ଏବେ ଆମେ କାହା ବିରୁଦ୍ଧରେ ଲାଗିବା ନାହିଁ
ସତ୍ୟ ହିଁ ନିଷ୍ଠୁର । ଏହା କାମ, କ୍ରୋଧ, ଲୋଭ, ମୋହ, ମାୟା ଠାରୁ ବହୁ ଉର୍ଦ୍ଧ୍ୱରେ । ମହାଭାରତରେ ଯୁଧିଷ୍ଟିର ମାୟା ଜଡିତ ଅର୍ଦ୍ଧସତ୍ୟ ବାକ୍ୟ “ନର ବା ଗୁଞ୍ଜର ଅଶ୍ୱତ୍ଥମା ହତ” କହି ସତ୍ୟର ନିଷ୍ଠୁରତାରୁ ବାଦ୍ ପଡି ନଥିଲେ । ଜୀବନର ଅନ୍ତିମ ସତ୍ୟ ହିଁ ମୃତ୍ୟୁ । ଏହି ପରମ ନିଶ୍ଚିତତାକୁ ମୋହ – ମାୟାର ପରିବେଷ୍ଟନୀ ମଧ୍ୟରେ ନିଜକୁ ଡୁବାଇ ରଖି, ଏହାକୁ ଏଡାଇ ଚାଲିବା ସହ ଶତ ପ୍ରଚେଷ୍ଟା କଲେବି ଅନ୍ତିମ ସତ୍ୟ ନିକଟକୁ ସର୍ବେ ପ୍ରତିକ୍ଷଣରେ ସ୍ୱୟଂଚାଳିତ ଭାବେ ଅହରହ ଧାବମାନ । ତଥାପି ମାୟା ମୋହେର୍ ବିମୋହନ୍ ମାନବ ଅନ୍ୟମାନଙ୍କର ଅନ୍ତିମତା ବାରମ୍ବାର ଦେଖିଲେ ବି ନିଜପାଇଁ ତାହା ଭାବିବା ପରିବର୍ତ୍ତେ ନିଜସ୍ୱ ପାର୍ଥିବ ସ୍ଥିରତାକୁ ମନ ସହଜେ ଅସ୍ୱୀକାର କରିପାରେନି । ଏହାର କାରଣ ହେଉଛି ଭୟ । ବାସ୍ତବିକତାକୁ ଅବାସ୍ତବର ପ୍ରହେଳିକା ମଧ୍ୟରେ ଯେତେ ଲୁଚାଇ ରଖିଲେବି, ହୃଦୟର କେଉଁ ଏକ ନିଭୃତ କନ୍ଦରରେ ଏହା ନିଶ୍ଚିତ ରୂପେ ଜମାଟ ବାନ୍ଧି ରହିଥାଏ । ପରମ ସତ୍ୟ, ସମୟ ସୁବିଧା ଦେଖି ପ୍ରହେଳିକା ଯୁକ୍ତ ମନକୁ ଦୁର୍ବଳ କରିବା ସଙ୍ଗେ ସଙ୍ଗେ ବ୍ୟକ୍ତିକୁ ନିଜ କଲା କର୍ମରେ ଭୂଲ୍ ସଂଶୋଧନ ନିମିତ୍ତ ପରୋକ୍ଷରେ ବା ପ୍ରତ୍ୟକ୍ଷରେ ଉଦ୍ଗତ କରାଏ ତା’ର ଅନ୍ତରର ଲୁକ୍କାୟିତ ଓ ଭୟଭୀତ ଭାବନାରାଜି । ଏହିପରି ଏକ ସତ୍ୟ ଘଟଣାର ପରିପ୍ରକାଶ ହୁଏ ଲେଖକଙ୍କ ଲେଖନୀ ମୂନରେ ।
ସେଦିନ ମହାବିଦ୍ୟାଳୟ ପରିସର ଆନ୍ଦୋଳିତ ହୋଇ ଉଠୁଥିଲା ଏକ ଦୁଃଖଭରା ଘଟଣାକୁ ନେଇ । କାହାକୁ ବିଶ୍ୱାସ ହେଉ ନଥିଲା । ଏ କ’ଣ ଘଟିଗଲା ! ଦଳ ଦଳ ହୋଇ ବିରସ ବଦନରେ ସର୍ବେ ପରସ୍ପର ମଧ୍ୟରେ ସେ ବିଷୟରେ ଆଲୋଚନା କରୁଥାନ୍ତି । ସମସ୍ତେ କହି ଚଲିଥାନ୍ତି ମୂଳରୁ ସତର୍କ ହୋଇଥିଲେ ଏଭଳି ଘଟଣା ଘଟି ନଥାନ୍ତା । କେତେକ ଦୁଃଖରେ କହୁଥାନ୍ତି ମଣିଷ ଲୋଭଗ୍ରସ୍ତ ହେଲେ ଏଇଆ ହୁଏ । ଆଉ ଦଳେ କହୁଥାନ୍ତି ଗତକାଲି ଅପରାହ୍ନରେ ଡାକ୍ତରଖାନା ଯାଇ ଦେଖିଥିଲୁ । ତା’ଙ୍କ ପାଟିରୁ ଫେଣ ବାହାରୁଥିଲା । ସେ ଘଡ ଘଡ ଶବ୍ଦ କରି ନିଃଶ୍ୱାସ ପ୍ରଶ୍ୱାସ ନେଉଥିଲେ । ଆଖି ବନ୍ଦ ଥିଲା । ମହାବିଦ୍ୟାଳୟର ପ୍ରାୟ ସବୁ କର୍ମଚାରି ବିଭିନ୍ନ ସମୟରେ ଦେଖିବାକୁ ଯାଉଥିଲେ । ସମସ୍ତେ କହୁଥିଲେ ସେ ଘରେ ତିନିଦିନ ଧରି ଜର ପାଇଁ ଔଷଧ ଦୋକାନରୁ ବୁଝିକରି ଔଷଧ ଆଣି ଖାଉଥିଲେ । ଭଲ ନହେବାରୁ ତାଙ୍କ ସ୍ତ୍ରୀ ଜଣେ ସହକର୍ମୀ ଅଧ୍ୟାପକ ବନ୍ଧୁଙ୍କ ସାହାଯ୍ୟରେ ଡାକ୍ତରଖାନାରେ ନାମ ଲେଖାଇଲେ । ତେବେ ସେଠାରେ ମଧ୍ୟ ତିନିଦିନ ଚିକିତ୍ସା ପରେ ଅବସ୍ଥା ସାଂଘାତିକ ହେଲା । ସହକର୍ମୀ ମାନେ କୁହାକୁହି ହେଉଥାନ୍ତି କାଲି ଅବସ୍ଥାଠାରୁ ଆଜି ବେଶି ସାଂଘାତିକ । ତେଣୁ ସାର୍ଙ୍କ ପତ୍ନି ଓ ଝିଅକୁ ଶୀଘ୍ର ବଡ ଡାକ୍ତରଖାନାକୁ ନେବାକୁ କହିଲେ । ସାର୍ଙ୍କ ବିଭାଗର ଅଧ୍ୟାପକ ସହକର୍ମୀ ମାନେ ଅକୁଣ୍ଠ ସହଯୋଗର ହାତ ବଢାଇ ସାର୍ଙ୍କୁ ସେଠାରୁ ଶୀଘ୍ର ରିଲିଭ୍ କରିବାର ବ୍ୟବସ୍ଥା କଲେ ଓ ସେମାନେ ଡେରିରେ ଜାଣିଲେ ବୋଲି କହି ମନଦୁଃଖ କଲେ । ସାର୍ଙ୍କ ଝିଅ ଓ ସ୍ତ୍ରୀ ବ୍ୟାକୁଳ ହୋଇ କହିଲେ ଯେ, ଡାକ୍ତର ପରାମର୍ଶ ଦେଲେ ଏଠାରେ ଭଲ ହୋଇଯିବ । ମ୍ୟାଲେରିଆ ଜର । ଔଷଧ ଦିଆ ଚାଲିଛି । ବ୍ୟସ୍ତ ହୁଅନ୍ତୁ ନାହିଁ । ଏହି ଆଶ୍ୱାସନାରେ ଆମେ ବଡ ଡାକ୍ତରଖାନା ନେବାକୁ ପଛେଇଲୁ । ସେମାନଙ୍କ ମୁହଁ ଶୁଖି କଳାକାଠ ପଡିଯାଇଥିଲା । ତେବେ ସାର୍ଙ୍କୁ ସେଠାରୁ ନେବାର ବ୍ୟବସ୍ଥା ଆରମ୍ଭ ହେଲା ଓ ଅନ୍ୟ ମାନେ ମନଦୁଃଖରେ ଘରକୁ ଫେରିଲେ ।
