ବିଜ୍ଞାନର ରୂପରେଖ ଓ ବିପ୍ଳବ
ପୃଥିବୀ ପୃଷ୍ଠରେ ବିବର୍ତ୍ତନ ଧାରା ଏକ ସ୍ୱୟଂଚାଳିତ ପ୍ରକ୍ରିୟାର ନିଦର୍ଶନ । କିନ୍ତୁ ଯେତେବେଳେ ମାନବର କୃତ୍ରିମ କାର୍ଯ୍ୟଧାରାର ମାତ୍ରା ବୃଦ୍ଧିପ୍ରାପ୍ତ ସହ ସୃଷ୍ଟିକରେ ଘନଘନ ଧ୍ୱଂସାତ୍ମକ ପ୍ରକମ୍ପନ, ସେତେବେଳେ ନିରବଚ୍ଛିନ୍ନ ବିବର୍ତ୍ତନ ଧାରା ତ୍ୱରାନ୍ୱିତ ହୁଏ । ସ୍ରଷ୍ଟାର ସୃଷ୍ଟିରେ ପଥାରୁଢ ହୁଏ ସୃଷ୍ଟିର ଦାମ୍ଭିକତା ଓ ବୃଥା ଆସ୍ଫାଳନ କରି ପ୍ରକାଶ କରେ – ମୋ ବିନୁ ଅନ୍ୟ ଗତି ନାହିଁ । ବାହାସ୍ଫୋଟ ମାରି ଧରା ପୃଷ୍ଠରେ ଗୁରୁଭାର ପକାଇ ବିଚରଣ କରି ବକ୍ଷରେ କର ପ୍ରହାର କରେ ଓ ଆହ୍ୱାନ ଦିଏ ସ୍ୱଃକୃତ ପରିବେଶକୁ । ଏତାଦୃଶ କ୍ରିୟାକୁ ସାକାର କରିବା ପାଇଁ ସୁପ୍ତଭାବେ ଇନ୍ଧନ ଯୋଗାଇବାରେ ବ୍ୟସ୍ତ ରହନ୍ତି ସେହି ଜାତୀୟ ସୃଷ୍ଟି ମାନେ । ସଦ୍ୟ ପ୍ରସ୍ଫୁଟିତ ଗୋଲାପ ଫୁଲକୁ ବାସି ଓ ଦୁର୍ଗନ୍ଧଯୁକ୍ତ କରି ଗଢିତୋଳିବାର ବାକ୍ଚାତୁରୀରେ ଏମାନେ ସିଦ୍ଧହସ୍ତ । ସତେକି ଏହା ତାଙ୍କର ଜନ୍ମଗତ ଅଧିକାର । ରହିଛୁ ରହିବୁ ଏହି ଧାରାରେ ଓ ତିଳକୁ ତାଳ କରି ଚାଲିବା ସହ ନିଜର ସ୍ଥିତିକୁ ପୁନଃପୁନଃ ବଜାୟ ରଖିବା ନିମିତ୍ତ ଅନ୍ୟକୁ ଡୁବାଇ ବାରେ ତିଳେମାତ୍ର ଅବଶୋଚନା ନଥାଏ । ଫଳତଃ ନିର୍ମଳ ମନ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଆନ୍ଦୋଳିତ ହୁଏ । ତେଣୁ ଫୁଟିଉଠେ ବିପ୍ଳବର ବହ୍ନି । କୋଣେ, ଅନୁକୋଣେ ଉଦ୍ଭାସିତ ହୁଏ ଦାବାନଳର ଲେଲିହାନ ଶିଖା । ଲହଲହ ଜିହ୍ୱା ବୁକୁ ଫଟାଇ ଚିତ୍କାର କରେ –
ରହରେ ମୂଳିଆ ବୃକ୍ଷମୂଳେ ରହି କେତେ ଷଡଯନ୍ତ୍ର ତୁ ରଚୁଛୁ
ରୌଦ୍ର ତାପରୁ ରକ୍ଷା ନିମିତ୍ତ ତାହାର ଛାୟାରେ ବସୁଅଛୁ ।
ଯେଉଁଠି ନଥାଏ ଶତ୍ରୁ-ମିତ୍ର ଭାବ ବିଶ୍ୱକୁ ମଣେ ସେ ଆପଣାର
ଉପକାର ପାଇ ଅପକାର କରୁ ଚ୍ଛେଦନ କରୁ ତୁ ତା’ଶରୀର ।
ଇନ୍ଦ୍ର ଯାଉଛି ଶଚୀ ରହୁଛି ସ୍ୱର୍ଗପୁର ଆହା ସ୍ୱର୍ଗପୁର
ଦିଅଇ ମନ୍ତ୍ରଣା ସଭିଙ୍କୁ ଯନ୍ତ୍ରଣା ମୁଣ୍ଡପରେ ମୁଣ୍ଡ ପାଳିକା’ର ?
