ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ବିଂଶତମ ସ୍ତବକ)
ରଥ୍ୟା ଚର୍ପଟ ବିରଚିତ କନ୍ଥଃ – ପୁଣ୍ୟାପୁଣ୍ୟ ବିବର୍ଜିତ ପନ୍ଥଃ
ଯୋଗୀ ଯୋଗନିୟୋଜିତ ଚିତ୍ତୋ – ରମତେ ବାଲୋନ୍ମତ୍ତୱଦେବ ………………….. (୨୦)
ଶ୍ରୀଶଙ୍କର ଏ ଶ୍ଳୋକରେ ସିଦ୍ଧ ସନ୍ୟାସୀଙ୍କ ସମ୍ପର୍କରେ ଆଲୋକପାତ କରିଛନ୍ତି, ଯେଉଁମାନେ କି ସାଧନାର ଶୀର୍ଷ ଦେଶରେ ପହଞ୍ଚିପାରିଛନ୍ତି । ଦୁନିଆର ସବୁ ମାୟା – ମୋହରୁ ଚ୍ଛିନ୍ନ ସିଦ୍ଧ ସନ୍ୟାସୀର ଆଚରଣ ଲୋକଙ୍କ ମନରେ ଅନେକ ପ୍ରକାରର ଭ୍ରମ ସୃଷ୍ଟି କରିଥାଏ । ଏପରିକି ପଥ ପ୍ରାନ୍ତରରେ ବର୍ଜ୍ୟ, ଛିଣ୍ଡା ଆଦି ବସ୍ତ୍ରକୁ ଯୋଡି ବ୍ୟବହାର କରିବା, ଚାଲି – ଚଳନରେ କେତେବେଳେ ପିଲାଳିଆମୀ ତ ପୁଣି କେତେବେଳେ ମତୁଆଲା ବା ପାଗଳାମୀର ଆଭାସ , ଭୟହୀନ, ଅହଂକାର ଶୂନ୍ୟ, ନିର୍ବୋଧତା ………… ଇତ୍ୟାଦି ବ୍ୟବହାରରୁ ଲୋକେ ସେମାନଙ୍କ ସମ୍ବନ୍ଧରେ ଭିନ୍ନ ଭିନ୍ନ ମତାମତ ପ୍ରଦାନ କରିଥାନ୍ତି । କିଏ କହେ ବଦ୍ଧ ପାଗଳ ତ କିଏ କହେ ଭୂତ, ଛୋଟ ପିଲାମାନେ ଏମାନଙ୍କୁ ଦେଖି ଭୟଭୀତ ହୁଅନ୍ତି ବା ଛିଗୁଲାନ୍ତି ଓ ପୁଣି କିଛି ଲୋକେ ମଧ୍ୟ ଆଦର କରନ୍ତି । ଯେହେତୁ ଶରୀର ସାଧାରଣ ଭାବେ ବସ୍ତ୍ରାବୃତ୍ତ ହୋଇନଥାଏ, ତାଙ୍କୁ ଦେଖି ଜୀବଜନ୍ତୁ ମାନଙ୍କର ମଧ୍ୟ ବ୍ୟବହାରରେ ପରିବର୍ତ୍ତନ ଘଟିଥାଏ । ସତେକି ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’ ଅର୍ଥାତ୍ ଏକ ଭିନ୍ନ ବେଶଭୂଷାର ମାନବକୁ ଦେଖି ଗାଈଗୋରୁ ତରକନ୍ତି ଓ ଶ୍ୱାନ ଦଳ ଭୁକିଭୁକି କିଛି ବାଟ ତାଙ୍କ ପଛରେ ଯାଇଥାନ୍ତି । କିନ୍ତୁ ଏଥିପ୍ରତି ସନ୍ୟାସୀଟି କର୍ଣ୍ଣପାତ କରେନି କି ବିଚଳିତ ହେବାର ଦେଖାଯାଏନି । ସଦା ପ୍ରସନ୍ନ ବଦନ, ନୁହେଁ ମ୍ରିୟମାଣ । ଦିନ – ରାତି, ସ୍ଥାନ , ପରିବେଶ ଅର୍ଥାତ୍ ଜଙ୍ଗଲ, ମରୁଭୂମି, ଗ୍ରାମ, ସହର- ବଜାର, ରାଜପ୍ରାସାଦ …….. ଆଦି ପ୍ରତି ନିଘା ନଥାଏ । ନଥାଏ ମୃତ୍ୟୁ ଭୟ ଅଥବା ବଞ୍ଚିବାର ଲାଳସା । କ୍ଷୁଧା, ତୃଷ୍ଣା, ଅମୃତ ତୁଲ୍ୟ ଭୋଜନ ବା ଗଣ୍ଡେ ବାସି ପଖାଳ ପ୍ରାପ୍ତ, ମାନ-ଅପମାନ, ଥଟ୍ଟା – ହାସ୍ୟାସ୍ପଦ, ନିନ୍ଦା – ପ୍ରଶଂସା ଆଦି ସବୁକିଛି ତା’ପାଇଁ ସମାନ ।
ଏତାଦୃଶ ଦୃଶ୍ୟାବଳୀ ଅବଲୋକନର ପରିଭାଷା ପ୍ରକାଶ କରେ ଜଣେ ସନ୍ୟାସୀର ସୂକ୍ଷ୍ମ ଚେତନା, ଯାହା ସାଧାରଣ ମାନବ ପକ୍ଷେ ବୁଝିବା ସହଜ ହୋଇନଥାଏ । ଯିଏ ଶରୀରର ଦାସ ନୁହେଁ, ତଥା ଦୈହିକ ଈଛାରେ ପରିଚାଳିତ ନୁହେଁ, ସ୍ଥୂଳ ବସ୍ତୁବାଦିତାରୁ ଅନେକ ଉର୍ଦ୍ଧ୍ୱରେ ଓ ଜାଗତିକ ଦୁନିଆରେ ନିଜକୁ ସଂଯୁକ୍ତ କରି ରଖିଥାଏ , ସେ ସ୍ଥୂଳ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ହାସ୍ୟାସ୍ପଦ ହେବାରେ କାହିଁକି ବା ବିଚଳିତ ହେବ ? କାରଣ ଜୀବେ ଦୟା, ସମଭାବ ଓ ସଭିଙ୍କ ମଙ୍ଗଳ ନିମନ୍ତେ ନିଜକୁ ନିୟୋଜିତ କରିବାର ସଦ୍ଈଛାରେ ବ୍ରହ୍ମଜ୍ଞାନୀମାନଙ୍କର ହୃଦୟ ସଦା ତରଳ ଅବସ୍ଥାରେ ରହିଥାଏ । କାମ – କ୍ରୋଧ – ଲୋଭ – ମୋହ – ମାୟାଦିକୁ ଦମନ କରି, ପାପ – ପୁଣ୍ୟର ସାଗରକୁ ଅତିକ୍ରମ ପୂର୍ବକ ସତ୍ତ୍ୱ, ରଜ ଓ ତମଃ ଗୁଣ ବିହୀନ ହୋଇଥିବା ବ୍ୟକ୍ତି ହିଁ ସିଦ୍ଧ ସନ୍ୟାସୀ । ତା’ର ମନ ଚୈତନ୍ୟ ଜୀବମଙ୍ଗଳ କାରକ ଓ ପରମବ୍ରହ୍ମଙ୍କ ଠାରେ ଲୀନ ହୋଇ ରହିଥାଏ । ଏମାନେ ଏକ ଏକ ଈଶ୍ୱରୀୟ ପରିପ୍ରକାଶ, ଯଥା –
ସଦା ଚଞ୍ଚଳ ନିଦ୍ରା ନାହିଁ – ଏ ରୂପେ ଶୂନ୍ୟେ ଅଛୁ ତୁହି
ନମସ୍ତେ ପ୍ରଭୁ ବାସୁଦେବ – ଭକତ ଜନଙ୍କ ବାନ୍ଧବ ।
ତେବେ ସନ୍ୟାସୀ ରୂପୀ କାର୍ଯ୍ୟଧାରାକୁ ପ୍ରକୃତିର ଏକ ମହା ବୈଜ୍ଞାନିକ ପର୍ଯ୍ୟବେକ୍ଷଣ ସହ ଜଡ଼ିତ କରି ସମ ଭାବ ପ୍ରାପ୍ତରେ ଅପାର ଆନନ୍ଦ ମିଳେ । ତାହାହେଲା ସୌର ଜଗତ(Solar System)ର ସକଳ ଶକ୍ତିର ଆଧାରଙ୍କ ପୃଷ୍ଠରେ ଅହରହ ଘଟୁଥିବା ନାଭିକୀୟ ସଂଶ୍ଳେଷଣ(Nuclear Fusion) । ସୂର୍ଯ୍ୟଙ୍କଠାରୁ ଅହରହ ଆଲୋକ ଓ ତାପ ଶକ୍ତିର ବିକିରଣ ଏହି ନାଭିକୀୟ ପ୍ରକ୍ରିୟାରୁ ହୋଇଥାଏ । ସେଠାରେ ଅତ୍ୟଧିକ ତାପମାତ୍ରା ଯୋଗୁ ପଦାର୍ଥ ତା’ର ଚତୁର୍ଥାବସ୍ଥାରେ ରହିଥାଏ । ଏହାକୁ ପ୍ଲାଜମା ଅବସ୍ଥା (Plasma)କୁହାଯାଏ । ଏହି ଅବସ୍ଥାରେ ବସ୍ତୁର ପରମାଣୁରୁ ନାଭିକ ଗୁଡିକ ମୁକ୍ତାବସ୍ଥାରେ ଘୂରୁଥାନ୍ତି । ଅର୍ଥାତ୍ ପରମାଣୁର ନାଭିକ ଓ ଏହାର ଚତୁଃପାର୍ଶ୍ୱରେ ଘୂରୁଥିବା ଇଲେକ୍ଟ୍ରନ୍ର ପରିବେଷ୍ଟନୀ ଥାଇ ନଥିବା ପ୍ରାୟ ହୋଇଥାଏ । ଯୁକ୍ତଚାର୍ଜ ବହନକାରୀ ନାଭିକ ସହ ସମପରିମାଣର ବିଯୁକ୍ତ ଚାର୍ଜର ଇଲେକ୍ଟ୍ରନ୍ ବଳୟ ଥାଇ, ପରମାଣୁଟି ଚାର୍ଜ ଶୂନ୍ୟତା(Charged Neutral) ଦର୍ଶାଯାଇଥାଏ । କିନ୍ତୁ ବସ୍ତୁର ଚତୁର୍ଥାବସ୍ଥାରେ ଇଲେକ୍ଟ୍ରନ୍ ବଳୟର ନିଷ୍କ୍ରିୟତା ପରିପ୍ରକାଶ ହୁଏ । କେବଳ ଯୁକ୍ତ ଚାର୍ଜଧାରୀ ନାଭିକଗୁଡିକ ମୁକ୍ତ ଅବସ୍ଥାରେ ବିଚରଣ କରନ୍ତି । ଏହି ମୁକ୍ତାବସ୍ଥା ନାଭିକ ଗୁଡିକ ହେଉଛନ୍ତି ଉଦ୍ଜାନ ନାଭିକ(Hydrogen Nucleus) ବା ପ୍ରୋଟନ୍ (Proton) । ସୌର ପୃଷ୍ଠରେ ଅହରହ ଏଗୁଡିକ ଏକତ୍ରିତ ହୋଇ ହିଲିୟମ୍ ନାଭିକକୁ ରୂପାନ୍ତରିତ ହେଉଛି ଓ ତତ୍ସଙ୍ଗେ ସଙ୍ଗେ ତାପୀୟ ନାଭିକିୟ ସୌର ଶକ୍ତି(Thermonuclear Stellar Energy) ନିର୍ଗତ ହେବାରେ ଲାଗିଛି । ଯାହା ଜଣାପଡିଛି ସୂର୍ଯ୍ୟ ଏକ ଜ୍ୱଳନ୍ତ ଗ୍ୟାସୀୟ ପିଣ୍ଡ । ଏହାର ଶରୀର ପ୍ରାୟ 70% ଉଦ୍ଜାନ, 28% ହିଲିୟମ୍ ଓ 2% ଅନ୍ୟ ମୌଳିକ ପଦାର୍ଥ(Elements)କୁ ନେଇ ଗଠିତ । ଏହାର ତାପମାତ୍ରା ଅତି ଉଚ୍ଚ(Too high temperature)) ହେତୁ ଉଦ୍ଜାନ ଓ ହିଲିୟମ ପରମାଣୁ ଇଲେକ୍ଟ୍ରନ୍ ବଳୟରୁ ମୁକ୍ତପ୍ରାୟ ହୋଇ ଯଥାକ୍ରମେ ପ୍ରୋଟନ ଓ ଆଲ୍ଫା କଣିକା(ହିଲିୟମ୍ ନାଭିକ) ରୂପେ ବିଚରଣ କରନ୍ତି । ଏହି ଅତ୍ୟୁଚ୍ଚ ତାପମାତ୍ରାର ହିଁ ନାଭିକୀୟ ସଂଯୋଗୀକରଣର କାରଣ ଅଟେ । ଚାରୋଟି ହାଇଡ୍ରୋଜେନ୍ ନାଭିକ ବା ପ୍ରୋଟନର ମିଶ୍ରଣରୁ ଗୋଟିଏ ହିଲିୟମ୍ ନାଭିକ ଉତ୍ପନ୍ନ ହେବା ସହ ପ୍ରାୟ 26.7 Mev ଶକ୍ତିର ବିକିରଣ ହୁଏ । ଏକ ସେକେଣ୍ଡରେ କୋଟି କୋଟି ହାଇଡ୍ରୋଜେନ୍ ନାଭିକର ମିଶ୍ରଣ ଘଟିଥାଏ ଓ ଅପର୍ଯ୍ୟାପ୍ତ ପରିମାଣ ଶକ୍ତି(Huge amount of energy)ମହାଶୂନ୍ୟକୁ ନିର୍ଗତ ହୁଏ । ଆକଳନରୁ ଜଣାପଡିଛି ପ୍ରତି ସେକେଣ୍ଡରେ 3.8×1026Joule ଶକ୍ତି ସୂର୍ଯ୍ୟଙ୍କ ଠାରୁ ଅହରହ ବିକିରିତ ହେଉଅଛି । ଏହି ପ୍ରକ୍ରିୟା କୋଟି କୋଟି ବର୍ଷରୁ ଚାଲିଛି ଓ କୋଟି କୋଟି ବର୍ଷ ଯାଏ ଚାଲୁଥିବାର ଆଶା କରାଯାଉଛି । ଏହି ତାପୀୟ ନାଭିକୀୟ ପ୍ରକ୍ରିୟା ଦୁଇ ପ୍ରକାରର ବୋଲି ବୈଜ୍ଞାନିକ ମାନଙ୍କର ମତ, ଯଥା – (1) ପ୍ରୋଟନ୍ – ପ୍ରୋଟନ୍ ଚକ୍ର ଓ (2) କାର୍ବନ୍ – ନାଇଟ୍ରୋଜେନ୍ ଚକ୍ର ।
ସତେକି ଏହି ଯୁକ୍ତ ଚାର୍ଜଧାରୀ ନାଭିକଗୁଡିକ ମୁକ୍ତ ଅବସ୍ଥାରେ ବିଚରଣ କରିବା ଯେପରି ସିଦ୍ଧ ସନ୍ୟାସୀ ମାୟା – ମୋହରୁ ବିଚ୍ଛିନ୍ନ ହୋଇ ନିଜ ଦୁନିଆରେ ମଜ୍ଜି ରହିବାର ଏକ ସମାନ୍ତରାଳ ଭାବ ପ୍ରକଟ ହୁଏ । ତେବେ ନାଭିକଗୁଡିକର ପରସ୍ପର ସହ ସଂଯୁକ୍ତତାରେ ସୂର୍ଯ୍ୟଙ୍କ ଠାରୁ ଯେଉଁ ଶକ୍ତି ବିକିରିତ ହୁଏ ତାହା ଏ ଜୀବଜଗତ ତିଷ୍ଠିବାର କାରଣକୁ ବୁଝାଏ । ସେହିପରି ସିଦ୍ଧ ଯୋଗୀମାନେ ଅହରହ ଈଶ୍ୱର ଚେତନାବ୍ରତୀ ବା ଈଶ୍ୱରଙ୍କ ସହ ମନର ସଂଯୋଗୀକରଣରୁ ଯେଉଁ ମହାଜାଗତିକ ଜ୍ଞାନ-ସ୍ରୋତ ପ୍ରବାହ ହୁଏ ତାହା ସମାଜ ମଙ୍ଗଳକାରୀ ହୋଇ ଚାଲିଥାଏ । ଏମାନେ ସୂର୍ଯ୍ୟଙ୍କ ସଦୃଶ ଶକ୍ତିର ଆଧାର ରୂପେ ଉଭା ହୋଇଥା’ନ୍ତି । ଯେମିତି କେଉଁ କାଳରୁ ସୂର୍ଯ୍ୟଙ୍କ ଅସରନ୍ତି ଭଣ୍ଡାରରୁ ଶକ୍ତି ପ୍ରବାହ ହେଉଅଛି ଓ ହେଉଥିବ, ସେହିପରି ଯୁଗ ଯୁଗ ଧରି ଯୋଗୀ, ମୁନି, ୠଷି ….. ଆଦିମାନେ ସମାଜକୁ ଦିବ୍ୟ ବାର୍ତ୍ତା ମାଧ୍ୟମରେ ପ୍ଳାବିତ କରୁଥିଲେ ଓ କରି ଚାଲିଥିବେ । ଏହା ହିଁ ଏ ଶ୍ଳୋକର ବିଜ୍ଞାନ ଭିତ୍ତିକ ପରିଭାଷା ।
***********************************************************