ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଚତୁର୍ଦଶ ସ୍ତବକ)
ଅଗ୍ରେ ବହ୍ନିଃ ପୃଷ୍ଠେ ଭାନୁଃ – ରାତ୍ରୌ ଚୁବୁକ ସମର୍ପିତ ଜାନୁଃ
କରତଲ ଭିକ୍ଷ ସ୍ତରୁତଲ ବାସଃ – ତଦପିନ ମୁଞ୍ଚତ୍ୟାଶା ପାଶଃ ….. (୧୭)
ମୋହମୁଦ୍ଗର ସ୍ତ୍ରୋତ୍ରର ଏ ଶ୍ଳୋକ ଦର୍ଶାଉଛି ଯେ, ଏ ଜଗତରେ ଅନେକ ବ୍ୟକ୍ତି ବାହ୍ୟ ରୂପରେ ସାଧୁ – ସନ୍ୟାସୀର ମରିଚିକା ସୃଷ୍ଟି କରିବା ସହ ମନରେ ଅନ୍ତର୍ନିହିତ ଥିବା ପାର୍ଥିବ ଭୋଗ – ଲାଳସାକୁ ପ୍ରତିଫଳିତ କରିବାରେ ମଜ୍ଜି ରହିଥାଆନ୍ତି । ସିଦ୍ଧ ସାଧନାବ୍ରତୀ ହେଲେ ମନରୁ ସବୁ ପ୍ରକାର କାମନାଦିର ଅନ୍ତଃ ଘଟେ । କିନ୍ତୁ ପାର୍ଥିବ ଆସକ୍ତି ଯୁକ୍ତ ମନଧାରୀ ବ୍ୟକ୍ତି ନିଜକୁ ସନ୍ୟାସୀ ଜୀବନଧାରାରେ ବାହ୍ୟରୂପେ ପ୍ରତିପାଦିତ କରି ସମାଜରେ ଭ୍ରମ ସୃଷ୍ଟି କଲେ କ’ଣ ସେମାନଙ୍କୁ ସନ୍ୟାସୀ ବୋଲି କୁହାଯାଇ ପାରିବ ? ଏ ସମ୍ପର୍କୀୟ ଏକ ଦୃଶ୍ୟର ସ୍ଥୂଳ ଓ ସୂକ୍ଷ୍ମ ବିଶ୍ଳେଷଣ ପୂର୍ବକ ଅନ୍ତର୍ନିହିତ ଆସକ୍ତିର ପରିପ୍ରକାଶ କରାଯାଇ ଜୀବନର ସିଦ୍ଧ ସାଧନା ନିମିତ୍ତ ବାର୍ତ୍ତା ଦିଆଯାଇଛି ।
ଦୃଶ୍ୟଟି ଏହିପରି ଯେ, ସନ୍ୟାସୀ ଜୀବନ ବିତାଉଥିବା ଏକ ବୃଦ୍ଧ ବ୍ୟକ୍ତି ବୃକ୍ଷମୂଳକୁ ନିଜର ବାସସ୍ଥାନ ରୂପେ ଆଦରି ନେଇଛି । ଶୀତର ପ୍ରକୋପରେ ମନ ଅସ୍ତବ୍ୟସ୍ଥ ଓ ଶରୀର ପାର୍ଥିବ ଭୋଗ ନିମିତ୍ତ ଧାଇଁଯାଏ ନିଆଁ ସମ୍ମୁଖରେ ବସି ଆରାମ ପାଇବାକୁ କିମ୍ବା ନିଆଁ ଜାଳି ଦେହ ଉଷୁମ କରିବାକୁ । ସେତେବେଳ ସନ୍ୟାସୀର ମନ ସାଧନା ବା ଈଶ୍ୱରବ୍ରତୀ ଚିନ୍ତନର ମହାସାଗରରୁ ବିନ୍ଦୁଏ ମାତ୍ର ଜଳ ଗ୍ରହଣ କରିବାକୁ ଇଛା ଓ ସମୟ ନଥାଏ । ଦିବା ସମୟରେ ନିଆଁ ସମ୍ମୁଖରେ ବସିବା ଦରକାର ପଡେନି, କାରଣ ସୂର୍ଯ୍ୟ କିରଣରୁ ଶରୀର ଉତ୍ତାପ ପାଇଥାଏ । ସାଧାରଣତଃ ନିଆଁ ନିକଟରେ ସାମନା କରି ବସି ଦେହକୁ ଉଷୁମ କରାଯାଏ, କିନ୍ତୁ ସୂର୍ଯ୍ୟଙ୍କ ତେଜକୁ ସାମନା କରି ନପାରି ନିଜ ଶରୀରର ପୃଷ୍ଠ ଦେଶକୁ ସୂର୍ଯ୍ୟଙ୍କ ସମ୍ମୁଖକୁ ରଖି ଆରାମ ପ୍ରାପ୍ତ ହୋଇଥାଏ । ଗଭୀର ଶୀତ ରାତ୍ରିରେ ନିଆଁ ନଥାଏ । ତେଣୁ ଶୀତରୁ ରକ୍ଷା ପାଇବାପାଇଁ ନିଜ ଶରୀରକୁ କୁଣ୍ଡଳାକୃତି କରି ଦୁଇହସ୍ତ, ଦୁଇଆଣ୍ଠୁ ଓ ମୁଣ୍ଡକୁ ବଙ୍କାଇ ବକ୍ଷସ୍ଥଳ ଆଡକୁ ଯେତେଦୂର ସମ୍ଭବ ଜଡ଼ିତ କରି କୁଙ୍କୁରୀ କାଙ୍କୁରୀ ହୋଇ ଶୋଇବା ସାର ହୁଏ । ଏହାହିଁ ଶରୀରକୁ ପାର୍ଥିବ ସୁଖ ଦେବାର ସେ ସମୟରେ ଏକମାତ୍ର ପନ୍ଥା ଅଟେ । ସେତେବେଳେ ଉପର ଠାଉରିଆ ଦେଖେଇ ହେଉଥିବା ସନ୍ୟାସୀର ଚିନ୍ତନ ପ୍ରକ୍ରିୟା କ’ଣ ସିଦ୍ଧ ସାଧନାରେ ଲିପ୍ତ ଥାଏ ? ସିଦ୍ଧ ସାଧନାବ୍ରତୀ ମନ ଓ ଶରୀର କାମନା ରହିତ ଅଟେ । କୌଣସି ବାହ୍ୟ ପ୍ରଭାବରେ ମନ ବିଚଳିତ ହୁଏ ନାହିଁ । କ୍ଷୁଧା ମେଣ୍ଟାଇବା ନିମିତ୍ତ ନିଜ କରତଳ ପ୍ରସାରୀ ଭିକ୍ଷା ଗ୍ରହଣ କରିବାର ବ୍ୟଗ୍ରତା ତା’ର ଲାଳସାର ଦୃଢତାକୁ ଦର୍ଶାଇଥାଏ । ଏହାହିଁ ଆସକ୍ତିର ଦୃଢ ବନ୍ଧନ ସଦୃଶ ଉବୁଟୁବୁ ହୋଇ ନଦୀରେ ବୁଡି ଯାଉଥିବା ନୌକାରେ ବସିଥିବା ବ୍ୟକ୍ତିର ବଞ୍ଚି ରହିବାର ପ୍ରବଳ ତୃଷ୍ଣା । ଲାଳସାଧାରୀ ମନ କସ୍ମିନ୍କାଳେ ସାଧନାରେ ଉତୀର୍ଣ୍ଣ ହୋଇପାରନ୍ତି ନାହିଁ । ଯେପରି ଏକ ଜଳପୂର୍ଣ୍ଣ କଳସରେ ଯଦି ଏକ କ୍ଷୁଦ୍ର କଣା ଥାଏ, ସେହି ବାଟେ ଧିରେଧିରେ ସବୁ ଜଳ ନିଷ୍କାସିତ ହୋଇଯାଏ । ସେହି ପ୍ରକାରରେ ଯଦି ସାଧକର ମନ ଗହନରେ କିଞ୍ଚିତ୍ମାତ୍ର ଆସକ୍ତିର ଧାସ ବସା