ସର୍ବତତ୍ତ୍ୱଭିତ୍ତିକ ଶ୍ରୀମଦ୍ଭଗବଦ୍ଗୀତା – ପ୍ରଥମ ଅଧ୍ୟାୟ (ଅର୍ଜୁନ ବିଷାଦ ଯୋଗ)
ଅଷ୍ଟାଦଶ ଅଧ୍ୟାୟ ପରିବ୍ୟାପ୍ତ ଶ୍ରୀମଦ୍ଭଗବଦ୍ଗୀତା ଏ ବିଶ୍ୱର ଏକ ଅମୃତମୟ ସୃଷ୍ଟି । ଯୁଗ ଯୁଗ ଧରି ମାନବ ସମାଜ ପାଇଁ ଏହା ଏକ ଜୀବନ୍ତ ସ୍ୱର୍ଗୀୟ ଅସରନ୍ତି ଉର୍ଜାର ଭଣ୍ଡାର ଅଟେ । ଦଧି ମନ୍ଥନରୁ ଯେପରି ଲବଣୀ ଉଦ୍ଗତ ହୁଏ, ସେହିପରି ଏହାର ଅଧ୍ୟାୟ ପରେ ଅଧ୍ୟାୟ ପଠନର ବାରମ୍ବାରତାରେ ପ୍ରାପ୍ତ ହୁଏ ଅଶେଷ ଜ୍ଞାନ, ଯାହା ଅତୁଳନୀୟ ଅଟେ । ସର୍ବଜ୍ଞାନରେ ଭରପୂର ‘ଶ୍ରୀମଦ୍ଭଗବଦ୍ ଗୀତା’ର ଅସୀମ ଭାବଧାରାରୁ ଏ ଅକିଞ୍ଚନ ନିଜ ସୀମିତ ପରିମାପକରେ ଯେଉଁ ନିମିତ୍ତ ମାତ୍ର ହୃଦ୍ବୋଧତା ପ୍ରାପ୍ତ ହୋଇଅଛି, ତାହାର ପରିପ୍ରକାଶ ପୂର୍ବକ ଏ ଜଗତ କଲ୍ୟାଣର ଆଶା ପୋଷଣ କରିଅଛି ।
ଏହା ଚତୁଃ ସକ୍ରିୟ ଚରିତ୍ର ଓ ଏକ ନିଷ୍କ୍ରିୟ ଚରିତ୍ର ମଧ୍ୟରେ ସୀମାବଦ୍ଧ । ଏମାନେ ମହାଭାରତ ଯୁଦ୍ଧର ଆଦ୍ୟରୁ ପ୍ରାନ୍ତ ଯାଏ ଉପଗତ ରହି ଯୁଦ୍ଧ କ୍ଷେତ୍ରରେ ଘଟୁଥିବା ଘଟଣାବଳୀସହ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ସଂଶ୍ଳିଷ୍ଟ । ତେବେ ଅର୍ଜୁନ ହିଁ ଯୁଦ୍ଧରେ ପ୍ରତ୍ୟକ୍ଷଭାବେ, ଶ୍ରୀକୃଷ୍ଣ ପରୋକ୍ଷଭାବେ, ସଞ୍ଜୟ ଓ ବାର୍ବରିକ୍ ଦର୍ଶକଭାବେ ଏବଂ ଧୃତରାଷ୍ଟ୍ର ଶ୍ରୋତାଭାବେ ବର୍ଣ୍ଣନା କରାଯାଇଛି । ଫଳରେ ଯୁଦ୍ଧଭୂମିରେ ଉଭୟ ପକ୍ଷର ଅଂଶୀଦାର ଚରିତ୍ର ମାନଙ୍କର ଯୁଦ୍ଧ ପ୍ରକ୍ରିୟାର ବିବରଣୀ ଜ୍ଞାତ ହେବାର ଏହା ଥିଲା ବିଧାନ । ଏଠାରେ କୁରୁକ୍ଷେତ୍ରକୁ ସମଗ୍ର ବିଶ୍ୱ – ବ୍ରହ୍ମାଣ୍ଡର ରୂପରେଖ ସହ ତୁଳନା କରାଯାଇପାରେ । ସମଗ୍ର ମାନବ ସମାଜ ଭିନ୍ନ ଭିନ୍ନ ଗୁଣଧାରୀଙ୍କ ସମାହାର ଅଟେ । ଅହରହ ସର୍ବେ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଯୁଦ୍ଧରେ ଲିପ୍ତ । ଏହାକୁ ଜାଗତିକ ଦୃଷ୍ଟିରେ ଦର୍ଶନ ପୂର୍ବକ ସମାଜରେ ପ୍ରତିଫଳିତ କରିବା ନିମିତ୍ତ ପାଞ୍ଚପ୍ରକାର ଚରିତ୍ରର ଏକ ପରିସର ସଦା ସର୍ବଦା ଜାଗ୍ରତ ।
ପ୍ରଥମ ଚରିତ୍ର – ରାଜା ଧୃତରାଷ୍ଟ୍ର – ଅନ୍ୟାୟ ପକ୍ଷର ପ୍ରତିନିଧି ।
ଦ୍ୱିତୀୟ ଚରିତ୍ର – ସଞ୍ଜୟ – ସତ୍ୟ ସମ୍ବାଦ ପରିବେଷକ ।
ତୃତୀୟ ଚରିତ୍ର – ଅର୍ଜୁନ – ନ୍ୟାୟ ପାଇଁ ବ୍ୟାକୁଳ ହୋଇ ଯୁଦ୍ଧ କ୍ଷେତ୍ରରେ ଉପବିଷ୍ଠ ।
ଚତୁର୍ଥ ଚରିତ୍ର – ଶ୍ରୀକୃଷ୍ଣ – ସର୍ବଶେଷ ନ୍ୟାୟାଳୟର ମହାନାୟକ ।
ପଞ୍ଚମ ଚରିତ୍ର -ବାର୍ବରିକ୍ – ବଚନବଦ୍ଧତାରୁ ବଳିଦାନ ଓ ନିଜ କଟା ମସ୍ତକ ସ୍ତମ୍ଭ ଉପରେ ଜୀବନ୍ତ ରହି ଯୁଦ୍ଧ ଦେଖିବାର ଅଭିଳାଷରୁ ଜଣେ ଦର୍ଶକ ।
ଏଠାରେ ଯୁଦ୍ଧ ଭୂମିର ଦୃଶ୍ୟ ଦେଖି ଅଧର୍ମ ପକ୍ଷରେ ଜଣେ ସତ୍ୟବାଦୀ ବ୍ୟକ୍ତି ଅନ୍ୟାୟ ପକ୍ଷର ପ୍ରତିନିଧିଙ୍କୁ ସୂଚନା ଦେଉଛନ୍ତି । ପୁନଃ ଧର୍ମ ପକ୍ଷରେ ଥିବା ଜଣେ ମହାଯୋଦ୍ଧାଙ୍କ କଟା ମସ୍ତକ କେବଳ ମହାଭାରତ ଯୁଦ୍ଧର ଜଣେ ନିରବ ଦ୍ରଷ୍ଟା ଓ ସେ ପରିସ୍ଥିତିରେ କୌଣସି ପକ୍ଷଯୁକ୍ତ ନୁହନ୍ତି ବୋଲି ବିବେଚନା କରାଯାଇପାରେ । ଯୁଦ୍ଧର ଅବ୍ୟବହିତ ପୂର୍ବରୁ ବ୍ୟାସଦେବ ସଞ୍ଜୟଙ୍କୁ ଦିବ୍ୟଦୃଷ୍ଟି ପ୍ରଦାନ କରିଛନ୍ତି । କାରଣ ହସ୍ତିନାପୁର ରାଜପ୍ରକୋଷ୍ଠରେ ବସି ଦୃଷ୍ଟିହୀନ ରାଜା ଧୃତରାଷ୍ଟ୍ରଙ୍କୁ କୁରୁକ୍ଷେତ୍ରର ଯୁଦ୍ଧ ବିବରଣୀ ଦେବେ । ସେହିପରି ଶ୍ରୀକୃଷ୍ଣ ଦିବ୍ୟଦୃଷ୍ଟି ପ୍ରଦାନ କରିଛନ୍ତି ବାର୍ବରିକ୍କୁ । ଏହାବାଦ୍ ଯୁଦ୍ଧ ଆରମ୍ଭରୁ ମୋହଗ୍ରସ୍ତ ଅର୍ଜୁନର ମୋହଭଙ୍ଗ ନିମନ୍ତେ ଶ୍ରୀକୃଷ୍ଣଙ୍କ ମୁଖରୁ ଫୁଟି ଉଠିଛି ଅଷ୍ଟାଦଶ ଅଧ୍ୟାୟ ପରିବ୍ୟାପ୍ତ ଦିବ୍ୟବାର୍ତ୍ତା ଓ ନିଜର ବିଶ୍ୱରୂପ – ଯେହେତୁ ସାଧାରଣ ଚର୍ମ ଚକ୍ଷୁରେ ଦର୍ଶନ କରିବା ଅସମ୍ଭବ, ତେଣୁ ସେ ତାହାର ଦର୍ଶନ ନିମିତ୍ତ ଅର୍ଜୁନଙ୍କୁ ମଧ୍ୟ ସେହି ସମୟ ପାଇଁ ଦିବ୍ୟଦୃଷ୍ଟି ପ୍ରଦାନ କରିଛନ୍ତି । କିନ୍ତୁ ଶ୍ରୀକୃଷ୍ଣଙ୍କ ଅଷ୍ଟାଦଶ ଅଧ୍ୟାୟ ପରିବ୍ୟାପ୍ତ ବାର୍ତ୍ତା ସମାଜକୁ ପ୍ରବାହିତ ହୋଇଛି ଅଧର୍ମ ପକ୍ଷରେ ବସିଥିବା ସଞ୍ଜୟଙ୍କ ଦ୍ୱାରା । ତେଣୁ ସେ ହେଉଛନ୍ତି ଜଣେ ଶ୍ରୋତା, ଦ୍ରଷ୍ଟା ଏବଂ ଧୃତରାଷ୍ଟ୍ରଙ୍କ ପାଇଁ ଜଣେ ପ୍ରବକ୍ତା । ତେଣୁ ଧର୍ମାତ୍ମା ସଞ୍ଜୟ, ରାଜା ଧୃତରାଷ୍ଟ୍ର, ସଖା ଅର୍ଜୁନଙ୍କ ରଥରେ ସାରଥୀ ରୂପେ କୃଷ୍ଣ, ଅର୍ଜୁନ ଓ ଦ୍ୱିତୀୟ ପାଣ୍ଡବ ଭୀମଙ୍କ ପ୍ରପୌତ୍ର ବାର୍ବରିକ୍ର ଜୀବନ୍ତ ରଖାଯାଇଥିବା କଟା ମସ୍ତକକୁ ନେଇ ଏକ ଜାଗତିକ ପରିବେଷ୍ଟନୀ ଭାବେ ଚିନ୍ତା କରାଯାଇପାରେ ।
