ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଅଷ୍ଟମ ସ୍ତବକ)
ବୟସିଗତେ କଃ କାମ ବିକାରଃ – ଶୁଷ୍କେ ନୀରେ କଃ କାସାରଃ
କ୍ଷୀଣେ ବିତ୍ତେ କଃ ପରିବାରଃ – ଜ୍ଞାତେ ତତ୍ତ୍ୱେ କଃ ସଂସାରଃ ….(୧୦)
ଏ ଶ୍ଳୋକରେ ଶ୍ରୀ ଶଙ୍କର ଦୁନିଆଁର କିଛି ବାସ୍ତବତାର ଦୃଶ୍ୟପଟ୍ଟକୁ ସମ୍ମୁଖରେ ରଖି ମାନବ ସମାଜକୁ ଦିଗ୍ଦର୍ଶନ ଦେଇଛନ୍ତି । ଏଠାରେ ସେ ଦର୍ଶାଇଛନ୍ତି କିଭଳି ସମୟ ସହ ଏକ ପାରସ୍ପରିକ ଆବେଗପୂର୍ଣ୍ଣ ଆକର୍ଷଣୀୟ ପରିବେଶ ପରିବର୍ତ୍ତିତ ହୋଇଯାଏ ବିକର୍ଷଣକୁ । ଭିନ୍ନ ଭିନ୍ନ ଟିପ୍ପଣୀ ଦ୍ୱାରା ଏହାକୁ ବ୍ୟାଖ୍ୟା କରାଯାଇଛି । ଶ୍ରୀ ଶଙ୍କର କାରଣ ବିନା ଫଳାଫଳ ଅସ୍ତିତ୍ୱ ଶୂନ୍ୟ ବୋଲି ଜୀବନର ସତ୍ୟତାକୁ ଚାରି ପ୍ରକାର ଉଦାହରଣ ମାଧ୍ୟମରେ ବୁଝାଇଛନ୍ତି, ଯଥା-
(୧) ବୟସ ବୃଦ୍ଧିରେ ଇନ୍ଦ୍ରିୟାସକ୍ତର ଅନୁଭବତା ଲୋପ ପାଇ ଚାଲେ ।
(୨) ହ୍ରଦ ବା ଜଳାଶୟରୁ ଜଳ ଶୁଖିଗଲେ ସେ ଆଉ ଜଳାଶୟ ହୋଇ ରହେନି ।
(୩) ବ୍ୟକ୍ତି ଧନହୀନ ହେଲେ ସମ୍ପର୍କୀୟ ମାନେ ଦୂରେଇ ଯାଆନ୍ତି ।
(୪) ଯେତେବେଳେ ଜଣେ ଜୀବନର ଚରମ ସତ୍ୟକୁ ଅନୁଭବ କରେ, ତା’ପାଇଁ ସଂସାରର ଅସ୍ତିତ୍ୱ ଉଭାନ୍ ହୋଇଯାଏ ।
ତେବେ ଉପରୋକ୍ତ ଚାରି ଉଦାହରଣର କାରଣମାନ ଯଥାକ୍ରମେ ଯୌବନ, ଜଳ, ଧନ ଓ ଚରମ ସତ୍ୟକୁ ବୁଝାଏ । ଏଠାରେ ଦାତା – ଗ୍ରହୀତା, ସୁବିଧା ଦେବା – ସୁବିଧା ନେବା, …….. ଇତ୍ୟାଦିକୁ ଏକ ଭାଷାରେ ଉତ୍ସ(Source) ଓ ଅବଉତ୍ସ(Sink) ରୂପେ ଚିନ୍ତା କରାଯାଇ ପାରେ । ତେବେ ଏତାଦୃଶ ଯୋଡ ଶବ୍ଦର ପ୍ରଥମ ଶବ୍ଦଗୁଡିକର ସାମର୍ଥ୍ୟ ଥିବାଯାଏ ଦ୍ୱିତୀୟ ଶବ୍ଦଗୁଡିକ ଆପଣାଛାଏଁ ଘେରି ରହିଥାଆନ୍ତି କିମ୍ବା ଆକର୍ଷିତ ହୋଇ ରହିଥାଆନ୍ତି। ପରନ୍ତୁ ସାମର୍ଥ୍ୟହୀନତାରେ ଆକର୍ଷଣ ବଦଳିଯାଏ ବିକର୍ଷଣକୁ ।
ଯୌବନ ପ୍ରାପ୍ତିରେ ଶୃଙ୍ଗାର ରସ ଶରୀରରେ ସର୍ବାଧିକ ମାତ୍ରାରେ ପ୍ରବାହ ହୁଏ । ମନରେ ପ୍ରବଳ ଉଦ୍ଦୀପନା ଜାଗେ । କାମାନଳରେ ଜର୍ଜରିତ ହୋଇ ଅନେକ ଏହାର ଅସଦ୍ବିନିଯୋଗରେ ଲିପ୍ତ ରହନ୍ତି । ବୃଦ୍ଧାବସ୍ଥାରେ ଏହାର ପ୍ରବାହ ଅତ୍ୟନ୍ତ କ୍ଷୀଣ ବା ଆଦୌ ନ’ଥାଏ କହିଲେ ଚଳେ । ତେଣୁ ଏ ଅବସ୍ଥାରେ କାମରସଶୂନ୍ୟ ଶରୀର ପୁନଃ ଯୌବନଯୁକ୍ତ ହେବା ଅସମ୍ଭବ । ସେହିପରି ନଦୀ, ପୋଖରୀ, ହ୍ରଦ ଆଦି ଜୀବଜଗତକୁ ଜଳ ଯୋଗାଏ । ସର୍ବେ ଆନନ୍ଦରେ ଏହାର ଜଳ ବ୍ୟବହାର କରନ୍ତି ଓ ଏହା ନିକଟରେ ରୁଣ୍ଡ ହୁଅନ୍ତି । କିନ୍ତୁ ଜଳ ଶୁଖିଗଲେ ଏହାର ଗୁରୁତ୍ୱ ଆପଣାଛାଏଁ ନିଶ୍ଚିନ୍ନ ହୋଇଯାଏ । କେହି ଆସନ୍ତିନି କି ରୁଣ୍ଡ ହୁଅନ୍ତିନି, ଉତ୍ସର ଭଣ୍ଡାର ବର୍ତ୍ତମାନ ଶୂନ୍ୟ ଅଟେ । ଏହା ମଧ୍ୟ ପରିବାରର ପରିସରରେ ଦୃଶ୍ୟମାନ ହୁଏ । କପର୍ଦ୍ଦକଯୁକ୍ତ ପରିବାରର ମୁଖ୍ୟ ନିକଟରେ ସର୍ବେ ଆକର୍ଷିତ ହୋଇ ରହି ପରସ୍ପରର କୁଶଳରେ ଲିପ୍ତ ରହନ୍ତି । କିନ୍ତୁ ବୃଦ୍ଧତ୍ୱ ପ୍ରାପ୍ତିରେ କପର୍ଦ୍ଦକ ଶୂନ୍ୟ ବ୍ୟକ୍ତି ସମୀପକୁ ପରିବାର ବର୍ଗ ଆକର୍ଷିତ ହେବା ପରିବର୍ତ୍ତେ ଏକପ୍ରକାର ଛାଡପତ୍ର ଦେଇଥିବାର ଅନୁଭୂତ ହୁଏ । ଦାତ୍ତାଠାରୁ ମିଳିବାର ଆଶା ମଉଳିଗଲେ ସେତେବେଳେ ସେ ନିଃସ୍ୱ ଓ ନିର୍ଜନତାର ପରିବେଶକୁ ଠେଲି ହୋଇଯାଏ । ଥୁଣ୍ଟାବୃକ୍ଷ ଛାୟା ବିହୀନ ଅଟେ, ନାଁ କ୍ଳାନ୍ତ ପଥିକ ବିଶ୍ରାମ ପାଇଁ ସେଠାକୁ ଧାଏଁ, ନାଁ ବିହଙ୍ଗର ରାବ ଶୁଭେ ! ଏହାହିଁ ଚରମ ସତ୍ୟ ଓ ଏହାର