ବାନ୍ଧିଥାଏ, ତାହାହିଁ ତା’ର ସବୁ ସାଧନାର ଫଳକୁ ସେହି ପଥରେ ନିର୍ଗତ କରାଇ ଦିଏ । ଏହାଦ୍ୱାରା ନିଜର ଓ ସମାଜର ମଙ୍ଗଳ ପରିବର୍ତ୍ତେ ଅଶେଷ କ୍ଷତି ସାଧନ ହୋଇଥାଏ । ତେଣୁ ସତ୍ କର୍ମ ହିଁ ସାଧନା ଓ ଲାଳସା ବିହୀନ ଅଟେ । ସାଧନାର ବହୁବିଧ ଅବୟବ ଅର୍ଥାତ୍ ମାନବ ସେବାରେ ମାନବ ଜୀବନର ସାତ୍ତ୍ୱିକ ପରିପକ୍ୱତାରେ ନିଜକୁ ଉତ୍ସର୍ଗ କରିବା ହେଉଛି ଏହି ଶ୍ଳୋକର ସୂକ୍ଷ୍ମାତି ସୂକ୍ଷ୍ମ ରୂପ ।
ପୁନଶ୍ଚ ଯଦ୍ୟପି ଜଳପୂର୍ଣ୍ଣ ମାଟି କଳସଟି କୌଣସି କ୍ଷୁଦ୍ର କଣା ବିହୀନ ଅଟେ, ତଥାପି ଏହା ଅସଂଖ୍ୟ ସୂକ୍ଷ୍ମ କଣା ବା କୈଶିକ (Capillary) ନଳୀ ଯୁକ୍ତ ଅଟେ । ତରଳ ପଦାର୍ଥର ପୃଷ୍ଠତାନ ଧର୍ମ (Property of Surface Tension) ଯୋଗୁ ଜଳ ଅତି ସୂକ୍ଷ୍ମ ମାତ୍ରାରେ କଳସର ବାହ୍ୟପୃଷ୍ଠକୁ ଝରେ । କିନ୍ତୁ କଳସର ଜଳ ସେମିତି କିଛି ଆଖି ଦୃଶିଆ ପରିମାଣରେ କମେ ନାହିଁ । ତରଳ ପଦାର୍ଥର ଏତାଦୃଶ ପ୍ରକ୍ରିୟାରୁ କଳସର ଜଳ ଥଣ୍ଡା ରହେ ଏବଂ ଏହା ପାନ କଲେ ମନ ସାତ୍ତ୍ୱିକ ଆନନ୍ଦରେ ଉତ୍ଫୁଲ୍ଲିତ ହୁଏ । ଏହି ଧାରାକୁ ଯଦି ସାଧକର ସାଧନା ସହ ତୁଳନା କରାଯାଏ, ତେବେ ଏହା ସାଧକ ଓ ଜାଗତିକ ଉତ୍ସ ମଧ୍ୟରେ ପାରସ୍ପରିକ ନିବିଡତାକୁ ବୁଝାଇବ । ଏଥିରୁ ସାଧକ ଯେଉଁ ଅପାର ଆନନ୍ଦର ମାନସିକ ସନ୍ତୁଳନତା ପ୍ରାପ୍ତ ହେବ, ତାହା ସମ୍ପୂର୍ଣ୍ଣ ରୂପେ ଲାଳସା ବିହୀନ ଅଟେ ଓ ଏହି ଦିବ୍ୟ ଆନନ୍ଦର ସ୍ରୋତ ଥଣ୍ଡା ପାନୀୟ ଜଳ ସଦୃଶ ମାନବ ସମାଜର କଲ୍ୟାଣରେ ବିନିଯୋଗ ହୋଇଥାଏ । ଏହାହିଁ ଏକ ପ୍ରକୃତ ସନ୍ୟାସୀର ଧର୍ମ ।
***********************************************************************