108 ବେଲପତ୍ରକୁ ଚଢା ଦାମ୍ରେ
108 ବେଲପତ୍ରକୁ ଚଢା ଦାମ୍ରେ
ନକୁଳ ଚ଼ରଣ ମଲିକ୍,
ଅବସରପ୍ରାପ୍ତ ଆସୋସିଏଟ୍ ପ୍ରଫେସର, ପଦାର୍ଥ ବିଜ୍ଞାନ,
ମଡେଲ୍ ଡିଗ୍ରୀ କଲେଜ, ନବରଙ୍ଗପୁର , ଓଡ଼ିଶା ।
ଜୀବନ ସ୍ରୋତରେ ଅନେକ ଅନେକ ଘଟଣା ଘଟିଥାଏ । ଅତୀତକୁ ମନ୍ଥନ କଲେ ଅଲିଭା ଦାଗ ସଦୃଶ କିଛି ଘଟଣାବଳୀର ସ୍ମୃତିଗୋଚର ହୁଏ । ନରେନ୍ଦ୍ର ସାର୍ ତା’ଙ୍କ ଅଧ୍ୟାପକ ଚାକିରୀ ଜୀବନର ଶେଷ ପର୍ଯ୍ୟାୟରେ ଗଭୀର ଚିନ୍ତାରେ ମଗ୍ନ । ଭାବୁଛନ୍ତି ଏ ମର ଜଗତରୁ ବିଦାୟ ନେବା ପୂର୍ବରୁ ନିଜସ୍ୱ ଅନୁଭୂତିର ବିଛି ସ୍ୱାଦ ଗୁଡିକୁ ଲେଖନୀ ଜରିଆରେ ସର୍ବ ସମ୍ମୁଖକୁ ଆଣିବାକୁ । ଏହା ହାସ୍ୟରସାତ୍ମକ, ବ୍ୟଙ୍ଗାତ୍ମକ, ଦୁଃଖଦାୟକ …. ଆଦି ହୋଇପାରେ । କିନ୍ତୁ ସତ୍ୟ ଘଟଣା ଉପରେ ପର୍ଯ୍ୟବେସିତ ସଂରଚନାରୁ ମାନବୀୟ ମୂଲ୍ୟବୋଧତା ଉଦ୍ଗତ ହୋଇ ପାରିଲେ ତାହାହିଁ ତା’ଙ୍କ ପାଇଁ ପରମ ସନ୍ତୋଷର କାରଣ ହେବ ।
ଚାକିରୀ ଜୀବନର ମଧ୍ୟଭାଗ । ମହାବିଦ୍ୟାଳୟରେ ତା’ଙ୍କ ବିଭାଗରେ ସାତଜଣ ଅଧ୍ୟାପକ ଓ ଓ ଜଣେ ଅଧ୍ୟାପିକା । ଶୀତଋତୁରେ ବିଭିନ୍ନ କାର୍ଯ୍ୟାଳାୟର କର୍ମଚାରୀ ମାନଙ୍କ ଠାରୁ ଆରମ୍ଭ କରି ଅନେକ ପରିବାର ଲୋକେ ବଣଭୋଜୀ ପାଇଁ ପ୍ରକୃତିର ଦର୍ଶନୀୟ ସ୍ଥାନକୁ ଯାଇଥା’ନ୍ତି । ତେବେ ତାଙ୍କ ବିଭାଗର ସବୁ କର୍ମଚାରୀ ଓ ଛାତ୍ର-ଛାତ୍ରୀ ସେ ବର୍ଷ ଏକ ସ୍ଥାନକୁ ବଣଭୋଜୀ ପାଇଁ ଯାଇଥିଲେ । ସେଠାରେ ଏକ ଉଚ୍ଚ ପାହାଡ ଓ ପାହାଡର ଶୀର୍ଷ ଦେଶରେ ଏକ ଶିବ ମନ୍ଦିର । ଶୀର୍ଷକୁ ଯିବାକୁ ଦୁଇଟି ପଥ, ଯଥା – ପାହାଚ ପାହାଚ ଚଢି ଯିବାପାଇଁ ଏକ ରାସ୍ତା ଓ ଅନ୍ୟଟି ଗାଡିରେ ଯିବାପାଇଁ । ଯାତ୍ରୀ ନିଜର ଶାରୀରିକ ଦକ୍ଷତାନୁସାରେ ପଥ ବାଛନ୍ତି । ତେଣୁ ନରେନ୍ଦ୍ର ସାର୍ଙ୍କ ଦଳ ଦୁଇଭାଗ ହେଲା । ଭାଗେ ଗାଡିରେ ଗଲେ ଓ ଅନ୍ୟ ଭାଗଟି ପାହାଡ ଚଢିଲେ । ବିଭାଗୀୟ ମୁଖ୍ୟଙ୍କ ସହ କେତେକ ଛାତ୍ର-ଛାତ୍ରୀ, ଅଧ୍ୟାପିକା ମହୋଦୟା ଓ ଦୁଇଜଣ ବୟସ୍କ ଅଧ୍ୟାପକ ଗାଡିରେ ଗଲେ । ପାହାଚ ଚଢିବା ଦଳରେ ନରେନ୍ଦ୍ର ସାର୍ଙ୍କ ସହ ଆଉ କିଛି ଛାତ୍ର-ଛାତ୍ରୀ ରହିଲେ । ଯେହେତୁ ସେ ମଧ୍ୟ ବୟସ୍କ ଓ ଶରୀର ସୁସ୍ଥ ତେଣୁ ପିଲାମାନଙ୍କୁ ନେଇ ଏତେ ଗୁଡାଏ ପାହାଚ ଉଠିବାର ଦୃଢଆଶା ବାନ୍ଧିଲେ । ଦୁଇ ଦଳ ଦୁଇ ରାସ୍ତାରେ ଆଗଭର ହେଲେ । ପ୍ରଥମ ଦଳ ତ ନିଶ୍ଚୟ ଆଗେ ପହଞ୍ଚିବେ ଓ ଦ୍ୱିତୀୟ ଦଳ ପାହାଡରେ କଟାଯାଇଥିବା ପାହାଚରେ ଉଠି ଉଠି ଯିବାକୁ ପଡିବ, ତେଣୁ ଡେରିରେ ପହଞ୍ଚିବେ । ସର୍ବେ ପାହାଡ ଶୀର୍ଷରେ ଥିବା ମନ୍ଦିର ଆଗରେ ଏକଯୁଟ ହେଲେ ବୁଲିବେ ବୋଲି ସ୍ଥିର ହୋଇଥିଲା । ତେବେ ନରେନ୍ଦ୍ର ବାବୁ ପିଲାଙ୍କୁ ସାଙ୍ଗରେ ଧରି ପାହାଚ ଚଢିଲେ । ପାହାଚ ସଂଖ୍ୟା ହଜାରରୁ ଅଧିକ । ଉପରକୁ ପାହାଚରେ ଉଠିବା ପ୍ରଥମେ ସରଳ ଲାଗୁଥିଲେ ବି କ୍ରମେ କଷ୍ଟ ଅନୁଭବ ହୁଏ । ଝିଅପିଲା ମାନେ ଶୀଘ୍ର ହାଲିଆ ହୋଇ ପଡୁଥାନ୍ତି । ଝାଳ ବୋହିବା ଓ ଶାରିରିକ ଶକ୍ତି କମିଯିବା କାରଣରୁ ଏହା ଘଟିଥାଏ । ପ୍ରାୟ ଶହେ ପାହାଚ ପରେ ଲେମ୍ବୁ – ଲୁଣ ମିଶ୍ରିତ ପାଣି ଦେବାକୁ ସ୍ଥାନିୟ ଲୋକେ ଉପସ୍ଥିତ ରହିଥାନ୍ତି । ନରେନ୍ଦ୍ର ବାବୁ ପିଲାମାନଙ୍କ ଦାଇତ୍ୱରେ, ତେଣୁ ସେ ସତର୍କତାର ସହ ସବୁ ପିଲାଙ୍କୁ ଦୃଷ୍ଟିରେ ରଖିଥାନ୍ତି । ଧିରେ ଧିରେ ପାହାଚ ଉଠିବା, ଲେମ୍ବୁପାଣି ପିଇବା ଓ ହାଲିଆମୁକ୍ତ ହେବା ପାଇଁ ଅଳ୍ପ ଅଳ୍ପ ସମୟ ବିଶ୍ରାମ ଆଦି ସହ ଶେଷରେ ନରେନ୍ଦ୍ର ବାବୁଙ୍କ ଦଳ ପାହାଡର ଶୀର୍ଷରେ ପହଞ୍ଚି, କିଛି ସମୟ ବିଶ୍ରାମ ନେଲେ । ସେଦିନ ସେଠାରେ ପ୍ରବଳ ଲୋକ ଭିଡ ହୋଇଥିଲା । କିଛି ସମୟ ପରେ ପ୍ରଥମ ଦଳ ଆସି ସେମାନଙ୍କ ସହ ମିଶିଲେ । ମନ୍ଦିରରେ ଶିବ ଦର୍ଶନ ପାଇଁ ମଧ୍ୟ ଭିଡ । ଲୋକମାନେ ଭୋଗ, ବେଲପତ୍ର, ଦୀପ ଆଦି ବିକୁଥାନ୍ତି । ନରେନ୍ଦ୍ର ବାବୁଙ୍କୁ ଜଣେ ଆସି ଏକଶହ ଆଠ ବେଲପତ୍ର ବିଡାକୁ ଅଳ୍ପ ପଇସା ଅର୍ଥାତ୍ ମାତ୍ର କୋଡିଏ ଟଙ୍କାରେ ଦେବାକୁ କହିଲା । ନରେନ୍ଦ୍ର ବାବୁ ରାଜି ହୋଇଗଲେ । ତେଣୁ ସେ କୋଡିଏ ଟଙ୍କା ବଢାଇ ଦେଲେ ଓ ଲୋକଟି ଖୁସିରେ ଟଙ୍କା ନେଇ ଲୋକ ଗହଳି ମଧ୍ୟକୁ ବେଲପତ୍ର ବିକିବାକୁ ଚାଲିଗଲା । ଏହାପରେ ତାଙ୍କ ଦୁଇଦଳ ଭିଡ଼ ମଧ୍ୟକୁ ପ୍ରବେଶ କରି ମନ୍ଦିରରେ ପୂଜା କରିବାକୁ ବାହାରିଲେ । ଠେଲାଠେଲି ମଧ୍ୟରେ ନରେନ୍ଦ୍ର ବାବୁଙ୍କ ସହ ମ୍ୟାଡାମ୍ ଦେଖାହେଲେ । ମ୍ୟାଡାମ୍ଙ୍କୁ ନରେନ୍ଦ୍ର ବାବୁ ଶହେଆଠ ବେଲ ପତ୍ରକୁ କେତେ ପଇସା ଦେଇ କିଣିଲେ ବୋଲି ପଚାରିଲେ । ମ୍ୟାଡାମ୍ କହିଲେ ଶହେ କୋଡିଏ ଟଙ୍କା ଦେଇ କିଣିଲି । ନରେନ୍ଦ୍ର ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ – ମ୍ୟାଡାମ୍ ଆପଣଙ୍କୁ ସେ ଲୋକଟି ପୁରା ଠକିଦେଲା । ମୁଁ ତ ମାତ୍ର ଦଶ ଟଙ୍କାରେ କିଣିଲି !
