ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୋହ ମୁଦ୍ଗର ସ୍ତ୍ରୋତ୍ର ଓ ବିଜ୍ଞାନ ଭିତ୍ତିକ ଭାବାର୍ଥ (ପଞ୍ଚବିଂଶତମ ସ୍ତବକ)
ଗେୟଂ ଗୀତା ନାମ ସହସ୍ରଂ – ଧ୍ୟେୟଂ ଶ୍ରୀପତି ରୂପମଜସ୍ରମ୍
ନେୟଂ ସଜ୍ଜନ ସଙ୍ଗେ ଚିତ୍ତଂ – ଦେୟଂ ଦୀନଜନାୟ ଚ ବିତ୍ତମ୍ ।
ଏ ଶ୍ଳୋକରେ ମାନବକୁ ଜୀବନର ଚାରି କର୍ମରେ ନିମଜ୍ଜିତ ରହି ଅପାର ଆନନ୍ଦର ଅସରନ୍ତି ଉତ୍ସରୁ ଅହରହ ସୁଧାରସ ପାନ କରିବାକୁ କୁହାଯାଇଛି । ତାହାହେଲା –
(1) ଶ୍ରୀମଦ୍ଭଗବଦ୍ ଗୀତା ପଠନ ଓ ବିଶ୍ୱ ନିୟନ୍ତ୍ରକଙ୍କ ସହସ୍ର ମାହାତ୍ମ୍ୟର ବାରମ୍ବାର ଆବୃତ୍ତି କରିବା ସହ ଏହାକୁ ହୃଦୟଙ୍ଗମ କରିବା ।
(2) ଯେତେଦୂର ସମ୍ଭବ ଗଭୀର ଧ୍ୟାନ, ଧାରଣା ଓ ତପସ୍ୟାଦିରେ ନିଜକୁ ନିୟୋଜିତ କରିବା ।
(3) ସାଧୁ ସଙ୍ଗରୁ ଅଶେଷ ଆନନ୍ଦ ଲାଭ ସହ ଆତ୍ମଜ୍ଞାନୀ ହେବାପାଇଁ ଅବିରତ ମନ – ପ୍ରାଣ ଦେବା ।
(4) ଦୁସ୍ଥ, ଦରିଦ୍ର, ଅସହାୟ, ବୁଭୁକ୍ଷୁ …… ଆଦିଙ୍କୁ ସ୍ୱଅର୍ଜିତ ଧନରୁ ଆନନ୍ଦ ଚିତ୍ତରେ ଦାନ କରି ପରମ ସନ୍ତୋଷ ଲାଭର ଅଧିକାରୀ ହେବା ।
ଏହି ଚାରି ପ୍ରକାର କର୍ମ ଯାହା ମାନବର ଜୀବନ ଧାରାକୁ କ୍ରମାନ୍ୱୟରେ ମୁକ୍ତିଗାମୀ କରିବାର ପ୍ରକ୍ରିୟାକୁ ତାପ ବିଜ୍ଞାନ(Thermal Science)ର ଚତୁଃ ନିୟମକୁ ଜଡ଼ିତ କରାଇବାର ସଦ୍ଇଛା ପ୍ରକଟ ହୁଏ । ଏହି ଚତୁଃ ନିୟମ ଗୁଡିକ ହେଲା –
(1) ତାପ ପ୍ରବାହର ଶୂନ୍ୟତମ ନିୟମ(Zeroth Law of Thermodynamics)
(2) ତାପ ପ୍ରବାହର ପ୍ରଥମ ନିୟମ(First Law of Thermodynamics)
(3) ତାପ ପ୍ରବାହର ଦ୍ୱିତୀୟ ନିୟମ(Second Law of Thermodynamics)
(4) ତାପ ପ୍ରବାହର ତୃତୀୟ ନିୟମ(Third Law of Thermodynamics)
ତାପ ପ୍ରବାହର ଶୂନ୍ୟତମ ନିୟମର ସଂଜ୍ଞା ହେଲା, ଯଦି ଦୁଇଟି ବସ୍ତୁ ଏକକ ଭାବେ ଏକ ତୃତୀୟ ବସ୍ତୁ ସହ ତାପୀୟ ସନ୍ତୁଳନତା ବଜାୟ ରଖିଥାଏ, ତେବେ ପ୍ରଥମ ଓ ଦ୍ୱିତୀୟ ବସ୍ତୁ ପରସ୍ପର ସହ ମଧ୍ୟ ତାପୀୟ ସନ୍ତୁଳନତା ବଜାୟ ରଖିବେ । ଅର୍ଥାତ୍ ପରସ୍ପର ମଧ୍ୟେ ତାପ କୁପରିବାହୀ(Bad Conductor of Heat) ମାଧ୍ୟମ ବିନା ଏହା ସମ୍ଭବ । ଏହି ନିୟମ ତାପୀୟ ସନ୍ତୁଳନତାକୁ ବୁଝିବା ପାଇଁ ଏକ ପରିମାପକ ରହିଥିବାର ଧାରଣା ସୃଷ୍ଟିକରେ, ଯାହାକୁ କୁହାଯାଏ ତାପମାତ୍ରା(Temperature) । ଦୁଇଟି ବସ୍ତୁ ପରସ୍ପରସହ ସମାନ ତାପମାତ୍ରାରେ ରହିଥିଲେ ତାହା ତାପୀୟ ସନ୍ତୁଳନତାକୁ ବୁଝାଇଥାଏ, ନଚେତ୍ ଭିନ୍ନ ତାପମାତ୍ରାକୁ ବୁଝାଇଥାଏ ।
ଏହି ଶୂନ୍ୟତମ ନିୟମକୁ ମାନବ ଜୀବନ ମୁକ୍ତିର ମାର୍ଗରେ ନିୟୋଜିତ କରିବାର ପ୍ରଥମ ପାବଛ ସହ ଯୁକ୍ତ କରାଯାଇ ପାରେ । ଯେପରି ବସ୍ତୁ ବା ଧାରା ଗୁଡିକ ତାପୀୟ ସନ୍ତୁଳନତା ହାସଲ କରିବାରେ ଏକ ପରିମାପକ(ତାପମାତ୍ରା)ର ଧାରଣା ସୃଷ୍ଟି କରେ, ସେହିପରି ଶ୍ରୀମଦ୍ଭଗବଦ୍ ଗୀତା ପଠନ ଓ ବିଶ୍ୱ ନିୟନ୍ତ୍ରକଙ୍କ ସହସ୍ର ମାହାତ୍ମ୍ୟର ବାରମ୍ବାର ଆବୃତ୍ତି କରି ବୌଦ୍ଧିକ ସନ୍ତୁଳନତାବ୍ରତୀ ନିମନ୍ତେ ମଧ୍ୟ ଏକ ମପାଯାଇ ପାରୁନଥିବା ପରିମାପକର ଧାରଣା ସୃଷ୍ଟି