ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ – (ସପ୍ତମ ସ୍ତବକ)
ସତ୍ସଙ୍ଗତ୍ୱେ ନିସ୍ସଙ୍ଗତ୍ୱଂ – ନିସ୍ସଙ୍ଗତ୍ୱେ ନିର୍ମୋହତ୍ୱମ୍
ନିର୍ମୋହତ୍ୱେ ନିଶ୍ଚଲ ତତ୍ତ୍ୱଂ – ନିଶ୍ଚଲ ତତ୍ତ୍ୱେ ଜୀବନ୍ ମୁକ୍ତିଃ |
ଏ ଶ୍ଳୋକରେ ଶ୍ରୀ ଶଙ୍କର ମାନବର ମୁକ୍ତି – ମାର୍ଗ ଉପରେ ଏକ କ୍ରମିକ ଧାରାରେ ନିଜକୁ ଅନ୍ତର୍ଭୁକ୍ତ ସକାଶେ ସମାଜକୁ ଦିବ୍ୟବାର୍ତ୍ତା ଦେଇଛନ୍ତି । ଏହା ସିଡିରେ ଚଢି ତଳ ପାହାଚରୁ ଉପର ପାହାଚକୁ ଯିବା ସଦୃଶ ଅଟେ । ଏହାହିଁ କ୍ରମାନ୍ୱୟରେ ମାନବକୁ ବସ୍ତୁବାଦ ଦୁନିଆଁର ଦୃଢ ବନ୍ଧନରେ ବାନ୍ଧିହୋଇ ଲିପ୍ତ ଥିବା ସବୁପ୍ରକାର କୁକର୍ମରୁ ଦୂରେଇ ଯାଇ ନିଜକୁ ମୁକ୍ତିଗାମୀ କରିପାରିବ । ତତ୍ସଙ୍ଗେସଙ୍ଗେ ଏହାର ପ୍ରଭାବ ସମାଜରେ ବିସ୍ତାରିତ ହୋଇ ନଷ୍ଟକାରୀ ବହ୍ନିକୁ ନିର୍ବାପିତ ପୂର୍ବକ ଅତି କମ୍ରେ ଆଉଜଣକୁ ମୁକ୍ତିକାମୀ କରାଇବାର କାରଣ ହେବ ।
ଜୀବନ ଧାରାରେ ନିଜକୁ ସାତ୍ତ୍ୱିକବ୍ରତୀ କରାଇ ଉଚ୍ଚ ସୋପାନରେ ପହଞ୍ଚିବାକୁ ହେଲେ, ପ୍ରଥମ ପାବଚ୍ଛ ବା ମୂଳଦୁଆର ଗୁରୁତ୍ୱ ସବୁଠୁ ଅଧିକ । ଏହା ସାଧୁସଙ୍ଗ ବା ସତ୍ସଙ୍ଗ ଅଟେ । ଏହିଠାରୁ ଆରମ୍ଭ ହୁଏ ସାତ୍ତ୍ୱିକତାର ଉତ୍ଥାନ । ଯଦି ଜଣେ ସାଧାରଣ ବ୍ୟକ୍ତି ଚୋର – ଡକାୟତମାନଙ୍କ ଗହଣରେ ରହିଥାଏ କିମ୍ବା ସେମାନଙ୍କ ସମ୍ପର୍କରେ ବାରମ୍ବାର ଆସେ, ତେବେ ସେ ମଧ୍ୟ ସେହି ପ୍ରକାରର ହେବା ନିଶ୍ଚିତ ପ୍ରାୟ । ସେହିଭାବେ ବାରମ୍ବାର ସତ୍ସଙ୍ଗ ଯୋଗୁଁ ମାନବୀୟ ଉଦାରୀକରଣର ସତ୍ତା ମନଗହନରେ ଜମାଟ ବାନ୍ଧେ । ମନ ଜଟିଳତାରୁ ଧାବମାନହୁଏ ସରଳତାକୁ । ଫଳରେ ମାୟା – ମୋହ ଜଡିତ ବସ୍ତୁବାଦର ଭୋଗ ଲାଳସା ଦୁନିଆଁରୁ ଦୂରେଇ ରହିବାକୁ ଇଛା ପ୍ରକଟ ହୁଏ । କ୍ରମେ କ୍ରମେ ଭୋଗ ଲାଳସାରୁ ବିଚ୍ଛିନ୍ନ ହୋଇ ନିର୍ଜନତା ପରିବେଶକୁ ମନ ଆକୃଷ୍ଟ ହୁଏ, ଅର୍ଥାତ୍ “ସତ୍ସଙ୍ଗତ୍ୱେ ନିସ୍ସଙ୍ଗତ୍ୱଂ” । ତେଣୁ ନିସ୍ସଙ୍ଗତ୍ୱ(Non-attachment) ହେଉଛି ମାନବର ସାତ୍ତ୍ୱିକ ଉତ୍ଥାନ କ୍ରମରେ ଦ୍ୱିତୀୟ ପାବଚ୍ଛ । ଏତାଦୃଶ ବିଚ୍ଛିନ୍ନ ପରିବେଷ୍ଟନୀରେ ଦିବ୍ୟଚେତନା ବଳିଷ୍ଠ ହେବାକୁ ଲାଗେ । ତେଣୁ ନିଜ କର୍ମକୁ କେବଳ ପରୋପକାରରେ ହିଁ ସୀମାବଦ୍ଧ କରିଦିଏ । ଲାଳସାର ରାଜ୍ୟରେ ପରାଜୟ ବରଣ କରିଥିବା ମନ କ୍ରମେ ସ୍ୱାଧିନତା ପ୍ରାପ୍ତିର ଅପୂର୍ବ ସ୍ୱାଦ ଚାଖି ଚାଲେ । ଏହାକୁ ମୋହଭଙ୍ଗର ଅବସ୍ଥା ବା ମାନବ ଉଚ୍ଚକୁ ଉଠି ତୃତୀୟ ପାବଚ୍ଛରେ ପଦାର୍ପଣ କରେ । ମୋହଶୂନ୍ୟତାରୁ ପରିପ୍ରକାଶ ପାଏ ନିଶ୍ଚଳତା ( State of Tranquility) ଭାବ, ଅର୍ଥାତ୍ ଉତ୍ଥାନର ଚତୁର୍ଥ ପାହାଚ । ତେଣୁ ଘୋଟକ ପରି ଧାଉଁଥିବା ମନ ଆୟତ୍ତାଧିନ ହୋଇଯାଏ । ମନର ଆୟତ୍ତରୁ ଆପଣାଛାଏଁ ଜୀବନ ମୁକ୍ତିର ପଥ ପରିଷ୍କାର ହୋଇଯାଏ, ଯାହାକୁ ମାନବୀୟ ଉତ୍ଥାନର ଶେଷ ବା ପଞ୍ଚମ ପାବଚ୍ଛ କୁହାଯାଏ । ଏହାର ଓଲଟା ଦିଗ ଯାହାକି ମାନବର ପତନର କାରଣ ହୁଏ, ତାହା ପ୍ରଥମେ ବସ୍ତୁବାଦ ଦୁନିଆଁ ସହ ଦୃଢ ସଂଯୋଗୀକରଣରୁ ଆରମ୍ଭ ହୁଏ । ଏହା ଲାଳସାର ଅସୀମତାକୁ ବୃଦ୍ଧି କରିଥାଏ । କ୍ରମେ କ୍ରୋଧ ଓ ମୋହର ଶୀକାରରେ ଅସ୍ତବ୍ୟସ୍ତ ଏବଂ ମସ୍ତିଷ୍କ ବିଚଳିତ ହୁଏ । ବିଚଳିତ ମନହିଁ ମାନବୀୟତାର ଧ୍ୱଂସ ଓ ବିନାଶର କାରଣ ଅଟେ ।
ଏହାର ଅନ୍ୟ ଏକ ଦିଗପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇ ବ୍ୟାଖ୍ୟା କରାଯାଇପାରେ । (1) ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତ ରହି କ୍ଳାନ୍ତ ଶରୀର ସତ୍ଜ୍ଞାନ ଆହରଣ କରିବା ନିମନ୍ତେ ସତ୍ସଙ୍ଗରେ ସାମିଲ ହେବାକୁ ଯେଉଁ ମାତ୍ରାରେ ଇଛା ତାହା ହୋଇ ପାରେନି । (2) ବ୍ୟକ୍ତି ଅନୁଭବ କରେ ଯେ, ଆଜିର ସମାଜରେ ଦୃଶ୍ୟମାନ ଅନେକ ଅନେକ ବକ୍ତାଙ୍କ ବାର୍ତ୍ତା ଓ କର୍ମ ବିପରୀତମୁଖୀ । (3) ବାରମ୍ବାର ସତ୍ସଙ୍ଗରେ ଜଡିତ ଅନେକ ଚରିତ୍ରରେ ଯୁକ୍ତାତ୍ମକ ପରିବର୍ତ୍ତନର ଲେଶ ମାତ୍ର ପ୍ରକାଶିତ ହୁଏନାହିଁ ଓ ବସ୍ତୁବାଦ ଦୁନିଆଁର ଆକର୍ଷଣରେ ସ୍ୱାର୍ଥପରତା, ପରଶ୍ରୀକାତରତା ଆଦି ଗୁଣଯୁକ୍ତ ହୋଇଥାଏ । (4) ସକରାତ୍ମକ ଗୁଣଧାରୀ ବ୍ୟକ୍ତିଟି ମାନବୀୟ କୃତ ଅନେକ ପ୍ରକାର ନକରାତ୍ମକ ଆକ୍ରମଣର ଶୀକାର ହୋଇଚାଲେ ।
ଜଣେ ବ୍ୟକ୍ତି ଯଦି ଏହି ପ୍ରକାର ଅନୁଭୂତି ପ୍ରାପ୍ତ ହୁଏ, ତେବେ ସେ ପ୍ରକୃତିକୁ ସତ୍ସଙ୍ଗ ରୂପେ ଆଦରିନିଏ । ପ୍ରକୃତିର ସମୟାନୁବର୍ତ୍ତିତା, ସମଭାବତା, କର୍ମ ନିପୁଣତା, ନିୟମାନୁବର୍ତ୍ତିତା, ଅହଂଶୂନ୍ୟତା ଆଦିର ଗୁଣରେ ସେ ପ୍ରଭାବିତ ହୋଇ ଖୋଜେ ନିଜପାଇଁ ନିର୍ଜନତା । ସୂର୍ଯ୍ୟ, ଚନ୍ଦ୍ର, ଆକାଶ, ପୃଥିବୀ, ନଦୀ, ସମୁନ୍ଦ୍ର, ପାହାଡ, ପର୍ବତ, ଜଙ୍ଗଲ, ପୁଷ୍ପ, ତରୁ, ଲତା. ଷଡୠତୁ, ପ୍ରାକୃତିକ ଦୂର୍ବିପାକ ଆଦି ନିଜପାଇଁ ସତ୍ସଙ୍ଗ ସଦୃଶ ଉଭା ହୁଅନ୍ତି । ସେମାନଙ୍କ ଦିବ୍ୟ ବାର୍ତ୍ତାରେ ସେ ଉଦ୍ବୁଦ୍ଧ ହୋଇଉଠେ । ନିଜ କର୍ମ ସେହି ଧାରାରେ ପରିପ୍ରକାଶ ହୁଏ । ଅର୍ଥାତ୍ ମାନବୀୟ କୁକର୍ମ ଧାରାରୁ ସେ ଦୂରେଇ ଯାଏ, ଯାହାକୁ ନିସଙ୍ଗତ୍ୱଂ କୁହାଯାଇପାରେ । ଏହାର ବୃଦ୍ଧିରେ ବ୍ୟକ୍ତିର ବସ୍ତୁବାଦ ଦୁନିଆଁରୁ ଆସକ୍ତି କମି କମି ଯାଇ ନିର୍ମୋହତ୍ୱମ୍ ଅବସ୍ଥାରେ ପଦାର୍ପଣ ଲରିଥାଏ । ଏହି ଭାବର ଦୃଢ ବନ୍ଧନରେ ସେ ନିଶ୍ଚଳ ଅବସ୍ଥାରେ ପହଞ୍ଚେ । ଅର୍ଥାତ୍ ନିନ୍ଦା ଓ ପ୍ରଶଂସା ତା’ପାଇଁ ପ୍ରଭାବ ହୀନ ହୁଏ । ଦୁଃଖରେ ମ୍ରିୟମାଣ ହେବା ଓ ଆନନ୍ଦରେ ବିଭୋର ହେବାର ଲକ୍ଷଣ ଉଭେଇ ଯାଏ । ତେଣୁ ସବୁ ପରିସ୍ଥିତିରେ ଅଟଳ ରହି ସେ ସତ୍କର୍ମବ୍ରତୀ ହୋଇ ଆଗେଇଚାଲେ, ଯାହାକୁ ଜୀବନ ମୁକ୍ତିର ମାର୍ଗ କହିଲେ ଅତ୍ୟୁକ୍ତି ହେବନାହିଁ ।
