ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ – (ଷଷ୍ଠ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ – (ଷଷ୍ଠ ସ୍ତବକ)

କାତେ କାନ୍ତା କସ୍ତେ ପୁତ୍ରଃ – ସଂସାରୋ’ୟମତୀବ ବିଚିତ୍ରଃ

କସ୍ତ୍ୟ ତ୍ୱଂ କଃ କୁତ ଆୟାତଃ – ତତ୍ତ୍ୱଂ ଚିନ୍ତୟ ତଦିହ ଭ୍ରାତଃ …..(୮)

ଏହି ଶ୍ଳୋକଟିରେ ମାନବର ମାନବାବସ୍ଥା କେଉଁଠୁ ଆରମ୍ଭ, ତା’ର ସ୍ତ୍ରୀ, ପୁତ୍ରାଦିମାନେ କିଏ ଓ କେଉଁଠୁ ଆସିଲେ ଏବଂ ଏ ବିଚିତ୍ର ସଂସାରର ବାସ୍ତବିକତା କ’ଣ ହୋଇପାରେ ଆଦି ଉପରେ ପ୍ରଶ୍ନାବଳୀ ନିହିତ ଅଛି । ତେଣୁ ଜ୍ଞାନ ଚକ୍ଷୁରେ ଏହି ମୋହଗ୍ରସ୍ତତାର ବାଦଲକୁ ଅତିକ୍ରମ କରି ଏହାକୁ ସଠିକ୍‍ ଭାବେ ଅନୁଧ୍ୟାନ କରିବା ଏକାନ୍ତ ଆବଶ୍ୟକ । ତେଣୁ ଆସନ୍ତୁ ଏହାଉପରେ କିଞ୍ଚିତ୍‍ ଆଧ୍ୟତ୍ମିକ ଦର୍ଶନ ଓ ବିଜ୍ଞାନ ତତ୍ତ୍ୱକୁ ନେଇ ଆଗକୁ ବଢିବା ।

