ମାଣବସା ବା ଲକ୍ଷ୍ମୀ ପୁରାଣ ଏକ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ରରେ ବିଜ୍ଞାନ ଧାସ ।
ସେତେବେଳେ ଭାରତରେ ଜାତିପ୍ରଥା ଓ ଛୁଆଁ ଅଛୁଆଁ ଭେଦଭାବର ଉତ୍ପୀଡନରେ ତ୍ରାହି ତ୍ରାହି ଡାକୁଥିଲେ ମାନବାକୃତ ନିମ୍ନ ଜାତିର ଲୋକେ । ଏ ଭେଦଭାବ ଈଶ୍ୱରଙ୍କ ମହାନ୍ ସୃଷ୍ଟି ମାନବ ବର୍ଗକୁ ଘୃଣ୍ୟ ମାନସିକତା ତଥା ଉଚ୍ଚ ଜାତି ଓ ଉଚ୍ଚ କର୍ମ, ନିଚ୍ଚ ଜାତି ଓ ନିଚ୍ଚ କର୍ମ, ଛୁଆଁ ମାନବ ଓ ଅଛୁଆଁ ମାନବ ……… ଇତ୍ୟାଦିରେ ଭରି ହୋଇଥାଏ ବର୍ବରତା । ସନାତନ ଧର୍ମୀ ହୋଇ ମଧ୍ୟ ଅଛୁଆଁ ବର୍ଗମାନେ ଦଳିତ, ପତିତ, ଅବହେଳିତ, ନିଷ୍ପେସିତ, ଘୃଣିତ, ଲାଞ୍ଛିତ, ଅପମାନିତ ……..ଆଦି ଅନେକ ପ୍ରକାର ବର୍ବରତା ଓ ତାତ୍ସଲ୍ୟତାର ଶୀକାରରେ ଦୁଃସହ ଜୀବନ ନିର୍ବାହ କରୁଥିଲେ । ସମାଜରୁ ଏତାଦୃଶ ଅସମାନତା ଦୂର କରିବା ନିମନ୍ତେ ଅନେକ ମହାପୁରୁଷ ମାନେ ସତ୍ ଚେଷ୍ଟା କରିଛନ୍ତି । ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରରେ ମଧ୍ୟ ବିପ୍ଳବର ବହ୍ନି ଜଳି ଉଠିଛି । ଅନେକ ନିରୀହ – ନିଷ୍ପାପ ଜୀବନ ଏଥିପାଇଁ ବଳି ପଡିଛନ୍ତି । ରକ୍ତ ମଜ୍ଜାଗତ ଘୃଣ୍ୟ ଜାତିପ୍ରଥାର ମୂଳୋତ୍ପାଟନ ଅସମ୍ଭବ ହୋଇଉଠେ । ମହାନ୍ କବି ଓ ଲେଖକଙ୍କ ଲେଖନୀ ମୂନରୁ ଉଦ୍ଗତ ହୁଏ ସାମାଜିକ ଚେତନା । ଜ୍ଞାନୀ, ଯୋଗୀ ମୁନି, ୠଷି ଆଦିଙ୍କ ସାମାଜିକ ବାର୍ତ୍ତାରେ ଗୁଞ୍ଜରିତ ହୋଇ ଉଠେ ପରିବେଷ୍ଟନୀ । ଧର୍ମଗ୍ରନ୍ଥ ଅର୍ଥାତ୍ ବେଦ, ଉପନିଷଦ. ଅଷ୍ଟାଦଶ ମହାପୁରାଣ, ପୁରାଣ, ଶ୍ରୀମଦ୍ ଭଗବଦ୍ ଗୀତା ଆଦି ଦର୍ଶାଇ ଥାଏ ମହାନ୍ ମାନବୀୟତାର ଅମୃତ ବାଣୀ । ସନାତନ ଧର୍ମର ମୂଳମନ୍ତ୍ର ” ବସୁନ୍ଧୈବ କୁଟୁମ୍ବକମ୍”ର ଦିବ୍ୟ ଝଙ୍କାର ଓ ସର୍ବେ ଭବନ୍ତୁ ସୁଖୀନଃର ପରିଭାଷାକୁ ଏଡାଇ କିଛି ମଦମତ୍ତ – ଅହଂକାରୀ ମାନବ ବର୍ଗ ଧର୍ମ ରକ୍ଷାକାରୀର କବଚ ପିନ୍ଧି ଏ ମହାନ୍ ଧର୍ମକୁ କଳୁଷିତ ଓ ପଙ୍କିଳ କରି ଚାଲନ୍ତି । ଏତାଦୃଶ ଧାରା ପିଢି ପରେ ପିଢି ରୋମେ ରୋମେ ଅଙ୍କୁରୀତ ହୁଏ ।
ତେବେ ସମଗ୍ର ଭାରତ ବର୍ଷରେ ଓ ଏ ଜଗତରେ ମଧ୍ୟ ଓଡିଶା ଏକ ବିଶିଷ୍ଠ ସ୍ଥାନ ଅଧିକାର କରିଅଛି । କାରଣ ଏ ରାଜ୍ୟକୁ ଜଗନ୍ନାଥ ଧାମ ବା ନିଳାଚଳ ଧାମ କୁହାଯାଏ । ଏ ରାଜ୍ୟରେ ଅବସ୍ଥିତ ଶଙ୍ଖକ୍ଷେତ୍ର ପୁରିରେ ଦାରୁବ୍ରହ୍ମ ରୂପେ ପ୍ରତିଷ୍ଠିତ ହୋଇ ଅଛନ୍ତି ମହାପ୍ରଭୁ ଜଗନ୍ନାଥ, ଭ୍ରାତା ବଳଭଦ୍ର, ଭଉଣୀ ଓ ସୁଦର୍ଶନ ଅର୍ଥାତ୍ ଚତୁର୍ଦ୍ଧା ମୂର୍ତ୍ତି । ବଡ ଦେଉଳ, ବଡ ଠାକୁର, ବଡପଣ୍ଡା, ବଡଦାଣ୍ଡ, ଛପନ ପଉଟି ଭୋଗ ଲାଗି, ଶ୍ରୀଗୁଣ୍ଡିଚା ଯାତ୍ରା, ତାଳଧ୍ୱଜ, ଦେବ ଦଳନ, ନନ୍ଦିଘୋଷ, ସରଧା ବାଲି, ନରେନ୍ଦ୍ର ପୋଖରୀ, ମାଉସୀ ମା’ ମନ୍ଦିର, ରୋହିଣୀ କୁଣ୍ଡ, ଶ୍ରୀମନ୍ଦିର, ଦଇତାପତି, ଆନନ୍ଦ ବଜାର, ମହାପ୍ରସାଦ ବା ଅଭଡା ଅନ୍ନ, ନିର୍ମାଲ୍ୟ, ମେଘନାଦ ପାଚେରୀ, ମହୋଦଧି, ବାଇଶି ପାହାଚ, ସିଂହଦ୍ୱାର, ବେତବାଡି, ନୀଳଚକ୍ର, ବଡଖଳା, ପତିତପାବନବାନା, ନବ କଳେବର, ଗରୁଡ ସ୍ତମ୍ଭ, ଅରୁଣ ସ୍ତମ୍ଭ, ଅଠର ନଳା, ବାଟ ମଙ୍ଗଳା, ଚତୁଃ ଦ୍ୱାର, ମଦନ ମୋହନ, ଠାକୁର ରାଜା, ଛେରା ପହଁରା ………… ଆଦି ଅନେକ ଅନେକ ବିଶ୍ୱ ବିଖ୍ୟାତ ବିଶିଷ୍ଠତାକୁ ନେଇ ବାର ମାସରେ ତେର ପର୍ବ ଲାଗି ରହିଥାଏ । ଚକା ନୟନରେ ସେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଦେଖୁଛନ୍ତି