ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ପ୍ରଥମ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ପ୍ରଥମ ସ୍ତବକ)

ପ୍ରଥମ ସ୍ତବକ

ଜୀବନଚର୍ଯ୍ୟାରେ ମୋହଗ୍ରସ୍ତ ମାନବ ସଠିକ୍‍ ମାର୍ଗ ଅନୁଧାବନ ଓ ସୃଷ୍ଟିର ମଙ୍ଗଳ ନିମିତ୍ତ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ “ମୋହ ମୁଦ୍‍ଗର ସ୍ତ୍ରୋତ୍ର” ସାମାଜିକ ସନ୍ତୁଳନତା ପାଇଁ ଅକାଟ୍ୟ ଓ ବଜ୍ର ବାକ୍ୟ ଅଟେ ।   ସାଧାରଣତଃ ଦେଖାଯାଏ, ମାୟା-ମୋହ ଘେରରୁ  ମାନବ ନିଜକୁ ସଜାଡିବା କଷ୍ଟକର ବ୍ୟାପାର , ପାରସ୍ପରିକ ବନ୍ଧନର ମୋହରେ ନିଜସ୍ୱ  କୁକର୍ମମାନ ଲୁପ୍ତପ୍ରାୟ, ନିଜର ଓ ନିଜ ସୃଷ୍ଟିର ସ୍ଥୂଳ ଉତ୍‍ଥାନ ନିମିତ୍ତ ମାନବ ଚେଷ୍ଟାରତ ।   ଏଥି ନିମିତ୍ତ କାହାର କ୍ଷତିରେ ତା’ର କୁଣ୍ଠାବୋଧ କରିବାର  ଭାବ  ପ୍ରସ୍ଫୁଟିତ ହେଉନାହିଁ  । ଫଳତଃ ଏହାର  ଦିଗନ୍ତ ପ୍ରସାରୀ ବିଷମୟ ପ୍ରଭାବରେ ସମାଜ କଲବଲ  ହେବାର ଦୃଶ୍ୟମାନ ହେଉଛି । ଏହାର ସୁକ୍ଷ୍ମ ସ୍ତରୀୟ ସମାଧାନ ନିମିତ୍ତ ଜଗଦ୍‍ଗୁରୁଙ୍କ ଏ ଯୁଗଜୟୀ ସ୍ତ୍ରୋତ୍ର ଅତୁଳନୀୟ ଅଟେ । ମାୟାଜାଲ ଛିଣ୍ଡାଇ ସୂକ୍ଷ୍ମ ଉତ୍‍ଥାନର ପଥ ପ୍ରଦର୍ଶକ ରୂପେ ଏହା ଅବତୀର୍ଣ୍ଣ । ମୋହ ଭଗ୍ନ ନିମିତ୍ତ ଏହାହିଁ ସବୁଠାରୁ କଠିନ ମୁଦ୍‍ଗର ପ୍ରହାର, ଯାହା ବାସ୍ତବିକତାର ସମାହାର ଅଟେ ।

ଜୀବନକୁ ରୂପ,ରଙ୍ଗ ଓ ରସରେ ଭରିବାର ଅର୍ଥ ନୁହେଁ ଯେ, ଅନ୍ୟକୁ ଉତ୍ପିଡିତ କରାଇବା । ମାୟା-ମୋହକୁ ଆଦରିନେଇ ମାନବ ଜୀବନରୂପୀ ବ୍ୟାକରଣକୁ ଘୋଷିଚାଲେ । କଳେ ବଳେ ଓ କଉଶଳେ ନିଜର ପ୍ରତିଷ୍ଠାରେ ବ୍ୟସ୍ତ ରହି ସେ ଭୂଲିଯାଏ ଜୀବନର ଅନ୍ତିମ ସମୟକୁ,  ଯେଉଁ ସମୟରେ ସମ୍ପଦ ଓ ପ୍ରତିଷ୍ଠାର ଗାରିମା ସବୁ ଚୂର୍‍ମାର୍‍ ହୋଇଯାଏ । ତଥାପି ବଞ୍ଚିବାର ଲାଳସା ବୃଦ୍ଧି ପାଇଚାଲେ । ‘ବର୍ଷା’ କବିତାରେ କବିବର ରାଧାନାଥ ରାୟ ଯଥାର୍ଥରେ କହିଛନ୍ତି –
କାଳ କବଳେ ସିନା ଏ ରୂପେ ଭାଇ ……… ପଡିଣ ନର ଘାରି ହେଉଣ ଥାଇ
ତଥାପି ମନାସଇ ଲଭି ଏ ଦଶା ………. ମେଣ୍ଟାଇବାକୁ ଭବ ଭୋଗ ଲାଳସା ।

