ସିଟ୍‍ ନଂ – ଅଣାବନ

ସିଟ୍‍ ନଂ – ଅଣାବନ

ବହୁ ବିଚିତ୍ରତାର ସମାହାରକୁ ନେଇ ଏ ବିଶ୍ୱ ଗଠିତ । ଏହାର ରୂପରେଖ ଅବର୍ଣ୍ଣନନୀୟ ଅଟେ । ଏଥି ମଧ୍ୟରେ ଭରି ରହିଛି ପ୍ରକୃତିକୃତ ଓ ମାନବ କୃତ ବିଚିତ୍ରତାମାନ ।ଆଦିମ କାଳରୁ ଏହା ବିଭିନ୍ନ ଢଙ୍ଗରେ ପରିପ୍ରକାଶ ହେଉଅଛି । ବିଜ୍ଞାନର ବିଚିତ୍ରତା ମାନବ ଜୀବନରେ ଭରି ଦେଇଛି ଭୋଗ ଓ ବିଳାସ । ତତ୍‍ ସଙ୍ଗେ ସଙ୍ଗେ କର୍ମ  ମୂଖର ଜୀବନରେ ବ୍ୟସ୍ତତାର ତୀବ୍ରତା ଅତିମାତ୍ରାରେ ବଢି ଚାଲିଛି । ବଦଳି ଯାଉଛି ସାମାଜିକ ଚେତନା । ବସ୍ତୁବାଦ ଦୁନିଆଁରେ ସମସ୍ତେ ଅସ୍ତବ୍ୟସ୍ତ । ଧିରେ ଧିରେ  ଅଣନିଶ୍ୱାସୀ ହେବାର ଅନୁଭୂତ ହେଉଅଛି । ଚାରିଆଡେ କୋଳାହଳ, ଗର୍ଜନ, ତର୍ଜନ ଆଦିର ବିକଟତାରେ କାନ ଅତଡା ଖସୁଛି । ନିରକ୍ଷରତା, ଅଶିକ୍ଷିକତା,  ନିର୍ବୋଧତା, ଲାଞ୍ଚ, ମିଛ, ଟାଉଟର, ହରଣଚାଲ୍‍, ଉତ୍ପୀଡନ, ଦୁଃଷ୍କର୍ମ, କୁକର୍ମ, ଅପକର୍ମ …. ଆଦି ବହୁବିଧ ସାମାଜିକ କଳଙ୍କ ଗୁଡିକର ବିଲୋପ ନିମନ୍ତେ ଶତ ଚେଷ୍ଟା  ହାର ମାନୁଛି । ପରନ୍ତୁ ସମାଜରେ ଏତାଦୃଶ ବ୍ୟାଧିଗ୍ରସ୍ତତାର ଅହରହ ଘଟୁଅଛି । ଅବକ୍ଷୟପ୍ରାପ୍ତ ହୋଇଉଠୁଛି ସାତ୍ତ୍ୱିକତାର ଭାବ । ସୃଷ୍ଟିର ବୁଦ୍ଧିମାନ ଜୀବ ମାନବ  ଆଜି ଦୋଛକି ରାସ୍ତାରେ ଦଣ୍ଡାୟମାନ । ଗ୍ରାସ କରୁଛି ବିବେକ ଶୂନ୍ୟତା । ଫଳତଃ ବିଯୁକ୍ତାତ୍ମକ ପଥରେ ଧାବିତ ମାନବ, ସମାଜ ବକ୍ଷରେ କୁଠାରଘାତ କରିବାରେ ତିଳେ ମାତ୍ର କୁଣ୍ଠାବୋଧ କରୁନାହିଁ । ଅସ୍ଥିର ହୋଇ ଉଠୁଛି ବାୟୁମଣ୍ଡଳ ।  ନବପିଢିଙ୍କ ମନରେ ଏହା ଅଲିଭା ଦାଗ ରୂପେ ସ୍ଥାନ ଗ୍ରହଣ କରୁଅଛି ଓ ଧିରେ ଧିରେ ମସ୍ତିଷ୍କର  କୋଷରେ ସୁପ୍ତ ଭାବେ ରହିଯାଉଛି । ପରିସ୍ଥିତିର ତାଡନାରେ ସୁପ୍ତକୋଷ ଜାଗି ଉଠୁଛି ଓ ଦୋଛକି ରାସ୍ତାରୁ ସେ କେଉଁ ଦିଗକୁ ଢଳିବ ତାହା ନିର୍ଭର କରୁଛି ନିଜସ୍ୱ  ବୁଦ୍ଧି  ପ୍ରୟୋଗର ସକରାତ୍ମକ ଅଥବା ନକରାତ୍ମକ  ଚିନ୍ତନ ଉପରେ ।  ପୁନଶ୍ଚ ସାମାଜିକ ଚଳନିରେ ଭରି ରହିଥିବା ଥଟ୍ଟା, ମଜ୍ଜା, ବ୍ୟଙ୍ଗ, ବିଦ୍ରୂପ …….. ଆଦିର ପ୍ରଭାବ ମଧ୍ୟ  ପଡିଥାଏ । ଫଳତଃ ଏହା ଉଦ୍‍ଭ୍ରାନ୍ତ ହୋଇଉଠୁଥିବା ବ୍ୟକ୍ତି ପାଇଁ ଚରମ ଚେତାବନୀ ସଦୃଶ କାର୍ଯ୍ୟ ନିର୍ବାହ ପୂର୍ବକ ସଠିକ୍‍ ମାର୍ଗରେ ଚାଲିବାର କାରଣ ସୃଷ୍ଟିକରେ କିମ୍ବା  ବିପରୀତ କାରକ ମଧ୍ୟ ହୋଇପାରେ ।  କିନ୍ତୁ ବେଳେ ବେଳେ ଦୃଶ୍ୟମାନ ହୁଏ  ଉଦ୍‍ଭ୍ରାନ୍ତ ମାନବର ନିଜସ୍ୱ ବ୍ୟଙ୍ଗ, ବିଦ୍ରୂପ ଓ ତାତ୍ସଲ୍ୟଭରା ବଜ୍ର ବାଣର ପ୍ରୟୋଗ      ନିରୀହ – ନିଷ୍କପଟ ମାନଙ୍କ ଉପରେ କରାଯାଏ, ଯେଉଁମାନେକି  ତାଚ୍ଛଲ୍ୟର ଜଟିଳତାକୁ ହଠାତ୍‍ ହୃଦ୍‍ବୋଧ କରିପାରି ନ’ଥାନ୍ତି । ଏହାଦ୍ୱାରା ନିରୀହମାନେ ଶାରୀରିକ  ଓ ମାନସିକ ଯନ୍ତ୍ରଣାର ଶୀକାର ହୋଇଚାଲନ୍ତି ଏବଂ ସେହି ଜାତୀୟ ବ୍ୟଙ୍ଗ ସମ୍ବନ୍ଧରେ ଅଭିଜ୍ଞତା ହାସଲ ବେଳକୁ ନୂତନ ଶୈଳୀର ତାତ୍ସଲ୍ୟ ମୁକ୍ତିଲାଭ କରିସାରିଥାଏ । ଅର୍ଥାତ୍‍ ଉତ୍ପୀଡନର ବାରମ୍ବାରତାହିଁ ସମାଜ ବକ୍ଷରେ ଦୃଶ୍ୟମାନ ହୁଏ । ଯେତେବେଳେ ଉତ୍ପୀଡିତ ବିଦ୍ରୂପଭରା ବାକ୍ୟର ଅନ୍ତର୍ନିହିତ ଭାବକୁ ବୁଝିପାରେ , ସେତେବେଳେ ସେ କ୍ରୋଧରେ ଜର୍ଜରିତ ହୋଇଉଠେ ଓ ତାହାର ଅନ୍ତରାତ୍ମା ବିଳାପ କରିଉଠେ ।  ସ୍ୱାର୍ଥନ୍ୱେଷୀ ମାନବ ନିଜର ସ୍ୱାର୍ଥ ସାଧନ ନିମିତ୍ତ ଏତାଦୃଶ ପନ୍ଥା ଅବଲମ୍ବନ  କରିବାର ଦୃଶ୍ୟ ଦୃଶ୍ୟମାନ ହୁଏ  ଆଜିର ଦୁନିଆଁରେ । ଏଥିରୁ ସେ ଅଜ୍ଞ ଓ ନିରୀହ ମାନଙ୍କୁ ମାଧ୍ୟମ କରି ନିଜସ୍ୱ ସ୍ୱାର୍ଥ ହାସଲ କରେ ଏବଂ ଏହାଦ୍ୱାରା  ଉଦ୍‍ଭ୍ରାନ୍ତଗଣ  ଅନ୍ୟମାନଙ୍କୁ କଲବଲ ହେଉଥିବାର ଦୃଶ୍ୟ ଦେଖି ଚରମ ପାଶବିକ ଆନନ୍ଦରେ ବିଭୋର ହୋଇ ଉଠନ୍ତି । ସିଟ୍‍ ନଂ ଅଣାବନ ଆଜିର ବହୁବିଧ ଘଟଣାବଳୀର ଏକ କ୍ଷୁଦ୍ର ଦୃଷ୍ଟାନ୍ତ, ଯେଉଁଥିରେ ସାମାଜିକ ଓ ବିଜ୍ଞାନ ଭିତ୍ତିକ ସାମ୍ୟତା ଏବଂ ଗଠନମୂଳକ ଦିଗ୍‍ଦର୍ଶନର ପ୍ରୟାସ କରାଯାଇଛି ।

