ମହାଜାଗତିକ ଚେତନାରେ ଜନ୍ମ ଓ ମୃତ୍ୟୁ

ମହାଜାଗତିକ ଚେତନାରେ ଜନ୍ମ ଓ ମୃତ୍ୟୁ

ରହସ୍ୟମୟ ସୃଷ୍ଟିର ଅନନ୍ତ ପ୍ରସାରୀ ରୂପରେଖ ମାନବର ମାନସପଟକୁ ପ୍ରତିକ୍ଷଣରେ ଆନ୍ଦୋଳିତ କରୁଅଛି । ଜାଗିଉଠୁଛି ନୂତନ ଚିନ୍ତାଧାରା ଓ ନୂତନ ପରିକଳ୍ପନା । ବିଶ୍ୱ ପରିବେଷ୍ଟନୀର ସୂକ୍ଷ୍ମ ଓ ସ୍ଥୂଳ ସ୍ୱରୂପକୁ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଧାରାରେ ପରିପ୍ରକାଶ କରାଯାଉଛି । ସ୍ଥାନ – କାଳର ଅନବଚ୍ଛେଦ ବ୍ୟାପାର(Spaca – Time Continuum) ମଧ୍ୟରେ ପ୍ରତି ମୁହୂର୍ତ୍ତରେ ଘଟିଯାଉଛି ଅସଂଖ୍ୟ ଘଟଣାବଳୀ । ବୈଜ୍ଞାନିକ ମାନେ ବିଶ୍ୱସୂତ୍ରଧରଙ୍କୁ ସମୟ ବା କାଳ, ସ୍ଥାନ,  ଊର୍ଜ୍ଜା(Energy),  ପାରସ୍ପରିକ କ୍ରିୟା(Interaction) …….. ଇତ୍ୟାଦି ମଧ୍ୟରୁ ଚିହ୍ନଟ କରିବା ପାଇଁ ବ୍ୟାକୁଳ  । ଆଧ୍ୟାତ୍ମିକବାଦୀମାନେ ବିଶ୍ୱନିୟନ୍ତ୍ରକ ପରମେଶ୍ୱରଙ୍କ  ଦର୍ଶନ ନିମିତ୍ତ  ବିଭିନ୍ନ ଧର୍ମ ମାର୍ଗକୁ ଆଦରିନେଇଛନ୍ତି ।  ଉଭୟଙ୍କର ଲକ୍ଷ୍ୟସ୍ଥଳ ସମାନ କିନ୍ତୁ ମାର୍ଗ ଅସଂଖ୍ୟ । ଯେପରି ଏକ ନାମ ଲେଖାଥିବା ଠିକଣା ବିହୀନ ଚିଠି ପ୍ରକୃତ ବ୍ୟକ୍ତି  ପାଖରେ ପହଞ୍ଚିବା ପାଇଁ ମାର୍ଗ ପରେ ମାର୍ଗ ବଦଳାଇ ଚାଲିଲେବି ଆଶାତୀତ ଭାବେ କଷ୍ଟଦାୟକ ଓ ଅସମ୍ଭବ ମନେହୁଏ, ସେହିପରି ଈଶ୍ୱରଙ୍କୁ ଚିହ୍ନଟ କରିବା କିମ୍ବା  ତାଙ୍କର ସାନ୍ନିଧ୍ୟ ଲାଭ କରିବାର କ୍ଳେଶ ସେହିମାତ୍ରାରେ ଅନୁମାନ କରାଯାଇ ପାରେ । ଯଦିଓ ଆଧ୍ୟାତ୍ମିକ ଭାବେ ଈଶ୍ୱରଙ୍କ ଠିକଣା , ବୈକୁଣ୍ଠଧାମରୂପେ ପରିକଳ୍ପନା  କରାଯାଇଛି, ତାହାର ଶେଷ ନିର୍ଯ୍ୟାସ ହିଁ ସେ ସର୍ବପରିବ୍ୟାପ୍ତ । ସର୍ବତ୍ର ଯେଉଁ ପ୍ରାକୃତିକ ଘଟଣା    ଆଦି ଅହରହ ଘଟୁଅଛି , ତାହା ଶୃଙ୍ଖଳିତ ଓ ନିୟମର ବଶବର୍ତ୍ତୀ,  ଯାହାକୁ ପର୍ଯ୍ୟବେକ୍ଷଣ କରି ଆଜିର ବିଜ୍ଞାନ ଉନ୍ନତରୁ ଉନ୍ନତ ସ୍ତରକୁ ଲମ୍ଫ ପ୍ରଦାନ କରିବାରେ ଲାଗିଛି । ପୁନଶ୍ଚ ସୀମାହୀନ ଅପ୍ରାକୃତିକ ଘଟଣା ମଧ୍ୟ ଘଟୁଅଛି,  ଯାହା ବିଶୃଙ୍ଖଳିତ ଅଟେ । ଅତଏବ ପ୍ରାକୃତିକ ଘଟଣା ସହ ଜଡିତ ନିୟମ ହିଁ , ପ୍ରାକୃତିକ ନିୟମ ଅଟେ ଓ ଏହା ଈଶ୍ୱରଙ୍କ ଇଚ୍ଛାରେ ପରିଚାଳିତ । ଏହାକୁ ଅବମାନନା  କଲେ  ପ୍ରକୃତି ନେଉଛି ପ୍ରତିଶୋଧ । ପ୍ରତିଶୋଧର ତାଣ୍ଡବତା ନିକଟରେ ମାନବର ସମସ୍ତ ଜ୍ଞାନ କୌଶଳ ହାର ମାନୁଛି , ଅର୍ଥାତ୍‍ ଈଛାମୟଙ୍କ ଈଛା ହିଁ ସତ୍ୟମ୍‍ – ଶିବମ୍‍ ଓ ସୁନ୍ଦରମ୍‍ । ତେଣୁ ପରମେଶ୍ୱରଙ୍କୁ ବୁଝିବାପାଇଁ ସେହି ଚିରନ୍ତନ ସତ୍ୟ -” ଜନ୍ମ ଓ ମୃତ୍ୟୁ “ପ୍ରକ୍ରିୟାରେ ଭରିରହିଥିବା ମହାଜାଗତିକ ଚେତନାରୂପୀ ବିଶାଳ ସାଗରରୁ  ଗଣ୍ଡୁଷେ ମାତ୍ର   ଜଳ ଉତ୍ତୋଳନ ପୂର୍ବକ ସମାଜ ବକ୍ଷରେ ସିଞ୍ଚନ କରିବା ଉକ୍ତ କ୍ଷୁଦ୍ର ପ୍ରବନ୍ଧର ଉଦ୍ଦେଶ୍ୟ ଅଟେ ।

