ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଦଶମ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଦଶମ ସ୍ତବକ)

ଦିନ ୟାମିନ୍ୟୌ ସାୟଂ ପ୍ରାତଃ – ଶିଶିର ବସନ୍ତୌ ପୁନରାୟାତଃ

କାଲଃ କ୍ରୀଡତି ଗଚ୍ଛତ୍‍ୟାୟୁଃ(ତ୍ୟାୟୁଃ) – ତଦପି ନ ମୁଞ୍ଚତ୍ୟାଶା ବାୟୁଃ ….(୧୨)

ଏ ଶ୍ଳୋକରେ ମଧ୍ୟ ଶ୍ରୀ ଶଙ୍କର ଦୈନନ୍ଦିନର ପ୍ରାକୃତିକ ଘଟଣାବଳୀକୁ ନେଇ ମାନବ ସମାଜକୁ ସତ୍‍ ପ୍ରେରଣା ଦେଇଛନ୍ତି । ସେ ଦିବା – ରାତ୍ର, ଊଷା – ପ୍ରତ୍ୟୁଷ, ଋତୁଚକ୍ର ……. ଆଦିର ଆଗମନ, କିଛି ସମୟ ପାଇଁ ଅବସ୍ଥାନ ଓ ପ୍ରତ୍ୟାବର୍ତ୍ତନକୁ ଉଦାହରଣ ରୂପେ ନେଇଛନ୍ତି । କାଳର କ୍ରିଡାକ୍ଷେତ୍ରରେ ଏହା ଏକ ଏକ ଅଭିନୟ ଅଟେ । ସେହିପରି ଜନ୍ମରୁ ମୃତ୍ୟୁ ମଧ୍ୟ କାଳର ଆୟତ୍ତରେ ଅଭିନୟ ହିଁ ଅଭିନୟ । ପ୍ରତ୍ୟେକ ଅଭିନେତା ଆସି କ୍ଷଣକାଳ ପାଇଁ ଅଭିନୟ କରି ଚାଲି ଯାଆନ୍ତି । କିନ୍ତୁ କାଳ ତା’ର ଖେଳପଡିଆରେ  ସଦା ସର୍ବଦା ଖେଳ ପରେ ଖେଳ ପ୍ରସ୍ତୁତ କରି ରଖିଥାଏ । ତେବେ ଅଭିନେତା ଅଭିନୟରେ ଭୋଳ ହୋଇ ଏହି ସତ୍ୟତାକୁ ହେୟଜ୍ଞାନ ପୁର୍ବକ ଅଦମ୍ୟ ପିପାସାର ଝଡ ବୁହାଇ ନିଜକୁ ଚିରଞ୍ଜିବୀ ଭାବେ ଓ ଅନ୍ୟକୁ ଜର୍ଜରିତ କରିଚାଲେ । କାମନା ଓ ବାସନାର ସ୍ରୋତରେ ମଗ୍ନ ହୋଇ ସେ ପ୍ରାକୃତିକ ସତ୍ୟପ୍ରତି ଚକ୍ଷୁ ବୁଜିଦିଏ ଓ ମୃତ୍ୟୁଯାଏ ଏ ସ୍ରୋତ ପ୍ରବାହିତ ହୋଇଚାଲିଥାଏ । ଆଧ୍ୟାତ୍ମିକ ଦର୍ଶନାନୁସାରେ ଅହରହ ଘୂରୁଥିବା ଅଦୃଶ୍ୟମାନ ସମୟଚକ୍ରରେ ସବୁକିଛି ଘଟୁଛି, ଯାହା ପ୍ରାକୃତିକ ଘଟଣାବଳୀର ଅସ୍ଥାୟୀତ୍ୱତାର ସୀମା ନିର୍ଦ୍ଧାରଣ ପୂର୍ବକ ଘଟଣାର ବାରମ୍ବାରତାକୁ ତା’ର କ୍ରିଡାକ୍ଷେତ୍ରରେ ପ୍ରଦର୍ଶନ କରାଇ ଥାଏ । ଶ୍ରୀମଦ୍‍ଭାଗବତ୍‍ ମହାପୁରାଣରେ ଯଥାର୍ଥରେ କୁହଯାଇଛି – “କାଳର ବଶ ଏ ଜଗତ —- ପ୍ରାଣୀଏ କାଳର ଆୟତ୍ତ” । କିନ୍ତୁ ମାନବ ନିଜ ଚକ୍ଷୁ ସାମ୍ନାରେ ବାରମ୍ବାର ଜନ୍ମ ଓ ମୃତ୍ୟୂକୁ ଦେଖୁଛି ଓ ସେ ପ୍ରକ୍ରିୟାରେ ନିଜକୁ ମଧ୍ୟ ଜଡିତ କରାଉଛି । ତଥାପି ନିଜ ପାଇଁ କେତେବେଳେ ଯେ ମୃତ୍ୟୂ ଆସିବ, ତାହାକୁ ସେ ଏଡାଇ ଦେଇ କାମନାର ବହ୍ନିରେ ଝାସ ଦେବାରେ ଲାଗିଛି । 

