ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ତ୍ରୟୋବିଂଶତମ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ତ୍ରୟୋବିଂଶତମ ସ୍ତବକ)

ଶତ୍ରୌ ମିତ୍ରେ ପୁତ୍ରେ ବନ୍ଧୌ …..  ମା କୁରୁ ୟତ୍ରଂ ବିଗ୍ରହ ସନ୍ଧୌ
ସର୍ବସ୍ମିନ୍ନାପି ପଶ୍ୟାତ୍ମାନଂ …….. ସର୍ବତ୍ରୋ ସ୍ତୃଜ ଭେଦା ଜ୍ଞାନମ୍ ।

ଏ ଶ୍ଳୋକରେ ପ୍ରତ୍ୟେକ ନିଜ ମାନସିକ ଭାରସାମ୍ୟରେ ସ୍ଥିରତା ବଜାୟ ସହ ଭେଦାଭେଦ ହୀନ ଜ୍ଞାନ ତତ୍ତ୍ୱରେ ବଳୀୟାନ ହୋଇ କର୍ମ କ୍ଷେତ୍ରରେ ଆଗୁସାର ନିମିତ୍ତ ଦର୍ଶାଯାଇଛି । ମାନ, ଅପମାନ ଆଦି ପରିସ୍ଥିତିରେ ଅବିଚଳିତ ରହି ନିଜକୁ ଅନ୍ୟଠାରେ ଓ ଅନ୍ୟକୁ ନିଜଠାରେ ଆବିଷ୍କାର କରି ଶତ୍ରୁ, ମିତ୍ର, ପୁତ୍ର, ବନ୍ଧୁ …….. ଆଦି ଭିନ୍ନତାର ଉର୍ଦ୍ଧ୍ୱରେ ରହିବାର ଦିବ୍ୟ ପରାମର୍ଶ ଦିଆଯାଇଛି । ଯେପରି ମାତା ତା’ର ଜନ୍ମିତ ସନ୍ତାନକୁ ନିଜ ଶରୀରର ଅଂଶ ବୋଲି ଭାବେ । ନିଜ ଦନ୍ତ ଦ୍ୱାରା ଜିହ୍ୱା କ୍ଷତାକ୍ତ ହେଲେବି ଯନ୍ତ୍ରଣା ସହି ଜିହ୍ୱା ଦନ୍ତକୁ ଅଭିଶାପ ବର୍ଷଣ କରି ନଥାଏ, କାରଣ ଏଗୁଡିକ ନିଜ ଶରୀରର ଅଂଶ ବିଶେଷ । ତେବେ ସାଧାରଣତଃ ଦେଖାଯାଏ ଅନ୍ୟର କୁଠାରଘାତରେ ବ୍ୟକ୍ତି ବିଶେଷ ବିଚଳିତ ଓ ପ୍ରତିଶୋଧ ପରାୟଣ ହୋଇ ଉଠନ୍ତି, କାରଣ ନିନ୍ଦୁକ ନିଜର ସୃଷ୍ଟି ନୁହେଁ କିମ୍ବା ନିଜ ଶରୀରର ଅଂଶ ନୁହେଁ । କିନ୍ତୁ ଭେଦାଭେଦ ଜ୍ଞାନଶୂନ୍ୟ ବ୍ୟକ୍ତି କାହାଦ୍ୱାରା ସୃଷ୍ଟି ଅଭାବନୀୟ ପରିସ୍ଥିତିରେ ମ୍ରିୟମାଣ ହୁଏନି । ନିଜ ବନ୍ଧୁବର୍ଗ ହେଉ କି ଅନ୍ୟ କିଏ ହେଉ, ଯଦି ଅପାର ଆନନ୍ଦର ଲହରୀ ଖେଳାଇ ଦିଏ ସେଥିରେ ମଧ୍ୟ ସେ ବିଭୋର ହୋଇ ଉଠେନି । ନିନ୍ଦା, ଅପମାନ ଓ ପ୍ରଶଂସାକୁ ସେ ସମାନ ଭାବେ ଗ୍ରହଣ କରନ୍ତି ଓ ସଦାସର୍ବଦା ଶାନ୍ତ ପ୍ରକୃତିର ହୋଇଥା’ନ୍ତି । କାରଣ ସେ ବୁଝିଥା’ନ୍ତି ଏ ସମଗ୍ର ଦୁନିଆଁର ସେ ଏକ ଅଂଶ ବିଶେଷ ଓ ସମସ୍ତେ ତାଙ୍କର । ମନରେ ନିଜ-ପର-ଶତ୍ରୁ-ମିତ୍ର ଆଦି ଭାବନାର ସ୍ଥାନ ନଥାଏ । ଶ୍ରୀ ଶଙ୍କରଙ୍କ ଭାଷାରେ ଆତ୍ମଜ୍ଞାନୀ ହେଲେ ଏତାଦୃଶ ମାହାନତା ପରିପ୍ରକାଶ ହୁଏ ।