ସୃଷ୍ଟି ସଂରଚନା ହୁଏ ଜନ୍ମ ପ୍ରକ୍ରିୟାରୁ ଓ ସୃଷ୍ଟିର ବିଲୟ ଘଟେ ମୃତ୍ୟୁ ପ୍ରକ୍ରିୟାରୁ । ସୃଷ୍ଟି ଲୀଳାରେ ଅହରହ ଜନ୍ମ – ମୃତ୍ୟୁ ପ୍ରକ୍ରିୟା ଘଟିଚାଲିଥାଏ ।ବେଦାନ୍ତ ଦର୍ଶନ କହେ  ଜଡ଼ ବସ୍ତୁର ମଧ୍ୟ ଜୀବନ ଅଛି । ଏ ବ୍ରହ୍ମମୟ ବିଶ୍ୱରେ ପ୍ରତ୍ୟେକ ଜଡ଼ ଜୀବନ୍ତ ଦୃଶ୍ୟମାନ ହୁଏ, ଯେତେବେଳେ ତନ୍ମଧ୍ୟରେ ଥିବା ସୁପ୍ତବ୍ରହ୍ମ ଜାଗିଉଠେ । ବୈଜ୍ଞାନିକ  ସିଦ୍ଧାନ୍ତରୁ ପ୍ରତିପାଦିତ ହୁଏଯେ, ସ୍ଥାନ – କାଳର ନିବିଡ ଆଲିଙ୍ଗନର ଫଳାଫଳରୁ ଆଜିର ବିଶ୍ୱ ସୃଷ୍ଟି ଅର୍ଥାତ୍‍ ଜଡ଼ ମଧ୍ୟେ ଚେତନା ବିଦ୍ୟମାନ । ତେବେ ଉଭୟ ଦର୍ଶନ  ଏକ ମତରେ ଉପନୀତ ପ୍ରାୟ । ଯେପରି ସଜୀବର ଜନ୍ମ – ମୃତ୍ୟୁ ପ୍ରକ୍ରିୟା ରହିଛି, ସେହିପରି କଣିକା(Particle), ତାରକା(Star), ଗ୍ରହ,  ଉପଗ୍ରହ ଓ ଅନନ୍ତ  ନାକ୍ଷତ୍ରିକ ମହାଜଗତ(Cosmos)ର ଅନ୍ୟାନ୍ୟ ପିଣ୍ଡ ଆଦିର ମଧ୍ୟ ଜନ୍ମ – ମୃତ୍ୟୁ ପ୍ରକ୍ରିୟା ରହିଛି । ଆମ ବିଶ୍ୱର ବୟସ ଗଣନାରୁ ଜଣାପଡିଛିଯେ, ବର୍ତ୍ତମାନ ଏହା  ଯୌବନାବସ୍ଥାରେ ପଦାର୍ପଣ କରିବା ସହ ସବୁଜ ବର୍ଣ୍ଣରେ ଉଦ୍‍ଭାସିତ । ତାରକାଗଣ ମୃତ୍ୟୁର ଶୀକାର ହେବେ, ଯେତେବେଳେ ସେମାନେ ଲୋହିତ ଦାନବ(Red Giant)ସାରଣୀର ପର୍ଯ୍ୟାୟଭୁକ୍ତ ହେବେ । ସୂର୍ଯ୍ୟଙ୍କ ମୃତ୍ୟୁଯୋଗୁଁ ସୌରଜଗତରେ ମଧ୍ୟ ଦିନେ ଅନ୍ଧାର ଘୋଟିଯିବ । ତେଣୁ କଣିକାଠାରୁ ଆରମ୍ଭ କରି ସମସ୍ତ ଜଡ଼,  ସମସ୍ତ ସଜୀବ …….  ଆଦିଙ୍କର ଜନ୍ମ-ମୃତ୍ୟୁ ପ୍ରକ୍ରିୟା ବିଧି ନିର୍ଦ୍ଦିଷ୍ଟ ଅଟେ । ବିଶ୍ୱରେ ଯିଏ ଯେଉଁ ରୂପରେ ଜନ୍ମ ହେଲେ ମଧ୍ୟ, ତା’ପାଇଁ କାଳରୂପୀ ମୃତ୍ୟୁ ସ୍ଥିର ନିଶ୍ଚିତ  ଅଟେ । କିନ୍ତୁ ପ୍ରତ୍ୟେକର ଆରମ୍ଭ ଓ ବିଲୟର ସୀମାରେଖା ସୁସ୍ପଷ୍ଟ କି ନୁହେଁ ତାହା କହିବା କଷ୍ଟକର ଅଟେ । ପୁଣି ପ୍ରଶ୍ନ ଉଠେ – ଜୀବନ ଲୀଳାର ସମୟ ବ୍ୟବଧାନ  ଅପରିବର୍ତ୍ତିତ ନାଁ ପରିବର୍ତ୍ତିତ ? କିନ୍ତୁ ଜନ୍ମ ସମୟ ସ୍ରଷ୍ଟାଙ୍କ ଦ୍ୱାରା ନିର୍ଦ୍ଧାରିତ ଓ ପ୍ରତ୍ୟେକ ସୃଷ୍ଟିର ଆରମ୍ଭ ପାଇଁ ଅନନ୍ତ ବିସ୍ତାରିତ ସ୍ଥାନ – କାଳ ଅକ୍ଷଗୁଡିକର ପୃଷ୍ଠଭୂମିରେ  ନିଶ୍ଚୟ ଏକ ବିନ୍ଦୁ ଅଧିକୃତ  ହେଉଥିବ । ଯାହା ପୂର୍ବରୁ ସଞ୍ଚିତ ଥିବା ଭୋଗାଭୋଗ (+)ଏବଂ (-)ର ଗାଣିତିକ ହିସାବ ଉପରେ ନିର୍ଭରଶୀଳ । ପୁନଶ୍ଚ ମୃତ୍ୟୁ ସମୟ ପ୍ରତ୍ୟେକ ପ୍ରାରବ୍‍ଧର ନିଶ୍ଚିତ  ରୂପେ ସ୍ଥିର ହୋଇଥିବ ଓ ଏହି ସୀମାରେଖାକୁ ପରିବର୍ତ୍ତନ କରିବାର ଶକ୍ତି ପ୍ରତ୍ୟେକ ମାନବକୁ ଅର୍ପଣ କରାଯାଇଛି, ଅର୍ଥାତ୍‍ ‘ସକଳ  ଘଟେ ନାରାୟଣ’। ଏ ସୀମାରେଖା ଆଗକୁ ଘୁଞ୍ଚି ଘୁଞ୍ଚି ଯିବ, ଯଦି ପ୍ରକୃତିର ନିୟମ ମଧ୍ୟରେ ରହି ସୃଷ୍ଟି ଲୀଳାରେ ନିଜକୁ ବ୍ରତୀ କରାଯାଏ । ଅନ୍ୟଥା ନିର୍ଦ୍ଧାରିତ ଆୟୁର ହାନୀ ଘଟିବ । ଯେପରି ବୀର  ଦଶାନନ ନିଜ ତପସ୍ୟା ବଳରେ କାହିଁ କେତେ ଗଣ୍ଡା ଯୁଗକୁ ବଞ୍ଚିବାର ବରପ୍ରାପ୍ତ ହୋଇ ମଧ୍ୟ ଗୋଟିଏ ଯୁଗବି ବଞ୍ଚିପାରିଲା ନାହି । ତେଣୁ  ସ୍ୱଅର୍ଜିତ କର୍ମଫଳ (+) ଏବଂ(-)ର ଭୋଗା ଭୋଗ ନିମିତ୍ତ ନିଜକୁ ସଠିକ୍‍ ଭାବେ ନିୟୋଜିତ କରିବା ବାଞ୍ଚନୀୟ ଓ ତତ୍‍ସଙ୍ଗେସଙ୍ଗେ  ପରମେଶ୍ୱରଙ୍କ ଠାରେ  ନିଜକୁ ସମର୍ପଣ କରିବା ଏକମାତ୍ର ପଥ ଅଟେ । ଯଥାର୍ଥରେ କୁହାଯାଇଛି – “ଉତ ବାତପିତାସି ନ ଉତ ଭ୍ରତୋତ  ନଃ ସଖା ସନୋ ଜୀବତ୍‍ ବେ କୃଧି” । (ୠକ୍‍ ବେଦ 10/8/6 ), ଅର୍ଥାତ୍‍ ହେ ପରମାତ୍ମା ! ତୁ’ହିଁ ଆମର ପିତା, ଭ୍ରାତା ଓ ସଖା  । ହେ ପ୍ରଭୋ ! ଆମ୍ଭ ମାନଙ୍କ ଆୟୁ ବୃଦ୍ଧି କର ।