ଏ ବିଶାଳ ବିଶ୍ୱ ବକ୍ଷରେ ବର୍ତ୍ତମାନ ସୁଦ୍ଧା ଜଣାଥିବା ଜୀବ ଜଗତପୂର୍ଣ୍ଣ ଗ୍ରହ ହେଉଛି ଆମ ପୃଥିବୀ. ଯାହା ପ୍ରକୃତିର ଏକ ଅନନ୍ୟ ଅବଦାନ । ପ୍ରକୃତିକୁ ଅନୁଧ୍ୟାନ ଓ ଅଧ୍ୟୟନ ପୂର୍ବକ ମାନବ ତଦନୁରୂପ ନିୟମରେ ସୃଷ୍ଟି କରିଚାଲେ ନିଜସ୍ୱ ନିୟମମାନ । ହୋଇପାରେ ଏହା ଦୀର୍ଘସୂତ୍ରୀ ସାମାଜିକ ସନ୍ତୁଳନତାର ନିଦର୍ଶନ । ପ୍ରଥମେ ଆଧ୍ୟାତ୍ମିକତାର ସୂତ୍ରପାତ ଏବଂ ଧିରେଧିରେ ବିଜ୍ଞାନର ଉନ୍ନତି ସହ ଏହାର ପରିମାର୍ଜିତ ନିମିତ୍ତ ପଥ ଉନ୍ମୁକ୍ତ ହୁଏ । ସୃଷ୍ଟି ହୁଏ ପ୍ରତିରୋଧାତ୍ମକ ପରିବେଶ । କିଛି ବଦଳେ ଓ କିଛି ବଦଳେନି । ସତ୍ୟକୁ ଗ୍ରହଣ କରିବା ସଭିଙ୍କ ପକ୍ଷେ ସହଜସାଧ୍ୟ ନୁହେଁ । ତେଣୁ ଆଧ୍ୟତ୍ମିକତା ଓ ବିଜ୍ଞାନର ଅପପ୍ରୟୋଗ ବୃଦ୍ଧିପାଇ ସମାଜରେ ବିଭ୍ରାଟ ସୃଷ୍ଟି କରେ । ଉଭୟ ତତ୍ତ୍ୱାବଳୀ ଗୁଡିକର ମୂଳ ଉଦ୍ଦେଶ୍ୟ ସକରାତ୍ମକ ଥିଲେବି ସ୍ୱାର୍ଥାନ୍ଧ ମାନବଏହାର ଦିଗ ମୋଡିବାରେ ବ୍ୟସ୍ତ ରହେ । ସତ୍ୟକୁ ଜାଣି ନ ଜାଣିଲା ପରି ଆଡେଇ ଦିଆଯାଏ । ସତ୍ୟକୁ ଜାବୁଡି ଧରିଥିବା ବ୍ୟକ୍ତି କେବଳ ପ୍ରତିରୋଧର ଅଗ୍ନିରେ କଲବଲ ହୁଏ । ଏହାର ସମାଧାନ ସୂତ୍ର ହିଁ ମୋହ ମୁଦ୍‍ଗର ସ୍ତ୍ରୋତରେ ନିହିତ ଥିବା ଆଧ୍ୟାତ୍ମିକ ଓ ବିଜ୍ଞାନ ଭାବଧାରାର ଅପୂର୍ବ ସଂଯୋଗୀକରଣକୁ ବୁଝାଇବାର ପ୍ରତୀୟମାନ ହୁଏ ।

