ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ଚତୁର୍ବିଂଶତମ ସ୍ତବକ)
କାମଂ କ୍ରୋଧଂ ଲୋଭଂ ମୋହଂ – ତ୍ୟକ୍ତ୍ୱା’ତ୍ମାନଂ ଭାବ୍ୟ କୋ’ହମ୍
ଆତ୍ମଜ୍ଞାନ ବିହୀନା ମୂଢାଃ – ତେ ପଚ୍ୟନ୍ତେ ନରକ ନିଗୁଢାଃ ।
ଏଠାରେ ଶ୍ରୀ ଶଙ୍କର ମାନବ ସମାଜକୁ ଦିଗ୍ଦର୍ଶନ ପୂର୍ବକ ସଂସାର ସାଗରକୁ ପାରିହେବା ପାଇଁ କାମ, କ୍ରୋଧ, ଲୋଭ, ମୋହ ଆଦିକୁ ଦମନ କରିବା ଯଥାର୍ଥ ବୋଲି କହିଛନ୍ତି । ନିଜ ନିଜର କୁଗୁଣ ଓ ଗାରିମାରେ ଅଙ୍କୁଶ ଲଗାଇ ଧିରେଧିରେ ଏହାର ବିଲୋପ କରିବା ଆବଶ୍ୟକ । ଏହାକୁ ହେୟ ମଣିବା ବ୍ୟକ୍ତି ନିଜସ୍ୱ ଗାରିମାରେ ଅନ୍ଧପ୍ରାୟ ହୋଇ ମୂଢତ୍ୱର ପରିଚୟ ଦିଅନ୍ତି । ତେଣୁ ମୂଢ ମାନବ ଅନ୍ତଃହୀନ ଲାଳସାର ବଶବର୍ତ୍ତୀ ହୋଇ ଜନ୍ମ ଜନ୍ମାନ୍ତର ଯାଏ ଦୁଃସହ ଯନ୍ତ୍ରଣାରେ ଛଟପଟ ପୂର୍ବକ ନର୍କଗାମୀ ହୋଇ ଚାଲନ୍ତି । ଏହି ଜାତୀୟ ବ୍ୟକ୍ତି ମାନେ ନିଜଠାରେ ଭରି ରହିଥିବା ଦାନବ ରୂପୀ ଦାବାନଳ ଯଥା – ହିଂସା, ଦ୍ୱେଷ, ପରଶ୍ରୀକାତରତା ……… ଇତ୍ୟାଦିର ଦାସତ୍ୱ ସ୍ୱୀକାର କରି ଜୀବନ ଯାପନ କରନ୍ତି । ଜୀବନର ନିଗୁଢ ତତ୍ତ୍ୱ ଏମାନଙ୍କ ଉପରେ କିଛି ପ୍ରଭାବ ବିସ୍ତାର କରି ପାରେ ନାହିଁ । ନିଜ ମାନସିକତାରୁ ସୃଷ୍ଟି ନାରକୀୟ ପରିବେଶରେ ଏମାନେ ଅହରହ ଦଗ୍ଧୀଭୂତ ହୁଅନ୍ତି । ସାତ୍ତ୍ୱିକତା ବା ଈଶ୍ୱରୀୟ ଚେତନାର ଅପୂର୍ବ ସ୍ୱାଦରୁ ଏମାନେ ବଞ୍ଚିତ ହୁଅନ୍ତି, ଯେହେତୁ ଏମାନେ ଉପରୋକ୍ତ ଗୁଣଧାରୀ । କିନ୍ତୁ ଏହାର ବିପରୀତ ଦିଗରେ ଧାବମାନ ବ୍ୟକ୍ତି ନିଜର ସାତ୍ତ୍ୱିକତା ବଜାୟ ରଖିବା ନିମିତ୍ତ ସଦା ସର୍ବଦା ସତର୍କତା ଅବଲମ୍ବନ କରିଥାଏ । ଯେମିତିକି ହିଂସ୍ର ପଶୁଭରା ଜଙ୍ଗଲରେ ଫସିଥିବା ଲୋକଟି ଜୀବନ ବଞ୍ଚାଇବା ପାଇଁ ଚରମ ସତର୍କତା ଅବଲମ୍ବନ କରିଥାଏ ।