ବିଶ୍ୱରେ ଯାହା ଦୃଶ୍ୟମାନ, ତାହାକୁ ବିଶ୍ଳେଷଣ କରି ବିଜ୍ଞାନର ଭିତ୍ତିଭୂମି ପ୍ରତିଷ୍ଠିତ ହୋଇଅଛି । ଆମ ପ୍ରସାରଣଶୀଳ ବିଶ୍ୱରେ ପ୍ରାୟ ସମସ୍ତ ବସ୍ତୁ ଗତିଶୀଳ ବା  ଘୂର୍ଣ୍ଣାୟମାନ । ଚନ୍ଦ୍ର ଓ ପୃଥିବୀ ନିଜ ନିଜର ଅକ୍ଷ ଚତୁଃପାର୍ଶ୍ୱରେ ଆବର୍ତ୍ତନ ପୂର୍ବକ ଯଥାକ୍ରମେ ପୃଥିବୀ ଓ ସୂର୍ଯ୍ୟ ଚତୁଃପାର୍ଶ୍ୱରେ ପରିକ୍ରମଣ କରୁଛନ୍ତି । ସୂର୍ଯ୍ୟ ତା’ର  ସୌରଜଗତ ସହ ଆମ ଛାୟାପଥ ଗ୍ୟାଲାକ୍ସିର କେନ୍ଦ୍ର ବିନ୍ଦୁ ଚାରିପାଖରେ ଘୂରୁଅଛି । ଗ୍ୟାଲାକ୍ସିଗୁଡିକ ପରସ୍ପରଠାରୁ ଦୂରେଇ ଯାଉଛନ୍ତି । ଇଲେକ୍‍ଟ୍ରନ୍‍ଟି ନିଜ       ଚତୁଃପାର୍ଶ୍ୱରେ ଆବର୍ତ୍ତନ କରିବା ସହ ପାରମାଣବିକ ନାଭିକକୁ ପରିକ୍ରମଣ କରୁଅଛି ଓ ନାଭିକ ମଧ୍ୟରେ ପ୍ରୋଟନ୍‍ ଏବଂ ନିଉଟ୍ରନ୍‍ ମଧ୍ୟ ଘୂର୍ଣ୍ଣାୟମାନ । ପୁନଶ୍ଚ  ପୃଥିବୀରେ ଜଳଚକ୍ର, ଯବକ୍ଷାରଜାନ ଚକ୍ର ଆଦି ଘଟୁଅଛି । ଏତାଦୃଶ ପ୍ରାକୃତିକ ପ୍ରକ୍ରିୟାକୁ ଅନୁଧ୍ୟାନ ପୁର୍ବକ ଜନ୍ମ – ମୃତ୍ୟୁ ଚକ୍ରର ସମ୍ଭାବନାକୁ ଏଡାଇଦିଆଯାଇ  ନ’ପାରେ । ତେଣୁ ପ୍ରତ୍ୟେକ ସୃଷ୍ଟି ନିଜ ନିଜର ଜନ୍ମ – ମୃତ୍ୟୁ ଚକ୍ରରେ ଧାବମାନ । ମାନବ ନିଜର କର୍ମାନୁସାରେ ବିଭିନ୍ନ ଯୋନିରେ ପୁନର୍ଜନ୍ମ ଓ ପୁନର୍ମୃତ୍ୟୁର ଶୀକାର  ହେଉଥିବ । ଯେତେବେଳେ ପୁଣ୍ୟକର୍ମ ଗାଣିତିକ ସୀମାରେଖା ଅତିକ୍ରମ କରେ, ସେହି ସମୟରୁ ମାନବ ତା’ର ଜନ୍ମ – ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇ ପରମାତ୍ମାଙ୍କ ସହ  ଲୀନହୁଏ, ଯାହା ବିଧି ନିର୍ଦ୍ଦିଷ୍ଟ ଅଟେ । ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀରେ ଜଳଚକ୍ର, ଯବକ୍ଷାରଜାନ ଚକ୍ର, ଦିବା – ରାତ୍ରି ଚକ୍ର, ୠତୁଚକ୍ର, ଦୁଃଖ – ସୁଖ ଚକ୍ର, ହସ – କାନ୍ଦ ଚକ୍ର  ଆଦିରେ ଯେପରି ଜଳ ଓ ଯବକ୍ଷାରଜାନ ବିଭିନ୍ନ ଅବସ୍ତା (Phase)ମଧ୍ୟ ଦେଇ ପୁନଃ ପ୍ରକଟିତ ହୁଏ, ସେହିପରି ଅନ୍ୟ ଚକ୍ର ପାଇଁ ମଧ୍ୟ ହୁଏ । ଏହା ଜନ୍ମ – ମୃତ୍ୟୁ ଚକ୍ର ସହ ତୁଳନୀୟ । ବିଶ୍ୱରେ ପଦାର୍ଥଗୁଡିକ ବିଭିନ୍ନ ଅବସ୍ଥା, ଯଥା – କଠିନ, ତରଳ, ଗ୍ୟାସ୍‍, ପ୍ଲାଜ୍‍ମା …… ଆଦିକୁ  ବଦଳି ପୁଣି