ମହାଜାଗତିକ ବିଜ୍ଞାନ(Cosmology) ମଧ୍ୟ ଏ ତତ୍ତ୍ୱସହ ସହମତ, ଯେ ଏବିଶ୍ୱର ସମସ୍ତ ଘଟଣାବଳୀ ଘୂର୍ଣ୍ଣାୟମାନ ଚତୁର୍ଥ ପରିସର(Fourth Dimension) ବା ସମୟ ଅକ୍ଷ(Time-Axis)ର ଆୟତ୍ତାଧିନ ଅଟେ, ଯାହା ଦୃଶ୍ୟମାନ ନୁହେଁ । ଏ ମହାବିଶ୍ୱ ପ୍ରାୟ ୧୩.୭ ବିଲିୟନ୍‍ ବର୍ଷ ପୂର୍ବରୁ ଏକ ବିନ୍ଦୁପ୍ରାୟ ସ୍ଥାନ ମଧ୍ୟରେ ସମସ୍ତ ପାରସ୍ପରିକ କ୍ରିୟା(Interaction), ବସ୍ତୁତ୍ୱ(Mass), ବିକିରଣ(Radiation) ଆଦି ଠୁଳ ହୋଇ ରହିଥିବା ଏବଂ ଏହା ସହ ସମୟର କ୍ଷଣିକ ସଂଯୋଗ(Coupling)ରୁ ମହାବିସ୍ଫୋରଣ(BIG BANG) ଘଟି ଜନ୍ମଲାଭ କରିଅଛି । ଅଦ୍ୟାବଧି ଅନନ୍ତ ଘଟଣାଗୁଡିକ ଅବିନାଶୀ ସମୟର ପରିସରରେ ଘଟିଚାଲିଛି ଓ ଚାଲୁଥିବ, ଯାହା ବିଜ୍ଞାନର ମଧ୍ୟ ପରିଭାଷା ଅଟେ । ସେହିପରି ପ୍ରତ୍ୟେକ ସୃଷ୍ଟି ଜଡ଼ ହେଉ ବା ଚଳତ୍‍ ହେଉ ତାହା ଏକ ସମୟ ସୀମା ଯାଏ ତିଷ୍ଟିରହେ । ଆମ ବିଶ୍ୱ ସମ୍ପ୍ରସାରଣଶୀଳ(Expanding) ବୋଲି ବିଜ୍ଞାନ ପ୍ରମାଣ କରିଛି । ଅର୍ଥାତ୍‍ ପ୍ରତି କ୍ଷଣରେ ବିଶ୍ୱର ଆକାର ବୃଦ୍ଧି ପାଉଛି । ଗ୍ୟାଲାକ୍ସି ଗୁଡିକ ପରସ୍ପରଠୁଁ ଦୂରେଇ ଯାଉଥିଲେବି ଗ୍ୟାଲାକ୍ସି ମଧ୍ୟରେ କୌଣସି ଜାଗତିକ ପିଣ୍ଡ ମଧ୍ୟରେ ଏହା ଘଟୁନାହିଁ । ଅନନ୍ତ ନାକ୍ଷତ୍ରିକ ଜଗତ(The Cosmos)ରେ ଘଟୁଥିବା ଅନନ୍ତ ଘଟଣାବଳୀରୁ ମାନବ ଯେଉଁ ଜ୍ଞାନ ହାସଲ କରିବାରେ ଲାଗିଛି ତାହା ବିଶ୍ୱ ସଙ୍କୋଚନ ହେବାର ସମ୍ପୂର୍ଣ୍ଣ ତଥ୍ୟାବଳୀ ହାସଲ କରି ନପାରିଥିଲେ ବି ଏହା ଉପରେ ଗବେଷଣା ଚାଲିଛି । କୃଷ୍ଣଗର୍ତ୍ତ(Black Hole), ଅଜ୍ଞାତ ବସ୍ତୁ(Dark Matter), ଅଜ୍ଞାତ ଶକ୍ତି(Dark Energy), ମହାକର୍ଷଣୀୟ ତରଙ୍ଗ(Gravitational