ଏହା ଶୁଣି ମ୍ୟାଡାମ୍ଙ୍କ ମୁଖ ମଣ୍ଡଳ ହଠାତ୍ ବଦଳିଗଲା । ସତେକି ତାଙ୍କ ପାଦତଳୁ ବସୁଧା ଖସିଗଲା । ତାଙ୍କ ମୁହଁରୁ ଝାଳ ବୋହିବାକୁ ଲାଗିଲା ଓ ସେ ବାରମ୍ବାର ନରେନ୍ଦ୍ର ବାବୁ ଧରିଥିବା ବେଲପତ୍ର ବିଡ଼ା ଓ ନିଜେ ଧରିଥିବା ବେଲପତ୍ର ବିଡ଼ାକୁ ଦେଖି ଚାଲିଥାନ୍ତି । ଆଶ୍ଚର୍ଯ୍ୟ ବି ହେଉଥାନ୍ତି ଯେ ଦୁହିଙ୍କ ବିଡ଼ା ତ ସମାନ ଓ ମୁଁ ଆଜି ଏତେ ଠକରେ ପଡିଗଲି ! ଏହା ତାଙ୍କ ଭାବ ଭଙ୍ଗୀରୁ ଜଣା ପଡିଯାଉଥିଲା । ସେ ସେହି ବିଚଳିତ ଭଙ୍ଗୀରେ ହିଁ ପୂଜକକୁ ବେଲପତ୍ର ବିଡା ଧରାଇଲେ ଓ ଶ୍ରୀଶିବଙ୍କୁ ସାଷ୍ଟାଙ୍ଗ ବିନା ପ୍ରଣିପାତ କଲେ । ତାଙ୍କ ଦଳ ଓ ନରେନ୍ଦ୍ର ବାବୁ ଆଦି ଯିଏ ଯାହା ପୂଜା ସାମଗ୍ରୀ ଧରିଥିଲେ ତାହା ପୂଜକଙ୍କୁ ଦେଇ ଠାକୁରଙ୍କୁ ମୁଣ୍ଡିଆ ମାରିଲେ । ଏହାପରେ କୋଳାହଳ ଓ ଭିଡ ମଧ୍ୟରୁ ସେମାନେ ବାହାରକୁ ବାହାରିଲେ । ମ୍ୟାଡାମଙ୍କ ମୁଖ ମଣ୍ଡଳର କାନ୍ତି ମଳିନ ପଡିଯାଇଥିଲା ଓ ତାଙ୍କ ବ୍ୟସ୍ତ ଏବଂ ବିରସ ବଦନକୁ ଦେଖି କିଛି ଅଧ୍ୟାପକ କ’ଣ ହୋଇଛି ବୋଲି ପଚାରନ୍ତେ ସେ ସାଧାରଣ ଗଳାରେ କିଛି ନୁହେଁ ବୋଲି କହନ୍ତି । କାଳେ ମ୍ୟାଡାମଙ୍କର ବ୍ୟସ୍ତତା ବୃଦ୍ଧି ପାଇବ ଭାବି ନରେନ୍ଦ୍ର ବାବୁ ତାଙ୍କ ସହ ଆଲୋଚନାରେ ବେଲପତ୍ର ପ୍ରସଙ୍ଗ ଆଦୌ ଉଠାଇଲେ ନାହିଁ, କିନ୍ତୁ ମ୍ୟାଡାମଙ୍କ ଠାରୁ ସେ ଦୂରେଇ ରହି ତାଙ୍କ ଚାଲିଚଳନକୁ ସୂକ୍ଷ୍ମ ଦୄଷ୍ଟିରେ ନିରୀକ୍ଷଣ କରିବାକୁ ଲାଗିଲେ । ତେବେ ଯେତେ ସେ ନିରୀକ୍ଷଣ କରୁଥାନ୍ତି, ସେତେ ନୂଆ ନୂଆ ଭାବନା ନରେନ୍ଦ୍ର ବାବୁଙ୍କ ମନରେ ଉଙ୍କି ମାରୁଥାଏ । ଗୋଟିଏ କଥା ହେଲା, ସେ ଦେଖିଛନ୍ତି ମ୍ୟାଡାମ୍ ପ୍ରତି ସୋମବାର ଦିନ ମନ୍ଦିର ଯାଆନ୍ତି । ସେଥିପାଇଁ କଲେଜକୁ ପ୍ରାୟ ଏଗାରଟା ବେଳକୁ ପହଞ୍ଚନ୍ତି । ନରେନ୍ଦ୍ର ବାବୁ ସବୁ ସୋମବାରରେ ଶିବ ମନ୍ଦିର ଯାଆନ୍ତି ନାହିଁ । ଯେତେ ଥର ସେ ସୋମବାରରେ ମନ୍ଦିର ଯାଇଛନ୍ତି ସେତେଥର ମ୍ୟାଡାମ୍ଙ୍କୁ ଦେଖିଛନ୍ତି । ତାଙ୍କ ଭକ୍ତିର ସୀମା ନଥାଏ । ପ୍ରଥମେ ମନ୍ଦିର ବେଢାକୁ ପ୍ରବେଶ କରିବା ମାତ୍ରେ ହାତଦୁଇ ତାଙ୍କର ଯୋଡ଼ି ହୋଇଯାଏ । ଭୋଗଡାଲା ରଖି ସେ ନଡିଆକୁ ଧୋଇ ଓ ତା’ପରେ ହାତଗୋଡ଼ ଧୋଇ ମୁଣ୍ଡରେ ପାଣି ସିଞ୍ଚି ସିଞ୍ଚି ଓଁ ସ୍ୱସ୍ତି ସ୍ୱସ୍ତି ସ୍ୱସ୍ତି କହନ୍ତି । ଏହାପରେ ଦୀପ ଜଳାନ୍ତି, କିନ୍ତୁ ଅନ୍ୟ ଜଳୁଥିବା ଦୀପରୁ ନୁହେଁ । ତାଙ୍କର ବିଶ୍ୱାସ ଯେ ପରଦୀପରୁ ନିଜଦୀପ ଜଳାଇଲେ ତହିଁରୁ ପ୍ରାପ୍ତ ଧର୍ମ ସେହି ପର ପାଖକୁ ପଳାଏ । ସେଥିପାଇଁ ସେ ଭୋଗଡାଲାରେ ଦିଆସିଲିଟିଏ ନେଇଥାନ୍ତି । ପୁଣି ହାତ ଦୁଅନ୍ତି ଓ ଏହାଦ୍ୱାରା ତାଙ୍କ ସ୍ୱାମୀ ଚିଡିଚିଡା ହୁଅନ୍ତି । ମ୍ୟାଡାମ୍ କୁହନ୍ତି ଦୀପ ଠାକୁରଙ୍କୁ ସମର୍ପଣରେ ହାତ ଅଇଁଠା ହୁଏ, ତେଣୁ ହାତ ଧୋଇବା ଉଚିତ୍ । ସ୍ୱାମୀ ଏଗୁଡିକ ବୁଝନ୍ତିନି ଓ ପୁଣି ଚିଡିଚିଡା ହୁଅନ୍ତି । ଏହାପରେ ପଡେ ଶିବଙ୍କ ବାହନ ନନ୍ଦି ଦେବ ବା ବୃଷଭଙ୍କ ପାଳି । ସେଠାରେ ଏକ ଅଧ୍ୟାୟ ଆରମ୍ଭ ହୁଏ । ଫୁଲଟିଏ ସହ ଏକ ବେଲପତ୍ର ବୃଷଭର ମସ୍ତକ ବା ପୃଷ୍ଠଭାଗରେ ଚଢାଇ ତାଙ୍କ ଶରୀରରେ ମୁଣ୍ଡଲଗାଇ ମୁଣ୍ଡିଆ ମାରନ୍ତି । ଏହାପରେ ତାଙ୍କ ବଦନକୁ ନେଇ ବୃଷଭର ବାମ କର୍ଣ୍ଣରେ ଲଗାଇ ରଖି କ’ଣ ଗୁଡାଏ ଗୁଣୁଗୁଣୁ ହୋଇ କିଛି ସମୟ ଯାଏ କହି ଚାଲିବା ସହ ଦକ୍ଷିଣ ହସ୍ତରେ ବୃଷଭ ପୃଷ୍ଠର ଶେଷ ଭାଗରୁ ଲାଞ୍ଜ ସହ ଆଉ ଯାହା ସବୁ ରହିଲା ତାହାକୁ ଆଉଁସି ଚାଲନ୍ତି । ପଛରେ ଅନ୍ୟ ଭକ୍ତ ମାନଙ୍କର ଭିଡ ଓ ସେମାନେ ଭାବୁଛନ୍ତି ଯେ, କେତେବେଳେ ସେ ବୃଷଭଙ୍କୁ ଛାଡିବେ ଓ ସେମାନଙ୍କ ପାଳି ପଡିବ । ୟା’ପରେ ମନ୍ଦିରରେ ଝୁଲାଯାଇଥିବା ଘଣ୍ଟ ବଜାଇବାକୁ ସେ ଆଗେଇ ଚାଲନ୍ତି । ଘଣ୍ଟ ବଜାଇବାକୁ ମ୍ୟାଡାମ୍ଙ୍କ ହାତ ପାଏନି, ତେଣୁ ସେ ଡେଇଁକି ବଜାନ୍ତି ତିନିଥର । ଘଣ୍ଟ ବଜାଇ ଓ ତହିଁର ତଳେ କିଛି ସମୟ ରହିବା କଥା, ଯାହାଫଳରେ ଘଣ୍ଟରୁ ଉତ୍ପନ୍ନ ଦିବ୍ୟ ଝଙ୍କାର ବ୍ୟକ୍ତିର ଶରୀରରେ ଭରିଦିଏ ସାତ୍ତ୍ୱିକ ଚେତନା । ଏତାଦୃଶ ଚିନ୍ତନରେ ସେ ମଧ୍ୟ କିଛି ସମୟ ଘଣ୍ଟତଳେ ଛିଡା ହୁଅନ୍ତି, ଯାହା ଫଳରେ ଅନ୍ୟ ଭକ୍ତ ମାନଙ୍କର ଅସୁବିଧା ହୁଏ ଓ ସେମାନେ ମନେ ମନେ ବିରକ୍ତ ହୁଅନ୍ତି ଏହା ଦେଖି ତାଙ୍କ ସ୍ୱାମୀ ନିଆଁ ବାଣ ହୋଇ ଉଠନ୍ତି । ଆରମ୍ଭ ହୁଏ ମୁଖ୍ୟ ଠାକୁରଙ୍କ ଦର୍ଶନ ଓ ସାଷ୍ଟାଙ୍ଗ ପ୍ରଣିପାତ । ଏଠାରେ ପ୍ରଣିପାତର ଧାରାକୁ ବିଶ୍ଳେଷଣ କଲେ ତିନି ପ୍ରକାରର ଭକ୍ତଙ୍କ ସମାବେଶ ଦୃଶ୍ୟମାନ ହୁଅନ୍ତି । ପ୍ରଥମ ଜାତୀୟ ଭକ୍ତ ହେଲେ ଠାକୁରଙ୍କୁ ସମ୍ମୁଖ ମୁଣ୍ଡିଆ ମାରିବା, ଦ୍ୱିତୀୟ ଜାତୀୟ ଭକ୍ତ ହେଲେ ଠାକୁରଙ୍କ ସାମ୍ନାରୁ ବାମ ପାର୍ଶ୍ୱକୁ ଘୂଞ୍ଚିଯାଇ ଠାକୁରଙ୍କ ସାମ୍ନା ଦିଗ ସହ ନିଜର ଦୄଷ୍ଟିପାତର ଦିଗ ମଧ୍ୟରେ ନବେ ଡିଗ୍ରୀ କୋଣରେ ଦଣ୍ଡାୟମାନ ହୁଅନ୍ତି । ଏହାପରେ ଠାକୁର ନିଜର ଚକ୍ଷୁ ସମ୍ମୁଖରେ ନ ରହି ଭକ୍ତର ବାମ ପାର୍ଶ୍ୱରେ ରହନ୍ତି । ତେଣୁ ଭକ୍ତ ଠାକୁରଙ୍କୁ ଦେଖି ପାରନ୍ତି ନାହିଁ । ଏହି ସ୍ଥାନରେ ରହି ଭକ୍ତ ନିଜ ସମ୍ମୁଖକୁ ଅନାଇଁ ସାଷ୍ଟାଙ୍ଗ ପ୍ରଣିପାତ ଅର୍ଥାତ୍ ଆଡୁଆ ମୁଣ୍ଡିଆ ମାରନ୍ତି । ଏହି ପରିସ୍ଥିତିରେ ଭକ୍ତର ଭୂମିରେ ସାଷ୍ଟାଙ୍ଗ ପ୍ରଣିପାତ ମୁଦ୍ରା ଦ୍ୱାରର ପ୍ରସ୍ଥ ସହ ସମାନ୍ତରାଳ ଥାଏ । ସେହି ସମୟରେ ଯଦି ପ୍ରଥମ ଜାତୀୟ ଭକ୍ତ ମୁଣ୍ଡିଆ ମାରି ସିଧା ଠାକୁର ଦର୍ଶନ କରିବାକୁ ଯାଏ, ତେବେ ଦ୍ୱାର ସମ୍ମୁଖରେ ଆଡୁଆ ମୁଦ୍ରାରେ ଥିବା ଭକ୍ତକୁ ଡେଇଁ କରି, ନଚେତ୍ ପାଦବାଟେ ଅଥବା ମୁଣ୍ଡବାଟେ ବୁଲି କରି ଯିବ । ତୃତୀୟ ଜାତୀୟ ଭକ୍ତ ଦ୍ୱିତୀୟର ଠିକ୍ ଓଲଟା ଅର୍ଥାତ୍ ଡାହାଣ ପାର୍ଶ୍ୱରୁ ବାମ ପାର୍ଶ୍ୱକୁ ଆଡୁଆ ମୁଦ୍ରାରେ ସାଷ୍ଟାଙ୍ଗ ପ୍ରଣିପାତ କରନ୍ତି । ତେବେ ଏଠାରେ ମଧ୍ୟ ପ୍ରଥମ ଜାତୀୟ ଭକ୍ତଙ୍କୁ ସେଇ ସମାନ ଅସୁବିଧା ହୁଏ, ଯାହାକି ଦ୍ୱିତୀୟ ଜାତୀୟ ଭକ୍ତଙ୍କ ଦ୍ୱାରା ଆଡୁଆ ମୁଦ୍ରାରେ ସାଷ୍ଟାଙ୍ଗ ପ୍ରଣିପାତ ସମୟରେ ହୋଇଥାଏ । ତେବେ ମ୍ୟାଡାମ୍ ହେଉଛନ୍ତି ଦ୍ୱିତୀୟ ଜାତୀୟ ଭକ୍ତ । ପୁଣି ଏ ବାବଦକୁ ତାଙ୍କ ସ୍ୱାମୀ ଆହୁରି ବିରକ୍ତ ହୁଅନ୍ତି।