ପୂର୍ବାବସ୍ଥାକୁ  ଫେରି ଆସିପାରେ । ସେହିପରି ଗ୍ରହ, ଉପଗ୍ରହ, ନକ୍ଷତ୍ର, ଇଲେକ୍‍ଟ୍ରନ୍‍, ପ୍ରୋଟନ୍‍, ନିଉଟ୍ରନ୍‍ …….. ଆଦି ଚକ୍ରାକାରରେ ଘୂର୍ଣ୍ଣନରତ ଥାଇ  ଅନ୍ତିମ  ଅବସ୍ଥାରେ ମଧ୍ୟ  ପହଞ୍ଚିବାର ଆକଳନ କରାଯାଇଅଛି । ସୃଷ୍ଟି – ପ୍ରଳୟ ମଧ୍ୟ ଚକ୍ରାକରରେ ପରିଚାଳିତଓ ପ୍ରତ୍ୟେକ ଯୁଗ ସନ୍ଧିରେ ଏହାହିଁ ଘଟିଥାଏ, ଯାହା  ବେଦାନ୍ତ ଦର୍ଶନର ମତ  ଓ  ବୈଜ୍ଞାନିକ ସିଦ୍ଧାନ୍ତ ମଧ୍ୟ । ମହାଭାରତ ଯୁଦ୍ଧରେ ବୀର ପାର୍ଥ ନିଜ ପ୍ରିୟପୁତ୍ର ଅଭିମନ୍ୟୁର ବଧରେ ଅତ୍ୟନ୍ତ ବ୍ୟାକୁଳିତ ହେବାରୁ ଶ୍ରୀକୃଷ୍ଣ ଆଶ୍ୱାସନା ଦେଇ ଜୀବନ୍ତ  ଅଭିମନ୍ୟୁ ସହ ଭେଟ କରାଇ ଦେବାକୁ କହିଲେ । ଅର୍ଜୁନ ଆନନ୍ଦରେ ସଖାଙ୍କ ସହ ଆଗଭର ହେଲେ । ଶ୍ରୀକୃଷ୍ଣ ଦେଖାଇଦେଲେ  ଅଭିମନ୍ୟୁର ଜୀବନ ଚକ୍ର,  ଯେଉଁଠି କେବଳ ଦୃଶ୍ୟମାନ ହେଲା ନିଜ କର୍ମରେ ବ୍ୟସ୍ତ ଥିବା ଜୀବନ୍ତ ଅଭିମନ୍ୟୁ । ଭାବ ଗଦ୍‍ଗଦ୍‍ ଚିତ୍ତରେ ଆନନ୍ଦାଶ୍ରୁ ଗଡାଇ ପୁତ୍ରକୁ    ପୁତ୍ରକୁ ଆଲିଙ୍ଗନ ନିମିତ୍ତ ଯେତେ  ଡାକିଲେ ମଧ୍ୟ  ଅଭିମନ୍ୟୁ ଅବିଚଳିତ, ନିଜ କର୍ମରେ ନିମଗ୍ନ ଓ ସମ୍ପୂର୍ଣ୍ଣ ପ୍ରଭାବଶୂନ୍ୟ ଥିଲା । ପୁତ୍ର ନିକଟରେ ପିତା ସମ୍ପୂର୍ଣ୍ଣ ଅଜଣା । ତେବେ ତାହା କି ପ୍ରକାର ପରିସ୍ଥିତି  ଓ ପରିବେଶ ଥିଲା ? ତାହା ଥିଲା ଅଭିମନ୍ୟୁର ମହାଜାଗତିକ ଜୀବନ ଚକ୍ର (Cosmic Life Cycle), ଯେଉଁଠି କାହା ସହିତ  କାହାର ସମ୍ପର୍କ ନ’ଥାଏ । ତେଣୁ ଜନ୍ମ – ମୃତ୍ୟୁ – ଚକ୍ର ଏକ ପ୍ରକ୍ରିୟା ଓ ଏହି ପ୍ରକ୍ରିୟାରେ ଜନ୍ମରୁ ମୃତ୍ୟୁ ଯାଏ ପଞ୍ଚଭୂତ ଶରୀର ପ୍ରକଟିତ ହୋଇ ରହେ । ଶୈଶବରୁ  ବାର୍ଦ୍ଧକ୍ୟ ଯାଏ ମାନବ ଆସକ୍ତିର କରାଳ  ଛାୟାରେ ନିମଜ୍ଜିତ ଥାଏ । ମୃତ୍ୟୁରେ ଘଟ ପୁଣି ହୁଏ ଅପ୍ରକଟ । ତେଣୁ ମାନବ ଯେତେ ସମ୍ଭବ ଆସକ୍ତିଠାରୁ ଦୂରେଇ ରହି ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ ନିମିତ୍ତ ବ୍ରତୀ ହେବା  ଆବଶ୍ୟକ । ଜନ୍ମ – ମୃତ୍ୟୁର ଚକ୍ରବ୍ୟୁହକୁ ଭେଦ କରିବାହିଁ ମୁକ୍ତି । ଏଥିପାଇଁ ଜ୍ଞାନୀ ମାନେ ସମାଜକୁ ବିଭିନ୍ନ ଛଳରେ ଚେତାବନୀ ମାନ ଦେଇଛନ୍ତି । ଯେପରି –

