ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ – (ପଞ୍ଚମ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ – (ପଞ୍ଚମ ସ୍ତବକ)

      ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ – (ପଞ୍ଚମ ସ୍ତବକ)                                                   

                                                                ନକୁଳ ଚ଼ରଣ ମଲିକ୍‍,
                                            ଅବସରପ୍ରାପ୍ତ ଆସୋସିଏଟ୍‍ ପ୍ରଫେସର, ପଦାର୍ଥ ବିଜ୍ଞାନ,
                                                      ମଡେଲ୍‍ ଡିଗ୍ରୀ କଲେଜ, ନବରଙ୍ଗପୁର , ଓଡ଼ିଶା ।

ବାଲ ସ୍ତାବତ୍‍ କ୍ରୀଡାସକ୍ତଃ – ତରୁଣ ସ୍ତାବତ୍ତରୂଣୀ ସକ୍ତଃ

ବୃଦ୍ଧ ସ୍ତାବ ଚ୍ଚିନ୍ତା ସକ୍ତଃ – ପରେ ବ୍ରହ୍ମାଣି କୋ’ପି ନ ସକ୍ତଃ …..(୭)

ଏ ଶ୍ଳୋକରେ ବାଲ୍ୟ, ଯୌବନ ଓ ବୃଦ୍ଧାବସ୍ଥାରେ ମାନବ ଏକ ଏକ ଦିଗପ୍ରତି ଆକୃଷ୍ଟ ହେବା ଉପରେ ଦୃଷ୍ଟି ନିକ୍ଷେପ କରାଯାଇଛି । ତେବେ ଏହାକୁ ବିଜ୍ଞାନଭିତ୍ତିକ ପରିଭାଷାରେ ବିଶ୍ଳେଷଣ କରି ଏକ ଗଠନମୂଳକ ବାର୍ତ୍ତା ପ୍ରକାଶ ପାଇଁ ଚେଷ୍ଟା କରାଯାଇଛି । ଜୀବନର ବାଲ୍ୟକାଳରେ ପିଲାମନ ଖେଳ – କୁଦ ପ୍ରତି ଆକର୍ଷିତ ହୁଏ ଓ ସେଥିରେ ସେ ମାତିଥାଏ । ଭିନ୍ନଭିନ୍ନ ଖେଳର କଳାକୌଶଳକୁ ସେ ମନେ ରଖେ ଓ ଖେଳିଚାଲେ । ନଥାଏ ଅନୁଶୋଚନା ଓ ନଥାଏ ବ୍ରହ୍ମଚେତନା । ନୂଆନୂଆ ଖେଳ ଜାଣିବାରେ ଆଗ୍ରହୀ ହୋଇଉଠେ । ଖେଳାଳୀ ମନ । ନିଜସ୍ୱ ଶୈଳୀରେ ମଧ୍ୟ ନୂଆ ଖେଳ ଓ ତା’ର ନୀତି ନିୟମମାନ ବାହାର କରେ । ସାଙ୍ଗସାଥୀ ମାନେ ମାତି