ସବୁ ଅଙ୍କ ଭୂଲ୍ ହୋଇଯାଏ
ପ୍ରକୃତିର ଅନବଚ୍ଛେଦ ସ୍ଥାନ – କାଳ ବ୍ୟାପାର (Space – Time Continuum) ପରିସର ମଧ୍ୟରେ କାରଣ (Cause) ଓ ଘଟଣା (Event) ଗୁଡିକର ଅହରହ ସୂତ୍ରପାତ ହେଉଅଛି । ପଦାର୍ଥବିଜ୍ଞାନ ତତ୍ତ୍ୱାନୁସାରେ ଏ ବିଶ୍ୱ – ବ୍ରହ୍ମାଣ୍ଡର ସୃଷ୍ଟି ରହସ୍ୟପୂର୍ଣ୍ଣ ଅଟେ । ବିଜ୍ଞାନ କହେ ଏହା ସ୍ଥାନ ଓ କାଳର କ୍ଷଣିକ ସଂଯୋଗୀକରଣର ଫଳାଫଳ ଅଟେ । ପ୍ରମାଣିତ ହୋଇଛି ଯେ, ଏକ ପ୍ରଚଣ୍ଡ ବିସ୍ଫୋରଣ(Big Bang), ଆଜିର ବିଶ୍ୱ ସୃଷ୍ଟିର କାରଣ ଅଟେ । ଏଥିରେ ଭରି ରହିଛି କୋଟି କୋଟି ଗ୍ୟାଲାକ୍ସି । ଛାୟାପଥ ଗ୍ୟାଲାକ୍ସି(Milky Way) ର ଏକ ମଧ୍ୟମ ତାରକା ସୂର୍ଯ୍ୟ, ଯାହାର ପରିବାରକୁ କୁହାଯାଏ ସୌରଜଗତ । ପୃଥିବୀ ଏ ପରିବାରର ଏକ ବିଶିଷ୍ଟ ଗ୍ରହ, କାରଣ ଏହା ସୁନ୍ଦର, ସବୁଜ , ବାୟୁମଣ୍ଡଳ ଭରା ଓ ଜୀବଜଗତପୂର୍ଣ୍ଣ । ବିବର୍ତ୍ତନ ବାଦର ସୋପାନ ପରେ ସୋପାନ ଅତିକ୍ରମ କରି ପୃଥିବୀରେ ବୁଦ୍ଧିମାନ ଜୀବ ରୂପେ ମାନବ ଆଜି ଦଣ୍ଡାୟମାନ । ଯୁଗ ପରେ ଯୁଗ ଅତିବାହିତ ସହ ମାନବିକ ଜ୍ଞାନକୌଶଳର ପରିସୀମା ଆଧ୍ୟାତ୍ମିକ ଚେତନାରୁ ଆରମ୍ଭକରି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଆଦିରେ ସୂକ୍ଷ୍ମ ଓ ସ୍ଥୂଳ ରୂପରେ ଜଡିତ ହୋଇଯାଇଛି । ପ୍ରକୃତିର ରହସ୍ୟ ଓ ମୁକ୍ତ ଚିନ୍ତାଧାରାର ସମ୍ମିଶ୍ରଣରୁ ସୃଷ୍ଟିହୁଏ ବିଜ୍ଞାନ । ଭାବନା ରାଜ୍ୟର ଅନ୍ତଃ ନାହିଁ । ତେଣୁ ଜ୍ଞାନ ସମୁନ୍ଦ୍ରର ଅନ୍ତଃ ନାହିଁ । ଜଳ, ସ୍ଥଳ ଓ ଆକାଶ ମାର୍ଗକୁ ଜ୍ଞାନର ପରିସୀମା ପରିବ୍ୟାପ୍ତ ହୋଇ ମାନବ ଆଜି ଅଗାଧ ଜ୍ଞାନକୌଶଳର ଅଧିକାରୀ । ତେବେ ସମୟର ଅନାଦି ଓ ଅନନ୍ତ ରୂପକୁ ତର୍ଜମା କରିବା ଓ ଏହାର ସୂକ୍ଷ୍ମ ସ୍ୱରୂପ (Fine Structure) କୁ ଜାଣିବା ଦୁଃସାଧ୍ୟ ଜଣାପଡେ । ସମୟ ଅଦୃଶ୍ୟମାନ କିନ୍ତୁ ଏହା ସର୍ବତ୍ର ବିଦ୍ୟମାନ । ସମୟ ଅକ୍ଷ(Time Axis) ଓ ସମୟର ବର୍ଣ୍ଣାଳୀ (Spectrum of Time Variable) ସହିତ ସ୍ଥାନର କିଭଳି ଭାବରେ ସମ୍ପର୍କ ଅଛି, ତାହାର ନିଗୂଢ ରହସ୍ୟ ଅତ୍ୟନ୍ତ କଠିନତମ ବ୍ୟାପାର ଅଟେ । ସମୟର ଗତି ଆଗକୁ ବଢି ଚାଲିଛି । ମହାମାନବ ଆଇନ୍ଷ୍ଟାଇନ୍ଙ୍କ ସ୍ୱତନ୍ତ୍ର ଆପେକ୍ଷିକ ତତ୍ତ୍ୱ (Special Theory of Relativity)ରେ ଦର୍ଶାଯାଇଛି ଯେ, ଜଣେ ବ୍ୟକ୍ତି ଯଦି ଏକ ଯାନରେ ବସି ଆଲୋକର ପାଖାପାଖି ବେଗରେ ଧାବମାନ ହୁଏ, ତେବେ ତା’ର ଘଣ୍ଟା କଣ୍ଟାର ଗତି ପୃଥିବୀରେ ସ୍ଥିର ଥିବା ପର୍ଯ୍ୟବେକ୍ଷକର ଘଣ୍ଟାକଣ୍ଟାର ଗତିଠାରୁ ଧିମେଇ ଯିବାର ଅନୁଭୂତ ହେବ । ଅର୍ଥାତ୍ ଯାନରେ ଥିବା ବ୍ୟକ୍ତିର ବୟସ ବୃଦ୍ଧି ମନ୍ଥର ହେବ । ଏହାକୁ ସମୟର ବିସ୍ତାରଣ କୁହାଗଲା । ତେବେ ବେଗ ସହ ସମୟର ସମ୍ପର୍କ ଅତି ନିବିଡ । ଆପେକ୍ଷିକ ତତ୍ତ୍ୱରେ ବେଗ ବୃଦ୍ଧି ସହ ସମୟର ଗତି ମନ୍ଥର ହୁଏ । ସେହିପରି ଗତିଶୀଳ ବସ୍ତୁର ବେଗ ବୃଦ୍ଧିରେ ଗତି ଦିଗରେ ବସ୍ତୁର ଦୈର୍ଘ୍ୟ କମିଯିବାର ସ୍ଥିର ଥିବା ପର୍ଯ୍ୟବେକ୍ଷକକୁ ଜଣାପଡିବ । ଏହାକୁ ଦୈର୍ଘ୍ୟ ସଂକୋଚନ (Length Contraction) କୁହାଯାଏ । ପୁନଶ୍ଚ ବସ୍ତୁର ସ୍ଥିର ଓ ଆଲୋକର ପାଖାପାଖି ବେଗରେ ଧାବମାନ ଅବସ୍ଥାରେ ବସ୍ତୁତ୍ୱ ଅସମାନ । ଧାବମାନ ହେଲେ ବସ୍ତୁତ୍ୱ ବୃଦ୍ଧି ପରିଲକ୍ଷିତ ହେବାର ବିଭିନ୍ନ ପର୍ଯ୍ୟବେକ୍ଷଣର ବିଶ୍ଳେଷଣରୁ ସୂତ୍ରପାତ ହୁଏ । ଏହି ତିନି ପ୍ରକାର ତଥ୍ୟର ଗାଣିତିକ ସୂତ୍ର ନିମ୍ନରେ ଦର୍ଶାଗଲା ।
(a) ∆t = ∆t′ /(1 – v2/c2)1/2
(b) L = L0 (1 – v2/c2)1/2
(c) m = m0 /(1 – v2/c2)1/2
⇒ ∆t > ∆t′ , L < L0 and m > m0
ଏଠାରେ, ∆t = ସ୍ଥିରଥିବା ପର୍ଯ୍ୟବେକ୍ଷକର ଘଣ୍ଟାରେ ସମୟର ବ୍ୟବଧାନ
∆t′ = ଗତିଶୀଳ ଥିବା ପର୍ଯ୍ୟବେକ୍ଷକର ଘଣ୍ଟାରେ ସମୟର ବ୍ୟବଧାନ ।
ଅର୍ଥାତ୍ ଗତିଶୀଳ ଫ୍ରେମ୍ରେ କୌଣସି ଏକ ବିନ୍ଦୁରେ ଘଟୁଥିବା ଦୁଇଟି ଘଟଣା ମଧ୍ୟରେ ସମୟର ବ୍ୟବଧାନ ଦୁଇ ପର୍ଯ୍ୟବେକ୍ଷକଙ୍କ ପର୍ଯ୍ୟବେକ୍ଷଣର ଫଳାଫଳ ।