ଏବେ ସେ ଠାକୁରଙ୍କ ସମ୍ମୁଖରେ ଭୋଗଡାଲା ପୂଜକଙ୍କୁ ଦେଇ ଦଣ୍ଡାୟମାନ ମୁଦ୍ରାରେ ଅବତୀର୍ଣ୍ଣ । ଯେହେତୁ ସୋମବାର, ତେଣୁ ନାରୀ ଓ ଅବିବାହିତ ଝିଅ ଭକ୍ତଙ୍କ ପ୍ରବଳ ଭିଡ ଓ ଏହାହିଁ ଦଣ୍ଡାୟମାନ ମୁଦ୍ରାର କାରଣ ଅଟେ । ଏହି ଭିଡରେ ସମସ୍ତେ ନିଜ ନିଜର ଭୋଗ ଡାଲାକୁ ତୀକ୍ଷ୍ଣ ଦୃଷ୍ଟିରେ ଅନାଇ ରହି ଭାବନ୍ତି, କେତେବେଳେ ତାଙ୍କ ଭୋଗ ଲାଗିହେବ । ପରନ୍ତୁ ମ୍ୟାଡାମଙ୍କ ଭୋଗ ଲାଗି ହେବା ମାତ୍ରେ ତାଙ୍କ ସର୍ବାଙ୍ଗ ଶରୀର ଭକ୍ତିର ସ୍ରୋତରେ ପ୍ଳାବିତ ହୋଇଉଠେ ଓ ସେ ସଙ୍ଗେ ସଙ୍ଗେ ନିଜ ସ୍ୱାମୀ, ଛୁଆପିଲାଙ୍କ ନାମ ସହ ଗୋତ୍ର ବଡ ପାଟିରେ କହି ପୂଜକଙ୍କୁ ଜଣେଇ ଦିଅନ୍ତି । ଦୁଇ ହାତ ଯୋଡି ‘ଓଁ ନମଃ ଶିବାୟ’ ଯପ କରି ଚାଲନ୍ତି । ପୂଜକ ଫୁଲ ଓ ବେଲପତ୍ର ଠାକୁରଙ୍କୁ ଲାଗି କରନ୍ତି । ନଡିଆ ପିଟି ପାଣି ଲାଗି କରିବା ଓ ପାଚିଲା କଦଳୀ, ଅନ୍ୟ ଫଳ, ଶର୍କରା, ଗୋଦୁଗ୍ଧ ଆଦିକୁ ଘର୍ଷଣ କରି ଠାକୁରଙ୍କୁ ଲାଗି କରନ୍ତି । ଏହାପରେ ମ୍ୟାଡାମ ଓ ତାଙ୍କ ସ୍ୱାମୀ ପୁଷ୍ପାଞ୍ଜଳି ଦେବା ହୁଅନ୍ତି । ତଥାପି ମ୍ୟାଡାମଙ୍କ ମନ ଶାନ୍ତି ହୁଏନି । ତେଣୁ ସେ ପୁଣି ପରିବାରର ସଭିଙ୍କ ନାମରେ ଜଳ ଲାଗି କରିବାକୁ କହି ସ୍ୱାମୀଙ୍କ ନାମ ସହ ପୁଅ, ଝିଅ, ଝିଆରୀ ପୁତୁରା ଆଦିଙ୍କ ନାମ ଗୁଡିକ ଚଟାପଟ୍ କହି ଚାଲନ୍ତି । କିନ୍ତୁ ଯେଉଁ ସୋମବାରରେ ମନ୍ଦିର ଯିବା ମ୍ୟାଡାମଙ୍କର ବିଳମ୍ବ ହୋଇଯାଇଥାଏ ସେତେବେଳକୁ ଭକ୍ତଙ୍କ ସଂଖ୍ୟା ପତଳା ହୋଇଯାଇଥାଏ । ଏହି ମଉକାରେ ସେ ଅନ୍ୟ ସୋମବାର ପରି ସଭିଙ୍କ ନାମରେ ଜଳ ଲାଗି ହେବା ପରେ ମଧ୍ୟ ଆଉ ଅଧିକ ଫଳ ଲାଭ ଆଶାରେ ନିଜେ ନୋଟାଏ ପାଣି ଠାକୁରଙ୍କୁ ଲାଗି କରନ୍ତି । ଠାକୁରଙ୍କ ଥାଳିରେ ଦକ୍ଷିଣା ଦେଇ, କପାଳରେ ଚନ୍ଦନ ଟୀକା ଓ ପାଦୁକ ପାଇ ସେ ହାତ, ମୁଁହ ଧୁଅନ୍ତି ଓ ଅନ୍ୟ ଦିନ ଅପେକ୍ଷା ସେ ଆନନ୍ଦର ଝକାସ୍ରେ ଉଲ୍ଲସି ଉଠୁଥିବାର ଦେଖାଯାନ୍ତି, କାରଣ ସେ ଦିନ ସେ ବହୁତ ଫଳ ପାଇବାର ହକ୍ଦାର ବୋଲି ଭାବନ୍ତି । ଏତିକିରେ ଅଧ୍ୟାୟ ଶେଷ ହୁଏନି । ଆରମ୍ଭ ହୁଏ ବେଢା ପରିକ୍ରମାର ପର୍ବ । ଏତେ ମାଲିମସଲା ଦେଖି ତାଙ୍କ ସ୍ୱାମୀ ଡିମା ଡିମା ଆଖିରେ ମ୍ୟାଡାମ୍ଙ୍କୁ ଚାହିଁ କୁହନ୍ତି – ଆଜି ବୋଧେ ଅଫିସ୍ ଯିବା ନାହିଁ ? ମ୍ୟାଡାମ୍ କାହିଁକି ବା ଶୁଣିବେ । ସେ ଭାବନ୍ତି ଆସିବା ବିଳମ୍ବ ହେଲା ବୋଲି ସିନା ନିଜ ହସ୍ତରେ ଶିବଙ୍କୁ ଜଳ ଲାଗି କଲି । Chance comes once. ଏ ମଉକାକୁ କିଏ ହାତ ଛଡା କରେ ! ଏହି ଭାବନାରେ ଯୁକ୍ତ ହୋଇ ସେ ମନ୍ଦିର ପରିକ୍ରମା ଅର୍ଦ୍ଧଚନ୍ଦ୍ର ନିୟମରେ କରନ୍ତି ଅର୍ଥାତ୍ ମନ୍ଦିରର ବେଢାକୁ ତ୍ରିବାର ଅର୍ଦ୍ଧ ପରିକ୍ରମା କରନ୍ତି । ଏବେ ଲାଗି ହୋଇଥିବା ଭୋଗ ଡାଲା ଧରି ଦୁହେଁ ବାହାରକୁ ଆସିବା ହୁଅନ୍ତି । ମନ୍ଦିର ବାହାରେ ଧାଡି ହୋଇ ଭିକ୍ଷାଥାଳ ଧରି ବସିଥାନ୍ତି ଭିକାରୀ ବା ଦରିଦ୍ର ନାରାୟଣ । ଏଠାରେ ଯାହା ଘଟେ ତାହାକୁ ଶେଷ ପର୍ବ ବୋଲି ମାନିବାକୁ ପଡିବ । ଏଠାରେ ଘଟଣା ଓଲଟା ଘଟେ । ମ୍ୟାଡାମ୍ ଚାହାନ୍ତି ଜଣେ ଦୁଇଜଣଙ୍କ ଥାଳିରେ ଟଙ୍କେ ଦୁଇଟଙ୍କା ଦେଇ ଆସିବା କଥା । ଅନ୍ୟ ଭିକାରୀ ଯେତେ ମା’ ମା’ ଡାକିଲେ ସେମାନଙ୍କ ଡାକ କିଏ ବା ଶୁଣୁଛି । କିନ୍ତୁ ତାଙ୍କ ସ୍ୱାମୀଙ୍କ ମନ ଥାଏ ସମସ୍ତିଙ୍କୁ ଦେବା ପାଇଁ । ସେବାବଦକୁ ଦୁଇଙ୍କ ମଧ୍ୟରେ କଥା କଟାକଟି ହୁଅନ୍ତି ଓ ଶେଷରେ ଘରକୁ ଫେରନ୍ତି । ତେବେ ଏଠାରେ ଚିନ୍ତା କରିବାର କଥା ଏଇଆ ଯେ, ଯେଉଁ- ମ୍ୟାଡାମ୍ ପ୍ରତି ସୋମ ବାରରେ ଭକ୍ତି ରସରେ ଜୁଡୁବୁଡୁ ହୁଅନ୍ତି ଓ ଶ୍ରେଷ୍ଠ ଭକ୍ତ ରୂପେ ନିଜକୁ ପ୍ରଦର୍ଶିତ କରିବାରେ ସଭିଙ୍କଠୁ ଆଗୁଆ ହୋଇଥାନ୍ତି, ଆଜି ତାଙ୍କର ମନ ଶହେଆଠ ବେଲ ପତ୍ରକୁ ଚଢା ଦାମ୍ରେ କିଣିଥିବାରୁ ସମ୍ପୂର୍ଣଭାବେ ଭକ୍ତିରସ ଶୂନ୍ୟ ହୋଇ ଯାଇଛି ।