କିନ୍ତୁ ନିୟତିର ବିଧାନ ଅନ୍ୟ କିଛି ଥିଲା । ସାର୍ଙ୍କୁ ସେଠାରୁ ରିଲିଭ କରିବାର ଠିକ୍ ପୂର୍ବ ମୁହୂର୍ତ୍ତରେ ସେ ଇହଲୀଳା ସମ୍ବରଣ କଲେ । ଖବର ଖେଳିଗଲା ବିଦ୍ୟୁତ୍ ବେଗରେ । ରାତି ସମୟ । ମହାବିଦ୍ୟାଳୟର ସବୁ କର୍ମଚାରୀ ଗଣ ଏକ କର୍ମବୀର ହରାଇବାରୁ ସେ ରାତି ଏକ ହତାସପୂର୍ଣ୍ଣ ରାତିରେ ପରିଣତ ହେଲା । ମର ଶରୀର ସହ ତାଙ୍କ ପରିବାରର ଅବଶିଷ୍ଟାଂଶ ଓ ଦୁଇ ଜଣ ଅଧ୍ୟାପକ ବନ୍ଧୁ ଶବ ସତ୍କାର ନିମିତ୍ତ ସ୍ୱର୍ଗଦ୍ୱାରକୁ ନେଲେ ।
ରାତି ପାହିଲା । ବିଷଣ୍ଣ ସକାଳ । ଅସ୍ତବ୍ୟସ୍ତ ଲାଗୁଥାଏ । ହୃଦୟାନନ୍ଦ ବାବୁ ମହାବିଦ୍ୟାଳୟରେ ପହଞ୍ଚିଲେ । କିଛି କମନ୍ ରୁମ୍ରେ, କିଛି ବାହାରେ ……… ଦଳ ଦଳ ହୋଇ ପରସ୍ପର ସହ ଦୁଃଖର ଭାବ ଆଦାନ ପ୍ରଦାନ କରୁଥାନ୍ତି । ଦଶଟା ବେଳେ ଶୋକସଭା ପାଇଁ ଅଧ୍ୟକ୍ଷ ନୋଟିସ୍ ଦେଲେ । ସବୁ ଛୋଟ ଛୋଟ ଦଳ ଚାଲିଲେ ସେଇ ବଡ ପରୀକ୍ଷା ହଲ୍କୁ, ଯେଉଁଠି ଶୋକ ସଭା ହେବ । ହୃଦୟାନନ୍ଦ ବାବୁ ମଧ୍ୟ ନିଜର ଛୋଟ ଦଳ ସହ ଚାଲିଲେ । ତାଙ୍କ ପଛରେ ଆଉ ଏକ କ୍ଷୁଦ୍ରତମ ଦଳ (ଦୁଇ ଜଣ ବିଶିଷ୍ଟ) ଧିରେ ଧିରେ ଆସୁଥିଲେ ଓ ଚାପା ଗଳାରେ କ’ଣ ଫୁସ୍ଫୁସ୍ ହୋଇ କହୁଥିଲେ । ତାଙ୍କପ୍ରତି ସନ୍ଦେହ ଜାତ ହେବାରୁ ହୃଦୟାନନ୍ଦ ବାବୁ ଚାଲିବା ସହ କାନ ଡେରିଲେ । ପୁଣି ସକାଳୁ ହୃଦୟାନନ୍ଦ ବାବୁ ସେ ଦୁଇ ବରିଷ୍ଠ ଅଧ୍ୟାପକଙ୍କ ସନ୍ଦେହପୂର୍ଣ୍ଣ ଚାଲି ଚଳନକୁ ମଧ୍ୟ ନିରୀକ୍ଷଣ କରୁଥିଲେ । ସେମାନଙ୍କ ମୁଖମଣ୍ଡଳରୁ ପ୍ରତିଫଳିତ ହେଉଥିଲା ଅଦ୍ଭୁତ ସଂକେତଯୁକ୍ତ ବିଚଳିତ ଭଙ୍ଗୀ । ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଅନ୍ୟକୁ ଧିରେ ଓ ଥର ଥର କଣ୍ଠରେ କହୁଥିଲା – ଏ ଭାଇ ! ଏବେ ଆମେ ଆଉ କାହା ବିରୁଦ୍ଧରେ ଲାଗିବା ନାହିଁ । ଯେହେତୁ ଶୋକସଭା ପାଇଁ ଉଦ୍ଦିଷ୍ଟ ହଲ୍ ପାଖାପାଖି ସେମାନେ ହୋଇଯାଇଥିଲେ, ତେଣୁ ଆଉ କ’ଣ କଥାବାର୍ତ୍ତା ହେଲେ ତାହା ଜଣା ପଡିଲା ନାହିଁ ।
ଶୋକସଭା ଆରମ୍ଭ ହୁଏ । ଅମର ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା ପରେ ଜଣ ଜଣ କରି ଅଧିକାଂଶ କର୍ମଚାରୀ ତାଙ୍କ ଭାଷଣ ପ୍ରସଙ୍ଗରେ ଅନେକ କିଛି କହିଲେ । ସ୍ୱର୍ଗତ ଅଧ୍ୟାପକଙ୍କ ଅକାଳ ବିୟୋଗରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ଇତ୍ୟାଦି । ପ୍ରାୟ ସଭିଙ୍କ ଆଖି ଅଶ୍ରୁଳ ଓ କେତେଜଣଙ୍କର କଣ୍ଠ ରୁଦ୍ଧ ହୋଇଆସିବାରୁ ଅଧାରୁ କହିବା ବନ୍ଦ୍ କରୁଥାନ୍ତି । ହୃଦୟାନନ୍ଦ ବାବୁ ମଧ୍ୟ ସେଇ କୋହଭରା କଣ୍ଠରେ ଅଳ୍ପ କିଛି କହିଲେ । କିନ୍ତୁ ଏସବୁ ମନରେ ଯେତେ ପ୍ରଭାବ ବିସ୍ତାର କରୁଥିଲେ କ’ଣ ହେବ, ତାଙ୍କ ମନରେ ତ ସେଇ ଗୋଟିଏ ବାକ୍ୟ ବସା ବାନ୍ଧି ରହିଥିଲା -“ଏବେ ଆମେ କାହା ବିରୁଦ୍ଧରେ ଲାଗିବା ନାହିଁ”। ସେ ଭାବୁଥାନ୍ତି ଜଣେ ସହକର୍ମୀଙ୍କର ଅକାଳ ମୃତ୍ୟୁରେ ଏ ମନ୍ତବ୍ୟର ଅର୍ଥ କ’ଣ ହୋଇପାରେ ?