ଏଠାରେ ବିଦ୍ୟୁତ୍‍ଶକ୍ତି ସଂଚାରଣର ଅତିପରିବାହିତା (Superconductivity) ସମ୍ବନ୍ଧୀୟ ସୂଚନାକୁ ଦୃଷ୍ଟି ଦିଆଯାଇପାରେ । ବିଦ୍ୟୁତ୍‍ ସ୍ରୋତ ପ୍ରବାହକୁ  ବିଭିନ୍ନ ମାଧ୍ୟମ ବିଭିନ୍ନ ରୂପେ ସଞ୍ଚାଳନ କରିଥାଏ, ଯଥା – ପରିବାହକ (Conductor), ଅର୍ଦ୍ଧପରିବାହକ (Semiconductor) ଓ ଅନ୍ତରକ (Insulator) । ପ୍ରୟୋଗ ବିଦ୍ୟୁତ୍‍ ପ୍ରବାହକୁ ଉପରୋକ୍ତ ମାଧ୍ୟମ ଗୁଡିକ ଯଥାକ୍ରମେ ଅଳ୍ପ, ମଧ୍ୟମ ଓ ଅତି ମାତ୍ରାରେ ପ୍ରତିରୋଧ କରନ୍ତି । ଏହି ପ୍ରତିରୋଧତା (Resistance) ଯୋଗୁଁ ପ୍ରୟୋଗ ବିଦ୍ୟୁତ୍‍ ଶକ୍ତିର କିଛି ମାତ୍ରା ଖର୍ଚ୍ଚ ହୁଏ ଓ ବଳକା ଶକ୍ତିରେ ବିଦ୍ୟୁତ୍‍ ପ୍ରବାହ ହୁଏ । ତେଣୁ ପ୍ରୟୋଗ ଶକ୍ତିରୁ ଆଶା କରାଯାଉଥିବା ଫଳାଫଳ ନିଶ୍ଚିତ ରୂପେ କମିଯାଏ । ଅର୍ଥାତ୍‍ ପ୍ରତିରୋଧତା ହିଁ ବିଘ୍ନ ସୃଷ୍ଟି କାରକ ଅଟେ । କିନ୍ତୁ ବିଜ୍ଞାନ ଗବେଷଣାରୁ ପ୍ରତିପାଦିତ ହୋଇପାରିଛି ଯେ, କେତେକ ପଦାର୍ଥ ମଧ୍ୟ ଦେଇ ବିଦ୍ୟୁତ୍‍ ପ୍ରବାହ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା ତଳେ ସମ୍ପୂର୍ଣ୍ଣ ପ୍ରତିରୋଧଶୂନ୍ୟ ହୁଏ । ଏହି ତାପମାତ୍ରାକୁ ସେହି ପଦାର୍ଥର ଚାରିତ୍ରିକ ତାପମାତ୍ରା (Characteristic Temperature) କୁହାଯାଏ । କାରଣ ଏହା ପଦାର୍ଥର ଭିନ୍ନତାରେ ଭିନ୍ନ ଅଟେ । ଏହି ପରିସ୍ଥିତିରେ ପ୍ରୟୋଗ ଶକ୍ତିର