ଏକ ବସ୍ତୁ ଅନ୍ୟ ଏକ ବସ୍ତୁ ଉପରେ ଜଡିତ ଥାଇ ଗତିଶୀଳ ହେଲେ ଘର୍ଷଣବଳ (Force of Friction) ପ୍ରତିରୋଧ କରେ । ଘର୍ଷଣବଳ ସଦାସର୍ବଦା  ଗତିର ଦିଗ  ସହ ବିପରୀତ ଅଟେ । ଗତି ନିମିତ୍ତ ପ୍ରୟୋଗବଳର ଆବଶ୍ୟକ ଓଏହାର ବୃଦ୍ଧି ଘଟିଲେ ଘର୍ଷଣବଳର ମଧ୍ୟ ବୃଦ୍ଧି ଘଟେ ।ଗତିଶୀଳ ହେବା ପୂର୍ବରୁ ଏହି ବଳ ଦ୍ୱୟ  ପରସ୍ପର ସମାନ ଓ ଏକ ସମୟ ଆସେ, ଯେତେବେଳେ ପ୍ରୟୋଗବଳ ସହ ସମାନ୍ତରାଳ ଭାବେ ପ୍ରତିରୋଧୀ ଘର୍ଷଣବଳ ସର୍ବାଧିକ ବୃଦ୍ଧିରେ ପହଞ୍ଚେ, ତାହାକୁ ସ୍ଥିତିଶୀଳ ଘର୍ଷଣ (Static Friction) ର ଚରମ ସୀମା ବା ସୀମାବଦ୍ଧ ଘର୍ଷଣ (Limiting Friction) କୁହାଯାଏ । ପ୍ରୟୋଗ ବଳ ଏହାଠାରୁ ଅଧିକ ହେବା ମାତ୍ରେ ବସ୍ତୁ  ଗତିକରେ ଓ ଗତିର ଆରମ୍ଭରେ  ସୀମାବଦ୍ଧ ଘର୍ଷଣବଳ କିଞ୍ଚିତ୍‍ ମାତ୍ରାରେ ହ୍ରାସ ହୁଏ । ଏହି ମୂଲ୍ୟରେ  ଘର୍ଷଣବଳ ସ୍ଥିର ରହେ ଓ ବସ୍ତୁର ଗତି ହେଉଥାଏ ଏବଂ ଏହାକୁ ଗତିଜ ଘର୍ଷଣ (Kinetic Friction) କୁହାଯାଏ ।  ହ୍ରାସ ଘଟିବାର କାରଣ ବସ୍ତୁ ଦ୍ୱୟର ଜଡ଼ିତ ପୃଷ୍ଠ ମଧ୍ୟରେ ଥିବା ଅନିୟମିତ ଆଭ୍ୟନ୍ତରୀଣ ସଂନିରୋଧୀ (Irregular Interlocking) ଅର୍ଥାତ୍‍ ଯୋଡ଼ି ହୋଇ ରହିବାର କ୍ରିୟା (Welding Effect) ସ୍ଥିର ଅବସ୍ଥା ଠାରୁ ଗତିଶୀଳ ବେଳେ କମିଯାଏ ।  ଘର୍ଷଣ ଓ   ପ୍ରୟୋଗବଳ ଦ୍ୱୟ ପୃଷ୍ଠ ଯୋଡ଼ି ସହ ସମାନ୍ତରାଳ ଓ ସର୍ବାଧିକ ପ୍ରତିରୋଧୀ  ଘର୍ଷଣବଳର ମାତ୍ରା ଦୁଇ ପୃଷ୍ଠର ଗାଠନିକ ଅର୍ଥାତ୍‍ ମସୃଣତା (State of Polish)  ଓ ପ୍ରକୃତିଗତ ସ୍ୱରୂପ ଉପରେ ନିର୍ଭରଶୀଳ ।  ଗତିରେ ପ୍ରତିରୋଧୀ  ଘର୍ଷଣବଳ ସୁପ୍ତଭାବେ ରହି କାର୍ଯ୍ୟ କରେ କିନ୍ତୁ ଗତିକୁ ରୋକି ପାରେନା । ତେଣୁ  ଗତି ବଜାୟ  ରଖିବା ପାଇଁ ଲଗାତର ବଳ ପ୍ରୟୋଗ କରିବା ବାଧ୍ୟ ଅଟେ ।   ଘର୍ଷଣ ବଳ ଆମପାଇଁ ସୁପ୍ତ ବା ଅଦୃଶ୍ୟ କିନ୍ତୁ କାର୍ଯ୍ୟରେ ଚିର ଜାଗ୍ରତ । ଏହି ଭାବରୁ  ଭଜନର ଏକ  ପଂକ୍ତି ମନ ମଧ୍ୟରେ ଉଙ୍କି ମାରେ, ଯଥା –

ସଦା ଚଞ୍ଚଳ ନିଦ୍ରା ନାହିଁ …… ଏ ରୂପେ ଶୂନ୍ୟେ ଅଛୁ ତୁହି

ନମସ୍ତେ ପ୍ରଭୁ ବାସୁଦେବ ….. ଭକତ ଜନଙ୍କ ବାନ୍ଧବ ।

ପ୍ରୟୋଗବଳର ବୃଦ୍ଧିରେ (ସ୍ଥିତିଶୀଳ) ଘର୍ଷଣବଳ ବୃଦ୍ଧିହେବା କାରଣରୁ ଏହାକୁ ସ୍ୱତଃ ସମନ୍ୱୟୀ ବଳ(Self – adjusting Force) କୁହାଯାଏ । ପରିବର୍ତ୍ତିତ  ପରିସ୍ଥିତିରେ ଏହି ବଳ ନିଜକୁ ଖାପ ଖୁଆଇ ପାରିଥାଏ । କାରଣ (Cause), ଘଟଣା ((Event) ଓ ଫଳାଫଳ (Result)ସହ ଜଡ଼ିତ ଥାଇ ଏହି  ପ୍ରକ୍ରିୟା  ସାମାଜିକ ଚେତାବନୀର ଏକ ନିର୍ଭରଶୀଳ ଉତ୍ସ କହିଲେ ଅତ୍ୟୁକ୍ତି ହେବ ନହିଁ ।

ସୁନ୍ଦର ସବୁଜିମା ବସୁନ୍ଧରାର ବକ୍ଷ କୋଳାହଳମୟ ହୋଇଉଠୁଛି । ପ୍ରତି ମୁହୂର୍ତ୍ତରେ କେତେଯେ ଘଟଣା ଘଟି ଯାଉଛି ତାହା ବର୍ଣ୍ଣନାତୀତ । ସୂକ୍ଷ୍ମଭାବେ ବିଚାର କଲେ    ଜଟିଳ ଗାଣିତିକ ସମୀକରଣ ସଦୃଶ ବହୁ ଜଟିଳତାର ରୂପରେଖ ଚକ୍ଷୁ ସାମ୍ନାରେ ନାଚିଯାଏ । ସହର ଓ ଗ୍ରାମ ଆଦିରେ ଅତ୍ୟାଧୁନିକ ସଭ୍ୟତାର  ଚାପ ବୃଦ୍ଧିପ୍ରାପ୍ତ  କାରଣରୁ ମାନବ ବ୍ୟକ୍ତି କୈନ୍ଦ୍ରିକତାର ମାୟାଜାଲରେ ଧରାପଡି ଅତଳ ଜଳରେ ଉବୁଟୁବୁ ହେଉଅଛି । ଧାଉଁଛି ଏ କୂଳରୁ ସେ କୂଳ । ନାବ, ନାଉରୀ ଓ ଯାତ୍ରୀ ଆଦିଙ୍କ  ମଧ୍ୟରେ ସନ୍ତୁଳନତାର ଘୋର ଅଭାବ ପରିଲକ୍ଷିତ ହେଉଅଛି । ପଶୁ ଓ ମାନବ ମଧ୍ୟରେ ଥିବା ପ୍ରଭେଦ ସଂକୁଚିତ ହେବାରେ ଲାଗିଛି । ତଥାପି ପ୍ରଭେଦ ଶୂନ୍ୟ ସମୟ    ଆସିବାର ସମ୍ଭାବନାକୁ କିଏ ବା ଏଡାଇ ପାରିବ ? ରୁଗ୍‍ଣ ମାନସିକତାର ଶୀକାର ହୋଇ ଭୂଲ୍‍ ପରେ ଭୂଲ୍‍ର କାର୍‍ନାମା ଖଞ୍ଜିହୋଇ ଯାଉଛି ଜୀବନର  ଚଲା  ପଥରେ । ଲାଉ ଚୋର୍‍ କଖାରୁ ଚୋର୍‍ …. ଆସ୍ତେ ଆସ୍ତେ ବଡା ଚୋର୍‍ । କାର୍ଯ୍ୟ ଆରମ୍ଭ ହୁଏ ନିମ୍ନ ସ୍ତରରୁ ଓ ବୃଦ୍ଧିପ୍ରାପ୍ତ ହୋଇ ନଭ ମଣ୍ଡଳ ଗ୍ରାସ କରେ ।ସେତେବେଳକୁ ନେଡି ଗୁଡ଼ କହୁଣୀକୁ ବୋହିଯାଇଥାଏ । ପଛକୁ ଚାହିଁବାର ସବୁ ପଥ ଅବରୁଦ୍ଧ । ପ୍ରତ୍ୟେକ ମୋଡରେ ରହିଛି ସତର୍କ ଘଣ୍ଟି । ଶୁଣି ନ ଶୁଣିଲା ପରି  ମନ ଓ ଶରୀର ଧାଉଁଛି ଗନ୍ତବ୍ୟ ସ୍ଥଳକୁ ।

ସିଟ୍‍ ନଂ. ଅଣାବନରୁ ନିର୍ଝରିତ ଚେତନା ବ୍ୟାଧିଗ୍ରସ୍ତ ସମାଜର ରୂପରେଖକୁ  ପ୍ରତିଫଳିତ କରାଏ ।  ପ୍ରତ୍ୟେକ କର୍ମ ଅର୍ଥାତ୍‍ ଜୋତା ସିଲେଇ ଠାରୁ  ଆରମ୍ଭକରି  ଦେବକାର୍ଯ୍ୟ  ଓ ରାଜକାର୍ଯ୍ୟ ଯାଏଁ ଏହି ନମ୍ବରର ଯାଦୁକାରୀ ପ୍ରଭାବ ଥିବାର ଅନୁଭୂତ ହୁଏ ।  ତୀର୍ଯ୍ୟକ ତାଚ୍ଛଲ୍ୟଭରା ସ୍ୱାଦରେ ଭରପୁର ଏହି ନମ୍ବର କେଉଁ ଏକ  ଅଜଣା ଅନ୍ଧାର କୋଠରୀର ଘୋର ଦୁର୍ଗନ୍ଧଯୁକ୍ତ ପରିବେଶରୁ ଜନ୍ମ ହୋଇଥାଇପାରେ । ସଂଖ୍ୟା ଗଣତି ବା ବର୍ଣ୍ଣମାଳାରେ ଏହାର ସ୍ଥାନ ନ ଥାଇ  ଅଦେହୀଭାବେ  ଘୂରି ବୁଲୁଛି । ଯଦି ‘ବନ’, ଏକ ଗାଣିତିକ ସଂଖ୍ୟା ହୁଏ, ଏହାର ପୂର୍ବ ସଂଖ୍ୟାଟିକୁ ଅଣାବନ କୁହାଯିବ । କିନ୍ତୁ ଏ ‘ବନ’ ସଂଖ୍ୟାଟିର ସ୍ଥାନ କେଉଁଠି ?  ଏକାବନ,  ବାବନ(ବାଉନ), ଚଉବନ, ପଞ୍ଚାବନ, ସତାବନ, ଅଠାବନ ଆଦି ସ୍ଥାନଗୁଡିକ ଆଦୌ ନୁହେଁ । ତେଣୁ ଅଣା + ବନ = ଅଣାବନ ସ୍ଥିତିଶୂନ୍ୟ  ଅଟେ । ଅର୍ଥାତ୍‍ ଏହା ଏକ ଅବାସ୍ତବ (Virtual) ସଂଖ୍ୟା ଓ କୁହେଳିକାମୟ ଅଟେ । କିନ୍ତୁ ମନରେ ହଠାତ୍‍ ଏକ ବାସ୍ତବତାର ଝଲକ୍ ସୃଷ୍ଟି କରେ । ଯେହେତୁ ଏହା ସତରେ ରହିଥିବାର  ଭ୍ରମ  ଜାଗ୍ରତ କରାଉଛି, ତେଣୁ ଘର୍ଷଣବଳ  ଓ ଅଣାବନ ମଧ୍ୟରେ ତୁଳନାତ୍ମକ ନିର୍ଯ୍ୟାସ ସ୍ୱରୂପ ଆଉ ଏକ ଭଜନର କିୟଦ୍‍ଅଂଶ, ଯଥା – “ରୂପରେଖ ନାହିଁ ହେ ଶୂନ୍ୟ ଦେହୀ ….. ଅଛ ବିଜେ ହୋଇ” । ଏତାଦୃଶ ଅବାସ୍ତବତାଗୁଡିକର ପ୍ରୟୋଗ ଓ ତହିଁରୁ ଜାତ ଅତି ନିକୃଷ୍ଟ ସ୍ୱାର୍ଥାଂଶର ପ୍ରତିଫଳନ ନିମ୍ନରେ ଦର୍ଶାଯାଇଛି ।