କରେ । ତାହା ହିଁ ହୃଦୟଙ୍ଗମ ସହ ସମତୁଲ୍ୟ ଅଟେ । ବିନା ହୃଦୟଙ୍ଗମରେ ବୌଦ୍ଧିକ ସନ୍ତୁଳନତା ଲାଭ ହୁଏ ନାହିଁ । ସାରା ଜୀବନ ଉପର ଠାଉରିଆ ଭାବେ ଗୀତା ପଠନ ଓ ଈଶ୍ୱରଙ୍କ ମାହାତ୍ମ୍ୟ ବର୍ଣ୍ଣନା କରି ଏକ ଛଳନାପୂର୍ଣ୍ଣ ପରିବେଶରେ ଜଣେ ଭଣ୍ଡ ଭକ୍ତ ନିଜକୁ ଈଶ୍ୱରଙ୍କ ଅବତାର ବୋଲି ଦର୍ଶାଇ ନିଜର ଅଦମ୍ୟ ପୀପାସାକୁ ଚରିତାର୍ଥ କରିବାର ଲାଳସାରେ ଜନ ସମାଜକୁ ବିଭ୍ରାନ୍ତ କଲେ କ’ଣ ବୌଦ୍ଧିକ ସନ୍ତୁଳନତା ଲାଭ ହୋଇ ପାରିବ ? ଏହାକୁ ‘ନଷ୍ଟସ୍ୟ କାନ୍ୟା ଗତିଃ’ କୁହାଯାଇପାରିବ । ତେଣୁ ଆତ୍ମବୋଧତା ହେଉଛି ଜୀବନ ମୁକ୍ତିର ପ୍ରଥମ ସ୍ତର ।
ତାପ ପ୍ରବାହର ପ୍ରଥମ ନିୟମ ହେଉଛି ଶକ୍ତି ସଂରକ୍ଷଣ ନିୟମ(Law of Conservation of Energy)ର ପରିଭାଷା । ଏହି ନିୟମ କହେ ଏକ ପୄଥକ ପରିସର(Isolated System) ର ଶକ୍ତି ସମୁଦାୟ ସର୍ବଦା ସ୍ଥିରତା ବଜାୟ ରହେ । ଶକ୍ତି ଏକ ରୂପରୁ ଅନ୍ୟ ରୂପକୁ ବଦଳେ, ପରନ୍ତୁ ଏହାର ସୃଷ୍ଟି ଅଥବା ବିଲୟ ଘଟେନି । ଏହି ନିୟମ ପ୍ରତିପାଦିତ କରେ ଯେ, ତାପ ହେଉଛି ଶକ୍ତିର ଏକ ରୂପ ଏବଂ ଏକ ଧାରା(System) ଓ ଏହାର ବାହ୍ୟ ପରିବେଷ୍ଟନୀ(Surrounding)ର ସମୁଦାୟ ଶକ୍ତି ସଂରକ୍ଷିତ ରହେ । ଅନ୍ୟ ଭାଷାରେ ଏହା ବିଶ୍ୱର ଶକ୍ତି ସମୁଦାୟର ସଂରକ୍ଷଣକୁ ବୁଝାଏ । ଏହି ନିୟମର କାର୍ଯ୍ୟ ପ୍ରକ୍ରିୟା କୌଣସି ଏକ ଧାରାକୁ ବାହ୍ୟ ପରିସର ବିଛିନ୍ନ କରୁଥିବା ସୀମା(Boundary) ମଧ୍ୟ ଦେଇ ତାପ ଶକ୍ତିର ପ୍ରବାହ ଦ୍ୱାରା ବୁଝାଯାଇଥାଏ । ଉଦାହରଣ ସ୍ୱରୂପ ଏକ ଗ୍ୟାସ୍ ପୂର୍ଣ୍ଣ ସିଲିଣ୍ଡରରେ ଗତି କରିପାରୁଥିବା ଘର୍ଷଣ ଶୂନ୍ୟ(Friction-less) ପିଷ୍ଟନ୍(Piston)କୁ ବିଚାରକୁ ନିଆଯାଉ । ଏଠାରେ ସିଲିଣ୍ଡରର କାନ୍ଥ ଏହାର ଗର୍ଭରେ ଥିବା ଗ୍ୟାସ୍କୁ ବାହ୍ୟଜଗତ ସହ ବିଛିନ୍ନ କରିଥାଏ, ଯାହା ସୀମାକୁ ବୁଝାଇ ଥାଏ । ଚଳତ୍କ୍ଷମ ପିଷ୍ଟନ୍କୁ ସିଲିଣ୍ଡରର ଏକ ସ୍ଥାନରେ ଧରି ରଖି ଗ୍ୟାସ୍ ସମ୍ପ୍ରସାରଣକୁ ରୋକିବାର ଯାନ୍ତ୍ରିକତା(Mechanism)ର ଭୂମିକାକୁ ନିର୍ବାହ କରିଥାଏ । ଯଦି ଗ୍ୟାସ୍ ନିଜର ସମ୍ପ୍ରସାରଣରେ W ପରିମାଣ କାର୍ଯ୍ୟ କରେ ଏବଂ/ କିମ୍ବା Q ପରିମାଣର ତାପଶକ୍ତି ବାହ୍ୟ ଜଗତରୁ ସିଲିଣ୍ଡରର କାନ୍ଥ ମାଧ୍ୟମରେ ଶୋଷଣ କରେ, ତେବେ ଏହା W − Q ପରିମାଣର ବାସ୍ତବିକ ଶକ୍ତି ଏହାର ସୀମା ମଧ୍ୟ ଦେଇ ବାହ୍ୟ ପରିସରକୁ ପ୍ରବାହ ହେବାକୁ ବୁଝାଇଥାଏ । ତେଣୁ ଏଠାରେ ଗ୍ୟାସ୍ର ଆଭ୍ୟନ୍ତରୀଣ ଶକ୍ତି ସଂରକ୍ଷଣ ନିମିତ୍ତ ଏଥିରେ ବଦଳୁଥିବାରେ ଭାରସାମ୍ୟତା ବଜାୟ ରଖିବାର ସମୀକରଣ ଏହିପ୍ରକାର ହୁଏ, ଯଥା –
ΔU = Q − W
