NASA) ର ଏକ ମହାଜାଗତିକ ପୃଷ୍ଠଭୂମି ଅନୁସନ୍ଧାନକାରୀ  (COBE)  ସହାୟତାରେ ସୁଦୂର ମହାକାଶରୁ ଆସୁଥିବା ମହାଜାଗତିକ ତରଙ୍ଗ ଗୁଡିକୁ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରି ଏହି ସଫଳତା ହାସଲ କରିଛନ୍ତି ଓ  ବିଗ୍‍ବ୍ୟାଙ୍ଗ୍‍  ସପକ୍ଷରେ ଏହା ଆଉ ଏକ ପଦକ୍ଷେପ ଅଟେ । ସେହିପରି ନାସାର ଅନ୍ୟ ଏକ  ଅନୁସନ୍ଧାନକାରୀ (Wilkinson Microwave  Anisotopy – WMAP) ସହାୟତରେ ଚାର୍ଲସ୍‍ ବେନେଟ୍‍(Charles Bennett) ବିଶ୍ୱର ବୟସ ପ୍ରାୟ 13.7 ବିଲିୟନ୍‍ ବର୍ଷ ବୋଲି ଦର୍ଶାଇବା ସହିତ  ଏହାର ଶୈଶବାବସ୍ଥାର  ପ୍ରତିରୂପ ଦେଖାଇଛନ୍ତି ।

ତଥାପି ଏହି ଉଦ୍‍ବର୍ତ୍ତନଶୀଳ ବିଶ୍ୱ ସମ୍ବନ୍ଧୀୟ ଅନେକ ପ୍ରଶ୍ନର ଉତ୍ତର ଆଜିର ବୈଜ୍ଞାନିକମାନଙ୍କ ନିକଟରେ ଅଜ୍ଞେୟ ଅଟେ । ମହାଜାଗତିକ ଅଣ୍ଡା କେଉଁଠୁ ଆସିଲା ଓ ଏହାର କାହିଁକି ବିସ୍ଫୋରଣ ହେଲା ? ପ୍ରକୃତିର ନିୟମରେ ପ୍ରତ୍ୟେକ ସୃଷ୍ଟିର ଅନ୍ତଃ ଅଛି । ପରନ୍ତୁ ଏ ପ୍ରସାରଣଶୀଳ ବିଶ୍ୱର କ’ଣ ଅନ୍ତଃ ନାହିଁ ? ବିଗ୍‍ବ୍ୟାଙ୍ଗ୍‍ ପୂର୍ବର  ଦୃଶ୍ୟପଟ୍ଟ ( Pre – Big Bang Scenario) କ’ଣ ହୋଇପାରେ ? ଏହିପରି ପ୍ରଶ୍ନ ପରେ ପ୍ରଶ୍ନ ବୈଜ୍ଞାନିକମାନଙ୍କୁ ଅସୁବିଧାରେ ପକାଇଛି । ତେବେ ଶେଷକୁ  କ’ଣ ବିଶ୍ୱ ସୃଷ୍ଟିର ବ୍ୟୁହ ଭେଦନ ନିମିତ୍ତ ବିଜ୍ଞାନ ଓ ଭଗବଦ୍‍ ବିଶ୍ୱାସର ଏକତ୍ରୀକରଣ ଘଟିବ ?

——————————————————————————————————————————–

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help