ସଙ୍କଟରେ ମତିଭ୍ରମର ସୁଜୋଗକୁ ହାତଛଡା ନ କରି  ନିଜର ହୀନ ଲାଳସା ପୂରଣ କରିବା ସକାଶେ ବିଭିନ୍ନ କ୍ଷେତ୍ରରେ ଜନ୍ମଲାଭ କରୁଛନ୍ତି ବହୁରୂପୀ ଦଲାଲ ଗଣ । ରକ୍ତବୀର୍ଯ୍ୟର ବଂଶ ନିପାତ ହେବା ଅତି କଷ୍ଟକର ବ୍ୟାପାର । ସ୍ୱତଃ ପ୍ରବୃତ୍ତ ଭାବେ ସାହାର୍ଯ୍ୟ କରିବାକୁ ଏମାନେ ଆଗେଇ ଆସନ୍ତି । ଉଦାହରଣ ସ୍ୱରୂପ – ଯାତ୍ରୀ  ବାହୀ ଯାନରେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ଉତ୍କଣ୍ଠାରେ ଅପେକ୍ଷାରତ ଜନ ସମାଗମ । ଘୂଁଘୂଁ ନାଦରେ ପହଞ୍ଚିଯାଏ ଯାନଟି । ଚଳଚଞ୍ଚଳ ହୋଇଉଠେ ପରିବେଶ । ନିଜ ନିଜର ପିଲା ଛୁଆ, ବ୍ୟାଗ୍‍, ବସ୍ତାନୀ ଆଦି ବୋହି, ଆଣ୍ଠୋଇ, ପେଟେଇ ଓ କୁନ୍ଥେଇ ହୋଇ ସମସ୍ତେ ଧାବନ୍ତି ଦିଆସିଲି ଖୋଳ ସଦୃଶ ଯାନର ଦ୍ୱାର ଦେଶକୁ ।ଯୁବକ ଓ ବଳବାନ୍‍  କିମ୍ବାଏକାକୀ ଥିବା ଯାତ୍ରୀମାନେ ଦ୍ୱାର ସାମ୍ନାରେ ପଥ ଅବରୋଧର କାରଣ ସାଜନ୍ତି । ବୃଦ୍ଧ, ବୃଦ୍ଧା, ଗ୍ରାମ୍ୟ ମହିଳା ଓ ମହିଳାଯୁକ୍ତ  ଶିଶୁ   ଆଦି  ଗଣଦୌଡରେ ଅନେକ ପଛରେ ପଡନ୍ତି । ଏତାଦୃଶ ଠେଲାପେଲା ଓ ଯାତ୍ରୀ ସମାଗମ ଅବଲୋକନ ପୂର୍ବକ ବସ୍‍ କଣ୍ଡକ୍‍ଟର୍‍ର ଅନ୍ତର ହରଷରେ ଭରି ହୋଇ ଯାଏ ।    ସିଜିନ୍‍ ସମୟ ଚାଲିଛି । ଆଲ୍ଲା ଦେଗା ତୋ ଛପର୍‍ ଫାଡ୍‍କେ ଦେଗା । ତେଣୁ ତା’ର ହୃଦୟର ଚୂଲୀ ଦାଉଦାଉ ହୋଇ ଜଳିଉଠେ । ପରିସ୍ଥିତି ଦେଖି ସେ ସେହି ସମୟର ଦୁଇ ପନ୍ଥାରୁ ପ୍ରଥମେ ଏକଇ ପନ୍ଥା ବାଛିନିଏ ।

