ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଦ୍ୱାବିଂଶତମ ସ୍ତବକ)

ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍‍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଦ୍ୱାବିଂଶତମ ସ୍ତବକ)

ତ୍ୟୟିମୟି ଚାନ୍ୟ ତ୍ରୈକୋ ବିଷ୍ଣୁ  ……… ବ୍ୟର୍ଥମ୍ କୃପ୍ୟସି ମୟ୍ୟ ସହିଷ୍ଣୁଃ
ଭବ ସମଚିତ୍ତଃ ସର୍ବତ୍ର ତ୍ୱଂ ……… ବାଞ୍ଛସ୍ୟ ଚିରାଧ୍ୟାଦି ବିଷ୍ଣୁ ତ୍ୱମ୍ ।

ଈଶ୍ୱରୀୟ ସତ୍ତା ସଭିଙ୍କ ଠାରେ ଯୁକ୍ତ ହୋଇ ରହିଛି । ଏହା ଏ ଶ୍ଳୋକର ବାର୍ତ୍ତା ଅଟେ । ଅସହିଷ୍ଣୁତା ଓ ଧୈର୍ଯ୍ୟହୀନତା ବଶତଃ କ୍ରୋଧାଗ୍ନିରେ ଜର୍ଜରିତ ହେବାକୁ ଏଠାରେ ବୃଥା ଆସ୍ଫାଳନ ରୁପେ ଟୀପ୍‍ପଣୀ ଦିଆଯାଇଛି । ସମସ୍ତଙ୍କ ମଧ୍ୟରେ ଓ ନିଜ ମଧ୍ୟରେ ନାରାୟଣ ବିଦ୍ୟମାନର ଚେତନା ଜାଗ୍ରତ ହେଲେ ମନରୁ କାମ, କ୍ରୋଧ, ଲୋଭ, ମୋହ, ମାୟାର ଆଛନ୍ନ ଅପସରି ଯାଏ । ତେଣୁ ପରମଗତି ନିମିତ୍ତ ସର୍ବଜୀବେ ସାମ୍ୟଭାବର ସୂକ୍ଷ୍ମ ଏବଂ ସ୍ଥୂଳ ପରିପ୍ରକାଶ ଏକାନ୍ତ କାମ୍ୟ ଅଟେ । ଏହାହିଁ ସର୍ବ ଶକ୍ତିମାନଙ୍କ ନିକଟତର ହେବାର ସହଜ ମାର୍ଗ ଅଟେ । ଏ ବିଶ୍ୱରେ ଭରି ରହିଥିବା ବିଭିନ୍ନତା ବା ଅନୈକ୍ୟତାର ସମାହାର ହେଉଛି ଈଶ୍ୱରଙ୍କ ସତ୍ତାର ବହୁବିଧ ସ୍ୱରୂପ । ସବୁ ପ୍ରକାର ଭେଦାଭେଦରେ ଏହା ବିଦ୍ୟମାନ । ଜ୍ଞାନୀ. ଗୁଣୀ, ପାପୀ, ତପୀ, ସାଧୁ, ସନ୍ଥ ……. ମଧ୍ୟରେ ଏହା ସନ୍ନିହିତ ହୋଇ ରହିଛି । କିନ୍ତୁ ସ୍ଥୂଳ ଚକ୍ଷୁ ଏତାଦୃଶ ଭେଦାଭେଦକୁ ହିଁ ଦେଖେ, ଯାହା ମାୟା-ମୋହର ବିଶ୍ୱ ପରିବେଷ୍ଟନୀକୁ ବୁଝାଏ । ଅନ୍ତରରେ ସାମ୍ୟ ଭାବ ପ୍ରବାହ ହେଲେ ଚକ୍ଷୁ ସୂକ୍ଷ୍ମତା ବା ଦିବ୍ୟତାକୁ ସଭିଙ୍କ ଠାରେ ଦେଖିଥାଏ । ସବୁ ଭେଦାଭେଦ ଓ ଭିନ୍ନତାର ଖୋଳପା ଦଗ୍‍ଦୀଭୂତ ହୋଇଥାଏ । ଏ ବିଶ୍ୱ ପରିବେଷ୍ଟନୀ ଏକାକାର ହୋଇଥିବାର ଦୃଶ୍ୟମାନ ହୁଏ । ଏହା ମଧ୍ୟ ଭାରତ ମାତାର ବିଶ୍ୱ ପ୍ରେମର ଭାଷା – “ବିଭିନ୍ନତା ମଧ୍ୟରେ ଏକତା”(Unity in Diversity) । ସେହିପରି ଭକ୍ତ ମଧ୍ୟ ବିଭୋର ହୋଇ ଗାଇଉଠେ –
” ନେତ ଉଡେ ଫରଫର ଦେଉଳ ଚୁଳେ …….. ପାପୀ- ତପୀ- ସାଧୁ- ସନ୍ଥ ଏକାଠି କରେ” ।

 ଏ ଶ୍ଳୋକର ବିଜ୍ଞାନ ଭିତ୍ତିକ ରୂପରେଖର ପ୍ରୟାସ ନିମ୍ନ ରୂପେ ଦର୍ଶାଯାଇଛି । ଏହା ଏକ ଅତି ସୂକ୍ଷ୍ମସ୍ତରୀୟ ତତ୍ତ୍ୱ । ବିଜ୍ଞାନକୁ ସୂକ୍ଷ୍ମ ସ୍ତରରେ ବିଚାର କରାଗଲେ ଏହା ପାରମାଣବିକ ସ୍ତରକୁ ବୁଝାଏ । ପ୍ରତ୍ୟେକ ବସ୍ତୁଧାରୀ ସଜୀବ ଓ ଜଡ଼ ଆଦି ପରମାଣୁର ସମାହାର ଅଟେ । ପରମାଣୁରେ କେବଳ ପାରମାଣବିକ ନାଭିକ ଓ ଏହାର ଚତୁଃପାର୍ଶ୍ୱରେ ଇଲେକ୍‍ଟ୍ରନ୍‍ମାନ ଘୂରୁଥାଏ । କିନ୍ତୁ ପ୍ରତି ମୌଳିକର ପାରମାଣବିକ ନାଭିକର ବସ୍ତୁତ୍ୱ( ନିଉଟ୍ରନ୍‌-ପ୍ରୋଟନ୍‍ ସଂଖ୍ୟା) ଓ ଇଲେକ୍‍ଟ୍ରନ୍‍ ସଂଖ୍ୟା ଭିନ୍ନ ଅଟେ । ପୁଣି ବିଜ୍ଞାନ ପାରମାଣବିକ ନାଭିକର ରୂପଗତ ବିବିଧତା(Various Models) ତଥା କ୍ୱାର୍କ୍ ମଡେଲ୍‍ ଯାଏ ଆକଳନ ଓ ଅନେକାଂଶରେ ମଧ୍ୟ ପ୍ରତିପାଦିତ କରିପାରିଛି । ଏହାକୁ ଭାବ ଓ ଚେତନା ସହ ଯୁକ୍ତ କରାଯାଇ ପାରେ । ଅର୍ଥାତ୍‍ ନାଭିକ ମଧ୍ୟରେ ଥିବା କଣିକା(ନିଉଟ୍ରନ୍‌-ପ୍ରୋଟନ୍‍-କ୍ୱାର୍କ୍-ମେସନ୍‌-ଆଲ୍‍ଫା କଣିକା ଆଦି)  ଓ ଇଲେକ୍‍ଟ୍ରନ୍‍ ଚେତନାମୟ । ପୁଣି ଇଲେକ୍‍ଟ୍ରନ୍‍ଟି ଯେକୌଣସି ପରିମାଣର ବାହ୍ୟଶକ୍ତି ଗ୍ରହଣ କରି ନାଭିକଠୁ ଯେକୌଣସି ଦୂରତାରେ ଘୂରୁନାହିଁ କାହିଁକି ? ପୁନଶ୍ଚ ଇଲେକ୍‍ଟ୍ରନ୍‍ ପରିସ୍ଥିତିର ତାଡନାରେ କଣିକା ପ୍ରକୃତିରୁ ବାଦ୍‍ଯାଇ ତରଙ୍ଗ ପ୍ରକୃତିକୁ ଦର୍ଶାଇଥାଏ । ସେହିପରି ଆଲୋକ ରଶ୍ମିର ଫୋଟନ୍‍ ଏକ ବସ୍ତୁତ୍ୱହୀନ ଶକ୍ତିପୁଡିଆ । ଏ ଶକ୍ତିପୁଡିଆ ମୂଳ ସ୍ୱଭାବରେ ତରଙ୍ଗ ଓ ଏକ ନିର୍ଦ୍ଦିଷ୍ଟ ପରିବେଶରେ ଏହା କଣିକା ପ୍ରକୃତିକୁ ଦର୍ଶାଏ । ତେଣୁ ତରଙ୍ଗରୁ କଣିକା ଓ କଣିକାରୁ ତରଙ୍ଗ ସ୍ୱଭାବ(Matter-Wave Duality)କୁ ଚେତନା ଓ ଭାବଯୁକ୍ତ କୁହାଯାଇପାରେ ।

