ଯୋଗ – ଏକ ବୈଜ୍ଞାନିକ ପରିଭାଷା

ଯୋଗ – ଏକ ବୈଜ୍ଞାନିକ ପରିଭାଷା

ଭାରତବର୍ଷର ପ୍ରସିଦ୍ଧ ସାଂଖ୍ୟ ଓ ଯୋଗଦର୍ଶନ, ମାନବ ସମାଜକୁ ଶୃଙ୍ଖଳିତ ଜୀବନ ଯାପନ କରିବାର ଏକ ଅଦ୍ୱିତୀୟ ଉପାଦାନ ଅଟେ । ସାଂଖ୍ୟ ସମ ଅନ୍ୟ  କୌଣସି ଜ୍ଞାନ ନାହିଁ ଓ ଯୋଗ ସମ ଅନ୍ୟ କୌଣସି ବଳ ନାହିଁ । ଶ୍ରୀମଦ୍‍ଭଗବଦ୍‍ ଗୀତାରେ ଶ୍ରୀକୃଷ୍ଣ  କହିଛନ୍ତି –

ଲୋକେଽସ୍ମିନ୍‍ ଦ୍ୱିବିଧା ନିଷ୍ଠା ପୁରା ପ୍ରୋକ୍ତା ମୟାନଘ

ଜ୍ଞାନ ଯୋଗେନ ସାଂଖ୍ୟାନାଂ କର୍ମ ଯୋଗେନ ଯୋଗୀନାମ୍‍ ।

ଅର୍ଥାତ୍‍ ହେ ନିଷ୍ପାପ ଅର୍ଜୁନ ! ମନୁଷ୍ୟଲୋକରେ ମୁଁ ପୁରାତନ କାଳରୁ (କପିଳ ମୁନି ଓ ହିରଣ୍ୟଗର୍ଭ ରୂପରେ) ଦୁଇପ୍ରକାର ବ୍ରହ୍ମନିଷ୍ଠା କହିଅଛି । ତନ୍ମଧ୍ୟରୁ ସାଂଖ୍ୟ  ଯୋଗୀଙ୍କର ନିଷ୍ଠା ବା ସାଧନାର ପରିପକ୍ୱ ଅବସ୍ଥା ଜ୍ଞାନ ଯୋଗ ଦ୍ୱାରା ଏବଂ ଯୋଗୀମାନଙ୍କର ନିଷ୍ଠା କର୍ମ ଯୋଗଦ୍ୱାରା ହୋଇଥାଏ, ଯଥା –

ସାଂଖ୍ୟସ୍ୟ ବକ୍ତା କପିଳଃ ପରମର୍ଷି ର ଭବ୍ୟତେ

ହିରଣ୍ୟଗର୍ଭୋ ଯୋଗସ୍ୟ ବକ୍ତାନାନ୍ୟୋ ପୁରାତନଃ ।  (ମହାଭାରତ)

ସାଂଖ୍ୟର ବକ୍ତା ଋଷିଶ୍ରେଷ୍ଠ କପିଳ ଅଟନ୍ତି ଓ ଯୋଗର ବକ୍ତା ହିରଣ୍ୟଗର୍ଭ । ଏମାନଙ୍କ ଠାରୁ ପୁରାତନ ବକ୍ତା ଆଉ କେହିନାହିଁ । ଯଦ୍ୟପି ଏହି ଉଭୟ ଦର୍ଶନ ଭିନ୍ନ ଭିନ୍ନ ନାମ ଦେଇ ବର୍ଣ୍ଣନା କରାଯାଇଅଛି,ବାସ୍ତବରେ ଏହା ଏକ ଅଟେ । ସାଂଖ୍ୟ ଓ ଯୋଗ ଗୋଟିଏ ବିନ୍ଦୁରୁ ଆରମ୍ଭ ହୋଇ ଶେଷରେ ଗୋଟିଏ ବିନ୍ଦୁରେ ମିଳିତ ହୁଅନ୍ତି । କିନ୍ତୁ ଯୋଗମାର୍ଗ ବୁଲାଣିଆ ଓ ସୁଗମ ଅଟେ । ସାଂଖ୍ୟ ମାର୍ଗ ସିଧା ଓ ଦୁର୍ଗମ ଅଟେ । ସଂସାର ଚକ୍ରରେ ଭ୍ରମିବା କାରଣରୁ ମାନବ ବର୍ହିମୁଖୀ ହୋଇ  ଅବିଦ୍ୟା, ଅସ୍ମିତା,  କ୍ରୋଧ, ଦ୍ୱେଷ, ଅଭିନିବେଶ, କ୍ଳେଶ ଆଦି ସକାମ କର୍ମରେ ସମ୍ପୃକ୍ତ ହୋଇଉଠେ । ଏଥିରୁ ମୁକ୍ତି ନିମିତ୍ତ କ୍ରମାନୁସାରେ ଅନ୍ତର୍ମୁଖ ହେବାର ସାଧନ ଯୋଗ ଅଟେ । ଏହା   ଅଷ୍ଟାଙ୍ଗ ମାର୍ଗ ଯୁକ୍ତ ଅଟେ, ଯଥା – ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି । ସ୍ଥୂଳତାରୁ ସୁକ୍ଷ୍ମତା ଦିଗରେ ଯିବାକୁ ଯୋଗ କୁହାଯଏ ।   ଯୋଗୀ ଯାଜ୍ଞବଳ୍‍କ୍ୟଙ୍କ ଭାଷାରେ – “ସଂଯୋଗା ଯୋଗ ଇତ୍ୟୁକ୍ତ ଜୀବାତ୍ମା ପମାତ୍ମନୋଃ”, ଅର୍ଥାତ୍‍ ପରମାତ୍ମାଙ୍କ ସହିତ ଜୀବାତ୍ମାର ମିଳନକୁ ଯୋଗ କୁହାଯାଏ । ତେଣୁ ଯୋଗ ଶବ୍ଦର ଅର୍ଥ ଯୋଡିବା କିମ୍ବା ମିଳିତ ହେବାକୁ ବୁଝାଏ । ସର୍ବଚିନ୍ତା ପରିତ୍ୟାଗ ପୂର୍ବକ ମନର ଲୟାବସ୍ଥା, ପ୍ରାଣବାୟୁକୁ ରୁଦ୍ଧ କରିବା, ଚିତ୍ତ ବୃତ୍ତିକୁ ନିରୋଧ  କରିବା ଆଦି ଯୋଗ ଅଟେ । ଅଷ୍ଟାଙ୍ଗ ଯୋଗର ଚତୁର୍ଥ ଅଙ୍ଗ ପ୍ରାଣାୟାମ ଅଟେ । ଯାହାର ଅର୍ଥ ଦୀର୍ଘ ଜୀବନ ଲାଭ କରିବା କିମ୍ବା ପ୍ରାଣକୁ ବିସ୍ତୃତ କରିବା । ଯାଜ୍ଞବଳ୍‍କ୍ୟ   କହିଛନ୍ତି –