v = ଗତିଶୀଳ ପର୍ଯ୍ୟବେକ୍ଷକର ଅଥବା ବସ୍ତୁର ବେଗ ।
c = ଆଲୋକର ବେଗ (ଶୂନ୍ୟ ସ୍ଥାନରେ) ।
L0 = ସ୍ଥିର ବସ୍ତୁର କୌଣସି ଏକ ଅକ୍ଷ(Axis)ର ସମାନ୍ତରାଳ ଦିଗରେ ଦୈର୍ଘ୍ୟ ।
L = ବସ୍ତୁଟି ସେହି ଅକ୍ଷ ଦିଗରେ ଧାବମାନ ହେଲେ ତା’ର ଆପେକ୍ଷିକ ଦୈର୍ଘ୍ୟ ।
m0 = ସ୍ଥିର ଥିବା ସମୟରେ କଣିକାଟିର ବସ୍ତୁତ୍ୱ ।
m = କଣିକାଟି ଧାବମାନ ହେଲେ ତା’ର ଆପେକ୍ଷିକ ବସ୍ତୁତ୍ୱ ।
ତେବେ ସ୍ଥିର ପର୍ଯ୍ୟବେକ୍ଷକକୁ ଜଣାପଡିବ ଯେ, ଗତି କରୁଥିବା ପର୍ଯ୍ୟବେକ୍ଷକର ଘଣ୍ଟା ଧିମେଇ ଚାଲୁଛି କିମ୍ବା ଗତିଶୀଳ ପର୍ଯ୍ୟବେକ୍ଷକର ବୟସ ବୃଦ୍ଧି ଗତିହୀନ ପର୍ଯ୍ୟବେକ୍ଷକଠାରୁ ମନ୍ଥର ହେଉଛି । ସେହିପରି ଦୈର୍ଘ୍ୟ ସଂକୋଚନ ପ୍ରକ୍ରିୟା ବୁଝାଯାଏ । ଏହି ଦୁଇ ତତ୍ତ୍ୱର ଓଲଟ ଭାବର ଫାଳାଫଳ ମଧ୍ୟ ସମାନ ଅଟେ । ଯଦି
v = c ହୁଏ, ତେବେ ∆t → ∞ (Infinite), L → ୦ ଏବଂ m → ∞ ହେବ । ତେଣୁ ଏହା ଏକ ଘଡିସନ୍ଧି ମୁହୂର୍ତ୍ତ ଅଟେ ।
ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, ବ୍ୟକ୍ତିଟି ଆଲୋକର ବେଗରେ ଗତିକଲେ, ତା’ପାଇଁ ସମୟସ୍ରୋତ ଧିମା ହୋଇଯାଏ କିମ୍ବା ବୟସ ବୃଦ୍ଧି(Ageing) ଧିମା ହୁଏ । ଗତିର ଦିଗରେ ବସ୍ତୁର ଦୈର୍ଘ୍ୟ ଶୂନ ବା ଅଦୃଶ୍ୟମାନ ହୁଏ ଓ ଏହି ଚତୁଃ – ଅକ୍ଷ ପରିସରଭୁକ୍ତ ବିଶ୍ୱରେ ବସ୍ତୁଟି କୌଣସି ଅକ୍ଷ ସହ ସମାନ୍ତରାଳ ନରହି ଗତି କଲେ ତ୍ରିଦିଗରୁ ଦୈର୍ଘ୍ୟ ଶୂନ୍ୟ ହୋଇଯାଏ, ଅର୍ଥାତ୍ ବସ୍ତୁଟି ଅଦୃଶ୍ୟ ହୁଏ । ପୁନଶ୍ଚ ଆଲୋକର ଗତିରେ କଣିକା ବା ବସ୍ତୁର ଆପେକ୍ଷିକ ବସ୍ତୁତ୍ୱ ବୃଦ୍ଧି ଅନନ୍ତ ମାପକାଠି ଯାଏଁ ପରିବ୍ୟାପ୍ତ ହୁଏ । କିନ୍ତୁ ଆଲୋକର ଗତିକୁ ବସ୍ତୁଟିକୁ ତ୍ୱରାନ୍ୱିତ କରିବାପାଇଁ ଅନନ୍ତ ପରିମାଣର ବାହ୍ୟବଳ ଆବଶ୍ୟକ । ଯଦ୍ୟପି ବସ୍ତୁଟି ଏହି ବସ୍ତୁତ୍ୱରେ ପହଞ୍ଚେ, ତେବେ ଏହାର ଅନନ୍ତ ମାଧ୍ୟାକର୍ଷଣ ବଳ ବିଶ୍ୱର ସମସ୍ତ ବସ୍ତୁକୁ ନିଜ ଆଡକୁ ଟାଣି ଆଣିବ । ଏହା ଏକ ମହାକୃଷ୍ଣଗର୍ତ୍ତ(Grand Black Hole)ସାଜି ସମଗ୍ର ବିଶ୍ୱକୁ ନିଜ ଗର୍ଭରେ ଲୀନ କରାଇବାହିଁ ସାର ହେବ । ତେବେ ବସ୍ତୁତ୍ୱ ଥିବା କଣିକାର ଗତି ଆଲୋକର ବେଗକୁ ପହଞ୍ଚିବା ଆଦୌ ସମ୍ଭବ ନୁହେଁ । ଅଦ୍ୟାବଧି ଏହା ମାନବୀୟ ଜ୍ଞାନକୌଶଳରୁ ପର୍ଯ୍ୟବେକ୍ଷିତ ଗତିର ମାତ୍ରା ପାଇଁ ସୀମାରେଖା(Boundary line), ଯେଉଁଠି ସମସ୍ତ ତତ୍ତ୍ୱର ପରିସ୍ଫୁଟତା ଭୂଲ୍ ବା ଅକାମୀ ହୋଇଯାଏ । ତେଣୁ ବେଗର ସୀମାହିଁ ଆଲୋକର ବେଗ । ବସ୍ତୁର ବେଗ ଦ୍ରୁତତର ହେଲେ, ଅଦୃଶ୍ୟମାନ ସମୟ ସ୍ରୋତ ମନ୍ଥର ହୁଏ ଓ ଦଖଲ ସ୍ଥାନର ପରିସୀମା କ୍ଷୟ ହେବାର ଦର୍ଶାଏ । ବସ୍ତୁଟି ବେଗଶୂନ୍ୟ ହେଲେ, ଅଦୃଶ୍ୟମାନ ସମୟ ସ୍ରୋତ ଦୃଶ୍ୟମାନ ସ୍ଥାନ ମଧ୍ୟରେ ପ୍ରଖର ହୁଏ । କିନ୍ତୁ ସ୍ଥାନ – କାଳ ଓ ବେଗ ମଧ୍ୟରେ ଆହୁରି କ’ଣ କ’ଣ ନିବିଡତା ଭରି ରହିଛି, ତାହା ଅଦ୍ୟାବଧି ଅଜଣା ଅଟେ । ପରନ୍ତୁ ଏହା ଉପରେ ବୈଜ୍ଞାନିକ ଗବେଷଣା ଦ୍ରୁତ ଗତିରେ ଆଗେଇ ଚାଲିଛି ।
ଆଇନ୍ଷ୍ଟାଇନ୍ଙ୍କ ମହାକର୍ଷଣୀୟ ସୂକ୍ଷ୍ମ ଖଣ୍ଡିତ ତତ୍ତ୍ୱ(Gravitational Quantum Theory)ର ପଶ୍ଚାତ୍ଧାବନରୁ ଉନ୍ମୋଚନ ହେଲା ବିଶ୍ୱର ଅତୀତ ଜୀବନାବଳୀର ନିଗୂଢ ରହସ୍ୟମାନ । ଆଜିଠୁ ପ୍ରାୟ 1370 କୋଟି ବର୍ଷର ଅତୀତ ବିଶ୍ୱ – ଦୃଶ୍ୟପଟ୍ଟର ଧାରଣା ଅବଗତ ହୋଇପାରିଲା । କିନ୍ତୁ ବିଶ୍ୱ ସୃଷ୍ଟି ସମୟ ବା ଶୂନକାଳ (Zero Time) ର ଘଟଣା ରହିଗଲା ଅନ୍ତରାଳରେ । ପଶ୍ଚାତ୍ଧାବନରେ 10-43 ସେକେଣ୍ଡରୁ ଶୂନକାଳ ମଧ୍ୟରେ ବିଜ୍ଞାନର ସମସ୍ତ ତତ୍ତ୍ୱ ଅକାମୀ ହୋଇଗଲା । ମାନବର ସମସ୍ତ ଜ୍ଞାନ ଏଠାରେ ନତମସ୍ତକ । ଏହି ଧାରାରେ ଯଦି ଆଜିର ବୁଦ୍ଧିମାନ ମାନବ ପାଇଁ ଚିନ୍ତା କରାଯାଏ, ତେବେ ଏହି ସ୍ଥାନ – କାଳ ପରିସରଭୂକ୍ତ ଦୁନିଆଁରେ ମଧ୍ୟ ଆମ ପାଇଁ ଘୋର ସଙ୍କଟ ଆସେ, ଯେଉଁଠି ସମସ୍ତ ବୁଦ୍ଧି ପ୍ରୟୋଗର ବିଯୁକ୍ତାତ୍ମକ ଫଳାଫଳ ପରିଲକ୍ଷିତ ହୁଏ । ଏହାହିଁ ପ୍ରକୃତିର ନିୟମ ଓ ଏହାର ସମସ୍ତ ନିଗୂଢ ରହସ୍ୟର ଅନନ୍ତ ସାଗରକୁ ପାରିହେବା ମାନବ ପକ୍ଷରେ ସମ୍ପୂର୍ଣ୍ଣ ଦୁଃସାଧ୍ୟ ଅଟେ । ପ୍ରକୃତିକୁ ଜୟ କରିବାର ଦୁର୍ବାର ପିପାସା ଏକ ବୃଥା ଅପଚେଷ୍ଟା ମାତ୍ର । ସମସ୍ତ ସୃଷ୍ଟି ପ୍ରକୃତିର ନିୟମ ଓ ପରିବେଷ୍ଟନୀ ମଧ୍ୟରେ ସୀମାବଦ୍ଧ । ସର୍ବେ ସ୍ଥାନ – କାଳ ଚତୁଃ – ଅକ୍ଷ ଅନନ୍ତ ପରିସର ମଧ୍ୟରେ କାର୍ଯ୍ୟରତ । ଜନ୍ମରୁ ମୃତ୍ୟୁ ଯାଏଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନ ଦଖଲ ପୂର୍ବକ ମାନବ ତା’ର କ୍ରିୟା କରୁଛି । ଏହି ପରିସର ମଧ୍ୟରେ ଏକ ବିନ୍ଦୁ (x,y,z,t) ସଭିଙ୍କ ନିମିତ୍ତ ଭିନ୍ନ । ଯଦି ଏକ ସମୟରେ କୋଟି କୋଟି ଜୀବ ସୃଷ୍ଟି ହେଲେ, ତେବେ ସେମାନଙ୍କ ପାଇଁ ‘t’ ସମାନ,କିନ୍ତୁ (x,y,z)ଅସମାନ । ପୁନଶ୍ଚ ‘t’ ଭିନ୍ନ ଥାଇ (x,y,z)ସମାନ ଓ ଅସମାନ ମଧ୍ୟ ହୋଇପାରିବ । ସ୍ଥୂଳ ତତ୍ତ୍ୱ ଭିନ୍ନ ସୂକ୍ଷ୍ମ ତତ୍ତ୍ୱରେ ଏହାର ମଧ୍ୟ ବ୍ୟତିକ୍ରମ ରହିଛି । ଜୀବନକାଳ ମଧ୍ୟରେ (x,y,z,t) ବଦଳି ଚାଲିଥାଏ ଓ ଆମର ସବୁ କ୍ରିୟା ଏହି କାଳ – ଅକ୍ଷ(Time Axis)ର ଆୟତ୍ତାଧିନ ଅଟେ । କାଳର କରାଳ ଗତି ସତ୍ୟର ନିଚ୍ଛକ ଉପାଦାନ ରୂପେ ଆମ ସମ୍ମୁଖରେ ଉପସ୍ଥିତ । ସମୟର ଅପବ୍ୟବହାର କିମ୍ବା ପ୍ରକୃତି ବିରୁଦ୍ଧ କାର୍ଯ୍ୟର କ୍ଷମା ନାହିଁ । ତେବେ ଜୀବନ ସ୍ରୋତକୁ ଦୃଷ୍ଟି ନିକ୍ଷେପ କରି ଭକ୍ତ କବି ମଧୁସୂଦନ ରାଓ “ଜୀବନ ଚିନ୍ତା” କବିତାରେ ଯଥାର୍ଥରେ କହିଛନ୍ତି –
ରେ ଆତ୍ମନ୍ ! ନିଦ୍ରା ପରିହରି
ଫେଡି ଚିନ୍ତାର ଲୋଚନ – କରକର ନିରୀକ୍ଷଣ
ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି
ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ ।
ପଦାର୍ଥବିତ୍ ମାକ୍ସ୍ ପ୍ଲାଙ୍କ୍ (Max Planck) କୃଷ୍ଣବସ୍ତୁର ବିକିରିତ ବର୍ଣ୍ଣାଳୀକୁ ବୁଝାଇବାକୁ ଯାଇ ଏକ ସତ୍ୟରେ ଉପନୀତ ହେଲେ ଯେ, ଆଲୋକର ମୂଳ ପ୍ରକୃତି ତରଙ୍ଗ ଥିବା ସତ୍ତ୍ୱେ, ଏହାର ମଧ୍ୟ କଣିକା ପ୍ରକୃତି ଥିବାର ପରିପ୍ରକାଶ କରାଏ । ଏହାକୁ ଅନୁଧ୍ୟାନ ପୂର୍ବକ ଫରାସୀ ପଦାର୍ଥବିତ୍ ଡି. ବ୍ରୋଗ୍ଲି (de Broglie) ଦର୍ଶାଇଲେ ଯେ, ବିକିରଣର ଦ୍ୱୈତ ପ୍ରକୃତି ସ୍ୱରୂପ କଣିକାର ମଧ୍ୟ ରହିପାରିବ । ଅର୍ଥାତ୍ ବସ୍ତୁର ସ୍ଥୂଳ ପ୍ରକୃତି କଣିକା ଅଟେ ଓ ଏହା ମଧ୍ୟ ତରଙ୍ଗର ରୂପ ଦେଖାଇ ପାରିବ । ଏହି ଭାବକୁ ଡାଭିସନ୍ ଏବଂ ଜର୍ମର(Davison and Germer)ନିକେଲ୍ କ୍ରିଷ୍ଟାଲ୍ରେ ଇଲେକ୍ଟ୍ରନ୍କୁ ଡିଫ୍ରାକ୍ସନ୍ (Diffraction)କରାଇ, ଏକ ନିର୍ଦ୍ଦିଷ୍ଟ ପରିବେଶରେ ଏହା ସମ୍ପୂର୍ଣ୍ଣ ତରଙ୍ଗ ପ୍ରକୃତି ଦର୍ଶାଇ ପାରୁଛି ବୋଲି ପ୍ରତିପାଦନ କଲେ । ତେବେ କଣିକାର ଗତିଶୀଳ ଅବସ୍ଥାର ଏକ ନିର୍ଦ୍ଦିଷ୍ଟ ପରିପ୍ରେକ୍ଷୀରେ ବସ୍ତୁ – ତରଙ୍ଗ(Matter Wave) ରୂପେ ଓ ଏହା ବାଦ୍ କଣିକା ରୂପେ ବ୍ୟାଖ୍ୟା କରାଗଲା । ସେଥିପାଇଁ ଏକ ସୀମା ରହିଲା । ସୀମାର ପଶ୍ଚାତ୍ ଓ ସମ୍ମୁଖ ଭାଗ ହିଁ ଦ୍ୱୈତ ପ୍ରକୃତିର ପରାକାଷ୍ଠା । ଏହି ଧାରାରେ ଜୀବନ ସ୍ରୋତରେ ମଧ୍ୟ ସୀମାରେଖା ପରିଲକ୍ଷିତ ହୁଏ, ଯଥା – ଜନ୍ମ ଓ ମୃତ୍ୟୁ । ସ୍ଥାନ ଦଖଲ କରିଥିବା ଦୃଶ୍ୟମାନ ଜୀବ ମୃତ୍ୟୁ ସମୟରେ ପଞ୍ଚଭୂତ ଶରୀର ତ୍ୟାଗ ପୂର୍ବକ ଅବିନଶ୍ୱର ଆତ୍ମା ସମୟ ଅକ୍ଷକୁ ଚାଲିଯିବାର ଅନୁମେୟ ହୁଏ । ତେଣୁ ଏତାଦୃଶ ଚିନ୍ତାଧାରାର ବାର୍ତ୍ତା ଏହିପରି –
ହେ ଅନାଦି – ଅନନ୍ତ – ଅଦୃଶ୍ୟ – ସର୍ବ ପରିବ୍ୟାପ୍ତ ମହାକାଳ ! ତୁମ ବକ୍ଷ ଅସଂଖ୍ୟ ସୃଷ୍ଟିର ସମ୍ଭାରରେ କୋଳାହଳମୟ । ତୁମ ବିଚିତ୍ରତାରେ କ’ଣ ଯେ ଭରି ରହିଛି, ତାହା ସବୁ ମାନବ ନିକଟରେ ଅଜ୍ଞ ଅଟେ । ସମସ୍ତ ସ୍ଥାନ – ଶୂନ୍ୟ ଜୀବ ବା ଆତ୍ମା ମଧ୍ୟ ତୁମ ବକ୍ଷରେ କାର୍ଯ୍ୟରତ, କିନ୍ତୁ ସ୍ଥୂଳ ଚକ୍ଷୁକୁ ଅଦୃଶ୍ୟ । ସମସ୍ତ ସ୍ଥାନ ତୁମଠାରେ ଲୀନ ହେଲେ ମହାପ୍ରଳୟ ଘଟେ ଓ ପୁନଃ ମହାସୃଷ୍ଟିର ସମ୍ଭାର ଘଟେ । ସନ୍ଥକବି ଭୀମଭୋଇଙ୍କ ଭାଷାରେ –
ଶୂନ୍ୟ ମନ୍ଦିରେ ବିହାର
ରୂପରେଖ ନାହିଁ ଯା’ର – ଶୂନ୍ୟ …….