ସମ୍ପୂର୍ଣ୍ଣ ଫଳ ମିଳିଥାଏ, କାରଣ ଏହାର କୌଣସି ଅପଚୟ ହୋଇନଥାଏ । ସେହି ସମୟରେ ମାଧ୍ୟମକୁ ଅତିପରିବାହକ (Superconductor) ଓ କାର୍ଯ୍ୟଧାରାକୁ ଅତିପରିବାହିତା (Superconductivity) କୁହାଯାଏ । ଏହା ଏକ ଅତିସ୍ତରୀୟ ପ୍ରବାହ । ବିଜ୍ଞାନ ଓ ପ୍ରକୃତି ପରସ୍ପର ପରିପୂରକ । ପ୍ରକୃତିରୁ ବିଜ୍ଞାନର ତତ୍ତ୍ୱମାନ ସୃଷ୍ଟି ଓ ସେହି ଧାରାରେ ଏ ତତ୍ତ୍ୱଗୁଡିକୁ ମଧ୍ୟ ସମାଜ ଏବଂ ଆଧ୍ୟାତ୍ମିକ ଚେତନାରେ ଜଡିତ କରାଇ ଏକ ସୁସ୍ଥ ପରିକଳ୍ପନାର ବାର୍ତ୍ତା ଦିଆଯାଇପାରିବ । ବିଦ୍ୟୁତ୍‍ ସ୍ରୋତର ସୁପରିବାହକ ଧାତବ ମାଧ୍ୟମଠୁଁ ଆରମ୍ଭ କରି ଅନ୍ୟାନ୍ୟ ମାଧ୍ୟମ ରହିଛି । ସେହିପରି ଅର୍ଦ୍ଧପରିବାହକ ଓ ଅନ୍ତରକ ମାଧ୍ୟମ ଗୁଡିକ ମଧ୍ୟ ବିଭିନ୍ନ ପ୍ରକାରର । ଅର୍ଥାତ୍‍ ବିଦ୍ୟୁତ୍‍ ପ୍ରତିରୋଧତାର ମାତ୍ରା ସବୁ ସୁପରିବାହକ ମାଧ୍ୟମରେ ଅସମାନ । ଏହି ମାତ୍ରା ମଧ୍ୟ ସବୁ ପ୍ରକାରର ଅର୍ଦ୍ଧପରିବାହକ ଓ ଅନ୍ତରକ ମାଧ୍ୟମରେ ବି ଭିନ୍ନଭିନ୍ନ । ଏହା ଦର୍ଶାଉଛି ବିଶ୍ୱର ପ୍ରତ୍ୟେକ ପଦାର୍ଥ ବା ମାଧ୍ୟମ କିମ୍ବା ସମ୍ମିଳିତ ମାଧ୍ୟମ ଗୁଡିକର ବିଦ୍ୟୁତ୍‍ ପ୍ରତିରୋଧତା ଅଥବା ବିଘ୍ନ ସୃଷ୍ଟିକାରୀ ଶକ୍ତି ପ୍ରାୟ ସମାନ ନୁହେଁ । ଯଦି ଏହି ଚିନ୍ତାଧାରାକୁ ମାନବୀୟ ଆଧ୍ୟାତ୍ମିକରଣରେ ସଂଯୁକ୍ତ କରାଯାଏ, ତେବେ ଏହା ଏକ ସୁସ୍ଥ ସାମାଜିକ ବାର୍ତ୍ତା ହୋଇପାରିବ ।