ଏହି ଆଧ୍ୟାତ୍ମିକ ନିର୍ଯ୍ୟାସ ବିଜ୍ଞାନର ପାରମାଣବିକ ତତ୍ତ୍ୱ (Atomic Theory) ସହ ସମାନତା ଥିବାର ପ୍ରାୟ ପରିଲକ୍ଷିତ ହେଉଅଛି । ଅଦ୍ୟାବଧି ଜଣାଯାଇଥିବା ମୌଳିକ ପଦାର୍ଥ (Elements)ଗୁଡିକୁ ଗୁଣ – ଧର୍ମ – ପାରସ୍ପରିକ କ୍ରିୟା ଆଦିକୁ ନେଇ ଏକ ଏକ ଅବଧି କ୍ରମରେ ସଜାଇ ଦିଆଯାଇଛି ଯାହାକୁ କୁହାଯାଏ ପିରିୟଡିକ୍ ସାରଣୀ(Periodic Table) । ଏହି ସାରଣୀ ସବୁଠୁ ହାଲୁକା ମୌଳିକ ପଦାର୍ଥ(Light Elements) ଉଦ୍ଜାନ (Hydrogen)ରୁ ଆରମ୍ଭ ହୋଇ ଭାରୀ ମୌଳିକପଦାର୍ଥ(Heavy Elements) କ୍ରମରେ ସଜାଯାଇଅଛି, ଯଥା – ହିଲିୟମ୍, ଲିଥିୟମ୍ …….. ଆଦି । ଉଦ୍ଜାନ ନାଭିକ(Nucleus)କୁ ଗୋଟିଏ ଇଲେକ୍ଟ୍ରନ୍ ପରିକ୍ରମା କରେ, ହିଲିୟମ୍ ନାଭିକକୁ ଦୁଇଟି, ଲିଥିୟମ୍ ନାଭିକକୁ ତିନୋଟି …….. ଆଦି କ୍ରମରେ ପରିକ୍ରମା କରନ୍ତି । ଏହିଭାବେ, ନାଭିକର ପ୍ରୋଟନ୍ ସଂଖ୍ୟା ସହ ଇଲେକ୍ଟ୍ରନ୍ ସଂଖ୍ୟା ସମାନରହେ ଓ ଭାରୀ ମୌଳିକପଦାର୍ଥର ନାଭିକ ମଧ୍ୟ ଓଜନଦାର(Heavy Nucleus) ହୁଏ । ଓଜନଦାର ନାଭିକର ଆକର୍ଷଣ ବଳ ହାଲୁକା ନାଭିକଠୁଁ ଅଧିକ ଓ ପ୍ରତ୍ୟେକ ନାଭିକର ଯୁକ୍ତ ବୈଦ୍ୟୁତିକ ଚାର୍ଜ ବହନ କରୁଥିବା ପ୍ରୋଟନ୍ ସଂଖ୍ୟା ସହ ବିଯୁକ୍ତ ବୈଦ୍ୟୁତିକ ଚାର୍ଜ ବହନକାରୀ ଇଲେକ୍ଟ୍ରନ୍ ସଂଖ୍ୟା ସମାନ ଏବଂ ପରମାଣୁ ଗୁଡିକ ବାହ୍ୟରୂପେ ଶୁନଚାର୍ଜ(Charged Neutral)ର ଏକ ସନ୍ତୁଳିତ ଅବସ୍ଥା(State of Equilibrium)ର ପ୍ରଦର୍ଶିତ କରିଥାଏ । ଏହା ନିଶ୍ଚିତରୂପେ ଅସଂଖ୍ୟ ଦାର୍ଶନିକ ତତ୍ତ୍ୱର ସମାହାର କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରତ୍ୟେକ ପରମାଣୁ ଏକ ଏକ ସ୍ୱତନ୍ତ୍ର ପରିବେଷ୍ଟନୀ ଅଟେ ଓ ଏହାର ନାଭିକର ବୈଦ୍ୟୁତିକ ଏବଂ ମହାକର୍ଷଣୀୟ ଆକର୍ଷଣ ବଳ ଏହାର ଭାରୀତ୍ୱ(Heaviness) ସହ ସମାନୁପାତିକ(Proportional) । ତେବେ ନାଭିକକୁ ଏତାଦୃଶ ଆକର୍ଷଣୀୟ ବଳ ଅର୍ଥାତ୍ ମୋହ – ମାୟା ଯୁକ୍ତ ସବୁପ୍ରକାର ଲାଳସାର ସମାହାର ଏବଂ ଘୂର୍ଣ୍ଣନରତ ଇଲେକ୍ଟ୍ରନ୍ ଗୁଡିକୁ ପରିବାରର ସଦସ୍ୟ ରୂପେ ବିବେଚନା କରାଯାଇପାରେ । ଇଲେକ୍ଟ୍ରନ୍ ଗୁଡିକ ଲାଳସାର ବନ୍ଧନରେ ନାଭିକସହ ବାନ୍ଧିହୋଇ ଅହରହ ଘୂରୁଥା’ନ୍ତି । ଯେଉଁ ଇଲେକ୍ଟ୍ରନ୍ ଯେତେ ମୋହ – ମାୟାରେ ଆସକ୍ତ, ସେ ସେତିକି ପାଖାପାଖି କକ୍ଷରେ ଘୁରେ । ଅର୍ଥାତ୍ ପ୍ରଥମ କକ୍ଷ(First Orbit), ଦ୍ୱିତୀୟ କକ୍ଷ(Second Orbit) …….. କ୍ରମରେ ଇଲେକ୍ଟ୍ରନ୍ ଗୁଡିକର ଆସକ୍ତିର ମାତ୍ରା କମି କମି ଯାଏ । ତେବେ ଦେଖାଯାଏ ଧାତବ ମୌଳିକପଦାର୍ଥ (Metallic Elements) ଗୁଡିକର ଶେଷ କକ୍ଷ(Outermost Orbit) ର ଇଲେକ୍ଟ୍ରନ୍ ଗୁଡିକ ମୁକ୍ତପ୍ରାୟ ରହି ଘୂରନ୍ତି ବା ନାଭିକ ସହ ସର୍ବନିମ୍ନ ଆସକ୍ତିରେ ଜଡିତ ହୋଇଥା’ନ୍ତି । ଏହି ମୁକ୍ତଭାବେ ବିଚରଣ କରୁଥିବା ଇଲେକ୍ଟ୍ରନ୍ ଧାତବ ପଦାର୍ଥର ପୃଷ୍ଠରେ ରହିଥା’ନ୍ତି, ଯାହାକୁ ନିଶ୍ଚଳ ତତ୍ତ୍ୱାବସ୍ଥାର ଏକ ଅନୁମାନ କୁହାଯାଇପାରେ । ସାମାନ୍ୟ ବୈଦ୍ୟୁତିକ ଇସାରାରେ ଏମାନେ କ୍ଷଣକେ ବନ୍ଧନ ମୁକ୍ତ ହୁଅନ୍ତି । କକ୍ଷଗୁଡିକୁ ଶକ୍ତିସ୍ତର(Energy Level) କୁହାଯାଏ । ପ୍ରଥମ ଶକ୍ତିସ୍ତରରେ ଥିବା ଇଲେକ୍ଟ୍ରନ୍କୁ ବାହ୍ୟ ଶକ୍ତି ବଳରେ ଉତ୍ତେଜିତ କରାଇ ଦ୍ୱିତୀୟ, ତୃତୀୟ …. ଆଦି ଶକ୍ତିସ୍ତରରୁ ଶେଷସ୍ତର ଯାଏ ଡିଆଁଇବା ପାଇଁ ସେହି ସେହି ମାତ୍ରାର ନିର୍ଦ୍ଧାରିତ କକ୍ଷ – ଶକ୍ତିକୁହିଁ ଇଲେକ୍ଟ୍ରନ୍ ଗ୍ରହଣ କରେ ଓ ଯେକୌଣସି ଦୁଇ ଶକ୍ତିସ୍ତରର