ସେ ପ୍ରତିମୁହୂର୍ତ୍ତରେ ଗଭୀର ଚିନ୍ତାରେ ନିମଗ୍ନ ରହୁଥିଲେ ଓ ଶେଷରେ ସେମାନଙ୍କ ମନ୍ତବ୍ୟ ଦେବା କାରଣର ଦୁଇଟି ସମ୍ଭାବନା ପାଇଲେ – (୧) ବୋଧହୁଏ ସ୍ୱର୍ଗତ ଆତ୍ମା ଏ ମର ଜଗତରେ ଅନେକଙ୍କ ବିରୁଦ୍ଧରେ ଲାଗୁଥିଲେ । ଷଡଯନ୍ତ୍ର କରି ଖାଲରେ ପକାଇ ଲୋକଙ୍କର କ୍ଷତି କରୁଥିଲେ । ତେଣୁ ଷଡଯନ୍ତ୍ରର ଶୀକାର ବ୍ୟକ୍ତିମାନେ ବୋଧେ ଅନେକ ଯନ୍ତ୍ରଣା ପାଇ କଲବଲ ହେଉଥିଲେ । ଏହାଦ୍ୱାରା ସେମାନଙ୍କ ଅନ୍ତରାତ୍ମାରୁ ବାହାରୁଥିବା ଆର୍ତ୍ତ ଚିତ୍କାରର ଫଳାଫଳ ନିଶ୍ଚୟ ତାଙ୍କ ଉପରେ ପଡିଲା । ତେଣୁ ସେ କଲବଲ ହୋଇ ମୃତ୍ୟୁମୁଖରେ ପଡିଲେ ।
(୨) ଦ୍ୱିତୀୟ ସମ୍ଭାବନା ହିଁ ସତ୍ୟ ଅଟେ, ଯାହାକୁ ହୃଦୟାନନ୍ଦ ବାବୁ ଜାଣନ୍ତି ଓ ହୃଦୟଙ୍ଗମ କରିଛନ୍ତି । କାରଣ ଏ ଦୁଇ ବ୍ୟକ୍ତି ସ୍ୱର୍ଗବାସୀଙ୍କ ବିରୁଦ୍ଧରେ ଅହରହ ଷଡଯନ୍ତ୍ର କରୁଥିଲେ । ତାଙ୍କ ନାମରେ ମିଥ୍ୟା ବଦନାମ ଦେଇ ଖୁସି ମନାଉଥିଲେ । ବିଭିନ୍ନ ସମୟରେ କାର୍ଯ୍ୟାଳୟରେ ତାଙ୍କ ପଛରେ ଭିଡି ଯାଉଥିଲେ । ତାଙ୍କ କାର୍ଯ୍ୟ ଦକ୍ଷତା ଏ ଦୁହିଙ୍କଠୁ ଅନେକ ଉଚ୍ଚରେ ଥିଲା । ସେ ଥିଲେ ଛାତ୍ରବତ୍ସଳ ଓ ପାଠ ପଢାଇବାରେ ଅଦୌ ଠକାଉ ନଥିଲେ । ପୁରା ସମୟ ସେ କଲେଜ ପାଇଁ କାର୍ଯ୍ୟ କରୁଥିଲେ । ପ୍ରାୟ ଅଧିକାଂଶ କର୍ମଚାରୀଙ୍କର ସେ ପ୍ରିୟଭାଜନ ଥିଲେ । ସେ କଲେଜର ଏକ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱରେ ଥିଲେ । ସେ ଦାଇତ୍ୱକୁ ସେ ସୁଚାରୁ ରୂପେ ତୁଲାଇବା ସହ ଦୁର୍ନୀତିମୁକ୍ତ କରିଥିଲେ ଓ ସତ୍ୟତାର ମାପକାଠିରେ ଏକ ଆଦର୍ଶବୋଧତାର ପରିବେଶ ସୃଷ୍ଟି କରିଥିଲେ, ଯାହା ପ୍ରକୃତରେ ଏକ ବିରଳ ଦୃଷ୍ଟାନ୍ତ ଅଟେ । କିନ୍ତୁ ସେହି ଗୁରୁ ଦାଇତ୍ୱରେ ରହିବା ପାଇଁ ଉକ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ଚାହୁଁଥିଲେ ଓ ଅଧ୍ୟକଙ୍କ ପାଖରେ ସ୍ୱର୍ଗବାସୀଙ୍କ ବିରୁଦ୍ଧରେ ଗୁହାରି କରୁଥିଲେ । ସେ ଦାଇତ୍ୱ ନିଜେ ନେବାପାଇଁ ଚଣ୍ଡି ଚାମୁଣ୍ଡାଙ୍କୁ ତାଙ୍କ ବିରୁଦ୍ଧରେ ଉସ୍କାଇବା ସହ ବିଭିନ୍ନ ଷଡଯନ୍ତ୍ର ରଚୁଥିଲେ । ଏପରିକି ଅନ୍ୟ ମୋବାଇଲ୍ରୁ ରାତିରେ ଫୋନ୍ କରି ଦାଇତ୍ୱ ଛାଡିବାକୁ ଧମକ ଚମକ ଦେଉଥିଲେ । ଯେହେତୁ ଅଧ୍ୟକ୍ଷ ଏ ଦୁହିଁଙ୍କ ଉପରେ ଅସନ୍ତୁଷ୍ଟ କାରଣ ସେମାନେ କାର୍ଯ୍ୟରେ ଅବହେଳା କରିବା ଓ ସ୍ଥାନୀୟ ଲୋକ ହିସାବରେ ଅଫିସ୍ ଆଦେଶକୁ ହେୟଜ୍ଞାନ ଭାବେ ଆଲୋଚନା କରିବା, ଦଳବଦ୍ଧ ଯୋଜନା କରି ମହାବିଦ୍ୟାଳୟର ପବିତ୍ରତାକୁ ନଷ୍ଟ କରିବା ଆଦିରେ ଲିପ୍ତ ରହିଥାନ୍ତି, ତେଣୁ ସେମାନେ ଯେତେ ଅପଚେଷ୍ଟା କଲେ ମଧ୍ୟ ସେ ଦୁର୍ନୀତିଖୋର୍ ବ୍ୟକ୍ତିକୁ ଗୁରୁ ଦାଇତ୍ୱଟି ଦିଆ ଯାଉ ନଥିଲା । ପୁନଃ ସେମାନେ ବୋବାଳି ଛାଡିବାର ଅନ୍ୟ କାରଣ ହେଲା ସେ ଦୁହେଁ ସେ ସ୍ଥାନର ଭୂମିପୂତ୍ର ଓ ଅନ୍ୟ ସରଳ ଭୂମିପୁତ୍ର କର୍ମଚାରୀଙ୍କ ମନକୁ ବିଭ୍ରାନ୍ତ କରିଥାନ୍ତି । ତାହାହେଲା ପରଦେଶୀ ମାନେ ଆସି ଏଠାରେ ଗୁରୁ ଦାଇତ୍ୱ ଗୁଡିକରେ ରହିବେ, ଅଥଚ ଏ ମହାନ୍ ଭୂମିପୁତ୍ର ଗଣ ଆକାଶକୁ ଅନାଇଁ ରହିବେ ? ଏହା ଅତି ଅସହ୍ୟ । ଅନ୍ୟ ପକ୍ଷରେ ଭୂମିପୁତ୍ର ହୋଇ ଭୂମିର ଜନତାଙ୍କ ପାଖରେ ଏମାନଙ୍କ ସଚ୍ଚୋଟତା ସମ୍ପୂର୍ଣ୍ଣ ସନ୍ଦେହଜନକ ଥିଲା ଓ ସ୍ୱର୍ଗବାସୀ ପରଦେଶୀଙ୍କ ନିର୍ମଳ ଭାବମୂର୍ତ୍ତିରୁ ପ୍ରାପ୍ତ ଭବ୍ୟ ଆଦରଣୀୟତା ଏ ଦୁହିଁଙ୍କ ଶରୀରକୁ ବିରୁଡି ବିନ୍ଧିଲା ପରି ଲାଗୁଥିଲା । ତଥାପି ଅର୍ଥ ଲାଳସା ଓ ଦାଇତ୍ୱରେ ରହିଲେ ପ୍ରତିଷ୍ଠାର ମୋହ ଏମାନଙ୍କୁ ଏମିତି ପାଗଳ କରି ଦେଉଥିଲା ଯେ, ତାଙ୍କ ଶରୀରର ସବୁ ବିନ୍ଧାବିନ୍ଧି ଯନ୍ତ୍ରଣା କୁଆଡେ ଉଭାନ୍ ହୋଇଯାଉଥିଲା । ସେମାନେ କହନ୍ତି “ଆପ୍ନା ଗଲିମେ କୁତା ଶେର୍ ବନ୍ତା ହୈ”, କିନ୍ତୁ ଏଠାରେ ଆମେ ଗୋଟିଏ ଗୋଟିଏ ଶୃଗାଳ ସଦୃଶ । ତେଣୁ କଳେ କଳେ ଓ କଉଶଳେ ସେ ଦାଇତ୍ୱ ଛଡାଇ ନେବାକୁ ହେବ, ଏପରିକି ଦରକାର ପଡିଲେ ଅଧ୍ୟକ୍ଷଙ୍କୁ ମଧ୍ୟ ତାଙ୍କ ପଦରୁ ତଡିବାର ବ୍ୟବସ୍ଥା କରିବାକୁ ପଡିବ । ତେଣୁ ଆଗକୁ ଏହା ନିଶ୍ଚିତ ଭାବି ସେମାନେ ତାଙ୍କ ଗାଁ, ବନ୍ଧୁ ବାନ୍ଧବ ଓ ଅନ୍ୟାନ୍ୟ ସମ୍ପର୍କୀୟଙ୍କ ପାଖରେ ସେମାନଙ୍କ ମଧ୍ୟରୁ ଜଣେ ଅଧ୍ୟକ୍ଷ ଓ ଅନ୍ୟ ଜଣେ ପରୀକ୍ଷା ପରିଚାଳକ ବୋଲି ଆଗୁଆ ପ୍ରଚାର କରି ଦିଅନ୍ତି ।