ଶ୍ରୀମଦ୍ଭଗବଦ୍ ଗୀତାର ପ୍ରଥମ ଅଧ୍ୟାୟ- ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରୁ ଆରମ୍ଭ ହୁଏ ଓ ପ୍ରଥମ ଚରିତ୍ର ରାଜା ଧୃତରାଷ୍ଠ୍ର ହସ୍ତିନାର ରାଜପ୍ରକୋଷ୍ଠରେ ବସି ଯୁଦ୍ଧର ଅୟାରମ୍ଭର ସୂଚନା ଦେବା ପାଇଁ ସଞ୍ଜୟଙ୍କୁ ଏହିପରି କହିଲେ –
ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ ।
ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ ॥୧॥
ଏହି ଅଧ୍ୟାୟ ବର୍ଣ୍ଣନା କରେ ଉଭୟ ପକ୍ଷରୁ ଯୁଦ୍ଧର ପ୍ରାରମ୍ଭ, ସୈନ୍ୟସଜ୍ଜା, ଉପସ୍ଥିତ ମହାରଥୀ, ରଥୀ, ସାରଥୀ, ଅଶ୍ୱାରୋହୀ, ଗଜାରୋହୀ, …… ପଦାତିକ ବାହିନୀ ଆଦିର ସଂଖ୍ୟା । ସେମାନେ ସେହିକ୍ରମରେ ମହାଯୋଦ୍ଧା, ଯୋଦ୍ଧା, …. ଆଦି ରୂପରେ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଛନ୍ତି । ଏହିପରି ଗଦାଧାରୀ, ଧନୁର୍ଦ୍ଧାରୀ , ଖଡ୍ଗଧାରୀ …… ଆଦିଙ୍କ ଦ୍ୱାରା କୁରୁକ୍ଷେତ୍ର ମଣ୍ଡିତ ହୋଇଅଛି । କୌରବ ପକ୍ଷରେ ଉପବିଷ୍ଠ ଅଛନ୍ତି ଅନେକ ଅପରାଜେୟ ଯୋଦ୍ଧା, ଯଥା – ମହାରଥୀ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, କର୍ଣ୍ଣ, ଅଶ୍ୱତ୍ଥମା ….. ଆଦିଙ୍କ ସହ ସଂଯୁକ୍ତ ହୋଇଛନ୍ତି ମହାଯୋଦ୍ଧା ଓ ଯୋଦ୍ଧା, ତଥା – ଶଲ୍ୟ, ଜୟଦ୍ରଥ, ଶକୁନି, ଦୁର୍ଯ୍ୟୋଧନ, ଦୁଃଶାସନ, ବିକର୍ଣ୍ଣ, ଅନ୍ୟ କୌରବ ଭ୍ରାତା ଗଣ ଓ ଯୁଦ୍ଧରେ ନିପୁଣ ବହୁ ଶୂରବୀରଙ୍କ ସହ ଦୁର୍ଯ୍ୟୋଧନଙ୍କ ଇଛାନୁସାରେ ଶ୍ରୀକୃଷ୍ଣଙ୍କ ଠାରୁ ପ୍ରାପ୍ତ ମହାପରାକ୍ରମୀ ନାରାୟଣୀ ସେନା । ସେହିପରି ପାଣ୍ଡବ ସେନାରେ ଅଛନ୍ତି ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ, ସାତ୍ୟକି, ରାଜା ବିରାଟ, ରାଜା ଦ୍ରୁପଦ, ଧୃଷ୍ଟକେତୁ, ଚେକିତାନ, କାଶିରାଜ, ପୁରୁଜିତ୍, କୁନ୍ତିଭୋଜ, ଶୈବ୍ୟ, ଯୁଧାମନ୍ୟୁ, ଉତ୍ତମୌଜା, ସୁଭଦ୍ରାପୁତ୍ର ଅଭିମନ୍ୟୁ ଏବଂ ଦ୍ରୌପଦୀଙ୍କ ପାଞ୍ଚପୁତ୍ର । ନାରାୟଣୀ ସେନା ପ୍ରତିବଦଳରେ ଓ ଅର୍ଜୁନଙ୍କ ଇଛାନୁସାରେ ପ୍ରାପ୍ତ ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ଓ ସେ ପରେ ବଳରାମଙ୍କ ନିକଟରେ ଅସ୍ତ୍ର ଧାରଣ ନକରିବାର ବଚନବଦ୍ଧ ହୋଇ ଅର୍ଜୁନଙ୍କ ରଥରେ ସାରଥୀ ସାଜିଛନ୍ତି । ତେଣୁ ଯଦି ଯୁଦ୍ଧର ଫଳାଫଳ ଉପରେ ସବୁଦୃଷ୍ଟିରୁ ବିଚାର କରାଯାଏ ତେବେ କୌରବ ମାନଙ୍କ ପଲା ବହୁ ଗୁଣରେ ଭାରୀ ରହିବାର ନିଶ୍ଚିତତା ପ୍ରତିଫଳିତ ହୁଏ ।
କୌରବ ସେନା ପକ୍ଷରୁ ପ୍ରଥମେ ମହାରଥୀ , ଇଛା ମୃତ୍ୟୁଧାରୀ, ଅପରାଜେୟ, ପର୍ଶୁରାମ ଶିଷ୍ୟ, ଓ କୌରବ ସେନାର ପ୍ରଧାନ ସେନାପତି କୁରୁବୃଦ୍ଧ ମହାପ୍ରତାପୀ ପିତାମହ ଭୀଷ୍ମ ସିଂହନାଦ ପରି ଗର୍ଜନ କରି ଉଚ୍ଚସ୍ୱରରେ ଯୁଦ୍ଧଶଙ୍ଖ ବାଦନ କଲେ । ଏହା ପରେ ପରେ ସବୁ ଯୋଦ୍ଧା ମାନଙ୍କ ଶଙ୍ଖ ଓ ଯୁଦ୍ଧବାଦ୍ୟ ବାହିନୀଙ୍କ ଭେରୀ, ନାଗରା, ମର୍ଦ୍ଦଳ ଓ ରଣଶିଙ୍ଗା ଆଦି ବାଦ୍ୟ ଏକସଙ୍ଗେ ବାଜି ରଣଭୂମିକୁ ଶବ୍ଦର ତୀବ୍ରତାରେ ଭୟଙ୍କର କରିଦେଲା । ଏହାପରେ ପାଣ୍ଡବଙ୍କ ପକ୍ଷରୁ ଷଡଶଙ୍ଖ ବାଦନ ସହ ଧନୁର୍ଦ୍ଧର କାଶୀରାଜ,ମହାରଥୀ ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ, ରାଜା ବିରାଟ, ଅଜେୟ ସାତ୍ୟକି, ରାଜା ଦ୍ରୁପଦ, ଦ୍ରୌପଦୀଙ୍କ ପାଞ୍ଚପୁତ୍ର ଏବଂ ସୁଭଦ୍ରାପୁତ୍ର ଅଭିମନ୍ୟୁ ଆଦି ଶଙ୍ଖ ବଜାଇଲେ । ଷଡଶଙ୍ଖ ଅର୍ଥାତ୍ –
ପାଞ୍ଚଜନ୍ୟଂ ହୃଷୀକେଶୋ ଦେବଦତ୍ତଂ ଧନଞ୍ଜୟଃ ।
ପୌଣ୍ଡ୍ରଂ ଦଧ୍ମୌ ମହାଶଙ୍ଖଂ ଭୀମକର୍ମା ବୃକୋଦରଃ ॥ ୧୫॥
ଅନନ୍ତବିଜୟଂ ରାଜା କୁନ୍ତୀପୁତ୍ରୋ ଯୁଧିଷ୍ଠିରଃ ।
ନକୁଳଃ ସହଦେବଶ୍ଚ ସୁଘୋଷ ମଣିପୁଷ୍ପକୌ ॥୧୬॥
ତେବେ ଏ ଶବ୍ଦ ସବୁର ଏକତ୍ରୀକରଣରୁ ଶବ୍ଦର ତୀବ୍ରତା କୌରବ ପକ୍ଷଠୁଁ ଅଧିକ ଭୟଙ୍କର , ଯାହା ଆକାଶ ଓ ପୃଥିବୀକୁ ପ୍ରତିଧ୍ୱନିତ କରି ସେମାନଙ୍କ ହୃଦୟକୁ ବିଦୀର୍ଣ୍ଣ କରିଦେବା ପ୍ରାୟ ହେଲା ।
