ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନଭିତ୍ତିକ ଭାବାର୍ଥ (ଦ୍ୱାଦଶ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନଭିତ୍ତିକ ଭାବାର୍ଥ (ଦ୍ୱାଦଶ ସ୍ତବକ)

ଜଟିଲୋ ମୁଣ୍ଡି ଲୁଞ୍ଛିତ କେଶଃ – କାଶାୟାମ୍ବର ବହୁକୃତ ବେଶଃ

ପଶ୍ୟନ୍ନାପି ଚନ ପଶ୍ୟତି ମୂଢଃ – ଉଦର ନିମିତ୍ତଂ ବହୁକୃତ ବେଶଃ …. (୧୫)

ମୋହମୁଦ୍‍ଗର ସ୍ତ୍ରୋତ୍ର ଏ ଶ୍ଳୋକ ମାଧ୍ୟମରେ ଆଧ୍ୟାତ୍ମିକତାର ଅସଦ୍‍ଉପାୟରୁ ଫାଇଦା ଉଠାଉଥିବା ଛଦ୍ମବେଶୀ ସନ୍ୟାସୀଙ୍କ ସମ୍ବନ୍ଧରେ ବ୍ୟାଖ୍ୟା କରିଛନ୍ତି । ପୁରାତନ କାଳର ଦୂରଦୃଷ୍ଟି ଆଜିର ଅତ୍ୟାଧୁନିକ ଦୁନିଆର କୋଣେକୋଣେ ପ୍ରତିଫଳିତ । ଏହା ଶ୍ଳୋକର ନିବିଡ ସାମାଜିକତାକୁ ପ୍ରତିପାଦିତ କରାଉଛି । ସମାଜରେ ତତ୍‍କ୍ଷଣାତ୍‍ ପ୍ରତିଷ୍ଠିତ ଓ ଭକ୍ତିରସାତ୍ମକ ସମ୍ମାନରେ ସମ୍ମାନିତ ହୋଇ ଭରଣ ପୋଷଣର ସହଜ ଉପାୟ ହେଲା ନିଜକୁ ଛଦ୍ମବେଶୀ ସନ୍ୟାସୀ କିମ୍ବା  ଆତ୍ମଘୋଷିତ ଈଶ୍ୱର(Self -Styled God) ବୋଲାଇବା । ତେଣୁ  ଏତାଦୃଶ ଚିନ୍ତାଧାରାର କିଛି ବ୍ୟକ୍ତିମାନେ ସନ୍ୟାସୀର ବେଶଭୂଷାରେ ମଣ୍ଡିତ ହୁଅନ୍ତି । ଜଟାଧାରୀ, ଲଣ୍ଡିତ ମସ୍ତକ, ଗେରୁଆ ବସ୍ତ୍ରାଦିତ ଶରୀର ……… ଆଦି ଅନେକ ଅନେକ ରୂପରେଖ ନେଇ ଏମାନେ ଆବିର୍ଭାବ ହୁଅନ୍ତି । ଏମାନେ ଗୋଟିଏ ଗୋଟିଏ ଚିତାକଟା ଚଇତନ ବୋଲି ସହଜରେ ଜାଣିବା କଷ୍ଟକର ବ୍ୟାପାର । ଏ ମୂର୍ଖ ମାନବ ଯେଉଁରୂପେ ଦୃଶ୍ୟମାନ ହୁଅନ୍ତି, ତାହା ସେମାନଙ୍କ ପ୍ରକୃତ ରୂପ ନୁହେଁ । ନିଜର ଚରମ କୁଅଭିଳାଷ ପୂରଣ ସକାଶେ ବହୁରୂପୀ ସାଜି ମାନବ ସମାଜକୁ ବିଭ୍ରାନ୍ତ କରାଇ ଚାଲନ୍ତି । ଯୁଗେଯୁଗେ ଏତାଦୃଶ ‘କାଶାୟାମ୍ବର ବହୁକୃତ ବେଶଃ’ର ମଧ୍ୟ ଉଦାହରଣ ପୁରାଣରେ ବର୍ଣ୍ଣିତ ହୋଇଛି । ଯେପରି ତ୍ରେତୟାରେ ରାବଣ ସନ୍ୟାସୀ ବେଶ ଧାରଣକରି ମାତା ସୀତାଙ୍କୁ ହରଣ କରିଥିଲା ।

ଅଧୁନା ସମାଜରେ ଏମାନଙ୍କ ସଂଖ୍ୟା ହୁହୁ ବଢିବାରେ ଲାଗିଛି । କାହିଁ କେତେ ସନ୍ୟାସୀ ବାବାଙ୍କ କରିସ୍ମା ଚାଲିଛି ତା’ର ହିସାବ ନାହିଁ । ଅଦମ୍ୟ ଲାଳସାକୁ ଚରିତାର୍ଥ କରିବା ନିମିତ୍ତ ଭିନ୍ନ ଭିନ୍ନ ଉପାୟ ଓ ରୂପରେଖର ଆଶ୍ରୟ ନିଏ କୁଅଭିଳାଷୀ । ଦେଖାଯାଇଛି ଯେ କୌଣସି କୁପ୍ରକ୍ରିୟା ନିଶ୍ଚିତ ରୂପେ ଏକ ଚରମ ସୀମାରୁ ଆଗକୁ ଯାଇ ନପାରି ଭୟଙ୍କର ପତନମୁଖୀ ହୁଏ । ଏହା ପ୍ରତିରୋଧତାର କାରଣରୁ ଘଟେ ଓ ଏଥିପାଇଁ ସମାଜର ମଧ୍ୟ କିଛି କ୍ଷତି ହୁଏ । ତଥାପି ପୁନଃ ପୁନଃ ନୂଆନୂଆ ରଙ୍ଗ ରସରେ ଏତାଦୃଶ କୁପ୍ରକ୍ରିୟାମାନ ମୁଣ୍ଡଟେକେ । ସତେକି କେଉଁ ଏକ ଅସରନ୍ତି ଭଣ୍ଡାରରୁ ଏହାର ବାରମ୍ବାରତା ଘଟୁଅଛି ।  ତେଣୁ ଏଠାରେ ନିଜ ଉଦର ନିମିତ୍ତ ବା ହୀନ କାମନାର ସାକାର ନିମିତ୍ତ ଶୀକାର ହୋଇଥିବା ଚରିତ୍ରଗଣ ବହୁରୂପୀ ସାଜି ଶେଷ ପର୍ଯ୍ୟାୟରେ ନର୍କଗାମୀ ହେବାର ଦୃଶ୍ୟକୁ ଦେଖି ନଦେଖିଲା ପରି ପୁନଃ ଆବିର୍ଭାବ ବ୍ୟକ୍ତି ସମୁହଙ୍କୁ ମୂଢ ମାନବ ବୋଲି ସମ୍ବୋଧନ କରାଯାଇଛି । 

ଏଠାରେ ଆଧ୍ୟାତ୍ମିକ ଓ ବିଜ୍ଞାନର ଏକ ସମାନ ଦର୍ଶନ ତତ୍ତ୍ୱକୁ ଆଲୋଚନାର ପର୍ଯ୍ୟାୟଭୁକ୍ତ କରାଯାଇପାରେ ଯେ, ପ୍ରକୃତି ତା’ର ଆନୁପାତିକ ବିନ୍ୟାସ ଜନିତ କ୍ରିୟା ବା ସୌନ୍ଦର୍ଯ୍ୟକୁ ଭଲ ପାଏ(Nature Loves Symmetry) । ସୃଷ୍ଟିର କ୍ରିୟା ପ୍ରକ୍ରିୟାରେ ପ୍ରତିରୋଧ କରାଗଲେ ପ୍ରକୃତି ତା’ର ନିଜସ୍ୱ ବିନ୍ୟାସକୁ ବଜାୟ ରଖିବା ପାଇଁ ତତ୍ପର ହୁଏ । ଏହା ସୃଷ୍ଟିରେ ସନ୍ତୁଳନତା(Equilibrium) ରକ୍ଷାର ବିଧାନ ଅଟେ । ଏହା ବ୍ୟକ୍ତି ବିଶେଷ, ବ୍ୟକ୍ତି ସମୁହ ଅଥବା ସମାଜର ପ୍ରକୃତି ବିରୁଦ୍ଧ କାର୍ଯ୍ୟ ଅର୍ଥାତ୍‍ ସାମାଜିକ ଶୋଷଣ, ଉତ୍ପୀଡନ, ଶକ୍ତି ବା କ୍ଷମତାର ଦୁରୂପଯୋଗ, ଧ୍ୱଂସାତ୍ମକ କାର୍ଯ୍ୟକଳାପ ଆଦିରେ ଉଭୟ ବିଜ୍ଞାନ ଓ ଆଧ୍ୟାତ୍ମିକତାର ପରିସରଭୁକ୍ତତାକୁ ବୁଝାଇଥାଏ । ଫଳତଃ ସାମାଜିକ ଅଧୋପତନ ହିଁ କାରଣ ହୋଇଥାଏ । ତେଣୁ ପ୍ରକୃତିର ପ୍ରତିଶୋଧାତ୍ମକ ତାଣ୍ଡବତା ଭିନ୍ନ ଭିନ୍ନ ରୂପରେ ବ୍ୟକ୍ତି ବିଶେଷରୁ ଆରମ୍ଭ କରି ଜୀବଜଗତ ଓ ଶେଷରେ ପୃଥିବୀ ପାଇଁ ପଥ ପରିଷ୍କାର ହୋଇଯାଏ । ତେଣୁ ଏ ଶ୍ଳୋକର ଅନ୍ତର୍ନିହିତ ଭାବରୁ ପରିପ୍ରକାଶ ହୁଏ ଯେ, ଜୀବନର ପ୍ରତି କ୍ଷଣରେ ଗଠନମୂଳକ ଚିନ୍ତାଧାରା ଏବଂ କାର୍ଯ୍ୟଧାରା ବଜାୟ ରହିବା ହେଉଛି ଚରମ ମାନବୀୟତା ।

************************************************************ 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help