ଏହି ନିୟମ ଆମକୁ ବିଧିବଦ୍ଧ ଭାବେ ଶକ୍ତିର ମାତ୍ରା ହିସାବ ରଖିବାର ପଦ୍ଧତି ଯୋଗାଇଥାଏ । ତାହାହେଲା କୌଣସି ଏକ ଧାରାରେ ଏହାର ଆଭ୍ୟନ୍ତରୀଣ ଶକ୍ତିରେ ପରିବର୍ତ୍ତନ(ΔU)କୁ ଶକ୍ତି ଜମା କରିବା (Q) ଓ ପ୍ରତ୍ୟାହାର କରିବା(W) ମଧ୍ୟରେ ଥିବା ତଫାତ୍କୁ ବୁଝାଏ । ଯେହେତୁ ଆଭ୍ୟନ୍ତରୀଣ ଶକ୍ତି ସମ୍ପୂର୍ଣ୍ଣଭାବେ ଏକ ଧାରାର ସନ୍ତୁଳିତ ଅବସ୍ଥା(State of Equilibrium of a System)କୁ ଏକକଭାବେ ବୁଝାଇ ପାରୁଥିବା ପରିମାପ(Parameter) ଗୁଡିକ ଦ୍ୱାରା ନିର୍ଣ୍ଣୟ କରାଯାଇ ଥାଏ, ତେଣୁ ଏହା କାର୍ଯ୍ୟାବସ୍ଥା(State Function)କୁ ସୂଚାଇଥାଏ । ତେଣୁ ଆଭ୍ୟନ୍ତରୀଣ ଶକ୍ତିରେ ପରିବର୍ତ୍ତନ = ΔU =Uf − Ui , ଏଠାରେ (i) ଓ (f) ଧାରାର ମୂଳ ଓ ଶେଷ ଅବସ୍ଥା ଅଟେ । କିନ୍ତୁ W ଓ Q ନୁହେଁ, କାରଣ ଏ ଦୁଇର ମୂଲ୍ୟ ବିଭିନ୍ନ ନିର୍ଦ୍ଦିଷ୍ଟ ପଥରେ ନିର୍ଭରଶୀଳ ରହି ସେହି ଏକା ମୂଳ ଓ ଶେଷାବସ୍ଥାକୁ ଯୋଗକରେ । ଯେମିତିକି ଏକ ବ୍ୟାଙ୍କ ଖାତାରେ ଅନେକ ଥର ଟଙ୍କା ଜମା ଓ ଉଠାଣ ପରେ ମଧ୍ୟ ସେହି ଏକା ଅବଶେଷ ରହିପାରେ । ତେଣୁ ବ୍ୟାଙ୍କ ଖାତାରେ ଥିବା ଅବଶେଷ ଧନର ଗୁରୁତ୍ୱ, ଜମା ଓ ଉଠାଣର ବାରମ୍ବାରତାଠାରୁ ଅଧିକ ଅର୍ଥପୂର୍ଣ୍ଣ ଅଟେ । ସେହିପରି W ଓ Q ଠାରୁ ଆଭ୍ୟନ୍ତରୀଣ ଶକ୍ତି ଅର୍ଥପୂର୍ଣ୍ଣ ଅଟେ । ତେଣୁ ଗାଣିତିକ ପରିଭାଷାରେ ଆଭ୍ୟନ୍ତରୀଣ ଶକ୍ତି ‘U’ରେ ପରିବର୍ତ୍ତନ ବା ବୃଦ୍ଧି ‘dU’ କୁ ଭିନ୍ନକ ସମୀକରଣ(Differntial Equation)ରେ ସଠିକ ଭିନ୍ନକ(Exact Differntial) କୁହାଯାଏ । କିନ୍ତୁ ଏହାଯୋଗୁ ବଦଳୁଥିବା କାର୍ଯ୍ୟ ‘W’ ରେ ‘dW’ ଓ ତାପଶକ୍ତି ‘Q’ ରେ ‘dQ’ ସଠିକ ଭିନ୍ନକ ନୁହନ୍ତି । କାରଣ ଏହି ପରିମାପକ ଦ୍ୱୟର ନିର୍ଦ୍ଦିଷ୍ଟ ଅବିଛନ୍ନ(Definite Integral) ପଥ ଅବଲମ୍ବିତ(Path-dependent) ଅଟେ । ଏହି ଧାରଣାମାନ ତାପ ବିଜ୍ଞାନରେ ଗାଣିତିକ ସିଦ୍ଧାନ୍ତ (Mathematical Formulation) ନିମନ୍ତେ ଅନେକ ସୁବିଧାର ଉତ୍ସ ଅଟେ ।
ଯେପରି ପ୍ରଥମ ନିୟମ, ତାପ ସଂଚାଳନରେ ବସ୍ତୁର ତାପମାତ୍ରା ଯୁକ୍ତ ଆଭ୍ୟନ୍ତରୀଣ ଶକ୍ତି ସହ କାର୍ଯ୍ୟ କରିବାର ପରିମାପକୁ ବୁଝାଏ, ସେହିପରି ହୃଦୟଙ୍ଗମତାରେ ଧ୍ୟାନ(ଆଭ୍ୟନ୍ତରୀଣ ଶକ୍ତି),ଧାରଣା ଓ ତପସ୍ୟା(କାର୍ଯ୍ୟ କରିବା)ର ପରିଭାଷାକୁ ବୁଝାଏ । ମାନବ ଶରୀର ଓ ଏହା ସଂଲଗ୍ନ ସବୁ ଜଣା ଏବଂ ଅଜଣା ପ୍ରକ୍ରିୟାମାନକୁ ନେଇ ଏକ ଧାରା ରୂପେ ବିବେଚନା କରାଯାଇପାରେ । ଏହି ଧାରା ଯେତେବେଳେ ଧ୍ୟାନଯୁକ୍ତ ହୁଏ, ତାହା ଏକ ବିଚ୍ଛିନ୍ନ ପରିସରର ଧାରଣା ଦିଏ । ଏହା ଶକ୍ତି ଆଦାନ – ପ୍ରଦାନ ଓ ରୂପାନ୍ତରୀକରଣରୁ ଜାଗ୍ରତ ହୁଏ । ଶକ୍ତିର ଅପଚୟ ହୁଏନି ଓ ଜାଗତିକ ଭଣ୍ଡାରର ସମସ୍ତ ଶକ୍ତି ସହ ସବୁ ଜଡ଼ – ଚଳତ୍ ଆଦିର ପାରସ୍ପରିକ ଶକ୍ତି ବିନିମୟରେ ବ୍ରହ୍ମାଣ୍ଡର ଶକ୍ତି ସଂରକ୍ଷିତ ରହେ । ଧ୍ୟାନ ପାଇଁ ଯେଉଁ ବାହ୍ୟ ପ୍ରକ୍ରିୟା ତଥା ତପସ୍ୟାଦିର ପଥକୁ ଆଦରି ନିଆଯାଏ, ସେଥିପାଇଁ କିଛି କାର୍ଯ୍ୟ କରିବାକୁ ପଡେ । ତେଣୁ ଧ୍ୟାନରୁ ପ୍ରାପ୍ତ ଜାଗତିକ ଶକ୍ତିରୁ ନିରବଚ୍ଛିନ୍ନ ଭାବେ ଧାରଣା ଓ ତପସ୍ୟା ଆଦି ବାବଦକୁ କ୍ଷୟ ଘଟେ । ଯେମିତି ପୁରା କାଳରେ ଋଷି, ମୁନି, ଦେବତା, ଦାନବ ମାନେ ତପସ୍ୟାର ଭିନ୍ନଭିନ୍ନ ପଥ ଆଦରି ନେଇଥାନ୍ତି । କିଏ ଜଳରେ, କିଏ ଅଗ୍ନିରେ, କିଏ ଏକ ପାଦରେ ………. ଇତ୍ୟାଦିର ମାର୍ଗକୁ ବର୍ଷ ବର୍ଷ ଧରି ଦୃଢ ମନରେ ଶରୀରକୁ ଅଶେଷ କଷ୍ଟ ଦେଇ ତପସ୍ୟା କରିଥାନ୍ତି । ଏହି