ଦୁଇପାଦ ନମିଶଇ ଏକ ପାଦ ଧର ଧର – ଶୂନ୍ୟ …….
ତେଣୁ ଦୁଇ ମୂଖ୍ୟ ସୀମାରେଖା, ଯଥା ଆତ୍ମାର ସ୍ଥାନ – ଶୂନ୍ୟ ଅବସ୍ଥାରୁ ସ୍ଥାନ ଦଖଲ ଅବସ୍ଥାକୁ ଜନ୍ମ ଓ ସ୍ଥାନ ଦଖଲ ଅବସ୍ଥାରୁ ପୁନଃ ସ୍ଥାନ – ଶୂନ୍ୟ ଅବସ୍ଥାକୁ ମୃତ୍ୟୁ ରୂପେ ଆକଳନ କରାଯାଇପାରେ । ପୁଣି ଜୀବନକାଳ ମଧ୍ୟରେ ବିଭିନ୍ନ ଉପ ସୀମାରେଖାମାନ ରହିଥାଏ, ଯାହା ବହୁ ଘଟଣାର ସମାହାରର କେନ୍ଦ୍ରବିନ୍ଦୁ ହୋଇଥାଏ । ଏଗୁଡିକୁ ସଂକ୍ଷେପରେ ସଙ୍କଟପୂର୍ଣ୍ଣ ଅବସ୍ଥା କୁହାଯାଇପାରେ । ଏ ବିଶାଳ ସୃଷ୍ଟିରେ ଖଞ୍ଜି ହୋଇଯାଇଛି ପ୍ରାକୃତିକ ନିୟମାବଳୀ । ଏହା ଶତ୍ରୁ – ମିତ୍ର, ନିରୀହ – କୁଟୀଳ, ଧନୀ – ଗରୀବ, ସବଳ – ଦୁର୍ବଳ, କ୍ଷମତାଧାରୀ – କ୍ଷମତାହୀନ, ଭୂମିପୁତ୍ର – ପରଦେଶୀ, ……… ଆଦି ସଭିଙ୍କ ନିମନ୍ତେ ସମାନ । ଉଦାହରଣ ସ୍ୱରୂପ, ଜଣେ ଅଲୋଡା ଓ ଅଯୋଗ୍ୟ ବ୍ୟକ୍ତି କ୍ଷଣିକ କ୍ଷମତା ଓ ଅହଂକାରର ବଶବର୍ତ୍ତୀ ହୋଇ “ଦେଖଇ ନେତ୍ର ଯାହା ଚଉଦିଗର – ସେ ସର୍ବର ଅଟଇ ମୁଁ ଅଧିଶ୍ୱର” ଭାବରେ ନିଜର ସର୍ବ ସୁଖ ନିମିତ୍ତ କିଛି ତୋଷାମୋଦକାରୀଙ୍କ ଗହଣରେ ସତ୍ୟକୁ ଉପେକ୍ଷା କରି ଅନ୍ୟାୟକୁ ପ୍ରଶୟ ଦେଉଛି ଓ ଜଣେ ଦରିଦ୍ର ବ୍ୟକ୍ତି ହା – ଅନ୍ନ ଚିତ୍କାର କରୁଛି । ଯଦି ଏହି ବ୍ୟକ୍ତି ଦ୍ୱୟଙ୍କୁ ସୂର୍ଯ୍ୟଙ୍କ ପ୍ରଖର ତେଜରେ ଦଣ୍ଡାୟମାନ କରାଯାଏ, ତେବେ କ’ଣ କ୍ଷମତାଧାରୀଙ୍କ ପାଇଁ ସୂର୍ଯ୍ୟଙ୍କ ତେଜ କମିଯିବ ? ନାଁ, ଏହା ସମାନ ଭାବେ ଦୁଇ ଜଣଙ୍କ ଉପରେ ଆପତିତ ହେବ । ସୀମାହୀନ ପ୍ରକୃତିର ଅସୁମାରୀ ଅବୟବରୁ ଯାହାକିଛି ଆକଳନ କରାଯାଉଛି ତାହା ସେହି ସମୟ ପାଇଁ ବିଶ୍ଳେଷଣାତ୍ମକ ପ୍ରକ୍ରିୟାକୁ ସକ୍ରିୟ କରୁଛି । ଆବିର୍ଭାବ ହେଉଛି ନୂତନ ତତ୍ତ୍ୱ ଓ ଆନ୍ଦୋଳିତ ହେଉଛି ବିଜ୍ଞାନ ଦୁନିଆଁ । ବିଜ୍ଞାନ କହୁଛି କଣିକାରୁ ବିଶ୍ୱ ସୃଷ୍ଟି ଓ ବିଶ୍ୱ ମଧ୍ୟେ କଣିକା । ସୃଷ୍ଟି ହୁଏ ସୂକ୍ଷ୍ମରୁ ଓ ସୃଷ୍ଟି ପରେ ସ୍ଥୂଳ ଓ ଏହା ମଧ୍ୟ ଆଗଭର ହେଉଛି ପୁନଃ ସୂକ୍ଷ୍ମକୁ । ସେହିପରି ଆତ୍ମାରୁ ଶରୀର ଓ ଶରୀର ମଧ୍ୟେ ଆତ୍ମା । ସର୍ବାଙ୍ଗରେ ଆତ୍ମା ବିଦ୍ୟମାନ । ସ୍ଥୂଳ ଓ ସୂକ୍ଷ୍ମର ସମାହାର ଶରୀର ମାନବର ସବୁ ପ୍ରକାର ଚେଷ୍ଟାକୁ ଅବମାନନା କରି ଉଛୁଳା ନଦୀ ପରି ପ୍ରଖର ବେଗରେ ଆଗେଇ ଚାଲିଛି ମିଶିବାକୁ ମହାସୂକ୍ଷ୍ମ ମୃତ୍ୟୁ ସାଗରରେ । ତେଣୁ ଜନ୍ମ ଓ ମୃତ୍ୟୁ ମୁଦ୍ରାର ଦୁଇ ପାର୍ଶ୍ୱ ପରି, ଯେଉଁଠି ମାନବର ସବୁ କଳା କୌଶଳ ଓ ପରାକ୍ରମ ନିମିତ୍ତ ମାତ୍ର ।
ତଥାପି ନିର୍ବୋଧ ମାନବ ନିଜ ପ୍ରତିଦ୍ୱନ୍ଦୀର ମୃତ୍ୟୁରେ ଭାବୁଛି ଏବେ ତା’ର କଣ୍ଟ ଗଲା । ନିଷ୍କଣ୍ଟକ ହୋଇ ନିଜର ସବୁପ୍ରକାରର ଜଘନ୍ୟ ଆଶା ପୂରଣ ନିମନ୍ତେ ଆଲ୍ଲାଦିତ ହେଉଛି । ସତେକି “ପ୍ରଲ୍ଲାଦ ଆଲ୍ଲାଦେ ଗାଉଛି ଗୀତ” । ପୃଥିବୀ ପୃଷ୍ଠରେ ଦୀର୍ଘ ପାହୁଣ୍ଡ ପକାଇ ଅତି ଗର୍ବରେ ଚାଲୁଛି । ପ୍ରତିଦ୍ୱନ୍ଦୀ ଥିଲାବେଳେ ଯେଉଁ ମାନଙ୍କ ଉପରେ କିଞ୍ଚିତ୍ କ୍ରୋଧାତ୍ମକ ଭାବ ଥିଲା, ଏବେ ତାହା ସୁଝାଇବାକୁ ଯାଇ ମିଳିଥିବା ଶକ୍ତିର ଅପବ୍ୟବହାର ବଳରେ ସେମାନେ ଗୋତିଶ୍ରମିକ ହେବାକୁ ବାଧ୍ୟ ହେବେ । ଯେତେ ଶ୍ରମ କଲେ ସେମାନେ ସର୍ବ ସମ୍ମୁଖରେ ଅପମାନିତ ଓ ନିନ୍ଦିତ ହେବେ । ପ୍ରଶଂସା ହେବ ତା’ଙ୍କ ପାଇଁ ୠଣାତ୍ମକ ରାଶି । କଂସାସୁରର ଆଜ୍ଞା ସଦୃଶ ସେମାନଙ୍କୁ ଆଦେଶ ଦିଆଯିବ, ଯଥା – “ଆଜ୍ଞା ପ୍ରମାଣେ ତତ୍କାଳେ ଆସିବୁ ନୋହିଲେ ଛେଦିବି ସ୍କନ୍ଧ” । ଅହଂକାରୀ ମାନବ କଳି ରୂପରେ ଏକପାଦ ଧର୍ମକୁ ଧମକ ଦେଇ କହିବ – “ଦେଖିବି ତୋ ଟାଣ ରଖିବ କେ ତୋତେ – ମୋର ସାଥେ କଲୁ ବଚସା” । ପୁଣି ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ ଓ ସାଗରର ଢେଉକୁ ମଧ୍ୟ ନିଜର ଆଦେଶାନୁସାରେ ପରିଚାଳିତ କରାଯିବ । ପାରିଷଦ ବର୍ଗଙ୍କ ଯୁଗଜୟୀ ମନ୍ତ୍ରଣାରେ ଉତ୍ଫୁଲ୍ଲିତ ହୋଇ – “କେ ଅଛିରେ ପ୍ରହରୀ ! କହିବା ମାତ୍ରେ କାହିଁ କେତେ ଘେରିଯିବେ । ଠେଲାଠେଲି ଓ ଦଳାଚକଟା ମଧ୍ୟରେ “ବାବୁ ଲଣ୍ଡା ହେଲେ ଆମେ ଲଣ୍ଡା ହେବୁ ଆମ ବୋପା ମଲେ ପଛେ ମରୁ” କହି କାକୁତି ମିନତି ହେବେ । ତେଣୁ ପାରିଷଦ ବର୍ଗ ରାଜାଦେଶର ଅବମାନନା କଲେ ମଧ୍ୟ ସେମାନେ ପ୍ରଶଂସାର ପାତ୍ର । କିନ୍ତୁ ଗୋତି – ଶ୍ରମିକ ମାନଙ୍କ ପାଇଁ ଓଲଟା କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ସେମାନେ ଭୀରୁ । ପ୍ରତିରୋଧ କରିବାର କ୍ଷମତା ଥିଲେ ବି ସେମାନେ ନିଷ୍ରିୟ ଗ୍ୟାସ୍ ହିଲିୟମ୍, ନିୟନ୍, ଆର୍ଗନ୍ …. ପରି ପଡି ରହିବେ । ତଥାପି କିଛି କାରଣ ନଥାଇ ସେମାନଙ୍କ ପାଇଁ ଆଦେଶନାମା ଲେଖାଯିବା ନିମିତ୍ତ ପରାମର୍ଶ ନିଆଯିବ । ପ୍ରକୃତିର କରାଳ ଚକ୍ରକୁ ମାର୍ ଗୁଲି । ସୁବିଧା ମିଳିଛି ରକ୍ଷକ ଭାବେ । କାହିଁକି ଭକ୍ଷକ ନ’ହେବା ? ତେବେ କ’ଣ ନିଉଟନ୍ଙ୍କ ମହାକର୍ଷଣ ତତ୍ତ୍ୱ ଭୂଲ୍ ହୋଇଯିବ ! ପରାମର୍ଶର ଫଳ ସ୍ୱରୂପ ଆତଟି ଡାଳରୁ ଛିଡିଲେ ଆଉ ତଳେ ନପଡି ବୋଧେ କୃତ୍ରିମ ଉପଗ୍ରହ ପରି ପୃଥିବୀ ପରିକ୍ରମା କରିବ ! ଯାହା ମନ୍ତ୍ରଣାରୁ ନିର୍ଗତ ହେବ ସେଥିରେ ରାଜାଙ୍କର ଦସ୍ତଖତ ରହିବ । ପୃଥିବୀରେ ଥିବା କିଛି ରାଜ୍ୟର ଏତାଦୃଶ ମୁଣ୍ଡିଆଳ ମାନଙ୍କର ଏହିପରି ଦସ୍ତଖତନାମା ପ୍ରକାଶ ପାଇବ । ଏହା ଫଳରେ କ’ଣ ଗାମା ବିକିରଣର ବିଧ୍ୱଂସୀ ଭାବକୁ ବନ୍ଦ୍ କରି ଦିଆଯିବ ? କିନ୍ତୁ ଗାମା ବିକିରଣକୁ କୋଳେଇବା ପାଇଁ ପରସ୍ପର ମଧ୍ୟରେ ପ୍ରତିନ୍ଦ୍ୱନ୍ଦୀତା ବୃଦ୍ଧି ପାଇ ଚାଲିଛି ! ଧ୍ୱଂସର ସମ୍ଭାବନା ଆମ ନିକଟକୁ ଦ୍ରୂତ ବେଗରେ ଆଗୁସାର ହେଉଛି ।
ତଥାପି ରାଜା ଭାବୁଛି – ଡର କାହାକୁ ଭୟ କାହାକୁ …..ପରାମର୍ଶ ମିଳେ କାଳ କାଳକୁ । ସତ୍ୟକୁ ପ୍ରଚ୍ଛଦ ପଟରେ ରଖିବାପାଇଁ ଏହିପରି ଭୟଙ୍କର କ୍ଷେତ୍ରମାନ କୁରୁ ସାଗର ରୂପରେ ପୃଥିବୀ ପୃଷ୍ଠରେ ପରିବ୍ୟାପ୍ତ । ସାଗରର ତଟ, ଜଳ, ଢେଉ, ସ୍ରୋତ, ଭଉଁରୀ, ଆକର୍ଷଣୀୟ ନୀଳପଦ୍ମ, କୁମ୍ଭୀର, ମଗର ଆଦି ସର୍ବଦା ଜାଗ୍ରତ ରହିଛନ୍ତି, ସତ୍ୟକୁ ଲୋକଲୋଚନ ଅନ୍ତରାଳରେ ରଖିବା ପାଇଁ, ଯଥା –
ଭୀଷ୍ମ ଦ୍ରୋଣ ତଟା ଜୟଦ୍ରଥ ଜଳାଃ ଗାନ୍ଧାର ନୀଳୋତ୍ପଳା
ଶଲ୍ୟ ଗ୍ରାହବତୀ କୃପେଣ ବହନୀ କର୍ଣ୍ଣେନ ବେଳାକୁଳା
ଅଶ୍ୱତ୍ଥମା ବିକର୍ଣ୍ଣ ଘୋର ମକରା ଦୁର୍ଯ୍ୟୋଧନା ବର୍ତ୍ତିନୀ
ସ୍ୱତୀର୍ଣ୍ଣା ଖଳୁ ପାଣ୍ଡବୈ ରଣନଦୀ କୈବର୍ତ୍ତକଃ କେଶବଃ ।
ତେବେ ସତରେ କ’ଣ ସତ୍ୟର ନାବରେ ବସିଥିବା ପାଣ୍ଡବଙ୍କୁ କୈବର୍ତ୍ତ ରୂପରେ କେଶବ କୁରୁସାଗରକୁ ପାର କରାଇ ପାରିବେ ? ପାରିଷଦମାନଙ୍କ ମତରେ ଏହା ସମ୍ପୂର୍ଣ୍ଣ ମିଥ୍ୟା । ଏହିପରି ନିର୍ବୋଧତା ଆଜିର ମାନବଠାରେ ପ୍ରକାଶ ପାଇବାରେ ଲାଗିଛି । ମିଥ୍ୟା କରୁଛି ରାଜୁତି । ସତ୍ୟ ବୁକୁଫଟା ଚିତ୍କାର କଲେ ବି କେହି ଶୁଣିବାକୁ ନାହାନ୍ତି । ପ୍ରକୃତିର ନିଷ୍ଠୁର ଚେତାବନୀରୁ ପରିଲକ୍ଷିତ ହେଉଛି ଯେ, ଏ ମୁଣ୍ଡମୟ ପୃଥିବୀରୁ ମୁଣ୍ଡ ପରେ ମୁଣ୍ଡ ଯାଉଛି । କାଳ ନିକଟରେ କେତେବେଳେ କେଉଁ ମୁଣ୍ଡର ପାଳି କିଏ କହି ପାରିବ ? ରାଜାର ନାଁ ପାରିଷଦ ବର୍ଗର ? ତଥାପି ଖଳ ମାନବ ନିଜକୁ ଶ୍ରୀକୃଷ୍ଣ ଭାବି ପାଖରେ ଉପବିଷ୍ଟ ଥିବା ଏକ ବ୍ୟକ୍ତିକୁ ଅର୍ଜୁନ ! ସମ୍ବୋଧନ ଢାଞ୍ଚାରେ ଉଦ୍ଗାରେ – ଶୁଣ ! ମୁଁ କାହାର ପ୍ରଶଂସା ବା ଉନ୍ନତି ଦେଖି ସହିପାରେନି ଏବଂ ମୁଁ ଯାହା ପଛରେ ଷଡଯନ୍ତ୍ର କରେ ତାହାର ମୂଳୋତ୍ପାଟନ କରିବା ମୋର ଧର୍ମ । ସେ ବ୍ୟକ୍ତିଠାରୁ ମୁଁ ବହୁତ ଉପକାର ପାଇଥିଲେ ମଧ୍ୟ ,ସେ ଯେତେବେଳେ ନୀରବ ଓ ନିସ୍ତେଜ ହୋଇଯିବ ଏବଂ ଭାବିବ ମୁଁ ତାହାର କ୍ଷତିକାରକ ନୁହେଁ, ସେହି ଆନନ୍ଦ ମୂହୁର୍ତ୍ତକୁ ମୋର ଦୀର୍ଘ ପ୍ରତୀକ୍ଷାର ଫଳ ସ୍ୱରୂପ ତମ୍ପସାପ ପରି ବିଷାକ୍ତ ଚୋଟ ମାରେ ଓ ତା’ର କଲବଲ ହେବା ଦେଖି ମୁଁ ଅତ୍ୟନ୍ତ ଆନନ୍ଦ ପାଏ । ଏହା ମାନବ ଜୀବନର ଆଉ ଏକ ସୀମାରେଖାର ନିଦର୍ଶନ ।