ତେବେ ଏହାକୁ ଏକ ସମାନ୍ତରାଳ ବିଜ୍ଞାନ ଭିତ୍ତିକ ପରିସରରେ ପ୍ରସ୍ଫୁଟିତ କରାଇବା ପାଇଁ ନିମିତ୍ତ ମାତ୍ର ଚେଷ୍ଟା କରାଯାଇଛି । ତାହା ହେଲା ଶୁଭ୍ରାଲୋକ ବା ସୂର୍ଯ୍ୟାଲୋକରୁ ସପ୍ତବର୍ଣ୍ଣର ବିଚ୍ଛୁରଣ । ସୂର୍ଯ୍ୟରଶ୍ମି ଆମ ବାୟୂମଣ୍ଡଳରେ ପ୍ରବେଶ ପୂର୍ବରୁ ଓଜୋନ୍(O3) ସ୍ତରରେ ଜୀବଜଗତ ପାଇଁ କ୍ଷତିକାରକ ରଶ୍ମିର ଅବଶୋଷଣ ହୋଇଥାଏ । ଏହା ଅତିବାଇଗଣି(Ultra-Violet)ରଶ୍ମିରୁ ଆରମ୍ଭ କରି ଉଚ୍ଚ ଆବୃତ୍ତି(Frequency) ବିଶିଷ୍ଠ ରଶ୍ମି ଅଟେ । ତେଣୁ ପୃଥିବୀ ପୃଷ୍ଠରେ ନିମ୍ନ ଆବୃତ୍ତି ବିଶିଷ୍ଠ ରଶ୍ମି ଅର୍ଥାତ୍ ଦୃଶ୍ୟମାନ(Visible) ଓ ଅବଲୋହିତ(Infra- red) ରଶ୍ମି ଆଦି ଆପତିତ ହୁଏ । ପୃଥିବୀ ପୃଷ୍ଠ ଉଦ୍ଭାସିତ ହୁଏ ଏତାଦୃଶ ଆଲୋକର ମିଶ୍ରଣରେ, ଯାହା ଶୁଭ୍ର ଅଟେ ଏବଂ ଏହାହିଁ ଈଶ୍ୱରୀୟ ସତ୍ତା । ତେଣୁ ଏହା କାମ, କ୍ରୋଧ, ଲୋଭ, ମୋହ, ମାୟାଦି ରହିତକୁ ବୁଝାଇ ଥାଏ । ଯେମିତିକି ମାତୃ ଗର୍ଭରେ ସଞ୍ଚରିତ ଭ୍ରୂଣଟି ଶିଶୁରୂପେ ଧରଣୀ ବକ୍ଷରେ ଶୋଭାପାଏ । ଯଦି ସୂର୍ଯ୍ୟାଲୋକ ଏକ କାଚ ପ୍ରିଜିମ୍ ମଧ୍ୟରେ ଗତି କରେ, ତାହା ଭିନ୍ନ ଭିନ୍ନ ଗୁଣଯୁକ୍ତ ସହ ନିର୍ଗତ ହୋଇଥାଏ । ଏଠାରେ ପ୍ରିଜିମ୍ରୁ ନିର୍ଗତ ସପ୍ତ ବର୍ଣ୍ଣ ଯଥା – ” ବା- ଘ – ନି – ସ – ହ – ନା – ଲା ” ହେଉଛି ଗୁଣର ନିଦର୍ଶନ । ପୁନଃ ବିଘଟିତ ଶୁଭ୍ରାଲୋକ ଯଦି ଅନ୍ୟ ଏକ ପ୍ରିଜିମ୍ ମଧ୍ୟ ଦେଇ ଗତି କରେ ଏହା ମୂଳ ଆଲୋକର ରୂପରେଖରେ ନିର୍ଗତ ହୁଏ । ତେବେ ପ୍ରିଜିମ୍କୁ ଏଠାରେ ମାଧ୍ୟମ କୁହାଯାଏ ଓ ସେହି ଅନୁସାରେ ଜନ୍ମିତ ଶିଶୁର ଜୀବନଧାରା ଅନେକ ଅନେକ ପରିବେଶ ଦେଇ ଗତି କରିଥାଏ । ପ୍ରଥମେ ମାନବକୃତ ପରିବେଶରେ ଶ୍ୱେତ ମନଧାରୀ ଶିଶୁ ଠାରୁ ସପ୍ତବର୍ଣ୍ଣ ସଦୃଶ ଗୁଣଗୁଡିକ ବିକଶିତ ହୁଏ । ଏହି ଗୁଣାଦିମାନ କାମ, କ୍ରୋଧ, ଲୋଭ, ମୋହ, ମାୟା ……. ଆଦିର ପ୍ରତିଫଳନ ଅଟେ । ସୂର୍ଯ୍ୟ ରଶ୍ମିର ଦୃଶ୍ୟମାନ ବର୍ଣ୍ଣାଳୀ ସପ୍ତବର୍ଣ୍ଣଯୁକ୍ତ ଅଟେ । କିନ୍ତୁ ଏହା ତିନୋଟି ପ୍ରାଥମିକ ବର୍ଣ୍ଣ(Primery Colour) ଯଥା – ଲାଲ୍, ସବୁଜ ଓ ନୀଳ ବର୍ଣ୍ଣ ଏବଂ ଏଗୁଡିକର ବିଭିନ୍ନାନୁପାତିକ ସମ୍ମିଶ୍ରଣ ବର୍ଣ୍ଣ ଅଟେ । ସୁର୍ଯ୍ୟକିରଣ ଚିକିତ୍ସା(Chromopathy) ପଦ୍ଧତି ପ୍ରକାଶ କରେ ଯେ, ମାନବ ଶରୀରର ସନ୍ତୁଳନତା ଲାଲ୍, ସବୁଜ ଓ ନୀଳ ବର୍ଣ୍ଣ ଏବଂ ଏ ତ୍ରିବର୍ଣ୍ଣର ବିଭିନ୍ନାନୁପାତିକ ସମ୍ମିଶ୍ରଣର ଯଥାନୁପାତିକ ଉପାଦାନ ମାତ୍ରାଯୁକ୍ତ ଅଟେ । ଏହି ଯଥାନୁପାତିକ ଉପାଦାନ ଶରୀରକୁ ଖାଦ୍ୟ ଗ୍ରହଣ ପ୍ରକ୍ରିୟାରୁ ମିଳିଥାଏ । ଶରୀରର ବିଭିନ୍ନ ଗ୍ରନ୍ଥି(Gland), ଅଙ୍ଗପ୍ରତ୍ୟଙ୍ଗ ଆଦି ଏ ବର୍ଣ୍ଣଗୁଡିକ ସହ ସମ୍ବେଦନଶୀଳ ଅଟନ୍ତି । ମାତ୍ରାଧିକ ଓ ମାତ୍ରାହୀନତା ହିଁ ବିଭିନ୍ନ ରୋଗର କାରଣକୁ ବୁଝାଏ । ଆୟୁର୍ବେଦୀୟ ଚିକିତ୍ସା ବିଜ୍ଞାନ(Ayurvedic Medical Science) କହେ ଏ ଶରୀର ତ୍ରିରୋଗ ଅର୍ଥାତ୍ ପୀତ, ବାତ ଓ କଫଯୁକ୍ତ । ସୁଷମ ଖାଦ୍ୟ ଗ୍ରହଣ ଏହି ରୋଗ ଗୁଡିକର ନିଦାନ ଅଟେ । ଭାରତୀୟ ଯୋଗ ବିଜ୍ଞାନ କହେ ଏ ଶରୀର ସାତୋଟି ମୂଖ୍ୟ ଚକ୍ରର ସମାହାର ଯଥା – ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ବିଶୁଦ୍ଧ, ଅନାହତ, ଆଜ୍ଞା ଓ ସହସ୍ରାର ଚକ୍ର । ଏ ସପ୍ତଚକ୍ର ସୌର ବର୍ଣ୍ଣାଳୀର ସପ୍ତବର୍ଣ୍ଣ,ଯଥା – ଲାଲ(Red), ନାରଙ୍ଗୀ(Orange), ହରିଦ୍ରା(Yellow),ସବୁଜ(Green), ନୀଳ(Blue), ଘନନୀଳ(Indigo) ଓ ବାଇଗଣି(Violet) ସହ ସମ୍ବେଦନଶୀଳ । ନିୟମିତ ଯୋଗ ସାଧନ ଅର୍ଥାତ୍ ବ୍ୟାୟାମ, ପ୍ରାଣାୟାମ ଓ ଶରୀର