ମଧ୍ୟବର୍ତ୍ତୀ ଶକ୍ତିକୁ ସେ ଆଦୌ ଗ୍ରହଣ କରେନି । ଏହାହିଁ ରହସ୍ୟମୟ ଓ ଜୀବନର ସାତ୍ତ୍ୱିକୀକରଣରେ ଉନ୍ନିତ ସିଡି ପାହାଚ ସଦୃଶ ଅଟେ । ପ୍ରତ୍ୟେକ କକ୍ଷ ବା ଶକ୍ତିସ୍ତର ଏକ ଏକ ସିଡି ପାହାଚପରି । ବାହ୍ୟଶକ୍ତି ବଳରେ ଇଲେକ୍ଟ୍ରନ୍ଟି ପାହାଚ ଡେଇଁବା ସହ ମାନବୀୟ ଦିବ୍ୟତା ବୃଦ୍ଧି ଅର୍ଥାତ୍ ବାହ୍ୟଶକ୍ତି ପ୍ରଭାବରେ ସତ୍ସଙ୍ଗରୁ ଜୀବନମୁକ୍ତିଯାଏ ପାହାଚ ଡେଇଁବା ସମଚେତନାର ପରିଭାଷାକୁ ବୁଝାଏ । ଏହା କ’ଣ ଜୀବନ ତତ୍ତ୍ୱ ଏବଂ ବିଜ୍ଞାନ ତତ୍ତ୍ୱର ଏକ ଅପୂର୍ବ ସମନ୍ୱୟତା(Co-existence)ର ଉଦାହରଣ ନୁହେଁକି ?
ପୁଣି ଯେପରି ବାହ୍ୟଶକ୍ତି ଦ୍ୱାରା ଇଲେକ୍ଟ୍ରନ୍ଟିକୁ ଶେଷ ଶକ୍ତିସ୍ତର ଯାଏ ନ ନେଇ କୌଣସି ଏକ କକ୍ଷରେ ଛାଡିଦିଆଯାଏ, ତେବେ ସେ ଏକ ମାଇକ୍ରୋ ସେକେଣ୍ଡର ଆହୁରି ସୂକ୍ଷ୍ମାତିସୂକ୍ଷ୍ମ ବ୍ୟବଧାନରେ ସ୍ୱସ୍ଥାନକୁ ଫେରିଆସେ ଏବଂ ତତ୍ସଙ୍ଗେସଙ୍ଗେ ପ୍ରାପ୍ତ ଶକ୍ତି ଆପଣାଛାଏଁ ବିକିରିତ(Radiated) ହୁଏ । ସେହିପରି ଯଦି ମାନବ ପ୍ରାପ୍ତ ଦିବ୍ୟଶକ୍ତି ବଳରେ ଉନ୍ନୀତ ସୋପାନରେ ପୁନଃପୁନଃ ଜାଗତିକତାର ସଂଶ୍ଳିଷ୍ଟରେ ସମ୍ପୃକ୍ତ ନ’ହୁଏ ଅଥବା ଏହାର ଅପପ୍ରୟୋଗ କରେ, ତାହା ଆପଣାଛାଏଁ ନିଜଠାରୁ ଉଭାନ୍ ହୋଇଯାଏ ଓ ସେ ପୁଣି ମୋହ – ମାୟାର ବନ୍ଧନରେ ଜଡିତ ହୋଇଯାଏ । ଏହାହିଁ ପ୍ରକୃତିର ନିୟମ ଯେ, ଦିବ୍ୟ ହେଉ ବା ପାପଶକ୍ତି ହେଉ, ତାହାର ଓଲଟା ପ୍ରୟୋଗରେ ମାନବ ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କରେ । ଅର୍ଥାତ୍ ଦିବ୍ୟତାରୁ ପାପାଶକ୍ତ କିମ୍ବା ପାପାଶକ୍ତରୁ ଦିବ୍ୟତାର ପରିପ୍ରକାଶ ଘଟେ । ତେବେ ଏଠାରେ ଇଲେକ୍ଟ୍ରନ୍ କେବଳ ବାହ୍ୟ ପ୍ରଭାବରେ ଉତ୍ତେଜିତ ହୁଏ, ଅଥଚ ମାନବ ବାହ୍ୟ ପ୍ରଭାବ କିମ୍ବା ନିଜସ୍ୱ ଆବାହନ ଦ୍ୱାରା ଉଚ୍ଚ ସୋପାନକୁ ଯାଏ । କାରଣ ହେଲା ଜଡ଼ରେ ଚେତନା ଅତିସୁପ୍ତ ଅବସ୍ଥା(Ultra Sleeping Mode)ରେ ରହିଥାଏ, ଯାହାର ପରିପ୍ରକାଶପାଇଁ ସେହି ମାତ୍ରାର ପ୍ରକମ୍ପନ(Vibration) ସୃଷ୍ଟି ହେବା ଅତ୍ୟନ୍ତ କଠିନତମ ବ୍ୟାପାର ଅଟେ । କିନ୍ତୁ ମାନବ ସବୁ ଚେତନାର ଆଧାର ଅଟେ, ଯାହା ଅତିସୁପ୍ତ ଅବସ୍ଥାରେ ରହିନଥାଏ । ତେଣୁ ସେ ବାହ୍ୟପ୍ରଭାବ ଓ ନିଜସ୍ୱ ସାଧନାରେ ଉଚ୍ଚ ସୋପାନକୁ ଯାଇପାରେ । ଏହା ଜଡ଼ ଓ ଚଳତ୍ ବା ଜୀବନ୍ତ ମଧ୍ୟରେ ତଫାତ୍ । କିନ୍ତୁ ଇଲେକ୍ଟ୍ରନ୍ ତ ଅହରହ ଚଳତ୍, କିନ୍ତୁ ଭାଷା ଶୁନ୍ୟ । ତେବେ ଜଡ଼ରେ ଜୀବନ ସୁପ୍ତରୂପେ ରହିଛି ଓ ପରିବେଶର ତାଡନାରେ ତାହାର ଭାଷା ପରିପ୍ରକାଶ ହୋଇପାରେ ବୋଲି ଅନୁମାନ କରାଯାଇପାରେ । ଏହା ସୂକ୍ଷ୍ମ ଜଗତରୁ ସ୍ଥୂଳ ଜଗତ ଯାଏ ପରିବ୍ୟାପ୍ତର ସମ୍ଭାବନା ସୃଷ୍ଟି କରେ ଓ ବିଜ୍ଞାନ ତତ୍ତ୍ୱରେ ଏକ ପ୍ରଶ୍ନବାଚୀ ଅଟେ । ପୁରାଣରେ ମଧ୍ୟ ଏହା ଦର୍ଶାଯାଇଛି, ଯଥା – ମାତା ଅହଲ୍ୟା ଜୀବନ୍ତରୁ ଜଡ଼ ଓ ଜଡରୁ ଜୀବନ୍ତ,ଶ୍ରୀ ଗଣେଶ ଜଡ଼ରୁ ଜୀବନ୍ତ, ଆଦି ଅନେକ ଅନେକ ଉଦାହରଣ ରହିଛି । ପୁନଶ୍ଚ ଯୋଗୀ, ୠଷି, ମୁନି, ସନ୍ୟାସୀଙ୍କ ମଧ୍ୟରୁ କେତେ ନିଜ ସାଧନାର ଶକ୍ତିକୁ ଅପପ୍ରୟୋଗ କରି ପୁନର୍ବାର ସାଧାରଣ ମାନବସ୍ତରର ପ୍ରାପ୍ତ ହୋଇଛନ୍ତି ଓ ସେମାନଙ୍କ ପୁଣ୍ୟବଳ ଉଭାନ୍ ହୋଇ ମହାଜାଗତିକ ଉତ୍ସରେ ମିଶିଯାଇଛି । ଏହା ମାନସପଟ୍ଟରେ ଉଙ୍କି ମାରୁଥିବା ଚିନ୍ତନର ଉଦ୍ଗତ ଅଟେ, ଯାହା ସମ୍ପୂର୍ଣ୍ଣ ସତ୍ୟ ହୋଇ ନପାରେ । ତଥାପି ଜଗତର ଯତ୍କିଞ୍ଚିତ୍ ମଙ୍ଗଳ ହେବାର ଆଶାରେ ଆଧ୍ୟାତ୍ମିକତା ଓ ବିଜ୍ଞାନର ମିଶ୍ରଣ କରାଇବାପାଇଁ ଏହା ଏକ ନିମିତ୍ତ ପ୍ରଚେଷ୍ଟା ମାତ୍ର ।
*******************************************************************