ପ୍ରଥମଟି ହେଲା କଣ୍ଡକ୍‍ଟର୍‍ ହଠାତ୍‍ ବସ୍‍ ଠାରୁ କିଛି ଦୂରରେ ଆବିର୍ଭାବ ହୁଏ । ତା’ର ଚତୁଃପାର୍ଶ୍ୱରେ ଯାତ୍ରୀ ମାନଙ୍କର ପ୍ରବଳ ଭିଡ ସୃଷ୍ଟି ହୁଏ । ପିମ୍ପୂଡି ଗଳିବାକୁ ବାଟ  ନ’ଥାଏ । ସେ ଦେଖେ ମାନବର ହସ୍ତରେ ଟଙ୍କା ଥାଇ ତା’ର ମୁଖ ଆଡକୁ ଝୁଙ୍କ ମାରୁଛନ୍ତି । କାଳ ବିଳମ୍ବ ନ କରି ହସ୍ତରୁ ଟଙ୍କା ନେବା ସହ ଏକ  କ୍ଷୁଦ୍ର କାଗଜ ଟୁକୁରା  ବା ଟିକେଟ୍‍ ବିତରଣ ପ୍ରକ୍ରିୟା ଚାଲୁରଖେ । କୋଳାହଳରୁ ବାରିହୋଇଯାଏ – କଣ୍ଡକ୍‍ଟର୍‍  ବାବୁ ! ମୋତେ ସାଇଡ୍‍ ସିଟ୍‍ ଦେବେ,  ମୋର ଦୁଇଟା ଲେଡିଜ୍‍ ସିଟ୍‍,  ମୁଁ  ଶହେ ଟଙ୍କା ଦେଲି – ଆଉ ଟଙ୍କା ?  ସୂଚନା ପାଇ ଯାତ୍ରୀ ଦେଖେ ଟିକେଟ୍‍ର ପଛ ପଟରେ ଫେରସ୍ତ ଟଙ୍କା ଲେଖାଯାଇଛି ।  କୋଳାହଳରୁ ଏହିପରି ଅନେକ ଚିତ୍କାର  ଶୁଭେ ।  ଟିକେଟ୍‍ ଲାଭ କରିବା ସତେକି ପୂର୍ବ ଜନ୍ମର କର୍ମଫଳ । ଆନନ୍ଦରେ ଯାତ୍ରୀ ଧାଇଁଯାଏ ଯାନର ଦ୍ୱାର ପାଖକୁ । ସେଠାରେ ବିରାଧିବୀରବର ହେଲ୍‍ପର୍‍ର କଡ଼ା  ହୁକୁମ୍‍ – ଯିଏ ଟିକେଟ୍‍ ଧରିଛ ଆସ । ଟିକେଟ୍‍ ହାସଲ କରି ପାରି ନ ଥିବା ଯାତ୍ରୀ ମୁହଁ କୁହୁଳାଇ ଧିରେ ଧିରେ କଣ୍ଡକ୍‍ଟର୍‍ର ନିକଟବର୍ତ୍ତି ହେଲା ବେଳକୁ ସିଟ୍‍ ନାହିଁ ।ହାୟରେ କପାଳ ! ପିଲାଛୁଆ ଓ ସ୍ତ୍ରୀ’କୁ ନେଇ କେମିତି ଯିବି ? ପୁଣି ଷ୍ଟାଣ୍ଡିଙ୍ଗ୍‍ ଯାତ୍ରୀ ମାନଙ୍କର ଭିଡ ବେଳକୁ ବେଳ ପ୍ରବଳ ହେବାରେ ଲାଗିଛି । ଏପରିକି ଯାତ୍ରୀ  ହସ୍ତରେ ଥିବା ଟଙ୍କା କଣ୍ଡକ୍‍ଟର୍‍ର ଉଚ୍ଚା ଗାଲକୁ ମୃଦ୍ୟୁ ସ୍ପର୍ଶ କରେ । ଉଚ୍ଚା ହେବାର କାରଣ ସେ କଳରେ ଜାକି ରଖିଥାଏ ଡିଲକ୍ସ୍‍ – ମିଠା ଅଥବା ବେଗର୍‍ ମିଠା ପାନ  ଖିଲ । ବିରକ୍ତି ପ୍ରକାଶ ପୂର୍ବକ କିଛି କହିବା ଆଗରୁ ବାଧ୍ୟ ହୋଇ ବିଷ ଜହରମୟ ପାନ ପିକକୁ ଢୋକିବା ସାର ହୁଏ । ଏହିପରି ପାନପିକ ଢୋକି ଢୋକି ନୀଳକଣ୍ଠ  ସାଜିବା ଯାଏଁ ଏହି ଅଧ୍ୟାୟ ବାକି ରହେ ।

ଦ୍ୱିତୀୟ ଉପାୟଟି ହେଲା ସ୍ୱୟଂ ମହାମହିମ କଣ୍ଡକ୍‍ଟର୍‍ ଦ୍ୱାରକୁ ଅବରୋଧ କରି ରଖେ । ବାମପାଦ ପ୍ରଥମ ପାବଚ୍ଛରେ ସୁଦୃଢ ଓ  ପୃଷ୍ଠଭାଗ ଦ୍ୱାରର  ଏକ ପାର୍ଶ୍ୱରେ  ନିବିଡ ଭାବେ ଜଡ଼ିତ । ଦକ୍ଷିଣ ପାଦ ଏକ ଦୁଃଷ୍ଟ ପାଦ ରୂପେ କିଞ୍ଚିତ୍‍ ଉର୍ଦ୍ଧ୍ୱକୁ ଉଠି ଦ୍ୱାରର ଅନ୍ୟ ପାର୍ଶ୍ୱରେ ଭୂମି ସହ ସମାନ୍ତରାଳ ରହି ପ୍ରବଳ ଠେସ ସୃଷ୍ଟି କରିଥାଏ ।ସତେକି ବାଳକ ଗଣନାଥ ଗଜାନନ ହେବା ପୂର୍ବରୁ ଆଦ୍ୟାଶକ୍ତିଙ୍କ ଆଜ୍ଞାରେ ଯଷ୍ଟି ସହ ଦ୍ୱାର ଜଗିଛନ୍ତି । ସ୍ୱର୍ଗ – ମର୍ତ୍ତ୍ୟ – ପାତାଳରୁ କେହିବି ସେହି ଦୃଢ ପ୍ରତିରୋଧକୁ  ଭାଙ୍ଗି ଗୁମ୍ଫା ମଧ୍ୟରେ ପ୍ରବେଶ କରିବାର ତାକତ୍‍ ଦେଖାଇ ପାରିବେ ନାହିଁ । ଦ୍ୱିତୀୟ ଭାବନା ଜାଗ୍ରତ ହୁଏ ଯେ, ମା’ ଦୁର୍ଗା  ପଶୁରାଜ ସିଂହ ଉପରେ ଖଣ୍ଡା ଓ  ଖର୍ପର  ଧରି ବିରାଜମାନ । ସତେକି କଲମର ଭ୍ରମ ଯଷ୍ଟି ଓ ଖଣ୍ଡା ଏବଂ  ଟିକେଟ୍‍ବହି ଖର୍ପରର ଅବାସ୍ତବ ପରିକଳ୍ପନାର ଭାବ, କ୍ଷଣିକ ନିମିତ୍ତ ସୃଷ୍ଟି କରୁଛି ।  ଅବିଶ୍ରାନ୍ତ ଭାବେ  କଲମ ବହି ଉପରେ ଚାଲୁଛି । କାଗଜ ଟୁକୁରା ଫେରସ୍ତ ଓ ଟଙ୍କା ହସ୍ତଗତ ପ୍ରକ୍ରିୟାରେ ସିଟ୍‍ ଖତମ୍‍ । ଚାଲିଲା ଷ୍ଟାଣ୍ଡିଂ  ଯାତ୍ରୀଙ୍କ ପାଇଁ ଧୂମ୍‍ଧାମ୍‍ ଟିକେଟ୍‍ କଟା । ଜଡ଼ା  ଠାର ଜଡ଼ା ମା’ ବୁଝେ । କିନ୍ତୁ ସୃଷ୍ଟିକର୍ତ୍ତା ବ୍ରହ୍ମା, ଯେହେତୁ କଣ୍ଡକ୍‍ଟର୍‍ ମାନଙ୍କୁ ସୃଷ୍ଟି କରିଛନ୍ତି, ଟିକେଟ୍‍ କାଗଜରେ ଲେଖାକୁ ସେ ନିଶ୍ଚୟ ବୁଝିବା କଥା । କିନ୍ତୁ ଲେଖାର  ଠାଣି – ମାଣିରୁ  ଯାହା ପ୍ରତୀୟମାନ ହୁଏ, ତାହା ବ୍ରହ୍ମାଙ୍କୁ ମଧ୍ୟ ଦୁର୍ବୋଧ୍ୟ ଅଟେ । ସ୍ରଷ୍ଟା ବୁଝିପାରୁନି ସୃଷ୍ଟିକୁ ! ଏହାହିଁ କଳି ଯୁଗର ବିଶେଷତ୍ୱ ।

