ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ସପ୍ତଦଶ ସ୍ତବକ)
ଯୋଗରତୋ ବା ଭୋଗରତୋବା ……… ସଙ୍ଗୋରତୋ ବା ସଙ୍ଗବୀହିନଃ
ଯସ୍ୟ ବ୍ରହ୍ମାଣି ରମତେ ଚିତ୍ତଂ ………. ନନ୍ଦତି ନନ୍ଦତି ନନ୍ଦତ୍ୟେବ ———— (୨୦)
ଶ୍ରୀ ଶଙ୍କରାଚାର୍ଯ୍ୟ ଦର୍ଶାଇଛନ୍ତି ଯେ, ଆତ୍ମଜ୍ଞାନୀ ବା ବ୍ରହ୍ମଜ୍ଞାନୀ ସଦା ସର୍ବଦା ସବୁପ୍ରକାର ପରିସ୍ଥିତି ଓ ପରିବେଶରେ ଅବିଚଳିତ ଓ ସନ୍ତୁଳିତ ରହି ନିଜସ୍ୱ ପରିବେଷ୍ଟନୀ ମଧ୍ୟକୁ ମହାଜାଗତିକ ଉତ୍ସରୁ ପ୍ରବେଶ କରୁଥିବା ଈଶ୍ୱରୀୟ ଚେତନାର ସୁଧାରସ ପାନ କରି ଅନ୍ତରରେ ପରମ ସନ୍ତୋଷ ଲାଭ କରିବା ସହ ସମାଜ ବକ୍ଷରେ ସର୍ବମଙ୍ଗଳକାରୀ ଆଭା ବିକିରଣର କାରଣ ହୋଇଥାନ୍ତି । ଯୋଗ ସାଧନ, ଭୋଗ ବିଳାସ, ଜନ ସମୁନ୍ଦ୍ରର କୋଳାହଳ, ସଙ୍ଗମେଳ ଅଥବା ସମ୍ପୂର୍ଣ୍ଣ ନିର୍ଜନତା ମଧ୍ୟରେ ଥିବା ବ୍ୟକ୍ତିଟି ଯଦି ଦିବ୍ୟ ସାଧନାର ଶୀର୍ଷରେ ପଦାର୍ପଣ କରିଥାଏ, ତେବେ ସେ କେବଳ ବ୍ରହ୍ମମୟ ସତ୍ତାର ଅନୁଭବ କରି ଆନନ୍ଦ ପ୍ରାପ୍ତ ହୋଇଥାଏ । ଏହାହିଁ ତା’ର ସମ୍ପୂର୍ଣ୍ଣ ନିଜସ୍ୱ ଓ ନିଜ ନିକଟରେ ଥିବା କୌଣସି ବ୍ୟକ୍ତିକୁ ଏହା ଜ୍ଞାତ ହୁଏନି । ମାନବାକୃତ ବା ପ୍ରାକୃତିକ ଭେଦଭାବ ଠାରୁ ସେ ମୁକ୍ତ । କୌଣସି ଲାଳସା, କ୍ରୋଧ, ଲୋଭ, ମୋହ – ମାୟା, ସୁଖ, ଦୁଃଖ ଆଦିର କିଞ୍ଚିତ୍ ପ୍ରଭାବବି ତା’ର କେଶାଗ୍ର ବି ସ୍ପର୍ଶ କରିପାରେନି । ସର୍ବତ୍ୟାଗୀ, ସତ୍ୟନିଷ୍ଠା, ସିଦ୍ଧ ସାଧକପାଇଁ ଅନନ୍ତ ବ୍ରହ୍ମାଣ୍ଡରୁ କେବଳ ଆନନ୍ଦର ଅମୃତ ଧାରାହିଁ ବର୍ଷେ । ଦୁନିଆର ସବୁ ପ୍ରକାର ବନ୍ଧନ ତା’ ପାଖରେ ଛିନ୍ନଭିନ୍ନ ହୋଇଯାଏ । ପ୍ରସନ୍ନ ମୁଖମଣ୍ଡଳ ସ୍ଥିରତାର ପ୍ରତିବିମ୍ବ ରୂପେ ଜଗତକୁ ଉଦ୍ଭାସିତ କରେ । ମନ ଓ ଶରୀରକୁ ଆଛାଦିତ କରି ରଖୁଥିବା ତ୍ରିଗୁଣ – ସତ୍ତ୍ୱ, ରଜ ଓ ତମ ସତେକି ସେଠାରେ ଏକାକାର ଓ ସେ ସର୍ବ ସନ୍ତୁଳନତାର ପ୍ରତୀକ ରୂପେ ଶୋଭା ପାଏ । ଦିବ୍ୟ ସାଧନାବ୍ରତୀର ସ୍ୱଚ୍ଛ ଅନ୍ତରାତ୍ମା ପାର୍ଥିବ ଦୁନିଆଁର ସମସ୍ତ କାମନାକୁ ବିନାଶ କରେ । କୌଣସି ପ୍ରଭାବରେ ସେ ପ୍ରଭାବିତ ନ ହୋଇ ସ୍ଥିର ନିଶ୍ଚିତତାର ପରାକାଷ୍ଠା ଦେଖାଇଥାଏ । ତେଣୁ ସେ ବାହ୍ୟ ରୂପେ ଯେଉଁ ପରିସ୍ଥିତିରେ ଉପସ୍ଥିତ ଥିଲେ ବି ସୂକ୍ଷ୍ମ ଭାବେ ମହାଜାଗତିକତାର ଡୋରିରେ ବନ୍ଧନଯୁକ୍ତ ହୋଇ ଏକ ନିର୍ଜନତାର ପରିବେଷ୍ଟନୀରେ କେବଳ ସେ ନିଜକୁ ସଂଯୁକ୍ତ କରି ରଖିଥାଏ ଓ ତା’ର ଅନ୍ତର ଭରି ରହିଥାଏ ଅନାବିଳ ପ୍ରେମର ସ୍ୱର୍ଗୀୟ ଅନୁଭୂତିରେ । ଭକ୍ତକବି ମଧୁସୂଦନ ରାଓ ତା’ଙ୍କ “ନିର୍ଜନତାର ବିଳାପ” କବିତାରେ ଯଥାର୍ଥରେ ଦର୍ଶାଇଛନ୍ତି –
“ବିଜନତା ! କାହିଁ ତୋ ବେଶ ମୋହନ ?
ଯେ ବେଶେ ମୋହିଲୁ ତୁ ମୁନିନୟନ ” ।
ପ୍ରକୃତରେ ଯୋଗୀ, ୠଷି, ମୁନି ଆଦି ବ୍ରହ୍ମଜ୍ଞାନୀମାନେ ନିର୍ଜନତାକୁ ଅତିମାତ୍ରାରେ ଆଦରିଥାନ୍ତି ଏବଂ ଏହା ଯେଉଁ ଦିବ୍ୟ ଅନୁଭୂତି ପ୍ରଦାନ କରେ, ତାହା ଅନୁଭବୀ ହିଁ କହିପାରିବ । ଯେମିତି ହରି ଭଜନରେ ମଧ୍ୟ କୁହାଯାଇଛି – “ହରିନାମେ କି ରସ ଅଛି – ପାନ କଲା ଲୋକ ସିନା ଜାଣିଛି” ।
ଏତାଦୃଶ ଆଧ୍ୟାତ୍ମିକ ଦର୍ଶନର ମଧ୍ୟ ଏକ ଆନୁପାତିକ ବିଜ୍ଞାନ ଦର୍ଶନର ଅଭାସ ମିଳେ । ତାହାହେଲା ଏକ ବିଚ୍ଛିନ୍ନ ପ୍ରଣାଳୀରେ ଗୋଟିଏ କଣିକା ଗତି କରୁଥିଲେ(Motion of a particle in an isolated System) ଏହାର ଗତି ସମ୍ବନ୍ଧୀୟ କିଛି ପରିମାପମାନ(Parameters) ଏକ ଏକ ଧ୍ରୁବାଙ୍କ(Constant) ବିଶିଷ୍ଟ ହୁଅନ୍ତି । ଏହା ତିନୋଟି ନିୟମ ପ୍ରକାଶ କରେ –
୧.ରୈଖିକ ସଂବେଗ ସଂରକ୍ଷଣ ନିୟମ (Law of Conservation of Linear Momentum)