“କାହିଁକି ଆସିଛୁ ମନ କିସ ନେବା ପାଇଁରେ ……….. ଆସିଅଛୁ ଲଙ୍ଗଳା ତୁ ଯିବୁ ଶୂନ୍ୟ ହୋଇରେ” ।

ସମଗ୍ର ବିଶ୍ୱରେ ଭରିରହିଥିବା ବସ୍ତୁର ପ୍ରାୟ ଶତକଡା ପାଞ୍ଚ ଭାଗ ଆମକୁ ଦୃଶ୍ୟମାନ ଓ ଅବଶିଷ୍ଟ ଭାଗ ଅଦୃଶ୍ୟମାନ ଅଟେ । ଆଇନ୍‍ଷ୍ଟାଇନ୍‍ଙ୍କ ସାଧାରଣ ଆପେକ୍ଷିକ  ତତ୍ତ୍ୱ(General Theory of Relativity)ରେ ଦର୍ଶାଯାଇଛି ଯେ, ଆଲୋକ ରଶ୍ମି ବସ୍ତୁର ପ୍ରଭାବରୁ ସରଳରେଖାରେ ନ’ଯାଇ ବକ୍ର ହୁଏ । ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ସମୟରେ ଏହା ପ୍ରତିପାଦିତ ହେଲା ଓ ବକ୍ରତାର ଗାଣିତିକ ସୂତ୍ରରୁ ଅଦୃଶ୍ୟମାନ ବସ୍ତୁର ପରିମାଣ ଜଣାପଡିଲା । ଯେହେତୁ ଅଦୃଶ୍ୟମାନ ବସ୍ତୁର କ୍ରିୟାକଳାପ ସମ୍ବନ୍ଧରେ ବୈଜ୍ଞାନିକମାନେ ସମ୍ପୂର୍ଣ୍ଣ ତଥ୍ୟ  ଜାଣିପାରି ନାହାନ୍ତି, ତେଣୁ ଏହାକୁ କୁହାଗଲା ଅଜଣା ବସ୍ତୁ(Dark Matter) ଓ ତତ୍‍ସମ୍ବନ୍ଧୀୟ ଶକ୍ତିକୁ କୁହାଗଲା ଅଜଣା ଶକ୍ତି (Dark Energy) । ଅର୍ଥାତ୍‍ ବିଶ୍ୱରେ ଅନେକ ପ୍ରକ୍ରିୟାମାନ ଘଟୁଅଛି ଯାହା ଆମକୁ ଅଜଣା । ଯେପରି ମୃତ୍ୟୁ ପରେ କ’ଣ ଘଟେ ତାହା କହିବା କଷ୍ଟକର । ଯାହା  ପ୍ରତୀୟମାନ ହୁଏ, ମୃତ୍ୟୁର ଆରପାରିରେ ମାନବ ଜୀବନ ଚକ୍ରରେ ଯେଉଁ ଲୀଳା ସମ୍ପାଦିତ ହେଉଅଛି, ତାହା ଅବଗତ ନିମିତ୍ତ ବିଶେଷ ଜ୍ଞାନର ଆବଶ୍ୟକ ହୁଏ ଓ ଏହି  ଜ୍ଞାନ ଆଜିର ବୈଜ୍ଞାନିକ କୌଶଳଠାରୁ ବହୁ ଉର୍ଦ୍ଧ୍ୱରେ ଅଛି । ତେଣୁ ଜନ୍ମ – ମୃତ୍ୟୁ ଚକ୍ରର ପ୍ରାୟ 5% ଘଟଣା ସହିତ ଆମେ ପ୍ରତ୍ୟକ୍ଷ ଭାବେ ଜଡିତ ଓ ଅବଶିଷ୍ଟ  95%  ଘଟଣାବଳୀ ବିଷୟରେ ଆମ୍ଭେମାନେ ଅଜ୍ଞ । ବେଦାନ୍ତ ଦର୍ଶନ ଅନୁଯାୟୀ ମୃତ୍ୟୁରେ ଘଟ ଅପ୍ରକଟ ହୁଏ ଓ ଆତ୍ମାର ବିନାଶ ନ’ହୋଇ ପୁର୍ନଘଟରେ ପ୍ରବେଶ କରି ନୂତନ ଜନ୍ମର ପରିପ୍ରକାଶ ଘଟାଏ । ଶ୍ରୀମଦ୍‍ଭଗବଦ୍‍ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି –

“ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ …… ନ ଚୈନଂ କ୍ଳେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ” । ଅର୍ଥାତ୍‍ ଏହି ଆତ୍ମାକୁ କୌଣସି ଶସ୍ତ୍ର କାଟି ପାରେନାହିଁ,  ଅଗ୍ନି ଜଳାଇ ପାରେନାହିଁ, ଜଳ ଭିଜାଇ ପାରେନାହିଁ ଏବଂ ବାୟୁ ଏହାକୁ ଶୁଖାଇ ପାରେନାହିଁ ।

ତେଣୁ ନିଜ ଶରୀର ମଧ୍ୟରେ ବ୍ରହ୍ମ ବା ଆତ୍ମାର ଅବସ୍ଥିତିକୁ ବୁଝିବାପାଇଁ ପ୍ରଥମେ ଶରୀରର ଶୋଧନ ଆବଶ୍ୟକ । ମନର ଏକାଗ୍ରତାରୁ ଆରମ୍ଭ ହୁଏ ଶରୀର ଶୋଧନ ।ଏହି ଲଗାମଛଡା ମନକୁ ସ୍ଥିର ରଖିବା ନିମିତ୍ତ ଅନେକ ମାର୍ଗମାନ ରହିଛି । ତେବେ ଅଷ୍ଟାଙ୍ଗ ଯୋଗମାର୍ଗ ତନ୍ମଧ୍ୟରୁ ଅନ୍ୟତମ । ପ୍ରାଣାୟମଏହାର ଶ୍ରେଷ୍ଠଅଂଶ ଅଟେ ଓ  ଏହାଦ୍ୱାରା ଶରୀର ନିରୋଗ ହେବା ସହ ଆୟୁ ବୃଦ୍ଧି ଘଟେ । ଶରୀର ମଧ୍ୟରେ ଥିବା ଅସଂଖ୍ୟ ସୂକ୍ଷ୍ମ ପ୍ରାଣପ୍ରବାହିନୀ ନାଡିର ମିଳନ ସ୍ଥଳକୁ ଚକ୍ର ବା ପଦ୍ମ କୁହାଯାଏ । ଶରୀରର ନିମ୍ନଦେଶରୁ ଉର୍ଦ୍ଧ୍ୱକୁ ମୂଖ୍ୟ ସପ୍ତଚକ୍ରଗୁଡିକ ହେଲା – ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ, ଆଜ୍ଞା ଓ ସହସ୍ରାର ଚକ୍ର । ମନର ଏକାଗ୍ରତା  ପୂର୍ବକ ପ୍ରତ୍ୟେକ ଚକ୍ର ସହିତ ଜଡିତ ପ୍ରାଣାୟମର ଅଭ୍ୟାସ ଦ୍ୱାରା ଚକ୍ରଗୁଡିକର ଅକୌକିକତା ପରିପ୍ରକାଶ ହୁଏ ଓ ମାନବ ସୂକ୍ଷ୍ମ ଜଗତ ଥିବାର ଅନୁଭବ କରେ, ଯାହା   ସମୟ ସାପେକ୍ଷ ଏବଂ ନିଜର ବୌଦ୍ଧିକ ଭାବ – କର୍ମ ଆଦି ଉପରେ ମଧ୍ୟ ନିର୍ଭରଶୀଳ । ଯୋଗଦ୍ୱାରା ଚକ୍ରର ପରିପ୍ରକାଶ ନିମିତ୍ତ ସୀମା ନିର୍ଦ୍ଧାରିତ ହୋଇନାହିଁ । ଯେତେବେଳେ ଆଜ୍ଞାଚକ୍ରର ପରିପ୍ରକାଶ ଘଟେ – ଦୃଶ୍ୟମାନ ହୁଏ ସୂକ୍ଷ୍ମ ଜଗତର ରହସ୍ୟମୟ ଲୀଳା ଓ ଜନ୍ମ – ମୃତ୍ୟୁର ମହାଜାଗତିକ ରୂପ । ସହସ୍ରାର ଚକ୍ରର  ପରିପ୍ରକାଶ ଯୋଗର ସର୍ବଶ୍ରେଷ୍ଠ ପର୍ଯ୍ୟାୟ ଅଟେ, ଯେଉଁଠି ପହଞ୍ଚିବା ପାଇଁ ଅତି କଠୋର ସଞ୍ଜମତା ଆବଶ୍ୟକ । ଏହାଦ୍ୱାରା ଅମରତ୍ୱ ଲାଭ ହେବାର ଅନୁମାନ  କରାଯାଏ । ଏହାହିଁ ଭୌତିକ ବିଜ୍ଞାନ(Meta Physics) ବା ଅତିସୂକ୍ଷ୍ମସ୍ତର । ଯାହା ସୂକ୍ଷ୍ମସ୍ତରରେ ଅନୁଭୂତ ହୁଏ, ତାହାକୁ ମାନବ ନିର୍ମିତ କ୍ଷୁଦ୍ର  ବିଜ୍ଞାନାଗାରରେ  ପ୍ରମାଣସିଦ୍ଧ କରିବାର  ପ୍ରୟାସ ସବୁଠୁ ଦୁଃସାଧ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ଏଥି ନିମିତ୍ତ ସମଗ୍ର ବିଶ୍ୱହିଁ ବିରାଜମାନ ହୋଇ ରହିଛି ଏକ ବିଶାଳ ପ୍ରାକୃତିକ  ପରୀକ୍ଷାଗାର ରୂପେ, ଯେଉଁଠାରେ ଏହା ଯୋଗ ଶକ୍ତିର ଅଦ୍ଭୁତତା ଦ୍ୱାରା ପ୍ରମାଣସିଦ୍ଧ ହୋଇପାରିବ । ତେଣୁ ଏ ଲୁକ୍‍କାୟିତ ସତ୍ତାପ୍ରତି ଆକୃଷ୍ଟ ହୋଇ ଏହାର  ଅନୁଭବୀ ହେଲେ, ପରିବେଶରେ ସାମ୍ୟତା ଜାଗିଉଠିବ ।   କିନ୍ତୁ ପୃଥିବୀରେ କୁକର୍ମର ମାତ୍ରା ଏତେ ବୃଦ୍ଧି ପାଇଚାଲିଛି ଯେ, ଆଗାମୀ ମହାପ୍ରଳୟ ପ୍ରକୃତି ନିର୍ଦ୍ଧାରିତ  ସମୟ ପୂର୍ବରୁ ଆସିବା ନିଶ୍ଚିତ ପ୍ରାୟ । ପୃଥିବୀର ଜୀବଜଗତ ମଧ୍ୟରେ ମାନବ ଶ୍ରେଷ୍ଠ ଜୀବ ଓ ଅକଳନ୍ତି ଦିବ୍ୟ ଶକ୍ତିର ଭଣ୍ଡାର । ଏହାର ପ୍ରକାଶ ଘଟିଲେ ଜନ୍ମ – ମୃତ୍ୟୁ – ଚକ୍ରର କରାଳ ଗ୍ରାସରୁ ଉଦ୍ଧାର ପୂର୍ବକ ମୂଖ୍ୟ ଶକ୍ତିଉତ୍ସ ବା ପରମାତ୍ମାଙ୍କଠାରେ ଲୀନ ହେବାପାଇଁ ପଥ ସୁଗମ ହେବ । ଫଳତଃ ସ୍ୱୟଂଚାଳିତ ଯନ୍ତ୍ର ସଦୃଶ  ପ୍ରତ୍ୟେକ  ବୈଜ୍ଞାନିକ କୌଶଳ ଓ ଅନ୍ୟାନ୍ୟ କ୍ରିୟା କଳାପକୁ ପ୍ରକୃତି ବିରୁଦ୍ଧରେ ପ୍ରୟୋଗ କରିବାରୁ ବିରତ ହେବେ । ଫଳରେ ଧିରେଧିରେ ପ୍ରକୃତିର ଧ୍ୱଂସକାରୀ  କରାଳ ରୂପର  ତୀବ୍ରତା କମିଯିବ ଓ ପ୍ରକୃତି ପ୍ରତି ଆମର ଆକର୍ଷଣ ବୃଦ୍ଧିପାଇବ ।

——————————————————————————————————————————-

Published in “Mahamaya”  2011- ମହାମାୟା -ରାବଣପୋଡି ମହୋତ୍ସବ କମିଟି, କେନ୍ଦୁଝର, ଓଡିଶା ।

 

 

 

 

 

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help