ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଏକବିଂଶତମ ସ୍ତବକ)
କସ୍ତ୍ୱଂ କୋ’ହଂ କୁତ ଆୟାତଃ – କା ମେ ଜନନୀ କୋ ମେ ତାତଃ
ଇତି ପରିଭାବ୍ୟ ସର୍ବମସାରମ୍ – ବିଶ୍ୱଂତ୍ୟକ୍ତ୍ୱା ସ୍ୱପ୍ନ ବିଚାରମ୍ ………………………. (୨୧)
ଏ ଶ୍ଳୋକରେ ପ୍ରତ୍ୟେକ ଜୀବର ସ୍ଥିତି, ଗତି ଓ ମୁକ୍ତି ସମ୍ପର୍କରେ ଆଲୋକପାତ କରାଯାଇଛି । ଯେହେତୁ ପୃଥିବୀରେ ଅହରହ ଜନ୍ମ-ମରଣ ପ୍ରକ୍ରିୟା ଚାଲିଛି, ତେଣୁ ନିଜେ କିଏ ଓ କେଉଁଠୁ ଆସିଲା, ଜନ୍ମ-ମୃତ୍ୟୁ ପ୍ରକ୍ରିୟାରେ କିଏ କିଏ ତା’ର ପିତା-ମାତା, ସେ ପୁନଃ କେଉଁଠିକୁ ଗତି କରିବ ଓ କେବେ ଏ ପ୍ରକ୍ରିୟାରୁ ମୁକ୍ତିଲାଭ କରିବ ଆଦି ଭାବନା ନେଇଯାଏ ସ୍ୱପ୍ନର ଦୁନିଆଁକୁ । ସବୁ କିଛି ପ୍ରହେଳିକାମୟ ଓ ଅବାସ୍ତବତାର ଚିତ୍ରପଟ୍ଟ ପ୍ରଦାନ କରେ ।
ଏହାକୁ ଏକ ବିଜ୍ଞାନ ଭିତ୍ତିକ ପରିଭାଷାରେ ପ୍ରକାଶ ନିମିତ୍ତ ଚେଷ୍ଟା କରାଯାଇଛି । ବିଜ୍ଞାନ ପ୍ରମାଣ କରେ ଯେ, ଏ ବିଶ୍ୱ ଚାରି ପାରସ୍ପରିକତାର ଏକ ସନ୍ତୁଳିତ ସମାବେଶ । ପାରମାଣବିକ ନାଭିକ ମଧ୍ୟରୁ ଆରମ୍ଭ ହୋଇ ଏହା ମହାନାକ୍ଷତ୍ରିକ ଜଗତର ସ୍ଥିତିକୁ ବୁଝାଇଥାଏ ।
କିନ୍ତୁ ଜ୍ଞାନ ସାଗରର ଅନନ୍ତ ସୀମାରୁ ଏହା କାଣିଚାଏ ସଦୃଶ । ଯେହେତୁ ଜ୍ଞାନ ଭଣ୍ଡାରର ଅସୀମତାକୁ ଭେଦକରିବା ଅସମ୍ଭବ, ତେଣୁ ମାନବୀୟ ଜ୍ଞାନର ଉର୍ଦ୍ଧ୍ୱରେ କାହିଁ କେତେ ପ୍ରକାର ଅଜ୍ଞାତ ପାରସ୍ପରିକତା ନଥିବ ବା କାହିଁକି ? ସେହି ଢାଞ୍ଚାରେ ବସ୍ତୁର ଚାରି ଅବସ୍ଥା ବାଦ୍ ମଧ୍ୟ ଆହୁରି ଅବସ୍ଥାମାନ ଥିବାର ସମ୍ଭାବନା ସୃଷ୍ଟି କରେ । ଏ ସବୁ ହୋଇପାରେ ଭୌତିକ ବିଜ୍ଞାନ ପରିସରଭୁକ୍ତ କିମ୍ବା ଆଉକିଛି, ଯାହା ଅତ୍ୟାଧୁନିକ ଯାନ୍ତ୍ରିକ ପର୍ଯ୍ୟବେକ୍ଷଣର ଦକ୍ଷତା ବାହାରେ ।