ତୋ ପଛ ପାଳିଆ ହୋଇବେ ଉଭାନ ସମୟ ତ ବଡ ବଳବାନ
ସୃଷ୍ଟି ନାଚୁଛି ସ୍ରଷ୍ଟା ହସୁଛି ବିପ୍ଳବୀ ସମ୍ମୁଖେ ସଇତାନ ।
ଛିଡିଛିଡି ଯାଏ ମୂଳିଆର ମୂଳ ନିର୍ଭିକ ଖାଡିଆ ରହେ ଟାଣ
ଚତୁଃ କୋଣରୁ ତ୍ରିକୋଣ ପୁନଶ୍ଚ ସରଳରେଖାରୁ ବିନ୍ଦୁଜାଣ ।
ସୃଷ୍ଟିରେ ସମସ୍ତ ଜଟିଳତା ଓ କୁଟିଳତାର ସମାଧାନ ହୋଇଥାଏ ଏକ ପରିସରଭୁକ୍ତ ଓ ସର୍ବଶକ୍ତିମାନ ଇଲାକାରେ, ଯାହାହିଁ ସମୟ ଅକ୍ଷ ଅଟେ । ଏହି ସମୟ ବିପ୍ଳବୀକୁ ତା’ର ପ୍ରକୃତ ପ୍ରାପ୍ୟ ନିର୍ଦ୍ଧାରିତ ମାନଦଣ୍ଡରେ ପ୍ରଦାନ କରେ । ସ୍ତବ୍ଧ ହୁଅନ୍ତି ବ୍ୟାଧିଗ୍ରସ୍ତ ଦଳ ଓ ଧିରେ ଧିରେ ଅବକ୍ଷୟତାର ଶୀକାର ହୁଅନ୍ତି । ହାନିମାନ୍ଙ୍କ ହୋମିଓପ୍ୟାଥିକ୍ ଚିକିତ୍ସା ତତ୍ତ୍ୱ କହେ, ଯଦି ଚିନ୍ତା ନକରାତ୍ମକ ଓ ଜରାଗ୍ରସ୍ତ ହୁଏ ତାହା ସୋରା (Psora)କୀଟ ରୂପେ ଶରୀର ମଧ୍ୟରେ ରହି ଦୁଃସାଧ୍ୟ ବ୍ୟାଧି ସୃଷ୍ଟିର କାରଣ ହୁଏ । ମୁଖମଣ୍ଡଳ ବିକୃତ ଓ ବିବର୍ଣ୍ଣ ଦେଖାଯାଏ । ଶରୀରରେ ଥିବା ଅଙ୍ଗଗୁଡିକ ମଧ୍ୟରେ ପାରସ୍ପରିକ ସମନ୍ୱୟତା ହ୍ରାସ ପାଏ । କାହାର ଶରୀର ପୃଥୁଳକାୟ ହୋଇ ଅଦରକାରୀ ମାଂସ ପିଣ୍ଡୁଳାରେ ଭରି ହୋଇଯାଏ ଓ କାହାର ତନୁରୁ ନିଜର ଅଜଣାରେ ଅଙ୍ଗର ଉଭାନ୍ ଘଟେ । ଯଃ ପଳାୟତି ସଃ ଜୀବତି । ଘଟରୁ ଅଙ୍ଗଗୁଡିକ ନିଜ ସୁରକ୍ଷା ନିମନ୍ତେ ପଳାୟନ କରୁଛନ୍ତି । ତଥାପି –
ଅଙ୍ଗ ପଛେ ବଙ୍ଗରାଜ କରନ୍ତି ଧାବନ – ଶିବ ପଛେ ଭସ୍ମାସୁର ଚଉଦ ଭୁବନ ।
ଗୋବିନ୍ଦ ସ୍ମରଣ ବିନା ନାହିଁ ଅନ୍ୟ ଗତି – କେତେ ଦୂର ଯିବୁ ତୁ’ରେ ପାପିଷ୍ଠ ଦୂର୍ମତି !
ପୁନଶ୍ଚ ବେଳେବେଳେ ପାଦର ଚାଲି ଆଗକୁ ସଠିକ୍ ଭାବେ ନ’ପଡି ବାମ ଓ ଡାହାଣକୁ ଝୁଙ୍କିହୋଇ ତେଢା ଚାଲିର ମାନ୍ୟତା ହାସଲ କରିଥାଏ ।ଏସବୁ ସତ୍ୱେ ତେଢା ନିଜର ଅସଂଖ୍ୟ ଦୁର୍ଗୁଣ ଓ ଦୁଃଷ୍କର୍ମକୁ ହେୟଜ୍ଞାନ ପୂର୍ବକ ତମ୍ପସାପ ପରି ଫୁଫୁକାର ଧ୍ୱନିରେ ମୁଖରୁ ଗରଳ ଉଦ୍ଗାରେ । ବିଷଜ୍ୱାଳାରେ ବିପ୍ଳବୀ ଦୁଇବାହୁ ଟେକେ – ଗରଳ ଭକ୍ଷ ଅରକ୍ଷ ରଖ । ତେଣୁ କ୍ରାନ୍ତିକାରୀକୁ ଜରାଗ୍ରସ୍ତ ଓ କ୍ଳୀବମାନେ ଯେତେ ଯୋଜନାବଦ୍ଧ ଷଣ୍ଧୁଆସି ଆକ୍ରମଣ କରି ବାହାବା ନେବାକୁ ଚେଷ୍ଟା କଲେବି ତାହା ନିଷ୍ଫଳ ହୁଏ । ଜାଗତିକ ଚେତନାରେ ବିପ୍ଳବର ଅଗ୍ନିଶିଖା ନଭ ମଣ୍ଡଳ ଗ୍ରାସ କରେ । ସତେକି ଗୋଲକ ବିହାରୀ ବିଷ୍ଣୁ ଧିମା ପଡିଯାଇଥିବା ବିପ୍ଳବୀକୁ କର୍ମମୁଖର ହେବାକୁ ନିମ୍ନମତେ ବାର୍ତ୍ତା ପ୍ରେରଣ କରୁଛନ୍ତି, ଯଥା –
ଗତସନେ ହାତ ଭଙ୍ଗା ଏ ସନରେ ଗୋଡ
କୁରୁସାଗର ଲଙ୍ଘିବୁ ନ’ହୁଅ କାତର ।
ଇନ୍ଦ୍ର ନିନ୍ଦା କରି ଶଚୀ ଟହ ଟହ ହସେ
ଐଶାନ୍ୟ କୋଣରେ ବାସ୍ତୁଦୋଷମାନ ଦିଶେ ।
ତେଢା ହୋଇଅଛି ରାଜା ଦେଖ ପୁନର୍ବାର
ଚିତ୍ରଗୁପ୍ତ ନିଶ ମୋଡେ ଶୁଣ ଯୋଗୀବର ।
ସ୍ୱାଧିନ ଓ ଗଠନ ମୂଳକ ଚିନ୍ତାଧାରାରୁ ନିର୍ଗତ ହୁଏ ପ୍ରାକୃତିକ ବୈଜ୍ଞାନିକ ତତ୍ତ୍ୱ (Theory of Natural Science) ଏବଂ ସାମାଜିକ ବୈପ୍ଳବୀକ ଚେତନା (Revolutionary Social Concept) । ବିଜ୍ଞାନ ଓ ବିପ୍ଳବ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ସ୍ୱରୂପ । ଗଛରୁ ଫଳ ତଳକୁ ପଡେ ଏବଂ ଏହି ଦୈନନ୍ଦିନ ଘଟଣାକୁ ସମସ୍ତେ ଦେଖନ୍ତି । କେବଳ ଆନ୍ଦୋଳିତ ହେଲେ ସାର୍ ଆଇଜାକ୍ ନିଉଟନ୍ । ଫଳଟିକୁ ଆକାଶ ତଳକୁ ଠେଲୁନାହିଁ, ପୃଥିବୀ ଟାଣି ଆଣୁଛି ତା’ର ମାଧ୍ୟାକର୍ଷଣ ବଳ ଦ୍ୱାରା । ତେବେ ଏତାଦୃଶ ମହାକର୍ଷଣୀୟ ବଳ ଦ୍ୱାରା ବିଶ୍ୱର ସବୁ ବସ୍ତୁତ୍ୱଧାରୀଗୁଡିକ ଟଣାଟଣି ହେଉଛନ୍ତି । କେତେ ବା ଟାଣିହେବେ ! ଘୁଞ୍ଚି ଘୁଞ୍ଚି ନିଜ ପାଇଁ ସ୍ଥିର ସ୍ଥାନ ଓ ରାସ୍ତା ପାଇଗଲେ ସେଠାରେ ବି ଅସ୍ଥିର । ନିଜକୁ ନିଜ ଚାରିପଟେ ଘୂରାଇଲେ ଓ ଅନ୍ୟ ଚାରିପଟେ ଘୂରିଲେ । ଫଳରେ ଆଜିର ସୃଷ୍ଟି ସମ୍ଭାର ବା ଅନନ୍ତ ନାକ୍ଷତ୍ରିକ ଜଗତର ଆମେ ଅଂଶ ବିଶେଷ । ପୁଣି ସ୍ଥୂଳ ବିଜ୍ଞାନ (Macro Science)ରୁ ସୂକ୍ଷ୍ମ ବିଜ୍ଞାନ (Micro Science) ବା କଣିକା ଜଗତ (Particle World)ରେ ପ୍ରବେଶ କଲେ ବୁଝାପଡେ ଏଠାରେ ଟଣାଟଣିର ନିବିଡତା ଆହୁରି ଅଧିକ । ଏହା ଏକ ଫର୍ମି (10-15Metre) ଯାଏଁ ସୃଷ୍ଟି ହୁଏ ଓ ପାରମାଣବିକ ନାଭିକ ଏବଂ ଶହ ଶହ ମୌଳିକ ପଦାର୍ଥ, ଯଥା – ହାଇଡ୍ରୋଜେନ୍, ହିଲିୟମ୍, ଲିଥିୟମ୍ ……… ଇତ୍ୟାଦି ଇତ୍ୟାଦିରେ ପରିବ୍ୟାପ୍ତ ।
13.7 ବିଲିୟନ୍ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ବିଗ୍ବ୍ୟାଙ୍ଗ୍ ତତ୍ତ୍ୱ ଦର୍ଶାଏ , ବ୍ରହ୍ମରୁ ବ୍ରହ୍ମ ଉତ୍ପତ୍ତି, ବିସ୍ଫୋରଣରୁ ଏକଇ ବଳ ମହାକର୍ଷଣରୁ ଚାରିବ୍ରହ୍ମ ସ୍ୱରୂପ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ହୋଇପାରେ ଅଥବା ମୂଳ ମହାକର୍ଷଣୀୟ ବଳ, ନାଭିକୀୟ ବଳ, ବିଦ୍ୟୁତ୍ – ଚୁମ୍ବକୀୟ ବଳ ଓ ଦୁର୍ବଳ ବଳର ଉତ୍ପନ୍ନ ହୋଇପାରେ । ଶଙ୍ଖ, ଚକ୍ର, ଗଦା ଓ ପଦ୍ମର କାର୍ଯ୍ୟଧାରା ଓ ସ୍ୱଭାବ ଯେପରି ଭିନ୍ନ ଭିନ୍ନ ସେହିପରି ଚାରି ବଳଗୁଡିକର ସ୍ୱଭାବ ଓ କାର୍ଯ୍ୟଧାରା ମଧ୍ୟ ଭିନ୍ନ ଭିନ୍ନ । ଆଧ୍ୟାତ୍ମିକ ତତ୍ତ୍ୱ କହେ –
“ମୂଳ ବ୍ରହ୍ମରୁ ସର୍ବେ ସୃଷ୍ଟି ……. ସବୁ ବିଲୀନ ହେବ ସେଠି” ।
ସେହିପରି ମୂଳ ବଳ-ମହାକର୍ଷଣରୁ ସବୁ ବଳର ସୃଷ୍ଟି ହୁଏ ଓ ପୁନଃ ଏଥିରେ ବିଲୀନ ହୁଏ । ବ୍ରହ୍ମ ସର୍ବତ୍ର ବିଦ୍ୟମାନ ଓ ଏହି ଚତୁଃବଳ ମଧ୍ୟ ସର୍ବତ୍ର ବିଦ୍ୟମାନ । ସୂକ୍ଷ୍ମରୁ ସ୍ଥୂଳ ଯାଏ ଅର୍ଥାତ୍ ପରମାଣୁଠୁଁ ଗ୍ୟାଲାକ୍ସି ଯାଏ । ସମସ୍ତେ ନିଜ ନିଜ ସ୍ଥାନ – କାଳ ପରିବେଷ୍ଟନୀ ମଧ୍ୟରେ ଆବଦ୍ଧ । ଏପରିକି ପରମାଣୁ ମଧ୍ୟେ କଣିକାଗୁଡିକ ସ୍ୱଃ ସ୍ୱଃ ସ୍ଥାନ ଓ ପଥ ପ୍ରାପ୍ତ ହେବା ପରେ ମଧ୍ୟ ସ୍ଥିର ନରହି ନିଜକୁ ଘୂରାଇ ଘୂରାଇ ପରିବେଷ୍ଟନୀ ମଧ୍ୟରେ ଘୂରୁଛନ୍ତି । କିନ୍ତୁ କେହି ପୁନଃ ଆଗଭର ବା ପଶ୍ଚାତ୍ପଦ ହେବାର ଅବକାଶ ନାହିଁ । ଏହାହିଁ ପ୍ରାକୃତିକ ବୈଜ୍ଞାନିକ ତତ୍ତ୍ୱ ଅଟେ । ଏହି ଧାରାରେ ଛପନ କୋଟି ଜୀବମାନଙ୍କ ପାଇଁ ମଧ୍ୟ ସ୍ଥାନ -କାଳର ପରିବେଷ୍ଟନୀ ବିଦ୍ୟମାନ ରହିଅଛି । ଯେହେତୁ ଏମାନଙ୍କ ଠାରେ ବ୍ରହ୍ମ ଚେତନା ଜାଗ୍ରତ ଅଛି, ତେଣୁ ନିଜସ୍ୱ କ୍ରିୟା ସମ୍ପାଦନ ନିମିତ୍ତ ପ୍ରକୃତି ଯୋଗାଇ ଦେଇଛି ବିବିଧ ପ୍ରାକୃତିକ ଧାରାମାନ । ତାହାର ଅବଲୋକନ ପୂର୍ବକ ନିଜକୁ ସେହିଭାବେ ସଜାଡି କର୍ମ କରିବା ବିଧେୟ । କାଳର ମୂଲ୍ୟବୋଧତାକୁ ହୃଦୟଙ୍ଗମ ନକରି ତାହାର ଅପଚୟ କଲେ ଏହା ବିନାଶର କାରଣ ହୋଇଥାଏ । ଜନ୍ମ ନିଏ ବିପ୍ଳବ ଓ ଜୀବ – ଜୀବ ସଙ୍ଘର୍ଷର ମାତ୍ରା ବୃଦ୍ଧିପାଇଥାଏ । ଆଲୋଡିତ ହୁଏ ପ୍ରାକୃତିକ ଧାରା । ଜଣେ ବ୍ୟକ୍ତି ବିପଥଗାମୀ ହେଲେ ପ୍ରକୃତିରେ ଘୋର କ୍ଷତି ପହଞ୍ଚେ । ତେବେ ଆଜିର ଏ ଦୁନିଆଁରେ ବିପଥଗାମୀଙ୍କ ସଂଖ୍ୟା କେତେ ? ଯଦି ଏହାର ହିସାବ କରାଯାଏ, ତାହା ନିଶ୍ଚୟ ଦର୍ଶାଇବଯେ ପ୍ରକୃତିରେ ସନ୍ତୁଳନତାର ବିଭ୍ରାଟ ଚରମ ସୀମାରେ ପହଞ୍ଚି ସାରିଲାଣି ।
ଯୁଗଯୁଗ ଧରି ସମାଜରେ ଅନ୍ୟାୟ, ଅତ୍ୟାଚାର ତିଷ୍ଠିରହିଛି ଓ ରହିବ । ଯେତେବେଳେ ଏହା ମାନବୀୟ ସହନଶୀଳତାର ମାତ୍ରାରୁ ଅଧିକ ହୁଏ, ନିଉଟନ୍ଙ୍କ ସଦୃଶ କେହିନା କେହି ଶୋଷିତ ବର୍ଗରୁ ଜାଗିଉଠେ । ଶିରା ପ୍ରଶିରାରେ ରକ୍ତ ଫୁଟିଉଠେ ଟକ୍ମକ୍ ହୋଇ । ବୈପ୍ଳବୀକ ଆକର୍ଷଣୀୟ ବଳଦ୍ୱାରା ଆକର୍ଷିତ ହୁଅନ୍ତି ଶୋଷିତବର୍ଗ ଓ ସୃଷ୍ଟି କରନ୍ତି ଏକ ଦୃଢ ପରିବେଷ୍ଟିତ କେନ୍ଦ୍ରବିନ୍ଦୁ । ନାକ୍ଷତ୍ରିକ ଜଗତର ଉଜ୍ଜ୍ୱଳତମ ତାରକା ଅଭିଜିତ୍ ସଦୃଶ, ବିପ୍ଳବୀ ଚିକ୍ଚିକ୍ କରି ଆଲୋକ ବିକିରଣ କରିବାର ଶୋଭାବର୍ଦ୍ଧନ କରେ ଏବଂ ଇତିହାସ ପୃଷ୍ଠା ମଣ୍ଡନ କରେ ଶହଶହ ପଦଧ୍ୱନିରେ, ଯଥା – ଫରାସୀ ବିପ୍ଳବ, ଅହିଂସା ଆନ୍ଦୋଳନ, ୠଷ୍ ବିପ୍ଳବ, ଚାଇନା ବିପ୍ଳବ …….. ଇତ୍ୟାଦି । ଯେପରି ଅଭିଜିତ୍ ନକ୍ଷତ୍ର ପରି ବିପ୍ଳବୀ ଚିରଜାଜୁଲ୍ୟମାନ ଓ ଆଦରଣୀୟ ହୋଇ ସମାଜକୁ ଉଦ୍ଭାସିତ କରୁଅଛି, ସେହିପରି ଇତିହାସ ପୃଷ୍ଠା କଳଙ୍କ ଟୀକା ବହନ କରି, ଅହଂକାରୀ ପାଇଁ ଚିରଘୃଣାର ପାତ୍ର ରୂପେ ଦର୍ଶାଇ ଥାଏ, ଯଥା –