୨. କୌଣିକ ସଂବେଗ ସଂରକ୍ଷଣ ନିୟମ (Law of Conservation of Angular Momentum)
୩. ଶକ୍ତି ସଂରକ୍ଷଣ ନିୟମ (Law of Conservation of Energy)
ଏହି ନିୟମମାନ ସୂଚାଏ ଯେ, ଏକ ବିଚ୍ଛିନ୍ନ ପ୍ରଣାଳୀ ବାହ୍ୟ ପ୍ରଭାବ ଅର୍ଥାତ୍ ବାହ୍ୟବଳ(External Force) ଓ ବାହ୍ୟ ଆଘୂର୍ଣ୍ଣ(External Torque) ବୀହିନ ଅଟେ । ଯଦି ଏହି ବ୍ୟବସ୍ଥାରେ ମାତ୍ର ଗୋଟିଏ କଣିକା ଥାଏ ଓ ଏହା ଗତିଶୀଳ, ତେବେ ପ୍ରଥମ ନିୟମାନୁସାରେ ଏହାର ରୈଖିକ ସଂବେଗ ଏକ ପରିମାପରେ ସ୍ଥିର ରହେ । ଯଦି କଣିକାଟିର ଗତି ନିମ୍ନ ପରିବେଗରେ ଥାଏ ବା ଆଲୋକର ଗତି ସୀମାକୁ ବୃଦ୍ଧି ପାଉନଥାଏ, ତେବେ ଏହାର ପରିବେଗ ମଧ୍ୟ ଅନ୍ୟ ଏକ ପରିମାପରେ ସ୍ଥିର ରହେ । ଦ୍ୱିତୀୟ ନିୟମାନୁସାରେ ଯଦି କଣିକାଟିର ଗତି ବକ୍ର, ତେବେ ଏହାର କୌଣିକ ସଂବେଗ ଓ କୌଣିକ ବେଗ(Angular Velocity)ରେ ମଧ୍ୟ ଭିନ୍ନଭିନ୍ନ ପରିମାପରେ ସ୍ଥିରତା ବଜାୟ ରହେ । ତୃତୀୟ ନିୟମ ହେଉଛି ଶକ୍ତି ସଂରକ୍ଷଣ । ଯେହେତୁ ତାହା ଏକ ବିଚ୍ଛିନ୍ନ ପରିବେଶ, ତେଣୁ ବାହ୍ୟ ଉତ୍ସରୁ ଶକ୍ତି ଦେଣ ନେଣ ବା ବିନିମୟ(Transformation) ହୁଏନି । ଅର୍ଥାତ୍ କଣିକାଟିର ଶକ୍ତି ସମୁଦାୟ ଏକ ମୂଲ୍ୟରେ ସ୍ଥିର ରହେ । ପୁନଶ୍ଚ ଏ ତ୍ରୀନିୟମ ମଧ୍ୟ ଏକ ବିଚ୍ଛିନ୍ନ ପରିବେଷ୍ଟନୀରେ ସ୍ୱାଧିନ ଭାବେ ଗତି କରୁଥିବା କଣିକା ସମୁହ(Motion of a System of Particles) ପାଇଁ ସମାନ ଅଟେ । ଏ କ୍ଷେତ୍ରରେ କଣିକା ଗୁଡିକର ସମଷ୍ଟିଗତ ରୈଖିକ ସଂବେଗ, କୌଣିକ ସଂବେଗ ଓ ଶକ୍ତି ବଦଳେ ନାହିଁ, ଯେତେବେଳ ଯାଏ ବାହ୍ୟବଳ ଓ ବାହ୍ୟ ଆଘୂର୍ଣ୍ଣର ପ୍ରଭାବ ନଥାଏ ।