ଆଧ୍ୟାତ୍ମିକ ଦର୍ଶନ କହେ ଜୀବାତ୍ମା ହିଁ ପରମାତ୍ମାର ଅଂଶ ବିଶେଷ । ଜୀବାତ୍ମା ଜନ୍ମ – ମୃତ୍ୟୁ ଚକ୍ରରେ ଧାବମାନହୁଏ ଓ ପ୍ରତି ଜନ୍ମରେ ତା’ର ପ୍ରାରବ୍‍ଧ ସନ୍ନିହିତ ହୋଇ ରହିଥାଏ । ତେବେ ଜୀବାତ୍ମା ଧରା ପୃଷ୍ଠରେ ବିଭିନ୍ନ ଯୋନିରେ ପଞ୍ଚଭୂତ ଶରୀରକୁ ନେଇ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ତା’ର କ୍ରିୟା – କର୍ମ ସମ୍ପାଦନ କରି ପୁନର୍ବାର ମୃତ୍ୟୁ ଜଗତରେ ପ୍ରବେଶ କରେ । ସେଠାରେ ସେ ଇହଧାମରେ କରିଥିବା କର୍ମନୁସାରେ ପୁନଃ ଜନ୍ମର ଯୋନି ପ୍ରାପ୍ତହୁଏ ।  ସୃଷ୍ଟିର ଇଛାନୁସାରେ ଓ ଇଛା ବିରୁଦ୍ଧରେ କୃତକର୍ମକୁ ନେଇ ଯଥାକ୍ରମେ ଉଚ୍ଚ ଓ ନିଚ୍ଚ ଯୋନି ପ୍ରାପ୍ତ ହୋଇଥାଏ ।  ଏହାର ବାରମ୍ବାରତା ଅହରହ ଘଟିଚାଲେ, ଯେତେବେଳ ଯାଏ ସେ ଜନ୍ମ – ମୃତ୍ୟୁ ଚକ୍ରରୁ ମୁକ୍ତିଲାଭ କରି ପରମାତ୍ମାଙ୍କ ସହ ମିଳିତ ହୋଇ ନଥାଏ, ଯାହାକୁ ନିର୍ବାଣପ୍ରାପ୍ତି କୁହାଯାଏ । ଏହା ପ୍ରାପ୍ତ ନିମିତ୍ତ କଠୋର ସତ୍ୟକୁ ଜାବୁଡି ଧରି ସୃଷ୍ଟି ମଙ୍ଗଳରେ ନିଜକୁ ନିୟୋଜିତ କରିବା ହେଉଛି ଧରାରେ ଅବତୀର୍ଣ୍ଣ ପ୍ରତି ଜୀବାତ୍ମାଯୁକ୍ତ ଶରୀରର କର୍ତ୍ତବ୍ୟ । ଏହା ଏକ ସମାନୁପାତିକ ଧାରା, ଯାହା ନିଚ୍ଚରୁ ଉଚ୍ଚ ଯୋନିପ୍ରାପ୍ତିର କାରଣ ଓ ଶେଷରେ ନିର୍ବାଣପ୍ରାପ୍ତି କରାଇଥାଏ । ତେଣୁ ନିଜେ ଓ ନିଜପ୍ରତି ବନ୍ଧନଯୁକ୍ତ ଜୀବାତ୍ମାଧାରୀଙ୍କ ଆଦ୍ୟ, ଅନ୍ତଃ ଆଦି ସମ୍ବନ୍ଧରେ ଜ୍ଞାତ ହେବା ପାଇଁ ଓ ଏ ବିଚିତ୍ର ସଂସାରକୁ ସାଧାରଣ ଚର୍ମ ଚକ୍ଷୁରେ ଦେଖିବା ସମ୍ଭବପର ନୁହେଁ । ତେଣୁ ନିଜ ଚତୁଃପାର୍ଶ୍ୱରେ ଘୋଟି ରହିଥିବା ଅନ୍ଧାରକୁ ନିଜର ଦିବ୍ୟତାର ଅସ୍ତ୍ରରେ ଦୂରୀଭୂତ କରିବା ଆବଶ୍ୟକ ମନେହୁଏ । ସେଥିପାଇଁ ସତ୍‍ଚେତନା, ସତ୍‍କର୍ମହିଁ ନିଜସ୍ୱ ଦିବ୍ୟତା ବୃଦ୍ଧିର ମାର୍ଗ ଅଟେ ।