ଇତିହାସ ତୁହି ଅଟୁ ମୂକସାକ୍ଷୀ
ଜଳିଗଲା ହିରୋସୀମା ନାଗାସାକୀ ।
ତୋ ସତ୍ୟ ପୃଷ୍ଠାର କରି ଉନ୍ମୋଚନ
ଜାଗରେ ବିପ୍ଳବୀ ସପ୍ତ ବିକିରଣେ ।
ସୃଷ୍ଟିର ନିୟମ ଧାରାରେ ଗ୍ରହ, ନକ୍ଷତ୍ର,ଇଲେକ୍ଟ୍ରନ୍, ପ୍ରୋଟନ୍ ……..ଆଦି ନିଜ ନିଜ ସ୍ଥାନରେ ରହି ସ୍ୱକର୍ମ ସମ୍ପାଦନ କରୁଅଛନ୍ତି । ମାନବ ଯେଉଁ କର୍ମରେ ସ୍ଥାପିତ ହୋଇଥାଏ, ସେହି ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ୟରେ କାର୍ଯ୍ୟ ନିର୍ବାହ କରିବା ପ୍ରୟୋଜନ ଅଟେ । ଯେତେବେଳେ ସେ ହୁଏ ଅଧିକ, ଅର୍ଥାତ୍ ଅହଂକାରୀ, ଦାନବରୂପୀ, ….. ଇତ୍ୟାଦି, ସେତେବେଳେ ଅଶାନ୍ତ ହୋଇଉଠେ ସୁସ୍ଥ ବାତାବରଣ । ଜନ୍ମ ନିଏ ବିପ୍ଳବୀ । ଏହାହିଁ ଚିରନ୍ତନ ଓ ସମୟର କ୍ରୂର ଚେତାବନୀ । ଆଜିର ସମାଜରେ ଅନ୍ୟାୟ , ଅତ୍ୟାଚାର, ଲୁଣ୍ଠନ, ଶୋଷଣ, ଧର୍ଷଣ , ………. ଆଦି ଅତି ମାତ୍ରାରେ ବୃଦ୍ଧି ପାଉଅଛି । ବିପ୍ଲବୀର ମଶାଲ ଜଳୁଛି ହୁତ୍ହୁତ୍ ହୋଇ । ତଥାପି ଘୃଣିତ ଓ ଅହଂକାରୀ ମାନବ କାଳର ନିର୍ଘଣ୍ଟକୁ ଅବମାନନା କରି ଚାଲିଛି । ସେମାନେ କ’ଣ ବୁଝିପାରିବେ କାଳର କରାଳ ବକ୍ଷରେ କଳଙ୍କିତ ଚରିତ୍ର ନେଇ ନିର୍ବାପିତ ହୋଇ ଚିର ଘୃଣିତ ହୋଇ ରହିବେ ??
Published in ଧରଣୀଧର ସ୍ମରଣିକା -୨୦୧୩, ପଞ୍ଚମ ଅର୍ଘ୍ୟ, ୧୪୯ ତମ ଜୟନ୍ତୀ ସମାରୋହ, ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ, କେନ୍ଦୁଝର, ଓଡିଶା |