ପୃଥିବୀଗ୍ରହରେ ଅବସ୍ଥାନ କରୁଥିବା ବୁଦ୍ଧିମାନ ଜୀବଟି ଆଜି କ’ଣ ଦୋଛକି ରାସ୍ତାରେ ଦଣ୍ଡାୟମାନ ? ଅନ୍ୟକୁ କାଦୁଅ ଫିଙ୍ଗିବ ନା ନିଜଦେହରୁ ସବୁ କଳଙ୍କ ଛଡାଇବ ? ଚାଲୁଣି କହେ ଛୁଞ୍ଚିକୁ ତୋ ଠାରେ ଗୋଟିଏ କଣା । ଚେଇଁ ଶୋଇଥିବା ଲୋକଙ୍କୁ ସହଜରେ ଉଠେଇ ହୁଏନି । ନିଜ ଆଖିକୁ ଆଙ୍ଗୁଳି ଯିବ ନାହିଁ , କିନ୍ତୁ ଅନ୍ୟ ଆଖିରେ ଆଙ୍ଗୁଳି ପ୍ରବେଶ କରାଇବା ସହଜ । ଠକ, ଧୂର୍ତ୍ତ, ପାମର, ଦୁରାଚାର ଓ ଗୋଚ୍ଛିକଟାମାନେ ଛାମୁଙ୍କ ନିକଟରେ ଭଲେଇ ହୋଇ ସଚ୍ଚୋଟଙ୍କ ବିରୁଦ୍ଧରେ କୁ ପରାମର୍ଶ ଦିଅନ୍ତି । ନିଜର ସୁରକ୍ଷା ପାଇଁ ଛାମୁଙ୍କ ଚତୁଃପାର୍ଶ୍ୱରେ ସୃଷ୍ଟି କରନ୍ତି ଦୃଢ ବଳୟ, ଯେପରି ଜୀବଜଗତର ସୁରକ୍ଷା ପାଇଁ ରହିଛି ଓଜୋନ୍ ସ୍ତର । ବିଶ୍ୱସ୍ତ ହେବାପାଇଁ ରହିଛି ବିଭିନ୍ନ ମାର୍ଗ । ବାହାନା କରି ଠକିବା ତାଙ୍କର ଜନ୍ମଗତ ଅଧିକାର । ଛାମୁଙ୍କୁ କରଗତ କଲେ ସମସ୍ତେ ଥଣ୍ଡା ହୋଇଯିବେ । ଶ୍ୱାନ – ଶୃଗାଳ ପରି ଭୂକିବାର ଅବକାଶ ନାହିଁ । କିନ୍ତୁ ଉପର ସ୍ତରର ଛାମୁଙ୍କୁ ସଚ୍ଚୋଟ ମାନଙ୍କ ବିରୁଦ୍ଧରେ ଏମାନେ ଆଜ୍ଞା ଏମିତି ଲେଖା ଛାଡିବେ ଯେ, ତା’ର ସାତ ଜନ୍ମ ଯାଏଁ ଏହି ଲେଖା ଆଲୋକର ବେଗରେ ପିଛା ଧରିଥିବ,ଅର୍ଥାତ୍ – ” ଲେଖାରେ ରହିଥିବ କାହାର ଆଜ୍ଞା ……. ଗୋଚ୍ଛିକଟା ମାନଙ୍କର କୋଟି କୋଟି ଆଜ୍ଞା” । ଏହି ମନ୍ତ୍ରକୁ ତିନିଥର ପଢି ନଅଥର ଫୁଙ୍କି ଓ ଯେଉଁ ଯାଗାରେ ବଥା ଅଛି, ସେଠାରେ ମନ୍ତୁରା ତେଲ ଦ୍ୱାରା ମାଲିସ୍ କଲେ ଛାମୁ ଖୁସ୍ ଓ ଗୋଚ୍ଛିକଟା ମଧ୍ୟ ଖୁସ୍ । ନିଜର ପ୍ରଶଂସା ଶୁଣି ଶୁଣି ଛାମୁ ତ ଆନନ୍ଦରେ ପାଗଳ ପ୍ରାୟ । ବାଦ୍ୟର ତାଳେ ତାଳେ ନୃତ୍ୟ ଛନ୍ଦରେ ଛାମୁ ଗାଉଛନ୍ତି – “ମୁଁ ଏକ ପାଗଳ ଭଅଁର …… ପରିଚୟ ମୋତେ ମାଗନା” । ସେ ବା କାହୁଁ ବୁଝିବ ଏମାନଙ୍କ ଚାଲ୍ ଓ ଗୋପବନ୍ଧୁଙ୍କ ଇସାରା, ଯଥା – “ତୋଷାମୋଦକାରୀ କ୍ଷୀପ୍ତ ଶ୍ୱାନ ପରି ସହଜେ ଚିହ୍ନା ନ ଯାଏ” । ଏପରିକି ଏମାନେ ଦେଖାଇ ହୁଅନ୍ତି ଯେ, ତାଙ୍କ ଲମ୍ବା ହାତ ବିଶ୍ୱର ଅନ୍ୟ ଗ୍ୟାଲାକ୍ସିରେ ଥିବା ବୁଦ୍ଧିମାନ ଜୀବଙ୍କ ସହ ବି ସଲାସୁତୁରା ରହିଛି । ପର୍ଯ୍ୟବେକ୍ଷଣରୁ ଜଣାପଡିଛି ଯେ, ଅନ୍ୟ ଗ୍ୟାଲାକ୍ସିରୁ ଯେଉଁ ଆଲୋକ ତରଙ୍ଗ ଆସୁଛି ତାହା ଲାଲ୍ ବର୍ଣ୍ଣ ଆଡକୁ ଢଳୁଛି, ଅର୍ଥାତ୍ ତରଙ୍ଗ ଦୈର୍ଘ୍ୟ ବୃଦ୍ଧି ପାଉଛି । ଏହାକୁ ମହକର୍ଷଣୀୟ ଲୋହିତ ବିସ୍ଥାପନ(Gravitational Red Shift) କୁହାଯାଏ । ଅର୍ଥାତ୍ ବିଶ୍ୱର ଗ୍ୟାଲାକ୍ସିଗୁଡିକ ପରସ୍ପରଠାରୁ ପ୍ରବଳ ବେଗରେ ଦୂରେଇ ଯାଉଛନ୍ତି ଓ ବିଶ୍ୱର ଆୟତନ ପ୍ରତି କ୍ଷଣରେ ବୃଦ୍ଧି ପାଉଛି । ସେହି ମାତ୍ରାରେ ବୋଧେ ଗୋଚ୍ଛିକଟା ମାନଙ୍କର ହାତ ମଧ୍ୟ ଲମ୍ବି ଲମ୍ବି ଯାଉଛି । ତେଣୁ ମୃତ୍ୟୁ ତାଙ୍କ କେଶାଗ୍ର ବି ସ୍ପର୍ଶ କରିପାରିବ ନାହିଁ । ଅନ୍ୟ ଛାର ମାନବକୁ ପଚାରେ କିଏ ? ଯଦି ଅସୁବିଧା ହେଲା, ସେଥିପାଇଁ ରହିଛି ବ୍ରହ୍ମ ଅସ୍ତ୍ର, ଯଥା –
ପୃଥିବୀରୁ ସୂର୍ଯ୍ୟ କେନ୍ଦ୍ର ବିନ୍ଦୁ ଯାଏ
ଦୁଃଶାସନ ହସ୍ତ ସ୍ପର୍ଶ କରିପାରେ
ନଥିପତ୍ରେ ସବୁ ସତ୍ୟ ଲୁଚିଯିବ ଚକ୍ରବ୍ୟୁହରୁ କେ ହେବ ପାର ?