ଉଠନ୍ତି, ଖେଳନ୍ତି ଓ ଆନନ୍ଦିତ ହୁଅନ୍ତି । ସେ ଖେଳ ଯେ ଦିନେ ସମାଜ ପାଇଁ ଘାତକସିଦ୍ଧ ହେବ ବୋଲି ଚପଳ ମନରେ ସେ କାହିଁକି ବା ଭାବିବ ? ସେହିପରି ମନରେ କୌଣସି କ୍ଷତିକାରକ ଚିନ୍ତା ନଥାଇ ବିଜ୍ଞାନୀ ମନ ନୂଆ ତଥ୍ୟ ବାହାର କରିବାରେ ପିଲାଙ୍କ ଖେଳ କୁଦ ସ୍ୱରୂପ ନିଜର ମନ – ପ୍ରାଣକୁ ନିୟୋଜିତ କରେ ଏବଂ ଶେଷରେ ପରିଶ୍ରମର ଫଳ ପ୍ରାପ୍ତରେ ସେ ଅଶେଷ ଦିବ୍ୟାନନ୍ଦରେ ପୁଲକିତ ହୋଇଉଠେ । ପୃଥିବୀରେ ଚହଳ ପଡେ । ଏଥି ନିମିତ୍ତ ସହିବାକୁ ପଡିଥାଏ ଅନେକ ଅନେକ ଝଡଝଞ୍ଜା ଓ ଟାହିଟାପରା । ସାର୍‍ ରୋନାଲ୍‍ଡ ରସ୍‍ (Sir Ronald Ross), ଆର୍କମିଡିଜ୍‍ (Archimedes), ଜନ୍‍ ଲୋଜି ବୟେଡ୍‍ (John Logie Baird), ସାର୍‍ ଆଇଜାକ୍‍ ନିଉଟନ୍‍ (Sir Isaac Newton), ଆଲ୍‍ବର୍ଟ ଆଇନ୍‍ଷ୍ଟାଇନ୍‍ (Albert Einstein) ……… ଆଦି ମହାମାନବଙ୍କ ଅବଦାନ ଅତୁଳନୀୟ । ଏହା ବିଭିନ୍ନ ରୂପ, ଯଥା – ଔଷଧୀୟ, ଯାନ୍ତ୍ରିକ, ଗାଣିତିକ ସୂତ୍ର …….. ଆଦିକୁ ନେଇ ସମାଜ ବକ୍ଷରେ ଅଜାଡି ହୋଇଯାଏ । କିଛି ନୂତନତ୍ୱର ଆସକ୍ତିରେ ନିମଗ୍ନ ମନର ଈଶ୍ୱର ଆରାଧନା ପାଇଁ ସମୟ ନଥାଏ । କିନ୍ତୁ ‘କର୍ମ ହିଁ ଭଗବାନ’ ହେଉଛି ଈଶ୍ୱରବ୍ରତୀ ହେବାର ଅନ୍ୟ ଏକ ମାର୍ଗ । ପ୍ରାପ୍ତ ସୂତ୍ରକୁ ନେଇ ଦିନେ ସମାଜରେ ଅପପ୍ରୟୋଗକାରୀ ଭୟଙ୍କର ଭାବେ ଅପପ୍ରୟୋଗ କରିବେ, ତାହା ବୈଜ୍ଞାନିକର ସତ୍‍ଚେତନା ପରିସରକୁ କାହିଁକି ବା ଧସାଇ ପଶିବ ? ତେବେ ଆଲ୍‍ବର୍ଟ ଆଇନ୍‍ଷ୍ଟାଇନ୍‍ଙ୍କ ମହାନ୍‍ ଗାଣିତିକ ସୂତ୍ର,  E= mc², ଅର୍ଥାତ୍‍ ବସ୍ତୁତ୍ୱର ସମାନୁପାତିକ ଶକ୍ତିର ଏ ଯୁଗାନ୍ତକାରୀ ସୁତ୍ର ମାନବ ସମାଜ କଲ୍ୟାଣରେ ଶକ୍ତି ସଙ୍କଟର ମୁକାବିଲା ହିଁ ଥିଲା ମୂଳ ଉଦ୍ଦେଶ୍ୟ,  ।