ପରିଭାଷାରେ ସଂସାର ହେଉଛି ଜନ୍ମ – ମୃତ୍ୟୁ ଚକ୍ରର ଏକ କ୍ଷଣିକ ମୋହଯୁକ୍ତ ପରିବେଶ । ସାଂସାରିକ କାମନା ଶକ୍ତିର ପ୍ରଭାବରେ ମାନବ ତା’ର ଜୀବନ କାଳ ଅତିବାହିତ କରି ଚାଲେ । ଯଦି ମୋହଯୁକ୍ତ ପରଦାକୁ ହଟାଇ ଦିଆଯାଏ, ତେବେ କାମନାର ସାଗର ଜଳ ବିହୀନ ହୁଏ । ତେଣୁ ସେ ବସ୍ତୁବାଦ ଦୁନିଆଁର ଆକର୍ଷଣରୁ ମୁକ୍ତ ହୁଏ । ନିଜ ଠାରୁ ଅଜ୍ଞତାର ଅନ୍ଧାର ହଟିଯାଏ । ସଂସାର ଏକ ମୋହ-ମାୟା ପରିବେଷ୍ଟନୀର ସତ୍ୟତାକୁ ସେ ଅନୁଭବ କରେ । ତେଣୁ ସଂସାର ତା’ପାଇଁ ନିରର୍ଥକ ବୋଧ ହୁଏ ।
ଏହା କିଛି ସାମାଜିକ ଲୋକକଥାଗୁଡିକୁ ମଧ୍ୟ ଜ୍ଞାତ କରାଇଥାଏ ଯଥା- “ସମ୍ପଦବେଳେ ସର୍ବେ ସଖା …… ବିପଦେ ନ’ଦିଅନ୍ତି ଦେଖା”, “ପଇସା କ୍ୟା ନକରେ କାମ୍ ……. ଆବେ ପରଶୁ ଯାବେ ପରଶୁ ……. ବାବୁ ପରଶୁରାମ”, ସହ ପ୍ରାୟ ମେଳ ଖାଏ । ଏହି ଲୋକକଥାମାନ ମଧ୍ୟ ଏ ଶ୍ଳୋକର ଏକ ଏକ ପରିଭାଷା ଅଟ । ଏଠାରେ ସମ୍ପଦ ବା ପଇସା ସହ ଜଳ, ଯୌବନ ……… ଆଦି ତୁଳନୀୟ ।
ପ୍ରକୃତିର ଅଧ୍ୟୟନରୁ ଉତ୍ପନ୍ନ ହୁଏ ବିଜ୍ଞାନ ଓ ଅଧିକ ଜିଜ୍ଞାସୁ ମାନବ ଗବେଷଣାରେ ନିମଗ୍ନ ରହେ । ପର୍ଯ୍ୟବେକ୍ଷଣ କହେ ବିଶ୍ୱର ପ୍ରାୟ ସବୁ କ୍ରିୟାମାନ ଏକଦିଗାଭିମୁଖୀ(Irreversible) । ପୃଥିବୀ ନିଜ ଅକ୍ଷ ଚତୁଃପାର୍ଶ୍ୱରେ ପଶ୍ଚିମରୁ ପୂର୍ବକୁ ଘୂରୁଛି ଓ ସୂର୍ଯ୍ୟଙ୍କୁ ମଧ୍ୟ ନିଜ କକ୍ଷରେ ପରିକ୍ରମ କରୁଛି । ଏହା କ’ଣ କେବେ ପୂର୍ବରୁ ପଶ୍ଚିମକୁ ଘୂରିବ ନା କକ୍ଷରେ ଓଲଟା ଦିଗରେ ପରିକ୍ରମ କରିବ ? ସମୟ କ’ଣ ଓଲଟା ଦିଗରେ ଗତି କରି ବୃଦ୍ଧର ବାଲ୍ୟାବସ୍ଥା କରାଇବ ଓ ଜନ୍ମିତ ଶିଶୁକୁ ମାତୃଗର୍ଭକୁ ପୁନଃ ପ୍ରବେଶ କରାଇବ ? ଏହା