ପ୍ରାଣପାନ ସମାଯୋଗଃ ପ୍ରାଣାୟାମ ଇତୀରିତଃ

ପ୍ରାଣାୟାମ ଇତି ପ୍ରୋକ୍ତୋ ରେଚକ ପୂରକ କୁମ୍ଭକୈଃ ।

ଅର୍ଥାତ୍‍ ପ୍ରାଣ ଓ ଆପାନ ବାୟୁ ମିଳାଇବାକୁ ପ୍ରାଣାୟାମ କୁହାଯାଏ । ପୁନଶ୍ଚ ପ୍ରାଣାୟାମ – ରେଚକ, ପୂରକ ଓ କୁମ୍ଭକ କ୍ରିୟାକୁ ବୁଝାଇଥାଏ । ପ୍ରାଣାୟାମ ଏକ ବିଶିଷ୍ଟ ବିଧି ଯାହାଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ବୃଦ୍ଧିପାଏ । ମୁଖମଣ୍ଡଳ ଓ ନେତ୍ର ତେଜଯୁକ୍ତ ହୁଏ । ଶରୀର ନିରୋଗ ହେବା ସହ ସ୍ୱର ମଧୁର ହୁଏ । ମନର ବିକାର,  ଯଥା – କ୍ରୋଧ, ଉଦ୍‍ବେଗ, ଚିନ୍ତା, ନିରାଶା, ଭୟ, ଲୋଭ, ମୋହ, କାମୁକତା ଆଦିର ସମାଧାନ ହୋଇଥାଏ । ଯୋଗଶାସ୍ତ୍ର ଅନୁଯାୟୀ ଆସନ ସହିତ ପ୍ରାଣାୟାମ  ଅଭ୍ୟାସ କରିବା ଏକାନ୍ତ ଆବଶ୍ୟକ । ପ୍ରାଣାୟାମ ଦ୍ୱାରା ଚଞ୍ଚଳ ମନ ନିୟନ୍ତ୍ରିତ ହୁଏ ଓ ଶରୀରର ସମସ୍ତ କ୍ରିୟା ସଠିକ୍‍ ରୂପେ ସମ୍ପାଦିତ ହୁଏ । ପ୍ରତିଦିନ ସୂର୍ଯ୍ୟୋଦୟ    ସମୟରେ ପ୍ରାଣାୟାମ କଲେ ମାନବ ସୁନ୍ଦର ସ୍ୱାସ୍ଥ୍ୟ, ନୀରୋଗ ଶରୀର ଓ ଯୌବନଦୀପ୍ତ କାନ୍ତି ସହ ବାର୍ଦ୍ଧକ୍ୟରୁ ଦୂରେଇ ରହେ । ତେଣୁ ଯୋଗାସନ ଓ ପ୍ରାଣାୟାମ  ନିୟମିତ କରିବା ନିତାନ୍ତ ଆବଶ୍ୟକ ଅଟେ ।

ଯୋଗ ଦର୍ଶନର ରଚୟିତା ପାତଞ୍ଜଳି ମୁନି ଅଟନ୍ତି ଏବଂ ଏହା ହିରଣ୍ୟଗର୍ଭ ସୂତ୍ରର ଆଧାର ଉପରେ ବର୍ଣ୍ଣିତ । ପାତଞ୍ଜଳି ମୁନିଙ୍କର ଜୀବନୀ ସମ୍ପର୍କରେ ସଠିକ୍‍ ବିବରଣୀ  ମିଳିନଥିଲେ ମଧ୍ୟ ସେ କପିଳ ମୁନିଙ୍କ ପରେ ଜନ୍ମ ହୋଇଥିବାର ନିଃସନ୍ଦେହ ଅଟେ । ଦୁଇ ଅଦ୍ୱିତିୟ ଗ୍ରନ୍ଥ – ପାଣିନି ବ୍ୟାକରଣର ମହାଭାଷ୍ୟ ଓ ବୈଦ୍ୟକର ଚରକ –  ସଂହିତା ଏହାଙ୍କ ଦ୍ୱାରା ହୋଇଥିବାର କେହି କେହି ମତ ଦିଅନ୍ତି ।  କଥିତ ଅଛି –

ଯୋଗେନ ଚିତ୍ତସ୍ୟ ପଦେନ ବାଚାଂମଳଂ ଶରୀରସ୍ୟ  ଚ ବୈଦ୍ୟକେନ

ଯୋଽପାକରୋତ୍ତଂ ପ୍ରବରଂ ମୁନୀନାଂ ପତଞ୍ଜଳିଂ ପ୍ରାଞ୍ଜଳିରା ନତୋଽସ୍ମି ।

ମୁଁ ଋଷିଶ୍ରେଷ୍ଠ ପାତଞ୍ଜଳି ହାତଯୋଡିକରି ନମସ୍କାର କରୁଅଛି, ଯେ କି ଯୋଗଦ୍ୱାରା ଅନ୍ତଃକରଣ, ପଦଦ୍ୱାରା ବାଣୀର ଓ ବୈଦ୍ୟକ ଦ୍ୱାରା ଶରୀରର ମଳ ଧୌତ  କରିଅଛନ୍ତି । ଭାରତର ଏହି ପ୍ରାଚୀନ ବେଦାନ୍ତ ଦର୍ଶନ ପୃଥିବୀର ସମସ୍ତ ଦର୍ଶନାବଳୀଠାରୁ ଶ୍ରେଷ୍ଠ ଅଟେ । ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଭାରତୀୟ ସଂସ୍କୃତି ବିକୃତ  ହେବାରେ ଲାଗିଛି । ଆଜିର ଭାରତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଓ ଭ୍ରଷ୍ଟାଚାରୀମାନଙ୍କ କବଳରେ କବଳିତ । ବାହ୍ୟରୂପରେ ନିର୍ମଳ ଭାବମୂର୍ତ୍ତିର ମରୀଚିକା ସୃଷ୍ଟିକରି ମାନବ  ସବୁ ପ୍ରକାର କୁକର୍ମରେ ବ୍ୟସ୍ତ । ମାନବ ଆଜି ପରିବେଶର ଘୋର ପ୍ରଦୂଷଣ ଘଟାଇ ମୃତ୍ୟୁର ଦ୍ୱାରରେ ଦଣ୍ଡାୟମାନ । ସମଗ୍ର ମାନବ ଜାତି ଅପମିଶ୍ରଣର ପ୍ରଭାବରେ  ଦଳିଚକଟି ହୋଇ କଲବଲ ହେଉଛି । ପ୍ରତି ମୁହୂର୍ତ୍ତରେ ପ୍ରକୃତି ବିରୁଦ୍ଧରେ କାର୍ଯ୍ୟ କରାଯାଉଛି । ସୃଷ୍ଟିର ନିୟମାନୁସାରେ ପ୍ରକୃତି ପ୍ରତିଶୋଧ ନେଉଛି । ସେ କ୍ଷେତ୍ରରେ  କୌଣସି ପକ୍ଷପାତର ଆଶଙ୍କା ନଥାଏ । ଉଭୟ ଶୋଷକ ଓ ଶୋଷିତ ବର୍ଗଙ୍କ ପାଇଁ ପ୍ରକୃତିର କରାଳରୂପ ଏକାପ୍ରକାରର ଦୃଶ୍ୟମାନ ହୁଏ । କିନ୍ତୁ କାହାକୁ କିପରି  ଅନୁଭୂତ ହୁଏ, ତାହା ନିଜସ୍ୱ କର୍ମ ଓ ଜ୍ଞାନ ଉପରେ ନିର୍ଭର କରେ । ଏଠାରେ ଭାରତୀୟ ବେଦାନ୍ତ ଦର୍ଶନ ଚେତାଇ ଦେଉଛି – ହେ ମାନବ ସମାଜ ! କୁପଥଗାମୀ  ହେବାର ପରିଣାମ ତ ନିଶ୍ଚୟ ଭୋଗ କରିବାକୁ ପଡିବ, କିନ୍ତୁ ସର୍ବନାଶ ହେବା ପୂର୍ବରୁ ନିଜକୁ ସଜାଡିବାପାଇଁ ସବୁଠାରୁ ଶ୍ରେଷ୍ଠ ମାର୍ଗ ହେଉଛି ଯୋଗମାର୍ଗ । ତେଣୁ  ଯୋଗକୁ ଦୈନନ୍ଦିନ କାର୍ଯ୍ୟଧାରାରେ ସାମିଲ କରିବା ଶ୍ରେୟସ୍କର ଅଟେ । ଏହାଦ୍ୱାରା ମାନବ କ୍ରମଶଃ ଅନ୍ତର୍ମୁଖୀ ହେବାକୁ ଲାଗେ । ଫଳରେ ଶରୀରରେ ଦିବ୍ୟ  ସନ୍ତୁଳନତାର ବିକାଶଲାଭ ହୁଏ ଓ କୁକର୍ମରୁ ବିରତ ରହିବା ନିମିତ୍ତ ସ୍ୱୟଂ ପ୍ରେରଣା ଜାଗିଉଠେ । ଶରୀର ମଧ୍ୟରେ ସୃଷ୍ଟିର ସକଳ ଜ୍ଞାନଭଣ୍ଡାର ଥିବାର ଅନୁଭୂତ ହେବ ।ଶରୀରହିଁ ସର୍ବ ତତ୍ତ୍ୱର ସମାବେଶ ଅଟେ । ପଞ୍ଚ ମହାଭୂତର ସମଷ୍ଟିରେ ଖଞ୍ଜି ଦିଆଯାଇଛି ଅନନ୍ତ ପ୍ରକୃତିର ସ୍ଥୂଳ ଓ ସୂକ୍ଷ୍ମରୂପ । ବ୍ରହ୍ମ ଚେତନା ରୂପରେ ବିଦ୍ୟମାନ  ରହିଛି ଆତ୍ମା ଓ ଏ ଶରୀର ରୂପକ ପିଞ୍ଜରାରେ ଶୁଆ ରୂପରେ ଖେଳୁଅଛି । ଶୁଆ ଉଡିଗଲେ ପିଞ୍ଜରାର ଶୋଭା ନଷ୍ଟହୋଇ ପାଞ୍ଚଭାଗରେ ବିଭକ୍ତ ହୁଏ, ଯଥା- କ୍ଷିତି,    ଆପ, ତେଜଃ, ମରୁତ୍‍ ଓ ବ୍ୟୋମ । ଯଥାର୍ଥରେ କୁହାଯାଇଛି –

ମାଟିଘଟ ପିଞ୍ଜରାରେ ଖେଳେ ସୁନା ଶୁଆରେ ………. ଅଠାକାଠି ଲଗାଇଛି ଭାବ ବିନୋଦିଆରେ ।

ଜ୍ଞାନୀମାନେ ଶରୀର ଓ ଆତ୍ମାକୁ ବିଭିନ୍ନଭାବେ ପରିପ୍ରକାଶ କରିଛନ୍ତି । ଶରୀରରୂପୀ ଓଲଟ ବୃକ୍ଷରେ ଆତ୍ମାରୂପୀ ପାରା ଡାଳରୁ ଡାଳକୁ ଡେଇଁ ଘୂମୁରୁଛି । ଆତ୍ମାରୂପକ  ହଂସ ଶରୀରରୂପୀ ପୋଖରୀରେ ପହଁରୁଛି । ସତ୍ତ୍ୱ,ରଜ ଓ ତମୋ ଗୁଣ ଥିବା ତ୍ରିଗୁଣ ଦଉଡି ରୂପକ ଶରୀରରେ ଆତ୍ମାରୂପୀ ଗାଈ ବନ୍ଧା ହୋଇଛି । ଶ୍ରୀମଦ୍‍ଭଗବଦ୍‍  ଗୀତାରେ ଶ୍ରୀକୃଷ୍ନ ଶରୀରକୁ ବସ୍ତ୍ର ସହ ତୁଳନା କରି କହିଛନ୍ତି –

ବାସାଂସି ଜୀର୍ଣ୍ଣନୀ ଯଥା ବିହାୟ …….. ନବାନି ଗୃହ୍ନାତି ନରୋପରାଣି

ତଥା ଶରୀରାଣି ବିହାୟ ଜୀର୍ଣ୍ଣା ……… ନ୍ୟନ୍ୟାନି ସଂଯାତି ନବାନି ଦେହି ।

ଅର୍ଥାତ୍‍ ମନୁଷ୍ୟ ପୁରୁଣାବସ୍ତ୍ର ତ୍ୟାଗକରି ନୂତନ ବସ୍ତ୍ର ଗ୍ରହଣ କରିବା ସଦୃଶ ଜୀବାତ୍ମା ପୁରାତନ ଶରୀର ତ୍ୟାଗକରି ନୂତନ ଶରୀରମାନ ପ୍ରାପ୍ତ  ହୋଇଥାଏ । ପରମାତ୍ମାର  ଅଂଶବିଶେଷ ହିଁ ଜୀବାତ୍ମା ଅଟେ । ଏହାର ରୂପରେଖ ସମସ୍ତଙ୍କୁ ଅଗୋଚର ଅଟେ । ସନ୍ଥକବି ଭୀମ ଭୋଇଙ୍କ ଭାଷାରେ –

ରୂପରେଖ ନାହିଁ ହେ ଶୂନ୍ୟ ଦେହୀ …… ଅଛ ବିଜେ ହୋଇ ।

ମହା ମହା ଯୋଗୀମାନେ ଆତ୍ମାର ସତ୍ତା ଜାଣିବା ଓ ଏହାର ସ୍ୱରୂପକୁ ଦେଖିବାକୁ ଚାହିଁଛନ୍ତି , କିନ୍ତୁ ସେହି ଶୂନ୍ୟବ୍ରହ୍ମର ଆକୃତି ଜାଣିପାରି ନାହାନ୍ତି । ଆଜିର ବହୁ  ଭୌତିକବାଦୀ (Meta Physicists) ମଧ୍ୟ ଆତ୍ମା ଉପରେ ଗବେଷଣା ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହାର ଆକୃତି ଓ ଅବସ୍ଥାନ ଆଦି ସମ୍ପର୍କରେ ସର୍ବେ ଅଜ୍ଞ ତେବେ ଏହାର ବର୍ଣ୍ଣ ନୀଳ ହୋଇପାରେ ବୋଲି କେହି କେହି ମତ ବ୍ୟକ୍ତ କରନ୍ତି । ତେବେ ବେଦାନ୍ତ ଦର୍ଶନ ଜୀବାତ୍ମାର ଅବସ୍ଥାନ ଉପରେ ଏହିପରି ମନ୍ତବ୍ୟ ଦିଏ  ଯେ,  ସମଗ୍ର ଜୀବାତ୍ମା ଶରୀରରେ ବ୍ୟାପୃତ ହେଉଅଛି ।

(୧) ସୁଷୁପ୍ତି ବା ପ୍ରଗାଢ ସୁପ୍ତାବସ୍ଥାରେ ଜୀବାତ୍ମାର ସ୍ଥାନ ହୃଦୟ ଦେଶକୁ କୁହାଯାଇଛି ।

(୨) ସ୍ୱପ୍ନାବସ୍ଥାରେ  ଜୀବାତ୍ମାର ସ୍ଥାନ କଣ୍ଠ ଦେଶକୁ କୁହାଯାଇଛି ।

(୩) ଜାଗ୍ରତ ଅବସ୍ଥାରେ  ଜୀବାତ୍ମାର ସ୍ଥିତି ନେତ୍ରରେ ବୋଲି ଉପନିଷଦରେ କୁହାଯାଇଛି ।

(୪) ସମ୍ପ୍ରଜ୍ଞତ – ସମାଧିରେ ଜୀବାତ୍ମାର ସ୍ଥାନ ଆଜ୍ଞାଚକ୍ର କୁହାଯାଇପାରେ ।

(୫) ଅସମ୍ପ୍ରଜ୍ଞାତ – ସମାଧିରେ ଜୀବାତ୍ମାର ସ୍ଥାନ ବ୍ରହ୍ମରନ୍ଧ୍ର ଅଟେ, କାରଣ ଏହି ସ୍ଥାନରେ ପ୍ରାଣ ତଥା ମନର ସ୍ଥିତାବସ୍ଥା ସାଧନରେ ସର୍ବବୃତ୍ତି ନିରୋଧ ହୋଇଥାଏ ।