ଏହା ଦର୍ଶାଉଛି ଯେ, ସତେକି କଣିକାଟି ସବୁ ପ୍ରଭାବରୁ ବିଚ୍ଛିନ୍ନ ହୋଇ ଅପରିବର୍ତ୍ତିତ ଗତିରେ ନିମଗ୍ନ ବା ଯୋଗରତ । ଏହାହିଁ ନିର୍ଜନତା ବା ସଙ୍ଗବୀହିନର ଏକ ଦୃଷ୍ଟାନ୍ତ ଅଟେ । ସେହିପରି କଣିକା ସମୁହର ଗତିକୁ ଭୋଗରତ ଓ ସଙ୍ଗରତ ସହ ତୁଳନା କରାଯାଇ ପାରେ । କାରଣ କଣିକା ଗୁଡିକ ସ୍ୱାଧିନ ଭାବେ ଗତି କଲେ ବି ନିଉଟନ୍ଙ୍କ ମହାକର୍ଷଣୀୟ ନିୟମ(Newton’s Law of Gravitation) ଅନୁସାରେ ସେମାନଙ୍କ ମଧ୍ୟରେ ପାରସ୍ପରିକ ଆକର୍ଷଣ ରହିଥାଏ, ଯାହା କଣିକାର ବସ୍ତୁତ୍ୱ ଓ କଣିକା ଦ୍ୱୟ ମଧ୍ୟରେ ଦୂରତା ଉପରେ ନିର୍ଭରଶୀଳ । ପରନ୍ତୁ ନିଉଟନ୍ଙ୍କ ଗତି ତତ୍ତ୍ୱର ତୃତୀୟ ନିୟମ ଅର୍ଥାତ୍ ଦୃଢ କ୍ରିୟା ଓ ପ୍ରତିକ୍ରିୟା ନିୟମ(Strong Law of Action and Reaction) ଅନୁଯାୟୀ କଣିକା ଗୁଡିକ ମଧ୍ୟରେ ଏହି ଆଭ୍ୟନ୍ତରୀଣ ପାରସ୍ପରିକତାର ସମୁଦାୟ ସମଷ୍ଟିଗତ ପରିମାଣ ଶୂନ ହୁଏ । ତେଣୁ ଆଭ୍ୟନ୍ତରୀଣ ପାରସ୍ପରିକତା ଥାଇ ବି ଏହା ନିଷ୍କ୍ରିୟତାର ଭୂମିକା ଲିଭାଏ ଓ କଣିକା ଗୁଡିକ ବାହ୍ୟ ବଳ ବା ଶକ୍ତିର ପ୍ରଭାବରେ ନଥାଇ ଅପରିବର୍ତ୍ତିତ ବେଗରେ ଗତି କରନ୍ତି । ଏଠାରେ ଯେପରି ଏକ ବିଚ୍ଛିନ୍ନ ପରିସରରେ ଗତି ସମ୍ବନ୍ଧୀୟ ପରିମାପକ ଗୁଡିକରେ ସ୍ଥିରତା ବଜାୟ ରହୁଛି ଠିକ୍ ସେହିପରି ଯୋଗୀ, ଋଷି ଓ ମୁନିମାନେ ମାୟା – ମୋହ ଆଦି ପ୍ରଭାବରୁ ବିଚ୍ଛିନ୍ନ ହୋଇ ମନର ସ୍ଥିରତା ବଜାୟ ରଖିଥାନ୍ତି । ଏଠାରେ କଣିକା ଯେପରି ସମ ଗତିରେ ଧାବିତ, ସେହିପରି ବ୍ରହ୍ମଜ୍ଞାନୀଙ୍କର ମନ ସ୍ଥିର ରହି ଈଶ୍ୱରଙ୍କ ସମୀପକୁ ଧାଉଁଥାଏ । ଯଦି ବିଚ୍ଛିନ୍ନତା ଲୋପପାଏ, ତେବେ ଉଭୟ କଣିକା ଓ ଯୋଗୀ, ଋଷି ଓ ମୁନିମାନଙ୍କର ସ୍ଥିରତା ଭଗ୍ନ ହୁଏ । ତେଣୁ ପାର୍ଥିବ ଆକର୍ଷଣହିଁ ଅସ୍ଥିରତାର କାରଣ ଅଟେ, ଯାହା ମାନବକୁ ମୁକ୍ତିକାମୀ ପରିବର୍ତ୍ତେ ନର୍କଗାମୀ କରିଥାଏ ।
*******************************************************************