କାର୍ଯ୍ୟପାଇଁ ତ ଶକ୍ତି ଦରକାର ଓ ଏହାହିଁ ‘W’ । ତେବେ ଧ୍ୟାନରୁ ପ୍ରାପ୍ତ ଶକ୍ତି ‘Q’ରୁ ଏହା ଅପସାରିତ ହୁଏ । ବଳକା ଶକ୍ତି, ΔU = Q − W ହେଉଛି ବାସ୍ତବିକ ଆଭ୍ୟନ୍ତରୀଣ ଶକ୍ତିର ପରିମାପ ଯାହା ହୃଦୟବୋଧତା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ଆଭ୍ୟନ୍ତରୀଣ ଶକ୍ତିରେ ପରିବର୍ତ୍ତନ(ΔU)କୁ ଶକ୍ତି ଜମା କରିବା (Q) ଓ ପ୍ରତ୍ୟାହାର କରିବା(W) ମଧ୍ୟରେ ଥିବା ତଫାତ୍କୁ ବୁଝାଏ । ଯେହେତୁ ବିଭିନ୍ନ ମାର୍ଗରେ ତପସ୍ୟା, ତେଣୁ ପ୍ରାପ୍ତ ଜାଗତିକ ଶକ୍ତି ମଧ୍ୟ ଭିନ୍ନ ଭିନ୍ନ । ଏହି କାରଣରୁ ତପସ୍ୟା ବଜାୟ ରଖିବା ନିମିତ୍ତ କାର୍ଯ୍ୟ ଓ ପ୍ରାପ୍ତ ଶକ୍ତି ପରିମାପକ ଦ୍ୱୟକୁ ନିର୍ଦ୍ଦିଷ୍ଟ ଅବିଛନ୍ନ(Definite Integral) ପଥ ଅବଲମ୍ବିତ(Path-dependent) କହିବାରେ ଅଯୌକ୍ତିକତା ମନେହୁଏ ନାହିଁ । ଏହା ତାପ ବିଜ୍ଞାନର ପ୍ରଥମ ନିୟମର ଆଧ୍ୟାତ୍ମିକୀକରଣର ଏକ ପ୍ରଚେଷ୍ଟା ମାତ୍ର । ଏହା ମାନବ ଜୀବନ ଉତ୍ଥାନର ଦ୍ୱିତୀୟ ସୋପାନ ଅଟେ ।
କିନ୍ତୁ ତାପ ପ୍ରବାହର ପ୍ରଥମ ନିୟମରେ କିଛି ତ୍ରୁଟି ଦେଖାଯାଏ, ତାହା ହେଲା – (କ) ଏହା ତାପ ପ୍ରବାହର ଦିଗ ଦର୍ଶାଇବାରେ ନିରବ ରହେ ଅର୍ଥାତ୍ ଏହି ନିୟମରେ ଶୀତଳ ବସ୍ତୁରୁ ଉତ୍ତପ୍ତ କିମ୍ବା ଉତ୍ତପ୍ତ ବସ୍ତୁରୁ ଶୀତଳ ବସ୍ତୁକୁ ତାପ ପ୍ରବାହରେ କୌଣସି କଟକଣା ନଥାଏ । ପରନ୍ତୁ ଏକ ବରଫ ଖଣ୍ଡରୁ ପ୍ରାକୃତିକ ପ୍ରକ୍ରିୟାରେ ତାପଶକ୍ତି ଗ୍ରହଣ କରିବା ଅସମ୍ଭବ ଓ ଏଥିନିମିତ୍ତ ବାହ୍ୟ ବଳର ଆବଶ୍ୟକ । (ଖ) ଏହି ନିୟମ ଶକ୍ତି ରୂପାନ୍ତରୀକରଣରେ ପରିମାପର ସୂଚନା ଦିଏ ନାହିଁ । କାର୍ଯ୍ୟର ସମତୁଲ୍ୟ ପରିମାଣ ତାପଶକ୍ତିକୁ ପରିବର୍ତ୍ତନ ହୋଇପାରିବା କିନ୍ତୁ ତାପ ଶକ୍ତିର ସମତୁଲ୍ୟ ପରିମାଣ କାର୍ଯ୍ୟକୁ ପରିବର୍ତ୍ତନ ନହୋଇପାରିବା ଦୃଷ୍ଟିକୋଣ ଉପରେ ଏ ନିୟମ ମଧ୍ୟ ନିରବ ରହେ । ଏହି କାରଣମାନ ତାପ ପ୍ରବାହର ଦ୍ୱିତୀୟ ନିୟମ ସିଦ୍ଧାନ୍ତ(Formulation of Second law of Thermodynamics) ପାଇଁ ପଥ ଉନ୍ମୁକ୍ତ କଲା ।
ପ୍ରଥମ ନିୟମରେ ଯେଉଁ ତ୍ରୁଟି ପରିଲକ୍ଷିତ ହୁଏ, ତାହା ମଧ୍ୟ ମାନବୀୟ ଉତ୍ଥାନର ଦ୍ୱିତୀୟ ସୋପାନ ପାଇଁ ସମାନ୍ତରାଳ ଭାବନା ଜାଗ୍ରତ କରାଏ । ବିଶ୍ୱ ସୃଷ୍ଟିରେ ଅଣୁ – ପରମାଣୂଠୁ ଆରମ୍ଭ କରି ଗ୍ୟାଲାକ୍ସି ପରିବ୍ୟାପ୍ତ ସବୁ ପିଣ୍ଡ ମହାଜାଗତିକତାର ଏକ ଏକ ଅଂଶ ବିଶେଷ । ସବୁ ପ୍ରକାର ଜୀବ ଜଗତ ସଂଯୁକ୍ତ ଦେବ, ଦାନବ, ମାନବ ଆଦି ଏଥିରେ ଅନ୍ତର୍ଭୁକ୍ତ । ତେବେ ଧ୍ୟାନ କରାଯାଉଥିବା ଲକ୍ଷ୍ୟ ସ୍ଥଳରୁ ଶକ୍ତି ପ୍ରାପ୍ତ ହୋଇପାରେ ଅଥବା ଧ୍ୟାନରେ ବସିଥିବା ବ୍ୟକ୍ତି ବିଶେଷଠାରୁ ଶକ୍ତି ଲକ୍ଷ୍ୟ ସ୍ଥଳକୁ ପ୍ରବାହିତ ହେବାର ସମ୍ଭାବନା ସୃଷ୍ଟି କରେ । ପୁନଃ ଧ୍ୟାନର ନିରବଚ୍ଛିନ୍ନତାରେ ବିନିଯୋଗ କାର୍ଯ୍ୟ ଓ ପ୍ରାପ୍ତ ଶକ୍ତିର ରୂପାନ୍ତରୀକରଣରେ ପରିମାପର ସୂଚନା ଆବଶ୍ୟକ ହୁଏ । ହୋଇପାରେ ତପସ୍ୟାଦିର ବାହ୍ୟ ପରିଚର୍ଯ୍ୟାରେ କାର୍ଯ୍ୟର ପ୍ରୟୋଜନ ହୋଇ ନପାରେ ଅର୍ଥାତ୍ ବ୍ୟକ୍ତି ବିଶେଷର ମନ ପାରିପାର୍ଶ୍ୱିକତାକୁ ଭ୍ରୂକ୍ଷେପ ନକରି ନିଶ୍ଚଳ ଧ୍ୟାନଯୋଗରେ ନିମଗ୍ନ ହୁଏ । ନଚେତ୍ ପ୍ରାପ୍ତ ଶକ୍ତି ସମ୍ପୂର୍ଣ୍ଣ ରୂପେ ଧ୍ୟାନ ପାଇଁ କାର୍ଯ୍ୟକୁ ରୂପାନ୍ତରିତ ହୋଇ ଚାଲିଥିବ ଓ ବ୍ୟକ୍ତି ବିଶେଷକୁ ଧ୍ୟାନରେ ନିମଗ୍ନ ନକରାଇ ବିଚଳିତ କରାଉଥିବ । ତେବେ ଶକ୍ତି ପ୍ରବାହର ଦିଗ ଓ ରୂପାନ୍ତରିକରଣ ଉପରେ ଦ୍ୱିତୀୟ ନିୟମ ସମାଧାନ କରେ ।