କପିଧ୍ୱଜ ରଥରେ ଅର୍ଜୁନ ନିଜ ଧନୁ ଧାରଣ ପୂର୍ବକ ଯୁଦ୍ଧ ପ୍ରାରମ୍ଭରୁ, ଦୁର୍ଯ୍ୟୋଧନର ହିତାକାଙ୍କ୍ଷୀ ହୋଇ ଯେଉଁମାନେ କୌରବ ସେନାରେ ସାମିଲ ହୋଇଛନ୍ତି ସେମାନଙ୍କୁ ଭଲଭାବେ ଚିହ୍ନିବା ନିମନ୍ତେ ତାଙ୍କ ରଥକୁ ଦୁଇ ସେନା ମଧ୍ୟରେ ଠିଆ କରାଇବା ପାଇଁ ଭଗବାନ୍ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କଲେ । ରଥ ଦୁଇ ସେନା ମଧ୍ୟରେ ରହିବା ପରେ ଅର୍ଜୁନ ଦେଖିଲେ ସେମାନେ ହେଉଛନ୍ତି ନିଜର ପିତୃ, ପିତାମହ, ଗୁରୁ, ମାମୁ, ଭାଇ, ପୁଅ, ନାତି, ମିତ୍ର, ଶ୍ୱଶୁର ଓ ସୁହୃଦ୍ମାନେ । ଏହା ଦେଖି ଅର୍ଜୁନ ମୋହଗ୍ରସ୍ତତାର ଶୀକାର ହୋଇ ଅତ୍ୟନ୍ତ କରୁଣାପରବଶ ଚିତ୍ତରେ ଶୋକାତୁର ହୋଇଉଠିଲେ । ଜଣେ ଯୋଦ୍ଧାର ସବୁ ବିପରୀତ ଲକ୍ଷଣ ତାଙ୍କଠାରେ ପ୍ରକାଶ ପାଇଲା । କାରଣ ସେ ରାଜ୍ୟ, ଭୋଗ ଓ ସୁଖାଦି ଅଭିଳାଷରେ ଏତାଦୃଶ ସ୍ୱଜନସମୁଦାୟଙ୍କୁ ବଧ କରି ସୁଖ ଓ ଯଶ ପାଇବା ପରିବର୍ତ୍ତେ କେବଳ ଅସହ୍ୟ ଦୁଃଖ ଓ ଅପଯଶର ଯନ୍ତ୍ରଣାରେ ଜର୍ଜରିତ ହେବ । ଏମାନଙ୍କୁ ମାରି ତିନିଲୋକର ରାଜ୍ୟାଧିକାର ମିଳିଲେବି ତାହା ସେ କରି ନପାରିବାର ଆତୁରତା ପ୍ରକାଶ କଲେ । ସେମାନଙ୍କ ହାତରେ ବରଂ ନିଜ ଜୀବନ ଚାଲିଯାଉ, କିନ୍ତୁ ସେମାନଙ୍କୁ ସେ ମାରିପାରିବ ନାହିଁ । କାରଣ ନିଜର କୁଟୁମ୍ବ ଲୋକଙ୍କୁ ବଧ କରି ସେ କୁଳକ୍ଷୟଜନିତ ଦୋଷ ଓ ମିତ୍ରଦ୍ରୋହଜନିତ ପାପରେ ଭାଗୀଦାର ହେବାକୁ ପଛଘୁଞ୍ଚା ଦେଲେ । କୁଳନାଶରେ କୁଳଧର୍ମ ନଷ୍ଟ, କୁଳ ପାପଗ୍ରସ୍ତ ହେବା, କୁଳସ୍ତ୍ରୀମାନେ ଦୂଷିତା ହେବା, ବର୍ଣ୍ଣସଙ୍କର ଉତ୍ପନ୍ନ ହେବା, ପିତୃଲୋକ ଶ୍ରାଦ୍ଧ ଓ ତର୍ପଣରୁ ବଞ୍ଚିତ ହୋଇ ଅଧୋଗତି ପ୍ରାପ୍ତ ହେବା ଆଦିର କାରଣ ହୋଇ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ନରକବାସକୁ ସେ ଆଦୌ ଗ୍ରହଣ କରିପାରିବ ନାହିଁ । ବୁଦ୍ଧିମାନ ହୋଇ ମଧ୍ୟ ଆମେ ନିଜର ଆତ୍ମୀୟସ୍ୱଜନମାନଙ୍କୁ ମାରିବାକୁ ଉଦ୍ୟତ ! ଏହା କହି ଶୋକରେ ଉଦ୍ବିଗ୍ନମନା ଅର୍ଜୁନ କହିଲେ ତାଙ୍କପରି ନିଃଶସ୍ତ୍ର ଓ ପ୍ରତିକାରରହିତ ଲୋକକୁ ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ମାରିଦେଲେ ତାଙ୍କପାଇଁ ଅଧିକ ମଙ୍ଗଳକର ହେବ । ତେଣୁ ଧନୁ ତ୍ୟାଗ କରି ରଥର ପଛପଟେ ବସିପଡିଲେ ।
ଏଠାରେ ଅର୍ଜୁନ ମୋହଗ୍ରସ୍ତତାର ଶୀକାର ହୋଇ ପଶ୍ଚାତାପର ଅଗ୍ନିରେ ଦଗ୍ଧୀଭୂତ ଓ ଶୋକପୂର୍ଣ୍ଣ ନୟନରେ ନିଜର ଅସ୍ତ୍ର ତ୍ୟାଗ କରି ଯୁଦ୍ଧରୁ ବିରତ ରହିବା ତାଙ୍କର ଶ୍ରେଷ୍ଠ କର୍ତ୍ତବ୍ୟ ବୋଲି ପ୍ରତିଫଳନ କରିଛନ୍ତି । ତାଙ୍କଠାରେ ପ୍ରକାଶ ପାଇଛି ସମ୍ପୂର୍ଣ୍ଣ ଆତ୍ମସମର୍ପଣ ଭାବ । ନିଜ ଲୋକଙ୍କୁ ବଧ କରିବା ଓ ତତ୍ସଙ୍ଗେସଙ୍ଗେ ଭୟଙ୍କର ରକ୍ତପାତରେ ଅଜସ୍ର ମାନବ ଜୀବନର ବିନାଶରେ ସମାଜ ମଙ୍ଗଳର କୌଣସି ଆଭାସ ସେ ପାଇ ପାରି ନାହାନ୍ତି । ପୁନଃ ସେ ନିଜ କୁଳଧର୍ମ ନଷ୍ଟର ପରିଣାମକୁ ମଧ୍ୟ ଅଗ୍ରାଧିକାର ଦେଇଛନ୍ତି ଓ ନିଜର ବିନାଶକୁ ମଧ୍ୟ ଗ୍ରହଣ କରିଛନ୍ତି । ଏହା ରୋମେରୋମେ ସତ୍ୟର ପରିପ୍ରକାଶ ଅଟେ ।
ଦ୍ୱିତୀୟତଃ ସେ ଭୂଲି ଯାଇଛନ୍ତି ଅତୀତର ସବୁ ଘଟଣାବଳୀ । ସେମାନଙ୍କୁ ମାରିବା ପାଇଁ ଗାନ୍ଧାରରାଜ ଶକୁନି ଓ ଦୁର୍ଯ୍ୟୋଧନର ନୂଆ ନୂଆ ବ୍ୟୁହ ରଚନା, ଛଳରେ ପଶା ଖେଳରୁ ଦ୍ରୌପଦୀ ବସ୍ତ୍ର ହରଣ, ରାଜ୍ୟ ହରାଇ ବନବାସ ସହ ଅଜ୍ଞାତ ବାସ, ଶେଷରେ ପାଞ୍ଚଖଣ୍ଡ ପଡା ପରିବର୍ରେ ‘ବିନା ଯୁଦ୍ଧେ ଦେବିନାହିଁ ସୂଚ୍ୟଗ୍ରେ ମେଦିନୀ’ର ଯୁଦ୍ଧ ଡାକରା ……. ଆଦି ଓ ଶ୍ରୀକୃଷ୍ଣଙ୍କ ଯୁଦ୍ଧ ଏଡାଇବାର ପ୍ରଚେଷ୍ଟାକୁ ନିଷ୍ଫଳ କରିଦେଲା । ସେଥିପାଇଁ ‘ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ’ । ଅଧର୍ମ ପଥରେ ଜଡିତ ରହି କୌରବମାନେ ପାଣ୍ଡବଙ୍କୁ ସେମାନଙ୍କ ପୈତୃକତାର ନିଦର୍ଶନ ରୂପେ ଭିକ୍ଷା ସ୍ୱରୂପ ସାମାନ୍ୟ ପାଞ୍ଚଖଣ୍ଡ ଗ୍ରାମରୁ ବଞ୍ଚିତ କରି ‘ଯୁଦ୍ଧଂ ଦେହି’ ଡାକରା ଦେଲେ । ସେଥିପାଇଁ ଅନେକ ଅନେକ ରାଜା ମହାରାଜା ସହ ଏଗାର ଅକ୍ଷୌହିଣୀ ସୈନ୍ୟଙ୍କ ବିରାଟ କଳେବରକୁ ନେଇ ଓ ପ୍ରାୟ ସବୁ ଅଜେୟ ଯୋଦ୍ଧାଙ୍କ ଗହଣରେ ଅଧର୍ମୀ କୌରବଗଣ ମତୁଆଲା । କିନ୍ତୁ ଧର୍ମ ପକ୍ଷରେ ପାଣ୍ଡବଙ୍କୁ ସହଯୋଗ କରିଛନ୍ତି କିଛି ରାଜା ଓ ମହାରାଜାଙ୍କ ସହ ସାତ ଅକ୍ଷୌହିଣୀ ସେନା । ଏହା ସୂଚାଏ ଯେ ସେ ସମୟରେ ଅଧର୍ମୀଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ଘଟିଥିଲା ଓ ରାଜ୍ୟ ଗୁଡିକରେ ଅରାଜକତାର ଲେଲୀହାନ ଶିଖା ମଧ୍ୟ । ତେଣୁ ସେ ସମୟର ଏହା ଧର୍ମ ଏବଂ ଅଧର୍ମ ମଧ୍ୟରେ ଏକ ବିଶ୍ୱଯୁଦ୍ଧ କହିଲେ ଅତ୍ୟୁକ୍ତି ହେବନାହିଁ । ଧର୍ମର ଆଧାରରେ ଥିବା ପାଣ୍ଡବଙ୍କୁ ମିଳିଥିଲା ନ୍ୟୂନ ସଂଖ୍ୟକ ସମର୍ଥନ । ମାନବ ସମାଜର ସନ୍ତୁଳନତା ବଜାୟ ରହିବା ନିମନ୍ତେ ପାଣ୍ଡବଙ୍କ ସହ ଭଗବାନ୍ ଶ୍ରୀକୃଷ୍ଣ ସେ ମହାଯୁଦ୍ଧରେ ସାରଥୀ ହୋଇଛନ୍ତି । ଏସବୁକୁ ପାର୍ଥ ଭୁଲିଯାଇଛନ୍ତି ମୋହରୂପୀ ଅନ୍ଧକାରରେ ବଶୀଭୂତ ହୋଇ । ଯୋଦ୍ଧା ଓ କ୍ଷତ୍ରିୟର ଧର୍ମଯୁଦ୍ଧକୁ ସେ ଭୂଲିବା ସହ ଏହା ସହ ଉଦ୍ଦିଷ୍ଟ ସମଗ୍ର ବିଶ୍ୱର ମଙ୍ଗଳକୁ ସେ ପାଶୋରି ପକାଇଛନ୍ତି । ଅଧର୍ମ ମାର୍ଗରେ ଧାବିତ ମାନବ କୌରବଙ୍କ ହିତାକାଙ୍କ୍ଷୀ । ତେଣୁ କୌରବଙ୍କ ପଲା ଭାରୀ ହୋଇଛି । ଧର୍ମ ରକ୍ଷା ଓ ମାନବ ସମାଜ ମଙ୍ଗଳ ନିମିତ୍ତ ସେମାନଙ୍କ ବିନାଶ ଅପରିହାର୍ଯ୍ୟ ଅଟେ । ଏହା ନିଜ କୁଳଧର୍ମ ବିନାଶର ପରିଣାମରୁ ଅରାଜକତା ଭରିଯିବା ସହ ତୁଳନୀୟ ନୁହେଁ । ଅର୍ଥାତ୍ ଅର୍ଜୁନ ବାଟବଣା ହୋଇ ଭ୍ରମରେ ପଡିଯାଇଛନ୍ତି । ଯୁଦ୍ଧରୁ ବିମୁଖ ହୋଇଛନ୍ତି । ଯାହା ନିଜସ୍ୱ ମୂଳ ଧର୍ମ ଓ କର୍ତ୍ତବ୍ୟର ବିରୁଦ୍ଧ ଅଟେ । ଏତାଦୃଶ କାପୁରୁଷତା ଓ ଭୀରୁତାର ଲକ୍ଷଣ ଅର୍ଜୁନଙ୍କ ଠାରେ ପ୍ରକାଶ ପାଇଛି କୁରୁକ୍ଷେତ୍ର ଯୁଦ୍ଧ ପରିସରର ମୋହଯୁକ୍ତତାରୁ ।
କିନ୍ତୁ ଅନ୍ୟ ଦୃଷ୍ଟିରୁ ଦେଖିଲେ ଅବଗତହୁଏ ଯେ, ଯେତେବେଳେ ସର୍ବେ କେବଳ ଯୁଦ୍ଧ କରିବାର ମଦିରାରେ ମତୁଆଲା ସେତେବେଳେ ଜଣେ ମାତ୍ର ଯୋଦ୍ଧାର ମନ ନିଜ ସ୍ୱଜନଙ୍କ ବଧ ଓ ଭୟଙ୍କର ନର ସଂହାର କଥା ଭାବି ଶୋକାତୁର ହୋଇ ଉଠିଛି । ଏହା ଏକ ଦୟା ଓ କ୍ଷମାଶୀଳ ପ୍ରାଣରୁ ଉଦ୍ଗତ ନିଷ୍କପଟ ପରିପ୍ରକାଶ । ଏହା ଏକ ସାର୍ବଜନୀନ କର୍ତ୍ତବ୍ୟବୋଧତା । କିନ୍ତୁ ଏତାଦୃଶ ନମନୀୟତା ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ଅନ୍ୟ ଯୁଦ୍ଧା ମାନଙ୍କ ହୃଦୟରେ ଜାଗ୍ରତ ହୋଇପାରି ନଥିଲା । ଯେଉଁ କାରଣ ଗୁଡିକରୁ ନିଜେ ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ ଉପବିଷ୍ଠ, ତାହାର ଗୁରୁତ୍ୱକୁ ସେ ଭୁଲି ମୋହଗ୍ରସ୍ତତା ଓ କର୍ମରୁ ବିଚ୍ୟୁତ ହେବାରୁ ଭଗବାନ୍ ଶ୍ରୀକୃଷ୍ଣ ମାନବ ଜୀବନ ନିମିତ୍ତ ପ୍ରଥମ ଅଧ୍ୟାୟ(କାରଣ)ରୁ ଦୀର୍ଘ ସତର ଅଧ୍ୟାୟ (ଫଳାଫଳ)ପରିବ୍ୟାପ୍ତ, ତଥା- ସାଂଖ୍ୟ ଯୋଗ, କର୍ମଯୋଗ, ଜ୍ଞାନକର୍ମସନ୍ୟାସଯୋଗ, କର୍ମସନ୍ୟାସଯୋଗ, ଆତ୍ମସଂଯମଯୋଗ, ଜ୍ଞାନବିଜ୍ଞାନ ଯୋଗ, ଅକ୍ଷର ବ୍ରହ୍ମ ଯୋଗ, ରାଜବିଦ୍ୟା ରାଜଗ୍ୟୁହ ଯୋଗ, ବିଭୂତି ଯୋଗ, ବିଶ୍ୱରୂପ ଦର୍ଶନ ଯୋଗ, ଭକ୍ତି ଯୋଗ, କ୍ଷେତ୍ର-କ୍ଷେତ୍ରଜ୍ଞ ବିଭାଗଯୋଗ, ଗୁଣତ୍ରୟ ବିଭାଗ ଯୋଗ, ପୁରୁଷୋତ୍ତମଯୋଗ, ଦୈବାସୁରସମ୍ପତ୍ ବିଭାଗ ଯୋଗ, ଶ୍ରଦ୍ଧାତ୍ରୟ ବିଭାଗ ଯୋଗ, ମୋକ୍ଷସନ୍ୟାସ ଯୋଗର ପରମ ବ୍ୟାଖ୍ୟା କରିଛନ୍ତି ।
ଏ ଅଠର ଅଧ୍ୟାୟକୁ ନେଇ ଶ୍ରୀମଦ୍ଭଗବଦ୍ ଗୀତାର କଳେବର ଶୋଭା ମଣ୍ଡନ କରେ, ଯାହା ଅଠର ପ୍ରକାର ନାମ ବହନ କରେ, ତଥା-ଗୀତା, ଗଙ୍ଗା, ଗାୟତ୍ରୀ, ସୀତା, ସତ୍ୟ, ସରସ୍ୱତୀ, ବ୍ରହ୍ମବିଦ୍ୟା, ବ୍ରହ୍ମବଳ୍ଳୀ(ବ୍ରହ୍ମବାହିନୀ), ତ୍ରିସନ୍ଧ୍ୟା, ମୁକ୍ତଗେହିନୀ, ଅର୍ଦ୍ଧମାତ୍ରା, ଚିଦାନନ୍ଦୀ, ଭୱାଂଗୀ, ଭୟନାଶିନୀ, ବେଦତ୍ରୟୀ(ଚିରା), ପରା, ଅନନ୍ତା, ତତ୍ତ୍ୱାର୍ଥଜ୍ଞାନମଞ୍ଜରୀ । ମହାଭାରତ ଯୁଦ୍ଧରେ ଅଠର ଅକ୍ଷୌହିଣୀ ସେନା ଭାଗ ନେଇଥିବାର କୁହାଯାଏ । ତନ୍ମଧ୍ୟରୁ ଏଗାର ଅକ୍ଷୌହିଣୀ ସେନା କୌରବଙ୍କ ପକ୍ଷରେ ଓ ସାତ ଅକ୍ଷୌହିଣୀ ସେନା ପାଣ୍ଡବଙ୍କ ପକ୍ଷରେ ରହି ଯୁଦ୍ଧ କରିଥିଲେ ଏବଂ ଅଠର ଦିବସ ବ୍ୟାପି ଯୁଦ୍ଧ ହୋଇଥିବାର ବର୍ଣ୍ଣନା କରାଯାଇଛି ।
ତେବେ ଶ୍ରୀମଦ୍ଭଗବଦ୍ ଗୀତାର ପ୍ରଥମ ଅଧ୍ୟାୟ ଅର୍ଜୁନର ବିଷାଦ ଓ ଯୁଦ୍ଧରୁ ବିମୁଖ ହେବାକୁ ବ୍ୟାଖ୍ୟା କରେ । ଏହାକୁ ବିଜ୍ଞାନ ଢାଞ୍ଚାରେ ବର୍ଣ୍ଣନା କରିବାର ଏକ ନିମିତ୍ତ ପ୍ରୟାସ ମାତ୍ର । ଏଠାରେ କୃଷ୍ଣ ବସ୍ତୁ ବିକିରଣ(Black Body Radiation) ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରାଯାଇଛି । କୃଷ୍ଣ ବସ୍ତୁକୁ ଉତ୍ତପ୍ତ କଲେ ଏହା ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗ(Electromagnetic Wave ) ବିକିରିତ କରିଥାଏ । ଉକ୍ତ ବର୍ଣ୍ଣାଳୀ(Spectrum) ନିମ୍ନଆବୃତ୍ତି(Low Frequency) ବା ଦୀର୍ଘ ତରଙ୍ଗ ଦୈର୍ଘ୍ୟ(Long Wavelength)ରୁ ଆରମ୍ଭ କରି ଉଚ୍ଚ ଆବୃତ୍ତି ବା ନିମ୍ନ ତରଙ୍ଗ ଦୈର୍ଘ୍ୟ ଅର୍ଥାତ୍ ଅବଲୋହିତ ତରଙ୍ଗ(Infrared wave), ଦୃଶ୍ୟମାନ ତରଙ୍ଗ(Visible wave) ଓ ଅତିବାଇଗଣି ତରଙ୍ଗ(Ultraviolet wave) ଆଦିର ସମଷ୍ଟି ଅଟେ । ବୈଜ୍ଞାନିକମାନେ ପରୀକ୍ଷାଗାରରେ ଏହା ଉପଲବ୍ଧ ପୂର୍ବକ ଉକ୍ତ ପରୀକ୍ଷଣର ବିକିରିତ ଶକ୍ତି ଓ ତରଙ୍ଗ ଦୈର୍ଘ୍ୟ ବା ଆବୃତ୍ତିର ରୈଖିକ ଚିତ୍ରପଟ୍ଟ(Graphical Representation) ଅଙ୍କନ କରିଥିଲେ । ତେବେ ରୈଖିକ ଚିତ୍ରପଟ୍ଟର ସମ୍ପୂର୍ଣ୍ଣ ଗାଣିତିକ ପ୍ରତିପାଦନ ପ୍ରାଥମିକ ଓ ଦ୍ୱିତୀୟକ ସ୍ତରରେ ଆଂଶିକ ସଫଳ ଲାଭ କଲା । ପର୍ଯ୍ୟବେକ୍ଷଣରୁ ନିସୃତ ଗୋଟିଏ ଅବିଚ୍ଛିନ୍ନ ରେଖା(Continuous Curve) କେବଳ ଏକ ଗାଣିତିକ ସୂତ୍ର ଦ୍ୱାରା ବୁଝା ପଡିବା କଥା । କିନ୍ତୁ ବୈଜ୍ଞାନିକ ୱାଇନ୍(Wein)ଙ୍କ ସୂତ୍ର ରୈଖିକ ଚିତ୍ରପଟ୍ଟର ମୂଳ ଅଂଶରୁ ଅଧା(ନିମ୍ନ ତରଙ୍ଗ ଦୈର୍ଘ୍ୟ) ଓ ରାଲି – ଜିନ୍(Rayleigh – Jean)ଙ୍କ ସୂତ୍ର ରୈଖିକ ଚିତ୍ରପଟ୍ଟର ଶେଷ ଅଂଶରୁ ଅଧା(ଦୀର୍ଘ ତରଙ୍ଗ ଦୈର୍ଘ୍ୟ) ଯାଏ ବୁଝାଇ ପାରିଲା । ଏହା ବୈଜ୍ଞାନିକ ମହଲରେ ଆଲୋଡନ ସୃଷ୍ଟି କଲା ଯେ ବିଜ୍ଞାନ ତତ୍ତ୍ୱରେ କେଉଁଠି ଭୂଲ୍ ରହିଲା ? କୃଷ୍ଣ ବସ୍ତୁ ବିକିରଣରୁ ଉତ୍ପନ୍ନ ତରଙ୍ଗ ଶକ୍ତି ଓ ତରଙ୍ଗ ଦୈର୍ଘ୍ୟର ରୈଖିକ ଚିତ୍ରପଟ୍ଟକୁ ଏମାନଙ୍କ ଗାଣିତିକ ସୂତ୍ର କାହିଁକି ସମୂର୍ଣ୍ଣରୂପେ ପ୍ରତିପାଦନ କରିପାରୁ ନାହିଁ ? ଏକ ଦଶନ୍ଧି ଧରି ବୈଜ୍ଞାନିକ ମାନଙ୍କର ପ୍ରଚେଷ୍ଟାରେ ସଫଳତା ପ୍ରାପ୍ତ ହୋଇଥିଲା । ସେ ହେଉଛନ୍ତି ମହାନ୍ ବୈଜ୍ଞାନିକ ମାକ୍ସ୍ ପ୍ଲାଙ୍କ୍(Max Planck) । ତାଙ୍କ ତତ୍ତ୍ୱ ଥିଲା ତରଙ୍ଗର ଦ୍ୱିବିଧ ପ୍ରକୃତି(Dual Nature) ଅର୍ଥାତ୍ ତରଙ୍ଗ ପ୍ରକୃତି(Wave Nature) ଓ କଣିକା ପ୍ରକୃତି (Particle Nature)। ତରଙ୍ଗର ମୂଳ ପ୍ରକୃତି ତରଙ୍ଗ ଅଟେ, କିନ୍ତୁ କେତେକ ପରିସ୍ଥିତିରେ ଏହା ମୂଳ ପ୍ରକୃତି ଦର୍ଶାଇବା ପରିବର୍ତ୍ତେ କଣିକା ପ୍ରକୃତିକୁ ଦର୍ଶାଇ ଥାଏ । କୃଷ୍ଣ ବସ୍ତୁ ବିକିରଣର ରୈଖିକ ଚିତ୍ରପଟ୍ଟଗୁଡିକୁ ତରଙ୍ଗର କଣିକା ପ୍ରକୃତି ଦ୍ୱାରା ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରାଯାଇ ପାରିଲା ଓ ପ୍ଲାଙ୍କ୍ଙ୍କ ସୂତ୍ରରୁ ମଧ୍ୟ ୱାଇନ୍ ଏବଂ ରାଲି – ଜିନ୍ଙ୍କ ସୂତ୍ର ତତ୍ଜନିତ ଅବସ୍ଥାରେ ପରିପ୍ରକାଶ ହୋଇ ପାରିଲା । ଏହିଠାରୁ ବିଜ୍ଞାନ ଜଗତରେ ଏକ ନୂଆ ଯୁଗ ଆରମ୍ଭ ହେଲା, ଅର୍ଥାତ୍ ପାରମାଣବିକ ସ୍ତର ବା ସୂକ୍ଷ୍ମ ସ୍ତରରେ କ୍ଲାସିକାଲ୍ ତତ୍ତ୍ୱ(Classical Theory)ର ଅସଫଳତାରୁ ସୃଷ୍ଟି ହେଲା କ୍ୱାଣ୍ଟମ ତତ୍ତ୍ୱ(Quantum Theory) ।
ପ୍ରକୃତି ବା ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଏକ ସ୍ୱୟଂ ସମ୍ପୂର୍ଣ୍ଣମୁଖୀ ସମବିନ୍ୟାସର ରୂପରେଖ, ଯାହା ସଦା ସର୍ବଦା ବଜାୟ ରହିଛି । ଏଥିରେ କିଞ୍ଚିତ୍ ବ୍ୟତିକ୍ରମ ଘଟିଲେ ପ୍ରକୃତି ବିରୋଧ କରେ । ତେଣୁ ପ୍ରକୃତିର ଲକ୍ଷଣ ହେଲା ତା’ର ସମବିନ୍ୟାସତାକୁ ଭଲ ପାଇବା(Nature Loves Symmetry) । ଏହାକୁ ଭିତ୍ତି କରି ଫରାସୀ ବୈଜ୍ଞାନିକ ଲୁଇସ୍ ଡି ବ୍ରୋଗ୍ଲାଏ(Louis de Broglie) ଯୁକ୍ତି ବାଢିଲେ ଯେ, ମୂଳ ତରଙ୍ଗ ଯଦି କଣିକାର କାର୍ଯ୍ୟ କରିପାରୁଛି ତେବେ ସେହି ଢାଞ୍ଚାରେ ମଧ୍ୟ ମୂଳ କଣିକା ପରିସ୍ଥିତିର ତାଡନାରେ ତରଙ୍ଗର କାର୍ଯ୍ୟ ସମ୍ପାଦନ କରି ପାରିବ ଯାହାକୁ ବସ୍ତୁ ତରଙ୍ଗ(Matter Wave) କୁହାଗଲା । ଏହା ମଧ୍ୟ ପରୀକ୍ଷାସିଦ୍ଧ ହେବା ସହ କଣିକାର ଦ୍ୱିବିଧ ପ୍ରକୃତି ଥିବାର ବିଜ୍ଞାନ ଗ୍ରହଣ କଲା । ସେହିପରି ହାଇଜେନ୍ବର୍ଗଙ୍କ ଅନିଶ୍ଚିତତା ନିୟମ(Heisenberg Uncertainty Principle)ପ୍ରକାଶ କଲା ଯେ, କୌଣସି ଘଟଣାରେ ପରସ୍ପର ସଂଯୁକ୍ତ ଥିବା ଅନୁବଦ୍ଧିୟ ପରିବର୍ତ୍ତନଶୀଳ(Canonically Conjugate Variable) ଓ ପର୍ଯ୍ୟବେକ୍ଷୀୟ ସଂଖ୍ୟା(Observable Quantity) ଦ୍ୱୟର ପର୍ଯ୍ୟବେକ୍ଷଣ ଏକ ସଙ୍ଗରେ ନିର୍ଭୁଲ୍ ଭାବେ ମପା ଯାଇପାରିବ ନାହିଁ । ପ୍ରଥମଟିର ସଠିକ୍ ପରିମାପ କରାଗଲେ ଦ୍ୱିତୀୟଟିର ପରିମାପରେ ସର୍ବାଧିକ ତ୍ରୁଟି ପରିଲକ୍ଷିତ ହେବ ଓ ଏହା ବିପରୀତମୁଖୀ ଅଟେ । ଉଦାହରଣ ସ୍ୱରୂପ ସ୍ଥାନ(Position) ଓ ସଂବେଗ(Momentum) ଏବଂ ଶକ୍ତି(Energy) ଓ ସମୟ(Time) ଆଦିକୁ ଏହି ପରିମାପକ ଯୋଡିଗୁଡିକୁ ବୁଝାଇଥାଏ । ଏକ ଗତିଶୀଳ କଣିକାର ସଠିକ୍ ସ୍ଥାନ ନିରୂପଣରେ ତା’ର ସଂବେଗ ନିରୂପଣରେ ସର୍ବାଧିକ ତ୍ରୁଟି କିମ୍ବା ସଠିକ୍ ସଂବେଗର ନିରୂପଣରେ କଣିକାର ସ୍ଥାନ ନିରୂପଣରେ ସର୍ବାଧିକ ତ୍ରୁଟି ପରିଲକ୍ଷିତ ହେବ । ତେଣୁ ସ୍ଥାନର ପର୍ଯ୍ୟବେକ୍ଷଣରେ ଯେତେ ସଠିକ ନିଶ୍ଚିତତା ରହିବ, ସଂବେଗ ଜାଣିବା ନିମିତ୍ତ ସେହି ଧାରାରେ ଅନିଶ୍ଚିତତା ବୃଦ୍ଧି ପାଇବ । ତେଣୁ ଏକ ସମୟରେ ଦୁଇ ପରିମାପକରେ ନିଶ୍ଚିତତା ରହିବା ଅସମ୍ଭବ । ଏହି ଅନିଶ୍ଚିତତା ଦର୍ଶାଏ ମାନବୀୟ ପର୍ଯ୍ୟବେକ୍ଷଣର ସୀମାବଦ୍ଧତାକୁ ଓ ମନରେ ଜାଗ୍ରତ କରାଏ ଈଶ୍ୱରୀୟ ଭାବନା । ମନେକର ଏକ ପରୀକ୍ଷଣରେ ବସ୍ତୁର କଣିକା ପ୍ରକୃତି ସମ୍ବନ୍ଧୀୟ ମାପ ନିମିତ୍ତ ବ୍ୟବସ୍ଥା କରାଯାଇଛି । ତେଣୁ କଣିକାଟିର ସ୍ଥାନ ଓ ସମୟ ନିରୂପଣରେ ପର୍ଯ୍ୟବେକ୍ଷଣୀୟ ତ୍ରୁଟି ଯଥାକ୍ରମେ Δx ଓ Δt ଶୂନ ହେବ । ଏଠାରେ କଣିକାର ତରଙ୍ଗୀୟ ଭାବ, ଯଥା – ସଂବେଗ(p=h/λ) ଓ ଶକ୍ତି(E=hν) ସମ୍ପୂର୍ଣ୍ଣ ରୂପେ ଅଜ୍ଞ ରହିବ । ସେହିପରି ଯଦି ପର୍ଯ୍ୟବେକ୍ଷଣ ପଦ୍ଧତିରେ କେବଳ କଣିକାର ତରଙ୍ଗ ସମ୍ବନ୍ଧୀୟ ମାପର ବ୍ୟବସ୍ଥା ରହିଛି, ତେବେ ସଂବେଗ ଓ ଶକ୍ତି ନିର୍ଦ୍ଧାରଣରେ ପର୍ଯ୍ୟବେକ୍ଷଣୀୟ ତ୍ରୁଟି ଯଥାକ୍ରମେ Δp ଓ ΔE ମଧ୍ୟ ଶୂନ ହେବ । ଏଠାରେ ସ୍ଥାନ ଓ ସମୟ ନିର୍ଦ୍ଧାରଣତାରେ ମଧ୍ୟ ସମ୍ପୂର୍ଣ୍ଣ ଅଜ୍ଞତା ରହିବ । ଏହା ପ୍ରକାଶ କରେ, ଯେତେବେଳେ ବସ୍ତୁର କଣିକା ପ୍ରକୃତି ପ୍ରଦର୍ଶିତ ହୁଏ ସେତେବେଳେ ତରଙ୍ଗ ପ୍ରକୃତି ଲୁକ୍କାୟିତ ହୋଇଥାଏ । ସେହିପରି କଣିକାର ତରଙ୍ଗ ପ୍ରକୃତିର ପ୍ରଦର୍ଶନରେ ଏହାର କଣିକା ପ୍ରକୃତି ଲୁକ୍କାୟିତ ହୁଏ । ଏହା କଣିକାର ଦ୍ୱିବିଧତାକୁ ଏକ ସମୟରେ ପର୍ଯ୍ୟବେକ୍ଷଣ କରିବାର ଅକ୍ଷମତାକୁ ବୁଝାଇଥାଏ । ଏହାହିଁ ନେଲ୍ ବୋର୍(Neil Bohr)ଙ୍କ ପରିପୂରକ ନିୟମ(Complimentary Principle) ଅର୍ଥାତ୍ କ୍ଲାସିକାଲ୍ ଓ କ୍ୱାଣ୍ଟମ୍ ଅନୁଭବତା ଏକ ସମୟରେ ଅସମ୍ଭବ । ଅର୍ଥାତ୍ ସେହି ଧାରାରେ ତରଙ୍ଗ ତା’ର ମୂଳ ପ୍ରକୃତି ଦର୍ଶାଉଥିବା ବେଳେ କଣିକା ପ୍ରକୃତିରୁ ବାଦ୍ ପଡିବ କିମ୍ବା କଣିକା ସ୍ୱଭାବ ଦେଖାଉଥିବା ବେଳେ ତରଙ୍ଗ ପ୍ରକୃତିରୁ ବାଦ୍ ପଡିବ । ଏହି କ୍ୱାଣ୍ଟମ ତତ୍ତ୍ୱଗୁଡିକ ପରସ୍ପର ସହ ଜଡିତ ଅଟନ୍ତି ।
ତେବେ ଦୁଇ ପ୍ରକାରର ଚିନ୍ତାଧାରାରେ ମିଶ୍ରିତ ହୋଇଛି କ୍ୱାଣ୍ଟମ୍ ତତ୍ୱାବଳୀ । ଏହା ମହାନ୍ ବୈଜ୍ଞାନିକ ମାନଙ୍କ ମହାନତାକୁ ପ୍ରଦର୍ଶିତ କରାଏ । ଏହା ନିଶ୍ଚିତତା ଓ ଅନିଶ୍ଚିତତାର ଦ୍ୱନ୍ଦ୍ୱ ଅଟେ । ପ୍ରଥମ ସମ୍ଭାବନାକୁ ଦର୍ଶାନ୍ତି ମହାମାନବ ସାର୍ ଆଲ୍ବର୍ଟ୍ ଆଇନ୍ଷ୍ଟାଇନ୍ ଓ ନେଲ୍ ବୋର୍ ଆଦି ବୈଜ୍ଞାନିକ ଗଣ । ସେମାନେ କହନ୍ତି ଗଣିତ ଓ ପଦାର୍ଥ ବିଜ୍ଞାନକୁ ନେଇ ଏ ବିଶ୍ୱର ସବୁ ଘଟଣାବଳୀକୁ ଏକ ଏକ ଗାଣିତିକ ସୂତ୍ର ଦ୍ୱାରା ଆଲୋକପାତ କରାଯାଇ ପାରିବ । ଯାହା କିଛି ଘଟୁଛି ତାହା ସବୁକୁ ପ୍ରୋଗ୍ରାମ ମାଧ୍ୟମରେ ବୁଝାଇ ଦିଆଯାଇ ପାରିବ ଓ ଏହା ନିଶ୍ଚିତତାକୁ ବର୍ଣ୍ଣନା କରେ । ଆଇନ୍ଷ୍ଟାଇନ୍ଙ୍କ ମତରେ ଯେହେତୁ ବିଶ୍ୱର ପ୍ରତ୍ୟେକ ଘଟଣା ଏକ ଏକ ପ୍ରୋଗ୍ରାମ ସହ ସଂଯୁକ୍ତ, ତେଣୁ ଏକ ପର୍ଯ୍ୟବେକ୍ଷଣ ଯନ୍ତ୍ରର ସ୍ଥାପନ କରାଯାଇପାରେ, ଯାହାଦ୍ୱାରା ଭବିଷ୍ୟତ ଦୃଶ୍ୟମାନ ହୋଇପାରିବ । ଉଦାହରଣ ସ୍ୱରୂପ କୌଣସି ଏକ କଣିକା ବା ଏକ ସଜୀବର ଗତିକୁ ନିରୀକ୍ଷଣ କରି ତା’ର ଗତିପଥରୁ ଏକ ଗାଣିତିକ ସୂତ୍ର ପାଇ ପାରିବା । ଏହି ଗତି ରେଖାକୁ ବିଶ୍ଳେଷଣ କରି ଜୀବଟି କେଉଁ ସମୟରେ କେଉଁଠି ଥିବ ଜାଣିହେବ । ପୁନଃ ବସ୍ତୁର ଗତିଶୀଳତାରୁ ସୃଷ୍ଟି ହେବ ଡି ବ୍ରୋଗ୍ଲାଏ ତରଙ୍ଗ(de Broglie) ବା ବସ୍ତୁ ତରଙ୍ଗ । ଏହା ଅନନ୍ତ କାଳ ଯାଏ ପରିବ୍ୟାପ୍ତ ରହେ ଓ ଏହା ସହ ଅନୁରଣିତ(resonate) କରାଯାଇ ପାରିଲେ ଜଣେ ପ୍ରତ୍ୟେକ ଘଟଣାର ଅତୀତ ଓ ଭବିଷ୍ୟତକୁ ଦେଖିପାରିବ । ଏହି ଧାରଣା ପ୍ରଥମେ ଆଇନ୍ଷ୍ଟାଇନ୍ ଦେଇଥିଲେ ଓ ଏହି କାଳ୍ପନିକ ପର୍ଯ୍ୟବେକ୍ଷଣ ଯନ୍ତ୍ରକୁ ସମୟ ଯନ୍ତ୍ର(Time Machine) କୁହାଗଲା । ଏହି ଯନ୍ତ୍ରରେ ପ୍ରୋଗ୍ରାମ ଓ ଗାଣିତିକ ସମୀକରଣମାନ ଏପରି ଭାବରେ ଖଞ୍ଜି ଦିଆଯାଇଥିବ ଯାହା ଦ୍ୱାରା ହଜାର ହଜାର ବର୍ଷର ଅତୀତ ଓ ଭବିଷ୍ୟତ ଘଟଣାବଳୀକୁ ଦେଖିହେବ । ଏହା ଡି ବ୍ରୋଗ୍ଲାଏଙ୍କ ବସ୍ତୁ ତରଙ୍ଗ ସହ ଅନୁରଣିତ ଦ୍ୱାରା ନିଶ୍ଚିତତାର ଆଶା ସଞ୍ଚାର କରେ । ପୁଣି ଡି ବ୍ରୋଗ୍ଲାଏ କହିଲେ ଯେ ଏକ ଇଲେକ୍ଟ୍ରନ୍ ଏକ ନିର୍ଦ୍ଦିଷ୍ଟ କକ୍ଷରେ ନିର୍ଦ୍ଦିଷ୍ଟ ପରିବେଗ ଓ ଶକ୍ତି ସହ ଅନବରତ ଘୂରୁଅଛି । ଏହାର ସ୍ଥାନ ନିରୂପଣ କରାଯାଇ ପାରିବ ଓ ବର୍ଷ ବର୍ଷ ଆଗକୁ ମଧ୍ୟ ଏହାର ସ୍ଥାନ ସମ୍ପର୍କୀୟ ସୂଚନା ଦିଆଯାଇ ପାରିବ । ଏହାହିଁ ନିଶ୍ଚିତତାର ପରିଭାଷା କହିଲେ ଅତ୍ୟୁକ୍ତି ହେବନାହିଁ । ଆଜିର ପ୍ରଯୁକ୍ତି ବିଦ୍ୟା ଏକ ଏକ ଚିନ୍ତାଶକ୍ତିର ନିଶ୍ଚିତ ପ୍ରତିଫଳନ ଅଟେ । ତେଣୁ ନେଲ୍ ବୋର୍, ଆଇନ୍ଷ୍ଟାଇନ୍ …….. ଆଦି ନିଶ୍ଚିତବାଦୀ ମାନଙ୍କ କଥାର ସତ୍ୟତା ପରିସ୍ଫୁଟ ହେବା ସଙ୍ଗେ ସଙ୍ଗେ ଅନେକ ଅନେକ ସତ୍ୟର ଉନ୍ମୋଚନ ହେବାକୁ ଅଦ୍ୟାବଧି ବାକି ଅଛି ।