ତେବେ ଏହାର ବିଜ୍ଞାନ ଭିତ୍ତିକ ଅନୁଚିନ୍ତନରେ ପ୍ରବେଶ କରେ ପ୍ରକୃତି ଅଧ୍ୟୟନରୁ କିଛି ପର୍ଯ୍ୟାଲୋଚନା । ସୂର୍ଯ୍ୟ ହେଉଛନ୍ତି ଆମ ସୌରଜଗତର ସକଳ ଶକ୍ତିର ପ୍ରାଣକେନ୍ଦ୍ର । ପ୍ରତ୍ୟେକ ସ୍ଥାନରେ ସୂର୍ଯ୍ୟାଲୋକ ସମଭାବେ ଆପତିତ ହୁଏ । ସେ ଆଲୋକ ବୁଝେନି କିଏ କାହାର ଶତ୍ରୁ-ମିତ୍ର-ପୁତ୍ର-କନ୍ୟା-ସହଧର୍ମିଣୀ-ସ୍ୱାମୀ-ପିତା-ମାତା-ଭ୍ରାତା-ବନ୍ଧୁ । କିଏ ଉଚ୍ଚ-ନୀଚ୍ଚ-ରାଜା- ପ୍ରଜା । କିଏ ବ୍ରାହ୍ମଣ-କ୍ଷତ୍ରୀୟ-ବୈଶ୍ୟ-ଶୂଦ୍ର ଆଦି ଜାତି-କୁଳ-ଗୋତ୍ରର । କିଏ ଭୂମିପୁତ୍ର ଓ କିଏ ପରଦେଶୀ । କିଏ ପାପୀ-ଧାର୍ମୀକ-ଚୋର-ଡକାୟତ-ଟାଉଟର୍‍ ଆଦି । ସେ ଆଲୋକ ବୁଝେନି କିଏ ରୋଗୀ- ନିରୋଗୀ-ଧନୀ ଓ ଦରିଦ୍ର । ଅଟ୍ଟାଳିକା-ଚାଳଛପର-ମନ୍ଦିର-ବିଲ-ବଣ-ପାହାଡ-ପର୍ବତ-ନଦୀ-ପୁଷ୍କରିଣୀ ଓ ସାଗର …………. ଇତ୍ୟାଦି ଇତ୍ୟାଦି ପାଇଁ ସମଭାବାପନ୍ନ । କାହାପାଇଁ କିଛି କମ୍‍ ବେଶି ହୋଇନଥାଏ । ଅଗ୍ନିର ଧାସ, ବର୍ଷାର ତ୍ରାସ, ପବନର ସ୍ପର୍ଶରେ ନଥାଏ ଭେଦଭାବ । ନୀଳ ନଭ, ଦିଗନ୍ତ ବିସ୍ତାରୀ ସବୁଜିମା, ରାତ୍ରିର ଅନ୍ଧକାର, ଜ୍ୟୋସ୍ନା ବିଧୌତ ରଜନୀ ………… ଆଦି ବ୍ୟକ୍ତି ବିଶେଷ ପାଇଁ ଭିନ୍ନ ହୋଇନଥାଏ ।

ଏହି ସମଭାବାପନ୍ନ ଦର୍ଶନ ତତ୍ତ୍ୱ ଉଭୟ ବିଜ୍ଞାନ ଓ ଆଧ୍ୟାତ୍ମିକତାରୁ ପ୍ରସ୍ଫୁଟିତ ହେଉଛି । ନିଜକୁ ସୃଷ୍ଟି ସଂରଚନାରେ ସଠିକ୍‍ ରୂପେ ନିୟୋଜିତ କରିବା ହେଉଛି ପ୍ରାକୃତିକ ଇଛା । ଭେଦଭାବ ହୀନତା ହିଁ ପରମ ମାନସିକ ଓ ଶାରିରିକ ସନ୍ତୁଳନତାର ଉତ୍ସ । ପରନ୍ତୁ ପ୍ରାକୃତିକ ଉତ୍ସର ଉପକାରିତା ପଥରେ ଯଦି ଅବରୋଧ, କ୍ଷୟ ଆଦି ବିନାଶର ବୀଜ ବପନ କରାଯାଏ, ତାହା ସେହିମାତ୍ରାରେ ପ୍ରକୃତିର ତାଣ୍ଡବତା ବୃଦ୍ଧିପାଏ । ଉଦାହରଣ ସ୍ୱରୂପ ଓଜୋନ୍‍ ସ୍ତରର କ୍ଷୟରୁ ଜୀବନାଶକାରୀ ଆଲୋକ ରଶ୍ମି ପୃଥିବୀ ପୃଷ୍ଠରେ ଆପତିତ ହେବା ଓ ସେହିପରି ଭୂମିକମ୍ପ, ସୁନାମୀ, ମହାବାତ୍ୟା, ମହାବନ୍ୟା, ମହାମାରୀ, ………. ଆଦି ମାନବୀୟ ମହାସଂହାରରୁ ଜାତହୁଏ । ପ୍ରକୃତିର ପ୍ରତିଶୋଧ ରୂପୀ ତାଣ୍ଡବରୁ ବର୍ତ୍ତିବା ନିମିତ୍ତ ବାହୁବଳ,ଧନବଳ, ଲୋକବଳ, ରାଜବଳ, କୂଟନୈତିକ ବଳ, ଜାତି-କୁଳ-ଗୋତ୍ର ବଳ ଇତ୍ୟାଦି କିଛି କାମରେ ଆସେନି । ଏମାନଙ୍କ ମଧ୍ୟରୁ ବାଛି ବାଛି କିମ୍ବା ଭେଦଭାବର ପରିସରରେ ରହି ପ୍ରକୃତି କେତେକଙ୍କୁ ସଂହାର କରି ନଥାଏ । ସବୁ କିଛି ଏକାକାର ଅର୍ଥାତ୍‍ ସୃଷ୍ଟି ପଥରେ ଆଘାତ କଲେ ପ୍ରକୃତି ସୃଷ୍ଟି ସମୁହକୁ ଆଘାତ ଦିଏ । ଏଠାରେ ବ୍ୟକ୍ତି ବିଶେଷକୁ ପ୍ରକୃତି ଦୃଷ୍ଟିରେ ରଖି ନଥାଏ । ଏହା ପୁନଃ ସେହି ସମଭାବର ପ୍ରତିଫଳନ । ତେଣୁ ବ୍ୟକ୍ତିବିଶେଷ ଗଣ ପ୍ରାକୃତିକ ବା ସମଭାବାପନ୍ନ ହେଲେ ତାହା ବିଶ୍ୱଶାନ୍ତି ମହାଯଜ୍ଞକୁ ବୁଝାଇବ । ଯେହେତୁ ସର୍ବେ ପ୍ରକୃତିର ଆୟତାଧିନ, ତେଣୁ ପ୍ରକୃତିର ଭେଦଭାବହୀନ ବାର୍ତ୍ତାକୁ ସୂକ୍ଷ୍ମ ଏବଂ ସ୍ଥୂଳ ଭାବେ ଗ୍ରହଣ ଓ ପ୍ରତିଫଳନ କରାଇବା ସଙ୍ଗେ ସଙ୍ଗେ ମାନବାକୃତ ବିଧ୍ୱଂସୀ ଭେଦଭାବରୁ ମୁକ୍ତ ହେବାହିଁ ସର୍ବାଦୌ ବାଞ୍ଛନୀୟ ।  ଅହଂତ୍ୱର ବିନାଶହିଁ ସୃଷ୍ଟି ମଙ୍ଗଳ କାରକ ।

————————————————————————————————————————-

 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help