ଟିକେଟ୍‍ ସହ ସିଟ୍‍ ଚାହୁଁଥିବା ଯାତ୍ରୀଙ୍କ ଅସ୍ତବ୍ୟସ୍ତତା, କୋଳାହଳ ଓ ବ୍ୟଗ୍ରତାରୁ ଫାଇଦା ଉଠାଇବାକୁ  ବକପକ୍ଷୀ ପରି ଟାକି ରହିଥିବା ଥାଟ ବା ସ୍ୱାସ୍ଥ୍ୟବାନ୍‍ ଚଣ୍ଡୀ ଚାମୁଣ୍ଡା ଦଳ ମଧ୍ୟରୁ କେତେକ ମାତିଉଠନ୍ତି । ଜାଲରେ ପଡନ୍ତି କିଛି ନିରୀହ ଓ ସଙ୍କଟରେ ଥିବା ଯାତ୍ରୀ । ଆକୁଳିତ ଯାତ୍ରୀ ଯେକୌଣସି  ପରିସ୍ଥିତିରେ ଯିବ, ଚଢାଚଢି  କରି, ଓହଳି କିମ୍ବା ଛାତ ଉପରେ । କିନ୍ତୁ କିଛି ଯାତ୍ରୀ ପର ବସ୍‍କୁ ଅପେକ୍ଷା କରି ପାରିବେ । ସେ ଚିନ୍ତା ଥିଲେବି ଚାମୁଣ୍ଡା ମାନଙ୍କ ମାୟାଜାଲରେ ଛନ୍ଦି ହୋଇ ଯାଆନ୍ତି । ଅବଶ୍ୟ ଅଭିଜ୍ଞ ଓ ନିୟମିତ ଯାତ୍ରୀମାନେ ଏଥିରୁ ପ୍ରାୟ ବାଦ୍‍ ପଡନ୍ତି । କଣ୍ଡକ୍‍ଟର୍‍କୁ ଏ ଚାମୁଣ୍ଡା ଦଳ (କେତେକ ଗ୍ରାମରେ ହାସ୍ୟରୋଳରେ ଏମାନଙ୍କୁ ହରିବୋଲିଆ ଦଳ କହନ୍ତି ) ଉଚ୍ଚଗଳାରେ କହନ୍ତି – ୟା’ଙ୍କୁ ସିଟ୍‍ ନମ୍ବର ଅଣାବନରେ ବସାଇବ । ଏହିପରି କିଛି    ହାତ ଗଣତି ଯାତ୍ରୀ ବ୍ୟସ୍ତତାର ତୀବ୍ରତାରେ ସତ ମନେକରି  ଯାନ  ମଧ୍ୟରେ ଅଣାବନ ସିଟ୍‍କୁ ଖୋଜିଚାଲନ୍ତି । ବସ୍‍ ଚାଲେ । ଆଗକୁ କିମ୍ବା ପଛକୁ ପାଦ ଘୁଞ୍ଚାଇବାକୁ ସ୍ଥାନ   ନାହିଁ ।  କଣ୍ଡକ୍‍ଟର୍‍ କଥା ଅନୁଯାୟୀ ମୋ ଲେଡି ଅଣାବନ  ନମ୍ବର ସିଟ୍‍ରେ ବସିବା କଥା ।  ହେଉପଛେ ମୁଁ ଓ  ମୋର ଛୁଆ ଏହି ଆଳୁବସ୍ତା ପ୍ୟାକିଙ୍ଗ୍‍  ସ୍ୱରୂପ ଲୋକଙ୍କ ଗହଣରେ ଯନ୍ତ୍ରଣାରେ  ଛଟପଟ, କିନ୍ତୁ ସେହି ସିଟ୍‍ କେଉଁଠାରେ   ?  ଏତାଦୃଶ ଆଶାବାଦୀମାନେ  ଅଣାବନ ନମ୍ବର ସିଟ୍‍ପାଇଁ ବ୍ୟାକୁଳତାରେ ସମୟ ଗଡିଚାଲେ ।  ଯେତେବେଳେ  ସେମାନେ ଅନ୍ୟମାନଙ୍କ ହାସ୍ୟରସାତ୍ମକ ଇସାରାରୁ ସତ୍ୟ ଜାଣନ୍ତି ଓ ଏହା ମଧ୍ୟରେ ଥିବା ଚରମ କୁଟୀଳ ଓ ଅନ୍ୟକୁ କଷ୍ଟଦେଇ ଲାଭ ଉଠାଇବା ସଙ୍ଗେସଙ୍ଗେ ଆନନ୍ଦଲାଭ କରିବାର  ନିଷ୍ଠୁରତାକୁ ମର୍ମେ ମର୍ମେ ଅନୁଭବ କରନ୍ତି, ସେତେବେଳକୁ ଆଉ ଅନ୍ୟ ପନ୍ଥା  କିଛି ନଥାଏ । ନାଁ ଭିଡରୁ  ବାହାରି  ଓଲ୍ଲାଇହେବ, ନାଁ ଜନ ସମୁନ୍ଦ୍ର ଭିତରେ ଅଦୃଶ୍ୟମାନ କଣ୍ଡକ୍‍ଟର୍‍କୁ ଖୋଜି ଗୁହାରି କରିହେବ, ନାଁ ପଇସା ଫେରସ୍ତ ମିଳିବ ? ? ପଇସା ତ ଦିଆ ସରିଛି । ଅଯାଗା  ଘା’କୁ କାହାକୁ ବା ଦେଖାଇବ ?  ନିଜ ସ୍ତ୍ରୀ ଓ ଛୁଆଙ୍କ  ମୁହଁକୁ ତ ଚାହିଁ ହେଉନାହିଁ । ଠେସା ଠେସି ଓ ଦଳା ଚକଟାରେ ତା’ଙ୍କ ଅବସ୍ଥା ବାର୍‍ ବାଜିଲାଣି । କି ନିର୍ବୋଧ  ସତେ ମୁଁ ! ସରଳ ମନରେ ସେମାନଙ୍କ  କଟାକ୍ଷ  ବୁଝିପାରିଲି ନାହିଁ !! ଏହାହିଁ ଏ  ଯୁଗର  ଲକ୍ଷଣ । ସରଳ ଓ ନିରାଡମ୍ବର ମାନବକୁ ଶୋଷଣ, ଲୁଣ୍ଠନ, ………. ଆଦି  କରି ଆଜିର କୁପଥଗାମୀ ମାନେ ସମାଜରେ  ବାହାବା ନେଉଛନ୍ତି ।