ଆମ ସୌର ଜଗତର ଜୀବନ୍ତ ଗ୍ରହ ପୃଥିବୀରେ ଅହରହ ଜନ୍ମ-ମରଣ ପ୍ରକ୍ରିୟା ଚାଲିଛି । ଅତୀତରେ କେଉଁ ଗ୍ରହ ଜୀବନ୍ତ ଥିଲା ଓ ଆଗକୁ କ’ଣ ଘଟିବ ଇତ୍ୟାଦି ସମ୍ବନ୍ଧରେ ବିଭିନ୍ନ ମତବାଦମାନ ପର୍ଯ୍ୟବେକ୍ଷଣର ମୀମାଂସା ଅଥବା ବିନା ପର୍ଯ୍ୟବେକ୍ଷଣର ଅପରୋକ୍ଷାନୁଭୂତିର ସ୍ରୋତ ଚାଲୁ ରହିଛି । ଏ ବିଶ୍ୱ କୋଟି କୋଟି ଗ୍ୟାଲାକ୍ସିର ସମାହାର । କେବଳ ଆମ ଛାୟାପଥ ଗ୍ୟାଲାକ୍ସିର ଏକ ମଧ୍ୟମ ତାରକା ସୂର୍ଯ୍ୟର ପରିବାରରେ ଥିବା ଜୀବନ୍ତ ଗ୍ରହ ପୃଥିବୀର ସବୁଠୁ ବୁଦ୍ଧିମାନ ଜୀବ ମାନବ ଏ ତତ୍ତ୍ୱ ପ୍ରକାଶ କରେ । ତେବେ ଯେଉଁ ପ୍ରକାର ପରିବେଶରେ ପୃଥିବୀ ଆଜି ଜୀବଜଗତ ପୂର୍ଣ୍ଣ, ସେହି ପ୍ରକାର ପରିବେଶ ଥାଇ ଆମ ଗ୍ୟାଲାକ୍ସିର କୋଟି କୋଟି ତାରକା ପରିବାରରେ ଅତି କମ୍ରେ ଗୋଟିଏ ହେଲେବି ଜୀବନ୍ତ ଗ୍ରହ ଥାଇପାରେ, ନଥାଇ ବି ପାରେ । ପୁନଶ୍ଚ ମାଳ ମାଳ ଗ୍ୟାଲାକ୍ସି ମଧ୍ୟରେ ଏହି ସମ ଚିନ୍ତନର ପରିଭାଷା ସୃଷ୍ଟିକରେ । ତେଣୁ ଅପରୋକ୍ଷାନୁଭୂତିରୁ ଏହାର ନିଶ୍ଚିତତାରେ ପ୍ରଶ୍ନବାଣ ସୃଷ୍ଟି ହେଲେ ବି ଅତି ସଙ୍କୁଚିତ ରୂପେ ଜୀବ ଜଗତ ଥିବାର ଯୁକ୍ତାତ୍ମକ ସମ୍ଭାବନା ଜାଗ୍ରତ କରାଏ । ଏହା ସହ ପୃଥିବୀର ବୈଜ୍ଞାନିକ ପର୍ଯ୍ୟବେକ୍ଷଣରୁ ମଧ୍ୟ ଏ ସମ୍ପର୍କୀୟ ତତ୍ତ୍ୱର ଆଭାସ ଆସିବାର ଅପେକ୍ଷାରେ ରହିଛି ।
ଜନ୍ମ-ମୃତ୍ୟୁ ଚକ୍ରରେ ସ୍ଥାନ-କାଳର ସଂଶ୍ଲିଷ୍ଟ ରହିଛି । କାରଣ ୧୩.୭ ବିଲିୟନ୍ ବର୍ଷରୁ ଏ ବିଶ୍ୱ ଜନ୍ମ ନେଇଛି ଓ ପୃଥିବୀର ଲୋକେ ଏହା ପ୍ରତିପାଦିତ କରିଛନ୍ତି । ସ୍ଥାନ-କାଳର ପାରସ୍ପରିକ ନିବିଡତା(Space-Time Coupling)ରୁ ବିଗ୍ବ୍ୟାଙ୍ଗ୍ ବିସ୍ଫୋରଣ ଓ ବିଶ୍ୱର ଜନ୍ମ । ପ୍ରଥମରୁ କଣିକାମୟ ଘୋର ଅନ୍ଧକାରରୁ ବିଶ୍ୱ ଦୃଶ୍ୟମାନ ଓ ଧିରେଧିରେ ଆଜିର ପ୍ରସାରଣଶୀଳ ବିଶ୍ୱ । ଅର୍ଥାତ୍ କୌଣସି ଜୀବନ ନଥାଇ ଜୀବନର ସତ୍ତା ଆସିଛି । ତେବେ କ’ଣ ଜନ୍ମ-ମୃତ୍ୟୁ ପ୍ରକ୍ରିୟାରେ ସମ୍ପୃକ୍ତ ଜୀବନର ସତ୍ତାମାନ ଗୋଟିଏ ଗୋଟିଏ ଜୀବନ୍ତ ଗ୍ରହରେ ସୀମାବଦ୍ଧ ନା ଜୀବନ୍ତ ଗ୍ରହ ଗୁଡିକ ମଧ୍ୟରେ ସତ୍ତାର ଅଦଳ ବଦଳ ହେଉଛି ? ଏହାର ହିସାବ ନିକାଶ ନିଶ୍ଚିତ ରୂପେ ସ୍ଥାନ-କାଳର ପଞ୍ଜିକା ପରିସରଭୁକ୍ତ ହୋଇଥିବ । ତେଣୁ ଏହା ମଧ୍ୟକୁ ମାନବୀୟ ଚିନ୍ତନର ପୁନର୍ଜନ୍ମ, ପୁନର୍ମୃତ୍ୟୁ, ଜୀବନ ସତ୍ତା (ଆତ୍ମା)ର ସଂଯୋଗୀକରଣ ଓ ବିଚ୍ଛିନ୍ନ, ବଂଶାନୁକ୍ରମିକତା, ନିର୍ବାଣଲାଭ ଇତ୍ୟାଦି ଇତ୍ୟାଦି ଅନେକ ତତ୍ତ୍ୱ ପ୍ରବେଶ କରେ । ତେଣୁ କେଉଁ ଜୀବ ସତ୍ତା କେଉଁଠୁ ଆସିଲା, ଜନ୍ମ ନେଲା ଓ ମୃତ୍ୟୁ ପରେ କେଉଁଠିକୁ ଗଲା ତାହା ଅଦ୍ୟାବଧି ବିଜ୍ଞାନର ଆୟତାଧିନ ନୁହେଁ । ବିଜ୍ଞାନ ଭାଷାରେ ଏ ସଦା ପ୍ରସାରଣଶୀଳ ବିଶ୍ୱ ବା ସମଗ୍ର ସୃଷ୍ଟିର ପୁନଃ ସଙ୍କୋଚନର ସୂଚନା ନାହିଁ । ତଥାପି ମହାଜାଗତିକ ବିଜ୍ଞାନ (Cosmology) ର ବହୁବିଧ ଗବେଷଣା, ପର୍ଯ୍ୟବେକ୍ଷଣ ଆଦି ଏ ବିଶ୍ୱର ପୁନଃ ସଙ୍କୋଚନତା ଉପରେ ଚାଲୁ ରହିଛି । ଏ ମହାସୃଷ୍ଟି ବା ସ୍ଥାନ-କାଳର ପରିବେଷ୍ଟନୀ ସଙ୍କୁଚିତ ହୋଇ ଏକ ପାରସ୍ପରିକତାରେ ଲୀନ ହେବାର ସମ୍ଭାବନା ମଧ୍ୟ ସୃଷ୍ଟି କରୁଛି । ତେଣୁ ଜୀବନ ଚକ୍ରରେ କିଏ କାହାର ପିତା ବା ମାତା ଓ କିଏ କେଉଁ ଜୀବଜଗତରୁ ଆସିଲା ତାହା ଜାଣିବା ଅସମ୍ଭବ । ତେଣୁ ଏ ଦୁନିଆଁକୁ ଆମେ ଯେଉଁ ପ୍ରକାରରେ ଦେଖୁଛନ୍ତି ତାହା ମରିଚିକା ସଦୃଶ ଓ ମିଛ ମାୟାର ଭେଳିକି ଅଟେ । କାରଣ ବିଲୟ ନିଶ୍ଚିତ ଅଟେ । ତେଣୁ ଏ ଜଗତ ସ୍ୱପ୍ନର ରାଜ୍ୟ ସଦୃଶ । ମୃତ୍ୟୁରେ ସ୍ୱପ୍ନ ହଜିଯାଏ । ଅର୍ଥାତ୍ ବାସ୍ତବତା ହିଁ କାଳଚକ୍ର ।
********************************************************************