ସ୍ଥୂଳ ଶରୀରର ସୂକ୍ଷ୍ମ ରୂପରେ ଯୋଗୀମାନେ ଅନୁଭବ କରିଛନ୍ତି ବିଶ୍ୱର ସବୁ ପାରସ୍ପରିକ କ୍ରିୟା (Interaction) । ଆମ ବିଶ୍ୱ ସନ୍ତୁଳନତାରେ ଚାରୋଟି ପାରସ୍ପରିକ  କ୍ରିୟାହିଁ ବୈଜ୍ଞାନିକ ପ୍ରମାଣସିଦ୍ଧ ଅଟେ । କିନ୍ତୁ ଯୋଗମାର୍ଗ ଦ୍ୱାରା ଯାହା ଅନୁଭୂତ ହୁଏ ତାହାର ପ୍ରମାଣସିଦ୍ଧ କରିବା ନିମିତ୍ତ ଉପଯୁକ୍ତ ଯାନ୍ତ୍ରିକ କୌଶଳ  ବୈଜ୍ଞାନିକଙ୍କ    ଜ୍ଞାନ  ପରିସୀମା ବାହାରେ । ଉପନିଷଦ ମତରେ ଆମ ବିଶ୍ୱ ପଞ୍ଚ ମହାଭୂତର ସମଷ୍ଟି ଅଟେ, ଯାହା ପରିପ୍ରକାଶ ହୁଏ ବସ୍ତୁ ଓ ଶକ୍ତିର ଭିନ୍ନ ଭିନ୍ନ ପ୍ରକାରଭେଦ ଦ୍ୱାରା ।   ପର୍ଯ୍ୟବେକ୍ଷଣରୁ ଜଣାଯାଇଛି, ଆମ ବିଶ୍ୱରେ ଭରି ରହିଥିବା ଦୃଶ୍ୟମାନ ବସ୍ତୁ ବାଦ୍‍ ଅନେକ ପରିମାଣରେ ଅଜଣା ଓ ଅଦେଖା ବସ୍ତୁ ରହିଛି । ପୁନଶ୍ଚ ଏହି ଅଜଣା ବସ୍ତୁ  ଗୁଡିକର ବସ୍ତୁତ୍ୱ ବିଶ୍ୱରେ ଭରି ରହିଥିବା ଦୃଶ୍ୟମାନ ବସ୍ତୁଠାରୁ ବହୁ ମାତ୍ରାରେ ଅଧିକ । ଏହାକୁ ଅଜ୍ଞାତ ବସ୍ତୁ (Dark Matter) ଓ ତତ୍‍ସମ୍ବନ୍ଧୀୟ ଶକ୍ତି ବିନିମୟକୁ  ଅଜ୍ଞାତଶକ୍ତି (Dark Energy) କୁହାଯାଉଛି । ଏଗୁଡିକ ମହାକର୍ଷଣ ଜନିତ ପ୍ରଭାବରେ ପ୍ରଭାବିତ, କିନ୍ତୁ ଏଠାରେ  ମହାକର୍ଷଣବଳର ଅଜ୍ଞାତରୂପ ବିକର୍ଷଣ ପ୍ରକ୍ରିୟା    ସୃଷ୍ଟି କରୁଥିବାର ଅନୁମାନ କରାଯାଇପାରେ । ଏହିପରି ମଧ୍ୟ  ଅଜ୍ଞାତ ପାରସ୍ପରିକ କ୍ରିୟା ଗୂଡିକର ସମ୍ଭାବନା ମନରେ ଉଙ୍କିମାରେ । ମହାଜାଗତିକବିଜ୍ଞାନ କ୍ଷେତ୍ର ପର୍ଯ୍ୟବେକ୍ଷଣ ଓ ପ୍ରମାଣସିଦ୍ଧ ହୋଇ ବଳିଷ୍ଠ ହେବାରେ ଲାଗିଛି । ମହାକର୍ଷଣୀୟ ଯବୀକରଣ (Gravitational Lensing),  ମହାକର୍ଷଣୀୟ ଲୋହିତ ବିସ୍ଥାପନ  (Gravitational Red Shift), ମହାକର୍ଷଣୀୟ ତରଙ୍ଗ (Garvitational Wave), ବିଗ୍‍ବ୍ୟାଙ୍ଗ୍‍ (Big Bang), ମହାଜାଗତିକ ପୃଷ୍ଠଭୂମି ବିକିରଣ (Cosmic Microwave Background Radiation) ………..ଇତ୍ୟାଦି ଅନେକ ଅନେକ ପରୀକ୍ଷଣରୁ ନୂଆ ନୂଆ ଦିଗମାନ ପ୍ରସ୍ଫୁଟିତ ହେବାରେ ଲାଗିଛି ।ଆହୁରି ମଧ୍ୟ ଅନୁମାନ କରାଯାଉଛି ଏ ବିଶ୍ୱ ସଙ୍କୁଚିତ ହୋଇ ଶେଷରେ ଏକବିନ୍ଦୁକୁ ପହଞ୍ଚିପାରେ, ଯାହା ମହାପ୍ରଳୟ(Big Chrunch)କୁ ବୁଝାଯାଏ । କାର୍ଯ୍ୟରତ  ଏଲ୍‍. ଏଚ୍‍. ସି. (Large Hadron Collidor)ରୁ ପ୍ରାପ୍ତ ସୂଚନାମାନ ବିଜ୍ଞାନ ଜଗତକୁ ଅନେକ ଆଗକୁ ନେବାର ଆଶା ପୋଷଣ କରାଯାଏ । ତେବେ ଭାରତୀୟ  ଯୋଗ ଦର୍ଶନ କହେ, ମାନବ ଶରୀରର ସୂକ୍ଷ୍ମରୂପରେ ଭରିରହିଛି ବିଶ୍ୱର ସମସ୍ତ ତତ୍ତ୍ୱାବଳୀ, ଯାହା ବଳରେ ମାନବ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ  ସୂଚନା ପାଇବାରେ ସାମର୍ଥ୍ୟ ଲାଭ କରିପାରେ । ଏଥିପାଇଁ ଶରୀରର ସୂକ୍ଷ୍ମ ଚିତ୍ରଣ ସମ୍ବନ୍ଧରେ କିଞ୍ଚିତ୍‍ ଧାରଣା ଆବଶ୍ୟକ ।

ମନୁଷ୍ୟ ଶରୀରରେ ଅସଂଖ୍ୟ ସୂକ୍ଷ୍ମ ପ୍ରାଣ – ପ୍ରବାହିନୀ ନାଡୀ ମଧ୍ୟରୁ ପନ୍ଦରଟି ମୂଖ୍ୟ ଅଟନ୍ତି, ଯଥା – ସୁଷୁମ୍ନା, ଇଡା, ପିଙ୍ଗଳା, ଗାନ୍ଧାରୀ, ହସ୍ତଜିହ୍ୱା, ପୁଷା,  ଯଶସ୍ୱିନୀ,  ଶୁରା, କୁହୁ, ସରସ୍ୱତୀ, କାରୁଣୀ, ଅଳମ୍ବୁଷା, ବିଶ୍ୱୋଦରୀ, ଶଙ୍ଖିନୀ ଓ ଚିତ୍ରା । ଏମାନଙ୍କ ମଧ୍ୟରୁ ତିନୋଟି ପ୍ରଧାନ ନାଡୀ – ସୁଷୁମ୍ନା, ଇଡା ଓ ପିଙ୍ଗଳାର ଯୋଗ ସହ        ଘନିଷ୍ଠ ସମ୍ପର୍କ ରହିଛି । ସୁଷୁମ୍ନା ସର୍ବଶ୍ରେଷ୍ଠ ନାଡୀ ଅଟେ, ଯାହା ଗୁହ୍ୟଦ୍ୱାର(ମୂଳାଧାର ଚକ୍ର) ରୁ ବାହାରି ମେରୁଦଣ୍ଡ ଭିତର ଦେଇ ଏକ ସୂକ୍ଷ୍ମ ନଳୀ ସଦୃଶ ମସ୍ତିସ୍କର  ଉପରକୁ ଯାଇଅଛି । ସୁଷୁମ୍ନା ମଧ୍ୟରେ ଏକ ବଜ୍ରନାଡୀ ଅଛି  । ବଜ୍ର ମଧ୍ୟରେ ଚିତ୍ରାଣୀ ଓ ଚିତ୍ରାଣୀ ମଧ୍ୟରେ ବ୍ରହ୍ମନାଡୀ ଅଛି  । ଗୁହ୍ୟଦ୍ୱାର ନିକଟର ବାମ ଭାଗରୁ ଇଡା  ଓ ଦକ୍ଷିଣ ଭାଗରୁ ପିଙ୍ଗଳା ବାହାରି ନାସିକାମୂଳ ପର୍ଯ୍ୟନ୍ତ ଯାଇଅଛି । ସେଠାରେ ଅର୍ଥାତ୍‍ ଭୂ – ମଧ୍ୟରେ (ଆଜ୍ଞାଚକ୍ରରେ) ସୁଷୁମ୍ନା, ଇଡା ଓ ପିଙ୍ଗଳା ପରସ୍ପର ସହ ମିଳିତ  ହୋଇଥିବାରୁ ଯୁକ୍ତତ୍ରିବେଣୀ ଓ ଗୁହ୍ୟଦ୍ୱାରଠାରୁ ପୃଥକ୍‍ ହୋଇଥିବାରୁ ମୁକ୍ତତ୍ରିବେଣୀର ଆଖ୍ୟା ଦିଆଯାଇଛି । ଇଡାକୁ ଗଙ୍ଗା, ପିଙ୍ଗଳାକୁ ଯମୁନା ଓ ସୁଷୁମ୍ନାକୁ  ସରସ୍ୱତୀ  କୁହାଯାଏ । ପୁନଶ୍ଚ ଇଡାକୁ ଚନ୍ଦ୍ର ନାଡୀ କୁହାଯାଏ ଓ ଏହା ତମଃ – ପ୍ରଧାନ, ପିଙ୍ଗଳାକୁ ସୂର୍ଯ୍ୟନାଡୀ କୁହାଯାଏ ଓ ଏହା ରଜଃ – ପ୍ରଧାନ ଏବଂ ସୁଷୁମ୍ନାକୁ ସତ୍ତ୍ୱ – ପ୍ରଧାନ  କୁହାଯାଏ । ଏହି ସମସ୍ତ ନାଡୀ ପ୍ରକାଶମୟ ଓ ଅଦ୍ଭୁତ ଶକ୍ତିଯୁକ୍ତ ଅଟେ । ତେବେ ତ୍ରିବେଣୀ ସଙ୍ଗମସ୍ଥଳ ହିଁ ତୀର୍ଥରାଜ ଅଟେ ଓ ଏହା ଶରୀରର ଭୂ – ମଧ୍ୟରେ ରହିଅଛି । ଲୋକବାଦାନୁସାରେ ଅସଂଖ୍ୟ ପାପକର୍ମ କରି ବାହ୍ୟ ତ୍ରିବେଣୀରେ ସ୍ନାନ କଲେ ସବୁ ପାପରୁ ମୁକ୍ତି ମିଳେ । ଯଦି ଏପରି ହୁଅନ୍ତା, ତେବେ ପାପକର୍ମ କରିବାରେ ଦ୍ୱିଧା    ରହିବ ନାହିଁ, କାରଣ ତ୍ରିବେଣୀରେ ସ୍ନାନକରି ସ୍ୱଅର୍ଜିତ ପାପକୁ ଧୋଇ ଦିଆଯିବ । କିନ୍ତୁ ମାନବ ତା’ର ପାପ ଓ ପୂଣ୍ୟ କର୍ମର ଫଳ ଯଥାକ୍ରମେ ଦୁଃଖ ଓ ସୁଖରୂପେ  ପ୍ରାପ୍ତହେବା ପ୍ରକୃତିର ନିୟମ ଅଟେ ।  ଜଣେ ପାପୀ, ତ୍ରିବେଣୀରେ ସ୍ନାନ ପୂର୍ବକ ପ୍ରତିଜ୍ଞାବଦ୍ଧ ହୋଇ ପାପକର୍ମରୁ ଦୂରେଇ ରହିଲେ ତା’ର ସାତ୍ତ୍ୱିକୀକରଣ ଆରମ୍ଭ ହୁଏ,   କିନ୍ତୁ ପୂର୍ବ ପାପରୁ ମୁକ୍ତି ପାଇବା ଅସମ୍ଭବ । ଯଥାର୍ଥରେ କୁହାଯାଇଛି – “କର୍ମ କରିଣ ଫଳ ପାଇ ……. ପ୍ରାଣୀ ତା ଅବଶ୍ୟ ଭୁଞ୍ଜଇ” ।

ତେଣୁ ଯଦି କେହି ଯୋଗମାର୍ଗରେ ରହି ମନକୁ ଏକାଗ୍ର କରି ଆଜ୍ଞାଚକ୍ରରେ ସନ୍ନିହିତ ତ୍ରିବେଣୀ ମଧ୍ୟରେ ଅର୍ଥାତ୍‍ ପରମେଶ୍ୱରଙ୍କ ଜ୍ଞାନ ଗଙ୍ଗାରେ ଭକ୍ତିପୂତ ସ୍ନାନ କରେ,  ସେ ବ୍ୟକ୍ତି କୁକର୍ମ କରିବା ଦୂରେ ଥାଉ, ତା’ର ପାପ କରିବାର ସକଳ ଇଛାର ପରିସମାପ୍ତି ଘଟିଥାଏ । ଜ୍ଞାନ ସଙ୍କଳନ ତନ୍ତ୍ରରେ କୁହାଯାଇଛି –