ଦ୍ୱିତୀୟ ଧାରାରେ ଚିନ୍ତନ ପ୍ରକ୍ରିୟା ଅନିଶ୍ଚିତତାକୁ ଗ୍ରହଣ କରେ । ଜର୍ମାନ ବିଜ୍ଞାନୀ ହାଇଜେନ୍ବର୍ଗ୍ ପ୍ରକାଶ କଲେ କଣିକାଟିର ବା ଏକ ସଜୀବର ଗତିକୁ ନିରୀକ୍ଷଣ କରି ପ୍ରାପ୍ତ ଗାଣିତିକ ସୂତ୍ର ଦ୍ୱାରା ବିଭିନ୍ନ ସମୟରେ ତା’ର ଅବସ୍ଥା ସମ୍ବନ୍ଧରେ ଭବିଷ୍ୟତ ବାଣୀ କିମ୍ବା ଅତୀତର ଅବସ୍ଥା ଉପରେ ସଠିକ୍ ବିବରଣୀ ଦେବା ଏକ ଅନିଶ୍ଚିତତାର ଦ୍ୱାର ଉନ୍ମୋଚନ କରେ । କାରଣ ଆଗକୁ କେଉଁ ଏକ ସମୟରେ କଣିକାଟିର ବିଲୟ ହୋଇଥିବ ଅଥବା ତିଷ୍ଠି ରହି ଥାଇପାରେ ଓ ସେହିପରି ଜୀବ କ୍ଷେତ୍ରରେ ମଧ୍ୟ । ତେଣୁ ଏମାନଙ୍କ ଅବସ୍ଥା ବୁଝାଇ ପାରୁଥିବା ଗାଣିତିକ ସୂତ୍ରରେ ମଧ୍ୟ ଅନିଶ୍ଚିତତା ରହିବ । ତେଣୁ ଆଗକୁ କାହାପାଇଁ କ’ଣ ଘଟିବ କିଛି କହିହେବ ନାହିଁ ଅର୍ଥାତ୍ କିଛି ବି ଘଟିପାରେ । ଏଥିପାଇଁ ହାଇଜେନ୍ବର୍ଗ କହନ୍ତି ମାନବର ଏକ ନିର୍ଦ୍ଦିଷ୍ଟ ସୀମା ଯାଏ ଚିନ୍ତା କରିବାର କ୍ଷମତା ରହିଛି ଓ ଏହା ବାଦ୍ ସେ କିଛି ଭାବି ପାରେ ନାହିଁ । ତେଣୁ ସେ ବାଧ୍ୟ ହୋଇ ଅନିଶ୍ଚିତତାର ବହ୍ମିରେ ଜର୍ଜରିତ ହୁଏ ଓ ତତ୍ଜନିତ ଅଜଣା ପ୍ରଭାବ ଉପରେ ସବୁକିଛି ନ୍ୟସ୍ତ ହୋଇଯାଏ । ହାଇଜେନ୍ବର୍ଗଙ୍କ ଏହି ନିୟମର ଗାଣିତିକ ସୂତ୍ର ହେଲା –
Δx Δp ≥ h/4π , ‘h’ କୁ ପ୍ଲାଙ୍କ ସ୍ଥିରାଙ୍କ(Planck’s Constant) କୁହାଯାଏ । ଅର୍ଥାତ୍ h/4π ହେଉଛି ଅନିଶ୍ଚିତତା ଦ୍ୱୟର ଗୁଣଫଳ, ଯାହା ଏକ ନିର୍ଦ୍ଦିଷ୍ଟ ସୀମାରୁ ଆରମ୍ଭ ହୁଏ ଓ ତାହା କ୍ୱାଣ୍ଟମ୍ ବିଜ୍ଞାନ ବା ସୂକ୍ଷ୍ମ ଦୁନିଆଁରେ ଏକ କ୍ଷୁଦ୍ର ଗାଣିତିକ ପରିମାଣ h/4π କୁ ସୂଚାଏ । ସେହିପରି କଣିକାର ଶକ୍ତି ଓ ସମୟର ଅନିଶ୍ଚିତତାର ଗୁଣଫଳ ମଧ୍ୟ ଏକା ରୂପ, ΔE Δt ≥ h/4π ଅଟେ ।
ବର୍ତ୍ତମାନ ଏହି ସୂକ୍ଷ୍ମ ବିଜ୍ଞାନ ତତ୍ତ୍ୱାବଳୀ ଧାରାରେ କୁରୁକ୍ଷେତ୍ରରେ ଘଟିଥିବା ସ୍ଥୂଳ ଏବଂ ସୂକ୍ଷ୍ମ ଘଟଣା ଗୁଡିକୁ ପର୍ଯ୍ୟାଲୋଚନା କରିବାର ଇଛା ପ୍ରକଟ ହୁଏ । ଏଠାରେ ଅର୍ଜୁନର ମନ ଓ ଶରୀରରେ ଉପୁଜିଥିବା ପ୍ରତିକ୍ରିୟା ଗୁଡିକୁ ବିଚାରକୁ ନିଆଯାଉ । ସେ ଅନୁଭବ କଲେ ନିଶ୍ଚିତ ଯୁଦ୍ଧରେ ଅନେକଙ୍କ ମୃତ୍ୟୁ ଓ ଅନିଶ୍ଚିତ ଫଳାଫଳ, ଅର୍ଥାତ୍ ଏ ଯୁଦ୍ଧରେ ହୋଇପାରେ ପାଣ୍ଡବ ଅଥବା କୌରବଙ୍କ ବିଜୟ । କିନ୍ତୁ ତାକୁ ଅନେକଙ୍କ ପ୍ରାଣ ବିନାଶ କରିବାକୁ ପଡିବ କିମ୍ବା ନିଜ ପ୍ରାଣ ଯିବ । ସେମାନଙ୍କ ମଧ୍ୟରେ ଥିଲେ ପିତାମହ, ସହୋଦର, ସେମାନଙ୍କ ପୁତ୍ରାଦି, ବନ୍ଧୁ, ଅନ୍ୟ ରାଜ୍ୟର ରାଜା ଓ ସୈନ୍ୟ । ବିଜ୍ଞାନ ତତ୍ତ୍ୱାନୁସାରେ ଉଭୟ ନିଶ୍ଚିତ ଓ ଅନିଶ୍ଚିତ ହିଁ ସତ୍ୟର ନିଦର୍ଶନ ଅଟେ । ଏହି ଦୁଇ ଭାବ ଭିନ୍ନଭିନ୍ନ ସମୟ ବ୍ୟବଧାନରେ ଅର୍ଜୁନକୁ କାବୁ କରୁଥିଲା । ଉଭୟର ତାଡନାରେ ସେ ଜର୍ଜରିତ ହୋଇ ଉଠିଥିଲା । ଧୀରେ ଧୀରେ ସେ ଅତିବ ମୋହଯୁକ୍ତ ହୋଇ ସେ ନିଶ୍ଚିତତାର ବହ୍ନିରେ ଦଗ୍ଦୀଭୂତ ହେବାକୁ ଲାଗିଲା । ଜାଗିଉଠିଲା ଗୋବିନ୍ଦଙ୍କ ସମ୍ମୁଖରେ ଆତ୍ମ ସମର୍ପଣ ଭାବ । ସେ ଯୁଦ୍ଧରେ ଜିତିବା ଅବା ହାରିବାକୁ ତୁଛା ମଣୁଥିଲା । ଜିତିଲେ ତା’ର ରକ୍ତ ସମ୍ପର୍କୀୟ କୌରବଙ୍କ ବିନାଶ ଘଟିବ । ଏ ଜିତିବାରେ କି ଆନନ୍ଦ ! ତେଣୁ ସେ ରାଜ୍ୟ ଲାଭକୁ ହେୟଜ୍ଞାନ କରୁଥିଲା । ହାରିଲେ ବି ତା’ପାଇଁ କିଛି ଫରକ ପଡୁନଥିଲା । କାରଣ ଉଭୟ କ୍ଷେତ୍ରରେ କେବଳ ନର ସଂହାରର ଦୃଶ୍ୟ ସେ ଦେଖିପାରୁଥିଲା । ସେଥିପାଇଁ ସେ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଥିଲା , କିନ୍ତୁ ଯୁଦ୍ଧ ନକରିବାକୁ ସ୍ଥିର ନିଶ୍ଚିତ କରିଥିଲା । ସେ ଅତୀତର ସବୁ ଘଟଣାବଳୀକୁ ପାଶୋରି କ’ଣ ପାଇଁ ସେ ଯୁଦ୍ଧ କ୍ଷେତ୍ରରେ ଉପବିଷ୍ଠ ତାହା ତା’କୁ ଜଣାପଡୁ ନଥିଲା । ନିଜ କର୍ମକୁ ସମ୍ପୂର୍ଣ୍ଣରୂପେ ଭୁଲି ଅତିବ ଦୟାଶୀଳ ହୋଇଉଠିଥିଲା । ତା’ର ସର୍ବାଙ୍ଗରେ ସ୍ପନ୍ଦନ ଜାତ ହୋଇଥିଲା । ଥର ଥର ହସ୍ତରେ ଗାଣ୍ଡିବ ଧାରଣର ସାମର୍ଥ୍ୟ ହରାଇ ଯୁଦ୍ଧ ନକରିବା ନିମନ୍ତେ ଭୂମି ଉପରେ ବସିପଡି ଶ୍ରୀକୃଷ୍ଣଙ୍କ ଶରଣଭିକ୍ଷା କରିଥିଲା । ପ୍ରାୟତଃ ଅର୍ଜୁନ ସ୍ଥୂଳ ଚେତନାଯୁକ୍ତ ହେଉଥିଲା ଓ ତାହା ଦର୍ଶାଉଥିଲା ମୋହଗ୍ରସ୍ତତା । ଅର୍ଥାତ୍ ସେହିଁ ଜାଣୁଥିଲା ତରଙ୍ଗର ତରଙ୍ଗ ପ୍ରକୃତି ଓ କଣିକାର କଣିକା ପ୍ରକୃତି । ସେ ସମୟରେ ସୂକ୍ଷ୍ମ ଚେତନା ବା ତରଙ୍ଗର କଣିକା ପ୍ରକୃତି ଓ କଣିକାର ତରଙ୍ଗ ପ୍ରକୃତି ଲୁକ୍କାୟିତ ହୋଇ ରହୁଥିଲା । ମହାଯୋଦ୍ଧା, ଦେବ ଅଂଶରୁ ଜାତ, ଶ୍ରୀକୃଷ୍ଣଙ୍କ ସଖା,ଅର୍ଜୁନ, ଫାଲ୍ଗୁନ, ପାର୍ଥ, ସବ୍ୟସାଚ୍ଚୀ, ଶ୍ୱେତବାହକ, ଗାଣ୍ଡିବଧର, ଜିଷ୍ଣୁ, କିରୀଟିନ୍, ଧନଞ୍ଜୟ, ବିଭତ୍ସୁ, ଗୁଡାକେଶ, କପିଧ୍ୱଜ, ଭାରତ, କୌନ୍ତେୟ …… ଆଦି ବିଭିନ୍ନ ଯଥାର୍ଥ ନାମ ବହନକାରୀଙ୍କୁ କ’ଣ ସୂକ୍ଷ୍ମ ତତ୍ତ୍ୱ ସବୁ ଅଜଣା ଥିଲା ? ତାହା ନୁହେଁ, କିଛି ସମୟ ପାଇଁ ସେ ମୋହ – ମାୟା ଦୁନିଆଁର ଅନ୍ଧାର ଗହ୍ୱରରେ ପତିତ ହୋଇଥିଲେ । କ୍ରମେ ଶ୍ରୀକୃଷ୍ଣଙ୍କ ମୁଖରୁ ସପ୍ତଦଶ ଅଧ୍ୟାୟ ଶୁଣିବା ଓ ତନ୍ମଧ୍ୟରେ ବିଶ୍ୱରୂପ ଦର୍ଶନ ପ୍ରାପ୍ତ ହେବା ପରେ ସେ ଅନ୍ଧକାର ଦୂରୀଭୂତ ହୋଇଥିଲା ।
ସାଧାରଣ ଚକ୍ଷୁରେ ଅର୍ଜୁନ ଦେଖୁଥିଲା ପ୍ରକୃତିରୁ ପ୍ରବାହିତ ଦୃଶ୍ୟମାନ ବର୍ଣ୍ଣାଳୀର ସପ୍ତରଙ୍ଗ ଓ ଅନୁଭବ କରୁଥିଲା ଅବଲୋହିତ ତରଙ୍ଗର ତାପପ୍ରବାହ । ଅନୁଭୂତ ହୋଇପାରୁ ନଥିଲା ପ୍ଲାଙ୍କ୍ଙ୍କ କ୍ୱାଣ୍ଟମ୍ ତତ୍ତ୍ୱ, ଅର୍ଥାତ୍ ତରଙ୍ଗର କଣିକା ପ୍ରକୃତି । ତାଙ୍କ ଚକ୍ଷୁ ଆଇନ୍ଷ୍ଟାଇନ୍ଙ୍କ ପ୍ରସ୍ତାବିତ ନିଶ୍ଚିତତାର ପରିମାପକ ସମୟ ଯନ୍ତ୍ରର ସ୍ଥାନ ଗ୍ରହଣ କରିପାରି ନଥିଲା, ଯାହାଦ୍ୱାରା ସେ ଅତୀତ ଓ ଭବିଷ୍ୟତ ଦେଖିପାରି ଥାଆନ୍ତା । ସେ ସ୍ଥୂଳରୂପେ ଦେଖୁଥିଲା ବସ୍ତୁବାଦ ଦୁନିଆଁର ସମାବେଶ, କିନ୍ତୁ ଅବଗତ ହୋଇପାରି ନଥିଲା ସୂକ୍ଷ୍ମରୂପେ ଡି ବ୍ରୋଗ୍ଲାଏଙ୍କ ସବୁହିଁ କଣିକା ସମାହାରର ବସ୍ତୁ ତରଙ୍ଗ ।
ହାଇଜେନ୍ବର୍ଗଙ୍କ ନିୟମାନୁସାରେ ମାନବର ଏକ ନିର୍ଦ୍ଦିଷ୍ଟ ସୀମା ଯାଏ ଚିନ୍ତା କରିବାର କ୍ଷମତା ରହିଛି ଓ ଏହା ବାଦ୍ ସେ କିଛି ଭାବି ପାରେ ନାହିଁ । ଏହାହିଁ ଘଟିଥିଲା ଅର୍ଜୁନ କ୍ଷେତ୍ରରେ । ସେ ଉଭୟ, କ’ଣ କରିବ ଓ ନକରିବ ଦ୍ୱନ୍ଦ୍ୱରେ ପଡି ବାତୁଳ ପ୍ରାୟ ହୋଇଥିଲା । ଯୁଦ୍ଧ କରିବାର ନିଶ୍ଚିତତାରେ ସେ ଯୁଦ୍ଧ କ୍ଷେତ୍ରରେ ବିଦ୍ୟମାନ, କିନ୍ତୁ ତାହାଠାରେ ପ୍ରକାଶିତ ହୋଇଛି ଯୁଦ୍ଧ କରିବାର ଅନିଶ୍ଚିତତା ବା ଯୁଦ୍ଧ ନକରିବାର ନିଶ୍ଚିତତା । ତେଣୁ ଯୁଦ୍ଧ କରିବାର ନିଶ୍ଚିତତା ସ୍ଥୂଳତାକୁ ବୁଝାଏ ଓ ଯୁଦ୍ଧ କରିବାର ଅନିଶ୍ଚିତତା ସୂକ୍ଷ୍ମତାକୁ ବୁଝାଏ । ଦ୍ୱିତୀୟ ସମ୍ଭାବନା ଜାତ ହୋଇଛି ମାନବୀୟ ଚିନ୍ତାର ସୀମାବଦ୍ଧତାରୁ । ଏହା ଯଥାକ୍ରମେ ସ୍ଥାନ ଓ ସଂବେଗ ସହ ତୁଳନୀୟ ଏବଂ ଉଭୟର ଅନିଶ୍ଚିତତାର ଗୁଣଫଳ ଏକ ଗାଣିତିକ ପରିମାଣ Δx Δp ≥ h/4π, ଏକ କ୍ରିୟାର(Action)କ୍ୱାଣ୍ଟମ୍ ମାତ୍ରାକୁ ବୁଝାଏ । ଯେହେତୁ ଅର୍ଜୁନ ଓ ସମଗ୍ର ପରିବେଶ ସ୍ଥୂଳରୂପୀ ତେଣୁ, କ୍ରିୟାର କ୍ୱାଣ୍ଟମ୍ ମାତ୍ରା କୋଟି କୋଟି ଗୁଣ ବୃଦ୍ଧି ପାଇ ଥାଇପାରେ । ଏହାର ପ୍ରଭାବରେ ଅର୍ଜୁନର ଶରୀର ପ୍ରକମ୍ପିତ ହୋଇ ସ୍ଥୂଳରୂପେ ବିଷାଦଗ୍ରସ୍ତତାରେ ଲୀନ ହୋଇ ଥାଇପାରେ ।
ତେବେ ମୋହଗ୍ରସ୍ତତାର ମାତ୍ରା ବୃଦ୍ଧି ଘଟି ଏକ ସୀମାରେ ପହଞ୍ଚିଲେ, ମାନବ ସେହି କ୍ଷଣରୁ ଆଉ କିଛି ଭାବିପାରେନି । ଏହାର ପ୍ରଭାବରେ ଅର୍ଜୁନ ଯୁଦ୍ଧରୁ ବିମୁଖ ହୋଇଥିଲା । ଫଳତଃ ଅଧର୍ମୀଙ୍କ ସଂଖ୍ୟା ବହୁଳ ଭାବେ ବୃଦ୍ଧି ଘଟି ଧର୍ମାତ୍ମା ମାନଙ୍କୁ ନିଃଶେଷ କରିଥାନ୍ତା । ଦୃଷ୍ଟିଗୋଚର ହୋଇଥାନ୍ତା ଏକ ନକରାତ୍ମକ ଦୁନିଆଁ । ଯେହେତୁ ତାହା ସୃଷ୍ଟିର ଇଛା ବିରୁଦ୍ଧରେ ଥିଲା ତାହା ହୋଇପାରିଲାନି । କିନ୍ତୁ ଅଧୁନା ସମାଜର ସବୁ କ୍ଷେତ୍ରରେ ଭରି ହୋଇଗଲେଣି ଅତିବ ମୋହଯୁକ୍ତ ଚରିତ୍ରଗଣ, ଯେଉଁମାନେ ନିଜ ସ୍ୱାର୍ଥ ସାଧନରେ ଅନ୍ଧ ଓ ପାଗଳ ପ୍ରାୟ । ତେଣୁ ମୋହଗ୍ରସ୍ତତାର ଅସଂଖ୍ୟ ରୂପରେଖ ସମାଜରେ ପ୍ରତିଫଳିତ ହେବାରେ ଲାଗିଛି । ବିଭତ୍ସ ହେଲାଣି ମାନବୀୟ ଚିନ୍ତାଧାରା । ଆଧ୍ୟାତ୍ମିକ ତତ୍ତ୍ୱ ବା ବିଜ୍ଞାନ ତତ୍ତ୍ୱ ଏଥିପାଇଁ ଦାୟୀ ନୁହେଁ । ଦାୟୀ ଅଟେ ମାନବର ନିଷ୍ଠୁର, ସ୍ୱାର୍ଥନ୍ୱେଷୀ ଓ ଉଭୟ ଆଧ୍ୟାତ୍ମିକତା ଓ ବିଜ୍ଞାନର ଅପପ୍ରୟୋଗ କରିବାର ବିକୃତ ମାନସିକତା । ତେବେ ଏଥିରୁ ନିବୃତ୍ତ ରହି ସୁସ୍ଥ ଚିନ୍ତନଶୀଳ ହେବାହିଁ ମାନବୀୟ ମହାନତା ଅଟେ ।
……………………………………………………………………………………………………………………………………………………………..
Published in ଦିଗ୍ବଳୟ ‘Digbalay’ Feb – 2020 – Popular Science Magazine in Odia, 37th Convention of Odisha Physical Society, Odisha.