ପାଇଁ ଯଥାନୁପାତିକ ସାତ୍ତ୍ୱିକ ଖାଦ୍ୟ ଗ୍ରହଣରେ ବ୍ୟକ୍ତିର ଶରୀର ସୁସ୍ଥ, ସୁନ୍ଦର ଓ ଦୀର୍ଘସ୍ଥାୟୀ ହେବା ସହ ବିକାରହୀନ ହୋଇ ସମାଜ ମଙ୍ଗଳକାରକ ହୋଇଉଠେ । ଏ ସବୁର ମିଳିତ ନିଃସାରଣ ଦର୍ଶାଏ ଯେ, ତିନି ପ୍ରାଥମିକ ଓ ସମ୍ମିଳିତ ବର୍ଣ୍ଣର ମାତ୍ରାଧିକ ଅଥବା ମାତ୍ରାହୀନ ଉପାଦାନ ଶରୀର ଓ ମନକୁ କାମ, କ୍ରୋଧ, ଲୋଭ, ମୋହ, ମାୟା ଆଦିର ପରିବେଷ୍ଟନୀ ବା ମାଧ୍ୟମରେ ଜର୍ଜରିତ କରାଇଥାଏ । ଏହି ଜାତୀୟ ମାନବ ତାମସିକତାରେ ଉଦ୍ବୁଦ୍ଧ ହୋଇ ନର୍କଗାମୀ ହୁଅନ୍ତି ଓ ସୃଷ୍ଟିରେ ଅଶେଷ କ୍ଷତି ଘଟାଇ ଚାଲନ୍ତି । ଏହା ମାନବର ଅସନ୍ତୁଳିତ ବର୍ଣ୍ଣ ଧାରକ ଜୀବନ ଧାରା ଓ ଏମାନଙ୍କୁ ଆତ୍ମଜ୍ଞାନ ବିହୀନ ମୂଢ ବୋଲାଯାଏ । ଅର୍ଥାତ୍ ପ୍ରଥମ ପ୍ରିଜିମ୍ରୁ ନିର୍ଗତ ଭିନ୍ନ ଭିନ୍ନ ଗୁଣଧାରୀ ବର୍ଣ୍ଣ ପ୍ରତି ଅତି ବା ଇତି ମାତ୍ରାରେ ଆକୃଷ୍ଟ ହେବାର ଏହା ଚେତନା ଜାଗ୍ରତ କରାଏ । କିନ୍ତୁ ଯେଉଁ ବ୍ୟକ୍ତିମାନେ ଏତାଦୃଶ ବର୍ଣ୍ଣାଢ୍ୟ ପରିବେଶ ସ୍ୱରୂପ ସାମାଜିକ ମୋହ – ମାୟାରେ ଯୁକ୍ତ ଥାଇ ସବୁ ବର୍ଣ୍ଣରୁ ଯଥାନୁପାତିକ ମାତ୍ରାରେ ନିଜକୁ ସନ୍ନିହିତ କରି ଶରୀର ଓ ମନର ସାତ୍ତ୍ୱିକ ସମନ୍ୱୟତା ବଜାୟ ରଖେ, ତା’କୁ ବାସ୍ତବରେ ଆତ୍ମଜ୍ଞାନୀ ବୋଲାଯାଏ । ଅର୍ଥାତ୍ ଏମାନେ ସଦାଚାରି, ନିରହଂକାର, ନିର୍ବିକାର ଓ ମଙ୍ଗଳକାରକ । ଏହାହିଁ ଶୁଭ୍ରାଲୋକରେ ବିଚରଣ ବା ଦ୍ୱିତୀୟ ପ୍ରିଜିମ୍ର ପ୍ରଭାବ ସଦୃଶ । ବର୍ଣ୍ଣାଢ୍ୟ ପରିବେଶରେ ଥାଇ ବି ଶୁଭ୍ରତାର ଅନୁଭୂତ ହେବା । ତେଣୁ ସୂର୍ଯ୍ୟାଲୋକ ସବୁ ବର୍ଣ୍ଣ ସମନ୍ୱୟତାର ସୂତ୍ରଧର ।