ଇଡା ଭାଗୀରଥୀ ଗଙ୍ଗା ପିଙ୍ଗଳା ଯମୁନା ନଦୀ

ତୟୋର୍ମଧ୍ୟ ଗଢା ନାଡୀ ସୁଷୁମ୍‍ଣାଖ୍ୟା ସରସ୍ୱତୀ

ତ୍ରିବେଣୀ ସଙ୍ଗମୋ ଯତ୍ର ତୀର୍ଥରାଜଃ ସ ଉଚ୍ୟତେ

ତତ୍ର ସ୍ନାନଂ ପ୍ରକୁର୍ବୀତ ସର୍ବ ପାପୈଃ ପ୍ରମୁଚ୍ୟତେ ।

ସୂକ୍ଷ୍ମ ଶରୀରର ସମସ୍ତ ପ୍ରାଣ – ପ୍ରବାହିନୀ ନାଡୀ ବୁଢିଆଣୀ ଜାଲପରି ଅତି ସୂକ୍ଷ୍ମ ଓ ଏମାନଙ୍କ ମିଳନସ୍ଥଳ ଗୁଡିକ ଶକ୍ତିକେନ୍ଦ୍ର ଅଟନ୍ତି, ଯାହାକୁ ପଦ୍ମ ବା ଚକ୍ର କୁହାଯାଏ ।  ଚକ୍ର ଆମ ଶରୀରର ବିଭିନ୍ନ ପ୍ରକାରର ଅଦ୍ଭୁତ ଶକ୍ତିଗୁଡିକର କେନ୍ଦ୍ର ଅଟେ  ।  ସବୁ ଚକ୍ର ମଧ୍ୟରୁ ସାତଟି ମୂଖ୍ୟ ଅଟେ,  ଯଥା  – ମୂଳାଧାର,  ସ୍ୱାଧିଷ୍ଠାନ,  ମଣିପୁର, ଅନାହତ, ବିଶୁଦ୍ଧ, ଆଜ୍ଞା ଓ ସହସ୍ରାର ଚକ୍ର । ଏହି ଚକ୍ରଗୁଡିକ ପଞ୍ଚତତ୍ତ୍ୱ, ପଞ୍ଚତନ୍ମାତ୍ର, ପଞ୍ଚଜ୍ଞାନେନ୍ଦ୍ରିୟ, ପଞ୍ଚକର୍ମେନ୍ଦ୍ରିୟ, ପଞ୍ଚପ୍ରାଣ, ଅନ୍ତଃକରଣ, ସମସ୍ତ ବର୍ଣ୍ଣ – ସ୍ୱର  ତଥା  ସପ୍ତଲୋକର ମଣ୍ଡଳ ଓ ନାନାପ୍ରକାର ପ୍ରକାଶ ଓ ବିଦ୍ୟୁତ୍‍ଯୁକ୍ତ ଅଟନ୍ତି ।  ଚକ୍ରଗୁଡିକ ସାଧାରଣ ଅବସ୍ଥା(Ground State)ରେ ପଦ୍ମକଢ ସଦୃଶ ଅଧୋମୁଖ      ହୋଇ ଅବିକଶିତ ରହିଥାନ୍ତି । ଯୋଗ ପ୍ରକ୍ରିୟା ଦ୍ୱାରା ଅଥବା ଅନ୍ୟ କୌଣସି ପ୍ରକାରରେ ଚକ୍ରଗୁଡିକ ଉତ୍ତେଜିତ ହେଲେ ଉର୍ଦ୍ଧ୍ୱମୁଖ ହୋଇ ବିକଶିତ ହୁଅନ୍ତି । ସେହି      ସମୟରେ ସେମାନଙ୍କର ଅଲୌକିକ ଶକ୍ତିର ପରିପ୍ରକାଶ ଘଟିଥାଏ । ଚକ୍ରମାନଙ୍କର  ସୂକ୍ଷ୍ମ ରୂପର  ବାସ୍ତବିକ ସ୍ଥାନ ଆନୁମାନିକ ଅଟେ ।

ଶରୀରର ଚକ୍ର ବର୍ଣ୍ଣନା (ସରଳୀକରଣ)

ଚକ୍ରର ନାମ ଅନ୍ତଃସ୍ରାବୀ ଗ୍ରନ୍ଥିଃ (Endocrine Gland) ଅଙ୍ଗ

(Organs)

ରଙ୍ଗ

(Colour)

ମୂଳତତ୍ତ୍ୱ କାର୍ଯ୍ୟ

(Functions)

ସ୍ୱାଭାବିକ ମାନସିକ ଆବେଗ

(Emotions)

ମୂଳାଧାର (Pelvic Plexus) ଆଡ୍ରିନାଲ୍‍ ଓ  ସୁପ୍ରାରେନାଲ୍‍ ବୃକକ୍‍,ମୂତ୍ରାଶୟ,  ମେରୁଦଣ୍ଡ ଲାଲ୍‍ ପୃଥିବୀ କାମଜ ଶକ୍ତିଭରା  ଭାବପ୍ରବଣତା

କେନ୍ଦ୍ର

(+) ପ୍ରଚୁରତା        (-) ସ୍ୱଚ୍ଛତା
ସ୍ୱାଧିଷ୍ଠାନ (Hypogastric Plexus) ଅଣ୍ଡକୋଷ

ଡିମ୍ବାଶୟ

ପ୍ରଜନନ ଜନିତ ଅଙ୍ଗ,  ଗୋଡ ନାରଙ୍ଗୀ ଜଳ ବଞ୍ଚି ରହିବାର  ପ୍ରବାହ, ନୈସର୍ଗିକ  ଜୀବନୀ ଶକ୍ତି,        କୁଣ୍ଡଳିନୀର ସ୍ଥାନ,  ସୃଜନ ଶକ୍ତି ସମ୍ପନ୍ନ  ଭାବପ୍ରକାଶ (+)ସୃଜନ, ଉଦ୍ଭାବନ,  କଳ୍ପନା ପ୍ରବଣତା        (-)କାମପିପାସା
ମଣିପୁର (Epigastric Plexus) ଅଗ୍ନାଶୟ ପାକସ୍ଥଳୀ,ଯକୃତ୍‍,  ପିତ୍ତାଶୟ,ସ୍ନାୟୁମଣ୍ଡଳ,  ପରିପାକ କ୍ରିୟା ପଦ୍ଧତି ହରିଦ୍ରା ଅଗ୍ନି ଶକ୍ତି ଓ ଜ୍ଞାନର କେନ୍ଦ୍ର (+)ସନ୍ତୋଷ              (-)ଇର୍ଷା,  ପରଶ୍ରୀକାତରତା
ଅନାହତ (Cardiac Plexus) ବେକର ଆବୁ  ସଦୃଶ ଗ୍ରନ୍ଥି

(Thymus)

ହୃତ୍‍ପିଣ୍ଡ, ଫୁସ୍‍ଫୁସ୍‍,  ଯକୃତ୍‍,ହାତ,   ସଞ୍ଚାରଣଶୀଳ ପ୍ରଣାଳୀ ସବୁଜ ବାୟୁ ସ୍ନେହ, ପ୍ରେମ, ପ୍ରୀତି,   ଅନୁରାଗ, କରୁଣା,   ଦୟା,ସମବେଦନା (+)ସ୍ନେହ, ପ୍ରେମ, ପ୍ରୀତି,  ଅନୁରାଗ                   (-)ଅତ୍ୟଧିକ ଘୃଣା,  ଦ୍ୱେଷ
ବିଶୁଦ୍ଧ (Carotid  Plexus) ଗଳଗ୍ରନ୍ଥି