ସେ ଦୁଇ ବ୍ୟକ୍ତି ଏବେ ଭାବୁଥିବେ ଯେ, ତାଙ୍କୁ ବିଭିନ୍ନ ବାଟରେ ହଇରାଣ ହରକତ କରିବା, ନିନ୍ଦା – ଅପବାଦ ଦେବା ଓ ଭୂମିପୁତ୍ର ରୂପେ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ଛାଡିବାକୁ ଧମକ – ଚମକ ଦେଇ ଚାଲୁଥିଲେ । ଏବେ ତ ସେ ଆଉ ନାହାନ୍ତି । ପାଟି ଚୁପ୍ । ଏବେ ନିନ୍ଦା କଲେ ସମାଜ ସେମାନଙ୍କୁ ତିରସ୍କାର କରି ଘୃଣା କରିବ । ଏତେ ଷଡଯନ୍ତ୍ର କରି ତାଙ୍କୁ ତ ପଦବୀରୁ ହଟାଇ ପାରିଲୁନି । ବରଂ ରାଜା ପରି ସେ ଦୃଢତାର ସହ ପଦବୀର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖି ଶେଷ ନିଶ୍ୱାସ ତ୍ୟାଗ କଲେ । ଅର୍ଥାତ୍ ଆମ ପାଇଁ ଜୋକ ମୁହଁରେ ଲୁଣ ଦେବା ସଦୃଶ ହେଲା । ଏବେ ଆମକୁ କେହି ପଚାରିବେ ନାହିଁ । ବର୍ତ୍ତମାନ ସେ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ସୃଷ୍ଟି ହେଲା ଶୂନ୍ୟସ୍ଥାନ, କିନ୍ତୁ ଅଧ୍ୟକ୍ଷ ସେ ସ୍ଥାନରେ ଆଉ ଜଣେ ବିଶ୍ୱସ୍ତ ଓ କର୍ମବୀର ଅଧ୍ୟାପକକୁ ବସାଇବେ । ନିଜ ପାଇଁ ଲବି କଲେ କିଛି ଲାଭ ହେବ ନାହିଁ । ଅଧ୍ୟକ୍ଷ ଜଣେ ଜ୍ଞାନୀ ଓ ବୁଦ୍ଧିମାନ ବ୍ୟକ୍ତି ଏବଂ ସେ ଜାଣନ୍ତି ଆମେ ଯେମିତି ଶୁଖିଲା ହୋଇ ପଡିଛୁ, ସୁଯୋଗ ପାଇଲେ ସପ୍ତ ସମୁନ୍ଦ୍ରକୁ ଚଳୁ କରିଦେବୁ । ତେଣୁ ଆମ ଦୁଇଜଣଙ୍କ ମଧ୍ୟରୁ କାହାକୁ ସେ ଦାଇତ୍ୱ ଦେବେ ନାହିଁ । ଯେଉଁ ଜଣକ ସେ ସ୍ଥାନ ଅଳଂକୃତ କରିବ ତା’ ବିରୁଦ୍ଧରେ ଆମେ ଷଡଯନ୍ତ୍ର କରିପାରିବୁ କିନ୍ତୁ …………. ।
ତେଣୁ ସେମାନଙ୍କ ମନରେ ପୁନଃ ପୁନଃ ଲାଳସା ଜାଗୁଛି ଓ ପରକ୍ଷଣରେ ଉଭାନ୍ ହୋଇଯାଉଛି । ଜୀବନ ସାରା ଲାଳସାର ଶୀକାର ହୋଇ, ଅନ୍ୟର କ୍ଷତି କରିବାରେ ସମୟ କଟିଗଲା । କେହି ଭଲ ବ୍ୟକ୍ତି ଜଣେ ସେମାନଙ୍କର ସାଙ୍ଗ ହେଲେନାହିଁ । କେବଳ ଅନ୍ୟ କୁତ୍ସା ରଟନାକାରୀଙ୍କ ମେଳରେ ଆଳାପ ଓ ଆଲୋଚନା ଆଦିରେ ସମୟ ବିତିଗଲା । ସେ ପଦବୀଟିକୁ ଚାହିଁ ଚାହିଁ ଆଖିରୁ ପାଣି ଶୁଖିଗଲା । ସବୁ ଷଡଯନ୍ତ୍ର ଫସର ଫାଟିଗଲା । ପଦ ମିଳିଲା ନାହିଁ । ଆଉ ଅଳ୍ପଦିନ ଚାକିରୀ ରହିଲା । ପଦ ପାଇବାର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା ।
ପ୍ରକୃତରେ ଏହା ହେଉଛି ସେହି ସମୟର ସେ ଦୁହିଙ୍କ ମଧ୍ୟରେ ବାହ୍ୟ ବାର୍ତ୍ତାଳାପ । କିନ୍ତୁ ମନରେ ବସା ବାନ୍ଧିଥିଲା ମୃତ୍ୟୁର ଭୟ, ଯାହା ସେମାନଙ୍କ ଅନ୍ତରରେ ସମ୍ପୂର୍ଣ୍ଣ ଲୁକ୍କାୟିତ ଥିଲା । ଏହାକୁ ସର୍ବ ସମ୍ମୁଖରେ ପ୍ରକାଶ କରି ନିଜ ପାଇଁ ଘୋର ଅପମାନ ଓ ନିନ୍ଦାକୁ ଟାଣି ତା’ର ସମ୍ମୁଖୀନ ହୋଇ ନପାରିବା ଓ ବଳକା ଜୀବନ କେବଳ କଲବଲ ହେବାକୁ ସେମାନଙ୍କର ସତ୍ ସାହସ ନଥିଲା । ମୃତ୍ୟୁ ଭୟ ସଭିଙ୍କୁ ଘାରେ କିନ୍ତୁ ସେ ସମୟରେ ସେମାନଙ୍କ ପାଇଁ ଏହା ନିଆରା ଥିଲା । ସେମାନଙ୍କ ଅନ୍ତରାତ୍ମା ଚିତ୍କାର କରୁଥିଲା ମୃତ୍ୟୁ ଭୟରୁ । ଅର୍ଥାତ୍ ସିଏ ତ ଚାଲିଗଲେ, କିନ୍ତୁ ଆମେ ତା’ ବିରୁଦ୍ଧରେ ଅନ୍ୟାୟରେ ଲାଗିଥିଲୁ । ତେବେ ଏ ବାବଦକୁ ମୃତ୍ୟୁ ଆମ ପାଇଁ ଶୀଘ୍ର ଆସିଯିବନି ତ ! ହେ ପ୍ରଭୁ ! ଏବେ ଆମେ ଆଉ କାହା ବିରୁଦ୍ଧରେ ଲାଗିବୁ ନାହିଁ । ଆମକୁ କ୍ଷମା କରିଦିଅ । ଆମେ ଏବେ ଚୁପ୍ଚାପ୍ ରହିବୁ । ଏକଥା କେହି ନଜାଣନ୍ତୁ । ପରନ୍ତୁ ସେ ଦୁହିଙ୍କ ଫୁସ୍ଫୁସ୍ କଥାବାର୍ତ୍ତା ଶୁଣି ହୃଦୟାନନ୍ଦ ବାବୁ ଆଜି ଏ ପ୍ରବନ୍ଧ ସମାଜ ବକ୍ଷରେ ଅର୍ପଣ କରିବାର ଉଦ୍ଦେଶ୍ୟ ସକରାତ୍ମକ ଅଟେ । ଏକଥା ସେମାନେ ଜାଣନ୍ତି ନାହିଁ । ତେବେ ଏହି ପ୍ରକାରର ଘଟଣାବଳୀ ସମାଜର ରୋମେ ରୋମେ ବିରାଜିତ । ସେଥିପାଇଁ ଏ ଲେଖାଟିର ପ୍ରଭାବରେ ହେଉ ଅଥବା ନିଜର ବିବେକର ତାଡନାରେ ହେଉ, ଯଦି ନିଜର ଏତାଦୃଶ କୁକର୍ମ ପାଇଁ ବ୍ୟକ୍ତିଟି ପଶ୍ଚାତାପର ଅଗ୍ନିରେ ଦଗ୍ଧୀଭୂତ ହୋଇ ସତ୍ବ୍ରତୀ ହୁଏ, ତେବେ ସମାଜ ପାଇଁ ଏହା ହେବ ମଙ୍ଗଳକାରକ ।
ଏହା ଏକ ନିତିଦିନିଆ ସାମାଜିକ ଘଟଣାର ଦୃଷ୍ଟାନ୍ତ । ତେଣୁ ଏହାକୁ ଭିତ୍ତି କରି ବିଜ୍ଞାନ ପରିଭାଷାରେ ସମାଜକୁ ଚେତାବନୀ ଦେବା ପାଇଁ ଏ ପ୍ରବନ୍ଧର ଅନ୍ୟ ଏକ ଲକ୍ଷ୍ୟ ମଧ୍ୟ ଅଟେ । ଅତି କମ୍ରେ ଜଣକ ଉପରେ ଏହାର ପ୍ରଭାବ ପଡି ଓ ସେ ସତ୍ମାର୍ଗବ୍ରତୀ ହୋଇ ପାରିଲେ ଏ ଶ୍ରମ ସାର୍ଥକ ହୋଇପାରିବ । ବିଜ୍ଞାନର ପରିସରକୁ ପ୍ରବେଶ କରିବାର ପ୍ରୟାସରେ ପ୍ରଥମେ ଏକ ଉଦାହରଣ ନିଆଯାଉ । ତାହାହେଲା ମୃତ୍ୟୁବତ୍ ଯନ୍ତ୍ରଣାରେ ଛଟପଟ ହେଉଥିବା ଏକ ତୃଷାର୍ତ୍ତକୁ ଜଳ ଅଥବା ଏକ କ୍ଷୁଧାର୍ତ୍ତକୁ ଖାଦ୍ୟ ଯେତେବେଳେ ସଠିକ୍ ମାତ୍ରାରେ ମିଳିଯାଏ, ସେତେବେଳେ କାଳ ବିଳମ୍ବ ନକରି ସେ ସବୁ ଭେଦଭାବକୁ ପଦାଘାତ କରି ଅଣପୁଆ ହୋଇ ନିମିଷକେ ତାହା ଗ୍ରହଣ କରି ପରମ ସନ୍ତୋଷ ଲାଭ କରେ । ଯେମିତି ମାଣବସା ଲକ୍ଷ୍ମୀପୁରାଣରେ ବଳଭଦ୍ର ହା – ଅନ୍ନର ତ୍ରାସରେ ଜାତିଆଣ ଭେଦଭାବର ଅହଂତ୍ୱକୁ ବଳି ପକାଇ ହୀନ ଚଣ୍ଡାଳୁଣୀ ଠାରୁ ଖାଦ୍ୟ ଗ୍ରହଣ କରି ପ୍ରାଣ ବଞ୍ଚାଇ ଥିଲେ । ଭୋକରେ ଆଉଟୁ ପାଉଟୁ ହେଉଥିବା ପେଟ ଥରେ ସମ୍ପୂର୍ଣ୍ଣ ରୂପେ ପୁରିଗଲେ, ଆଉ ଯେତେ ଦାମିକା ଓ ଅତି ରୁଚିକର ଖାଦ୍ୟ ମିଳିଲେ ବି ପୁନଃ ଖାଦ୍ୟାକର୍ଷଣର ଭାବ ମନରେ ଜାଗେ ନାହିଁ । ଏହାର କାରଣ ହେଉଛି ଅନ୍ନ ଆର୍ତ୍ତତାର ସଂତୃପ୍ତିକରଣ(Saturation) । ଏହା ଏକ ସୀମାରେଖାକୁ ବୁଝାଏ । ବିଜ୍ଞାନର ପରିଭାଷାରେ ଏହାକୁ ସଂତୃପ୍ତିକରଣ ବିନ୍ଦୁ(Point of Saturation) କୁହାଯାଏ ।
ଏଠାରେ ବାଷ୍ପୀୟ ସଂତୃପ୍ତିକରଣ ଚାପ(Saturated Vapour Pressure) ପଦ୍ଧତିକୁ ଉଦାହରଣ ରୂପେ ନିଆଯାଇଛି । ପଦାର୍ଥର ଚାରି ଅବସ୍ଥା(Four States of Matter)ରୁ ଦୁଇଟି ଅବସ୍ଥା ଉପରେ ଏହା ଆଲୋକପାତ କରେ ଯଥା – ତରଳ ଓ ଗ୍ୟାସୀୟ ଅବସ୍ଥା । ଏକ ଖୋଲା ପାତ୍ରରେ କିଛି ଜଳ ଦୀର୍ଘ ଦିନ ଯାଏ ରଖିଲେ ଏହା କମି କମି ଯାଇ ଶେଷରେ ପାତ୍ରରୁ ସବୁ ଜଳ ଉଭେଇ ଯାଏ । ଏହାକୁ ଜଳର ବାଷ୍ପୀକରଣ ପ୍ରକ୍ରିୟା(Process of Evaporation) କୁହାଯାଏ । ଫଳତଃ ଏହା ଜଳର ତରଳାବସ୍ଥାରୁ ଗ୍ୟାସୀୟାବସ୍ଥାକୁ ପରିବର୍ତ୍ତନ ହେବାକୁ ବୁଝାଏ । ଏ ପ୍ରକ୍ରିୟା ତରଳ ପଦାର୍ଥର ଫୁଟନ୍ତା ତାପମାତ୍ରା(Boiling Temperature)ରୁ କମ୍ ତାପମାତ୍ରାରେ ମଧ୍ୟ ଘଟିଥାଏ । କିନ୍ତୁ ଉଚ୍ଚ ତାପମାତ୍ରାରେ ଏହା ଦ୍ରୁତତର ହୁଏ । ଏକ ଢାଙ୍କୁଣି ଥିବା ପାତ୍ରରେ ଯଦି କିଛି ଜଳ ରଖି ପାତ୍ରକୁ ସମ୍ପୂର୍ଣ୍ଣ ରୂପେ ଢାଙ୍କି ଦିଆଯାଏ, ତେବେ ଜଳର ଉପରି ଭାଗରୁ ଆରମ୍ଭ ହୋଇଥିବା ଖୋଲା ସ୍ଥାନ ଧିରେ ଧିରେ ଜଳୀୟବାଷ୍ପରେ ଭରପୁର ହୋଇଯାଏ । ଏହି ଜଳୀୟବାଷ୍ପର ଚାପ ପାତ୍ରର ଜଳ ଉପରେ ପଡେ, ଅର୍ଥାତ୍ ବାଷ୍ପୀକରଣ ପ୍ରକ୍ରିୟାକୁ ବିରୋଧ କରେ । ଏପରି ଏକ ସମୟ ଆସେ, ଯେତେବେଳେ ଖୋଲା ସ୍ଥାନ ସମ୍ପୂର୍ଣ୍ଣରୂପେ ଜଳୀୟକଣା ଦ୍ୱାରା ଦଖଲ ହୋଇଯାଏ, ସେତେବେଳେ ବାଷ୍ପୀକରଣ ପ୍ରକ୍ରିୟା ବନ୍ଦ୍ ହୋଇଯାଏ । ଏହି ସମୟର ବାଷ୍ପୀୟ ଚାପକୁ କୁହାଯାଏ ବାଷ୍ପୀୟ ସଂତୃପ୍ତିକରଣ ଚାପ । ଏହାକୁ ଏକ ସନ୍ତୁଳନ ଅବସ୍ଥା କୁହଯାଏ । ଯଦି ଢାଙ୍କୁଣୀରେ ଏକ ଗର୍ତ୍ତ କରାଯାଇ ବାହାରୁ କିଛି ଜଳୀୟ ବାଷ୍ପ ଭିତରକୁ ପ୍ରବେଶ କରାଯାଏ, ସେତେବେଳେ ଏହା ପାତ୍ରର ଖୋଲା ସ୍ଥାନରେ କେଉଁଠି ଦଖଲଦାରୀ ହୋଇପାରେନାହିଁ । କୁଆଡେ ଯିବ, ବାହ୍ୟ ବଳରେ ଭିତରକୁ ଆସିଛି, ଫେରିପାରିବ ନାହିଁ । ପୁଣି ବାଷ୍ପର