ବାଲ୍ୟ ସମୟ ଅତିବାହିତରେ ଜୀବନ ଆଗଭର ହୁଏ ଯୌବନାବସ୍ଥାକୁ । ଆସକ୍ତିର ଦିଗ ବଦଳେ । କାମିନୀ – କାଞ୍ଚନର ଆସକ୍ତିରେ ମନ ବିଭୋର ହୁଏ । ଏହା ତୃଣମୂଳ ସ୍ତରରୁ ରାଜା, ମହାରାଜା, ଦେଶ – ଦେଶ ମଧ୍ୟରେ ପରିବ୍ୟାପ୍ତ । କ୍ରିଡାସକ୍ତର ପରିଭାଷା ପରିବର୍ତ୍ତୀତ ହୁଏ ବହୁବିଧ ଲାଳସାକୁ । ସେ ଦେଖେ ବସ୍ତୁବାଦ ଦୁନିଆଁରେ ନିଜକୁ ଅଥବା ନିଜର ଶାସନର ପରାକାଷ୍ଠାକୁ ଏକ ସ୍ୱତନ୍ତ୍ର ସ୍ଥାନରେ ସ୍ଥାପିତ କରିବା ହିଁ ଜୀବନର ଚରମ ସତ୍ୟ ଅଟେ । ତେଣୁ ସେ ସମୟର କରାଳ ଚକ୍ରକୁ ଆଖି ଥାଉ ଥାଉ ଅନ୍ଧ ସଦୃଶ ଏଡାଇ ଚାଲେ ଓ ଏହାଦ୍ୱାରା କାହାର କିମ୍ବା ଜୀବଜଗତର ଅଶେଷ ଧ୍ୱଂସ ସାଧନ ହେଲେ ବି ଚିନ୍ତା ନାହିଁ । ତେଣୁ ବ୍ରହ୍ମତ୍ୱର ରଜ୍ଜୁରେ ବନ୍ଧନଯୁକ୍ତ ହେବାକୁ ପ୍ରଶ୍ନ ଉଠୁଛି କେଉଁଠୁ ? କାହୁଁ ବା ମନରେ ଜାଗିବ “ବସୁନ୍ଧୈବ କୁଟୁମ୍ବକମ୍‍” ପରି ମହାଜାଗତିକ ଭାବନା ? ତା’କୁ ସ୍ଥାପନ କରିବାକୁ ପଡିବ ମହା ସାମ୍ରାଜ୍ୟ । କେହି ବିରୋଧ କଲେ ତା’ର ବିନାଶ କରାଯିବ । ଏଥିରେ ତିଳେ ମାତ୍ର ଦ୍ୱିଧାବୋଧ କରିବାର ନାହିଁ । ତେଣୁ ଖୋଜାଚାଲେ ଯାନ୍ତ୍ରିକ ଦୁରୂପଯୋଗ ସକାଶେ ଯାନ୍ତ୍ରିକ କୌଶଳ ଓ ଯାନ୍ତ୍ରିକ ରୂପରେଖ । E= mc² ଅବତୀର୍ଣ୍ଣ ହୁଏ ଭୟଙ୍କର ବିନାଶକାରୀ ଆଣବିକ ବୋମା (Atom Bomb) ରୂପେ । ହୀରୋସିମା ଓ ନାଗାସାକୀ ଧ୍ୱଂସସ୍ତୁପରେ ପରିଣତ ହୁଏ । କରୁଣ ଆର୍ତ୍ତ ଚିତ୍କାରରେ ପ୍ରକମ୍ପିତ ହୁଏ ଗଗନ ପବନ । ଗାମା ବିକିରଣ(Gamma Radiation)ର ଭୟଙ୍କର ଧ୍ୱଂସକାରୀ ପ୍ରଭାବ ଅନିର୍ଦ୍ଦିଷ୍ଟ କାଳକୁ ପରିବ୍ୟାପ୍ତ ହୁଏ । ପୋକ ମାଛି ପରି କଲବଲ ହୋଇଚାଲେ ମାନବର ଜୀବନଧାରା । ବଂଶାନୁକ୍ରମିକ ବିକଳାଙ୍ଗତାରେ ଛଟପଟ ହୁଏ ମାନବ ଜୀବନ । ବିଶ୍ୱ ଭୟ ଓ ଆତଙ୍କରେ ଥରହର ହୋଇଉଠେ । ତେବେ ଅପପ୍ରୟୋଗକାରୀ ଗଡ଼ଜୟର ଆନନ୍ଦରେ ଅଧିର ହୋଇଉଠେ । ଏହା  ବହୁବିଧ ଲାଳସାରେ ଜର୍ଜରିତ ଓ ଯୌବନର ଉଦ୍ଦାମତା ବା ଜୀବନଧାରାର ସର୍ବଶ୍ରେଷ୍ଠ ଅବସ୍ଥାର ଘୋର ଦୁରୂପଯୋଗ ଅଟେ । ତେବେ  ପରମାଣୁ ବୋମାର ଆଦ୍ୟାବସ୍ଥା(ବାଲ୍ୟାବସ୍ଥା) ପରେ ବିସ୍ଫୋରଣ (ଯୌବନାବସ୍ଥା) ସହ ଏହା ମଧ୍ୟ ସମାନ୍ତରାଳ ।