ବିଦ୍ୟୁତ୍‍ ସୁପରିବାହକ, ଅର୍ଦ୍ଧପରିବାହକ ଓ ଅନ୍ତରକର ଏକାନ୍ତ ବା ସମ୍ମିଳିତ ମାଧ୍ୟମକୁ ବୁଝାଯାଇପାରେ । ସେହିପରି ମାନବ ମଧ୍ୟ ଗୁଣ ତ୍ରୟର ଏକାନ୍ତ ବା ସମ୍ମିଳିତ ଯୁକ୍ତ ଅଟେ, ଯଥା – ସାତ୍ତ୍ୱିକ, ରାଜସିକ ଓ ତାମସିକ । ମାନବ ଜୀବନରେ ଆଚ୍ଛନ୍ନ ହୋଇ ରହିଥିବା ମୋହ – ମାୟା ଘେରର ବିବିଧ ରୂପ ଜାଗତିକ ଚିନ୍ତନ ଓ କାର୍ଯ୍ୟର ଏକ ଏକ ବିଘ୍ନ ସୃଷ୍ଟିକାରୀ ଶକ୍ତି ବା ପ୍ରତିରୋଧତା । ଏହି ବିଘ୍ନସୃଷ୍ଟିକାରୀ ଶକ୍ତି ସଭିଙ୍କ ପାଇଁ ସମାନ ହୋଇ ନ ପାରେ । ପ୍ରାକୃତିକ ଭାବେ ମଙ୍ଗଳକାରକ ଚିନ୍ତାର ଶକ୍ତିସ୍ତର ପ୍ରତି ଶରୀର ଯୁକ୍ତ ମନରେ ନିହିତ ଅଛି । କାହାର ଶକ୍ତିସ୍ତର ଉର୍ଦ୍ଧ୍ୱରେ, କାହାର ନିମ୍ନରେ ଓ କାହାର ଏ ଦୁଇସ୍ତର ମଧ୍ୟରେ । ଯେଉଁ ବ୍ୟକ୍ତି ମାୟା ବନ୍ଧନରେ ଯେତେ ଦୃଢଭାବେ ସଂମ୍ପୃକ୍ତ, ତାହାର ମଙ୍ଗଳକାରକ କାର୍ଯ୍ୟର ମାତ୍ରା ସେତେ ନିମ୍ନଗାମୀ । ଅର୍ଥାତ୍‍ ସେ ଜୀବନର ବାହ୍ୟ ପରିଚର୍ଯ୍ୟା ବା ବାହ୍ୟ ବ୍ୟାକରଣ କରଣରେ ନିମଜ୍ଜି ରହି ନିଜର ଅନ୍ତିମ କାଳରେ ପହଞ୍ଚି ଯାଏ, ଯାହା ତା’କୁ ଜ୍ଞାତ ହୁଏନି । ହୋଇପାରେ ସବୁ ଜାଣି ଶୁଣି ନଜାଣିବାର ମିଛ ଅଭିନୟ କରେ, ଯେପରି ବିରାଡି ଲୁଚିଲୁଚି ପାତ୍ରରୁ ଦୁଗ୍‍ଧ ପିଇଲା ବେଳେ ଚକ୍ଷୁ ମୁଦ୍ରିତ କରିଦିଏ । ଭାବେ ସିଏ ତ କାହାକୁ ଦେଖୁନାହିଁ, ତା’କୁ ବା କିଏ ଦେଖିବ ? ଏହାଦ୍ୱାରା ନାଁ ନିଜର ଜାଗତିକ ଶକ୍ତିସ୍ତରର ଉନ୍ନତି ଘଟିଲା ନାଁ ଦୁନିଆଁ ପାଇଁ କିଛି ଯୁକ୍ତାତ୍ମକ କାର୍ଯ୍ୟ ହେଲା ! କେବଳ ନିଜର ସ୍ୱାର୍ଥ ସାଧନରେ ବ୍ରତୀ ରହିବା ହିଁ ହେଲା ।

ଯଦି ପ୍ରୟୋଗ ବିଦ୍ୟୁତ୍‍ ବିଭବ(Electric Potential) ଅତି ଉଚ୍ଚ ମାତ୍ରାରେ ରହେ, ତେବେ ପ୍ରତିରୋଧତା ଧ୍ୱଂସପାଏ  ଓ ବିଦ୍ୟୁତ୍‍ ପ୍ରବାହ ଅକ୍ଳେଶରେ ଘଟିଥାଏ । କିନ୍ତୁ ଏହା କ୍ଷତିକାରକର ସୂଚନା ଦିଏ । ଯେପରି ବଜ୍ରପାତ । ନିଜର ହୀନ ଚରମ ଅଭିଳାଷ ପୂରଣାର୍ଥେ, ନିଜ ମନକୁ ଦୃଢ ରଖି ଶକ୍ତିର ନକରାତ୍ମକ ଦିଗର ଶୀର୍ଷ ସ୍ଥାନରେ ପହଞ୍ଚିବାର ସମ୍ଭାବନା ରହିଛି । ଏଠାରେ ଉଚ୍ଚ ବିଦ୍ୟୁତ୍‍ ବିଭବକୁ ମନର ଦୃଢତା ସହ ତୁଳନା କରାଯାଇ ପାରେ । ସ୍ୱାର୍ଥାନ୍ଧର ସୀମା ଏତେ ବୃଦ୍ଧି ପାଏ ଯେ, ମାୟା – ମୋହରୂପୀ ପାରସ୍ପରିକ ପ୍ରତିରୋଧତା ସବୁ ଆଡେଇ ହୋଇଯାଏ । ଏତାଦୃଶ ସ୍ଥିତିରୁ ପ୍ରାପ୍ତ ଶକ୍ତି ଭୟଙ୍କର ବିନାଶକାରୀ ହୁଏ ଓ ଶେଷକୁ ନିଜର ବିନାଶ ଘଟେ । ଯୁଗେ ଯୁଗେ ଏହା ଘଟିଛି । ଏ ବିଜ୍ଞାନ ଯୁଗରେ ଏହା ଅତିବ ଭୟଙ୍କର ରୂପ ନେଇଅଛି । ମାନବ ସଂସ୍କୃତିର ବିଲୋପ ନିମିତ୍ତ ମାନବ ଗଛିତ କରି ରଖିଛି ଓ ପୁନଃ ପୁନଃ ପରୀକ୍ଷଣ ସିଦ୍ଧ ପୂର୍ବକ ପ୍ରସ୍ତୁତ କରି ଚାଲିଛି ଅତି ଭୟଙ୍କର ମାରଣାସ୍ତ୍ରମାନ । କ୍ରୂର ମାନବ ଭୁଲିଯାଇଛି ହୀରୋସୀମା ଓ ନାଗାସାକୀର କରାଳ ଧ୍ୱଂସକାରୀ ଦୃଶ୍ୟକୁ ! ସ୍ୱାର୍ଥ ଓ ଅହମୀକାର ଏହାହିଁ ଉଚ୍ଚ ବିଭବଯୁକ୍ତ ପ୍ରଳୟଙ୍କରୀ ଶକ୍ତି ସ୍ରୋତ ।