ତାପ ପ୍ରବାହର ଦ୍ୱିତୀୟ ନିୟମ ଏହି ଅସୁବିଧା ବା ସୀମାବଦ୍ଧତା ଗୁଡିକୁ ଦୂର କରେ । ଏହା ପ୍ରକ୍ରିୟାର ସମ୍ଭବପରତା (feasibility) ଓ ତାପ ପ୍ରବାହର ଦିଗ ଉପରେ ଟୀପ୍ପଣୀ ଦିଏ । 1824 ମସିହାରେ ଫରାସୀ ବୈଜ୍ଞାନିକ ଏନ୍.ଏଲ୍.ସାଦି.କାର୍ନଟ୍(N.L.Sadi Carnot)ଉଭୟ ସମ୍ମୁଖ ଓ ପଶ୍ଚାତ୍ଦିଗରେ କାର୍ଯ୍ୟକ୍ଷମ(Reversible) ଏକ ଆଦର୍ଶ ତାପ ଯନ୍ତ୍ର(Ideal Heat Engine) ର ପରିକଳ୍ପନା କଲେ, ଯାହାକୁ ତାଙ୍କ ନାମାନୁସାରେ କାର୍ନଟ୍ ଯନ୍ତ୍ର(Carnot Engine) କୁହାଗଲା । ଏହି ଯନ୍ତ୍ର ତାପଶକ୍ତି ଗ୍ରହଣ କରି ତାହାକୁ କାର୍ଯ୍ୟରେ ପରିଣତ କରିବାର ଦକ୍ଷତା ଶତକଡା ଶହେ (100%)ରୁ କମ୍ ଦର୍ଶାଇଲା । ଏହି କଳ୍ପିତ ଆଦର୍ଶ ତାପ ଯନ୍ତ୍ର ବାସ୍ତବରେ ପରୀକ୍ଷଣ ସିଦ୍ଧ ହୋଇପାରିବ(Can never be realised in practice) ନାହିଁ, କିନ୍ତୁ ଏହାକୁ ଏକ ନିର୍ଦ୍ଦିଷ୍ଟ ମାନକ ତାପ ଯନ୍ତ୍ର(Standard Heat Engine) ରୂପେ ନିଆଯାଇ ଅନ୍ୟ ବାସ୍ତବ ତାପ ଯନ୍ତ୍ରଗୁଡିକର କାର୍ଯ୍ୟ ଦକ୍ଷତାର ମାତ୍ରା ଉପରେ ଧାରଣା ଦିଆଯାଇପାରିବ ।
ଯେହେତୁ ଉଭୟ ଦିଗରେ କାର୍ଯ୍ୟକ୍ଷମ କାର୍ନଟ୍ ଇଞ୍ଜିନ୍ ଦର୍ଶାଏ ଯେ, ଏହା ଏକ ତାପ ଉତ୍ସ(Source of Heat)ରୁ ତାପ ଶକ୍ତି ଗ୍ରହଣ କରି ଓ ଅବଉତ୍ସ(Sink)କୁ ଆଦୌ ତାପ ଶକ୍ତି ପରିତ୍ୟାଗ ନକରି ତାହାକୁ ସମ୍ପୂର୍ଣ୍ଣରୂପେ କାର୍ଯ୍ୟରେ ପରିଣତ କରିବା ଅସମ୍ଭବ, ତେଣୁ ତାପୀୟ ଇଞ୍ଜିନ୍ ନିମିତ୍ତ ଉତ୍ସ ଓ ଅବଉତ୍ସ ଅପରିହାର୍ଯ୍ୟ ଅଟେ । ଅର୍ଥାତ୍ ଇଞ୍ଜିନ୍ଟିର କାର୍ଯ୍ୟ ଧାରାରେ କିଛି ତାପ ଶକ୍ତି ଅବଉତ୍ସକୁ ଦେବାକୁ ବାଧ୍ୟ । ଯାହା ଫଳରେ ସମ୍ପୂର୍ଣ୍ଣ ତାପଶକ୍ତି କାର୍ଯ୍ୟକୁ ପରିଣତ ହେବା ଅସମ୍ଭବ ଓ ସବୁ ଇଞ୍ଜିନ୍ର କାର୍ଯ୍ୟ ଦକ୍ଷତା ଶତକଡା ଶହେ ଭାଗରୁ କମ୍ହିଁ ରହିବ ଓ ତାହା କାର୍ନଟ୍ ଇଞ୍ଜିନ୍ଠାରୁ ମଧ୍ୟ କମ୍ । ତାପ ପ୍ରବାହର ପ୍ରଥମ ନିୟମକୁ ମାନୁଥିଲେ ବି ଇଞ୍ଜିନ୍ର କାର୍ଯ୍ୟ ପଦ୍ଧତି ବଦଳେନି । ତେଣୁ ଘଟୁଥିବା ପ୍ରକ୍ରିୟାକୁ ବୁଝିବା ପାଇଁ କିଛି ବାକି ରହୁଛି, ଯାହା ଦ୍ୱିତୀୟ ନିୟମର ସୂତ୍ରଧର ଅଟେ । ତାପ ପ୍ରବାହର ଏହି ଦ୍ୱିତୀୟ ନିୟମକୁ ଭିନ୍ନ ଭିନ୍ନ ରୂପରେ ବୈଜ୍ଞାନିକମାନେ ପରିପ୍ରକାଶ କରିଛନ୍ତି ।
(1)କେଲ୍ଭିନ୍ – ପ୍ଲାଙ୍କ୍ ମତାମତ(Kelvin-Planck Statement)- ଚକ୍ରାକାର ପ୍ରକ୍ରିୟାରେ କାର୍ଯ୍ୟକ୍ଷମ ଏକ ତାପୀୟ ଇଞ୍ଜିନ୍ ଶୋଷଣ କରିଥିବା ତାପ ଶକ୍ତିକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକୁ ପରିଣତ କରିବା ଅସମ୍ଭବ ।
(2)କ୍ଲାଉସିୟସ୍ଙ୍କ ମତାମତ(Clausius Statement) – ତାପ ପ୍ରବାହ ଏକ ନିମ୍ନ ତପମାତ୍ରାରେ ଥିବା ବସ୍ତୁରୁ ଉଚ୍ଚ ତପମାତ୍ରାର ବସ୍ତୁକୁ ସ୍ୱତଃପ୍ରବୃତ ଭାବେ ହୋଇପାରିବ ନାହିଁ । ତେବେ ଏହି ମତାମତ ଦ୍ୱୟର ତାର୍କୀକ ନିଗମନ ଏକ ଓ ଅଭିନ୍ନ ଅଟେ ।
ତେଣୁ କଳ୍ପିତ ଆଦର୍ଶ ତାପଯନ୍ତ୍ର ଯେପରି ଉତ୍ସ ଓ ଅବଉତ୍ସ ମଧ୍ୟେ କାର୍ଯ୍ୟକ୍ଷମ, ସେହିପରି ଜାଗତିକ ଲକ୍ଷ୍ୟସ୍ଥଳକୁ ଦିବ୍ୟଉତ୍ସ ପୃଥିବୀକୁ ଅବଉତ୍ସ ରୂପେ ଚିନ୍ତା ପ୍ରକଟ ପୂର୍ବକ ଧ୍ୟାନମଗ୍ନ ବ୍ୟକ୍ତିର କାର୍ଯ୍ୟ ଦକ୍ଷତାକୁ ନେଇ ଏକ ତାପଯନ୍ତ୍ର ରୂପେ ଚିତ୍ରଣ କରାଯାଇପାରେ । ତାପଯନ୍ତ୍ର ଯେପରି ଉତ୍ସରୁ ଶକ୍ତି ଗ୍ରହଣ କରି ତାହାକୁ ସମ୍ପୂର୍ଣ୍ଣରୂପେ କାର୍ଯ୍ୟରେ ପରିଣତ କରିବା ଅସମ୍ଭବ କାରଣ କାର୍ଯ୍ୟ ଧାରାରେ କିଛି ତାପ ଶକ୍ତି ଅବଉତ୍ସକୁ ଦେବାକୁ ବାଧ୍ୟ, ସେହିପରି ବ୍ୟକ୍ତି ବିଶେଷ ପାଇଁ ଉତ୍ସରୁ ପ୍ରାପ୍ତ ଶକ୍ତି ସମ୍ପୂର୍ଣ୍ଣ ରୂପେ ବ୍ୟକ୍ତିର କାର୍ଯ୍ୟ ଦକ୍ଷତାକୁ ରୂପାନ୍ତରୀତ ନହୋଇ କିଛି ମାତ୍ରାର ଶକ୍ତି ପାର୍ଥିବ ପରିସରକୁ ବା ଅବ ଉତ୍ସକୁ ପ୍ରବାହିତ ହୁଏ । ଅର୍ଥାତ୍ ବ୍ୟକ୍ତିର କାର୍ଯ୍ୟ ଦକ୍ଷତା କସ୍ମିନ୍ କାଳେ ଶତକଡା ଶହେଭାଗ ହେବା ଅସମ୍ଭବ । ପୁଣି ବ୍ୟକ୍ତି ବିଶେଷ ଅବଉତ୍ସରୁ ଶକ୍ତି ଗ୍ରହଣ କରି ତାହାକୁ ନିଜ କାର୍ଯ୍ୟ ଦକ୍ଷତାରେ ପରିସ୍ଫୁଟ ପୁର୍ବକ ଉତ୍ସକୁ ବିଛି ମାତ୍ରାର ଶକ୍ତି ପ୍ରବାହ କରାଇବା ଅସମ୍ଭବ ଅଟେ ।
ତାପ ବିଜ୍ଞାନର ଶୂନ୍ୟତମ ନିୟମ ତାପମାତ୍ରାର ଧାରଣା ଦିଏ ଓ ଏହା ତାପୀୟାବସ୍ଥାର ଏକ ପରିବର୍ତ୍ତନଶୀଳ ସଂଖ୍ୟା ଅଟେ । ପ୍ରଥମ ନିୟମ ଆଭ୍ୟନ୍ତରୀଣ ଶକ୍ତିକୁ କାର୍ଯ୍ୟାବସ୍ଥାର ସୂଚକ ରୂପେ ଧରାଯାଏ । ସେହିପରି କ୍ଲାଉସିୟସ୍ଙ୍କ ଭାଷାରେ ଉଭୟ ଦିଗରେ କାର୍ଯ୍ୟକ୍ଷମ ତାପୀୟ ଇଞ୍ଜିନ୍ର କାର୍ଯ୍ୟାଧାରା ଓ ଦ୍ୱିତୀୟ ନିୟମ ଆଉ ଏକ ତାପୀୟାବସ୍ଥା ସନ୍ନିହିତ ନୂତନ ପରିବର୍ତ୍ତନଶୀଳ ସଂଖ୍ୟାର ଆଲୋକପାତ କରେ । ଏହି ପରିମାପକଟି କୌଣସି ପ୍ରକ୍ରିୟାର ଉତ୍ତାପ ଯାହା ତାହାର ଯାନ୍ତ୍ରିକ କାମ ପାଇଁ ମିଳିପାରେ ନାହିଁ, ତାହାକୁ ଏଣ୍ଟ୍ରୋପି(Entropy) କୁହାଗଲା । ଏଣ୍ଟ୍ରୋପିକୁ ମଧ୍ୟ କୌଣସି ପ୍ରକ୍ରିୟାର କାର୍ଯ୍ୟାବସ୍ଥା ଓ ଧର୍ମ ବୋଲି ଦର୍ଶାଗଲା । ତେଣୁ ପ୍ରତ୍ୟେକ ତାପୀୟ ଧାରାକୁ ଚାରିପ୍ରକାର ପରିବର୍ତ୍ତନଶୀଳ ସଂଖ୍ୟା ଦ୍ୱାରା ସମ୍ପୂର୍ଣ୍ଣ ଭାବେ ପରିପ୍ରକାଶ କରାଗଲା ଯଥା – ଚାପ(P), ଆୟତନ(V), ତାପମାତ୍ରା(T) ଓ ଏଣ୍ଟ୍ରୋପି(S) । ଏଣ୍ଟ୍ରୋପିର ଗାଣିତିକ ରୂପ ହେଲା – ଯଦି କୌଣସି ଏକ ଧାରାରେ, ‘T’ ତାପମାତ୍ରାରେ ‘dQ’ତାପଶକ୍ତିର ବିନିମୟ ଘଟେ, ତେବେ ଏଣ୍ଟ୍ରୋପିରେ ପରିବର୍ତ୍ତନ ‘dS’ ନିମ୍ନଭାବେ ହୁଏ ।
dS = dQ ⁄T
ତେଣୁ ତାପବିଜ୍ଞାନର ଦ୍ୱିତୀୟ ନିୟମକୁ ନିମ୍ନ ଗାଣିତିକ ସମୀକରଣରେ ଲେଖାଗଲା –
dQ= TdS