ଜୀବନ କ୍ରମେ ବୃଦ୍ଧାବସ୍ଥାକୁ ଅଗ୍ରସର ହୁଏ । ଧିରେଧିରେ ଅତୀତ ଚକ୍ଷୁ ସାମ୍ନାରେ ଦୃଢ ଦଣ୍ଡାୟମାନ ହୋଇ ଚିନ୍ତା ରାଜ୍ୟକୁ ବୃଦ୍ଧି କରିଚାଲେ । କୃତକର୍ମର ପ୍ରତିଛବି ବାରମ୍ବାର ଦେଖେ । କର୍ମକ୍ଷେତ୍ରରେ ନିଜର ଜୟ ପରାଜୟକୁ ବିଶ୍ଳେଷଣ କରେ । ଯଦି କୁକର୍ମ ପାଇଁ ଅନୁତପ୍ତ ହୋଇ ସତ୍‍ଚେତନାବ୍ରତୀ ହୁଏ ଓ ସେହି ମାତ୍ରାରେ ସୁକର୍ମମାନ କରିଚାଲେ, ତେବେ ଏହାର ମଙ୍ଗଳ ଧ୍ୱନି ପ୍ରପୀଡିତ ମାନବ ମନରେ ନୂଆ ଆଶା ସଞ୍ଚାର କରେ । କିନ୍ତୁ ନୀଳବର୍ଣ୍ଣ ଶୃଗାଳର ସ୍ୱଭାବରେ, ଯଦି ଅନ୍ତରରେ ଅଦମ୍ୟ ଲାଳସା ଓ ବାହ୍ୟ ସ୍ୱରୂପରେ ଭରି ରହିଥାଏ ବିଶ୍ୱ କଲ୍ୟାଣର କରୁଣତା, ତେବେ ଏହା ବିନାଶର ମାର୍ଗକୁ ସଦା ଉନ୍ମୁକ୍ତ ରହେ । କ୍ଷମତାର ମାୟାରେ ଡୁବିରହି କରାଳ ବିନାଶର ଦୃଶ୍ୟପଟ୍ଟ ଓ ଘୋର ଅପବାଦକୁ କ’ଣ ଏଡାଇ ଦେଇହେବ ? ବାର୍ଦ୍ଧକ୍ୟର ଚିନ୍ତାପରି ନିଜ ପୈଶାଚିକ କର୍ମରୁ ଘାରୁଥିବା ଚିନ୍ତାରୁ ମୁକ୍ତିର ମାର୍ଗ ବାହାରେ । ତେଣୁ ଆଣବିକ ବିସ୍ଫୋରଣ ଆଦି  ପୁନଃ ଅପପ୍ରୟୋଗ ନହେବା ନିମିତ୍ତ ଦେଶ ଦେଶ ମଧ୍ୟରେ ମିଳିତ ନୀତି ଓ ନିୟମର ଖସଡା ପ୍ରସ୍ତୁତ ହୁଏ । ତେବେ ରକ୍ଷକ ହୋଇ ଭକ୍ଷକ ହେବା ଧାରାରେ, ଦୁର୍ବଳକୁ ନିଜ ଆୟତ୍ତାଧିନ କରି ସବଳମାନେ ନିଜ ଇଛାନୁସାରେ ତୀକ୍ଷ୍‍ଣ ତରବାରୀର ମାଲିକ ହୋଇ ରହିବାର ନିଶ୍ଚିତତା ଖସଡାରେ ରହିଯାଏ । ପ୍ରବାହିତ ସମୟ ଧାରାରେ ସବଳର ନାଲିଆଖିରୁ ତ୍ରାହି ପାଇବା ପାଇଁ ଦୁର୍ବଳ ଲାଗିପଡେ ନିଜ ସ୍ଥିତିକୁ ଦୃଢ କରିବାକୁ । ତେଣୁ ବର୍ତ୍ତମାନ ଅଧିକାଂଶ ଦେଶ ଆଣବିକ ବୋମା ଆଦି ବଳରେ ବଳୀୟାନ୍‍ । ଯଦି ସବୁ ଆଣବିକ ଅସ୍ତ୍ରଶସ୍ତ୍ରର ବିସ୍ଫୋରଣ ଘଟେ, ତେବେ ସମଗ୍ର ପୃଥିବୀ ଏକ ମହାଧ୍ୱଂସସ୍ତୁପରେ ପରିଣତ ହେବା ସଙ୍ଗେସଙ୍ଗେ ଏହାର ବସ୍ତୁତ୍ୱର ସତ୍ତା ମଧ୍ୟ ଲୋପ ପାଇପାରେ । ତେଣୁ ଆଣବିକ ଧ୍ୱଂସର ତାଣ୍ଡବଲୀଳା ହୃଦୟଙ୍ଗମ କରିବାପରେ ମଧ୍ୟ ମାନବ ସଭ୍ୟତା ଆହୁରି ଅଧିକ ବେଗରେ ଆଣବିକ ଅସ୍ତ୍ରଶସ୍ତ୍ରକୁ ଆପଣେଇ ରଖି ବକ୍ଷ ଫୁଲାଇ ଚାଲିବା କ’ଣ ମହାମାନବୀୟତାର ପରିଚୟ ? ଏହା କ’ଣ ଏ ଦିବ୍ୟ ସୃଷ୍ଟିର ସତ୍ୟତାକୁ ପ୍ରତିପାଦିତ କରୁଛି ? ତେଣୁ ଶ୍ରୀ ଶଙ୍କରଙ୍କ ଭାବଗମ୍ଭୀର ଭାଷା  “ପରେ ବ୍ରହ୍ମାଣି କୋ’ପି ନ ସକ୍ତଃ”, ଏଠାରେ ନିଶ୍ଚିତରୂପେ ଯୁକ୍ତିଯୁକ୍ତ ଅଟେ ଅର୍ଥାତ୍‍ ଏତେ ସତ୍ୟତା ଜାଣିବି ମାନବ ସବୁକୁ ଏଡାଇ ବ୍ରହ୍ମବାଦୀ ହେବା ପରିବର୍ତ୍ତେ ଅହଂବାଦୀ ହୋଇ ଚାଲିଛି । ଏହାଠାରୁ ଦୁଃଖର ବିଷୟ ଆଉ କ’ଣ ହୋଇପାରେ !

**********************************************************************

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help