ଏକ ସୁସ୍ଥ ପରିସର ନିମିତ୍ତ ସୁସ୍ଥ ମନରେ ଯୁକ୍ତାତ୍ମକ କାର୍ଯ୍ୟ କରିବା ଏକାନ୍ତ ଆବଶ୍ୟକ । ଏଥିପାଇଁ ପବିତ୍ର ମନରେ ପ୍ରତି ଘଟରେ ବ୍ରହ୍ମତ୍ତ୍ୱକୁ ଚିହ୍ନିବା ଦରକାର । ଉଚ୍ଚ – ନିଚ୍ଚ ଭାବ ତ୍ୟାଗ ପୂର୍ବକ ମୁଁ, ମୋର …… ଆଦି ଶବ୍ଦଠାରୁ ନିଜକୁ ବିଛିନ୍ନ କରିବା ପ୍ରୟୋଜନ ଅଟେ । ନିରହଂକାର ସ୍ୱଭାବ ଦ୍ୱାରା ମାନବର ଉର୍ଜାସ୍ତର କ୍ରିୟାଶୀଳ ହୋଇଥାଏ । ଆଧ୍ୟାତ୍ମିକତାର ପରିପ୍ରକାଶ ଘଟେ । କୌଣସି ଅପମିଶ୍ରଣ ନ ଥିଲେ ଧିରେ ଧିରେ ଉର୍ଜା ସ୍ତରର କ୍ରମିକ ଉନ୍ନତି ଘଟେ । ଆସୁରିକତାର ବିନାଶ ଘଟିଚାଲେ । ନଥାଏ ପିପାସା । ଷଡରିପୁ ସ୍ତବ୍‍ଧ ହୋଇଉଠନ୍ତି । ଶରୀରର ଷଡଚକ୍ର ଜାଗି ଉଠନ୍ତି । ଅନୁଭୂତ ହୁଏ ଦିବ୍ୟତା । ସ୍ୱୟଂଚାଳିତ ଭାବେ  ମନ ଈଶ୍ୱରଙ୍କ ଆରାଧନାରେ ବ୍ରତୀ ହୁଏ ଓ ମନର ଜାଗତିକତା ସୂଚାଇ ଦିଏ “ମାନବ ସେବାହିଁ ମାଧବ ସେବା” । ଜନ୍ମର ରହସ୍ୟ ହିଁ ସୃଷ୍ଟି ମଙ୍ଗଳ କାରକ । ଜୀବନର ଯେକୌଣସି ବେଳାରୁ ମନର ତୃଣମୂଳ ସ୍ତରରୁ ଏହା ଆରମ୍ଭ ହୋଇପାରେ । ଧିରେଧିରେ ଧୋଇ ହୋଇଯାଏ ନିମ୍ନ ଶକ୍ତି ସ୍ତରର ପ୍ରବାହ । ଜୀବନର ବାହ୍ୟ ପରିଚର୍ଯ୍ୟାରୁ ଦୂରେଇ ଯାଇ ମନ ଅନଃର୍ମୁଖୀ ହୁଏ । ଜୀବନର ଅନ୍ତିମ ସୋପାନରେ ସଞ୍ଚୟ ହୋଇ ରହିଥିବା ଦିବ୍ୟକର୍ମରୂପୀ ଧନ ଅର୍ଥାତ୍‍ ଦିବ୍ୟ ତପୋବଳ ହିଁ ସାଥିରେ ରହେ । ଉକ୍ତ ଉର୍ଜାର ମାତ୍ରା ଏକ ନିର୍ଦ୍ଦିଷ୍ଟ ସୀମାରେ ପହଞ୍ଚିଲେ ମାନବ ଜନ୍ମ – ମୃତ୍ୟୁ ଚକ୍ରରୁ ମୁକ୍ତିପାଇ ପରମାତ୍ମାଙ୍କ ସହ ଲୀନ ହୁଏ ।  ଏହାହିଁ ବିଦ୍ୟୁତ୍‍ ଅତିପରିବାହିତା ସଦୃଶ ଅଟେ । ଏକ ନିର୍ଦ୍ଦିଷ୍ଟ ଚାରିତ୍ରିକ ତାପମାତ୍ରା ତଳେ ବିଦ୍ୟୁତ୍‍ ବାହକ ପାଇଁ କୌଣସି ପ୍ରତିବନ୍ଧକ ନଥାଏ । ସେହିପରି  ଯେତେବେଳେ ସ୍ୱଅର୍ଜିତ ଯୁକ୍ତାତ୍ମକ ଉର୍ଜାସ୍ତର ଏକ ନିର୍ଦ୍ଦିଷ୍ଟ ସୀମାରେ ପହଞ୍ଚେ, ସେ ସମୟରେ ସକଳ ବିନାଶକାରୀ ପ୍ରଭାବ ଅର୍ଥାତ୍‍ ମାୟା – ମୋହର ଘେର ସମୂଳେ ଧ୍ୱଂସ ପାଏ ।ଏଥିପାଇଁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ମୋହମୁଦ୍‍ଗର ସ୍ତ୍ରୋତ୍ରରେ ପ୍ରଥମେ କହିଛନ୍ତି –