ଏହାର ଗୋଟିଏ ହିଁ କାରଣ ଅଟେ, ତାହା ହେଲା ଠକାମୀର ଶୀକାର ଓ ଧନକ୍ଷୟ । କଥାରେ ଅଛି – “ଟଙ୍କା ମୁହଁ କରିଦିଏ ବଙ୍କା” । ଏଇଥିପାଇଁ ମ୍ୟାଡାମ୍ଙ୍କ ଭକ୍ତିରେ ଆଜି ଅଧପତନ ଘଟିଛି । ଭକ୍ତିର ଜୁଆରରେ ଭଟ୍ଟା ପଡିଛି । ଭକ୍ତିର ତୀବ୍ରତା କମି କମି ଶୁନରେ ପହଞ୍ଚି ଯାଇଛି । ସେ ଏତେ ବର୍ଷ ଧରି ଶିବଙ୍କ ଆରାଧନରେ ଲୀନ ଥିଲେ କ’ଣ ହେବ, ସେ ଟଙ୍କାର ମାୟାରେ ଆଜି ବାୟା ହୋଇଗଲେ । ସେ ଶହେ ଆଠ ବେଲପତ୍ରକୁ ଚଢା ଦାମ୍ରେ କିଣିଥିବାରୁ ସବୁ କିଛି ଆମ୍ବିଳା ହେବାସହ ଶିବ ଭକ୍ତି ପ୍ରତି ତାଙ୍କର ମୁହଁ ବଙ୍କା ହୋଇଯାଇଛି । ଠାକୁରଙ୍କ ନିମନ୍ତେ ଦୀପ ଜଳାଇବା ଓ ପୂଜକଙ୍କୁ ବେଲପତ୍ର ବିଡା ଦେଲାବେଳେ ସେମିତି କିଛି ଭକ୍ତିର ଆବେଗ ନଥିଲା । ଆଣ୍ଠୁ ମାଡି ଠାକୁରଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ ତ ପୁରା ଠପ୍ । ଧ୍ୟାନ ରହିଲା ଟଙ୍କା ପାଖରେ, ତେଣୁ ଭକ୍ତି ଆସିବ କୁଆଡୁ ? ଈଶ୍ୱରୀୟ ସତ୍ତାକୁ ଯିଏ ହୃଦୟସ୍ଥ କରିଥାଏ, ସେଠାରେ ଲୋଭ, ମୋହ ଓ ମାୟାର ବନ୍ଧନ କ୍ଷୀଣରୁ କ୍ଷୀଣତର ହୋଇଥାଏ । କେବଳ କିଛି ପାଇବା ଆଶା ନେଇ ଅନେକ ବ୍ୟକ୍ତି ମନ୍ଦିରକୁ ଆସନ୍ତି ଓ ଠାକୁରଙ୍କ ସାମ୍ନାରେ ଦୁଇଭୁଜ ଉପରକୁ ଟେକି ବେଶି ସମୟ ଯାଏ ଠିଆ ହୋଇ ରହନ୍ତି । ଏହା ଫଳରେ ଅନ୍ୟ ଭକ୍ତମାନେ ଦିଅଁ ଦର୍ଶନ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ସାଧାରଣ ନିରୀହ ଦୀନ ମଜୁରିଆ ମଣିଷଟିର ବେଳ ନଥାଏ ମନ୍ଦିରକୁ ବାରମ୍ବାର ଯିବାକୁ । ବଡ ବଡ ପର୍ବ ପର୍ବାଣିରେ କେବେ କେମିତି ସୁବିଧା ମିଳେ ନିଜ ପରିବାର ବର୍ଗଙ୍କ ସହ ମନ୍ଦିର ଯିବାକୁ । ବାସ୍ ସେତିକିରେ ଅପୂର୍ବ ଆନନ୍ଦ ମିଳେ । ଏକାଗ୍ରତା ମନରେ ନିଜ ଦୁଃଖ ଜଣାଇ ଘରକୁ ଫେରିବା ହୁଏ । ମନରେ ଏତେ କୁଟିଳତା ନଥାଏ ଓ ନିଜ ସମ୍ବଳକୁ ନେଇ ଖର୍ଚ୍ଚ ଲରିବାରେ ହିଁ ସେ ସୁଖ ପାଏ । ଯଦି ଠାକୁରଙ୍କୁ ଅର୍ପଣ ବିଧିରେ କୌଣସି ଜିନିଷ ଅନ୍ୟ ମାନଙ୍କ ତୁଳନାରେ କାହାଠାରୁ ଚଢା ଦାମ୍ରେ କିଣା ହୋଇଛି ବୋଲି ସେ ଜାଣେ – “ସେଇ ଠାକୁର ଅଛନ୍ତି” କହି ଆହୁରି ଭକ୍ତି ଭାବରେ ଠାକୁରଙ୍କୁ ମୁଣ୍ଡିଆ ମାରେ । ଏହା ହିଁ ଗରିବ ଓ ଧନୀ ମଧ୍ୟରେ ବ୍ୟବଧାନରଏକ କ୍ଷୁଦ୍ର ପରିଚୟ ମାତ୍ର ।