ଧର୍ମାନୁସାରେ ପାତ୍ର ଭିତରେ ଥିବା ଜଳ ଉପର ସ୍ଥାନରେ ମୁଣ୍ଡ ଗେଞ୍ଜିବାକୁ ରାହା ନାହିଁ । ତେଣୁ ତା’ର ସ୍ଥିତାବସ୍ଥା ବଜାୟ ହୋଇ ରହି ପାରେନି । ଜଳୀୟ ବାଷ୍ପ ବଦଳିଯାଏ ଜଳାବସ୍ଥାକୁ, ଅର୍ଥାତ୍ ଗ୍ୟାସୀୟ ଅବସ୍ଥାରୁ ତରଳ ଅବସ୍ଥାକୁ । ସେହିପରି ଯଦି ଚ୍ଛିଦ୍ରବାଟେ ଜଳୀୟ ବାଷ୍ପରୁ କିଛି ବାହାରକୁ ଯିବାକୁ ସୁଯୋଗ ପାଏ, ତେବେ ପାତ୍ର ମଧ୍ୟରେ ପୁନଃ ବାଷ୍ପୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଏ । ଏହା ଚାଲୁରହେ ସେହି ସମୟ ଯାଏ, ଯେତେବେଳେ ବାଷ୍ପୀୟ ଚାପର ମାତ୍ରା ଏହାର ସଂତୃପ୍ତିକରଣ ଚାପ ସହ ସମାନହୁଏ ।
ବାଷ୍ପୀକରଣ ପ୍ରକ୍ରିୟା କେତେକ ପରିମାପକ(Parameter) ସହ ସମାନୁପାତିକ(Proportional) ଅଥବା ବ୍ୟୁତସମାନୁପାତିକ(Inversely Proportional) ଅଟେ । ଏହି ସବୁ ପରିମାପକ ଗୁଡିକ ହେଲା ତରଳ ପଦାର୍ଥର ତାପମାତ୍ରା, ପୃଷ୍ଠତଳର କ୍ଷେତ୍ରଫଳ(Surface Area), ବାୟୁମଣ୍ଡଳର ଆର୍ଦ୍ରତା(Humidity), ……. ଇତ୍ୟାଦି । ତରଳ ପଦାର୍ଥର ତାପମାତ୍ରା ଓ ପୃଷ୍ଠତଳର କ୍ଷେତ୍ରଫଳ ବୃଦ୍ଧିରେ ବାଷ୍ପୀକରଣ ପ୍ରକ୍ରିୟା ଦ୍ରୁତତର ହୁଏ କିମ୍ବା ସମାନୁପାତିକ ଅଟେ । କିନ୍ତୁ ବାୟୁମଣ୍ଡଳର ଆର୍ଦ୍ରତା ବୃଦ୍ଧିରେ ଏହା ଧିମା ହୋଇଯାଏ, ଯାହାକୁ ବ୍ୟୁତସମାନୁପାତିକ କୁହାଯାଏ । ପୁନଃ ବାଷ୍ପୀକରଣ ପ୍ରକ୍ରିୟା ଶୀତଳତାର କାରଣ ଅଟେ(Evaporation causes cooling) । ତେଣୁ ଏହି ପ୍ରକ୍ରିୟା ଦ୍ୱାରା ଥଣ୍ଡା ଅନୁଭୁତ ହୁଏ । ଯେଉଁ କ୍ଷେତ୍ରରୁ ବାଷ୍ପୀକରଣ ଘଟେ, ସେଠାରେ ତାପମାତ୍ରା କମିଥାଏ । ଯେପରି ପରିଶ୍ରମ କଲେ ଶରୀରରୁ ଝାଳ ବାହାରେ, ଅର୍ଥାତ୍ ଶରୀରରୁ ବାହାରୁଥିବା ବାଷ୍ପ ବାୟୁ ସଂସ୍ପର୍ଶରେ ଆସି ଘନୀଭୁତ ହୋଇ ଝାଳ ବା ଜଳ ରୂପେ ପରିପ୍ରକାଶ ହୁଏ । ଏହାର ପ୍ରଭାବରୁ ଶରୀରକୁ ଥଣ୍ଡା ଅନୁଭୁତ ହୁଏ ।
ବର୍ତ୍ତମାନ ବାଷ୍ପୀକରଣ ପ୍ରକ୍ରିୟାକୁ ମାନବୀୟ ପିପାସା ସହ ତୁଳନା କରାଯାଇ ପାରେ । ମନେକର ଅସହିଷ୍ଣୁତା, ଲୋଭ ଓ ଗାଦି ଦଖଲର ମିଶ୍ରିତ ପ୍ରଭାବରୁ ଜାତ ହୋଇଥିବା ପିପାସାକୁ ମେଣ୍ଟାଇବା ନିମିତ୍ତ ଯେତେ ମାର୍ଗରେ ଜଣେ ଯାଇପାରିବାର ସମ୍ଭବ ତହିଁରୁ ଅଧିକାଂଶ ମାର୍ଗରେ ଧାଇଁ ଧାଇଁ ବି ଲକ୍ଷ୍ୟ ହାସଲ ହେଲା ନାହିଁ । ଶେଷରେ ଅସହିଷ୍ଣୁତାର କାରଣ ସାଜିଥିବା କର୍ତ୍ତା ଚାଲିଗଲେ ଆରପାରିକୁ । ଫଳରେ ପିପାସା ତ ମେଣ୍ଟିଲା ନାହିଁ, ଏହାର ଓଲଟା ପ୍ରଭାବ ମନରେ ଅଲିଭା ଦାଗ ପରି ସୃଷ୍ଟି କରିଦେଇ ଗଲା ଭୟ ଓ ପଶ୍ଚାତାପର ବହ୍ନି । ଅଜାଗା ଘା’କୁ କାହାକୁ ବା ଦେଖାଇ ପାରିବେ ? ପିପାସା ରୂପୀ ରାକ୍ଷସ କବଳରେ ପଡି କଲବଲ ହୋଇ ହୋଇ ଶେଷରେ ବ୍ୟକ୍ତିଟିକୁ ଶୀଘ୍ର ମୃତ୍ୟୁ ହେବାର ଭୟ ଘାରିଛି । ତେଣୁ ସେ ବିଳିବିଳେଇ ହୋଇ ଅନ୍ୟ ବ୍ୟକ୍ତିଟିକୁ କହିପକାଇଛି – ଭାଇ ! ଏବେ ଆମେ ଆଉ କାହା ବିରୁଦ୍ଧରେ ଲାଗିବା ନାହିଁ । ଏହା ଦ୍ୱାରା ତାଙ୍କ ମନରେ ସାନ୍ତ୍ୱନା ଜାଗୁଛି ଯେ,ବୋଧହୁଏ ତାଙ୍କର ଆଉ ମୃତ୍ୟୁ ହେବ ନାହିଁ । ତେଣୁ ସେ ମୃତ୍ୟୁ – ଫୃତ୍ୟୁ କଥା ଯେତେ ଶୀଘ୍ର ଭୁଲିଗଲେ ଗଲା । କିନ୍ତୁ ଏହାକୁ ଯେତେ ଆଡଦେଖା କଲେ ବି ସେ’ତ ପିଛା ଛାଡୁନି, ଜୋକ ଭଳି ଲାଗି ରହିଛି । କାହାକୁ ଏ କଥା କହି ହେଉନି କି ରହି ହେଉନି କି ବଞ୍ଚି ହେଉନି । ମଣିଷ କାହିଁକି ଏ କର୍ମ କଲା ଓ ଏତେ ଦହଗଞ୍ଜରେ ପଡିଲା ! ଶୃଗାଳ ସିନା ଅଙ୍ଗୁରକୁ ଅନାଇଁ ଅନାଇଁ ଶେଷରେ ଅଙ୍ଗୁର ଖଟା ବୋଲି କହି ପଳାଇ ଗଲା, କିନ୍ତୁ ସେ ମୃତ୍ୟୁ ଭୟରେ ଏମିତି ଛଟପଟ ହେଉ ନଥିଲା । ଏଠାରେ ଅଙ୍ଗୁର ଖାଇବା ତ ଦୂରର କଥା, କିନ୍ତୁ ଦେଖୁ ଦେଖୁ ଆଖି ଆଗରୁ ଅଙ୍ଗୁର ଉଭାନ ହୋଇ ଅସହ୍ୟ ଯନ୍ତ୍ରଣା ଦେଇ ଚାଲିଗଲା ଓ ଏହା ଖଟା କିମ୍ବା ମିଠା ବୋଲି କହିବାର ବାଟ ମଧ୍ୟ ସ୍ୱଅର୍ଜିତ କର୍ମ ଯୋଗୁ ବନ୍ଦ୍ ହୋଇଗଲା । ଖଟା କହିଲେ ସମସ୍ତେ କହିବେ – ଲୋକଟା ବଞ୍ଚିଥିବା ବେଳେ ତା’ ସାଙ୍ଗରେ ଲାଗି ଲାଗି କିଛି କରି ପାରିଲେ ନାହିଁ । ମଲା ପରେ ବି ସେହି କୁଅଭ୍ୟାସ ଛାଡୁ ନାହାନ୍ତି ! ଏତେ ଖରାପ୍ ଲୋକ ଏମାନେ ! ପୁଣି ଯଦି ଲୋକଟିକୁ ଭଲ ବୋଲି କୁହାଯିବ, ତେବେ ସର୍ବେ କୁହାକୁହି ହେବେ ଯେ, ସେ ଜୀଇଁଥିବା ସମୟରେ ତା’କୁ ଶାନ୍ତିରେ ଟିକେ ରଖେଇ ଦେଉ ନଥିଲେ । ଏବେ ମଲା ପରେ ଭଲ କହିଲେ ସିଏ ଆଉ କ’ଣ ଫେରି ଆସିବ ! ଏମାନଙ୍କ କର୍ଣ୍ଣ ଗହ୍ୱରରେ ସତେକି କିଏ ଏହି ନିପଟ ସତ୍ୟକୁ ଅହରହ ଗୁଞ୍ଜରଣ ସୃଷ୍ଟି କରୁଛି । ବୋଧହୁଏ ସେ ସ୍ୱର୍ଗତ ଆତ୍ମା ଅଙ୍ଗୁର ବଗିଚାର ମାଲିକ ରୂପରେ କହୁଛି – ବାବୁରେ ଅଖା ଧୋଉଥାଅ, ଗୁଣ ଗାଉଥାଅ । ଆଉ ଅଙ୍ଗୁର ଖାଇବାକୁ ମିଳିବ ନା ଅଙ୍ଗୁର ବଗିଚାର ମାଲିକ ହୋଇ ପାରିବ ? ଏହାହିଁ ସତ୍ୟ ଯାହା ବ୍ୟକ୍ତି ଦ୍ୱୟଙ୍କ ଅବସ୍ଥାକୁ କରିଛି ସମ୍ପୂର୍ଣ୍ଣ ଅସମ୍ଭାଳ ! ପୁଣି ନିଜ ବନ୍ଧୁ ପରିଜନ ଓ ଗ୍ରାମବାସୀଙ୍କ ଆଗରେ ଅଙ୍ଗଭଙ୍ଗୀର ବିଚିତ୍ର ଠାଣିରେ ଘୋଷଣା କରିଥିଲେ ଯେ ଦୁଇଙ୍କ ଭିତରୁ ଜଣେ ଅଧ୍ୟକ୍ଷ ଓ ଆଉ ଜଣେ ସେ ବିଶିଷ୍ଟ ପଦର ଅଧିକାରୀ ହେବେ । ସେମାନେ ଭାବୁଛନ୍ତି – ଏବେତ ଆମେ କିଛି ହୋଇ ପାରିଲୁ ନାହିଁ । ଏବେ କାହା ଆଗରେ ବି ମୁହଁ ଦେଖାଇ ପାରିବୁନି ଓ ସଭିଙ୍କ ତାତ୍ସଲ୍ୟ ଆମକୁ ଆହୁରି ବାଧିବ । ତେଣୁ ସେମାନେ ବାରମ୍ବାର ନିରବରେ କହି ଚାଲୁଛନ୍ତି – ହାୟରେ କପାଳ ! ଏ ଲାଜ, ସରମ ଓ ମୃତ୍ୟୁ ଭୟର କରାଳତାରୁ ଆଉ ରକ୍ଷା ନାହିଁ ।
ବାଷ୍ପୀକରଣ ପ୍ରକ୍ରିୟାରେ ତରଳ ପଦାର୍ଥର ଅଣୁ ଗୂଡିକ ଏହାର ସ୍ଫୁଟନାଙ୍କ ତାପମାତ୍ରାରୁ କମ୍ ତାପମାତ୍ରାରେ ମଧ୍ୟ ବାଷ୍ପୀଭୂତ ହୋଇ ପଦାର୍ଥର ଗ୍ୟାସୀୟ ଅବସ୍ଥାକୁ ପହଞ୍ଚେ । ତେବେ ଏଠାରେ ତରଳ ପଦାର୍ଥର କିଛି ଗୁଣ ଧର୍ମ ସହ ମାନବୀୟ ଗୁଣକୁ ସମାନ ଭାବେ ଦର୍ଶାଯାଇ ପାରିବ । ବ୍ୟକ୍ତି ଦ୍ୱୟଙ୍କୁ ଯଦି ତରଳ ପଦାର୍ଥ ରୂପେ ନିଆଯାଏ, ତେବେ ବାଷ୍ପୀକରଣ ଧାରା ହେଉଛି ସେମାନଙ୍କର ସ୍ୱଭାବ ଅର୍ଥାତ୍ ସଜ ମାଛରେ ପୋକ ପକାଇବା । ନିଜର ସ୍ୱାର୍ଥ ନିମିତ୍ତ ଅନ୍ୟକୁ ବଦନାମ ଦେଇ କଳେ ବଳେ କୌଶଳେ ନିଜକୁ ପ୍ରତିଷ୍ଠିତ କରାଇବା । ଏପରିକି ନିଜର ସତ୍ତା ନିଃଶେଷ ହେବା ଯାଏ ସେମାନେ ଏହାକୁ ତ୍ୟାଗ କରିବା ଅସମ୍ଭବ ମନେହୁଏ । ଏହାକୁ ଖୋଲା ପାତ୍ରରେ ଥିବା ଜଳ ଅନେକ ଦିନ ପରେ ବାଷ୍ପୀକରଣ ଯୋଗୁ ପାତ୍ରରୁ ଉଭାନ୍ ହୋଇଯିବା ସହ ତୁଳନା କରାଯାଇ ପାରେ । ଅନ୍ୟ ଉପରକୁ କାଦୁଅ ଫିଙ୍ଗିଲେ ଏମାନଙ୍କର ଶରୀରରେ ହିଂସା ରୂପୀ ଉଷ୍ଣତା କ୍ଷଣିକ ଭାବେ ଲାଘବ ହୁଏ । ଏହାହିଁ ବାଷ୍ପୀକରଣ ପ୍ରକ୍ରିୟା ଶୀତଳତାର କାରଣ ସହ ସମ ବୋଲି ବିବେଚନା କରାଯାଇ ପାରେ । ଯଦି ପରିସରରେ ସେମାନଙ୍କ ସ୍ୱଭାବର ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ତେବେ ଏତାଦୃଶ କାର୍ଯ୍ୟ ପାଇଁ ସୃଷ୍ଟି ହୁଏ ଅନୁକୁଳ ବାତାବରଣ । ଯଦି ସେମାନଙ୍କ ସ୍ୱଭାବର ବ୍ୟକ୍ତିଙ୍କ ସଂଖ୍ୟା ନ୍ୟୁନ ତାହା ପ୍ରତିକୁଳ ବାତାବରଣ ସୃଷ୍ଟି କରେ । ଏଠାରେ ସମାଜର ସେହି ଜାତୀୟ ବ୍ୟକ୍ତି ମାନେ ମଧ୍ୟ ପଦାର୍ଥର ତରଳାବସ୍ଥା ସହ ତୁଳନୀୟ ଯାହା ବାଷ୍ପ କଣିକାର ଗୁଣ ଧର୍ମ ସହ ସମାନ । ତେଣୁ ଚତୁରେ ଚତୁରେ କୋଳାକୋଳି ପରି ତରଳ ମାନେ ସେ ପରିବେଷ୍ଟନୀରେ ଅଧିକ ସଂଖ୍ୟାରେ ମହଜୁଦ ଥିଲେ କାର୍ନାମା ସହଜ ଓ ସୁବିଧା ହେବ ଅର୍ଥାତ୍ ଅନ୍ୟ ଉପରକୁ କାଦୁଅ ଫିଙ୍ଗିବା କାର୍ଯ୍ୟ ବା ବାଷ୍ପୀକରଣ ପ୍ରକ୍ରିୟା ଦ୍ରୁତତର ହେବା ସଙ୍ଗେ ସଙ୍ଗେ ଏହା ଠିକ୍ ରୂପେ ଗ୍ରହଣ ଯୋଗ୍ୟ ହେବ । ଏହା ପୃଷ୍ଠତଳ କ୍ଷେତ୍ରଫଳ ବୃଦ୍ଧିରେ ବାଷ୍ପୀକରଣ ବୃଦ୍ଧିକୁ ବୁଝାଇ ଥାଏ ।