ଉପରୋକ୍ତ କଟାକ୍ଷର ନିର୍ଯ୍ୟାସମାନ ବୈଜ୍ଞାନିକ ଓ ଈଶ୍ୱରୀୟ ଚିନ୍ତନର ସଂଯୋଗୀକରଣ ଧାରାରେ ଅନୁକରଣୀୟ ହୋଇଉଠେ । ଯେତେ ପ୍ରଭାବଶାଳୀ, ଜ୍ଞାନୀ, କ୍ଷମତାଧାରୀ, କୁଟୀଳ ନୀତିସମ୍ପନ୍ନ, ସିଦ୍ଧ ଲେଖାଳୀ …….. ଆଦି ହୋଇ ଏତାଦୃଶ ପନ୍ଥାକୁ ଜାବୁଡି ଧରିଥିଲେ ମଧ୍ୟ କାଳର କରାଳ ଗତି ନିକଟରେ ନିଶ୍ଚୟ ପରାଜିତ । ସ୍ତୂଳରୂପୀ ମାନବ ସୂକ୍ଷ୍ମ ମୃତ୍ୟୁକୁ କ’ଣ କ୍ଷମତା ବଳରେ ଅଟକାଇ ପାରିବ ? ରାଜା ପରିକ୍ଷୀତ ଅଭେଦ୍ୟ ଦୁର୍ଗ ମଧ୍ୟରେ ଥାଇ କ’ଣ ତକ୍ଷକ ଦଂଶନରୁ ବର୍ତ୍ତିଗଲେ ? ମୃତ୍ୟୁ ଆସେ ଏବଂ ଆସିବ । ସମୟ ବର୍ଣ୍ଣାଳୀର ସମସ୍ତ ଶାଖା ଏକତ୍ରୀକରଣ ପୂର୍ବକ ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁ ପାଇଁ ସ୍ଥାନ ନିରୂପଣ ହୋଇଥିବାର ଧାରଣା ଜାତ ହୁଏ । ତେଣୁ ଶେଷ ସମୟ ଓ ସ୍ଥାନ ସମ୍ବନ୍ଧରେ ସମସ୍ତେ ଅଜ୍ଞ । ବ୍ୟକ୍ତି ଯେତେ ଚତୁର ହେଲେ ମଧ୍ୟ ମୃତ୍ୟୁକୁ ଏଡାଇବା ପାଇଁ ତା’ର ସବୁ ପ୍ରକାର ଅପଚେଷ୍ଟା ଭଣ୍ଡୁର ହୁଏ । ସବୁ ଗାଣିତିକ ସୂତ୍ର ବା ଗଣନା ଏଠାରେ ଭୂଲ୍ ହୋଇଯାଏ । ମଣିଷ ଯେଉଁ ଡାଳ ଧରେ ସେ ଡାଳ ଭାଙ୍ଗେ । ଯେପରି ଆଜିର ନିମ୍ନ ରୁଚିର ସଙ୍ଗୀତରେ ମଧ୍ୟ ଏହି ଚେତନାର ଭାବ ପ୍ରକାଶ ହୁଏ, ଯଥା –
ଗୋଟିଏ ଷ୍ଟେସନ୍ ଲଗାଇବାରୁ ଆଉ ଗୋଟିଏ ଲାଗୁଛି
ଆମ୍ବଗଛକୁ ଢେଲା ମାରିଲେ କେନ୍ଦୁଗଛ ଡାହି ଭାଙ୍ଗୁଛି ।
ତେବେ ସୂକ୍ଷ୍ମ ଆତ୍ମା କ’ଣ ଆଲୋକର ବେଗରେ ଶରୀର ତ୍ୟାଗ କରେ ? କୁହାଯାଏ ମୃତ୍ୟୁ ସନ୍ନିକଟ ହେଲେ ନାକ ବାଙ୍କିଯାଏ । ଏହା କ’ଣ ଶରୀରରୁ ପରିବ୍ୟାପ୍ତ ଆତ୍ମା ଶରୀର ତ୍ୟାଗ କାରଣରୁ ଘଟିଥାଏ ? ଏହାର ସମ୍ଭାବନା ଉତ୍ତର ନିମ୍ନଭାବେ ଆଲୋଚନ କରାଯାଇପାରେ, ଯଥା –
ବୋହୁ ଚାଲି ନ ଯାଣଇ ଲୋ …….. ଗୋଡ କରୁଥାଏ ବଙ୍କା
ବୋହୁ ଯେତେବେଳେ ସଳଖି ଚାଲିବ ଦେଶେ ପଡିଯିବ ଡକା ।
ଅର୍ଥାତ୍ ଯୋଗତତ୍ତ୍ୱ କହେ ପ୍ରାଣବାୟୁ ବକ୍ର ଗତିରେ ଥାଏ । ନାସିକାରୁ ନିଃଶ୍ୱାସର ମାର୍ଗ ସରଳରେଖା ନୁହେଁ । କିନ୍ତୁ ମୃତ୍ୟୁ ସନ୍ନିକଟରେ ଏହା ଶରୀରରୁ ସରଳ ରେଖାରେ ନିର୍ଗତ ହୁଏ । ମନର ଗତି ଓ ଆତ୍ମାର ଗତି ଜାଣିବା ନିମିତ୍ତ ମାନବିକ ବିଜ୍ଞାନାଗାର ନିର୍ମାଣ କରାଯାଇ ପାରିନାହିଁ । ଏହି ଅଜଣା ସୂକ୍ଷ୍ମ ଗତି ତତ୍ତ୍ୱ ଓ ନିଉଟନ୍ଙ୍କ ଜଣା ସ୍ଥୂଳ ଗତି ତତ୍ତ୍ୱ ମଧ୍ୟରେ କିଛି ସମ୍ପର୍କ ଥାଇପାରେ । ତେବେ ନିଉଟନ୍ଙ୍କ ଗତି ତତ୍ତ୍ୱର ତୃତୀୟ ନିୟମକୁ ସୂକ୍ଷ୍ମରୂପେ ଆଲୋଚନା କରାଯାଇପାରେ, ଯେହେତୁ ସବୁ ଗତିଶୀଳ । ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତ ହୁଏ । ଜନ୍ମ, ମୃତ୍ୟୁ, ସମୟ ସ୍ରୋତ … ଆଦି ଏକ ଏକ ପ୍ରକ୍ରିୟା । ସମୟର ଯୁକ୍ତାତ୍ମକ ବିନିଯୋଗରୁ ବିପରୀତ ଦିଗରୁ ଅଥବା ମହାଜାଗତିକ ଉତ୍ସରୁ ଆସିବ ଯୁକ୍ତାତ୍ମକ ଫଳ । ଅପବ୍ୟବହାରର ଫଳାଫଳ ନିଜସ୍ୱ ବିନାଶର କାରଣ ହେବ । ଅନ୍ୟର କ୍ଷତି କରି ନିଜକୁ ଧନୀ ଓ ମାନୀ ବୋଲାଇବା ଏକ ଭୟଙ୍କର ନାସ୍ତିବାଚକ ସୂଚନା ଅଟେ । ସୂକ୍ଷ୍ମ ଦୁନିଆଁରେ ଅଦ୍ୟାବଧି କୌଣସି ବ୍ୟାଙ୍କ୍ ଥିବାର ଜଣାନାହିଁ, ଯେଉଁଠିକୁ ମୃତ୍ୟୁ ପରେ ଏ ଧାମରେ ସଞ୍ଚୟ କରିଥିବା ପାପଧନକୁ ଚେକ୍ ଆକାରରେ ନେଇ ସେଠାକାର ବ୍ୟାଙ୍କ୍ରେ ପୁନଃ ସଞ୍ଚୟ ଖାତା ଖୋଲି ରଖିବା ପାଇଁ । ତେଣୁ ଏ ଧନ ରହିଯାଏ ନିଜ ପର ପିଢିଙ୍କ ପାଇଁ । ଲକ୍ଷ ଲକ୍ଷ ଲୋକଙ୍କ ଆଶା ଓ ଆକାଙାକ୍ଷାକୁ ଧୂଳିସାତ୍ କରି ଗଚ୍ଛିତ ଧନ କ’ଣ ପର ପିଢିଙ୍କ ପାଇଁ ମଙ୍ଗଳ କାରକ ହେବ ? ମନବୋଧ ଚଉତିସାରେ ସତର୍କ କରାଯାଇଛି –
କେତେଦିନକୁ ମନ ବାନ୍ଧିଛୁ ଆଣ୍ଟ
କି ଘେନି ଯିବୁ ତୋର ଛୁଟିଲେ ଘଟ ।