ଭଜ ଗୋବିନ୍ଦଂ ଭଜ ଗୋବିନ୍ଦଂ  –  ଗୋବିନ୍ଦଂ ଭଜ ମୂଢମତେ

ସଂପ୍ରାପ୍ତେ ସନ୍ନିହିତେ କାଲେ – ନେହିଁ   ନେହିଁ  ରକ୍ଷତି ଡୃକୁଞ କରଣେ   (ଘୋଷା) ….. (୧)

ଏହାର ଅବିକଳ ପ୍ରତିବିମ୍ବ ସୃଷ୍ଟି ହୋଇପାରିଛି କବି ଭକ୍ତ ଚରଣ ଦାସଙ୍କ “ମନବୋଧ ଚଉତିସା”ର ପ୍ରଥମ ଝଲକରେ, ଯଥା –
କହଇ ମନ ଆରେ ମୋ ବୋଲ କର ……….. କଳାଶ୍ରୀମୁଖ ବାରେ ଦେଖିବା ଚାଲ ରେ …..
କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ …………… କିଘେନି ଯିବୁ ତୋ’ର ଛୁଟିଲେ ଘଟ ରେ (୧)

ସନ୍ଥକବି ଭୀମଭୋଇ ପୁଣି ଦର୍ଶାଇଛନ୍ତି ଯେ ମାୟାମୋହର ଆଚ୍ଛନ୍ନରୁ ଦୂରେଇ ରହି ଶୂନ୍ୟବ୍ରହ୍ମଙ୍କୁ ଆରାଧନା କରିବା ପାଇଁ, ଯଥା –
କର ନିଷ୍କାମ ଭକ୍ତିଯୋଗ ତୁରିତେ ଗୋ
ଦେହଧାରୀ ଯେତେ ଅଛ ଜଗତେ ଗୋ ………. କର ……….

ସ୍ୱାର୍ଥନ୍ୱେଷୀ ମାନବ ଜୀବନକୁ ରଙ୍ଗାରଙ୍ଗ୍‍ କରିବାରେ ଯେତେ ପ୍ରକାର ଅସତ୍ୟ ଓ ଅନ୍ୟାୟ ମାର୍ଗରେ ରହି ଧନ ଅର୍ଜନ ପୂର୍ବକ ସ୍ଥୂଳ ରୂପେ ପ୍ରତିଷ୍ଠିତ ହୋଇପାରେ । କିନ୍ତୁ ମୃତ୍ୟୁର କରାଳ ଗ୍ରାସ ସମୟରେ(ସଂପ୍ରାପ୍ତେ ସନ୍ନିହିତେ କାଲେ) ଧନ, ସମ୍ପତି, ଗାରିମା, ପ୍ରତିଷ୍ଠା, ବାହୁବଳ, ଲୋକବଳ … ଆଦି କୌଣସି କାର୍ଯ୍ୟରେ ଆସନ୍ତି ନାହିଁ କିମ୍ବା ଅନ୍ତିମ ଯାତ୍ରାକୁ ରୋକିପାରନ୍ତି ନାହିଁ । ସ୍ଥୂଳ ଶରୀର ତ୍ୟାଗ କରି ସୂକ୍ଷ୍ମ ଶରୀର ବା ଅଦୃଶ୍ୟ ଆତ୍ମା ସହ କେବଳ ଯାଏ ତା’ର ସବୁ ଦିବ୍ୟ କର୍ମର ଫଳ । ସେଥିପାଇଁ ମହାନ୍‍ ମାନବ ଜୀବନର ସାର୍ଥକତା ନିମନ୍ତେ ସର୍ବେ ଈଶ୍ୱର ଆରାଧନାରେ ବ୍ରତୀ ହେବା ସହ ନିଜ ନିଜର ପ୍ରାପ୍ତ କର୍ମକ୍ଷେତ୍ରରେ ପବିତ୍ରତାର ବୀଜ ବପନ କରିବା ହିଁ ପ୍ରାକୃତିକ ଇଛା ଅଟେ ।


Published in ଦିଗ୍‍ବଳୟ ‘Digbalay’ Feb – 2019  –   Popular Science Magazine in Odia, in 36th Convention of Orissa Physical Society, Odisha.

Leave a Reply

Your email address will not be published. Required fields are marked *