ଓ ସମଗ୍ର ଚରାଚର ତନ୍ମଧ୍ୟରେ ନିମଜ୍ଜିତ ହେଉଛନ୍ତି । ଅର୍ଥାତ୍ ଏକ ସମୟରେ ସତେକି ଏ ଚକା ଆଖି ଶ୍ୱେତଗର୍ତ୍ତ (White Hole) ଓ ପର ମୂହୁର୍ତ୍ତରେ ଏହା କୃଷ୍ଣଗର୍ତ୍ତ(Black Hole)ର କାର୍ଯ୍ୟ ସମ୍ପାଦନ କରୁଅଛି । ଏହାହିଁ ଜଗନ୍ନାଥ ସଂସ୍କୃତି ବା ଓଡିଶାର ଐତିହ ଓ ସସ୍କୃତି | ତେଣୁ ଏହା ବିଶ୍ୱ ସଂସ୍କୃତି ଅଟେ, ଯାହା ଅହରହ ମାନବ ସମାଜର ମଙ୍ଗଳ ନିମିତ୍ତ ବାର୍ତ୍ତା ପ୍ରେରଣ କରୁଅଛି । ସମଗ୍ର ମାନବ ସମାଜରେ ପାଇଁ ଅପରିହାର୍ଯ୍ୟ ।
ଓଡିଶାର ଯୁଗଜୟୀ କବି ବଳରାମ ଦାସ ସେ ସମୟରେ ହୃଦୟଙ୍ଗମ କରିଥିଲେ ଜାତିପ୍ରଥାରୁ ଜାତ ଅସ୍ପୃଶ୍ୟତା ଓ ଅନେକ ପ୍ରକାରର ସାମାଜିକ ଅସମାନତା, ଯାହା ଅମାନବୀୟତାର ଏକ ଏକ ଜ୍ୱଳନ୍ତ ଉଦାହରଣ । ଏହି ବିଷାକ୍ତ ସାମାଜିକ କୀଟ ଗୁଡିକର ବିନାଶ ନିମିତ୍ତ ସେ ନିଜ ଲେଖନୀ ମୂନକୁ ତ୍ୱରାନ୍ୱିତ କରିଛନ୍ତି । ୧୫୦୦ ଶତାବ୍ଦୀରେ ଜନ୍ମ ନିଏ ଏକ ଅପୂର୍ବ ଓ କ୍ଷୁଦ୍ର ସାମାଜିକ ପୁରାଣ । ଦାରୁବ୍ରହ୍ମଙ୍କ ମାନବ ଲୀଳାରେ ଭରି ରହିଛି ସାମାଜିକ ବାସନ୍ଦରୁ ଗୃହକଳି, ବିଚ୍ଛେଦ …………… ଓ ଶେଷରେ ହୋଇଛି ମହା ମିଳନ । ପ୍ରକୃତି ରାଣୀ ହସି ଉଠିଛି ଓ କବି ଗୋଦାବରୀଶ ମହାପାତ୍ରଙ୍କ ଭାଷାରେ :- ହାଡ ପାଖରୁ ଭାଷା ଓ ମଡ଼ା ମୁଖରୁ ହସ ଫୁଟି ଉଠିଛି । ଏ ପୁରାଣ ଲକ୍ଷ୍ମୀପୁରାଣ ବା ମାଣବସା ଗୁରୁବାର ରୂପେ ଓଡିଶାର ଘରେ ଘରେ ଅତି ନିବିଡ଼ ଭାବେ ସୁପରିଚିତ । ଏହା ସଦା ସର୍ବଦା ସଦ୍ୟ ଓ ଜୀବନ୍ତ । ସମାଜର ନିଚ୍ଛକ ସତ୍ୟକୁ ଦାରୁବ୍ରହ୍ମଙ୍କ ଲୀଳା ମାଧ୍ୟମରେ ଏହା ପ୍ରତିଫଳିତ କରେ । ସୁସ୍ଥ ସାମାଜିକ ପରିବେଶ ଓ ଆଦର୍ଶ ପାରିବାରିକ ଚଳନି ବଜାୟ ରଖିବା ନିମିତ୍ତ ଏ ପୁରାଣ ଯୁଗ ଯୁଗ ପାଇଁ ଏକ ସରଳ ଓ ସୁନ୍ଦର ପରିଭାଷାର ବାର୍ତ୍ତା ପ୍ରେରଣ କରେ । କବି ରାଧାମୋହନ ଗଡ଼ନାୟକଙ୍କ କବିତା “ଶ୍ରୀୟା ଚଣ୍ଡାଳୁଣୀ” ମଧ୍ୟ ଲକ୍ଷ୍ମୀପୁରାଣର ଅନ୍ୟ ଏକ ପ୍ରତିରୂପ । ଏଥିରେ ସରଳ, ସୁନ୍ଦର ଓ ସାବଲୀଳ ଆଦି ଶବ୍ଦ ସଂଯୋଜନା ଏବଂ ତହିଁରୁ ଉଦ୍ଭବ ଜୀବନ୍ତ ନାଟକୀୟ ସୁଧାମୟ ପରିବେଷ୍ଟନୀ ହୃଦୟର ଗଭୀରତମ ପ୍ରଦେଶକୁ ଆନ୍ଦୋଳିତ କରେ । ଏହାହିଁ କବିଙ୍କର ଚରମ ଉତ୍କୃଷ୍ଟତାର ନିଦର୍ଶନ ଅଟେ ।
ଲକ୍ଷ୍ମୀପୁରାଣ ଆରମ୍ଭ ହୁଏ ମାର୍ଗଶୀର ମାସର ପହିଲି ଗୁରୁବାରର ଘଟଣାରୁ । ମାତା ଲକ୍ଷ୍ମୀଙ୍କର ଏ ମାସଟି ଅତି ପ୍ରିୟ ମାସ ଅଟେ । ଏ ମାସର ପ୍ରତି ଗୁରୁବାରର ବ୍ରାହ୍ମ ମୁହୂର୍ତ୍ତରେ ମା’ ସଭିଙ୍କ ଘର ଅଗଣାରେ ସୂକ୍ଷ୍ମ ରୂପରେ ଆବିର୍ଭାବ ହୁଅନ୍ତି । ଅବଲୋକନ କରନ୍ତି ଧନ ଦେବୀଙ୍କ ସ୍ୱାଗତ ପାଇଁ ଗୃହର ଅଗଣାରୁ ଆରମ୍ଭ କରି ଘର ଭିତରର ସ୍ୱଚ୍ଛତାକୁ । ଯେଉଁ ଘରେ ଓ ଅଗଣାରେ ତାଙ୍କ ପୂଜା ଉପଚାରର ଦିବ୍ୟ ସମାବେଶ, ଅର୍ଥାତ୍ ଅରୁଆ ଚାଉଳ ଝୋଟି , ଲକ୍ଷ୍ମୀପାଦ, ପଦ୍ମ ଆଦି ଅଙ୍କନ କରାଯାଇନି ସେଠାରେ ମା’ ଆବିର୍ଭାବ ହୁଅନ୍ତି ନାହିଁ ।
ସ୍ୱାମୀ-ସ୍ତ୍ରୀ ସମ୍ପର୍କକୁ ଯଦି ଗାଣିତିକ ଭାଷାରେ ବର୍ଣ୍ଣନା କରାଯାଏ ତେବେ ତାହ ପରସ୍ପର ପ୍ରତି ପରିପୁରକତାକୁ ବୁଝାଏ । ପାରସ୍ପରିକ ଅନାବିଳ ପ୍ରେମ ରଜ୍ଜୁରେ ବନ୍ଧନଯୁକ୍ତ ଦମ୍ପତି ପାରିବାରିକ ସୁଷମତା ବଜାୟ ରଖିବା ଏହା ଦର୍ଶାଇଥାଏ । ଉଭୟଙ୍କ ମଧ୍ୟରେ ମନାନ୍ତର, ମତାନ୍ତର ଓ ପରିବାରର ସଦସ୍ୟଙ୍କ ଭିନ୍ନତା ଆଦି ଜଞ୍ଜାଳକୁ ହଜମ କରି ଜୀବନ ସଂଗ୍ରାମରେ ଆଗୁସାର ହେବାହିଁ ଏକ ସରଳ ରେଖା ସଦୃଶ ଅଟେ । ଅର୍ଥାତ୍ ଉଭୟେ ଉଭୟଙ୍କ ପ୍ରତି ଆକୃଷ୍ଟତାର ସମଷ୍ଟିକୁ କୌଣିକ ପରିମାପକତାରେ ପ୍ରକାଶ କରାଯାଏ, ତେବେ ଏହା ଏକ ସରଳ ରେଖାର କୋଣ ବା ୧୮୦୦ହେବା ଅନୁଭୂତ ହୁଏ । କିନ୍ତୁ ଏହା ପରିସ୍ଥିତିର ତାଡ଼ନାରେ ସବୁବେଳେ ସ୍ୱାମୀର ସ୍ତ୍ରୀ ପ୍ରତି ୯୦୦ ଓ ସ୍ତ୍ରୀ’ର ସ୍ୱାମୀ ପ୍ରତି ୯୦୦ ହୋଇ ନଥାଏ । କିନ୍ତୁ ଏକ ସୁସ୍ଥ ମସ୍ତିଷ୍କଧାରୀ ଦମ୍ପତିଙ୍କର ଜଣକର କୌଣିକ ପରିମାପକ θ ହେଲେ ଅନ୍ୟର ୧୮୦୦– θ ହୋଇଥାଏ ଓ ଉଭୟର ସମଷ୍ଟି ୧୮୦୦ହୋଇଥାଏ । ଅର୍ଥାତ୍ θ’ର ମୂଲ୍ୟ ପରିବର୍ତ୍ତନୀୟ ଅଟେ ଓ ଏହାର କାରଣ “ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି” ଉକ୍ତିରୁ ବୁଝାପଡେ । ଏଠାରେ ଦମ୍ପତିଙ୍କୁ ଏକ ସରଳ ରେଖା ସହ ତୁଳନା କରାଯାଇଛି । ଏ ସରଳ ରେଖା ଏକ ବିନ୍ଦୁରୁ ଆରମ୍ଭ ଓ ଏକ ଦିଗାଭିମୁଖୀ, ଯାହାକି ସଠିକ୍ ବୁଝାମଣାର ନିଦର୍ଶନ ଅଟେ । ପରନ୍ତୁ ଦ୍ୱିତୀୟ ପ୍ରକାର ସରଳ ରେଖା ଏକ ବିନ୍ଦୁରୁ ଆରମ୍ଭ ହେଲେବି ଏହା ବିପରୀତ ଦିଗରେ ଆଗୁସାର ହୋଇଥାଏ । ଉଭୟଙ୍କ କୌଣୀକ ପରିମାପକତାର ପରିମାଣ ୧୮୦୦ ରହିଲେବି କାର୍ଯ୍ୟର ଦିଗ ଓଲଟା, ତେଣୁ ପରସ୍ପର ବିରୋଧାଭାସରୁ ଅଶାନ୍ତି ଜାତ ହୁଏ । ଏହା ଅସନ୍ତୁଳିତ ଦମ୍ପତିର ଉଦାହରଣ ଅଟେ ।
ମାର୍ଗଶୀର ମାସ ଆସିଲେ ମାତା ଲକ୍ଷ୍ମୀଙ୍କ ମନ୍ଦିର ଚଳଚଞ୍ଚଳ ହୋଇଉଠେ । ଏ ମାସର ପ୍ରତି ଗୁରୁବାରର ବ୍ରାହ୍ମମୁହୂର୍ତ୍ତରୁ ମା’ ଭ୍ରମଣରେ ବାହାରି ପଡନ୍ତି । ଏକଦା ମାର୍ଗଶୀର ମାସର ଏକ ପହିଲି ଗୁରୁବାରରେ ବଳରାମ ଯୋଗ ବଳରେ ଲକ୍ଷ୍ମୀଙ୍କ ଉପସ୍ଥିତି ଚଣ୍ଡାଳ ସାହିର ଶ୍ରୀୟା ଚଣ୍ଡାଳୁଣି ଘରେ ବିଜେ କରିଥିବାର ଜାଣି କ୍ରୋଧାନ୍ୱିତ ହୋଇଗଲେ ଓ ସଙ୍ଗେସଙ୍ଗେ ଜଗନ୍ନାଥଙ୍କୁ କହିଲେ । ଲକ୍ଷ୍ମୀଙ୍କ ଏ ହୀନ କର୍ମର ଦଣ୍ଡ ସ୍ୱରୂପ ତାଙ୍କୁ ବଡ ଦେଉଳରୁ ବିତାଡିତ କରିବାକୁ କହିଲେ । ଅଚୁଆଁ ନିଚ୍ଚ ଜାତିଙ୍କ ଘରକୁ ଯାଉଛି ଓ ସ୍ନାନ ନକରି ବଡ ଦେଉଳକୁ ପ୍ରବେଶ କରୁଛି । ତେଣୁ ହେ ଜଗା ! ଏଇ ମୁହୂର୍ତ୍ତରେ ଲକ୍ଷ୍ମୀକୁ ପରିଟ୍ୟାଗ କର ! ଜଗନ୍ନାଥ ବ୍ୟସ୍ତ ହୋଇ ଲକ୍ଷ୍ମୀ ପରି ଭାରିଯାକୁ ପରିତ୍ୟାଗ କଲେ ଆଉ କ’ଣ ସେହିପରି ଜଣେ ପାଇବା ବୋଲି ବଳରାମଙ୍କୁ କହିଲେ । ଯେହେତୁ ଲକ୍ଷ୍ମୀ ପ୍ରଥମଥର ଏ ଅପରାଧ କରିଛନ୍ତି,ତେଣୁ ତାଙ୍କୁ ସତର୍କ କରିଦେବା ଓ ଆଉ ଏ ଅପରାଧ ନକରିବାକୁ କହିବା । ଜଗନ୍ନାଥ କହିଲେ ହେ ଜ୍ୱେଷ୍ଠ ଭ୍ରାତା ! ଏଥର ଲକ୍ଷ୍ମୀକୁ କ୍ଷମା କରିଦେବା । ଯେହେତୁ ସେ ସେ ଚାଣ୍ଡାଳ ଘରକୁ ଯାଇଛି, ତେଣୁ ସ୍ୱର୍ଗପୁର ଲୋକଙ୍କୁ ପାଞ୍ଚଲକ୍ଷ ଟଙ୍କା ଦେଇ ଜାତି କରାଇବା ପାଇଁ ଡାକିବା । ଆଉଥରେ ଏ କୁକର୍ମ କଲେ ଲକ୍ଷ୍ମୀଙ୍କୁ ଆମ୍ଭେ ପରିତ୍ୟାଗ କରିବା । ଏହା ଶୁଣି ବଳରାମ ଆହୁରି ରଗିଗଲେ ଓ କହିଲେ ସାମାନ୍ୟ ଭାରିଯା ପାଇଁ ତୁ ବଡଭାଇ କଥା ମାନିବାକୁ କୁଣ୍ଠାବୋଧ କରୁଛୁ ? ଆରେ ଭାଇ ଥିଲେ କେତେ ଭାରିଯା ମିଳିବେ । ଯଦି ମୋ କଥା ନମାନିବୁ ତେବେ ତୋ ଭାରିଯାକୁ ନେଇ ବଡ ଦେଉଳ ଛାଡି ଚାଲିଯା । ବଡ ଦେଉଳକୁ ଅପବିତ୍ର କରାଯାଇ ପାରିବନି । ଜ୍ୱେଷ୍ଠ ଭ୍ରାତାଙ୍କ ଅଟଳ ନିଷ୍ପତି ଆଗରେ ଜଗନ୍ନାଥ ହାର ମାନିଲେ ଓ ତାଙ୍କ ରଙ୍ଗା ଅଧରରୁ ସ୍ୱୟଂଚାଳିତ ଭାବେ ପ୍ରସ୍ଫୁଟିତ ହେଲା ଏକ ଦୁଃଖ ଓ ଅସହାୟତାର ଶବ୍ଦ ‘ଛାଡିଲି’ ।