ଏହାର ଭାଷା ରୂପ ହେଉଛି “ପ୍ରତ୍ୟେକ ପ୍ରାକୃତିକ ଘଟଣା ଘଟିବାର କାରଣରୁ ବିଶ୍ୱ ସମୁଦାୟର ଏଣ୍ଟ୍ରୋପି ମଧ୍ୟ ବୃଦ୍ଧି ପାଏ । ପୁନଃ ଏଣ୍ଟ୍ରୋପି ବୃଦ୍ଧି ସମାନୁପାତିକ ଭାବେ ବିଶ୍ୱ ସୁବିନ୍ୟାସକୁ ବିଶୃଙ୍ଖଳିତ(disordered) କରିବାର କାରଣକୁ ବୁଝାଏ । ଏହାକୁ ମାନବ ଧର୍ମଯୁକ୍ତ କରିବାର ପ୍ରଚେଷ୍ଟାରେ ତାପ ଯନ୍ତ୍ରର କାର୍ଯ୍ୟଧାରାକୁ ପୁନଃ ପର୍ଯ୍ୟଲୋଚନା କରାଯାଉ । ତାପ ଯନ୍ତ୍ର ଚକ୍ରାକାର ପ୍ରକ୍ରିୟାରେ ଯେତେ କାର୍ଯ୍ୟ କଲା ତାହା ଉତ୍ସରୁ ପ୍ରାପ୍ତ ତାପ ଶକ୍ତିର ରୂପାନ୍ତରୀକରଣରୁ ଘଟିଲା । ପରନ୍ତୁ ତାପ ଶକ୍ତି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକୁ ରୂପାନ୍ତରୀତ ନହୋଇ କିଛି ଅବଉତ୍ସକୁ ଆପଣାଛାଏଁ ଯିବାକୁ ବାଧ୍ୟ ହେଲା । ସେହିପରି ବ୍ୟକ୍ତି ବିଶେଷର ପ୍ରାପ୍ତ ଶକ୍ତିରୁ କିଛି ନିଜର ଦକ୍ଷତାରେ ବିନିଯୋଗ ହୋଇ ବଳକା ପାର୍ଥିବ ପରିସରକୁ ଯାଏ । ତେଣୁ ତାପ ବିଜ୍ଞାନର ଦ୍ୱିତୀୟ ନିୟମ ଯେଉଁ ନୂଆ ପରିମାପକର ସୂଚନା ଦେଲା ତାହାକୁ ଏଣ୍ଟ୍ରୋପି କୁହାଗଲା । ଏହା ମଧ୍ୟ ସମାନ ନାମରେ ମାନବୀୟ ଜାଗତିକତାରେ ରହିବାର ଯଥାର୍ଥତା ମନେହୁଏ । ଏହି ପରିମାପକଟି କାର୍ଯ୍ୟ ଦକ୍ଷତା ବୃଦ୍ଧିରେ ଆଦୌ ସହାୟକ ହୁଏ ନାହିଁ ବରଂ ଏହା ଏକ ନକରାତ୍ମକ ପରିବେଶ ସୃଷ୍ଟି କରେ । ଅବଉତ୍ସକୁ ନିଷ୍କାସିତ ହେଉଥିବା ଶକ୍ତି ବର୍ଜ୍ୟ ବସ୍ତୁ ସହ ତୁଳନୀୟ ଓ ଏହା ଖଳ ନାୟକର ଭୂମିକା ଲିଭାଇଥାଏ । ବିଶ୍ୱରେ ପ୍ରତିକ୍ଷଣରେ ଘଟୁଥିବା ଅସୁମାରୀ ପ୍ରକ୍ରିୟା ଗୁଡିକରୁ ନିଷ୍କାସିତ ବର୍ଜ୍ୟ ଶକ୍ତିର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସବୁପ୍ରକାର ବିଶୃଙ୍ଖଳା ବଢି ଚାଲିଛି । ଏହାର ପ୍ରଭାବରେ ସର୍ବେ ଉତ୍ପୀଡିତ ଓ ବିଚଳିତ । ଏହାର ପ୍ରକୋପ କ୍ଷୀଣ କରିବା ନିମିତ୍ତ ମାନବୀୟ ଉତ୍ଥାନର ତୃତୀୟ ସୋପାନର ପରିଭାଷା ହେଲା – ସତ୍ ସଙ୍ଗରୁ ଅଶେଷ ଆନନ୍ଦ ଲାଭ ସହ ଆତ୍ମଜ୍ଞାନୀ ହେବାପାଇଁ ଅବିରତ ମନ – ପ୍ରାଣ ଦେବା । ତେବେ ଭଗବଦ୍ଗୀତା ପଠନ, ଈଶ୍ୱରଙ୍କ ମାହାତ୍ମ୍ୟ ବର୍ଣ୍ଣନ, ଧ୍ୟାନ, ଧାରଣା ତପସ୍ୟାଦିରେ ଏକାଗ୍ରତା ଓ ହୃଦ୍ବୋଧତାର ସହ ମନରେ ଏଣ୍ଟ୍ରୋପି ରୂପୀ ଯେଉଁ ଭଟ୍ଟା ବା ବିଚଳିତବୋଧତା ସୃଷ୍ଟି ହୁଏ ତାହାକୁ ନ୍ୟୁନତମ କରିବାର ପଥ ହେଉଛି ସାଧୁ ସଙ୍ଗ କରିବା । ଏହା ଦ୍ୱାରା ମନରୁ ଭ୍ରାନ୍ତି ଦୂର ହୋଇ ସାତ୍ତ୍ୱିକତାର ଅପୂର୍ବ ସ୍ୱାଦରେ ଦିବ୍ୟାନନ୍ଦ ପ୍ରାପ୍ତ ହୁଏ । ଏହା ମାନବ ଜୀବନ ଉତ୍ଥାନର ତୃତୀୟ ସୋପାନ ଅଟେ ।
ତାପ ବିଜ୍ଞାନର ତୃତୀୟ ନିୟମ ହେଉଛି ତାପୀୟ ସନ୍ତୁଳନତାରେ ଥାଇ ଏକ ଆବଦ୍ଧ ଧାରାର ଧର୍ମ ସମ୍ବନ୍ଧୀୟ ବିବୃତ୍ତି । ତାହା ହେଲା ଯଦି ଏକ ଧାରାର ତାପମାତ୍ରା ଐକାନ୍ତିକ ଶୂନ(Absolute Zero)କୁ ପହଞ୍ଚେ, ତେବେ ତା’ର ଏଣ୍ଟ୍ରୋପିର ମୂଲ୍ୟରେ ମଧ୍ୟ ଏକ ସ୍ଥିରତା ଆସେ । ଏହା ଉଚିତ ସଂଜ୍ଞାକୃତ ଧାରା(Well Defined System) ପାଇଁ ଶୂନ ହୁଏ ଅଥବା ଅନ୍ୟ ଧାରା ପାଇଁ ଏକ ସ୍ଥିର ମୂଲ୍ୟ ନିଏ, ଯାହାକୁ ବଳକା(Residual) ଏଣ୍ଟ୍ରୋପି କୁହାଯାଏ । ନିମ୍ନ ତାପମାତ୍ରାରେ ଏକ ତାପୀୟ ପଦ୍ଧତି ପାଇଁ ନର୍ନ୍ଷ୍ଟ – ସାଇମନ୍(Nernst – Simon)ଙ୍କ ମତାନୁସାରେ ତୃତୀୟ ନିୟମ ହେଉଛି – ଏକ ଘନୀଭୂତ ଧାରା(Condensed System) ଯଦି ଏକ ପରିବର୍ତ୍ତନଶୀଳ ସମତାପୀୟ(Reversible