ଏହାବାଦ୍ ପ୍ରାକୃତିକ ଭାବେ ମଧ୍ୟ ସୂର୍ଯ୍ୟାଲୋକ ବିଘଟିତ ହୋଇ ସପ୍ତବର୍ଣ୍ଣାଳୀର ସୁନ୍ଦର ଆଭା ଜନମନ ମୋହିନିଏ । ତାହା ହେଉଛି ଆକାଶରେ ପ୍ରକଟ ଇନ୍ଦ୍ରଧନୁ(Rain Bow) । ବର୍ଷା ଓ ଖରାର ମିଶ୍ରଣରେ ଆକାଶରେ କ୍ଷୁଦ୍ର ଜଳବୁନ୍ଦା କାଚ ପ୍ରିଜିମ୍ର କାର୍ଯ୍ୟ କରିଥାଏ । ଅସଂଖ୍ୟ ଜଳବୁନ୍ଦାରୁ ସୂର୍ଯ୍ୟାଲୋକ ବିଘଟିତ ହୋଇ ସପ୍ତବର୍ଣ୍ଣ ବିଚ୍ଛୁରିତ ହୁଏ ଓ ଏହାର ସମ୍ମିଳିତ ରୂପ ହେଉଛି ଇନ୍ଦ୍ରଧନୁ । କ୍ରମେ ଆକାଶ ଜଳବିନ୍ଦୁଶୂନ୍ୟ ଅଥବା ଖରା ବିହୀନରେ ଇନ୍ଦ୍ରଧନୁ ଅଳ୍ପ ସମୟରେ ଅପସରି ଯାଏ । ଏହା ସତେକି ପ୍ରକୃତିର ମାନବ ସମାଜକୁ ଏକ ମହାଜାଗତିକ ବାର୍ତ୍ତା ସ୍ୱରୂପ ଅଟେ । ଯେଉଁ ସୂର୍ଯ୍ୟାଲୋକରୁ ସପ୍ତ ବର୍ଣ୍ଣାଳୀର ଆଭା ପ୍ରଦର୍ଶୀତ ହୁଏ ପ୍ରାକୃତିକ ପରୀକ୍ଷାଗାରରେ ଓ ଅଳ୍ପ ସମୟରେ ପୁଣି ଅନ୍ତର୍ଦ୍ଧାନ ହୋଇଯାଏ, ତାହା ସୀମାହୀନ ଲାଳସାର ଏକ କେନ୍ଦ୍ରବିନ୍ଦୁ କହିଲେ ଅତ୍ୟୁକ୍ତି ହେବନାହିଁ । ଏ ଇନ୍ଦ୍ରଧନୁ କହେ ମୁଁ ହିଁ ଲାଳସାର ବିଭିନ୍ନ ରୂପରେଖର ସମଷ୍ଟିଗତ ପରିଭାଷା, ଯଥା – କାମ, କ୍ରୋଧ, ମୋହ ମାୟା ଆଦି । କିନ୍ତୁ ସୀମିତ ସମୟ ପାଇଁ ପରିପ୍ରକାଶ ହୁଏ । ପୁନଃ ଯେଉଁ ଶୁଭ୍ରାଲୋକକୁ ସେଇ ଶୁଭ୍ରାଲୋକରେ ଅଛାଦିତ ହୁଏ ନଭ ମଣ୍ଡଳ । ଅର୍ଥାତ୍ କ୍ଷଣସ୍ଥାୟୀ ମଦମତ୍ତ ମାନବ ସବୁକିଛି ଭୂଲିଯାଇ ଅନ୍ତଃହୀନ କାମନାର ବଶତ୍ୱ ସ୍ୱୀକାର କରେ । ତେଣୁ ଆତ୍ମଜ୍ଞାନ ହୀନ ମୂଢ ମାନବ ନର୍କ ପଥରେ ଧାଇଁ ଚାଲେ । ତେବେ ସୂର୍ଯ୍ୟାଲୋକ ଏ ଜଗତକୁ ଏହି ଚେତନା ଦିଏ ଯେ, ନିଜ ମଧ୍ୟରେ ସବୁ ବିଷାକ୍ତ ଉପାଦାନକୁ ଦମନକରି ରଖିବା ସହ ସର୍ବଦା ସ୍ୱଚ୍ଛ ଓ ପବିତ୍ରତାର ବୀଜ ସମାଜ ବକ୍ଷରେ ବପନ କରିବା ହେଉଛି ଆତ୍ମଜ୍ଞାନୀର ଚରମ ଶ୍ରେଷ୍ଠତା । ଏତାଦୃଶ ବିକାର ଶୂନ୍ୟତାର ପ୍ରଭାବ ଯୁଗ ଯୁଗ ବ୍ୟାପି ଉଦ୍ଭାସିତ ହୁଏ । ଶ୍ରୀ ଶଙ୍କରଙ୍କ ଏ ମହାନ୍ ଶ୍ଳୋକକୁ ବିଜ୍ଞାନମୁଖୀ କରିବାର ଏହା ଏକ କ୍ଷୀଣ ପ୍ରୟାସ ମାତ୍ର ।