ଯାହା ଅନୁଭୂତ ହୁଏ, ଏହି ପରିକଳ୍ପିତ ଅଣାବନ ସଂଖ୍ୟାର ବହୁସ୍ତରୀୟ ରୂପରେଖ  ବିଭିନ୍ନ ପରିସ୍ଥିତିରେ ଆକ୍ଷେପ ଓ ନକରାତ୍ମକ ଠାଣିରେ ଚିରଜାଗ୍ରତ, ସଦାଚଞ୍ଚଳ ……… ।  ଘର୍ଷଣବଳ ସଦୃଶ  ଏହା ଏକ ପ୍ରତିରୋଧାତ୍ମକ ମାର୍ଗ । ଏହା ଅସଂଖ୍ୟ ରୂପର ସମାହାର ଓ ଅବାସ୍ତବ ମଧ୍ୟେ ବାସ୍ତବତାର ପ୍ରତିବିମ୍ବ । ଏହା ରୂପହୀନ,  ବାସହୀନ, ରଙ୍ଗହୀନ ଓ ଗୃହ ନ’ଥାଇ ସ୍ଥାନଶୂନ୍ୟ  ପୂର୍ବକ ପଙ୍କିଳ ମାନବର ଜରାଗ୍ରସ୍ତ ଭାବନା ରାଜ୍ୟରେ ସଦା ବିଚରଣ କରେ । ଯେପରି ରାଜା ପରିକ୍ଷୀତଙ୍କ ସ୍ୱର୍ଣ୍ଣ  ମୁକୁଟରେ କଳି  କଳେବଳେ କଉଶଳେ ସ୍ଥାନ ଦଖଲ କରିଥିଲା, ଠିକ୍‍ ସେହିପରି ପାପାଚାରୀ ଗଣ ଅଣାବନ ରୂପୀ ଛନ୍ଦ -କପଟ ଆଦି  ଭାବନାରେ  ଯୁକ୍ତ ହୋଇ  ସରଳଙ୍କୁ ଗ୍ରାସ କରନ୍ତି । ତେବେ ଏହା କ’ଣ ମହାକାଳର କରାଳ ଚକ୍ରରେ ମାନବକୃତ ଏକ ଏକ ଭୟଙ୍କର କାଳ ?  ଅଥବା ସମୟ ଅକ୍ଷ (Time Axis)ର ବର୍ଣ୍ଣାଳୀ  ରେଖା (Spectral Lines) ମଧ୍ୟରୁ ଏହା  ମାନବକୃତ ଏକ ଧ୍ୱଂସକାରୀ  ରେଖା ? ନିଷ୍ଠୁରତାର ପ୍ରତୀକ ରୂପେ ଏହା କ’ଣ ସର୍ବବ୍ୟାପୀ ଓ ରହସ୍ୟ ବିଜଡିତ ହସ ?  ଯେହେତୁ ଏହା ସୂକ୍ଷ୍ମ ଓ  ସ୍ଥୂଳ ରୂପୀ, ତେଣୁ ଏହାର ବହୁବିଧ  କାୟାରୁ କିୟଦ୍‍ଅଂଶ ଦର୍ଶାଇବା ନିମିତ୍ତ ବ୍ୟାକୁଳିତ ମନର ଲୟ ସ୍ଥିର ନିଶ୍ଚିତ ଭାବେ ଆଜ୍ଞାଚକ୍ରରେ  ଅବସ୍ଥାନ କରିବା ଅତ୍ୟନ୍ତ  ଆବଶ୍ୟକ ।

ଲୟ ସ୍ଥିରତାରୁ ଉଦ୍‍ଗତ ଆଭାସହିଁ ଘର୍ଷଣବଳ ଓ ଅଣାବନ ମଧ୍ୟରେ ଥିବା ସାମଞ୍ଜସ୍ୟ । ଘର୍ଷଣବଳ ସ୍ୱୟଂ ସୁପ୍ତ, ଜାଗ୍ରତ ଓ ପ୍ରାକୃତିକ ଅଟେ । ଏହା ଏକ ଅତ୍ୟାବଶ୍ୟକ  ଖଳନାୟକ (Necessary Evil)। ଉକ୍ତ ବଳ ବିନା କୌଣସି କାର୍ଯ୍ୟ କରିବାର ସମ୍ଭାବନା କ୍ଷୀଣ । ଚାଲିବା, ଲେଖିବା, ଧରିବା ……… ଆଦି ସବୁ ଅସମ୍ଭବ ହେବ ।ତେଣୁ ଏହା ଆବଶ୍ୟକ । ପୁନଶ୍ଚ ଏହା ଯାନ୍ତ୍ରିକ ପ୍ରକ୍ରିୟାର ଘୂର୍ଣ୍ଣନ, ସ୍ଥାନାନ୍ତରଣ …. ଆଦିରେ ଯନ୍ତ୍ରାଂଶରେ କ୍ଷୟକ୍ଷତି ଘଟାଏ । ତେଣୁ ଏହା ଏକ ଖଳନାୟକ ଓ ଦୁଇ  ପାଖ ଧାର ଥିବା ଛୁରୀ । ଏହାର ଦୁଇ ପ୍ରକାର ବିରୋଧାଭାସ – ସକରାତ୍ମକ ଓ ନକରାତ୍ମକ । କିନ୍ତୁ ଅଣାବନ ଭାବଧାରା ଏବଂ ଏହି ଜାତୀୟ ସାମାଜିକ କଳଙ୍କ ଗୁଡିକ   ମାନବାକୃତ । ସ୍ୱାର୍ଥନ୍ୱେଷୀ ମାନବ ସ୍ୱାର୍ଥ ସାଧନ ନିମିତ୍ତ ଏହାକୁ ଭିନ୍ନ ଭିନ୍ନ ଆୟୁଧ ରୂପେ ସମାଜ ବକ୍ଷରେ ପ୍ରୟୋଗ କରେ । ଏହା ସଦା ସର୍ବଦା ସୁସ୍ଥ ସାମାଜିକ  ବିରୋଧାଭାସର ଚିତ୍ରପଟ୍ଟ ।

ମଦମତ୍ତ ଅହଂକାରୀ ମାନବ ନ୍ୟାୟବନ୍ତ ଓ ସତ୍‍ବ୍ୟକ୍ତିଙ୍କୁ କ୍ଳେଶ ଦେଇ , ନିଜର ବକ୍ଷ ଫୁଲାଇ,ଗ୍ରୀବା ଉଚ୍ଚା କରିବା ସହ ନିଷ୍କଣ୍ଟକ ଭୋଗ ବିଳାସରେ ମଜ୍ଜି ରହିଲେ ମଧ୍ୟ  ଏକ ସମୟ ଆସେ, ଯେତେବେଳେ ତା’ର ଗାରିମା ଚୂର୍‍ମାର୍‍ ହୋଇଯାଏ । ସେତେବେଳେ ସେ ଈଶ୍ୱରଙ୍କୁ ସ୍ମରଣ କରେ । କିନ୍ତୁ ଜୀବନକାଳ ମଧ୍ୟରେ କିଛି ମାନବ ସ୍ୱୟଂଘୋଷିତ ଈଶ୍ୱରମାନଙ୍କର ଚେଲା ହୋଇ  କିମ୍ବା ନିଜେ ଈଶ୍ୱର ବୋଲାଇ ରାତାରାତି ମାଲାମାଲ୍‍ ହେବାର ସ୍ୱପ୍ନରେ ବିଭୋର ହୋଇ ରହିଥାନ୍ତି । ନିଜର ଦୁର୍ବାର  ପିପାସାକୁ ଚରିତାର୍ଥ କରିବାପାଇଁ ଆଧ୍ୟାତ୍ମିକ ମାର୍ଗ ହିଁ ଏକ ସହଜ ଓ ସରଳ ଉପାୟ । କୌଣସିମତେ କିଛି କୃତ୍ରିମ ଚମତ୍କାରିତାକୁ ପ୍ରଚାର କରାଇଦେଲେ,  କ୍ଷଣକେ  ହଜାର ହଜାର ପତଙ୍ଗଗଣ ଉଡିଆସି ବାବାଙ୍କ ମନରେ ଦାଉଦାଉ ଜଳୁଥିବା ଲେଲିହାନ ଅଗ୍ନିଶିଖାରେ ଝାସଦେବେ । କିନ୍ତୁ ହେତୁ ରଖିବାକୁ ପଡିବ ଯେ, ଦୁଇ ଅକ୍ଷ  ବିଶିଷ୍ଟ – ସମୟ ଓ କୃତ୍ରିମ ଚମତ୍କାରିତାର ରୈଖିକ ଚିତ୍ରପଟ୍ଟ (Graphical Representation) ଶୀର୍ଷରେ ପହଞ୍ଚି ପୁନଶ୍ଚ ସମୟ ସହ ବୁଦ୍‍ବୁଦ୍‍  ହୋଇ  ମିଳାଇଯିବ ।

ତେବେ କିଞ୍ଚିତ୍‍ ବ୍ୟଙ୍ଗ ବିଦ୍ରୁପାଦିର ଆଂଶିକ ବିଜ୍ଞାନ ଭିତ୍ତିକ ଚିତ୍ରଣର ବାର୍ତ୍ତାବହ ସିଟ୍‍ ନମ୍ବର ଅଣାବନ, ସାମ୍ୟ, ମୈତ୍ରୀ ଓ ପ୍ରେମ ରଜ୍ଜୁର ବନ୍ଧନରେ ପ୍ରତ୍ୟେକ ମନକୁ  ସୁରଭିତ କରୁ । ଅନ୍ୟର ଅଭାବନୀୟ ପରିସ୍ଥିତିରୁ ଫାଇଦା ଉଠାଇବାର ପରିକଳ୍ପନା ମନରୁ ନିର୍ବାପିତ ହେଉ । ସାହାର୍ଯ୍ୟର ହସ୍ତ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ  ପ୍ରସାରିତ ହୋଇ ରହିଥାଉ । ପ୍ରାକୃତିକ କିମ୍ବା କୃତ୍ରିମ ଦୁର୍ଘଟଣାରେ ପ୍ରପିଡୀତଙ୍କୁ ଲୁଟ୍‍ପାଟ୍‍ କରିବାର ଚରମ ପାଶବିକତାରୁ ନିବୃତ୍ତ ରହି ସେମାନଙ୍କ ଲୁହରେ ନିଜକୁ  ସାମିଲ୍‍ କରାଯାଉ । ଡାକୁ ହୃଦୟରେ ଦେବତାର ଅବସ୍ଥାନକୁ ଉଜ୍ଜୀବିତ କରାଯାଉ ।  ବୁଭୁକ୍ଷୁ ଓ ପ୍ରପିଡୀତଙ୍କୁ ଦାନ ଓ ସାହାର୍ଯ୍ୟରେ ମିଳେ ଦିବ୍ୟ ଆନନ୍ଦ । ଏହା  ଲୁଟ୍‍ପାଟ୍‍, ଟାଉଟରୀ, କଳାବଜାରୀ, କର୍ମରେ ଠକେଇ ଓ ରକ୍ଷକ ହୋଇ ଭକ୍ଷକ ସାଜିବାରେ ମିଳେନାହିଁ । ନିଜର ସୁବିଧାପାଇଁ ଅନ୍ୟକୁ କଲବଲ କରିବା କିମ୍ବା ନିଜେ  ସୁବିଧାଜନକ ସ୍ଥିତିରେ ଥାଇ ଅନ୍ୟର ମିଥ୍ୟା କୁତ୍ସାରଟନା କରିବାର ଫଳାଫଳ ନିଜ ଉପରକୁ ସେହି ରୂପରେ ସମୟକ୍ରମେ କାଳାନ୍ତକ ଯମ ପରି ଫେରିଆସେ । ଏହା  ବିଜ୍ଞାନର ମୂଳମନ୍ତ୍ର ଅଟେ । ପୁନଶ୍ଚ ସେହି ଅଣାକାର ସ୍ଥାନ ଏ ବିଶ୍ୱକୁ ଚେତାଇ ଦେବାପାଇଁ ପ୍ରୟାସ ଜାରି ରଖୁଛି –

(ବଡ ମାୟବୀ ଜୀବ ନୁହେଁ କାହାରି ବୃତ୍ତେ)

ଅଣାବନ ସ୍ଥାନଟି ନୁହେଁ କାହାର – ଫିଟାଏ ସଭିଙ୍କର ଗୁମର ….. ( ଘୋଷା)

ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାର

ଅଣାକାର ଭୂମି ତା’ର ନାହିଁ ଆକାର

ନଥାଏ ଭେଦଭାବ ……. ଉଚ୍ଚ ନୀଚ୍ଚ ସ୍ୱଭାବ

ଜନମି ହେଲୁ ଭୋଳ ……. ଖୋଜୁ ଚିକେନ୍‍ ଝୋଳ

ନିଜ ସୁବିଧାପାଇଁ ପ୍ରଚାର  ……………… (୧) .. ଅଣାବନ ….

ରାମ ତାରକରେ ବଜରଙ୍ଗୀ ଥୋଇଣ

ସକାଳୁ ଉଠିଣ ବହେ ଗାଇବୁ ପୁଣ

ବୋଲାଇବୁ ଭଗବାନ …… କର୍ମରେ ତୁ ଅତି ହୀନ

ପାଇ ମାନବ ଜନ୍ମ …… ହେଲୁ ତୁ ହତଜ୍ଞାନ

ନିଜେ ବଞ୍ଚିଲେ ନାମ ବାପାର ………….. (୨) … ଅଣାବନ …

ଲଗାମଛଡା ହୋଇଣ ଧାଉଁଛି ମନ

ଗାଦି ଦଖଲକୁ ଦେଖ କେଡେ ଉଚ୍ଛନ୍ନ

ତୋ ଅତୀତ କୁକର୍ମ …… କ୍ଷଣେ କଲୁ ହଜମ

ତୁ ଗାଦି ତ୍ୟାଗକଲେ …. ସର୍ବେ ଭାସିବେ ଜଳେ

ରାହୁ, କେତୁ, ଶନି ସାଥେ ବିଚାର ………….. (୩) … ଅଣାବନ …

ଚତୁର୍ଥ ବୟସେ ତୁହି ଭାବୁ ଭେଣ୍ଡିଆ

ଯିବୁ ତୁ ଶମନପୁର ହୋଇ ନାଣ୍ଡିଆ

ତ୍ରେତୟାରେ ରାବଣ …. ଦେଲା ମୃତ୍ୟୁ ଭାଷଣ

କଳିରେ ଛତ୍ରପତି ….. ପାତର ଅନ୍ତର ନୀତି

ଦୂରୁ କରୁଛି ମୁହିଁ ଜୁହାର ..,…………… (୪) … ଅଣାବନ …

———————————————————————————

Published in  ଦିଗ୍‍ବଳୟ ‘Digbalay’ – Feb – 2017 –   Popular Science Magazine in Odia, in 34th Convention of Orissa Physical Society, Odisha .

 

 

 

 

 

 

 

 

 

 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help