Isothermal) ପଥରେ ଧାବିତ ହୋଇ ଐକାନ୍ତିକ ଶୂନ ତାପମାତ୍ରା(0 K)ରେ ପଦାର୍ପଣ କରେ ତେବେ ତା’ର ଏଣ୍ଟ୍ରୋପି ପରିବର୍ତ୍ତନରେ ଶୂନ ହୁଏ । ଏହାର ସର୍ବୋତ୍କୃଷ୍ଟ ସିଦ୍ଧାନ୍ତ ହେଲା – ଏକ ସୀମିତ କାର୍ଯ୍ୟ ପ୍ରଣାଳୀ ଦ୍ୱାରା କୌଣସି ଏକ ପ୍ରକ୍ରିୟା ଯେତେ ପରିମାର୍ଜିତ ବା ଆଦର୍ଶଗତ ହୋଇଥାଉନା କାହିଁକି, ସେହି ଧାରା ପାଇଁ ଏଣ୍ଟ୍ରୋପିର ମୂଲ୍ୟ ଶୂନରେ ପହଞ୍ଚିବା ଅସମ୍ଭବ । ପୁନଃ ତୃତୀୟ ନିୟମ ଏକ ବିଷୟରେ ପହଞ୍ଚେ ଯାହା ଏକ ନିର୍ଦ୍ଦିଷ୍ଟ ଶକ୍ତି ଆଚରଣ ଉପରେ ଯୌକ୍ତିକ ସତ୍ୟତା ଦର୍ଶାଇ ଥାଏ । ତାହା ହେଲା – ଯଦି ଦୁଇଟି ତାପୀୟ ଧାରା(Thermodynamic System) ଏକ ନିରଙ୍କୁଶ ଧାରା ଗଠନ କରନ୍ତି ତେବେ ଧାରା ଦ୍ୱୟ ମଧ୍ୟରେ ଯେ କୌଣସି ରୂପରେ ଶକ୍ତିର ବିନିମୟ ସୀମାବଦ୍ଧ ଅଟେ ।
ତାପ ପ୍ରବାହର ତୃତୀୟ ନିୟମ ଅନୁଧ୍ୟାନ କରି ତାହାର ଏକ ଅବଶ୍ୟମ୍ଭାବୀ ଆଧ୍ୟାତ୍ମିକ ଶୈଳୀ ଉପସ୍ଥାପନ କରାଯାଇ ପାରେ । ଉପର ବର୍ଣ୍ଣିତ ମାନବୀୟ ଉତ୍ଥାନର ତିନି ସୋପାନ ଅତିକ୍ରମ ପରେ ବି ସମ୍ପୂର୍ଣ୍ଣ ଶୃଙ୍ଖଳିତ ଓ ବର୍ଜ୍ୟ ହୀନତାର ଆଶା କରାଯାଇ ପାରିବ ନାହିଁ । କାରଣ ଅନିୟମିତତା ଓ ଅବ୍ୟବସ୍ଥାର ସୂତ୍ରଧର ଏଣ୍ଟ୍ରୋପିର ମୂଳୋତ୍ପାଟନ ଅସମ୍ଭବ । ବିଜ୍ଞାନ କହେ ଏକ ଉଚିତ ସଂଜ୍ଞାକୃତ ପ୍ରକ୍ରିୟାର ତାପମାତ୍ରା ଐକାନ୍ତିକ ଶୂନରେ ପହଞ୍ଚିଲେ ଉପଦ୍ରବକାରୀ ଏଣ୍ଟ୍ରୋପିର ସତ୍ତା ରହେନି । ତେଣୁ ଶୂନ୍ୟତମ ନିୟମରେ ଧାରଣା ସୃଷ୍ଟି ହୋଇଥିବା ପରିମାପକ “ତାପମାତ୍ରା”କୁ ଏଠାରେ ବ୍ୟୁତକ୍ରମାନୁପାତିକ(Inversely Proportional) ଭାବେ ଈଶ୍ୱରୀୟ ଆତ୍ମବୋଧତା ସହ ତୁଳନା କରାଯାଇ ପାରେ । ଏହା ହିଁ ଚତୁର୍ଥ ସୋପାନର ଅୟାରମ୍ଭ ଯେ, ଦୁସ୍ଥ, ଦରିଦ୍ର, ଅସହାୟ, ବୁଭୁକ୍ଷୁ …… ଆଦିଙ୍କୁ ସ୍ୱଅର୍ଜିତ ଧନରୁ ଆନନ୍ଦ ଚିତ୍ତରେ ଦାନ କରି ପରମ ସନ୍ତୋଷ ଲାଭର ଅଧିକାରୀ ହେବା । ଏତାଦୃଶ ପ୍ରକ୍ରିୟାର ନିରବଚ୍ଛିନ୍ନତା ମନରେ କିଛି ଜମାଟ ବାନ୍ଧି ରହିଥିବା ବିଭ୍ରାଟକାରୀ ଅହଂତ୍ୱ ଆଦିକୁ ଧିରେ ଧିରେ ବିନାଶ କରିଥାଏ । ବିଜ୍ଞାନ ଭାଷାରେ ଐକାନ୍ତିକ ଶୂନ ତାପମାତ୍ରା ଅପର୍ଯ୍ୟବେକ୍ଷିତ(Not Observable),ଅପହଞ୍ଚ(Non-attainable) ଓ ଏକ କାଳ୍ପନିକ ଧାରଣା(Imaginary Concept), କାରଣ ଏଠାରେ ସବୁ କିଛି ସ୍ଥାଣୁ ଓ ସ୍ତବ୍ଧ ହୋଇଯାଏ । ସେହିପରି ଅହଂତ୍ୱର ସମ୍ପୂର୍ଣ୍ଣ ବିନାଶ ମଧ୍ୟ ଏକ କାଳ୍ପନିକ ଅନୁଚିନ୍ତନ, ଯାହା ମାନବକୁ ପରମ ଗତି ପ୍ରାପ୍ତ କରାଇବାର ସମ୍ଭାବନା ସୃଷ୍ଟି କରୁଅଛି । ଏହା ଅପହଞ୍ଚ ସଦୃଶ ପ୍ରତୀୟମାନ ହେଲେ ବି ସମ୍ପୂର୍ଣ୍ଣ ସକରାତ୍ମକ ଉପାଦାନଯୁକ୍ତ ପ୍ରକ୍ରିୟା, ଯାହା ଅସମ୍ଭବକୁ ସମ୍ଭବରେ ପରିଣତ କରେ । ତେଣୁ ବର୍ଜ୍ୟ(Rejected) ଓ ଖାଦ(Impurity) ଆଦି ଦାନବରୂପୀ ଏଣ୍ଟ୍ରୋପିକୁ ଧ୍ୱଂସ କରିବା ନିମିତ୍ତ ମାନବ କ୍ରମାନ୍ୱୟରେ ଚତୁର୍ଥ ସୋପାନରେ ପଦାର୍ପଣ କରିବାକୁ ଶ୍ରୀ ଶଙ୍କର ମାନବ ସମାଜକୁ ଚେତାଇ ଦେଇଛନ୍ତି ।
………………………………………………………………………………………………………………………………………………………