ଏକା ଆସିଛୁ ଏକା ଯିବୁ । କର୍ମର ଫଳ ସଙ୍ଗରେ ନେବୁ । କାହାର ମୃତ୍ୟୁରେ ଆମୋଦିତ ହୁଅନା । କାରଣ ନିଜପାଇଁ ବି ମୃତ୍ୟୁ ଛପି ରହିଛି ।
ଉଦ୍ଜାନ ପରମାଣୁର ଇଲେକ୍ଟ୍ରନ୍ଟି ଉତ୍ତେଜିତ ହୋଇ ବିଭିନ୍ନ କକ୍ଷକୁ ଡିଆଁ ମାରିବାକୁ କେତେ ପରିମାଣରେ ବାହ୍ୟଶକ୍ତି ଗ୍ରହଣ କରିବ ତାହା ତାକୁ ଜଣା । ନେଲ୍ ବୋର୍ (Neil Bohr) ପାରମାଣବିକ ନାଭିକକୁ ପରିକ୍ରମଣ ପାଇଁ ଇଲେକ୍ଟ୍ରନ୍ର ସ୍ଥିର ଓ ବିଚ୍ଛିନ୍ନ କକ୍ଷର ଧାରଣା ଦେଲେ, ତାହା ହେଲା – K, L, M, N ……କକ୍ଷ । ଏହି କକ୍ଷ ଗୁଡିକୁ ଲମ୍ଫ ପ୍ରଦାନ ପାଇଁ ଇଲେକ୍ଟ୍ରନ୍ଟି ଆବଶ୍ୟକ ପରିମାଣର ଶକ୍ତି ଚାହୁଁଥାଏ । ଯଦି କମ୍ କିମ୍ବା ଅଧିକ ଶକ୍ତି ଦିଆଯାଏ ,ଇଲେକ୍ଟ୍ରନ୍ଟି ତାହା ଗ୍ରହଣ ନକରି ନାସିକା ଭ୍ରୁକୁଞ୍ଚନ କରି ମୁହଁ ମୋଡେ । ତେବେ ବିଜ୍ଞାନ କହେ ଇଲେକ୍ଟ୍ରନ୍ଟିର ବି ଅନୁଭବ କରିବାର କ୍ଷମତା ରହିଛି । ଅର୍ଥାତ ବିଶ୍ୱର ସମସ୍ତ ନିର୍ଜୀବ ଠାରେ ମଧ୍ୟ ଏହା ବିଦ୍ୟମାନ । ଏହି ଚେତନା ମଧ୍ୟ ଆଧ୍ୟାତ୍ମିକ ଭାବରୁ ଫୁଟିଉଠେ । ଅଣୁ ପରମାଣୁଠୁ ଆରମ୍ଭ କରି ସମସ୍ତ ସ୍ଥାବର – ଜଙ୍ଗମରେ ବ୍ରହ୍ମ ବିଦ୍ୟମାନ । ତେଣୁ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଭାବନାର ମିଶ୍ରଣ ଓ ସାମ୍ୟତା ହିଁ ପ୍ରକୃତି ପର୍ଯ୍ୟବେକ୍ଷଣର ଫଳାଫଳ ଅଟେ । ଯୋଗତତ୍ତ୍ୱ କହେ ଶରୀର ମଧ୍ୟେ ବିଜ୍ଞାନର ସମସ୍ତ ତତ୍ତ୍ୱ ଓ ରହସ୍ୟ ଠୁଳ । ପୂର୍ବକାଳରେ ଯୋଗୀମାନେ ମଧ୍ୟ ଅତୀତ ଓ ଭବିଷ୍ୟତର ପରଦା ଉନ୍ମୋଚନ କରିପାରୁଥିବାର କୁହାଯାଏ । ଯୋଗମାର୍ଗ ଦ୍ୱାରା ଜୀବନର କାଳଚକ୍ର ଘୂର୍ଣ୍ଣନ ପ୍ରକ୍ରିୟାକୁ ଶରୀରର ଚକ୍ର ଭେଦନ ଦ୍ୱାରା ଧିମେଇ ଦିଆଯାଇ ପାରିବାର ସମ୍ଭାବନା ସୃଷ୍ଟି କରେ । ଚକ୍ର ଭେଦନରେ ଯଦି ସହସ୍ରାର ଚକ୍ରରେ ନିଜକୁ ସ୍ଥାପନ କରାଯାଇ ପାରିବ , ତେବେ କାଳ – ଚକ୍ର ସହ ଭାବ ଆଦାନ ପ୍ରଦାନ ପୂର୍ବକ ଜୀବନ ସ୍ରୋତର ତୀବ୍ରତାକୁ କମାଇବାର ସାମର୍ଥ୍ୟ ଲାଭ କରାଯାଇ ପାରିବ । କିନ୍ତୁ ମୃତ୍ୟୁ ତ ସୁନିଶ୍ଚିତ । ଏକ ଯୁଗ ହେଉ କିମ୍ବା ଚାରିଯୁଗ ବ୍ୟବଧାନ ହେଉ । ଉଦାହରଣ ସ୍ୱରୂପ ଏକାଦଶ ରୂଦ୍ରଙ୍କୁ ଆରାଧନାରେ କୁହାଯାଏ –
ଚାରୋଁ ଯୁଗ ପରତାପ ତୁହ୍ମାରା
ହେ ପରସିଦ୍ଧି ଜଗତ ଉଜ୍ଜିୟାରା ।
ବୈଜ୍ଞାନିକମାନେ ମଧ୍ୟ କିଛି କଣିକା ଠାବ କରିବାରେ ସକ୍ଷମ ହେବାକୁ ଯାଉଛନ୍ତି, ଯାହାର ବେଗ ଆଲୋକର ବେଗଠାରୁ ଅଧିକ ହୋଇପାରେ । ଏହା ପ୍ରତିପାଦିତ ହେଲେ ଗଣିତର ରୂପ ପୁଣି ଏକ ସୀମାରେଖା ଅତିକ୍ରମ କରିବ ଓ ଅନ୍ୟ ଏକ ନୂତନ ଜଗତର ଆଭାସ ଦେବ । ନିଉଟନ୍ଙ୍କ ଦୁନିଆଁ ପରେ ଆଇନ୍ଷ୍ଟାଇନ୍ ଓ ଏହା ପରେ ଆସିବ ନୂତନ ଗଣିତ ଓ ନୂତନ ଦୁନିଆଁ । ପ୍ରକୃତିର ମହାସାଗରକୁ ଘଞ୍ଚାଳିଣ ମାନବ ବାହାର କରିବ ବିଭିନ୍ନ ଅଭିନବ ରୂପ । ମାନବ ସମାଜ ଆଲ୍ଲାଦିତ ହୋଇ ଉଠୁଥିବ । ଯାହା ଜଣା ପଡୁଛି ଆମେ ଯେତେ ସୀମା ଅତିକ୍ରମ କଲେ ମଧ୍ୟ ସବୁକିଛି ପ୍ରକୃତିର ନିୟମ ଅନ୍ତର୍ଭୁକ୍ତ ଅଟେ । ପ୍ରତ୍ୟେକ ସୀମାରେଖାରେ ଅଙ୍କ ଭୂଲ୍ ହୋଇଯାଏ । ଏଥି ନିମିତ୍ତ ଯୁଗ ଯୁଗ ଧରି ଆଧ୍ୟାତ୍ମିକ ଚେତନା ରହିଛି, ଯାହାକୁ ଏଡାଇବା ଅନୁଚିତ୍ । ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଭାବର ସଂଯୋଗରୁ ନିର୍ଗତ ମଧୁର ଜଳ ପାନକରି ପ୍ରତ୍ୟେକ ସଠିକ୍ ରୂପେ ଆଗଭର ହେବା ଉଚିତ୍ ।
———————————————————————————————————-
Published in the College Magazine, ପୂରବୀ “PURABI” 2011 -2012, Dharanidhar Autonomous Collega, Keonjhar, Odisha.