ସେହିପରି ବ୍ୟକ୍ତି ଦ୍ୱୟଙ୍କ ରାଗ ଯେତେ ଜଳୁଥିବ, ଷଡଯନ୍ତ୍ରର ତୀବ୍ରତା ଓ ଅପପ୍ରଚାର ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଥିବ, ଯାହାକି ତାପମାତ୍ରା ବୃଦ୍ଧିରେ ବାଷ୍ପୀକରଣର ତୀବ୍ରତା ବୃଦ୍ଧିକୁ ବୁଝାଏ । ପୁନଃ ଯେତେବେଳେ କ୍ରୋଧ ଚରମ ସୀମାରେ ପହଞ୍ଚେ, ତାହାହିଁ ଜଳର ସ୍ଫୁଟନାଙ୍କ ତାପମାତ୍ରା ଓ ସେ ସମୟରେ ମାନବ ସବୁ ହିତାହିତ ଜ୍ଞାନ ଭୁଲି ନିଜକୁ ହେଉ କିମ୍ବା ଅନ୍ୟକୁ ଧ୍ୱଂସର ତାଣ୍ଡବତାକୁ ଠେଲିଦେଇ ପାରେ । ପୁନଃ କ୍ରୋଧର ଚରମ ସୀମା ତଳେ ରହି ଅନ୍ୟର ସଚ୍ଚୋଟତାକୁ କଳଙ୍କିତ କରିବା ଏବଂ ବାଷ୍ପୀକରଣ ଧାରା ସ୍ୱୟଂଚାଳିତ ଭାବେ ତରଳ ପଦାର୍ଥର ସ୍ଫୁଟନାଙ୍କ ତାପମାତ୍ରା ତଳୁ ଆରମ୍ଭ ହେବା ସହ ତୁଳନୀୟ ଅଟେ ।
ସେହି ଧାରାରେ ବ୍ୟକ୍ତି ଦ୍ୱୟ ଆଗ୍ନେୟ ଗିରି ଉଦ୍ଗୀରଣ ସଦୃଶ ଯେତେ ଷଡଯନ୍ତ୍ର ଓ କୁତ୍ସାରଟନା କରୁଥିବେ, ତାଙ୍କ ମନ ସେତେ ଉତ୍ଫୁଲ୍ଲିତ ହୋଇ ଉଠୁଥିବ ଓ ଏହା ପରିବେଶରେ ଖେଳେଇ ହୋଇଯାଉଥିବ । ଏହାର ବାରମ୍ବାରତାରେ ସର୍ବେ ପ୍ରାୟ ଅଭ୍ୟସ୍ତ ହୋଇ ଯାଇଥିବେ ଓ ଧିରେ ଧିରେ ସେଆଡକୁ କାନ ଡେରିବାକୁ କେହି ପ୍ରାୟ ଇଛା ବ୍ୟକ୍ତ କରିବେ ନାହିଁ । ଏପରିକି କିଛି ତରଳ ମାନେ ମଧ୍ୟ । ସେମାନଙ୍କ ଚିତ୍କାର, ଫୁତ୍କାର ଓ ଅପପ୍ରଚାରକୁ ଶୁଣିବାକୁ କାହାର ସମୟ ନଥିବା ଭଳି ଏକ ବାତାବରଣ ସୃଷ୍ଟି ହୋଇଯିବ । ଏହା ବାଷ୍ପୀକରଣ ଧାରା ଧିମା ପଡିବା ସହ ସମାନ ବୋଲି ଚିନ୍ତା କରାଯାଇ ପାରେ ଓ ଲୋକେ ଶୁଣି ଶୁଣି କାନ ବଧିରା ହେବାର ଓଲଟା ପରିପ୍ରକାଶ, ତଥା ସେଗୁଡିକୁ ଆଉ ନଶୁଣିବାର ମନ୍ତବ୍ୟ ହିଁ ଆର୍ଦ୍ରତା ବୃଦ୍ଧି କୁହାଯାଇପାରେ ।
ଏପରି ଏକ ସମୟ ଆସିବ ଯେତେବେଳେ ନିରୀହ ଓ ସଚ୍ଚୋଟ ମାନଙ୍କ ବିରୁଦ୍ଧରେ କୁତ୍ସାରଟନାକାରୀଙ୍କ କଥା କେହି ଶୁଣିବାକୁ ନଥିବେ । ଅଧିକାଂଶ ଏମାନଙ୍କ ଚାଲ୍ରୁ ଦୂରେଇ ରହିବେ । ତଥାପି ଅଳ୍ପ ସଂଖ୍ୟକ ସମର୍ଥକଙ୍କ ସହ ହୀନ ଚକ୍ରାନ୍ତକାରୀ ହୀନ କର୍ମରେ ଲିପ୍ତ ରହି ପାରନ୍ତି । କିନ୍ତୁ ଗ୍ରହଣକାରୀଙ୍କ ସଂଖ୍ୟା ତ ଧିରେ ଧିରେ ନ୍ୟୁନତମ ହୋଇ ଚାଲିଥିବ । ଏହା ତ ମାନବୀୟ ଚେତନାର ପରିପକ୍ୱତା ଓ ତାମସିକତାରୁ ସାତ୍ତ୍ୱିକତାକୁ ଅଗ୍ରସରତା । ଫଳରେ ପୁନଃ ପୁନଃ ଅନ୍ୟାୟରେ ବିରୁଦ୍ଧାଚରଣର ବାର୍ତ୍ତା ଆଉ ସମାଜରେ ଗୃହିତ ନହୋଇ ଆପଣାଛାଏଁ ନିଜ ନିକଟକୁ ଫେରି ଆସେ । ଏହା ବିଜ୍ଞାନ ତତ୍ତ୍ୱରେ କୁହାଯାଇଥିବା ବାଷ୍ପୀୟ ସଂତୃପ୍ତିକରଣ ଚାପ(Saturated Vapour Pressure) କୁ ମନେ ପକାଏ । ଏହା ଏକ ଦିଗରେ ସାମାଜିକ ସନ୍ତୁଳନତାକୁ ବୁଝାଇ ଥାଏ, ଅର୍ଥାତ୍ ବାଷ୍ପୀଭୂତ ରୂପି ମିଥ୍ୟା କଳଙ୍କ କେଉଁଠି ସ୍ଥାନ ନପାଇ ପ୍ରତ୍ୟାବର୍ତ୍ତନ କରେ ସେଇ ଜଳାବସ୍ଥା ରୂପୀ ବ୍ୟୁହ ରଚନାକାରୀଙ୍କ ନିକଟକୁ । ତେଣୁ ହାତ ଗଣତି ଖଳ ମାନବଙ୍କ ମନରେ ତ ନିଶ୍ଚିତ ରୂପେ ଭୟ ସଞ୍ଚାରର କାରଣ ସାଜିବ । ତେଣୁ ଶେଷରେ ସ୍ୱର୍ଗବାସୀ ଅଧ୍ୟାପକଙ୍କ ଶୋକସଭାରେ ଯୋଗ ଦେବାକୁ ବାରି ହୋଇ ପଡିଛନ୍ତି ସେ ଦୁଇ ବ୍ୟକ୍ତି । ପୂର୍ବରୁ ତାଙ୍କ ସହ ଥିବା ସବୁ ଚଣ୍ଡୀ ଚାମୁଣ୍ଡା ଏକବାର ଦୂରେଇ ଯାଇଛନ୍ତି । ମୃତ୍ୟୁର କରାଳ ଭୟ ଘାରିଛି ସେମାନଙ୍କୁ । କାଳେ ମୃତ୍ୟୂ ଶୀଘ୍ର ଆସିଯିବ ଓ ଏ ଶୋକ ସଭା ପରେ ପରେ ସେମାନଙ୍କ ପାଇଁ ଶୋକ ସଭାର ପାଳି ପଡିବ ଭାବି ଆତଙ୍କିତ ଅବସ୍ଥାରେ ଜଣେ ଅନ୍ୟ ଜଣକୁ କହି ପକାଇଛି – ଭାଇ ! ଏବେ ଆମେ କାହା ବିରୁଦ୍ଧରେ ଲାଗିବା ନାହିଁ ।
ଶେଷରେ ଏ ପ୍ରବନ୍ଧ ସମାଜକୁ ଏହି ବାର୍ତ୍ତା ଦିଏ ଯେ, ସଚ୍ଚୋଟତାକୁ ପଙ୍କିଳ କରା ନଯାଉ । ଲାଳସାର ବଶବର୍ତ୍ତୀ ହୋଇ କାହାର କ୍ଷତି ବା କାହାକୁ ଡହଳ ବିକଳ କରା ନଯାଉ । ସର୍ବେ ଭବନ୍ତୁ ସୁଖୀନଃର ଭାବନା ଅନ୍ତରରେ ଜାଗ୍ରତ ହେଉ ଓ କାର୍ଯ୍ୟରେ ପରିପ୍ରକାଶ ପାଉ । କାହାର ଚଲା ପଥକୁ କଣ୍ଟକିତ କରା ନଯାଇ ପୁଷ୍ପିତ କରାଯାଉ, ଏପରିକି ଶତ୍ରୁର ମଧ୍ୟ । ମାନବ ଜୀବନର ମହାନତା ପ୍ରତିକ୍ଷଣରେ ପ୍ରକାଶିତ ହେଉ ।