(Thyroid)

ଗଳା,ଫୁସ୍‍ଫୁସ୍‍, ଖାଦ୍ୟନଳୀ, ବାୟୁନଳୀ

 

ନୀଳ ଆକାଶ ଆତ୍ମଭାବ ପ୍ରକାଶ,    ଭାବର ଆଦାନ ପ୍ରଦାନ,  ଗଭୀର ଅନ୍ତଃର୍ଦୃଷ୍ଟି, ଦିବ୍ୟ  ଦୃଷ୍ଟି, ଭବିଷ୍ୟତ ଦୃଷ୍ଟି (+)କୃତଜ୍ଞତା                 (-)ଦୁଃଖପୂର୍ଣ୍ଣ
ଆଜ୍ଞା (Third Eye) (Medula Plexus) ପିଟୁଇଟାରୀ (Pituitary) ସ୍ୱୟଂଚାଳିତ ସ୍ନାୟୁ ମଣ୍ଡଳୀ,  ନିମ୍ନ ମସ୍ତିସ୍କ, ବାମ ଚକ୍ଷୁ,  ବାୟୁନଳୀ ଘନନୀଳ ଆକାଶ ଇଛା ଶକ୍ତିର ସ୍ଥାନ,         ଅନ୍ତର୍ଜ୍ଞାନ ଲବ୍‍ଧ କେନ୍ଦ୍ର,   ଗଭୀର ଅନ୍ତଃର୍ଦୃଷ୍ଟି, ଦିବ୍ୟ   ଦୃଷ୍ଟି, ଭବିଷ୍ୟତ ଦୃଷ୍ଟି (+)ସତର୍କତା                 (-)କ୍ରୋଧ
ସହସ୍ରାର (Cerebral Plexus) ପିନିୟଲ୍‍ ଗ୍ରନ୍ଥି

(Pineal Gland)

ଉପର ମସ୍ତିସ୍କ, ଦକ୍ଷିଣ ଚକ୍ଷୁ ବାଇଗଣି ଆକାଶ ମହାଜାଗତିକ ବୌଦ୍ଧିକ     ସଂଯୋଜନା

ଶରୀରର ଚକ୍ର ବର୍ଣ୍ଣନାରୁ ବୋଧଗମ୍ୟ ହୁଏ ଯେ, ମାନବ ହିଁ ଇନ୍ଦ୍ରଧନୁ ସଦୃଶ ଦୃଶ୍ୟମାନ ବର୍ଣ୍ଣାଳୀ(ସପ୍ତବର୍ଣ୍ଣ)ର ଉତ୍ସ ଅଟେ । ପୁନଶ୍ଚ ଏ ଶରୀରକୁ ସପ୍ତ ଶକ୍ତି ସ୍ତରର      ସମାହାର ରୂପେ ବିବେଚନା କରାଯାଇପାରେ । ତେବେ ନିମ୍ନ ଶକ୍ତିସ୍ତରକୁ ମୂଳାଧାର ଓ ସର୍ବୋଚ୍ଚ ଶକ୍ତିସ୍ତରକୁ ସହସ୍ରାର କୁହାଯାଏ । ଚକ୍ରରୁ ଚକ୍ରକୁ ମାନସିକ ଲମ୍ଫ  ପ୍ରଦାନର ସୂକ୍ଷ୍ମ ରହସ୍ୟ, ଆଲୋକର କେନ୍ଦ୍ରୀକରଣ ଓ ବିକେନ୍ଦ୍ରୀକରଣ ଆଦି ସହ ଶରୀରର ବାହ୍ୟ ପ୍ରକ୍ରିୟା ପ୍ରକାଶିତ ହୁଏ । ସପ୍ତ ଶକ୍ତିସ୍ତର ସହ ସମ୍ପୃକ୍ତ ଅନ୍ତଃସ୍ରାବୀ    ଓ   ପଞ୍ଚଭୂତ ତତ୍ତ୍ୱ ଆଦି ସାରଣୀରେ ଦର୍ଶାଯାଇଛି । ଚକ୍ର ଭେଦନ ନିମିତ୍ତ ମୁନି, ଯୋଗୀମାନେ ଅଷ୍ଟାଙ୍ଗ ଯୋଗ ପଦ୍ଧତିକୁ ବିଭିନ୍ନ ଭାବେ ସରଳୀକରଣ କରିଛନ୍ତି । ଶରୀରର ଶକ୍ତିସ୍ତର ଗୁଡିକୁ ଉତ୍ତେଜିତ କରିବାପାଇଁ ତତ୍‍ସଂଲଗ୍ନ ପ୍ରାଣାୟାମମାନ ରହିଅଛି । ପ୍ରାଣାୟାମର ତାତ୍ତ୍ୱିକ ରହସ୍ୟ ଓ ବାହ୍ୟ ପ୍ରକାଶ ବର୍ଣ୍ଣନାର ବିଶାଳ ରୂପ  ଆଦିରେ ବୈଜ୍ଞାନିକ ସିଦ୍ଧାନ୍ତମାନ ସମାନ୍ତରାଳ ଭାବେ ଭରି ରହିଛି । ତେଣୁ ଯୋଗ ପଦ୍ଧତିକୁ ପ୍ରତ୍ୟେକ ବ୍ୟକ୍ତି ଗ୍ରହଣ କରିବା ପୂର୍ବକ ସୁସ୍ଥ ଶରୀର, ସୁସ୍ଥ ସମାଜ ଓ        ସୁସ୍ଥ ପୃଥିବୀ ଗଠନରେ ନିଜକୁ ନିୟୋଜିତ କରି ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ଏକାନ୍ତ କାମ୍ୟ ଅଟେ ।

ଓଁ ଅସତୋ ମା’ ସଦ୍‍ଗମୟ

ତମସୋ ମା’ ଜ୍ୟୋତିର୍ଗମୟ

ମୃତ୍ୟୋ – ର୍ମା ଅମୃତଂ ଗମୟ ।

ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।

——————————————————————————————————————————–

Published in the College Magazine,ପୂରବୀ – ୨୦୧୦ -୧୧  “PURABI”, Dharanidhar Autonomous Collega, Keonjhar, Odisha.

 

 

 

 

 

 

 

Leave a Reply

Your email address will not be published. Required fields are marked *