ବୈଜ୍ଞାନିକ ପର୍ଯ୍ୟବେକ୍ଷଣ ତଥ୍ୟ ପ୍ରକାଶ କରେ ଯେ, ଏ ବିଶ୍ୱ ସମୟ ଓ ସ୍ଥାନ(Space and Time)ର ପରିସରରେ ଆୟତ୍ତାଧିନ । ଯାହା ଜଣାଯାଏ, ଏକ ଅକ୍ଷ ବିଶିଷ୍ଟ ସମୟ ଓ ତ୍ରିଅକ୍ଷ ବିଶିଷ୍ଟ ସ୍ଥାନ ଅର୍ଥାତ୍‍ ଚତୁଃପରିମିତ (Four – Dimensional) ବିଶିଷ୍ଟ ହେଉଛି ଏ ବିଶ୍ୱବ୍ରହ୍ମାଣ୍ଡ । ପୁଣି ସୁତ୍ରକଳ୍ପ(String Theory) ଦର୍ଶାଏ ଏକ ବିନ୍ଦୁରେ ଆହୁରି ଅନେକ ପରିମିତମାନ ସୂକ୍ଷ୍ମାତି ସୂକ୍ଷ୍ମଭାବେ ଗୁଡେଇ ତୁଡେଇ ହୋଇ ରହିଛି ।  ଭିନ୍ନଭିନ୍ନ ପରିମିତ ଭିନ୍ନଭିନ୍ନ କ୍ରିୟାର ସମାହାର ଅଟେ । ଦିନୁଦିନ ଗବେଷଣାରୁ ଲବ୍‍ଧ ଜ୍ଞାନ ନୂଆ ନୂଆ ଚିତ୍ରପଟ୍ଟ ପ୍ରଦାନ କରୁଛି । ତେବେ ସମୟ ଓ ସ୍ଥାନରେ ସବୁକିଛି ସତ୍ତା ହରାଇ ବସିଥାଏ ଓ ଏ ଦୁଇର କ୍ଷଣିକ ପାରସ୍ପରିକ ନିବିଡତାରୁ ସବୁର ଉଦ୍ଦ୍‍ଭବ ଯାହାକୁ ବିଗ୍‍ବ୍ୟାଙ୍ଗ୍‍ ବିସ୍ଫୋରଣ(BIG BANG Explosion) କୁହାଯାଏ । ବିସ୍ଫୋରଣ ପରେପରେ ସୁପ୍ତ ବା ଏକରୂପେ ଥିବା ପାରସ୍ପରିକ କ୍ରିୟାର ନିଦ୍ରାଭଙ୍ଗ ବା ବିଛିନ୍ନ ହେବା, ଅନ୍ଧକାରମୟ ଜଗତ ଆଲୋକିତ ହେବା, ତାରକା , ଗ୍ରହ, ଗ୍ୟାଲାକ୍ସି ପୁଣି ଜୀବଜଗତ ଆଦିର ସୃଷ୍ଟି ! ବିଚିତ୍ର ଏ ସଂସାର ! ସମୟ, ସ୍ଥାନ, ପାରସ୍ପରିକ କ୍ରିୟା, ବସ୍ତୁ, ବିକିରଣ ……….. ଇତ୍ୟାଦି ଏକଇ ବିନ୍ଦୁରେ ଠୁଳ ଓ ତହିଁରୁ ଏ ବିଶାଳ ସୃଷ୍ଟି ସର୍ଜନା ! ଅବଚେତନାରୁ ଚେତନା ! ତେବେ ପ୍ରତ୍ୟେକ ଚଳତ୍‍ ଓ ଜଡ଼ର ଆଦ୍ୟ – ଅନ୍ତଃ ଜାଣିବା ଅତ୍ୟାଧୁନିକ ବୈଜ୍ଞାନିକ ଗବେଷଣା ବା ପର୍ଯ୍ୟବେକ୍ଷଣର ଜ୍ଞାନ ପରିସୀମା ବାହାରେ । କିଏ କେଉଁଠୁ ଆସିଲା ଓ କାହାର ମୃତ୍ୟୁ କିପରି ଘଟିବ, ତାହା ଜାଣିବା ଦୂରୁହ ବ୍ୟାପାର ଅଟେ । ବିଜ୍ଞାନ ପରିସରରେ ଏତାଦୃଶ ଜ୍ଞାନ-କୌଶଳର ଉଦ୍ଭବ ହୋଇପାରିନାହିଁ । ତେଣୁ “କରି କରାଉ ଥାଏ ମୁହିଁ …… ମୋ’ବିନୁ ଅନ୍ୟ ଗତି ନାହିଁ” ବା ଏ ବିଶ୍ୱ ଗଠନ ଓ ବିଲୁପ୍ତରେ ଜଣେ ସର୍ଜନାକାରୀ ବା ନିୟନ୍ତ୍ରକ ଥିବାର ଚେତନା ଜାଗ୍ରତ ହୁଏ । ଯାହାର ଇଛା ହିଁ ସବୁକିଛି, ଯାହାକୁ ସୃଷ୍ଟିର ଇଛା ବା ପ୍ରକୃତିର ନିୟମ କୁହାଯାଇ ପାରେ । କିଛି ଚିରସ୍ଥାୟୀ ନୁହେ ଜାଣି ମଧ୍ୟ ଚିରଦିନ ବଞ୍ଚିବାର ଲାଳସାରେ ମୋହିତ ହୋଇ ସୃଷ୍ଟିରେ କୁଠାରଘାତ ନ’କରିବାକୁ ଏ ଶ୍ଳୋକରେ ବାର୍ତ୍ତା ଦିଆଯାଇଛି ।

**********************************************************************

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help