ସେହିପରି ବିଶ୍ୱର କାୟାକୁ ବିଚାରକୁ ନେଲେ ଏହା ସ୍ଥୂଳ ବିଜ୍ଞାନ ବା ମହାକାଶ ବିଜ୍ଞାନକୁ ବୁଝାଇବ । ଗ୍ରହ, ଉପଗ୍ରହ, ତାରକା, ଧୂମକେତୁ, ଉଲ୍‍କାପିଣ୍ଡ, ଅନାବିଷ୍କୃତ ଜାଗତିକ ପିଣ୍ଡ, ମହାଜାଗତିକ ଧୂଳିକଣା …….. ଆଦି ତାରକା ପରିବାରର ସଦସ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ । ପୁଣି କୋଟିକୋଟି ତାରକା ପରିବାରକୁ ନେଇ ଏକଏକ ଗ୍ୟାଲାକ୍ସି ଗଠିତ । ଏଥିରେ ପଲ୍‍ସାର୍‍, କ୍ୱାଜାର୍‍, ନିଉଟ୍ରନ୍‍ ତାରକା, କୃଷ୍ଣଗର୍ତ୍ତ, ଅନାବିଷ୍କୃତ ଜାଗତିକ ପିଣ୍ଡ, ଅଜ୍ଞାତ ବସ୍ତୁ(Dark Matter) ……….. ଆଦି ଅନ୍ତର୍ଭୁକ୍ତ । ପୁଣି ଆଶ୍ଚର୍ଯ୍ୟର କଥା ଯେ, ପାରମାଣବିକ ଜଗତ ପରି ଏ ମହାନାକ୍ଷତ୍ରିକ ଜଗତରେ ମଧ୍ୟ ସର୍ବେ ନିଜନିଜ ସ୍ଥାନଗ୍ରହଣ ପୂର୍ବକ ଘୂର୍ଣ୍ଣନରତ । ବିଜ୍ଞାନ ପ୍ରମାଣ କରେ ଏକଦା ଏ ବିଶ୍ୱର ମହାଭିନ୍ନତାର ଏକାକାର ଅବସ୍ଥା ବା ମହାଜାଗତିକ ଅଣ୍ଡାର ବିସ୍ଫୋରଣ(The Cosmic Egg)ରୁ ଆଜିର ଏ ବିଶ୍ୱ ସୃଷ୍ଟି । ସତେକି ସବୁ ଜଡ଼ଗୁଡିକ ଜୀବନ୍ତ ଓ ନିଜକୁ ଦିଆଯାଇଥିବା କର୍ମରେ ବ୍ୟସ୍ତ । ତେଣୁ ଏଠାରେ ଘୂର୍ଣ୍ଣନ ରୂପୀ ସତ୍ତା ସର୍ବତ୍ର ବିଦ୍ୟମାନ । ଏହାହିଁ ସର୍ବଶକ୍ତିମାନଙ୍କ ଈଛାର ମହାଭିନ୍ନତା, ମହାଏକତା(The Cosmic Egg) ଓ ସର୍ବ ବିଦ୍ୟମାନର ପରିଭାଷା କହିଲେ ଅତ୍ୟୁକ୍ତି ହେବନାହିଁ ।

ଏହା ଆଧ୍ୟାତ୍ମିକ ବ୍ରହ୍ମବାଦ ଓ ପର୍ଯ୍ୟବେସିତ ବିଜ୍ଞାନ ତତ୍ତ୍ୱର ଏକକତ୍ୱକୁ ପ୍ରତୀୟମାନ କରାଉଛି । ତେଣୁ ସର୍ବ ପରିବ୍ୟାପ୍ତ ବ୍ରହ୍ମମୟ ଜଗତରେ ସଭିଙ୍କୁ ସମଭାବାପନ୍ନ ହେବାକୁ ଏହା ଦର୍ଶାଉଛି । ଅତଏବ ମାୟାର ପରିବେଷ୍ଟନୀରୁ ଏହା ମୁକ୍ତିର ମାର୍ଗକୁ ବୁଝାଏ ।

***************************************************************

 

Leave a Reply

Your email address will not be published. Required fields are marked *

Type in
Details available only for Indian languages
Settings
Help
Indian language typing help
View Detailed Help