Wave) ………ଆଦିର ପ୍ରମାଣ ଓ ଆହୁରି ଅନେକ କିଛି ନୂତନତ୍ତ୍ୱରୁ ବିଶ୍ୱ ସଙ୍କୋଚନ ସମ୍ବନ୍ଧରେ ନିଶ୍ଚିତ ରୂପେ ସୂଚନା ମିଳିବାର ଆଶା କରାଯାଏ । ତଥାପି ପ୍ରାକୃତିକ ନିୟମ (ଯଥା- ଦିବା -ରାତ୍ରି, ୠତୁଚକ୍ର, ସାୟଂ – ପ୍ରାତଃ, ଜନ୍ମ – ମୃତ୍ୟୁ …….), ବିଜ୍ଞାନ ଓ ଆଧ୍ୟାତ୍ମିକ ପରିଭାଷା ଏକଇ ବିନ୍ଦୁରେ ସମ୍ମିଳିତ ହୁଅନ୍ତି ଯେ, ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ । ତେଣୁ ଅନୁମାନ କରାଯାଏ ଏ ବିଶ୍ୱ ଦିନେ ସଙ୍କୁଚିତ ହେବ ଓ ମୃତ୍ୟୁର କରାଳ ଗ୍ରାସରେ ଲୀନ ହେବ ଯାହାକୁ ବିଜ୍ଞାନ ଭାଷାରେ ମହାପ୍ରଳୟ (BIG CRUNCH) କୁହାଯାଏ ।  ତେଣୁ ମାନବ ନିଜ ଅସ୍ଥାୟୀତ୍ୱତାକୁ ଦୃଷ୍ଟି ନ ଦେଇ ଚିରଦିନ ବଞ୍ଚିବାର ଲାଳସାରେ ବିଜ୍ଞାନକୁ ପ୍ରକୃତି ବିରୁଦ୍ଧରେ ପ୍ରୟୋଗ କରିବା କେତେଦୂର ଶ୍ରେୟଷ୍କର ? ଏହା ପ୍ରାକୃତିକ ଘଞ୍ଚାଳନ ଅଟେ ଓ ଫଳାଫଳ ସ୍ୱରୂପ ପ୍ରକୃତିର ଭୟାବହତାର ଶୀକାର ହୁଏ । ପ୍ରକୃତିକୁ ଉତ୍ତେଜିତ କଲେ ସମୟ କ୍ଷମା ଦିଏନି ଓ ଉତ୍ତେଜିତ ଶକ୍ତି ଜୀବଜଗତର ବିନାଶର କାରଣ ହୁଏ । କାରଣ ବିଜ୍ଞାନ କହେ ସୃଷ୍ଟିର ସୂକ୍ଷ୍ମରୁ ସ୍ଥୂଳ ଯାଏ ପ୍ରତି ଅଂଶ ବିଶେଷ ସଦାସର୍ବଦା ନିମ୍ନ ଶକ୍ତିସ୍ତରରେ ରହିଛି ଓ ରହିବାକୁ ଚାହେଁ । ତେଣୁ  “ମାୟା ମୋହେର୍‍ ବିମୋହନ୍‍” ପରି ଉତ୍ତେଜକ ଶକ୍ତିକୁ ଗ୍ରହଣ ନ କରି ସମୟର ସତ୍ୟତାକୁ ଆଦରିବା ସର୍ବାଦୌ ଆବଶ୍ୟକ ଅଟେ । ଏହାହିଁ ବିଜ୍ଞାନ ଓ ଆଧ୍ୟାତ୍ମିକତାର ଅପୂର୍ବ ସମନ୍ୱୟ ଅଟେ ।

***************************************************************** 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help