ସମ୍ଭାବନାହୀନ ଅଟେ । ଅର୍ଥାତ୍ କ୍ରିୟାଗୁଡିକର ପଶ୍ଚାଦ୍ଗାମୀ ହେବାର ସମ୍ଭାବନା ନାହିଁ କହିଲେ ଚଳେ । ତେବେ ଯେଉଁ ଚକ୍ରାକାର କ୍ରିୟାମାନ ଘଟିଚାଲିଛି ତାହା ସ୍ଥାନ – କାଳ ପରିବେଷ୍ଟନୀରେ ସେହି ସେହି ବିନ୍ଦୁ ଦେଇ ବିପରୀତମୁଖୀ ହେଉନାହିଁ । ଯେଉଁ ସମୟ ଚାଲିଯାଏ, ତାହା ଫେରେନାହିଁ । ପରନ୍ତୁ ମହାମାନବ ଆଇନ୍ଷ୍ଟାଇନ୍ ସ୍ୱତନ୍ତ୍ର ଆପେକ୍ଷିକ ତତ୍ତ୍ୱ (Special Theory of Relativity)ରେ କାଳର ଗତିକୁ ଧିମା କରାଇବାର ସୂତ୍ର ଉପସ୍ଥାପନ କରି ଚିର ସ୍ମରଣୀୟ ହୋଇଛନ୍ତି । ଏହାକୁ ସମୟର ବିସ୍ତାରଣ (Time Dilation) ଆଖ୍ୟା ଦେଇଛନ୍ତି । କଣିକା ବିଜ୍ଞାନ (Particle Physics) କ୍ଷେତ୍ରରେ ଏହା ପ୍ରମାଣସିଦ୍ଧ ମଧ୍ୟ ହୋଇଅଛି । ଏହା ଦର୍ଶାଏ ଯେ, କଣିକାର ଗତି ଆଲୋକର ବେଗ ପାଖାପାଖି ହେଲେ କଣିକାଟିର ଆୟୁଷ ବୃଦ୍ଧି ହେବ । ସ୍ଥୂଳ ଜଗତରେ ଏହାର ପ୍ରମାଣ ଅସମ୍ଭବ ଜଣାପଡେ । କିନ୍ତୁ ଭାରତୀୟ ଯୋଗ ବିଜ୍ଞାନ ଓ ଆଧ୍ୟାତ୍ମିକ ଦର୍ଶନ ଏ ତତ୍ତ୍ୱ ସପକ୍ଷରେ ଦୃଢ ଭାବେ ଦଣ୍ଡାୟମାନ ଯେ, ମାୟା-ମୋହ-ମରିଚିକାର ଉର୍ଦ୍ଧ୍ୱରେ ରହି ସାଧନାବ୍ରତୀ ହେଲେ ସଫଳତା ମିଳିବାର ପଥ ଉନ୍ମୁକ୍ତ କରାଏ । ଅତଏବ ସମୟର ପଶ୍ଚାଦଗତି ଉଭୟ ଜଡ଼ ଓ ଚଳତ୍ ପାଇଁ ଅସମ୍ଭବ । ତେବେ ଲାଳସାଯୁକ୍ତ ମନ ଅଯଥା ଚିନ୍ତାଗ୍ରସ୍ତ ପୁର୍ବକ ଉତ୍ତେଜିତ ନ’ହୋଇ ପ୍ରାକୃତିକ ନିୟମାବଳୀ ମଧ୍ୟରେ ସଂସାରର ବାସ୍ତବିକତାକୁ ହୃଦୟଙ୍ଗମ କରିବା ନିମିତ୍ତ ଉପରୋକ୍ତ ଶ୍ଳୋକ ମାଧ୍ୟମରେ ଚେତାବନୀ ଦିଆଯାଇଛି ।
*****************************************************************